ବିଶ୍ୱାସ
ବିଶ୍ୱାସ
ଗାଳ୍ପିକ
ରାଜେଶ କୁମାର ବାରିକ
ଗଳ୍ପ ସଂକଳନ : 'ବିଶ୍ୱାସ'
ଗାଳ୍ପିକ : ରାଜେଶ କୁମାର ବାରିକ
ପ୍ରକାଶକ : ଶୁଭପଲ୍ଲବ ପବ୍ଲିକେଶନ୍
ମୁଦ୍ରଣ : ବାପି ପ୍ରିଣ୍ଟର୍ସ, ଭୁବନେଶ୍ୱର
ସମ୍ପାଦନା : ତାପସ ରଞ୍ଜନ
ପ୍ରଚ୍ଛଦପଟ୍ଟ : ସମ୍ବିତ ଦାସ
ଅଳଂକରଣ : ସଂଗ୍ରାମ କେଶରୀ ସେନାପତି
ସତ୍ତ୍ୱାଧିକାର : CC BY-SA 4.0
ପ୍ରଥମ ସଂସ୍କରଣ : ଗଣେଶ ପୂଜା (ସେପ୍ଟେମ୍ବର) ୨୦୨୧
ମୂଲ୍ୟ : ୧୯୯୯/- ଟଙ୍କା ମାତ୍ର
Biswas (Story Collection)
Writer - Rajesh Kumar Barik
Publisher - Shubhapallaba Publication
Printed at Bapi Printers, Bhubaneswar
Editor: Tapas Ranjan
Cover - Sambeet Das (Sambeet Arts)
Page Design - Sangram Keshari Senapati
Copyright - CC BY-SA 4.0
First Edition - Ganesh Puja (September) 2021
ISBN - 978-81-952729-2-1
Price - ₹199.00
ନିଜଠାରୁ ମୋତେ ଅଧିକ ଭଲ ପାଉଥିବା
ମୋ' ଜେଜିମା’ ଆଉ ଜେଜେଙ୍କୁ
ଦୈନନ୍ଦିନ ଜୀବନରେ ସଙ୍ଗଠିତ ହେଉଥିବା ଘଟଣା ପ୍ରବାହମାନଙ୍କୁ ନେଇ ଯଦି ସୁନ୍ଦର ମାଳାଟିଏ ଗୁନ୍ଥାଯାଏ, ସେ ମାଳାର ସ୍ୱରୂପ ବୋଧହୁଏ ଏହି ଗଳ୍ପ ସଙ୍କଳନ ‘ବିଶ୍ୱାସ’ ପରି ହେବ । ଗଳ୍ପଗୁଡ଼ିକୁ ପଢ଼ିବା ମାତ୍ରେ ହିଁ ପାତ୍ର ଗୁଡ଼ିକ ଅତି ଆପଣାର ମାନେହୁଅନ୍ତି । ଲାଗନ୍ତି ସତେ ଯେମିତି ସେହି ଚରିତ୍ର ଗୁଡ଼ିକୁ ଆମେ ଜୀଇଁଛେ କେବେ ନା କେବେ ! ଘଟଣା ପ୍ରବାହର ଦୃଶ୍ୟପଟ ନିଜ ଜୀବନ୍ତ ଅଂଶ ବିଶେଷ ମନେହୁଅନ୍ତି ।
‘ଅଜିମାନର ଅବଶୋଷ’, ‘ଅହିଂସାର ଅନ୍ୟନାମ’, ‘ଆଜିର ତପୋଇ’ ଆଦି କାହାଣୀ ଆମ ଆଖ ପାଖରେ ସଙ୍ଗଠିତ ହେଉଥିବା ଘଟଣା ସବୁର ପ୍ରତିଫଳନ । ପାତ୍ରଗୁଡ଼ିକ ମଧ୍ୟ ନିଜ ପରିବାରର, ଅତି ଆପଣାର । ‘ସ୍ୱାଇଁ ସାର’ ଯେଉଁଠି ସ୍କୁଲ ଜୀବନକୁ ଫେରେଇ ନେବ, ‘ସମୟର ସ୍ରୋତ’ କୋଭିଡ଼ର ଏକ କରୁଣ ଓ ନିଚ୍ଛକ ଛବି ଦେଖେଇବାର ସକ୍ଷମ ହେବ । ପୁଣି ‘ସୋଫିଆ ରାମ’ ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ତା’ରି ଭିତରେ ପ୍ରେମର ମଧୁର ଧାରଟିଏ କୁଳୁକୁଳୁ ହୋଇ ବୋହିଯିବ ।
‘ଶୂନ୍ୟସ୍ଥାନ ପୂରଣ’ ଆଜିକା ସମୟରେ ପରିବର୍ତ୍ତନଶୀଳ ପାରିବାରିକ ଦୃଶ୍ୟପଟର ବିକଳାଙ୍ଗ ଛବି ଆଙ୍କିଦେବ ପାଠକର ସୂକ୍ଷ୍ମ ମାନସପଟରେ । ‘କୃଷ୍ଣମଗ୍ନା’ ଏ ସଂକଳନର ଏକମାତ୍ର ବ୍ୟତିକ୍ରମ ଯେଉଁଠି ଶ୍ରୀ ରାଧା କୃଷ୍ଣଙ୍କର ଶାଶ୍ୱତ ପ୍ରେମର ବର୍ଣ୍ଣନା ହୋଇଛି ଏକ ଭିନ୍ନ ଶୈଳୀରେ, ଯାହା ପାଠକର ହୃଦୟକୁ ଛୁଇଁଯିବ ଅଚିରେ ।
‘ଗଣେଶପୂଜା ଚାନ୍ଦା’, ‘ଠିକଣା’, ‘ଦୁଷ୍ଟ ବାଳକ’, ‘ଫଗୁରଙ୍ଗ’, ‘ଫ୍ରେଣ୍ଡସିପ’, ‘ମୁଁ ଆଉ ମୋ ପ୍ରେମ’ ଆଦି କାହାଣୀ ପାଠକୀୟ ଆଦୃତା ଲାଭ କରିବାରେ ସକ୍ଷମ ହେବ ବୋଲି ଆଶା ।
ଶୀର୍ଷକ କାହାଣୀ ‘ବିଶ୍ୱାସ’ ମନୁଷ୍ୟ ଓ ଗୃହପାଳିତ ପଶୁଙ୍କ ଭିତରେ ଅଦୃଶ୍ୟରେ ଗଢ଼ି ଉଠୁଥିବା ସମ୍ପର୍କର ସଫଳ ଚିତ୍ରଣ ।
ଯଦିଓ ଲେଖକଙ୍କର ଏହା ପ୍ରଥମ ପାଦ ଚିହ୍ନ; ଯାହାର ଛାପ ଲିଖିତ କାହାଣୀ ମାନଙ୍କରେ ଅନେକ ସ୍ଥାନରେ ସୁସ୍ପଷ୍ଟ; ତଥାପି ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ବୋଲି ଦୃଢ଼ ଆଶା ଓ ବିଶ୍ୱାସ ।| ୧. ଅଭିମାନର ଅବଶୋଷ | ୯ |
| ୨. ଅହିଂସାର ଅନ୍ୟ ନାମ | ୧୨ |
| ୩. ଆଜିର ତପୋଇ | ୧୫ |
| ୪. ଆମେ ବି ମଣିଷ | ୧୮ |
| ୫. ଆଶାର ଆଶ୍ୱାସନା | ୨୧ |
| ୬. କୃଷ୍ଣମଗ୍ନା | ୨୪ |
| ୭. ଗଣେଶ ପୂଜା ଚାନ୍ଦା | ୨୭ |
| ୮. ଠିକଣା | ୩୦ |
| ୯. ଦୁଷ୍ଟ ବାଳକ | ୩୪ |
| ୧୦. ଧର୍ମ ସହିବନି | ୩୭ |
| ୧୧. ପ୍ରକୃତି ଓ ସଂସ୍କୃତି | ୪୧ |
| ୧୨. ଫଗୁ ରଙ୍ଗ | ୪୪ |
| ୧୩. ଫ୍ରେଣ୍ଡସିପ୍ | ୪୮ |
| ୧୪. ବିଚାରୀ | ୫୧ |
| ୧୫. ବିବାହ ବାର୍ଷିକୀ | ୫୪ |
| ୧୬. ବିଶ୍ୱାସ | ୫୭ |
| ୧୭. ମୁଁ ଆଉ ମୋ ପ୍ରେମ | ୫୯ |
| ୧୮. ଶୂନ୍ୟ ସ୍ଥାନ ପୂରଣ | ୬୨ |
| ୧୯. ସମୟର ସ୍ରୋତ | ୬୫ |
| ୨୦. ସୋଫିଆ ରାମ | ୬୯ |
| ୨୧. ସ୍ୱାଇଁ ସାର୍ | ୭୪ |
| ୨୨. ପ୍ରକୃତ ବନ୍ଧୁ | ୭୮ |
ସମସ୍ତେ ଚାହାଁନ୍ତି ଖୁସିରେ ରହିବାକୁ । ଭଲ ଘର ବଡ଼ ଚାକିରି ଆଉ ତା’ ଭିତରେ ସବୁ କିଛି । ରାଜୁର ବି ଇଚ୍ଛା ଥିଲା ତା’ ବାପାଙ୍କଠାରୁ ବଡ଼ ଚାକିରି କରିବ, ବେଶି ନାଁ କରିବ । ଏସବୁ ଖାଲି ରାଜୁର ସ୍ୱପ୍ନ ନୁହେଁ ରାଜୁ ବାପାମାଆଙ୍କର ବି ଏମିତି ସ୍ୱପ୍ନ ଥିଲା । ହେଲେ ସମୟର ବିଡ଼ମ୍ୱନା ତାକୁ ନେଇ ସୁରତର ଗୋଟେ ସୂତା କଳ ସହ ଯୋଡ଼ୁଛି । ସବୁ ସେହି ବିଧାତାର ଖେଳ ! କେଉଁ ବାପା ମାଆ କ’ଣ ଜାଣି ଶୁଣି ନିଜ ପିଲାର ଭବିଷ୍ୟତକୁ ବିଗାଡ଼ି ପାରିବେ !!
୧୯୯୪ ମସିହା ଅପ୍ରେଲ ୨୬ରେ ଯେତେବେଳେ ରାଜୁର ଜନ୍ମ ହୋଇଥିଲା, ସେତେବେଳେ ଘରକୁ ଖୁସିର ଜୁଆର ଆସିଥିଲା । ରବି ଫସଲ ଭଲ ହେବା ସାଙ୍ଗକୁ ରାଜୁ ବାପାଙ୍କୁ ପ୍ରାଇମେରୀ ସ୍କୁଲରେ ଚାକିରିଟା ବି ମିଳିଗଲା । ରାଜୁ ସମସ୍ତଙ୍କ ପାଇଁ ଲକ୍ଷଣମାନ ସାବ୍ୟସ୍ତ ହୋଇଥିଲା । ରାଜୁକୁ ପାଇ ତା’ର ବାପାମାଆ ଯେତିକି ଖୁସି ନଥିଲେ ତା’ଠୁ ଅଧିକ ଖୁସି ଥିଲେ ତା’ର ପରିବାର । ଏହାରି ଭିତରେ ଖୁସିର ଜୁଆରଟା ଅଧିକ ସମୟ ରହିପାରିଲା ନାହିଁ । ଆସିଲା ୧୯୯୯ର ମହାବାତ୍ୟା ଆଉ ଭାଙ୍ଗି ଦେଇଗଲା ରାଜୁର ଘର, ଭସାଇ ନେଲା ଖୁସି । ଭଗବାନଙ୍କ କୃପାରୁ ଆଶ୍ରୟସ୍ଥଳୀର ଚୁଡ଼ା ଗୁଡ଼ ଖାଇ କଳା ଜରି ଭିତରେ ଜୀବନଟା ରହିଯାଇଥିଲା ସେଦିନ । ବନ୍ୟାରେ ଭାଙ୍ଗିଥିବା ଘରକୁ ପାଥେୟ କରି କକା, ବଡ଼ବାପା, ବୁଢ଼ାବାପା ସମସ୍ତେ ଦେଖେଇଥିଲେ ନିଜ ଅସଲ ରୂପ । ଆଉ ରାଜୁ ବାପାଙ୍କ ପାଖରେ ରହିଯାଇଥିଲା କେତେ ଖଣ୍ଡ ବାଉଁଶ, କଳା ଜରି । ହେଲେ ତା’ ବାପା କେବେ ମୁହଁ ଖୋଲି ନଥିଲେ । ସମସ୍ତେ ସବୁ ନେଇ ଗଲାପରେ ନିଜକୁ ନିଜେ ସମ୍ୱାଳି ଗାଁ ସ୍କୁଲରୁ ଆରମ୍ଭ କରାଇଥିଲେ ରାଜୁର ବିଦ୍ୟାରମ୍ଭ । ବନ୍ୟା ପରବର୍ତ୍ତୀ ପଟୁ ଭଳି ଏହି ବାତ୍ୟା ବି ଦେଇଥିଲା ବହୁତ କିଛି । ବାପାମାଆଙ୍କର ସବୁବେଳେ ଗୋଟିଏ ଚିନ୍ତା, ପିଲାଟା ସିନା ସରକାରୀ ସ୍କୁଲରୁ ପାଠ ଆରମ୍ଭ କଲା କିନ୍ତୁ କଲେଜ ପ୍ରାଇଭେଟ୍ରେ ହିଁ କରିବ ତା’ହାଲେ ଆଗକୁ ତ ଯାଇ କିଛି କରିପାରିବ !! ମାଆ ସବୁଥିରୁ ଖର୍ଚ୍ଚ କାଟ୍ କରି ସଞ୍ଚୟ କରିବାରେ ବ୍ୟସ୍ତ, ବାପା ପେଟକୁ ପିଠିକୁ ମାରି ଜମା ରଖିବାରେ ବ୍ୟସ୍ତ ଆଉ ରାଜୁ ମନଧ୍ୟାନ ଦେଇ ପାଠ ପଢ଼ିବାରେ ବ୍ୟସ୍ତ ! କିନ୍ତୁ ତିନି ଜଣଙ୍କର ସ୍ୱପ୍ନ ଏକ ! ଆକାଶରେ ଉଡ଼ିବ, ବଡ଼ ବିଶ୍ୱବିଦ୍ୟାଳୟରେ ପଢ଼ିବ, ବହୁତ ନାଁ କରିବ ପୁଅ । ରାଜୁ ମନ ଲଗାଇ ପାଠ ପଢ଼ିଲା । ମ୍ୟାଟ୍ରିକରେ ଜିଲ୍ଲାରେ ପ୍ରଥମ ହେଲା ଆଉ ଛୁଟିଲା ଶୁଭେଚ୍ଛାର ସୁଅ । ଖୁସିରେ ଆତ୍ମହରା ହୋଇ ପଡ଼ୁଥାନ୍ତି ବାପାମାଆ ଦୁଇଟା । ସ୍ୱପ୍ନ ସତ ହେଲା ପରି ଲାଗୁଥାଏ । ଏଇ ଖୁସିର ଜୁଆର ଏତେ ବେଶୀ ହେଲା ଯେ ସବୁ ସ୍ୱପ୍ନ ଧୋଇ ନେଇଗଲା । ଯେବେ ଜଣାପଡ଼ିଲା ରଖିଥିବା ଟଙ୍କା ସବୁ ଚିଟ୍ ଫଣ୍ଡ୍ କମ୍ପାନୀରେ ବୁଡ଼ି ଯାଇଛି । ପାଦତଳୁ ମାଟି ଖସିଗଲା, ବଜ୍ରପଡ଼ିଲା ଭଳି ଲାଗିଲା ବାପାଙ୍କ ଦେହରେ । ସବୁ ସ୍ୱପ୍ନ ଭାଙ୍ଗିଗଲା ରାଜୁର । ତଥାପି ବି ହାର୍ ମାନିନଥିଲା ସେ ।
ଭାଗ୍ୟକୁ ଦୋଷ ଦେଇ ବାପାଙ୍କୁ ଦେଇଥିଲା ସାନ୍ତ୍ୱନା ଆଉ ନେଇ ଯାଇଥିଲା ଭଣ୍ଡ ସାରଥି ପାଖକୁ, ମନର ପରିବତ୍ତର୍ନ ପାଇଁ । ବାବାଙ୍କ ମିଠା ମିଠା କଥାରେ ଆତ୍ମା ପରମାତ୍ମାର ମିଳନ ହୋଇଥିଲା । ଆଉ ରାଜୁ ରାତାରାତି ପାଲଟିଥିଲା ସବୁ ପରମ ଭକ୍ତଙ୍କ ମୁଖ୍ୟ ଆଦର୍ଶ । ବାବା ଗୋଲକୋଣ୍ଡା ଯିବାବେଳକୁ ରାଜୁ ବିଏ ପାସ୍ କରିଥାଏ । ସାରଥି ଜେଲ୍ ଯିବା ପରେ ସବୁ ଆଶା ଆଉ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯାଇଥାଏ ।
ସରକାର ଅଫିସରେ ପିସି କାରବାର । ବେକାରୀ ବୃଦ୍ଧିରେ ଆଉ ତା’ରି ଭିତରେ ରାଜୁ ଆଉ ଆଗକୁ ଯାଇ ପାରିଲିନି । ଘରର ଅବସ୍ଥା, ମାନସିକ ଦୁଃଚିନ୍ତା ଭିତରେ ରାଜୁ ଗୋଟେ ନାମରେ ହିଁ ସୀମିତ ରହିଛି । ମଧ୍ୟବିତ୍ତଙ୍କର ଜୀବନରେ ଦୋଷ କାହାର? ରାଜୁର ନା ରାଜୁ ବାପାମାଆଙ୍କର? ରାଜୁ ଅଭିମାନ କରିଛି ତା’ ବାପାମାଆଙ୍କ ଉପରେ ହେଲେ ତା’ର ଏ ଅବସ୍ଥା ପାଇଁ ଦାୟୀ କିଏ???
କିଟିମିଟିଆ ଅନ୍ଧାରରେ ଯେତେବେଳେ ବିଜୁଳିଟେ ମାରିଦେଲା, ଚମକି ପଡ଼ିଲା ସ୍ୱପ୍ନା; କାହିଁକିନା ପାଖରେ ବସିଥାଏ ଶକ୍ତି । କିଛି କହିବାକୁ ସାହାସ ହେଲାନି । ହାତରେ ଦୁଇଟା ଟ୍ରେନ୍ ଟିକେଟ୍, ପାଖରେ ଦୁଇଟା ବ୍ୟାଗ୍ । ଏଇ କ’ଣ ନୂତନ ଜୀବନର ଖୁସି? ନା ଆଶା ନା ଆକଂକ୍ଷା?? ଚୁପ୍ଚାପ୍ ନୀରବରେ ଦୁଇଟା ବ୍ୟାଗ୍ ହାତରେ ଧରି ଉଠିପଡ଼ିଲା ଶକ୍ତି ।
- ଗୋଟେରୁ ଦେଢ଼ କିଲମିଟର ଚାଲିବାକୁ ପଡ଼ିବ । ତା’ ପରେ ଷ୍ଟେସନ୍ । ୪ଟା ୪୫ରେ ଟେନ୍ ଅଛି, ଜଲ୍ଦି ଆସ । ଷ୍ଟେସନରେ କିଛି ସମୟ ବସିଲେ ଭଲ ।
- ବାପା ଆଉ ମା’ ଶୋଇଥିଲେ, ଦୂରରୁ ଟିକେ ଦେଖିଥିଲି । ପାଖକୁ ବି ଯାଇ ପାରିଲିନି । ତୁମ ପ୍ରତି ଭଲପାଇବା ନିଶା ସିନା ଏଠିକି ନେଇ ଆସିଲା, କିନ୍ତୁ ଆସିବାକୁ ଇଚ୍ଛା ନଥିଲା ।
- ୪ଟା ୪୫ରେ ଟେନ୍, ହାତରେ ଆଉ ୪୫ମିନିଟ୍ ସମୟ । କ’ଣ ସବୁ ଇଆଡ଼ୁ ସିଆଡ଼ୁ ଗପୁଛ? ବାପାଙ୍କର ଏ.ଟି.ଏମ, ମା’ଙ୍କର ଗହଣା ସବୁ ନେଇକି ଆସିଛି ଆଉ ତୁମେ?
