ଚଉତିଶା ମଧୁଚକ୍ର/୬

ଉଇକିପାଠାଗାର‌ରୁ
ଚଉତିଶା ମଧୁଚକ୍ର ଲେଖକ/କବି: ଭୀମ ଭୋଇ
ଷଷ୍ଠ ସ୍କନ୍ଧ

କୃପାସାଗର କାମନା ଶୂନ୍ୟବାନା କଳିଯୁଗେ ଉଦେ ହୋଇ ।

କରତି କାଟୁଛି ହୃଦୟ ମୋହର କଳିକାଳ ଯୁଗ ଚାହିଁ ଯେ ।

କିମ୍ପା ଏତେ କଷଣ ।

କାହିଁ ରଖୁଅଛ ମୋତେ ଆପଣ ।

କୀର୍ତ୍ତି ରହିଲା ତିନି ଭୁବନ ।

କରିଅଛି କି କି ଦୋଷମାନ ଯେ । ୧ ।

 

ଖଣ୍ଟ ହସ୍ତେ ମୋତେ ଦଣ୍ଡ ଦିଆଉଛ ଖଟି ଥାଉଁ ଥାଉଁ ପାଦେ ।

ଖାଇବା ପିଇବା ଦୂର ହେଉଅଛି ଖଚୁଆଙ୍କ ପରମାଦେ ଯେ ।

କ୍ଷମା ସାଗର ବାନା ।

କ୍ଷଣେ ବୁଝାମଣା ହେଉ କିନା ।

ଖିନ୍ନ କଲାଣି ଚିନ୍ତା ବେଦନା ।

ଖେଳ କେବେ ନ ପଡ଼ିଲା ଚିହ୍ନା ଯେ । ୨।

 

ଗାଈ ପ୍ରାୟ ସର୍ବେ ଗର୍ଜି ମରୁଛନ୍ତି ଜ୍ଞାନକୁ ଗୋଚର ନାହିଁ ।

ଗରିବିତା ପଣେ ଘାରି ହେଉଛନ୍ତି ।

ଗାରିମା ପଣକୁ ବହି ଯେ ।

ଗତ ବାସନା ନାହିଁ ଗଦ ଗଦ ମନେ ଖଚ କହି ।

ଗଦାଗଦି ଦାଣ୍ଡବାଟେ ବହି ।

ଗଡ଼ି କୁଢ଼ ପ୍ରାଏ ଥିବେ ଚାହିଁ ।

ଗତି ମିଳିବ ତାହାଙ୍କୁ କାହିଁ ଯେ । ୩ ।

 

ଘୋଟି ଆସୁଅଛି ଧୂମ ପ୍ରାଏ କରି ଘୋର ମାୟା ଅନ୍ଧକାର।

ଘାରି ହେଉଅଛି ଦିବସ ରଜନୀ;

ଦିନ ନ ସରଇ ମୋର ଯେ ।

ଘନେ ବିଜୁଳି ପ୍ରାଏ ।

ଘରେ ଘରେ କଲେଣି ଅନ୍ୟାୟେ ।

ଘୁଞ୍ଚି ଯିବାକୁ ନାହିଁ ଉପାୟେ ।

ଘିଞ୍ଚି ଧରି ମାରିବେ ନିଶ୍ଚୟେ ଯେ । ୪ ।

 

ଅସରନ୍ତି ଦିନ କେଉଁରୂପେ ନେବି,

ଘୋର କଳିକାଳ ଯୁଗେ ।

ଆନନ୍ଦ ମନେ କେମନ୍ତେ ବିହରିବି ଅସୁର ମେଳଛ ସଙ୍ଗେ ଯେ ।

ଅନୁସରିଛି ଧ୍ୟାଇ ।

ଆଶା ପଦ୍ମପାଦେ ଚିତ୍ତ ଦେଇ ।

ଆତଙ୍ଗରେ ହେଉଛି ବିନୟୀ ।

ଏକ ପ୍ରଭୁ ବିନୁ ଅନ୍ୟ ନାହିଁ ଯେ । ୫ ।

 

