ନାବକେଳି

ଉଇକିପାଠାଗାର‌ରୁ
ନାବକେଳି
ଲେଖକ/କବି: ଦୀନକୃଷ୍ଣ ଦାସ
ଶ୍ରୀକୃଷ୍ଣଙ୍କ ନାବକେଳି ଚରିତ ।

 ଗୋପୀଏ ବୋଇଲା ଶୁଣ ଗୋ ମିତ । ଦିନେ ଯାହାକଲେ ଯଶୋଦା ସୁତ ।
ତା ତହୁଁ ଆମ୍ଭକୁ ଆନ ନ ଦିଶେ । କହିଲା ଲୋକର ହିଆ ଉଲୁସେ ।।
ଯେଉଁ କୃତ୍ୟକଲେ କରୁଣାସିନ୍ଧୁ । କହିଲେ ହସିବେ ପରାଣ ବନ୍ଧୁ ।
ଏକ ଦିନକରେ ସର୍ବଗୁଆଳୀ । ରାତ୍ରହୁଁ ଉଠି ଦୀପମାନ ଜାଳି ।।
ମଥୁରା ହାଟକୁ ଯିବାର ପାଇଁ । ଦଧିମନ୍ଥନରେ ପଶିଲୁ ଗୋଈ ।
ସମୁଦ୍ର ପ୍ରାୟେ ଶୁଭେ ଦଧିମୁହାଁ । ପକାପରେ ବୁଲେ ପଞ୍ଚଶଖୁଆ ।।
କାହିଁ ଷାଠିଏ ସତୁରୀଏ କାହିଁ । ଶଏ ବୋଲିକରି କଳନା ନାହିଁ ।
ଯା ଘରେ ଅଧିକ ହୁଏ ଗୋରସ । ତା ଘରେ ବୁଲଇ ଖୁଆ ଦୁଇଶ ।।
ସବୁ ଗୋପୀଙ୍କର ହରଷ ଚିତ୍ତ । ଦଧିମନ୍ଥନେ ଗାଉଛନ୍ତି ଗୀତ ।
କେ ବୋଲେ କେଶବ କରୁଣା କାହ୍ନା । କୁଞ୍ଜବିନୋଦିଆ ପଦ୍ମଲୋଚନା ।।
କେ ବୋଲେ ଖେଳାଉଛ ଦୟାନିଧି । ଖଗ ଆସନ କରୁଣା-ବାରିଧି ।
କେ ବୋଲେ ଗୋବିନ୍ଦ ଗୋକୁଳ ନାଥ । ଗୋପ ମୋହନିଆ ଯଶୋଦାସୁତ ।।
କେ ବୋଲେ ଘଟୁଆଳ ନବରଙ୍ଗ । ଘନଶ୍ୟାମଳିଆ ବରଜ ସଙ୍ଗ ।
କେ ବୋଲେ ନାଗର ଶ୍ରୀବନମାଳୀ । ନିଧନ ଧନିଆ ରଙ୍କଶଙ୍ଖାଳି ।।
କେ ବୋଲେ ଚନ୍ଦ୍ରମାମୁଖ ଉଜ୍ଜ୍ୱଳ । ଚିତା ସଳଖେ କାଟିଥାଇ ଚୂଳ ।
କେ ବୋଲେ ଛଇଳ ନାଗର କାହ୍ନା । ଛନ୍ଦ ଶିରୋମଣି ଭକତଧନା ।।
କେ ବୋଲେ ଯାମଳର୍ଜ୍ଜୁନ ଭଞ୍ଜନ । ଯୁବାସ୍ତିରୀଙ୍କର ଗରବ ଗଞ୍ଜନ ।
କେ ବୋଲେ ଝଳି ଲୋଟଣି ଜୁଡ଼ା । ଝାଡ଼ ବିନୋଦିଆ ଝିମିଟି ଖେଳା ।।
କେ ବୋଲେ ନବୀନ ନବ ସାଗର ନୂଆ ମଦନିଆ ହଟ ନାଗର ।
କେ ବୋଲେ ନବୀନ ନବସାଗର ଟେକ ଟସକର ଲବଣୀ ଚୋର ।।
କେ ବୋଲେ ଠା ଠିକ ଚାହାଣୀବଙ୍କା । ଠଣବଦନିଆ ମୁରଲୀଫୁଙ୍କା ।
କେ ବୋଲେ ଡଙ୍କକୁ ଭଲା ଗାରଡ଼ି । ଡାକିଲେ ଯାଇଁ ଶେଷ ବିଷ ଉଡ଼ି ।।
କେ ବୋଲେ ଢଳି କହୁଥାଇ ଭାଷା । ଢାଳେହିଁ ପୁତନା ଜୀବନ ଶୋଷା ।
କେ ବୋଲେ ଅନନ୍ତ କଳପତରୁ । ଆରତ ଭଞ୍ଜନ ଶରଣମେରୁ ।।
କେ ବୋଲେ ତାପ ଖଣ୍ତନ ମୁରାରି । ତ୍ରୈଲୋକ୍ୟ ସୁନ୍ଦର ଜଗଦ୍‌ବିହାରୀ ।
କେ ବୋଲେ ସ୍ଥାଣୁ ଧ୍ୟାନଘେନା କାହ୍ନା । ଥଣ୍ଟଚିରା ବକା ଜୀବନଘେନା ।।
କେ ବୋଲେ ଦୀନଦାରିଦ୍ର୍ୟ ଭଞ୍ଜନ । ଦହି ଦୁଧଖିଆ ଦୁଃଖୀର ଧନ ।
କେ ବୋଲେ ନୀପ କୁସୁମଚୂଳିଆ । ବଂଶୀବଦନିଆ ନୀପ ମୂଳିଆ ।।
କେବୋଲେ ନିର୍ଗୁଣ ଗୁଣକବୁଝା ।ନବୀନ ସୁନ୍ଦର ତ୍ରିଭଙ୍ଗୀ ମଝା ।
କେ ବୋଲ ପ୍ରଭୂପଣ ତାର ଭଲା । ପାଣି ଘାଟୁଆଳ କେଣିକି ଗଲା ।।
କେ ବୋଲେ ଫୁଲ ବିନୋଦ କହ୍ନାଇ । ଫୁଲାଚାଲିକି ପରିମୁଣ୍ଡା ଯାଇ ।
କେ ବୋଲେ ବଂଶୀବଦନ ସୁନ୍ଦର । ବୁଦ୍ଧି ଭୁଲିଆ ମୁରଲୀ ଅଧର ।।
କେ ବୋଲେ ଭଉଣୀ ଦୁଷ୍ଟ ଆଣ୍ଟୁଆ । ଭେଳା ବୁଡ଼ାଣିଆ ଭେଳାଥେଣ୍ଟିଆ ।
କେ ବୋଲେ ମନମୋହନିଆ ଠାଣି । ମୋହିନୀ ଲାଗଇ ଚାହିଁଲାକ୍ଷଣି ।।
କେ ବୋଲେ ଜଗତ ଜନ ବନ୍ଦନ । ଯୁବାବୟସିଆ ଯଦୁନନ୍ଦନ ।
କେ ବୋଲେ ରସିକ ରୂପ କାଳିଆ । ରଙ୍ଗ ଲୋଚନିଆ ଗୁଞ୍ଜମାଳିଆ ।।
କେ ବୋଲେ ଲକ୍ଷ୍ମୀପତି ବିନୋଦ । ଲୋଭ ଛାଡ଼ି ନୁହେଁ ପରମାନନ୍ଦ ।
କେ ବୋଲେ ବିବିଧରସିଆ ଗୋଟା । ବିଷ୍ଣୁମାୟାଧର ପାବକ ଛଟା ।।
କେ ବୋଲେ ସୁନ୍ଦର ଦେବାଧିରାଜ । ସୁଧାବଦନିଆ ଗରୁଡ଼ ଧ୍ୱଜା ।।
