ଶ୍ରୀ ଜଗନ୍ନାଥ/ଯାତ୍ରା ଓ ପର୍ବପର୍ବାଣି

ଉଇକିପାଠାଗାର‌ରୁ
ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ଯାତ୍ରା ଓ ପର୍ବପର୍ବାଣି
ଶ୍ରୀମନ୍ଦିରରେ ବର୍ଷତମାମ ଅନେକ ଯାନିଯାତ୍ରା, ପର୍ବପର୍ବାଣି ପାଳିତ ହୁଏ । ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସଂପର୍କରେ ଏକ ପ୍ରସିଦ୍ଧ ଶ୍ଳୋକ ଅଛି :

"ମଞ୍ଚ ସ୍ନାନଂ ରବରଗତିଃ ଶାୟନଂ ଚାୟନେ ଦ୍ୱେ
ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତିଃ ପାବୃତ୍ତୈଃ ପୁଷ୍ୟ ପୂଜା
ଦୋଳଯାତ୍ରା ଦମନକମହୋତାକ୍ଷପୂଜା ତୃତୀୟା
ଚୈକଂ ଯାତ୍ରା ବିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର ।"

ଉଲ୍ଲିଖିତ ଶ୍ଳୋକବର୍ଣ୍ଣିିତ ଦ୍ୱାଦଶ ଯାତ୍ରା ହେଲା- ୧. ସ୍ନାନଯାତ୍ରା, ୨. ରଯାତ୍ରା, ୩.ଶୟନ,୪. ଦକ୍ଷିଣାୟନ, ୫. ପାର୍ଶ୍ୱପରିବର୍ତ୍ତନ, ୬. ଉତ୍‍‌ଥାପନ, ୭. ପ୍ରାବରଣ ଷଷ୍ଠୀ, ୮.ପୁଷ୍ୟପୂଜା,୯. ଉତ୍ତରାୟଣ,୧୦. ଦୋଳ, ୧୧.ଦମନକ ଚତୁର୍ଦ୍ଦଶୀ, ୧୨. ଅକ୍ଷୟତୃତୀୟା । କଥାରେ ଅଛି 'ବାରମାସରେ ତେରଯାତ୍ରା' । ପ୍ରକୃତରେ ବାର ନୁହେଁ କି ତେର ନୁହେଁ,ଆହୁରି ଅଧିକ ଯାତ୍ରା ଓ ପର୍ବ ଏଠାରେ ପାଳନ କରାଯାଉଛି । ପ୍ରକୃତରେ କହିବାକୁ ଗଲେ ବାହାର ଯାତ୍ରୀ ସମାଗମ ଓ ଗୁରୁତ୍ୱ ଦୃଷ୍ଟିରୁ ସ୍ନାନଯାତ୍ରା, ରଥଯାତ୍ରା, ଦୋଳଯାତ୍ରା ଓ ଅକ୍ଷୟ ତୃତୀୟା ତ‌ଥା ଚନ୍ଦନ ଯାତ୍ରାର ପ୍ରାଧାନ୍ୟ ବେଶି ।

ଦେବସ୍ନାନ ପୂର୍ଣ୍ଣିିମା

ପ୍ରତିବର୍ଷ ଜ୍ୟେଷ୍ଠମାସ ପୂର୍ଣ୍ଣିିମା ଦିନ ଶ୍ରୀଜଗନ୍ନାଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନ ଉତ୍ସବ ପାଳନ କରାଯାଏ । ଏହି ନୀତିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ବଣ୍ଟନ କରାଯାଇଥାଏ । ଏହି ଦିନର ନୀତି ହେଲା- ମଙ୍ଗଳାର୍ପଣ,ଡୋରଲାଗି, ପୁଷ୍ପାଞ୍ଜଳି, ପହଣ୍ଡି ଆରମ୍ଭ ଓ ଶେଷ ସ୍ନାନବେଦୀରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା,ଜଳବିଜେ, ପୂଜା ଓ ସ୍ନାନ, ମଇଲମ, ଛେରାପହଁରା, ହାତୀବେଶ, ମହନ୍ତ ଶାଢ଼ିବନ୍ଧା, ସକାଳଧୂପ, ସାହାଣମେଲା, ପୁଷ୍ପାଞ୍ଜଳି, ଡୋରଲାଗି, ବାହୁଡ଼ା ବିଜେ, ସୁନାଚିତା ଓ ରାହୁରେଖା ମଇଲମ (ତା'ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି ହୁଏ) । ଭୋର ୪ଟା ସୁଦ୍ଧା ପହଣ୍ଡି ଆରମ୍ଭପାଇଁ ସାଧାରଣତଃ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଥାଏ । ଅନ୍ୟାନ୍ୟ ନୀତିପାଇଁ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଥାଏ ।


ଚତୁର୍ଦ୍ଧାମୂର୍ତ୍ତିି ଦାରୁବିଗ୍ରହ ସ୍ୱୟଂ ପହଣ୍ଡି ହୋଇ ଆନନ୍ଦବଜାରସ୍ଥ ସ୍ନାନବେଦୀକୁ ବିଜେ କରନ୍ତି । ରଥ ବାହୁଡ଼ା ଯାତ୍ରା ଶେଷ ହୋଇ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିି ରତ୍ନ ସିଂହାସନରେ ଉପବେଶନ କରନ୍ତି ନାହିଁ । ଅନ୍ୟାନ୍ୟ କେତେକ ନୀତିରେ ବିଜେ ପ୍ରତିମାମାନେ ଏପରିକି ସୁଦର୍ଶନ ବିଜେ କରୁଥିବା ସ୍ଥଳେ ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିି ନିଜେ ଅଂଶଗ୍ରହଣ କରି ବିଜେ କରନ୍ତି । କବିସମ୍ରାଟ ଉପେନ୍ଦ୍ର ଭଂଜ ତେଣୁ ଲେଖିଛନ୍ତି;
"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯା'ର,
ପତିତ ପାବନ ଅର୍ଥେ ପ୍ରାସାଦୁଁ ବାହାର ।

(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ)

ସ୍ନାନ ପୂର୍ଣ୍ଣିିମା ପୂର୍ବରୁ ଅର୍ଥାତ୍‍ ଜ୍ୟେଷ୍ଠ ଶୁକ୍ଲ ତ୍ରୟୋଦଶୀ ଦିନ ଦଇତା ସେବକମାନେ ଶ୍ରୀମନ୍ଦିରରେ ଦୀର୍ଘ ଏକମାସ କାଳ ବିଶେଷ ନୀତି ଗୋଷ୍ଠୀଗତ ଭାବରେ ସମ୍ପନ୍ନ କରନ୍ତି । ତ୍ରୟୋଦଶୀ ରାତ୍ରରେ ବଡ଼ସିଂହାର ଭୋଗ ପରେ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ (ଶ୍ରୀଜୀଉମାନଙ୍କ ମୁଖ ବସ୍ତ୍ରାଚ୍ଛାଦିତ) ହେବା ପରେ ଦଇତାମାନେ ଭିତରକୁ ଯାଇ ବାହୁଟ କଣ୍ଟ କରନ୍ତି । ତତ୍‍ପରେ କୋଠ ସୁଆଁସିଆମାନେ ଚାରମାଳ ବନ୍ଧା କାର୍ଯ୍ୟ ଆରମ୍ଭ କରନ୍ତି । ଚାରମାଳ ବନ୍ଧା କାର୍ଯ୍ୟ ସମାପନ ପରେ ଚତୁର୍ଦ୍ଦଶୀ ଦିନ ଦଇତାପତିମାନେ ଦିଅଁଙ୍କୁ ସେନାପଟା ଲାଗି କରାନ୍ତି । ସେଦିନର ଦୈନନ୍ଦିନ ଅବକାଶ ନୀତି, ସକାଳ ଧୂପ ଠାରୁ ବଡ଼ ସିଂହାର ଧୂପ ଯାଏଁ ଧୂପ ଅଣସର ପିଣ୍ଡିରେ ବଢ଼ାହୁଏ ଓ ପୂଜା ହୁଏ । ଅବଶିଷ୍ଟ ନୀତି ହୋଇ ପହୁଡ଼ ଆଳତି ହୁଏ । ପହୁଡ଼ ଆଳତି ପରେ ମଦନମୋହନ ଓ ଲକ୍ଷ୍ମୀ ଦକ୍ଷିଣୀ ଘରକୁ, ଭୂଦେବୀ ଓ ମାଧବ ଖଟଶେଯ ଘରକୁ ବିଜେ କରନ୍ତି । ଏହି ଯାତ୍ରାର ବିଧି ହେଉଛି, ପୂର୍ଣ୍ଣମୀ ଦିନ ଭୋରରେ ପୂଜାପଣ୍ଡା, ମୁଦିରସ୍ତ ଓ ପତି ମହାପାତ୍ର ତିନିବାଡ଼ରେ ମଙ୍ଗଳାର୍ପଣ କରିବେ । ତା'ପରେ ଦିଅଁଙ୍କର ଡୋରଲାଗି ହେବ । ଘଣ୍ଟ କାହାଳୀ ବାଜିବ ଓ ଛତାର ଛତା ଧରିିବେ । ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଳଭଦ୍ର ଠାକୁର, ତାଙ୍କ ପରେ ମା' ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିବେ । ଏହାଙ୍କ ପରେ ମଦନମୋହନ ବିଜେ ହେବେ ମହାଜନମାନଙ୍କଦ୍ୱାରା । ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଦଇତାପତିମାନେ ବିଜେ କରାଇବେ । ମଦନମୋହନଙ୍କ ବ୍ୟତୀତ ଅନ୍ୟ ଚତୁର୍ଦ୍ଧାମୂର୍ତ୍ତିିଙ୍କ ବିଜେକୁ 'ପହଣ୍ଡି ବିଜେ' କୁହାଯାଏ । ଏହା 'ଧାଡ଼ି ପହଣ୍ଡି' । (ଠାକୁର ମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କଲେ ଧାଡ଼ି ପହଣ୍ଡି କୁହାଯାଏ । ଯେଉଁ ପହଣ୍ଡିରେ ଏକ ମୂର୍ତ୍ତିି ଠାକୁର ବିଜେ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା ପରେ ଅନ୍ୟ ମୂର୍ତ୍ତିି ଠାକୁର ତାଙ୍କ ଆସନ ଛାଡ଼ି ବିଜେ ହୁଅନ୍ତି, ତାକୁ 'ଗୋଟି ପହଣ୍ଡି' କୁହାଯାଏ) । ବିଜେ କରିବା ସମୟରେ ସାତ ପାହାଚଠାରେ ଠାକୁରମାନଙ୍କୁ ଟାହିଆ ଓ ଚୂଳ ଲାଗି କରାଯାଏ । ଏହି ଦ୍ରବ୍ୟ ରାଘବ ଦାସ ମଠ ଯୋଗାଏ । ଦିଅଁମାନେ ସ୍ନାନ ବେଦୀରେ ବିଜେ ହେବା ପରେ ଘଣ୍ଟାର, ଛତାର, କାହାଳିଅ।, ସୁନାଗୋସାଇଁଙ୍କ ନିକଟକୁ ଯାଆନ୍ତି । ସୁନା ଗୋସାଇଁ ଓ ମୁଦିରସ୍ତ ସୁନାକୂଅ (ଶୀତଳାଙ୍କ କୂଅ)ରୁ ୧୦୮ ଗରା ଜଳ ଆଣି ଜଳ ଅଧିବାସ ଗୃହରେ ରଖନ୍ତି । ଏହି

କୂପର ପବିତ୍ର ଜଳ କେବଳ ଦେବସ୍ନାନପାଇଁ ଉଦ୍ଦିଷ୍ଟ, ତେଣୁ ଏ କୂପର ମାହାତ୍ମ୍ୟ ରହିଛି । ଏହି ୧୦୮ ଜଳ କୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଙ୍କ ନିମନ୍ତେ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କ ନିମନ୍ତେ ୩୩କୁମ୍ଭ, ଦେବୀ ସୁଭଦ୍ରାଙ୍କ ନିମନ୍ତେ ୨୨ କୁମ୍ଭ ଓ ସୁଦର୍ଶନଙ୍କ ନିମନ୍ତେ ୧୮ କୁମ୍ଭ ଜଳ ରଖାଯାଏ । ପୃଥକ ଭାବରେ ଚନ୍ଦନ, କର୍ପୂର ଓ କେଶର ଆଦି ଉପରୋକ୍ତ କୁମ୍ଭ ପାଣିରେ ସମାନ ଭାଗ ହୋଇ ମିଶାଯାଏ । ଗରାବଡ଼ୁମାନେ ୧୦୮ ଜଳକୁମ୍ଭ ଉପରେ ଗୋଟିଏ ଗୋଟିଏ ନଡ଼ିଆ ଓ ଖଣ୍ଡେ ଖଣ୍ଡେ କରିଆ ରଖନ୍ତି । ଏହିପରି ଭାବରେ ଜଳ ଅଧିବାସ ହେଉିବା ସମୟରେ ସ୍ନାନ ମଣ୍ଡପରେ ଦିଅଁମାନଙ୍କର ରୁନ୍ଧା ବଢେ଼ । ତା'ପରେ ଦୈନନ୍ଦିନ ନୀତି ଓ ମଙ୍ଗଳ ଆଳତି ହୁଏ । ମଇଲମ ହୋଇ ତଡ଼ପଲାଗି ହୁଏ । ଏହା ପରେ ଅବକାଶ ପୂଜା ଠା' ହୁଏ । ଦତ୍ତ ମହାପାତ୍ର ରୁପ । ପିଙ୍ଗଣରେ କର୍ପୂର ଜଳ ନେଇ ତିନି ବାଡ଼ରେ ଶ୍ରୀମୁଖ ଧୋପଖାଳ କରନ୍ତି । ପରେ ଅବକାଶ ନୀତି ହୁଏ । ଦିଅଁମାନଙ୍କର ଅବକାଶ ଓ ବେଶ ହେବା ସମୟରେ ରୋଷ ଧୋପଖାଳ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୁଏ । ବେଶ ଶେଷ ହେବା ପରେ ପାଳିଆ ପ୍ରତିହାରୀ ସ୍ନାନମଣ୍ଡପର ଚାରିପଟେ ଥିବା ଖମ୍ବମାନଙ୍କରେ ଟେରା ବାନ୍ଧନ୍ତି । ଏହା ପରେ ସୁଆରବଡ଼ୁ ପାଣି ପକାଇ ଧୋପଖାଳ କଲା ପରେ ପତ୍ରିବଡ଼ୁ ଜଳ ଛେକ ସକାଶେ ପୂଜା ଠା' କରନ୍ତି । ତା' ପରେ ପାଳିଆ ପଢ଼ିଆରୀ ଜଳ ଛେକ ଆସିବା ସକାଶେ ଡାକି ଯାଆନ୍ତି
ଏହାର ପର ପର୍ଯ୍ୟାୟ ହେଉଛି, ଗରାବଡ଼ୁ ସେବକମାନେ ମୁହଁରେ ମୁହାଁବାନ୍ଧି ଜଳକୁମ୍ଭ ହାତରେ ଧରି ଚାଲିେବେ । ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପୈଠ ହୋଇ ଚାଲୁ ଥିବେ । ଘଣ୍ଟ କାହାଳୀ ବାଜୁିବ ଓ ଛତାର ଛତ୍ର ଧରିିବେ । ଚାରିବାଡ଼ରେ ଜଳ ଛେକ ବିଜେ ହୋଇ ଆସି ସଜ୍ଜିତ ରହେ । ତିନିଜଣ ପୂଜାପଣ୍ଡା ପୂଜାରେ ବସନ୍ତି । ଷୋଡ଼ଶ ଉପଚାରରେ ପୂଜା ହୋଇସାରିଲା ପରେ ଗରାବଡ଼ୁମାନେ ଜଳକୁମ୍ଭମାନ ହାତରେ ଧରି ତିନିଜଣ ମେକାପ ଧରିିବା ରୁପା ପିଙ୍ଗଣରେ ଜଳ ଦିଅନ୍ତି । ପୂଜାପଣ୍ଡାମାନେ ମେକାପମାନଙ୍କଠାରୁ ଉକ୍ତ ପିଙ୍ଗଣମାନ ନେଇ ତିନି ବାଡ଼ରେ ଜଳଲାଗି କରନ୍ତି । ଏହିପରି ରୀତିରେ ସମସ୍ତ କୁମ୍ଭର ଜଳ ଲାଗି କରାଯାଏ । ଜଳଲାଗି ସମୟରେ ଘଣ୍ଟ କାହାଳୀ ଓ ବାଜା ବାଜୁାଏ । ଜଳଲାଗି ଶେଷ ପରେ ହାତୀ ବେଶର ଉପକରଣମାନ ଗୋପାଳର୍ତୀ ମଠ ଓ ରାଘବ ଦାସ ମଠରୁ ଆଣିବାକୁ ସଂପୃକ୍ତ ସେବକମାନେ ଯାଆନ୍ତି । ଇତି ମଧ୍ୟରେ ମୁଦିରସ୍ତ "ରାଜନୀତି' କରନ୍ତି । ଗଜପତି ମହାରାଜା ସ୍ନାନ ବେଦୀରେ ଛେରାପହଁରା କରନ୍ତି । ତାଙ୍କର ଅନୁପସ୍ଥିତିରେ ମୁଦିରସ୍ତ ଏ କାର୍ଯ୍ୟ କରନ୍ତି । ଛେରାପହଁରା ସମାପନ ପରେ ସୁଆରବଡ଼ୁ ବେଦୀରେ ପାଣି ପକାନ୍ତି । ତା'ପରେ ପୁଷ୍ପାଳକ ଓ ଦଇତାପତିମାନେ ତିନିଦିଅଁଙ୍କୁ ହାତୀବେଶ କରନ୍ତି । ବେଶ ଶେଷ ପରେ ପୁଷ୍ପାଳକ କର୍ପରୂ ଲାଗି କରନ୍ତି । ଏହାପରେ ରାଘବଦାସ ମଠ ମହନ୍ତଙ୍କୁ ଭିତ ରଚ୍ଛ ମହାପାତ୍ର ଶାଢ଼ବାନ୍ଧନ୍ତି । ସ୍ନାନମଣ୍ଡପ ଧୋପଖାଳ, ଟେରାବନ୍ଧା ପରେ ସକାଳ ଧୂପ ଡାକିବାକୁ ତଳିଚ୍ଛ ମହାପାତ୍ର, ପ୍ରଧାନୀ, ଅମୁଣିଆ, ଛତାର, ଘଣ୍ଟୁଆ ଓ କାହାଳିଆ ସହ ଯାଆନ୍ତି । ରୋଷରୁ ଛେକ ଆସିବା ବେଳେ ଘଣ୍ଟ, କାହାଳୀ ବାଜୁାଏ ଓ ଛତ୍ର ଧରାଯାଇାଏ । ତଳିଚ୍ଛ ଓ ପ୍ରଧାନୀ ହାତ ପୈଠ ହୋଇ ଆଗରେ ଚାଲନ୍ତି । ଛେକ ଆସିବା ରାସ୍ତାରେ ଚୂନପାଣି

ପଡେ଼ । ଛେକ ଘୋଡ଼ଦ୍ୱାର ଓ ଆନନ୍ଦ ବଜାର ଦେଇ ସ୍ନାନ ବେଦୀକୁ ଆସେ । ତିନିଜଣ ପୂଜାପଣ୍ଡା ଧୂପ ପୂଜା କରନ୍ତି । ସକାଳ ଧୂପ ଶେଷ ହୋଇ ପାଣି ପଡ଼ିଲେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ବନ୍ଦାପନା ପରେ ସାହାଣମେଲା ବା ସର୍ବସାଧାରଣ ଦର୍ଶନ ହୁଏ ।
ସାହାଣମେଲା ଶେଷ ହେବା ପରେ ହାତୀବେଶ ମଇଲମ ହୁଏ ଓ ତିନି ବାଡ଼ରେ ପୁଷ୍ପାଞ୍ଜଳି ଓ ଡୋରଲାଗି ହୁଏ । ଏହାପରେ ପହଣ୍ଡିବିଜେ ପାଇଁ କାହାଳୀ ବାଜେ । ଗୋଟି ପହଣ୍ଡି ହୁଏ । ପହଣ୍ଡି ବିଜେ ବେଳେ ସ୍ନାନ ବେଦୀ ପାହାଚଠାରେ ଦିଅଁମାନେ ରାଘବ ଦାସ ମଠ ଯୋଗାଇିବା ଟାହିଆ ଓ ଚୂଳ ଲାଗି ହୁଅନ୍ତି । ପତି ମହାପାତ୍ର ତିନିବାଡ଼ରେ ବନ୍ଦାପନା ଓ ବିଡ଼ିଆ ଲାଗି କରନ୍ତି । ଶୁଆ ଶାରୀ ମନ୍ଦିର ଓ ଗରୁଡ଼ସ୍ତମ୍ଭ ନିକଟରେ ମଧ୍ୟ ବନ୍ଦାପନା ହୁଏ । ଅଣସର ପିଣ୍ଡିରେ ଠାକୁରମାନେ ବିଜେ କଲାପରେ ସ୍ନାନଯାତ୍ରା ବିଧି ସମାପ୍ତ ହୁଏ । ମହାଜନମାନେ ମଦନମୋହନଙ୍କୁ ସ୍ନାନମଣ୍ଡପରୁ ଦକ୍ଷିଣୀ ଘରକୁ ବିଜେ କରାନ୍ତି । ତିନିବାଡ଼ରୁ ଦଇତାମାନେ ରତ୍ନଚିତା ଓ ସୁବର୍ଣ୍ଣ ରାହୁରେଖାମାନ ବାହାର କରି ଭଣ୍ଡାର ମେକାପ, ତଡ଼ଉ ଓ ଦେଉଳକରଣଙ୍କ ମାର୍ଫତରେ ଦିଅନ୍ତି । ଶ୍ରୀମନ୍ଦିରର ଜନୈକ ଅଧିକାରୀ ସେ ସମୟରେ ଉପସ୍ଥିତ ଥାଆନ୍ତି । ଏହି ଅଳଙ୍କାରମାନ ସିଲ୍‍ କରାଯାଇ ଭଣ୍ଡାର ମେକାପଙ୍କ ଜିମାରେ ଭଣ୍ଡାରରେ ରଖାଯାଏ ।

ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ) ଚିତ୍ରକାର ମାନଙ୍କ ଘର ଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ । ଦକ୍ଷିଣ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି । ଏହି ମୋଟ ଦଶ ଦେବଦେବୀ "ଦଶ ଅବତାର ଠାକୁର' ନାମରେ ପରିଚିତ । ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ । ସ୍ନାନପୂର୍ଣ୍ଣିିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ । ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ ଦଶାବତାର ଦିଅଁଙ୍କର ଦ୍ୱିପ୍ରହର ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ୱାର ଖୋଲାଯାଏ । ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ । ତା'ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ । ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ । ଅଣସର ସମୟରେ ତିନି ଦିଅଁ ଶୁକ୍ଲ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ । ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି । ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ । ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ ।

ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି । ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ । ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ । ପଞ୍ଚମୀ ଦିନ 'ଫୁଲୁରି ଲାଗି' ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି । ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ 'ଓଷୁଅ ଲାଗି' କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି । ଦଶମୀ ଦିନ 'ଚକା ବିଜେ' ନୀତି ହୁଏ । ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ । ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ଉକ୍ତଦିନ ଚନ୍ଦନଲାଗି କରାଯାଏ । ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ । ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ ।
ଦ୍ୱାଦଶୀ ଦିନ 'ରାଜପ୍ରସାଦ' ନୀତି ହୁଏ । ଭୋଗମଣ୍ଡପ ଧୂପ ପରେ ରୂପାଥାଳିମାନଙ୍କରେ ରାଜପ୍ରସାଦ (ଶ୍ରୀଅଙ୍ଗର ଚନ୍ଦନ ଓ କରାଳ ଚନ୍ଦନ) ଓ ପାଟଡୋର ରଖି ଦଇତାପତିମାନେ ଶ୍ରୀନଅରକୁ ଯାଅନ୍ତି । ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପଇଠ କରି ଘଣ୍ଟ, ଛତା ଓ କାହାଳୀ ସହ ଯାଆନ୍ତି । ନଅରରେ ରାଜାଙ୍କ ହାତଛୁଆଁ ଶାଢ଼ିମାନ ଦଇତା, ପତିମହାପାତ୍ର, ତଡ଼ଉ, ଦେଉଳକରଣ ଓ ତଳିଚ୍ଛଙ୍କୁ ପ୍ରଦାନ କରାଯାଏ । ତ୍ରୟୋଦଶୀ ଦିନ 'ଘଣାଲାଗି' ଓ 'ଶ୍ରୀପୟର ପୂଜା' (ପାଟ ଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ) ଲାଗି ହୁଏ । ଘଣାଲାଗି ପରେ ଖଳିଲାଗି ହୁଏ । ତା' ପରେ ଖଡ଼ିଲାଗି ହୁଏ । ଲାଗି ପରେ ଖଡ଼ି ପ୍ରସାଦ ଧରି ଦଇତାପତି ମାନେ ନଅରକୁ ଯାଆନ୍ତି । ସେମାନଙ୍କ ସାମନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇ ଯାଅନ୍ତି । ନଅରରେ ।ରାଜପ୍ରସାଦ' ନୀତି ଭଳି ଶାଢି ପ୍ରଦାନ ହୁଏ । ତ୍ରୟୋଦଶୀ ଦିନ 'ଶ୍ରୀମୁଖ ଓତା' ନୀତି ହୁଏ । ଚତୁର୍ଦ୍ଦଶୀରେ 'ବନକଲାଗି' କାର୍ଯ୍ୟ ଦତ୍ତ ମହାପାତ୍ରମାନେ କରନ୍ତି । ତା'ପରେ ଚକା ଅପସର ଲାଗି ହୁଏ । ନୂଆ କନା ପଡ଼ି ଏଗୁଡ଼ିକ ତିଆରି ହୋଇଥାଏ । ଏହା ଲାଗି ପରେ ଏବଂ ଦଶାବତାର ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ 'ଦଶାବତାର'ରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ ନିଅନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାନ୍ତି । ପଟି ଦିଅଁ (୩)ଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି । ଏହାପରେ କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି । ଭିତରେ ପାଣି ପଡ଼ିବା ପରେ ସେବକମାନେ ଓ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଦର୍ଶନ କରନ୍ତି । ସେତେବେଳେ ଅମାବାସ୍ୟାର ସକାଳ ହୋଇଯାଇାଏ । ଏହି ଦିଅଁ ଦର୍ଶନକୁ 'ନବଯୌବନ ଦର୍ଶନ' କୁହାଯାଏ ।

ଏହି ଦିନର ଅନ୍ୟ ଏକ ବିଶିଷ୍ଟ ନୀତି ହେଉଛି ‘ନେତ୍ରୋତ୍ସବ' । ନବଯୌବନ ଦର୍ଶନ ପରେ ଭିତର ପହଁରା ଯାଇ ଚୂନପାଣି ପଡ଼େ । ତିନୋଟି ରୁପା ପିଙ୍ଗଣରେ ଚନ୍ଦନ ଆସିଲେ ପତି ମହାପାତ୍ର ତାହା ସଂସ୍କାର କରିବା ପରେ ଦଇତାପତି ଚନ୍ଦନଲାଗି କରାନ୍ତି । ତା'ପରେ ମଇଲମ ହୋଇ ତିନି ଠାକୁର ନଅଖଣ୍ଡ ଓ ସୁଦର୍ଶନ ଏକ ଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି । ଏହା ପରେ ପତି ମହାପାତ୍ର ଅକ୍ଷତ, କର୍ପୂର ଆଳତି, ସାତବତୀ, ସଞ୍ଜକାହାଳୀ ବନ୍ଦାପନା କରିବା ଉତ୍ତାରେ ଦଉ ମହାପାତ୍ର (୩ଜଣ) ଆସି ତିନୋଟି ରୁପା ବଟାରେ ପୂର୍ବରୁ ପ୍ରସ୍ତୁତ କଳା ଯୋଗାନ୍ତି । ପୂଜାପଣ୍ଡା ତିନିଜଣ ତିନୋଟି କାଠିରେ ଶ୍ରୀନେତ୍ର ଲାଗି କରନ୍ତି । ଏହାକୁ ନେତ୍ରୋତ୍ସବ କୁହାଯାଏ ।

ନେତ୍ରୋତ୍ସବ ନୀତି ପରେ ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ବନ୍ଦାପନା ସମାପନ ପରେ ମୁଦିରସ୍ତ ତିନି ବାଡ଼ରେ ତିନିଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି । ଏହାକୁ ‘ନିଉଛାଳି' କୁହାଯାଏ । ତା'ପରେ ସେ ତିନିବାଡ଼ରେ ରାଜନୀତି କରନ୍ତି । ଏହା ପରେ ଭିତର ପାଣିପଡ଼ି ଯାତ୍ରାଙ୍ଗ ମହାସ୍ନାନ ହୁଏ । ରୋଷରେ ଭୋଗ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଲେ ମହାସ୍ନାନ ହୁଏ । ମହାସ୍ନାନ ଶେଷରେ ଶାନ୍ତିଜଳ ପ୍ରଭୁଙ୍କ ଶ୍ରୀଅଙ୍ଗରେ ସିଞ୍ଚାଯାଏ । ମଇଲମ ପରେ ଶ୍ରୀଅଙ୍ଗରେ ଚନ୍ଦନଲାଗି କରାଯାଏ । ଏହି ଚନ୍ଦନଲାଗିକୁ ‘ସର୍ବାଙ୍ଗ' କୁହାଯାଏ । ସର୍ବାଙ୍ଗ ପରେ ବେଶ ହୁଏ । ଅଣସର ପିଣ୍ଡି ସିଂହାସନ ଧୋପଖାଳ ପରେ ସକାଳ ଧୂପ ଡାକରା ହୁଏ । ଏହି ଭୋଗ ଘଣ୍ଟ, ଛତା, କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ହାତପୈଠ ମଧ୍ୟରେ ଛାମୁକୁ ଆସେ । ଏହି ଦିନର ଗୋପାଳବଲ୍ଲଭ ଭୋଗ ସକାଳ ଧୂପ ସହିତ ହୁଏ । ଏହା ପରବର୍ତ୍ତୀ ଦୈନନ୍ଦିନ ନୀତି କ୍ରମ ଅନୁସାରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ଆନୁଷଙ୍ଗିକ ପାଳନୀୟ ବିଧିବିଧାନ ଆବଶ୍ୟକତା ଅନୁସାରେ ପାଳିତ ହୁଏ । କାରଣ ଯଦି ଅମାବାସ୍ୟା ପ୍ରତିପଦ ସଂଯୁକ୍ତ ହୋଇପଡ଼େ ତେବେ ଦୁଇଦିନରେ ବିଭକ୍ତ ହୋଇ ପାଳିତ ହୋଇଥାଏ ।

ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ତିନିଜଣ ଘଣ୍ଟ, ଛତା, କାହାଳୀ ସହ ରଥ ଖଳା ବା ରଥ ନିର୍ମାଣ ସ୍ଥାନକୁ ଆସନ୍ତି ଓ ଯେଉଁ ବାଡ଼ର ଆଜ୍ଞାମାଳ, ସେହି ବାଡ଼ର ରଥ ଦେହରେ ବାନ୍ଧି ଦିଅନ୍ତି । ଆଜ୍ଞାମାଳ ପାଇବା ପରେ ତିନୋଟି ରଥ ଟଣାହୋଇ ସିଂହଦ୍ୱାର ସାମନାସ୍ଥ ନିର୍ଦ୍ଧାରିତ ସ୍ଥାନରେ ରଖାଯାଏ । ବିଧି ଅନୁସାରେ ରଥ ପ୍ରତିଷ୍ଠା କର୍ମ ହୁଏ । କିନ୍ତୁ ରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାକୁ ରାତି ହୋଇଗଲେ ପ୍ରତିଷ୍ଠା କର୍ମ ପରବର୍ତ୍ତୀ ଦିନ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଦିନ ସକାଳୁ ହୋଇଥାଏ । ରଥ ଦଧିନଉତିର ଉପରି ଭାଗରେ ଖଞ୍ଜା ହେବା ନିମନ୍ତେ ଥିବା କଳସମାନ ଜୟ ବିଜୟ ଦ୍ୱାରରେ ରଖାଯାଇଥାଏ । ସଂଧ୍ୟାଧୂପ ପରେ ଶ୍ରୀଜୀଉଙ୍କ ତିନିବାଡ଼ରୁ ଆଜ୍ଞା ମାଳ ନେଇ ପୂଜାପଣ୍ଡା କଳସମାନଙ୍କରେ ଦିଅନ୍ତି ଓ ତିନିଖଣ୍ଡି ପତନି କଳସମାନଙ୍କରେ ବନ୍ଧାଯାଏ । ତା' ପରେ କୋଠ ସୁଆଁସିଆମାନେ କଳସମାନ ନେଇ ରଥମାନଙ୍କରେ ବାନ୍ଧନ୍ତି । ବଡ଼ସିଂହାର ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାମାନେ ବାହୁଟ ମାପ କରନ୍ତି । ସାକ୍ଷୀଗୋପାଳରୁ ଅଣାଯାଇଥିବା ବଉଳକାଠରେ ବିଶ୍ୱକର୍ମା (ବଢ଼େଇ) ବାହୁଟ ତିଆରି କରିଥାନ୍ତି ଓ ତାମରା ବିଶୋଇ ତହିଁରେ ତମ୍ବା ପତ୍ର ଯୋଡ଼ି ଦିଅନ୍ତି ।

ବାହୁଟ ଲାଗି ଓ ସେନାପଟା ଲାଗି କରାଯାଏ । ଶୁକ୍ଳସଜ ଲାଗି କରାଯାଏ । ଏହିପରି ଭାବରେ ରଥଯାତ୍ରା ପୂର୍ବଦିନର ପ୍ରସ୍ତୁତି ଶେଷ ହୋଇାଥାଏ ।

