ପ୍ରଥମ ପୁରୁଷ/କବଚ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
କବଚ

କବଚ

କେବେ କେବେ ଇଚ୍ଛା ହୁଏ
ଏ ମୋର ଜୀବନ ଯେଉଁ ପରିଧିର କେନ୍ଦ୍ର
ସେ ପରିଧି ବାହାରକୁ ଯାଇ ମୁଁ ଦେଖିବି
କିଭଳି ସେ ଦେଶ
ଆଉ ମୁଁ ସଂକଳ୍ପ ନେଇ
ସେ ବୃତ୍ତର ବାହାରକୁ ଯାଏ
ଗାଡ଼ିର କବାଟ ଖୋଲି
ସନ୍ତର୍ପଣେ ତଳକୁ ଓହ୍ଲାଏ

ସେ ଏକ ଅଦ୍ଭୂତ ଦେଶ
ଶୂନ୍ୟ ମହାଶୂନ୍ୟ
ଯେପରି ମୋ ଜୀବନର ବିଫଳ ମଧ୍ୟାହ୍ନ
ଆକାଶରେ ବୁଲୁଥିଲେ ଛାଇ ସବୁ
ସୂର୍ଯ୍ୟ ଭଳି ଚନ୍ଦ୍ର ଭଳି ନିର୍ଦ୍ଧିଷ୍ଟ ନିଶ୍ଚିତ
ସମୟ ସଂକୀର୍ଣ୍ଣ ହୋଇ
ହୋଇଗଲା ଗୋଟିଏ ମୁହୂର୍ତ୍ତ

ମୁଁ ଦେଖିଲି ନୁଆ କରି ବ୍ୟବଧାନ
ସୂର୍ଯ୍ୟର ଉଦୟ ଏବଂ ସୂର୍ଯ୍ୟାସ୍ତ ଭିତରେ
ଯେଉଁପରି ବ୍ୟବଧାନ ଅଛି
ଭଲ ପାଇବା ଓ ଭୁଲିଯିବା
ଦେଖିବା ଓ ଥିବାର ମଧ୍ୟରେ

ମୁଁ ଦେଖିଲି ଅନେକ ଆଲୋକ
ସେମାନେ ସମସ୍ତେ ମତେ ଘେରିଗଲେ
ଶରବିଦ୍ଧ କଲେ ମତେ
ଲୋହିତ ଓ କମଳା ରଙ୍ଗରେ
କଳା କଳା ଛାଇ ସବୁ
ଯେତେଥିଲେ ଅନ୍ତରୀକ୍ଷ ଘେରି
ସେମାନେ ନିହତ ହେଲେ
ପୁଣି ସେଇ ଶୂନ୍ୟତାରେ ଅନ୍ତର୍ହିତ ହେଲେ

ପ୍ରଥମ ଥରକ ପାଇଁ ମୁଁ ନିଜକୁ ପ୍ରଶ୍ନ କଲି
ମୁଁ କିଏ ରାସ୍ତା ମୋର କୁଆଡେ ଯାଇଛି
ଏ ପାହାଚ ତଳକୁ ନା ଉପରକୁ
ସାକ୍ଷୀ କିଏ ମୁକୁଟ କେଉଁଠି
ବୁଝିବାକୁ ଚେଷ୍ଟା କଲି
ଆକାଶରେ ତାରାଙ୍କର ଚୁପ ଚୁପ କଥା
ପବନର ହାତରେ ଯେ ରେଖା ସବୁ
ତାଙ୍କର ତାତ୍ପର୍ଯ୍ୟ
କି ବାର୍ତ୍ତା ରହିଛି ପୁଣି
ସମୁଦ୍ରର ବାଲିରେ ଯେ ଚିତ୍ରଲିପି ତହିଁରେ
ଓ ମୋ ଦେହର ପଞ୍ଜୁରୀରେ
ପକ୍ଷୀଟି ଯେ ଚିତ୍କାର କରୁଛି ତାର ଅର୍ଥ କଣ

ଅନେକ ଅନେକ ବନ୍ଧ୍ୟା ଅନ୍ତରୀକ୍ଷ ଆସି
ମୋ ଭିତରେ ଆଶ୍ରୟ ଖୋଜିଲେ
ମୋର ମନ ଭରିଗଲା ମହା ଶୂନ୍ୟତାରେ

ମୋ ନିଜର ଛାଇ ସବୁ ଦୀର୍ଘତର ହେଲେ
ସେମାନେ ନଥିଲେ ପ୍ରେତ
ତଥାପି ମୁଁ ସେମାନଙ୍କୁ ଭୟ କଲି
ପଛକୁ ଫେରିଲି
ଅତି ସନ୍ତର୍ପଣେ ମୋର
ଗାଡ଼ି କବାଟକୁ ବନ୍ଦ କଲି
କାଚ ଆଉ ଇସ୍ପାତର ପାଚେରୀରେ
ଦୂରକଲି ସେମାନଙ୍କୁ
ଆକାଶ ପବନ ଆଉ ସମୁଦ୍ରର ବାଲି
ଅନେକ ପ୍ରଶ୍ନଙ୍କୁ

ପୁଣି ମୋର କବଚ ଖୋଜିଲି
ଖବରକାଗଜ ସିଗାରେଟ ଟିଣ
ଆଉ ରେଜା ପଇସାରେ