ହରିବଂଶ/ଚତୁର୍ଥ ଖଣ୍ଡ

ଉଇକିପାଠାଗାର‌ରୁ
ହରିବଂଶ ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ଚତୁର୍ଥ ଖଣ୍ଡ

ମଙ୍ଗଳାଚରଣ[ସମ୍ପାଦନା]

ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍।।
ବ୍ୟାସଂ ବଶିଷ୍ଠନପ୍ତାରଂ ଶକ୍ତୈଃ ପୌତ୍ରମକଳ୍ମଷଂ
ପରାଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧିଂ
ବେଦେ ରାମାୟଣ ଚୈବ ପୁରାଣେ ଭାରତେ ତଥା
ଆଦ୍ୟେପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ
ଜୟ ଜୟ ଜଗନ୍ନାଥ ଆରତ ଭଞ୍ଜନ
ପତିତପାବନ ସ୍ୱାମୀ ଶ୍ରୀମଧୁସୂଦନ
ପୃଥ୍ୱୀଭାରା ନିବାରଣେ ମର୍ତ୍ତ୍ୟେ ହେଲ ଜାତ
ମଧୁପୁରେ ଜନ୍ମି ଗୋପେ ବଢ଼ିଲ ଅଚ୍ୟୁତ
ପୂତନା ଶକଟା ବକା ତୃଣାବର୍ତ୍ତ କେଶୀ
ଚାଣୁର ମୁଷ୍ଟିକ ଆଦି କଂସ ପ୍ରାଣ ନାଶି
ପିତା ମାତାଙ୍କର କ୍ଳେଶ ଦେବତାଙ୍କ ଦୁଃଖ
ନିବାରିଲ ଦୁଷ୍ଟ ଦୈତ୍ୟ ବଧି ପଦ୍ମମୁଖ
ମୋଠାରେ ସୁଦୟା କର ଆହେ ବାସୁଦେବ
ହରିବଂଶ ଅର୍ଥ ମୋତେ ଗୋଚର ହୋଇବ
ତିନି ଖଣ୍ଡ ଶେଷ କରି ଚତୁର୍ଥ ଖଣ୍ଡରେ
ମନ ମଜ୍ଜାଇଛି ଏବେ ତୁମ୍ଭ ଭରସାରେ
ତବ ପାଦଭୃତ୍ୟ ଅଟେ ମୁଁ ଦୀନ ଅଚ୍ୟୁତ
ଆଜ୍ଞା ଦିଅ ଶେଷ ହେଉ ହରିବଂଶ ଗ୍ରନ୍ଥ
ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା
ଶୁକମୁନି ପାଦପଦ୍ମେ କରି ଦିବ୍ୟ ପୂଜା
ବୋଇଲେ ଭୋ ମୁନି ମୋତେ କହ ଦିବ୍ୟଜ୍ଞାନ
ହରିବଂଶ ଶୁଣି ପାପ କରିବି ଦହନ
ଭୋ ମହାତ୍ମା ଭାଗବତ କହ ତଥ୍ୟ କରି
ଶ୍ରୀକୃଷ୍ଣ ଚରିତ ଶୁଣି ଭବୁ ଯିବି ତରି
ଦନୁଜ ନାଶନେ ମର୍ତ୍ତ୍ୟେ ଜନ୍ମି ଚକ୍ରପାଣି
କଂସ ପ୍ରାଣ ନେଲେ କରି ଅପୂର୍ବ ମାରେଣି
ତହିଁପରେ ରାମକୃଷ୍ଣ ପୁଣି କଲେ କିସ
ସେ କଥା ବିସ୍ତାରି ମୋତେ କହ ବ୍ୟାସ ଶିଷ୍ୟ
ଏତେ ବୋଲି ମହାରାଜା କୃତାଞ୍ଜଳି ହୋଇ
ଶୁକପାଦେ ପ୍ରଣମିଲେ କୋଟି ସ୍ୱର୍ଣ୍ଣଦେଇ
ସଂକଳ୍ପ କରିଣ ନୃପ ପୁଚ୍ଛେ ପୁଣି ପୁଣି
ସନ୍ତୋଷ ହୋଇଲେ ଦେଖି ଶୁକ ତପିମଣି
ବ୍ରହ୍ମବେତ୍ତା ମହାମୁନି ତିନି କାଳଜ୍ଞାତା
କହନ୍ତି ବିଚିତ୍ର ଶିରୀ ଭାଗବତ କଥା
ଶୁଣ ତୁ ହୋ ମହାରାଜା ପଣ୍ଡୁ ପଣ ନାତି
କଂସ ବଧି ବହୁ ମାୟା ରଚିଲେ ଶ୍ରୀପତି
ପୁଣ ତତକ୍ଷଣେ ସର୍ବ ମାୟା କରି ଗୋପ୍ୟ
ସମସ୍ତଙ୍କୁ ଦେଖାଇଲେ ଭିନ୍ନ ଭିନ୍ନ ରୂପ
ବାହୁଡ଼ି ବାଳକରୂପ ଧରି ଦେବସ୍ୱାମୀ
ଲହୁଲି ଅଷ୍ଟ ବରଷ ରୂପ ଅନ୍ତର୍ଯ୍ୟାମୀ
କଂସ ମୃତ୍ୟପିଣ୍ଡ ପଡ଼ିଅଛି ସଭାତଳ
ମଥୁରା ନଗରେ ବିଜେ ହରି କାମପାଳ
ବେନି ଭାଇ ବିଜେ ହସ୍ତ ଧରାଧରି ହୋଇ
ଉଗ୍ରସେନ ଉଭା ହେଲେ ଶିରେ କର ଦେଇ
ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂର
ଶକ୍ରାଜିତ କୃତବର୍ମା ଆଦି ଯେତେ ବୀର
ସାତବଂଶ ଭାଇ ବନ୍ଧୁମୁନି ବ୍ରହ୍ମଚାରୀ
କଉତୁକେ ବିଷ୍ଣୁ ମାୟା ଦେଖୁଛନ୍ତି ହେରି
ବେନି ଧାଡ଼ି ପଟୁଆର ଯଦୁବଂଶେ ଉଭା
ଦେଖନ୍ତି ଗୋପାଳ ମେଳେ ରାମକୃଷ୍ଣ ଶୋଭା
ଉତ୍ସବରେ ମାତି ସର୍ବେ ଯାତ୍ରା ଦେଖୁଥିଲେ
ଦୁଷ୍ଟ କଂସ ନାଶ ଯାନ୍ତେ ସନ୍ତୋଷ ଲଭିଲେ
ଜୟ ରାମକୃଷ୍ଣ ବୋଲି ଡାକ ଦ୍ୟନ୍ତି ଲୋକେ
ଦୁଷ୍ଟ ରାଜାମାନେ ଦେଖି ପଳାଇଲେ ଥୋକେ
ନାନା ନୃପେ ହୋଇଥିଲେ ସେଠାରେ ସଙ୍କୁଳ
ଯାତ୍ରା ଛାଡ଼ି ପଳାଇଲେ ଭୟେ ଦୁଷ୍ଟବଳ
ବିଷ୍ଣୁପ୍ରିୟକାରୀ ଯେତେ ଜ୍ଞାନବନ୍ତ ଜନ
ଯାଦବଙ୍କ ସଙ୍ଗେ ଉଭା ହୋଇଲେ ସେ ଜାଣ
ଅପୂର୍ବ ମୁଖକୁ ସର୍ବେ ଦେଇଛନ୍ତି ଦୃଷ୍ଟି
ପୂର୍ଣ୍ଣଚନ୍ଦ୍ର ପ୍ରାୟ ମୁଖ ଦିଶଇ ଚହଟି
ଅତୁଲାଇତ ପୁରୁଷ ମଞ୍ଚେ ଉତପତ୍ତି
ଭକ୍ତଙ୍କର ହୃଦୟରେ ବଢ଼ାଇଲେ ପ୍ରୀତି
ଯେଉଁପରି ଅବଶେଷ ହୁଅନ୍ତେ ରଜନୀ
ଅନ୍ଧପଟଳ ଫିଟାନ୍ତି ଉଇଁ ଦିନମଣି
ଏହିମତେ ସବୁଠାରେ ପୂରି ଦେବହରି
ନାରାୟଣ ଅବତାର ଜାଣି ତଥ୍ୟ କରି
ଯେ ଯାହା ମାନନା କରି କଲେ ଜୟ ଜୟ
ପରମାନନ୍ଦ ପୁରୁଷ କରନ୍ତି ବିଜୟ
ଏଥୁ ଅନନ୍ତରେ ପୁଣି କେତେହେଁକ ବେଳେ
ଉଗ୍ରସେନ ମୁଖ ପ୍ରଭୁ ଚାହିଁଲେ ନିରୋଳେ
କହନ୍ତି ମଧୁର ବାଣୀ ଶୁଣ ମାତାମହ
କଂସ ମଲା ବୋଲି ମନେ ନ ଧର ତୁ କୋହ
ପ୍ରତ୍ୟକ୍ଷେ ତୁ ମହାଜ୍ଞାତା ଜାଣୁ କଥାସର୍ବ
ଦୁଷ୍ଟପଣେ ପୁତ୍ର ତୋର ହେଲା ମତ୍ତଗର୍ବ
ଦେବାସୁର ନରଙ୍କର ହୋଇଲା ବଇରୀ
ତା ପାଦ ଭାରାକୁ ଭୟ କଲା ବସୁନ୍ଧରୀ
ପୁଣି ସେ ବିକଳେ ଦେବସଭାରେ କାନ୍ଦିଲା
ପଡ଼ୁ ରସାତଳେ ପୃଥ୍ୱୀ ଛାଡ଼ିବି ବୋଇଲା
ମୁଖବାଟେ ରକ୍ତ ବହେ ନେତ୍ରୁ ବହେ ଜଳ
ଏହିରୂପେ ବସୁମତୀ ହୁଅନ୍ତେ ବିକଳ
ତା ଦେଖି ଦେବତାଗଣେ ଘୋର ଚିନ୍ତା କଲେ
ଅନନ୍ତ ଶଯ୍ୟାରେ ଥିଲି ମୋତେ ଜଣାଇଲେ
ଦେବକାର୍ଯ୍ୟ ନିମନ୍ତେ ମୁଁ ଜନ୍ମି କଂସ ପାଇଁ
ନର ଦେହ ଆଶ୍ରେ କରି ପରମାତ୍ମା ହୋଇ
ଆବର ଯେତେକ ଦୁଷ୍ଟ ଛନ୍ତି ରବିତଳେ
ସେମାନଙ୍କୁ ସଂହାରିବି ମୁହିଁ ଭୁଜବଳେ
ନୋହିଲେ ଧରଣୀଭାର ନ ହୁଅଇ କ୍ଷୟ
ଏଥିପାଇଁ ଉଗ୍ରସେନ ନ କର ତୁ ଭୟ
ତୋ ଦୁହିତା ପୁତ୍ର ଆମ୍ଭେ ଅଟୁ ବେନିଭାଇ
ଆମ୍ଭର ସମାନେ ନାତି କେତେ ଭାଗ୍ୟେ ପାଇ
ତୋହର ଦୁହିତା ଅଟେ ଦଇବକୀ ନାରୀ
ସେ ପ୍ରତ୍ୟକ୍ଷେ ଗର୍ଭଧାରୀ ଅଟଇ ଆମ୍ଭରି
ଆମ୍ଭେ ଜନ୍ମ ହେବା କଥା ଆପେ ତୁହି ଜାଣୁ
ବାଟେ ଭେଟ ହେଲୁ ବସୁଦେବ ଆଣୁ ଆଣୁ
ସେ କଥା ସୁମରି ମନୁ ଦୁଃଖ ଦୂର କର
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ହେବୁ ଅଧୀଶ୍ୱର
ଏମନ୍ତ ପ୍ରବୋଧି କହି କୃଷ୍ଣ କାମପାଳ
ପ୍ରଣାମ କରିଲେ ଉଗ୍ରସେନ ପାଦତଳ
ବସୁଦେବ ପାଦେ ନମି ବେନି ସହୋଦର
ଯାଦବମାନଙ୍କୁ କଲେ ବହୁତ ଆଦର
ସାତବଂଶ ଲୋକେ ଆସି ହେଲେ ଏକରୁଣ୍ଡ
ସଭାତଳେ ପଡ଼ିଅଛି କଂସ ମୃତ୍ୟୁପିଣ୍ଡ
କୁବଳୟା ନାମେ ଗଜ ପଡ଼ିଅଛି ମରି
ଚାଣୁର ମୁଷ୍ଟିକ ଆଦି ଯେତେ ଦେବ ଅରି
ମହାଘୋର ଧନୁଯାତ୍ରା କରିଥିଲା କଂସ
କ୍ଷଣକରେ ରାମ କୃଷ୍ଣ କଲେ ତାହା ଧ୍ୱଂସ
ଯାଦବେ ହରଷ ହୋଇ ବରଗିଣ ଥାଟ
ନଗରେ ଘୋଷଣା ଦେଇ ଜଗାଇଲେ ବାଟ
ଦ୍ୱାରପାଳମାନେ ଦ୍ୱାର ନିରୋଧି ଜଗିଲେ
ଯେ ଯାହା ନିଯୋଗେ ରହି ସକଳେ ଖଟିଲେ
ତାହା ଦେଖି କୃଷ୍ଣ ଆ ଜ୍ଞା ଦେଲେ ଯାଦବଙ୍କୁ
ରାଜ୍ୟେ ଅଭିଷିକ୍ତ କର ଏ ଉଗ୍ରସେନକୁ
କରଯୋଡ଼ି ଉଗ୍ରସେନ କହେ ମୃଦୁ ବାଣୀ
ଭୋଦେବ ତୁ ନିରଞ୍ଜନ ନିରାକାର ସ୍ୱାମୀ
ଦେବଙ୍କ ପରେ ଦେବ ତୁହି ଚକ୍ରଧର
ସକଳ ଦେବତାମାନେ ତୋ ପାଦେ କିଙ୍କର
ତୁହି ସେ ସର୍ଜ୍ଜନା କରୁ ଚରାଚର ସୃଷ୍ଟି
ତୁହି ଶିବ ତୁହି ବିଷ୍ଣୁ ତୁ ଯେ ପରମେଷ୍ଠି
ଲିହନ୍ତା ବିହନ୍ତା ଅଟୁ ତୁ ଯେ ଆଦିମୂଳ
ରେଖ ରୂପ ବର୍ଣ୍ଣ ତୋର ନାହିଁ ଶୂନ୍ୟ ଠୁଳ
ତୋ ପାଦକୁ ଇନ୍ଦ୍ର ବ୍ରହ୍ମା କରିଥାନ୍ତି ଲୟ
ଚରାଚର ପ୍ରାଣୀଙ୍କର ତୁହି ଯେ ଆଶ୍ରୟ
କୀଟୁ ବ୍ରହ୍ମା ପରିଯନ୍ତେ ତୋ ଦେହରେ ସ୍ଥିତି
ମୁଁ ତୋହର ଭୃତ୍ୟ ପ୍ରଭୁ ତୁ ମୋହର ଗତି
ଅଧିକ ଜଣାଇ ଅବା କହିବି ମୁଁ କେତେ
ଏହି ବିଡ଼ମ୍ୱନା ନାଥ ନ କରାଅ ମୋତେ
ତୋ ଛାମୁରେ ଦଣ୍ଡଛତ୍ର ଟେକାଇବି ମୁହିଁ
ଏକା କି ଉଚିତ ହେଲା କହ ଭାବଗ୍ରାହୀ
ଏତେ ବୋଲି ଉଗ୍ରସେନ ଶ୍ରୀକୃଷ୍ଣ ପୟରେ
ନମସ୍କାର କରି ଉଭା ହେଲେ ଖଣ୍ଡେଦୂରେ
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଜନନୀର ପିତା
ପୁଣି ମୋର ଦୃଢ଼ ଭକ୍ତ ଭିବଷ୍ୟତ ଜ୍ଞାତା
ଆମ୍ଭ ଜନ୍ମ ପୃଥ୍ୱୀ ଭାରା ନିବାରଣ ଅର୍ଥେ
ତୁମ୍ଭ ସୁତା ଗର୍ଭୁ ଜାତ ହେଲୁ ବେନିଭ୍ରାତେ
ହରିବଂଶେ ଜନ୍ମିଅଛୁ ଦୁଷ୍ଟ ସଂହାରିବୁ
ଜାଣୁ ଜାଣୁ ଅନାଚାର କେମନ୍ତେ କରିବୁ
ସାନେ ମାନ୍ୟ କଲେ ନାଶ ଯାଏ ଯଶ ଶିରୀ
ଆମ୍ଭ ଭଳି ଲୋକ ଏହା କରିବ କିପରି
ବେଦ ଶାସ୍ତ୍ର ପ୍ରମାଣରେ ନ କରି ସ୍ୱଧର୍ମ
ଅନାଚାର କଲେ ନିଶ୍ଚେଁ ନାଶଯାଏ ଧର୍ମ
ଧର୍ମ ନାଶଗଲେ ପ୍ରାଣୀ ହୁଅଇ ନିର୍ଦ୍ଧନ
ନିର୍ଦ୍ଧନ ହୋଇଲେ କାହୁଁ ଦେବ ଅବା ଦାନ
ଦାନୀ ନ ହୋଇଲେ ନାଶ ଯାଏ ସର୍ବ ଯଶ
ଯଶ ନାଶ ଯିବା ସଙ୍ଗେ ତୁଟଇ ଆୟୁଷ
ଆୟୁ ନାଶ ଗଲେ ହୁଏ ଅକାଳରେ ମୃତ୍ୟୁ
ପ୍ରାଣୀଙ୍କର କୁଳଧର୍ମ ସଦମାର୍ଗ ହେତୁ
ଏମନ୍ତ ବୁଝାଇ ଉଗ୍ରସେନକୁ ତିଆରି
ପୁନରପି କହନ୍ତି ଯେ କୃଷ୍ଣ ହଳଧାରୀ
ଆମ୍ଭ ବୋଲେ ରାଜା ହୁଅ ମଧୁବନ ଦେଶେ
ଆନଠାରେ ଶୋଭାବନ ଏ କଥା ନ ଦିଶେ
ତ୍ରିଭୁବନ ରାଜାମାନେ ତୋ ପାଦେ ଖଟିବେ
ଯାହା ଆଜ୍ଞା ଦେହୁ କେହି ଲଘିଂ ନ ପାରିବେ
ସୋମବଂଶ ଉଦ୍ଧାରିଣ ଯଦୁ ଦଣ୍ଡଧାରୀ
ଯାଦବୀ ନାମରେ ଥିଲେ ତାଙ୍କ ମନୋହାରୀ
ମେନକା ନନ୍ଦିନୀ ବିଶ୍ୱାମିତ୍ରଙ୍କ ଦୁହିତା
ସଙ୍କେତ ନୃପତି ପାଳି ହେଲେ ତାଙ୍କ ପିତା
ସମୟରେ ସେ କୁମାରୀ ହ୍ୱନ୍ତେ ନବଯୁବା
ଯଦୁ ନୃପତିଙ୍କୁ ଆଣି କରାଇଲେ ବିଭା
ସେ କନ୍ୟା ଗର୍ଭୁରୁ ହେଲେ ସାତପୁତ୍ର ଜାତ
ଏକକୁ ଆରେକ ବଳୀ ସର୍ବେ ଗୁଣବନ୍ତ
ଭୋଜ କୁନ୍ଦ କୁରୁ ଜିଷ୍ଣୁ ଅନ୍ଧକ ବାମନ
ବୃଷ୍ଣି ଆଦି କରି ଏହି ସାତବଂଶ ଜାଣ
ଏମନାଙ୍କ ମଧ୍ୟେ ଜ୍ୟେଷ୍ଠ ଭୋଜ ମହାବଳୀ
ସର୍ବ ଗୁଣେ ଗୁଣବନ୍ତ ପରାକ୍ରମ ଶାଳୀ
ତେଣୁ ତାକୁ ସବୁ ଭାଇ କଲେ ପାଦପୂଜା
ସପ୍ତଦ୍ୱୀପା ଅବନୀରେ ସେ ହୋଇଲେ ରାଜା
ଏହି ମଧୁପୁରେ ଭୋଜ ଟେକାଇଲେ ଛତ୍ର
ଆବର ଯେ ଷଡ଼ବିଂଶ ହେଲେ ତାର ପାତ୍ର
ଯେ ଯାହାର ରାଜଭୋଗ କରି ଜଣେ ଜଣେ
ଭୋଜକୁ ଖଟିଲେ ସର୍ବେ ପାତ୍ର ମନ୍ତ୍ରୀଗଣେ
ସେହି ଭୋଜବଂଶରେ ତୁ ଅଟୁ ଜ୍ୟେଷ୍ଠପୁତ୍ର
ବିଶେଷରେ ମୋର ଭକ୍ତ ପରମ ପବିତ୍ର
ପୁଣି ତ ପଡ଼ିଛି ଏବେ ତୋତେ ପୁତ୍ରକଷ୍ଟ
ମାନହାନି ହେବୁ ନିଶ୍ଚେଁ ହେଲେ ରାଜ୍ୟଭ୍ରଷ୍ଟ
ଆମ୍ଭ ପିତାମାନେ ରାଜ ନୁହନ୍ତି ତ ଏଥେ
ପାତ୍ର ପୁତ୍ର ଆମ୍ଭେ ରାଜା ହୋଇବୁ କେମନ୍ତେ
ଉଗ୍ରସେନ ବୋଲେ ତୁମ୍ଭେ ନାଶ କଲ କଂସ
ପୃଥିବୀ ଦେବୀର ଭାରା ହୋଇଲା ଉଶ୍ୱାସ
ଏବେ ତୁମ୍ଭେ ନାରାୟଣ ଦୁଯେ କାର୍ଯ୍ୟଗ୍ରାହୀ
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ସବୁ କଲ ତ୍ରାହି
ଅଷ୍ଟମଲ୍ଲ ମାରି କଲ ଅକଣ୍ଟକ ରାଷ୍ଟ୍ର
ତୁମ୍ଭଙ୍କୁ ଦିଶିବ ଶୋଭା ବନ୍ଧାଇଲେ ପାଟ
ବୃଷ୍ଣୀବୀର ବସୁଦେବ ଅଟେ ତୁମ୍ଭ ପିତା
ମୋ କନ୍ୟା ଦେବକୀ ପୁଣି ଗର୍ଭଧାରୀ ମାତା
ବଂଶ କ୍ରମେ ଜାତିଶ୍ରେଷ୍ଠ ତୁମ୍ଭେ ଶିରୀବତ୍ସୀ
ଝିଆଣିଆ ଅଂଶେ ରାଜ୍ୟେ ଅଧିକାର ଅଛି
ବିଷ୍ଣୁଅଂଶେ ଜାତ ହୋଇଅଛ ଚକ୍ରଧର
ତୁମ୍ଭେ ପାଟ ବନ୍ଧାଇଲେ ଦିଶିବ ସୁନ୍ଦର
ଗୋବିନ୍ଦ ବୋଇଲେ ଆମ୍ଭେ ଦେବକାର୍ଯ୍ୟ ଅର୍ଥେ
ସହୋଦର ମାତୁଳକୁ ବଧିଲୁ ସ୍ୱହସ୍ତେ
ଜାଣୁ ଜାଣୁ ଅରିଜିଲୁ ଅଧର୍ମ ଏ ଦେହେ