- ଆମକୁ କିଛ ଦିନ ଅପେକ୍ଷା କରିବାର ଥିଲା । ମାନୁଛି ଜୀବନ ସାରା ତୁମ ସହ ତୁମରି ହୋଇ ରହିବି, ହେଲେ ବାପାମା?? ଛୋଟ ବେଳେ ଅଝଟ ହେଲେ ମା’ ମାରେ । ବାପା ନାଲି ଆଖି ଦେଖାନ୍ତି । ସେହି ମା’ ବି ତ ତା’ ସେନେହ ପଣତରେ ପୋଛିଦିଏ ! ସେହି ବାପା ବି ତ ସବୁ ଆବଶ୍ୟକ ପୂରଣ କରନ୍ତି । ଜୀବନ ବଡ଼ ବିଚିତ୍ର ଶକ୍ତି ! ଜୀବନ ବଡ଼ ବିଚିତ୍ର ।
- ସବୁ ଦୋଷ କ’ଣ ମୋର? ପୁଅ ପିଲା ମୁଁ, ଦୟା, ଧର୍ମ, କ୍ଷମା ମୋ ଦେହରେ ଭରିଛି । ତୁମକୁ ଆଶା ଦେଇ ଆଶା ମାରିବାକୁ ଚାହୁଁନି । ପରୀକ୍ଷାରେ ଫାଷ୍ଟ୍କ୍ଲାସ୍ରେ ପାସ୍ କଲି ବୋଲି ମା’ ତା’ର ଗହଣା କଢ଼ି ଦେଇଥିଲା ବାଇକ୍ ପାଇଁ । ତୁମେ ଥରେ ଚିନ୍ତା କର, ସେଇ ଗହଣାକୁ ନେଇ ଆସିଛି ତୁମରି ପାଇଁ ।
କଣ୍ଠ ବାଷ୍ପରୋଳ ହୋଇଯାଉଥାଏ ଶକ୍ତିକୁ ଜାବୁଡ଼ି ଧରିଲା ସ୍ୱପ୍ନା ।
- ମୋ ବାପା ବହୁତ ରାଗି । ମାଡ଼ ମାରିବେ, ପିଠି ପତେଇ ଦେବି । ଖାଇବାକୁ ନଦେବେ ଉପାସ ଶୋଇ ପଡ଼ିବି । କିନ୍ତୁ ତୁମକୁ ପାଇବାକୁ ଏମିତି ଲୁଚିକି ଯାଇ ପାରିବିନି । ମୋତେ କ୍ଷମା କରିଦିଅ ଶକ୍ତି, ମୋତେ କ୍ଷମା କରିଦିଅ ।
ରାତ୍ରି ସେଇ କିଟିମିଟି ଘନଅନ୍ଧକାର ସିନା ସକାଳର ଆଲୋକରେ ରଙ୍ଗୀନ ହୋଇଗଲା । ହାତରେ ଥିବା ଦୁଇଟି ଟିକେଟ୍ ଟିଟିଇ ପାଖରେ ପହଞ୍ଚିଥିଲେ, ପ୍ରତିଟି ସ୍ୱପ୍ନ ଅବଶୋଷରେ କଟିଥାନ୍ତା । ଆଜି ଶକ୍ତି ଆଉ ସ୍ୱପ୍ନା ସ୍ୱାମୀ-ସ୍ତ୍ରୀ ଭାବେ ବାପାମାଆଙ୍କ ଆଶୀର୍ବାଦ ନେଇ ଖୁସିରେ ଅଛନ୍ତି ।
ନୀରବରେ ଆନ୍ଦୋଳନ କରିବା, ଗୋଟିଏ ଗାଲରେ ମାଡ଼ ଖାଇଲେ ଅନ୍ୟ ଗାଲ ଦେଖାଇ ଦେବାକୁ ଖାଲି ଅହିଂସା କୁହାଯାଏନି, ସମୟ ସହ ଅହିଂସାର ରୂପରେଖ ବଦଳିଛି । ଯେମିତି ଶକ୍ତି ଆଉ ସ୍ୱପ୍ନାର ପ୍ରେମ କାହାଣୀ ।
ତପୋଇ ଋଷିଛି ! ରାକ୍ଷୀ ପୂର୍ଣ୍ଣିମାରେ ସିନା ଭାଇ ହାତରେ ରାକ୍ଷୀ ବାନ୍ଧିପାରିଲା ନାହିଁ, କ’ଣ ଭାଇର ଶୁଭମନାସି ଖୁଦୁରୁକୁଣୀ ପୂଜା କରିପରିବ ନାହିଁ? ଅଭିମାନ ତ ମନ ଭିତରେ, ହେଲେ ଅଭିମାନ ବି କ’ଣ କରି ପାରିବ ନାହିଁ?? ଗୋଟିଏ ବୋଲି ଭାଇ ସେ ଫୁଣି ସୁରତରେ ରହି କାମ କରେ । ଘରଦ୍ୱାର, ବାପା, ମାଆ, ଆଉ ଅତି ଭଲପାଉଥିବା ଭଉଣୀକୁ ଛାଡ଼ି କେହି କ’ଣ ଏକା ରହିପାରିବ? କିନ୍ତୁ ରହୁଛି ! ଆଉ ଏସବୁ କାହାପାଇଁ କରୁଛି? ସବୁ ଏହି ତପୋଇ ପାଇଁ, ମାନେ ମୋ’ ପାଇଁ । ବପାଙ୍କ ମେଡ଼ିସିନ୍, ମୋର ପଢ଼ା ଖର୍ଚ୍ଚ ପୁଣି ମୋ ବାହାଘର... କେଉଁଠୁ ଆଣିବ ଯେ ! ମୋ ଭାଇ ମୋ ପାଇଁ ହିରୋ ।
ଦିନେ ସେ ତପୋଇ ସିନା ଜଙ୍ଗଲରେ ଯାଇ ଖୁଦୁରୁକୁଣୀ ପୂଜା କରିଥିଲା, କିନ୍ତୁ ଆଜି ବ୍ରାହ୍ମଣ ଆସି ଏଇ ତପୋଇର ପୂଜା ଘରେ କରିଦେଉଛି । ସେ ତପୋଇ ସିନା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା, କିନ୍ତୁ ମୁଁ ମୋବାଇଲେ ବ୍ୟସ୍ତ ରହୁଛି । ଖାଲି ଏତିକି ଫରକ, ସେଠି ଭଉଜକୁ ଏଠି ମା’ ଖାଲି ରାଉ ରାଉ ହେଉଛି । ଖାଲି କହୁଛି, “ପୂରା ଦିନ ବିଛଣାରେ ପଡ଼ିରହିକି ମୋବାଇଲ୍ ଚଲାଉଛୁ, ରୋଷେଇବାସରେ ମନ ଦେ ନହେଲେ ଶଶୁର ଘରେ ଯାଇ ନାଁ ପକାଇବା ଛଡ଼ା କିଛି କରିପାରିବୁନି ।” କିନ୍ତୁ ମୁଁ କହେ, “ମାଆ ଆମ ଘରେ ଭାଉଜ ଆସିଲେ ସବୁ କରିଦେବନି ମୋତେ ଟିକେ ମୋବାଇଲ୍ ଚଲାଇତେ ଦେ ନା । ପ୍ଲିଜ୍ ମା ପ୍ଲିଜ୍ ।”
ରାତି ପାହିଲେ ଖୁଦୁରୁକୁଣୀ ପୂଜା । ମନରେ ଭାବି ଭାବି ଆଖିକୁ ନିଦ ଆସୁନଥାଏ । ପାଖ ସ୍କୁଲ୍ ବାଡ଼ିରୁ ଫୁଲ ଆଣିବାକୁ ହେବ, ବ୍ରାହ୍ମଣକୁ ଫୋନ୍ କରି କରି ହଇରାଣ କରିଦେବି । ସେ ସବୁବେଳେ ଡେରି କରୁଛି ମୋତେ କେତେ ଭୋକ ଲାଗୁଛି ସେ କାହୁଁ ଜାଣିବ ! ଏମିତି ଭାବୁ ଭାବୁ ଫୋନ୍ ଆସିଲା, ଦେଖିଲା ବେଳକୁ ଭାଇ ଫୋନ୍ କରିଛି ! ରିସିଭ୍ କରୁ କରୁ ଫୋନ କଟିଗଲା । ଚେଷ୍ଟା କଲି, ଲାଗିଲା ନାହିଁ । ଏଥର ଭାଇ ଆସିଲେ ମୋର ନୂଆ ମୋବାଇଲ୍, ଲେହେଙ୍ଗା ଆଉ ବହୁତ ଗୁଡ଼ାଏ ଚକୋଲେଟ୍ ଆଣିବ । ମୁଁ ସମସ୍ତଙ୍କୁ ଯାଇ ଦେଖେଇବି, କାହାରିକୁ ଦେବିନି । ଏମିତି ଭାବୁ ଭାବୁ କେତେବେଳେ ନିଦ ଆସିଗଲା ଜଣାପଡ଼ିଲା ନାହିଁ ।
ଭାଇର ଫୋନ୍ କଲ୍ରେ ନିଦ ଭାଙ୍ଗିଗଲା ଆଉ ଫୋନ୍ରେ ସେ କହିଲେ ଆଜି ଆସୁଛନ୍ତି । ମନ ଖୁସିରେ ପାଦ ତଳେ ଲାଗୁନଥାଏ ଶୀଘ୍ର ଶୀଘ୍ର ଯାଇ ପୂଜା ସଜ କରିଦେଇ ମାଆଙ୍କ ସହ ରୋଷେଇରେ ଲାଗିପଡ଼ିଲି । ପ୍ରଥମେ ମା’ ଦେଖି କିଛି ବୁଝି ପାରୁନଥିଲା ଖାଲି ଏତିକି କହୁଥିଲା ସୂର୍ଯ୍ୟ ଆଜି ପଶ୍ଚିମରେ ଉଇଁଲା ବୋଧହୁଏ ! ମା’ ଯେବେ ଜାଣିଲା ଭାଇ ଆସୁଛି ସିଧାଯାଇ ବାପାଙ୍କୁ କହିଲା ଆଉ ବାପା ସିଧା ବଜାର । ମା’ ଭାଇର ପସନ୍ଦର ଖିରି, ତରକାରୀ କରି ରଖିଥାଏ ।
ହଠାତ୍ ଦୁଇ ଚାରିଜଣ ହାତରେ ମିଠା ପେଟି ଧରି ଘର ଭିତରକୁ ପଶି ଆସିଲେ, କେହି କିଛି କହିବା ପୂର୍ବରୁ ଆଉ କିଛି ଜିନିଷ ଆଣିବାକୁ ଚାଲିଗଲେ ସେମାନେ; ବାପାଙ୍କ ପ୍ରଶ୍ନର କେହି ଉତ୍ତର ଦେଉନଥିଲେ । ମୋ କଥା ବି ଶୁଣିଲେନି; ବାଧ୍ୟ ହୋଇ ଗୋଟାଏ ମିଠା ପେଟି ନେଇ ବାହାରେ ଫିଙ୍ଗି ଦେଲି । ସିଧାଯାଇ ଭାଇ ଉପରେ ପଡ଼ିଗଲା । ଆଉ ଭାଇକୁ ଦେଖି ମୋ ପାଦତଳୁ ମାଟି ଖସିଗଲା । ବାପା ଛିଡ଼ା ହୋଇଥିବା ଜାଗାରେ ଦମ୍ କରି ବସିପଡ଼ିଲେ । ମାଆଙ୍କ ପାଟିରୁ ଭାଷା ବାହାରୁ ନଥାଏ । ଭାଇ ଖାଲି ଭାଇ ହୋଇ ନଥିଲା, ତା’ ସହ ତା’ ସ୍ତ୍ରୀ, ଶାଶୁ, ଶ୍ୱଶୁର ସମସ୍ତଙ୍କୁ ନେଇ ଘରକୁ ଫେରିଥିଲା ।
ସବୁ ଯାହା ହେଲା ହେଲା, ଶୀତ ଦିନେ ସକାଳୁ ଉଠିବା କେତେ କଷ୍ଟ ! ତା’ ଉପରେ ଗାଧେଇବା ଆଉ ଅଫିସ୍ କଥା ଭାବିଲା ବେଳକୁ... ଛାଡ଼ । ଝିଅମାନେ ଶଶୁର ଘରକୁ ଯିବା ଆଉ ପୁଅମାନେ ଅଫିସ୍ ଯିବା ପ୍ରାୟତଃ ଏକା ପ୍ରକାରର । ଏତକ ଗୋଟିଏ ଅଳସ ଭଙ୍ଗା ସ୍ୱରରେ କହି କମ୍ପ୍ୟୁଟର ପାଖରୁ ଉଠିପଡ଼ି ହାଇ ମାରିଲେ ପ୍ରକାଶ ସାର୍ ।
ଆରେ ଆରେ ଉଠୁଛ କୁଆଡ଼େ ! ମୁଁ ପରା କଫି ମଗାଇଛି । ଆମ କ୍ୟାଣ୍ଟିନର ଯେଉଁ ନୂଆ ସେଫ୍ଟା ଆସିଛି ନା, ତା’ ହାତର କଫି କୋଉ ଫାଇଭ୍ ଷ୍ଟାର ହୋଟେଲ୍ ଠାରୁ କମ୍ ନୁହେଁ । ସୁପର, ଫାଣ୍ଟାଷ୍ଟିକ୍ ।
ନୂଆ ନୂଆ ସେଫ୍ ମାନେ? ଭରତ କ’ଣ ରିଜାଇନ୍ ଦେଇ ଦେଇଛି? କ’ଣ ହେଲା ଭରତର?? ଏଇ ଗୋଟାଏ ମାସ ବି ହୋଇନି ଦରମା ବଢ଼ାଇଥିଲି । ପୁଣି ତା’ର କ’ଣ ହେଲା? ଛାଡ଼ ! ଆଜି କାଲି ଦୁନିଆରେ କାହାରି କେବେ ଭଲ କରିବନି । ମୁଁ ତା’ ଘରର ଅବସ୍ଥା ଦେଖି ବସ୍ଙ୍କ ପାଖରେ ବହୁତ୍ ବିନତି ପରେ ଯାଇ ତା’ର ଦରମା ବଢ଼ାଇଥିଲା କିନ୍ତୁ... । ୟା ଭିତରେ ଭରତର ରିଜାଇନ୍ ଆଉ ନୂଆ ସେଫ୍ର ଜଏନିଂ ହୋଇଗଲା ଅଥଚ ମୁଁ ଜାଣି ପାରିଲିନି ଆଶିଷ ଭାଇ?
ଦୁଇ ଦିନ ହେଲା ଆପଣ ଛୁଟିରେ ଥିଲେ । ଆଜି ସକାଳଠାରୁ କାମରୁ ଫୁର୍ସତ୍ କାଇଁ ଯେ ଆପଣଙ୍କୁ ଜଣାଇବି ସାର୍ !? ଟେବୁଲ୍ ଉପରେ ଥୁଆ ହୋଇଥିବା ଭରତର ରିସାଇନ୍ ଲେଟରକୁ ହାତରେ ଉଠାଇ ପଢ଼ିବାକୁ ଲାଗିଲେ ରାକେଶ । ଦୁଃଖ ଲାଗେ ନିଜ ଲୋକ ଦୂରେଇ ଗଲେ, କିନ୍ତୁ ଯେତେବେଳେ ନିଜ ଲୋକଙ୍କୁ ଦୂରେଇବାକୁ ପଡ଼େ ବହୁତ କଷ୍ଟ ହୁଏ ସାର୍, ବହୁତ କଷ୍ଟ ହୁଏ । ଆଖିରେ ଆଖିଏ ସ୍ୱପ୍ନ ନେଇ, ସ୍ୱପ୍ନକୁ ବାସ୍ତବତାର ରୂପ ଦେବାକୁ ଯେବେ ଘରୁ ଗୋଡ଼ କାଢ଼ିଥିଲି, ମା’ଙ୍କ ଆଖିରେ ସେହି ଲୁହକୁ ଦେଖି ମୁଁ ବି କାନ୍ଦି ପକାଇଥି୍ଲି ସାର୍ ! ନିଜକୁ ସମ୍ଭାଳି ପାରିନଥିଲି । ଏତେ ବଡ଼ ଦୁନିଆ, ଏତେ ସବୁ ଲୋକ ହେଲେ କେଉଁଠି ବି ମୋ’ ପାଇ ଜାଗା ନଥିଲା । ସତେ ଯେମିତି ମୁଁ ଗୋଟେ ଅନ୍ୟ ଗ୍ରହର ମଣିଷ ! କେଉଁ ଋଷିଙ୍କ ଅଭିଶାପରୁ ଏଇଠି ଜନମ ନେଇଛି !! ସତରେ କ’ଣ କିନ୍ନର ହୋଇ ଜନମିବା ଏତେ ଖରାପ? ନା ଗୋଟିଏ ଅଭିଶାପ??
ବହୁତ ଅନୁରୋଧ ପରେ ଯେତେବେଳେ ପ୍ରଥମଥର ମୋତେ ଚାକିରୀ ମିଳିଲା ମୁଁ ବହୁତ ଖୁସି ହୋଇଯାଇଥିଲି । କାହିଁକି ନା ମୁଁ ଆଉ ସୁସ୍ଥ ହାତ ଗୋଡ଼ ଥିବା ବେକାର ହୋଇ ନଥିଲି । ମୋ’ ଦେହରେ ବାପାମାଆଙ୍କ ବୋଝ ହାଲ୍କା କରିବାକୁ ଯଥେଷ୍ଟ ଶକ୍ତି ଆସିଯାଇଥିଲା । ପବ୍ଲିକ୍ କ୍ୟାଣ୍ଟିନରୁ ଅଇଁଠା ସଫାକରିବାଠାରୁ ଆରମ୍ଭ କରି ଅଫିସରେ ସେଫ୍ ବନିବାର ରାସ୍ତା ଏତେ ସହଜ ନଥିଲା ସାର୍ ! ଧୀରେ ଧୀରେ ବଢ଼ୁଥିବା ଲୋକପ୍ରିୟତା ସାଙ୍ଗକୁ ମୋର ରୋଜଗାର କାହାର ଆଖିକୁ ଗଲାନି । ଆଉ ତା’ ପରେ ଅସହ୍ୟ ଯନ୍ତ୍ରଣା ଦେଇ ଚାଲିଲେ, ମୋର ଏଇ ମନକୁ ବାରମ୍ୱାର ଦଂଶୀ ଚାଲିଲେ କାଳ ନାଗସାପ ହୋଇ । ସତରେ ସଭ୍ୟ ସମାଜ ଏକ କିନ୍ନରର ହାତ ରନ୍ଧା କ’ଣ ଖୁସିରେ ଖାଇ ପାରିବନି? ସମାଜଠୁ ଅଲଗା, ସମ୍ପର୍କୀୟଠୁ ଅଲଗା ହେଲେ ବି ବାପାମାଆ କେବେବି ଅଲଗା କରିନଥିଲେ । ଘୁଣ ପୋକ କାଠକୁ କାଟିଲା ପରି ଯେତେବେଳେ ବାରମ୍ୱାର ସେମାନଙ୍କ ମନରେ ଆଘାତ ଲାଗିଲା ସେମାନେ ବି ପର କରିଦେଲେ । ସତରେ ଆମେ କ’ଣ ଏତେ ଖରାପ?
ହଠାତ ଫୋନ୍ ଆସିଲା; ଚିଠିଟିକୁ ଟେବୁଲରେ ଥୋଇ ଦେଇ ଗାଡ଼ିରେ ବସି ଟୁଲ୍ ଟେଗ୍ କ୍ରସ୍ କଲାବେଳେ ଭରତ ତା’ ସାଥିଙ୍କ ସହ ମିଶି ଭିକ ମାଗୁଥିଲା । ଏ ! ଦେ’ ନା... ଏ ରାଜା ! ଦେ’ନା । ରାକେଶ ବାବୁ ନୀରବରେ ବସିଥିଲେ ସିନା ମନଭିତରର ପ୍ରତିଧ୍ୱନି ବାହାରକୁ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା ।
ଆଜି ଆମ ସାର୍ ଗୋଟେ ଗୀତ ପଢ଼ାଉଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ ପିଲାବେଳେ କୁଆଡ଼େ ଏହି ଦଶହରା ଛୁଟିରେ ଗାଆଁର ରାସ୍ତା କାମ କରି ନିଜର ଦେଶ ସେବାର ପ୍ରଥମ ସୋପାନ ପକାଇଥିଲେ । ଆଉ ସବୁ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ । ସେ ପରବର୍ତ୍ତୀ ସମୟରେ ମଧୁବାରିଷ୍ଟର ହୋଇ ଓଡ଼ିଆ ଜାତିର ଟେକ ରଖିଥିଲେ । ମୁଁ ବି ଏହି ଦଶହରା ଛୁଟିରେ ମୋ ସାଙ୍ଗ ପିଲାଙ୍କ ସହ ମିଶି କିଛି ଭଲକାମ କରିବି । ଠିକ୍ ଏହି ସମୟରେ ହଷ୍ଟେଲ୍ ୱାଡେନ୍ ଆସି ଡାକ ଛାଡ଼ିଲା, “ଖାଇବା ସମୟ ହୋଇଗଲା ଖାଇବ ଆସ ।” ତରବରିଆ ବହି, ଖାତା ବସ୍ତାନୀରେ ରଖିଦେଇ ଖାଇବା ପାଇଁ ଧାଡ଼ିରେ ଲାଗିଗଲି । ଅଧା ଖାଇଛିକି ନାହିଁ ପୁଣି ଥରେ ୱାଡେନ୍ ଆସି କହିଲା, “ଲିପୁନା ତୋ’ ବାପା ଆସିଛନ୍ତି ଦେଖା କରିବାକୁ ।” ଖାଇବାରେ ଆଉ ମନଲାଗିଲା ନାହିଁ, ଦଉଡ଼ି ଦଉଡ଼ି ଯାଇ ଦେଖେ ତ ମା’ ବି ଆସିଛି । ଆଖି ମୋର ଛଳଛଳ ହୋଇଗଲା । ମା’ଙ୍କୁ ଜାବୁଡ଼ିଧରି କହିଲି, “ମାଆ ତୁମସହ ଘରକୁ ଯିବି । ମା’ ପ୍ଲିଜ୍ ମୋତେ ଆଉ ଭଲଲାଗୁନି, ମୁଁ ଘରକୁ ଯିବି ।” ହଠାତ୍ ବାପା କହିଲେ, “ଦେଖିଲୁ ତୋ’ ପାଇଁ କ’ଣ ଆଣିଛି? କେତେ ଚକୋଲେଟ୍, କେତେ ସବୁ ପ୍ଲେଇଙ୍ଗ୍ କାଡ଼୍ ।” ମୋତେ ଟେକିନେଇ କାଖକଲେ । ବାପା କାଖରେ ସିନା ରହିଥାଏ କିନ୍ତୁ ମନେ ମନେ ଭାବୁଥାଏ ଆଗଥର ଦେଇଥିବା ଖେଳନା ସବୁ ସେମିତିକା ପଡ଼ିଛି । ସବୁଥର ପରି ସେହି ସେହି ସମାନ କଥା, ଏଥର ପରୀକ୍ଷା ସରିଲାପରେ ତୋତେ ମୁଁ ନିଜେ ଆସି ଘରକୁ ନେଇଯିବି । ଆଉ ତା’ ପରେ ବିଦାୟ । ପୁଣି ଅପେକ୍ଷା ଆର ମାସକୁ ସ୍କୁଲ୍ ଫିସ୍ ଦେବାକୁ ଆସିବେ ଦେଖାକରି ଚାଲିଯିବେ । ହେଡ୍ ମାଷ୍ଟର୍ ପାଖରେ ଏମିତି କ’ଣ କହିବେ ଯେ ପରିସ୍ଥିତି ଅସମ୍ବାଳ । ଭୋର୍ ୪ରୁ ଉଠି ରାତି ୧୦ଟା ପର୍ଯ୍ୟନ୍ତ ପାଠ ଖାଲି ପାଠ ।
ସେଦିନ ଜେଜେମା’ର ଦେହ ଖରାପ ହୋଇଥାଏ, ମୋତେ ବେଶୀ ଖୋଜା ଖୋଜି କରିବାରୁ ବାପା ମୋତେ ଆସି ନେଇଗଲେ ଘରକୁ । ପ୍ରଥମେ ସିନା ଖୁସି ହୋଇଗଲି, କିନ୍ତୁ ସେଠିବି ଆରମ୍ଭ ହୋଇଗଲା ପାଠପଢ଼ା । ଦିନରେ ମାଆ ଆଉ ରାତିରେ ବାପା, ଆଉ ଯେଉଁ ପଡ଼ୋଶୀ ବନ୍ଧୁ ବାନ୍ଧବମାନେ ଆସନ୍ତି ସମସ୍ତଙ୍କ ସମ୍ନାରେ ମୋର ସାଧାରଣ ଜ୍ଞାନ ଟେଷ୍ଟ ହେଉଥାଏ । ଘରରୁ ବାହାରକୁ ଯିବା ତ ଦୂରର କଥା, ମୁତିବା ପାଇଁ ବି ପଚାରିବା ପାଇଁ ପଡ଼େ । ମନରେ ମନକୁ ମାରି ଚୁପ୍ ରହିବାକୁ ପଡ଼େ । କାହିଁକିନା ମୁଁ ଛୋଟ ପିଲା ମୋର କହିବାର ଅଧିକାର କିଛି ବି ନାହିଁ । କହିବାକୁ ଚେଷ୍ଟାକଲେ ମୁଁ ମୁହଁରେ ଉତ୍ତର ଦେଉଛି ବୋଲି ସବୁ କହିବେ । ଇଚ୍ଛା ଥିଲା ଆକାଶରେ ମୁକ୍ତ ହୋଇ ଉଡ଼ିବାକୁ, ହେଲେ ମଣିଷ ହୋଇବି ପିଞ୍ଜରାରେ ବନ୍ଦି । ଭାଙ୍ଗିଯାଇଛି ଆଜି ମଧୁ ବାରିଷ୍ଟର ହେବାର ସ୍ୱପ୍ନ । ଭାଙ୍ଗିଗଲା ଭଲ ମଣିଷର ସ୍ୱପ୍ନ । କାହିଁକି ନା ମୋତେ ମୋ ବାପାଙ୍କର ଭଲ ପୁଅ ହେବାକୁ ହେବ । ମୋ ମାଆଙ୍କର ଭଲ ପୁଅ ହେବାକୁ ହେବ ।
ଏମିତି ଭାବୁ ଭାବୁ ଛାତ ଉପରୁ ତଳକୁ ଡେଇଁପଡ଼ିଲା ଲିପୁନା । କାହିଁକିନା ତାକୁ ଧରମା ହେବାକୁ ପସନ୍ଦ ଲାଗିଲା ଯିଏ ୧୨୦୦ ବଢ଼େଇର ଜୀବନ ରକ୍ଷା କରିବାକୁ ଯାଇ ନିଜକୁ ଶେଷ କରି ଦେଇଥିଲା । ଆଜି ଲିପୁନା ତା’ ପରି ଦୁନିଆର ସବୁ ପିଲାଙ୍କ ବାପାମାଆଙ୍କୁ ଦର୍ଶାଇ ଗଲା ଜୀବନର ସ୍ୱପ୍ନ କ’ଣ...
