ସଙ୍ଗୀତ କଳ୍ପଲତା/ଆଜ କେ ଶିଖାଇଲା ରୂଷାକୁ ରେ

ଉଇକିପାଠାଗାର ରୁ
Jump to navigation Jump to search
ସଙ୍ଗୀତ କଳ୍ପଲତା ଲେଖକ/କବି: ବଳଦେବ ରଥ
ଆଜ କେ ଶିଖାଇଲା ରୂଷାକୁ ରେ
ଆଜ କେ ଶିଖାଇଲା ରୂଷାକୁ ରେ
(ରାଗ: କାମୋଦୀ)

ଆଜ କେ ଶିଖାଇଲା ରୂଷାକୁ ରେ, ରାଜକୁରଙ୍ଗୀଶିଶୁଦୃଶାକୁ ରେ; ଲାଜ
ମିଳିତ ମନ୍ଦ ବିକାଶ ବାସକୁନ୍ଦରମ୍ୟହାସିନୀ ବରଯୋଷାକୁ ରେ। ଘୋଷା।

ଶୁଦ୍ଧାନ୍ତୁ ମୁଁ ବାହାର ହେଲେ ଦୃଷ୍ଟି ଯାହାର,
ଦଉଡ଼େ ମୋ ବିହାର ଆଶାକୁ ରେ,
ଉଭା ହେଲି ସମୀପେ ନଚାହିଁଲା ଯେ କୋପେ,
ବୋଲିବା ସିନା ଦୁଷ୍ଟ ଦଶାକୁ ରେ। ୧।

ବସି ତନାବୀ ପାଶେ, ଅସିତକେଶା ତୋଷେ,
ହସି ଫୁଲାଇ ଚାରୁ ନାସାକୁ ରେ,
ପୁଲକୁଥାଇ ପରା, ମୁଁ ଲପୁଥିଲେ ଧୀରା,
ଶୁଣି ମୋ ସାଧାରଣ ଭାଷାକୁ ରେ। ୨।

ଅଧରୁ ସୁଧାଝର, ଦେଇ ଯେ ନାଶେ ମୋର,
ବିଷମଶର-ଜ୍ଵର-ତୃଷାକୁ ରେ,
ଚିନ୍ତାକୃଶାନୁ ଝାସେ, ସାରିଦେଲା କି ଦୋଷେ,
ପଚାରିବଟି କଟିକୃଶାକୁ ରେ। ୩।

ଯାହାକୁ ଅଧିକୃତି, ଦେଇଥାଏ ସୁଦତୀ,
ଖୋସା ଉପର ଝରାଭୂଶାକୁ ରେ,
ଏହି ସିନା ବିଚିତ୍ର, କେହି ସେ ହେଲା ପାତ୍ର,
ମୁହଁ ନ ଚାହାଁ ଭଳି ଘୋଷାକୁ ରେ। ୪।

ଏବେହେଁ ଚାହୁଁ ଭର୍ଗ- ମୋହନା ଅଷ୍ଟଦୁର୍ଗ-,
ଧରାକପଟସ୍ଵର୍ଗ ବୃଷାକୁ ରେ,
ନ ରଚୁଁ ନଖେ ଏଣି-ଦୃଷାକୁ ପଦେ ବାଣୀ,
ଖରଚୁ କହ ଧରାଭୂଷାକୁ ରେ। ୫।