ଲୋକାଚାରେ ଅପକୀର୍ତ୍ତି ନ ଯିବ କେବେହେଁ
ଦେବତାଙ୍କ ହିତେ ଯେବେ କଲୁ ଏତେ କୃତ୍ୟ
ରାଜା ହେଲେ କି ବୋଲିବେ ଆମ୍ଭଙ୍କୁ ଜଗତ
ଉଗ୍ରସେନ ବୋଇଲା ତୁ ଶୁଣ ଶୁଭଦାନୀ
ତୁହି ସେ ଭିଆଣ କଲୁ ପାପପୁଣ୍ୟ ବେନି
ସର୍ବଲୋକ ଈଶ୍ୱର ତୁ ଅଟୁ ବିଶ୍ୱବାସ
ତୁହି ଜାତ କରୁ ପୁଣ ତୁହି କରୁ ନାଶ
ରେଖ ରୂପ ବର୍ଣ୍ଣ ଚିହ୍ନ ନାଥ ତୋର ନାହିଁ
ତୋ ଅଙ୍ଗରେ ପାପ ପୁଣ୍ୟ ଲାଗିବ ଯେ କାହିଁ
ତୋ ମାୟାରୁ ଉବୁରି କେପାରେ ଅନ୍ତର୍ଯ୍ୟାମୀ
ଅନିମିତ୍ତେ ନ ଭୁଲାଅ ମୋତେ ଦେବସ୍ୱାମୀ
ଶ୍ରୀକୃଷ୍ଣ ବୋଇଲେ ତୁହୋ ଶୁଣ ସିଦ୍ଧ କଥା
ତ୍ରେତାଯୁଗେ ବଧ କଲୁ ଆମ୍ଭେ ଦଶମଥା
ସେ ଆମ୍ଭର ଭାରିଯାକୁ ନେଲା ଚୋରୀକରି
ସେ କାରଣୁ ତାକୁ ଆମ୍ଭେ ମହାକ୍ରୋଧ ଧରି
ଦେବ କଣ୍ଟକ ରାବଣ ବୋଲି କଲୁ ନାଶ
ପୁଣି ସେହି ଦେବେ ଦେଲେ ବ୍ରହ୍ମହତ୍ୟା ଦୋଷ
ଦେବ ସଭାରେ ମୋ ମୁଖ ନ ଚାହିଁଲେ ତୋଳି
ଉପହାସ୍ୟ ବଚନ ଯେ କହିଲେ ସମ୍ଭାଳି
ମାନବ ହୋଇଲୁ ଆସି ଏ ଦ୍ୱାପର ଯୁଗେ
ଭାରାଭର ନିବାରିବୁ ବୁଲି ମହୀଭାଗେ
ଧର୍ମ ପାଳି ଅଧର୍ମକୁ କରିବୁ ବିନାଶ
ତେବେ ସେ ନିଶ୍ଚିନ୍ତ ହେବେ ସକଳ ତ୍ରିଦଶ
ଆମ୍ଭେ ନ ରଖିଲେ ଧର୍ମ ରଖା ହେବ କାହିଁ
ଭୋ ମାତାମହ ତୁ କିପାଁ କରୁଅଛୁ ନାହିଁ
ଆମ୍ଭେ ରାଜା ହୋଇବାର ନୁହଇ ଯୁକତି
ତୁ ଯେ ଅଭିଷେକ ହୋଇ ଟେକାଇବୁ ଛତ୍ରୀ
ଦୁଷ୍ଟ ପୁତ୍ର କଂସ ଅନିବାରଣ ହୋଇଲା
ତୋହର ଜୀବନ୍ତେ ଥାଉ ଆପେ ରାଜା ହେଲା
ଆମ୍ଭେ ଦୁଇଭାଇ ଅଟୁ ତୋର ସହୋଦର
ତେଣୁ ଆମ୍ଭ ସମ୍ପଦ ତୁ ସୁଖେ ଭୋଗ କର
ସୁଦେବର ନନ୍ଦନ ଯେ ବସୁଦେବ ବୀର
ବସୁଦେବଠାରୁ ଜନ୍ମ ହୋଇଛି ଆମ୍ଭର
ବୃଷ୍ଣିବଂଶେ ଜାତ ଆମ୍ଭେ ଯାଦବ ଯେ ଅଟୁ
ଭୋଜବଂଶୀ ରାଜା ପାଶେ ପାତ୍ରପଣେ ଖଟୁ
ଏହିପରି ଲାଗିଅଛି ପୁରୁଷାନୁକ୍ରମେ
ଅନ୍ୟଥା କରିବା ତାହା କହ କେଇଁ କ୍ରମେ
ଦେବକୀ ଦେବୀର ପିତା ତୁମ୍ଭେ ପୁଣ୍ୟମୟ
ଆମ୍ଭେ ବେନି ଭାଇ ତୁମ୍ଭ ଝିଅର ତନୟ
ଅରଜିଲୁ ଆମ୍ଭ ପରା ନାତି ପୁଣ୍ୟବଳେ
ତେଣୁ ଏକଚକ୍ରବର୍ତ୍ତୀ ହୁଅ ରବିତଳେ
ଏତେ କହି ସ୍ୱାମୀ ଦେଲେ ଶ୍ରୀହସ୍ତରେ ଶାଢ଼ୀ
ନିଉଛାଳି କଲେ ପୁଣି ଶୁତି ଗଡ଼ଘାଲି
ଶିରେ ଟେକାଇଲେ ଛତ୍ର ଧବଳ ଉଦ୍ଦଣ୍ଡ
ନିଯୋଗି ଖଟିଲେ ଆସି ପାଶେ ପାରିଦଣ୍ଡ
ସିଂହାସନେ ବିଜେ କରାଇଲେ ଶୁଭବେଳେ
ମୂର୍ଦ୍ଧା ଅଭିଷେକ ପୁଣି କଲେ ତୀର୍ଥଜଳେ
ଉଦ୍ଧବ ଯେ ଅନାଧୃଷ୍ଟ ସାତ୍ୟକି ଅକ୍ରୁର
ଶକ୍ରାଜିତ ଆଦିକରି ସର୍ବ ଯଦୁବୀର
ମହାରାଜା ବିଜେକଲେ ସିଂହାସନ ପରେ
ସର୍ବେ ନିଉଛାଳି କଲେ ମିଳି ଯେ ଯାହାରେ
ନିଜ କୁଳ ପୁରୋହିତ ଗାର୍ଗ୍ୟ ମହାମୁନି
ଡାହାଣା ବର୍ତ୍ତକ ଶଙ୍ଖେ ଗଙ୍ଗାଜଳ ଘେନି
ଓଁକାର ପୂର୍ବକ ବୃହତ୍ସାମ ମନ୍ତ୍ର ପଢ଼ି
ଉଗ୍ରସେନ ନୃପତିର ଶିରେ ଦେଲେ ଇଡ଼ି
ବାଆସ୍ତରି ଶାଳଗ୍ରାମ ଶିଳା ଶୁଦ୍ଧଜ୍ୟୋତି
ବିଜେ କରାଇଣ ଆଗେ ମଣ୍ଡି ପାଟହସ୍ତୀ
ବ୍ରହ୍ମା ପାଟଯୋଷି ପାତ୍ର ମହାପାତ୍ର ହୋଇ
ସବୁଠାରୁ ଶ୍ରେଷ୍ଠ ଯେଉଁ ପାଟ ମହାଦେଈ
ସିଂହାସନ ଆଗି ଅଷ୍ଟ ପାଟ ଯେ ଗଣିତା
ଯଥାବିଧାନେ ବରଣ କଲେ ମହାଜ୍ଞାତା
ମଥୁରା କଟକେ ରାଜା ହେଲେ ଉଗ୍ରସେନ
ସନ୍ତୋଷ ହୋଇଲେ ଶୁଣି ତିନିପୁର ଜନ
ଦେବଦେବୀ ପୂଜା କଲେ ବଳିଭୋଜା ଦେଇ
କହଇ ଅଚ୍ୟୁତ ଦାସ ରାମକୃଷ୍ଣ ଧ୍ୟାୟି
ବିନୟରେ ପଚାରିଲେ ପରୀକ୍ଷ ନୃପତି
ତହିଁପରେ କିସ ହେଲା କହ ମହାଯତି
ତବ ଶ୍ରୀମୁଖରୁ ଶୁଣି ଶିରୀ ଭାଗବତ
ଦୁରିତ ଖଣ୍ଡିବି ଅନ୍ତେ ହୋଇବି ମୁକତ
ଏମନ୍ତ ବଚନ ଶୁଣି ଶୁକ ତପୋଧନ
ବୋଲନ୍ତି କହିବା ତାହା ଶୁଣ ହେ ରାଜନ
ଏଥୁଅନ୍ତେ ଉଗ୍ରସେନ ଅଭିଷିକ୍ତ ହୋଇ
ଶ୍ରୀମୁଖରେ ଆଜ୍ଞା ଦେଲେ ଯାଦବଙ୍କୁ ରାଇ
ଯୋଗ ଥିବା କଥା କେଭେ ନ ହୁଅଇ ଆନ
କଂସ ମୃତ୍ୟୁ ଶବ ନେଇ କରାଅ ଦହନ
ଏହା ଶୁଣି ଯଦୁବୀରେ ହେଲେ ଏକରୁଣ୍ଡ
ବିମାନେ ଥୋଇଲେ ନେଇ କଂସ ମୃତ୍ୟୁପିଣ୍ଡ
ନାନା ପୁଷ୍ପ ବସନରେ ବିମାନ ମଣ୍ଡାଇ
ଯମୁନା କୂଳକୁ ନେଲେ କାନ୍ଧରେ ବୁହାଇ
ଅଗୁରୁ ଚନ୍ଦ୍ରନ କାଷ୍ଠ ଘୃତାଦି ବିଧାନେ
ଚିତା ଆରୋପଣ କରି ଜାଳିଲେ ଶ୍ମଶାନେ
ଜରାସନ୍ଧନାତି ହେତି ପ୍ରହେତିଙ୍କ ସୁତ
କଂସର ଔରସେ ଥିଲେ ଯେଉଁ ବେନି ପୁତ୍ର
ହଂସ ଡିମ୍ୱ ବୋଲି ନାମ ବହନ୍ତି ସେ ବେନି
ପ୍ରେତ କାର୍ଯ୍ୟ କଲେ ହସ୍ତେ କୁଶାଞ୍ଜଳି ଘେନି
ମୁଖାଗ୍ନି ଦେଇଣ ପୁତ୍ରେ ବାହୁଡ଼ିଲେ ଖରେ
ଶବଦାହ କଲେ ମିଳି ସର୍ବ ଯଦୁବୀରେ
କୃଷ୍ଣ କାମପାଳ ତୁଲେ ସକଳ ଗୋପାଳେ
ଯାଦବଙ୍କ ସଙ୍ଗେ ସ୍ନାନ କଲେ ନଦୀଦଜଳେ
ଯେ ଯାହା ପୁରକୁ ଗଲେ ସର୍ବେ ସ୍ନାନ ସାରି
ଅନ୍ତଃପୁରେ ବିଜେ କଲେ ରାମ ନରହରି
ଯେଉଁଠାରେ ବସିଥିଲେ ଇନ୍ଦୁମତୀ ରାଣୀ
ସେଠାରେ ମିଳିଲେ ଯାଇ ହଳୀ ଚକ୍ରପାଣି
କୃତାଞ୍ଜଳି ହୋଇ ପୁଣ ହୋଇଲେ ବିନୟୀ
ଆଈଙ୍କର ପାଦତଳେ ଗଡ଼ଘାଲି ଶୋଇ
ବସୁଦେବ ଉଗ୍ରସେନ ଉଭା ତାଙ୍କ ପାଶେ
ଗୋପାଳନ୍ତ ଘେନି ନନ୍ଦ ଖଣ୍ଡେ ଦୂରୁ ଆସେ
ଦେବକୀ ଯେ ଦଇବକୀ ନାମେ ଦି ଭଉଣୀ
ଦୁଇ ପାରୁଶରେ ଉଭା ହୋଇଛନ୍ତି ବେନି
ଏ ସମୟେ ରାମକୃଷ୍ଣ ଦରଶନ କଲେ
ତାଙ୍କୁ ଦେଖି ଇନ୍ଦୁମତୀ ରାଣୀ ମୂର୍ଚ୍ଛା ଗଲେ
ନାତିଙ୍କ ମୁଖକୁ ଚାହିଁ କରନ୍ତି ବିଳାପ
ଜାଣୁ ଜାଣୁ ରାମକୃଷ୍ଣ ଅରଜିଲ ପାପ
ଦିଗପାଳ ସମାନରେ ମଉଳା ମାଇଲ
ଆମ୍ଭର ସୋଦର ବୋଲି ବ୍ୟଥା ନ ପାଇଲ
ଏଡ଼େ ବଡ଼ ନିରାପକ୍ଷ ଅଟେ ତୁମ୍ଭ କାୟା
ବ୍ରହ୍ମା ଇନ୍ଦ୍ର ଶିବେ ଅଗୋଚର ତୁମ୍ଭ ମାୟା
ମୁହିଁ ଗର୍ଭଧାରୀ ମାତା ମୂର୍ଚ୍ଛିବି କେମନ୍ତେ
ବୃଦ୍ଧକାଳେ ନିଦାରୁଣ ଦୁଃଖ ଦେଲ ମୋତେ
ଆହା ପୁତ୍ର ବୋଲି ଉଚ୍ଚେ କରଇ ରୋଦନ
ବେନି ନୟନରୁ ଅଶ୍ରୁ ବହେ ଘନ ଘନ
ପୁତ୍ରଙ୍କର ଗୁଣମାନ ସୁମରି ସକଳ
କ୍ରୋଟରାଗ୍ନି ପ୍ରାୟେ ଦହେ ହୃଦେ ଶୋକାନଳ
ହେତି ପ୍ରହେତି ବୋଲିଣ କଂସ ଭାର୍ଯ୍ୟା ବେନି
କେଶ ବାସ ଅସମ୍ଭାଳ କାନ୍ଦନ୍ତି କାମିନୀ
ଆହାରେ ଦଇବ ବୋଲି ଶିରେ କର ମାରି
ଭର୍ତ୍ତାଗୁଣ ସୁମରନ୍ତି ତଳେ ଲୋଟିକରି
ଅପୂର୍ବ ଚାରୁବଦନ ଧରଣୀରେ ଲୋଟି
ପ୍ରାଣଗଲା ପରି ତଳେ ପଡ଼ିଲେ ଲେଉଟି
ଧାଈ ମଦୁସୁଲୀ ଝଡ଼ା ପୋଇଲୀଙ୍କ ମୂଳେ
ସମସ୍ତେ ରୋଦନ କଲେ ରାଣୀଙ୍କ ବିକଳେ
ଅନ୍ତଃପୁର ଭିତରେ ଯେ ପଡ଼ିଲା ବୋବାଳି
ନଗ୍ର ଚଉପାଶେ ପୂରି ଶୁଭେ ହାଇହୋଳି
ଅମୃତ ବଚନ କହି କୃଷ୍ଣ ସଂକର୍ଷଣ
ସମସ୍ତଙ୍କୁ ପ୍ରବୋଧନ୍ତି ନିଜେ ଭଗବାନ
ବୋଲନ୍ତି ଗୋ ଇନ୍ଦୁମତୀ ନକର ତୁ ଚିନ୍ତା
ତୁ କି ଜାଣି ନାହୁଁ ତୋର ପୁତଙ୍କର କଥା
ଅମର କଣ୍ଟକ ପୁତ୍ର ହେଲା ତୋର କଂସ
ବାରସ୍ୱତୀ ପୁର ଭାଙ୍ଗି ହେଳେ କଲା ନାଶ
ଧର୍ମାଧର୍ମ ତ୍ୟାଗ କରି ହେଲା ଅନାଚାରୀ
ନ ସହିଲା ତାର ପାଦଭାରା ବସୁନ୍ଧରୀ
ଦେବକାର୍ଯ୍ୟ ନିମନ୍ତେ ମୁଁ ତାକୁ କଲି ନାଶ
ତୁ ଏବେ ଶୋଚନା କଲେ ହେବ ଆଉ କିସ
ମାଗୋ ପାପ ପୁଣ୍ୟ ବୋଲି କହୁଥାନ୍ତି ଯାହା
ଏ ଦେହେ ପ୍ରତ୍ୟକ୍ଷେ ପ୍ରଣୀ ଭୋଗ କରେ ତାହା
ସତସଙ୍ଗ ସଦବୁଦ୍ଧି ଆଚରେ ଯେ ଥାନ୍ତି
ତାହାଙ୍କର ଯଶ ଶିରୀ ଆୟୁଷ ବଢ଼ନ୍ତି
ଦୁର୍ବୁଦ୍ଧି ଯେ ଦୁରାଚାର ହୁଅଇ ଦୁର୍ଜ୍ଜନ
ଅବଶ୍ୟ ଅକାଳେ ସେହୁ ଲଭଇ ମରଣ
ଧର୍ମମାର୍ଗେ ଛାଡ଼ି ଯେହୁ ଅଧର୍ମରେ ଯାଏ
ଧନାୟୁଷ ଯଶ ଶିରୀ ତାର କ୍ଷୟ ହୁଏ
ଏଥକୁ ଶୋଚନା ତୁମ୍ଭେ ନ କର ଗୋ ମାତ
ଏବେ ତୋ ଗର୍ଭରୁ ହେବେ ଅଷ୍ଟପୁତ୍ର ଜାତ
କଂସଠାରୁ ବଳି ସର୍ବେ ହେବେ ବଳବନ୍ତା
ତୁ ତାଙ୍କୁ ଦେଖିଲେ ତୋର ଛାଡ଼ିଯିବ ଚିନ୍ତା
ଇନ୍ଦୁମତୀ ବୋଇଲେ ତୁ କରତା ପୁରୁଷ
ତୋର ଅନୁଗ୍ରହ ଥିଲେ ଅପୂର୍ବ ବା କିସ
ଲଲାଟ ଲେଖନ କଥା କରିପାରୁ ଆନ
ଫିଟିବ ଅନ୍ଧପଟଳ ଦିଅ ପୁତ୍ର ଦାନ
ଗୋବିନ୍ଦ ବୋଇଲେ ଆଈ ଛାଡ଼ି ମନୁ ଭ୍ରାନ୍ତି
ଏ ମୋର ନିଶ୍ଚୟ ବାକ୍ୟ ଶୁଣି ହୁଅ ଶାନ୍ତି
ଯେତେ କାଳ ଚନ୍ଦ୍ର ସୂର୍ଯ୍ୟ ଥିବେ ଦେହଧରି
କହିବା ବଚନ ଆନ ନ ପାରେ ମୁଁ କରି
ନିଶ୍ଚେଁ ଅଷ୍ଟପୁତ୍ର ଜାତ ହେବେ ତୋର ଗର୍ଭେ
ତୁ ପରମ ମାହେଶ୍ୱରୀ ଚିନ୍ତା ଛାଡ଼ ଏବେ
ପ୍ରତ୍ୟକ୍ଷେ କମଳା ଅଂଶେ ଜନ୍ମିଅଛୁ ତୁହି
ଯଦୁବଂଶ ଠାକୁରାଣୀ ପାଟମହାଦେଈ
ଦେବକୀ ପରା ଦୁହିତା କରିଅଛୁ ଜାତ
ତୋର ନାତି ହେଲୁ ଆମ୍ଭେ ଅନାଦି ଅଚ୍ୟୁତ
ତୋ ସେବା କରିବୁ ନିତି ଆମ୍ଭେ ବେନି ଭାଇ
ଯାହା ତୋର ଇଚ୍ଛା ବର ମାଗି ଘେନ ଆଈ
ଇନ୍ଦୁମତୀ ବୋଲେ ବାବୁ ସାବଧାନେ ଶୁଣ
ପ୍ରତ୍ୟକ୍ଷ ଜାଣଇଁ ମୁହିଁ ତୁମ୍ଭେ ନାରାୟଣ
ନୋହିଲେ କି ଆନବଳେ କଂସ ହୁଏ ମାରି
ଭାରା ନିବାରଣେ ଜନ୍ମ ହେଲ ଦେହ ଧରି
ରୋମକେ ବସଇ ତୋର ପୃଥ୍ୱୀ କୋଟି କୋଟି
ତୁ ଯାହା କରିବୁ ତାହା କେ ପାରିବ ମେଣ୍ଟି
ଶୋଷକ ନାଶକ ପୁଣି ଆବର ବ୍ୟାପକ
ତୁହି ସେ ଭିଆଣ କରୁ ବିବେକାବିବେକ
ତୁ ପୁଣି ସଂହାର କରୁ ସୃଷ୍ଟି କରି ଜାତ
ଅବ୍ୟକ୍ତ ପୁରୁଷ ତୁ ଯେ ବ୍ରହ୍ମାଣ୍ଡର ନାଥ
ସର୍ବମୟ ସର୍ବହେତୁ ଅଟୁ ସର୍ବବ୍ୟାପୀ
ସମସ୍ତଙ୍କ ମନ ଜାଣୁ ସର୍ବଜ୍ଞ ସ୍ୱରୂପୀ
ପୁତ୍ରଶୋକ ନିଦାରୁଣ ଦୁଃଖ ବଡ଼ ପୀଡ଼ା
ଏତେକ ମାତ୍ର ଭୋ କୃଷ୍ଣ ମୋ ଶରୀରୁ ଛଡ଼ା
ଦେବକୀ ଦେବୀ ବୋଇଲେ ଶୁଣ ଗୋ ଜନନୀ
ବାଳୁତ ପୁତ୍ରଙ୍କୁ ମୋର ମାଇଲା କି ଘେନି
କି ଦୋଷ କଲେ ମୋ ପୋଏ କଂସର ଗୋ ମାତ
ଗୋଟା ଗୋଟା କରି କଲା ଷଡ଼ପତ୍ର ହତ
ଶିଳେ କଚାଡ଼ିଲା ପୁଣି ସ୍ୱହସ୍ତରେ ଧରି
ଭଗିନୀର ପୁତ୍ର ବୋଲି ଦୟା ନ ବିଚାରି
ହାତ ଗୋଡ଼େ ଦେଲା ମୋର ଲୁହାର ଶିକୁଳି
ବନ୍ଦିରେ ମୁଁ ପଡ଼ିଥାଇ ନ ପାରଇ ଚଳି
ମୋ ସମାନେ ଦଶା ଭୋଗକରେ ତୋ ଜୁଆଇଁ
ଶୋଚନା ନ କରୁ ଦିନେ ତୁ ଆମ୍ଭର ପାଇଁ
ସାଧୁ ପୁତ୍ର କଂସ ତୋର ଅଟେ ବଡ଼ଜଣ
ତେଣୁ ସେ ବାପକୁ ଦେଲା ଦଣ୍ଡୁଆସି ପଣ
ନିଜେ ରାଜା ହୋଇ ବସି ଭୋଗ କଲା ରାଜ୍ୟ
ତୁ ତା ପାଇଁ କାନ୍ଦୁଅଛୁ ନ ମାଡ଼ଇ ଲାଜ
କର୍ମେ ଯାହା ଲେଖାଥାଏ କେ କରିବ ଆନ
ଫିଟିବ ଅନ୍ଧପଟଳ ଘେନ ପୁତ୍ର ଦାନ
ଜଗନ୍ନାଥ ବୋଇଲେ ତୁ ଶୁଣିସି ଗୋ ଆଈ
ଏତେ ପ୍ରବୋଧିଲେ ଶାନ୍ତ ନୋହୁ କାହିଁପାଇଁ
ଅଭିଶାପ ଦେବୁ ବୋଲି ଅଛୁ କ୍ରୋଧ ଘେନି
ମୋତେ ଶାପଦେଲେ ସିନାତୋର ହେବ ହାନି
ଇନ୍ଦୁମତୀ ବୋଲେ ମୋର ନ ଛାଡ଼ଇ ବ୍ୟଥା
ଶ୍ରୀକୃଷ୍ଣ ବୋଲନ୍ତି ଯାହା କରିଛି ବିଧାତା
ତାହାକି ଅନ୍ୟଥା ଆଉ ହେବ ଏତେବେଳେ
ଶୁଣି ଇନ୍ଦୁମତୀ ରାଣୀ ବୋଲେ କୋପନଳେ
ମୋ ଆଗରେ ମୋ ପୁତ୍ରଙ୍କୁ କରିଲୁ ତୁ ବଧ
ତୋ ଛାମୁରେ ତୋର ପୁତ୍ର ହ୍ୱନ୍ତୁ ଶିରଶ୍ଚେଦ
ଶାପ ଦେଇ ତୁନି ହେଲା ଇନ୍ଦୁମତୀ ରାଣୀ
ଶୁଣି ମନ୍ଦହାସ କଲେ କୃଷ୍ଣ ହଳପାଣି
ସେ ବନି ଭାଇଙ୍କ ପାଦେ ଚିତ୍ତବୃତ୍ତ ଦେଇ