ଆଖିରେ ଆଖିଏ ସ୍ୱପ୍ନ ଦେଖି ପିଲାମାନଙ୍କୁ ହଷ୍ଟେଲରେ ରଖି ସ୍ୱପ୍ନର ମିନାର ଗଢ଼ୁଥିବା ପିତାମାତାମାନେ ଟିକିଏ ଧ୍ୟ୍ୟାନ ଦେବା ଦରକାର, ଇଏ ତୁମ ଜନ୍ମିତ ମଣିଷ ପିଲା ଗୋରୁ ଗୁହାଳର ଗାଈ ନୁହେଁ ।
ବସନ୍ତର ପବନରେ ଗୋପ ଦାଣ୍ଡେ ଫଗୁ ଉଡ଼ୁଥାଏ, ଭଳିକି ଭଳି ଫୁଲ ସବୁ ସଜେଇ ହୋଇଥାନ୍ତି । ଗୋପ ଦାଣ୍ଡ ସତେ ଯେମିତି ନଟଖଟ କାହ୍ନାକୁ ଦେଖେଇ ହେଉଥାଏ । ଆଉ ଗୋପାଳ- ଗୋପାଳୁଣିମାନେ ରାସରେ ବ୍ୟସ୍ତ ଥା’ନ୍ତି । ସବୁଆଡ଼େ ଗୋଟିଏ ସ୍ୱର ଗୋଟିଏ କଥା -
“ହେ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦବ ।”
ହେଲେ ରାଧା? କୃଷ୍ଣଙ୍କ ବାହୁବନ୍ଧନରେ ଆବଦ୍ଧ ହୋଇ ପରମାତ୍ମାଙ୍କ ସହ ତଲ୍ଲିନ ଥା’ନ୍ତି ପୂର୍ଣ୍ଣିମାର ତୋଫା ଚାନ୍ଦିନୀରେ । ଶ୍ୟାମଳ କୃଷ୍ଣ ସହ ଗୋରୀ ରାଧିକା କଦମ୍ୱର ଅଢ଼ୁଆଳରେ ଲାଗେ ସଂସାରରେ ଏକ ବିଚିତ୍ର ମିଳନ ।
କୃଷ୍ଣ ପଚାରନ୍ତି, “ରାଧେ ! ତୁମ ଗୋରା ଗାଲରେ ନାଲି ଅବିରଟା କାଇଁ ଏତେ ସୁନ୍ଦର ଲାଗେ?” ସରମରେ ରାଧିକା ଦୂରକୁ ଯାଉଥିବା ବେଳେ ପଛରୁ ହାତକୁ ଧରିନେଇ ବାହୁ ବନ୍ଧନରେ ଆବଦ୍ଧ କରିନେଲେ କୃଷ୍ଣ । ରାଧିକା କୁହନ୍ତି, “ପ୍ରଭୁ ! ଆପଣଙ୍କ ଶ୍ୟାମଳ ବଦନରେ ଚନ୍ଦନ ଟିପା ଯେମିତି ଲାଗେ ପ୍ରଭୁ !”
ମଳୟରେ ଚନ୍ଦନ କର୍ପୁରର ବାସ ଚତୁର୍ଦିଗକୁ ସୁବାସିତ କରୁଥାଏ । ଗୋପପୁରରେ ଚାଲିଛି ଏକ ଦିବ୍ୟ ମିଳନ । ସତେ ଯେମିତି ଯୁଗ ଯୁଗରୁ ଏଇ ଦିନକୁ ଅପେକ୍ଷା କରିଥିଲେ ପୃଥିବୀ ବାସୀ ! ଆଉ ଭଗବାନଙ୍କର ଏହି ଅପୂର୍ବ ରୂପକୁ ଦେଖି ସ୍ୱର୍ଗରୁ ପୁଷ୍ପ ବୃଷ୍ଟି କରୁଥାନ୍ତି ଦେବତାଗଣ । ମଳୟରେ ଫୁଲର ସୁଗନ୍ଧ ସାଙ୍ଗକୁ ଏହି ଅପରୂପ ଦର୍ଶନରେ ଗୋପ ଦାଣ୍ଡ ମାଟି ଗୋଡ଼ି ଗଛ ଲତା ବି ନିଜକୁ କୃତ କୃତ୍ୟ ମନେ କରୁଥାନ୍ତି । ଖୁସିରେ ଖୁସିରେ ନାଚି ଉଠୁଥାଏ ଗୋପପୁର । କାହାରି ମନରେ ନଥାଏ ବିଷାଦ, ଆଶା, ଆକାଂକ୍ଷା । ଭଗବାନ କୃଷ୍ଣଙ୍କ ସଙ୍ଗଲାଭ କରି ସମସ୍ତେ ଭୁଲି ଥିଲେ ନିଜକୁ ।
ହଠାତ୍ ଗୋପ ଦାଣ୍ଡରେ ଗଡ଼ି ଗଡ଼ି ଆସି ପହଞ୍ଚିଲା ଅକ୍ରୁରର ରଥ । ଖବରଟା ଏମିତି ବିଜୁଳି ବେଗରେ ମାଡ଼ିଗଲା ଯେ ନିମିଷକରେ ମିଳେଇଗଲା ଗୋପପୁରର ଖୁସି । ମଥୁରାର ମହାପ୍ରତାପୀ ମହାରାଜ କଂସର ଆଜ୍ଞା ନେଇ ଆସିଛି ସାଥିରେ ନେଇଯିବାକୁ କୃଷ୍ଣ ବଳରାମଙ୍କୁ ।
ଏକଥା ଶୁଣି ବଉଳା ଗାଈ ବି ତା’ ପିଲାକୁ କ୍ଷୀର ଦେବା ବନ୍ଦ କରିଦେଇଛି । କଦମ୍ୱ ଗଛ ବିରହରେ ପତ୍ରଝଡ଼ା ଦେଇ ଦେଲାଣି । ଆଉ ଯମୁନା ବି ନିଃସ୍ତେଜରେ ବୋହିଚାଲିଛି । ଗୋପାଳ ଗୋପାଳୁଣିମାନେ ସର ଲବଣୀ ବନାଇବା ବି ଛାଡ଼ି ସାରିଲେଣି । ଯେତେବେଳେ ସେମାନଙ୍କର କୃଷ୍ଣ ତାଙ୍କୁ ଛାଡ଼ି ଚାଲି ଯାଉଛନ୍ତି, ଏସବୁର ପ୍ରୟୋଜନ କାହାପାଇଁ !? କିଏ ସେ କଦମ୍ୱ ଡାଳରେ ଝୁଲିବ, ବଉଳା ପାଖରେ ଗେଲ ହେବ ଆଉ ସର ଲବଣୀ ଚୋରେଇ ଖାଇବ?
ହେଲେ କୃଷ୍ଣ ପ୍ରିୟା ରାଧିକା ! ସମ୍ଭାଳି ପାରିନାହିଁ ନିଜକୁ । ନୀରବର ବିରହରେ ବସିରହିଛି ପ୍ରୀତିର ଯମୁନା କୂଳେ ନୟନୁ ଅଶ୍ରୁ ଢାଳି । ତୁହାକୁ ତୁହା ବୁଲି ଚାହୁଁଥାଏ କଦମ୍ୱ ଆଡ଼େ । ବାରମ୍ୱାର ଡାକି ପଚାରୁଥାଏ କୋଇଲିକୁ, ଆଲୋ କୋଇଲି ମୋ କଳାକାହ୍ନୁ କ’ଣ ଗୋପ ଛାଡ଼ି ସତରେ ଚାଲିଯିବେ? ଆଉ ଫେରିବେନି? ଏହାର ଉତ୍ତର ଶୂନ୍ୟ ଆକାଶରେ ମିଳାଇ ଯାଏ ସିନା ପାଖରେ ପହଞ୍ଚେ ନାହିଁ । କାହିଁକି ନା କୋଇଲି ପାଖରେ ଏହାର ଉତ୍ତର ନାହିଁ । ପୁନଶ୍ଚ ନୀରବରେ ବସିରହିଛି ରାଧିକା, ହଜିଯାଇଛି ଭାବନା ରାଇଜରେ । ଠିକ୍ ଏହି ସମୟରେ ଚୁପି ଚୁପି କଳା କାହ୍ନୁ ଆସି ରାଧାଙ୍କ ପଛପାଖରୁ ହାତରେ ଚକ୍ଷୁ ଦୁଇଟିକୁ ଲୁଚାଇ ଦେଇଛି । ଚମକି ପଡ଼ି ଅଭିମାନ ଭରା କଣ୍ଠରେ କୁହନ୍ତି, “କୃଷ୍ଣ ପାଇଁ ରାଧାର ନିନ୍ଦା ! ଆଉ କେଉଁ ନିନ୍ଦା ପାଇଁ ପ୍ରଭୁ ଏତେ ନାଟ !? ଶରୀରରୁ ଆତ୍ମା ବାହାରିଲା ପରେ ଶରୀରର କି ପ୍ରୟୋଜନ?” ଆଖିରୁ ବୋହୁଥିବା ଲୋତକ ଧାର ପୋଛିଦେଇ ପୁନଃ କହିଲେ, “ନଟ ନାଗର ତୁମେ, ନାଟ ଲଗାଇବା ତୁମ ଅଭ୍ୟାସ ।”
ସ୍ମିତହାସ୍ୟ ଦେଇ କୃଷ୍ଣ କହିଲେ, “ପ୍ରେମ ପାଇଁ ପ୍ରେମିକାର ନିନ୍ଦା ଏ ତ ସୃଷ୍ଟିର ନିୟମ । ସେଥିରେ ଯେଉଁ ମିଠା ଦରଦ ଥାଏ, ଅନୁଭବ ତ ନିଶ୍ଚୟ ଥିବ । ତୁମେ ପୃଷ୍ଠ ହେଲେ ମୁଁ ସୃଷ୍ଟି, ତୁମେ ଭାଷା ହେଲେ ମୁଁ ଅନୁଭବ, ଏଥିରେ ଭାବିବାର କ’ଣ ଅଛି?”
ରାଧାଙ୍କ ତିଲକରେ ସ୍ନେହ ଭରା ଚୁମ୍ୱନ ଦେଇ ରଥ ଉପରେ ବସିପଡ଼ିଲେ କୃଷ୍ଣ । ରଥ ଗଡ଼ିବାରେ ଲାଗିଲା । ପଶ୍ଚିମ ଆକାଶେ ସୂର୍ଯ୍ୟ ଢଳିବାରେ ଲାଗିଥାଏ, ବିରହୀନି ରାଧିକା ଯମୁନା କୂଳରେ ବସିଥାଏ ।
“ଭାଦ୍ରବ ମାସ ନିଗିଡ଼ା, ବାପ ତୋ’ ବିମାରୀରେ ବିଛଣା ଧରିଲା । ମୋ ଦେହରେ ତ ତାତି ଭରିଛି । କେଉଁଠୁ ତୋତେ ପଇସା ଦେବି !? ତୁ ସ୍କୁଲକୁ ଚାଲିଯା, ମୁଁ ତୋତେ ଦାସ ବାବୁଙ୍କ ଘରୁ ପଇସା ଆଣି କାଲି ଦେଇଦେବି ତୁ ଆଜି ସ୍କୁଲ୍ ଚାଲିଯା ।” ମନକୁ ବୁଝାଇ ବସ୍ତାନୀକୁ କାନ୍ଧରେ ପକାଇ ସ୍କୁଲ୍ ଚାଲିଗଲା ଚଇତା । ସ୍କୁଲରୁ ଆସିଲା ବେଳକୁ କେଉଁଠି ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପାରେ ବର୍ଷିବାରେ ଲାଗିଲା ଆଉ ତା’ ସାଙ୍ଗକୁ ଘଡ଼ଘଡ଼ି ମାରି କାନ ତଡ଼ା କରି ଦେଉଥାଏ । ଯାହାହେଉ ଦେହ ସିନା ଓଦା ଦୋକାନ ବାରଣ୍ଡାଟା ପାଇଁ ବସ୍ତାନି ରକ୍ଷା ପାଇଗଲା । ମା’ ଆଜି ବହୁତ ମାରିବ କହିବ ଆଉ ଅଧ ଘଣ୍ଟା ସ୍କୁଲ୍ରେ ରହିଥିଲେ ହୋଇ ନଥାନ୍ତା ! ବର୍ଷାରେ ଭିଜିଲୁ ଜ୍ୱର ହେଲେ କିଏ ବୁଝିବ ଯେ ! ଦୌଡ଼ି ଦୌଡ଼ି ଚୁପକିନା ଆସି ବାରିପଟ ଦ୍ୱାର ବାଟେ ଘରକୁ ପଶିଲା । ଭିଜା ଲୁଗାକୁ ଶୁଖାଇ ଦେଲା । ୨ ଦିନ ପରେ ଗଣେଶ ପୂଜା, ବାପା ବିଛଣାରେ ଶୋଇଛନ୍ତି । ସେ ଭଲ ଥିଲେ ମୋର ନିହାତି ନୂଆ ଲୁଗା ହୋଇ ଥାଆନ୍ତା । ଛାଡ଼... ମା...ମା ବୋଲି ଡାକଛାଡ଼ିଲା କିନ୍ତୁ ମା’ ଶୁଣିଲେନି । ମା’ ବୋଧହୁଏ ଦାସ ବାବୁଙ୍କ ଘରକୁ ଯାଇଛି । ଭିତର ଘର ଭିତରକୁ ଗଲା ୨ରୁ ୩ଟା ଟିଣ ବାକ୍ସ ଉହ୍ଲାଇ ୨ବର୍ଷ ତଳେ ମାମୁଁ ଘର ଦେଇଥିବା ନୂଆଁ ଲୁଗା କାଢ଼ିଲା । ମନେ ମନେ ଖୁସି ହେଲା ଏଇଟାକୁ ପିନ୍ଧି ପୂଜାରେ ଖୁବ ବୁଲିବି । ଚଟାପଟ୍ ରଖିଦେଇ ଥକା ଶରୀରରେ ଶୋଇପଡ଼ିଲା ଚଇତା ।
କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା କେହିଜଣେ ଆସି ଡାକ ଛାଡ଼ିଲା, “ଚଇତା ତୋ’ ମାଆ ଆସିଲାଣି ଉଠ୍ ଚଇତା ।” ନିଦଭରା ଆଖିରେ ମନକୁ ସାନ୍ତ୍ୱନା ଦେଇ ଉଠିକି ବସିଲା । ଆଜି ମା’ ତାକୁ ଗଣେଶ ପୂଜା ଚାନ୍ଦା ଦବ, କାଲି ସେ ମନିଟର ମୁହଁରେ ମାରି କହିବ ମୁଁ ବି ଚାନ୍ଦା ଦେଇ ଦେଇଛି । ଧୀରେ ଧୀରେ କୋଳାହଳ ବଢ଼ିବାରେ ଲାଗିଲା, ବସିଥିବା ଜାଗାରୁ ଧଡ଼କିନା ଉଠି ଦେଖେ ତ ଲୋକଙ୍କ ଭିଡ଼ ଲାଗିଛି । ଭାରି ଡର ଲାଗୁଥାଏ, ଆଜି ମୁଁ ତ କାହାରି କିଛି କରିନି । ମାନସ ଭାଇକୁ ମାଗିକି ଗୋଟିଏ ପିଜୁଳୀ ଖାଇଥିଲି ସେ ପୁଣି ଏଠି କ’ଣ କରୁଛି !? ମୁଁ ଯାଇ ସିଧା ସିଧା କହିଦେବି ମା’ ଏମାନେ ସମସ୍ତେ ମିଶି ମିଛ କହୁଛନ୍ତି । ଧୀରେ ଧୀରେ ଆଗକୁ ଆସି ଭିଡ଼ ଆଡ଼େଇ ଦେଖେ ତ କାଦ ବଲ ବଲ ଶରୀରରେ ଚୁପ ଚାପ୍ ଶୋଇଛି, କାହାରିକୁ କିଛି କହୁନି ମା । “କ’ଣ ହୋଇଛି ମୋ ମା’ର କେହି କିଛି କହୁନ କାହଁକି?” ଆଖିକୁ ଛଳ କରି ଡାକିବାରେ ଲାଗିଲା, “ମା’ ତୁ ଉଠୁନୁ କାହିଁକି ତୋ’ର କ’ଣ ହୋଇଛି? ଆଜିତୁ ଗଣେଶ ପୂଜା ଚାନ୍ଦା ନ ଦେଲେ ମୁଁ ସ୍କୁଲ୍ ଯିବିନି ମା’ । ଉଠ୍ ମାଆ ଉଠ୍ ।” କେହି ଜଣେ ପଛରୁ କହିଲା, “ତୋ ମା’ ଦାସ ବାବୁଙ୍କର ବିଲକୁ କାମରେ ଯାଇଥିଲା, ଘଡ଼ଘଡ଼ି ମାରିଦେଲା ଆଉ ତୋ’ର ମାଆ ମରିଗଲା ।” କାନକୁ ବିଶ୍ୱାସ କରି ପାରୁନଥାଏ ଚଇତା । ଆଖିରୁ ଲୁହର ଧାରା ବି ବୋଲ ମାନୁନଥାଏ ।
ଖାଲି ଜୋର୍ ଜୋର୍ ସେ ଚିଲାଇ କହୁଥାଏ, “ମୁଁ ମୋ ମା’କୁ ମାରିଦେଲି ।” ମା’କୁ ହଲାଇ ହଲାଇ କହୁଥାଏ, “ମା’ ଉଠ୍ ମାଆ । ସାର୍ ଛିଡ଼ା କରାନ୍ତୁ ପଛକେ ତୋତେ ଆଉ ଗଣେଶ ପୂଜା ଚାନ୍ଦା ମାଗିବିନି...”
ହଠାତ୍ ପବନ ଗତିଶୀଳ ହେବାକୁ ଲାଗିଲା । କୁଆଡ଼େ ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପା ନେଇ ବର୍ଷିବାରେ ଲାଗିଲା । ସମସ୍ତେ ଏପାଖ ସେପାଖ ଦୈଉଡ଼ିବାରେ ଲାଗିଥାନ୍ତି । ରମେଶ ଆଉ ରଶ୍ମୀ ମଧ୍ୟ ଦଉଡ଼ି ଦଉଡ଼ି ଗୋଟେ ବନ୍ଦ ଦୋକାନ ବାରଣ୍ଡା ପାଖରେ ପହଞ୍ଚିଲେ । ବର୍ଷା ବଢ଼ିବାରେ ଲାଗିଥାଏ, ଛାଡ଼ିବାର ନାଁ ନେଉନଥାଏ । ହାତରେ ହାତ ଛନ୍ଦି ଛପରରୁ ଝରିପଡ଼ୁଥିବା ପାଣିକୁ ହାତରେ ଧରି ଆଳାପ କରୁକରୁ ନଜର ପଡ଼ିଲା ଟିକେ ଦୂରରେ ବେଞ୍ଚ ଉପରେ ବସିଥିବା ଝିଅଟା ଉପରେ । ଚୁପ୍ଚାପ୍ ବସିଥାଏ, ଆଖିରେ ଆଖିଏ ବିରହର ଅଶ୍ରୁ ନେଇ । ଆଖପାଖରେ କେହିନଥାନ୍ତି, ବୋଧହୁଏ ଏକୁଟିଆ ଆସିଛି ଆଉ କିଛି ଅସୁବିଧାରେ ପଡ଼ିଛି ! କାହାକୁ କିଛି କହିବା ଆଗରୁ ରମେଶର ହାତ ରୋକି ଦେଇ ଆଗକୁ ବଢ଼ିଲା ରଶ୍ମୀ ମନରେ ଅଶୁମାରୀ ପ୍ରଶ୍ନ ନେଇ । ପ୍ରେମ ଭରା ସ୍ପର୍ଶ ଦେଇ ପାଖରେ ବସିଲା ରଶ୍ମୀ । ପଚାରିବାରେ ଲାଗିଲା ଅଶୁମାରୀ ପ୍ରଶ୍ନ । ଆଉ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସେତିକି ରୋଚକ ଥିଲା । ସେ ସବୁ ପ୍ରଶ୍ନର ଉତ୍ତରକୁ ଗୋଟିଏ ଅକ୍ଷରରେ ସାରି ଦେଲା । ଉତ୍ତର ଥିଲା “ନା” । କେହି ଅଛନ୍ତି ନିଜର ନା କେହି ଅଛି ଆପଣାର, ନିସ୍ତବ୍ଧ ସମୟରେ ଶୂନ୍ୟ ପ୍ରତିଧ୍ୱନୀ ଛଡ଼ା ବାକି କିଛି ନାହିଁ । ଆଉ ଯେଉଁମାନେ ନିଜର ନିଜର ବୋଲି ଅଧିକାର ସାବ୍ୟସ୍ତ କରୁଥିଲେ ସେମାନେବି ଲୁଚିଗଲେ ମେଘର ଆଢ଼ୁଆଳେ ।
ତୀର୍ଯ୍ୟକ ଅପରାହ୍ନଟା ମେଘର ଆଢ଼ୁଆଳେ ଅନ୍ଧାର ହୋଇ ସାରିଥିଲା ଆଉ ଏହାରି ଭିତରେ ରମେଶକୁ କିଛି ବୁଝା ପଡ଼ୁ ନଥାଏ । ଅନେକ ସମୟର ଅପେକ୍ଷା ପରେ ପାଖକୁ ଆସିଲା । ଧଳା ଓଢ଼ଣୀ ଭିତରୁ ମୁହଁଟାକୁ ଦେଖି ଚମକି ପଡ଼ିଲା । ଶ୍ରାବଣୀ ତୁ ! ଏଠି କ’ଣ କରୁଛୁ? ଏଇ ପାଖରେ ମୁଁ ଘର ନେଇଛି । ଚାଲ ସେଠି ବସି କଥା ହେବା ।
ରଶ୍ମୀ - ତୁମେ ୟାଙ୍କୁ ଜାଣିଛ !? ତାହାଲେ ଭଲ ହେଲା । ଏ ବହୁତ ଡରି ଯାଇଛନ୍ତି ବୋଧେ, ଚାଲ ଘରକୁ ଯିବା ।
ରମେଶ - ହଁ ମୋ ପିଲା ଦିନର ସାଙ୍ଗ, ଛ’ ବର୍ଷ ପରେ ଦେଖା । ଚାଲ ଘରକୁ ଯିବା ଶ୍ରାବଣୀ ।
ଶ୍ରାବଣୀ - ଜୀବନର ଚଲାବାଟରେ ସମୁଦ୍ରର ଜୁଆରଟା ସବୁକିଛି ଧୋଇ ନେଲାପରେ ଆଉ କ’ଣ ଅଛି ଯେ ମୁଁ ଏଠୁ ଯିବି?
ରଶ୍ମୀ - କ’ଣ ହୋଇଛି ସିଧା ସିଧା କୁହନ୍ତୁ । କିଛି ବି ବୁଝାପଡ଼ୁନି, ପ୍ଲିଜ୍ କୁହନା !!!
ଚଇତାଳି ପବନରେ ପଳାଶ ଫୁଲ ପରି ଜୀବନଟା ନାଲି ଟହ ଟହ ହୋଇ ଚହଟୁଥିବା ବେଳେ ପ୍ରୀତିର ଫୁଲ ନେଇ କେହିଜଣେ ଆସିଲା । ତା’ର ସେହି ମିଠା ମିଠା ସ୍ପର୍ଶରେ ନାଲି ନାଲି ଜୀବନକୁ ରଙ୍ଗୀନ କରିଦେଲା, ବାସ ବି ଭରିଲା । ଆଉ ଆମେ ଏହି ସୁନ୍ଦର ଜୀବନର ମୁକ୍ତ ପକ୍ଷୀ ପରି ଘୂରି ବୁଲୁଥିଲୁ ଏପାଖ ସେପାଖ ଆକାଶ ଛାତି ଚିରି, ଚନ୍ଦ୍ରମାକୁ ଛୁଇଁବା ଯାଏଁ ।
ସୃଷ୍ଟିର ନିୟମ ଥିଲା କିଛି ଅଲଗା । ହଠାତ୍ ଦିନେ ରାଜଧାନୀର ରାଜରାସ୍ତାରେ ବୁଲୁଥିବା ବେଳେ କୁଆ କୁକୁର ପରି ମାଡ଼ିବସିଲେ । ବହୁତ ଚିତ୍କାର କଲି, ହାତ ଯୋଡ଼ିଲି କେହିବି ଶୁଣିଲେନି । ବହୁ କଷ୍ଟରେ ଜୀବନ ବଞ୍ଚାଇ ଘରେ ପହଞ୍ଚେ ତ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଭାବିଥିଲି ସମସ୍ତେ ଖୁସି ହେବେ କାହିଁକି ନା ମୁଁ ବଞ୍ଚିଛି । ସେଠି ସବୁକିଛି ଥିଲା ନୂଆ । ମୁଁ, ମୋର ପରିଚୟ, ମୋର ଠିକଣା... ଛାଡ଼ । ପୁଣି ଆଶାନେଇ ଧାଇଁ ଗଲି ମୋ ପ୍ରିୟତମ ପାଖକୁ ହେଲେ ସେଠୁ ବି ନିରାଶ । ମୋତେ କେହି କହି ପାରିବକି ମୋର ଭୁଲ କେଉଁଠି? ମୋତେ କେହି କହିପାରିବ କି ମୋର କ’ଣ କରିବାର ଥିଲା?? ହଁ ! ଯେଉଁ ଦେଶର ହାଇପ୍ରଫାଇଲ୍ କେଶ୍ରେ ଦୋଷୀ ଦଣ୍ଡ ପାଇବାକୁ ୭ବର୍ଷ ୩ ମାସ ସମୟ ଲାଗିଗଲା ସେଠି ମୁଁ ବା କ’ଣ !? ଛାଡ଼ ! ଆଜି ମୁଁ ମୋ ଠିକଣା ପାଇ ସାରିଛି ।
ରମେଶ ବିବ୍ରତ ହୋଇ କହିଲା, “ତୋ’ର କିଛି ହବନି ଶ୍ରାବଣୀ, ତୋ’ର କିଛି ହେବନି ।” ରଶ୍ମୀ - ମୁଁ ଶ୍ରାବଣୀର କେସ୍ ହେଣ୍ଡେଲ୍ କରୁଛି ରମେଶ । ଆଜିକୁ ପ୍ରାୟ ୬ ମାସ ତଳେ ଏହି ଦୋକାନ ପାଖରେ ଆତ୍ମହତ୍ୟା କରିଥିଲା ।
ରମେଶ - ଏବେ... ଶ୍ରାବଣୀ !!! ମାନେ...