କେ ବୋଲେ ସୁନ୍ଦର ତ୍ରିମୁଣ୍ତଚୁଡ଼ା । ଶିରରେ ମୟୁରଚନ୍ଦ୍ରିକା ବେଢ଼ା ।
କେ ବୋଲେ ସୃଜନ ଜଗତ କଲା । ସନ୍ଥପଦ ବୁହା ମହିମା ଭଲା ।
କେ ବୋଲେ ହରିକି ନୁହେ ଉପେକ୍ଷି । ହିଆ ଉଲୁସଇ ହସିବା ଦେଖି ।।
କେ ବୋଲେ କ୍ଷତିଶ ପଦ୍ମଚରଣ । କ୍ଷୁଦ୍ର କୃଷ୍ଣଦାସ ପଶେ ଶରଣ ।

ବିବିଧ ପ୍ରକାରେ ଗାଆନ୍ତି ଗୀତ । ସବୁ ଗୋପୀଙ୍କର ହରଷ ଚିତ୍ତ ।।
ଏମନ୍ତେ ସରିଲା ଦଧିମନ୍ଥନ । ସଜ କଲେ ସବୁ ପସରାମାନ ।
ଏକ ଆରକେ ଡକାଡକି ହୋଇ । ବାହାର ହୋଇଲୁଁ ଘେନିଣଦହି ।।
ରାଧିକା ସହତେ ଯେତେକ ବାଳୀ । ଦଧିମୁହାଁଇ ଯେ ସମସ୍ତେ ଚଳି ।
ସୁବେଶ ହୋଇଣ ଚଳନ୍ତିବାମା । ସୁନ୍ଦର ସୁଶୋଭିତ ଅନୁପମା ।।
କଟିକଙ୍କିଣୀ ବାଜେ ରୁଣଝୁଣ । ବାହେ ବାହୁଟି ହସ୍ତରେ କଙ୍କଣ ।
ଦଧିପସରା ଘେନିଣ ମୁଣ୍ତର । ବାହେ ଉଡ଼ୁଅଛି ପତନୀ ଫେର ।।
ସମସ୍ତେ ସୁନ୍ଦରୀ ଅପୂର୍ବରୂପ । ନାକେ ନାକଚଣା ମୁକୁତା ଥୋପ ।
ହେମର ତାଡ଼କା କର୍ଣ୍ଣରେ ଫୁଲ । ଝଟକେ ବିଜୁଳି ଜ୍ୟୋତି ଅମୂଲ୍ୟ ।।
ଲୋଟଣୀଛନ୍ଦେ କେ କରିଛି ଖୋଷା । ବିବିଧ କୁସୁମ ହୋଇଛି ମିଶା ।
ହରିଣୀନୟନେ ଅଞ୍ଜନରଞ୍ଜେ । ଚରଣ ନୂପୁରେ ଅଳତା ସାଜେ ।।
ଗୋପୀଏ ବୋଇଲେ ଶୁଣ ସଙ୍ଗାତ । କହି ନ ପାରଇ ସେ ଦିନ କୃତ୍ୟ ।
ଏମନ୍ତ ବେଶ ଯେ ହୋଇଣ ଗାଈ । ଯମୁନା କୂଳରେ ମିଳିଲୁ ଯାଇ ।।
ଦଧିପସରାମାନ ଅଛି ମୁଣ୍ତେ । ରାମ ଗୋବିନ୍ଦ ବୋଲୁଥାଉଁ ତୁଣ୍ତେ ।
କହି ନପାରଇ ସେଦିନ ଛଟା । ଦେଖିଲୁ ବଢ଼ିଅଛି ନଦୀ ଗୋଟା ।।
ପ୍ରଖର ହୋଇ ବହୁଅଛି ପାଣି । ପୁଞ୍ଜା ପୁଞ୍ଜା ହୋଇ ଭାଷୁଛି ଫେଣୀ ।
ମଟାଳିଆ ପାଣି ବହୁଛି ସଞ୍ଚେ । ଲହଡ଼ା ମାରୁଛି ପର୍ବତ ଉଚ୍ଚେ ।।
ମହାଦାରୁମାନେ ଯାଆନ୍ତି ଭାସି । ତଥି ଉପରେ ସର୍ପଛନ୍ତି ବସି ।
ଛତ୍ର ଆକାରେ ଟେକିଛନ୍ତି ଫଣା । ଗର୍ଜନ ଶୁଣିଲେ ହେବି ଭେଟଣା ।।
ସମୁଦ୍ରପ୍ରାୟେ ଶୁଭଇ ଚହଳ । ଶଙ୍କୁ ସୁସମ୍ବର ଅତିଗହଳ ।
ଚାହିଁ ନୁହଇ ଭୟଙ୍କର ଦିଶେ । ଭେଳା ଭେଳା ହୋଇ କୁମ୍ଭୀର ଭାଷେ ।।
ବେନି କୂଳେ ନଦୀ ଯାଉଛି ମାଡ଼ି । କେଉଁଠାରେ ବନ୍ଧ ପଡ଼ୁଛି ଛିଡ଼ି ।
ଚାହିଁଲେ ପୁଣି ନ ଦିଶଇ କୂଳ । ଚକ୍ରାକୃତି ହୋଇ ବୁଲୁଛି ଜଳ ।।
ନାବ କେରୁଆଳ କିଛିହିଁ ନାହିଁ । ତାଟକା ହୋଇଲୁ ନଦୀକୁ ଚାହିଁ ।
ଭରସା କରି ତ ନୁହଇ ପଶି । କି କରିବୁ ବୋଲି ଭାଳୁଛି ବସି ।।
ଦେଖିଣ ସବୁକୁ ଲାଗିଲା ବ୍ୟଥା । ଥୋକେ ବୋଇଲେ ଗୋ କେମନ୍ତ କଥା ।
ଖରତର ସ୍ରୋତ ଯାଉଛି ବହି । ଖରାବେଳେ କିମ୍ପା ବଢ଼ିଲା ନଈ ।।
କେହି ନ କହିଲେ ଆମ୍ଭ ଆଗର । ଜାଣିଲେ ଘରୁ ନୁହନ୍ତି ବାହାର ।
ଆମ୍ବିଳ ହେଉଛି ମୁହିଁଲା ଦହି । କି ବୁଦ୍ଧି କରିବୁ କହ ଗୋ ସହି ।।
ପଡ଼ିଆ ହେଉଛି ରଜନୀ ଯୋଗେ । କାହିଁ ବୁଲାଇବୁ ରାଜାଙ୍କ ଭୋଗେ ।
ବିକଳ ହୋଇଣ ଯୁବତୀ ରାଶି । ଭାଳୁଅଛୁଁ ଏକ ଠାବରେ ବସି ।।
ଏମନ୍ତ ବିଚାର କରନ୍ତେ ଏଣେ । ନାବ ଗୋଟାଏକ ଦିଶିଲା ତେଣେ ।
କୃଷ୍ଣ ବୋଲୁ ତାଙ୍କୁ ନ ଜାଣୁ କେହି । ମାୟାରୁପେ ଛନ୍ତି କେଉଟ ହୋଇ ।।
ଅଝାଲ ଦଉଡ଼ି ବାନ୍ଧିଛି ଟାଣି । ଦଦରା ନାବରୁ ବହୁଛି ପାଣି ।
ପାକଲା ଗାମୁଛା କାନ୍ଧରେ ପଡ଼ି । ନାବ ପୂର୍ବମଙ୍ଗ ବସିଛି ମାଡ଼ି ।।
