ହେମ ହରିଣୀ ଧୀରେ ଧାମନ୍ତେ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶ୍ରୀ ନୀଳଗିରିଶିଖରେ ବିଜେ ହରି ଲେଖକ/କବି: ବିଶ୍ଵନାଥ ଖୁଣ୍ଟିଆ
ଅରଣ୍ୟକାଣ୍ଡ

ହେମ ହରିଣୀ ଧୀରେ ଧାମନ୍ତେ
ଏକାଦଶ ଛାନ୍ଦ
ମୁଖାରୀ, ପଟତାଳ

 ହେମ ହରିଣୀ ଧୀରେ ଧାମନ୍ତେ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ।
ଧରୁ ଧରୁ କରୁ ମୃଗ ପଳାବନ୍ତେ ଗୋଡ଼ାଉଛନ୍ତି ରଘୁମଣି ॥ପଦ॥

କେତେବେଳେ ମୃଗ ଦୃଷ୍ଟିକି ନ ଦିଶେ କେତେବେଳେ ଦୃଷ୍ଟିଗୋଚର ।
କେତେବେଳେ ଦୂରେ କେତେବେଳେ ପାଶେ ରାମଙ୍କୁ ହେଲା ଅଗୋଚର ॥୧॥

ରାମଙ୍କୁ ବହୁତ ଦୂର ଘେନିଯାଇ ଗଲା ଅଦୃଶ୍ୟ ହୋଇ କାହିଁ ।
ଫୁଟିଣ ରାମ ତରୁତଳେ ବସନ୍ତେ ପୁଣି ଛାମୁରେ ହେଲା ଯାଇଁ ॥୨॥

ମାରିବା ବୋଲି ମନରେ ବିଚାରିଣ କୋଦଣ୍ଡରେ କାଣ୍ଡ ସନ୍ଧିଲେ ।
ବଜ୍ରାଘାତ ପ୍ରାୟ ଶବଦ ଶୁଭିଲା ଯେତେବେଳେ ଶର ବିନ୍ଧିଲେ ॥୩॥

ଲକ୍ଷ୍ମଣ ତ୍ରାହି ସୀତା ତ୍ରାହି ବୋଲିଣ ରାମସ୍ଵରେ ଉଚ୍ଚେ ଡାକିଲା ।
ମୃଗ ଦେହ ଛାଡ଼ି ନିଜ ତନୁ ଧରି ପ୍ରାଣ ହାରି ତଳେ ପଡ଼ିଲା ॥୪॥

ଦେଖି ରାମଚନ୍ଦ୍ର ଚକିତ ହୋଇଣ ବୋଲନ୍ତି ହେଲା ପରମାଦ ।
ମୃଗ ଦେହ ଛାଡ଼ି ଅସୁର ଦେହରେ କିରୀଟ କୁଣ୍ଡଳ ଅଙ୍ଗଦ ॥୫॥

ଏ ବାଣୀ ଶୁଣି ଆମ୍ଭର ପ୍ରାୟ ମଣି ଆସଇ ନ ପୁଣି ଲକ୍ଷ୍ମଣ ।
ଛାଡ଼ି ଅଇଲେ ସୀତାଙ୍କୁ ନ ପାଇବି କି ବୋଇଲା ଦୁଷ୍ଟ ଦାରୁଣ ॥୬॥

ଏହା ବିଚାରନ୍ତେ ବାମ ଭୁଜ ବାମ ନୟନ ତାଙ୍କର ସ୍ଫୁରିଲା ।
ବୋଲେ ବିଷି ରାମ ପଛରେ ଗୋଡ଼ାଇ ଶୃଗାଳ ଘୋର ଧ୍ୱନି କଲା ॥୭॥