ରଶ୍ମୀ - ହଁ !
ବାସ୍ତବରେ ଦୋଷୀଠାରୁ ବେଶୀ ନିର୍ଦ୍ଦୋଷ ହିଁ ଫାଶିରେ ଝୁଲୁଛି । ଏଠି ଦୋଷୀ ଯେତକି ଦଣ୍ଡର ହକଦାର ଏଠି ସମାଜ ମଧ୍ୟ ସମ ପରିମାଣରେ ଦଣ୍ଡର ହକଦାର ।
ସେଦିନ ଥାଏ ୨୦୦୯ ମସିହା ଅପ୍ରେଲର ଅନ୍ତିମ ଅପରାହ୍ନ । ଧୀରେ ଧୀରେ ବୈଶାଖର ତାତି ବଢ଼ୁଥାଏ ଆଉ ତା’ସହ କୃଷ୍ଣଚୂଡ଼ାର ନାଲି ନାଲି ରଙ୍ଗ ସତେ ଯେମିତି ଖତେଇ ହେଉଥାଏ । ଦେହରେ ତାତିକୁ ମନରେ ତାତି, ଜୀବନରେ ଚାଲିଛି କ’ଣ? କିଛି ବୁଝା ପଡ଼ୁନଥାଏ । ନା ଓଠରେ ହସ ନା ଘରକୁ ଯିବାର ଖୁସି । ଉପସ୍ଥିତ ଥିବା ସବୁ ପିଲାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ । ଭାବି ପାରୁନଥାନ୍ତି କ’ଣ ସବୁ କରିବେ ।
ହଠାତ୍ ହରିହର ସାର୍ ହାତରେ ଖଣ୍ଡେ ବାଡ଼ି ଧରି ରୁମ୍ ଭିତରକୁ ପଶିଆସିଲେ ଆଉ କହିଲେ ସମସ୍ତେ ନିଜେ ନିଜର ଜିନିଷ ପତ୍ର ବ୍ୟାଗ୍ରେ ରଖିଦିଅ ଗାଡ଼ି ଆସିବା ସମୟ ହୋଇଗଲାଣି । ଠିକ୍ରେ ରଖିବ, କେହି କାହାରି ଜିନିଷ ଯେମିତି ନ ନିଅ । ମୁନା ତୋତେ ସ୍ପେସିଆଲି । ସବୁବେଳେ ମଳୟ ତୋ’ ନାଆଁରେ ଅଭିଯୋଗ ଆଣୁଛି । ଆଉ ତୋ’ ସାଙ୍ଗ ଲିପୁ, ଅମର ଗଲେ କୁଆଡ଼େ?
ପ୍ରେମାଂଶୁ ବ୍ୟାଗରେ ଲୁଗା ରଖୁ ରଖୁ କହିଲା, “ସାର୍ ଅମର ଆଉ ଲିପୁ ଆରପାଖ ରୁମ୍ରେ ବସି କାନ୍ଦୁଛନ୍ତି ।” ମୁନା ହସିବାକୁ ଆରମ୍ଭ କରିଥିଲା କିନ୍ତୁ ସମସ୍ତଙ୍କ ନୀରବତା ଦେଖି ସେବି ଚୁପ ରହିଗଲା । କାହିଁକି ନା ଅମର ଆଉ ଲିପୁ କାନ୍ଦିବାର କାରଣ ସେ ନିଜେ; ପରୀକ୍ଷା ସାରି ରୁମ୍କୁ ଆସିବା ବାଟରେ ଧାଡ଼ି ଭାଙ୍ଗି ଅଙ୍ଗୁର ଆଣିବାକୁ ସେ ହିଁ ପଠାଇଥିଲା । ତା’ର ପରିଣତି ଯଦୁନ ସାରଙ୍କଠାରୁ ମାଡ଼ । ସାର୍ କିନ୍ତୁ ନୀରବରେ ରହିଗଲେ କିଛି କହିଲେ ନାହିଁ ।
ଅମର, ଲିପୁ ଆଉ ମୁନା ତିନି ଜଣକର ବନ୍ଧୁତା ଅଭଣା ସ୍କୁଲରେ ସମସ୍ତଙ୍କୁ ଜଣା । ସବୁବେଳେ ସିନା ଝଗଡ଼ା କରନ୍ତି କିନ୍ତୁ କେହି କାହାରିକୁ ଛାଡ଼ି ଗୋଟାଏ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ ।
ସବୁଦିନ ସ୍କୁଲ୍ରେ ଠିକ୍ ସମୟରେ ପହଞ୍ଚି ଯା’ନ୍ତି ସିନା କ୍ଲାସରେ କିନ୍ତୁ ହୋମ୍ୱାର୍କ କେବେବି କରିନଥାନ୍ତି । ଯଦି କେବେ କେହି ମାଡ଼ ଡରରେ ହୋମ୍ୱାର୍କ କରିଛି ନା ସେଦିନ ତା’ର ଅବସ୍ଥା ଖରାପ କରି ଦିଅନ୍ତି ଅନ୍ୟ ଦୁଇ ଜଣ । ଲିପୁ ବାପାଙ୍କ ପାଖରେ ବାହାନା କରି ପଇସା ଆଣେ, ଅମର ଛୁଟି ନେବାର ଯୋଜନା କରେ ଆଉ ମୁନା ସାର୍ଙ୍କ ପାଖରେ ମାଡ଼ ଖାଇବା ପାଇଁ ଛିଡ଼ା ହୋଇଯାଏ । ସବୁଠାରୁ ବଡ଼କଥା ହେଲା, ପ୍ରୋଗ୍ରେସ୍ ରିପୋଟ୍ ନିଜେ ନିଜେ ବାପାଙ୍କ ନାମ ଲେଖି ସାରଙ୍କୁ ଦେବାର କଳା ସ୍କୁଲରେ ଏହିମାନେ ଆରମ୍ଭ କରିଥିଲେ ।
ଜଣା ପଡ଼ିଲାନି କେତେବେଳେ ଏତେ ଗୁଡ଼ାଏ ସମୟ କେମିତି ଏତେ ସହଜରେ ସରିଗଲା । କ୍ଲାସରୁ କ୍ଲାସ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁ ଚଢ଼ୁ ଶେଷରେ ଦଶମ ଶ୍ରେଣୀର ଶେଷ ପରୀକ୍ଷା ବି ସରିଗଲା କିଛିବି ଜଣାପଡ଼ିଲା ନାହିଁ । ମନରେ ଅବଶୋଷ ଗୋଟିଏ, କେବେବି ସମସ୍ତେ ସାଙ୍ଗ ହୋଇ ସ୍କୁଲ୍ ଯାଇ ପାରିବା ନାହିଁ । ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା । କ’ଣ ହେଲା କେଜାଣି ଅମର ଆଉ ଲିପୁକୁ ଧରି ମୁନା କାନ୍ଦିବାରେ ଲାଗିଲା । କାହିଁକି ନା ସେ ବୁଝି ପାରିଥିଲା ଏଇ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିବା ପରେ କେବେ ବି ଆଉ ମିଶିପାରିବା ନାହିଁ ।
ସଞ୍ଜ ନଇଁବାରେ ଲାଗୁଥାଏ, କ୍ୟାମ୍ପ୍ ପାଖ ଚୁଲିର ନିଆଁ ସତେଜ୍ ଥାଏ । ଗାଡ଼ି ଆସି ଲାଗିଲା । କ୍ୟାମ୍ପ ଛାଡ଼ିବାକୁ ଇଚ୍ଛା ନଥିଲେ ବି ସେଦିନ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିଥିଲେ ମୁନା, ଅମର, ଲିପୁ ଆଉ ଅନ୍ୟମାନେ । ଆଉ ଏତିକିରେ ସରିଥିଲା ସ୍କୁଲ୍ ଜୀବନ ।
ଶୁଭ ଅପରାହ୍ନର ହାଲ୍କା ପବନରେ ଗଛସବୁ ପତ୍ରଝଡ଼ା ଦେଉଥିଲେ ଆଉ ଏହାରି ଭିତରେ ଫାଲ୍ଗୁନର ରଙ୍ଗୀନ ଦୁନିଆଠାରୁ ନିଜକୁ ଦୂରରେ ରଖି ପରୀକ୍ଷାର ପ୍ରସ୍ତୁତି ଚଲାଇଥାଏ ପ୍ରଦୀପ୍ ବାଲ୍କୋନିର ଉପରେ । ଘର ଭିତରୁ ମୋବାଇଲର ଭାଇବ୍ରେସନର ଶବ୍ଦ କାନରେ ଶୁଭିଲା ! ସେସବୁକୁ ଅଣଦେଖା କରି ବହିଟାକୁ ହାତରେ ଧରି ବାଲକୋନିର ଏମୁଣ୍ଡରୁ ସେମୁଣ୍ଡ ମନେ ମନେ ଗୁଞ୍ଜରଣ କରି ପଦଚାରଣ କରୁଥାଏ । ବାରମ୍ୱାର ମୋବାଇଲର ଭାଇବ୍ରେସନ୍ରେ ବିରକ୍ତ ହୋଇଯାଇ ଫୋନ୍ ଦେଖେ ତ ସ୍ୱପ୍ନା ଫୋନ୍ କରିଛି । ଅବିଳମ୍ୱେ ଫୋନ୍ ରିସିଭ୍ କରିନେଇ ନୀରବରେ ଛିଡ଼ା ହୋଇଗଲା ପ୍ରଦୀପ୍ । ସତେ ଯେମିତି ଅହେତୁକ ଶିହରଣ ଖେଳି ଯାଉଥିଲା ଶରୀରରେ । ଆଉ ଭାବନା ରାଇଜରେ ଭାବିବାକୁ ଲାଗିଲା ।
ସେଦିନ କଲେଜ ଫଙ୍କ୍ସନ୍ ପାଇଁ ଗେଟ୍ ପାଖରେ ସରୋଜ୍ ଆଉ ମହେଶ ସହ ଛିଡ଼ା ହୋଇଥିଲା ପ୍ରଦୀପ୍ । ଠିକ୍ ଏଇ ସମୟରେ ସ୍ୱପ୍ନାର ପ୍ରେବେଶ; ରଙ୍ଗୀନ ଡ୍ରେସରେ ରାଜକୁମାରୀ ପରି ସୁନ୍ଦର ଲାଗୁଥିଲା ସେ । ସାଥିରେ ଦୁଇ ସହଚରୀ ପରି ପାଖେ ଥା’ନ୍ତି ରିଙ୍କି ଆଉ ପିଙ୍କି । ସିଧା ଆସି ପାଖେ ପହଞ୍ଚି ଡ୍ରେସିଂରୁମ୍ର ବାଟ ପଚାରି କେତେବେଳେ ଅନ୍ତର୍ଦ୍ଧାନ ହୋଇଗଲା ସେକଥା ଜାଣିନି । ତା’ର ସେହି ତୁନି ତୁନି ଓଠରେ କେତେ ପଦ କଥା ମନରେ ଶିହରଣ ଖେଳାଇଥିଲା ସେକଥା ଜାଣିନି । ଏଣେ ସେପାଖେ ଫୋନ୍ରେ ହେଲୋ ହେଲୋ କହି ଚାଲିଥାଏ ସ୍ୱପ୍ନା । ଭାବନା ରାଇଜରୁ ଫେରିଲା ବେଳକୁ ଫୋନ୍ କଟିଯାଇଥାଏ । କଲ୍ ବେକ୍ କଲା ପ୍ରଦୀପ୍, ସ୍ୱପ୍ନାର ପ୍ରତିଟି ଶବ୍ଦକୁ ଆଗ୍ରହର ସହ ଶୁଣୁଥାଏ ଆଉ ସ୍ୱପ୍ନା କହୁଥାଏ ଠିକ୍ ପାଗଳ ପ୍ରେମୀ ପରି । କ୍ଲାସ୍ ପରୀକ୍ଷାର ପ୍ରସ୍ତୁତିଠାରୁ ଆରମ୍ଭ କରି ଜୀବନର ପରୀକ୍ଷା ପଯ୍ୟନ୍ତ କଥା ହୋଇଥିଲା ପ୍ରଦୀପ । ଆଉ ଏଇଠୁ ଆରମ୍ଭ ହେଲା ପଢ଼ା ସହ ଲଭ୍ ରୋମାନ୍ସ୍ର ନୂଆ ଅଧ୍ୟାୟ ।
ସାଥି ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା, ସାଥି ହୋଇ କଲେଜ୍ ଯିବା, ପରୀକ୍ଷାରେ ସ୍ୱପ୍ନାକୁ ସାହାଯ୍ୟ କରିବା ଏହାଥିଲା ପ୍ରଦୀପ୍ର ନିତିଦିନିଆ କାମ । ଆଉ ପ୍ରଦୀପ ବି ସ୍ୱପ୍ନାର ପାଖେ ରହିବାର କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନଥାଏ । କଥାରେ ନାହିଁ ଅପେକ୍ଷାର ଫଳ ମିଠା । ସେ ଅନେକ ଦିନରୁ ସ୍ୱପ୍ନାକୁ ଅପେକ୍ଷା କରିଥିଲା ଆଉ ଏବେ ସ୍ୱପ୍ନା ଆସି... ଛାଡ଼ ସେକଥା । ଏମିତି ଏମିତିରେ ପରୀକ୍ଷା ସରିଲା । ସୁଖ ପରେ ଦୁଃଖ ପରି, ଖୁସିର ସମୟ ପରେ ବିରହ ତ ଆସିବାର ଥିଲା ଆଉ ସ୍ୱପ୍ନାବି ପ୍ରଦୀପକୁ ଆଉ ପ୍ରଦୀପ୍ ସ୍ୱପ୍ନାକୁ କଥା ଦେଇ ଦୁହେଁ ହଷ୍ଟେଲ୍ ଛାଡ଼ିଥିଲେ ସେଦିନ ନିଛାଟିଆ ଅପରାହ୍ନରେ । ସମ୍ଭାଳି ପାରି ନଥିଲେ ନିଜକୁ ମନ ଭରା କୋହ ଆଖିରେ ଆଖିଏ ଅଶ୍ରୁ ଭରି ଦୂରେଇ ଥିଲେ ନିଜକୁ ।
ପରୀକ୍ଷା ପରର ଜୀବନ ଖୁବ୍ ମଜାଦାର ଥାଏ । ନା ଥାଏ ଟେନ୍ସନ ନା ଥାଏ ଅବଜରବେସନ୍ ଖାଲି ମସ୍ତି ଆଉ ମସ୍ତି । ଗାଁ ପିଲାଙ୍କ ସହ କ୍ରିକେଟ୍ ଖେଳିବା, ନଈରେ ଗାଧେଇବା ଆଉ ବିନା ନିମନ୍ତ୍ରଣରେ ଖାଇବାକୁ ଯିବା ସତେଯେମିତି ରୋମାଞ୍ଚକର ! କହିବାକୁ ଗଲେ ଗାଆଁ ସବୁବେଳେ ଗାଁ ହିଁ ହୋଇଥାଏ । ସମସ୍ତେ ଆପଣାର, ସମସ୍ତେ ନିଜର । ଏଠି ମା’ ଯେମିତି ଗାଆଁ ବି ସେମିତି; ସବୁପିଲା ନିଜର । ସହର ପରି ବାଛବିଚାର ନଥାଏ । ନିଜସ୍ୱ ଆନ୍ଦାଜରେ ମସୁର୍ ଥାଏ । ଦୟା, ସନିଆ, ବାଇନ ଭାଇ, ବିକ୍ରମ, ଲିପୁ ସମସ୍ତଙ୍କ ଭିତରେ ବୟସରେ ସାନ ହେଲେବି କେହି ପାଖ ଛାଡ଼ନ୍ତି ନାହିଁ । ସକାଳୁ ବାହାରିଯାଏ ଯେ ଫେରିବାର ଠିକଣା ନାହିଁ ।
ସେଦିନ ଅପରାହ୍ନରେ ନିଜକୁ ସଜାଇ ନେଲା ପ୍ରଦୀପ । କାହିଁକି କେଜାଣି ଇଚ୍ଛା ହେଉନଥାଏ । ସାଙ୍ଗମାନେ କହିଛନ୍ତି ମାନେ ଯିବାକୁ ହେବ ଭାବି ବାହାରିଗଲା । ଧୀରେ ଧୀରେ ଗାଁ ପଡ଼ିଆରେ ଏକାଠି ହୋଇ ସିଦ୍ଧାନ୍ତ ନେଲେ ଆଜି ପାଖ ଗାଁ’ରେ ରିସେପସନ୍ ଭୋଜି ଅଛି ସେଠିକୁ ଯିବା । ପୁଅର ସାଙ୍ଗ ହୋଇ ଗୋଟେ ଖାଲି ବକ୍ସ ଭିତରେ ମେଞ୍ଚାଏ କାଗଜ ଭରି ଚିକିମିକିଆ ଜରିରେ ପେକ୍ କରି ବାହାରିଲେ ଭୋଜି ଖାଇବାକୁ । ରଙ୍ଗୀନ ଆଲୁଅରେ ପରିବେଶ ଚମକି ଉଠୁଥାଏ ହାତରେ ପ୍ୟାକେଟ୍କୁ ଧରି ପ୍ରବେଶ କଲା ପ୍ରଦୀପ । ପଛରେ ସନିଆ, ବାଇନ ଭାଇ ଆସୁଥାନ୍ତି । ପେଣ୍ଡେଲ ଉପରେ ଗହଳି ଜମିଥାଏ ଭଲ ଭାବରେ ବର-କନ୍ୟା ଦେଖାଯାଉ ନଥାଏ । ଧୀରେ ଧୀରେ ପାଖକୁ ଗଲା ପ୍ରଦୀପ୍ । କାହିଁକି କେଜାଣି ଜଣା ପଡ଼ୁନଥାଏ ଛାତିରେ କିଛି ଦରଦ ଭଳିଲାଗୁଥାଏ । ମୁଣ୍ଡ ନୁଆଁଇ ଛାତିକୁ ହାତରେ ଧରି ଗିଫ୍ଟ୍ଟା ବଢ଼ାଇ ଦେଇଦେଲା କନ୍ୟା ହାତକୁ । ହାତରୁ ଗିଫ୍ଟ୍ଟା ଖସିପଡ଼ିଲା ତଳେ । ତଳୁ ଗିଫ୍ଟ୍ଟା ଧରି ଦେଖେ ତ ସେ ଝିଅ ଆଉ କେହି ନଥିଲା, ସେ ଥିଲା ନିଜ ସ୍ୱପ୍ନର ନାୟିକା ସ୍ୱପ୍ନା । ତଥାପି ନୀରବ ରାଗରେ ମୁହଁଟା ଲାଲ୍ ହୋଇଗଲା । ଧୈର୍ଯ୍ୟର ସୀମା ହରାଇ ବସିଲା ପ୍ରଦୀପ୍ । କେହି କିଛି କହିବା ଆଗରୁ ଆଖିରୁ ଧାରଧାର ହୋଇ ଲୁହ ବହି ଯାଉଥାଏ ଦୁଇ ଆଖିରୁ । ସତରେ ସେ ବୁଝି ପାରୁନଥିଲା ନିଜକୁ, ନିଜ ଆଖିକୁ । ଏଇଟା ତା’ ପାଇଁ ସ୍ୱପ୍ନ ନା ବାସ୍ତବତା !? ବାକି ସବୁ ଇତିହାସ ... ନିଜକୁ କଣ୍ଟ୍ରୋଲ କରି ଉଠିଆସିଲା ବାହାରକୁ ।
ଚେୟାର ଉପରୁ ନିଜକୁ ପ୍ରସ୍ତୁତ୍ କରିନେଇ ଜେଜେ କହିଲେ, “ନା’ରେ ବାବା ମୋର ସେଠାକୁ ଯିବାର ନାହିଁ କି ଭଗବାନଙ୍କୁ ଅପମାନ କରିବାର ନାହିଁ । ତା’ ପରେ ବି ମୋ ଦେହ ଭଲ ନାହିଁ । ତୁଚ୍ଛାକୁ ଦେହ କିଆଁ ବିଗାଡ଼ିବି !? ତୁ ଯା’ ତୋ’ ମମିକୁ କହିବୁ ।”
“ମମି ବାବାଙ୍କ ସଙ୍ଗେ ବଜାରକୁ ଯାଇଛନ୍ତି ପରା ରଙ୍ଗ ଆଣିବାକୁ । ତୁମେ ଚାଲନା ପ୍ଲିଜ୍ ଜେଜେ ଚାଲନା ।”
“ଦେଖ ଚନ୍ଦନ ତୁ ଜିଦ୍ଦି କରନା । ସେଠାରେ ତ ମେଞ୍ଚା ମେଞ୍ଚା ଭଗବାନ ଫଟୋ ଥିବା ସିନ୍ଦୂର, ଧୂପ, ବିସ୍କୁଟ୍, ଚେନାଚୁରର କାଗଜ ଜରି ସବୁ ତଳେ ଗଡ଼ୁଥିବେ । ସେମାନଙ୍କ ଠାରୁ ନିଜକୁ ରକ୍ଷା କରି ଦୋଳ ମଣ୍ଡପରେ ଭଗବାନଙ୍କୁ କେମିତି ପୂଜାକରିବା? ତା’ ପରେ ଏହି ଡିଜେ ଭଜନରେ ଉଦଣ୍ଡିଆ ନାଚ କ’ଣ ଆମକୁ ଶୋଭା ଦେଉଛି ! ଏମିତିରେ ମୋର ସବୁ ରୋଗ ଆଉ ବିଗାଡ଼ିବାକୁ ଯିବିନି । ତୁ ଯା...”
