ପିତାଙ୍କର ମୁଖରୁ ଏସନ ବାଣୀ ଶୁଣି ।
ଉଠି ଉଭା ହୋଇଲା ସେ ଜନକଦୁଲଣୀ ।
ସଲଜ୍ଜିତ ଭାବରେ ଆସଇ ଧୀର ଧୀର ।
ସଙ୍ଗତରେ ପରିବାରୀ ଅଛନ୍ତି ଅପାର ।
ନବରତ୍ନମାଳା ଏକ ଦେବୀ କରେ ଧରି ।
ହେଳୁହେଳ ଚାଲଇ ସେ ଜନକକୁମାରୀ ।
ଶ୍ରୀରାମର ସନ୍ନିଧେ ମିଳିଲେ ଦେବୀ ଯାଇଁ ।
ଚକିତ ହୋଇଲେ ସେ ନୃପତିଗଣେ ଚାହିଁ ।
ହାବୁଡ଼ା ହାବୁଡ଼ି ହୋଇ ଦେଖନ୍ତି ଯେ ଜନ ।
ଲକ୍ଷ୍ମୀ ନାରାୟଣ ଦେଖି ହୋନ୍ତି ତୋଷମନ ।
ପିତାର ବଚନେ ସଲଜ୍ଜିତ ହୋଇ ବାଳୀ ।
ହରଷଚିତ୍ତରେ କରେ ଧରି ରତ୍ନମାଳୀ ।
ଶ୍ରୀରାମ କଣ୍ଠରେ ମାଳା ଲମ୍ବାଇଲେ ନେଇ ।
ଜୟ ଜୟ ଶବଦ କରନ୍ତି ସୁରସାଇଁ ।
ଚାରିଚକ୍ଷୁ ହେଲା ଭେଟ ଲକ୍ଷ୍ମୀ ନାରାୟଣ ।
ମୁଖେ ମୁଖ ଭେଟ ମାଳା ଦେବାର ବେଳେଣ ।
ଦେଖଣାହାରୀ ଲୋକେ ଯେ ଜୟ ଜୟ କଲେ ।
ପୁଷ୍ପବୃଷ୍ଟି ଇନ୍ଦ୍ରଦେବ ଆଗେ ଆରମ୍ଭିଲେ ।
ରାଜାଗଣ କହିଲେ ଫିଟିଲା ମନୁ ଭ୍ରାନ୍ତି ।
ଲକ୍ଷ୍ମୀ ନାରାୟଣ ଏହି ବେନି ଯେ ବୋଲାନ୍ତି ।
ଏବେ ଜାଣ ତିନିପୁର ହୋଇବାକ ସୁସ୍ଥ ।
ଅସୁରବଳକୁ ରାମ କରିବେ ନିପାତ ।
ଦେଖିକରି ତିନିପୁରେ ପ୍ରଶଂସା କରନ୍ତି ।
ସାଧୁ ସାଧୁ ମହିମା ସମାନ ନାହିଁ କ୍ଷତି ।
କୋଦଣ୍ତ ଭାଙ୍ଗିଣ ରାମ ବିଜେ ସଭା ମଧ୍ୟେ ।
ଜନକତନୟା ରହିଅଛନ୍ତି ସନ୍ନିଧେ ।
ବାମଭାଗେ ବିଜୟେ ଲକ୍ଷ୍ମଣ ଗୁଣମଣି ।
ଗହ ଗହ ଶବଦ ଶୁଭଇ ମୁଖବାଣୀ ।
ସମସ୍ତେ ଦେଖିଣ ଶିରପରେ ହସ୍ତ ଦ୍ୟନ୍ତି ।
ଦେଖିଲୁଁ ଯେ ଲକ୍ଷ୍ମୀ ନାରାୟଣ ବେନିମୂର୍ତ୍ତି ।
(6)
ରାମ-ବିବାହ
ଆଜ୍ଞା ପାଇ କୁଶଧ୍ୱଜ ଅନ୍ତଃପୁରେ ଯାଇ ।
ମୁଦୁସୁଲୀକି ଯେ ଡାକି ବାରତା କହଇ ।