କହଇ ଅଚ୍ୟୁତ ଦାସ କୃଷ୍ଣ ରସ ଧ୍ୟାୟୀ

ଶ୍ରୀକୃଷ୍ଣଙ୍କ ଠାରୁ ଦେବକୀର ବରଲାଭ[ସମ୍ପାଦନା]

କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନି
ଶୁଣ ନୃପ ହେତୁକରି ହରିବଂଶ ଧ୍ୱନି
ଏଥୁଅନ୍ତେ ବସୁଦେବ ଆବର ଦେବକୀ
ପରମ ସନ୍ତୋଷ ହେଲେ ରାମକୃଷ୍ଣ ଦେଖି
ଆନନ୍ଦରେ ଅଶ୍ରୁଜଳ ବହେ ଘନ ଘନ
ଉଠି କୋଳ କରି ମୁଖେ ଦିଅନ୍ତି ଚୁମ୍ୱନ
ବସୁଦେବ କୋଳେ ବିଜେ କଲେ ହଳପାଣି
ଦେବକୀ କୃଷ୍ଣଙ୍କୁ କୋଳେ ବସାଇଲେ ଆଣି
ସନ୍ତାପିତ ବାଧା ଯହୁଁ ଛାଡ଼ିଲା ମନରୁ
ଅଦ୍ଭୂତେ କ୍ଷୀରେ ସ୍ରବିଲା ଦେବକୀ ସ୍ତନରୁ
ଦୁଷ୍ଟ କଂସ ନାଶଗଲା ନାହିଁ ଆଉ ଭୟେ
ବହୁ କଷ୍ଟ ପାଇଥିଲେ ପୂର୍ବେ ବାପ ମାଏ
ଆଦିତ୍ୟ ଉଇଁଲେ ଯେହ୍ନେ କମଳ ବିକଶି
ତେସନ ପ୍ରକାରେ ବସୁଦେବ ମୁଖ ଦିଶି
ପୂର୍ଣ୍ଣଚନ୍ଦ୍ର ଦେଖି ଯେହ୍ନେ ଉଲ୍ଲୋଳ ଜଳଧି
ଦରିଦ୍ର ପାଇଲା କିବା କୁବେର ସମୃଦ୍ଧି
ଜନ୍ମାନ୍ଧକୁ ପ୍ରାପ୍ତ ହେଲା କିବା ଚକ୍ଷୁବେନି
ମୃତ ପ୍ରାଣୀ ବଞ୍ଚିଲା କି ପୂର୍ବ ଦେହ ଘେନି
ଜଗତ ବନ୍ଦନ ସ୍ୱାମୀ ଅନାଦି ପୁରୁଷ
ତାଙ୍କୁ ଦେଖି କିଏ ଅବା ନୋହିବ ହରଷ
ସେ ଲାବଣ୍ୟ କୋଟି ନିଧି ସର୍ବ ଅନ୍ତର୍ଯ୍ୟାମୀ
ଜୀବେ ଜୀବେ ପୂରିଛନ୍ତି ଯେଉଁ ଦେବସ୍ୱାମୀ
ଧନ୍ୟ ସେ ଦେବକୀ ନାରୀ ଧନ୍ୟ ବସୁଦେବ
କାହିଁବସି ପୁଣ୍ୟ ଅର୍ଜିଥିଲେ ଅସମ୍ଭବ
କେବଣ ତୀର୍ଥରେ ଅବା କରି କେଉଁ ତପ
ରଜ ବୀର୍ଯ୍ୟେ ଜାତ କଲେ ଅବ୍ୟକ୍ତ ସ୍ୱରୂପ
ପୃଥିବୀର ଭାରାଭର ନିବାରିବା ପାଇଁ
ଅଦିତି କଶ୍ୟପ ଦୁହେଁ ମର୍ତ୍ତ୍ୟେ ଜନ୍ମ ହୋଇ
ବନ୍ଦିଘରେ ରହିଥିଲେ ପାଇ ଯେତେ ବ୍ୟଥା
ପୁଣି ସେହି ଘରେ କୃଷ୍ଣ ଜନ୍ମ ହେବା କଥା
ଯମୁନା ନଦୀକି ପାର ହୋଇଯିବା ବେଳେ
ଯେତେ କଷ୍ଟ ଭୋଗ କରିଥିଲେ ନିଶାକାଳେ
ସେଦିନୁ ବିଚ୍ଛେଦ ହୋଇଥିଲେ ଯେ ଯାହାରେ
ଆଠ ବରଷରେ ଭେଟି ହେଲେ ଏକଠାରେ
ବଢ଼ିଲାକ ଅସମ୍ଭବ ସ୍ନେହ ଅନୁକ୍ଷଣେ
ପରମ ସନ୍ତୋଷ ହେଲେ ଦେଖି ଜଣେ ଜଣେ
ଆପେ ଇନ୍ଦୁମତୀ ରାଣୀ ଘେନି ଅର୍ଘ୍ୟଥାଳୀ
ବନ୍ଦାପନା କଲେ ଆଣି ରାମ ବନମାଳୀ
ଉଗ୍ରସେନ ସହିତରେ ଯଦୁବଂଶ ବୀରେ
ଆନନ୍ଦ ହୁଅନ୍ତି ଦେଖି ସର୍ବେ ପରସ୍ପରେ
ମୁଖେ ହୁଳହୁଳି ଦେଇ ସଧବା କାମିନୀ
ରାମ କୃଷ୍ଣ ବନ୍ଦାଇଲେ ଅର୍ଘ୍ୟଥାଳୀ ଘେନି
ଦୋଷରୀ ମହୁରୀ ଶଙ୍ଖ ବାଦ୍ୟ ବୀରତୁର
ଉପାଙ୍ଗ କାହାଳି ବଂଶୀ ବୀଣା ଯନ୍ତ୍ର ସାର
ଢ଼ୋଲ ଦମା ମର୍ଦ୍ଦଳ ଯେ ଟମକ ନିଷାଣ
ଦାଉଣ୍ଡି ପଟହ ବିଜିଘୋଷ ବଜ୍ରବାଣ
ନୃତ୍ୟକାଳେ ତାଳ ଧରି ଗାଆନ୍ତି ସୁସ୍ଵରେ
ସୁଲଳିତ ଗୀତ ବାଦ୍ୟ ଶୁଭେ ନିରନ୍ତରେ
ନାଚନ୍ତି ତାଣ୍ଡବ ରଙ୍ଗେ ବାରବିଳାସିନୀ
କଂସାଳ ବଜାଇ ନାଚେ କେବଣ କାମିନୀ
ଶୋଭଇ ମଥୁରା ପୁର ଦିଶେ ଅତି ସଞ୍ଚ
ପଟାନ୍ତର ନାହିଁ ସ୍ୱର୍ଗ ରସାତଳ ମଞ୍ଚ
ହାତୀ ରଥୀ ପଦାତିରେ ଗହଳ ଯେ ଥାଟ
ତ୍ରେତାଯୁଗେ ରାମ ଯେହ୍ନେ ବାନ୍ଧିଥିଲେ ପାଟ
କୋଟିପାଦେ କମଳିନୀ ବିଜେକଲେ ଯାଇ
ଅବସନ୍ତେ ବସନ୍ତ ଯେ ବହେ ଆଜ୍ଞା ପାଇ
ଇନ୍ଦ୍ର ବାରସ୍ୱତୀ କି ସେ କୁବେର ଅଳକା
ଘରେ ଘରେ ପୂର୍ଣ୍ଣ ହେଲା ସମ୍ପଦ ଅଲେଖା
ସ୍ୱଦେହ ବିଜୟ ଯହିଁ ଲକ୍ଷ୍ମୀର ବିଳାସ
ସେ ପୁରକୁ ପଟାନ୍ତର ଦେବା ଆଉ କିସ
ଆପେ ବିଶ୍ୱକର୍ମା ଆସି ବହୁରୂପ ହୋଇ
ନଗର ନିର୍ମାଣ କଲେ କୃଷ୍ଣ ଆଜ୍ଞା ପାଇ
ଅପୂର୍ବ ନଗର ଶୋଭା ମନୋହର ଭୂମି
ଦିବ୍ୟରୂପେ ଯହିଁ ବିଜେ ନାରାୟଣ ସ୍ୱାମୀ
ମଙ୍ଗଳାରୋପଣ ବିଧି ହେଲା ଘରେ ଘରେ
ଶ୍ରଦ୍ଧା ପାଇ ଦେଖୁଛନ୍ତି ଲୋକେ ଯେ ଯାହାରେ
ଦେବକୀ କୋଳରେ ବିଜେ ପ୍ରଭୁ ନାରାୟଣ
ବସୁଦେବ କୋଳେ ବିଜେ ହେଲେ ସଂକର୍ଷଣ
ଅବନୀର ଭାରାଭର ଉଶ୍ୱାସିବା ପାଇଁ
ଯଦୁକୁଳେ ଜନ୍ମିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ
ଅଷ୍ଟ ବରଷଇ ପୁତ୍ର ରୂପେଣ ସୁନ୍ଦର
ନିର୍ମଳ ଆକାଶେ ଯେହ୍ନେ ଉଦେ ଶଶଧର
ବିକଚ କମଳ ନେତ୍ର ଦର୍ହସିତ ମୁଖ
ଦେଖିଣ ଯାଦବେ ମନୁ ପାସୋରିଲେ ଦୁଃଖ
ସମସ୍ତଙ୍କ ମନ ଜାଣି ପ୍ରଭୁ ଦୟାନିଧି
ଏକ ଆରେକେ ମାନନା କଲେ ଯଥାବିଧି
ସାତବଂଶ ଯାଦବେ ହିଁ କୃଷ୍ଣପାଦେ ସେବା
କରିଣ ଜାଣିଲେ ନିଶ୍ଚେ ଏ ଦେବାଧିଦେବା
ଚର୍ମନେତ୍ରେ ଅଗୋଚର ହେଲେ ଦେହବନ୍ତା
ଦେଖିବା ତାଙ୍କର ମୁଖ ଛାଡ଼ି ସବୁ ଚିନ୍ତା
ଆସ ଏବେ ବିହରିବା ସର୍ବେ ତାଙ୍କ ସଙ୍ଗେ
ପାପ କ୍ଳେଶ ଆଧି ବ୍ୟାଧି ନ ରହିବ ଅଙ୍ଗେ
ଏସନ ପରମାନନ୍ଦ ଯଦୁବୀରେ ହୋଇ
ଅନେକ ପ୍ରଶଂସା କଲେ ବସୁଦେବ ଚାହିଁ
ଏଥୁଅନ୍ତେ ରବି ଅସ୍ତ ହେଲେ ପଶ୍ଚିମରେ
ବନ୍ଦାପନା ସାରି ସର୍ବେ ଗଲେ ଯେଝା ଘରେ
ରାମ କୃଷ୍ଣ ବସୁଦେବ ରାଜା ଉଗ୍ରସେନ
ଦେବକୀ ସହିତେ ଗଲେ ଆପଣା ଭୁବନ
ସକଳ ଗୋପାଳବୃନ୍ଦ ନନ୍ଦ ଆଦି କରି
ମଣୋହି ମନ୍ଦିରେ ବିଜେ ବଳଦେବ ହରି
ଆପଣେ ଦେବକୀଦେବୀ ପରଷନ୍ତି ଅନ୍ନ
ଅଧାମ ଲବଣୀ ଘୃତ ବିବିଧ ବ୍ୟଞ୍ଜନ
ଇକ୍ଷୁ ପଇଡ଼ର ପଣା କ୍ଷୀର ଖଣ୍ଡ ଚିନି
ଅପୂର୍ବ କ୍ଷୀରୀସା କ୍ଷୀରି ସୁବାସିତ ପାଣି
ନାନାବିଧ ପକ୍ୱଫଳ ନାନା ସ୍ୱାଦୁ ଦ୍ରବ୍ୟ
ଭୁଞ୍ଜନ୍ତି ଶ୍ରୀରାମ କୃଷ୍ଣ ପରଷନ୍ତି ସର୍ବ
ଷଡ଼ରସ ଯେତେ ବିଧି ନାନାଦି ରାନ୍ଧଣା
ପୁଅଙ୍କୁ ସୁସ୍ୱାଦୁ ହୁଏ ଏକୁ ଏକ ଜିଣା
ଜଣ ଜଣ ପ୍ରତି କୃଷ୍ଣ ପରସନ୍ନ ହୋଇ
ଭୁଞ୍ଜାଇଲେ ମିଷ୍ଟ ଅନ୍ନ ଚାଟୁବାକ୍ୟ କହି
ଭୁଞ୍ଜିଣ ସନ୍ତୋଷ ହେଲେ ରାମ ଶିରୀପତି
ଆଚମନ ସାରି ବସ୍ତ୍ରେ ଶ୍ରୀମୁଖ ପୋଛନ୍ତି
କର୍ପୂର ଚନ୍ଦନ ପାନ ନିଜେ ଲାଗି ହୋଇ
ସନ୍ତୋଷ ହୋଇଲେ ପୁଣି ସନସ୍ତଙ୍କୁ ଦେଇ
ଲାଗିଲା ଦିହୁଡ଼ି ଦୀପ ହୁଅନ୍ତେ ରଜନୀ
ଗଗନ ମଣ୍ଡଳେ ଉଦେ ହେଲେ ନିଶାମଣି
ବସୁଦେବ ପୁରେ ସ୍ୱାମୀ ନିଶ୍ଚିନ୍ତେ ରହିଲେ
ଚନ୍ଦ୍ରଶାଳା ପୁରେ ରତ୍ନଖଟେ ବିଜେ କଲେ
ସକଳ ଗୋପାଳେ ନିଦ୍ରାଗଲେ ନାନରଙ୍ଗେ
ପଲ୍ୟଙ୍କେ ଶୋଇଲେ ନନ୍ଦ ରାମକୃଷ୍ଣ ସଙ୍ଗେ
ନାନା କଥା ପ୍ରସଙ୍ଗରେ ନିଶି ହେଲା ଶେଷ
ରବି ତଳେ ପରିମଳ ଦିଶେ ଦଶ ଦିଶ
ପ୍ରାତେ ଉଠି ନିତ୍ୟକର୍ମ ସାରି ଯେ ଯାହାରେ
ସମସ୍ତ ଯାଦବେ ଆସି ବସିଲେ ସଭାରେ
ସହସ୍ର ବଖରା ଘର ନଗ୍ର ସିଂହଦ୍ୱାରେ
ସବୁ ମଣ୍ଡା ହୋଇଅଛି ପାଟ ପତନିରେ
ପାଞ୍ଚ ନଳ ଆୟତନ ବଖରାର ସ୍ଥଳୀ
ଝିଙ୍କର ଛାଏଣୀ ଶୁଦ୍ଧ ସୁବର୍ଣ୍ଣର ଝଳି
ହେଙ୍ଗୁଳ ଯେ ହରିତାଳ ହୀରା ନୀଳା କମ
ଝଲକ ପାତିଆ ସଙ୍ଗେ ରସାଣିଲା ହେମ
ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ଟଣା ଝିନବାସେ
ବିଚିତ୍ର ଚାରୁ ଚାମର ଲମ୍ୱେ ଚଉପାଶେ
ସୁବାସ କୁସୁମ ଜାତି ମଲ୍ଲିକା ମାଳତୀ
ପୁନ୍ନାଗ ଚମ୍ପକ ଝରା ଶୋଭା ଦିଶେ ଅତି
କ୍ଷୁଦ୍ର ଘଣ୍ଟି ଘାଗୁଡ଼ି ଯେ ଦରପଣ ପନ୍ତି
ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ତେଜେ ବିରାଜନ୍ତି
ସ୍ଫଟିକ ସ୍ତମ୍ଭ ଉପରେ ବୈଡ଼ୁର୍ଯ୍ୟ ଖଞ୍ଜଣି
ମାରାଗ ପାବଚ୍ଛ ଦିଶେ ଚନ୍ଦ୍ର ଜ୍ୟୋତି ଜିଣି
ଧନ୍ୟ ରାଜଶିରୋମଣି କଂସ ବଳବନ୍ତ
ଅର୍ଜିଲା ଅଶେଷ ଲକ୍ଷ୍ମୀ ଜିଣି ତ୍ରିଜଗତ
ଏହି ସୋମବଂଶେ ପୂର୍ବେ ଥିଲେ ଯେତେ ରାଜା
ନହୁଷ ନୃପ ଘେନିଲା ସ୍ୱର୍ଗେ ଇନ୍ଦ୍ର ପୂଜା
ପୁରୁରବା ନୃପ କଥା ଲୋକେ ଅଗୋଚର
ଯଯାତି ଯଦୁ ଏ ଦୁହେଁ ସପ୍ତ ଦ୍ୱୀପେଶ୍ୱର
ଆବର ଯେତେକ ରାଜା ଥିଲେ ସୋମବଂଶୀ
ପରମ ମହାତ୍ମା ସର୍ବେ କ୍ଷତ୍ରୀ ଗୁଣରାଶି
ଧନ୍ୟ ସେ ପୁରୁଷମାନେ ଏକୁ ଏକ ବଳି
ସେମାନଙ୍କଠାରୁ କଂସ ଅଟେ ମହାବଳୀ
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ଜିଣି ଭୁଜବଳେ
ଏକଚକ୍ରବର୍ତ୍ତୀ ରାଜା ହେଲେ ରବିତଳେ
ତା ନାମ ଧରନ୍ତେ ସ୍ୱର୍ଗେ ଡରନ୍ତି ତ୍ରିଦଶେ
ଦୁର୍ବୁଦ୍ଧି ଅର୍ଜିଲା ଯହୁଁ ମଲା ଅଳ୍ପାୟୁଷେ
ବସିଲା ସେ ପାଟ ମାଡ଼ି ଏବେ ଉଗ୍ରସେନ
ଅମାତ୍ୟ ହୋଇଲେ ତାର ହଳୀ ଭଗବାନ
ବେଭାରେ ରାଜାର ନାତି ଦୁହିତାର ପୁତ୍ର
ସମସ୍ତେ ଡରିଲେ ଯହୁଁ କଂସ କଲେ ହତ
ସକଳ ଯାଦବେ ତାଙ୍କୁ ଦରଶନ କରି
ରାଜାଙ୍କୁ ଦର୍ଶନ କଲେ ରାଜକର୍ମଚାରୀ
ସାତ୍ୟକି ଉଦ୍ଧବ ଅନାଧୃଷ୍ଟ ଏ ସହିତେ
ପାତ୍ର ଅମାନାତ୍ୟେ ବେଢ଼ି ଅଛନ୍ତି ସମସ୍ତେ
ରତ୍ନ ସିଂହାସନ ମାଡ଼ି ବସିଛନ୍ତି ରାୟେ
ପଟୁଆରେ ବେଢ଼ିଛନ୍ତି ଦୃଷ୍ଟିପଥ ଯାଏ
ଏ ସମୟେ ବସୁଦେବ ରାମକୃଷ୍ଣ ତୁଲେ
ନବରୁ ବାହାର ହୋଇ ରାଜାଙ୍କୁ ଭେଟିଲେ
ଖଣ୍ଡେଦୂରୁ ରାମକୃଷ୍ଣ ଶୁତି ପାଏ ପଡ଼ି
କୋଳ କଲେ ଉଗ୍ରସେନ ସିଂହାସନ ଛାଡ଼ି
ବସୁଦେବ ପାଏ ପଡ଼ି ଶୁତିଲେ ବହନ
ହରଷରେ କୋଳ କଲେ ତାଙ୍କୁ ଉଗ୍ରସେନ
ସିଂହାସନେ ରାମକୃଷ୍ଣ ଦୁହିଙ୍କୁ ବସାଇ
ଉଭା ହେଲେ ଉଗ୍ରସେନ କାଖେ ହସ୍ତ ଦେଇ
ଗୋବିନ୍ଦ ବୋଇଲା ଅଜା ତୁମ୍ଭେ ଅଟ ଗୁରୁ
ଆମ୍ଭେ ଯାହା କହୁ ତାହା କିପାଁ ନାସ୍ତି କରୁ
ଏ ମଥୁରା କଟକେ ତୁ ଅଟୁ ମହାରାଜା
ସକଳେ କରିବୁ ଆମ୍ଭେ ତୋ ପାଦରେ ପୂଜା
ତୁମ୍ଭଙ୍କୁ ମାନନା ଆମ୍ଭେ କରିଥିବୁ ନିତ୍ୟେ
ତା ନୋହିଲେ ରାଜାମାନେ ମାନିବେ କେମନ୍ତେ
ଶତ୍ରୁମାନେ ଉପହାସ କରିବେ ୟା ଶୁଣି
ଏସନକ ଆଜ୍ଞା ଦେଇ ପ୍ରଭୁ ଚକ୍ରପାଣି
ବୋଇଲେ ତୁ ଚକ୍ରବର୍ତ୍ତୀ ଭୋଜବଂଶ ରାଜା
ବିଶେଷରେ ପୂଜ୍ୟତମ ଅଟୁ ଆମ୍ଭେ ଅଜା
ପଣ୍ଡିତ ବିବେକ ଜ୍ଞାତୀ ନୀତିତତ୍ତ୍ୱ ଜ୍ଞାତା
ଭୂତ ଭବିଷ୍ୟତ ଆଦି ଜାଣୁ ସବୁ କଥା
ଚିତ୍ତ ଦୃଢ଼ କରି ରାଜଲକ୍ଷ୍ମୀ ଭୋଗକର
ମର୍ତ୍ତ୍ୟେଇନ୍ଦ୍ର ପଦ ଆଝୁ ହୋଇଲା ତୋହର
ଏମନ୍ତ ଆଶ୍ୱାସ ବାକ୍ୟ କହି ଚକ୍ରପାଣି
ଯୁଗାବଧି ପାଟ ମାଥେ ବାନ୍ଧିଲେକ ଆଣି
ବୋଇଲେ ମୁଁ ଯେତେ ଦିନ ଥିବି ଦେହବହି
ସତେଦିନ ଯାଏ ତୋତେ ମୃତ୍ୟୁବାଧା ନାହିଁ
ଗ୍ରହପୀଡ଼ା ଆଧି ବ୍ୟାଧି ରିଷ୍ଟ ରିପୁଭୟ
ଜରାଜୀର୍ଣ୍ଣ ବାଧା ଲାଭ ନ କରୁ ତୋ କାୟା
ବସୁଦେବ ଇନ୍ଦୁମତୀ ଦେବକୀ ସହିତେ
ଏହିମତେ ଦେହ ଘେନି ଥିବେ ଏ ସମସ୍ତେ
ପୁତ୍ର ନାତି ପଣନାତି କୁଟୁମ୍ୱ ସହିତେ
ଇନ୍ଦ୍ରପଦ ଭୋଗ କରି ରହିବ ନିଶ୍ଚିନ୍ତେ
ଆସ ଆସ ଅଜା ସିଂହାସନେ ବିଜେକର
କଂସ ମଲା କଥା ଆଉ ଶୋଚନା ନ କର
ଏହା ଶୁଣି ଉଗ୍ରସେନ ହେଲେ ମହାତୃଷ୍ଟି
ଚାତକ ମୁଖରେ ଯେହ୍ନେ ଜଳଧାରା ବୃଷ୍ଟି
ରାମ କୃଷ୍ଣଙ୍କର ନିରାଧାର ବାକ୍ୟ ଶୁଣି
ମନରୁ ସକଳ ଭ୍ରାନ୍ତି ଛାଡ଼ି ନୃପମଣି
ରାଜା ହୋଇବାକୁ ମନେ ନ ଥିଲା ଶରଧା
ରାମକୃଷ୍ଣ ଛଡ଼ାଇଲେ ସବୁ ଭୟ ବାଧା
ନିର୍ଭୟେ ବସିଲା ରାଜା ସିଂହାସନ ମାଡ଼ି
ସମସ୍ତ ବେଦନା ତାର ମନୁ ଗଲା ଛାଡ଼ି
ସକଳ ଯାଦବେ ଦେଖି ହେଲେ ତୋଷମନ
ବହିଲେ ରାଜ୍ୟର ଭାର ରାଜା ଉଗ୍ରସେନ
ଆସ୍ଥାନେ ଯେ ମଉଳିଲା ରାଜା ଗଲେ ଉଠି