ମନ ଦୁଃଖ କରି ତୁନି ହୋଇ ବସିଲା ଚନ୍ଦନ ଆଉ କହିଲା, “ତୁମେ ପରା କହୁଥିଲ ଭଗବାନ ସବୁଠି ଅଛନ୍ତି ତା’ହାଲେ ବିସ୍କୁଟ୍ ଚେନାଚୁର ଜରି କାହିଁକି ଦେଖୁଛ ଯେ !? ବରଷକରେ ଥରେ ଦୋଳ ପୂର୍ଣ୍ଣିମା ଆସିଛି । ପାଗ ବି ଭଲ ଅଛି ତା’ ପରେ ବି ତୁମେ ଏମିତି କାହିଁକି କହୁଛ ଜେଜେ? ପ୍ଲିଜ୍ ଚାଲନା ।”
“ଆମ ସଂସ୍କୃତି ଆମ ପରମ୍ପରା ନାମରେ ବିଦେଶୀ ସଂସ୍କୃତିର ତଡ଼କାରେ ଭକ୍ତି ଭାବନା ନାମରେ ବେପାରକୁ ଅଗ୍ରାଧିକାର ଦିଆଯାଉଛି । ବିବାହଠାରୁ ବ୍ରତଘର, ଜନ୍ମଦିନଠାରୁ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସବୁ ମନ୍ଦିରରେ ଆୟୋଜନ ହେଉଛି । ଏପରିକି ବିଭିନ୍ନ ଧର୍ମର ଲୋକ ଭଗବାନଙ୍କ ନାମରେ ଚଡ଼ି, ବେନିୟନ୍ କମ୍ପାନୀ ମଧ୍ୟ ଭଗବାନଙ୍କ ନାମରେ କରୁଛନ୍ତି । ଏ ସବୁ ପ୍ରହସନ ଭିତରେ ଆମେମାନେ ଆମ ମୂଳ ଉଦ୍ଦେଶ୍ୟଠାରୁ ଦୂରକୁ ଚାଲିଯାଉଛୁ । ଭଗବାନଙ୍କ ନାମରେ ଭକ୍ତିଭାବଠାରୁ ବେପାରକୁ ଅଧିକ ଗୁରୁୁତ୍ୱ ଦେଉଛୁ । ତୁମେ ଏବେ କୁହ ଆମପାଇଁ ଭକ୍ତି ବଡ଼ ନା ଆମପାଇଁ ପ୍ରାପ୍ତି ବଡ଼?”
“ସତ କଥା ଜେଜେ ହେଲେ ଆମ ସମାଜ କ’ଣ? ଏସବୁକୁ ମାନୁଛି କିଏ? ଆମେ ପାଠକୁ ଭଗବାନ ମାନୁଥିବା ବେଳେ ସବୁ ଜୋତା ତଳେ ଲେଖା ରହୁଛି । ତମାଖୁ ଗୁଟୁଖା ଦେହପାଇଁ କ୍ଷତିକାରକ ହୋଇଥିବା ବେଳେ ଭଗବାନଙ୍କ ନାମରେ ଅଧିକ ବିକ୍ରି ହେଉଛି । କିନ୍ତୁ ଆମେ କରିବା କ’ଣ? ଆଜିର ସଭ୍ୟ ସମାଜରେ ବଞ୍ଚିବାକୁ ହେଲେ ଯାବତୀୟ ଅସଭ୍ୟ କାମ କରିବାକୁ ପଡ଼ୁଛି । ନା ଅଛି ଭକ୍ତି ନା ଅଛି ମୁକ୍ତି, ଖାଲି ପ୍ରାପ୍ତି ଆଉ ପ୍ରାପ୍ତି ।”
“ପ୍ରକୃତିକୁ ବିଗାଡ଼ିବାକୁ ଯାଇ ବନ୍ୟା, ବାତ୍ୟା, ଭୂମିକମ୍ପ ସବୁ ଯାବତୀୟ ପ୍ରାକୃତିକ ବିପଯ୍ୟୟ ସବୁ ଏଇଥିପାଇଁ । ଦେଖୁନୁ ଚୀନରେ ଏହି ପ୍ରକୃତିକୁ ବିଗାଡ଼ିବାକୁ ଯାଇ କରୋନାରେ ହଜାର ହଜାର ସଂଖ୍ୟାରେ ମରିଗଲେ । ଆମ ବେଳ ବେଶୀ ଦୂର ନୁହେଁ, ଏବେଠୁ ସତର୍କ ହେବାର ସମୟ ଆସିଯାଇଛି । ନହେଲେ ପ୍ରକୃତି ନିଜେ ନିଜର ରାସ୍ତା ବନାଇ ନେବ । ସତର୍କ ରୁହ ସଠିକ୍ ରୁହ । ସତକଥା ଜେଜେ ଆମକୁ ଆମର ଅଭ୍ୟାସ ବଦଳାଇବାକୁ ହେବ । ନହେଲେ ଏହି ସୁନ୍ଦର ପୃଥିବୀଟା ଅସୁନ୍ଦର ହେବାକୁ ବେଶୀ ସମୟ ଲାଗିବନି ।”
କବାଟରେ ଠକ୍ ଠକ୍ ଶବ୍ଦ ହେଲା ଚନ୍ଦନ ଉଠିଯାଇ କବାଟ ଖୋଲେ ତ ବାବା ଆଉ ମାମା ଆସିଛନ୍ତି । ବହୁତ ଗୁଡ଼ାଏ ଖେଳନା ଦେଖି ଖୁସି ହେଲା ସତ, ସେଥିରେ ଥିବା ଭଗବାନଙ୍କ ଫଟୋ ସବୁ କାଢ଼ିଦେଇ ମହାଆନ୍ଦରେ ଖେଳିଲା ।
“ହଉ ଶୁଣ୍ ! ମା’ ଆଜି ଫୋନ୍ କରିଥିଲେ, କହୁଥିଲେ ରାତି ପାହିଲେ ଦୋଳ ପୂର୍ଣ୍ଣିମା, ସବୁ ବନ୍ଧୁ ବାନ୍ଧବ ଆସି ସାରିଲେଣି । ଗାଁ’ରେ ବି ଦୋଳମଣ୍ଡପ ବନ୍ଧାସରିଲାଣି । ଏଥର କୁଆଡ଼େ ବଡ଼ ଯାତ୍ରାପାଟି ଗାଁକୁ ଆସୁଛି । ୪ ରାତି ଯାତ୍ରା ହେବ, ହେଲେ ଆମେ ତ ଦା...ଦ...ନ । ନା କହି ପାରୁଛେ ନା ରହି ପାରୁଛେ ।” ଜକେଇ ଆସୁଥିବା ଲୁହକୁ ହାତରେ ପୋଛି ଦେଇ କହିଲି, “ଛାଡ଼୍ ସେକଥା ! ରାତି ଢେରେ ହେଲାଣି ଚାଲ ରୁମ୍ ଭିତରକୁ ।”
“ଏଇ ଜୋତ୍ସ୍ନା ଭିଜା ରାତିରେ ପୂର୍ଣ୍ଣିମାର ଚାନ୍ଦ କ’ଣ ରୁମ୍ ଭିତରେ ମିଳିବ ନା ମିଳିବ ଥିରି ଥିରି ଥଣ୍ଡା ପବନ? ପୁଣି ଅପେକ୍ଷା ଆର ବର୍ଷକୁ । ଛାତର ଛାତି ଉପରେ ଶୋଇ ନିଜକୁ ହାଜାଇଦେବାରେ ଯେଉଁ ମଜା ଆଉ କେଉଁଠି ବି ମିଳେନି । ଦେଖିବୁ ସବୁ ଠିକ୍ ଠାକ୍ ହୋଇଯିବ । ପ୍ରେମର ପ୍ରେମିକା, ମୋତିର ଶାମୁକା ପରି ଏଇ ଜହ୍ନରାତି... ଛାଡ଼୍ !”
“ଛାଡ଼ ସେକଥା । ଏଇ ଶୁଣେ, ଆଜି ମୁଁ ମୋତିକୁ ଫୋନ୍ କରିଥିଲି, ତା’ର କିନ୍ତୁ ଏକାନ୍ତ ଜିଦ୍ଦି ସେ ରଙ୍ଗ ହେବନି । ପରୀକ୍ଷା ଅଛି, ଇମ୍ଫେକ୍ସନ୍ ହେବ ବୋଲି ଦୁନିଆ କିଛି କହି ବାଟ ଭାଙ୍ଗୁଥିଲା, କିନ୍ତୁ ମୁଁ କ’ଣ ଛାଡ଼ିବା ପିଲା ! ମୁଁ ତାକୁ ନିଜ ହାତରେ ରଙ୍ଗ ଲଗାଇଦେବି କହିବାରୁ ରାଜିହେଲା । ଆଉ ହଁ ତୋତେ ଗୋଟେ କଥା କହିବାକୁ ଭୁଲିଯାଇଥିଲି । ସକାଳ ୬:୩୦ରେ ଫ୍ଲାଇଟ୍, ଜଲ୍ଦି ଉଠାଇ ଦେବୁ । ବେଗ୍ ବି ରେଡି କରିବାର ଅଛି । ମୁଁ ବି ତୋ ସାଙ୍ଗରେ ଯିବି ।”
“ମାନେ ତୁ ବି ଘରକୁ ଯାଉଛୁ? ଓଃ ୟା...”
“ହଁ ଆମେ ଘରକୁ ଯାଉଛେ ! ବସ୍ଙ୍କୁ ଲିଭ୍ ଏପ୍ଲିକେସନ୍ ମେଲ୍ କରିଦେଇଛି । ଚାଲ୍ ଶୋଇବା ଡେରି ହେଲାଣି । ତୁ ତୋ’ ଘରକୁ ଚାଲିଯିବୁ, ମୁଁ ଏକା ଯିବି ମୋତି ଘରକୁ ।”
କୃଷ୍ଣଚୂଡ଼ା ଫୁଲ ସବୁ ଗାଆଁ ଦାଣ୍ଡରେ ବିଛେଇ ହୋଇ ପଡ଼ିଥାଏ । ଝାପ୍ସା ଝାଞ୍ଝି ପବନରେ ଦେହ ଶିହରି ଉଠୁଥାଏ, ଆଉ ତା’ ସାଙ୍ଗକୁ ଦୂରରୁ ଶୁଭୁଥିବା ପଟା ରିକ୍ସାରେ ବନ୍ଧା ମାଇକଟା ଧୀରେ ଧୀରେ ପାଖେଇ ଆସୁଥାଏ । ଡରିକରି ମନ୍ଦିର ପିଣ୍ଡାକୁ ଉଠିଗଲି । ନହେଲେ ଏଇ ଛୋଟ ଛୋଟ ପିଲା ସବୁ ମୋତେ କ’ଣ ଛାଡ଼ିଥାନ୍ତେ । ତଥାପି ବି ମନରେ ଡର ଥାଏ ! ମଳୟ ପବନ, ଫଗୁଣର ରଙ୍ଗ ଆଉ ଚୋରା ପୀରତି ଦେହକୁ ଶିହରାଇ ଦିଏ ସିନା ମନରେ ବସି ରହେ ।
ଦୂରରୁ ମୋତିର ଘର ଯେତିକି ଯେତିକି ଦେଖାଯାଉଥିଲା କାହିଁକି କେଜାଣି ଯେମିତି ସ୍ପନ୍ଦନଟା ସେତିକି ସେତିକି ଜୋର୍ରେ ବଢ଼ି ଚାଲିଥାଏ । ମନ ବୋଧେ ମୁଠାଏ ଅବିରକୁ ତା’ର ସେଇ ଗୋରା ଗାଲରେ ବୋଳିବାକୁ ବ୍ୟାକୁଳ । ଧୀରେ ଧୀରେ ଆଗକୁ ଚାଲିଲି; ବିଶ୍ୱାସ ହେଉନଥାଏ ତଥାପି ନୀରବ। କିଛି ସମୟ ପରେ ତାଙ୍କ ଘରେ ପହଞ୍ଚିଲି । ମନରେ ଥାଏ ଉତ୍କଣ୍ଠାର ଉଦ୍ଦିପନା, ସତେ ଯେମିତି ପ୍ରେମର ରଙ୍ଗକୁ ଏ ଫଗୁଣର ରଙ୍ଗ ମୋ ହାତରେ ଭରି ଦେଇଛି। ଚୁପ୍ଚାପ୍ ମୁଁ ଚେୟାର ଉପରେ ବସିଥାଏ । ଆଉ ବସି ବସି ଭାବନାରେ ଭାବି ଭାବି ଗୋଟେ ନୂଆ ଦୁନିଆକୁ ଚାଲି ଯାଇଥାଏ । ହଠାତ୍ କଅଁଳ ସ୍ୱରର ପ୍ରତିଧ୍ୱନି ମୋ କାନରେ ବାଜିଲା । ଭାବନା ରାଇଜରୁ ଫେରି ଆସିଲି, କିନ୍ତୁ ତା’ ମୁହଁକୁ ଚାହିଁ ପାରୁନଥାଏ ।
“ତୁମେ କେତେବେଳୁ ଆସିଲଣି !? ଓଃ ସରି...ସରି... ମୁଁ ପରୀକ୍ଷା ପାଇଁ ପ୍ରିପିୟାର କରୁଥିଲି । ଜାଣି ପାରିଲିନି, ସରି ।”
ହାତରେ ମୁଠାଏ ଗୋଲାପୀ ଅବିରକୁ ଧରି ଯେବେ ତା’ ମୁହଁକୁ ଚାହିଁଦେଲି । ରୋକି ପାରିଲିନି ନିଜକୁ, ମନ ଭାଙ୍ଗିଗଲା । ଲାଗିଲା ସତେ ଯେମିତି ଦେହରୁ ଜୀବନ ଚାଲିଯାଇଛି । ରଙ୍ଗଗ ମୁଠାଟାକୁ ଫିଙ୍ଗିଦେଇ ଯିବାକୁ ବାହାରିଗଲି ସେଠାରୁ । କାହା କଥା ବୁଝିବାକୁ ପ୍ରସ୍ତୁତ ନଥାଏ । ଯେମିତି ମୋର ସବୁ ଆଶା ଆଶାରେ ହିଁ ରହିଗଲା । ଯିଏ କଥା ଦେଇ କଥା ରଖେନି ସେ କାହୁଁ ବୁଝିବ ପ୍ରେମର ମୂଲ ! ସତରେ ନିଜକୁ ଆଜି ଘୃଣା ଲାଗୁଛି । ଆଉ କୋହ ସମ୍ଭାଳି ପାରୁନଥାଏ ଆଖିରୁ ଧାର ଧାର ଲୁହ ସବୁ ବୋହିବାରେ ଲାଗିଥାଏ । ମୋତି ହଠାତ୍ ପଛପାଖରୁ ହାତଟାକୁ ଧରିପକାଇଲା । ହାତଟାକୁ ଛାଟିଦେଇ ଲୁହ ପୋଛି ଛୋଟ ପିଲାଙ୍କ ଭଳି କହିଲି, “ଯଦି ମୋ’ ରଙ୍ଗ ତୁମକୁ ପସନ୍ଦ ନଥିଲା ମୋତେ କହିଲନି । ମୁଁ ଆସିନଥାନ୍ତି । ତୁମକୁ ଆଉ କିଏ ରଙ୍ଗ ଲଗାଇବ କେମିତି ମୁଁ ପସନ୍ଦ କରିବି???”
ମାନୁଛି ତୁମ ମନରେ ଆଘାତ ଲାଗିଛି ହେଲେ ମୁଁ କରିବି କ’ଣ? ସ୍ନେହରେ ଯଦି ଛୋଟ ପିଲାମାନେ ଜିଦ୍ଦିକରି ରଙ୍ଗ ଟିକେ ମାଖିଦେଲେ, ଅଭିମାନ କ’ଣ ପାଇଁ? ଆଜିପରା ହୋଲି ! ରାଧା-କୃଷ୍ଣଙ୍କର ପ୍ରେମର ଅଭୟ ଗାଥା । ଆଉ ତୁମେ ଏଇ ଦେହରେ ଯେଉଁ ପ୍ରେମର ରଙ୍ଗ ମାଖିଦେଇଛ ତା’ କଥା? ହୁଁ... ସାରା ଜୀବନ ରହିଥିବ । ଯିବ ଯଦି ଯାଅ । ଏକା ଏକା ବସି କାନ୍ଦିବି ସିନା କାହାକୁ କିଛି କହି ପାରିବିନି ।” ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲା ମୋତି । ମୋତିର କଥା ପାଣି ସାଜି ରଙ୍ଗ ଭଳି ମୋର ଅଭିମାଙ୍କୁ ଧୋଇଦେଲା ଆଉ ମୁଁ ଜାବୁଡ଼ି ଧରିଥିଲି ମୋତିକୁ ।
ସତରେ ପ୍ରେମ ରଙ୍ଗ ସାମ୍ନାରେ ଦୁନିଆର ସବୁ ଦାମୀ ରଙ୍ଗ ବି ଫିକା ପଡ଼େ ।
ବର୍ଷ ସାରା କଲେଜରେ ମଜାମସ୍ତିରେ କାଟୁ କାଟୁ ସମୟଗୁଡ଼ାକ ପାଣି ଭଳି କେମିତି ବୋହିଗଲା ଯେ କିଛି ବି ଜଣାପଡ଼ିଲା ନାହିଁ । କେତେବେଳେ ଝିଅପିଲାଙ୍କ ସାଇକେଲ୍ ପମ୍ପଚର୍ କରିବା ତ କେତେବେଳେ ଜୁନିୟରମାନଙ୍କୁ ରେଗିଙ୍ଗ୍ । କେତେବେଳେ ହିରୋଗିରି ଦେଖାଇବା ତ କେତେବେଳେ ବାଧ୍ୟ ହୋଇ କ୍ଲାସ୍ କରିବା ଛଡ଼ା କିଛି ନଥାଏ । ସାର୍ଟଟାର ଉପର ବଟମ୍ ଦି’ଟା ଖୋଲିଦେଇ ଚକରାର ବାଇକ୍ ପଛରେ ବସି ଲାଇନ୍ ମାରିବାର ମଜା ଆଉ କେଉଁଠି ମିଳେନାହିଁ । ସନ୍ଧ୍ୟାରେ ଚାଓମିନ୍ ଆଉ ରାତିରେ ଖେଳପଡ଼ିଆର ଆକାଶଟା ଫୁଲ୍ ରଙ୍ଗୀନ ରଙ୍ଗୀନ ଲାଗୁଥିଲା । ସାଇକେଲ୍ ପଛ ନୋଟ୍ବୁକ୍ କହିଲେ ଥିଲା ଆମର ପାଠ । ବାପାଙ୍କ ପକେଟ୍ରୁ ଚୋରି କରି ଗାର୍ଲ୍ଫ୍ରେଣ୍ଡକୁ ଦେଖା କରିବାକୁ ଯାଇ କେତେଥର ବାଡ଼ ଡେଇଁଛି ତା’ର ହିସାବ ନାହିଁ ।
ସତରେ ସମସ୍ତେ ଏତେ ଶୀଘ୍ର ବଦଳିଯିବେ ବୋଲି ବିଶ୍ୱାସ ହେଉନି । ପରୀକ୍ଷାରେ ଗୋଟେ ବେକ୍ ଲାଗିଗଲା ବୋଲି କେହି ଫୋନ୍ ଉଠାଇବେ ନାହିଁ । ଘରେ ବାପାମାଆ ଆଉ ଏ ପାଖେ ସାଙ୍ଗ ସାଥୀ । ଛାଡ଼ ! ଜୀବନଟା ଦୁଃଖଭରା । ପଶ୍ଚିମ ଆକାଶଟା ରକ୍ତିମ ଦିଶୁଥାଏ, ସତେ ଯେମିତି ସବୁ ସ୍ୱପ୍ନ ବୁଡ଼ିଯାଉଛି ଏଇ ଅସ୍ତଗାମୀ ସୂର୍ଯ୍ୟଙ୍କ ସହ ଆଉ ଲାଗୁଛି ମୁଁ ବୋଝ ହୋଇ ଲଦି ହୋଇଛି ଏହି ପୃଥିବୀ ଉପରେ ! କିଛି ବୁଦ୍ଧିବାଟ ଦିଶୁନଥାଏ; ନଦୀରେ ଅକାତ ଜଳରାଶି, ବ୍ରିଜ୍ ଉପରେ ମୁଁ । ଆଉ କିଛି ଭାବିବା ଆଗରୁ ହଠାତ୍ କେହିଜଣେ ପଛପଟୁ ହାତ ରଖିଲା କାନ୍ଧ ଉପରେ । ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପାଟିରୁ ଭାଷା ବାହାରୁ ନଥାଏ । ମୁଁ କିଛି କହିବା ଆଗରୁ ଚକରା ଆଉ ଚିନ୍ମୟ କହିଲେ, “ଆମ ଦୁଇ ଜଣଙ୍କର ବି ବ୍ୟାକ ଲାଗିଛି ।” ଓଠରେ ହସ ଧାରେ ଖେଳିଗଲା । ଲୁହ ଭିଜା ଆଖିକୁ ପୋଛି ଦେଇ ସରୋଜ କହିଲା, “ଚାଲ ଆମେ ପାର୍ଟି କରିବା ଆଉ ଏକ ଯୁଦ୍ଧ ପାଇଁ ।” ଆଉ ସମସ୍ତଙ୍କ ଓଠରେ ହସ ଖେଳି ଗଲା ।
ସମସ୍ତଙ୍କୁ ଗୋଟିଏ କଥା ମାନିବାକୁ ପଡ଼ିବ, ଜୀବନରେ ଦୁଃଖ ଆସୁ କି ସୁଖ ସବୁଥିରେ ଗୋଟିଏ ବନ୍ଧୁର ଆବଶ୍ୟକତା ରହିଛି ।
ସେଦିନ ଥାଏ ରବିବାର । ସକାଳୁ ସକାଳୁ ଗାଧେଇ ପାଧୋଇ ନିଜକୁ ସଜେଇ ନେଲା ଆଉ କଲେଜ୍ ବ୍ୟାଗ ଧରି ଘରୁ ବାହାରକୁ ବାହାରିଗଲା ।
- ଆଜି ମୋର ଟିଓସନ୍ ସରିବାକୁ ଡେରିହେବ ଘରେ ପହଞ୍ଚିବାକୁ ଲେଟ୍ ହୋଇପାରେ ବାପା ।
- ହଉ ଯା...
- କିଛି ଟଙ୍କା ଦରକାର ଥିଲା ଟିଉସନ୍ ସାରଙ୍କୁ ଦେବାକୁ ହେବ ।
- ଟେବୁଲ୍ ପାଖରେ ଅଛି ନେଇଯା’ ।
- ଆଜ୍ଞା ବାପା ।
- ଶୀଘ୍ର ଆସିବାକୁ ଚେଷ୍ଟା କରିବୁ ।
- ଆଜ୍ଞା ବାପା ।
ସ୍କୁଟିକୁ ଷ୍ଟାଟ୍ କରି ନିମିଶକରେ ମିଳାଇ ଗଲା ଆଖି ଆଗରୁ ଗାଡ଼ିର ଧୂଆଁ ମିଳାଉ ମିଳାଉ ଶୂନ୍ୟ ବାୟୁମଣ୍ଡଳରେ ।
କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା, କେହି ଜଣେ ଚିହ୍ନା ଲୋକ ଘର ଭିତରକୁ ପଶିଆସିଲେ ଆଉ ବାପାଙ୍କ ସହ ଗୋପନରେ କିଛି କଥା ହେଲେ ଆଉ ଚାଲିଗଲେ । ବାପା ତାଙ୍କ କଥାରେ ହସୁନଥିଲେ କି କାନ୍ଦୁନଥିଲେ ହେଲେ ଦେହସାରା ଗମ୍ ଗମ୍ ଝାଳ । ଠିଆ ହୋଇଥିବା ଜାଗାରୁ ଗୁଦ୍ କିନା ବସି ପଡ଼ିଲେ ଚେୟାର ଉପରେ ଆଉ ତା’ ପରେ !!!
ପ୍ରାୟତଃ ଓଡ଼ିଶାରେ ସବୁ ଟିଭି ଆଉ ଖବରକାଗଜରେ ଖବର ବାହିରିଗଲା । ଡାକ୍ତରଖାନା ବେଡ୍ ପାଖରେ ପୋଲିସ୍ଠାରୁ ଆରମ୍ଭ କରି ସବୁ ମିଡିଆବାଲା ଭିଡ଼ ଜମେଇ ଥାଆନ୍ତି । ସତେ ଜେମିତି ଗୋଟିଏ ମୁର୍ଦ୍ଦାର ପାଖରେ କୁଆ, ଚିଲ, ଶାଗୁଣା, କୁକୁର, ବିଲୁଆ ସବୁ ଘେରିହୋଇ ରହିଛନ୍ତି । ନର୍ସ ଆସି ବାରମ୍ୱାର କହୁଥାଏ ପେସେଣ୍ଟ୍କୁ ବ୍ଲଡ଼ ଦରକାର୍ ପେସେଣ୍ଟ୍ର ଅବସ୍ତା ବହୁତ ଗୁରୁତର । ମିଡିଆବାଲା, ସାଧାରଣ ଲୋକ, ଥାନାବାଲା, ଓକିଲ ଆଉ ସମ୍ପର୍କୀୟ ବେଶ୍ କିଛିଦିନ ବଳ କଷାକଷି କରି ଚାଲିଗଲା ପରେ ଥମିଗଲା ଝଡ଼ ତୋଫାନ୍ । ତା’ ପରେ ସବୁ ଶାନ୍ତି ଆଉ ନିର୍ମଳ ।
ଟିଭିବାଲା ତ ଦୂରର କଥା ଛୋଟ ମୋଟ ଖବର କାଗଜବାଲା ବି ପଚାରିଲେନି । ଗାଁ କୁଜି ନେତା ଏବେ କହୁଛନ୍ତି ମୁଁ ସବୁକିଛି ସମ୍ୱାଳି ନେବି ! ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ବିଚାରୀ ମନୀଷା !!!
