ପୃଷ୍ଠା:WikipediaReferencing.pdf/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାଧାରଣତଃ, ଉଇକିପିଡ଼ିଆର ଲେଖାମାନଙ୍କରେ ଦ୍ୱିତୀୟକ ଆଧାର ରହିବା ଉଚିତ, ଓ କିଛି ସଂଖ୍ୟାରେ ତୃତୀୟକ ଆଧାର । ଦ୍ୱିତୀୟକ ଆଧାର, ପ୍ରାଥମିକ ଆଧାରର ବିଶ୍ଳେଷଣ କରିଥାଏ ଏବଂ ସେହି ବିଶ୍ଳେଷଣକୁ ହିଁ ଉଇକିପିଡ଼ିଆ ସାରା ବିଶ୍ୱକୁ ଯୋଗାଇଥାଏ । ପ୍ରାଥମିକ ଆଧାର, ଯାହା ବିଷୟ ସହିତ ଜଡ଼ିତ ଥିବା ବ୍ୟକ୍ତି ଦ୍ୱାରା ପ୍ରକାଶିତ ହୋଇଥାଏ, କିମ୍ବା କୌଣସି ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ବ୍ୟକ୍ତି ଓ ସେଥିରେ ଭାଗ ନେଇଥିବା ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ଥାଏ ତାହାକୁ ଖୁବ କମ ବା ଆଦୌ ବ୍ୟବହାର ନ କରିବା ଉଚିତ, ବ୍ୟବହାର କଲେ ଆଧାରର ବ୍ୟାଖ୍ୟା ଓ ବିଶ୍ଲେଷଣ ଯଥାସମ୍ଭବ ନ କରିବା ଉଚିତ । ସବୁକ୍ଷେତ୍ରରେ ଉପଯୋଗୀ ନିୟମ ଭାବେ, ପାଠକଙ୍କ ନିମନ୍ତେ ବିଷୟବସ୍ତୁର ବ୍ୟାଖ୍ୟା ପାଇଁ ଯେକୌଣସି ପ୍ରାଥମିକ ଆଧାର ସହିତ ନିଶ୍ଚିତ ଭାବେ ଦ୍ୱିତୀୟକ ସୂତ୍ରରୁ ଆଧାର ରହିବା ଉଚିତ । ଜ୍ଞାନକୋଷ ଭଳି ତୃତୀୟକ ଆଧାରସବୁ ଦ୍ୱିତୀୟକ ଆଧାରସବୁର ସାରାଂଶ ହୋଇଥିବାରୁ ଅଧିକ ବ୍ୟବହାର ଉପଯୋଗୀ ତଥା କେତେକାଂଶରେ ବିଷୟର ଏକ ମୋଟାମୋଟି ସାରାଂଶ ହୋଇପାରିଥାଏ ।

ଉଇକିପିଡ଼ିଆ ପ୍ରସଙ୍ଗରେ ଯୋଡ଼ିବା ପାଇଁ ତଥ୍ୟର ବିଶାଳ ଭଣ୍ଡାରସବୁ ଥିଲେ ମଧ୍ୟ ଅନେକ ଆଧାର ଉଇକିପିଡ଼ିଆ ପାଇଁ ଉପଯୋଗୀ ନୁହଁନ୍ତି । ଉଦାହରଣ ସ୍ୱରୂପ, ଯେକୌଣସି ବ୍ୟକ୍ତି ଏକ ୱେବସାଇଟ ତିଆରି କରିପାରିବେ ଅଥବା ଅର୍ଥ ବିନିଯୋଗରେ ବହି ଛପାଇପାରିବେ, ତାପରେ ସେହି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ନିଜକୁ ବିଶେଷଜ୍ଞ ରୂପେ ଦାବି କରିପାରିବେ । ସେହି କାରଣ ପାଇଁ ନିଜେ ଛାପିଥିବା ମିଡ଼ିଆ, ଯେମିତିକି ବହି, ସମାଚାର ପତ୍ର, ବ୍ୟକ୍ତିଗତ ୱେବସାଇଟ, ଖୋଲା ଉଇକି, ବ୍ୟକ୍ତିଗତ ବା ଗୋଷ୍ଠୀ ବ୍ଲଗ, ଇନ୍ଟରନେଟ ଫୋରମ ପୋଷ୍ଟ, ଏବଂ ଟୁଇଟସ, ଏସବୁ ସାଧାରଣତଃ ଆଧାର ଭାବେ ଗ୍ରହଣୀୟ ନୁହେଁ । ଏଥିରେ କିଛି ବ୍ୟତିକ୍ରମ ରହିଥିଲେ ହେଁ ଆଉ କେଉଁଠି ତଥ୍ୟ ଖୋଜିବା ବେଶୀ ଫଳପ୍ରଦ ହେବ ।

ମୁଁ ଏକରୁ ଅଧିକ ଆଧାରରୁ ତଥ୍ୟ ଯୋଡ଼ିପାରିବି କି?

