ଉଇକିପିଡ଼ିଆରେ ଆଧାର କିପରି ଦେବା?
ଉଇକିପିଡ଼ିଆରେ ତଥ୍ୟ ଯୋଡ଼ିବା ପାଇଁ କାହିଁକି ମୋତେ ଆଧାର ଦେବାକୁ ପଡ଼େ?
ପାରମ୍ପରିକ ଜ୍ଞାନକୋଷଗୁଡ଼ିକ, ନିଜ ଅଥବା ସେଗୁଡ଼ିକର ଲେଖକମାନଙ୍କ ଶିକ୍ଷା ଓ ଗବେଷଣାଭିତ୍ତିକ ଖ୍ୟାତି ଅନୁସାରେ ବୈଧତା ପ୍ରାପ୍ତ କରିଥାନ୍ତି, କିନ୍ତୁ ଉଇକିପିଡ଼ିଆ ଏଥିରେ ଥିବା ତଥ୍ୟର ବିଶ୍ୱସନୀୟତା ଉପରେ ଭରସା କରିଥାଏ । ପାଠକ ନିଶ୍ଚିନ୍ତ ହୋଇଥିବା ଆବଶ୍ୟକ ଯେ ତଥ୍ୟ ନିର୍ଭୁଲ ଓ ଯୁକ୍ତିଯୁକ୍ତ ଅଟେ । ପାଠକଙ୍କୁ ଭରସା ଯୋଗାଇବାର ଗୋଟିଏ ଉପଯୁକ୍ତ ଉପାୟ ହେଉଛି ତାଙ୍କୁ ଆମେ ମୂଳ ଆଧାରର ଲିଙ୍କ ଯୋଗାଇଦେବା, ଯେଉଁଠି ସେମାନେ ଯଦି ଚାହାନ୍ତି ତଥ୍ୟର ସତ୍ୟତା ପରଖି ପାରିବେ । ଉଇକିଆଳି ସାଧାରଣତଃ କହିଥାନ୍ତି ଯେ ଉଇକିପିଡ଼ିଆରେ ତଥ୍ୟ ସତ୍ୟ ନହେଲେ ଚଳିବ କିନ୍ତୁ ପ୍ରମାଣିତ ହୋଇପାରୁଥିବା ଆବଶ୍ୟକ । ଅର୍ଥାତ ଆମେ କେବଳ ସେହି ତଥ୍ୟ ଯୋଡୁ, ଯାହା ବିଶ୍ୱସନୀୟ ସୂତ୍ର ଦ୍ୱାରା ପ୍ରକାଶିତ ହୋଇଥାଏ ଓ ପାଠକ ନିଜେ ତାହାର ସତ୍ୟତା ପରଖି ପାରିବେ । ସେଥିପାଇଁ ଆମର ନୀତି ଅନୁସାରେ ଜଣେ ଉଇକିଆଳି ତାଙ୍କର ନିଜ ମତ ଉଇକିପିଡ଼ିଆ ଲେଖାରେ ପ୍ରକାଶ କରିପାରିବେ ନାହିଁ ।
ଗୋଟିଏ ଉଇକିପିଡ଼ିଆ ଲେଖାର ସମସ୍ତ ଅଲଗା ଅଲଗା ତଥ୍ୟରେ ଆଧାର ଯୋଡ଼ିବା କଣ ଜରୁରୀ?