ଯେ ଯାହା ପୁରକୁ ଗଲେ ଯାଦବେ ଲେଉଟି
ବଳଦେବ ଜଗନ୍ନାଥ ବସୁଦେବ ତିନି
ସଙ୍ଗେ ଅଛି ନନ୍ଦରାଜା ଗୋପାଳଙ୍କୁ ଘେନି
ଶ୍ରୀପୟରେ ଲୀଳା ବିଜେକଲେ ବେନିଭାଇ
ଆପଣା ନବରେ ସ୍ୱାମୀ ପ୍ରବେଶିଲା ଯାଇ
ଖଣ୍ଡେକ ଦୂରୁ ଦେବକୀ ପୁତ୍ର ମୁଖ ଦେଖି
ତଳେ ଉଭାହେଲେ ଦେବୀ ପଲ୍ୟଙ୍କ ଉପେଖି
ଦୁଇ ଭାଇ ହୋଇଛନ୍ତି ହସ୍ତ ଧରା ଧରି
ମାତାଙ୍କ ପାଦରେ ଦୁହେଁ ନମସ୍କାର କରି
ଆନନ୍ଦ ଗଦ୍‌ଗଦେ ମାତା ପୁତ୍ରେ କୋଳକଲେ
ଆଶ୍ୱାସନା କରି ଦେବୀ ମୁଖେ ଚୁମ୍ୱ ଦେଲେ
ଶ୍ରୀଅଙ୍ଗ ବାହୁନି ମାଏ ପୁଣି କଲେ ସ୍ତୁତି
ତୁ ଅନାଦି ଅଣାକାର ଅବ୍ୟକ୍ତ ମୂରତି
ନିର୍ମଳ ନୀଳେନ୍ଦୀଦଳ ପ୍ରାୟ ଦିଶେ ତନୁ
ଆକାଶରେ ଉଦେ କିବା ହେଲା ଇନ୍ଦ୍ରଧନୁ
ଯେଡ଼େବୋଲ ତେଡ଼େ ହୋଇପାରନ୍ତି ତ ଏହି
ପୁରାଣ ପୁରୁଷ ବିଷ୍ଣୁ ସନାତନ ଦେହୀ
ଏହାର ମୟାରୁ ଜାତ ହେଲା ଭାରାଭର
ଅବ୍ୟକ୍ତି ଅଲେଖ ନିରଞ୍ଜନ ନିରାକାର
ମୁଁ ସିନା ପାସୋରିଥିଲି ପୂର୍ବଜନ୍ମ ବିଧି
ଅଭିଶାପ କ୍ଷୟ ଗଲା ହେଲା କାର୍ଯ୍ୟସିଦ୍ଧି
ଗୋମାତାଙ୍କ ଶାପରୁ ମୁଁ ପାର ହେଲି ଏବେ
ତୁମ୍ଭେ ନାରାୟଣ ଯେଣୁ ଜାତହେଲେ ଗର୍ଭେ
ମାନବ ଦେହେ ଅଜ୍ଞାନ ହୋଇଥିଲି ଢ଼ାଳେ
ତୁମ୍ଭଙ୍କୁ ଦେଖିଣ ଜ୍ଞାନ ହେଲା ଯୋଗବଳେ
ମୁଁ ଦେବକୀ କଉଶଲ୍ୟା ରେଣୁକା ଅଦିତି
ଭାରା ନିବାରଣ ଅର୍ଥେ ଜାତ ଚାରିମୂର୍ତ୍ତି
ସବୁକାଳେ ମୋ ଗର୍ଭରୁ ତୁମ୍ଭେ ହୁଅ ଜାତ
ମୁହିଁ ଅଟେ ଆଦିଦେବୀ ତୁମ୍ଭ ବୃଦ୍ଧାମାତ
ତୁମ୍ଭଙ୍କୁ ପ୍ରସବକରି ପାଇ ଯୋଗମାର୍ଗ
ପୂର୍ବହେତୁ ଦୃଶ୍ୟ ହେଲା ଲାଭ ହେଲା ସ୍ୱର୍ଗ
ଯେତେଦିନ ତୁମ୍ଭଙ୍କୁ ମୁଁ ନ ଦେଖିଲି ବାବୁ
ଦଶଦିଗ ଅନ୍ଧକାର ହୋଇଥିଲା ସବୁ
ଏବେ ଯେ ଦେଖିଲି ତୁମ୍ଭରୂପ ପଦ୍ମମୁଖ
ଖଣ୍ଡିଲି ସକଳ ଭୟ ଜନ୍ମ ମୃତ୍ୟୁ ଦୁଃଖ
ବନ୍ଦୀଗୃହରେ ପ୍ରସବ ଦିନର ଯେ କଥା
ଦଇବ ଜାଣଇ ଏକା ମୋହର ଅବସ୍ଥା
ଏବେ ତ ସେ କଥା ଆଉ ନାହିଁ ମୋର ମନ
ତୁମ୍ଭଙ୍କୁ ଦେଖିଲି ଦୃଶ୍ୟ ହେଲା ଦିବ୍ୟଜ୍ଞାନ
ଏ ବଳରାମକୁ ଜାତ କଲି ଯେଉଁ ଦିନ
ମରୁ ଅବା ଜୀଉ ବୋଲି ମୂର୍ଚ୍ଛିଥିଲି ଜାଣ
ରୋହିଣୀ ତା ସଂହାରିଲା ଦେବ ଆଜ୍ଞା ପାଇ
ପ୍ରଳମ୍ୱା ଅନ୍ତୁଡ଼ିଶାଳୁ ନେଲାକ ଚୋରାଇ
ବୁଲାଇ ଫିଙ୍ଗନ୍ତେ ଦୈତ୍ୟ ପାଦ ବାଜି ମଲା
ଗୋପାଳେ ଦେଖିଲେ ପୁତ୍ର ଗୋଷ୍ଠେ ପଡ଼ିଥିଲା
ଏ ନନ୍ଦ ସହିଲା ପୁଣି ତୁମ୍ଭର ଆର୍ଦ୍ଦୋଳି
ଜଗତ ସୋଦର ତୁମ୍ଭେ ରାମ ବନମାଳୀ
ପାଇଲି ପୂର୍ବର ହେତୁ ଯିବି ସ୍ୱର୍ଗପୁରୀ
ନିଜ ଧାମ ପ୍ରାପ୍ତ ମୋତେ କର ଦେବହରି
ଗୋବିନ୍ଦ ବୋଇଲେ ମାତ ଆମ୍ଭକଥା ଶୁଣ
ଆମ୍ଭଭଳି ପୁତ୍ର ପାଇ ହୋଇବ କାରଣ
ଦ୍ୱାପର ଭାରତ ଯୁଦ୍ଧେ ହେବ ନାନାରଙ୍ଗ
ରକତେ କର୍ଦ୍ଦମ ହେବ ହାତୀ ରଥୀ ଅଙ୍ଗ
ଆବର ଦେଖିବ କେତେ ନାତି ପଣନାତି
ଦାସୀପଣେ ଖଟିଥିବେ ଲକ୍ଷ୍ମୀ ସରସ୍ୱତୀ
ବିପୁଳ କୁଟୁମ୍ୱ ଧନ ଜନ ବନ୍ଧୁବର୍ଗ
ମାଗୋ ତୁମ୍ଭେ ଯହିଁ ଥିବ ତହିଁ ଥିବ ସର୍ବ
ଏ ସକଳ ଭୋଗକର ନରତନୁ ବହି
ତୁମ୍ଭେ ବାଞ୍ଛା କଲେ ଅବା କିସ ନ ମିଳଇ
ଆମ୍ଭେ ବେନିଭାଇ ନିଜେ କରୁଥିବୁ ସେବା
ସମୟେକ ଅନ୍ତେ ସର୍ବେ ଏକାବେଳେ ଯିବା
ଦେବକୀ ବୋଇଲେ ତୁମ୍ଭେ ଭିଆଇଛ ସବୁ
ଯେ ତୁମ୍ଭର ଆଜ୍ଞା ତାହା କେ ଲଘିଂବ ବାବୁ
ତୋ ନାମ ଧରନ୍ତେ ହେବୁ ଭବନଦୀ ପାରି
ତୋ ଶ୍ରୀମୁଖ ଦେଖୁଥିଲେ ସ୍ୱର୍ଗ ନୁହେ ସରି
ନିସ୍ତରିଲି ନିସ୍ତରିଲି ସ୍ୱର୍ଗେ କାର୍ଯ୍ୟ ନାହିଁ
ସମୟେକ ବଞ୍ଚିଥିବି ତୁମ୍ଭ ମୁଖ ଚାହିଁ
କଲା କର୍ମମାନ ତୁମ୍ଭେ କରିପାର ଆନ
ମାଗିବଇଁ ଏକ ବର ଦିଅ ଭଗବାନ
ଶ୍ରୀକୃଷ୍ଣ ବୋଇଲେ ମାତା ଯେ ତୁମ୍ଭର ଇଚ୍ଛା
ସେହି ବର ମାଗି ଘେନ ପୂର୍ଣହେଉ ବାଞ୍ଛା
ଦେବକୀ ବୋଇଲେ ସର୍ବଘଟେ ତୁ ପୂରିଛୁ
ଆପଣେ ସକଳ ଜାଣୁ ମୋତେ କିପାଁପୁଚ୍ଛୁ
ଛ ପୁତ୍ର ମାଇଲା ମୋର କଂସ ମହାରଥା
ମୁଁ ତାହା ସୁମରି ମନେ ପାଉଅଛି ବ୍ୟଥା
ତାହାନ୍ତ ଜୀଆଇ ଯେବେ ଆଣିପାରୁ ବାବୁ
ତେବେ ସେ ଜାଣିବି ମୋତେ ପ୍ରାପ୍ତ ହେଲା ସବୁ
ତୁ ଯେବେ ପ୍ରାପତ ମୋତେ ହେଲୁ ନାରାୟଣ
ଏ ଦେହରେ ପାଇବି ମୁଁ ଅସମ୍ଭବ ଜାଣ
ଜଗନ୍ନାଥ ବୋଇଲେ ଗୋ ମାତ ହୁଅ ସ୍ଥିର
ଅବଶ୍ୟ ପୁତ୍ରଙ୍କୁ ଆଣିଦେବି ମୁଁ ତୁମ୍ଭର
ସାନ୍ଦୀପନୀ ପଣ୍ଡା ଘରେ ବିଦ୍ୟା ପଢ଼ିଯାନ୍ତେ
ଗୁରୁ ଦକ୍ଷିଣା ମାଗିବେ ପ୍ରସନ୍ନ ହୁଅନ୍ତେ
ତାହାଙ୍କର ଷଡ଼ପୁତ୍ର ଯାଇଛନ୍ତି ନାଶ
ସେ ମଧ୍ୟ ଆମ୍ଭଙ୍କୁ ପୁତ୍ର ମାଗିବେ ଅବଶ୍ୟ
ସଂଯବନୀପୁର ଆମ୍ଭେ ଯିବୁ ତହିଁପାଇଁ
ଏକାବେଳେ ସବୁ ପୁତ୍ର ଆଣିବୁ ଜୀଆଇଁ
ଦେବକୀ ବୋଇଲେ ବାବୁ ଯେ ତୁମ୍ଭର ଇଚ୍ଛା
ବିହନ୍ତା ପୁରୁଷ ତୁମ୍ଭେ ଅଟ ପୁଣ୍ୟ ଦୀକ୍ଷା
ଏ ତୁମ୍ଭର ବଚନ କେ କରିବ ଅନ୍ୟଥା
ପୁତ୍ର ନ ଦେଖିଲେ ମୋର ନ ଛାଡ଼ଇ ବ୍ୟଥା
ଶ୍ରୀକୃଷ୍ଣ ବୋଇଲେ ମାତ ଏହା ଲାଗେ ମୋତେ
ଜୀଆଇଁ ପୁତ୍ରଙ୍କୁ ନିଶ୍ଚେଁ ଆଣିଦେବି ତୋତେ
ଦେବକୀ ସଂପ୍ରତେ ଗଲେ କୃଷ୍ଣ ବଚନକୁ
ସେ କଥା ପାଇଲା ବସୁଦେବଙ୍କ ମନକୁ
ପ୍ରତ୍ୟକ୍ଷେ କଶ୍ୟପ ମୁନି ଗାୟତ୍ରୀଙ୍କ ଶାପେ
ନରତନୁ ବହିଛନ୍ତି ବସୁଦେବ ରୂପେ
ଜନ୍ମ ହୋଇ ବସୁଦେବେ କୃଷ୍ଣ କରି ମାୟା
ଆପେ ଚତୁର୍ଭୁଜ ହୋଇ ଦେଖାଇଲେ କାୟା
ନିଶାରେ ଯମୁନା ନଦୀ ଗଲେ ପାର ହୋଇ
ନନ୍ଦ ଘରୁ ଆଣିଥିଲେ କନ୍ୟା ପାଲଟାଇ
ତାହା ସବୁ ବସୁଦେବ ବିଚାରନ୍ତି ମନେ
ଶ୍ରୀହରିଙ୍କ ଅବତାର ଜାଣି ଦିବ୍ୟଜ୍ଞାନେ
ସେ କୃଷ୍ଣଙ୍କ ପାଦତଳେ ନିବେଶି ମାନସ
କହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ

ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକଯତି
ଶୁଣ ହୋ ପରୀକ୍ଷ ରାଜା ପଣ୍ଡୁ ପଣନାତି
ଏଥୁ ଅନନ୍ତରେ ପୁଣି କୃଷ୍ଣ କାମପାଳ
ନନ୍ଦରାଜା ଆଦିକରି ସମସ୍ତ ଗୋପାଳ
ମଧୁପୁରେ ରହି ଗୋପନଗର ପାସୋରି
କୃଷ୍ଣ ସଙ୍ଗେ ଯେ ଯାହାର ନିତ୍ୟକର୍ମ ସାରି
ଭୁଞ୍ଜିଲେ ସୁପକ୍ୱ ଅନ୍ନ ପାଇ ରାଜଗୋଷ୍ଠୀ
ଦିନୁ ଦିନ ସମସ୍ତଙ୍କ ଅଙ୍ଗ ହେଲା ପୁଷ୍ଟି
ହାସ୍ୟ ଲାସ୍ୟ ବିନୋଦରେ ବୁଲି ନାନରଙ୍ଗେ
ବିହରିଲେ ଗୋପସୁତେ ରାମକୃଷ୍ଣ ସଙ୍ଗେ
ଏମନ୍ତ ପ୍ରକାରେ ତହିଁ କେତେଦିନ ଗଲା
ଗୋପକଥା ଚିନ୍ତି ନନ୍ଦ ଉଚ୍ଚାଟ ହୋଇଲା
ରାମ କୃଷ୍ଣଙ୍କୁ ହକାରି କହଇ ଏସନ
ଘର ଛାଡ଼ି ପରବାସେ ଥିବା କେତେ ଦିନ
ଅପ୍ରମିତ ଗୋଧନ ଯେ ଗାଈ ଗୋରୁ ବତ୍ସା
ଦୁହିଁ ବାନ୍ଧି ପାଳି ତାଙ୍କୁ କେ କରିବ ରକ୍ଷା
ଖୁଣ୍ଟିଆ ଦଣ୍ଡପାଟ ଏ ରାଜାର ରାଜସ୍ୱ
ବଳେ ଦହି ଦୁଧ ନେବେ କରି ସର୍ବନାଶ
ହାଟ ପାଟଣା ଦାଣ୍ଡର ଘରସାର ବିଧି
ମୋହର ନ ଥିଲେ କେହି ନ ପାରନ୍ତି ସାଧି
ଅକ୍ରୂର ଆଣିଲା ଧାତିକାରେ ତ୍ୱରା କରି
ସମସ୍ତେ ମରିବେ ବାର୍ତ୍ତା ନ ପାଇଣ ଝୁରି
ଖଳବଳ ହୋଇ ଗୋପେ ହୋଇଣ ଉଚ୍ଚାଟ
ଥୋକାଏ ଦୂରକୁ ଆସି ଚାହୁଁଥିବେ ବାଟ
ଯଶୋଦାଙ୍କ ଦେହେ ଆଉ ଥିବ ଟିକି ଜ୍ଞାନ
ତୁମ୍ଭଙ୍କୁ ନ ଦେଖି ଅବା ଛାଡ଼ିଥିବେ ପ୍ରାଣ
ଦଣ୍ଡେ ମୂର୍ଚ୍ଛି ନ ପାରନ୍ତି ତୁମ୍ଭଙ୍କୁ ଜନନୀ
ଅନ୍ଧର ଲଉଡ଼ି ତୁମ୍ଭେ ଅଟ ପୁତ୍ର ବେନି
ଅନାଥର ବନ୍ଧୁ ତୁମ୍ଭେ ଦୁଃଖୀର ସଙ୍ଗାତ
କାର୍ଯ୍ୟ ସିଦ୍ଧି ହେଲା ଏଥେଁ ଥିବା କିପାଁ ତାତ
ବାବୁ କାର୍ଯ୍ୟ ସିଦ୍ଧି ହେଲା କିପାଇଁ ରହିବା
ଆପଣା ଗୃହକୁ ଚାଲ ସର୍ବ ଶୁଭେ ଯିବା
ନନ୍ଦମୁଖୁ ଶୁଣିକରି ଏସନକ ବାଣୀ
କହନ୍ତି ଅଳପ ହସି ହଳ ଚକ୍ରପାଣି
ଭୋ ତାତ ତୁମ୍ଭର ଆଗେ କହିବା ଅସାଧ୍ୟ
ଦେବକୀ ନିମନ୍ତେ ଆମ୍ଭେ କଂସ କଲୁ ବଧ
ତ୍ରିଭୁବନ କଣ୍ଟକ ସେ ଥିଲା ଅସୁରାଧି
ପରସ୍ତିରୀ ପରଧନ ହରିଲା ଦୁର୍ବୁଦ୍ଧି
ନାନାବିଧ ଅପକୀର୍ତ୍ତି ଅର୍ଜିଲା ଭୂତଳେ
ସକଳ ରାଜାଙ୍କୁ ରଣେ କରିଛି ଝିଙ୍ଗାସ
କଂସ ମଲା ଶୁଣି ରାଜ୍ୟ କରିବେ ସେ ଧ୍ୱଂସ
ଏତେ ବଡ଼ ରାଜା ବଧ କଲୁ ପର ବୋଲେ
ଉଗ୍ରସେନ ଅରକ୍ଷିତ ହେବ ଆମ୍ଭେ ଗଲେ
କଂସ ପରା ପୁତ୍ର ମଲା ହୋଇଛି ବିକଳି
ପରଚକ୍ର ପଡ଼ିଲେ କି ପାରିବ ସମ୍ଭାଳି
ସବୁ ନୃପେ ରିପୁ ହୋଇ ରହିଛନ୍ତି ତାକୁ
ସମଦଣ୍ଡ ବାହିବେ ସେ ନିଶ୍ଚେଁ ମଥୁରାକୁ
ମଥୁରା ନାଶ ଗଲେ କି ଗୋପରକ୍ଷା ହେବ
ଧନ ଧାନ୍ୟ ଗାଈ ଗୋରୁ ସବୁ ନାଶଯିବ
ରାଜା ନାଶ ଗଲେ ହେବ ଅରାଜ ସବୁହିଁ
କୁଟୁମ୍ୱ ସମ୍ପଦ ରଖି ନ ପାରିବେ କେହି
କାର୍ଯ୍ୟ ନ ପାଇବା ସର୍ବ ଧର୍ମ ଯିବ ନାଶ
ସଂସାରରେ ଅପକୀର୍ତ୍ତି ଶୁଭିବ ଅବଶ୍ୟ
ବୋଲିବେ ନନ୍ଦର ପୁଅ କଂସକୁ ମାଇଲା
ଅରକ୍ଷିତ ହେଲା ନଗ୍ର ରଖି ନ ପାରିଲା
ତୁମ୍ଭେ ତାତ ଆଗ ଯାଅ ଗୋପାଳଙ୍କୁ ଘେନି
ରାଜ୍ୟ ସୁସ୍ଥ କର ଆମ୍ଭେ ଯିବୁ ଭାଇ ବେନି
ଯଶୋଦା ମାତାଙ୍କୁ ତୁମ୍ଭେ କହିବେ ମନାଇ
କିଛି ଚିନ୍ତା ନ କରିବ ସେ ଆମ୍ଭର ପାଇଁ
ଆମ୍ଭ ପ୍ରିୟ ବନ୍ଧୁ ଯେତେ ଗୋପାଳ ଅଛନ୍ତି
ଅନେକ ପ୍ରବୋଧି ତୁମ୍ଭେ କହିବ ସବୁନ୍ତି
ପ୍ରତ୍ୟକ୍ଷରେ ଦେଖିଛନ୍ତି ସେ ଆମ୍ଭର କଥା
ବିଳମ୍ୱ ହୋଇଲେ ମନେ ନ କରିବ ଚିନ୍ତା
ବସୁନନ୍ଦ ଉପନନ୍ଦ ଚନ୍ଦ୍ରସେଣା ଆଦି
ସମସ୍ତଙ୍କୁ ପ୍ରବୋଧିଣ କହିବ ସମ୍ପାଦି
ରାମ କୃଷ୍ଣଙ୍କର ମୁଖୁଁ ଏ ବଚନ ଶୁଣି
ନନ୍ଦ ମନେ ଚିନ୍ତା କଲା ବ୍ରଜାଘାତ ଜାଣି
ଶରୀର ଭିତରୁ ଅବା ପ୍ରାଣ ଗଲା ଛାଡ଼ି
ପିମ୍ପୁଡ଼ି ମୁଣ୍ଡରେ ଗିରି ପଡ଼ିଲା କି ମାଡ଼ି
ଦଶଦିଗ ଅନ୍ଧକାର ହେଲା ଚାହୁଁ ଚାହୁଁ
ଓଷ୍ଠ କଣ୍ଠ ତାଳୁ ଶୁଖିଗଲା କହୁଁ କହୁଁ
ନୟନରୁ ଅଶ୍ରୁଜଳ ବହେ ଘନ ଘନ
ବାଳୁତ ପ୍ରାୟେକ ହେଲା ମନ ଛନ୍ନ ଛନ୍ନ
କ୍ଷଣକେ ଚେତନା ପାଇ ଚାହିଁ ପୁତ୍ରମୁଖ
ବୋଲେ ବୃଦ୍ଧକାଳେ ମୋତେ ଏ ଦାରୁଣ ଦୁଃଖ
ତୁମ୍ଭଙ୍କୁ ନ ଦେଖି ବଞ୍ଚିବଇଁ କେଉଁ ବାଗେ
ବିଧାତା ଦାରୁଣ ଦୁଃଖ ଦେଲା ଆଣି ଆଗେ
ବାବୁରେ ପ୍ରୟାଗ ବଟେ ଉଠି ଝାସ ଦେଲି
ପଞ୍ଚାକ୍ଷର ମନ୍ତ୍ର ଜପି ଶିବଙ୍କୁ ତୋଷିଲି
ତପଃସିଦ୍ଧ ହୋଇ ଦୃଶ୍ୟ ହେଲା ପୁଣ୍ୟବଳ
ଫଳିଲା ସେ କଲା କର୍ମ ମନବାଞ୍ଛା ଫଳ
ଧର୍ମ ମାର୍ଗ ମୋର ସିଦ୍ଧ ହୋଇଲାକ ଯହୁଁ
ତୁମ୍ଭ ପରା ବେନି ପୁତ୍ର ପାଇଲି ମୁଁ ତହୁଁ
ଦୁଃଖୀର ସଙ୍ଖାଳି ମୋର ପୁତ୍ର ଦୁଇଗୋଟି
ବିଶ୍ୱାସ ଘାତକ ହୋଇ କାଟୁଅଛ ତଣ୍ଟି
ମୁଁ ତୁମ୍ଭଙ୍କୁ ଏଥେଁ ଛାଡ଼ି ଗୋପପୁରେ ଗଲେ
ଏହା ଶୁଣି ଯଶୋବନ୍ତୀ ବର୍ତ୍ତିବ କି ଭଲେ
ବାବୁ ଗୋପପୁରେ ଛନ୍ତି ଯେତେ ଗୋପନାରୀ
ପଞ୍ଚଭୂତ ଆତ୍ମା ତୁମ୍ଭେ ଅଟ ସବୁଙ୍କରି
ଦଣ୍ଡେ ମାତ୍ର ନ ଦେଖିଲେ ମୂର୍ଚ୍ଛି ନ ପାରନ୍ତି
ପ୍ରତ୍ୟକ୍ଷ ଦେବତା ବୋଲି ସମ୍ପ୍ରତେ କରନ୍ତି
ତୁମ୍ଭେ ପ୍ରୀତି କରିଅଛ ଜଣ ଜଣ ସଙ୍ଗେ
ଏଡ଼େ ପ୍ରୀତି ଛାଡ଼ୁଅଛ କେବଣ ପ୍ରସଙ୍ଗେ ?