ଉଇକିପିଡ଼ିଆର ଏକ ନିୟମାବଳୀ “ମୂଳ ଗବେଷଣା ନୁହେଁ”, ଅର୍ଥାତ ଆଗରୁ ଯାହା ପ୍ରକାଶିତ ହୋଇସାରିଛି କେବଳ ତାହା ହିଁ ପ୍ରକାଶ କରିହେବ ଓ ତାହାକୁ ସଂଶ୍ଳେଷଣ (ସିନ୍ଥେସିସ) କରିହେବନି । ଗୋଟିଏ ବିଷୟ ଉପରେ ଲେଖା ଲେଖିବାପାଇଁ ଜଣକୁ ପୂର୍ବରୁ ଉପଲବ୍ଧ ଥିବା ତଥ୍ୟକୁ ସଂକ୍ଷେପରେ ଲେଖିବାକୁ ହେବ – ସମ୍ପାଦକମାନଙ୍କୁ ସଂଶ୍ଲେଷଣ ଓ ସାରାଂଶ ଭିତରେ ଥିବା ପାର୍ଥକ୍ୟକୁ ଜାଣିବାକୁ ହେବ । ଭିନ୍ନ ଭିନ୍ନ ଆଧାରରୁ ତଥ୍ୟ ଯୋଡ଼ି ଏକ ନୂଆ ସିଦ୍ଧାନ୍ତରେ ଉପନୀତ ହେବା ଯାହାକି କୌଣସି ଏକ ଆଧାରରେ ସ୍ପଷ୍ଟଭାବେ ଉଲ୍ଲେଖ ହୋଇନଥିବ, ତାହା ହିଁ ସଂଶ୍ଳେଷଣ । ଯଦି ଏକ ବିଶ୍ୱସନୀୟ ଆଧାର ଅନୁସାରେ ‘କ’, ଅନ୍ୟ ଏକ ବିଶ୍ୱସନୀୟ ଆଧାର ଅନୁସାରେ ‘ଖ’, ତେବେ କ ଓ ଖ କୁ ମିଶାଇ ଅଲଗା ଅର୍ଥ କାଢି ଅନ୍ୟ ଏକ ସିଦ୍ଧାନ୍ତ ‘ଗ’ ରେ ପହଞ୍ଚିବା ନିୟମ ବିରୁଦ୍ଧ ଯେଉଁଟାକି କ କିମ୍ବା ଖ, କେହିବି କହିନଥିବେ । ଏଇଟି ଆଗରୁ ପ୍ରକାଶିତ ହୋଇଥିବା ତଥ୍ୟର ସଂଶ୍ଳେଷଣ, ଯାହା ଏକ ନୂଆ ପରିସ୍ଥିତି ସୃଷ୍ଟି କରିବ, ଏହା ହିଁ ହେଉଛି ମୂଳ ଗବେଷଣା । ଉଦାହରଣ ଭାବେ,

ୟୁ.ଏନ. ର କଥିତ ଲକ୍ଷ ହେଉଛି ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବା ଓ ସୁରକ୍ଷା ଯୋଗାଇବା, କିନ୍ତୁ ଏହାର ସ୍ଥାପନା ଠାରୁ ସାରା ବିଶ୍ୱରେ ୧୬୦ଟି ଯୁଦ୍ଧ ହୋଇସାରିଲାଣି ।

ବାକ୍ୟର ଉଭୟ ଅଂଶ ପାଇଁ ବିଶ୍ୱସନୀୟ ଆଧାର ଥାଇପାରେ, କିନ୍ତୁ ଏଠି ଦୁଇଟିକୁ ଯୋଡ଼ିକରି ଲେଖାଯାଇଛି ଯେ ୟୁ.ଏନ. ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାରେ ଅସଫଳ ହୋଇଛି । ଯଦି କୌଣସି ବିଶ୍ୱସନୀୟ ଆଧାର ଏହିଭଳି ତଥ୍ୟକୁ ନଯୋଡ଼ିଛନ୍ତି, ତାହେଲେ ଏହା ହେଉଛି ମୂଳ ଗବେଷଣା । ସମାନ ତଥ୍ୟକୁ ଆଧାର କରି ଅଲଗା ଅର୍ଥ ବାହାର କରି ଲେଖିବା କିଛି ବଡ଼ କଥା ନୁହେଁ, ଏହା ଦର୍ଶାଉଛି ନିୟମ ନ ମାନିଲେ କେତେ ସହଜରେ ତଥ୍ୟ ବଦଳାଯାଇପାରିବ :