ଜାଈଫୁଲ ଚଉତିଶା

ଉଇକିପାଠାଗାର‌ରୁ
ଜଳଦ ଚଉତିଶା
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

କେଉଁ ଚିର ପରାବାସୀ
କରଇ ଚିନ୍ତା ଏକା ହୋଇ ମୋ ବନ୍ଧୁ କି ବିଚାରୁଥିବ ବସି ।୧।
ଖଳ ଦଇବ କି ନ କଲା
ଖଣ୍ଡପରଶୁପର ହାତେ ମୋ ବନ୍ଧୁ କେଡ଼େ ଦଣ୍ଡ ପଡ଼ିଗଲା ।୨।
ଗୁଣନିଧି ରୂପବତୀ
ଗ୍ରୀବା ଲୁଆଁ ମୃଦୁ ବଚନ ସୁମରି ଫାଟି ଯାଉନାହିଁ ଛାତି ।୩।
ଘଡ଼ିଏ ହେଳା ଅନ୍ତର
ଘନକେଶୀ ପେଶି ଦାସୀକି ସନ୍ତତେ ବୁଝୁଥାଇ ମୋ ଖବର ।୪।
ନେତ୍ରେ ନାଚୁଛି ମୋହର
ନବୀନା ଅଜାଗେ ମୋତେ ଚାହିଁ ଲାଜେ ହସି ଅପସରିବାରେ ।୫।
ଚାରୁ ଚାମୀକର ଅଙ୍ଗୀ
ଚିତ୍ତରୁ ଯାଉ ନାହିଁ ସାଜି କବରୀ ମୋତେ ଦେଖାଇବା ଭଙ୍ଗୀ ।୬।
ଛଇଲା ସ୍ନେହ ତୋହର
ଛାଡ଼ୁ ନାହିଁ ସୁତରାନ୍ତେ ମୋତେ ହୃଦେ ଧରି ଧୀରେ ବିଞ୍ଚିବାର ।୭।
ଯିବାବେଳେ ଆସେ ପାଶେ
ଜବାଧାରୀ ଲୋଭେ ଲେଉଟି ପଛକୁ ମୋତେ ଚାହିଁବାର ଦିଶେ ।୮।
ଝସନେତ୍ରୀ ଯା ଦିଶଇ
ଝଲକିଲା ପରି କୁଚରୁ ଅମୃତ ଝାଳ ଯାଉଯାଇ ବହି ।୯।
ନିଦ୍ରା ମୁଁ ଯିବାର ଚାହିଁ
ନିଟିଳ ତିଳକ ମୋ ଭାଲେ ଲଗାଇ ଚୁମ୍ବୁଥାଉ ରହି ରହି ।୧୦।
ଟେକ ଉରଜା ଗୁମାନେ
ଟାହି କରି ବସିଥାଉ ଚାହିଁ ମୋତେ ମିଶିଯାଉ ଅପଘନେ ।୧୧।
ଠିଆ ହୋଇ ଅଗଣାରେ
ଠାରି କେଳିପୁରେ ପଶୁ ନାଗବଲ୍ଲୀ ଚନ୍ଦନ ଧରି ଶ୍ରୀକରେ ।୧୨।
ଡାକିଲେ ଶୁକ ମୋ ନାମ
ଡମ୍ବରୁମଧ୍ୟା ତୋ ପ୍ରତି ପ୍ରତିକରେ ଉଲ୍ଲସି ଉଠଇ ଲୋମ ।୧୩।
ଢାଳି ମୋ ହୃଦେ ଲପନ
ଢାଳେକ୍ଷଣି ଚୁମ୍ବ ଦେଇ ବୋଲୁ କେବେ ବିଦେଶ ନଯିବ ଧନ ।୧୪।
ଅପରାଧ କଲେ ଯେତେ
ଅଜଣା ପରି ଜାଣି କୃପା ବାରିଧି ବଞ୍ଚାଇ ନେଇଛୁ କେତେ ।୧୫।
ତନୁଦରି ପ୍ରେମ ଭୋଳେ
ତରକି ନପାରି ମୋ ରୂପ ଲେଖିଛୁ ଭିତ୍ତି ଚିତ୍ରିବାର ବେଳେ ।୧୬।