ଚିଆଁଇଲା ଯହୁଁ ଚମକି ପଡ଼ୁଛି ଚର୍ମ ଦେହକୁ ଏ ନିନ୍ଦା ।

ଚାକରୀ କରିଛି ଚାରୁ ଚରଣରେ କେତେ ଦିବସକୁ ଫନ୍ଦା ଯେ ।

ଚେତା ନାହିଁ ମୋହର ।

ଚିତ୍ତୁ ଚୈତନ୍ୟ ବୁଡ଼ି ଅନ୍ଧାର ।

ଚିନ୍ତା ଦେହକୁ ହେଲାଣି ଭାର ।

ଚାଲି ଫୁଟିଲାଣି ମୋ ଶରୀର ଯେ । ୬ ।

 

ଛାଇତଳ ବୋଲି ଆଶ୍ରେ କରିଥିଲି ଛଳି ଦେଉଛ କିମ୍ପାଇ ।

ଛିଛିକାର କରି ଘଉଡ଼ିଲେ ମୋତେ ପାଶରୁ ମୁଁ ଯିବି କାହିଁ ଯେ ।

ଛେକି ଗଞ୍ଜି ମାରୁଛ ।

ଛାଡ଼ି ନିରାଶେ ଫିଙ୍ଗି ଦେଉଛ ।

ଛପ୍ନାକୋଟି ଜୀବେ ପଡ଼ି ସଞ୍ଚ ।

ଛବି ଚାତୁରୀରେ ଭୁଲାଉଛ ଯେ । ୭ ।

 

ଯାଇ ନ ପାରଇ ଜ୍ୟୋତି ଲିଙ୍ଗ ପାଶ ଯୋଗେ ନାହିଁ ବୋଲିକରି ।

ଯୋଗୀ ବେଶ ଧରିଛନ୍ତି ମୋର ସ୍ୱାମୀ ଜଳିଯିବି ବୋଲି ଡରି ଯେ ।

ଯାର ସେବକ ଯେହୁ ।

ଜାଣି ଦୟା ନଥିବ କି ଆଉ ।

ଜନ ଜଗତ ଦୁଃଖ କେ ସହୁ ।

ଯତନରେ ପଡ଼ି ଦିଆଯାଉ ଯେ । ୮ ।

 

ଝାଡ଼ର ଭିତରେ ଝଞ୍ଜା ମାରୁଅଛି ଝାଉଁ ପବନର ଘାତେ ।

ଝଙ୍କାରି ମାରୁଛି ଝର ବହୁଅଛି ଝିମାଜ୍ୱର ବାତ ପିତ୍ତେ ଯେ।

ଝାଳ ବହୁଛି ଦେହ ।

ଝର ଝର ନୟନରୁ ଲୁହ ।

ଝଟତିରେ ବୁଝି ଆଜ୍ଞା ଦିଅ ।

ଝିମିଟକେ ପାରି କରି ନିଅ ଯେ । ୯।

 

ନିଷ୍ଟା କରାଉଛି ନିଷ୍କାମ ଯୋଗରେ ରଖି ନିର୍ବେଦ ଧର୍ମରେ ।

ନିସତ ଲାଗିଛି ମନରେ ମୋହର କହିଣ ନାମ ନାବରେ ଯେ ।

ନିନ୍ଦା ହେଲେ ଜଗତେ ।

ନାରାୟଣ କି ବୋଲିବେ ତୋତେ ।

ନାମ ବଖାଣ ହେବ କେମନ୍ତେ ।

ନାହିଁ ନ ନିଅ କୁକର୍ମ ପଥେ ଯେ । ୧୦ ।

 