ଶ୍ରୀଗୁଣ୍ଡିଚା ଯାତ୍ରା
ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିିଥିରୁ ଆରମ୍ଭ ହୁଏ । ଏହି ଯାତ୍ରାର ଅବଧି ପ୍ରକୃତରେ ବାରଦିନ । ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ (ନୀଳାଦ୍ରି ବିଜେ) ପର୍ଯ୍ୟନ୍ତ । ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟାନ୍ୟ ନାମ ହେଲା- ଘୋଷ ଯାତ୍ରା, ରଥ ଯାତ୍ରା, ଆଡ଼ପ ମଣ୍ଡପ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ମହାବେଦୀ ମହୋତ୍ସବ, ଅନ୍ତର୍ବେଦୀ ମହୋତ୍ସବ, ଉତ୍ତରାଭିମୁଖୀ ଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ପତିତପାବନ ଯାତ୍ରା ଇତ୍ୟାଦି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ାକୁ ଏକ ଉତ୍ସବ, ଅର୍ଥାତ ଏକ ରଥୋତ୍ସବ ବିବେଚନା କରାଯାଏ । ଏହା "ତ୍ରି-ଅବୟନା ଯାତ୍ରା' (୧. ଶ୍ରୀଗୁଣ୍ଡିଚା ଯାତ୍ରା, ୨. ମହାବେଦୀରେ ସାତଦିନ ଅବସ୍ଥାନ, ୩. ବାହୁଡ଼ା ଯାତ୍ରା) ।

ସ୍ନାନଯାତ୍ରା ପରି ରଥଯାତ୍ରା ସକାଶେ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ, ବିଭିନ୍ନ ସେବାୟତ ନିଯୋଗମାନଙ୍କର ପରାମର୍ଶକ୍ରମେ ଓ ପରିଚାଳନା କମିଟିର ସ୍ୱୀକୃତିପୂର୍ବକ ଏକ ନୀତି ନିର୍ଘଣ୍ଟ ପୁସ୍ତିକା ପ୍ରକାଶ କରିଥାନ୍ତି । ଏହି ପୁସ୍ତିକା ସଂପୃକ୍ତ ସମସ୍ତ ପକ୍ଷଙ୍କୁ ପୂର୍ବରୁ ବଣ୍ଟନ କରାଯାଇାଏ । ଏଥିରେ ବିଭିନ୍ନ ଦିନର ନୀତି ଓ ତା'ର ସମୟ ସୂଚିତ ହୋଇଥାଏ । ରଥଯାତ୍ରା ଦିନର ନୀତିମାନ କ୍ରମାନ୍ୱୟରେ ହେଲା- ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ବଲ୍ଲଭ ଓ ସକାଳ ଧୂପ (ଖେଚେଡ଼ି ଭୋଗ), ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ ବିଜେ, ଚିତାଲାଗି, ଛେରାପହଁରା, ଚାରମାଳ ଫିଟା ଓ ଘୋଡ଼ା ସାରି ଲାଗିବା, ରଥଟଣା ଆରମ୍ଭ (ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ) ।

ରଥଯାତ୍ରା ଦିନ ବଡ଼ି ଭୋରରୁ ଆଳତି, ଅବକାଶ ଶେଷ ହେବା ପରେ ତିନି ବାଡ଼ର ଦୈନନ୍ଦିନ ବେଶ ହୁଏ । ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ବଢ଼ିବା ବେଳେ ସ୍ନାନବେଦୀ ନିକଟସ୍ଥ ଚାହାଣି ମଣ୍ଡପରେ ଦେଉଳ ପୁରୋହିତଙ୍କ ଦ୍ୱାରା ତିନି ରର ପ୍ରତିଷ୍ଠା ପୂଜା ହୋମ, ବଢ଼ି, ଘଣ୍ଟ, ଛତା କାହାଳୀ ସହ ତିନି ରକୁ ଯାଇ ର ପ୍ରତିଷ୍ଠାର ସଂସ୍କାର ଆଦି କାର୍ଯ୍ୟ କରାଯାଏ । ଭିତରେ ସଂପୃକ୍ତ ସେବକଙ୍କଦ୍ୱାରା ପାଣି ପଡ଼ି, ଟେରା ବନ୍ଧାଯାଇ, ସକାଳ ଧୂପ ଡକାଯିବା ପରେ କେବଳ କୋଠଭୋଗ (ସ୍ୱତ୍ୱଲିପି ପ୍ରକାରେ ବାର କୁଡଅୁ଼ା ଖେଚେଡ଼ି, ପିଠା, ଟାକୁଆ ) ଆସି ଷୋଡ଼ଶ ଉପଚାରରେ ପୂଜା ହୁଏ । ଏହି ଭୋଗରେ ମୁରଜ ପଡେ଼ ନାହିଁ । କାରଣ ଦିଅଁମାନେ ରତ୍ନ ସିଂହାସନ ଛାଡ଼ବା ପରେ ପୁନର୍ବାର ରତ୍ନ ସିଂହାସନକୁ ଫେରଯିବା ପର୍ଯ୍ୟନ୍ତ ମୁରଜ ପଡ଼ବାର ବିଧି ନାହିଁ । ଭୋଗ ସମାପନ ପରେ ପାଣି ପଡେ଼ । ସୁଧ ସୁଆର ତିନି ବାଡ଼ରେ ତିନୋଟି ପିତ୍ତଳ ବଟାରେ ଅଠର ମୂର୍ତ୍ତିି ପାତ୍ରସଜ ନେଇ ମଙ୍ଗଳାର୍ପଣ ଜିନଷି ଠିକଣା କରି ରଖିଥାନ୍ତି । ଏହା ପରେ ତିନବି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦରିସ୍ତ ମଙ୍ଗଳାର୍ପଣ କରନ୍ତି ।


ତାହାପରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ତୂଳୀଲାଗି ବଢେ଼ । ମଇଲମ ବାହାର କରାଯାଇ ଦଇତାପତି ଚାଙ୍ଗଡ଼ା ମେକାପଙ୍କୁ ଦିଅନ୍ତି । ପାଳିଆ ଖୁଣ୍ଟିଆ "ମଣିମା' ଡାକ ଦେଲା ପରେ ଦଇତାପତି ରୁନ୍ଧା ଫିଟାନ୍ତି ଓ ପହଣ୍ଡି ବିଜେ ଆରମ୍ଭ କରନ୍ତି । ଧାଡ଼ି ପହଣ୍ଡି ହୁଏ । ଘଣ୍ଟ, କାହାଳୀ ଓ ବାଜା ବାଜେ ଏବଂ ଛତାର ଛତା ଧରେ । ପ୍ରମେ ସୁଦର୍ଶନ ଠାକୁର ବିଜେ ହୁଅନ୍ତି । ସେ ଜଗମୋହନ ସାତପାହାଚରେ ପହଞ୍ଚିଲେ ବଡ଼ଠାକୁର ବଳଭଦ୍ରଙ୍କ ରୁନ୍ଧା ଫିଟେ । ସେ ସାତପାହାଚ ଦ୍ୱାର ଡେଇଁଲେ ଦେବୀ ସୁଭଦ୍ରାଙ୍କର ଏବଂ ଦେବୀ ସାତ ପାହାଚ ଡେଇଁଲେ ଶ୍ରୀଜଗନ୍ନାଙ୍କର ରୁନ୍ଧା ଫିଟେ । ସାତପାହାଚଠାରେ ପ୍ରତ୍ୟେକ ଠାକୁର ରାଘବ ଦାସ ମଠ ଯୋଗାଇିବା ଟାହିଆ ଲାଗି ହୁଅନ୍ତି । କ୍ରମାନ୍ୱୟରେ ଆନନ୍ଦ ବଜାର, ବାଇଶି ପାହାଚ ଦେଇ ସ୍ୱ ସ୍ୱ ରଥକୁ ବିଜେ ହୁଅନ୍ତି । ସୁଦର୍ଶନ ସୁଭଦ୍ରାଙ୍କ ରରେ ବିଜେ କରନ୍ତି । ତିନିଠାକୁରଙ୍କୁ ଚକା ଅପସରଲାଗି କରାଯାଏ । ତା'ପରେ ରରେ ଠାକୁରମାନଙ୍କର ରୁନ୍ଧା ହୁଏ । ତା'ପରେ ଦକ୍ଷିଣ ଘରୁ ମଦନମୋହନ ଓ ରାମକୃଷ୍ଣଙ୍କୁ ମହାଜନମାନେ ଆଣି ବଟମୂଳେ ପାଲିଙ୍କିରେ ବିଜେ କଲା ପରେ ବିମାନବଡ଼ୁମାନେ ପାଲିଙ୍କିରେ ନେଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସାମନାରେ ଠିଆ କରାନ୍ତି । ମହାଜନେ ସେଠାରୁ ରାମ ଓ କୃଷ୍ଣଙ୍କୁ ଉକ୍ତ ରଥରେ ବିଜେ କରାନ୍ତି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସାମନାକୁ ପାଲିଙ୍କି ନେଇ ସେହି ରଥରେ ମଦନମୋହନଙ୍କୁ ବିଜେ କରାନ୍ତି । ଏହି କାର୍ଯ୍ୟ ପରେ କୋଠ ସୁଆଁସିଆମାନେ ରତ୍ନଭଣ୍ଡାର ଦୁଆରୁ ଦୁଇଟି ବଡ଼ ସିନ୍ଦୁକ (ଗୋଟିଏ ସିନ୍ଦୁକରେ ନଅ ଦିନପାଇଁ ଲୁଗା ଓ ପାଟ ଏବଂ ଅନ୍ୟଟିରେ ଅଳଙ୍କାର) ନେଇ ଶ୍ରୀଜଗନ୍ନାଥଙ୍କ ରଥର ପଛପଟେ ରଖନ୍ତି । ପ୍ରତି ରଥରେ ପୂଜା ଠା' ସାମଗ୍ରୀ, ଥାଳି, ଘଣ୍ଟ, ଗଡ଼ୁ ଇତ୍ୟାଦି ଯଥାସ୍ଥାନରେ ରଖାଯାଏ । ଏହା ଉତ୍ତାରେ ଲେଙ୍କା ଓ ପାଇକ, ଘଣ୍ଟ, ଛତା ଓ କାହାଳୀ ସହ ବଣିଆ ସେବକଙ୍କ ଘରକୁ ଯାଇ ତିନିବାଡ଼ର ସୋଲ ଚିତା (ମଝିରେ ସୁନା ଓ ପର ଥାଇ) ଆଣନ୍ତି । ଚିତାଲାଗି ପରେ ମାଳଫୁଲ ଲାଗି କରାଯାଏ ।

ଏହାର ପରବର୍ତ୍ତୀ ଆକର୍ଷଣୀୟ ନୀତି ହେଲା ଗଜପତି ମହାରାଜାଙ୍କଦ୍ୱାରା ତିନି ରଥରେ ଛେରା ପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ ଉଠନ୍ତି । ସେ ଦଣ୍ଡପ୍ରଣାମ କରି ହାତୁଆଣି ନେଇ (ହାତଧୋଇ) ନିଉଛାଳି ହୋଇ ପୁଷ୍ପାଞ୍ଜଳି ଦିଅନ୍ତି । ରାଜା ତା'ପରେ ସୁନା ଦାନିରେ କର୍ପୂର ଆଳତି କରି, ସୁନା ଚାମର ଆଳତି କରନ୍ତି । ତାପରେ ରଥର ସିଂହାସନରୁ ଓହ୍ଲେଇ ଛେରାପହଁରାକରନ୍ତି । ରାଜଗୁରୁ ସୁନାଖଡ଼ିକା ସଂସ୍କାର କରି ରାଜାଙ୍କ ହାତକୁ ବଢେ଼ଇ ଦିଅନ୍ତି । ଭଣ୍ଡାର ମେକାପ ରଥର ଚାରି ପାଖରେ ବୁଲି ଧଳାଫୁଲ ଆଗରେ ପକାନ୍ତି, ରାଜା ଚାରି ପାଖରେ ବୁଲି ପହଁରା କରନ୍ତି । ପହଁରା ପରେ ରଥର ଚାରିପଟେ ସଂସ୍କାର କରାଯାଇିବା ଚନ୍ଦନପାଣି ଓ ଚନ୍ଦନ ଗୁଣ୍ଡ ଛିିଞ୍ଚନ୍ତି । ଏହିପରି ଭାବରେ ତା'ପରେ ଶ୍ରୀଜଗନ୍ନାଥଙ୍କ ରଥ ଓ ଦେବୀଙ୍କ ରଥରେ ଛେରାପହଁରା ନୀତି ହୁଏ ।

ଛେରାପହଁରା ନୀତି ପରେ ଗଜପତି ମହାରାଜା ନଅରକୁ ଫେରିଯା'ନ୍ତି । ତିନି ରଥର ଚାରମାଳ (ରଥକୁ ଚଢ଼ିବା ନିମନ୍ତେ ପଡ଼ିିଥିବା କାଠପଟା) ଖୋଲାଯାଏ ଏବଂ ସାରଥି ଓ ଘୋଡ଼ା ଯୋଚାଯାଏ । ଏହା ଭୋଇ ସେବକମାନେ କରନ୍ତି । ଏହା ପରେ ରଥମାନଙ୍କରେ ଦଉଡ଼ି ବନ୍ଧାଯାଏ । ରଥମାନଙ୍କୁ ପୋଲିସଦ୍ୱାରା କର୍ଡନ କରାଯାଏ । ରଥମାନଙ୍କ ଉପରେ ସଂପୃକ୍ତ ସେବକମାନେ, ଡାହୁକ, ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିଥାନ୍ତି । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇ ଗୁଣ୍ଡିଚା ଘର ଅଭିମୁଖେ ଯାଏ । ବାଟରେ କେତେକ ମଠବାଡ଼ିର ପନ୍ତି ଭୋଗ ହୁଏ ।
ସଂଧ୍ୟା ହୋଇଗଲେ ସାଧାରଣତଃ ରଥଟଣା ବନ୍ଦ ରଖାଯାଏ । ରଥମାନ ଗୁଣ୍ଡିଚା ଦାଣ୍ଡ (ଗୁଣ୍ଡିଚା ମନ୍ଦିର ସାମନା ନିର୍ଦ୍ଧାରିତ ସ୍ଥାନ)ରେ ପହଞ୍ଚିବା ପରେ କିମ୍ବା ବାଟରେ ଯେଉଁଠି ରହନ୍ତି ସେଠାରେ ଠାକୁରମାନେ ମହାସ୍ନାନ ହୋଇ ନୂଆ ବୋଇରାଣୀ ଲୁଗାଲାଗି ହୋଇ ସର୍ବାଙ୍ଗ ଓ ବେଶ ହୁଅନ୍ତି । ବେଶ ପରେ ମଧ୍ୟାହ୍ନ ଧୂପଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତି ହୁଏ । ରଥ ଉପରେ କେବଳ ଶୁଖିଲା ଭୋଗ ହୁଏ । ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ପକାଇ ପାଳିଆ ପୁଷ୍ପାଳକମାନେ ଚାଲିଯାଆନ୍ତି । ରଥର ସାମନାରେ ପରଦା ବନ୍ଧାଯାଏ । ତିନିରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାର ପରବର୍ତ୍ତୀ ଦିନ ସଂଧ୍ୟାରେ ଗୁଣ୍ଡିଚାମନ୍ଦିରକୁ ପହଣ୍ଡିବିଜେ ଆରମ୍ଭ ହୁଏ । ସଂଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ବିଜେ କରାଯାଏ । ବିଜେ କାହାଳୀ ବାଜିବା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି କରାଯାଏ । ମହାଜନମାନେ ଆଗରେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ନେଇ ଗୁଣ୍ଡିଚା ଘର ଭଣ୍ଡାର ଘର ସିଂହାସନ ଉପରେ ବିଜେ କରାନ୍ତି । ଏହାପରେ ଦଇତାମାନେ ସୁଦର୍ଶନଙ୍କୁ ବିଜେ କରାଇ ଆଣି ରତ୍ନ ସିଂହାସନ ଚାରତଳେ ବିଜେ କରାନ୍ତି । ତା'ପରେ ସେମାନେ ମଇଲମ କରି, ରୁନ୍ଧା ଫିଟାଇ ତିନିଠାକୁରଙ୍କୁ କ୍ରମରେ ବିଜେ କରାନ୍ତି । ଚାର ଉପରେ ରାଘବ ଦାସ ମଠ ଯୋଗାଇଥିବା ଟାହିଆ ଲାଗି କରାଯାଏ । ପତିମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ଧଣ୍ଡି ଓ ଚନ୍ଦନ ଲାଗି କରନ୍ତି । କର୍ପୂର ଆରତି, ଦୂର୍ବାକ୍ଷତ, ସାତବତି, ସଂଜକାହାଳୀ ବନ୍ଦାପନା କରନ୍ତି ଓ ବିଡ଼ିଆ ମଣୋହି କରନ୍ତି । ଛାମୁଖୁଣ୍ଟିଆଙ୍କ ମଣିମା ଡାକ ଭିତରେ ଘଣ୍ଟ କାହାଳୀ ବାଜି ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରାଯାଏ । ଯିବା ବାଟରେ ପନ୍ତି ଭୋଗ ହୁଏ ।

ଗୁଣ୍ଡିଚା ଘରେ ଠାକୁରମାନେ ସିଂହାସନରେ ବିଜେ ହେବା ପରେ ଦଇତାପତିମାନେ ରୁନ୍ଧାକାର୍ଯ୍ୟ କରନ୍ତି । ତା'ପରେ ତିନିବାଡ଼ରେ ସର୍ବାଙ୍ଗ ଲାଗି ଓ ବନ୍ଦାପନା କରି ଏବଂ ଶ୍ରୀମୁଖ ଖଣ୍ଡୁଆ ପକାଇ ପତି ମହାପାତ୍ର ଓ ଦଇତାମାନେ ଚାଲିଆସନ୍ତି । କୋଠ ସୁଆଁସିଆମାନେ ଭିତରକୁ ଯାଇ ପହଣ୍ଡିପାଇଁ ପଡ଼ିିଥିବା ଚାର ଫିଟାନ୍ତି । ଚାର ଫିଟାଇବା ପରେ ଦଇତାମାନେ ସୁଦର୍ଶନଙ୍କୁ ସିଂହାସନ ଉପରକୁ ବିଜେ କରାନ୍ତି । ଭିତରେ ଧୋପଖାଳ ହୋଇ ଚୂନପାଣି ପଡ଼ିବା ପରେ ସୁଧସୁଆର ତିନିବାଡ଼ରେ ମହାସ୍ନାନ ପୂଜା ଠା' କରନ୍ତି । ତିନିଜଣ ପୂଜାପଣ୍ଡା ମହାସ୍ନାନ ପୂଜା କରନ୍ତି । ତା'ପରେ ପୁଷ୍ପାଳକ ତିନିଜଣ ମଇଲମ ଓ ମାଳଫୁଲ ଲାଗି କରନ୍ତି । ଏ ସମୟକୁ ପ୍ରାୟ

ଭୋର ହୋଇଯାଇଥାଏ । ରାତି ପାହିବା ପରେ ମଙ୍ଗଳ ଆଳତି ଇତ୍ୟାଦି ଦୈନନ୍ଦିନ ନୀତି ଗୁଣ୍ଡିଚା ଘରେ କ୍ରମାନ୍ୱୟରେ ସଂପାଦିତ ହୁଏ । କିନ୍ତୁ ଏଠାରେ ଗୋପାଳ ବଲ୍ଲଭ ଭୋଗ ସର୍ପମଣୋହିରେ ପୂଜା ହୁଏ । ବାହୁଡ଼ା ପର୍ଯ୍ୟନ୍ତ ଭୋଗମଣ୍ଡପ ପରେ ଦୈନିକ ମହାସ୍ନାନ, ସର୍ବାଙ୍ଗ ଓ ନୂଆ ଲୁଗା ଲାଗି କରାଯାଏ ।

ହେରାପଞ୍ଚମୀ ଏହି ନୀତି ରଥଯାତ୍ରାର ପଞ୍ଚମ ଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀରେ ପାଳିତ ହୁଏ । ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି । ତା’ ପରେ ବନକ ଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ । ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରନ୍ତି । ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି । ବିମାନବଡ଼୍ରୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି । ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି । ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି । ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି । ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାରଠାକୁ ଆସିଥାନ୍ତି । ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି । ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ । ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି । ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ । ସେବକଙ୍କ ଭିତରୁ ଜଣେ ରଥର କାଠ ଖଣ୍ଡିଏ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି ।

ଶ୍ରୀଗୁଣ୍ଡିଚା ଦିନଠାରୁ ଆଡ଼ପ ମଣ୍ଡପ (ଗୁଣ୍ଡିଚା ଘରେ) ଦିଅଁମାନଙ୍କ ଅବସ୍ଥାନ କାଳରେ ତିନି ରଥରେ ଧ୍ୱଜ ପୂଜା ହୁଏ । ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥି ଦିନରେ ଏଠାରେ 'ରାହାସ’ ନୀତି ହୁଏ । ପ୍ରତ୍ୟହ ଏହି ତିନିଦିନ ସଂଧ୍ୟାଧୂପ ପରେ ମଦନମୋହନ ଜଗମୋହନରେ ସିଂହାସନ ଉପରେ ବିଜେ କରନ୍ତି । ସେଠାରେ ତାଙ୍କୁ ପୂଜାପଣ୍ଡା ସର୍ପା ମଣୋହିରେ କୋରା ଭୋଗ କରନ୍ତି । ଭୋଗ ପରେ ବନ୍ଦାପନା କରାଯାଏ ।

ହେରାପଞ୍ଚମୀ ପରଦିନ ଅର୍ଥାତ୍ ସପ୍ତମୀ ତିଥିରେ ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ଘଣ୍ଟ, ଛତା, କାହାଳୀ ସହ ତିନି ରଥରେ ପହଞ୍ଚି ଲାଗି ହୁଏ । ତା'ପରେ ରଥମାନଙ୍କର ଦକ୍ଷିଣ ମୋଡ଼ ହୁଏ । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ବଳଭଦ୍ରଙ୍କ ରଥ ଓ ଶେଷରେ ଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସାମନାରେ ତିନି ରଥକୁ ଦକ୍ଷିଣାଭିମୁଖରେ ସମାନ ଭାବରେ ସଜାଇ ରଖାଯାଏ ।

୧୨୨ । ଶ୍ରୀଜଗନ୍ନାଥ

ନବମୀ ତିଥିରେ ଗୁଣ୍ଡିଚା ଘରେ ‘ସଂଧ୍ୟା ଦର୍ଶନ ହୁଏ । ସେଦିନର ସଂଧ୍ୟାକାଳୀନ ଦର୍ଶନ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ଶେଷ ଦର୍ଶନ ହୋଇଥିବାରୁ ଏ ଦର୍ଶନର ନାମ ସଂଧ୍ୟ ଦର୍ଶନ ଓ ଏହି ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ମନେ କରାଯାଏ । ସୁତରାଂ ଦର୍ଶନପାଇଁ ପ୍ରବଳ ଜନସମାଗମ ହୋଇଥାଏ । ଏହି ଦିନ ବଡ଼ସିଂହାର ଭୋଗ ଶେଷ ପରେ ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ବାହୁଟ କଣ୍ଟ କରାଯାଏ। ରଥଯାତ୍ରା ପୂର୍ବଦିନ ରାତିରେ ଶ୍ରୀମନ୍ଦିରରେ ଯେଉଁ ନୀତିରେ ହୋଇଥାଏ, ଏହା ସେହି ନୀତିରେ ହୁଏ । କୋଠ ସୁଆଁସିଆମାନେ ଚାର ବାନ୍ଧନ୍ତି । ତା’ ପରେ କୁସୁମି ଲାଗି ହୁଏ ।

ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରକାଶ କରିଥାନ୍ତି । ଏ ଦିନର ନୀତିମାନ ହେଲା ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ଖେଚେଡ଼ି ଭୋଗ, ସେନାପଟା ଲାଗି, ମଙ୍ଗଳାର୍ପଣ, ବାହୁଡ଼ା ପହଣ୍ଡି, ଛେରା ପହଁରା, ଚାର ଫିଟିବା, ଘୋଡ଼ା ସାରଥି ଲାଗିବା, ରଥଟଣା ଆରମ୍ଭ (ରଥଟଣା ଶେଷ ପରେ ଅନ୍ୟାନ୍ୟ ନୀତି ହେବ) ।

ବାହୁଡ଼ା ଦିନ ପୁଷ୍ପାଳକ ଓ ଭିତରଚ୍ଛ ମହାପାତ୍ର ମଙ୍ଗଳ ଆଳତି, ଅବକାଶ କରନ୍ତି । ରୋଷରେ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ହୋଇ ସକାଳ ଧୂପ (ଖେଚେଡ଼ି ଭୋଗ) ସାଙ୍ଗରେ ବଲ୍ଲଭ ଭୋଗ ଏକତ୍ର ଷୋଡ଼ଶ ଉପଚାରରେ ମଣୋହି ହୁଏ । ତା'ପରେ ଦଇତାମାନେ ସେନାପଟାଲାଗି କରନ୍ତି । ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ମୁଦିରସ୍ତ ଡୋରଲାଗି, ପୁଷ୍ପାଞ୍ଜଳି କଲା ପରେ ବିଜେ କାହାଳୀ ବାଜେ ଓ ଧାଡ଼ି ପହଣ୍ଡି ଆରମ୍ଭ ହୁଏ । ଜଗମୋହନ ଦ୍ବାରରେ ରାଘବ ଦାସ ମଠ ଦେଇଥିବା ଟାହିଆ ଲାଗି ହୁଏ । ଶ୍ରୀଗୁଣ୍ଡିଚା ଦିନ ପରି ପହଣ୍ଡି, ଟାହିଆଲାଗି, ତୁଳୀଲାଗି, ପତି ମହାପାତ୍ରଙ୍କଦ୍ବାରା ବନ୍ଦାପନା, ବିଡ଼ିଆ ମଣୋହି ଇତ୍ୟାଦି ନୀତି ହୁଏ । ଚାରି ଠାକୁର ଯେ ଯାହା ରଥରେ ଅବସ୍ଥାନ କଲା ପରେ ଓ ରୁନ୍ଧା ହେବା ପରେ ମହାଜନମାନେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ନେଇ ଶ୍ରୀଗୁଣ୍ଡିଚା ଦିନ ବସାଇଲା ପରି ରଥରେ ବିଜେ କରାନ୍ତି । ଏହାପରେ ରାଜା ଶୋଭାଯାତ୍ରାରେ ଆସି ପ୍ରତ୍ୟେକ ରଥରେ ଛେରା ପହଁରା କରନ୍ତି । ତାହା ଶେଷ ହେଲେ ରଥରୁ ଚାରମାଳ ଫିଟାଯାଏ । ଘୋଡ଼ା ସାରଥି ଯୋଚା ଯାଏ । ଦଉଡ଼ି ବନ୍ଧା ଯାଏ । ଘଣ୍ଟ, ମାଦଳ, କାହାଳୀ ବାଜି ବଳଭଦ୍ରାଦି କ୍ରମରେ ରଥ ଟଣା ହୁଏ । ବଡ଼ ଶଙ୍ଖ ଯାଏ ବଳଭଦ୍ରଙ୍କ ରଥ ଟଣା ହେବା ପରେ ସୁଭଦ୍ରାଙ୍କ ରଥ ଓ ସେହିପରି ଶେଷରେ ଜଗନ୍ନାଥଙ୍କ ରଥ ଟଣାଯାଏ । ରଥ ଉପରେ ଦେବଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ଓ ପାପତାପସଂହାରକ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

ଉତ୍ତରାଭିମୁଖେ ଜାତେ ତଥା ଦକ୍ଷିଣଦିଡ୍ଂମୁଖେ ।
ରଥତ୍ରୟେ ଜନୋଯୟୁ ଭକ୍ତି ଶ୍ରଦ୍ଧାନ୍ବିତଃ ପରମ୍ ।। ୧୧୬ ||
ରାମ୍ୟକୃଷ୍ଣ ସୁଭଦ୍ର୍ୟ ଚ ପଶେନ୍ସାଙ୍ଗେ ରଥେ ସ୍ଥିତମ୍ ।
ପଦେ ପଦେ ଶ୍ବମେଧାନ୍ୟ ଫଳ ପ୍ରାପ୍ୟ ମହୀତଳେ । ୧୧୭ ||

(ନୀଳାଦ୍ରି ମହୋଦୟଃ, ୧୬ଶ ଅଧ୍ୟାୟ)
 
ଶ୍ରୀଜଗନ୍ନାଥ । ୧୨୩
 
(ମହାପ୍ରଭୁ ଉତ୍ତରାଭିମୁଖ ହୋଇ ଶ୍ରୀଗୁଣ୍ଡିଚା ଏବଂ ଦକ୍ଷିଣାଭିମୁଖ ହୋଇ ବାହୁଡ଼ାଯାତ୍ରାରେ ତିନି ରଥରେ ବଡ଼ ଦାଣ୍ଡରେ ଯାଉଥିବା ସମୟରେ ଭକ୍ତି ଓ ଶ୍ରଦ୍ଧା ସହକାରେ ଯେଉଁ ପରମ ଭକ୍ତଗଣ ରଥସ୍ଥିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରନ୍ତି ସେମାନେ ସଂସାରରେ ପ୍ରତିପଦରେ ଅଶ୍ୱମେଧ ଯଜ୍ଞାନୁଷ୍ଠାନର ଫଳ ଲାଭ କରନ୍ତି ।)

। ବଳଭଦ୍ର ଠାକୁର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇ ସିଂହଦ୍ୱାର ପାର୍ଶ୍ବ ନିର୍ଦ୍ଧାରିତ ସ୍ଥାନକୁ ଆସେ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ବାଟରେ ମାଉସୀମା' ମନ୍ଦିର ପାଖରେ ରହେ । ଉକ୍ତ ଦେଉଳ ତରଫରୁ ଛେନାପୋଡ଼ପିଠା ଶ୍ରୀଜଗନ୍ନାଥଙ୍କୁ ଭୋଗ ହୁଏ । ସେଠାରୁ ମହାପ୍ରଭୁଙ୍କ ରଥ ଆସି ରାଜାଙ୍କ ନିଅର ପାଖରେ ରହେ । ଏହି ସମୟରେ ଶ୍ରୀମନ୍ଦିରରେ ଲକ୍ଷ୍ମୀ ପାଟ ପିନ୍ଧି, ମାଳଫୁଲ ବେଶ ହୋଇ ମହାଜନଙ୍କଦ୍ୱାରା ହାତରେ ବିଜେ ହୋଇ ସାତ ପାହାଚ ଦୁଆରରେ ଥିବା ପାଲିଙ୍କିରେ ବିଜେ କରନ୍ତି । ବିମାନବଡ଼ମାନେ ପାଲିଙ୍କି ନେଇ ଆନନ୍ଦବଜାରସ୍ଥ ଚାହାଣି ମଣ୍ଡପରେ ଠିଆ କରାନ୍ତି । ସେଠାରେ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥକୁ ଚାହାନ୍ତି । ଏହା ପରେ ବିମାନବଡ଼ମାନେ ପାଲିଙ୍କି ନେଇ ଘଣ୍ଟ, ଛତା ଓ କାହାଳିଆ ସହ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଆନ୍ତି । ସେଠାରେ ଦହିପଟି ମଣୋହି ହୁଏ । ଏହି ସମୟରେ ରାଜା ସେଠାରେ ବିଜେ ହୋଇଥାନ୍ତି । ମଣୋହି ପରେ ବିମାନବତ୍‌ମାନେ ବିମାନ ( ପାଲିଙ୍କି) କାଇଁ ରଥ ଚାରିପାଖରେ ଏକ ବେଢ଼ା ବୁଲାନ୍ତି । ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି । ଏହା ପରେ ରଥ ସିଂହଦ୍ୱାର ନିକଟକୁ ଆସେ । ତିନି ରଥରେ ଶୁଖିଲା ଭୋଗ ମଧ୍ୟାହ୍ନ ଧୂପଠାରୁ ଆରମ୍ଭ ହୋଇ ଅବଶିଷ୍ଟ ଦୈନନ୍ଦିନ ନୀତି ରଥରେ କରାଯାଇ ପହୁଡ଼ ହୋଇଥାଏ ।

ଏକାଦଶୀ ନୀତି : ସୁନାବେଶ ଓ ଶୟନଠାକୁର ବିଜେ

ଏହି ତିଥିରେ ତିନି ରଥରେ ତିନିଠାକୁରଙ୍କର ଏକ ଆକର୍ଷଣୀୟ ବେଶ ହେଉଛି ରାଜବେଶ । ଏହା ମଧ୍ୟାହ୍ନ ଧୂପ ପରେ ହୁଏ । ସବୁ ରାଜବେଶ ହେଉଛି ସୁନାବେଶ । କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ । ଏହି ବେଶ ଦେଖିବାକୁ ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଭକ୍ତ ସିଂହଦ୍ୱାର ନିକଟରେ ଜମା ହୁଅନ୍ତି । ପ୍ରାଶାସନିକ କର୍ତ୍ତୁପକ୍ଷ ଓ ପୋଲିସ ପ୍ରଶାସନ ବାରିକେଡ୍‌ ନିର୍ମାଣ କରାଇ ଯଥେଷ୍ଟ ସଂଖ୍ୟକ ଆରକ୍ଷୀ ବନ୍ଦୋବସ୍ତ କରାଇ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରନ୍ତି । (ରାଜବେଶ । ସୁନାବେଶ ସଂପର୍କରେ ଅଧିକ ତଥ୍ୟ ‘ବେଶ ଅଧ୍ୟାୟରେ ପ୍ରଦାନ କରାଯାଇଛି ।)

ଏହି ଏକାଦଶୀର ଅନ୍ୟ ନାମ ବଡ଼ ଏକାଦଶୀ ବା ହରିଶୟନ ଏକାଦଶୀ । ରଥ ଉପରେ ବଡ଼ସିଂହାର ଭୋଗ ପରେ ମହାସ୍ନାନ ଓ ପୂଜା ପା’ ହେଲା ପରେ ଭଣ୍ଡାର ମେକାପ ଭଣ୍ଡାର ଘରୁ ତିନିମୃଉଁ ଶୟନଠାକୁରଙ୍କୁ ତିନି ରଥକୁ ବିଜେ କରାନ୍ତି । ଯଥା: ବଡ଼ବାଡ଼ (ବଳଭଦ୍ର) - ବାସୁଦେବ ମଝିବାଡ଼ (ସୁଭଦ୍ରା) - ଭୁବନେଶ୍ୱରୀ ମହାପ୍ରଭୁଙ୍କ ବାଡ଼ (ଜଗନ୍ନାଥ) - ନାରାୟଣ

