ଚଉତିଶା ମଧୁଚକ୍ର/୧

ଉଇକିପାଠାଗାର‌ରୁ
ଚଉତିଶା ମଧୁଚକ୍ର ଲେଖକ/କବି: ଭୀମ ଭୋଇ
ପ୍ରଥମ ସ୍କନ୍ଧ

କରତା ପୁରୁଷ ବୋଲି କରପତ୍ର ଯୋଡ଼ି,

କାରଣ ନିମନ୍ତେ ନିତ୍ୟ ପାଦତଳେ ପଡ଼ି,

କୃପା ସାଗର ମହିମା,

କଷଣ ପଛୁଛି ଯେତେ କି ଦେବି ଉପମା ।୧।

ଖମ୍ବ ପ୍ରାୟ ବିରାଜିଛ ଅଲେଖ ଅଦ୍ଭୁତ,

କ୍ଷୟ ବୃଦ୍ଧି ନାହିଁ ନାମ ଚାରିଯୁଗେ ସତ,

କ୍ଷମା ସାଗର ପୁରୁଷ,

ଖେଳିବି ବୋଲି ସଂସାରେ କରିଅଛି ଆଶ ।୨।

 

ଗିରି ମେରୁପ୍ରାୟ ବାନା ଉଦୟେ ସଂସାରେ,

ଗର୍ଭ ପୋଡ଼ି ଯାଉଅଛି ଶୋକ ସନ୍ତାପରେ,

ଗତି ମୁକତି ଶ୍ରୀଗୁରୁ,

ଗାରିସାରି ହୋଇ ଦିବା ରଜନି ନ ସରୁ ।୩।

ଘୋଟିଅଛି ପଦ୍ମପାଦ ତିନି ଭୁବନରେ,

ଘେନି ଧରିଅଛି ଦୃଢ଼ବନ୍ଧେ ହୃଦୟରେ,

ଘଟଯୁଗ ପ୍ରାଣପତି,

ଘଡ଼ିକି ଘଡ଼ି ମନରେ ପଡ଼ୁଛି ବିପତ୍ତି ।୪।

 

ଅଲେଖ ମହିମା ଭଜି କରିଛି ଆଶରା,

ଅଙ୍ଗେ ପଡ଼ୁଅଛି ଦୁଃଖ ନ ଯାଏ ପାଶୋରା,

ଅବଧୃତ ବାନା ଉଦେ,

ଆଜ୍ଞାହେଉ ପ୍ରଭୁ ମୋତେ ଶ୍ରୀମୁଖରୁ ପଦେ ।୫।

ଚନ୍ଦ୍ର କିରଣ ପରାୟ ଯାର ପଦ୍ମପାଦ,

ଚକ୍ରବାନା ଥାଉଁ ଥାଉଁ ପଡ଼ୁଛି ପ୍ରମାଦ,

ଗୁରୁଚରଣ ମୁଁ ଧରି,

ଚିଦାନନ୍ଦ ପ୍ରଭୁ ବୁଝ ବୁଝ ବେଗକରି ।୬।

 

ଛତ୍ର ପ୍ରାୟ ପାଦକୁ ମୁଁ କରିଅଛି ଆଶା,

ଛାୟାତଳେ ଥାଉଁ ଥାଉଁ ନ ହରୁଛି ତୃଷା,

ଛଡ଼ ବେଦପରେ ଭଜି,

ଛବି ଚାହାଣି ଚାତୁରି ଦୁରାନ୍ତରେ ତେଜି ।୭।

ଯେବଣ ମହିମା ତିନି ଭୁବନେ ବିଖ୍ୟାତ,

ଜାଣି ନେଇ ଲଗାଇଛି ପଦ୍ମପାଦେ ଚିତ୍ତ,

ଯୁଗକରତା ପୁରୁଷ,

ଜୀବନ ଛାଡ଼ି ଶରୀରୁ ହୋଇଲାଣି ଶେଷ ।୮।

 