ଗୋବିନ୍ଦ ବୋଇଳେ ତାତ ନ ଯିବାର ନାହିଁ
ଅବଶ୍ୟ ନିକଟେ ଯିବୁ ଥିବ ବାଟ ଚାହିଁ
କାର୍ଯ୍ୟ ପାଇଁ ରହୁଅଛୁ ଆମ୍ଭେ ମଥୁରାରେ
ପିଣ୍ଡ ଏଥେଁ ଥିବ ପ୍ରାଣ ଥିବ ତୁମ୍ଭଠାରେ
ତୁମ୍ଭର ମନକୁ ଯେବେ ପ୍ରତେ ଲାଗୁନାହିଁ
ଆମ୍ଭ ସଙ୍ଗେ ଦିନାକେତେ ଥାଅ ଏଥେଁ ରହି
ରାଜ୍ୟ ପ୍ରଜା ହାନି ଲାଭ ସକଳ ବୁଝିବା
ଉଗ୍ରସେନ ଆଗେ କହି ସର୍ବେ ମିଶିଯିବା
ନନ୍ଦ ବୋଲେ ବାବୁ ରାଜ୍ୟେ ଘର ନାଶ ଯିବ
ଦଣ୍ଡକେ ସାଧିବା କାର୍ଯ୍ୟ ବରଷେ ଲାଗିବ
କହୁ କହୁ ବିଳମ୍ୱ ଯେ ହୋଇବ ଅବଶ୍ୟ
ନ ଗଲେ ଆମ୍ଭର ତେଣେ ସବୁ ଯିବ ନାଶ
ଅପ୍ରମିତ ଗୋରୁପଲ ବଳ ଅକଳଣା
ଧେନୁ ଷଣ୍ଢ ବତ୍ସା ଆଦି ଏକୁ ଏକ ଜିଣା
କେତେ କୋଟି କେତେ ଲକ୍ଷ କଳନା ନ ଜାଣି
ବେନ ଚରି ବୁଲୁଥିବେ ପିଇ ନଦୀ ପାଣି
ରଖୁଆଳ ବୋଲଣାରେ ନୁହନ୍ତି ଆୟତ୍ତ
ଦିନକେ ଉପୁଜେ ଦୁଇସସ୍ର ଭାର ଘୃତ
ଦଧି ଦୁଗ୍ଧ ଛେନା ସର ଗୋଟିକା ନିଯୋଗ
ବୋଲଣା ହୋଇବ ଦେବେ ନ ପାଇବେ ଭୋଗ
ଗ୍ରାମେ ବାସ କରିଥିଲେ କଳି ଦ୍ୱନ୍ଦ ଅଛି
ଆମ୍ଭର ନ ଗଲେ କେହି ନ ବୁଝିବେ କିଛି
ଗୋବିନ୍ଦ ବୋଇଲେ ତାତ ଆଗ ତୁମ୍ଭେ ଯାଅ
ବର୍ଷାକାଳ ହୋଇଲାଣି ଗୁହାଳ ଛୁଆଁଅ
ଗୋପାଳ ପୁଅଙ୍କୁ ଘେନି ଯାଅ ତୁମ୍ଭେ ବେଗି
ପଛେ ଯିବୁ ଆମ୍ଭେ ନୃପେ ଗ୍ରାମଭୂମି ମାଗି
ବୁଢ଼ା ହୋଇ ତୁମ୍ଭେ ଅର୍ଜି ବହୁତ ସମୃଦ୍ଧି
ଆମ୍ଭେ ତ ବାଳକ କିଛି କରିନାହୁଁ ସିଦ୍ଧି
ଦିନକାଳ କଟାଇଳେ ଖେଳ ଖେଳିବାରେ
ପାଠ ନ ପଢ଼ିଲୁ ମୂର୍ଖହେବୁ ଜଗତରେ
ଗଉଡ଼ ପିଲାଙ୍କ ସଙ୍ଗେ ଚରାଇଲୁ ଗାଈ
ରାଜନୀତି କଥାମାନ ଶିଖୁଲୁ ତ ନାହିଁ
ଏଣିକି ବସିବ ତୁମ୍ଭେ ବୁଢ଼ା ହୋଇ ଘରେ
ଆମ୍ଭଙ୍କୁ ପୋଷିବ ଆଉ କେବଣ ପ୍ରକାରେ
ଏଣୁ ଆମ୍ଭ କହୁଅଛୁଁ କେତେ ଦିନ ରହି
ବୃଦ୍ଧି ବିଦ୍ୟା ପାଠ ଶାଠ ଶିଖିବୁ ଏଠାଇଁ
ଶିକ୍ଷିତ ହୋଇଲେ ପୁଣି ଗୋପପୁରେ ଯିବୁ
ଗୋରୁ ଗୋପୀ ଗୋପାଳକୁ ସମ୍ଭାଳି ରଖିବୁ
କଥାଛଳେ ଭୁଲାଇଲେ ପ୍ରଭୁ ଚକ୍ରପାଣି
ଗଉଡ଼ ହାଉଡ଼ ତାହା ନ ପାରିଲା ଜାଣି
ଯାହାର ବୈଷ୍ଣବୀ ମାୟା ଦେବେ ଅଗୋଚର
ନନ୍ଦ ତା ଜାଣିବ କାହୁଁ ଗଉଡ଼ ମାତର
ଶ୍ରୀକୃଷ୍ଣ ବଚନେ ନନ୍ଦ ସନ୍ତୋଷ ହୋଇଲା
ଧାତିକାରେ ବେନି ଭାଇ ଯିବଟି ବୋଇଲା
ପ୍ରଣାମ କରାଇ ପୁଣି କହେ ଶତେବାର
ପାସୋରି ନ ଦେବ ରାଜ୍ୟ ପାଇ ନିଜ ଘର
ବିଳମ୍ୱ ହୋଇଲେ ପୁଣି ଆସିବି ଲେଉଟି
ଯଶୋବନ୍ତୀ କ୍ରୋଧ ହେଲେ କିସ କହିବିଟି
ଦିନକୁ ଦିନ ବାରତା ଦେଉଥିବ ଚାଳି
ନ ପୁଣ ପାସୋର ମୋତେ ରାମ ବନମାଳୀ
ଏତେ କହି ଯିବାପାଇଁ ବାହାରନ୍ତେ ନନ୍ଦ
ଦେଖି ଯେ ଯାହାରେ ସଜହେଲେ ଗୋପବୃନ୍ଦ
କୃଷ୍ଣ କାମପାଳ ପଛେ ଅଛନ୍ତି ଗୋଡ଼ାଇ
ମଧୁବନ ତୋଟା ମଧ୍ୟେ ଉଭାହେଲେ ଯାଇ
ଡଗର ମୁଖରୁ ତାହା ଶୁଣି ଉଗ୍ରସେନ
ବସୁଦେବ ଆଦିକରି ଅଇଲେ ବହନ
ନନ୍ଦକୁ ପ୍ରବୋଧ ବାକ୍ୟେ ସମସ୍ତେ ବୁଝାଇ
ଉପହାର କରି ଦେଲେ ରତ୍ନ ବସ୍ତ୍ର ନେଇ
ସ୍ୱହସ୍ତରେ ଶାଢ଼ୀ ମାଳା ଉଗ୍ରସେନ ଦେଲେ
ସୁବର୍ଣ୍ଣର ସିଂହାସନ ପୁଣି ସମର୍ପିଲେ
କୃଷ୍ଣ ସଙ୍ଗେ ଆସିଥିଲେ ଯେତେ ଗୋପବାଳ
ଯେଝା ଅନୁରୂପେ ତାଙ୍କୁ ଦେଲେ ଶାଢ଼ୀମାଳ
କାହାକୁ ସୁବର୍ଣ୍ଣ ହାର କାହାକୁ ବସନ
କାହାକୁ କୁଣ୍ଡଳ ଦେଲେ କାହାକୁ ରତନ
ତାଡ଼ ତୋଡ଼ ବିଦ ମୁଦୀ ବସ୍ତ୍ର ସୁନାସୂତା
କାହାକୁ ନୂପୁର ଦେଲେ କାହାକୁ ମୁକୁତା
ନେତପତନୀ ସିନ୍ଧୁଆ ମଖମଲ ପାଟ
ପାଟ ବାଛି ବେତବାଡ଼ି ଗୁଞ୍ଜରା ମୁକୁଟ
କର୍ପୂର କସ୍ତୁରୀ ମିଶା ସୁବାସ ଚନ୍ଦନ
ବୋଳିଲେ ନନ୍ଦର ଅଙ୍ଗେ ଆପେ ଉଗ୍ରସେନ
ତାମ୍ୱୁଳ ଦେଇଣ ବୋଲେ ଭୋଜ ଅବତଂସ
ଯାତ୍ରାପାଇଁ ଆଣିଥିଲା ତୋତେ ଦୁଷ୍ଟ କଂସ
ଯାତ୍ରାହିଁ ସରିଲା ତହିଁ କଂସ ହେଲା କ୍ଷୟ
ତୋ ପୁତ୍ରଙ୍କ ପ୍ରସାଦରୁ ଗଲା ସବୁ ଭୟ
ଜାଣିଲେ ତୁ ଜଗତର ସର୍ବ ଅଧିକାରୀ
ତୋର ଗୁଣ ହାଦେ ଆମ୍ଭେ ପାରୁକି ପାସୋରି
ଯୁଗେ ଯୁଗେ ରହିଥିବ ତୋର କୀର୍ତ୍ତିବାନା
ରାମ କୃଷ୍ଣ ପ୍ରତିପାଳ ମୁକ୍ତ ହେଲୁ ସିନା
ଜଗତ ନନ୍ଦନ ନାଥ ଦେବ ଶିରୋମଣି
ମୂର୍ତ୍ତିମନ୍ତ ନାରାୟଣ ପାଳିବୁ ତୁ ଜାଣି
ଆଠବର୍ଷ ବିହରିଲୁ ପୁଣି ତାଙ୍କ ସଙ୍ଗେ
ଆବର ପାତକ ଆଉ ଅଛି କି ତୋ ସଙ୍ଗେ
ନିମିଷକେ ଏହାଙ୍କର ସଙ୍ଗେ ହେଲେ ଗୋଷ୍ଠି
ସେ ଲୋକ ଲଭଇ ତପଫଳ କୋଟି କୋଟି
ଅଟନ୍ତି ପୁରୁଷ ଶ୍ରେଷ୍ଠ ଏ ଯେ ଭାଇ ବେନି
ଆମ୍ଭ ପୁଣ୍ୟ ହେଲା ୟାଙ୍କୁ ଅଇଲୁ ତୁ ଘେନି
କଟାଳ ନ କର ଆଉ ଏଥୁଁ ନେବାପାଇଁ
ଏ ଆମ୍ଭର ସଙ୍ଗେ ଥାନ୍ତୁ ଦିନାକେତେ ରହି
ଏ ତ ଉପକାରୀ ୟାଙ୍କୁ ଛାଡ଼ି ନୋହେ ମନ
କଢ଼ାଇ ଆଣିଲା ଧାତା କି ଯୋଗେ ଏ ସ୍ଥାନ
ଥୋକେ ଦିନ ରହିଥାନ୍ତୁ ଆମ୍ଭ ସହବାସେ
ଉଗ୍ରସେନ ବାକ୍ୟେ ନନ୍ଦ ଚାହିଁଲା ହରଷେ
ରାଜା ଆଗେ ନନ୍ଦ କହେ ଶିରେ କର ଯୋଡ଼ି
ଏ ବେନି କୁମର ମୋର ଅନ୍ଧର ଲଉଡ଼ି
ତୁମ୍ଭେ ଯେବେ ରଖିଅଛ ମନେ ଶ୍ରଦ୍ଧାକରି
ଯେ ତୁମ୍ଭର ଆଜ୍ଞା ତାହା କେବା ଲଘିଂପାରି
ମହତକୁ ଆଶ୍ରେକଲେ ମହତ ହୁଅନ୍ତି
ଉତ୍ତମ ପ୍ରାଣୀଏ ସିନା ରାଜପୂଜା ପାନ୍ତି
ଭୋ ଦେବ ଛାମୁରେ ଆଉ କହିବି ମୁଁ କେତେ
ଖେଳୁଆଳ ପୋଏ ମୋର ଲାଗିଲେଟି ତୋତେ
ଜାଣି ବା ନ ଜାଣି ପୁତ୍ରେ କରିଲେହେଁ ଦୋଷ
ତୁ ମହାତ୍ମା ତାଙ୍କଠାରେ ନ ଧରିବୁ ରୋଷ
ଏମନ୍ତ କହିଣ ନନ୍ଦ କରପତ୍ର ଯୋଡ଼ି
ସ୍ନେହେ ନିଉଛାଳି କଲା ରାଜା ପାଦେ ପଡ଼ି
ଉଗ୍ରସେନ ବୋଲେ ନନ୍ଦ ମନୁ ଛାଡ଼ି ଚିନ୍ତା
ଏ ତୋହର ବେନିପୁତ୍ର ତ୍ରୈଲୋକ୍ୟ ଜିଣନ୍ତା
ଯା ନାମ ଧରନ୍ତେ ଯମ ଦଣ୍ଡି ନ ପାରଇ
ତୁ ତାହାଙ୍କୁ ସମର୍ପିଣ କରୁ କିସ ପାଇଁ
ଚରାଚର ହାନିଲାଭ ଯାକୁ ଲାଗେ ଏକା
ଅପାରୁ ଅପାର ଯାର ମହିମା ଅଲେଖା
ଆଜଯାଏ ତାଙ୍କର ତୁ ମହିମା ନ ଜାଣୁ
ବାଳୁତ କୁମର ବୋଲି ମନେ ମନେ ମଣୁ
ଶୁଣ ହେ ପରୀକ୍ଷ ବଦୟନ୍ତି ଶୁକଯତି
ଉଗ୍ରସେନ କଥା ଶୁଣି ନନ୍ଦ ହେଲା ଶାନ୍ତି
ଜଗନ୍ନାଥେ ଆଜ୍ଞା ଦେଲେ ସାତ୍ୟକୀଙ୍କୁ ରାଇ
ନନ୍ଦଙ୍କୁ ଗୋପରେ ଛାଡ଼ ରଥରେ ବସାଇ
ଆବର ଗୋପାଳବାଳେ ସଙ୍ଗେ ଛନ୍ତି ଆସି
ପାଦଶ୍ରମ ପାଇବେ ସେ ଯାନ୍ତୁ ରଥେ ବସି
ଆଜ୍ଞା ପାଇଣ ସାତ୍ୟକି ରଥ ମଣ୍ଡି ବେଗେ
ଅଶ୍ୱ ଯୋଚି ରଥ ଟେକି ଉଭା କଲେ ଆଗେ
ମଙ୍ଗଳ ପଢ଼ିଲେ ଦ୍ୱିଜେ ରାଜ ଆଜ୍ଞା ପାଇ
ଗୋପାଳନ୍ତ ଘେନି ନନ୍ଦ ରଥରେ ବସାଇ
ବାହିଲେ ସାତ୍ୟକି ରଥ ଚଳେ ଧୀର ଧୀର
ଏଡ଼େ ମାୟା ଛଡ଼ାଇଲେ ରାମ ଦାମୋଦର
ଯମୁନାକୁ ପାର ହୋଇ ରଥ ଗଲା ଚଳି
ବସୁଦେବ ଉଗ୍ରସେନ ରାମ ବନମାଳୀ
ମଧୁବନ ତୋଟା ଛାଡ଼ି ନବରକୁ ଗଲେ
ସକଳ ଯାଦବେ ତାଙ୍କ ପଛରେ ଚଳିଲେ
ଯେ ଯାହାରେ ନିତ୍ୟକର୍ମ ସାରି ଯଥାବିଧି
ରାଜକାର୍ଯ୍ୟ ଆବୋରିଲେ ପାତ୍ର ପ୍ରତିନିଧି
ନିଶ୍ଚିନ୍ତେ ପାଳିଲେ ରାଜ୍ୟେ ଉଗ୍ରସେନ ରାଜା
ସାତବଂଶ ଯଦୁବୀରେ କଲେ ପାଦପୂଜା
ଅଣିମାଦି ରାଜସିଦ୍ଧି ଦଣ୍ଡ ସିଂହାସନ
ଆନନ୍ଦରେ ଭୋଗକଲେ ରାଜା ଉଗ୍ରସେନ
ହଂସ ଡ଼ିମ୍ୱ ବୋଲି ନାମ କଂସ ବେନି ବଳା
ଜରାସନ୍ଧ ନାତି ଦୁହେଁ ତେଜେ ଅନର୍ଗଳା
ହେତି ପ୍ରହେତି ଏ ଦୁହେଁ ଦୁହିଁଙ୍କର ମାତ
କଂସ ପରି ବେନି ପୁତ୍ର ବଳେ ବଳବନ୍ତ
ଦୁରାଚାର ଦୁଷ୍ଟବୁଦ୍ଧି ନିତି ସେ କରନ୍ତି
ଉଗ୍ରସେନ ନୃପତିର ଆୟତ୍ତ ନୁହନ୍ତି
କେଶୀର ପୁତ୍ର ଉଡ଼ଙ୍ଗ ଆଉ ଅଂଶୁମାଳି
ଶକଟା ନନ୍ଦନ ବେନି ବୀର ବେଲାବଳି
କଙ୍କଣ କାଳିନ୍ଦ ନାଗ ମୋହ ସଉମିତ୍ର
ଏ ଚାରିହେଁ ଅଟନ୍ତି ଷଣ୍ଢାସୁର ପୁତ୍ର
ପ୍ରତାପୀ ଦାନବ ବୋଲି ପୁତନାର ପୁଅ
ଅଘାସୁର ବେନି ସୁତେ ଜୟ ଯେ ବିଜୟ
ଚାଣୁର ବେନି କୁମର ଦୁର୍ଗମ ଦୁର୍ଜଟି
ମହୋଦର ନାମେ ପୁଣ ମୁଷ୍ଟିକ ପୁତ୍ରଟି
ଏମାନଙ୍କୁ ସଙ୍ଗେ ଧରି କଂସର କୁମରେ
ଅନୀତି କରନ୍ତି ବୁଲି ମଥୁରା ନଗରେ
ରାଜା ବୋଲ ନ ମାନନ୍ତି ତିଆରଲେ ଖଙ୍ଗ
ନିର୍ଦ୍ଦୟ ସେ ନିରପେକ୍ଷ ଅସୁରଙ୍କ ଅଙ୍ଗ
କଂସର ଅନ୍ତିମକ୍ରିୟା ସମାପନ କରି
ଯାଦବ ରହିଲେ ସୁଖେ ଭୟ ପରିହରି
ସୁଦାମାର ନନ୍ଦନ ସୁରଥ ପଦ୍ମନିଧି
ଗାର୍ଗ୍ୟମୁନି ଦେଲେ ତାଙ୍କୁ ବିଦ୍ୟା ସଦବୁଦ୍ଧି
ଦିବ୍ୟଜ୍ଞାନ ପାଇଲେ ସେ ମୁନିଙ୍କ ପ୍ରସାଦେ
ନିତି ସେବା କରିଥାନ୍ତି ରାମକୃଷ୍ଣ ପାଦେ
ହାତୀ ରଥୀ ପଦାତିକ ଅଶ୍ୱଙ୍କ ପାଳନ
ବିଧିମତେ ହେଲା ପୁଣି ଯଜନ ଯାଜନ
ଗାର୍ଗ୍ୟୁମୁନି ସମସ୍ତଙ୍କୁ ଦେଲେ ଉପଦେଶେ
ଧର୍ମେ ପ୍ରଜା ରକ୍ଷାକଲେ ସେ ଭୋଜ ନରେଶ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ବର୍ଣ୍ଣ
ଯେ ଯାହା ନିୟମେ ଥାଇ ଆଚରିଲେ ଧର୍ମ
ଅକାଳମରଣ ନାହିଁ ନାହିଁ ରୋଗ ବାଧା
ପାପ ହୁଡ଼ି ପ୍ରାଣୀମାନେ ଧର୍ମେ କଲେ ଶ୍ରଦ୍ଧା
ଏମନ୍ତେ ମଥୁରାପୁରେ ଅନେକ ସମୃଦ୍ଧି
ହାତୀ ରଥୀ ପଦାତି ଯେ ଅପ୍ରମିତ ଯୋଧୀ
ହାଟ ପେଣ୍ଠ ପାଟଣା ଯେ ବଜାର ସଜାଡ଼ି
ବିକିଲେ ସକଳ ଦ୍ରବ୍ୟ ପସରାନ୍ତି ବାଢ଼ି
ଯାଦବଙ୍କୁ ସଙ୍ଗେ ଘେନି ଉଗ୍ରସେନ ରାଜା
ରାମକୃଷ୍ଣ ଚରଣରେ ନିତି କଲେ ପୂଜା
ପ୍ରତ୍ୟକ୍ଷ ଏ ନାରାୟଣ ବୋଲି ଜାଣି ଲୋକେ
ବୈଷ୍ଣବ ଦୀକ୍ଷାରେ ଆସି ପୂଜାକଲେ ଥୋକେ
ନୃପତିମାନଙ୍କ ଆଗେ ଡ଼ଗରେ କହିଲେ
ବସୁଦେବ ବେନି ପୁତ୍ରେ କଂସକୁ ମାଇଲେ
ରାମକୃଷ୍ଣ ଅବତାର ସେହି ବେନି ରୂପେ
ନାରାୟଣ ବୋଲି ତାଙ୍କୁ ବୋଲନ୍ତି ସମସ୍ତେ