କରେଣ ବଇଁଶୀ କଙ୍କଣ ଆଭା । ମୟୁର ଖଲାରି ମଥାରେ ଶୋଭା ।
ମୀନ ଖେଳୁଥାଏ ଅଛି ପାଖର । ଜାଲ ପଡ଼ିଅଛି ନାବ ଭିତର ।।
ଢମାଳି କରି ଗୀତ ପଦେ ଗାଇ । ସ୍ଥିରକରି ନାବ ଦେଇଛି ବାହି ।
ଏତେ ହଟିଆ ଗୋ ନନ୍ଦର ବତ୍ସି । ବୃଦ୍ଧ ରୂପ ଧରି ନାବ ବାହୁଛି ।।
ଅତି ସରପଞ୍ଚ ଖାଙ୍କର କେଶ । ଦେଖି ନ ଯୋଗାଏ ଏମନ୍ତ ବେଶ ।
ବେନି ନୟନରୁ ପେଚଡ଼ା ବହେ । ବଙ୍କା ନୟନେ ଟେରିଆଇ ଚାହେଁ ।।
ଗୋଦଡ଼ ହୋଇଛି ଡାହାଣ ଗୋଡ଼ । ବୁକୁରେ ପଡିଛି ପାକଲା ଥୋଡ଼ ।
କଳା ଦେହ ତାର ବିସ୍ତାର ମୋଟି । ଦାନ୍ତ ନାହିଁ ବୁଢ଼ା ପାକୁଆ ପାଟି ।।
ବଚନ କହିଲେ କୋମଳ ଭାଷେ । ହସିଲେ ବୁଢ଼ା ପରପଞ୍ଚ ଦିଶେ ।
ତାହା ଦେଖି ଆମ୍ଭେ ଉସତ ହୋଇ । ନାବ ଆଣ ବୋଲି ଡାକିଲ ଗୋଈ ।।
ଜଣେ ଜଣେ ତୋତେ କଉଡ଼ି । ଦେବୁଁ ପାରି କରିଦେଲେ ମଥୁରା ଯିବ ।।
ଆମ୍ବିଳା ହୋଇଲା ବିକା ଗୋରସ । ଆଉ ଘଡ଼ିରେ ସବୁ ଯିବ ନାଶ ।
ସକାଳ ପ୍ରହରୁ ଅଛୁଁ ଅନାଇ । ବେଗେ ନାବ ଆଣ କେଉଟ ଭାଇ ।
ଅନେକ ପ୍ରକାରେ ଡାକିଲୁ ତାଙ୍କୁ । କେଭେ ନ ଆସିଲା ଆମ୍ଭ ପାଖକୁ ।।
ବଦନ ଟେକି କଣିଆଇଁ ଚାହେଁ । ଏଣିକି ବୋଇଲେ ତେଣିକି ଯାଏ ।
କାଲ ଯେସନ ଥାଇ ପାଶେ ରହି । ଡାକି ଡାକି ମଲେ ଶୁଣଇ ନାହିଁ ।।
ଆମ୍ଭେ ତ ଷୋଳସହସ୍ର ମୃଗାକ୍ଷୀ । ବୟସ ଗରବେ ନ ଜାଣୁ କିଛି ।
ମନେ ତାପକରି ଅତିଧିକାରେ । ଗାଳିଦେଲୁ ତାକୁ ନାନା ପ୍ରକାରେ ।।
ପଡ଼ି ନ ମଲୁରେ ଜାଡ଼ୁଆ ଗୋଟା । କାଲ ହୋଇଲୁ କି ଆରେ କେଉଟା ।
ଡାକି ଡାକି ଆମ୍ଭେ ମରୁଛୁଁ ଏଣେ । ସର୍ପ ଖାଉ ତୋର ବେନି ଶ୍ରବଣେ ।।
ଦଇବ ଯେମନ୍ତେ ହୋଇବ ସତ । ବୁକୁରେ ତୋର ମାଡ଼ିବସୁ ଭୁତ ।
ନାବ ମଙ୍ଗଖଣ୍ତ ପଡ଼ିବ ଛିଡ଼ି । ମଝି ନଈରେ ତୁ ମରିବୁ ବୁଡ଼ି ।।
ଅଝାଲ ଦଉଡ଼ି ଛିଡ଼ିଣ ଯାଉ । ନାବ ବୁଡ଼ୁ ତୋତେ କୁମ୍ଭୀର ଖାଉ ।
ଏକମୁଖ ହୋଇ ସର୍ବ ଗୁଆଳୀ । ନାନା ପ୍ରକାରେ ଦେଉଛନ୍ତି ଗାଳି ।।
ଏମନ୍ତେ ଶ୍ରୀକୃଷ୍ଣ ତ ଲୟ କଲେ । କେ ତୁମ୍ଭେ ବୋଲିଣ କୋପେ ବୋଇଲେ ।
ଦଦରା ନାବରେ ଅଛଇ ଚଢ଼ି । କାହିଁକି ମରୁଛ ବୋବାଳି ଛାଡ଼ି ।।
ଆମ୍ଭେ ତ ତୁମ୍ଭର ତରାଇ ନୋହୁ । ମୀନ ମାରିବାକୁ ନଦୀରେ ଥାଉଁ ।
ଭାତ ବରତନ ଦେଇଛ କେତେ । କାହିଁକି ତେଜ ଲୋ କାଢ଼ୁଛ ଏତେ ।।
ଗୋପିଏ ବୋଇଲେ ତରାଇ ଭାଇ । ଉଚିତ କଥାକୁ ଚଳୁ କିମ୍ପାଇ ।
ତୋହ ଦୁଃଖମୂଲ କଉଡ଼ି ଦେବୁଁ । ପାରି କରିଦେଲେ ମଥୁରା ଯିବୁ ।।
ପଣେ ପଣେ ଦେଲେ ଅଣ୍ଟଇ ସିନା । କାହିଁକି ଭାବୁଛ କେଉଟ ନନା ।
ତୋହ ପେଟ ଭାଇ ନଦେବୁଁ ନିକି । ବେଗେ ପାରିକର ସର୍ବ ଗୋପୀଙ୍କି ।।
ଶ୍ରୀକୃଷ୍ଣ ବୋଇଲେ କେମନ୍ତ ଯିବ । ଭାରା ନ ସହିବ ଦଦରା ନାବ ।
ଜଣେ ଜଣେ ହୋଇ ଯାଅ ଗୋ ବସି । ଅଧିକ ଜଳରୁ ନୁହେଁ ଭରସି ।।
ଦଇବେ ଷୋଳସସ୍ର ଗୋପନାରୀ । ଜାନୁ ଯଉବନ ହୋଇଛି ଭାରି ।
ନାବ ଭାଙ୍ଗିଗଲେ କିସି କରିବି । ତୁମ୍ଭ ସଙ୍ଗତରେ ବୁଡ଼ି ମରିବି ।।
ତୁମ୍ଭେ ମାନେ କିଛି ନଜଣା ଅବା । ଆମ୍ଭ କଥା ଆମ୍ଭେ ମେଣ୍ଟାଇ ଥିବା ।
ରାଧିକା ବୋଇଲେ ମୁଁ ଆଗ ଯିବି । ଦଧି ଓହ୍ଲାଇ ତେଣେ କୂଳେ ଥିବି ।।
ନନ୍ଦକୁମରକୁ ମୋହର ଭୟ । ନିତି ଆସୁଥାଏ ଦେବଧିରାୟ ।
ସେ ମୋର ଭଣଜା ମୁଁ ତାର ମାଇଁ । ତାହାର ମୋହର ପଡ଼ଇ ନାହିଁ ।।