ଝର ଝର ହୋଇ ବହୁଅଛି ଅଶ୍ରୁଧାର,

ଝଞ୍ଜକା ଭିତରୁ ସ୍ୱାମୀ ସମ୍ଭାଳନା କର,

ଝଟତିରେ ବୁଝ ପ୍ରଭୁ,

ଝଡ଼ି ପଡ଼ିଲାଣି ଆଶା ଭରସା ମୋ ସବୁ ।୯।

ନିଜ ମହିମା କରତା ନିଅ ପାରକରି,

ନିଶି ଦିବସରେ ଦରଶନେ ମୁଁ ସୁମରି,

ନାମ ନିଷ୍କାମ ଧରମ,

ନିନ୍ଦିତରୁ ଲଜ୍ୟା ମୋତେ ହେଲାଣି ଶରମ ।୧୦।

 

ଟାଣ ଶୂନ୍ୟ ପ୍ରଭୁଙ୍କୁ ମୁଁ କରୁଛି ଭଜନା,

ଟଳି ଯାଉଅଛି ମୋର ଆଗତ ପାଞ୍ଚନା,

ଟାକି ଅଛି କରତାଙ୍କୁ,

ଟିକସ ବସି ଗଲାଣି ନେତ୍ରେ ଦେଖୁ ଦେଖୁ ।୧୧।

ଠାକୁରଙ୍କ ଶ୍ରୀଚରଣେ କରିଅଛି ଆଶ,

ଠିକଣାରେ ବୁଝ ପ୍ରଭୁ ତୁମ୍ଭ ନିଜ ଦାସ,

ଠିକେ କହେ ଭୀମ ଭୋଇ,

ଠାବ ରଞ୍ଚନା ହେଲାଣି ଧର୍ମରୁ ଛଡ଼ାଇ ।୧୨।

 

ଡେଙ୍ଗା ଜଗତିରେ ଥାଇ ଡୋଳେ ଦେଖ ପ୍ରଭୁ,

ଡକାଇତ ପ୍ରାୟ ମୁଁ ଯେ ପାଉଅଛି ଲଘୁ,

ଡାକୁ ଅଛି ମୁଁ ଆତଙ୍ଗେ,

ଡରୁଛି ଜୀବନ ମୋର କେହି ନାହିଁ ସଙ୍ଗେ ।୧୩।

ଢୁଳ ମାଡ଼ୁ ନାହିଁ ମୋତେ ଦିବସ ରଜନୀ,

ଢଙ୍ଗ ରଙ୍ଗ କଥା ସବୁ ଅନ୍ତର୍ଗତେ ଜାଣି,

ଢାଳି ବାନା ତଳେ ରଖ,

ଢୋକିଲାଣି କାଳକୂଟ ଏତେବେଳେ ଦେଖ ।୧୪।

 

ଅଣ ରୂପ ସ୍ୱାମୀଙ୍କି ମୁଁ ଭଜନା କରୁଛି,

ଅବ୍ୟଗତ ବ୍ରହ୍ମ ବିନୁ ନ ଜାଣଇ କିଛି,

ଅଣାକାର ସ୍ୱାମୀ ବିଜେ,

ଅନ୍ତର୍ଯ୍ୟାମୀ ଗୁରୁସ୍ୱାମୀ ରଖନ୍ତୁ ସହଜେ ।୧୫।

ତର ତର ହୋଇ ମୁଁ ଯେ ତିୟାରୁଛି ପଦ,

ତାକି ନାହିଁ ଆଗ ପଛ ବେଦକି ନିର୍ବେଦ;

ତୁନି ତୈଲୋକ୍ୟ କରତା,

ତାଳପତ୍ରେ ଲେଖୁଅଛି ବୁଝିବ ବାରତା ।୧୬।

 

ଥୟ ଥିତି ନାହିଁ ମୋର ପଞ୍ଚଭୁତ ମନ;