ଜନ୍ମ ହେଲା ଦିନୁ ଯାଇ ଗୋପପୁରେ ଥିଲେ
ନନ୍ଦ ଘରେ ଆଠବର୍ଷ କାଳ ସେ ବଢ଼ିଲେ
ସେଠାରେ ଅନେକ ଦୈତ୍ୟମାରି ନାନାରଙ୍ଗେ
ବାଳଲୀଳା କରିଥିଲେ ଗଉଡ଼ଙ୍କ ସଙ୍ଗେ
ଏବେ ସେ କଂସକୁ ମାରି ମଥୁରା ରହିଲେ
ଏମନ୍ତ ନୃପଙ୍କ ଆଗେ ଚାରେ ଜଣାଇଲେ
ଶୁଣିଣ ସନ୍ତୋଷ ହେଲେ ସକଳ ନୃପତି
ଥୋକେ ରାଜା ଏହା ଶୁଣି ମନେ କଲେ ଭ୍ରାନ୍ତି
ଦମଘୋଷ ଦନ୍ତଚକ୍ର ଶାଲ୍ୱ ଯେ ରୁକ୍ମଣ
ଗୋସିଂହ ନାରକାସୁର ବଜ୍ରନାଭ ବାଣ
ଜରାସନ୍ଧ ଶିଶୁପାଳ ଆଦି ଯେ ଶୁଣିଲେ
ପ୍ରମାଦ ପଡ଼ିଲା ବୋଲି ଅନ୍ତରେ ଜାଣିଲେ
ଇତି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନି
ଜଗତ କରତା ପ୍ରଭୁ କୃଷ୍ଣ ହଳଧର
ମୁଁ ଦୀନ ଅଚ୍ୟୁତ ଦାସ ସେବକ ତାଙ୍କର

ଏଥୁ ଅନନ୍ତରେ କଥା ଶୁଣ ନରନାଥ
ସାତ୍ୟକି ପ୍ରଖର ବେଗେ ବାହିନେଲେ ରଥ
ନନ୍ଦ ଆଦି ଗୋପସୁତେ ଥିଲେ ସେ ରଥରେ
ଗୋପାନଗ୍ରେ ପରବେଶ ହେଲେ ଧାତିକାରେ
ଦିବସେ ଉଦୟ କିବା ଗଗନରେ ଶଶୀ
ସେହିପରି ଆକାଶରୁ ରଥ ପଡ଼େ ଖସି
ନନ୍ଦର ନବର ଦ୍ୱାରେ ରହିଲା ସେ ଯାଇ
ସମସ୍ତ ବାଳ ଗୋପାଳେ ଅଇଲେ ଓହ୍ଲାଇ
ରଥରୁ ଓହ୍ଲାଇ ନନ୍ଦ ଗଲେ ନିଜପୁର
ସାତ୍ୟକି ମଥୁରା ଗଲେ ଘେନି ରହୁବର
ଯଶୋଦା ଛାମୁରେ ନନ୍ଦ ମିଳିଲେକ ଯାଇ
ଆଗହୁଁ ସେ ଯଶୋବନ୍ତୀ ଥିଲେ ବାଟ ଚାହିଁ
ପତି ପତ୍ନୀ ଭେଟ ହୋଇ ସ୍ନେହରସେ ବୁଡ଼ି
ନନ୍ଦ ପାଦଧୂଳି ଦେବୀ ବସ୍ତ୍ରେ ଦେଲେ ଝାଡ଼ି
ପତି ମୁଖ ଚାହିଁ ଦେବୀ ପଚାରନ୍ତି ଧୀରେ
ତୁମ୍ଭେ ତ ଅଇଲ କାହିଁ ଗଲେ ମୋ କୁମରେ
ପୁତ୍ରଙ୍କୁ ନ ଦେଖି ମୋର ଯାଉଅଛି ପ୍ରାଣ
ପଥ ତାହିଁ ଚାହିଁ ଚକ୍ଷୁ ହୋଇଲାଣି କାଣ
ସର୍ବ ଶୁଭବାର୍ତ୍ତା ନାଥ ମୋ ଆଗରେ କହ
ତେବେ ଜୀବ ପାଇ ଥୟ ହେବ ମୋର ଦେହ
ଯଶୋଦା ମୁଖରୁ ନନ୍ଦ ଏ ବଚନ ଶୁଣି
ବିଷାଦେ କହିଲେ ତାଙ୍କୁ ସୁକୋମଳ ବାଣୀ
ନେତ୍ର ବେନି ଥନ ଥନ କମ୍ପେ ଓଷ୍ଠପୁଟ
ସନ୍ତାପ ବାଧାରେ ବାକ୍ୟ ନ ଆସଇ ସ୍ପଷ୍ଟ
ଶୁଣ ଗୋ ଯଶୋଦା ତୋର ପୁତ୍ରଙ୍କର ରୀତି
ପ୍ରଥମେ ସେ ଯାହା କଲେ ଅସମ୍ଭବ କୀର୍ତ୍ତି
ଏଠାରୁ ଅକ୍ରୂର ନେଲା ରଥରେ ବସାଇ
ମଧୁବନେ ପହଞ୍ଚିଲେ ଯମୁନାକୁ ଡେଇଁ
ଗୋପାଳେ ରଜତ ତୁଠ ବସ୍ତ୍ର ଜୂର କଲେ
ରାଜାଲାଗି ମଢ଼ିଆଳ ବାଣ୍ଟିଣ ପିନ୍ଧିଲେ
କ୍ରୋଧରେ ରଜକମାନେ ପଡ଼ୁଥିଲେ ମାଡ଼ି
ଦେଖିଣ ଗୋପାଳେ ତାଙ୍କୁ ପିଟିଲେ ବାହୁଡ଼ି
ରଜକଙ୍କ ହାଡ଼ ଗୋଡ଼ ଚୂନା କରି ରାଗେ
ଧାଇଁଲେ ଗୋପାଳ ପୁଏ ତୋ ପୁଅଙ୍କ ସଙ୍ଗେ
ମଥୁରା କଟକ ଦାଣ୍ଡେ ଧସାଇ ପଶିଲେ
ଘୁମୁରା ବଜାଇ ହାଟପେଣ୍ଠ ଜୁର କଲେ
ଭୟଙ୍କର ରୂପ ଦେଖି ପୁରବାସୀ ଲୋକେ
ଘରଦ୍ୱାର କିଳିଦେଇ ଲୁଚିଲେ ଆତଙ୍କେ
ଖଣ୍ଡେ ଦୂରେ ଦେଖିଲେ ସେ ରାଜା ଗନ୍ଧପେଡ଼ି
ନବରକୁ ନେଉଥିଲା କୁବୁଜା ସଜାଡ଼ି
ତୋ ପୁତ୍ରଙ୍କୁ ଦେଖି କୁଜୀ ଆନନ୍ଦ ହୋଇଲା
ସୁଗନ୍ଧ ଚନ୍ଦନ ପେଡ଼ି ତାଙ୍କୁ ଯୋଗାଇଲା
ଦୁଇପୁତ୍ରେ ଗନ୍ଧ ଲାଗି ହୋଇଲେ ଆପଣେ
ଗୋପାଳ ପୁଅଙ୍କୁ ଯାଚି ଦେଲେ ଜଣେ ଜଣେ
ଆବର ଅପୂର୍ବ ଯାହା ଦେଖିଲୁ ନୟନେ
ତା କହିବା ଶୁଣ ଏବେ ତୋର ବିଦ୍ୟମାନେ
ଗନ୍ଧପେଡ଼ି ନେଉଥିଲା ଯେଉଁ କୁଜୀନାରୀ
ରାମ କୃଷ୍ଣ ଦରଶନେ ହେଲା ବିଦ୍ୟାଧରୀ
ପୁଷ୍ପକ ବିମାନ ଆସି ତା ଆଗେ ଲାଗିଲା
ସମସ୍ତେ ଦେଖୁଛୁଁ ସେହୁ ସ୍ୱର୍ଗକୁ ଚଳିଲା
ତହୁଁ ଥୋକେ ଦୂର ଯାନ୍ତେ ରାମ ବନମାଳୀ
ସୁବାସ କୁସୁମ ହାର ଯୋଗାଇଲା ମାଳୀ
ପାନ ଖାଇ ଫୁଲ ଘେନି ବିକାଶିଣ ଶୋଭା
ଆପେ ଆପେ ପୁଏ ତୋର ବାନ୍ଧିହେଲେ ଗଭା
ଯାତ୍ରୀଲୋକେ ତାହା ଦେଖି ହେଲେ ଚମତ୍କାର
ବୋଇଲେ ସ୍ୱର୍ଗ ତେଜି କି ବିଜେ ପୁରନ୍ଦର
ଏକ ଦୃଷ୍ଟିରେ ଯାଦବେ ବେଢ଼ିଛନ୍ତି ଚାହିଁ
ରଙ୍ଗ ସଭାରେ ଉଠିଲେ ରାମକୃଷ୍ଣ ଯାଇ
ପୁର ମଣ୍ତାଇଣ ଡେରିଥିଲେ ଯେ କୋଦଣ୍ଡ
ଅବହେଳେ ଧନୁ କଲେ କୃଷ୍ଣ ବେନିଖଣ୍ଡ
ଯଦୁବୀରେ ଧନୁଭଗ୍ନ ଦେଖି କଲେ ଭୟ
ଅନ୍ତଃପୁରେ ଏ ବାରତା ଶୁଣି କଂସରାୟ
ସିଂହଦ୍ୱାପେ ବନ୍ଧାଇଲା କୁବଳୟା ହସ୍ତୀ
ତାକୁ ଦେଖି ବେନିଭାଇ ମାଇଲେ ବିକୋତି
ଚାଣୁର ମୁଷ୍ଟିକ ମଲ୍ଲ ସିଂହଦ୍ୱାରେ ଥିଲେ
ଘୋର ଯୁଦ୍ଧକରି ତାଙ୍କୁ ତୋପୋଏ ମାଇଲେ
ଜଗତୀ ଉପରେ କଂସ ଥିଲାକ ଗୁପତେ
କେହି ନ କହିଲେ ତାହା ଜାଣିଲେ କେମନ୍ତେ
ରାଜାଧିରାଜ ସେ ବଳବନ୍ତ ଶିରୋମଣି
ଜଗତୀର ତଳେ ତାକୁ କଚାଡ଼ିଲେ ଆଣି
କହିଲେ ଦୁର୍ଲ୍ଲଭ ତାହା ଶ୍ରୁତି ଅଗୋଚର
ଅପାର ମହିମା କଲେ ତୋ ବେନି କୁମର
ଚୌରାଶୀକୋଟି ଯାଦବେ ଦେଖି କଲେ ପୂଜା
କଂସ ମାରି କରାଇଲେ ଉଗ୍ରସେନେ ରାଜା
ଦୁଇଭାଇ ବସିଲେକ ସିଂହାସନ ମାଡ଼ି
ତଳେ ଉଗ୍ରସେନ ଥିଲେ କରପତ୍ର ଯୋଡ଼ି
କଂସ ମାରି ରାମକୃଷ୍ଣ ବସୁଦେବ ପୁରେ
ବିଜେକରି ରାଜପୂଜା ଘେନିଲେ ସେଠାରେ
ଚୌରାଶୀ କୋଟି ଯାଦବେ ରହିଛନ୍ତି ମାନି
କ୍ଷଣେ ନ ଛାଡ଼ନ୍ତି ଉଗ୍ରସେନ କୋଳେ ଘେନି
କଂସକୁ ମାଇଲା ଦିନୁ ସର୍ବେ କଲେ ଭୀତି
ଦେବତା ସମାନେ ମାନି ଅର୍ଚ୍ଚନା କରନ୍ତି
ବହୁତ ବିନୟୀ ମୋତେ ଉଗ୍ରସେନ ରାୟେ
ପାଛୋଟି ଅଇଲେ ଆପେ ମଧୁବନ ଯାଏ
ପୁତ୍ରଙ୍କୁ ଘେନିଣ ଗୋପେ ଆସୁଥିଲି ମୁହିଁ
ସମସ୍ତ ଯାଦବେ ବାଟୁ ନେଲେ ବାହୁଡ଼ାଇ
ଅପାର ଗୌରବ କରି ରଖି ଦିନା କେତେ
ଛାଡ଼ିଦେବେ ବୋଲି ସତ୍ୟ କହିଛନ୍ତି ମୋତେ
ମନେ ଚିନ୍ତା ନ କର ତୁ ଆଗୋ ଯଶୋବନ୍ତୀ
କଂସ ମଲାରୁ ସରିଲା ସବୁ ଭୟ ଭ୍ରାନ୍ତି
ସଦବିଦ୍ୟା ସଦଗୋଷ୍ଠୀ କେତେ ପୁଣ୍ୟେପାଇ
ସୁପଣ୍ଡିତ ପୁତ୍ର ହେଲେ ରାଜପୂଜା ପାଇ
ଅନେକ କାଳରୁ ଥିଲା ଯେତେକ ଅକର୍ମ
ଏଠାରେ ଦିଶିଲା ତାହା ଯାଇ ଆମ୍ଭ ଧର୍ମ
ଦଶବର୍ଷ ଶେଷ ହେଲା କାଲି ଦେଖୁ ଦେଖୁ
ନିକଟେ ଆସିବେ ପୋଏ ଦିନ ଲେଖୁ ଲେଖୁ
ଉଗ୍ରସେନ ରଖାଇଲେ ତାଙ୍କୁ ଶ୍ରଦ୍ଧା କରି
ରାଜାଙ୍କର ଆଜ୍ଞା ପ୍ରିୟେ ଲଘିଂତ ନ ପାରି
ବୁଝାଇ କହନ୍ତେ ନନ୍ଦ ଏସନକ ବାଣୀ
ଯଶୋବନ୍ତୀ ସମ୍ଭୀଭୂତ ହେଲେ ତାହା ଶୁଣି
ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ
ହା ହା ପୁତ୍ରବୋଲି ଦେବୀ ହୋଇଲେ ବିକଳ
ଅନାଥ ବାନ୍ଧବ ମୋର ଅନ୍ଧକ ଲଉଡ଼ି
ଦେଖୁ ଦେଖୁ ନାଥ କେହ୍ନେ ଅଇଲ ଯେ ଛାଡ଼ି
ତୁମ୍ଭେ କି ନ ଜାଣ ମୋର ପୁତ୍ରଙ୍କର କଥା
ଦଣ୍ଡେ ନ ଦେଖିଲେ ମନେ ଲାଗୁଥାଇ ବ୍ୟଥା
କେମନ୍ତେ ପୁତ୍ରଙ୍କୁ ମୂର୍ଚ୍ଛି ଅଇଲଟି ଅବା
ରାମକୃଷ୍ଣ ନ ଥିଲେ କି ପୁର ଦିଶେ ଶୋଭା
ନବର ମନ୍ଦିର ନାରଖାର ତ ଦିଶିଲା
ପୁଣ୍ୟକ୍ଷୟ ଯାଇ ଏବେ ପାପ ପ୍ରସରିଲା
କେତେ କଷ୍ଟେ ପୁତ୍ର ବେନି ପାଳିଥିଲି ଆହା
କହୁ କହୁ ଧାତା ହରି ଘେନିଗଲା ତାହା
କେତେ ଗୁଣ ବାହୁନିବି ବସି ଏକେ ଏକେ
କିସ ପଟାନ୍ତର ଦେବି ଏ ତିନି ତ୍ରୈଲୋକ୍ୟେ
ଭୋ ନାଥ ଅନ୍ତୁଡ଼ି ଶାଳ କଥା ଅଛ ଜାଣି
କପଟେ ଆସି ପୂତନା ନାମେ ରାକ୍ଷସୁଣୀ
ବିଷ ଦୁଧ ପିଆଇଣ ଆପେ ନାଶ ଗଲା
ଦ୍ୱିଦିନ କଅଁଳା ପୁଅ ଏଡ଼େ କର୍ମ କଲା
ପୁଣି ତୃଣାବର୍ତ୍ତ ଦୈତ୍ୟ ନେଲାକ ଉଡ଼ାଇ
ଆକାଶ ମାର୍ଗରେ ଥାଇ ଦେଲା ଫୋପଡ଼ାଇ
ଅସୁରକୁ ଘେନି ପୁତ୍ର ପଡ଼ି ମହୀତଳେ
ତେଡ଼େ ପ୍ରମାଦରୁ ରକ୍ଷା ହେଲା ପୁଣ୍ୟବଳେ
ଯାମଳା ଦୁଃସହ ଯେଉଁ ଅରଜୁନ ବୃକ୍ଷ
ସେ କୃଷ୍ଣ ଅଙ୍ଗରେ ମାଡ଼ି ପଡ଼ିଲା ପ୍ରତ୍ୟକ୍ଷ
ବାଳୁତ ପୁଅର ବାମ ପାଦ ହାବୁଡ଼ନ୍ତେ
ଖଣ୍ଡ ଖଣ୍ଡ ହୋଇ ବୃକ୍ଷ ପଡ଼େ ଶୂନ୍ୟପଥେ
ତଦନ୍ତେ ଶକଟାସୁର ଅଇଲା କପଟେ
ଅବହେଳେ ରାମକୃଷ୍ଣ ଖେଳୁଥିଲେ ବାଟେ
ଶଗଡ଼ ମାଡ଼ନ୍ତେ କୃଷ୍ଣ ଯୋଗେ ଜାଣି ଭଲା
ବାମପାଦ ଝାଡ଼ି ଦ୍ୟନ୍ତେ ଶୂନ୍ୟେ ଉଡ଼ିଗଲା
ଧୂଳିଖେଳ କାଳେ କୃଷ୍ଣ ଭକ୍ଷିଥିଲେ ମାଟି
ମୁଁ ରାଢ଼େଣୀ କୋପଭରେ ଧରି ପୁତ୍ର ପିଟି
ମୁଖରେ ଅଙ୍ଗୁଳି ଭରି ବିସ୍ତାରିଲି ତୁଣ୍ଡ
ଗର୍ଭରେ ଦିଶିଲା ମୋତେ ସପତ ବ୍ରହ୍ମାଣ୍ଡ
ଏ ସକଳ କଥା ମୁହିଁ ପ୍ରତ୍ୟକ୍ଷେ ଜାଣଇଁ
ସେ ପୁତ୍ରକୁ ଦେଖି ସବୁ ଦୁଃଖ ପାସୋରଇଁ
ଗୋ ଗୋଷ୍ଠରେ ରହିଥିଲା ଷଣ୍ଢାସୁର ଲୁଚି
ହେମାରାବ କରିଣ ସେ ମାଇଲା ପହଞ୍ଚି
ବଜ୍ର ସହ ଶୃଙ୍ଗ ତାରେ ପ୍ରହାରନ୍ତେ ଆଣି
ଚାପୋଡ଼ା ମାଇଲା ତାକୁ କୃଷ୍ଣ ତାହା ଜାଣି
ସେହି ଚାପୋଡ଼ାରେ ତାର ମୂର୍ଦ୍ଧା ହେଲା ଚୂନା
ଏତିକିରେ ନାଶଗଲା ଷଣ୍ଢାସୁର ଯେନା
ଯମୁନା ନଦୀର ତୀରେ କାଳିନାଗ ଭୟେ
ଡରେ ପଥ ନ ଚାଲନ୍ତି ପାଞ୍ଚ କୋଶଯାଏ
ପ୍ରଚଣ୍ଡ ଅନଳ ସମ ବିଷ ଜ୍ୱଳା ବଳି
କୂଳ ବୃକ୍ଷେ ପୋଡ଼ିଯାନ୍ତି ତା ତେଜରେ ଜଳି
ଉପରେ ପକ୍ଷୀଏ ଉଡ଼ି ନ ପାରନ୍ତି ଡରେ
ରାତ୍ର ଦିନ ବିଷ ବୃଷ୍ଟି ହୁଏ ନିରନ୍ତର
ବାଳୁତ କାଳୁ କୃଷ୍ଣର ଅଟେ ଏଡ଼େ ଦର୍ପ
ଘଉଡ଼ି ବାହାର କଲା ତେଡ଼େ ବଡ଼ ସର୍ପ
ଭୋ ନାଥ ତୁମ୍ଭେ ତ ଜାଣ ଇନ୍ଦ୍ରପୂଜା ଦିନ
ଖଟୁଲିରେ ମାଡ଼ିବସି କୃଷ୍ଣ ଭଗବାନ
ପଇଡ଼ ଗୋଟିକା ଇକ୍ଷୁପଣା ଖଣ୍ଡ ଖଜା
ସବୁଖାଇ ଆପେ କୃଷ୍ଣ ଘେନିଲେ ସେ ପୂଜା
ସେଥିପାଇଁ ମହାକୋପ କରି ବଜ୍ରପାଣି
ଆପଣେ ବିଜୟ କଲେ ସମଦଣ୍ଡ ଘେନି
ସାତଦିନ ସାତ ରାତ୍ରି କଲେ ଘୋର ବୃଷ୍ଟି
କମ୍ପିଲା ଗର୍ଜ୍ଜନ ଘାତେ ଚରାଚର ସୃଷ୍ଟି
ଅସ୍ଥି ଖପରା ସହିତେ ଶାଳ ଶିଳ ବର୍ଷି
ଦିବସେ ଅନ୍ଧାର କିବା ହେଲା ଘୋର ନିଶି
ଭୟଙ୍କର ବିଜୁଳି ଯେ ପ୍ରଚଣ୍ଡ ପବନ
ବଜ୍ରାଘାତେ ତରୁମାନେ ହେଲେ ଛିନ୍ନଭିନ୍ନ