ଟାକି ଟାକି ମୋର ଟାଣ ଭାଙ୍ଗିଗଲା ଟୋକା ବେଳୁ ଅନୁସରି ।

ଟିକେ ମାତ୍ର ଅଣ ବିଶ୍ୱାସ ବଚନ ଶୁଣିଲେ ହୃଦ ବିଦାରି ଯେ ।

ଟିଆ ହେଲାଣି କଣ୍ଟ ।

ଟେକି ବୀରବାନ ବେଗେ ଉଠ ।

ଟାହି କଲେଣି ମୂଢ଼ ପାପିଷ୍ଠ ।

ଟାପରାରେ ତାଙ୍କ ମନ ହୃଷ୍ଟ।

ଟେଳା ମାରି ଦେଉଛନ୍ତି ଦୁଷ୍ଟ ଯେ । ୧୧ ।

 

ଠାକୁର ବୋଲାଇ ଠକି ଯେବେ ଯିବ କି ବୁଦ୍ଧି କରିବି ମୁହିଁ ।

ଭୀମ ଅରକ୍ଷିତ ଜଣାଣ କରୁଛି ଶ୍ରୀ ଛାମୁରେ ଠିଆ ହୋଇ ଯେ ।

ଠିକ ହେଲାଣି ଆସି ।

ଠାବ ଦିଅ ବେଗେ ଶୂନ୍ୟବାସୀ ।

ଠେଲ ସିନ୍ଧୁରେ ଯାଉଛି ଭାସି ।

ଠଣା କେତେ ଜଗିଥିବି ବସି ଯେ । ୧୨ ।

 

ଡାଏଣୀ ଡାଙ୍କେଶ୍ୱରୀଙ୍କ ମୁଖରୁ ଯେ ବଞ୍ଚିବ ସାର ସଞ୍ଜି ।

ଡାଳ ଧରି ନରେ ଆଣ୍ଟ କରୁଛନ୍ତି ଗରବ ମୁଁ ଦେବି ଗଞ୍ଜି ଯେ ।

ଡାକି କହୁଛି ଉଚ୍ଚେ ।

ଡକା ପଡ଼ିଯିବ ସ୍ୱର୍ଗ ମଞ୍ଚେ ।

ଡ଼ିଙ୍ଗୁରା ବାଜିବ ଆଗ ପଛେ ।

ଡ଼ରି ଉଦେ ହୋଇଛୁ କି ମିଛେ ଯେ । ୧୩ ।

 

ଢଗଢ଼ମାଳିଆ ଢମ ପଣ କରି ଢଉ ରଙ୍ଗ ଦେଖି ବାଇ ।

ଢିକି ଢିକି ମାଡ଼ ବସି ଗଲାବେଳେ ରଖିବ କେ ବାପ ଭାଇ ଯେ ।

ଢଳି ଯିବେ ସମସ୍ତେ ।

ଢ଼ାଙ୍କୁଣୀରୁ ଫିଟି କେତେ କେତେ ।

ଢ଼େଉ ମାଟି ମାଖୁଛନ୍ତି ଯେତେ ।

ଢ଼ୋଲ ପ୍ରାୟେ ଗଡ଼ୁଥିବେ ମର୍ତ୍ତ୍ୟେ ଯେ । ୧୪ ।

 

ଅଣାକାର ପ୍ରଭୁ ଅଣ ସାଧନାରେ ଉଦୟେ ହୋଇଲ ଆସି ।

ଅନୁକ୍ଷଣେ ଦ୍ୱନ୍ଦ୍ୱ ଉଠାଉ ଅଛନ୍ତି କରୁଛନ୍ତି ପରିହାସି ଯେ ।

ଅଣ ଅକ୍ଷର ପଦ ।

ଆଣି ବର୍ଣ୍ଣି ନ ପାରିଲା ବେଦ ।

ଅଣ ଆକାରେ ରହିଲା ଭେଦ ।

ଅନ୍ତ ନ ପାଇଲା ଚାରି ବେଦ ଯେ । ୧୫ ।

 