ବାଟେ ଦେଖିଣ ଓଗାଳଇ ଆଗ । ଭଣ୍ତ ଭାଷା କହି ମେଲାଇ ଢଗ ।
ତେଣୁ କରି ମୋର କମ୍ପଇ ତନୁ । ଏହିକ୍ଷଣି ନିକି ଅଇଲା କାହ୍ନୁ ।।
ଶ୍ରୀକୃଷ୍ଣ ବୋଇଲେ କହିଲୁ ଯେତେ । ତୋହ କଥା ରାଧା ଲାଗଇ ମୋତେ ।
ଦଇବେ ହଟିଆ ନାଗର କାହ୍ନା । ଯୁବା ସ୍ତିରୀଙ୍କର ଜୀବନ ଘେନା ।।
ଗୁରୁ ଗଉରବ ତା ତହିଁ ନାହିଁ । ଦୟା ଉପରୋଧ ନ କରେ ସେହି ।
ଆମ୍ଭର ତାହାକୁ ଭୟ ଅପାର । ଲୁଚି ବୁଲୁଥାଏ ତାହା ଡର।।
ବଡ଼ ଦୁରୁଜନ ନନ୍ଦତନୟ । ତୁମ୍ଭ ତହୁଁ ମୋର ତାହାକୁ ଭୟ ।
ନାବ ଭିତରେ ଗୋ ଅଛଇ ବସି । ଏଇକ୍ଷଣ ନିକି ଦେଖଇ ଆସି ।।
ଦଦରା ନାବ ମୋ ଜୀବିକା ସିନା । ବାଡ଼ିଏ ପିଟି କରିଦେବ ଚୂନା ।
ପୋଡ଼ୁ ଏଠାବରେ କେହି ନ ଥିବା । ଏଣକୂଳ ଛାଡ଼ି ତେଣିକି ଯିବା ।।
ଏତେ ବୋଲି ନାବ ଦେଲେ ଘୁଞ୍ଚାଇ । ଚନ୍ଦ୍ରମୁଖୀ ନାବ ଧଇଲା ଯାଇ ।
କାହିଁକି ଯାଉଛୁ କେଉଟ ନନା । ମୋତେ ମାତ୍ରକ ପାରିକର କିନା ।।
ଦଇନୀ କରି ମୁଁ କହୁଛି ତୋତେ । ଦନ୍ତେ ତିରଣ ଘେନିଯାଅ ମୋତେ ।
କୃଷ୍ଣ ବୋଇଲେ ଗୋ ଅଇଲେ । ଆସ ନାବ ଭିତରେ ଗୋ ବହନ ବସ ।।
ଶୁଣି ରାଧିକା ହରଷ ମନକୁ । ମେଲାଣି ମାଗିଲା ସଖୀମାନଙ୍କୁ ।
ପହଣ ପଟ୍ଟାରେ ପସରା ଥୋଇ । ସ୍ଥିର ହୋଇ ନାବେ ବସିଲା ଯାଇଁ ।।
ଗୋପୀଙ୍କି ବୋଇଲେ ସେ ରଙ୍ଗାଧର । ତୁମ୍ଭମାନଙ୍କୁ ଯେ କରିବା ପାର ।
ଏମନ୍ତ ବୋଲିଣ ସେ ବାସୁଦେବ । ମଝି ନଇକି ବାନ୍ଧିଦେଲେ ନାବ ।।
ବିଷ୍ଣୁ ମାୟାଧର କଲେ କୁହୁଡ଼ି । ଅକାଳ କୁହୁଡ଼ି ଅଇଲା ମାଡ଼ି ।
ଅସମ୍ଭବ କଥା ଗୋଚର ନୁହେଁ । ଦିବସେ ଦିଶିଲା ଅନ୍ଧାର ମୟେ ।।
ଦୂର କଥାମାନ ତେଣିକି ଥାଉ । ବାହାକୁ ବାହା ନ ଦିଶଇ ଆଉ ।
ନାବ ପୂର୍ବମଙ୍ଗେ କୃଷ୍ଣ ବସିଲେ । ରାଧିକାକୁ ଆଉ ଦୃଶ୍ୟ ନୋହିଲେ ।।
ଚନ୍ଦ୍ରବଦନୀ ଯେ ମନେ କାତର । ବୋଇଲା ନିଶ୍ଚେ ମୁଁ ମଲି ଏଥର ।
ଅକାଳେ ମୋ ଶିରେ ବଜ୍ର ପଡ଼ିଛି । ମଝି ନଈରେ ମୋ ଭେଳା ବୁଡ଼ୁଛି ।।
ଆଗ ପଛ ଦୁଇ ବିଚାର ନାହିଁ । ଭଙ୍ଗା ନାବରେ ବସିଲି କି ପାଇଁ ।
ନାବ ପୂର୍ବମଙ୍ଗ ଯାଉଛି ଫାଟି । ପାଣି ପଶୁଅଛି ବିବର ଫୁଟି ।।
ସଙ୍ଗେ କେହି ନାହିଁ ସଖା ସୋଦର । ଦୀନବନ୍ଧୁ ମୋତେ ବାରେ ଉଦ୍ଧର ।
ସଖୀମାନଙ୍କୁ ଯେ ଅଇଲି ଛାଡ଼ି । ମଝି ନଈରେ ମୁଁ ମରୁଛି ବୁଡ଼ି ।।
ଯେଉଁ କେଉଟ ବାହୁଥିଲା ନାବ । ସେହି କେଣେ ଗଲା ନକରି ଠାବ ।
ବୃଦ୍ଧଲୋକ ସିନା ତରସ୍ତେ ମଲା । ନାବୁଁ ତାକୁ ଅବା କୁମ୍ଭୀର ନେଲା ।।
ନୋହିଲେ ତାହାର କର୍ମ ଅବଳ । ପାଦ ଖସି ଯାଇ ପଡ଼ିଲା ଜଳ ।।
ପ୍ରଖର ସୂଅତ ଅଗାଧ ପାଣି । କେଣେ ଭାସିଗଲା କେହି ନ ଜାଣି ।।
ବିଧାତା ପୁରୁଷ ଏମନ୍ତ କଲା । ମୋତେ ନାଶକରି ଆପଣେ ମଲା ।
ଭଲ ଯୋଗେ ଆଜି ଘରୁ ଅଇଲି । ପୁରୁଷ ହତ୍ୟା ପାତକ ପାଇଲି ।।
ପୁଣି ବିଚାରଇ ଶଶାଙ୍କ ମୁଖୀ । ବୁଢ଼ା ବୁଢ଼ା ବୋଲି ଡାକଇ ଦେଖି ।
ଭଲ ମନ୍ଦ କଥା ନ ଜାଣେ କିଛି । କେଉଁଠାରେ ଅବା ଶୋଇ ପଡ଼ିଛି ।।
କୁଟୁମ୍ବ ଲୋକଙ୍କୁ ଅନାଥ କଲୁ । ମୋତେ ନାଶକରି ଆପଣେ ମଲୁ
ଭଙ୍ଗା ନାବ ତୋର ଯାଉଛି ଫାଟି । କାହିଁ ପଳାଇବି କିସ କରିବି ।
ଏହିକ୍ଷଣି ନିକି ବୁଡ଼ି ମରିବି । ଏମନ୍ତ ରାଧାର ବିକଳ ଚିତ୍ତ ।