କାର୍ତ୍ତିକରେ ଆଇଁଷ ମନା । ଏଇ ଦୁଇ ଦିନ ହେଲା ତ ଗଲା କାତ୍ତିକ ପୂର୍ଣ୍ଣିମା, ଆଜି ପୁଣି କ’ଣ? ସେଦିନ ତ ଡଙ୍ଗା ଭସାଇ ମନ୍ଦିର ଯାଇଥିଲି, ଆଜି କାହିଁକି? ଠାକୁର ଭକ୍ତି ନା ନୂଆ ଶାଢ଼ୀ ପାଇଁ ଏକ ବାହାନା !
ବିଛଣାରେ ଥାଇ କମ୍ବଳଟା ଆଡ଼େଇ ଅଳସ ଭରା କଣ୍ଠରେ ତାପସ କହିଲେ, “ମୋ ଦେଇ ଡେଲି ଡେଲି ଏତେ ସକାଳୁ ଉଠି ମନ୍ଦିର ଯିବା ହୋଇପାରିବ ନାହିଁ । ତୁମେ ଯାଅ, ମୁଁ ଶୋଇଯାଉଛି ।” ଅପ୍ରସ୍ତୁତ ଭାବେ ଡ୍ରେସିଂ ଟେବୁଲ୍ ପାଖେ ସଜ ହେଉ ହେଉ ପଛକୁ ବୁଲି ପଡ଼ିଲା ସ୍ୱପ୍ନା । କଟାକ୍ଷୀ ଆଖିରେ ଦେଖି କହିଲା, “ଦେଖ ! ଏସବୁ ଠିକ୍ ହେଉନି । ଆଜି ଭଳି ଦିନରେ ତୁମ ମୁହଁରୁ ଏକଥା ଶୋଭା ପାଉନି । ଯାଅ ଶୀଘ୍ର ଗାଧେଇକି ରେଡି ହୋଇଯିବ । ଦେଖ, ତୁମେ ନଉଠିଲେ ମୁଁ ରାଗିଯିବି । ପ୍ଲିଜ୍ ଉଠିକି ରେଡି ହୁଅନା !”
ଧୀର କଣ୍ଠରେ ତାପସ କହିଲେ, “ହଉ ବାବା ମୁଁ ଯାଉଛି । କିନ୍ତୁ ଆଜି କାହିଁକି ମନ୍ଦିର ଯିବା କାରଣଟା ତୁମେ ତ କହିଲନି??” କିଛି ସମୟର ନୀରବତା ପରେ...”ହଉ ଯାଉଛି । ଏବେତ କୁହ...”
“ତୁମର ତ ଯେମିତି କିଛି ମନେ ନାହିଁଭ । ଆଜି ୧୫ ନଭେମ୍ୱର । ମାନେ... ମାନେ... ଆମ ବିବାହ ବାର୍ଷିକ । ତୁମେ ତ ଗଧ ! ତୁମର କିଛି ମନେ ନାହିଁ । ଯାଅ ଶୀଘ୍ର ରେଡି ହୋଇଯିବ । ମୁଁ ଫୁଲ, ଦୁବ, ବରକୋଳି ପତ୍ର, ଧୂପ, ଚନ୍ଦନ ଆଦି ସଜାଡ଼ୁଛି ।” ଧଡ଼ପଡ଼ ହୋଇ ଉଠିପଡ଼ିଲେ ତାପସ । କହିଲେ, “ଆରେ ସେହି କଥା ମୋତେ ଆଗରୁ କହୁନ । ମୁଁ ତ ଭାବୁଛି... ଛାଡ଼ । ବିବାହ ବାର୍ଷିକ ମାନେ ମନ୍ଦିର କାହିଁକି? ଚାଲ ହୋଟେଲ୍ ଯିବା । ୧୦ଜଣ ସାଙ୍ଗକୁ ଡାକିବା । ସେଠି କେକ୍ କାଟିବା ଆଉ ସେଲିବ୍ରେସନ କରିବା । ବହୁତ ମସ୍ତିହେବ ନା । ମୁଁ ଏବେ ସମସ୍ତଙ୍କୁ ଫୋନ୍ କରୁଛି ।”
“ସେସବୁ କିଛି ଦରକାର ନାହିଁ । ଘରେ ବାପାମାଆ ଆଉ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ମିଳିଲେ ଯଥେଷ୍ଟ । ଏମିତିରେ ଏହି ବିବାହ ବାର୍ଷିକ ଭାରତୀୟ ପରମ୍ପରା ନୁହେଁ । ସମାଜ ସହ ଚାଲିବାକୁ ହେଲେ ଏବେ ଏସବୁ କରିବାକୁ ପଡ଼ୁଛି । କିନ୍ତୁ ଦରକାରଠାରୁ ଅଧିକା ନୁହେଁ । ଆମ ଦିନ୍ଦୁ ଧର୍ମରେ ଆମେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକ ହୋଇଛୁ । ପୁଣି ବିବାହ ବାର୍ଷିକ କ’ଣ?”
“ତୁମରି ଢୋଲ ତୁମେ ବଜାଇବ । ମୁଁ ତ ନିମିତ୍ତ ମାତ୍ର ! ଫେସବୁକ୍, ହ୍ଵାଟ୍ସ୍ଆପ୍ ଆଦିରେ ପୋଷ୍ଟ କଲେ କିଳା; ସାଙ୍ଗମାନେ ର୍ପାଟି ମାଗିବେ । ମନ୍ଦିର ନଗଲେ ଲିଳା; ମଣିଷ ଟିକେ ଖୁସିହୋଇ ପାରିବନି ।” ଏମିତି ଗୁଣୁଗୁଣେଇ ଗାଧେଇବାକୁ ଚାଲିଗଲା ।
ଜୀବନରେ ଏମିତି ଛୋଟ ବଡ଼ ଘଟଣା ଘଟେ ନା ଭାରତୀୟ ସଂସ୍କୃତିକୁ ଛାଡ଼ି ହୁଏ ନା ପାଶ୍ଚାତ୍ୟ ସଭ୍ୟତାକୁ... ଏସବୁ ଭିତରେ ନା ଛାଡ଼ିହେବ ନିଜର ଖୁସି ! ଆଜି ଏ କଥା ସ୍ୱପ୍ନା ଓ ତାପସ ବୁଝିଛନ୍ତି ଆଉ ଆପଣଙ୍କୁ ବି ବୁଝିବାକୁ ପଡ଼ିବ ।
ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡ଼ି ଛାଡ଼ି ଯାଉଥାଏ । ଠିକ୍ ଏହି ସମୟରେ ଆମ୍ୱତୋଟା ଭିତରେ ଜୀବନକୁ ବାଜି ଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦଉଡ଼ୁଥାଏ । ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପି ଦଉଡ଼ୁଥାଏ । ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ; କିନ୍ତୁ ସମସ୍ତେ ନୀରବ । ଏଇ ତ ସମୟର ରୀତି । ଖାଦ୍ୟ ଖାଦକର ବନ୍ଧନ ଆଉ ଦୁର୍ବଳର ଉପରେ ସବଳର ଅତ୍ୟାଚାର । କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି !
ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥାଏ ଦୂରରୁ ଦେଖିଥିବା ଛନଛନ ଦୁବଘାସ ଦିଇଟା ଖାଇବାକୁ । ମା’ ସହ କିଆରି ଭିତରେ ପଶିଥିବା ବେଳେ କିନ୍ତୁ ହେଲା କ’ଣ ! ସତେ ଯେମିତି ତା’ ଦେହର ଲୋଭିଲା କଞ୍ଚା ମାଉଁସଗୁଡ଼ାକୁ ଖାଇବାକୁ ବସିଥିଲେ କିଆବୁଦା ମୂଳେ କୁକୁରଗୁଡ଼ାକ । ଆଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ । ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଆଉ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲା ସିନା, ହେଲେ ଭାଗଶେଷ ଶୂନ ।
ହଠାତ୍ ଦୁଇ ଚାରିଜଣ ମଣିଷଙ୍କର ଶବ୍ଦ ଶୁଣିବାକୁ ପାଇଲା । ବୋଧହୁଏ ମାଲିକ ଆସିଗଲା ! ଟିକେ ଆଶ୍ୱସ୍ତି ଲାଗିଲା, ଗୋଟେ ଦୀର୍ଘଶ୍ୱାସ ନେଇ ରହିବା ବେଳକୁ, କୁକୁର ମଣିଷର ଲଢ଼େଇ । ପରିଣତି ମଣିଷ ଜିତିଲା । କେହିଜଣେ ତାକୁ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରଶ ଦେଲା । ଲାଗିଲା ଜୀବନ ବଞ୍ଚିଗଲା । ଛାତିରେ ଛାତିଏ କୋହକୁ ଚାପିରଖି ଏତେ ଖୁସି ହୋଇଗଲା ଯେ ଆନନ୍ଦର ଅଶ୍ରୁ ବହିବାରେ ଲାଗିଲା । ତଥାପି ସେ ନୀରବ ।
ମାଲିକର ଘରୁ ବାହାରିଲା ମା’ ମିଳିଗଲା ଆଉ ମାଆ କୋଳ ଛାଡ଼ିଲା ତ ଏମାନେ । ଖୁବ୍ ଖୁସି ଲାଗୁଥିଲା, ଦେହର କଷ୍ଟକୁ ଭୁଲି ଉଠିବାରେ ଲାଗିଲା । ସେହି ମଣିଷମାନଙ୍କ ଦେହରେ ଦେହ ଘଷି ଖୁସି ହେଉଥିଲା । ଜଣ ଜଣ କରି ସମସ୍ତେ କୋଳକୁ ନେଲେ । କ୍ଷତାକ୍ତ ଶରୀରର ଆଦର କଲେ । ତାକୁ ଗଛରେ ବାନ୍ଧି ଦେଇ ଛନଛନିଆ ଘାସ ଆଣି ଖାଇବାକୁ ଦେଇ ଜଣକ ପରେ ଜଣେ ଘରକୁ ଗଲେ । କିଛି ବୁଝି ହେଉନଥାଏ । ଛେଳି ଛୁଆଟିର ଆଶା ସାର୍ଥକ ହେଲାପରି ଲାଗିଲା । ତଥାପି ନୀରବତା ।
କିଛି ସମୟର ବ୍ୟବଧାନ ପରେ ତା’ ମାଲିକ ଆସିଲେ । ଆଉ ତା’ ପଛକୁ ପଛ ରଶି, କଟୁରୀ, ହାଣ୍ଡି, କଢ଼ା, ବାଲ୍ଟି ଆଦି ଧୀରେ ଧୀରେ ଆସିବାରେ ଲାଗିଲା । ଏତେବେଳେ ବୁଝିପାରୁଥିଲା ଏତେ ସ୍ନେହ ଭଲପାଇବାର ମାନେ । ସେ ତ ଛେଳିଟିଏ, ଆବଶ୍ୟ ଆହାର, ସ୍ନେହ ଆଉ ଭଲପାଇବା ପାଇଛି ଯେତେବେଳେ ତା’ର ଋଣ ତ ସୁଝିବାକୁ ପଡ଼ିବନା !! ଧୀରେ ଧୀରେ ଦିନ ଗଡ଼ିବାରେ ଲାଗିଥାଏ । କଟୁରୀଟା ବେକରେ ଚାଲିବା ଆଗରୁ ତା’ ମାଆ ଛିଡ଼ା ହୋଇଥିଲା ଆଖି ଆଗରେ ।
ଜୀବନ ତ ସମସ୍ତଙ୍କର ଆପଣାର ହୋଇଥାଏ, ଆଉ କଷ୍ଟ ମଧ୍ୟ ସମସ୍ତଙ୍କୁ ସମାନ ପରିମାଣରେ ହୋଇଥାଏ ।
ଆମ ଗାଁ ରାସ୍ତା ପାଖର ଗୋଟେ ଚା’ ଦୋକାନ ପାଖରେ ବସିଥାଏ ମୁଁ । ଅପେକ୍ଷା କରିଥାଏ କେହିଜଣେ ସାଙ୍ଗକୁ ଲିପ୍ଟ୍ ନେଇ କଲେଜ ଯିବାକୁ । ଧୀରେ ଧୀରେ ପବନର ବେଗ ବଢ଼ିବାକୁ ଲାଗିଲା ଗଛର ପତ୍ର ସାଙ୍ଗକୁ ଧୂଳି ବି ଉଡ଼ିବାରେ ଲାଗିଲା । ସତେ ଯେମିତି ଆଷାଢ଼ୁଆ ବର୍ଷାଟା ଏଇନା ବରଷି ଯିବ । କହୁ କହୁ ଧିମା ଧିମା ବର୍ଷା ଆରମ୍ଭ ହୋଇଗଲା । ଦେଖେ ତ ସେ ପାଖରୁ ସାଙ୍ଗ ଦିଲ୍ଲିପ ବି ସାଇକେଲକୁ ଦୃତଗତିରେ ମାଡ଼ି ଚାଲୁଥାଏ । ସଙ୍ଗେ ସଙ୍ଗେ ସାଇକେଲକୁ ମୋ ଆଗରେ ରଖି ପଛପଟ ସିଟ୍ରେ ବସିପଡ଼ିଲା । ଏମିତିରେ ବି ବର୍ଷାର ମାତ୍ରା ବଢ଼ିବାରେ ଲାଗିଥାଏ । ମୁଁ ସାଇକେଲକୁ ଧରି ସ୍ପିଡ୍ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି କିନ୍ତୁ କଣ୍ଟ୍ରୋଲ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ଦେଲି । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲିପ୍ ଆଉ ମୁଁ ଦୌଡ଼ି ଦୌଡ଼ି କ୍ଲାସରେ ପଶିଗଲୁ ।
କ୍ଲାସ ଆରମ୍ଭ ହୋଇଗଲା, ଦେଖିଲି ମୋ ପାଖ ସିଟ୍ରେ ଝିଅଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି । ହେଲେ ତା’ ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି । ମୁଁ ଦେଖୁଥିଏ କିଛି କହୁନଥାଏ । ଏମିତି କିଛି ସମୟ ପରେ ଦିଲ୍ଲିପକୁ ଡାକି ଏ କଥା କହିଲି ଆଉ ଦିଲ୍ଲିପ କହିଲା, “ତୁ ବଝି ପାରୁନୁ କ’ଣ ବେ ! ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି ।” ମନ ବୁଝିଲା ନାହିଁ ଚକରାକୁ ପଚାରିଲି ସେ ବି ସେହି କଥା କହିଲା । ଦ୍ଵନ୍ଦରେ ପଡ଼ିଗଲି କିନ୍ତୁ ମନରେ ନିଆଁ ଲାଗିଗଲା, ଛାତିରେ ମଳୟ ବୋହିଲା ଓ ହୃଦୟର ସ୍ପନ୍ଦନଟା ଯେମିତି ଅବୋଲକରା ହୋଇଗଲା । ତା’ର ସେଇ ଛୋଟ ଓଠ, ନିରୀହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ ! ବୈଶାଖରେ ଶୁଖିଯାଇଥିବା ମନରେ ପ୍ରେମର ବର୍ଷା ହେବାକୁ ଲାଗିଲା । ଏମିତି ଦେଖାଦେଖି ଭିତରେ କ୍ଲାସ୍ ଶେଷ ହେବା ଘଣ୍ଟି ବାଜିଲା । ଏମିତିରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ ହେଲେ କିଛି ଜଣା ପଡ଼ୁନଥାଏ । ଧୀରେ ଧୀରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲିପକୁ ଜାବୁଡ଼ି ଧରି କହିଲି, “ରେ ଦିଲ୍ଲିପି ! ମୋତେ ପ୍ରେମ ହୋଇଗଲାରେ... ମୋତେ ପ୍ରେମ ହୋଇଗଲା ।”
କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା ଓ ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲିପ ଆସି କହିଲା, “ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡ଼ା ହୋଇଛି, କିଛି ଗୋଟେ କହିବ ।” ମନରେ ଲଡ଼ୁ ଫୁଟିଗଲା । ମୋର ଷ୍ଟାଇଲ୍, ସ୍ମାଇଲ୍ ସହ ଚାଲି ବି ବଦଳିଗଲା । ସରୋଜର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜ୍ଟା ହୋଇଯିବ । ଆଉ ପ୍ରୋପଜ୍ ପରେ ପାର୍ଟି, ପୁଣି ଆଉ କିଛି... ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି । କ୍ଲାସ୍ ବାହାରେ ଗାର୍ଡେନ୍ରେ ସେ ଆଉ ତା’ ସାଙ୍ଗ ଦୁଇ ଜଣ ଛିଡ଼ା ହୋଇଥାନ୍ତି । ମନ ଉଛନ୍ନ ହେଲା, ଆଜି କିଛି ଗୋଟେ ହବ । ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡ଼ିଥିଲେ । ମନ ଖୁସିରେ ଧୀରେ ଧୀରେ ଯାଇ ତାଙ୍କ ପାଖରେ ପହଞ୍ଚିଲି । ଆଉ ତା ପରେ ଯେଉଁ କଥା ହେଲାନା, ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା ।
ପ୍ରେମ ଫ୍ରେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା । ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲିପି ପଚାରିଲେ, “କ’ଣ ହେଲା?” “ଆବେ ସାଇକେଲ୍ ଷ୍ଟାଣ୍ଡରେ ଯୋଉ ସାଇକେଲକୁ ଧକ୍କା ଦେଇଥିଲି, ସେ ସାଇକେଲ୍ ୟାର ଥିଲା, ଆଉ କ’ଣ ହେବ?” ସେବେଠାରୁ କାନ ମୁଣ୍ଡ ଆଉଁସି ଶପଥ ନେଲି କେବେବି କହା କଥାରେ ପଡ଼ି ନିଜ ଭାବନାକୁ ବଢ଼ାଇବି ନାହିଁ । କିନ୍ତୁ ସେଇ ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମର ଅନୁଭୂତିକୁ ମନ, ହୃଦୟରେ ଛାପ ଛାଡ଼ି ଦେଇଥିଲା । ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା ।
ବାଲକୋନୀ ପାଖ ଡ୍ରଇଂରୁମ୍ରେ ବସି ହାତରେ ଖବର କାଗଜଟା ଧରି ଚା’ ପିଉଥା’ନ୍ତି ଦୁଇ ବନ୍ଧୁ । କିଛି ସମୟର ନୀରବତା ପରେ ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି ଆକାଶ ବାବୁ କହିଲେ, “ପ୍ରଦୀପ ପୁଅର ଆଜି ଜନ୍ମଦିନ । ଆମ ଦୁଇଜଣଙ୍କୁ କହିଥିଲା ହେଲେ ଯିବାକୁ ଇଚ୍ଛା ଥିଲେ ବି ଯାଇ ପାରିଲୁନି । କାଇଁ ଓଡ଼ିଶା କାଇଁ ସୁଦୂର ବାଙ୍ଗାଲୋର ! ଏମିତିରେ ବି ତା’ ମାଆ ଦେହ ଖରାପ । ଆମେ ବୁଢ଼ାବୁଢ଼ୀ ଦୁଇଟା ବିଚରା ।”
“କ’ଣ ବିଚରା ! ପିଲାଟା ତ ପିଲାଟି ଦିନରୁ ଆଜିଯାଏଁ ବାହାରେ ରହିଲା, ଆଜି କେଉଁ ଘରେ ରହିଥାନ୍ତା ଭଲା । ତୁମେ ଶିଖେଇ ଥିବା ପଥ ଅନୁକରଣ କରୁଛି ।” ଏତିକି କହି ଟେବୁଲ୍ ଉପରୁ ଚା’ କପକୁ ଉଠାଇ ହାତରେ ଧରିଲେ ସାଗର ବାବୁ ।
“ମୁଁ ବି କ’ଣ କରିଥା’ନ୍ତି? ମୋ କାମର ବ୍ୟସ୍ତତା ସାଙ୍ଗକୁ ତୋ’ ଭାଉଜକୁ ବି ସରକାରୀ ଚକିରିଟା ମିଳିଗଲା । ସରକାରୀ ଚାକିରିକୁ ମନା କେମିତି କରିଥାନ୍ତି । ତା’ ଛଡ଼ା ପ୍ରଦୀପ କଥା ଆଉ କିଏ ବୁଝିଥାନ୍ତା? ଆଜି ସମୟରେ ଲୋକଗୁଡ଼ାକଙ୍କୁ ଭରସା ନାହିଁ । ଆଉ ଏହାରି ଭିତରେ ପ୍ରଥମରୁ ହଷ୍ଟେଲ୍, ପରେ ମେସ୍ ଓ ଆଜି ରୁମ୍ରେ ରହି ଚାକିରି କରୁଛି ।”
“ହଁ...... ହଁ... ସେ କହୁଥିଲା କୁନି ଛୁଆ କାଳେ ଇଁରାଜୀରେ କ’ଣ ସବୁ ଶିଖିଲାଣି । ଏଇ ବରଷକର ପିଲା ପୁଣି ଇଂରାଜୀ ! ପାଠ କ’ଣ ସେ ଜାଣିବା ଆଗରୁ ପାଠ ! ହଁ.... ଏଥିରେ ତୁମେ ଆମେ ବି କ’ଣ କରିପାରିବା । ଏବେକାର ସିଷ୍ଟମ୍ ତ ଏମିତି; ଜନ୍ମ ହେଉ ହେଉ ପାଠ । ତୁମେ ଦେଖ, ପିଲାଟାକୁ ପିଲାବେଳେ ଯେମିତି କରିଥିଲ ଏବେ ବୁଢ଼ାବୁଢ଼ୀ ବେଳେ ଭୋଗିବନି ତ କିଏ ଭୋଗିବ । କର୍ମମୟ ଜୀବନର କାର୍ଯ୍ୟବ୍ୟସ୍ତତାକୁ ଦର୍ଶାଇ ତୁମେ ସମୟ ଦେଇ ପାରିଲନି । ଏବେ ସେ... । ଧୂଳି ଖେଳ, ମାଆ ସ୍ନେହ, ପରିବାରର ଆଦର୍ଶ ସଂସ୍କାରଠାରୁ ସ୍କୁଲର ଚାରି କାନ୍ଥ ଜ୍ଞାନ ଏତେ ଅଧିକ?”
(ବିଷାଦ ଭରା କଣ୍ଠରେ) “ଆଉ ତୁ ପିଲାଙ୍କୁ ସ୍ୱାଧୀନତା ଦେବା ନାମରେ ଏତେ ଛାଡ଼ି ଦେଲୁ ଯେ ଦୁଇ ଜଣରୁ ଦୁଇ ଜଣ ଯାକ ମ୍ୟାଟ୍ରିକ୍ ବନ୍ଧ ଡେଇଁ ପାରିଲେନି । ଜଣେ ଅଟୋ ଆଉ ଜଣେ ପରିବା ଦୋକାନୀ । ହେଲେ କ’ଣ ହେବ ଦୁଇ ଜଣଯାକ ତୋ’ ସାଥିରେ ଅଛନ୍ତି । ନାତି ନାତୁଣୀଙ୍କ ପାଖରେ ଆନନ୍ଦରେ ରହୁଛୁ । ଛାଡ଼...”