ତରତର ହେଉଛନ୍ତି ପ୍ରାଣୀମାନେ ତପ କରିଛନ୍ତି କାହିଁ ।

ତନୁ ଖିନ୍ନ କରି ତିନି ବ୍ରହ୍ମାଣ୍ଡରେ ଲୋଡ଼ି ନ ପାରିଲେ କେହି ଯେ ।

ତତ୍ତ୍ୱ କାହାର ଅଛି ।

ତ୍ରିଗୁଣରେ ଏ ଦେହ ଚଳୁଛି ।

ତପ୍ତ ଅନଳେ ଦହି ହେଉଛି ।

ତମ ରାଗେ ଚେତା ବୁଡ଼ାଉଛି ।

ତାକୁ ମନେ କେ ଭେଦି ପାରୁଛି ଯେ । ୧୬ ।

 

ଥରକୁ ଥର ଦେବକୂଟ ପଡ଼ୁଛି ଥୟେ ଥିବ ଯାର ମନ ।

ଥିତି ଦେବେ ନିଶ୍ଚେ ନୁହେ ମିଛ କଥା ଧରଣୀ ଆକାଶ ରାଣ ଯେ ।

ଥିବଟିଆକୁ ଯେହି ।

ଥରିଯିବ ନବଖଣ୍ଡ ମହୀ ।

ଥାବର ପରାଏ ଥିବେ ଚାହିଁ ।

ଥିତି ନ ମିଳିବ ଯିବେ କାହିଁ ଯେ । ୧୭ ।

 

ଦୁଃଖ କଲେ ସିନା ସୁଖ ଭୋଗ ଅଛି ଦୟାରୁ ଧରମ ଉଦେ ।

ଦରଦର ହେଲେ ଦରିଦ୍ର ହୁଅନ୍ତି କହିଅଛି ଚାରିବେଦେ ଯେ ।

ଦାଉ ସହିଲେ ଦେହ ।

ଦୟା ହେଲେ କ୍ଷୟ ଯିବ ମୋହ ।

ଦୂର ହୋଇ ଯିବ ମାୟା ବିହ୍ୱ ।

ଦରଶନ ପାଇବ ସେ ପୁଅ ଯେ । ୧୮ ।

 

ଧରମ ପଥକୁ ଆଶ୍ରିତ କରନ୍ତେ ଧରି ଧରି ନେଇ ଯିବେ ।

ଧ୍ୟାନ ଜ୍ଞାନ କିଛି ପଚାରିବେ ନାହିଁ ଧରି ମାରି ଦଣ୍ଡୁ ଦେବେ ଯେ ।

ଧ୍ୟାଇ ଥିଲେ ନାମକୁ ।

ଧରା ନ ଥିବ ଆଉ ଦିନକୁ ।

ଧର୍ମରକ୍ଷା କରିବ ତୁମ୍ଭଙ୍କୁ ।

ଧ୍ୟାଇଥିବ ମୋ ପାଦ ପଦ୍ମକୁ ଯେ । ୧୯ ।

ନରଦେହ ବହି ନିଷ୍କାମ ଭାବକୁ ନେତ୍ରେ ଦେଖିବୁ ବୋଲନ୍ତି ।

ନାମ ବ୍ରହ୍ମ ବୋଲି ଯେବଣ ପଦାର୍ଥ ଧରି ସମ୍ଭାଳିଛି ପୃଥ୍ୱୀ ଯେ ।

ନିନ୍ଦା କରୁ ଅଛନ୍ତି ।

ନାଶ ଯିବେ ନ ପାରିବେ ଚେତି ।

ନୀଚ ବଚନ କହୁ ଅଛନ୍ତି ।

ନାବଥାଉଁ ବୁଡ଼ି ମରୁଛନ୍ତି ଯେ । ୨୦ ।

 