୧୨୪ ଶ୍ରୀଜଗନ୍ନାଥ ଏହି ଦିଅଁମାନେ ଶ୍ରୀଅଙ୍ଗକୁ ଲାଗି ହେବା ପରେ ତିନିଜଣ ପୂଜାପଣ୍ଡା ମହାସ୍ନାନ ବଢ଼ାନ୍ତି । ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗାଲାଗି ଓ ମାଳଫୁଲଲାଗି ହୁଅନ୍ତି । ତା’ପରେ ପାଣି ପଡ଼ି ଟେରା ବନ୍ଧାଯାଏ । ପାଳିଆ ପଢ଼ିଆରୀ ( ପ୍ରତିହାରୀ) ତଳିଚ୍ଛ ମହାପାତ୍ର ଓ ପ୍ରଧାନୀ ଘଣ୍ଟ, ଛତା ଓ କାହାଳୀ ସହ ବଲ୍ଲଭ ବଡ଼ସିଂହାର ଭୋଗ ରଥ ଉପରକୁ ଆଣନ୍ତି । ବଡ଼ସିଂହାର ଭୋଗ ଶେଷ ହେବା ପରେ ଯଦି ଅଧିକା ଭୋଗ ହୁଏ ତାହାକୁ ‘ବଲ୍ଲଭ ବଡ଼ସିଂହାର' ଭୋଗ କହନ୍ତି । ଏହି ଭୋଗ ଷୋଡ଼ଶ ଉପଚାରରେ ପୂଜାପଣ୍ଡା ପୂଜା କରନ୍ତି । ଏହା ପରେ କର୍ପୂର ଆଳତି ହୁଏ । ତିନିଜଣ ପୂଜାପଣ୍ଡା ତିନି ରଥରୁ ବିଜେ ହୋଇଥିବା ଶୟନ ଠାକୁରଙ୍କୁ ଧରି ଶ୍ରୀମନ୍ଦିର ସାତ ପାହାଚ, ଜଗମୋହନ ଦେଇ ଭଣ୍ଡାର ଘର ଦୁଆରକୁ ନିଅନ୍ତି । ତା'ପରେ ଶୟନଠାକୁରଙ୍କୁ ଶୟନ ଘରେ ଶେଯ ମାଣ୍ଡିରେ ଶୟନ କରାନ୍ତି । ମୁଦିରସ୍ତ ପ୍ରସାଦଲାଗି, ଆରତି ଓ ବନ୍ଦାପନା କରନ୍ତି । ପରେ ଶୟନ ଘର ଦ୍ୱାରକୁ ତଡ଼ାଉକରଣ ମୁଦ ଦିଅନ୍ତି ।

ଦ୍ୱାଦଶୀ ନୀତି: ଅଧରପଣା ଓ ଗରୁଡ଼ ଶୟନ ମଧ୍ୟାହ୍ନ ଧୂପ ସମାପନ ପରେ ରଥ ଉପରେ ତିନି ଦିଅଁଙ୍କୁ ଅଧରପଣା ଭୋଗ ହୁଏ । ରାଘବ ଦାସ ମଠ, ଓଡ଼ିଆ ମଠ ଓ ଷ୍ଟେଟ୍ ( ଶ୍ରୀମନ୍ଦିର ପ୍ରଶାସନ) ତରଫରୁ ଗୋଟିଏ ଗୋଟିଏ ପ୍ରତି ରଥରେ ତିନୋଟି, ଦିଅଁଙ୍କ ଅଧରକୁ ପାଇବା ପରି ଉଚ୍ଚ ଥିବା ତୁମ୍ଭ ଭଳି ମାଟି ହାଣ୍ଡିରେ ପଣା ଢ଼ଳାଯାଇ ଭୋଗ ହୁଏ । ସାବି, ଛେନା, କଦଳୀ, କ୍ଷୀର ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥାଏ । ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରନ୍ତି । ଭୋଗ ପରେ ରଥା ଉପରେ ପଣାହାଣ୍ଡି ଭଙ୍ଗାଯାଏ ।

ଶ୍ରୀମନ୍ଦିରର ଅଧିକାର-ଅଭିଲେଖ (ରେକର୍ଡ଼ ଅଫ୍ ରାଇଟ୍‌ସ୍)ରେ ଉଲ୍ଲେଖ ଅଛି ଯେ, ଏକାଦଶୀ ଦିନ ରାଘବ ଦାସ ମଠ ଓ ଓଡ଼ିଆ ମଠ ତରଫରୁ ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ ହୁଏ ଏବଂ ଦ୍ୱାଦଶୀ ଦିନ ପହଣ୍ଡି ପୂର୍ବରୁ ରାଜା-ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ଅଧରପଣା ଭୋଗ ହୁଏ । କିନ୍ତୁ ଅନେକ ବର୍ଷ ହେଲା କେବଳ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ କରାଯାଉଛି । ଦ୍ୱାଦଶୀ ଦିନ ଦିଅଁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁ ନାହାନ୍ତି । ଅର୍ଥାତ୍ ଉକ୍ତ ଦିନ ନୀଳାଦ୍ରି ବିଜେ କରାଯାଉ ନାହିଁ । ଦ୍ୱାଦଶୀ ଦିନ ଅଧରପଣା ଭୋଗ ପରେ ତ୍ରୟୋଦଶୀ ଦିନ ନୀଳାଦ୍ରିବିଜେ ହେଉଅଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୧୯୮୭ ମସିହାରେ ଅଧରପଣା ନୀତି ଦୁଇ ଦିନରେ ହୋଇଥିଲା । ଅପରିହାର୍ଯ୍ୟ କାରଣରୁ ପ୍ରଥମ ଦିନ ଷ୍ଟେଟ୍ ତରଫରୁ ଓ ଦ୍ବିତୀୟ ଦିନ (ଅର୍ଥାତ୍ ତ୍ରୟୋଦଶୀ ଦିନ) ଦୁଇମଠ ତରଫରୁ ଅଧରପଣା ଭୋଗ କରାଯାଇଥିଲା । ଫଳରେ ତ୍ରୟୋଦଶୀ ଦିନ ନୀଳାଦ୍ରିବିଜେ ହୋଇ ନପାରି ଚତୁର୍ଦ୍ଦଶୀ ଦିନ ନୀଳାଦ୍ରି ବିଜେ ହୋଇଥିଲା । ପରମ୍ପରା ଅନୁସାରେ ନବକଳେବର ରଥଯାତ୍ରାର ଦିନେ ପରେ ଅର୍ଥାତ୍ ତ୍ରୟୋଦଶୀ ପରଦିନ ଚତୁର୍ଦ୍ଦଶୀରେ ନୀଳାଦ୍ରି ବିଜେ କରାଯାଉଛି ।

ଶ୍ରୀଜଗନ୍ନାଥ । ୧୨୫ ଅଧରପଣା ଓ ଗରୁଡ଼ ଶୟନ ନୀତି ଦ୍ୱାଦଶୀରେ ପାଳନ କରାଯାଉଛି । ସଂଧ୍ୟାଧୂପ ପରେ ଗରୁଡ଼ସ୍ତମ୍ଭ ପାଖରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ମହାସ୍ନାନ ସାମଗ୍ରୀ ସୁଧସୁଆର ପୂଜା ଠା' କରିବା ପରେ ଜଣେ ପୂଜାପଣ୍ଡା ମହାସ୍ନାନ କରାନ୍ତି । ତା’ପରେ ଶୀତଳ ଭୋଗ କରି ଆଳତି ଓ ବନ୍ଦାପନା କରନ୍ତି । ଏଥିପୂର୍ବରୁ ‘ହରିଙ୍କ ଶୟନ' ପଲଙ୍କ ଅର୍ଥାତ୍ ପୂର୍ବରୁ ଶୋଇଥିବା ପ୍ରଭୁଙ୍କ ପଲଙ୍କ ତଳେ ଶୋଇବାପାଇଁ ଗରୁଡ଼ଙ୍କୁ ପ୍ରାର୍ଥନା କରାଯାଇ ଶୟନ ଯାତ୍ରା ଶେଷ କରାଯାଏ ।

ତ୍ରୟୋଦଶୀ ନୀତି : ନୀଳାଦ୍ରି ବିଜେ ସଂଧ୍ୟା ଧୂପ ଶେଷ ପରେ ବିଜେ କାହାଳୀ, ବାଜି ପହଣ୍ଡି (ଗୋଟି ପହଣ୍ଡି) ଆରମ୍ଭ ହୁଏ । ଗୁଣ୍ଡିଚା ଘରକୁ ଯେଉଁପରି ପହଣ୍ଡି ହୋଇଥାଏ ସେହିପରି ହୁଏ । ରାଘବ ଦାସ ମଠ ଟାହିଆ ଯୋଗାନ୍ତି । ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୋଇଥାଏ । ସୁଦର୍ଶନଙ୍କ ବିଜେ ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ଆସନ୍ତି । ଆସିଲା ବେଳେ ଶୁଆଶାରୀ ଦେଉଳଠାରେ ପତି ମହାପାତ୍ର ଘସା ବିଡ଼ିଆ ମଣୋହି ଓ ବନ୍ଦାପନା କରନ୍ତି । ଜଗମୋହନଠାରେ ମଧ୍ୟ ସେହିପରି ନୀତି ହୁଏ । ପ୍ରଭୁ ଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇଲେ ଲକ୍ଷ୍ମୀଠାକୁରାଣୀ ମହାଜନ ହାତରେ ବିଜେ ହୋଇ ଭେଟ ମଣ୍ଡପଠାରେ ଖଟଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥାଆନ୍ତି । ରଥରେ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ହେଲେ ଦେବୀ ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରନ୍ତି । ତା'ପରେ ଦେବୀ ଭଣ୍ଡାର ଘରକୁ ବିଜେ କରନ୍ତି । ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପୂର୍ବରୁ ଦରଜା ବନ୍ଦ କରାଯାଏ ଓ ସେ ସିଂହଦ୍ୱାରକୁ ଆସିଲେ, ତାହା ଫିଟାଇ ଦିଆଯାଏ । ଦେବୀଙ୍କ ସହିତ ଆସିବା ଓ ସିଂହଦ୍ୱାର ବନ୍ଦ କାର୍ଯ୍ୟ ପୂର୍ବେ ଦେବଦାସୀ କରୁଥିଲେ । ଦେବଦାସୀ ସେବା ଏବେ ଆଉ ପ୍ରଚଳନ ହେଉନାହିଁ । ଶ୍ରୀଜଗନ୍ନାଥ ଭିତରକୁ ବିଜେ ବେଳେ ଜୟବିଜୟ ଦ୍ୱାର ବନ୍ଦ ଥାଏ । ଦଇତା ଓ ଭିତରପଟେ ଦେବଦାସୀ ମଧ୍ୟରେ ବଚନିକା ହୁଏ । ତା'ପରେ ଉକ୍ତ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାରକୁ ମୁହଁକରି ଭଣ୍ଡାର ଦ୍ୱାରଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଶରେ ବିଜେ ହେଲେ ରୁକ୍ମିଣୀ ବିବାହକାଳୀନ ଗଇଁଠାଳ ଭିତରଚ୍ଛ ଫିଟାଇ ଦିଅନ୍ତି । ବନ୍ଦାପନା ଓ ଭୋଗ, ରସଗୋଲା ଭୋଗ ହୁଏ । ଘସା ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରନ୍ତି ।

ରଥଯାତ୍ରା କାଳ ଏହିପରି ପରିସମାପ୍ତ ହୁଏ । ପରବର୍ତ୍ତୀ ଦିନଠାରୁ ସାଧାରଣ ଦୈନନ୍ଦିନ ନୀତି ହୁଏ ।

(୧୯୯୩ ମସିହାରେ ଭିତରଗାଆଣୀ ଦେବଦାସୀ କୋକିଳପ୍ରଭାଙ୍କ ଦେହାନ୍ତ ପରେ ନୀଳାଦ୍ରି ବିଜେ ଦିନ ଦେବଦାସୀ ସେବା ଏବେ ହେଉ ନାହିଁ । ସିଂହଦ୍ୱାର ଓ ଜୟବିଜୟ ଦ୍ୱାର, ସଂପୃକ୍ତ ପ୍ରତିହାରୀ ଓ ଗୋଛିକାର ସେବକ ଆବଶ୍ୟକତା ଅନୁଯାୟୀ ବନ୍ଦ କରନ୍ତି ଓ ଖୋଲନ୍ତି । ଜୟ ବିଜୟ ଦ୍ୱାରଠାରେ କେବଳ ଶ୍ରୀଜଗନ୍ନାଥଙ୍କ ତରଫରୁ ମହାପ୍ରଭୁଙ୍କର ଜଣେ ବାଡ଼ଗ୍ରାହୀ ଦଇତା ସେବକ ସଂସ୍କୃତ ଭାଷାରେ ବଚନିକା ବୋଲନ୍ତି ।)

୧୨୬ । ଶ୍ରୀଜଗନ୍ନାଥ କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ବନ୍ଦାପନା

କର୍କଟ ସଂକ୍ରାନ୍ତି ଦିନ ଶ୍ରୀଜୀଉମାନଙ୍କର ସକାଳ ଧୂପ ଓ ଭୋଗ ମଣ୍ଡପ ଧୂପ ଶେଷ ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଏ । ତିନିବାଡ଼ରେ ଦିଅଁଙ୍କୁ ବୋଇରାଣି ବସ୍ତ୍ର ଲାଗି କରାଯାଏ । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ଚନ୍ଦନ ସର୍ବାଙ୍ଗ ଲାଗି କରାନ୍ତି । ତା’ପରେ ପୁଷ୍ପାଳକ ବେଶ ବଢ଼ାଇ ସିଂହାସନରୁ ଓହ୍ଲାଇ ଆସନ୍ତି । ତାପରେ ପାଣି ପଡ଼ି ଦ୍ୱିପ୍ରହର ଧୂପ ଉଠେ । ଘଣ୍ଟ, ଛତା, କାହାଳୀ ସହ ରୋଷରୁ ତଳିଛ ଓ ପ୍ରଧାନୀ ହାତପୈଠ ହୋଇ ଭୋଗ ଛାମୁକୁ ଆସେ । ଭୋଗ ଉଠିଲେ ଶ୍ରୀଅଙ୍ଗରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତିନିଜଣ ପୂଜାପଣ୍ଡା ପୂଜାରେ ବସି ଟେରା ପଡ଼ିବା ପରେ ପ୍ରସ୍ତୁତ ବଳିଭାତରୁ ଅନ୍ନ ବଳି, ଜଣେ ପୂଜାପଣ୍ଡା, ପତ୍ରୀ ଓ ସୁଆରବଡ଼ୁ ବାହାରକୁ ଆସି ମନ୍ଦିର ଚାରିପଟେ ଦିଅନ୍ତି । ତା'ପରେ ଭିତରେ ପୂଜା ବଢ଼ିଲେ ଟେରା ଫିଟି ଆଳତି ହୁଏ । ଭୋଗ ବାହାରି ପାଣିପଡ଼ିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ରଥ ଉପରେ ଠାକୁର ଥିବା ସମୟରେ ଏ ସଂକ୍ରାନ୍ତି ପଡ଼ିଲେ ବି ଏହି ନୀତି ରଥ ଉପରେ ହୁଏ । କିନ୍ତୁ ଅନ୍ନ ବଦଳରେ ଶୁଖିଲା ଚାଉଳ ଓ ବିରିରେ ବଳି ହୁଏ । ଦିଅଁଙ୍କୁ ଶୁଖିଲା ଭୋଗ ନୈବେଦ୍ୟ ହୋଇଥାଏ । ଗୁଣ୍ଡିଚା ଘରେ ଦିଅଁମାନେ ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ଶ୍ରୀମନ୍ଦିର ପରି ନୀତି ହୁଏ ।

ଚିତାଲାଗି ଅମାବାସ୍ୟା

ଶ୍ରାବଣ ଅମାବାସ୍ୟା ଦିନ ହୁଏ । ସକାଳ ଧୂପ ପୂଜା ବସିଥିବା ବେଳେ ଭଣ୍ଡାର ମେକାପ ମୁଦ ହୋଇଥିବା ହୀରାଚିତା ତିନିଗୋଟା ଆଣି ବେହରଣରେ ତଡ଼ଉ, ଦେଉଳକରଣ ଓ ପ୍ରାଶାସନିକ ଅଧିକାରୀଙ୍କ ମାର୍ଫତରେ ଦିଅନ୍ତି । ଶ୍ରୀମନ୍ଦିର ବଣିଆ ସେବକ ସେମାନଙ୍କ ଉପସ୍ଥିତିରେ ଚିତାମାନ ମାଜି ସଫା କରନ୍ତି । ସକାଳ ଧୂପ ଓ ଭୋଗ ମଣ୍ଡପ ପରେ ପୁଷ୍ପାଳକ ତିନିବାଡ଼ରୁ 'ଝୋବାକଣ୍ଠି’ ଅଳଙ୍କାର ମଇଲମ କରି ପାଳିଆ ମେକାପଙ୍କୁ ଦିଅନ୍ତି । ସେ ଉକ୍ତ ଅଳଙ୍କାରମାନ ଭଣ୍ଡାର ମେକାପଙ୍କୁ ଦିଅନ୍ତି । ପୁଷ୍ପାଳକମାନେ ଲକ୍ଷ୍ମୀ ଓ ସରସ୍ୱତୀ (ଶ୍ରୀଦେବୀ ଓ ଭୂଦେବୀ)ଙ୍କୁ ଖଟ ଶେଯ ଘରେ ବିଜେ କରାନ୍ତି । ଏହା ପରେ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ଡାକନ୍ତି । ସେମାନଙ୍କ ସାଥିରେ ପାଳିଆ ମେକାପ ଥାଆନ୍ତି । ବାଡ଼ଗ୍ରାହୀ ଦଇତା ଓ ପତି ତିନିବାଡ଼ରେ ସିଂହାସନ ଉପରକୁ ଉଠି ଚିତାଲାଗି କରନ୍ତି । ଏଥିପାଇଁ ଅଣସର ସୁଧ ସୁଆର ଓଷୁଅ ଓ ପାଟରା ବିଶୋଇ ପାଟ ଡୋର ଯୋଗାନ୍ତି । ଚିତାଲାଗି ହେବା ପରେ ପାଳିଆ ମେକାପ ସିଂହାସନ ଉପର ଧୁଅନ୍ତି । ସୁଧ ସୁଆର ମହାସ୍ନାନ ପୂଜା ଠା' କରନ୍ତି । ତିନିଜଣ ପୂଜାପଣ୍ଡା ଆସି ମହାସ୍ନାନ ପୂଜା କରନ୍ତି । ତା'ପରେ ଭିତରେ ପାଣି ପଡ଼ି ଧୋପଖାଳ ହେବା ପରେ ପୁଷ୍ପାଳକମାନେ ଆସି ମଇଲମ କରନ୍ତି । ସେମାନେ ଖଟଶେଯ ଘରେ ଥିବା ଶ୍ରୀଦେବୀ ଓ ଭୂଦେବୀଙ୍କୁ ନେଇ ସିଂହାସନରେ ବିଜେ କରାନ୍ତି । ମାଳ ଫୁଲ ଇତ୍ୟାଦି ଲାଗି ହେବା ପରେ ଓ ବେଶ ବଢ଼ିବା ପରେ ଦିଅଁମାନେ ଛଅ ମୁର୍ତ୍ତି ଅଳଙ୍କାର ଲାଗି ହୁଅନ୍ତି । ଏହା ପରେ ମଧ୍ୟାହ୍ନ ଧୂପ ହୁଏ । ତା' ପରେ ପାଣି ପଡ଼ିଲା ପରେ ପୂଜାପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି ।

ଶ୍ରୀଜଗନ୍ନାଥ । ୧୨୭

ବାଡ଼ି ନୃସିଂହ ବିଜେ
ଶ୍ରାବଣ ଶୁକ୍ଳପକ୍ଷ ଏକାଦଶୀରେ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରୁ ନୃସିଂହ ପ୍ରତିମା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି । ତା'ପରେ ବିମାନବସ୍ତୁମାନେ ସିଂହଦ୍ୱାର ଦେଇ ଚାରି ଆଶ୍ରମକୁ ବିମାନ ନିଅନ୍ତି । ଏହି ଚାରି ଆଶ୍ରମ ହେଲାମହର୍ଷି ମାର୍କଣ୍ଡେୟ (ମାର୍କଣ୍ଡେଶ୍ବର ସାହି), ମହର୍ଷି ଅଙ୍ଗିରା (ଦୋଳମଣ୍ଡପ ସାହି), ମହର୍ଷି କଣ୍ଡୁ ( ଗଉଡ଼ବାଡ଼ ସାହି) ଓ ମହର୍ଷି ଭଗ୍ନ ବାଲି ସାହି) । ପ୍ରତ୍ୟେକ ଆଶ୍ରମରେ ଶୀତଳ ଭୋଗ ହୁଏ । ତା'ପରେ ଠାକୁର ଫେରିଆସନ୍ତି ।
ଝୁଲଣ ଯାତ୍ରା
ଏହି ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏଁ ସାତ ଦିନ ହୁଏ । ସାତ ଦିନ ପାଳନ ହେବା ବିଧି ଥିବାରୁ ଦଶମୀଠାରୁ ପ୍ରତିପଦ ମଧ୍ୟରେ ତିଥି କ୍ଷୟ ଥିଲେ ନବମୀ ତିଥିରୁ ପାଳନ କରାଯାଇ ପାରେ, କିନ୍ତୁ ଛଅ ଦିନ ଯାତ୍ରା କେବେ ହୁଏ ନାହିଁ ।
ଏହି ଯାତ୍ରାର ପ୍ରଥମ ଦିନ ମଧ୍ୟାହ୍ନ ଧୂପ ଶେଷ ହୋଇ ଭିତର ଧୋପଖାଳ ହେବା ପରେ ମଇଲମ ହୁଏ । ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ହୁଏ । ଏହି ସମୟରେ ଲକ୍ଷ୍ମୀ (ଶ୍ରୀଦେବୀ) ଓ ଭୂଦେବୀ ଦକ୍ଷିଣ ଘରେ ଖଟ ଶେଯ ଉପରେ ବିଜେ କଲେ ଦକ୍ଷିଣ ଘରୁ ମଦନମୋହନଙ୍କୁ ଏହାଙ୍କ ସଙ୍ଗେ ବିଜେ କରାଯାଏ । ତା’ପରେ ଏମାନଙ୍କୁ ଅଳଙ୍କାର ଲାଗି ହୁଏ । ଭିତର ବେଶ ବଢ଼ିଲା ପରେ ଶ୍ରୀଜଗନ୍ନାଥଙ୍କର ଉତ୍ତର ଭୁଜରେ ଦୁଇଖଣ୍ଡି ଓ ଦକ୍ଷିଣ ଭୁଜରେ ଖଣ୍ଡିଏ ଏହିପରି ତିନିଖଣ୍ଡି ମାଳା ଆଜ୍ଞାମାଳା ନିମନ୍ତେ ଲାଗି କରାଯାଏ । ଦକ୍ଷିଣ ଘରେ ପାଣି ପଡ଼ି ପୂଜା ଠା' ସରିଲେ ବାହାର ଦେଉଳି ରୋଷରୁ ଭୋଗ ଛାମୁକୁ ଆସେ । ଜଣେ ପୂଜାପଣ୍ଡା ତିନିଗୋଟି ସରାରେ ପ୍ରସ୍ତୁତ ଥିବା ତିନିଗୋଟି ମାଣ୍ଡୁଅ ସର୍ପମଣୋହି (ସମର୍ପଣ) କରନ୍ତି । ଏହା ପରେ ଦକ୍ଷିଣଘରର ଅନ୍ୟ ଠାକୁରମାନଙ୍କର ଭୋଗ ବଢ଼ିଥାଏ । ତା'ପରେ ଲକ୍ଷ୍ମୀ, ଭୂଦେବୀ ଓ ମଦନମୋହନଙ୍କୁ ମହାଜନମାନେ ଭିତର ସିଂହାସନକୁ ବିଜେ କରାନ୍ତି । ତିନି ବାଡ଼ରେ କର୍ପୂର ଲାଗି ପରେ ସଂଧ୍ୟା ଆଳତି ହୋଇଥାଏ । ପରେ ଜଣେ ପୂଜାପଣ୍ଡା ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞା ମାଳ ମଦନମୋହନଙ୍କୁ ଓ ବାମ ଭୁଜରୁ ଆଜ୍ଞାମାଳ ଲକ୍ଷ୍ମୀ ଓ ଭୂଦେବୀଙ୍କୁ ଦିଅନ୍ତି । ଛାମୁ ଦିହୁଡ଼ି ସହ ଏହି ତିନି ଦେବଦେବୀଙ୍କୁ ମହାଜନମାନେ ଜଗମୋହନ ଦେଇ ବଟଦ୍ୱାର ବାଟେ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି । ମୁକ୍ତି ମଣ୍ଡପରେ ଝୁଲଣ କୁଞ୍ଜ ଓ ଝୁଲଣ ଦୋଳା ନିର୍ମାଣ କରଯାଇଥାଏ । ଦୋଳାରେ ଦେବଦେବୀ ବିଜେ କରିବା ପରେ ବିଡ଼ିଆ ମଣୋହି ହୁଏ ଓ ଦେବଦେବୀ ଦୋଳି ଖେଳନ୍ତି । ସଂଧ୍ୟାଧୂପ ଶେଷ ପରେ ଝୁଲଣ ମଣ୍ଡପ କୁଞ୍ଜରେ ପାଣି ପଡ଼ି ଟେରା ବନ୍ଧା ଯାଇ ଶୀତଳ ଭୋଗ ଜଣେ ପୂଜାପଣ୍ଡା ପଞ୍ଚ ଉପଚାରରେ କରନ୍ତି । ଭୋଗ ଶେଷ ପରେ ମୁଦି ବନ୍ଦାପନା କରନ୍ତି । ଭିତରେ ଚନ୍ଦନଲାଗି ନୀତି ପରେ ମହାଜନମାନେ ମଇଲମ କରି ମଦନମୋହନଙ୍କୁ ଦକ୍ଷିଣ ଘରକୁ ଓ ଦୁଇ ଠାକୁରାଣୀଙ୍କୁ ରତ୍ନ ସିଂହାସନକୁ ବିଜେ କରାଇ ନିଅନ୍ତି ।

ଏହି ଝୁଲଣ ଯାତ୍ରା ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଜଣାଯାଏ । ଏହି ସାତ ଦିନର ଯାତ୍ରା ମଧ୍ୟରେ ଝୁଲଣ ଏକାଦଶୀ ଓ ଝୁଲଣ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପର୍ବ ଥିବାରୁ ତାହା ନିମ୍ନରେ ସ୍ବତନ୍ତ୍ର ଭାବରେ ଉଲ୍ଲେଖ କରାଯାଉଛି ।
ଶ୍ରାବଣ ଶୁକ୍ଳ ଏକାଦଶୀ (ଝୁଲଣ ଏକାଦଶୀ)
ଝୁଲଣ ଏକାଦଶୀରେ ଏକାଦଶୀ ବେଢ଼ା ଥିବାରୁ ମଦନମୋହନ ଭିତର ସର୍ବାଙ୍ଗକୁ ବିଜେ କରନ୍ତି ନାହିଁ । ସର୍ବାଙ୍ଗ ନୀତି ପରେ ଶ୍ରୀଦେବୀ ଓ ଭୂଦେବୀ ବେହରଣ (ଦକ୍ଷିଣ ଘର ଦ୍ବାର) ଉପରକୁ ବିଜେ ହୁଅନ୍ତି । ଦକ୍ଷିଣ ଘର ଭୋଗ ଶେଷ ହେଲେ ଓ ଭିତର ବେଶ ବଢ଼ିଲେ ମଦନମୋହନ ଓ ଦୁଇ ଠାକୁରାଣୀ ସିଂହାସନକୁ ଯାଆନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଜଣେ ପୂଜାପଣ୍ଡା ଆଣି ମଦନମୋହନଙ୍କୁ ଦେବା ପରେ ମଦନମୋହନ ମୁକ୍ତି ମଣ୍ଡପ ପାଖରେ ଥିବା ପାଲିରେ ବିଜେ ହୋଇ ସଂପୃକ୍ତ ସେବକମାନଙ୍କଦ୍ୱାରା ଶ୍ରୀମନ୍ଦିର ଚାରିପଟେ ଗୋଟିଏ ଥର ବେଢ଼ା କରନ୍ତି । ତାପରେ ଜୟ ବିଜୟ ଦ୍ୱାରଠାରେ ମଦନମୋହନଙ୍କର ଏକାଦଶୀ ଭୋଗ ଓ ବନ୍ଦାପନା ହୁଏ । ଏହା ଶେଷ ହେଲେ ଦୁଇ ଠାକୁରାଣୀ ସେଠାକୁ ବିଜେ ହୋଇ ଆସିଲା ପରେ ମଦନମୋହନଙ୍କ ସହିତ ତିନି ଠାକୁର ଓ ଠାକୁରାଣୀ ଝୁଲଣ ମଣ୍ଡପକୁ ବିଜେ କରନ୍ତି ଓ ପୂର୍ବ ବର୍ଣନାମତେ ଝୁଲଣ ପୂର୍ଣ୍ଣିମା ନୀତି ହୁଏ ।
ଝୁଲଣ ପୂର୍ଣ୍ଣିମା (ବଳଭଦ୍ର ଜନ୍ମ)
ଝୁଲଣ ଯାତ୍ରା କାଳରେ ପଡ଼ୁଥିବା ଶ୍ରାବଣ ପୂର୍ଣ୍ଣିମାକୁ ଝୁଲଣ ପୂର୍ଣ୍ଣିମା’ କୁହାଯାଏ । ଏହା ମଧ୍ୟ ଗହ୍ମାପୂଷ୍ପମା । ଏହା ଶ୍ରୀମନ୍ଦିରର ଏକ ବିଶିଷ୍ଟ ଦିନ । ଏହି ଦିନ ବଳଭଦ୍ର ଠାକୁରଙ୍କ ଜନ୍ମ ନୀତି ପାଳନ କରାଯାଏ ।
ଏହି ଦିନ ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୁଏ । ପରେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କଦ୍ୱାରା ସର୍ବାଙ୍ଗ ନୀତି ହୁଏ । ତା’ ପରେ ଦିଅଁମାନେ ବୋଇରାଣୀ ପତନି ନୂଆ ଲୁଗା ଲାଗି ହୁଅଛି ଓ ଦ୍ବିପ୍ରହର ଧୂପପାଇଁ ବେଶ ହୁଅନ୍ତି । ଏହି ବେଶରେ ତିନି ଖଣ୍ଡ ଆଜ୍ଞା ମାଳ (ଦକ୍ଷିଣ ଭୁଜ -୧, ବାମ ଭୁଜ-୨) ମହାପ୍ରଭୁ ଲାଗି ହୋଇଥାନ୍ତି । ଚାରିଟି ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି ହୁଏ । ପାଣି ପଡ଼ି ଭିତର ଧୋପଖାଳ ହୁଏ । ସିଂହାସନ ତଳେ ବଳଭଦ୍ର ଠାକୁରଙ୍କ ବାଡ଼ ଆଡ଼େ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାର ’ ସୁଧ ସୁଆର କିମ୍ବା ଆସ୍ଥାନ ପଢ଼ିଆରୀ କରନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଏହି ପୂଜା କରନ୍ତି । ଏହି ପୂଜା ଶେଷ ପରେ ଭିତର ପାଣି ପଡ଼ି ଧୋପଖାଳ ହୁଏ । ଏହା ପରେ ଦ୍ବିପ୍ରହର ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ପୂଜାପଣ୍ଡା ତିନି ଜଣ ଷୋଡଶ ଉପଚାରରେ ପୂଜା କରନ୍ତି । ମଣୋହି ପରେ ଟେରାଫିଟା ଆଳତି ହୁଏ । ସୁଧ ସୁଆର ବଡ଼ବାଡ଼ (ବଳଭଦ୍ରଙ୍କ ବାଡ଼ରେ ମଙ୍ଗଳାର୍ପଣ ସାମଗ୍ରୀ ରଖନ୍ତି । ପୂଜାପଣ୍ଡା ବଡ଼ ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ମହାଜନେ ମଦନମୋହନଙ୍କୁ

