ପାଗଳିନୀ ଯେ, ପ୍ରାୟ ବେଶେ ସାଜିଥାନ୍ତି ଧନୀ ଯେ ।୫।
ଦେଖି ଆବାଳ ବନିତା ବୃଦ୍ଧ ହୋଇ ରୁଣ୍ତ
ଧୂଳି ଫୋପାଡ଼ି ତାହାଙ୍କୁ କଲେ ଲଣ୍ତଭଣ୍ତ
ଏହି କଥା ଯେ, ଦେଖିଣ ପ୍ରବେଶି ରାଜମାତା ଯେ ।୬।
ପଚାରି ସକଳ କଥା ତାଙ୍କଠୁ ବୁଝିଲେ
ଧର୍ମ କନ୍ୟା କରି ନେଇ ପୁରେ ରଖାଇଲେ
ବୀରବର ଯେ, ତାଙ୍କ ପଦେ କର ନମସ୍କାର ଯେ ।୭।
ଚତୁର୍ଥ ଛାନ୍ଦ
(କେଶର କୁଞ୍ଜ ଶେଯରେ୧ ବୃତ୍ତେ)
ଚଳିଯାନ୍ତି ନରରାୟେ, ବନ ପଥେ ପାଗଳଙ୍କ ପରାୟେ
ଭଉଣୀ ମାନେ, ଚିତ୍ତଦୃଢ଼ ସ୍ଥିର ନୋହେ ।୧।
କିଛିଦୂର ଗଲା ପରେ, ବିଳାପ ଏକ ଶୁଣିଲେ କର୍ଣ୍ଣରେ
ସୁଜ୍ଞଜନେ ହେ, ଶୁଣ ତାହା ସୁଚିତ୍ତରେ ।୨।
ବନାନଳେ ଗଲି ଜଳି, ରକ୍ଷାକର ମୋତେ ସୁଦୟା କରି
ହେ ମହାଜନ, ଘେନିଣ ମୋ ନିଉଛାଳି ।୩।
କର୍କୋଟକ ନାମ ମୋର, ନାରଦଙ୍କ ଶାପେ ଜଳେ ଶରୀର
ହେ ମହାଜନ, ଏ ଦୁଃଖରୁ ତ୍ରାହି କର ।୪।
ଏମନ୍ତ ଶ୍ରବଣ କରି, ଦଶପାଦ ତହୁଁ ସେ ଦଣ୍ତଧାରୀ
ଯାଇ ତାହାକୁ, ଆଣିଲେ କର ପ୍ରସାରି ।୫।
ନାଗ ବୋଲେ ଜଗନ୍ନାଥ, ଆଜିଠାରୁ ହେଲେ ମୋର ମଇତ୍ର
ନରନାଥ ହେ, ଉପକାର ମୁଁ ବହୁତ ।୬।
କରିବି ପୁଣି ତୁମ୍ଭର, ଦୁଃଖକାଳେ ମନ୍ଦ ରାଜା ଶରୀର
ହେ ନରନାଥ, ତେଣୁ ଦଂଶିବି ସତ୍ୱର ।୭।
ଏ ରୂପ ବିରୂପ ହେବ, ବାହୁକ ନାମକୁ ବହିଣ ଥିବ
ହେ ନରନାଥ, ଅଯୋଧ୍ୟାକୁ ଚଳିଯିବ ।୮।
ଋତୁପର୍ଣ୍ଣ ରାଜା ପାଶେ, ରହିଥିବ ଅଶ୍ୱପାଳକ ବେଶେ
ନରନାଥ ହେ, ଦୁଃଖ ଯିବ ପୁଣି ଅବଶେଷେ ।୯।
ଯହିଁ ସୁମରିବ ମୋତେ, ନିଜ ରୂପକୁ ପାଇବ ତୁରିତେ
ନରନାଥ ହେ, ନ ବିଚାର କିଛି ଚିତ୍ତେ ।୧୦।
ଏତେ କହି ଅହିବର, ରାଜାକୁ ଦଂଶି ଚଳିଲା ସତ୍ୱର
ସୁଜ୍ଞଜନେ ହେ, ତହୁଁ ଗଲେ ନରବର ।୧୧।
ଅଯୋଧ୍ୟାରେ ପ୍ରବେଶିଲେ, ବାହୁକ ନାମରେ ଚିହ୍ନା ସେ ଦେଲେ
ସାଧୁଜନେ ହେ, ଋତୁପର୍ଣ୍ଣ ରାଜା ଘରେ ।୧୨।
ଘୋଡ଼ା ରଖୁଆଳ ହୋଇ, ଦୁଃଖେ ସୁଖେ କାଳ କାଟନ୍ତି ସେହି
ସାଧୂଜନେ ହେ, କାଳ ଯାଉଥାଏ ବହି ।୧୩।
ଦମୟନ୍ତୀଙ୍କ ପିୟର, ଝିଅ ଯୋଇଁ ବନେ ଯିବା ଖବର
ପାଇଲା କ୍ଷଣି, ଦୁଃଖରେ ହେଲେ ଅଧିର ।୧୪।
ଅନେକ ବହଣ ରାଇ, ଦେଶ ବିଦେଶକୁ ଦେଲେ ପଠାଇ
ସାଧୁଜନେ ହେ, ତାହାଙ୍କୁ ଖୋଜିବା ପାଇଁ ।୧୫।
ସୂଦେବ ନାମେ ବ୍ରାହ୍ମଣ, ସୂବାହୁ ରାଜ୍ୟରେ ମିଳେ ଯାଇଁଣ
ସାଧୁଜନେ ହେ, ମିଳିଲେ ତାଙ୍କ ପାଶେଣ ।୧୬।
ଜେମା ସୁନନ୍ଦା ସଙ୍ଗରେ, ଦମୟନ୍ତୀ ଆସୁଥିଲେ ସଧୀରେ
ସାଧୁଜନେ ହେ, ମିଳିଲେ ତାଙ୍କ ପାଶରେ ।୧୭।
ଦମୟନ୍ତୀ ମହାଦେଇ, ସୁଦେବକୁ ତହୁଁ ଦେଲେ ଅନାଇଁ
ସାଧୁଜନେ ହେ, ଉଚ୍ଚେ ବାହୁନିଲେ ତହିଁ ।୧୮।
ସେ ରୋଦନ ଶୁଣି କର୍ଣ୍ଣେ, ପ୍ରବେଶି ତହିଁ ପୁରବାସୀ ଜନେ
କଲେ ପ୍ରବୋଧ, ତାଙ୍କୁ ମଧୁର ବଚନେ ।୧୯।
୧। କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚିତ ପ୍ରସିଦ୍ଧ ଛାନ୍ଦ । ଏହା ଗଡ଼ମାଳିଆ ବୃତ୍ତରେ ଲିଖିତ ।