ପିଣ୍ଡକୁ ପଛକେ ପ୍ରାଣ ଗଚ୍ଛୁ ନାହିଁ ପରୀକ୍ଷା ଦିଅ ବୋଲନ୍ତି ।

ପୁଣ୍ୟକରି ବେଖି ନାହାନ୍ତିତ ତାଙ୍କ ବାପ ଅଜା ଅଣନାତି ଯେ ।

ପଥ ପାଇବେ କାହୁଁ।

ପ୍ରାଣ ଉଡ଼ିଯିବ ଚାହୁଁ ଚାହୁଁ ।

ପର ସ୍ତ୍ରୀରେ ଦୃଷ୍ଟି ଦେଉ ଦେଉ ।

ପାପଭାରା ଛେଦି ନାହିଁ କେହୁ ଯେ । ୨୧ ।

 

ଫୁଲା ପଣରେ ଫିସାଦ କରୁଛନ୍ତି ଫଳ ସୁରତିରେ ବାଇ ।

ଫିଟିଲାଣି ଆସି ଅଲେଖ ବୀର ବାନା କେହି ଚିହ୍ନିବାକୁ ନାହିଁ ଯେ ।

ଫାଳ ଫାଳ ତ୍ରିପୁର ।

ଫାନ୍ଦେ ପଡ଼ିବେ ସର୍ବେ ଏଥର ।

ଫାଶେ ବାନ୍ଧିବେ ଯମ ଡ଼ଗର ।

ଫିସାଦଦିରେ ଛନ୍ତି ଯେତେ ନର ଯେ । ୨୨ ।

 

ବଦଳି ପୁଣି ସତ୍ୟଯୁଗ ହୋଇବ ବଣା ହେଉଥିବ ସର୍ବେ ।

ବ୍ରହ୍ମାଣ୍ଡ ସ୍ଥିତି ବସ୍ତି ହେଲା ବେଳକୁ ମେଳଛ କେହି ନ ଥିବେ ଯେ ।

ବାରି ନେବ ଭକତ ।

ବିବାଦରେ କରିବ ଅନର୍ଥ ।

ବୀର ବେଶେ ଭ୍ରମୁଛ ଜଗତ ।

ବାନା ତିନି ଭୁବନରେ ଖ୍ୟାତ ଯେ । ୨୩ ।

ଭାସିଯିବ ଏ ବ୍ରହ୍ମାଣ୍ଡ ନବଖଣ୍ଡ ଭରଣା ହେଲାଣି ଯୁଗ ।

ଭୋଳା ହେଉଛନ୍ତି କଳିଯୁଗ ନର ଭାଙ୍ଗି ଦେବି ଗେଲେ ଗର୍ବ ଯେ ।

ଭାରା ଛେଦିବି ଏବେ ।

ଭାବି ସତ୍ୟ କରିଅଛି ପୂର୍ବେ ।

ଭାରି ଅସୁର ହେଲେଣି ଭବେ ।

ଭଣ୍ଡ ଲୋକେ ସର୍ବେ ନାଶ ଯିବେ।

ଭୟ କୁମ୍ଭୀନର୍କରେ ପଡ଼ିବେ ।

ଭଣେ ଭୀମ ଧ୍ୟାଇ ପାଦ ଯୁଗେ ଯେ । ୨୪ ।

 

ମହିମା ପ୍ରକାଶ ମର୍ତ୍ତ୍ୟ ମଣ୍ଡଳରେ ପ୍ରତକ୍ଷେ ହୋଇଛି ଉଦେ ।

ମନ ଜ୍ଞାନ ଧ୍ୟାନ ଭକ୍ତି ବୋଲିବାକୁ ନ ବୁଝିଲେ ଚାରି ବେଦ ଯେ ।

ମହୀ ଉଶ୍ୱାସ ହେବ ।

ମରିବାକୁ ହୋଇଲେଣି ଆଗ ।

ମନ୍ତ୍ର ଯନ୍ତ୍ର ସବୁ କାଟ ଯିବ ।

ମାଟି ଭିତରେ ପୋତା ହୋଇବ ।

ମହା ଅନର୍ଥ ଏଥେ ଉଠିବ ଯେ । ୨୫ ।

 