ମନରେ ଜାଣିଲେ ଦେବ ଅଚ୍ୟୁତ ।। କେରୁଅଳ ଧରି ଅନନ୍ତରୂପୀ ରାଧାକୁ ।
ବୋଇଲେ କି ବୋଲ ଗୋପୀ । ଆମ୍ଭ ସୁଖେ ଆମ୍ଭେ ନିଦ୍ରା ଯାଉଛୁ ।
ଗାଳି ଦେଇ ତୁ ଗୋ କିସ ବୋଲୁଛୁ ।। ରାଧିକା ବୋଇଲେ କେଉଟ ଭାଇ ।
ଶ୍ରୀକୃଷ୍ଣ ବୋଇଲେ ଜଣା ନାହିଁକି । ଯାହା ଅରଜିଛି ଭୁଞ୍ଜିବଟିକି ।।
ଦଇବେ ମୋହର ନାବ ଦଦରା । ତହିଁକି ହୋଇଛି ବିଷମ ଭରା ।
ତୁମ୍ଭେ ଗୋପାଳୁଣୀ ନ ପାଅ ଲାଜ । ଅନବରତେ ହୋଇଥାଅ ସଜ ।।
ଯେତେ ଅଳଙ୍କାର ହୋଇଛି ସାଜି । ଭଙ୍ଗାନାବ କିମ୍ପା ନ ଯିବ ଭାଜି ।
ତୋତେ କି ବୋଲିବା ନ ଜାଣ ଏହା । ଜଳଦେବତାଙ୍କୁ ନ ମାନି ଯାହା ।।
ମଝି ନଈରେ ଗୋ ନପାର ଡକା । ସବୁ ଅଳଙ୍କାର ପାଣିକି ପକା ।
ତେବେ ହୋଇବ ସୁଫଳ କାର୍ଯ୍ୟ । ନୋହିଲେ ନିଶ୍ଚୟ ମରିବ ଆଜ ।।
ଶୁଣି ଚନ୍ଦ୍ରମୁଖୀ ବିକଳ ମନ । ଅଙ୍ଗରୁ କାଢ଼ିଲା ସବୁ ଭୂଷଣ ।
ହେମର ତାଡ଼କା କର୍ଣ୍ଣର କାପ । ନାଶିକା ବେଣ୍ଟୁଆ ମୁକୁତା ଥୋପ ।।
ପାଦରୁ ନୂପୁର ରୂପ ଝୁଣ୍ଟିଆ । କର୍ଣ୍ଣରୁ କାଢ଼ିଲା ସୁନାଫାସିଆ ।
ଭୁଜରୁ କଙ୍କଣ କାଢ଼ିଲା ଚାହିଁ । ଦଧି ଚାଙ୍ଗୁଡ଼ିରେ ଥୋଇଲା ନେଇ ।।
ବୋଇଲା ଭାଇ ଅବଧାନ ହୁଅ । ନାଶ ନ ଯାଉ ତୁମ୍ଭେ ପଛେ ନିଅ ।
ଶ୍ରୀକୃଷ୍ଣ ବୋଇଲେ ଶୁଣ ଲୋ ଗୋପୀ । ନିଶ୍ଚୟ ଜାଣିଲୁ ତୁ ବଡ଼ ପାପୀ ।।
ଗଙ୍ଗାଦେବୀଙ୍କର ଏ ଅଳଙ୍କାର । ମୁଁ ତାହା କେମନ୍ତ କରିବି ପାର
ଭଲ ମନ୍ଦ କିଛି ନ ଜାଣ ଗୋଈ । ଜୀବଥିଲେ ଧନ କୋଟିଏ ପାଇ ।।
ରାଧିକା ବୋଇଲେ ଅମୂଲ୍ୟ ରତ୍ନ । ଦେବତା ମାନେ ଲୋଡ଼ନ୍ତି ଯତନ ।
କେମନ୍ତେ ପାଣିକି ଦେବି ପକାଇ । ସତ ନ ବଳଇ କେଉଟ ଭାଇ ।।
ମୋତେ ଏଥୁ ପଛେ କିଛି ନ ଦିଅ । ନାଶ ନ ଯାଉ ପଛେ ତୁହି ନିଅ ।
ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋ ରାଧା । ଧନକୁ ମୋହର ନାହିଁ ଶରଧା ।।
ତୁହି ଶୁଭେ ଯେବେ ନିଶ୍ଚିନ୍ତ ଥିବୁ । ତୋ ଦୟାରେ ମୋତେ ମିଳିବ ସବୁ ।
ଶୁଣି ରାଧିକାର ଉଡ଼ିଲା ମନ । ଜିହ୍ୱା କାମୁଡ଼ି ଛୁଇଁଲା ଶ୍ରବଣ ।।
ବୋଇଲା ତୁ ଏଡ଼େ ପାପର ମୁଢ଼ା । କି ଭାଷା ବୋଲୁଛୁ କେଉଟ ବୁଢ଼ା ।
କେଉଟ ହୋଇ ତୋ ଏଡ଼େ ଭରସା । ଆଉ ବେଳେ ତାହା ତୁଣ୍ତେ ନ ବସା ।।
ଲୋକ ଜାଣିଲେ ତ ସହଜେ ମରି । ଜାତି ହରାଇଚି କେମନ୍ତେ କରି ।
ବଡ଼ ଲୋକଙ୍କ ମୁଁ ଅଟଇବୋହୂ । କେଉଟ ହୋଇ ତୁ ଏ ଭାଷା କହୁ ।।
କୃଷ୍ଣ ବୋଇଲେ ଗୋ ଶୁଣ ଯୁବତୀ । ମୋ ତହୁଁ ତୋର କେଡ଼େ ବଡ଼ ଜାତି ।
କେଉଟ ବୋଲିଣ ନ ପାଅ ଲାଜ । ନନ୍ଦପୁଅ ମୁଁ ଯେ ଦେବାଧିରାଜ ।।
ତୋତେ ଦେଖି ମୋର ବଳିଲା ଆଶ । ତେଣୁ ଧରିଲି ମୁଁ ତରାଇ ବେଶ ।
ଯାହା ଭୟ କରୁ ଯୁବତୀ ଗୋଟି । ଚିହ୍ନି ପାରିଲେ ମୁଁ ସେହି କାହ୍ନୁଟି ।।
ଏହା ଶୁଣି ବୋଲେ ରାଧା ସୁନ୍ଦରୀ । ମଲା କୁଜାବୁଢ଼ା କଥା ଚାତୁରୀ ।
ପିଠିରେ ଶୋଭଇ ବିଷମ ଭରା । ଆଖି ଦୁଇ ଗୋଟି ହୋଇଛି ଟେରା ।।
ପାଚିଲା ମୁଖକୁ ପାଚିଲା ଦାଢ଼ି । କନା ଖଣ୍ତେ ଅଛୁ କଟିରେ ଭିଡ଼ି ।
ଗୋଡ଼ ଗୋଦର ଦେହ ତୋର ମୋଟା । ଦାନ୍ତ ନାହିଁ ବୁଢ଼ା ପାକୁଆ ଗୋଟା ।।
ବଙ୍କାହୋଇ ଆଉ ନ ପାରୁ ଚାଲି । ମୋତେ ଭଣ୍ତୁ ଅଛି ଶ୍ରୀକୃଷ୍ଣ ବୋଲି ।
କୋଟି ମଦନ ଯା ରୂପ ଗଞ୍ଜନ । ତୁ ହାଦେ ବୋଲୁ ନନ୍ଦପୁଅ କାହ୍ନା ।
