ପୃଷ୍ଠା:Typical selections from Oriya literature.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୩
ଓଡ଼ିଆ ସାହିତ୍ୟ-ପରିଚୟ

ଗୁଞ୍ଜମାଳା ମୁଣ୍ତେମାଳା ଅଛଇ ସେ ଖୋସି ।
କେଶ ଶୋଭା ଦିଶିବାରୁ ଶୋଭା ଶୁଭ୍ରକେଶୀ ।
କୁଟିଳ କୁନ୍ତଳ ତାର ଯମୁନା ତରଙ୍ଗ ।
କାମଦେବ ରଥର କି ଶୁଭ୍ରପତାକାଙ୍ଗ ।
କେଶ ଶୋଧିଣ କରନ୍ତି ବେଶ ସର୍ବନାରୀ ।
ହେମଚିରୁଣୀ ଘେନି ତା କେଶକୁ ଯେ ଚିରି ।
ଭିତର ଉପରେ ସଳଖିଲେ ନାହିଁ କେଶ ।
ଛାମୁରେ ଖଞ୍ଜିଲେ ନାନାବିଧ ନାନାପୁଷ୍ପ ।
ଚମ୍ପା ବକୁଳ କେତକୀ ଶ୍ୱେତା ଗୋଟା ମଲ୍ଲୀ ।
ଗୋଟା ନାଗେଶ୍ୱର ଯେ ମରୁଆ କୁରୁବେଲୀ ।
ଶ୍ୱେତ କୁସୁମମାଳକୁ ଶତେଭାଗ କରି ।
ଉପରେ ଲେପିଲେ ନେଇ କର୍ପୂର କସ୍ତୁରୀ ।
କେଶ କୋରାଳିଣ ଯେ ବିବିଧ ପୁଷ୍ପ ଖୋଷି ।
ନୀଳମେଘରେ କି ବିହ‌ଙ୍ଗମମାଳା ଦିଶି ।
ଖୋଷିଲେ କବରୀ ତ‌ହିଁ ଅତି ଯତ୍ନ କରି ।
ଉପରେ କେତକୀପାଖୁଡ଼ା ଯେ କେରିକେରି ।
ପଛକୁ ଓହୋଳି ଦିଶିଲାକ ଖୋଷା ଯ‌ହୁଁ ।
ମୁଖଚନ୍ଦ୍ରମାକୁ କିବା ଗ୍ରାସିଅଛି ରାହୁ ।
ଦିନମଣି ଗ‌ଗନରେ ଦିଶିଲା ମଳିନ ।
କେତେ ଦୁଃଖେ ବିଶ୍ୱକର୍ମା କଲାକ ଗଠନ ।
କି ଅବା ବିଧାତା ଚନ୍ଦ୍ର ବୋଇତ ଲେଖିଲା ।
କବରୀର ଭାର ସୀତା ମୁଖକୁ ଶୋହିଲା ।
ଖୋପାର ନାଭି ଗୋଟି ଭ୍ରମରୀଛନ୍ଦେ ବୁଲି ।
ତ‌ଥିପାଖେ ବେଢ଼ାଇଲେ ମୁକୁତାର ଜାଲି ।
ଦିବ୍ୟ ବସନେକ ତ‌ହିଁ ଆଣିଲେ ବିଚାରି ।
ଶ୍ୱେତ ପୀତ ରଙ୍ଗ ଯେ ପତନି ସରୁଶାଢ଼ୀ ।
ତାରାମଣ୍ତଳକୁ ଜିଣି ମୁକୁତା ଯେ ପନ୍ତି ।
ପାଟଅଞ୍ଚଳେ ଖଞ୍ଜଣି ଦିବ୍ୟ ଗଜମୋତି ।
ସେ ବସ୍ତ୍ରକୁ ବାଛିଣ ଯେ ପିନ୍ଧାଇଲେ ନେଇ ।
ରତ୍ନ‌ଦ୍ୱୀପରୁ କି ଲକ୍ଷ୍ମୀ ଅଇଲେ ଓହ୍ଲାଇ ।
ପାଟର ବିଛଣା ଯେ ମାଡ଼ିଣ ଦେବୀ ବସି ।
ଜନ‌ନୀମାନେ ଯେ ଆଭରଣ ଘେନି ଆସି ।
କର୍ଣ୍ଣରେ ଖଞ୍ଜିଲେ ଯେ ମୁକୁତା ଫେରି କାପ ।
ହୀରାର ଯେ ଜ୍ୟୋସ୍ନା ତ‌ହିଁ ଆଦିତ୍ୟର ତାପ ।