ହାତରେ ଜଳଖିଆ ପ୍ଲେଟ୍ ଧରି ପଛ ପାଖରେ ସବୁ କଥା ଶୁଣୁଥିଲା ପ୍ରଦୀପର ମାଆ । ମନ ତଳେ ଥିବା ମା’ର ମାତୃତ୍ୱ, ମନର ବେଦନା ସବୁ ତରଳି ଯାଇ ଆଖିବାଟେ ଲୁହ ହୋଇ ବୋହି ଯାଉଥାଏ ନୀରବରେ ।
ସନ୍ଧ୍ୟାରେ ଜନ୍ମ ଦିନର ଆସର ଜମିଲା । ବହୁ କୁନି କୁନି ପିଲାମାନେ ସବୁ ଆସିଲେ । କେକ୍ କାଟିଲେ । ବୁଢ଼ାବୁଢ଼ୀ ଦୁଇ ଜଣ ମୋବାଇଲ୍ରେ ଭିଡ଼ିଓ କଲିଂ କରି ସିନା ଖୁସି ହେଲେ କିନ୍ତୁ ଆଶୀର୍ବାଦ ଦେବାପାଇଁ ହାତ ପହଞ୍ଚିଲା ନାହିଁ । ଲୁହ ଭରା ଆଖିରେ ଚାହିଁ ରହିଥିଲେ ଶୂନ୍ୟକୁ ।
ଅନେକ ଦିନ ପରେ ଘରୁ ଫେରିଥାଏ ମେସ୍କୁ, ଆଉ ଏହାସାଙ୍ଗକୁ ଓଡ଼ିଶାର ପାଣିପାଗ କଥା ନକହିବା ଭଲ । ଅଦିନର ବର୍ଷା ଏମିତି ହେଲା ଯେ ଦେହରେ ଜମା ଗଲାନାହିଁ ହାଲ୍କା ସର୍ଦ୍ଦି ସାଙ୍ଗକୁ ଜ୍ୱରଟା ବି ମାଡ଼ି ବସିଲା । ଡକ୍ତର ପାଖକୁ ଯିବାକୁ ଭାବୁଥିଲା ହେଲେ କରୋନା ପାଇଁ ଲକ୍ଡାଉନ୍ ଆରମ୍ଭ । ପାଖ ପିଲାମାନେ କ’ଣ ଭାବୁଥିଲେ କେଜାଣି, ପାଖ ମାଡ଼ୁନଥିଲେ । ହଁ ! ଏଠି ଆଉ ଘର ହୋଇଛି ଯେ ମାଆଙ୍କର ପରଶରେ ଦେହ ଭଲ ହୋଇଯିବ !! ନିଜକୁ ଆଉ ସମ୍ଭାଳି ପାରିଲାନି ଲିପ୍ସା, ବାଧ୍ୟ ହୋଇ କଷ୍ଟଭରା ଦେହକୁ ନେଇ ବହୁ କଷ୍ଟରେ ମେଡିକାଲ୍ ଗଲା । ଆଉ ସେଇଠୁ ଫେରି ଦେଖେ ତ ସତେ ଯେମିତି ପାଦତଳୁ ମାଟି ଖସିଗଲା ପରି ଲାଗିଲା । ବିଶ୍ୱାସ କରିପାରିଲା ନାହିଁ ନିଜକୁ ଆଉ ତାକୁ ଦେଖୁଥିବା ପ୍ରତ୍ୟେକ ଚରିତ୍ରକୁ । କାହିଁକିନା ତା’ର ବ୍ୟାଗ୍, ଲଗେଜ୍ ସବୁ ଗେଟ୍ ପାଖରେ ଥୁଆ ହୋଇଛି ଆଉ ସମସ୍ତେ କହୁଛନ୍ତି ତାକୁ କୁଆଡ଼େ କରୋନା ହୋଇଛି । ସମସ୍ତଙ୍କୁ ବୁଝାଇ ବୁଝାଇ ସିନା ଥକିଗଲା, ନେହୁରା ହେଲା, ହେଲେ ତା’ କଥା ବୁଝିବାକୁ କେହି ପ୍ରସ୍ତୁତ ନଥିଲେ । ସାଙ୍ଗସାଥୀ, ପଡ଼ୋଶୀ ମାଉସୀ ସତେ ଯେମିତି ଘଡ଼ିକରେ ବଦଳିଗଲେ ବହୁରୂପୀ ଏଣ୍ଡୁଅ ପରି ! ସମସ୍ତେ ଯେମିତି ପଥର ହୋଇଯାଆନ୍ତି !! କେହିହେଲେ ଥରୁଟିଏ ବୁଝିଲେନି ଏତେ ବଡ଼ ଭୂବନେଶ୍ୱରରେ ଏଇ ଲକ୍ଡାଉନ୍ରେ ଝିଅଟିଏ ଯିବ କୁଆଡ଼େ ! ସୂର୍ଯ୍ୟଙ୍କର ଅନ୍ତିମ କିରଣ ପୃଥିବୀ ଛାଡ଼ୁଥାଏ, ହଠାତ୍ ବାଇକ୍ର ହର୍ଣ୍ଣ ବାଜିଲା । ଚମକି ପଡ଼ି ଲିପ୍ସା ଭାବନା ରାଇଜରୁ ଫେରିଆସି ଚୁପ୍ଚାପ୍ ଯାଇ ଆକାଶ ବାଇକ ପଛରେ ବସିଗଲା । ଖାଲି ଅଭିମାନ ଭରା କଣ୍ଠରେ କହୁଥାଏ, “କେତେ ଲେଟ୍ କରିଦେଲ ଜାଣିଛନା !? ମୁଁ ତ ପୂରା ଡରିଯାଇଥିଲି ।” ଆକାଶ କିଛି ନକହି ଗାଡ଼ିଟା ଆଗକୁ ବଢ଼ାଇଲା ।
ଲକ୍ଡାଉନ୍ର ସମୟ; ରାସ୍ତାଘାଟ ଶୁନ୍ ଶାନ୍ ଆଉ ଏହାରି ଭିତରେ ଆକାଶର ବାଇକ୍ ପଛରେ ବସିଥାଏ ଲିପ୍ସା । ଏହି ଲକ୍ଡାଉନ୍ରେ ଭୁବନେଶ୍ୱରରୁ କଟକ ଯିବାର ଅନୁଭୁତି ବେଶ୍ ନିଆରା । ନା ଏଠି କେହି ଅଛି ରୋକିବାକୁ ନା କେହି ଅଛି କହିବାକୁ । ସତେ ଯେମିତି ପ୍ରକୃତିର ନୀରବତା ଭିତରେ ସେ ଦୁହେଁ ରାଜା ଆଉ ରାଣୀ ! ବିସ୍ତୃତ କାଠଯୋଡ଼ିର ଶୁଖିଲା ବାଲିପଠା, ଅଗାଧ ଜଳରାଶି ଆଉ ଆକାଶଙ୍କ ସହ ଲମ୍ୱା ରାସ୍ତା ଅତିକ୍ରାନ୍ତ କରିବା କୌଣସି ଏକ ଚମତ୍କାର ରୋମାଞ୍ଚରୁ କମ ନଥାଏ । କାହିଁକିନା ଏସବୁ ଜୀବନରେ ପ୍ରଥମଥର ପାଇଁ ଘଟୁଥିଲା । ନହେଲେ ଭିଡ଼ଭାଡ଼ ଜୀବନ ଭିତରେ ନିଜ ପାଇଁ ସମୟ କାହିଁ? ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ର ଆଲୁଅ ସାଙ୍ଗକୁ ହାଲ୍କା ହାଲ୍କା ଶିତଳ ପବନ ସତେ ଯେମିତି ବୈଶାଖରେ ମଳୟର ସ୍ପର୍ଶ । ଏହି ଶୀତଳ ପବନରେ ଦେହ ଶୀତେଇ ଉଠୁଥାଏ । ଠିକ୍ ଏତିକି ବେଳେ ଆକାଶକୁ ଭିଡ଼ିକି ଧରିଲା ଲିପ୍ସା । ଆଉ ଆକାଶ ବି ଲିପ୍ସାର ହାତକୁ ଭିଡ଼ିକରି ବାଇକ୍କୁ ଧୀରେ ଧୀରେ ଚଲାଉଥାଏ ନୀରବରେ । ରାସ୍ତାର ଗଡ଼ାଣି ଉଠାଣି ଭିତରେ ଲାଗୁଥିଲା ସ୍ୱପ୍ନ ଗୁଡ଼ାକ ଧୀରେ ଧୀରେ ସତ ହେବାରେ ଲାଗିଛି ।
ଆଗରେ ଟ୍ରାଫିକ୍ ପୋଲିସ୍ର ଭ୍ୟାନ୍ ଦେଖି ଡରିଯାଇଥିଲେ ଦୁହେଁ । ଆକାଶ ମୁଣ୍ଡରେ ହେଲମେଟ ଆଉ ଲିପ୍ସା ମୁହଁରେ ଓଢ଼ଣୀଟାକୁ ଢାଙ୍କି ଦେଇ ଗାଡ଼ିଟାକୁ ଧୀରେ କରି ଆଗକୁ ବଢ଼ାଉଥିଲେ । ଠିକ୍ ଏତିକି ବେଳେ ଟ୍ରାଫିକ୍ ଫୋଲିସ୍ ବାଟ ଓଗାଳିଲା । ଆଉ ତା’ପରେ ମେଞ୍ଚାଏ ପ୍ରଶ୍ନର ପାହାଡ଼ । ବହୁତ ଅନୁରୋଧ କଲା ପରେ ଲିପ୍ସାର ମେଡ଼ିକାଲ୍ ରିପୋର୍ଟ ଦେଖାଇ ଛାଡ଼ ମିଳିଲା । “ଏବେ ଖାଲି ଗୋଟିଏ କାମ, ପ୍ରଥମେ ତୁମକୁ ତୁମ ଘରେ ଛାଡ଼ିବି ଓ ତା’ପରେ ମୁଁ ମୋ ରୁମ୍କୁ ଯିବି”, କହିଲା ଆକାଶ । ଲିପ୍ସା କହିଲା, “କଟକରୁ ଭଦ୍ରକ ଏ ରାତିରେ କ’ଣ ଯିବା ଠିକ୍ ହେବ? ଏମିତିରେ ବି ମୋ ଦେହଟା ଠିକ୍ ନାହିଁ । ଏବେ ଏବେ ଗୋଟିଏ ପ୍ରବ୍ଲେମ୍ରୁ ସିନା ମୁକ୍ତି ମିଳିଲା, ଯଦି ଆଗକୁ ଆଉ କିଛି...” ଲିପ୍ସା ମୁହଁରେ ହାତ ରଖିଲା ଆକାଶ । କହିଲା, “କେବେ ବି ସେମିତି କହିବ ନାହିଁ । ଆଉ ଯଦି ହୁଏ, ତା’ ହେଲେ ଠିକ୍ ଅଛି ତୁମରି କଥା ହେଲା । ଭାବିଥିଲି ଦିନେ ତୁମକୁ ରୋଷଣି କରି ବେଦୀ ଉପରେ ବସି ହାତଗଣ୍ଠି ପକେଇ ତୁମ ଘରୁ ଆମ ଘରକୁ ଆଣିବି । ହେଲେ ଆଜି ମୁଁ ମୋ ବାଇକ୍ ପଛରେ ମୋ ଭଡ଼ାଘରକୁ ତୁମକୁ ନେଇଯାଉଛି ।” ହସିଲା ଲିପ୍ସା । କହିଲା, “ଆରେ ଦେଖିବ ତୁମ ସ୍ୱପ୍ନ ଦିନେ ସତ ହେବ । ପ୍ରଥମେ ତୁମେ ତୁମ ବାପାମାଆଙ୍କୁ ତ କୁହ... ଡରୁଆ କେଉଁଠିକାର ।” ଆକାଶ ଟିକେ ହସିଦେଇ ଆଗକୁ ବଢ଼ିଲା ।
କ୍ଳାନ୍ତ ଭରା ରୋଗୀଣା ଦେହରେ ରୁମ୍ ଭିତରେ ପହଞ୍ଚିବା ବେଳକୁ ନିଜକୁ କଣ୍ଟୋଲ୍ କରିପାରିଲା ନାହିଁ ଲିପ୍ସା ଆଉ ତଳେ ପଡ଼ିଗଲା । ବ୍ୟସ୍ତ ବିବ୍ରତ ହୋଇ ଆକାଶ ଉଠାଇ ନେଲା ଲିପ୍ସାକୁ ଦୁଇ ବାହୁରେ । ଲିପ୍ସା କିଛି କହି ପାରୁନଥାଏ, ଖାଲି ଚାହିଁରହିଥାଏ ଆକାଶକୁ ଢଳ ଢଳ ନିରିହ ଆଖିରେ । ଆକାଶ ନେଇ ଶୁଆଇ ଦେଲା ବେଡ୍ ଉପରେ । ଲିପ୍ସା କିଛି କହିବାକୁ ଚାହୁଁଥିଲା କିନ୍ତୁ ଆକାଶ ମଥାକୁ ଆଉଁସି ଦେଇ କମ୍ବଳଟା ଘୋଡ଼ାଇ ଦେଇ ଭାବିବାକୁ ଲାଗିଲା । ଏବେ ଲକ୍ଡାଉନ୍ର ସମୟ ପୁଣି କରୋନାର ଭୟ ଆଉ ଏହାରି ଭିତରେ ଲିପ୍ସାର ଏ ଅବସ୍ଥା । ରିସ୍କ୍ ନେବାଟା ଠିକ୍ ହେବନି । ଠିକ୍ ଏଇ ସମୟରେ ମନେପଡ଼ିଗଲା ଲିପ୍ସା ବ୍ୟାଗ୍ରେ ଥିବା ମେଡ଼ିସିନ୍ ଆଉ ପ୍ରେସକ୍ରିପସନ୍ କଥା । ମେଡ଼ିସିନ୍କୁ ବ୍ୟାଗରେ ଦେଖି ବହୁତ ଖୁସି ହେଲା । ଫୋନ୍ରେ ଡକ୍ଟରଙ୍କ ପରାମର୍ଶ ନେବା, ଲିପ୍ସାକୁ ଖୁଆଇବା, ମଥା କୁଣ୍ଡେଇ ଦେବା, ଠିକ୍ ସମୟରେ ମେଡ଼ିସିନ୍ ଖୁଆଇବା ଭିତରେ ଅନେକ ଦିନ ବିତିଯାଇଥାଏ ।
ଏବେ ଲିପ୍ସା ଠିକ୍ ଅଛି । ଆକାଶର ବାପାଙ୍କ ପରି ଆକଟ କରିବା, ମାଆଙ୍କ ଭଳି ସେବା କରିବା ଆଉ ଭଲ ସାଙ୍ଗ ପରି ମସ୍ତି କରିବା ଭଳି ପ୍ରେମୀ କାହାକୁ ବା ମିଳିବ !! ଖୁସିରେ ତା’ ଆଖିରୁ ଲୁହ ବାହାରି ଆସିଲା ।
“ଛାଡ଼ ତୋ’ର ଏ ବେକାର କଥା । ପ୍ରେମ କରିବା କ’ଣ? ମୋତେ ସେସବୁ ଆସେନି । ମୁଁ ଆଦିବାସୀ ହୋଇପାରେ, ହେଲେ ମୋର ପ୍ରେମ ତୋ’ର ପ୍ରେମ ଭଳି ମ୍ୟନେଜମ୍ୟାଣ୍ଟ ନୁହେଁ । ମୋର ଘର ଜଙ୍ଗଲରେ ହୋଇପାରେ, ହେଲେ ମୁଁ ମଣିଷ । ବାପାଙ୍କୁ ଚାକିରୀଟା ମିଳିଲା ବୋଲି ସିନା ମୁଁ ଏଠି, ନୋହିଲେ ମୁଁ ବି ତା’ ସହ ଖେଳିଥାନ୍ତି । ଆଜି ବି ତା’ ସହ ବୁଲିଥାନ୍ତି । ତା’ର ମାମୁଁଙ୍କ ଘର ଆମ ଘର ପାଖରେ । ବିଚରା ମା’ ଛେଉଣ୍ଡ ପିଲାଟା ସେ, ବାପା ତା’ର ହାଣ୍ଡିଆ ପିଇ କୁଆଡ଼େ ଗଲା କିଛି ପତା ନାହିଁ । ହେଲେବି ସେ ମୋତେ ଛାଡ଼ି କୁଆଡ଼େ ଯାଏନି । ସବୁବେଳେ ରାମୁ ଭାଇ ରାମୁ ଭାଇ କହି ମୋ ପଛରେ ଦଉଡ଼ୁଥାଏ । ତା’ର ସେହି ନିରୀହ ଆଖିରେ ଯେବେ ଚାହିଁ ଦିଏ ନା, ମୁଁ ଆଉ ନିଜକୁ ସମ୍ଭାଳି ପାରେନି । ମୁଁ ଜାଣିଛି ସେ ବି ମୋତେ ବହୁତ ଭଲପାଉଛି । ହେଲେ କେବେ କିଛି କହିନି । ଖାଲି ଏତିକି କହେ ମୁଁ ତୋ’ ବିନା ବଞ୍ଚି ପାରିବିନି ! ଆଜି କାଇଁ ତା’ କଥା ବେଶି ମନେପଡ଼ୁଛିରେ !! ଚାଲ୍ ମାନସ କାଲି ଆମେ ଗାଁ’କୁ ଯିବା । ସେ ମୋ ଉପରେ ନିଶ୍ଚେ ରାଗିଥିବ । ତୁ ତାକୁ ଟିକେ ବୁଝେଇ ଦେବୁ ଯେ, ମୋ ସୁମି ମୋ ପାଖକୁ ଆସିଯିବ । ପ୍ଲିଜ୍...”
ବାପାଙ୍କ ଅନୁମତି ନେଇ ମାନସ ଆଉ ମୁଁ ଟ୍ରେନ୍ ଯୋଗେ ବାରିପଦା ବାହାରିଲୁ । ବାରିପଦା ଷ୍ଟେସନରୁ ୨୫ କିଲୋମିଟର ଦୂର ଟାଲିସାହି; ସେଇଠି ମୋ’ର ଗାଁ । ରାସ୍ତାର କଡ଼େ କଡ଼େ ଜଙ୍ଗଲ ମଝିରେ ମଝିରେ ଗୋଟିଏ ଗୋଟିଏ ଝୁମ୍ପୁଡ଼ି ପହ୍ଲା । ଅତୀତର ସେଇ ପୁରୁଣା ସ୍ମୃତିକୁ ମନେପକାଉ ଥାଏ । କେତେବେଳେ କେଉଁ ବନ୍ୟ ଜନ୍ତୁ ଦେଖାଦେଲେ ମାନସ ଚିଲେଇ ଉଠୁଥାଏ । ନନ୍ଦନକାନନର ପଶୁ ପକ୍ଷୀଙ୍କ ଛଡ଼ା ଜଙ୍ଗଲରେ ମୁକ୍ତ ବିଚରଣ କରୁଥିବା ପଶୁପକ୍ଷୀଙ୍କୁ କେବେବି ଦେଖିନି ତ, ସେଥିପାଇଁ । ଯାହା ବି ହେଉ, ରାସ୍ତାସାରା ମସ୍ତି କରୁକରୁ କେତେବେଳେ ଗାଁ ଆସିଗଲା ଜଣାପଡ଼ିଲା ନାହିଁ ।
ଏଇଠୁ ଆରମ୍ଭ କଠିନ ରାସ୍ତା । କାହିଁକି ନା ଛକରୁ ଅଧ କିଲୋମିଟର ଦୂର ପାହାଡ଼ି ରାସ୍ତା ଆଉ ତା’ପରେ ଆମ ଘର । ଏମିତି ଭାବୁ ଭାବୁ ମୋ କାକା ବାଇକ୍ ଧରିଛିଡ଼ା ହୋଇଥାନ୍ତି । ଯାହାହେଉ ଶୀଘ୍ର ଆମେ ଘରେ ପହଞ୍ଚିଗଲୁ । ସାହିସାରା ଚହଳ ପଡ଼ିଗଲା ରାମୁ ଆସିଛି ବୋଲି । ବଡ଼ବାପା ଆମକୁ ଦେଖିକି କୁକୁଡ଼ା କାଟିଲେ, ସାନ ସାନ ଭାଇମାନେ ଆସି ମସ୍ତି କରୁଥାନ୍ତି । ହେଲେ ମୋ ସୁମିର ଦେଖା ନଥିଲା । ମନ ଯେ କେତେ ବ୍ୟାକୁଳ ତା’ ପାଇଁ ମୋ ବ୍ୟତୀତ ଖାଲି ମାନସକୁ ହିଁ ଜଣାଥିଲା । ମୋତେ ଦେଖିବାକୁ ଚାରିପାଖର ସମସ୍ତେ ଭର୍ତ୍ତି ଥାଆନ୍ତି କିନ୍ତୁ ସୁମିର ଦର୍ଶନ ନଥାଏ । ମୋତେ ବାହାରକୁ ଯିବାପାଇଁ କେହି ବି ଦେଉନାହାଁନ୍ତି । ଯାହାକୁ ଦେଖିବ ଗୋଟିଏ ପ୍ରଶ୍ନ, “କ’ଣ କରୁଛୁ? ବାପା କ’ଣ କରୁଥିଲେ? କେତେ ଦିନ ରହିବୁ??” ମୁଣ୍ଡ ଖାଲି ଗରମ ହେଉଥାଏ ।
ସେଦିନ ସକାଳୁ ଦାଣ୍ଡ ପିଣ୍ଡାରେ ବସି ଦାନ୍ତ ଘସୁଥାଏ, ହାତରେ ବାଲ୍ଟି ଧରି ଯାଉଥାଏ ସୁମି । ଡାକ ଛାଡ଼ିଲି, ହେଲେ ସେ ଶୁଣିଲା ନାହିଁ । ଭାବିଲି ଜାଣିପାରିଲା ନାହିଁ ବୋଧହୁଏ !! ଆଉଥରେ ଡାକ ଛାଡ଼ିଲି କିନ୍ତୁ ବ୍ୟତିକ୍ରମ ନଥିଲା । ଥରୁଟିଏ ବି ପଛକୁ ଚାହିଁ ଦେଖିଲା ନାହିଁ । ବୋଧହୁଏ ରାଗିଥିଲା ! ନିଜକୁ ଆଉ ରୋକି ପାରିଲିନି, ପଛରେ ପଛରେ ଚାଲିଲି । ଯେବେ ପଛରୁ ହାତଟାକୁ ଟାଣିଦେଲି ରାଗରେ ଚଟକଣାଟେ ମାରିଲା । ମୋତେ ଦେଖିକରି ଆଖି ତା’ର ଲୁହରେ ଭରିଗଲା କିନ୍ତୁ କିଛି ବି କହିଲାନି । ଖାଲି ଏତିକି କହିଲା, “ତୁମେ ଏଠୁ ଚାଲିଯାଅ ।”
ମନ ଭାଙ୍ଗିଗଲା, କିନ୍ତୁ ଏମିତି କାହିଁକି?? ମୋର ଏମିତି କରିବାରେ ନଥିଲା । ସେ ଅଭିମାନରେ ଏମିତି କହୁଛି । ମୁଁ ଆଜି ତା’ ମାମୁଁଙ୍କ ପାଖକୁ ଯିବି ଆଉ ସବୁ ସତକଥା କହିବଦେବି । ମୁଁ ସୁମିକୁ ବହୁତ ଭଲପାଏ ତା’ ବିନା ବଞ୍ଚିପାରିବିନି । ଏମିତି ମନରେ ଭାବି ସନ୍ଧ୍ୟା ସମୟରେ ଯାଇ ପହଞ୍ଚିଲି । ଦୈବାତ୍ କରେଣ୍ଟ ଚାଲିଗଲା । ମୁଁ ସୁମି... ସୁମି ଡାକଛାଡ଼ିଲି; କେହି ବି ଶୁଣିଲେ ନାହିଁ । କିନ୍ତୁ କେହିଜଣେ କହିଲେ ସୋଫିଆ ଜିସେସ୍ଙ୍କ ପାଖରୁ କ୍ୟଣ୍ଡେଲ୍ ନେଇକି ଆସିଲୁ ! ସୁମି କ୍ୟଣ୍ଡେଲ୍ ନେଇକରି ଆସୁଥାଏ । ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କ୍ୟାଣ୍ଡେଲର୍ ଆଲୁଅରେ ସୁମି ଖୁବ୍ ସୁନ୍ଦର ଲାଗୁଥିଲା । ମୁଁ କ୍ୟାଣ୍ଡେଲଟାକୁ ଲିଭାଇ ଦେଇ ସୁମିର ପାଟିରେ ହାତ ଦେଇ ଦାଣ୍ଡ ପଟକୁ ଟାଣିନେଲି । ସୁମି ଗୋଟାପୁଣି ଥରୁଥାଏ । ପାଟିରୁ ଭାଷା ବାହାରୁ ନଥାଏ । ତାକୁ ନିଶ୍ଚିତ କରାଇଲି, ମୁଁ ରାମୁ ବୋଲି । ଟିକେ ଥୟ ଧରିଲା ଆଉ ପଚାରିଲା
- କାମ କ’ଣ?