ରତ୍ନ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେଲା ପରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣମଣ୍ଡପକୁ ବିଜେ କରନ୍ତି । ଏହାପରେ ସୁଦର୍ଶନଙ୍କ ବିଜେ ପାଇଁ ଦଇତାପତିମାନଙ୍କୁ ଡକାଯାଏ । ଦଇତାପତିମାନେ ସିଂହାସନକୁ ଉଠନ୍ତି । ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଗୋଟିଏ ଆଜ୍ଞାମାଳ ସୁଦର୍ଶନ ପାଆନ୍ତି । ଦଇତାମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ଚଉଦୋଳରେ ବସାନ୍ତି । ସେଠାରେ ପାଟପତନି, ଚୂଳ ଲାଗି କରାଯାଏ । ଏହା ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ଝୁଲଣ ମଣ୍ଡପରେ ବିଜେ କରାନ୍ତି । ସେଠାରେ ସୁଦର୍ଶନଙ୍କୁ ସୁବ କମରପଟି ଓ ହରଡ଼ମାଳ ଲାଗି କରାଯାଏ । ତା'ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ବିମାନରେ ନେଇ ମାର୍କଣ୍ଡଙ୍କ ଠା’କୁ ଯାଆନ୍ତି ଓ ସେଠାରେ ମଣ୍ଡପ ଉପରେ ବିଜେ କରାନ୍ତି । ଏଠାରେ ସୁଧ ସୁଆର ଚିକିଟା ମାଟିରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି । ପୂଜାପଣ୍ଡା ଉକ୍ତ ମୃତିକୁ ଜୀବନ୍ୟାସ ଦେଇ ଜାତକର୍ମ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚ ଉପଚାରରେ ଶୀତଳ ମଣୋହି କରାନ୍ତି । ତା’ ପରେ ବନ୍ଦାପନା ହୋଇ, ବଳଭଦ୍ର ପିତୁଳାକୁ ଜଳରେ ବିସର୍ଜନ କରାଯାଏ । ଏହା ପରେ ବିମାନବଡ଼ମାନେ ବିମାନରେ ସୁଦର୍ଶନଙ୍କୁ ନେଇ ଚାରି ଆଶ୍ରମ, ନଗର ଭ୍ରମଣ କରାଇ ଶ୍ରୀମନ୍ଦିରକୁ ବିଜେ କରାନ୍ତି । ସୁଦର୍ଶନ ରତ୍ନ ସିଂହାସନକୁ ବିଜେ କରିବା ପରେ ପାଳିଆ ମେକାପ ସିଂହାସନ ଧୁଅନ୍ତି । ସୁଧ ସୁଆର ଚାରି ବାଡ଼ରେ ସିଂହାସନ ତଳେ ମହାସ୍ନାନ ପୂଜା ପା’ କରନ୍ତି । ଚାରିଜଣ ପୂଜାପଣ୍ଡା ଆସି ମହାସ୍ନାନ ବଢ଼ାନ୍ତି । ମହାସ୍ନାନ ପରେ ପୁଷ୍ପାଳକମାନେ ମଇଲମ କରି ଦିଅଁମାନଙ୍କର ବେଶ ବଢ଼ାନ୍ତି । ତା'ପରେ ସିଂହାସନରୁ ଓହ୍ଲାଇ ସଂଧ୍ୟା ଆଳତି କରନ୍ତି । ଏହା ପରେ ଧୋପଖାଳ ହୋଇ ସୁଆରବଡ଼ୁ ଥାଳି ପକାଇବା ପରେ ପାଳିଆ ପ୍ରତିହାରୀ ରୋଷକୁ ସଂଧ୍ୟା ଧୂପ ଡାକିଯାଏ । ରୋଷରୁ ଭୋଗ ଆସିବା ପରେ ପତ୍ରିବଡ଼ୁ ଚାରିବାଡ଼ରେ ପୂଜା ଠା' କରନ୍ତି । ଚାରିଜଣ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ତିନିଜଣ ପୂଜାପଣ୍ଡା ସିଂହାସନ ଉପରେ ବସନ୍ତି ଓ ଜଣେ ତଳେ ସୁଦର୍ଶନଙ୍କ ବାଡ଼ରେ ବସନ୍ତି । ସଂଧ୍ୟା ଧୂପ ସମାପ୍ତି ପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ହୁଏ । ମୁଦିରସ୍ତ ସୁଦର୍ଶନଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ ।
ରାହୁରେଖା ଲାଗି (ରେଖା ପଞ୍ଚମୀ)
ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେ ହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି । ଏ ସମୟଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନିଟି ସଫା କରନ୍ତି । ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ୱାର ବନ୍ଦ କରିବେ । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇବେ । ଅଣସର ସୁଧ ସୁଆର

ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ । ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ । ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେଲେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେବେ । ତା'ପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମ (ଛିଣ୍ଡା କପଡ଼ା)ରେ ରୁନ୍ଧା କାର୍ଯ୍ୟ କରିସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ଠା' ହେଲେ ପୂଜାପଣ୍ଡା ଆସି ପୂଜା ବଢ଼ାନ୍ତି । ତା ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢ଼େ । ମଧ୍ୟାହ୍ନ ଧୂପ ପରେ ପାଣି ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ ।
ସୁବର୍ଣ ରାହୁରେଖାମାନଙ୍କର ଓଜନ ହେଲା - ଶ୍ରୀବଳଭଦ୍ରଙ୍କର ପ୍ରାୟ ୯୬ ତୋଳା, ଦେବୀଙ୍କର ପ୍ରାୟ ୭୬ ତୋଳା, ଶ୍ରୀଜଗନ୍ନାଥଙ୍କର ପ୍ରାୟ ୧୩୫ ତୋଳା ।
ଶ୍ରୀକୃଷ୍ଣ ଜନ୍ମ, ନନ୍ଦୋତ୍ସବ ଓ କୃଷ୍ଣଲୀଳା
ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ ଦିନ ସଂଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କର ଲାଗି ହୁଅନ୍ତି । ଏହା ପରେ ପାଣି ପଡ଼ି ଟେରା ବନ୍ଧାଯାଇ ସଂଧ୍ୟା ଧୂପ ଛେକ ଛାମୁକୁ ଆସେ । ସଂଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ । ଟେରା ବନ୍ଧା ହୋଇ ଅଣସର ପିଣ୍ଡିରେ ଜେଉଡ଼ (ଜେଟ) ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖାହୁଏ । ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି । ତିନି ଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି । ପାଣି । ପଡ଼ି ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ିରେ ହୁଏ । ଏହାକୁ ‘ଗର୍ଭଉଦକ ବନ୍ଦାପନା’ କହନ୍ତି । ତା'ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ ।
ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ଦିନ ଜନ୍ମାଷ୍ଟମୀ ବ୍ରତ ହୁଏ । ଏହି ଦିନ ସଂଧ୍ୟା ଧୂପ ବେଶରେ ସୁବର୍ଣ୍ଣ ଅଳଙ୍କାର (ଛ' ମୂଦ୍ଧି ଲାଗି କରାଯାଏ । ସଂଧ୍ୟା ଧୂପ ପରେ ଜୟ-ବିଜୟ ଦ୍ୱାର ବନ୍ଦ କରାଯାଏ । ସୁଧସୁଆର ଭଣ୍ଡାର ଦୁଆର ଆଗରେ ପୋଛା ମାରନ୍ତି । ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କନ୍ତି । ଭିତର ଗମ୍ଭୀରାରେ ଧୋପଖାଳ ହୁଏ । ସୁଧସୁଆର ମଣ୍ଡଳ ପାଖରେ ପୂଜା ଠା' କରନ୍ତି । ପଣ୍ଡା, ପତି ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ ବାକ୍ୟ ପାଠ କରନ୍ତି । ଏହା ପରେ କଳସରେ ବରୁଣ ପୂଜା ହୁଏ । ଚିତ୍ରକର ଗୋଟିଏ କୃଷ୍ଣ ଜନ୍ମପଟି ଦେଇଥିବେ । ବଣିଆ ଦେବା ରୁପା ପଦ୍ମପାଖୁଡ଼ା ମଣ୍ଡଳ ଉପରେ ପୂଜା ପଣ୍ଡା ରଖିବେ । ଗୋଟିଏ କୃଷ୍ଣମୂର୍ତ୍ତି ( ସୁନାର) ମଣ୍ଡଳ ଉପରେ ରଖିବେ । ଏହା ପରେ ଚକଡ଼ା ଛାମୁରେ ନିଅଟି ପନ୍ତି ଭୋଗ ବଢ଼ାଯିବ । କାରଣ ଜନ୍ମପଟି ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ମୁନିଙ୍କର ଚିତ୍ର ଓ ମଝିରେ କୃଷ୍ଣଙ୍କର ଚିତ୍ର (ନଅଟି) ଅଙ୍କିତ ଥାଏ । ଫୁଲମାଳ ଓ ଚନ୍ଦନ ଲାଗି ହେବ । ପୂଜାପଣ୍ଡା ପଞ୍ଚ ଉପଚାରରେ

ପୂଜା କରିବେ । ଏହା ପରେ ଦକ୍ଷିଣ ଘରୁ ମଦନମୋହନଙ୍କୁ (ଉଲଗ୍ନ କରି) ଆଣି ରତ୍ନ ସିଂହାସନରେ ବିଜେ ପରେ ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ମଦନମୋହନଙ୍କୁ ଧଣ୍ଡି ପ୍ରସାଦ ଆଜ୍ଞାମାଳ ଦେବେ । ତା’ ପରେ ମହାଜନେ ମଦନମୋହନଙ୍କୁ ଜନ୍ମ ଚକଡ଼ାରେ ବିଜେ କରାଇବେ । ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ କରିବେ । ଏହା ପରେ ଦୁଇଜଣ ମହାଜନ ସେବକ ଲୁଗା ଘୋଡ଼ାଇ ହୋଇ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ କୃଷ୍ଣଙ୍କୁ ଜନ୍ମ କରାଇବେ । ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ଜନ୍ମ ଚକଡ଼ାକୁ ଦୁଧ, ଲହୁଣୀ ଓ ଗଷ ମସଲା ଆସିଲେ ପୂଜାପଣ୍ଡା ସମର୍ପଣ କରି ମଣୋହି କରନ୍ତି ଓ କର୍ପୂର ଆଳତି କରନ୍ତି । ଏହା ପରେ ରୁପା ଥାଳିରେ କୃଷ୍ଣ (ମଦନମୋହନ) ବିଜେ ହୋଇ ଛାମୁ ଦିହୁଡ଼ି ନଥାଇ, ବିନା ଘଣ୍ଟ ବାଦ୍ୟରେ ଦେବକୀ ବସୁଦେବ (ସେବକ ଦୃୟ) ସହିତ ସରସ୍ବତୀଙ୍କ ଦେଉଳ ଆଗକୁ ଯାଆନ୍ତି । ଏହି ସ୍ଥାନକୁ ଯମୁନା ନଦୀରୂପେ ବିବେଚନା କରାଯାଏ । ଉଗ୍ରସେନ ବେଶରେ ଜଣେ ପୂଜାପଣ୍ଡା ଦଣ୍ଡ ପ୍ରଣାମ କରିବେ । ଏହା ପରେ ଠାକୁର ଘଣ୍ଟ, ଛତା, କାହାଳୀ ସହିତ ନାଭିକଟା ମଣ୍ଡପରେ ଖଟଶେଯ ଉପରେ ବିଜେ କରିବେ । ଦକ୍ଷିଣ ଘରୁ ଆସି ରାମକୃଷ୍ଣ ଦିଅଁ ଦ୍ବୟ ଉକ୍ତ ଶେଯରେ ବିଜେ କରନ୍ତି । ଏହା ପରେ ପୂଜାପଣ୍ଡା କୃଶରେ ନାଭିଚ୍ଛେଦନ ଓ ପଞ୍ଚାମୃତରେ ମହାସ୍ନାନ କରିବେ । ତା ପରେ ପଞ୍ଚୋପଚାର ବିଧିରେ ଶୀତଳ ଭୋଗ ଓ ବନ୍ଦାପନା ହୁଏ । ଏହା ପରେ ମହାଜନେ ଜଗମୋହନରେ ବନ୍ଧା ହୋଇଥିବା ଦୋଳିରେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଇବେ । ଏଠାରେ ପାଣି ପଡ଼ି, ଟେରାବନ୍ଧା ପରେ ଶୀତଳ ଭୋଗ (ରାଶିକୋରା ଓ ଲଡ଼ୁ ଷୋଡ଼ଶ ଉପଚାରରେ ପୂଜା ହୁଏ । ତା ପରେ ବନ୍ଦାପନା ହୁଏ । ଭିତରେ ପାଣି ପଡ଼ି ବଡ଼ ସିଂହାର ଭୋଗ ଛେକ ଆସିଲେ ଦୋଳିରେ ଥିବା ରାମକୃଷ୍ଣ ଦୁଇ ମୃଉଁ ଭିତର ରତ୍ନ ସିଂହାସନକୁ ବିଜେ କରିବେ । ମଦନମୋହନ ଦକ୍ଷିଣ ଘରକୁ ବିଜେ କରିବେ । ଏହା ପରେ ଶ୍ରୀଜୀଉଙ୍କର ବଡ଼ ସିଂହାର ଭୋଗ, ପହୁଡ଼ ଆଦି ନୀତି ପାଳିତ ହୁଏ ।
ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ନୀତି ହୁଏ । ମଙ୍ଗଳ ଆଳତି ପରେ ରାମକୃଷ୍ଣ ଓ ମଦନମୋହନ (ତିନି ଦିଆଁ) ଜଗମୋହନରେ ଦୋଳାରେ ବସନ୍ତି । ସକାଳ ଧୂପ ସମାପ୍ତ ହେବା ପରେ ପାଣିପକା ଭୋଗ ହୁଏ । ଏହି ଦିନ ଭୋଗ ମଣ୍ଡପ ଘର ଓ ଶ୍ରୀଜୀଉଙ୍କ ମଧ୍ୟରେ ଦୋଳା ଥିବାରୁ ଭୋଗମଣ୍ଡପଭୋଗକୁ “ପାଣିପକା ଭୋଗ କୁହାଯାଏ । ଏହା ପରେ ସଂପୃକ୍ତ ସେବକମାନଙ୍କ ଦ୍ୱାରା ମଇଲମ, ମହାସ୍ନାନ ପୂଜା ଠା', ମହାସ୍ନାନ, ନୂଆ ଲୁଗା ଲାଗି ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାଇବେ । ଦିଅଁମାନେ ୬ ମୂର୍ତ୍ତି ଅଳର ଲାଗି ହେବେ । ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଖଣ୍ଡିଏ ଲାଗି କରାଇ କର୍ପୂର ଲାଗି କରାଇ ପୁଷ୍ପାଳକ ସିଂହାସନରୁ ଓହ୍ଲାଇବେ । ସୁଭଦ୍ରା ଓ ଜଗନ୍ନାଥଙ୍କ ବାଡ଼ରେ ଷଷ୍ଠୀ ଓ ମାର୍କଣ୍ଡି ପୂଜା ହୁଏ । ଏହା ପରେ ମଧ୍ୟାହ୍ନ ଧୂପର ଛକ ରୋଷ ଘରୁ ଘଣ୍ଟ, ଛତା ଓ କାହାଳୀ ସହି ତଳୁଚ୍ଛ ଓ ପ୍ରଧାନୀଙ୍କ ହାତ ପୈଠ ହୋଇ ଆସିବ । ମୁଦିରସ୍ତଙ୍କ ପ୍ରସାଦଲାଗି ପରେ ପୂଜାପଣ୍ଡା ପୂଜା କରିବେ । ଧୂପ ଶେଷ ପରେ ଧୋପଖାଳ ହେବ । ପଣ୍ଡା,

ପତି ଓ ମୁଦିରସ୍ତ ଆସି ଜଗନ୍ନାଥଙ୍କ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବେ ଓ ତିନି ବାଡ଼ରେ ବନ୍ଦାପନା କରିବେ। ଏହା ପରେ ଭଣ୍ଡାର ଘରୁ ଦୁର୍ଗା ମୃତ୍ତଙ୍କୁ ପତି ମହାପାତ୍ର ବିଜେ କରାଇନେଲେ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ପୂଜାପଣ୍ଡା ଆଜ୍ଞାମାଳ ଦିଅନ୍ତି । ପତି ମହାପାତ୍ର ଏହା ପରେ ଦୁର୍ଗାଙ୍କୁ ହାତରେ ବିଜେ କରାଇ ଆଣି ଜଗମୋହନର ଦୋଳି ଆଗରେ ଖଟୁଳି ଉପରେ ବିଜେ କରାଇବେ । ଏଠାରେ ମହାସ୍ନାନ ଓ ଶୀତଳ ଭୋଗ ହେବା ପରେ ବନ୍ଦାପନା ହୋଇ ଦୁର୍ଗାଙ୍କୁ ସାତ ପାହାଚ ଦ୍ୱାରଠାରେ ଡମ୍ବରୁ ଉପରେ ବିଜେ କରାଯାଏ । ଏ ସମୟରେ ବିଜୁଳି କନ୍ୟା ବଧ ଲୀଳା ଅନୁଷ୍ଠିତ ହୁଏ । ଜଣେ ସେବକ କାଠରେ ନିର୍ମିତ ବିଜୁଳି କନ୍ୟାକୁ ଧରି ଫୋପାଡ଼ି ଦିଅନ୍ତି । ଏଠାରେ ଦେବୀଙ୍କର କର୍ପୂର ଆଳତି ହୋଇ ତାଙ୍କୁ ଭଣ୍ଡାରକୁ ବାହୁଡ଼ା ବିଜେ କରାଯାଏ । । ଏହା ପରେ ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନମୋହନଙ୍କୁ ଖଟ ଉପରେ ବିଜେ କରାଯାଏ ।
ଏଠାରେ ମାଜଣା ଓ ମାଳଫୁଲ ଲାଗି ପରେ ଦିଅଁଙ୍କୁ ସାତ ପାହାଚ ଦ୍ବାରରେ ପାଲିଙ୍କିରେ ବସାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରକୁ ବିଜେ କରାଯାଏ । ଏ ଉତ୍ତାରୁ ଭିତରଚ୍ଛ ମହାପାତ୍ର (ନନ୍ଦ ରାଜା ରୂପରେ) ରାଜାଙ୍କ ନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପଠାରେ ବସିବେ । ତାଟ ଲେଙ୍କ ଗୋଟିଏ ଦୁହାଁଳୀ ଗାଈ ଲକ୍ଷ୍ମୀମନ୍ଦିର ପାଖକୁ ଆଣନ୍ତି । ଭରତିଆ ଗୌଡ଼ ପୁତ୍ରଜନ୍ମ ସୁସମ୍ବାଦ ନନ୍ଦ ରାଜାଙ୍କୁ ( ଭିତରଛଙ୍କୁ ଦେବ ଓ ନନ୍ଦ ରାଜାଙ୍କ ଲୁଗାଫେରକୁ ଟାଣି ଟାଣି ଲକ୍ଷ୍ମୀଙ୍କ ମନ୍ଦିରକୁ ନେବ । ଏଠାରେ ନନ୍ଦ ରାଜା ଗୋଦୋହନ କରିବେ । ରୁପା ପିଙ୍ଗଣରେ ଦିଅଁମାନଙ୍କୁ ଦୁଧ ସମର୍ପଣ ଓ ପ୍ରସାଦ ଲାଗି କରାଯାଏ । ରାଶିକୋରା ମଣୋହି କରାଯାଏ ଓ ବନ୍ଦାପନା କରାଯାଏ । ନନ୍ଦରାଜା ପୁତ୍ରମାନଙ୍କୁ ଧରି ଜଗମୋହନର ଦୋଳିରେ ବିଜେ କରାଇବା ପରେ ରାମ, କୃଷ୍ଣ ଓ ମଦନମୋହନ ଦକ୍ଷିଣଘରକୁ ବାହୁଡ଼ା ବିଜେ କରନ୍ତି ଓ ନନ୍ଦୋତ୍ସବ ଶେଷ ହୁଏ । ଏହା ପରେ ଭିତର ଠାକୁରମାନଙ୍କର ଅନ୍ୟାନ୍ୟ ନୀତି ବିଧି ଅନୁସାରେ ହୁଏ ।
ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀଠାରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ଦଶମୀ ଯାଏଁ ପାଳନ କରାଯାଏ । ସପ୍ତମୀ ତିଥିରେ ଜେଉଡ଼ । ଜେଉଟ ଭୋଗ, ଅଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମ, ନବମୀରେ ନନ୍ଦୋତ୍ସବ, ଦଶମୀରେ ବନଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘାସୁର ବଧ, ଏକାଦଶୀରେ କାଳୀୟଦଳନ ବେଶ, ଧେନୁକାସୁର ବଧ, ଦ୍ୱାଦଶୀରେ ପ୍ରଳମ୍ବାସୁର ବଧ, ତ୍ରୟୋଦଶୀରେ କୃଷ୍ଣ ବଳରାମ ବେଶ, ଅମାବାସ୍ୟା (ସପ୍ତପୁରୀ ଅମାବାସ୍ୟା)ରେ ବି ହରଣ, ଭାଦ୍ରବ ଶୁକ୍ଳ ପ୍ରତିପଦରେ ଦାବାଗ୍ନି, ଦ୍ବିତୀୟାରେ ନିକୁଞ୍ଜ ଲୀଳା, ତୃତୀୟାରେ ଅନ୍ଧ ଲୀଳା, ପଞ୍ଚମୀ ଦାହ ଲୀଳା, ଷଷ୍ଠୀରେ ବିମ୍ବାସୁର ବଧ, ସପ୍ତମୀରେ କେଶୀ ବଧ, ଦଶମୀରେ ଲବଣିଖିଆ, ମଥୁରା ହାଟ ଯୁର ଓ କଂସବଧ ହୋଇ କୃଷ୍ଣଲୀଳାର ପରିସମାପ୍ତି ହୁଏ । ଏହି କୃଷ୍ଣ ଲୀଳାରେ ପୁରୀର ବିଭିନ୍ନ ସାହି ଲୋକେ ଯଥା: ବାଲି ସାହି, ହରଚଣ୍ଡୀ ସାହି, କୁଣ୍ଡାଇବେଣ୍ଟ ସାହି, ଦୋଳ ମଣ୍ଡପ ସାହି, ଗୌଡ଼ବାଡ଼ ସାହିଁ, କାଳିକାଦେବୀ ସାହି, ମାଟି ମଣ୍ଡପ ସାହି, ବାସେଳି ସାହି, ମାର୍କଣ୍ଡେଶ୍ବର ସାହି ଅଂଶଗ୍ରହଣ କରନ୍ତି । ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀରେ ସାତପୁରି ଘେନାଣ ନିମନ୍ତେ, ଶୁକ୍ଳ ଚତୁର୍ଥୀରେ ଗଣେଶ ପୂଜା, ଅଷ୍ଟମୀ ଓ ନବମୀରେ ରାଧାଷ୍ଟମୀ ନୀତି ପାଇଁ କୃଷ୍ଣ ଲୀଳା ବନ୍ଦ ରହେ ।

ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଓ ସପ୍ତ ପୁରି ଅମାବାସ୍ୟା
ଚତୁର୍ଦ୍ଦଶୀ ଦିନ ସାତପୁରି ଘେନାଣ ନିମନ୍ତେ ଦ୍ବିପ୍ରହର ଧୂପ ପରେ କୁମ୍ଭାରପଡ଼ା ଆଲମଚଣ୍ଡୀ ଠାକୁରାଣୀଙ୍କଠାରୁ ସାତପୁର ତାଡ଼ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ଆସେ । ବେଢ଼ା ଏକ ଥର ବୁଲାଯିବା ପରେ ତାଡ଼ ରୋଷ ବେହରଣଠାରେ ରଖାଯାଏ । ସଂଧ୍ୟାଧୂପ ପରେ ଜଣେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ଦକ୍ଷିଣକାଳୀ ମନ୍ଦିରକୁ ଯାଆନ୍ତି । ଦକ୍ଷିଣକାଳୀଙ୍କ ସେବକ ତାଙ୍କଠାରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଆସି ସିଂହଦ୍ବାର ଦେଇ ରୋଷଦ୍ବାର ବାହାର ପାଶେ ଆଜ୍ଞାମାଳ ରୋଷଆଡ଼େ ଦେବେ । ଏହା ପରେ ଅନ୍ୟାନ୍ୟ ନୀତି ହେବ । ଭାଦ୍ରବ ଅମାବାସ୍ୟା ଦିନ ଅବକାଶ ପରେ ତିନି ବାଡ଼ରେ ବେଶ ହୋଇ ୬ ମୃଉଁ ଅଳର ଲାଗି କରାଯାଏ ଓ ତା’ ପରେ ଗୋପାଳବଲ୍ଲଭ ଭୋଗ ହୁଏ । ଏହା ପରେ ପାଣିପଡ଼ି ଟେରା ବନ୍ଧାଯାଇ ସକାଳ ଧୂପ ସହ ସାତପୁରି ଭୋଗ ତାଟ ରୋଷରୁ ଘଣ୍ଟ, ଛତା, କାହାଳୀ ସହ ହାତପୈଠ ହୋଇ ଆସିବ । ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରନ୍ତି । ଆଳତି ପରେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପରେ ପାଣି ପଡ଼ିବା ପରେ ଅମାବାସ୍ୟା ନାରାୟଣ ମୂର୍ତ୍ତି ଆଜ୍ଞାମାଳ ପାଇ ସାଗର ବିଜେ କରନ୍ତି ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ (ଗଣେଶ ପୂଜା)
ସଂଧ୍ୟା ଧୂପ ଶେଷ ପରେ ବଟ ଗଣେଶ, ତଳିଚ୍ଛ ମହାପାତ୍ର ଓ ଭିତରଚ୍ଛ ମହାପାତ୍ରଙ୍କ ଗଣେଶରେ ବନ୍ଦାପନା ଓ ଶୀତଳ ଭୋଗ ହୁଏ । ତା'ପରେ ସରସ୍ବତୀ ମନ୍ଦିରରେ ଭୁବନେଶ୍ବରୀଙ୍କ ପାଖରେ ଶୀତଳ ଭୋଗ ବନ୍ଦାପନା ହୁଏ ଓ ଭଦ୍ରାସନ ଉପରେ ବେହରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ପତନି ଓ ମାଳା ଲାଗି ହୋଇ ଶୀତଳ ଭୋଗ ବନ୍ଦାପନା ହୁଏ । ତା’ପରେ ୨୨ଟି ନଡ଼ିଆ ଉକ୍ତ କରଣମାନେ ଭାଙ୍ଗନ୍ତି ।
ଭାଦ୍ରବ ଶୁକ୍ଳ ପଞ୍ଚମୀ (ଋଷି ପଞ୍ଚମୀ)
ସକାଳ ଧୂପ ପରେ ଲକ୍ଷ୍ମୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚଠାରେ ରଖାଯାଇଥିବା ପାଲିରେ ମାର୍କଣ୍ଡେଶ୍ବର ଠାକୁ ବିଜେ କରିବେ । ସେଠାରେ ଭିତର ଗମ୍ଭୀରାରେ ମାଜଣା, ବନକ ଲାଗି ହୋଇ, ଏହାଙ୍କ ସାମନାରେ ପୂଜାପଣ୍ଡା ଋଷି ପଞ୍ଚମୀ ବ୍ରତ କଥା ବ୍ୟାଖ୍ୟାନ କଲା ପରେ ଶୀତଳ ଭୋଗ ବନ୍ଦାପନା ହୋଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ ।
ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ)
ସକାଳ ଧୂପ ଶେଷ ପରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚରେ ଥିବା ପାଲିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରିବେ ।


ଏଠାରେ ମାଜଣା, ଶୀତଳ ଭୋଗ ହୋଇ ବନ୍ଦାପନା ହେବ । ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀ ରତ୍ନ ସିଂହାସନ ଉପରକୁ ବିଜେ କରିବେ । ଭୋଗ ଶେଷ ହୋଇ ପାଣି ପଡ଼ିବା ପରେ ଲକ୍ଷ୍ମୀ ଓ ଭୂଦେବୀ ( ସରସ୍ବତୀ)ଙ୍କୁ ମହାଜନ ଖଟଶେଯ ଘରେ ବିଜେ କରାଇବେ । ପୂଜାପଣ୍ଡା ସୁଦର୍ଶନଙ୍କୁ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲା ପରେ ଦଇତାପତିମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ଚନ୍ଦ୍ର ଦୋଳରେ ବିଜେ କରାଇବେ । ରୁନ୍ଧା ସରି ପାଟ ପତନି ଲାଗି ପରେ ବିମାନବତୃମାନେ ଚଉଦୋଳକୁ ଝୁଲଣ ମଣ୍ଡପକୁ ନେବେ । ସେଠାରେ ସୁଦର୍ଶନ ଠାକୁରଙ୍କୁ କେତେକ ସୁନା ଅଳଙ୍କାର ଓ ଚୂଳ ଲାଗି କରାଯାଏ । ବଡ଼ଦେଉଳରେ ଗୋଟିଏ ବେଢ଼ା ସାରି ବିମାନବଡୁ ତାଙ୍କୁ ଯମେଶ୍ବରଙ୍କ ଦେଉଳରେ ବିଜେ କରାନ୍ତି । ଏଠାରେ ତାଙ୍କୁ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ଓ ବନ୍ଦାପନା କରାଯାଇ ଶ୍ରୀମନ୍ଦିର ସିଂହାସନକୁ ବାହୁଡା ବିଜେ କରାଯାଏ । ସିଂହାସନ ପୋଛା ଓ ଚାରିବାଡ଼ରେ ମହାସ୍ନାନ ପରେ ଲକ୍ଷ୍ମୀ ଓ ଭୂଦେବୀ ଖଟଶେଯ ଘରୁ ସିଂହାସନକୁ ବିଜେ କରନ୍ତି । ସଂଧ୍ୟା ଆଳତି ବେଶ ପରେ ଆଳତି ହୁଏ । ସଂଧ୍ୟା ଧୂପରେ ଚାରିଜଣ ପୂଜାପଣ୍ଡା ପୂଜାରେ ବସନ୍ତି । ସୁଦର୍ଶନଙ୍କ ବାଡ଼ରେ ପ୍ରସାଦ ଲାଗି ହୁଏ । ଭୋଗ ପରେ ବନ୍ଦାପନା ହୁଏ ।
ଭାଦ୍ରବ ଶୁକ୍ଳ ଏକାଦଶୀ (ପାର୍ଶ୍ୱ ପରିବର୍ତ୍ତନ)
ଏହି ଦିନ ଭୋଗମଣ୍ଡପ ଶେଷ ପରେ ତିନିବାଡ଼ରେ ମହାସ୍ନାନ, ନୂଆଲୁଗା ଲାଗି, ଚନ୍ଦନ ଲାଗି ହୁଏ । ଦ୍ବିପ୍ରହରର ଧୂପ ସଂଧ୍ୟା ଆଳତି ପରେ ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କଲାପରେ ପୁଣି ପଣ୍ଡା, ପତି ଓ ମୁଦିରସ୍ତ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାନ୍ତି । ଶ୍ରୀଅଙ୍ଗରୁ ଆଜ୍ଞାମାଳ ମିଳିଲେ ମଦନମୋହନ ବଟତଳେ ଥିବା ପାଲିରେ ବସନ୍ତି । ପାଲିରେ ଏକଘେରା ମନ୍ଦିର ପ୍ରଦକ୍ଷିଣ କରି ସେହି ମୂଳକୁ ଫେରି ଜୟବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ ବନ୍ଦାପନା ପରେ ଦକ୍ଷିଣ ଘରକୁ ମଦନମୋହନ ବିଜେ କରନ୍ତି । ସଂଧ୍ୟାଧୂପ ପରେ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟରେ ପବିତ୍ରାଧିବାସ ନିମନ୍ତେ ଦେଉଳ ପୁରୋହିତ ଆଚାର୍ଯ୍ୟ ବହୁବରଣ ହୋଇ ହୋମ କରନ୍ତି । ପ୍ରଥମ ବଡ଼ସିଂହାର ଭୋଗ ପରେ ଖଟଶେଯ ଘର ଧୋପଖାଳ ହୋଇ ମୁରୁଜରେ ତିନିଟି ମଣ୍ଡଳ ପଡ଼େ ଓ ପୂର୍ଣ୍ଣକୁମ୍ଭ ସ୍ଥାପନ ହୁଏ । ତା' ପୂର୍ବରୁ ସେଠାରେ ଖଟଶେଯ ବାହାର କରାଯାଇଥାଏ । ମଣ୍ଡଳମାନଙ୍କରେ ତିନିଟି ଚାଙ୍ଗୁଡ଼ିରେ ପବିତ୍ର ନିଅମୂର୍ତ୍ତି, କୁର୍ବଳ୍ପିମାଳ ତିନିମୂର୍ତ୍ତି ପତନି ଘୋଡ଼ାଇ ରଖାଯାଇଥାଏ । ଦେଉଳ ପୁରୋହିତ ବରୁଣ ପୂଜା କରି ପବିତ୍ରୀମାନଙ୍କୁ ଅଧିବାସ କରାନ୍ତି । ଏହି ନୀତି ପରେ ଖଟଶେଯ ଘରଦ୍ବାର ବନ୍ଦ ହୋଇ ତଡ଼ପକରଣଙ୍କ ଦ୍ବାରା ମୁଦ ହୁଏ । ଏହା ପରେ ରତ୍ନବେଦୀରେ ଦିଅମାନଙ୍କର ମଇଲମ, ମହାସ୍ନାନ ଓ ନୂଆଲୁଗା ଲାଗି ହୁଏ । ପରେ ସର୍ବାଙ୍ଗ ହୁଏ । ତା'ପରେ ବଲ୍ଲଭ-ବଡ଼ସିଂହାର ଭୋଗ ହୁଏ । ଏ ଭୋଗ ଷୋଡ଼ଶ ଉପଚାରରେ ହୁଏ । ଏ । ଭୋଗରେ କୃତ କୌତୁକ ସୂତ୍ର ପ୍ରସାଦ ତିନି ବାଡ଼ରେ ଲାଗି ହୁଏ । ଟେରା ଫିଟିଲେ କପ୍ତିର ଆଳତି ବଢ଼ି ପାର୍ଶ୍ୱପରିବର୍ତ୍ତନ ନୀତି ନିମନ୍ତେ ଖଟଶେଯ ଘର ଉପରେ ଶୟନ ଦିନ ମୁଦ