ଜାଣୁ ଜାଣୁ ସର୍ବେ ବଣା ହେଉଅଛ ଜାଗି ନ ପାରୁଛ ଦେହ ।

ଯୁତକାଳଗଣେ ପ୍ରବେଶ ହୋଇଲେ କେ ରକ୍ଷା କରିବ କୁହ ଯେ ଯୋଗ୍ନୀ ଖାଇବେ ନିଶ୍ଚେ ।

ଜଗି ବସିଛନ୍ତି ଆଗ ପଛେ ।

ଯାଇଁ ପଡ଼ିବ ନରକ ଖାଞ୍ଚେ ।

ଯମ ଗୁନ୍ଥିବ ଶିମୁଳି ବୃକ୍ଷେ ।

ଯୋନି ଜନ୍ମ ନ ରଖିବି ମଞ୍ଚେ ଯେ । ୨୬ ।

 

ରବି ରଗଡ଼ ଯେତେବେଳେ ପଡ଼ିବ ବଞ୍ଚିବେ ନାହିଁ ମନୁଷ୍ୟ ।

ଋଷିଗଣ ଆଦି ରହି ନ ପାରିବେ କଷ୍ଟ ପାଇବେ ମୋ ଦାସ ଯେ ।

ରଣ ଯୁଦ୍ଧ କରିବେ ।

ରାଜାମାନେ ଆଜ୍ଞା ଘେନି ଯିବେ।

ରସା ମେଦିନୀ ସୈନ୍ୟ ପୂରିବେ ।

ରହି ସିଂହ ରଡ଼ି ଦେଉଥିବେ ।

ରାଗେ ବୃକ୍ଷ ଉପାଡ଼ି ପିଟିବେ ଯେ।୨୭।

 

ଲିହି ପୋକ ପ୍ରାଏ ଲାଗିଛନ୍ତି ସର୍ବେ ଲଘୁ ଦେଉଛନ୍ତି ଯେତେ ।

ନାଗର ଲୋକ ମହୀରେ ନ ରଖିବି ଚାରିଧର୍ମ ରାଣ ମୋତେ ଯେ ।

ଲକ୍ଷ ଲକ୍ଷ ଝଡ଼ିବେ ।

ଲୁହା ବାଡ଼ି ବାଜିଲେ ପଡ଼ିବେ ।

ଲାତ ବିଧାରେ ପିଞ୍ଜି ବୁଡ଼ିବେ ।

ଲୋଭ ମୋହେ ସର୍ବେ ନାଶ ଯିବେ।

ଲେଖା ପଢ଼ାରେ କେହି ନ ଥିବେ ଯେ । ୨୮ ।

 

ବାଦି କଲା ଲୋକ ବଂଶ ବୁଡ଼ିଜିବ ।

ବଞ୍ଚିବେ ନାହିଁ ଗୋଟିଏ ।

ବନବାସ ଘୋରେ ତପସ୍ୟା କରୁଛି ଶାପ ମୋ ପଡ଼ୁ କୋଟିଏ ଯେ ।

ବୁଡ଼ି ଯିବଟି କୁଳ ।

ବାସ ମନ୍ଦିରେ ହେବ ବିଫଳ ।

ବିଷ ହେବ ଭକ୍ଷିବାର ଫଳ ।

ବାତ ପିତ୍ତ ଦେହେ ହେବ କାଳ ।

ବଣାହୋଇ ଯିବ ବୁଦ୍ଧି ବଳ ଯେ । ୨୯ ।

 