ଶ୍ରୀକୃଷ୍ଣର ମୁଖ ଚାହିଁ ସମସ୍ତେ ବିକଳ
ପର୍ବତ ଟେକିଲା କରେ ସାତ ବର୍ଷକାଳ
ଅପାର ଗୋପାଳ ଗୋରୁ ସମ୍ପଦ ସହିତେ
ଗିରିତଳେ ଆଶ୍ରାକଲେ ଯେ ଯାହାର ମତେ
ଏତେକରି ଇନ୍ଦ୍ର ଯହୁଁ ନ ପାରିଲେ ଜିଣି
ବଜ୍ରଶର ପ୍ରହାରିଲେ କୋପେ ସେହିକ୍ଷଣି
ବଜ୍ର ଚୂନା ହୋଇଯାନ୍ତେ ନ ସ୍ଫୁରିଲା ବୁଦ୍ଧି
ଉପଇନ୍ଦ୍ର ପଦ ଦେଇଗଲେ ଜମ୍ଭଭେଦୀ
କେଶୀ ଅଘା ବକାସୁର ପ୍ରଳମ୍ୱା ଗରିଷ୍ଠ
ଏମାନଙ୍କୁ ଆଦିକରି ଯେତେ ମହାଦୁଷ୍ଟ
ମୋ ପୁତ୍ରଙ୍କୁ କଲେ ଆସି ଯେତ ଅମରିଷ
ଦଇବ ଯୋଗରୁ ଗଲେ ଯେ ଯାହାରେ ନାଶ
ବଳବନ୍ତ ରୂପବନ୍ତ ସର୍ବ ଗୁଣ ରାଶି
ଆମ୍ଭେ ସର୍ବେ ତାରାଗଣ ରାମକୃଷ୍ଣ ଶଶୀ
ଦିବସେ ଅନ୍ଧାର ମୋତେ ଦିସେ ଦଶ ଦିଶ
କେମନ୍ତେ ଆସିବେ ଆଉ ରାମ ହୃଷୀକେଶ
କିପରି ମୁରୂଛି ତାଙ୍କୁ ଆସିଅଛ ଛାଡ଼ି
ଥୋକାଏ ଦୂରରୁ କିପାଁ ନ ଗଲ ବାହୁଡ଼ି
ରାଜା ଆଗେ ନ କହିଲ କିପାଁ ଆଉ ବେଳେ
କୁଳଚନ୍ଦ୍ରମାଙ୍କୁ ମୋର ମୂରୁଛିଲ ଢ଼ାଳେ
ତୁମ୍ଭଙ୍କୁ କହିବି କିସ ମୋର ମନ୍ଦକର୍ମ
ସପ୍ତାଙ୍ଗେ କଟାଳ କଲା ଆସିମୋତେ ଧର୍ମ
ରାମ କୃଷ୍ଣଙ୍କୁ ନ ଦେଖି ମୁଁ ବଞ୍ଚିବି କି ଢ଼ାଳେ
ଆହା ଦୈବ ଘଟାଇଲୁ ଏହା କର୍ମଫଳେ
ଏତେବୋଲି ଯଶୋବନ୍ତୀ କରନ୍ତି ରୋଦନ
ଆହା ମୋର ପୁତ୍ର ବଳଦେବ ଭଗବାନ
କହୁ କହୁ ନନ୍ଦଘରେ ଶୁଭିଲା ଚହଳ
ସବୁ ଗୋପ ଗୋପୀ ଆସି ହେଲେ ଏକଠୁଳ
ଅପୂର୍ବ ସୁନ୍ଦରୀ ସର୍ବେ ଗୋପପୁର ବାଳୀ
କାମବଶେ ସୁମରନ୍ତି ନିତି ବନମାଳୀ
ପଚାରନ୍ତି ନନ୍ଦ ମୁଖ ଚାହିଁ ବାରମ୍ୱାର
କି ବୋଇଲେ ରାମକୃଷ୍ଣ କହ ତା ସତ୍ୱର
କେତେ ଦିନେ ଆସିବେ ସେ କହ ତାହା ଜବ
ସତେ କି ମୂରୁଛି ଦେବେ ଆମ୍ଭଙ୍କୁ ମାଧବ
ଆମ୍ଭ ତହୁଁ ସମାଦର ସେ ପାଇବେ କାହିଁ
ଯହିଁ ଥିଲେ ତାଙ୍କ ମନ ଥିବ ଆମ୍ଭ ତହିଁ
ଏହି ଯେ କାଳିନ୍ଦୀ ନଦୀ ଏହି ବୃନ୍ଦାବନ
ଏହି କଦମ୍ୱର ଶିଖେ କରି ବେଣୁସ୍ୱନ
ନାନା କଉତୁକ ଯେତେ କେଳି କରିଛନ୍ତି
ତା ମନେ ପଡ଼ିଲେ କେଭେ ମୂର୍ଚ୍ଛି ନ ପାରନ୍ତି
ନନ୍ଦ ବୋଲେ କେହି ଶୋକ ନକର ଗୋ ଆର୍ତ୍ତେ
ତୁମ୍ଭଙ୍କୁ ବୋଧିବା ପାଇଁ ପଠାଇଲେ ମୋତେ
ସେହି ଆଜିକାଲି ପରି ନିକଟେ ଆସିବେ
ରାଜା ଆଜ୍ଞା ନ ଭାଙ୍ଗିଣ କିଛିଦିନ ଥିବେ
ବିଳମ୍ୱ ହୋଇଲେ ଆମ୍ଭେ ଆଉ ଥରେ ଯିବା
ଉଗ୍ରସେନ ଆଗେ କହି ଅବଶ୍ୟ ଆଣିବା
ନନ୍ଦ କହିଲେକ ଯହୁଁ ଏସନକ ବାଣୀ
ଗୋପ ନଗ୍ର ଲୋକେ ଚିନ୍ତା ଛାଡ଼ିଲେ ତା ଶୁଣି
ଯଶୋଦା ସମ୍ପ୍ରତେ ଯାଇ ନନ୍ଦର ବଚନେ
ବୋଲେ ଯାତ୍ରା ଦେଖି ଯାଇ ନ ଆସିବେ କେହ୍ନେ
ପୂର୍ବେ ଯାହା କରିଅଛି ବିଧାତା ପୁରୁଷ
ତହିଁକି ନିସତ ହେଲେ ହେବ ଆଉ କିସ
ମୁଁ ଅବା ଆତଙ୍କ ମନେ ମୂର୍ଚ୍ଛି ନ ପାରୁଛି
ଦଇବ ସକଳ କଥା ଘଟଣା କରୁଛି
ଅବିରୋଧେ ପୁତ୍ରେ ମୋର ଅଛନ୍ତି ଜୀବନ୍ତା
ଯେତେଦିନେ ଆସନ୍ତୁ ସେ ନାହିଁ ମୋର ଚିନ୍ତା
ଦିନକୁ ଦିନ ବାରତା ପାଇବି ପ୍ରତ୍ୟକ୍ଷେ
ତହିଁରୁ ବିଳମ୍ୱ ହେଲେ ମୁଁ ଯିବଇଁ ପଛେ
ନଗ୍ର ନାରୀନର ମନେ ଭାବି ଏହି କଥା
ଏକୁ ଏକ ତିଆରନ୍ତି ଛାଡ଼ ମନୁ ବ୍ୟଥା
ଯୋଶାଦା ଦେବୀର ପୁତ୍ରେ ସର୍ବ ଅନ୍ତର୍ଯ୍ୟାମୀ
ସର୍ବ ଭୂତ ଘଟେ ପୂରି ରହିଛନ୍ତି ସ୍ୱାମୀ
ଏତେ ବୋଲି ଗୋପାଲୋକେ ହୋଇଣ ହରଷ
ମନକୁ ସମ୍ପ୍ରତେ କରି ଗଲେ ଯେଝାବାସ
ନାମ ରୂପ ଚିନ୍ତାରପି ଚାହୁଁଥାନ୍ତି ବାଟ
ରାତ୍ର ଦିବସେ ଲାଗିଲା ଗୋବିନ୍ଦେ ଉଚ୍ଚାଟ
ରାମକୃଷ୍ଣଙ୍କର ଗୁଣ ଗାଇ ଯେ ଯାହାରେ
ଭୋଜନ ଶୟନ ଆଦି ନ କଲେ ଦୁଃଖରେ
ସ୍ତ୍ରୀ ପୁରୁଷ ଆଦି ଯେତେ ଗୋପପୁର ଜନ
ରାମକୃଷ୍ଣ ଆସିବାକୁ ଡ଼େରିଛନ୍ତି କାନ
ଇତି ଶ୍ରୀ ପୁରାଣ ପୁଣ୍ୟ ଭାଗବତ ଧ୍ୱନି
ପବିତ୍ର ଗଙ୍ଗା ଜଳ ଏ ଗ୍ରନ୍ଥ ପୁଣ୍ୟମୟେ
ଇନ୍ଦ୍ର ସପ୍ତଚତ୍ୱାରିଂଶ ଅଧ୍ୟା ଶେଷ ହୋଏ
ବନ୍ଦଇ ଶାରଦା ମାଗୋ ବିଷ୍ଣୁ ପାଟାରଣୀ
ତୁ ପରମ ମାହେଶ୍ୱରୀ ଜ୍ଞାନ ଚିନ୍ତାମଣି
ବ୍ରହ୍ମାର ନନ୍ଦିନୀ ଦେବୀ ଅଟୁ ବୁଦ୍ଧି ମାତ
ଚାରିବେଦ ଷଡ଼ ଶାସ୍ତ୍ର ତୋ ବାକ୍ୟରୁ ଜାତ
ଗୋକ୍ଷୀର ଶଙ୍କ ପରାୟେ ବିରାଜଇ ତନୁ
ଯୋଗ ନିଦ୍ରାରେ ବିଷ୍ଣୁଙ୍କ ସୀମସ୍ଥାନେ ଜାନୁ
ବଜାଇ ସୁସଞ୍ଚ ବୀଣା ଗାନ୍ଧାର ଉଚ୍ଚାରି
ସୁଲଳିତ ଗୀତେ ତୋଷ କଲୁ ଦେବହରି
ନାନା ରତ୍ନ ଆଭରଣେ ଭୂଷଣ ତୋ ଅଙ୍ଗ
ବୁଦ୍ଧି ବିଦ୍ୟାଦାୟିନୀ ତୁ ଜାଣୁ ନାନାରଙ୍ଗ
ଭର ହର ମୁଦ୍ରା ମୂଳେ ହେଉଛନ୍ତି ଗଞ୍ଜି
ପାପ ପୁଣ୍ୟ ଲେପନ ଯେ କୃତାନ୍ତକ ପାଞ୍ଜି
ଦିନେ ଗଲେ ପ୍ରାଣୀ ଆୟୁ ହେଉଅଛି ନାଶ
କହୁ କହୁ ସମାପତ ଶତେକ ବରଷ
ବାଳକ ତରୁଣ ବୃଦ୍ଧ ଏହି ତିନିରୂପ
ମାୟାଜାଲ ଛନ୍ଦେ ପଡ଼ି ପ୍ରାଣୀ କରେ ପାପ
ତାହା ଘେନି ଭୁଞ୍ଜଇ ସେ ଶୁଭାଶୁଭ କର୍ମ
ପାପ ପୁଣ୍ୟ ଫଳେ ପାଏ ନାନା ଯୋନି ଜନ୍ମ
ପୂର୍ବେ ଯାହା ଦେଇଥାଏ ଏବେ ତାହା ପାଏ
ନିଜେ କଲା କର୍ମ ଫଳ ସଙ୍ଗେ ସଙ୍ଗେ ଯାଏ
ପାଣିର ଭିତରେ ଯେହ୍ନେ ଜଳବିମ୍ୱ ଫୁଟି
ତେସନ ସଞ୍ଜାତ ଏହି ଜୀବ ଆତ୍ମା ଗୋଟି
ଦେହେ ପ୍ରାଣ ଥିବାଯାଏ ଶରୀର ବରଣି
ଜୀବ ଛାଡ଼ିଗଲେ ତାକୁ ଅଶୁଚିରେ ଗଣି
ବ୍ରହ୍ମା ଆଦି କରି କୀଟ ସରୀସୃପ ଯାଏ
ରକ୍ତ ମାଂସ ମଳ ମୂତ୍ରେ ଗଢ଼ା ସବୁ କାୟେ
ଯେ ଦେହକୁ ଘେନି ପ୍ରାଣୀ ଭୋଗ କରୁଥିବ
ପ୍ରାଣ ଗଲେ ସେହି ପୁଣି ହୁଏ ମୃତ୍ୟୁଶବ
କୁବେର ବରୁଣ ଯମ ନୈର୍ଋତ ସହିତେ
ବୈଷ୍ଣବୀ ମାୟାରେ ମୋହି ହୁଅନ୍ତି ସମସ୍ତେ
ଭାରା ନିବାରଣ ଅର୍ଥେ କୋଟି ଜନ୍ମଯାଏ
ଏକା ନାରାୟଣ ଆପେ ହୁଅନ୍ତି ଉଦୟେ
ଭାରାଭର ନିବାରଣେ ସ୍ଥାପି ପୁଣ୍ୟ ପାପ
ଦେହ ଧରି ବିଷ୍ଣୁ ନାଥ ହ୍ୱନ୍ତି ନାନା ରୂପ
ବ୍ରହ୍ମାର ଦିବସେ ବିଷ୍ଣୁ ଦ୍ୱାଦଶ ମୂରିତ
ମର୍ତ୍ତ୍ୟପୁରେ ଜନ୍ମ ହୋଇ ମରଣ ଲଭନ୍ତି
ଆପେ ପାପ ପୁଣ୍ୟ କରି ଆପେ କରେ ଭୋଗ
ଆପେ ହୁଏ ଅଉଷଧି ଆପେ ହୁଏ ରୋଗ
ଆପଣେ ସେ ମାୟାଧର ଆପେ ଜ୍ଞାନ ବୁଦ୍ଧି
ଅସାଧ୍ୟକୁ ସାଧ୍ୟ କରି କରେ ସର୍ବସିଦ୍ଧି
କରିବା ସଞ୍ଚିତ କର୍ମ ସେ କରଇ ଆନ
ହରିନାମ ଦ୍ୱି ଅକ୍ଷର ଅମୃତ ସମାନ
ହରିନାମ ସୁମରନ୍ତେ ଖଣ୍ଡେ ସର୍ବ ଭୟ
ହରିନାମ ସୁମରନ୍ତେ ପ୍ରାଣୀ ଲଭେ ଜୟ
ହରିନାମ ଔଷଧିରେ ଭବରୋଗ ଖଣ୍ଡି
ହରି ବୋଲୁଥିଲେ ଯମ ନ ପାରଇ ଦଣ୍ଡି
ହରିନାମ ସୁମରନ୍ତେ ମିଳେ ସର୍ବ ଯଶ
ହରିନାମେ ଧ୍ୱଂସ ହୁଏ କଳିକଳମଷ
ସ୍ୱୟଂ ଅବତାର ହରି ଚଣ୍ଡ ଦାବାନଳ
ମୋହେ ପୁତ୍ର ଦାରା ବନ୍ଧୁ ଲୋଡ଼ିଲେ ସକଳ
ଅନିତ୍ୟ ସଂସାର ମାୟା ମୋହର ଯାତନା
ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ବଣା
ସଦମାର୍ଗ ଛାଡ଼ି ଲୋକେ କୁମାର୍ଗରେ ଯାନ୍ତି
ଏ ଦେହ ଅର୍ଜିଲା କର୍ମ ଏ ଦେହେ ଭୁଞ୍ଜନ୍ତି
ସ୍ୱପନ ସଦୃଶ ଏହି ଦେହ ସତ୍ୟ ନୋହେ
ପଞ୍ଚଭୂତ ପ୍ରକୃତିକି ଘେନି ଜନ୍ମି ଥାଏ
ରଜ ବୀର୍ଯ୍ୟ ସଙ୍ଗତରେ ସର୍ବ ଥାନ୍ତି ମିଶି
ଏକତ୍ର ବୋଲିଣ ପୂର୍ବ ଜନ୍ମକୁ ଅଭ୍ୟାସି
ଶୁଣ ହେ ସୁଜନ ଜନେ ହରି ଦିବ୍ୟ ବାଣୀ
ଭାଗ୍ୟେ ମୁକ୍ତିଲାଭ କର ଭାଗବତ ଶୁଣି
ହରିବଂଶ ପୁରାଣ ଏ ପୁଣ୍ୟମୟ ଗ୍ରନ୍ଥ
ପଦ ପଦକରେ ଏଥୁଁ ଗଳଇ ଅମୃତ
ଦ୍ୱାପରେ ରଙ୍ଗାବତାର ହେଲେ ଦେବରାୟେ
ପୃଥ୍ୱୀଭାରା ନିବାରିବେ ଦୁଷ୍ଟ କରି କ୍ଷୟ
ନରଦେହେ ଅବତାର ଦେବ ନାରାୟଣ
ଶ୍ରୀ ମହାଭାରତ ଯୁଦ୍ଧ କରିବେ ଭିଆଣ
ତା ସଂକ୍ଷେପି କହିବାକୁ ବିଚାରି ମାନସେ
ଠିକ ଠିକ କହିଗଲି ପ୍ରାକୃତ ଅଭ୍ୟାସେ
ଜନ୍ମରୁ ମୂରୁଖ ମୁହିଁ ନ ଜାଣଇ ଏହା
ବ୍ରହ୍ମା ନନ୍ଦିନୀ ସାରଦା ଦେବୀ ମୋତେ ସାହା
ଆପଣେ ସେ ସରସ୍ୱତୀ ମୂର୍ତ୍ତିମତୀ ହୋଇ
ସଂକ୍ଷେପିଣ ପଦେ ପଦେ ଦେଉଛନ୍ତି କହି
ନାରାୟଣ ସ୍ୱାମୀ ଯାହା ଆଜ୍ଞା କରି ମୋତେ
କହନ୍ତି ତା ବିସ୍ତାରିଣ ଲେଖିବଇଁ କେତେ
ଦଶ ବିଂଶ ପଞ୍ଚାଶତ ଶଏ ପଦ ଛାଡ଼ି
ଠିକ ଠିକ ପଦମାନ ଲେଖୁଅଛି ବଢ଼ି
ଅଗୋଚର ଅସଂଖ୍ୟ ଏ ହରିବଂଶ ଗ୍ରନ୍ଥ
ଶୁଣନ୍ତେ ସଞ୍ଚିତ ପାପ କରଇ ସେ ଧ୍ୱଂସ
ଅଷ୍ଟାଦଶ ପୁରାଣରେ କଥିତ ଏ ଗ୍ରନ୍ଥ
ତଦନ୍ତ ଜାଣନ୍ତି ୟାର ସତ୍ୟବତୀ ସୁତ
ଜାହ୍ନବୀ ନର୍ମଦା ଗୋଦାବରୀ ଭାନୁମତୀ
ଯମୁନା ରେଣୁକା ପୁଣ୍ୟତୋୟା ସରସ୍ୱତୀ
ବୈତରଣୀ ଚନ୍ଦ୍ରଭାଗା ଆଦି ତୀର୍ଥ କଲେ
ସମ ନୁହେ ହରିବଂଶ ଶ୍ରବଣରେ ତୁଲେ
ରାମାୟଣ ଭାରତ ଯେ ବେଦ ବେଦଶାଖା
ହରିନାମ ଆଦି କରି ସବୁ ହୁଏ ଲେଖା
ଏ କଳିକାଳ ପାତକ ଖଣ୍ଡିବା ନିମନ୍ତେ
ଶ୍ରୀ ଭାଗବତ ପୁରାଣ ରଚିଲଇଁ ଗୀତେ
ଏକମନ ହୋଇ ଏହା ଶୁଣ ପୁଣ୍ୟ ପ୍ରାଣୀ
ମୁକ୍ତିମାର୍ଗ ଦେଖାଇଲି ନିକଟରେ ଆଣି
ସୁପଣ୍ଡିତ ଜନଙ୍କର ଦାସର ମୁଁ ଦାସ
ବାଳୁତ ବଚନ ମଣି ନ ଧର ମୋ ଦୋଷ
ପାଠ ନ ପଢ଼ିଣ ବିଦ୍ୟା ନ ଜାଣିଲି ମୁହିଁ
କେବଳ ଶ୍ରୀହରି ନାମ ହୃଦେ ଅଛି ବହି
ନ ପଢ଼ିଲି କାବ୍ୟ ଶାସ୍ତ୍ର ନ ଜାଣେ ପୁରାଣ
କେବଳ ମୋ ପୂର୍ବ ହେତୁ ହୋଇଣ ସ୍ମରଣ
ଶ୍ରୀ ଗୋପୀନାଥ ଅନୁଜ୍ଞା ଦେଲେ ନିରାଧାର
ଲେଖ ତୁ ଆମ୍ଭର କୀର୍ତ୍ତି ହରିବଂଶ ସାର
ତେଣୁ ମୁଁ ଲେଖନୀ ଧରି ଲିହିଲି ଅବଧି
ନୋହିଲେ ମାନବ ମୋର କାହିଁ ଏତେ ବୁଦ୍ଧି
ଶ୍ରୀଜଗନ୍ନାଥ ପ୍ରଭୁଙ୍କ ଶ୍ରୀଚଣରେ ସେବି
ମୁଁ ଦୀନ ଅଚ୍ୟୁତ ଦାସ ବୋଲାଇଲି କବି

ଜୟ ଜୟ ଗଜାନନ ପାର୍ବତୀର ବଳା
ଅପୂର୍ବ ଚାରୁବଦନ ପୂର୍ଣ୍ଣଚନ୍ଦ୍ର କଳା
ମାନବ ଶରୀର ସ୍ୱାମୀ ତୋର ଗଜମୁଖ
