ପୃଷ୍ଠା:Chha mana atha guntha.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲେଖାଯାଇ ପ୍ରକାଶ ହେବାକୁ ତିନିଦିନ ଲାଗିଲା । ଆମ୍ଭେମାନେ ସେହି ରୋବକାରୀର ସହିମୋହର ନକଲ ହାସଲ କରିଛୁଁ ; ମାତ୍ର ଆମ୍ଭେମାନେ ସମସ୍ତ ସଂକ୍ଷେପରେ ବୋଲି ଆସୁଥବାରୁ ସେହି ରୋବକାରୀର ଯେତିକି କଥା ପ୍ରକାଶ କଲେ ପାଠକ ମକଦ୍ଦମାର ସମସ୍ତ ହାଲ ବୁଝିପାରିବେ, ଆମ୍ଭେମାନେ ତେତିକି ସାର ଅଂଶ ମାତ୍ର ପ୍ରକାଶ କରୁଛୁ ।

ରୋବକାରୀ କଚେରୀ ଅଦାଲତ ଓ ଫୌଜଦାରୀ ସେମନ୍ ଜର୍ଜ କୋର୍ଟ ଇଜଲାସ୍ ଏଇଚ: ଆର୍. ଜେକ୍ ସନ୍ ସ୍କୋୟାର ସେସନ୍ ଜଜ୍ ମିଲିକିୟଥ୍ ଶ୍ରୀଯୁକ୍ତ ଇଷ୍ଟ ଇଣ୍ତିଆ କମ୍ପାନୀ ବାହାଦୂର ଓଡ଼ିଶା ଖଣ୍ତ, ଜିଲେ କଟକ ।

ସରକାର ବାହାଦୂର ମୁଦେଇ ବନାମ ରାମଚନ୍ଦ୍ର ମଙ୍ଗରାଜ ସା ଗୋବିନ୍ଦପୁର ପ୍ର; ଅସୁରେଶ୍ୱର, ଜିଲେ କଟକ । ମୁଦାଲା ସାରିଆ ନାମଜ ଗୋଟିଏ ତନ୍ତୀଆଣି ସ୍ତ୍ରୀ କୁ ହତ୍ୟା କରିଥିବା ଏବଂ ତାହା ଘରର ଆସବାବ ଲୁଟତରାଜ କରିନେଇଥିବାର ମାମଲା ।

ନଥିର ସମସ୍ତ କଥା କାଗଜାତ ଏବଂ ପକ୍ଷମାନଙ୍କର ଜବାବ ସୁଆଲ ଦୃଷ୍ଟି ଏବଂ ଶ୍ରବଣରେ ଆସିଲା ଉତ୍ତାରେ ଜଣାଗଲା କି ଏହି ମକଦ୍ଦମା ପୋଲିସ ଚାଲାଣୀ ଅଟେ । ଜିଲ୍ଲାର ମାଜିଷ୍ଟ୍ରେଟ ସାହେବ ଆସାମୀ ଉପରେ ନରହତ୍ୟା ଅଭିଯୋଗ କରି ଏହି ମକଦ୍ଦମା ସେସନ୍ ସମ୍ପୋଦ କରିଛନ୍ତି । ଆସାମୀର ଦୋଷ ସାବ୍ୟସ୍ତ କରାଇବା ନିମନ୍ତେ ପୋଲିସ ଆଠଜଣ ସାକ୍ଷୀର ଜମାନବନ୍ଦୀ କରାଯାଇଛି । ଆମ୍ଭେ ସାକ୍ଷୀମାନଙ୍କୁ ଅତି ସତର୍କତା ଏବଂ ମନ ଯୋଗ ସହିତ ପରୀକ୍ଷା କରିଛୁ ଏବଂ ଉଭୟ ପକ୍ଷ ଓକିଲମାନଙ୍କ ବତ୍କୃତା ଶ୍ରବଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛୁଁ କି, ଆସାମୀ ପୋଲିସ କଥିତମତେ ବାଉଁଶ ଠେଙ୍ଗାରେ ପ୍ରହାର କରି ସାରିଆକୁ ବଧ କରି ନାହିଁ, ଦୀର୍ଘକାଳ ଉପବାସ ଏବଂ ମନକଷ୍ଟ ତାହାର ମୃତ୍ୟୁର କାରଣ ଅଟେ । ଆମ୍ଭର ଏପରି ବିଶ୍ୱାସ କରିବାର ହେତୁ ଏହି କି ପ୍ରଥମ ନରହତ୍ୟା ମକଦ୍ଦମାର ପ୍ରଧାନ ସାକ୍ଷୀ ସିଭିଲ ସର୍ଜନ ସୁସ୍ପଷ୍ଟରୂପେ ପ୍ରକାଶ କରିଅଛନ୍ତି କି, ଲାସ ଦେହରେ କୌଣସି ପ୍ରକାର ଆଘାତର ଚିହ୍ନ ନ ଥିଲା ।

ଆମ୍ଭେ ସାକ୍ଷୀମାନଙ୍କ ଦ୍ୱାରା ଯଥେଷ୍ଟ ପ୍ରମାଣ ପାଉଛୁ ଯେ, ଏହି ମକଦ୍ଦମାଟି ସଂପୂର୍ଣ୍ଣରୂପେ ଗଠିତ ଅଟେ । ଆମ୍ଭର ବିଶ୍ୱାସ, ପ୍ରଥମ