ସରି ଗଲେଣି ଭକତକୁଳ ବୃନ୍ଦ ସରା ଖପରା ମୁଣ୍ଡାଇ ।

ସରି ଗଲାଣି ଏ ମହତ ମର୍ଯ୍ୟାଦା ସର୍ବ ଘରେ ଖାଇ ଖାଇ ଯେ ।

ଶିର ଲୋଟି ଭୂମିରେ ।

ଶରଣ ମାଗି ଉଦେ ଅସ୍ତରେ ।

ଶିରୀ ଧର୍ମ ନାହିଁନା ସଂସାରେ ।

ସ୍ୱାମୀ ବୁଝାମଣା କର ବାରେ ଶେଷ ଜୀବନ ହେଲା ମାୟାରେ ଯେ । ୩୦ ।

 

ସକଳ କର୍ମ ଗୃହୀମାନେ ଛାଡ଼ିଲେ ଭଜିବାକୁ ରହି ସର୍ବେ ।

ସତ୍ୟ ଦେଖିବାକୁ ଆଶ୍ରେ କରିଥିଲେ ପରୀକ୍ଷା ନଦେଲେ କେବେ ଯେ ।

ସତ୍ୟ ନାହିଁ କାହାରି ।

ଶକତାରେ ପ୍ରଚାରି ନ ପାରି ।

ଶାସ୍ତି ଦଣ୍ଡରେ ଗଲେଣି ସରି ।

ଶତ୍ରୁ ମାରୁଛନ୍ତି ଧରି ଧରି ।

ସଦଗୁରୁ ବୁଝ ବେଗ ବେଗ କରି ଯେ । ୩୧ ।

 

ସିନ୍ଧୁ ସୋହତିରେ ଭାସିଗଲେ ସର୍ବେ

ସମ୍ଭାଳ ତୁମ୍ଭ ଭଗତ ସ୍ୱପନ ପରାଏ

ପଚାରୁଛ ମୋତେ କଷଣ ହେବ ଜଗତ ଯେ ।

ସବୁ ଜାଣୁଛ ଆପେ ।

ସଦଭକ୍ତଙ୍କୁ ମାରୁଛ ଖାଞ୍ଚେ ।

ଶୋଧି ପଚାରୁଛ ବାଦି କଳ୍ପେ ।

ସର୍ବ ଭୂତେ ଅନ୍ତର୍ଯ୍ୟାମୀ ରୂପେ ।

ସଦା ବିରାଜୁଛ ଆପ ସୁଖେ ଯେ । ୩୨ ।

 

ହବ ହବ ବୋଲି ହାକ କରୁଅଛ ଭକତ ମୁଖେ ପ୍ରକାଶି ।

ହେଲା ନାହିଁ ଯୁଗ ବହି ଯାଉ ଅଛି ଅବନା ମଣ୍ଡଳବାସୀ ଯେ ।

ହାସ୍ୟ କରୁଅଛନ୍ତି ।

ହଟା ଦେବେ ନବଖଣ୍ଡ ପୃଥ୍ୱୀ ।

ହକ ନ୍ୟାୟକୁ ଦେଲେଣି ପୋତି ।

ବ୍ରହ୍ମ ମହିମାକୁ ନ ଜାଣନ୍ତି ।

ହତ ହୋଇଯିବେ ମନ୍ଦମତି ଯେ । ୩୩ ।

 

କ୍ଷମା ସିନ୍ଧୁ ପାଦେ ଭଜି ଭଜି ଆମ୍ଭେ ଖାର ପାଉଁଶ ଆସନ ।

ବୃକ୍ଷ ବକଳ ପାଟ ଲୁଗା କରିଣ ତେଜିଲୁ ଝିନ ବସନ ଯେ ।

ସତ୍ୟ ହେଉ ଜଗତ । କ୍ଷଣେ ସମ୍ଭାଳ ତୁମ୍ଭ ଭକତ ।

କ୍ଷମେ ଭଣେ ଭୀମ ଅରକ୍ଷିତ ।

ଗୁରୁପାଦେ କରି ପ୍ରଣମିତ ।

କ୍ଷମାକର ସ୍ୱାମୀ ଦୋଷ କୃତ ଯେ । ୩୪ ।