ଥରକୁ ଥର ଛାମୁରେ କରୁଛି ଜଣାଣ,

ଥଳ ମହା ନିତ୍ୟବାସୀ,

ଥାଉଁ ଥାଉଁ ଗୁରୁଦେବ ଯାଉଅଛି ଭାଷି ।୧୭।

ଦଇବ କରତା ପ୍ରଭୁ ଅଟ ହେ ଆପଣ,

ଦରିଦ୍ର ପ୍ରାଣୀଙ୍କ ଧନ ଦୁଃଖୀର ଜୀବନ,

ଦୟାବନ୍ତ ପ୍ରଭୁ ମୋର,

ଦୁରାକଷ୍ଟରୁ ବଞ୍ଚାଇ ସମ୍ଭାଳନା କର ।୧୮।

 

ଧାରଣା ହୋଇଛି ଧର୍ମ ରବିତଳେ ଆସି,

ଧର୍ମାର୍ଥ ପୁରୁଷ ସ୍ୱାମୀ ମହା ନିତ୍ୟବାସୀ,

ଧାରା ବୁଝାମଣା ହେଉ,

ଧରଣୀରେ ଯଶକୀର୍ତ୍ତି ଯୁଗେ ଯୁଗେ ରହୁ ।୧୯।

ନବଖଣ୍ଡ ମେଦିନୀରେ ବିଜେ ବ୍ରହ୍ମରୂପ,

ନୟନରେ ଦେଖି କ୍ଷୟ ହେଉଅଛି ପାପ,

ନାମ ଜଗତେ ବିଖ୍ୟାତ,

ନିରାପକ୍ଷ କଲେ ସ୍ୱାମୀ ହୋଇଲି ଅନାଥ ।୨୦।

 

ପ୍ରଭୁପାଦ ପଦ୍ମକୁ ମୁଁ କରିଛି ଆଶରା,

ପଡ଼ୁଅଛି ଅଙ୍ଗେ ମୋର ପାପବୋଝ ଭରା,

ପୂର୍ଣ୍ଣାନନ୍ଦ ଦେଖ ଚାହିଁ,

ପରାପତ ହେଲା ଶିରୀ ଯାଉଅଛି ବହି ।୨୧।

ଫରଫର ହୋଇ ଶୂନ୍ୟେ ଉଡ଼ୁଅଛି ବାନା,

ଫୁଟି ଯାଉଛି ନୟନ ହେଉଅଛି ବଣା,

ଫଣି ମଣି ଜ୍ୟୋତିଧାରି,

ଫିଟାଇ ମାୟା ଜାଲରୁ କର ମୋତେ ପାରି ।୨୨।

 

ବୀରବର ବିଧୁବାନା ଉଦୟେ ସଂସାରେ,

ବ୍ରହ୍ମାଣ୍ଡ କରତା ଥାଉଁ ପଡ଼ୁଛି ଅନ୍ଧାରେ,

ବଳେ ବକିୟାର ପ୍ରଭୁ,

ବଳାକୃତ ହୋଇଲାଣି ରୀତିମତେ ସବୁ ।୨୩।

ଭାବି ଭାବି ଭରସା ମୁଁ କରିଛି ବହୁତ,

ଭାବେ ଭାରା ଉଶ୍ୱାସିବେ ଅଲେଖ ଅବଧୂତ,

ଭୀମ ଅରକ୍ଷିତ କହେ,

ଭାଷା ପ୍ରବନ୍ଧେ ନାମକୁ କରିଅଛି ଲୟେ ।୨୪।

 

ମହିମା ସାଗର ସ୍ୱାମୀ ଶ୍ରୀଗୁରୁ ଅଲେଖ,

ମହତ୍ତ୍ୱ ସରିଗଲାଣି ପ୍ରତ୍ୟକ୍ଷରେ ଦେଖ,

ମିଥ୍ୟା ମଣିଲେ ସମସ୍ତେ,

ମାୟାମୋହେ ପଡ଼ି ସର୍ବେ କଲେଣି ଅପ୍ରତେ ।୨୫।

ଜଗତ କରତା ସ୍ୱାମୀ ଅଲେଖ ପୁରୁଷ,

ଯୋଗୀନ୍ଦ୍ର ଜ୍ୟୋତି ସ୍ୱରୂପ ମହିମା ଅଶେଷ,

ଜାଣି ଭଜି ଥାଉ ଥାଉ,

ଯାନ ଜୀବନ ଗଲାଣି ଅଧିକ କି କହୁ । ୨୬।

 

