ସଙ୍ଗିନୀରେ ରାସ ରଙ୍ଗିନୀରେ
ସଙ୍ଗିନୀରେ ରାସ ରଙ୍ଗିନୀରେ
ସଙ୍ଗିନୀରେ ରାସ ରଙ୍ଗିନୀରେ
ଦୋଷ କ୍ଷମା କର ଜୀବବନ୍ଧୁ ରୁଷନା ରେ । (ଘୋଷା)
ଯା କର ତୋ ପଦପଙ୍କଜ କିଙ୍କର
ରଙ୍କ ରତନ ମୃଗାଙ୍କ ଲପନା ରେ
ଶଙ୍କରଶତୃ ନିଃଶଙ୍କରେ ଦହୁଛି
ଅଙ୍କ ପର୍ଯ୍ୟଙ୍କ ମୋ ମଣ୍ଡୁ କିନା ରେ ।୧।
ଯୋଡ଼ି ପାଣି ଜଣାଉଛି ରାମାମଣି
ଧରଣୀରେ ନଖ ଗୀର ଲେଖନା ରେ
କିଣିଲା ଜନ ମୁଁ ତୋର ଆଜନମୁଁ
ତଳୁଁ ତୋଳ ଚାରୁ ବେଣୀ ଲୋଟାନା ରେ ।୨।
ମାନସରୁ ମାନ ସରୁ ସ୍ମରଣରୁ
ରଖ ନୂଆ ସରୁ ନୀଳବସନା ରେ
ଜୀବନାପସରୁ ପୀୟୁଷ ହାସରୁ
ଲବ ପ୍ରସରୁ ଖଞ୍ଜନ ନୟନା ରେ ।୩।
ଗୋକୁଳ କୁଳଜା ପରିଷଦ ରାଜା
ନ କଲେ କରୁଣା ମୁଁ ଜାଣ ତୋ ନାଁ ରେ
ରାଧେ ରାଧେ ବୋଲି ତୋ ସରସୀ
ସଲିଳରେ ଝାସିବାର ଶୁଣୁ ସିନା ରେ ।୪।
ଅବନତ ହୋଇ ଧରୁ ପଦ ଦୁଇ
ରାଧା ପ୍ରସନ୍ନତା କରି କଳନା ରେ
ଗଲେ ନିଜ ନିଜ କୁଞ୍ଜେ ଆଳୀବ୍ରଜ
ଗୋପାଳକୃଷ୍ଣ କରେ ଭାବନାରେ ।୫।
(ଶବ୍ଦାର୍ଥ : ମୃଗାଙ୍କ - ଚନ୍ଦ୍ର; ଲପନ - ମୁହଁ; ଶଙ୍କରଶତୃ - ମଦନ ବା କାମଦେବ; ପର୍ଯ୍ୟଙ୍କ - ପଲଙ୍କ; ଅଙ୍କ - କୋଳ; କିଣିଲା ଜନ - ଦାସ
ଅବନତ - ନଇଁକରି ; ମଣ୍ଡୁ - ଶୋଭା କରୁ; ଆଳୀ - ସଖୀ ବା ଭଅଁର।)