Jump to content

ପୃଷ୍ଠା:Sashi Sena.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିପରି ଆଶ୍ଚର୍ଯ୍ୟଜନକ । ମୁଳଗଳ୍ପ ଠାରୁ ଏଠାରେ କବି ନିଜର ସ୍ୱାତନ୍ତ୍ର୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଇ ସ୍ୱୀୟ ପ୍ରତିଭାର ପରିଚୟ ଦେଇ ଅଛନ୍ତି । ପ୍ରକାଶ୍ୟଭାବରେ ପଳାୟନ କଲେ ଲୋକନିନ୍ଦା ହେବ ଏବଂ ମନ୍ତ୍ରୀ କୁଶଳରମଣଙ୍କ ଉପରେ ରାଜାଙ୍କର କୋପଦୃଷ୍ଟି ପଡ଼ିବ—ଏହି ଚିନ୍ତାରେ ଆକୁଳ ହୋଇ ଅହିମାଣିକ୍ୟ ସରସୀ ବିହାର ଓ ଶଶିସେଣା ବ୍ୟାଘ୍ରାପହରଣ ବ୍ୟପଦେଶରେ ଉଦ୍ୟାନରେ ମିଳିତ ହେଲେ ଓ ମନ୍ତ୍ରଣାନନ୍ତର ଉଭୟେ ଅଶ୍ୱଶାଳାରୁ ଅନ୍ୟାନ୍ୟ ଅଶ୍ୱମାନଙ୍କୁ ବନ୍ଧନ ମୁକ୍ତ କରି ଦେଇ ଦୁଇଗୋଟି ପକ୍ଷିରାଜ ଅଶ୍ୱ ପୃଷ୍ଠରେ ବସି ଦେଶାନ୍ତରକୁ ପଳାୟନ କଲେ । ଅହିମାଣିକ୍ୟର କୌଶଳଠାରୁ ଶଶିସେଣାର କୌଶଳ ଅଧିକତର ଚାତୁରୀ ସହ ସଂବିହିତ ହୋଇଥିବାରୁ ତାହା ଚମତ୍କାର ପ୍ରତିପାଦକ । ଏହାଦ୍ୱାରା କବି ଶଶିସେଣାକୁ ଅହିମାଣିକ୍ୟଠାରୁ ଅପେକ୍ଷାକୃତ ବୁଦ୍ଧିମତୀ ରୂପେ ଦର୍ଶାଇ ଅଛନ୍ତି ।


ସନ୍ଧ୍ୟାକାଳରେ ଶଶିସେଣାର ସୁସଖୀ ସୁରେଖାକୁ ଉପବନରେ ବ୍ୟାଘ୍ରର ଉପସ୍ଥିତି କଥା କହିବା ତ‌ଥା ରାଜାଙ୍କୁ ଅସମୟରେ ଉକ୍ତ ସଂବାଦ ଦେବାରେ ସୁରେଖାକୁ ନିବର୍ତ୍ତାଇବା, ପରେ ମଧ୍ୟରାତ୍ରରେ ସମସ୍ତକ ଅଜ୍ଞାତସାରରେ ରାଜପ୍ରାସାଦରୁ ଅନ୍ତର୍ହିତ ହେବା, ଉପବନରେ ଅହିମାଣିକ୍ୟ ସଙ୍ଗେ ସାକ୍ଷାତ୍ କରିବା ଓ ବ୍ୟାଘ୍ର ଦର୍ଶନରୂପ ସୁମିଥ୍ୟା ଉକ୍ତିରେ ଲୋକଙ୍କ ବିଶ୍ୱାସ ଜନ୍ମାଇବା ନିମିତ୍ତ ଅହିମାଣିକ୍ୟ ସହ ଅଶ୍ୱମାନଙ୍କ ଅଶ୍ୱଶାଳାରୁ ମୁକ୍ତ କରିଦେବା ଓ ସେମାନଙ୍କ ଧାବନ ଓ ପ୍ରତିଧାବନରେ ନଗରସ୍ଥ ଲୋକମାନଙ୍କର କୋଳାହଳ ହେତୁ ସ୍ୱପ୍ନରେ ରାଜ‌ଜେମାକୁ ବ୍ୟାଘ୍ର ଅପହରଣ କରିବା ରୂପ ସୁରେଖାର ଦୁଃଖାନୁଭବ ସହ ଚିତ୍କାର ଧ୍ୱନିରେ ରାଜଭବନସ୍ଥ ପରିବାର ଗଣ ତଥା ରାଜରାଣୀଙ୍କ ଶଶିସେଣାର ଅଦର୍ଶନରେ ବିଳାପ ଓ ପରେ ଗୁରୁଙ୍କ ବଚନରେ ରାଜାଙ୍କର ସାନ୍ୱନାପ୍ରାପ୍ତି ଯାହା କବି ବର୍ଣ୍ଣନା କରିଅଛନ୍ତି ତାହା ପ୍ରକୃତରେ ତାଙ୍କ କଳ୍ପନାଚାତୁରୀର ପ୍ରକୃଷ୍ଟ ନିଦର୍ଶନ