- ମୁଁ ତୋତେ ଭଲପାଏ । ତୋତେ ବହା ହେବାକୁ ଚାହୁଁଛି ।
- ଏହା କେବେ ସମ୍ଭବ ନୁହେଁ ।
- ହେଲେ କାହିଁକି ସୁମି?
- ମୁଁ ସୁମି ନୁହେଁ, ମୁଁ ସୋଫିଆ । ଏହା କେବେ ସମ୍ଭବ ନୁହେଁ । ତୁ ଗଲା ପରେ ପରେ ତୋ’ ସୁମି ମରିସାରିଛି । ମୁଁ ସୋଫିଆ । ଖାଲି ସୋଫିଆ । ମୋ’ଠି ତୋ’ର କିଛି ଅଧିକାର ନାହିଁ । ତୁ ଚାଲିଯା; ଏଠୁ ଚାଲିଯା ।
- ମୁଁ ଜାଣିଛି ତୁ ମୋ ଉପରେ ରାଗିଛୁ । ପ୍ଲିଜ୍ କ’ଣ ହୋଇଛି କହ । ପ୍ଳିଜ୍ ସୁମି, ଘଟଣା କ’ଣ କହ ।
- ତୁ ଶୁଣିବାକୁ ଚାହୁଁଛୁ? ତେବେ ଶୁଣ । ତୋ’ କଥା ଭାବି ଭାବି ମୋତେ ଜ୍ୱର ହୋଇଗଲା ଆଉ ଛାଡ଼ିଲା ନାହିଁ । ଯେତେ ଚେର ମୂଳି, ଝଡ଼ା ଫୁଙ୍କା କଲେ କିଛିବି ଲାଭ ହେଲାନି । ଶେଷରେ ମିଶନାରୀବାଲା କହିଲେ, ତୁମେ ଭଗବାନଙ୍କୁ ଏତେ ଡାକିଲ ଔଷଧ ଦେଲ ଭଲ ହେଲାନି । ଥରୁଟିଏ ଯୀଶୁଙ୍କ ପ୍ରସାଦ ଖାଇ ଦେଖ, ଭଲ ହେଉଛି କିନା । ଆଉ ମୁଁ ଭଲ ହେଲି ତା’ ପରେ ପରେ ମୋର ଆଉ ଆମ ଘରେ ସବୁ ପରିବର୍ତ୍ତନ ହୋଇଗଲା । ନାଁ, ଧର୍ମ, ଆଉ ବ୍ୟବହାର । ତୁ ଏବେ କହ ମୋତେ କ’ଣ ବିବାହ କରିପାରିବୁ? ମୋତେ ତୋ’ ଘରକୁ ନେଇ ପାରିବୁ?? ଗୋଟେ ହିନ୍ଦୁ ହୋଇ କ’ଣ ଗୋଟେ ଖ୍ରୀଷ୍ଟିଆନ୍କୁ ସାଥିରେ ରଖିପାରିବୁ?? କହ ରାମୁ କହ !!!
- ପିଲାଟି ବେଳେ ତୋ’ ସହ ଖେଳିଲା ବେଳେ ତ ତୁ କାଇଁ ବଦଳି ନଥିଲୁ !? ତୁ ଯେବେ ରାମୁ ଭାଇ, ରାମୁ ଭାଇ କହି ମୋ ପଛରେ ଗୋଡ଼ାଉ ଥିଲୁ ମୋର ଧର୍ମ ତ ଆଲଗା ହେଲାନି । ପ୍ରସାଦ ଖାଇ ଦେଇ ନାମ ପରିବର୍ତ୍ତନ କରିଦେଲେ କ’ଣ ତୁ ବଦଳିଗଲୁ? ମୋ ଭଲପାଇବାକୁ ବଦଳାଇ ଦେବୁ?? ଦୁନିଆ ତୋତେ ଯାହା କହୁନା କାହିଁକି ମୁଁ ତୋତେ ଭଲପାଏ, ମୁଁ ତୋତେ ହିଁ ବିବାହ କରିବି ।
ସୋଫିଆକୁ ଛାତିରେ ଜାବୁଡ଼ି ଧରିଥାଏ ଆଉ ମୋ ଆଖିରୁ ଲୁହ ଝରିଯାଉଥାଏ ରାତିର ଅନ୍ଧାର ଭିତରେ ।
ନିଦରୁ ଉଠିବା କ୍ଷଣି ଚଟାପଟ୍ ଟିଭି ପାଖରେ ବସିପଡ଼ିଲି ଗୋଟିଏ ଆଧ୍ୟାତ୍ମିକ ଚ୍ୟାନାଲ ଖୋଲି । ଆପଣଙ୍କୁ କ’ଣ ଲାଗୁଛି? ମୁଁ ଗୋଟେ ଆଧ୍ୟାତ୍ମିକବାଦୀ ପିଲା !? ଯଦି ଆପଣ ଭାବୁଛନ୍ତି ତା’ହାଲେ ଭୁଲ ଭାବୁଛନ୍ତି । ମୁଁ ସୁନାପିଲା ଭଳି ବସି ରାଶିଫଳ ଦେଖୁଛି । ସନିଆ, ପିଣ୍ଟୁ ଆଉ ବାପିର ମଧ୍ୟ ରାଶିଫଳ ଦେଖି ତାଙ୍କୁ ସ୍କୁଲରେ କହିବାରେ ଅଛି । ଘଣ୍ଟାରେ ସମୟ ଦେଖିକରି ଜୋର୍ ଜୋର୍ ଡାକଛାଡ଼ିଲି,
- ମାଆ... ମାଆ... ଓଃ ମାଆ ! କିଛି ଗୁଡ଼, ଆଉ କିଛି ଦୂବ ଘାସ ରେଡି କରିକି ରଖ ମାଆ । ସ୍କୁଲ୍ ଯିବାପାଇଁ ଡେରି ହେଲାଣି ପରା ! ତୁମେ ରେଡ଼ି କରି ରଖ ମୁଁ ଗାଧେଇ ଆସୁଛି ।
- ତୁ ତ ସ୍କୁଲ୍ ଯିବୁ, ପୁଣି ଏଇ ଦୁବ ଘାସ, ଗୁଡ଼ ନେଇ କ’ଣ କରିବୁ କି??
- ତୁମେ କ’ଣ ଜାଣିନ କି? ସବୁ ସେଇ ସ୍ୱାଇଁ ସାର୍ଙ୍କ ପାଇଁ । ଆଜି ଟିଭିରେ ଜ୍ୟୋତିଷ କହିଛି ପିମ୍ଫୁଡ଼ିକୁ ଗୁଡ଼ ଆଉ ବାଛୁରୀକୁ ଦୁବଘାସ ଖୁଆଇଲେ କୁଆଡ଼େ ସବୁ ରିଷ୍ଟ ଖଣ୍ଡନ ହେବ । ଦେଲୁ ଦେଲୁ ଜଲଦି ଦେଲୁ, ମୋର ସ୍କୁଲ୍ ବେଳ ଲେଟ୍ ହେଲାଣି ।
ଅଙ୍କା ବଙ୍କା କାଦୁଅର ରାସ୍ତା । ବୁଲି ବୁଲି ଗଲେ ପଡ଼େ ଆମ ସ୍କୁଲ୍ । ସ୍କୁଲ ଷ୍ଟାଣ୍ଡ ପାଖରେ ହୋଇଥିବାରୁ ଘର ଲୋକଙ୍କୁ ଭାରି ଡର କିନ୍ତୁ ମୋତେ ଏହି ଗାଡ଼ିଘୋଡ଼ା ଦେଖି ଯେତିକି ଡର ଲାଗେନି ତା’ଠୁ ଅଧିକ ଡର ଆମ ବିଜ୍ଞାନ ଓ ଗଣିତ ଶିକ୍ଷକ ସ୍ୱାଇଁ ସାର୍ଙ୍କୁ ଦେଖିଲେ ଲାଗେ । ଯାହାବି ହେଉ ଆଜି ବହି ଭିତରେ ନିମ ପତ୍ର, ବାଛୁରୀକୁ ଦୁବ ଘାସ, ପିମ୍ପୁଡ଼ିକୁ ଗୁଡ଼ ଦେଇ ବି ଆସିଛି ଆଉ ନିଶ୍ଚିତ ଯେ ସାର୍ ଆଜି ମୋତେ ମାରିବେନି ।
କ୍ଲାସ୍ ଆରମ୍ଭ ହୋଇଗଲା... କାହିଁକି କେଜାଣି ସାର୍ ପ୍ରଥମରୁ ଆସି ମୋତେ କଳାପଟାରେ ଗଣିତ କରିବାକୁ କହିଲେ, ମୁଁ ଗୋଟାପଣେ ଥରୁଥାଏ । ମାଡ଼କୁ ମହାଦେବଙ୍କ ଡର ମୁଁ ତ ଛାର ପିଲାଟା । ଆଗ ଧାଡ଼ିର ବସିଥିବା କ୍ରିଷ୍ଣା, ଲିପୁ ଆଉ ଅମରର ସହାୟତା ନେଇ ଗଣିତ କରିଦେଲି । ଏଥିପାଇଁ କେତେ ମାଆ ମଙ୍ଗଳା, ମାଆ ବ୍ରହ୍ମାଣୀଙ୍କୁ ଡାକିଛି, କେତେ ନଡ଼ିଆ ମାନସିକ କରିଛି ମୋ ବ୍ୟତୀତ କାହାରିକୁ ଜଣାନାହିଁ ।
ଗଣିତ କ୍ଲାସ୍ ସରିଗଲା ଆଉ ବିଜ୍ଞାନ କ୍ଲାସ୍କୁ ଡର ନଥାଏ । ସାର୍ ଯେଉଁ ପାଠସବୁ ପଚାରିବେ ବହି ଦେଖି କହିଦେବି । ବାପୁନି, ମୁନା, ପତି ଆଉ ମୁଁ ଗୋଟିଏ ଧାଡ଼ିରେ ବସୁ ପଛପାଖରେ । ଯେଉଁ ସବୁ ବଦମାସି କରୁ ତାକୁ ନ କହିବା ଭଲ ।
ଚାହୁଁ ଚାହୁଁ ବିଜ୍ଞାନ ବହିଧରି ସ୍ୱାଇଁ ସାର୍ କ୍ଲାସ୍ ଭିତରକୁ ଆସିଲେ । ଗତକାଲିର ହୋମ୍ଓ୍ୱାର୍କ ଖାତାକୁ ଧରି ଆଣିବାକୁ କହିଲେ । ମୁଁ ପାଠ କରିନଥାଏ । ଛାନିଆରେ ଗୋଡ଼ ଦୁଇଟା ଥରୁଥାଏ... ମୋ ଛାତିର ହୃତ୍ ସ୍ପନ୍ଦନ ବି ମୋ କାନକୁ ଶୁଭୁଥାଏ । ଧାଡ଼ିରେ ଛିଡ଼ା ହୋଇଥାଏ ମୁଁ ମୋର ରଫ୍ ଖାତାକୁ ଧରି । ଯେଉଁ ରଫ୍ ଖାତାର ଆଗ ପଛ କିଛି ନଥାଏ (ଖାତାର ଦୁଇପାଖ ରୁ ଲେଖାଯାଇଛି) । ସମସ୍ତଙ୍କ ଖାତାରେ ସାଇନ୍ ମାରି ବସିବାକୁ ଦେଉଥାନ୍ତି । ମୋର ଏହି ଖାତା ଦେଖି ଅତ୍ୟଧିକ ମାତ୍ରାରେ ରାଗିଗଲେ ଆଉ ବେତ ଆଣି ଦୁଇ ଚାରି ପ୍ରହାର କସି ଦେଲେ । ମୁଁ ଉ...ହୁ...ଆହା... ହେଉଥାଏ । କାହିଁକି କେହିଜଣି ସାର୍ ଅଧା କ୍ଲାସ୍ରୁ ବାହାରକୁ ଚାଲିଗଲେ । କିଛି ବୁଝି ହେଲାନି ।
ସେହି ଦିନଠାରୁ ଅଭଣା ସ୍କୁଲରେ ବାକିତକ ଦିନ ସ୍ୱାଇଁ ସାର୍ ତ ଦୂରର କଥା ତାଙ୍କ ଛାଇକୁ ବି ଦେଖିଲେ ଡର ଲାଗେ । ଯଦି ପଡ଼ିଆରେ ଖେଳିବା ସମୟରେ ସାର୍ ସେଇ ରାସ୍ତା ଦେଇ ଚାଲିଯାଆନ୍ତି ନା ଆମେ ସମସ୍ତେ ଦୈଡ଼ିଯାଇ ଲୁଚିପଡ଼ୁ । ମଜାରେ ଯଦି କେହି ସାର୍ ଆସିଗଲେ ବୋଲି ବି କହିଦେଲେ ନା କଥା ସରିଲା । ସେଦିନ ପାଚେରୀ ଉପରେ ଖେଳ ଦେଖୁଥାଏ ସାର୍ଙ୍କୁ ଦେଖି ଅତର୍କିତ ଭାବେ ଗଡ଼ି ପଡ଼ିଥିଲି । ମନେପଡ଼ିଲେ ହସ ଲାଗେ ।
ସେଦିନର ମାଡ଼ ପରେ ମନେମନେ ସାରଙ୍କୁ ବହୁତ ଗାଳି ଦେଇଥିଲି । କିଛିଦିନ ପରେ ସାର୍ଙ୍କ ଦେହ ଖରାପ ହୋଇଗଲା । ମୋତେ ଲାଗେ କି ମୋ ଯୋଗୁଁ ସାରଙ୍କ ଦେହ ଖରାପ ହୋଇଗଲା । କିନ୍ତୁ ପରୀକ୍ଷାରେ ଭଲ ମାର୍କରେ ପାସ୍ କଲି ଆଉ କଲେଜ ଗଲି ।
ଆଜିକାଲି ଆଉ ଦୁବ ଘାସ, ଗୁଡ଼, ନିମ ପତ୍ର କି ସକାଳୁ ସକାଳୁ ରାଶିଫଳ ଦରକାର ପଡ଼ୁନି । ଖାଲି ଅବଶୋଷ ଏତିକି, ମୋ ପାଖରେ ସ୍ୱାଇଁ ସାର୍ ରହନ୍ତେ ନା ଜୀବନର ଯେକୋଣସି ବି ପରୀକ୍ଷାରେ ସହଜରେ ସଫଳତା ପାଇପାରନ୍ତି ।
ତଥାପି କାହିଁକି କେଜାଣି ଏହି ଘର ଲୋକଗୁଡ଼ାକ ଖାଲି ରାଉ ରାଉ ହୁଅନ୍ତି କିଛି ବୁଝା ପଡ଼େନି ମାନସକୁ ! ବାପାଙ୍କ ତାଗିଦ୍ ଆଉ ଭାଇର ପ୍ରବଚନ ଶୁଣି ଶୁଣି କାନ ମୁଣ୍ଡ ତାବ୍ଦା ହୋଇଯାଏ ତା’ର । ତଥାପି ଶୁଣିବା ପାଇଁ ପଡ଼େ, ଯେତେ ହେଲେ ବୟସରେ ବଡ଼ ସେମାନେ; ମୁହଁ ଉପରେ କ’ଣ ଉତ୍ତର ଦେଇ ହେବ ! ଟିଭିରେ କହୁଥିଲା ଭଗବାନ ଆମର ଜନ୍ମ କୁଣ୍ଡଳୀରେ ବାପା, ମାଆ, ଭାଇଭଉଣୀ ଏମିତିକି ସ୍ୱାମୀ-ସ୍ତ୍ରୀ ଜୋଡ଼ି ଜନ୍ମ ହେବା ପୂର୍ବରୁ ପ୍ରସ୍ତୁତ କରି ରଖିଥାନ୍ତି । ଖାଲି ଏଇ ସାଙ୍ଗମାନେ ପରା ଜନ୍ମ ହେବାପରେ ମିଳନ୍ତି । ସାଙ୍ଗମାନଙ୍କ ସହ ସମୟ କାଟିବା କେଉଁ ସ୍ୱର୍ଗସୁଖ ଠାରୁ କମ ନୁହେଁ ତଥାପି ଏ କଥା କେମିତି ବୁଝାଇବ ନିଜେ ବି ବୁଝିପାରୁନଥିଲା । ବାପା ଆଉ ଭାଇଙ୍କର ଖାଲି ଗୋଟିଏ କଥା, “ଏହି ସାଙ୍ଗମାନେ ମିଶି କୁଆଡ଼େ ତାକୁ ଖରାପ କରି ଦେଉଛନ୍ତି ।” ସେମାନେ ଜାଣି ନାହାନ୍ତି ସେମାନଙ୍କର ସର୍ଦ୍ଦାର ମାନସ ବୋଲି ।
ସ୍ଥିତି ବଦଳେ, ଗତି ବଦଳେ; ପରିସ୍ଥିତିର ବୁଢ଼ିଆଣି ବସାରେ ଛନ୍ଦିହୋଇ ମଣିଷକୁ ମୋଡ଼ିମାଡ଼ିକି କେତେବେଳେ ଚୁପ୍ କରି ବସାଇ ଦିଏ କେହି ଜାଣିପାରେ ନାହିଁ । ଠିକ୍ ସେହିପରି ଆଜି ଜେଲ୍ର ଅନ୍ଧାରୁଆ ଚାରିକାନ୍ଥ ଭିତରେ ବସିଛି ମାନସ ମନରେ କେତେ ଆଶା ନେଇ... ତା’ର ସାଙ୍ଗମାନେ ଦଳ ବଳ ନେଇ ଆସିବେ ଆଉ ପୋଲିସ୍, ଜଜ୍, ଜନତାଙ୍କ ସାମ୍ନାରେ ସମସ୍ତଙ୍କୁ ଚିତ୍କାରି କହିବେ, “ଆମ ମାନସ ନିର୍ଦ୍ଦୋଷ, ସେ ଏହିପରି କାମ କରିନି । ସେ ଏପରି କାମ କରିପାରିବ ନାହିଁ । ତାକୁ କେହି ଜାଣିଶୁଣି ଫସାଇ ଦେଇଛି । ଜେଲର ପାଚେରୀ ତାଡ଼ି ନେଇଯିବେ ତାକୁ ଏଇ କାଳ କୋଠରୀରୁ ।” ଦରୁଆନ୍ ଆସି ଡାକ ଦେଲା, “ମାନସ ତୋତେ ଦେଖା କରିବାକୁ କେହି ଆସିଛନ୍ତି, ଯା’ ଦେଖା କରିବୁ । ଚମକି ପଡ଼ିଲା ମାନସ ! ମନକୁ ମନ ଭାବିବାକୁ ଲାଗିଲା କିଏ ଆସିଛି ଆଉ କେତେ ଜଣ ଆସିଛନ୍ତି । ନିଶ୍ଚିତ କ୍ଲବ୍ ପିଲା ଆସିଥିବେ ! କାହିଁକିନା ସେମାନଙ୍କ ସହ ମିଶି କେତେ ଫିଷ୍ଟ୍ କରିଛି କେତେ ମସ୍ତି କରିଛି । ସେମାନଙ୍କର ସୁବିଧା ଆସୁବିଧାରେ ଛିଡ଼ା ହୋଇଛି ସେମାନେ କ’ଣ ଆସିବେନି ! ଆସିବେ ନା ନିଶ୍ଚିତ ସେଇମାନେ ଆସିଥିବେ । ଆରେ...ଏଇ ସମୟ ରୁଆ ଉପୁଡ଼ା ସମୟ ସେମାନେ ବ୍ୟସ୍ତ ଥିବେ ନା । ସେମାନେ ନହେଲେ କ’ଣ ହେଲା ନିଶ୍ଚିତ କ୍ୟାମେରା ପିଲା ଆସିଥିବେ ! ସେମାନଙ୍କୁ ଅନେକ ସମୟରେ ଘରକୁ ଡାକିଛି କାମ ପାଖରୁ ଆରମ୍ଭ କରି ରହିବା ଖାଇବାକୁ ଦେଇଛି... ନିଶ୍ଚିତ ସେମାନେ ଆସିଥିବେ । ନହେଲେ ମୋ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ରେ ଫେଣ୍ଡ ଦୁଇତିନି ହଜାର ଅଛନ୍ତି, ସେମାନଙ୍କ ଭିତରୁ କିଛି ଆସିଥିବେ । ପୁନଶ୍ଚ ଦରୁଆନ ଡାକ ଦେଲା, “ମାନସ ତୋତେ ଦେଖା କରିବାକୁ ଆସିଛନ୍ତି, ଜଲ୍ଦି ଯା’ !
ନିଜକୁ ସଜାଡ଼ି ନେଇ ଦୌଡ଼ିଗଲା କଏଦୀମାନଙ୍କୁ ଦେଖାକରିବାକୁ ଥିବା ପ୍ରକୋଷ୍ଠ ଭିତରକୁ । ମନରେ ନିଶ୍ଚିତ ଥାଏ କି ବହୁ ସଂଖ୍ୟାରେ ସାଙ୍ଗମାନେ ଆସିଥିବେ ଦେଖା କରିବାକୁ, କିନ୍ତୁ ବାସ୍ତବିକତା କିଛି ଅଲଗା ଥାଏ । ଖାଲି ସାମ୍ନାରେ ଛିଡ଼ା ହୋଇଥାନ୍ତି ତା’ ବାପା, ଭାଇ ଆଉ ମାଆ । ମନର କଥାକୁ ମନରେ ମାରିଦେଲା ସିନା ହେଲେ କୋହକୁ ସମ୍ଭାଳି ପାରୁନଥାଏ; ବହି ଯାଉଥାଏ ଦୁଇ ଆଖିରୁ ଲୁହ । ବାପା ବିଶାଦର ସ୍ମିତହାସ୍ୟ ଦେଇ ତାରଜାଲିର ଅପର ପାର୍ଶ୍ୱରେ ମାନସର ହାତକୁ ହାତରେ ଧରି କହୁଥାନ୍ତି, “ବାବାରେ ମୁଁ ଜାଣିଥିଲି ତୁ ଏମିତି କିଛି ବଡ଼ ଭୁଲ କରିବୁ ବୋଲି, ଖାଲି ସେଥିପାଇଁ ତୋତେ ବହୁତ ବୁଝାଇଲି ତୁ ବୁଝିଲୁ ନାହିଁ । ସେ ଦଣ୍ଡ ତ ତୁ ଭୋଗୁଛୁ । ଖାଲି ଏତିକି ମନେ ରଖ ସ୍କୁଲର ସାଙ୍ଗ କଲେଜ ପଯ୍ୟନ୍ତ, ବେପାରର ସାଙ୍ଗ ଦୋକାନ ପିଣ୍ଡା ପର୍ଯ୍ୟନ୍ତ କିନ୍ତୁ ତୋ’ର ଏହି ବାପାଭାଇ, ତୋ’ ପରିବାର ସବୁବେଳେ ସାଙ୍ଗ ହୋଇ ରହିଥାନ୍ତି ସାରା ଜୀବନ ପଯ୍ୟନ୍ତ ।”
ମାନସ ଜାବୁଡ଼ି ଧରିଥାଏ ବାପାଙ୍କ ହାତକୁ । ସେପାଖରୁ ଦରୁଆନ ସେମାନଙ୍କୁ ସେଠାରୁ ଯିବାକୁ ନିର୍ଦ୍ଦେଶ ଦେଉଥାଏ ସମସ୍ତର ଅନ୍ତ ହେଉଥିବାରୁ ।
This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.