କରାଯାଇଥିବା ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ । ଶୁକ୍ଳଫୁଲରେ ପୁଷ୍ପାଞ୍ଜଳି ଦେଲା ପରେ ଶୟନଠାକୁରଙ୍କର କଡ଼ ଲେଉଟାଯାଏ (ପାର୍ଶ୍ୱ ପରିବର୍ତ୍ତନ) । ଏଥିପୂର୍ବରୁ ଶୟନକାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ ଉତ୍ତର ଦିଗକୁ କରାଯାଏ । ଏହାପରେ ବନ୍ଦାପନା ପରେ ପେଡ଼ି ବନ୍ଦ ହୁଏ ଓ ଦୁଆର ବନ୍ଦ କରାଯାଇ ମୁଦ ହୁଏ । ତା'ପରେ ଛଅମୂର୍ତ୍ତି ଅଳଙ୍କାର ମଇଲମ, ବିଡ଼ିଆ ମଣୋହି ଇତ୍ୟାଦି ହୋଇ ପହୁଡ଼ ହୁଏ ।
ଭାଦ୍ରବ ଶୁକ୍ଳ ଦ୍ୱାଦଶୀ (ବାମନ ଜନ୍ମ, ସୁନିଆ, ଗରୁଡ଼ ପାର୍ଶ୍ୱପରିବର୍ତ୍ତନ, ଇନ୍ଦ୍ରଧ୍ବଜପୂଜା)
ସକାଳ ଧୂପ ଶେଷ ପରେ ମହାସ୍ନାନ, ସର୍ବାଙ୍ଗହୁଏ । ଗତଦିନ ଅଧିବାସ ହୋଇଥିବା ପବିତ୍ରା ଚାଙ୍ଗୁଡ଼ିକୁ ପଣ୍ଡା, ପତି, ମୁଦିରସ୍ତ ଓ ତିନିଜଣ ପାଳିଆ ପୁଷ୍ପାଳକ ବିଧି ଅନୁସାରେ ପଟୁଆର ହୋଇ ଜୟବିଜୟ ଦ୍ୱାର ଦେଇ ବଡ଼ ଦେଉଳକୁ ତିନି ଘର ବୁଲି ରତ୍ନସିଂହାସନକୁ ବିଜେ କରାନ୍ତି । ପବିତ୍ର ଓ ଛଅ ମୂର୍ତ୍ତି ଅଳର ଶ୍ରୀଜୀଉମାନେ ଲାଗି ହୁଅନ୍ତି । କର୍ପୂର ଲାଗି ପରେ ବେଶ ହୁଏ । ମଧ୍ୟାହ୍ନ ଧୂପ ଉଠିଲେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପାଣି ପଡ଼ି ପୋଛା ମରାଯିବା ଯିବା ପରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରନ୍ତି । ତିନି ବାଡ଼ରେ ବନ୍ଦାପନା ପରେ ପୂଜାପଣ୍ଡା କଳସ ବରୁଣ ପୂଜା କରନ୍ତି । ଏହା ପରେ ପତି ଓ ମୁଦିରସ୍ତ ଥାଇ ବହୁ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ ମହାଜନମାନେ କୃଷ୍ଣଙ୍କୁ ହାତରେ ଧରି ଭିତର ସିଂହାସନକୁ ବିଜେ କରାନ୍ତି । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କଲା ପରେ ମହାଜନେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାନ୍ତି । ଏଠାରେ ବଣିଆ ନିର୍ମାଣ କରିଥିବା ଏକ କ୍ଷୁଦ୍ରାକୃତି ସୁବର୍ଣ ବାମନ ପ୍ରତିମା ବିଜେ କରିଥା'ନ୍ତି । ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ନିମନ୍ତେ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ । ପରେ ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ହୁଏ । ଏହା ପରେ ପୂଜାପଣ୍ଡା କୋରା, କ୍ଷୀର ଓ ଲହୁଣୀ ମଣୋହି କରନ୍ତି ଓ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପରେ ମହାଜନେ ଠାକୁରଙ୍କୁ ବିଜେ କରାଇ ଜୟ ବିଜୟ ଦ୍ୱାର ତଳେ ଠିଆ ହୁଅନ୍ତି । ଏଠାରେ ମାର୍କଣ୍ଡେଶ୍ବର ସାହିର ଲୋକେ ଗୋଟିଏ ବାମନ ମୂର୍ତ୍ତି ପଟି ଦିଅନ୍ତି । ବଟଦ୍ବାର ଦେଇ ସୋମନାଥ ମଣ୍ଡପ (ମାଜଣା ମଣ୍ଡପରେ ଖଟ ଉପରେ ବିଜେ କରାଯାଏ । ଭଣ୍ଡାରରୁ ଦୁର୍ଗା ପ୍ରତିମାଙ୍କୁ ପତି ମହାପାତ୍ର ହାତରେ ବିଜେ କରାଇ ଆଣି, ପଣ୍ଡା ଆଜ୍ଞାମାଳ ଦେବା ପରେ, ଉକ୍ତ ମଣ୍ଡପ ଖଟ ଉପରେ ବିଜେ କରାନ୍ତି । ଏଠାରେ ପୂଜାପଣ୍ଡା ବସୁଧାରା କରନ୍ତି ଓ ଯଜ୍ଞ ପବିତ୍ରା ଦିଅନ୍ତି । ପାଣି ପଡ଼ି ଶୀତଳ ଭୋଗ ପନ୍ତି ହୁଏ । ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି । ବନ୍ଦାପନା ଓ ପ୍ରସାଦ ଲାଗି ହୋଇ କୃଷ୍ଣ (ବାମନ) ଦକ୍ଷିଣ ଘରକୁ ଓ ଦୁର୍ଗା ଭଣ୍ଡାର ଘରକୁ ବିଜେ ହୁଅନ୍ତି ।
ସଂଧ୍ୟା ଧୂପ ଶେଷ ପରେ ସ୍ନାନବେଦୀ ପାଖ ଚାହାଣି ମଣ୍ଡପଠାରେ ବଡ଼ଛତା ମଠ କୋଣରେ ଗୋଟିଏ କାଠ ଗୟଳରେ ସପ୍ତ ମେଘ ବାଉଁଶରେ ତୟାର କରି କୋଠ ସୁଆଁସିଆ ସେବକ ପୋତି

ଥା'ନ୍ତି । ସଂଧ୍ୟା ଧୂପ ବଢ଼ିବା ପରେ ସେଠାରେ ପୂଜା ଠା' କରାଯାଏ । ରୋଷରୁ ମହାସୁଆର କିମ୍ବା ରୋଷ ପାଇକ ଦୁଇ ଓଳି ଅନ୍ନ ଇନ୍ଦ୍ରଧ୍ୱଜ ପୂଜାପାଇଁ ଆଣନ୍ତି । ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରନ୍ତି । ବର୍ଷକରେ କେବଳ ଏହି ଗୋଟିଏ ଦିନ ସଙ୍ଗ ହି ମନ୍ଦିର ବାହାରକୁ ଯାଏ) । ଭୋଗ ପରେ ବନ୍ଦାପନା ହୁଏ । ପୂର୍ଣ୍ଣିମା ପର୍ଯ୍ୟନ୍ତ ସପ୍ତମେଘ ବନ୍ଧା ହୋଇ ରହିଥାଏ । ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ହରି ଶୟନ ପଲଙ୍କ ତଳେ ଶୟନ କରିଥିବା ଗରୁଡଙ୍କର ଏହି ଦିନ ପାର୍ଶ୍ୱ ପରିବର୍ତ୍ତନ ନୀତି କରାଯାଏ । ସେହିପରି ଏହି ଦିନ ଶ୍ରୀନଅରରେ ଗଜପତିଙ୍କର ସୁନିଆ ନୀତି ହୁଏ ।
ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ (ଅନନ୍ତ ଚତୁର୍ଦ୍ଦଶୀ)
ସଂଧ୍ୟା ଧୂପ ଶେଷ ହେଲା ପରେ ମୁକ୍ତି ମଣ୍ଡପ ନିକଟସ୍ଥ ଅନନ୍ତ ବାସୁଦେବ ମନ୍ଦିରରେ ପର୍ବଯାତ୍ରା ଯୋଗାଣିଆ ମହାସ୍ନାନ ଓ ଭୋଗ ଦ୍ରବ୍ୟ ଯୋଗାନ୍ତି । ଜଣେ ପୂଜାପଣ୍ଡା ମହାସ୍ନାନ ଓ ଭୋଗ କରନ୍ତି । ତା' ପରେ ଅନନ୍ତ ବ୍ରତ କଥା ପାଠ କରି ବନ୍ଦାପନା କରନ୍ତି ।
ଭାଦ୍ରବ ପୂର୍ଣ୍ଣିମା (ଇନ୍ଦୁ ପୂର୍ଣ୍ଣିମା ବା ଐନ୍ଦ୍ର ପୂର୍ଣ୍ଣିମା)
ଏହି ଦିନ ଦୋଳଗୋବିନ୍ଦ ଠାକୁର ଦକ୍ଷିଣ ଘର ଭୋଗ ଶେଷ ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଘଣ୍ଟ, ଛତା, କାହାଳୀ ସହ ପାଲିଙ୍କିରେ ବଡ଼ଛତା ମଠ ପାର୍ଶ୍ବରେ ବିଜେ ହୁଅନ୍ତି । ଏଠାରେ ଶୀତଳ ଭୋଗ ହୁଏ । ତା ପରେ ଭିତରଛୁ ମହାପାତ୍ର ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରନ୍ତି । ଏହିଦିନ ଏଠାକୁ ବାସେଳି ସାହିରୁ ଇନ୍ଦ୍ରହାତୀ (ହାତୀ ବେଶ ହୋଇ ଜଣେ ଲୋକ) ଆସନ୍ତି । ବନ୍ଦାପନା ଶେଷ ପରେ ଦୋଳଗୋବିନ୍ଦ ବଡ଼ ଦେଉଳକୁ ବିଜେ କରନ୍ତି ।
ସହସ୍ର କୁମ୍ଭାଭିଷେକ (ବିମଳାଙ୍କ ଷୋଡ଼ଶ ପୂଜାରମ୍ଭ)
୧୬ ଦିନ ଗଣତି ହୋଇ ଆଶ୍ୱିନ କୃଷ୍ଣ ସପ୍ତମୀ କିମ୍ବା ଅଷ୍ଟମୀ ଦିନଠାରୁ ବିମଳା ଠାକୁରାଣୀଙ୍କ ପୂଜା ଆରମ୍ଭ ହୁଏ । ତିଥି ବୃଦ୍ଧି ନଥିଲେ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଦୁର୍ଗା ଭଣ୍ଡାର ଘରୁ ସକାଳ ଧୂପ ପରେ ଆଜ୍ଞାମାଳ ପାଇ ପତି ମହାପାତ୍ରଙ୍କ ହାତରେ ସୋମନାଥ ମଣ୍ଡପ (ମାଜଣା ମଣ୍ଡପ ରେ ଖଟରେ ବିଜେ ହୁଅନ୍ତି । ପଣ୍ଡା, ପତି ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଙ୍କୁ ୧୦୦୦ ଗରା ଜଳରେ ଅଭିଷେକ କରାନ୍ତି । ଏହା ପରେ ଶ୍ରୀଅଙ୍ଗ ପୋଛା, ନବବସ୍ତ୍ର ଲାଗି, ବେଶ, ପ୍ରସାଦ ଲାଗି, ଶୀତଳ ଭୋଗ, ବନ୍ଦାପନାଦି ନୀତି ଶେଷ ପରେ ଦେବୀଙ୍କୁ ଭଣ୍ଡାର ଘର ଦ୍ବାର ଦେଶରେ ବିଜେ କଲା ପରେ ସହସ୍ର କୁମ୍ଭାଭିଷେକ ବିଧି ଶେଷ ହୁଏ ।
ଦୁର୍ଗା ବିଗ୍ରହ ଭଣ୍ଡାର ଦ୍ୱାରଠାରେ ବିଜେ ହେବା ପରେ ଶ୍ରୀବାଳ ପୁରୁଷୋତ୍ତମ (ନୀଳମାଧବ ମାଧବ) ସିଂହାସନରୁ ଆଜ୍ଞାମାଳ ପାଇ ଆସି ଦୁର୍ଗାଙ୍କ ସହିତ ଏକତ୍ର ଭଦ୍ରାସନରେ ବସିଲେ ରୁନ୍ଧା କାର୍ଯ୍ୟ ହୁଏ । ଏକତ୍ର ରୁନ୍ଧା ଅବସ୍ଥାରେ ଦୁର୍ଗାମାଧବ ରତ୍ନ ସିଂହାସନକୁ ଯାଇ ଆଜ୍ଞାମାଳ ପାଇଲା

ପରେ ଜୟ ବିଜୟ ଦ୍ୱାର ବାଟ ଦେଇ ଝୁଲଣ ମଣ୍ଡପଠାରେ ପାଲିଙ୍କିରେ ବସି କର୍ପୂର ଜଳ ଲାଗି ହେବା ପରେ ବିମଳା ମନ୍ଦିରକୁ ବିଜେ କରନ୍ତି । ସେଠାର ଖଟ ଉପରେ ଦୁର୍ଗାମାଧବ ବିଜେ ହେଲେ ଶୀତଳ ଭୋଗ ମଣୋହି ଓ ବନ୍ଦାପନା ହୁଏ । ତତ୍‍ପୂର୍ବରୁ ବିମଳାଙ୍କ ସକାଳ ଧୂପ ଶେଷ ହୋଇଥାଏ । ତିନି ଧୂପ ସରି ଭିତରେ ଚନ୍ଦନ ଲାଗି ନୀତି ପରେ ଦୁର୍ଗାମାଧବ ପାଲିଙ୍କିରେ ଯାଇ ଭଣ୍ଡାରରେ ବିଜେ କରନ୍ତି । ଷୋହଳ ଦିନ ଏହିପରି ରୁନ୍ଧା ଅବସ୍ଥାରେ ରହନ୍ତି । ଦଶହରା ଦିନ ରୁନ୍ଧା ଖୋଲାଯାଏ ।

ଷୋହଳ ପୂଜାର ପ୍ରଥମ ଆଠ ଦିନ ଦୁର୍ଗାମାଧବ ରୁନ୍ଧା ଅବସ୍ଥାରେ ବିମଳାଙ୍କ ମନ୍ଦିରକୁ ଓ ପରବର୍ତ୍ତୀ ଆଠଦିନ ଦୋଳ ମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରନ୍ତି । ଉଭୟ ସ୍ଥାନରେ ଏକା ପରି ନୀତି ହୁଏ ।

ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ । ପ୍ରଥମ ପୂଜାପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣମାନେ ହୁକୁମମାନ ପାଠ କରନ୍ତି । ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ । ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ । ସଂକଳ୍ପ ହୁଏ । ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ । ପାଳିଆ ସେବକ ପୂଜା ଠା' କରେ । ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି । ପୂଜା ଷୋଡ଼ଶ ଉପଚାରରେ ହୁଏ । କୋଠଭୋଗର ମହାପ୍ରସାଦ ପିଠା, ଥ।ଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ାଯାଏ । ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ । ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁିଲେ ଓ ଦେବଦାସୀ ନୃତ୍ୟ କରୁିଲେ । ତାହା ଏବେ ହେଉନାହିଁ ।

ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହୁଏ । ସକାଳ ଧୂପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯାଏ । କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପମାନଙ୍କରେ ହୁଏ ନାହିଁ । ବିଧି ଅନୁସାରେ ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ହୁଏ । ଏହି ଧୂପମାନଙ୍କରେ ସକାଳ ଧୂପ ପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯାଏ । ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପପାଇଁ ଅଛି । ସପ୍ତମୀ ଦିନଠାରୁ ବିମଳାଙ୍କର ତ୍ରିଦିବସାତ୍ମକ ପୂଜାପାଇଁ ପୃକ ସଂକଳ୍ପ କରାଯାଏ । ଏିରେ ତର୍ପଣ ମାର୍ଜନାଦି ସହ ବଳି, ଜପ, ହୋମ ଆଦି ଯୋଗ କରାଯାଏ । ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ି ଓ ଆମିଷ (ମାଛ) ଭୋଗର ବ୍ୟବସ୍ଥା ଅଛି । ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳା ମନ୍ଦିର ଆଗରେ ଥିବା କୂପର ଦକ୍ଷିଣ ଦିଗରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇାଏ ।

ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କର ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ବେଢ଼ା ଶୋଧ କରାଯାଏ । ପଶ୍ଚିମ ଦ୍ୱାର ବାଟେ ଦେବୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ବଳିପାଇଁ ପଶୁ ଓ ମାଛ ଆଦି ଅଣାଯାଏ ।

ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ । ମାଛ ରନ୍ଧା ହୁଏ । ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ । ନିର୍ଦ୍ଧିଷ୍ଟ ପଶୁ ବଳି ଛଡ଼ା ଯାଚଜ୍ଞା ବଳି ବ୍ୟବସ୍ଥା ଏଠାରେ ନାହିଁ । କାହାର ମାନସିକ ଥିଲେ ତାଙ୍କ ତରଫରୁ ପଶୁବଳି ଶ୍ରୀମନ୍ଦିର ବାହାରେ କାକୁଡ଼ି ଖାଇ ଠାକୁରାଣୀଙ୍କ ପାଖରେ ପଡ଼େ । ସଙ୍ଖଡ଼ି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ । ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳାଇ ମନ୍ଦିର ଭିତରକୁ ପ୍ରବେଶ ନିଷେଧ । ଏହି ସମୟ କାଳରେ ଗୁରୁବାର ପଡ଼ିଲେ 'ଏକାନ୍ତ’ ନୀତି ହୁଏ ନାହିଁ । ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କପାଇଁ କେତେକ ଅଧିକ ଭୋଗ ହୁଏ । ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ । ତାହାହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ । ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ ।
ଷୋଳ ପୂଜା ସମୟରେ ମା' ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି । ତାହା ହେଲା -
କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ) ।
ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ । କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି ।
ଆଶ୍ୱିନ କୃଷ୍ଣ ଅଷ୍ଟମୀ (ଦ୍ବିତୀୟା ଓଷା)
ସକାଳ ଧୂପ ପରେ ଲକ୍ଷ୍ମୀ (ଶ୍ରୀଦେବୀ) ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇବା ପରେ ସାତ ପାହାଚଠାରେ ଥିବା ପାଲିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିରରେ ପଡ଼ିଥିବା ଖଟ ଉପରେ ବିଜେ ହୁଅନ୍ତି । ସେଠାରେ ତାଙ୍କର ମାଜଣା, ବନକଲାଗି କରାଯାଏ । ବେଶ ହୋଇ ଅଳଙ୍କାର ଲାଗି ଓ କର୍ପୂର ଲାଗି ହୁଅନ୍ତି । ପୂଜାପଣ୍ଡା ଲକ୍ଷ୍ମୀବ୍ରତ କଥା ଶୁଣାଛି । ଭୋଗ, ବନ୍ଦାପନା ହୁଏ । ମଧ୍ୟାହ୍ନ ଧୂପ ଉଠିଲେ ରତ୍ନ ସିଂହାସନକୁ ବାହୁଡ଼ନ୍ତି ।

ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା ଓ ଆୟୁଧ ପୂଜା)
ଏହି ଦିନ ଅବକାଶ ଶେଷ ପରେ ତିନିବାଡ଼ରେ ଚନ୍ଦନ ଲାଗି ବଢିଲେ ନୂଆ ଲୁଗ ଓ ନିର୍ଦ୍ଦିଷ୍ଟ ଅଳଙ୍କାରମାନ ଲାଗି ହୋଇ ଶ୍ରୀଜୀଉମାନଙ୍କର ( ତ୍ରିମୂର୍ତ୍ତିଙ୍କର) ରାଜବେଶ ହୋଇଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ଭଣ୍ଡାର ଦ୍ବାରରେ ପୂଜା ପାଉଥିବା ଆୟଧମାନଙ୍କର ମହାସ୍ନାନ ହୋଇ ବରୁଣ ପୂଜା ହେଲା ପରେ ତିନିଗୋଟି ରୁପା ଥାଳିରେ ତିନି ଦେବଦେବୀଙ୍କ ଆୟଧମାନ ରଖାଯାଇ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ତିନି ଥର ମନ୍ଦିର ପ୍ରଦକ୍ଷିଣ କରାଯାଇ ଭିତର ସିଂହାସନକୁ ବିଜେ କଲା ପରେ ତିନି ବାଡ଼ରେ ଆୟୁଧ ଲାଗି କରାହୁଏ । ଆୟୁଧମାନ ହେଲା
ଶ୍ରୀବଳଭଦ୍ରଙ୍କର ହଳ ଓ ମୂଷଳ (୨)
ଦେବୀ ସୁଭଦ୍ରାଙ୍କର ତଡଗୀ (୨)
ଶ୍ରୀଜଗନ୍ନାଥଙ୍କର ଶଙ୍ଖ ଓ ଚକ୍ର (୨)
ଆୟୁଧମାନ ଷୋଳ ପୂଜା ଶେଷ ଚାରିଦିନ ଭଣ୍ଡାର ଘରେ ରହି ପୂଜିତ ହୁଅନ୍ତି । ଦକ୍ଷିଣ ଘରଠାରେ ମଦନମୋହନ, ରାମ ଓ କୃଷ୍ଣ ଦଶହରା ପଦା (ମହାଖଳାକୁ ଯିବାପାଇଁ ବୀରବେଶ ହୁଅନ୍ତି । ଭିତରେ ଆଳତି ଶେଷ ପରେ ମଦନମୋହନ, ରାମ , କୃଷ୍ଣ ଓ ଭଣ୍ଡାର ଘରୁ ରୁନ୍ଧା । ହୋଇଥିବା ଦୁର୍ଗାମାଧବ ସିଂହାସନକୁ ବିଜେ କରନ୍ତି । ସୁଧସୁଆର ତିନି ବାଡ଼ରେ ମଙ୍ଗଳାର୍ପଣ ସାମଗ୍ରୀ ରଖିଥାନ୍ତି । ପଣ୍ଡା, ପତି ଓ ମୁଦିରସ୍ତ ତିନି ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ଏହା ପରେ ପୂଜାପଣ୍ଡା ପାଞ୍ଚ ଠାକୁରଙ୍କୁ ୫ଟି ଆଜ୍ଞାମାଳ ଦେଲେ ମହାଜନମାନେ ହାତରେ ବିଜେ କରାଇ ଆଣି ଜଗମୋହନ ଦେଇ ବଟ ମୂଳେ ଥିବା ପଲିରେ ରମକୃଷ୍ଣଙ୍କୁ ରଥରେ ଦୁର୍ଗାମାଧବଙ୍କୁ ଓ ବିମାନରେ ମଦନମୋହନଙ୍କୁ ବିଜେ କରାନ୍ତି । ଶୁନ୍ଧା ଶେଷ ପରେ ବିମାନବଡୁମାନେ ଦିଅଁମାନଙ୍କୁ ମହାଖଳାପଦା ଠାକୁ ବିଜେ କରାନ୍ତି । ଏଠାରେ ମୁଦିରସ୍ତ ରାମକୃଷ୍ଣ ଓ ଅନ୍ୟ ଦିଅଁଙ୍କୁ ପ୍ରସାଦ ଲାଗି କରାନ୍ତି ଏବଂ ଶୀତଳ ଭୋଗ ଓ ବନ୍ଦାପନା ଶେଷ ହେବା ପରେ ଦିଅଁମାନଙ୍କର ବାହୁଡ଼ା ବିଜେ ହୁଏ । ମାଧବ ସିଂହାସନକୁ, ଦୁର୍ଗ ଭଣ୍ଡାର ଘରକୁ ଓ ଅନ୍ୟ ତିନି ଦିଅଁ ଦକ୍ଷିଣ ଘରକୁ ବିଜେ କରନ୍ତି ।
କାର୍ତ୍ତିକ ମାସ ନୀତି
ଶ୍ରୀମନ୍ଦିରରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସର ଭୋଗ, ବେଶ ଓ ବ୍ରତ ପାଳନ କରାଯାଏ । ଅର୍ଥାତ୍ ଏହି ଏକାଦଶୀ ତିଥିଠାରୁ ବା ଦଶହରା ବାସି ଦିନଠାରୁ କାର୍ତ୍ତିକ ମାସ ଧରାଯାଏ । କାର୍ତ୍ତିକ ମାସର ପାରମ୍ପରିକ ନୀତି ପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଥାନ୍ତି । ଏହି ସମୟରେ କେତେକ ସ୍ବତନ୍ତ୍ର ବେଶ ଓ ଧୂପ (ବାଳଭୋଗ କରାଯାଏ । କାର୍ତ୍ତିକ ମାସରେ କେତେକ ପର୍ବଦିନମାନଙ୍କରେ ମଧ୍ୟ ସ୍ବତନ୍ତ୍ର ନୀତି ପାଳନ କରାଯାଏ ।



କାର୍ତ୍ତିକ ମାସରେ ରାତି ୨ଟା୩୦ କିମ୍ବା ୩ଟାରେ ଦ୍ୱାରଫିଟା ହୁଏ । ପରବର୍ତ୍ତୀ ନୀତିମାନ ହେଲା ମଙ୍ଗଳ ଆରତି, ମଇଲମ ଓ ତଡ଼ପଲାଗି, ଅବକାଶ, ରାଧା-ଦାମୋଦର ବେଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ଭୋଗ, ସକାଳ ଧୂପ (କେବଳ କୋଠ ଭୋଗ), ବାଳଧୂପ, ମଇଲମ-ବେଶ, ଭୋଗମଣ୍ଡପ ଭୋଗ, ମଧ୍ୟାହ୍ନ ଧୂପ, ଦ୍ବିତୀୟ ଭୋଗମଣ୍ଡପ ଧୂପ (ଯଦି ଆବଶ୍ୟକ ହୁଏ) ମଇଲମ-ବେଶ, ଦିବାପହୁଡ଼, ଦ୍ୱାରଫିଟା (ଯଦି ଦିବା ପହୁଡ଼ ହୁଏ ) ସଂଧ୍ୟା ଆଳତି, ସାହାଣମେଲା, ମଇଲମ-ବେଶ, ସଂଧ୍ୟା ଧୂପ, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଓ ରାତ୍ର ପହୁଡ଼ ।
କାର୍ତ୍ତିକ ମାସରେ ସଂଧ୍ୟା ଆଳତି ପରେ ସର୍ବ ସାଧାରଣ ଦର୍ଶନ ବା ସାହାଣମେଲା ହୁଏ । ସାଧାରଣତଃ ଅନ୍ୟ ଦିନମାନଙ୍କରେ ସାହାଣମେଲା ସକାଳେ ଅବକାଶ ପରେ ଓ ଗୋପାଳବଲ୍ଲଭ ଧୂପ ପୂର୍ବରୁ ହୋଇଥାଏ । ସମୟ ଅଭାବରୁ ଅନ୍ୟ ଦିନମାନଙ୍କରେ ଦିବା ପହୁଡ଼ ହୋଇ ପାରେ ନାହିଁ । କିନ୍ତୁ କାର୍ତ୍ତିକ ମାସରେ ପହିଲି ଭୋଗ (ଧନୁମାସରେ)ରେ ଦିବା ପହୁଡ଼ ସମ୍ଭବ ହୋଇଥାଏ ।
ଆଶ୍ବିନ ମାସର ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)
କୁମାର ପୂର୍ଣ୍ଣିମା ଶ୍ରୀମନ୍ଦିରର ଏକ ବିଶେଷ ପର୍ବ । ଏହି ଦିନ ସୁଦର୍ଶନ ଠାକୁର ମନ୍ଦିର ବାହାରେ ଥିବା କେତେକ ଆସ୍ଥାନ (ଉଗ୍ରସେନଙ୍କ ଆଶ୍ରମ) ବିଜେ କରି ଫେରନ୍ତି । ସୁଦର୍ଶନଙ୍କ ନିମନ୍ତେ ସ୍ବତନ୍ତ୍ର ପୂଜା ଓ ବନ୍ଦାପନା ହୁଏ । ସଂଧ୍ୟା ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରତ୍ନବେଦୀୟ ଲକ୍ଷ୍ମୀ ପ୍ରତିମା (ଶ୍ରୀଦେବୀ) ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିରର ଜଗମୋହନରେ ବିଜେ ହୁଅନ୍ତି । ଏଠାରେ ପ୍ରତିନିଧି ଭାବେ ମୁଦିରସ୍ତ ସେବକ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ରଙ୍କ ମଧ୍ୟରେ କଉଡ଼ି ଓ ପଶାଖେଳ ହୁଏ । ତା'ପରେ ଦୁଇ ଦିଅଁଙ୍କୁ ଶୀତଳ ମଣୋହି କରାଯିବା ପରେ ବାହୁଡ଼ା ବିଜେ ହୁଏ । ଏହା ପରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ହୋଇଥାଏ । ଠାକୁରମାନଙ୍କୁ ନୂଆ ଲୁଗା (ପତନି) ଲାଗି କରାଯାଏ । ବଡ଼ସିଂହାର ଧୂପ ପରେ ପୁନର୍ବାର ରତ୍ନ ସିଂହାସନ ତଳେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଜୁଆ, ପଶା ଓ କଉଡ଼ି ଖେଳନ୍ତି । ପରେ ସଂହାସନ ଉପରେ ଖେଳନ୍ତି । ଏ ଖେଳରେ ଲକ୍ଷ୍ମୀଙ୍କ ପାଖରେ ଜଗନ୍ନାଥ ମହାପ୍ରଭୁ ହାରିଯିବାରୁ ମାଧବ ମହାଜନଙ୍କ ହାତରେ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ବନ୍ଧା ରହନ୍ତି । ଅଷ୍ଟମ ଦିନ ଅବକଶ ପୂଜା a’ ସମୟରେ ବିନ୍ଧାରୁ ଫିଟି ରତ୍ନ ସିଂହାସନକୁ ଫେରି ଆସନ୍ତି ।
ସାଧାରଣ ମାନବ ପରି ପ୍ରଭୁ ଜଗନ୍ନାଥ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଠାକୁରାଣୀ କୁମାରପୂର୍ଣ୍ଣିମାରେ ନୂଆଲୁଗା ପିନ୍ଧନ୍ତି ଓ ଖେଳନ୍ତି ।
ଦଶହରା ବାସି ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା-ଦାମୋଦର ବେଶ ହୁଏ । ପଞ୍ଚକ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଯଥାକ୍ରମେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ , ବାଙ୍କଚୂଡ଼ ବା ବାମନ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ଏବଂ ରାଜବେଶ ହୁଏ ।
(ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ବେଶ ଅଧ୍ୟାୟରେ ପ୍ରଦାନ କରାଯାଇଛି ।)

କାର୍ତ୍ତିକ ମାସରେ ଶୁକ୍ଳ ଏକାଦଶୀ ଦିନ ‘ହରି ଉତ୍ଥାପନ ନୀତି ହୁଏ । ଏହି ନୀତି ଶୟନ ଏକାଦଶୀ ଭଳି ବଲ୍ଲଭ-ବଡ଼ସିଂହାର ପର୍ଯ୍ୟନ୍ତ ହୁଏ । କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ‘ଗରୁଡ଼ ଉତ୍ଥାପନ ନୀତି ହୁଏ । ଶୁକ୍ଳ ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ‘ଶରତ ରାହାସ ନୀତି ହୁଏ । କାର୍ତ୍ତିକ ପୂର୍ଣ୍ଣିମାରେ ସଂଧ୍ୟା ଧୂପ ପରେ ‘ଦୋଳଗୋବିନ୍ଦାଭିଷେକ ହୁଏ । ଦକ୍ଷିଣ ଘରୁ ଦୋଳ ଗୋବିନ୍ଦ ଠାକୁର ରତ୍ନବେଦୀକୁ ବିଜେ କରନ୍ତି । ଆଜ୍ଞାମାଳ ପାଇଲା ପରେ ତାଙ୍କୁ ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯାଏ । ଏଠାରେ ଭୋଗ ଓ ବନ୍ଦାପନା ପରେ ଠାକୁର ଦକ୍ଷିଣ ଘରକୁ ଫେରନ୍ତି ।
ଗର୍ଭଣା ସଂକ୍ରାନ୍ତି (ତୁଳ ସଂକ୍ରମଣ, କାର୍ଭିକ)
ଭୋଗମଣ୍ଡପ ଧୂପ ପରେ ତିନି ବାଡ଼ରେ ମଇଲମ, ମହାସ୍ନାନ, ନୂଆଲୁଗାଲାଗି, ପଣ୍ଡା, ପତି, ମୁଦିରସ୍ତଦ୍ୱାରା ସର୍ବାଙ୍ଗ ଓ ୬ ମୂର୍ତ୍ତି ଅଳଙ୍କର ଲାଗି ହୁଏ । ମଧ୍ୟାହ୍ନ ଧୂପ ଉଠିଲା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ମଧ୍ୟାହ୍ନ ଧୂପ ଟେରା ପଡ଼ିବା ପରେ ଜଣେ ପୂଜାପଣ୍ଡା ରୋଷ ପାଇକ ହାତରେ ଭିତରୁ ୧ଓଳି ସଙ୍ଗୀଡ଼ି ବାହାର କରି ଆଣି ମନ୍ଦିର ଚତୁଃପାର୍ଶ୍ୱରେ ବଳି ଦିଅନ୍ତି । ଭୋଗ ପରେ ଆଳତି ଓ ବନ୍ଦାପନା ହୁଏ ।
ନବାନ୍ନ
ଏଥିପାଇଁ ନିର୍ଦ୍ଦିଷ୍ଟ ଦିନ ନାହିଁ । ଦିଅଁମାନଙ୍କ ରାଶି ନକ୍ଷତ୍ର ଦେଖି ଏହା ଠିକ୍ କରାଯାଏ । ଏ । ଦିନ ନୂଆ ବିରି ଓ ନୂଆ ଚାଉଳ ଭୋଗରେ ଲାଗି ହୁଏ । ପର୍ବ ଯାତ୍ରା ଭୋଗ ବିଧିପୂର୍ବକ ହୁଏ । ମଧ୍ୟାହ୍ନ ଧୂପ ବେଶରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୁଏ । ପ୍ରସାଦ ଲାଗି ଓ ବନ୍ଦାପନା ହୁଏ ।
ପ୍ରଥମାଷ୍ଟମୀ (ମାର୍ଗଶିର କୃଷ୍ଣ ଅଷ୍ଟମୀ)
ଭୋଗମଣ୍ଡପ ଧୂପ ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ବଢ଼େ । ନୂଆଲୁଗା ଓ ଚନ୍ଦନ ଲାଗି ହେବା ପରେ ବେଶ ହୁଏ । କର୍ପୂର ଲାଗି ପରେ, ସୁଧସୁଆର ତିନିବାଡ଼ରେ ପୂଜା ଆ’ କଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ବରୁଣ ପୂଜା କରନ୍ତି । ମଧ୍ୟାହ୍ନ ଧୂପ ଉଠିଲେ ତିନିବାଡ଼ରେ ମଙ୍ଗଳାର୍ପଣ ହୁଏ । ଫୁଲ ପରିଆ, ଖଦି ଓ ଛେଦା ପ୍ରସାଦ ଲାଗି ହୁଏ । ତା’ପରେ ବନ୍ଦାପନା ହୋଇ ଅନ୍ୟାନ୍ୟ ଦୈନିକ ନୀତି ହୁଏ ।
ଦୀପ ଦାନ ଓ ପିତୃଶ୍ରାଦ୍ଧ (ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ)
ଚତୁର୍ଦ୍ଦଶୀ ଦିନ ସଂଧ୍ୟ ଧୂପ ପରେ ଧୋପଖାଳ ହୋଇଥାଏ । ପରେ ଭଣ୍ଡାର ମେକାପ ସିଂହାସନ ତଳେ ଚାଉଳରେ ଏକ ଗଛ କରନ୍ତି । ପାଳିଆ ମେକାପ ବଇଠାମାନଙ୍କରେ ଘିଅ ଦେଇ