ଥିଲେ କି ବ୍ରତ ଆଚରି
ଥାଳୀରେ ଭରି ସେ ପ୍ରସାଦ ମୋଆଗେ ଉଭାହେଉ କରେଧରି ।୧୭।
ଦୂରୁ ଶୁଭିଲେ ମୋ ଗିର
ଦରଶନ ଯାଏ ବଣା ଏଣୀ ପରି ହେଉଥାଉ ତର ତର ।୧୮।
ଧଇଲେ ଦିବସେ କର
ଧୀରେ କେତେ ଦୈନ୍ୟକରି ଧନମୋତେ ହସି କରୁରେ ଜୁହାର ।୧୯।
ନ ଆସିଲେ ମୁଁ ଏଣିକି
ନବୀନା ଚିତ୍ରପଟରେ ଚାହିଁ ନେତ୍ରୁ ବୁହାଇ ଦେଉ ପାଣିକି ।୨୦।
ପଲ୍ଲବଲଗା ପ୍ରସୂନ
ପୟୋଧର ପାହାଡ଼ରେ ରଖିଥାଉ ମୋ ପାଇଁ କରି ଯତନ ।୨୧।
ଫୁଲବନ ସଦନରେ
ଫେଡ଼ି ପୋଥିପଢ଼ି ଲୁହ ପୋଛୁଥାଉ ମୋ କ୍ଷଣିକ ବିଚ୍ଛେଦରେ ।୨୨।
ବେଣୀ ସାଜି ଦେବି ବୋଲୁ
ବିମ୍ବାଧରୀ ହସି ପାଶକୁ ଆସିଲେ ପ୍ରଦୀପ ଲିଭାଇ ଦେଲୁ ।୨୩।
ଭରମାଙ୍ଗୀ ରତି ଶେଷେ
ଭିଡ଼ି ଦନ୍ତବାସ ପିନ୍ଧୁ ହାସ ବାସ ପୂରିଥାଇ ଗଣ୍ଡଦେଶେ ।୨୪।
ମଲ୍ଲୀ କୁସୁମର ତଳୁ
ମଧୁପ ଚୁମ୍ବୁଥିଲାର ତୁ ଅନାଇ ମୋ ନୟନ ବୁଜାଇଲୁ ।୨୫।
ଯତନେ ଶଯ୍ୟା ସଜାଡ଼ି
ଯିବାଯାଏ ମୁଁ ପଣନ୍ତରେ ପଲ୍ୟଙ୍କ ତଳରେ ଥାଉ ପହୁଡ଼ି ।୨୬।
ରତି ସରସ ରଙ୍ଗରେ
ରାମାମଣି ମୋ ଶାନ୍ତି ଜାଣି ରୁହାଉ ଚିବୁକ ଧରି ଶ୍ରୀକରେ ।୨୭।
ଲଳନା ସ୍ୱପ୍ନେ କି ଚାହୁଁ
ଲୁହ ପୋଛି ପୋଛି ପଣନ୍ତ ତିନ୍ତଇ ମୁଁ ପଚାରିଲେ ନ କହୁ ।୨୮।
ବାସବ ରତନ କେଶୀ
ବାହୁ ମୋ ମଥା ମୂଚଳି କରି ଥାଉ ପାହି ଯିବା ଯାଏ ନିଶି ।୨୯।
ଶୀର୍ଣ୍ଣ ଦିଶୁଥିବ ପରା
ଶଙ୍କର ସେବାର ଫଳ ତୁ ମୋହରି ବରାରୋହା ଅଗ୍ରଗିରା ।୩୦।
ଷୋଡ଼ଶ ବୟସୀ ରାମା
ଷଟପଦ ଅଳକିନୀ ଶୋଭା ତୋର ଚାହିଁ ପ୍ରଶଂସିବେ ଉମା ।୩୧।
ସଜନୀରଜ ଲପନା
ସଜନୀ ଅଙ୍କରେ ପଡ଼ି କରୁଥିବ ଯଦି କୁଶଳେ ବରତି ଥିବ ।୩୨।
ହରକୃପା ଦିଶିଯିବ
ହାଟକ ଅଙ୍ଗୀମୋ ଭେଟ ଯାଏ ଯଦି କୁଶଳେ ବରତି ଥିବ ।୩୩।
କ୍ଷଣେ ନ କରି ଅଳସ
କ୍ଷିତିଭୂଷା ପାଶେ ମିଳିଲା ଗୋପାଳକୃଷ୍ଣ ତେଜି ପରବାସ ।୩୪।