ରସ ମେଦିନୀରେ ହୋଇଣ ନରରୂପେ ଅବତାର,

ଋଷିଗଣ ଘେନି କରୁଅଛ ଖେଳଘର,

ରୋମ ମୂଳରେ ବ୍ରହ୍ମାଣ୍ଡ,

ରକ୍ଷାକର ପ୍ରଭୁ ମୋତେ ପଡ଼ୁଅଛି ଦଣ୍ଡ ।୨୭।

ଲଘୁପସା ଯେତେ ଜାଣୁଥିବ ହେ ଆପଣ,

ଲେଖି ଲେଖି ଶ୍ରୀ ହଜୁରେ କରୁଛି ଜଣାଣ,

ଲାଗିଅଛି ଦେବକୂଟ,

ଲାଭ ହାନି କି ବିଚାରି ଫେଡ଼ ମୋ ସଙ୍କଟ । ୨୮ ।

 

ବୁଦ୍ଧ ଅବତାରେ ପ୍ରଭୁ ବ୍ରହ୍ମାଣ୍ଡେ ବିଜୟେ,

ବାନା ଉଡୁଅଛି ତିନିପୁରେ ଜୟେ ଜୟେ,

ବାହୁତଳେ ମୋତେ ରଖ,

ବର୍ଗବନ୍ଧୁ ଅଟ ପରା ଅନାଦି ଅଲେଖ ।୨୯।

ଶ୍ରୀବନ୍ତ ପୁରୁଷ ସ୍ୱାମୀ ଅଟ ସତ୍ୟବାଦୀ,

ଶରଣ ପଶୁଛି ମୁଁ ଯେ ସଦା ଅପରାଧି,

ଶାଖା ନାହିଁ ମୋର କେହି,

ଶ୍ରୀଗୁରୁ ଛାମୁରେ ଭାରା ଅଛି ମୁଁ ପକାଇ ।୩୦।

 

ସିଂହ ପରାକ୍ରମେ ବାନା ଉଦେ ହୋଇଥାଇ,

ଶୃଗାଳ ପଶି ମୋ ମାଂସ ଯାଉଅଛି ଖାଇ,

ସତ୍ୟକଥା ନୋହେ ମିଛ,

ଶୂନ୍ୟବାସୀ ଅନ୍ତର୍ଯ୍ୟାମୀ କିସ ଦେଖୁଅଛ ।୩୧।

ସାରବ୍ରହ୍ମ ଗୁରୁଦେବ ଅଲେଖ ମହିମା,

ସରି ଯାଉଅଛି ରଖ ଭକ୍ତଙ୍କ ଗରିମା,

ସର୍ବ କଥାରେ କାରଣ,

ସାମର୍ଥ୍ୟ ଶ୍ରୀଗୁରୁଦେବ ସଙ୍କଟ ବାରଣ ।୩୨।


ହିତକାରି ଗତିମୁକ୍ତି ପ୍ରଭୁ ପିତାମାତା,

ହାନିଲାଭ ସର୍ବ କଥା ବୁଝିବ ବାରତା,

ହେଉଅଛି ମୁଁ ବିକଳ,

ହରିହର ବ୍ରହ୍ମା ସାକ୍ଷୀ ଦଶଦିଗ ପାଳ । ୩୩ ।

କ୍ଷତିମଣ୍ଡଳରେ ବିଜେ ମହିମା ସାଗର,

କ୍ଷଣେ ଭଣେ ଭୀମ ଭୋଇ ଅଜ୍ଞାନ ପାମର,

କ୍ଷମାକର ଗୁରୁଦେବ,

କ୍ଷୁଦ୍ର ବଚନେ ମହତ୍ୱ ସରିଲାଣି ସର୍ବ ।୩୪ ।