ନନ୍ଦପୁଅ ବୋଲି ଭଣ୍ଡୁଛୁ ସିନା । ନାମ ଅବା ତୋର ତରାଇ କାହ୍ନା
ଆମ୍ଭର ଶ୍ରୀକୃଷ୍ଣ ଏମନ୍ତ ରୂପ । ଗୋପୀମାନଙ୍କର ଅମୀୟ କୂପ ।
ପଟାନ୍ତର ନାହିଁ ପ୍ରଭୁ ପଣକୁ । ଇନ୍ଦ୍ର ସରି ନୋହେଁ ପାଦତଳକୁ ।।
କୋଟିଲକ୍ଷ୍ମୀ ଯାର ଚରଣେ ଥିବ । ସେ କିମ୍ପା ନଦୀରେ ନାବ ବାହିବ ।।
ବେଭାରେ ବାଳୁତ ଅଟଇ ସାନ । ତାକୁ ଦିଅଇ କେ ଏ ବୁଦ୍ଧିମାନ ।।
ତୁ ଏବେ ତ ଧରିଛୁ ଏମନ୍ତବେଶ । ତୋତେ ଦେଖି ମୋତେ ମାଡ଼ୁଛି ହସ ।।
ଶ୍ରୀକୃଷ୍ଣ ବୋଇଲେ ଶୁଣରେ ସଖୀ । ସତ ମିଛ କଥା ବୁଝିବଟିକି ।।
ମୋର ତୁଣ୍ତେ ମିଛ ନ ଥାଇ ଜାଣ । ମାମୁଁଙ୍କ ଶପଥ ମାଇଁଙ୍କ ରାଣ ।।
ରାଧିକା ବୋଇଲେ ତରାଇ ଭାଇ । ଏଡ଼େ ରାଣ ତୋର କି କଥାପାଇଁ ।।
ନିଶ୍ଚୟ ତୁ ଯେବେ ଯଶୋଦା ପୁଅ । ସୁନ୍ଦର ବଦନେ ପ୍ରକାଶ ପାଅ ।
ବଡ଼ିମା କରି ତୁ କରିଛୁ କେତେ । ନିଜ ରୂପ ତୋର ଦେଖାଅ ମୋତେ ।।
ଶ୍ରୀକୃଷ୍ଣ ବୋଇଲେ ଅନାଇ ଥାଅ । ରୂପ ଦେଖି ମୂର୍ଚ୍ଛାଗତ ନ ହୁଅ ।
ଶରଧା ଯେବେ ଗୋ ବଳିଲା ମିତ । ନୟନ ବୁଜି ସ୍ଥିର କରି ଚିତ୍ତ ।।
ଶୁଣି ଚନ୍ଦ୍ରମୁଖୀ ନୟନ ବୁଜି । ଗୋବିନ୍ଦ ନାମ ମନେ ମନେ ହେଜି ।
ରାଧାକୁ ବୋଇଲେ ଏବେ ତୁ ଅନା । ତୁ ଯେ ବୋଲୁ ମୋତେ ନୁହଇ କାହ୍ନା ।।
ଶ୍ରୀକୃଷ୍ଣ ବଚନ ଶୁଣିଣ ରାଈ । ନୟନ ଫେଡ଼ି ବେଗେଦେଲା ଚାହିଁ ।
ପ୍ରତ୍ୟକ୍ଷ ଦେଖିଲା ଶାରଙ୍ଗଧର । ନିସ୍ତରିଲି ବୋଲି ଯୋଡ଼ିଲା କର ।।
ସ୍ତୁତି କରି ରାଧା କହେ ବଚନ । ଦ୍ରୋହ କଲି ପ୍ରଭୁ ଦୋଷ ନ ଘେନ ।
ବିଷ୍ଣୃ ମାୟାଧର ଯେ ବାସୁଦେବ । ମୁଁ ତାହା କେମନ୍ତେ କରିବି ଠାବ ।।
ନ ଜାଣି ପ୍ରତିଜ୍ଞା କଲି ମୁଁ ଗାଢ଼ । ସ୍ତିରୀ ଜନ୍ମ ସିନା ସ୍ୱଭାବେ ମୂଢ଼ ।
ତୋ ରୂପ ଦେଖିଣ ଦେବାଧିରାଜେ । ମଦନବାଣ ମୋ ଅଙ୍ଗରେ ବାଜେ ।।
କାମ ସାଗରୁ କର ମୋତେ ତ୍ରାହି । ବେନିପାଦ ଧରି ପଡ଼ିଲା ରାଈ ।
ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋ ମିତ । ଏବେ କାହିଁ ପାଇଁ ଏଡେ ଉସତ ।।
ରାଧିକା ବୋଇଲେ ମହିଁମାମେରୁ । କ୍ଷଣକ ଭିତରେ କିସ ନ କରୁ ।
କାମବାଣେ ହୃଦ ଯାଉଛି ଫାଟି । ତ୍ରାହିକର ପ୍ରଭୁ ନିଶ୍ଚେ ମଲିଟି ।।
ଶ୍ରୀକୃଷ୍ଣ ବୋଇଲେ ଆରତ ନୁହ । ବାଞ୍ଛା ପୂର୍ଣ୍ଣହେବ ସୁସ୍ଥିର ହୁଅ ।
ତୋର ମନ କଥା ଜାଣଇ ରାଧା । ମୋତେ ହିଁ ଦେହେ ମଦନ ହେଉଛି ବାଧା ।।
ଉଠ ଉଠ ସଖୀ ନ ପାଅ ଲାଜ । କୋଳରେ ଧରିଲେ ଦେବାଧିରାଜ ।
ବିବିଧ ରଙ୍ଗରେ ତୋଷିଲେ ମତି । ସନ୍ତୋଷ ହୋଇଲେ ସେ ରସବତୀ ।।
ସରିଲା ରାଧାମାଧବ ବିହାର । ଲାଜେ ପଳାଇଗଲା ପଞ୍ଚଶର ।
ଗୋପୀଏ ବୋଇଲେ ଶୁଣ ମିତଣି । ବଡ଼ ମାୟାଧର ଶାରଙ୍ଗପାଣି ।।
ଯଶୋଦା ପୁଅର ମହିମା ଭଲା । ସେହିଠାରେ ପୁଣି ବୁଦ୍ଧି ଏ କଲା ।
ରାଧାକୁ ବୋଇଲେ କୂଳକୁ ଯାଅ । ସାଙ୍ଗ ସଖୀ ଆଣେ ସେ କୂଳେ ଥାଅ ।।
ସଖୀମାନଙ୍କୁ ତ ଆଣିବା ନିକି । କେତେବେଳେ ଯିବ ଗୋରସ ବିକି ।
ଏମନ୍ତ ବୋଲିଣ ଶ୍ରୀ ବାସୁଦେବ । ମଝି ନଈକୁ ବାହିଦେଲେ ନାବ ।
ଚତୁର୍ଭୁଜମୟ ଦେବାଧିରାଣ । ସେଠାରେ ପୁଣି ହେଲେ ଅନ୍ତର୍ଦ୍ଧାନ ।।
ବ୍ରହ୍ମା ଯାହା ନାମ ଘୋଷଇ ବସି । କ୍ଷୁଦ୍ର କୃଷ୍ଣଦାସ ତା ପାଦେ ରସି ।।

ତ୍ରିଭଙ୍ଗୀ ମୂରତି ଧରି କହ୍ନାଇ । ନିକୁଞ୍ଜ ବନରେ ମିଳିଲେ ଯାଇ ।