ଗୋଟିଏ ଲେଖାର ତଥ୍ୟମାନଙ୍କରେ ଯେତେ ଅଧିକ ଆଧାର ରହିବ, ଲେଖାଟି ସେତେ ଉନ୍ନତ, ଉପଯୁକ୍ତ ହେବ । ଅଥଚ, ପୂରାପୂରି ଜଣା ତଥ୍ୟ ଯେମିତି କି “ଉଇକିପିଡ଼ିଆ ଏକ ଜ୍ଞାନକୋଷ” ରେ ଆଧାର ଦେବା ଅନାବଶ୍ୟକ ଓ ଏହା ପାଠକ ପାଇଁ ଦ୍ୱନ୍ଦ ସୃଷ୍ଟି କରିବ । ଉଇକିପିଡ଼ିଆ ନିୟମାବଳୀ (WP:Verifiability) ଅନୁସାରେ "ପ୍ରମାଣ ମଗାଯାଇପାରୁଥିବା ବା ମଗାଯାଇପାରିବାର ସମ୍ଭାବନା ଥିବା ଯେକୌଣସି ତଥ୍ୟ ପାଇଁ ବିଶ୍ୱସନୀୟ ଆଧାର ଲେଖା ଭିତରେ (ଇନଲାଇନ ସାଇଟେସନ) ଦେବାକୁ ପଡ଼େ" । ସାଧାରଣତଃ ଭଲ ଉଇକିପିଡ଼ିଆ ଲେଖାମାନଙ୍କରେ ପାରମ୍ପରିକ ଗବେଷଣାତ୍ମକ ପତ୍ର ଅପେକ୍ଷା ଅଧିକ ଆଧାର ଦିଆଯାଇଥାଏ । ସନ୍ଦେହ ହେଲେ, ଆଧାର ଯୋଡ଼ିବା ବିଧେୟ! ସମସ୍ତ ଉଦ୍ଧୃତାଂଶ, ପରିସଙ୍ଖ୍ୟାନ, ଜୀବିତ ଲୋକଙ୍କ ଉପରେ ବିବାଦାସ୍ପଦ ଟିପ୍ପଣୀ, ଏବଂ ଅସାଧାରଣ ଦାବି ଏସବୁରେ ଆଧାର ଯୋଡ଼ିବା ନିତାନ୍ତ ଆବଶ୍ୟକ । ଉଦାହରଣ ସ୍ୱରୂପ “ପ୍ରଥମ” ବା “ଶ୍ରେଷ୍ଠ” ଦାବି କରୁଥିବା ଟିପ୍ପଣୀରେ ନିଶ୍ଚିତ ଭାବେ ଆଧାର ଦେବା ଆବଶ୍ୟକ । ସେଥିପାଇଁ ଯେତେବେଳେ “ଉଇକିପିଡ଼ିଆ ଏକ ଜ୍ଞାନକୋଷ” ଟିପ୍ପଣୀରେ ଆଧାର ଆବଶ୍ୟକ ନାହିଁ, “ଉଇକିପିଡ଼ିଆ ଏକ ସର୍ବବୃହତ, ସର୍ବଶ୍ରେଷ୍ଠ ଜ୍ଞାନକୋଷ” ରେ ଆବଶ୍ୟକ ଅଛି । ଏକ ଭଲ ଅନୁକରଣୀୟ ଉପାୟ ହେଉଛି, ପ୍ରତ୍ୟେକ ଅନୁଚ୍ଛେଦରେ ଅତି କମରେ ଗୋଟିଏ ଆଧାର ରହିବା ଉଚିତ ।
ଉଇକିପିଡ଼ିଆରେ କେଉଁଟି ଏକ ବିଶ୍ୱସନୀୟ ସୂତ୍ର ହିସାବରେ ଗଣାଯାଇପାରିବ?
ଉଇକିପିଡ଼ିଆର ନିୟମାବଳୀ ଅନୁସାରେ ବିଶ୍ୱସନୀୟ ଆଧାର ହେଉଛି, “ତଥ୍ୟ ପରଖିବା ଓ ସଠିକତାରେ ସୁନାମ ଲଭିଥିବା ତୃତୀୟ ପକ୍ଷ ପ୍ରକାଶିତ ଆଧାର” । ଗୋଟିଏ ଲେଖା ପାଇଁ ଆଧାର ଚୟନ କରିବା ମୋଟାମୋଟି ଭାବେ ଏହାର ବିଷୟ ଉପରେ ନିର୍ଭର କରିଥାଏ । ନିୟମାବଳୀର ନିର୍ଦ୍ଦେଶ ଅନୁସାରେ, “ଗୋଟିଏ ଆଧାରର ସଠିକତା ଏହାର ପ୍ରସଙ୍ଗ ଉପରେ ନିର୍ଭର କରିଥାଏ” । ଅଧିକନ୍ତୁ ସାଧାରଣତଃ ବିଶ୍ୱବିଦ୍ୟାଳୟ ଶ୍ରେଣୀୟ ପାଠ୍ୟପୁସ୍ତକ ତଥା ଜଣାଶୁଣା ପ୍ରକାଶନ, ପତ୍ରିକା, ଜର୍ଣ୍ଣାଲ ଏବଂ ପ୍ରମୁଖ ଖବରକାଗଜ ଦ୍ୱାରା ପ୍ରକାଶିତ ଖବର, ଶିକ୍ଷା ଓ ଗବେଷଣାଭିତ୍ତିକ, ବିଶେଷଜ୍ଞ-ପରିକ୍ଷୀତ ପ୍ରକାଶନଗୁଡ଼ିକ ହେଉଛି ଶ୍ରେଷ୍ଠ ଆଧାର । ଏହି ସମାନ ମପାଦଣ୍ଡ ପୁରା କରୁଥିବା ଯେକୌଣସି ଇଲେକଟ୍ରୋନିକ ମିଡ଼ିଆର ବ୍ୟବହାର ମଧ୍ୟ କରିହେବ ।