ଚାଉଳ ଗଛରେ ବତି ବସାନ୍ତି । ପୂଜାପଣ୍ଡା ଉକ୍ତ ଚାଉଳ ଗଛ ଓ ଦୀପମାନଙ୍କୁ ସଂସ୍କାର କଲା ପରେ ସିଂହାସନ ଉପରକୁ ଉଠି ପତି ଓ ମୁଦିରସ୍ତଙ୍କ ସମେତ ବନ୍ଦାପନା କରନ୍ତି । ପରେ ମହାଦୀପ ତିନିଟି ବନ୍ଦାପନା ହୁଏ । ତିନିଜଣ ପୂଜାପଣ୍ଡା ମହାଦୀପ ତିନିଟି ହାତରେ ଧରି ଜୟ ବିଜୟ ଦ୍ବାରର ଭିତର ପାଖକୁ ଆସନ୍ତି । ଏଠାରେ ମଧ୍ୟ ଚାଉଳର ଗଛ ଆସ୍ଥାନ ପଢ଼ିଆରୀ କରିଥାନ୍ତି । ଏହି ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରନ୍ତି । ଏହା ପରେ ମହାଦୀପ କଳସଗୁଡ଼ିକ ଚୂନରାଙ୍କୁ ଦେବା ପରେ ଚୂନରା ତେଲ ଓ ଘିଅ ନେଇ ମନ୍ଦିର ଉପରେ ତିନି ଦେଉଳରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ର ଉଦିଆ ଜାଳି ହରିବୋଲ ଡାକନ୍ତି (ଏକାଦଶୀ ଦିନ ପରି) ।
ଅମାବାସ୍ୟା ଦିନ ଠିକ୍ ପୂର୍ବୋକ୍ତ ନୀତି ପାଳିତ ହୁଏ । କିନ୍ତୁ ପ୍ରତିପଦ ଦିନ ଚାଉଳ ଗଛ ହେବା ପରେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ପ୍ରସାଦ ଲାଗି, ଚାଉଳଗଛ ସଂସ୍କାର ପରେ ତିନିବାଡ଼ରେ ବନ୍ଦାପନା ହୁଏ ଏବଂ ତା’ ପରେ ମଦନମୋହନ ଲକ୍ଷ୍ମୀ ଓ ଭୂଦେବୀ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାର ଭିତର ପାଖେ ବିଜେ କରିଥିବା ବେଳେ ସେଠାରେ ଚାଉଳ ଗଛର ସଂସ୍କାର ହୁଏ । ତା'ପରେ ଜୟ-ବିଜୟ ଦ୍ବାର ଖୋଲାଯାଏ । ଏହି ତିନିଦିଅଁ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି । ରୁନ୍ଧା ପରେ ବିମାନବଡୁ ମାନେ ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ନିଅନ୍ତି । ଏଠାରେ କାଠର ଭଦ୍ରାସନ ଉପରେ ଚାଉଳର ଗଛ କରାଯାଇ ଦୀପ ବସାଯାଏ । ମୁଦିରସ୍ତଙ୍କ ଦ୍ବାରା ପ୍ରସାଦ ଲାଗି ଓ ପୂଜାପଣ୍ଡାଙ୍କ ଦ୍ବାରା ଗଛ ସଂସ୍କାର ପରେ, ମୁଦିରସ୍ତ ବନ୍ଦାପନା କରନ୍ତି । ଏହା ପରେ ଦିଅଁମାନେ ବଡ଼ ଦେଉଳକୁ ବାହୁଡ଼ା ବିଜେ କରନ୍ତି ।
ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ (ମାର୍ଗଶିର ଶୁକ୍ଳ ଷଷ୍ଠୀ)
ଶୁକ୍ଳ ପଞ୍ଚମୀ ରାତ୍ରିରେ ଚନ୍ଦନ ଲାଗି ନୀତି ପରେ ପତନି, ଘୋଡ଼ ଓ ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥାଏ । ଏଥିପାଇଁ ଭୋଗମଣ୍ଡପ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ । ତିନିଟି ମଣ୍ଡଳ ଉପରେ ଚାଙ୍ଗୁଡ଼ାରେ ଘୋଡ଼ମାନଙ୍କୁ ରଖାଯାଇ ଅଧିବାସ କର୍ମ କରାଯାଏ । ଏହା ପରେ ଦୁଆର ମୁଦ ହୋଇଥାଏ । ତା’ପରେ ଅନ୍ୟାନ୍ୟ ନୀତି ହୋଇ ପହୁଡ଼ ହୁଏ । ଏହି ଦିନ ଅଧିବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ ।
ଷଷ୍ଠୀ ଦିନ ସକାଳେ ଧୂପ ପରେ ମଇଲମ କରାଯାଏ । ଗତଦିନ ଭୋଗ ମଣ୍ଡପ ଘରେ ଅଧିବାସ ହୋଇଥିବା ଘୋଡ଼ମାନଙ୍କୁ ପଣ୍ଡା, ପତି, ମୁଦିରସ୍ତ ଓ ତିନି ଜଣ ପୁଷ୍ପାଳକ ଗରାବଡୁଠାରୁ ହାତୁଆଣି ନେଇ ଘଣ୍ଟ, ଛତା, କାହାଳୀ ସହି ତଳିଚ୍ଛ ପଟୁଆର ହୋଇ ବଡ଼ଦେଉଳକୁ ତିନି ଘେରା ବୁଲି ରତ୍ନ ସିଂହାସନ ନିକଟକୁ ବିଜେ କରାନ୍ତି । ସିଂହାସନରେ ଠାକୁରମାନଙ୍କ ଘୋଡ଼ଲାଗି ଓ ପାଟ ଲାଗି ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୁଏ । ଏହା ପରେ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ସରିଲେ ତିନିବାଡ଼ରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି ।


ମାର୍ଗଶିର ପୂର୍ଣ୍ଣିମା (ପଣ୍ଡୁ ପୂର୍ଣ୍ଣିମା)
ସକାଳ ଧୂପ ପରେ ପୁଷ୍ପାଳକମାନେ ସିଂହାସନରେ ଦିଅଁଙ୍କୁ ମଇଲମ କରନ୍ତି ଓ ଖଣ୍ଡ ଆଜ୍ଞା ମାଳ ଲାଗି କରାନ୍ତି । ଦକ୍ଷିଣ ଘର ଭୋଗ ଶେଷ ପରେ ମହାଜନ ଦକ୍ଷିଣଘରୁ ନୃସିଂହ ଠାକୁରଙ୍କୁ ସିଂହାସନକୁ ବିଜେ କରାନ୍ତି । ଏହି ଠାକୁରଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ ହୁଅନ୍ତି । ବିମାନବତୁମାନେ ବିମାନକୁ ଚାରି ଆଶ୍ରମରେ ଭ୍ରମଣ କରାଇ ବଡ଼ ଦେଉଳକୁ ଆଣନ୍ତି । ମହାଜନମାନେ ରୁନ୍ଧା ଫିଟାଇ ନୃସିଂହଙ୍କୁ ଦକ୍ଷିଣ ଘରକୁ ବିଜେ କରାନ୍ତି ।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି (ପହିଲି ଭୋଗ)
ଏହି ମାସକପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ପରମ୍ପରାନୁସାରେ ନୀତି ପାଳନ ନିମନ୍ତେ ସ୍ବତନ୍ତ୍ର ନିର୍ଘଣ୍ଟ ପ୍ରସ୍ତୁତ କରାଯାଏ । ପ୍ରତ୍ୟେକ ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଥାଏ । ନୀତିମାନ ହେଲା- ଦ୍ୱାରଫିଟା (ରାତ୍ର ୨ ଟା୩୦), ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ପହିଲି ଭୋଗ, ସକାଳ ଧୂପ, ସାହାଣମେଲା, ମଇଲମ ଓ ବେଶ, ଭୋଗମଣ୍ଡପ ଭୋଗ, ମଧ୍ୟାହ୍ନ ଧୂପ (ଆବଶ୍ୟକ ହେଲେ ପୁଣି ଭୋଗମଣ୍ଡପ ଭୋଗ ବା ପଛ ଭୋଗମଣ୍ଡପ), ମଇଲମ ଓ ବେଶ, ଦିବା ପହୁଡ଼, ଦ୍ୱାରଫିଟା, ସନ୍ଧ୍ୟା ଆଳତି, ମଇଲମ, ବେଶ, ସନ୍ଧ୍ୟାଧୂପ, ସାହାଣମେଲା, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ, ରାତ୍ର ପହୁଡ଼ ।
ବଲ୍ଲଭ ସହିତ ପହିଲି ଭୋଗ ହୁଏ । ପହିଲି ଭୋଗର ତାଲିକା (୧୯୯୭ ମସିହାରେ ସଂଗୃହୀତ): ଦରସୁଆ ବଡ଼ି (ବଡ଼ବଡ଼ି) ୧ପଣ (୨୦ଗଣ୍ଡା), ଛତୁ (ଲିଆଗୁଣ୍ଡ, ଘିଅ, ଚିନି, ଅଳେଇଚ, ଲବଙ୍ଗ ମିଶ୍ରିତ) ୧୦ଗଣ୍ଡା, ଚୁଡ଼ାପୁଆଁ (ଚୁଡ଼ାକୁ ଘିଅରେ ଭାଜି, ନଡ଼ିଆ ପକାଇ) ୧ ସରା ଓ ୫ ଓଳି, ବଡ଼ଝିଲି ୧୦ଗଣ୍ଡା, ସାନଝିଲି ୧ଠଗଣ୍ଡା, କାକରା ୧୦ଗଣ୍ଡା, ନଳୀ (ନଳୀ ଆକୃତିର କାକରା) ୮ ଗଣ୍ଡା, ଟିକିଲି (ଟିପ ପରି କାକରା) ୧ ପଣ ଓ ୨ଗଣ୍ଡା, କଣ୍ଢେଇ (ଅତି ଟିକି କାକରା) ୧ ପଣ ୨ ଗଣ୍ଡା, ଆରିସା ୫ଗଣ୍ଡା, ଝଡ଼େଇଲଦା ୧୪ ଗୁଳା, ମୁଗେଇ (ମୁଗ ସିଝାଯାଇ ମସଲା, ନଡ଼ିଆ ପଡ଼ି ଘିଅରେ ଭଜା ହୁଏ) ୧୫ଗଣ୍ଡା, ବୟ ବଡ଼ି ୧ତାଡ଼ (୪୦୦ଟି) । ପହିଲି ଭୋଗ ମାସରେ ଏଗୁଡ଼ିକ ବଲ୍ଲଭ ସହିତ ଲାଗେ । ଏହା ବ୍ୟତୀତ, ଏହି ମାସରେ ସକାଳଧୂପ ସହିତ ଲାଗେ- ସାନବଡ଼ି ୩୦୦ଟି, ଗଜାବଡ଼ି ୫ଓଳି, ଖୁରୁମା ୫ଓଳି, ଗଇଁଠା ୪୮ଟି, ମଣ୍ଡା ୪୮ଟି, ଏଣ୍ଡୁରି ୨ଟି, ସାନ ଅମାଲୁ ୧ପଣ ଓ ୨ଟି ମାଣ୍ଡି (୨ ସରା), ବିରିବଡ଼ା ୧ବଡ଼ ଓ ୪ ଗଣ୍ଡା ସାନ, ଲଡୁ (ଚାଉଳ ଚୂନାରେ ତିଆରି) ୫ଓଳି । ଧନୁଠାରୁ ମକର ସଂକ୍ରାନ୍ତି ଯାଏଁ ମଙ୍ଗଳ ଆଳତି ବଢ଼ିବାପରେ ପହିଲି ଭୋଗ ସକାଶେ ରୋଷଘରେ ହୋମ ହୁଏ । ଏହି ଧନୁ ମାସରେ ଧନୁମୁଆଁ ଭୋଗ ହୁଏ । ମକର ସଂକ୍ରାନ୍ତିରେ ମକରଚାଉଳ ଭୋଗ ହୁଏ ।

ବକୁଳ ଅମାବାସ୍ୟା (ପୌଷ ଅମାବାସ୍ୟା)
ଏ ଦିନ ଅବକାଶ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଆଜ୍ଞାମାଳ ଲାଗି ହୋଇଥାଏ । ସକାଳ ଧୂପ ଉଠିବା ସମୟରେ ରୋଷଘରୁ ‘ବଉଳ-ଗଇଁଠା’ ତାଟ ଛାମୁକୁ ଆସେ । ମୁଦିରସ୍ତ ପ୍ରସାଦ ଲାଗି କଲାପରେ ସକାଳଧୂପ ପୂଜା ହୁଏ । ଭୋଗ ଆଳତି ପରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି । ତା'ପରେ ତାଟ ମହାପ୍ରସାଦ ବାହାର କରାଯାଏ । ପାଣି ପଡ଼ିବା ପରେ ନାରାୟଣ ସିଂହାସନକୁ ବିଜେ କରାଯାଏ । ଆଜ୍ଞା ମାଳ ପାଇବା ପରେ ପାଲିଙ୍କିରେ ସାଗର ବିଜେ କରାଯାଏ ।
ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା)
ଏହି ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବର ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପରେ ଦେଉଳ ପୁରୋହିତଙ୍କ ଦ୍ବାରା ସମାହିତ ହୋଇଥାଏ ।
ପୌଷପୂର୍ଣ୍ଣିମା ପୂର୍ବଦିନ (ଚତୁର୍ଦ୍ଦଶୀ ଦିନ) ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ । ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ଏକ ହାଣ୍ଡି ଘିଅ ଓ ରୋଷକୃପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖିମାନଙ୍କରେ ରଖାଯାଇଥାଏ । ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ । ଏହି ଗରାମାନଙ୍କୁ ଦେଉଳ ପୁରୋହିତ ମେଡ଼ି ପତନି ଘୋଡ଼ାଇ, ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି । ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ପକରଣ ମୁଦ ଦିଅନ୍ତି । ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୂତ ପୃଷ୍ଠ ଓ ଚନ୍ଦନାଦି ଦ୍ବାରା ଅଧିବାସ ହୁଏ । ଭଦ୍ରାସନର ଚାରିପାଖେ ଚିକିଟାମାଟିରେ ବନ୍ଦ କରାଯାଇଥାଏ । ଏହାପରେ ପଇଡ଼ ବିଡ଼ିଆ ମଣୋହି ହୋଇ ପହୁଡ଼ ହୁଏ । ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିବେ ।
ଶ୍ରୀମନ୍ଦିର ଭିତରବେଡ଼ାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କଦ୍ବାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ । ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ । ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ । ପରେ ମହାସ୍ନାନ ପୂଜା ଠା' ହୁଏ । ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ । ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହଁ ବାନ୍ଧି, ଘଣ୍ଟା ଛତା କାହାଳୀ ସହ ତଳିଛି ପ୍ରଧାନୀ ପଟୁଆରରେ ଆସି ଚାରି ଥରରେ

ଚାରିଟି ପନ୍ତି ରେ ରଖନ୍ତି । ଏହା ପରେ ଶୀତଳ ଭୋଗ ଛକ ଆସେ । ତା' ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି । ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ର, ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି । ଗରାବଡ଼ମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାନ୍ତି (କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ର୍) । ପାଣି ପଡ଼ିବା ପରେ ପୃଷ୍ପାଳକମାନେ ମୈଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାନ୍ତି । ଏହା ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିରେ ଯାଇ ଲକ୍ଷ୍ମୀମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୁଅନ୍ତି । ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ହୁଏ । ଏହା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସୁନା ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ, ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ଏହା ପରେ ଲକ୍ଷ୍ମୀ ବାହୁଡା ବିଜେ ହୋଇ ଭିତର ସିଂହାସନକୁ ବିଜେ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ଓ ଦଣ୍ଡଛତ୍ର ସଂସ୍କାର କରି ଭିତରଛୁ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦିଅନ୍ତି । ଭିତରଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ବରୂପ ଠିଆହୋଇ ଦଣ୍ଡଛତ୍ର ଧରନ୍ତି । ପାଳିଆ ଭଣ୍ଡାରମେକାପ ହନୁମାନ ସ୍ବରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି । ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରନ୍ତି । ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି । ତା’ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି କରନ୍ତି । ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥା'ନ୍ତି । ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମୈଲମ କରନ୍ତି । ଭିତରଛ ଦଣ୍ଡଛତ୍ର ମୈଲମକରି ତଳକୁ ଦିଅନ୍ତି । ଏ ଉତ୍ତାରୁ ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନ ସିଂହାସନଙ୍କୁ ବିଜେ କରନ୍ତି । ସେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକପାଇଁ ବିଜେ କରନ୍ତି । ସେଠାରେ କାଠ ଭଦ୍ରାସନରେ ବିଜେ ହେବା ପରେ ମହାସ୍ନାନ ହୁଏ । ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରନ୍ତି ।
ନବାଙ୍କ ଓ ମକର ସଂକ୍ରାନ୍ତି
ନବାଙ୍କ ପୂର୍ବଦିନ ଦୁଧମେଲାଣ ନୀତି ହୁଏ । ନବାଙ୍କ ଦିନ ଚାଉଳ ମେଲାଣ ଓ ଫୁଲ ମେଲାଣ ନୀତି ହୁଏ ।
ମକର ସଂକ୍ରାନ୍ତି ଦିନ ଆଳତି, ଅବକାଶ ପରେ ଦିଅଁମାନେ ଫୁଟାପହରଣ ଲାଗି ହୁଅନ୍ତି । ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୁଏ । ମାଳ ଲାଗି ବେଶ ଓ କର୍ପୂର ଲାଗି ହୁଏ । ବଲ୍ଲଭ ଭୋଗ ପରେ ସକାଳ ଧୂପ ସରି ମଇଲମ ପରେ ମହାସ୍ନାନ କରାଯାଏ । ଏହା ପରେ ସର୍ବାଙ୍ଗ ବିଜେ ହୋଇ ଆସି ସର୍ବାଙ୍ଗ ଲାଗି ବଢ଼ିବା ପରେ ନୂଆଲୁଗା, ଚୂଳ, ମାଳ, ଛଅମୂର୍ତ୍ତି ଅଳର ଲାଗି

ପରେ ବେଶ ଶେଷ ହୁଏ । ଧୋପଖାଳ ପରେ ଦ୍ବିପ୍ରହର ଧୂପ ସହିତ ଯାତ୍ରାଙ୍ଗୀ ଭୋଗ ରୋଷଘରୁ ଘଣ୍ଟ, ଛତା କାହାଳୀ ସହ ସେବକଙ୍କ ପଟୁଆରରେ ଆସେ । ଷୋଡ଼ଶ ଉପଚାରରେ ମଣୋହି ବଢ଼େ । ଟେରା ପଡ଼ିବା ପରେ ଏକ ଓଳି ଅନ୍ନ ବାହାରକୁ ଆସି ମନ୍ଦିର ଚାରି ପାଖରେ ଦିଗବଳି ପ୍ରଦାନ ହୁଏ । ଏହି ଭୋଗ ଶେଷ ହୋଇ ଆଳତି ବଢ଼ି, ଧୋପଖାଳ ହୋଇ ଟେରାବନ୍ଧା ଗଲା ପରେ ଅଧିବାସ ହୋଇଥିବା ମକରଚାଉଳ ଆଣିବାପାଇଁ ଭୋଗମଣ୍ଡପ ଘରକୁ ଭୋଗ ଡ଼କାଯାଏ ।
ଭୋଗ ଡାକିଯିବା ବେଳକୁ ସୁଧ ସୁଆରମାନେ ପୂର୍ବରୁ ଗୋଦମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସର ନେଇଥାନ୍ତି । ପର୍ବଯାତ୍ରା ଯୋଗାଣିଆଠାରୁ ହାଣ୍ଡି କୁଡୁଆମାନ ନେଇଥା'ନ୍ତି । ସେମାନେ ପନ୍ତି ବର୍ତ୍ତମାନଙ୍କଠାରୁ ତିନିଗୋଟି ରୂପାଥାଳି ନେଇଥା'ନ୍ତି । ସେଥିରେ ଉକ୍ତ ଚାଉଳକୁ ମୁର୍ତ୍ତମୂଳ କରି ରଖିଥାନ୍ତି । ତାହା ପନ୍ତିବଡ଼ୁମାନେ ବାଘମୁହଁ ବାନ୍ଧି ଘଣ୍ଟ, ଛତା, କାହାଳୀ ସହିତ ତଳିଛ ପଟୁଆର କରି ବଡ଼ଦେଉଳକୁ ତିନିବେଢ଼ା ବୁଲି ଭିତରେ ପରିରେ ବାଢଛି । ଏହା ପରେ ରୋଷଘରୁ ମକରଚୌରାଶୀ ଭୋଗ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଛାମୁକୁ ଆସେ । ପରେ ମହାଭୋଇମାନେ ବାଘମୁହଁ ବାନ୍ଧି, ଘଣ୍ଟା, ଛତା କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ସହ ପଟୁଆରରେ ଆସି ଦୁଧଘରଠାରୁ ସେମାନେ ଆଣିଥିବା ଦହି ଜୟବିଜୟ ଦ୍ୱାରଠାରେ ଲଣ୍ଡାବରେ ଦରଶୁଆ କରାଇ, ବଡ଼ଦେଉଳକୁ ଗୋଟିଏ ବେଢ଼ା ବୁଲି ଦହି ମହାସୁଆରଙ୍କ ଜିମା ଦିଅନ୍ତି । ସେ ଛାମୁରେ ବାଢ଼ନ୍ତି । ହଡ଼ପ ନାୟକମାନେ ସେହିପରି ହଡ଼ପଘରଠାରୁ ବାଘମୁହଁ ବାନ୍ଧି ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡ଼ ଦେଉଳକୁ ବେଢ଼ାଏ ବୁଲି ନଳିପାନ ଓ ଛାଚିପାନ ଭୋଗରେ ବାଢ଼ିବା ପାଇଁ ମହାସୁଆରଙ୍କୁ ଦିଅନ୍ତି । ଏହା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ଏ ଭୋଗ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ମଣୋହି କରନ୍ତି । ପରେ ଟେରା ଫିଟି ମହାପ୍ରସାଦ ଭିତରେ ଥାଇ ପଣ୍ଡା, ପତି, ମୁଦିରସ୍ତ ବନ୍ଦାପନା କରନ୍ତି ।
ପଦ୍ମବେଶ : ବେଶ ଅଧ୍ୟାୟ ଦ୍ରଷ୍ଟବ୍ୟ ।
ବସନ୍ତ ପଞ୍ଚମୀ (ମାଘ ଶୁକ୍ଳ ପଞ୍ଚମୀ)
ମଧ୍ୟାହ୍ନ ଧୂପ ପରେ ମଇଲମ ପରେ ମାଧବାଳି ଲୁଗା ଲାଗି ହୁଏ । ତିନିଗୋଟି ରୁପା ପିଙ୍ଗଣରେ ନିର୍ଦ୍ଦିଷ୍ଟ ସେବକମାନଙ୍କ ଦ୍ବାରା ଚନ୍ଦନବିଜେ ହୋଇ ଚନ୍ଦନଲାଗି କରାଯାଏ । ଦକ୍ଷିଣ ଘରେ ପଡ଼ିଥିବା ଖଟ ଉପରେ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଏବଂ ଦୋଳଗୋବିନ୍ଦ ଠାକୁରଙ୍କୁ ଉକ୍ତ ଖଟ ଉପରେ ବିଜେ କରାଯାଏ । ଭିତରର ବେଶ ବଢ଼ିବା ବେଳକୁ ଏହି ତିନି ଦିଅଁଙ୍କର ଚାଚେରୀ ବେଶ, ମାଣ୍ତୁଆ ଭୋଗ, ସର୍ପମଣୋହି ଓ ଦକ୍ଷିଣ ଘର ଭୋଗ ଶେଷ ହୋଇଯାଇଥାଏ । ଭିତରେ ପାଣି ପଡ଼ି ରୋଷ ଘରକୁ ଚାଚେରୀ ଭୋଗ ଡାକରା ଯାଏ । ଭୋଗ ଛାମୁକୁ ଆସିଲେ ଦୁଇ ଦେବୀ ଓ ଦୋଳଗୋବିନ୍ଦ ଭିତରେ ସିଂହାସନକୁ ବିଜେ କରନ୍ତି । ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ କରନ୍ତି । ଭୋଗ ସରି ଧୋପଖାଳ


ହେବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଚନ୍ଦନଫରୁ ବିଜେ କରି ଆଣି ସିଂହାସନ ଉପରକୁ ଉଠି ତିନିବାଡ଼ରେ ଏହା ଲାଗି କରନ୍ତି । ପରେ ଏମାନେ ତିନିବାଡ଼ରେ ବନ୍ଦାପନା କରି ତଳକୁ ଓହ୍ଲାଇ ଆସନ୍ତି । ଏହା ପରେ ମୁଦିରସ୍ତ ତିନିବାଡ଼ରେ ସିଂହାସନ ତଳେ ଝିମିର ଫଗୁ ଅଞ୍ଜଳି କରନ୍ତି । ପୁଣି ସିଂହାସନକୁ ଉଠି ଫଗୁଚନ୍ଦନ ମୁଣି ପ୍ରସାଦ ଲାଗି କରିବା ଉତ୍ତାରୁ ସିଂହାସନ ଉପରେ ଚାମର ଆଲଟ କରନ୍ତି ଓ ତଳେ ମଧ୍ୟ ତାହା କରନ୍ତି । ଏହା ପରେ ପୂଜାପଣ୍ଡା ଉକ୍ତ ଦୁଇ ଦେବୀ ଓ ଠାକୁରଙ୍କୁ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେବା ପରେ ମହାଜନେ ଉକ୍ତ ତିନି ଠାକୁରଙ୍କୁ ବିଜେ କରାଇ ଆଣି ଜୟବିଜୟ ଦ୍ୱାର ଲଣ୍ଡାବ ଉପରେ ଠିଆହୋଇ ରହନ୍ତି । ଏଠାରେ ଠାକୁରମାନଙ୍କୁ ମୁଦିରସ୍ତ ଫଗୁଚନ୍ଦନ ମୁଣି ପ୍ରସାଦ ଲାଗି କରନ୍ତି ଓ ବନ୍ଦାପନା, ଚାମର ଆଲଟ କରନ୍ତି । ପରେ ସେ ତିନିଠାକୁରଙ୍କ ପ୍ରଭା ଉପରକୁ ଫଗୁ ଛିଞ୍ଚନ୍ତି । ତା'ପରେ ତିନି ଦିଅଁ ହାତରେ ମହାଜନଙ୍କଦ୍ୱାରା ବିଜେ ହୋଇ ବଟମୂଳେ ଥିବା ବିମାନରେ ବିଜେ କରନ୍ତି । ବିମାନବମାନେ ଘଣ୍ଟ, ଛତା ଓ କାହାଳୀ ସହ ବିମାନକୁ ଗୁଣ୍ଡିଚା ତୋଟା (ନରେନ୍ଦ୍ର)କୁ ନିଅନ୍ତି । ଏ ବିମାନ ପଛରେ ପଞ୍ଚ ମହାଦେବ (ପଞ୍ଚପାଣ୍ଡବଙ୍କ ବିମାନମାନ ଯାଏ । ଏଠାରେ ଦୁଇଦେବୀ ଜଗତି ଉପରେ ଓ ଦୋଳଗୋବିନ୍ଦ ଚଉଦୋଳିରେ ବିଜେକରି ରହନ୍ତି । ନିର୍ଦ୍ଦିଷ୍ଟ ସେବକମାନଙ୍କଦ୍ୱାରା ଫଗୁଖେଳ ହୁଏ । ଦୋଳଗୋବିନ୍ଦ ଜଗତିରେ ଦୁଇ ଦେବୀଙ୍କ ପାଖରେ ବିଜେ ହୁଅନ୍ତି । ଏଠାରେ ଶୀତଳଭୋଗ ତିନିଟି ପନ୍ତିରେ ବଢ଼ାଯାଏ । ମୁଦିରସ୍ତ ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ କରିବା ପରେ ପ୍ରସାଦ ମୈଲମ ହୁଏ । ଏହା ପରେ ଦିଅଁମାନେ ବେଣ୍ଡବିନ୍ଧା ନୀତି ପାଇଁ ବେଣ୍ଟପୋଖରୀ (ଜଗନ୍ନାଥ ବଲ୍ଲଭ) କୁ ବିଜେ କରନ୍ତି । ଏଠାରେ ତୀରକମାଣକୁ ଭିତରଛି ଦିଅଙ୍କ ଶ୍ରୀଅଙ୍ଗରେ ଛୁଆଇ ଲେଙ୍କ ସେବକକୁ ଦେଲେ ସେ ପଇଡ଼କୁ ବେଣ୍ଟ ବିନ୍ଧନ୍ତି । ଦିଅଁମାନେ ଏହା ଉତ୍ତାରୁ ବଡ଼ଦେଉଳକୁ ବାହୁଡ଼ାବିଜେ କରନ୍ତି । ବଟ ମୂଳେ ରୁନ୍ଧା ଫିଟା ଗଲା ପରେ ମହାଜନମାନେ ହାତରେ ବିଜେ କରାଇନେଇ ଚାଚେରୀ ନିମନ୍ତେ ଜୟବିଜୟ ଦ୍ବାରରେ ରହନ୍ତି । ଏଠାରେ ପ୍ରସାଦଲାଗି ଓ ବନ୍ଦାପନା ହେବା ପରେ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ଓ ଠାକୁରାଣୀ ଦ୍ବୟ ସିଂହାସନକୁ ବିଜେ ହୁଅନ୍ତି । ସନ୍ଧ୍ୟାଧୂପ ସମାପନ ପରେ ସରସ୍ବତୀ ମନ୍ଦିରରେ ପାଞ୍ଜି ପୂଜା ହୁଏ ।
ତିଳ ସପ୍ତମୀ (ମାଘ ଶୁକ୍ଳ ସପ୍ତମୀ)
ସନ୍ଧ୍ୟାଧୂପ ପରେ ସୂର୍ଯ୍ୟ ମନ୍ଦିରରେ ଠାକୁରଙ୍କ ବେଶ, ଭୋଗ (ଖଞ୍ଜା ଭୋଗ) ଓ ବନ୍ଦାପନା ହୁଏ । ଏହା ପରେ ଭିତରେ ଅନ୍ୟାନ୍ୟ ନୀତି ହୁଏ ।
ଭୌମ ଏକାଦଶୀ (ମାଘ ଶୁକ୍ଳ ଏକାଦଶୀ)
ଭୋଗମଣ୍ଡପ ଧୂପ ପରେ ଶ୍ରୀଜୀଉମାନଙ୍କର ପଞ୍ଚାମୃତରେ ମହାସ୍ନାନ ହୋଇ ମଇଲମ ହେବା ପରେ ସର୍ବାଙ୍ଗ ବିଜେ ହୋଇ ଲାଗି କରାଯାଏ । ଛଅମୃଉଁ ଅଳଙ୍କାର ଓ କର୍ପୂର ଲାଗିହୋଇ ବେଶ

ବଢ଼େ । ପାଣି ପଡ଼ି ମଧ୍ୟାହ୍ନ ଧୂପ ଛେକ ଆସିଲେ ମୁଦିରସ୍ତ ପ୍ରସାଦଲାଗି କରନ୍ତି । ଭୋଗ ସରିଲେ ତିନିବାଡ଼ରେ ବନ୍ଦାପନା ହୁଏ ।
ଗଜ ଉଦ୍ଧାରଣ ବେଶ (ମାଘ ପୂର୍ଣ୍ଣିମା)
ମଧ୍ୟାହ୍ନ ଧୂପ ପରେ ହୁଏ । “ବେଶ ଅଧ୍ୟାୟ ଦ୍ରଷ୍ଟବ୍ୟ ।
ଶିବରାତ୍ରି (ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ)
ଶ୍ରୀମନ୍ଦିରର ରତୃଭଣ୍ଡାରର ରକ୍ଷକ ଶ୍ରୀଲୋକନାଥ ଠାକୁର ଏହି ଦିନ ଶ୍ରୀଲୋକନାଥ ମନ୍ଦିରକୁ ବିଜେ କରନ୍ତି । ଉକ୍ତ ମନ୍ଦିରର ସେବକମାନେ ଆସି ବିମାନରେ ସେଠାକୁ ନିଅନ୍ତି । ସେଠାରେ ହରିହର ଭେଟ, ଭୋଗ, ବନ୍ଦାପନା ସରିବା ପରେ ବାହୁଡ଼ାବିଜେ କରନ୍ତି ।
ଦୋଳ ଯାତ୍ରା (ଫାଲଗୁନ ଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ)
ଶ୍ରୀମନ୍ଦିରର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ସାତଦିନ ଧରି ପାଳିତ ହୁଏ । ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ (ପ୍ରତିପଦ) ଶେଷ ହୁଏ । ଦଶମୀଠାରୁ ଚତୁର୍ଦ୍ଦଶୀ ମଧ୍ୟରେ ତିଥିକ୍ଷୟ ଥିଲେ ଫାଲଗୁନ ଶୁକ୍ଳ ନବମୀଠାରୁ ପାଳନ କରାଯାଏ । ସର୍ବତ୍ର ରାଧାକୃଷ୍ଣଙ୍କର ଦୋଳଯାତ୍ରାର ପ୍ରସିଦ୍ଧି ଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳଗୋବିନ୍ଦଙ୍କ ଦୋଳଯାତ୍ରା ପରେ ଏକତ୍ରାବସ୍ଥାନ ଶ୍ରୀକ୍ଷେତ୍ରର ଓ ଶ୍ରୀମନ୍ଦିରର ମାହାତ୍ମ୍ୟ ପୃଥକ ଭାବେ ଚିହ୍ନାଇ ଦିଏ ।
ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ମୈଲମ ଓ ନାଲି ଲୁଗା ଲାଗି ପରେ ଶ୍ରୀଜୀଉମାନଙ୍କର ସର୍ବାଙ୍ଗ ବଢ଼େ । ପରେ ଚାଚେରୀ ବେଶ ନିମନ୍ତେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନରୁ ଦକ୍ଷିଣ ଘରକୁ ବିଜେ ହୁଅନ୍ତି । (ବସନ୍ତ ପଞ୍ଚମୀ ପରି ନୀତି ହୁଏ) । ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ ହୁଅନ୍ତି । ସେଠାରେ ଭୋଗ ଓ ଜଉଡାବ ଖେଳ ପରେ ବାହୁଡ଼ାବିଜେ କରନ୍ତି । ଏକାଦଶୀ ଦିନ ଜୟବିଜୟ ଦ୍ୱାରଠାରେ ଭୋଗ ବନ୍ଦାପନା (ଦୋଳଗୋବିନ୍ଦଙ୍କ) ସରିବା ପରେ ଦୁଇଦେବୀ ଭିତରୁ ବିଜେ କରି ଆସି ଜୟବିଜୟ ଦ୍ୱାରଠାକୁ ଆସନ୍ତି । ତିନିଦିଅଁ ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରନ୍ତି । ଅନ୍ୟାନ୍ୟ ନୀତି ଫଗୁ ଦଶମୀ ପରି ହୁଏ । ଏହିପରି ଦ୍ୱାଦଶୀ ଓ ତ୍ରୟୋଦଶୀ ପର୍ଯ୍ୟନ୍ତ ନୀତି ହୁଏ ।
ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ହୁଏ । ମଧ୍ୟାହ୍ନ ଧୂପ ପରେ ଚନ୍ଦନବିଜେ, ସର୍ବାଙ୍ଗ ଲାଗି ପରେ ଦୁଇ ଠାକୁରାଣୀ ଚାଚେରୀ ବେଶ ନିମନ୍ତେ ଦକ୍ଷିଣ ଘରଠାରେ ଖଟଶେଯ ଉପରକୁ ବିଜେ କରନ୍ତି । ଏମାନଙ୍କ ସହିତ ଦୋଳଗୋବିନ୍ଦ ମଧ୍ୟ ବେଶ ହୁଅନ୍ତି । ବେଶ ପରେ ମାଳଫୁଲ କର୍ପୂର ଲାଗି ହୁଏ । ଧୋପଖାଳ ପରେ ପରେ ଚାଚେରୀ ଭୋଗ ଡକାଯାଏ । ଦକ୍ଷିଣ ଘର ଭୋଗ ପରେ ସେଠାରୁ ଦିଅଁମାନେ ଭିତରକୁ ବିଜେ କରନ୍ତି । ମୁଦିରସ୍ତଙ୍କ ପ୍ରସାଦ ଲାଗି

ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରନ୍ତି । ଧୋପଖାଳ ହେବା ପରେ ପଣ୍ଡା, ପତି, ମୁଦିରସ୍ତ ପରମ୍ପରା ଅନୁସାରେ ଚନ୍ଦନ ଫଗୁ ବିଜେ କରାଇ ଆଣି ତିନିବାଡ଼ରେ ଶ୍ରୀଅଙ୍ଗରେ ଲାଗି କରାନ୍ତି ଓ ବନ୍ଦାପନା କରନ୍ତି । ମୁଦିରସ୍ତ ସିଂହାସନ ତଳେ ଝିମିରି ଫଗୁ ଅଞ୍ଜଳି କରନ୍ତି ଓ ଶ୍ରୀଅଙ୍ଗରେ ଫଗୁମୁଣି ଲାଗି କରନ୍ତି । ଚାମର ଆଲଟ କରନ୍ତି । ପୂଜାପଣ୍ଡା ଆଜ୍ଞା ମାଳ ଦେଲା ପରେ ମହାଜନମାନେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ହାତରେ ବିଜେ କରାଇନେଇ ଜୟବିଜୟ ଦ୍ୱାର ଓ ମୁକ୍ତିମଣ୍ଡପ ଦେଇ ଲକ୍ଷ୍ମୀଙ୍କ ମନ୍ଦିରଠାରେ ପଲଙ୍କରେ ବିଜେ କରାନ୍ତି । ଏଠାରେ ଫଗୁ ଖେଳ ହୁଏ । ପରେ ପ୍ରସାଦ ଲାଗି ଓ ବନ୍ଦାପନା ହୁଏ । ପରେ ଲକ୍ଷ୍ମୀମନ୍ଦିରଠାରେ ଥିବା ବିମାନରେ ତିନିଦିଅଁ ବିଜେକରି ଦୋଳବେଦୀଠାରେ ଥିବା ଅଗ୍ନିଉତ୍ସବ ଘରକୁ ବିଜେ କରନ୍ତି । ସେଠାରେ ପୂଜାପଣ୍ଡା ହୋମ କରନ୍ତି । ହୋମ ପରେ ପ୍ରସାଦ ଲାଗି, ଶୀତଳ ଭୋଗ ମଣୋହି ହୋଇ ଚାମର ଆଲଟ ହୁଏ । ଅଗ୍ନିଘରେ ନିଆଁ ଲଗାଯାଏ । ବିମାନ ଅଗ୍ନିଘର ଚାରିପଟେ ସାତଘେରା ବୁଲେ । ବାହୁଡ଼ା ବିଜେ ପୂର୍ବଦିନମାନଙ୍କ ପରି ହୁଏ । ଏହା ପରେ ଭିତରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ହୁଏ ।
ଦୋଳପୂର୍ଣ୍ଣିମା
ପୂର୍ଣ୍ଣିମା ଦିନ ଅବକାଶ ଓ ମୈଲମ ପରେ ପୁଷ୍ପାଳକମାନେ ଚନ୍ଦନଲାଗି, ନୂଆ ବୋଇରାଣୀ ଶାଢ଼ି ଖଣ୍ଡୁଆ ଲାଗି, ତ୍ରିମୁଣ୍ଡରେ ଗଭାଲାଗି କରନ୍ତି । ଏହା ପୂର୍ବରୁ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ସରିଥାଏ । ଖଇକୋରା ଭୋଗ ଛାମୁକୁ ଆସିବା ପରେ ମହାଜନ ଦୋଳଗୋବିନ୍ଦଙ୍କୁ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ କରନ୍ତି । ଭୋଗ ପରେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞା ମାଳ ଦିଅନ୍ତି । ଏହା ପରେ ମହାଜନେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ସିଂହାସନ ଚାରିପଟେ ସାତଘେରା ବୁଲାନ୍ତି । ତାପରେ ସେମାନେ ଦିଅଁ ତିନି ଜଣଙ୍କୁ ନାଭିକଟା ମଣ୍ଡପରେ ଖଟରେ ବିଜେ କରାନ୍ତି । ଏଠାରେ ନିର୍ଦ୍ଦିଷ୍ଟ ସେବକମାନଙ୍କଦ୍ୱାରା ମହାସ୍ନାନ, ମାଜଣା, ବନକଲାଗି, ପାଟଯୋଡ଼ ଶାଢ଼ି ଲାଗି ହୋଇ ବେଶ ବଢେ । ତା’ପରେ ଶୀତଳ ଭୋଗ ଛେକ ଆସେ । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ବନ୍ଦାପନା ହୁଏ । ମହାଜନେ ତିନିଦିଅଁଙ୍କୁ ସାତପାହାଚ ଦ୍ବାରଠାରେ ଥିବା ବିମାନରେ ବିଜେ କରାନ୍ତି । ବିମାନବନ୍ତୁମାନେ ବିମାନ କାନ୍ଧେଇ, ଘଣ୍ଟ ଛତା କାହାଳୀ ସହ ବଡ଼ଦେଉଳକୁ ସାତଘେରା ବୁଲି ଦୋଳବେଦୀକୁ ଯାନ୍ତି । ବେଦୀ ଚାରିପଟେ ସାତଘେରା ବୁଲନ୍ତି । ତା'ପରେ ମହାଜନେ ଦିଅଁମାନଙ୍କୁ ସାତଘେରା ବେଦୀ ଉପରେ ଚାରିପଟେ ବୁଲାନ୍ତି ଓ ବନ୍ଧା ହୋଇଥିବା ଦୋଳିର ଚାରିପଟେ ସାତଘେରା ବୁଲାଇ ଦୋଳିରେ ବିଜେ କରାନ୍ତି । ଏହା ପରେ ଦୋଳବେଦୀରେ ସର୍ବସାଧାରଣପାଇଁ ଦର୍ଶନ ବ୍ୟବସ୍ଥା ହୁଏ । ତା' ପରେ ପାଣିପଡ଼ି ଧୋପଖାଳ ହୁଏ । ଏଠାରେ ଘଣ୍ଟ, ଛତା ଓ କାହାଳୀ, ତଳିଛ ପଟୁଆର ହୋଇ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାଧୂପ ଷୋଡ଼ଶ ଉପଚାରରେ ପୂଜା ହୁଏ । ଏହା ପରେ ବାହୁଡ଼ାବଜେ ସକାଶେ ଦିଅମାନେ ଦୋଳିରୁ ଓହ୍ଲାନ୍ତ ।

ମୁଦିରସ୍ତ ନିଉଛାଳି କରିବା ପରେ ସିଂହାସନ ଚାରିପଟେ ସାତଘେରା ବୁଲି ସିଂହାସନ ତଳେ ଠିଆ ହୋଇ ରହନ୍ତି । ପ୍ରସାଦ ଲାଗି ଓ ବନ୍ଦାପନା ହୁଏ । ସିଂହାସନ ତଳେ ଚାରିପଟ ସାତଘେରା ବୁଲି ବିମାନରେ ଦିଅଁମାନେ ବିଜେ କରନ୍ତି । ବିମାନ ବେଦୀ ଚାରିପଟେ ସାତଘେରା ବୁଲିବା ପରେ ଦିଅଁମାନେ ଶ୍ରୀମନ୍ଦିରକୁ ବିଜେ କରନ୍ତି । ଶ୍ରୀମନ୍ଦିରରେ ସାତଘେରା ବୁଲିବା ପରେ ସରସ୍ବତୀ ଦେଉଳ ସାମନାରେ ବିମାନ ରଖାଯାଏ । ସେଠାରେ ଶୀତଳଭୋଗ ମଣୋହି ହୁଏ ଓ ବନ୍ଦାପନା ହୁଏ । ଏହା ପରେ ବିମାନ ସାତ ପାହାଚ ଦେଇ ଭିତର କାଠ ପାଖରେ ଭଣ୍ଡାର ଦ୍ବାରଠାରେ ବିଜେ ହୁଅନ୍ତି । ସେଠାରେ ବନ୍ଦାପନା ଓ ଜଳଲାଗି ସରିଲେ ଦିଅଁମାନେ ଯେଝା ସ୍ଥାନକୁ ବିଜେ କରନ୍ତି ।
ଏଣେ ଭିତରେ ଖଇକୋରା ଭୋଗ ସରି ତିନିଦିଅ ଯିବା ପରେ ପୁଷ୍ପାଳକମାନେ ସିଂହାସନସ୍ଥ ତ୍ରିମୂର୍ତ୍ତି ରାଜବେଶ (ସୁନାବେଶ) କରାନ୍ତି । କର୍ପୂର ଲାଗି ହୁଏ । ବଲ୍ଲଭ, ସକାଳ ଧୂପ ଓ ଭୋଗମଣ୍ଡପ ଧୂପ ହୋଇଥାଏ । ଦିଅଁମାନେ ଦୋଳବେଦୀରୁ ଫେରିଲେ ଅନ୍ୟାନ୍ୟ ନୀତି ହୁଏ ।
ହୋରି
ଚୈତ୍ର କୃଷ୍ଣ ପ୍ରତିପଦା ଦିନ ମଧ୍ୟାହ୍ନ ଧୂପ ସରିବା ପରେ ଓ ଦକ୍ଷିଣ ଘର ଭୋଗ ସରିବା ପରେ ଦୋଳଗୋବିନ୍ଦ ଠାକୁର ଭିତରକୁ ବିଜେ କରିବା ପରେ ପୂଜାପଣ୍ଡା ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଆଜ୍ଞାମାଳ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାର କରି ଦିଅନ୍ତି । ମହାଜନେ ତିନି ଦେବୀଙ୍କୁ ଝୁଲଣ ମଣ୍ଡପ ତଳେ ରଖାଯାଇଥିବା ବିମାନରେ ବିଜେ କରାନ୍ତି । ବିମାନବଡୁମାନେ ବିମାନ ନେଇ ସିଂହଦ୍ୱାର ଦେଇ ନରେନ୍ଦ୍ର ଚକଡ଼ାରେ ବିଜେ କରାନ୍ତି । ଏଠାରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ଶୀତଳ ଭୋଗ ମଣୋହି ପୂଜାପଣ୍ଡା ପଞ୍ଚୋପଚାରରେ କଲା ପରେ ମୁଦିରସ୍ତ ବନ୍ଦାପନା କରନ୍ତି । ଚାମର ଆଲଟ କରନ୍ତି । ଏହା ପରେ ତିନିଦିଅଁ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରନ୍ତି ।
ଚୈତ୍ର ଗୁଣ୍ଡିଚା
ଚୈତ୍ର ଶୁକ୍ଳପକ୍ଷ ଷଷ୍ଠୀରେ ହୁଏ । ସନ୍ଧ୍ୟା ଧୂପ ବଢ଼ିବା ପରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କୁ ମହାସ୍ନାନ କରାଇ ଗନ୍ଧ ପୁଷ୍ଟାଦିରେ ବେଶ କରାଯାଏ । ଏହାଙ୍କ ଦେଉଳରେ ଖିରି, କାକରା ଓ ଲଡୁ ଭୋଗ ବଢ଼ା ହୁଏ । ଏହାଙ୍କ ସେବକ ପକ୍ଷୋପଚାରରେ ମଣୋହି କରାନ୍ତି ।
ଅଶୋକାଷ୍ଟମୀ
ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ନୀତି ହୁଏ । ସକାଳଧୂପ ପରେ ଭଣ୍ଡାରରୁ ଲୋକନାଥ ଠାକୁରଙ୍କୁ ମହାଜନେ ଝୁଲଣ ମଣ୍ଡପ ତଳେ ଥିବା ପାଲିରେ ବିଜେ କରାନ୍ତି । ବିମାନବଡୁମାନେ ପାଲିଙ୍କି ନେଇ ଶ୍ରୀଈଶାନେଶ୍ବର ମନ୍ଦିରକୁ ନେଇଯାନ୍ତି । ପାଳିଆଖୁଣ୍ଟିଆ ଖଣ୍ଡ ଅମୁଣିଆ ମାଳ ନେଇଥାନ୍ତି । ଏହି ମନ୍ଦିରରେ ଭିତରୁଛି ଉକ୍ତ ମାଳ ଈଶାନେଶ୍ବରଙ୍କୁ ଲାଗି କରାଇ ମାଳଟି ଲୋକନାଥ ଠାକୁରଙ୍କୁ ଲାଗି କରାନ୍ତି । ତା’ପରେ ବିମାନବନ୍ତୁମାନେ ଲୋକନାଥଙ୍କୁ ପାଲିଙ୍କିରେ

ନେଇ ଜଗନ୍ନାଥବଲ୍ଲଭ ମଠକୁ ଯାଆନ୍ତି । ସେଠାରେ ଭୋଗ ବନ୍ଦାପନା ଅଶୋକ କଢ଼ି ମଣୋହି ହୋଇ ବାହୁଡ଼ାବିଜେ ହୁଏ ।

ଶ୍ରୀରାମନବମୀ

ଶ୍ରୀରାମନବମୀ ପୂର୍ବଦିନ ସନ୍ଧ୍ୟା ଧୂପ ସରିବା ପରେ ଧୋପଖାଳ ହୋଇ ଅନ୍ୟ ଏକ ଭୋଗ,ଜେଉଡ଼ (ଜେଉଟ) ହୁଏ । ପଞ୍ଚ ଉପଚାରରେ ଏହି ପୂଜା ହୁଏ । ତା'ପରେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଧିକ ଏକ ବନ୍ଦାପନା ହୁଏ । ଏହାକୁ ଗର୍ଭ ଉଦକ ବନ୍ଦାପନା କୁହାଯାଏ ।

ଚୈତ୍ର ଶୁକ୍ଲ ନବମୀ ଦିନ ମଧ୍ୟାହ୍ନ ଧୂପ ଉଠିଲେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ସୁଧ ସୁଆର ଭଣ୍ଡାର ଘର ଆଗରେ ପୋଛାମାରିବା ପରେ ପୂଜାପଣ୍ଡା ଆସି ଜନ୍ମମଣ୍ଡଳ କାଟନ୍ତି । ମଧ୍ୟାହ୍ନ ଧୂପ ଶେଷ ପରେ ଓ ଦକ୍ଷିଣ ଘର ଭୋଗ ଶେଷ ପରେ ରାମଚନ୍ଦ୍ର ପ୍ରତିମାଙ୍କୁ ମହାଜନେ ଭିତର ସିଂହାସନକୁ ବିଜେ କରାନ୍ତି । ମୁଦିରସ୍ତ ଧଣ୍ଡି ପ୍ରସାଦ ଲାଗି କରିବା ପରେ ପ୍ରସାଦ ଉଲାଗି ହୋଇ ରାମଚନ୍ଦ୍ର ଠାକୁରଙ୍କୁ ଆଜ୍ଞାମାଳ ପ୍ରଦାନ ପରେ ଉକ୍ତ ଜନ୍ମମଣ୍ଡଳ ଉପରେ ବିଜେ କରାଯାଏ । ଏଠାରେ ମହାଜନମାନଙ୍କ ଭିତରୁ ଦୁଇଜଣ ଦଶରଥ ଓ କୌଶଲ୍ୟା ଭାବରେ ଖଣ୍ଡୁଆ ଘୋଡ଼ାଇ ହୋଇ ଜନ୍ମବିଧି ହେବା କର୍ପୂର ଆଳତି ବନ୍ଦାପନା ପରେ ମହାସୁଆର ଗଣ୍ଡୂଷ ମସଲା ଓ କ୍ଷୀର ମଣୋହି କରାନ୍ତି । ପୂଜାପଣ୍ଡା ଜନ୍ମବିଧି, ଶୀତଳ ଭୋଗ ମଣୋହି କରନ୍ତି । ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହି କରାନ୍ତି । ଏହାପରେ ଠାକୁର ଦକ୍ଷିଣ ଘରକୁ ବାହୁଡ଼ାବିଜେ କରନ୍ତି ।

ନବମୀ ଦିନ ଜନ୍ମୋତ୍ସବ ପରେ ରାମଲୀଳା ଉତ୍ସବ ଚାଲେ । ଚୈତ୍ରଶୁକ୍ଲ ଦଶମୀ, ଏକାଦଶୀ, ଦ୍ୱାଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିିମା, ବୈଶାଖ କୃଷ୍ଣ ପ୍ରତିପଦ ଓ ଦ୍ୱିତୀୟା ତିିଥିମାନଙ୍କରେ ଯଥାକ୍ରମେ ଯଜ୍ଞରକ୍ଷା, ସୀତାବିବାହ, ବନବାସ, ମାୟାମୃଗ ବଧ, ଲଙ୍କାପୋଡ଼ି, ସେତୁବନ୍ଧ, ରାବଣବଧ ଲୀଳା ଉତ୍ସବ ପାଳନ କରାଯାଏ । ପରମ୍ପରାନୁସାରେ କେତେକ ସାହି ଏହି ଲୀଳାର ବିଭିନ୍ନ ଦିନରେ ଅଂଶଗ୍ରହଣ କରନ୍ତି । ଦକ୍ଷିଣ ଘର ଭୋଗ ସମାପ୍ତି ପରେ ଚଳନ୍ତି ପ୍ରତିମାମାନେ ରତ୍ନସିଂହାସନକୁ ବିଜେ ହୋଇ ଆଜ୍ଞାମାଳ ପାଇବା ପରେ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହ ଜଗନ୍ନାଥବଲ୍ଲଭ ମଠକୁ ଯାଆନ୍ତି । ସେଠାରେ ସଂପୃକ୍ତ ସାହିର ଯାନିଯାତ୍ରା ଓ ଠାକୁରମାନଙ୍କର ଶୀତଳ ଭୋଗ ପରେ ବାହୁଡ଼ାବିଜେ କରନ୍ତି ।

ତ୍ରୟୋଦଶୀ ତିିଥିରେ ଦୟଣାଚୋରି ଉତ୍ସବ ହେଉିବାରୁ ରାମଲୀଳା ବନ୍ଦ ରହେ । ରାମାଭିଷେକ

ଏହି ଉତ୍ସବ ପୁଷ୍ୟା ନକ୍ଷତ୍ର ଓ କର୍କଟ ରାଶି ଥାଇ ମହାପ୍ରଭୁଙ୍କର ତାରାଶୁଦ୍ଧି ଥିବା ଦିବସରେ ପାଳନ କରାଯାଏ । ଏହି ଦିନ ସନ୍ଧ୍ୟା ଆଳତି ପରେ ଦକ୍ଷିଣ ଘର ଭୋଗ ପରେ ସିଂହାସନକୁ ବିଜେ ହୋଇ ସେଠାରୁ ଆଜ୍ଞାମାଳ ପାଇଲାପରେ ବଟମୂଳସ୍ଥ ରଥରେ ବିଜେ କରନ୍ତି ।

ବିମାନବଡ଼ୁ ମାନେ ଘଣ୍ଟ, କାହଳୀ ନଥାଇ ରଥକୁ ନନ୍ଦିଗ୍ରାମ (ଜଗନ୍ନାଥବଲ୍ଲଭ ମଠ)କୁ ନିଅନ୍ତି । ସନ୍ଧ୍ୟା ଧୂପ ପୂଜା ବସିଥିବାବେଳେ ଗୌଡ଼ବାଡ଼ ସାହିରୁ ଦୁଇଜଣ ବ୍ୟକ୍ତି ଭରତ ଓ ଶତ୍ରଘ୍ନ ବେଶରେ ଶ୍ରୀମନ୍ଦିରକୁ ଆସନ୍ତି ଓ ଭଣ୍ଡାରଘରୁ ରାମଚନ୍ଦ୍ରଙ୍କ ପାଦୁକା ନେଇ ଘଣ୍ଟ ଛତା, କାହାଳୀ ସହ ନନ୍ଦୀ ଗ୍ରାମରେ ପହଞ୍ଚନ୍ତି । ସେଠାରୁ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ରଥରେ ଆସି ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟରେ ଭଦ୍ରାସନରେ ବିଜେ କରନ୍ତି । ଏହା ପରେ ମହାସ୍ନାନ, ମାଳଫୁଲ ଲାଗି ହୋଇ ବେଶ ହୁଏ । ପାଣିପଡ଼ି ଅଭିଷେକ ଭୋଗ ଡାକରା ଯାଏ । ମହାସୁଆର ଛକ ଆଣିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି । ତାପରେ ବନ୍ଦାପନା ହୁଏ । ଏହା ପରେ ମହାଜନମାନେ ଚାରି ଦିଅଁଙ୍କୁ ହାତରେ ଦକ୍ଷିଣ ଘରକୁ ବିଜେ କରାନ୍ତି । ଏହା ପରେ ଭିତରେ ଅନ୍ୟାନ୍ୟ ନୀତି ହୁଏ ।
ଦମନକ ଚୋରି
ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଦକ୍ଷିଣ ଘର ଭୋଗ ଶେଷ ପରେ ରାମକୃଷ୍ଣଙ୍କୁ ସିଂହାସନକୁ ବିଜେ କରାଯାଇ ଆଜ୍ଞା ମାଳ ପ୍ରଦାନ କରାଯାଏ । ଗତଦିନ ଅଧିବାସ ହୋଇଥିବା କନ୍ଦର୍ପ ପଟିକୁ ମହାଜନେ ବିଜେ କରାଇ ଘଣ୍ଟା, ଛତା, କାହାଳୀ ସହ ବଟଗଛ ମୂଳରେ ପାଲିଙ୍କି ଆଗରେ ଦଣ୍ଡାୟମାନ ଥା'ନ୍ତି । ରାମକୃଷ୍ଣ ସ୍ଥାନକୁ ଆସି ପାଲିଙ୍କିରେ ବିଜେ ହୁଅନ୍ତି । ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସଙ୍ଗରେ କନ୍ଦର୍ପ ପଟି ଆଗରେ ଥାଇ ରାମକୃଷ୍ଣଙ୍କୁ ପାଲିରେ ନେଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି । ସେଠାରେ ମହାଜନମାନେ ରାମକୃଷ୍ଣଙ୍କୁ ଖଟ ଉପରେ ବିଜେ କରାନ୍ତି । କନ୍ଦର୍ପ ପଟି ଦିଅଁଙ୍କ ଆଗରେ ବିଜେ କରାଯାଏ । ଏଠାରେ ବିଧିପୂର୍ବକ ହୋମ, ଭୋଗ ଓ ବନ୍ଦାପନା ହୁଏ । ରାମ ଓ କୃଷ୍ଣ ନିଃଶବ୍ଦରେ ଉଦ୍ୟାନକୁ ଯାଇ ଦୟଣାଚୋରି କରନ୍ତି । ଭିତରଛୁ ମହାପାତ ରାମକୃଷ୍ଣଙ୍କ ଶ୍ରୀହରେ ଦୁଇଗଛ ଦୟଣାଲାଗି କରନ୍ତି । ବାକି ଚାରିଗଛି ଦୟଣାପତି ନୂଆ ତାଡ଼ରେ ରଖି ଖଣ୍ଡୁଆ ଘୋଡାଇ ରାମକୃଷ୍ଣଙ୍କ ସହିତ ପାଲିଙ୍କିକୁ ଆସନ୍ତି । ବାହୁଡ଼ା ବିଜେ ହୋଇ ଶ୍ରୀମନ୍ଦିର ବଟମୂଳେ ପାଲିଙ୍କି ରଖାଯାଏ । ତର୍ବରୁ ଭୋଗମଣ୍ଡପ ଘରେ ଧୋପଖାଳ ହୋଇ ଚାନ୍ଦୁଆ ଟଣା ହୋଇଥାଏ । ଚାନ୍ଦୁଆ ତଳେ ବାଲିବନ୍ଧ ଉପରେ ଦୟଣା, ମରୁଆ ସୁବାସଗଛମାନ ଲଗାଯାଇଥାଏ । ଗରୁଡ଼ ଦ୍ୱାରଠାରେ ମହାଜନେ ରାମ ଓ କୃଷ୍ଣଙ୍କ ଶ୍ରୀହସ୍ତରେ ଲାଗି ହୋଇ ରହିଥିବା ଦୟଣାଗଛ ମଇଲମ କରନ୍ତି ଓ ଦୟଣାପତ୍ରି ଉକ୍ତ ଗଛମାନଙ୍କୁ ତାଡ଼ରେ ରଖନ୍ତି । ବଡ଼ସିଂହାର ଭୋଗ ପରେ ମଦନମୋହନ ଠାକୁର ଭିତରକୁ ବିଜେ କରନ୍ତି । ଶ୍ରୀଦେବୀ, ଭୂଦେବୀ ଓ ମଦନ ମୋହନ ଆଜ୍ଞାମାଳ ପାଇଲା ପରେ ଭୋଗମଣ୍ଡପ ଘରେ ପଡ଼ିଥିବା ଶେଯ ଉପରେ ବିଜେ କରନ୍ତି । ବିଜେ ପରେ ମହାଜନେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କ ହାତରେ ତିନିଟି ଦୟଣା ଗଛ ବାନ୍ଧି ଦିଅନ୍ତି । ସେମାନଙ୍କ ଆଗରେ ଆଉ ତିନିଟି ଗଛକୁ ତିନିଟି ଚାଙ୍ଗୁଡ଼ିରେ ରଖାଯାଏ । ପୂଜାପଣ୍ଡା ମେଡ଼ି ପତନି ଫୁଲଚନ୍ଦନ ଦେଇ ମଣ୍ଡଳ ଉପରେ ତିନିଟି ଚାଙ୍ଗୁଡ଼ି

ରଖନ୍ତି । ଏହାପରେ ପାଣିପଡ଼ି, ଶୀତଳ ଭୋଗ ବଢ଼ାଯାଇ ପଞ୍ଚ ଉପଚାରରେ ମଣୋହି ହୁଏ । ଭୋଗମଣ୍ଡପ ଘର ଦ୍ୱାରମାନଙ୍କୁ ତଡ଼ଉକରଣ ମୁଦ ଦିଅନ୍ତି । ଏହାପରେ ଭିତର ବଡସିଂହାର ଭୋଗ ହୁଏ ଓ ପହୁଡ଼ ଆଳତି ହୁଏ ।

ଦମନକ ଚତୁର୍ଦ୍ଦଶୀ (ଦୟଣା ଲାଗି)

ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀ ଦିନ ସକାଳ ଧୂପ ସରି ମହାସ୍ନାନ ହେବା ପରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନ ବିଜେ କରାଇଆଣି ସିଂହାସନ ଉପରକୁ ଉଠି ସର୍ବାଙ୍ଗ ଲାଗି କରନ୍ତି । ନୂଆ ଲୁଗା ଲାଗି, ବେଶ, ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଏ । ପରେ ପଣ୍ଡା, ପତି ଓ ମୁଦିରସ୍ତ ଅଧିବାସ ହୋଇିବା ଭୋଗମଣ୍ଡପକୁ ଯା'ନ୍ତି । ତିନି ବାଡ଼ର ପୁଷ୍ପାଳକ ତିନିବାଡ଼ର ଚାଙ୍ଗୁଡ଼ିକୁ ଧରନ୍ତି । ମହାଜନମାନେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ହାତରେ ବିଜେ କରାଇ ଘଣ୍ଟ, ଛତା ଓ କାହାଳୀ ସହିତ ତଳିଛ ପଟୁଆର ହୋଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି । ଏହା ପରେ ଚାଙ୍ଗୁଡ଼ିରେ ଥିବା ଦୟଣାଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇିବା ଦୟଣାଗଛମାନ ମଇଲମ କରାଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଉକ୍ତ ୬ଟି ଗଛ ଲାଗି କରାଯାଏ । ଏ ଉତ୍ତାରେ ପ୍ରସାଦ ଲାଗି ପରେ ଦ୍ୱିପ୍ରହର ଧୂପ ହୁଏ । ବନ୍ଦାପନା ପରେ ଦୟଣାଗଛ ମଇଲମ କରାଯାଏ । ମଦନମୋହନ ଦକ୍ଷିଣ ଘରକୁ ବିଜେ କରନ୍ତି ।

ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି)

ସକାଳ ଧୂପ ଶେଷ ପରେ ହନୁମାନ ଠାକୁର ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାବୀର ଓ ବାର ଭାଇ ମହାବୀରମାନଙ୍କୁ ଆଜ୍ଞାମାଳ ଦେବା ପରେ ବିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାନ୍ତି । ହନୁମାନ ବିମାନରେ ରହିଥିବା ଅବସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ବିରାଜିତ ମହାବୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା'ପରେ ଦରିଆ ମହାବୀରଙ୍କୁ ଦେବା ନିମନ୍ତେ ଯାଆନ୍ତି । ସେଠାରୁ ଫେରଲା ପରେ ମଠଠାରେ ଭୋଗ, ବନ୍ଦାପନା ହୁଏ । ତା'ପରେ ବାହୁଡ଼ାବିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି ।

ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା'ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିବା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି ।

ଅକ୍ଷୟତୃତୀୟା (ଚନ୍ଦନ ଯାତ୍ରାରମ୍ଭ)
ଅକ୍ଷୟତୃତୀୟା ଶ୍ରୀମନ୍ଦିରର ଏକ ପ୍ରଧାନ ପର୍ବ । ଏହି ଦିନ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ଓ ବାହାର ଚନ୍ଦନ ଯାତ୍ରା (୨୧ ଦିନ) ହୋଇଥାଏ । ଅକ୍ଷୟ ତୃତୀୟା ଦିନର ନୀତିମାନ ହେଲା;
ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ, ଅବକାଶ, ବେଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନ ବେଢ଼ା, ଖଇକୋରା ଭୋଗ, ଚନ୍ଦନ ଲାଗି, ବେଶ ଶେଷ, ଘଣ୍ଟ, ଛତା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ, ବନ୍ଦାପନା, ବିମାନକୁ ଦିଅଁ ବିଜେ, ଭୋଗମଣ୍ଡପ ଭୋଗି, ଆଜ୍ଞାମାଳ ବିଜେ ଓ ବିମାନ ଉଠିବା, ସା ହାଣମେଲା, ମଇଲମ ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ, ମଇଲମ, ଆଲଟ ଲାଗି, ପଣାଭୋଗ, ଦିଅଁ ବାହୁଡ଼ା ବିଜେ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପହୁଡ଼ ।
ଅକ୍ଷୟତୃତୀୟା ଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହେବା ପରେ ପୂର୍ବଦିନ ଭୋଗ ମଣ୍ଡପ ଘରେ ଅଧିବାସ କରାଯାଇଥିବା ଚନ୍ଦନ ପିଙ୍ଗଣ ଓ ପରିଖମାନ ଘଣ୍ଟ, ଛତା ଓ କାହାଳୀ ସହ ସଂପୃକ୍ତ ସେବକମାନେ ବଡ଼ ଦେଉଳକୁ ତି ନିଘରା ବୁଲାଇ ଭିତର ସିଂହାସନ ଉପରେ ତିନିବାଡ଼ରେ ସଜାଇ ରଖାଯାଏ । ଧୋପଖାଳ ହୋଇ ଶୀତଳ ଭୋଗ ହୁଏ । ଏ ଭୋଗରେ ଟେରା ପଡ଼େ ନାହିଁ । ଭୋଗ ପରେ ଶ୍ରୀଜୀଉମାନଙ୍କୁ ଅଳକା, ଚଉସରା, ୬ ମୃଉଁ ସୁନା ଅଳଙ୍କାର ଲାଗି ହୋଇ ବେଶ ବଢ଼େ । ଏହା ପରେ ପାଣି ପଡ଼ି ଧୋପଖାଳ ହେବା ପରେ ମଧ୍ୟାହ୍ନ ଧୂପ ଯାତ ଭୋଗ ସହ, ଘଣ୍ଟ, ଛତା, କାହାଳୀ ସହ ତଳିଛ ପଟୁଆରରେ ଛାମୁକୁ ଆସେ । ମୁଦିରସ୍ତଙ୍କ ପ୍ରସାଦ ଲାଗି, ଦକ୍ଷିଣ ଘରେ ଚନ୍ଦନ ସର୍ବାଙ୍ଗ ହୋଇ ଭୋଗ ଶେଷ ପରେ ରାମ, କୃଷ୍ଣ ଓ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ଏହା ପରେ ମଧ୍ୟାହ୍ନ ଧୂପ ହୁଏ । ପାଣି ପଡ଼ିବା ପରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି । ପୂଜାପଣ୍ଡା ଆଜ୍ଞା ମାଳ ଦେବା ପରେ ଝୁଲଣ ମଣ୍ଡପ ତଳେ ରହିଥିବା ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ବିଜେ କରାଯାଏ । ବିଜେ କାହାଳୀ ବାଜିଲା ପରେ ବିମାନବଡୁ ମାନେ ଘଣ୍ଟ ଛତା ଓ କାହାଳୀ ସହ ପାଲିଙ୍କି ଓ ମଣିବିମାନକୁ ନେଇ ନରେନ୍ଦ୍ର ଚକଡ଼ାକୁ ଯାତ୍ରା କରନ୍ତି । ବାଟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସାମନାରେ ରଥ ଅନୁକୂଳ ନୀତି ସକାଶେ ଅଟକି ରହନ୍ତି । ଏହାଙ୍କ ସହିତ ପଞ୍ଚ ମହାଦେବ (ଯମେଶ୍ବର, ମାର୍କଣ୍ଡେୟ, ଲୋକନାଥ, କପାଳମୋଚନ ଓ ନୀଳକଣ୍ଠ) ଙ୍କର ବିଜେ ପ୍ରତିମାମାନ ସ୍ୱ ସ୍ୱ ବିମାନରେ ବିଜେ କରି ନରେନ୍ଦ୍ର ପୃଷ୍ପରିଣୀକୁ ଯାତ୍ରା କରନ୍ତି । ଏହି ପଞ୍ଚମହାଦେବଙ୍କୁ ପଞ୍ଚପାଣ୍ଡବ’ କୁହାଯାଏ । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସାମନାରେ ଦେଉଳ ପୁରୋହିତ ରଥ ଅନୁକୂଳ ହୋମ କରନ୍ତି । ହୋମ ପରେ ରଥ ମହାରଣାମାନଙ୍କର ଶାଢ଼ିବନ୍ଧା କାର୍ଯ୍ୟ ହୁଏ । ତିନୋଟି ରଥର କାଠଗଣ୍ଡିକୁ ପୂଜାପଣ୍ଡାମାନେ ଶ୍ରୀଜୀଉଙ୍କ ତିନୋଟି ଆଜ୍ଞାମାଳ ଦେବେ ।

ଦିଅଁମାନେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିଲା ପରେ ଭିତରଛୁ ମହାପାତ୍ର ପାଞ୍ଚ ଦିଅଁଙ୍କର କର୍ପୂର ଜଳରେ ମଣୋହି କରାନ୍ତି । ବିଜେ ପ୍ରତିମାମାନ ସେଠାରେ ପହଞ୍ଚିବା ପୂର୍ବରୁଚନ୍ଦନ ମଣ୍ଡପ ଓ ନାବମାନ ସୁସଜ୍ଜିତ ହୋଇ ରହିଥାଏ । ରାମକୃଷ୍ଣଙ୍କୁ ବଡ଼ ଚାପରେ ନିଜର ମଣ୍ଡିତ ଆସନକୁ ଓ ପଞ୍ଚପାଣ୍ଡବ ପଞ୍ଚସିଂହାସନକୁ ବିଜେ କରନ୍ତି । ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ପଛରେ ଥିବା ଚାପ ବା ମୌକାରେ ବିଜେ ହୁଅନ୍ତି । ଚାପ ଉପରେ ପ୍ରସାଦ ଲାଗି ଓ ବିଡ଼ିଆ ଲାଗି ମଣୋହି ପରେ ଦିନ ଚାପ ଆରମ୍ଭ ହୁଏ ଓ ପୁଷ୍କରିଣୀ ଚାରିପଟେ ଏକ ଘେରା ବୁଲାଯାଏ । ଏକଘେରା ବୁଲି କୂଳରେ ଲାଗିଲା ପରେ ଦୁଇଚାପ ଏକତ୍ର କରାଯାଇ ରାମକୃଷ୍ଣଙ୍କୁ ମଦନମୋହନଙ୍କ ଚାପକୁ ବିଜେ କରାଯାଏ । ତା'ପରେ ବନ୍ଦାପନା, ଆଲଟ, ଚାମର ହୁଏ । ଏହା ପରେ ଦେବବିଗ୍ରହମାନଙ୍କୁ ଚନ୍ଦନ ମଣ୍ଡପର ଜଗତି ଉପରକୁ ନିଆଯାଇ ଚନ୍ଦନ କୁଣ୍ଡରେ ବିଜେ କରାଯାଏ । ପୃଷ୍ଣଚନ୍ଦନାଦିରେ ସୁବାସିତ ଜଳ ତିନିଟି କୁଣ୍ଡରେ ଭର୍ତ୍ତି ହୋଇ ରହିଥାଏ । ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ମଧ୍ୟ ଭାଗରେ, ରାମକୃଷ୍ଣ ପୂର୍ବ ଭାଗରେ ଓ ପଞ୍ଚ ପାଣ୍ଡବ ପଶ୍ଚିମ ଭାଗରେ ଥିବା କୁଣ୍ଡମାନଙ୍କରେ ବିଜେ କରନ୍ତି । ଜଳ ଲାଗି ପରେ ଜଳରୁ ବାହାରି ଦିଅଁମାନେ ପୃଷ୍ଠାଦିରେ ସଜ୍ଜିତ ହୁଅନ୍ତି ଓ ଶୀତଳ ମଣୋହି ହୁଏ । ତା'ପରେ ବିଗ୍ରହମାନଙ୍କୁ ଭିତରକୁ ନିଆଯାଇ ନରେନ୍ଦ୍ର ଚକଡ଼ା ରୋଷରେ ପ୍ରସ୍ତୁତ ମାଣ୍ଡୁଅ ଭୋଗ ଓ ବିଡ଼ିଆ ମଣୋହି କରାଯାଏ । ତାପରେ ବିଗ୍ରହମାନେ ରାତ୍ରଚାପ ପାଇଁ ବିଜେ କରନ୍ତି । ରାତ୍ର ଚାପ ପୁଷ୍କରିଣୀରେ ତିନିଘେରା ବୁଲେ । ଚାପ ପରେ ବିଗ୍ରହମନେ ସ୍ୱ ସ୍ୱ ବିମାନ ଓ ପାଲିଙ୍କିରେ ବିଜେ ହୋଇ ବଡ଼ଦେଉଳକୁ ବାହୁଡ଼ା ବିଜେ କରନ୍ତି । ପଞ୍ଚ ମହାଦେବ ବା ପଞ୍ଚପାଣ୍ଡବ ସିଂହଦ୍ବାରଠାରୁ ନିଜ ନିଜର ମନ୍ଦିରକୁ ବାହୁଡ଼ନ୍ତି । ଶ୍ରୀମନ୍ଦିର ବଟମୂଳେ ଜଳଲାଗି ନୀତି ପରେ ଦକ୍ଷିଣ ଘରେ ପଞ୍ଚଦିଆଁ ଶେଯ ଉପରେ ବିଜେ ହୁଅନ୍ତି । ପରେ ଶ୍ରୀଦେବୀ ଓ ଭୂଦେବୀ ଭିତର ସିଂହାସନରେ ଏବଂ ରାମକୃଷ୍ଣ ଓ ମଦନମୋହନ ଦକ୍ଷିଣ ଘରେ ଅବସ୍ଥାନ କରନ୍ତି ।
ବିଜେ ପ୍ରତି ମାମାନଙ୍କର ବାହାର ବିଜେ ସମୟରେ ଏଣେ ଶ୍ରୀମନ୍ଦିରରେ ସଂଧ୍ୟାଧୂପ ସମାପନ ପରେ ଜୟବିଜୟ ଦ୍ୱାର ବନ୍ଦ ରହେ । ଜଗମୋହନ ଅନ୍ଧକାର କରାଯାଏ । ଭିତରେ ମଇଲମ, ଆଲଟ ଲାଗି, ତ୍ରିମୁଣ୍ଡି ରେ ସୁବାସ ଫୁଲ ଓ କର୍ପୂର ଲାଗି ହୁଏ । ଅଖଣ୍ଡ ବଇଠା ଲିଭାଇବା ପରେ ବିଡ଼ିଆ ମଣୋହି ଓ ଆଲ ଟ ଲାଗି ହୁଏ । ଆଲଟ ଲାଗି ବେଳେ ଭିତର ଗାଆଣୀ ଦେବଦାସୀ କଳାହାଟ ଦ୍ବାରରେ ଗୀତ ଗାଇବା ବିଧି । ପରେ ଅଖଣ୍ଡ ମେକାପ ବଇଠା ବସାନ୍ତି । ପାଣି ପଡ଼ି ଧୋପଖାଳ ହେବା ପରେ ପଣାଭୋଗ ପଞ୍ଚ ଉପଚାରରେ ପୂଜା ହୁଏ ।
ଅକ୍ଷୟ ତୃତୀୟାର ପରବର୍ତ୍ତୀ ଦିନ ଅର୍ଥାତ୍ ଚତୁର୍ଥୀ ତିଥିରୁ ଭୋଗମଣ୍ଡପ ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବା ପରେ ମଇଲମ, ଫୁଲ ଓ କର୍ପୂର ଲାଗି, ବଇଠା ଓହ୍ମାଣ, ଆଲଟ ଲାଗି, ବଇଠା ବସା, ଚନ୍ଦନ ବିଜେ, ଚନ୍ଦନ ଲାଗି, ଅଳକା ଚଉସରା ଲାଗି, ବେଶ ନୀତି ହୁଏ । ଦକ୍ଷିଣ ଘର ଭୋଗ ସାରି ରାମକୃଷ୍ଣ ଓ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ଯାତ ଭୋଗ ପୂଜା ପରେ ଓ ପୂଜାପଣ୍ଡା ଆଜ୍ଞାମାଳ ଦେଲା ପରେ ଗତଦିନ ପରି ଦେବଦେବୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି । ଯାତ୍ରା ସେହିପରି ହୁଏ ।

ଏହି ଯାତ୍ରା (ବାହାର ଚନ୍ଦନ ୨୧ ଦିନ ଓ ଭିତର ଚନ୍ଦନ ୨୧ ଦିନ, ଏପରି ୪୨ ଦିନ) ହୁଏ । ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପ୍ରତିଦିନ ଆଲଟ ଲାଗି ଦୁଇ ଥର ହୁଏ । ଭିତର ଚନ୍ଦନ ୨୧ ଦିନ ମଧ୍ୟରୁ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ଋକ୍ମିଣୀ ହରଣ ଏକାଦଶୀ (ଏପରି ୪ଦିନ) ଜଳକ୍ରୀଡ଼ା ଉତ୍ସବ ହୋଇଥାଏ ।
ନୀଳାଦ୍ରି ମହୋଦୟ
ବୈଶାଖ ଶୁକ୍ଳ ଅଷ୍ଟମୀ ଦିନ ଭୋଗମଣ୍ଡପ ଧୂପ ଆଲଟଲାଗି ଶେଷ ହୋଇ ଭିତରେ ପାଣି ପଡ଼ି ପୂଜା ହୁଏ । ଗତଦିନ ଅଧିବାସ ହୋଇଥିବା ଜଳଗରା (୧୦୮ ଗରା) ଗରାବଡୁମାନେ ବାଘମୁହଁ ଘଣ୍ଟ, ଛତା, କାହାଳୀ, ତଳିଛ ପଟୁଆରରେ ଆସି ଚାରି ଥରରେ ଚାରିପନ୍ତି କରି ରଖନ୍ତି । ପୂଜାପଣ୍ଡା ସଂସ୍କାର କରି ଜଳଲାଗି କରାନ୍ତି । ପୁଷ୍ୟାଭିଷେକ ନୀତି ପରି ଏ ଅଭିଷେକ ନୀତି ହୁଏ । ଏହା ପରେ ରୂପା ପିଙ୍ଗଣ ତିନିଟିରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପୃଷ୍ଠାଳକଙ୍କ ସହିତ ଚନ୍ଦନ ସର୍ବାଙ୍ଗକରାନ୍ତି । ତା'ପରେ ଧୋପଖାଳ ହୋଇ ଯାତ୍ରାଙ୍ଗ ଭୋଗ ଓ ମଧ୍ୟାହ୍ନ ଧୂପ ଛାମୁକୁ ଆସେ । ଏହି ଧୂପ ଉଠିଲେ ଦକ୍ଷିଣ ଭୋଗ ସରି ରାମକୃଷ୍ଣ ଓ ମଦନମୋହନ ସିଂହାସନକୁ ବିଜେ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଧୂପ ମଣୋହି କଲା ପରେ, ପାଣି ପଡ଼ି ଧୋପଖାଳ ହୁଏ ଓ ତିନିବାଡ଼ରେ ବନ୍ଦାପନା ହେଲା ପରେ ପୂଜାପଣ୍ଡା ଆଜ୍ଞା ମାଳ ଦେଲେ ଠାକୁର ଠାକୁରାଣୀ ଚନ୍ଦନ ଯାତ୍ରାକୁ ବିଜେ କରନ୍ତି ।
(ବାହାର ଚନ୍ଦନଯାତ୍ରାର ବିଂଶ ଦିବସଟି ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୁଏ । ଏହାକୁ ଭଉଁରୀ କହନ୍ତି । ଏହି ଦିନ ରାତ୍ରତାପ ଚନ୍ଦନପୋଖରୀରେ ୨୧ ଘେରା ବୁଲିଥାଏ । ଏକବିଂଶ ଦିବସର ଯାତ୍ରାଦିନ ରାତ୍ରଟାପ ହୁଏ ନାହିଁ ଏବଂ ଦିଅଁମାନେ ଜଗତିକୁ ବିଜେ କରନ୍ତି ନାହିଁ । ଦିନଚାପ ସରି ଚାପକୂଳରେ ଲାଗିଲାପରେ ରାମକୃଷ୍ଣ ଓ ମଦନମୋହନ ଏକାଠି ହୋଇ ବନ୍ଦାପନା, ହଳଦୀ ପାଣି ପିଚିକାରୀ ଖେଳହୁଏ ।)
ଶ୍ରୀନୃସିଂହ ଜନ୍ମ (ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ)
ଏହି ଦିନ ଶ୍ରୀମନ୍ଦିରରେ ଯାତ ଭୋଗ ଶେଷ ହୋଇ ଦେବଦେବୀ ଚନ୍ଦନଯାତକୁ ଯିବା ପରେ ମଧ୍ୟାହ୍ନ ଧୂପ ହୁଏ । ଚନ୍ଦନ ପୁଷ୍କରିଣୀରୁ ଦେବଦେବୀଙ୍କ ବାହୁଡ଼ା ପରେ ଜଣେ ପୂଜା ପଣ୍ଡା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଆଜ୍ଞା ମାଳ ନେଇ ଘଣ୍ଟ, ଛତା ଓ କାହାଳୀ ସହିତ ସିଂହଦ୍ବାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ରନାରାୟଣଙ୍କଠାକୁ ଯାଇ ସେଠାରେ ଆଜ୍ଞାମାଳ ଦେଇ ଫେରନ୍ତି । ଏହା ପରେ ମୈଲମ, ଆଳତି, ମହାସ୍ନାନ, ସର୍ବାଙ୍ଗ, ନୂଆ ଲୁଗାଲାଗି ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୁଏ । ପାଣିପଡ଼ି ସନ୍ଧ୍ୟାଧୂପ ହୁଏ । ଦକ୍ଷିଣ ଘରୁ ମହାଜନେ ନୃସିଂହ ଠାକୁରଙ୍କୁ ଆଣି ସିଂହାସନରେ ବିଜେ କରାନ୍ତି । ଆଜ୍ଞାମାଳ ପାଇଲା ଠାକୁର ମୁକ୍ତି ମଣ୍ଡପ ଉପରେ ଖଟୁଲିରେ ବିଜେ ହୁଅଛି । ମୁକ୍ତିମଣ୍ଡପ ପାର୍ଶ୍ୱରେ ଥିବା ନୃସିଂହ ମନ୍ଦିର ଭିତରେ ପତିମହାପାତ୍ର ମହାସ୍ନାନ ପୂଜାରେ ବସନ୍ତି ଓ ମଣ୍ଡପ ଉପରେ ବିରାଜିତ ନୃସିଂହଙ୍କ ପାଖରେ


ପୂଜାପଣ୍ଡା ମହାସ୍ନାନ ପୂଜା କରନ୍ତି । ମହାସ୍ନାନ ପରେ ଉଭୟ ଦିଅଁଙ୍କ ପାଖରେ ଶୀତଳ ଭୋଗ ପଞ୍ଚୋପଚାରରେ ପୂଜା ହୁଏ । ବନ୍ଦାପନା ପରେ ନୃସିଂହ ଠାକୁରଙ୍କୁ ମଣ୍ଡ ପରୁ ଆଣି ମହାଜନେ ଝୁଲଣମଣ୍ଡପ ତଳେ ଥିବା ବିମାନରେ ବିଜେ କରାନ୍ତି । ବିମାନବନ୍ତୁ ବିମାନକୁ ଜଗନ୍ନାଥବଲ୍ଲଭ ମଠକୁ ନିଅନ୍ତି । ସେଠାରେ ଭୋଗ ବନ୍ଦାପନା ହୋଇ ନୃସିଂହ ବାହୁଡ଼ା ବିଜେ କରନ୍ତି । ଆଲଟ ଲାଗି ଓ ଅନ୍ୟାନ୍ୟ ନୀତି ସେଦିନ ନୃସିଂହ ବିଜେ ହୋଇ ମଠକୁ ଯିବା । ପରେ ହୋଇସାରିଥାଏ ।
ଶୀତଳ ଷଷ୍ଠୀ (ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ)
ସନ୍ଧ୍ୟା ଧୂପରେ ଦୋଳଗୋବିନ୍ଦ ଠାକୁର ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଁ ଖଟଶେଯ ଘରେ ବିଜେ ହୁଅନ୍ତି । ଏହାପରେ ଭିତରେ ମୈଲମ, ଆଲଟ ଲାଗି, ପଣାଲାଗି, ଚନ୍ଦନଲାଗି ଓ ବଡ଼ସିଂହାର ଭୋଗ ଶେଷ ହୁଏ । ପଞ୍ଚ ମହାଦେବ (ପଞ୍ଚପାଣ୍ଡବ) ଆଜ୍ଞାମାଳ ପାଇନଥିବାରୁ ପହୁଡ଼ ନୀତି ବନ୍ଦ ରହେ । ପଞ୍ଚପାଣ୍ଡବ ଜଗମୋହନରେ ବିଜେ କଲାପରେ ସେମାନଙ୍କୁ ଆଜ୍ଞାମାଳ ମିଳେ । ତା'ପରେ ଏମାନେ ଲକ୍ଷ୍ମୀମନ୍ଦିରକୁ ବିଜେ ହୋଇ ସେ ଜଗମୋହନରେ ପଡ଼ିଥିବା ଖଟଶେଯ ଉପରେ ବିଜେ ହୁଅନ୍ତି । ଖଟଶେଯ ଘରୁ ଦୋଳଗୋବିନ୍ଦଙ୍କୁ ଘଣ୍ଟା, ଛତା ଓ କାହାଳୀ ସହ ମହାଜନେ ହାତରେ ନେଇ ସେଠାରେ ମହାଦେବମାନଙ୍କ ପାଖରେ ବିଜେ କରାନ୍ତି । ପୂଜା ଠା' ହୋଇ ଶୀତଳ ଭୋଗ ଛେକ ଆସିଲେ ମୁଦିରସ୍ତ ପ୍ରସାଦଲାଗି କରନ୍ତି ଓ ପୂଜାପଣ୍ଡା ପଞ୍ଚୋପଚାରରେ ୧୧ ପନ୍ତି ଭୋଗ କରନ୍ତି । ବନ୍ଦାପନା ପରେ ଦୋଳଗୋବିନ୍ଦ ଦକ୍ଷିଣଘରକୁ ଫେରିଯାନ୍ତି । ରାତ୍ର ଅବଶିଷ୍ଟ ଥିଲେ ପହୁଡ଼ ନୀତି ହୁଏ । ପରଦିନ ସକାଳେ ବଲ୍ଲଭ ଭୋଗ ସରିଲେ ପଞ୍ଚପାଣ୍ଡବ ନଗର ପରିଭ୍ରମଣ ଉତ୍ସବରେ ଯାଆନ୍ତି ।
ରାଜେନ୍ଦ୍ରାଭିଷେକ (ଜ୍ୟେଷ୍ଠ ଶୁକ୍ଳ ଦଶମୀ)
ସନ୍ଧ୍ୟା ଧୂପ ପରେ ମଦନମୋହନ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ପାଇବା ପରେ ଭୋଗ ବାଟ ଗଣେଶରେ ସଜ୍ଜିତ ଖଟଶେଯ ଉପରେ ବିଜେ କରନ୍ତି । ଜୟବିଜୟ ଦ୍ୱାର ବନ୍ଦ ହୋଇ, ଜଗମୋହନ ଅନ୍ଧକାର ରହି ଭିତରେ ଆଲଟ ଲାଗି ହୁଏ । ଜଣେ ଡ଼ ଗର (ସେବକ) ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାନ୍ତି ଓ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ କହନ୍ତି । ତା'ପରେ ମଦନମୋହନଙ୍କୁ ମହାଜନେ ହାତରେ ବିଜେ କରାଇ ବଟମୂଳେ ଥିବା ରଥରେ ବସାନ୍ତି । ବିମାନବଡୁ ଘଣ୍ଟ, ଛତା ଓ କାହାଳୀ ସହ ବଡ଼ଦେଉଳକୁ ବେଢ଼ାଏ ବୁଲି ବଟମୂଳେ ରଥ ରଖଛି । କୃତ କୌତୁକ ଋଷି (ଜଣେ ସେବକ) ଦଣ୍ଡ ପ୍ରଣାମ କରି ଶୁକ୍ଳ ଫୁଲ ଆଞ୍ଜୁଳି ଧରି ତାହାଙ୍କ ଆଶ୍ରମ (ଦକ୍ଷିଣ ଘରକୁ ମଦନମୋହନଙ୍କୁ ପାଛୋଟି ନିଅନ୍ତି । ଏଠାରେ ମଦନମୋହନ ଖଟ ଉପରେ ବିଜେ କଲେ ପଞ୍ଚାମୃତରେ ମହାସ୍ନାନ ହୁଏ । ଏ ସମୟରେ ଛତି ଟେକା ହୋଇଥାଏ ଓ ଘଣ୍ଟ, କାହାଳୀ ବାଜୁଥାଏ । ମହାସ୍ନାନ ପରେ ଫୁଲ ଚନ୍ଦନଲାଗି ବେଶ ହୁଏ । ଶୀତଳଭୋଗ (ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ହୁଏ ।

ରୁକ୍ମିଣୀ ହରଣ ଏକାଦଶୀ ଓ ବିବାହ

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣ ଘରେ ମଦନମୋହନ ଠାକୁରଙ୍କୁ ବେଶ ଆରମ୍ଭ ହୁଏ । ଏହି ଧୂପ ଶେଷ ପରେ ଭିତରେ ପାଣି ପଡ଼ିବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଲକ୍ଷ୍ମୀ (ଶ୍ରୀଦେବୀ)ଙ୍କୁ ଦିଅନ୍ତି । ଏହା ପରେ ମହାଜନେ ଲକ୍ଷ୍ମୀଙ୍କୁ ସାତ ପାହାଚରେ ରଖାଯାଇଥିବା ପାଲିଙ୍କିରେ ବିଜେ କରାନ୍ତି । ବିମାନବସ୍ତୁମାନେ ପାଲିଙ୍କିନେଇ ଲକ୍ଷ୍ମୀମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ କରାନ୍ତି । ଏଠାରେ ଦେବୀଙ୍କର ମହାସ୍ନାନ, ମାଜଣା ଓ ବନକଲାଗି ହୁଏ । ଅଳଙ୍କାର ଲାଗି ବେଶ ହୁଏ । ବେଶ ହେବା ସମୟରେ ତଉ ପଟ୍ଟନାୟକ ସେଠାରେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଛ ଉକ୍ତ ତାଳପତ୍ର ଓ ଲେଖନୀକୁ ଲକ୍ଷ୍ମୀଙ୍କ ଶ୍ରୀହସ୍ତ ଛୁଆଁଇ ତଡ଼ିଉଙ୍କୁ ଦିଅନ୍ତି । ତଡ଼ଉ ଠିଆ ହୋଇ ଲକ୍ଷ୍ମୀଙ୍କ ମନୋଭାବ ଜଣାଇ ମହାପ୍ରଭୁଙ୍କୁ ଚିଟାଉ ଲେଖନ୍ତି । ଏଣେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ଭୋଗମଣ୍ଡପ ଭୋଗ ପରେ ସେ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରଠାରେ ବିଜେ କରି ରହନ୍ତି ।
(ଏ ଦିନ ରୁକ୍ମିଣୀ ହରଣ ଯୋଗୁଁ ଲକ୍ଷ୍ମୀ ଓ ମଦନମୋହନ ଜଳକ୍ରୀଡ଼ା ଏକାଦଶୀ ନୀତି ପାଇଁ ବିଜେ ହୁଅନ୍ତି ନାହିଁ । ମଦନମୋହନଙ୍କ ପରିବର୍ତ୍ତେ ଦୋଳଗୋବିନ୍ଦ ଯା’ନ୍ତି) ।
ଭିତରଛ ଚିଟାଉ ନେଇ ଲକ୍ଷ୍ମୀଙ୍କ ଶ୍ରୀହସ୍ତରେ ମୁଦ କରାନ୍ତି । ଏହା ପରେ ଜଣେ ସେବକ (ବିପ୍ରବ୍ରାହ୍ମଣ ରୂପେ) ଚିଟାଉଧରି ଘଣ୍ଟ, ଛତା, କାହାଳୀ ସହି ଜୟବିଜୟ ଦ୍ୱାରଠାରେ ମଦନମୋହନଙ୍କ ନିକଟକୁ ଆଣନ୍ତି । ଏଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ଖୁଣ୍ଟିଆ ଥାଇ ବଚନିକା ହୁଏ । ଏହାପରେ ମଦନମୋହନ ସାତପାହାଚଠାରେ ଥିବା ରଥରେ ବିଜେ କରନ୍ତି । ବିମାନବର୍ତ୍ତମାନେ ରଥନେଇ ବିମଳା ଠାକୁରାଣୀ ମନ୍ଦିର ପାଖରେ ରଖନ୍ତି । ଲକ୍ଷ୍ମୀଙ୍କ ମନ୍ଦିରଠାରୁ ଠାକୁରାଣୀ ପାଲିଙ୍କରେ ବିଜେ ହୋଇ ଦାସୀ (ମାହାରୀ) ସଙ୍ଗରେ ଘେନି ଗ୍ରାମଦେବତୀ ପୂଜା କରିବାକୁ ବିମଳାଙ୍କ ମନ୍ଦିରକୁ ଆସନ୍ତି । ଏଠାରେ ଭିତରଛ ବିମଳାଙ୍କୁ ଚନ୍ଦନ ପ୍ରସାଦ ଲାଗି କରନ୍ତି । ଗ୍ରାମଦେବତୀ ପୂଜା ନିମନ୍ତେ, ପର୍ବଯାତ୍ରା ଯୋଗାଣିଆ ଦେଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ବଢ଼ିବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଏକ ଖଣ୍ଡି ଆଜ୍ଞାମାଳ ଲକ୍ଷ୍ମୀ ପାଆନ୍ତି । ଲକ୍ଷ୍ମୀ ବାହାରକୁ ଆସିବା ବେଳେ, ମହାପ୍ରଭୁ (ମଦନମୋହନ ବିମଳା ମନ୍ଦିର ଦ୍ବାରଠାରେ ରଥରେ ବିଜେ ଥାଇ ଲକ୍ଷ୍ମୀଙ୍କୁ ହରଣ କରି (ଭିତରଛୁ ମହାପାତ୍ର ଲକ୍ଷ୍ମୀଙ୍କୁ ଉଠାଇନେଇ) ରଥରେ ବସାଛି । ସରସ୍ବତୀଙ୍କ ଦେଉଳ ଆଗରେ ଶିଶୁପାଳ ପରାସ୍ତ ହୋଇ ରଥରେ ବନ୍ଧାହୁଏ । ଦକ୍ଷିଣଘରୁ ବଳରାମ ବିଜେହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣଘରକୁ ବିଜେ କରନ୍ତି । ଲକ୍ଷ୍ମୀ ଓ ମଦନମୋହନ ବାଟରେ ପନ୍ତଭୋଗମାନ ମଣୋହି ହୋଇ ବିବାହ ନିମନ୍ତେ ବିବାହ ମଣ୍ଡପରେ ବିଜେ ହୁଅନ୍ତି । ପରେ ଭିତରେ ଅନ୍ୟାନ୍ୟ ନୀତି ହୋଇ ସନ୍ଧ୍ୟା ଆଳତି ପରେ ମହାସ୍ନାନ, ନୂଆ ଲୁଗାଲାଗି ଓ ସର୍ବାଙ୍ଗ ହୁଏ । ସର୍ବାଙ୍ଗ ପରେ ସନ୍ଧ୍ୟାଧୂପ ପୂଜା ବସେ । ତେଣେ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ


ନୀତି ଆରମ୍ଭ ହୁଏ । ପଣ୍ଡା ପତି ମୁଦିରସ୍ତ, ଭିତରଛ ଥାଇ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ । ବିବାହ ଶେଷରେ ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା ହୁଏ । ତା'ପରେ ବରକନ୍ୟା ଭିତରକୁ ବିଜେ ହୁଅନ୍ତି । ଭିତରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ସରି ପହୁଡ଼ ହୁଏ । ପରଦିନ ମଙ୍ଗଳ ଆଳତି ପରେ ମହାଜନେ ବରକନ୍ୟାଙ୍କୁ ହାତରେ ବିଜେ କରାଇ ଆଣି ଦକ୍ଷିଣଘରେ ଖଟ ଉପରେ ବିଜେ କରାନ୍ତି ।
ଚମ୍ପକ ଦ୍ୱାଦଶୀ
ରୁକ୍ମିଣୀ ବିବାହ ପରଦିନ, ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ଦିନ, ସକାଳ ଧୂପ ଓ ଭୋଗମଣ୍ଡପ ଭୋଗ ଶେଷ ପରେ ଭିତରେ ଆଲଟଲାଗି ହୁଏ । ତା’ ପରେ ମହାସ୍ନାନ ହୋଇ ନୂଆଲୁଗା ଲାଗି ହୁଏ । ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନବିଜେ କରାଇ ଆଣି ସର୍ବାଙ୍ଗଲାଗି ନୀତି କରାନ୍ତି । ବେଶ ହୋଇ ମଧ୍ୟାହ୍ନଧୂପ ହୁଏ । ଧୂପ ସରି ପାଣିପଡ଼ିଲେ ବରକନ୍ୟା (ଲକ୍ଷ୍ମୀ ଓ ମଦନମୋହନ ଭିତରକୁ ବିଜେ ହୁଅନ୍ତି । ଭିତରେ ବନ୍ଦାପନା ହେବା ପରେ ସେମାନେ ଆଜ୍ଞାମାଳ ପାଇ ଝୁଲଣମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହୁଅନ୍ତି । ବିମାନବର୍ତ୍ତମାନେ ପାଲିଙ୍କି କାନ୍ଥେଇ ବଡ଼ଦେଉଳ ଚାରିପାଖରେ ଗୋଟିଏ ବେଢ଼ା ବୁଲି, ସିଂହଦ୍ୱାର ଦେଇ ରାଜାଙ୍କ ନଅରକୁ ବିଜେ କରାନ୍ତି । ରାଜା ନିଜେ ବିରକନ୍ୟାଙ୍କୁ ବାଟରୁ ପାଛୋଟି ନେଇ ନିଅର ଅଗଣାରେ ପଡ଼ିଥିବା ସୁସଜ୍ଜିତ ଖଟରେ ବିଜେ କରାନ୍ତି । ତା’ପରେ ପଞ୍ଚୋପଚାର ବିଧିରେ ନାନାପ୍ରକାର ପିଠା ମଣୋହି ହୁଏ । ପ୍ରସାଦଲାଗି ଓ ବନ୍ଦାପନା ହୁଏ । ରାଜା ବନ୍ଦାପନା ଓ ଚାମର ଆଲଟ କରନ୍ତି । ଏହାପରେ ନଅର ଭିତର ଶୋଧ ହୋଇ ସିଂହଦ୍ୱାର ବନ୍ଦହୁଏ । ଉଆସରୁ ରାଣୀ ଓ ରାଜପରିବାରବର୍ଗ ବରକନ୍ୟାଙ୍କୁ ବନ୍ଦାପନା କରି ଭେଟି ଦିଅନ୍ତି । ରାଣୀ ଓ ଅନ୍ୟମାନେ ଭିତରକୁ ଯିବା ପରେ ନିଅର ସିଂହଦ୍ୱାର ଖୋଲାଯାଏ । ବରକନ୍ୟା ପାଲିରେ ବିଜେ ହୋଇ ଯମେଶ୍ବର ମନ୍ଦିରକୁ ବିଜେ କରନ୍ତି । ସେଠାରେ ପଞ୍ଚଗ୍ରା ସୀ ଭୋଗ ଓ ବନ୍ଦାପନା ହୁଏ । ଏହାପରେ ବରକନ୍ୟା ବା ହୁଡ଼ା ବିଜେ କରି ଦକ୍ଷିଣ ଘରକୁ ଫେରନ୍ତି । ଇତିମଧ୍ୟରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହୋଇଥାଏ । ବରକନ୍ୟାଙ୍କ ବାହୁଡ଼ାବିଜେ ପରେ ଭିତରେ ଆଲଟ ଲାଗି ଓ ଚନ୍ଦନଲାଗି ହୁଏ । ବଡ଼ସିଂହାର ଭୋଗ ପରେ ଭିତରକୁ ବରକନ୍ୟା ବିଜେ କରନ୍ତି । ଅବଶିଷ୍ଟ ନୀତି ହୋଇ ରାତ୍ର ପହୁଡ଼ ହୁଏ ।