ଅତ୍ୟନ୍ତ ସୁନ୍ଦର ରୂପ ଧଇଲେ । ନୂଆ ମଦନ କି ମୋହି ଅଇଲେ ।।
ରୁପଦେଖି ମୁନି ହେବ କାତର । ଯୁବତୀ ଜୀବନ କେତେ ମାତର ।
ସବୁଗୋପୀ ଆମ୍ଭେ ବସିଣ ଅଛୁ । ସେଠାରେ ମିଳିଲେ କମଳଚକ୍ଷୁ ।।
ହସ ହସ ହୋଇ ଦେବ ଶ୍ରୀବତ୍ସ । ବୋଇଲେ ଦଧିତ ରଖି ବସିଛ ।
ଗୋପୀଏ ବୋଇଲେ ଶୁଣ ମାଧୋଇ । ଖରାକାଳେ କିଆଁ ବଢ଼ିଲା ନଈ ।
ଗୋଚର ନୁହଇ ଏକଥା ବାବୁ । ସ୍ଥଳ କୂଳ ନାହିଁ କେମନ୍ତେ ଯିବୁ
ଭଙ୍ଗା ନାବଖଣ୍ତେ ନଦୀରେ ଥିଲା । ଆଗ ହୋଇ ତହିଁ ରାଧିକା ଗଲା ।।
ତରାଇ କଥା ତୁ ଶୁଣ କହ୍ନାଇ । କେଡ଼େ ପରପଞ୍ଚ ଦେଖି ତ ନାହିଁ ।
ପାଚିଲା ଦଢ଼ିତା ନୟନ ଦେଢ଼ା । ପିଠିଆଡ଼େ କୁଳ ଗୋଡ଼ଗୋଦଡ଼ା ।।
ଆମ୍ଭଙ୍କୁ ବୋଇଲେ କୂଳରେ ଥାଅ । ଜଣେ ଜଣେ ବସି ସମସ୍ତେ ଯାଅ ।
ଏତେବୋଲି ନାବ ବାହିଣ ଥିଲା । ଚନ୍ଦ୍ରବଦନୀକି ଭଣ୍ତାଇ ନେଲା ।।
ଭାଳି ଆମକୁ ନ ଦିଶଇ ବାଟ । କି ବୁଦ୍ଧି କରିବୁ ନନ୍ଦରଚାଟ ।।
ଶୁଣି ଦୟାନିଧି ମନେ କାତର । ଜିଭ କାମୁଡ଼ିଲେ ଶାରଙ୍ଗଧର ।।
ତାଟକା ହୋଇଣ ଶ୍ରୀବନମାଳୀ । ଭୂମିରେ ପଡ଼ିଲେ ମିଛେ ହେଁ ଢଳି
ଗୋପୀଙ୍କି ବୋଇଲେ ତୁମ୍ଭେ ନ ମଲ । ମୋର ମାଇଁକି ଗୋ ଏମନ୍ତ କଲ ।।
ଆଉ କାହିଁ ତାର ପାଇବି ଭେଟ । ରାଧାକୁ ନେଲା ସେ ବୁଢ଼ା କେଉଟ ।
ଏଡ଼େ କରମ ଗୋ କିପାଇଁ କଲ । ସାଙ୍ଗରେ କେହି ଜଣେ ନ ଗଲ ।।
ନାରାୟଣ ଲୋଭ କରେ ଯାହାକୁ । ବୁଢ଼ା କେ ଘେନିଗଲା ତାକୁ ।
ତୁମ୍ଭମାନଙ୍କୁ ଗୋ ଲାଜ ନାହିଁକି । ଚୋର ଘେନିଗଲା ମୋର ମାଇଁକି ।।
ତୁମ୍ଭେମାନେ ଏବେ କରିବ କିସ । ଆମ୍ବିଳା ହୋଇଲା ବିକା ଗୋରସ
ମଥୁରା ହାଟକୁ ଯାଅ ଯା ବିକି । ମାମୁଁ ଆଗେ ଆମ୍ଭେ କହିବୁ ଟିକି ।।
ଆପଣେ ଝିଙ୍ଗାସ ପରର କଥା । ଜାଣି ନ କହିଲେ ଆମ୍ଭଙ୍କୁ ବ୍ୟଥା ।
ଗୋପୀଏ ବୋଇଲେ ଶୁଣରେ ବାବୁ । ତୋହ ସଙ୍ଗେ ଆମେ ବାହୁଡ଼ି ଯିବୁ ।।
ସାଙ୍ଗରୁ ତ ତେବେ ଗଲା ରାଧିକା । ରାଜାର ଗୋରସ ହେଉ ଅବିକା ।
ତହିଁକି ବଢ଼ିଛି ଯମୁନା ନଈ । ଯୁବା ସ୍ତିରୀ ଯିବୁ କେମନ୍ତ ହୋଇ ।।
ଶ୍ରୀକୃଷ୍ଣ ବୋଇଲେ ଭାଳ କାହିଁକି । ଭଲ କଥା କିମ୍ପା କରୁଛ ନିକି ।
ନଦୀ ବଢ଼ିବାକୁ ଭୟ ନ ପାଅ । ମୁଣ୍ତେ ବୋଝ ଘେନି ପହଁରି ଯାଅ ।।
ଗୋପୀଏ ବୋଇଲେ ଶୁଣ ଶ୍ରୀବତ୍ସି । ବାଳୁତ ପୁଅ ତୁ ନ ଜାଣୁ କିଛି ।
ବୁଡ଼ି ମରିବାକୁ କରିଛ ପଞ୍ଚା । ଯେତେ କଥା କହୁ ଅଜଣା କଞ୍ଚା ।।
ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୁଆଳୀ । କାହିଁପାଇଁ ମୋତେ କର ଢମାଳୀ ।
ଜାଣଟିକି ମୋର ମନ୍ତର ବାମା ।
ଜଳ ସ୍ଥଳ ମୋତେ କିଞ୍ଚିତ ସିନା ।
ଏକା ଫୁଙ୍କାଏ ଦେବି ମନ୍ତ୍ରପଢ଼ି । ଯମୁନା ପାଣି କେଣେ ଯିବ ଉଡ଼ି ।।
ଜଳ ଶୁଖିଯାଇ ଦିଶିବ ବାଲି । ତୁମ୍ଭେ ସୁଖେ ଯିବ ନଦୀରେ ଚାଲି ।
ଗୋପୀ ବୋଇଲେ କି ତୁନୋହୁ ବଡ଼ । ପାରିଲେ ତୁ ବାବୁ ସଂକଟ ଫେଡ଼ ।।
କୃଷ୍ଣ ବୋଇଲେ ଗୋ ଶୁଣ ତରୁଣୀ । କଥାଏ ମାଗିଲେ ନ ଚଳ ପୁଣି ।
ଯେଉଁ ମନ୍ତର ଗୋ ଶିଖିଛି ମୁହିଁ । ଲାଞ୍ଚ ନ ପାଇଲେ କାଟଇ ନାହିଁ ।।
ନୂଆ କର ଆମ୍ଭେ ପଢ଼ିବା ଆଜ । ନିଷ୍ଫଳ ହୋଇଲେ ନୁହଇ କାର୍ଯ୍ୟ
ତାଳିମାରି ପୁଣି ହସିବ ତୁମ୍ଭେ । ଗୁରୁନିନ୍ଦା ପୁଣି ପାଇବା ଆମ୍ଭେ ।।
ଅଳପ ବହୁତ ନାହିଁ ନୋହିବ । ଏତେକ ମନ୍ତର ସିଦ୍ଧି ପାଇବ ।
ତୋତେ ପୁଣି ଆମ୍ଭେ କି ଲାଞ୍ଚ ଦେବୁ ।।
ଶାଶୁ ଘରେ ଥାଇ କିବା ଗରବ ।
କାହୁଁ ଭିଆଇବୁ କେଉଁ ଦରବ ଦେବୁ ।
ଭିଆଣ କରିବା ପଦାର୍ଥ କାହିଁ । କରିବା ଆଣିବା କିଛି ତ ନାହିଁ ।।
ଏଠାକୁ ଆଣିବୁ କେଉଁ ଦରବ । କରକ କିବାରେ ଆସିଛୁ ସର୍ବ ।
ଶ୍ରୀକୃଷ୍ଣ ବୋଇଲେ ଅଳପ କଥା । କାହାରି ଦେହକୁ ନୋହିବ ବ୍ୟଥା ।।
ତୁମ୍ଭ ଆମ୍ଭ କଥା ଦୁଇ ମେଳକୁ । କଥା ରହିଥିବ କାଳ କାଳକୁ ।
ଗୋପୀଏ ବୋଇଲେ ମାଗିଲୁ ଯାହା । ଫେଡ଼ି କରି କିମ୍ପା ନ କହୁ ତାହା ।।
ଶ୍ରୀକୃଷ୍ଣ ବୋଇଲେ ଯାହା ମାଗିବା । ସତ୍ୟ କଲେ ସିନା ଫେଡ଼ି କହିବା ।
ଗୋପୀ ବୋଇଲେ ହେ ସେ କଥା ଛାଡ଼ । ସତ୍ୟ କଲୁ ବାବୁ ବେଦନା ଫେଡ଼ ।।
ଶ୍ରୀକୃଷ୍ଣ ବୋଇଲେ ଶୁଣ ତରୁଣୀ । ହରି ନେଉଅଛି ଯମୁନା ପାଣି ।
ଗୋପୀ ବୋଇଲେ ନେଉଁ କିନା ବାବୁ । କେତେବେଳେ ଆମ୍ଭେ ମଥୁରା ଯିବୁଁ ।।
ଆମ୍ଭେ ବୁଝିଲେ ତୋ ମନ୍ତର ବାନା । ନାମ ଦେଇ ଯିବୁ ଛଇଳ କାହ୍ନା ।
ପଛଆଡ଼କୁ ଗୋ ସମସ୍ତେ ଚାହଁ ।। ବିଷ୍ଣୁ ମାୟାକୁ ରଚିଲେ କହ୍ନାଇ ।
ଆଜ୍ଞା ପ୍ରମାଣେ ଶୁଖିଗଲା ନଈ ।
ମୀନ ମଗର ଯାଉଛନ୍ତି ଚାଲି । ଝଲମଲ ହୋଇ ଦିଶୁଛି ବାଲି ।।
ନିର୍ମଳ ହୋଇଲା ଦିଶିଲା କୂଳ । ଆଣ୍ଠୁକ ଭିତରେ ରହିଲା ଜଳ ।
ଏମନ୍ତ ସମୟେ ଦେବାଧିରାୟେ । ନବୀନ ସୁନ୍ଦର ବୟସ ହୁଏ ।।
ତ୍ରିଭଙ୍ଗ ଠାଣି ପ୍ରକାଶି ରହିଲେ । ନୂଆ ମଦନ କି କାହୁଁ ଅଇଲେ ।
ହରଷେ ବୋଲନ୍ତି କମଳ ମୁଖ । ନଦୀ ଶୁଖିଗଲା ସମସ୍ତେ ଦେଖ ।।
ଶୁଣି ଅନାଇଲେ ଗୋପ ଯୁବତୀ । ଦେଖିଲା ଶ୍ରୀକୃଷ୍ଣ ଦିବ୍ୟ ମୂରତୀ ।
ଦଧିପରାସ ସେ ଛାଡ଼ି ସକଳ । ମଦନ ଆରତେ ହୋଇଲେ ଭୋଳ ।।
ଦେଖିଲେ ଶୁଖିଛି ଯମୁନା ନଈ । ଉଭା ହୋଇଛି ଜଗତ ଗୋସାଇଁ ।
ଗୋପୀଏ ବୋଇଲେ ମହିମାମେରୁ । ମାଗିଲା କଥା ହେଳା ନ କରୁ ।।
ବିନ୍ଧୁଅଛି ବାଣ ଅନଙ୍ଗରାଶି । ଭୁଜେ ଭିଡ଼ି କିମ୍ବା ନ ଧର ଆସି ।
ହୃଦୟ ଫାଟୁଛି କିଛି ନ ବୁଝ । ଆମ୍ଭମାନଙ୍କୁ ରକ୍ଷାକର ଆଜି ।।
ନୋହିଲେ ଜୀବନଗଲା ଗୋସାଇଁ । ପଛେ ବୋଲିବଟି କହିଲ ନାହିଁ ।
କେଉଁକଥା ଆମ୍ଭେ ମାଗିଲୁ ପୁଣ ।।
ଫେଡ଼ି ନ କହୁ ତ ଜାଣିଲ ତୁମ୍ଭେ । ତହିଁକି ଚକିତ ହୋଇଲୁ ଆମ୍ଭେ ।
ଗୋପୀ ବୋଇଲେ ତୁ ଗଣ୍ଠିଆ ଗୁରୁ । କ୍ଷଣିକ ଭିତରେ କିସ ନ କରୁ ।।
ତୋର ମନ କଥା ଆମ୍ଭଙ୍କୁ ଜଣା । ଆମ୍ଭ ମନ ନିକି ତୋତେ ଅଜଣା ।
ନହିଁତ ଅଭେଦ କମଳ ଚକ୍ଷୁ । କାହା ମନ କି ଭାବ ନ ଜାଣିଛୁ ।।
ଶୁଣି ଦୟାନିଧି ସ୍ନେହରେ ଭାଷି । ଅରୁଣ ଅଧରେ ହାସ ପ୍ରକାଶି
କ୍ଷଣକ ଭିତରେ ଦେବାଧିରାୟେ । ଯେତେ ଗୋପୀ ତେତେ ରୂପ ଉଦୟେ ।।
ବିବିଧ ରଙ୍ଗେ ବିହାର କରନ୍ତି । ସବୁ ଗୋପୀଙ୍କର ମନ ତୃପତି ।
ବିହାର ସାରିଣ ନନ୍ଦର ଚାଟ । ବୋଇଲେ ଯାଅ ଯା ମଥୁରା ହାଟ ।।
ଶୁଖିଲା ନଦୀରେ ଯାଅ ଯା ଚାଲି । ଆମ୍ଭେ ଯାଉଅଛୁ ଘରକୁ ବୋଲି ।
ଗୋପୀଏ ବୋଇଲେ ଶୁଣ ସଙ୍ଗାତ । ଏମନ୍ତ ମହିମା ଯଶୋଦାସୁତ ।।
ହର ବଦନେ ସ୍ତୁତିକଲେ ଯାକୁ । ଗୋପାଳ ପୁଅ କେ ବୋଲିବ ତାକୁ ।
ଏଡ଼େ ବାଳକାଳୁ ତେଡ଼େ ହଟିଆ । ସବୁ କଥା ତାର ଦିନ କାଟିଆ ।।
ଭକତ ବାନ୍ଧବ ଜଗଜ୍ଜୀବନ । ଦୀନକୃଷ୍ଣ ଦାସ ପଶେ ଶରଣ ।