କିରୀଟ ମୁକୁଟ ଶିରେ ଶୋହେ ସପ୍ତଶିଖ
ଶ୍ରୀଖଣ୍ଡ ଚନ୍ଦନ ଭାଲେ ମଣ୍ଡିତ ସିନ୍ଦୂର
ମନଗାମୀ ରଥ ତୋର ବାହନ ଇନ୍ଦୁର
ପାଶ ଅଙ୍କୁଶ ଅଭୟ ବର ଚାରିଭୁଜ
ସର୍ବବିଘ୍ନ ଖଣ୍ଡୁ ତୋର ନାମ ବିଘ୍ନରାଜ
ବୁଦ୍ଧିମନ୍ତ ଗୁଣବନ୍ତ ଜ୍ଞାନବନ୍ତ ତିନି
ଅଯୋନି ସମ୍ଭୂତ ନାଥ ବିଷ୍ଣୁ ତେଜ ଘେନି
ଚତୁର୍ଦ୍ଦଶ ଭୁବନରେ ଆଗ ପାଉ ପୂଜା
ତୁ ନାଥ ଦେବଙ୍କ ପରେ ଅଟୁ ଦେବରାଜା
ନାନା ମଣି ରତନରେ ଶୋହେ ଦିବ୍ୟ ତନୁ
ଅକ୍ଷୟ ତୁ ଅଜ୍ରାମର ଯୁଗକଳ୍ପ ଭାନୁ
ସର୍ବଦା ତାଣ୍ଡବ ନୃତ୍ୟେ ଭୋଳ ତୋର ମତି
ନମସ୍ତେ ନମସ୍ତେ ବିଶ୍ୱନାଥ ଗଣପତି
ଭକ୍ତଙ୍କ ସୋଦର ବନ୍ଧୁ ବୁଦ୍ଧି ବିଦ୍ୟାଦାତା
ଭୂତ ଭାବୀ ବର୍ତ୍ତମାନ ତିନି କାଳଜ୍ଞାତା
ଚାରିବେଦ ଷଡ଼ଶାସ୍ତ୍ର ଦଶାଷ୍ଟ ପୁରାଣ
ଜ୍ୟୋତିଷ ନାଟକ ତୋର ମୁଖରୁ ନିର୍ମାଣ
ବେଦବ୍ୟାସ କହନ୍ତି ତୁ ଲେଖୁ ପତ୍ର ଘେନି
ତେଣୁ ଆତଯାତ ହୁଏ ସକଳ ମେଦିନୀ
ତୁହି ଦେବ ଆଦି ଅଟୁ ତୁ ଦେବ ଅନାଦି
ତୁ ଦେବ ଅନଳ ଜଳ ସ୍ଥଳ ବାୟୁଭେଦୀ
ଅମୃତ ଲଡୁ ଭୋଜନେ ସନ୍ତୋଷ ତୋ ମତି
ପରାପର ପୁରୁଷ ତୁ ନିରଞ୍ଜନ ଜ୍ୟୋତି
ତୁ ନାଥ ପ୍ରସନ୍ନ ମୋତେ ହୁଅ ଆଦିଦେବା
ତୋ ପଦ୍ମ ପୟରେ ମୋର ନିରନ୍ତର ସେବା
ସଦାଶିବ ନନ୍ଦନ ତୋ ମହିମା ଅଶେଷ
ଭୋଦେବ ତୋ ପାଦେ ଭୃତ୍ୟ ମୁଁ ଅଚ୍ୟୁତ ଦାସ

ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜା
ଶୁକବ୍ରହ୍ମା ଚରଣରେ କଲେ ଦିବ୍ୟପୂଜା
ଧୂପ ଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଇ
ପୁଣ ପୁଣ ନମସ୍କାର କରି ପଚାରଇ
ଭୋ ମୁନି ପବିତ୍ର ହେଲି ଶୁଣି ହରିବଂଶ
କଂସବଧ ଆଖ୍ୟାନରେ ହେଲା ଧ୍ୱଂସ
ପାଇଲି ପରମଗତି ହେଲି ପୁଣ୍ୟମୟ
ଖଣ୍ଡିଲି ସକଳ ବାଧା ନାହିଁ ଯମଭୟ
ଏଥୁ ଅନନ୍ତରେ ପୁଣ ହେଲା କିସ ଆନ
ସେ କଥା ବିସ୍ତାରି କହ ବ୍ୟାସଙ୍କ ନନ୍ଦନ
ନୃପବାକ୍ୟେ କହନ୍ତି ଯେ ଶୁକ ମହାଯତି
ସାବଧାନେ ହୋଇ ଶୁଣ ସୁଭଦ୍ରାର ନାତି
ଦେବ ଶତ୍ରୁ କଂସ ତୁଲେ ଅଷ୍ଟମଲ୍ଲ ମାରି
ରହିଲେ ମଥୁରାପୁରେ ବଳଦେବ ହରି
ଗୋପପୁର ମୁହାଁସକୁ ଛାଡ଼ି ଶିରୀରଙ୍ଗ
ଅଚିନ୍ତେ ରହିଲେ ପାଇ ଯାଦବଙ୍କ ସଙ୍ଗ
କୋଟି ଇନ୍ଦ୍ର ଭୋଗ ଯହିଁ ପାଇଲେ ଶ୍ରୀବତ୍ସୀ
ଯେ ଶ୍ରୀମନ୍ତ ତାକୁ ପୂଜା ସବୁଠାରେ ଅଛି
ଗୋପିକା ଗୋପାଳ ବୃନ୍ଦ ଗାଈ ଗୋରୁବତ୍ସା
ନନ୍ଦ ଯୋଶଦାକୁ ଆଦି କଲେକ ଉପେକ୍ଷା
ଯମୁନା କଦମ୍ବତରୁ ନିକୁଞ୍ଜ ଦାନବ
ସମସ୍ତ ଛାଡ଼ିଲେ ତହିଁ ନ ବଳାଇ ମନ
ଚନ୍ଦ୍ରମୁଖୀ ରାଧାମୂଳେ ଅନେକ ଗୁଆଳୀ
ସୁକୁମାର ସୁଲକ୍ଷଣୀ ସର୍ବେ ଶୁଦ୍ଧଶାଳୀ
ଜଣ ପ୍ରତି ଭିନ୍ନ ଭିନ୍ନ ଭାବ କରୁଥିଲେ
ତେଡ଼େ ବଡ଼ ମମତାକୁ କ୍ଷଣକେ ଛାଡ଼ିଲେ
ନିରାକାର ପୁରୁଷ ସେ ଅନାଦି ଅଚ୍ୟୁତ
ଯହିଁ ସେ ରହିଲେ ତହିଁ ହୋଇଲେକ ସୁସ୍ଥ
ଯା ଆଜ୍ଞାରେ କୋଟି କୋଟି ସୃଷ୍ଟି ଆତ ଯାତ
ଜଳ ସ୍ଥଳ ଅନଳ ଯେ ସର୍ଜିଲା ସମସ୍ତ
ଯାର ପ୍ରିୟା ସରସ୍ୱତୀ ପୁଣି ମହାଲକ୍ଷ୍ମୀ
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ସବୁ ଭିଆଇଛି
କୁବେର ବରୁଣ ଯମ ବାୟୁ ବୈଶ୍ୱାନର
ଦଶ ଦିଗପାଳ ଆଦି ବ୍ରହ୍ମା ଗଙ୍ଗାଧର
ଯାହାର ଶରୀରୁ ଜାତ ହୁଅନ୍ତି ଏମାନେ
ତାକୁ କି ଅପୂର୍ବ ଅଛି ଥିଲେ ଯେଉଁ ସ୍ଥାନେ
ଯେତେବେଳେ ଗୋପ ଛାଡ଼ି ଅଇଲେ ଶ୍ରୀଧର
ଦିଶିଲା ସେ ଗୋପନଗ୍ର ଅତି ନାରଖାର
ଜୀବ ଗଲାପରେ ଦେହ ଯେଉଁ ଭାବେ ଦିଶି
ତଣ୍ଡୁଳ ବିହୀନେ ଯେହ୍ନେ ଦିଶେ ତୃଣରାଶି
ଫଳପୁଷ୍ପ ବିନା ବୃକ୍ଷେ ଶୋଭା ନ ପାଆନ୍ତି
ଅକ୍ଷର ବିହୀନେ ଯେହ୍ନେ ପୁସ୍ତକେ ଦିଶନ୍ତି
ପତି ବିନା ନାରୀ ଯେହ୍ନେ ଦିଶଇ ବିନଷ୍ଟ
ଗନ୍ଧ ବିହୀନେ ଅଶୋଭା ଚନ୍ଦନର କାଠ
ଜଳ ବିହୀନେ ଅଶୋଭା ଦିଶେ ସରୋବର
ନୃପତି ବିହୀନେ ଶୋଭା ନାହିଁ ପ୍ରଜାଙ୍କର
ଚନ୍ଦ୍ରମା ବିହୀନେ ଯଥା ନ ଶୋହେ ନକ୍ଷତ୍ର
ଗୃହ ଶୋଭା ନାହିଁ ଯେହ୍ନେ ନ ଥିଲେଟି ପୁତ୍ର
ତେହ୍ନେ ଲକ୍ଷ୍ମୀ ଛାଡ଼ିଗଲା ଜୁଆର ପରାଏ
ଗୋପପୁର ଯାକ ସବୁ ଦିଶେ ମ୍ଳେଛମୟେ
ଦାଣ୍ଡ ହାଟପାଟଣାକେ ବଣିଜାରୁ ଶେଠ
ବିରୂପ ଦିଶିଲେ ସର୍ବେ ଘୋଟିଲା ଅରିଷ୍ଟ
ଦିନୁ ଦିନ ଲକ୍ଷ୍ମୀ ତୁଟିଗଲେ ଠାବେ ଠାବେ
ବତ୍ସାନ୍ତ ଆବୋରି ଦୁଗ୍‌ଧ ନ ଦିଅନ୍ତି ଗାବେ
ତୃଣ ନ ପାଇଣ ଗୋରୁ ହୋଇଲେ ଦୁର୍ବଳ
ଧରଣୀରୁ ତୁଟିଗଲା ଶସ୍ୟ ଫଳମୂଳ
ବହୁଥିଲା ଅବସନ୍ତେ ବସନ୍ତ ପବନ
ଶୁକ ପିକ ଝିଙ୍କାରିଏ କରୁଥିଲେ ସ୍ୱନ
ନନ୍ଦନ ବନରୁ ତରୁଲତା ଆସିଥିଲେ
ରାମ କୃଷ୍ଣ ଯିବାରୁ ସେ ଯେଝାସ୍ଥାନେ ଗଲେ
ଗୋପାଳ ହୋଇଣ ଗୋପେଥିଲେ ଦେବତାଏ
ଶାପୁଁ ମୁକ୍ତ ହୋଇ ସ୍ୱର୍ଗେ ଚଳିଲେ ସଭିଏ
ଗନ୍ଧର୍ବ ଯେ ବିଦ୍ୟାଧର ଅପସରାବୃନ୍ଦ
ଗୋପେ ଗୀତ ନୃତ୍ୟ କରି ତୋଷିଲେ ଗୋବିନ୍ଦ
ଯେ ଯାହା ସ୍ଥାନକୁ ସର୍ବେ ଗଲେ ବେଗହୋଇ
କୃଷ୍ଣଙ୍କୁ ନ ଦେଖି ଆଉ ରହିବେ କିପାଇଁ
ଗୋମାତା ଗୁପତ ହୋଇଥିଲେ ଗୋରୁମେଳେ
ବତ୍ସାନ୍ତ ଘେନିଣ ଗଲେ ଗୋଲୋକ ମଣ୍ଡଳେ
ପୁଷ୍କର କୋଟିଏ ତୀର୍ଥ ଘେନି ନିଜସାଥେ
ଗୋପେ ଥିଲେ ରାମକୃଷ୍ଣ ସ୍ନାହାନ ନିମନ୍ତେ
ଗୋପ ଛାଡ଼ି ମଥୁରାକୁ ଯାନ୍ତେ ବେନିଭାଇ
ଯମୁନା ନଦୀରୁ ଗଲେ ସେ ବାହାର ହୋଇ
ସଙ୍ଗେ ସପ୍ତନିଧି ଘେନି ଧନପତି ଥିଲେ
କୃଷ୍ଣ ଯିବା ଦେଖି ନିଜ ଭୁବନେ ସେ ଗଲେ
ବ୍ରହ୍ମା ଇନ୍ଦ୍ର ଦେବଋଷି ବ୍ରହ୍ମଋଷି ମୂଳେ
ନିତି ସ୍ନାନ କରୁଥିଲେ ଯମୁନାର ଜଳେ
ପବିତ୍ର ନିକୁଞ୍ଜ ବନେ କୃଷ୍ଣଙ୍କୁ ନ ଦେଖି
ଯେଝା ସ୍ଥାନେ ଚଳିଗଲେ ଗୋପକୁ ଉପେକ୍ଷି
ଜଗନ୍ନାଥ ଯାନ୍ତେ ସର୍ବେ ଗଲେ ନିଜ ସ୍ଥାନ
ନନ୍ଦ ଗୃହ ଦେଖାଗଲା ଯେସନେ ଶ୍ମଶାନ
ସକଳ ନାରୀଏ ଗୋପେ ଷୋଡ଼ଶ ବୟସୀ
ଜଗତେ ଅତୁଳ ଶୋଭା ତାଙ୍କ ରୂପରାଶି
ଗୋବିନ୍ଦ ଶ୍ରୀଅଙ୍ଗ ସଙ୍ଗ ନ ପାନ୍ତେ ଅଦ୍ୟାପି
ଯେ ଯାହାର ନିଜରୂପ ଧଇଲେ ସେ ଗୋପୀ
ସ୍ୱର୍ଗସମ ହୋଇଥିଲା ଗୋପପୁର ଦେଶ
କୃଷ୍ଣ ଯାନ୍ତେ ଦିଶିଲା ସେ ଅରଣ୍ୟ ସଦୃଶ
ତୁଟିଲା ଯେ ଧନ ଧର୍ମ ଲକ୍ଷ୍ମୀ ଦୟା ଶ୍ରଦ୍ଧା
ବଳବୀର୍ଯ୍ୟ ହାନି ହେଲା ଦରିଦ୍ରର ବାଧା
ନନ୍ଦ ଯଶୋଦାଙ୍କ ମନ କ୍ଷଣେ ସୁସ୍ଥ ନାହିଁ
ରାମ କୃଷ୍ଣ ଆସିବାକୁ ଛନ୍ତି ବାଟ ନାହିଁ
ନନ୍ଦ ବୋଲେ ମୋତେ ପେଷିଦେଲେ ଆଗକରି
ରାଜାଠାରୁ ଆଜ୍ଞା ପାଇ ଆସିବେ ଶ୍ରୀହରି
ଆମ୍ଭଙ୍କ ମନରୁ ମୂର୍ଚ୍ଛିଥିବେ କେତେ ଦିନ
ଦିନେ ଓଳିକେ ଆସିବେ ରାମ ଭଗବାନ
ବାଳୁତ ପୁତ୍ରର ମନ ମାତା ପିତା ତହିଁ
ବନ୍ଧୁ ବାସ ହୁଡ଼ି କେହ୍ନେ ଅଛନ୍ତିଟି ରହି
କ୍ଷୁଧା କଲେ ମନ ଜାଣି ଅନ୍ନ ଦେବ କିଏ
ଦୁଃଖୀର ସଙ୍ଖାଳି ତୁମ୍ଭେ ମୋର ବେନିପୋଏ
ତୁମ୍ଭଙ୍କୁ ନ ଦେଖି ଦଣ୍ଡେ ନ ପାରେ ମୁଁ ରହି
ଏଡ଼େ ବିଡ଼ମ୍ୱନ ମୋତେ କରିଅଛ ବହି
କପାଳରେ କର ମାରି କାନ୍ଦନ୍ତି ସେ ମାୟେ
କେଶ ବାସ ଅସମ୍ଭାଳ ତଳେ ଲୋଟେ କାୟେ
ଚାହାନ୍ତି ନବରୁ ଯାଇଁ ଉଚ୍ଚସ୍ଥାନେ ଉଠି
ଗଲା ପଥ ଅନୁସରି ଦୂରେ ଦ୍ୟନ୍ତି ଦୃଷ୍ଟି
ପଥିକମାନଙ୍କୁ ଦେଖି ପଚାରନ୍ତି ବାର୍ତ୍ତା
ତୁମ୍ଭେ କି ଜାଣିଛ ବାବୁ ରାମ କୃଷ୍ଣ କଥା
ମଥୁରାରେ ଅଛନ୍ତି କି ଆସୁଛନ୍ତି ବାଟେ
ଦୂରେ ଅଛନ୍ତି କି ଆସି ହେଲେଣି ନିକଟେ
ପଥିକେ ବୋଇଲେ ଆମ୍ଭେ ତଦନ୍ତ ନ ଜାଣୁ
ଏକ୍ଷଣି ଆସିଲା ପ୍ରାୟେ ମାତ୍ର ମନେ ମଣୁ
ଶୁଣିଣ ଯଶୋଦା ଦେବୀ ଛାଡ଼ି ମନୁ ଭ୍ରାନ୍ତି
ବୋଇଲେ ନିଶ୍ଚୟ ପୋଏ ଆସିବେ ଏ ଘାନ୍ତି
ଗୋଟିକା ଲବଣୀ ଛେନା ଅଧାମ ଯେ ସର
ଦହି ଦୁଧ ଖଣ୍ଡ ଖଜା ଅନେକ ପ୍ରକାର
କ୍ଷୀରିଷା ନବାତ ଲଡ଼ୁ ରସକୋରା ଫେଣୀ
ଆଖୁ ପଣା ପଇଡ଼ ଯେ ସୁବାସିତ ପାଣି
ଆମ୍ୱ ପଣସ ଖଜୁରୀ ତାଳ ଛେନାପଣା
ନାନାଦି ବ୍ୟଞ୍ଜନ କଲେ ବିବିଧ ରାନ୍ଧଣା
ଅନେକ ପ୍ରକାରେ ପିଠା କରି ନାନାଜାତି
ଅମୃତ ମଣୋହୀ ଯାହା କରନ୍ତି ସେ ନିତି
ଶ୍ରୀଖଣ୍ଡ ଚନ୍ଦନ ଆପେ ଘୋରି ନନ୍ଦରାଣୀ
କର୍ପୂର ତାମ୍ୱୁଳ ଯତ୍ନେ ସଜାଡ଼ିଲେ ଆଣି
ସୁବର୍ଣ୍ଣ ଥାଳିରେ ତାହା ସବୁ ସଜ କରି
ବସିଛନ୍ତି ରାମକୃଷ୍ଣ ପଥ ଅନୁସରି
ନନ୍ଦ ଆଗେ ଗୋପୀମାନେ ପଚାରନ୍ତି ଯାଇ
ତୁମ୍ଭେ ତ ଅଇଲ କୃଷ୍ଣ ନ ଅଇଲେ କିପାଇଁ
କେମନ୍ତେ ପୁତ୍ରକୁ ଛାଡ଼ି ଅଇଲ କହ ତ
ଏ କଥା କରିବା ପାଇଁ ବଳିଲା କି ଚିତ୍ତ
ଅନେକ ଭାଗ୍ୟରେ ପାଇଥିଲ ପୁତ୍ରବେନି
ପାଇଲ ଅଚଳଲକ୍ଷ୍ମୀ ଗୋପେ ତାଙ୍କୁ ଘେନି
ଆଜି ତ ଆପଣେ କିପାଁ ଆପେ ଗଲ ଉଠି
ଗୁଣବନ୍ତ ପୁତ୍ର ଛାଡ଼ି ଅଇଲ ଲେଉଟି
ଅମର କଣ୍ଟକ ଦୈତ୍ୟ କଂସ ନାଶ ଗଲା
ଏଥିର ସୁଲଭ ଆଉ ଅଛଇ କି ଭଲା
କଂସ ମଲା ଦିନୁ ସୁସ୍ଥ ହେଲା ତିନିପୁରୀ
ଏଥିରେ କେବଳ ନାଶ ଗଲା ଗୋପଶିରୀ
ଶ୍ରୀକୃଷ୍ଣ ବିହୀନେ ଆମ୍ଭେ ବଞ୍ଚିବୁ କେସନେ
ଦଇବ ଦୋରେହା ହେଲୁ ଗୋପୁପୁର ଜନେ
ଶରୀର ଭିତରୁ ନେଲା ଜୀବଆତ୍ମା କାଢ଼ି
ଆଉ କି ପାଇବୁ ସୁତେ ଶ୍ରୀକୃଷ୍ଣଙ୍କୁ ଲୋଡ଼ି
ନିର୍ବାଣ ମୁକତି ଫଳ କରପୁଟେ ଥିଲା
ସ୍ୱପ୍ନ ନିଧି ପ୍ରାୟେ ତାହା ଚାହୁଁ ଚାହୁଁ ଗଲା
କୁଟୁମ୍ୱ ସୋଦର ଘର ଜାତି କୁଳ ଲଜ୍ଜା
ପିତା ମାତା ବନ୍ଧୁ ଜନ ସବୁ କଲୁ ତ୍ୟଜ୍ୟା
ଗୁରୁଜନେ ଦେଖୁଥାନ୍ତେ ହେଲୁ ଦୋଚାରୁଣୀ
ତଥାପି ଆମ୍ଭଙ୍କୁ ଛାଡ଼ିଗଲେ ବେଣୁପାଣି
ଅନେକ ମତେ ମୁହାଁସ ଲଗାଇଣ ହରି
ଛାଡ଼ିଗଲେ ଯେବେ କିପାଁ ନଗଲେ ସେ ମାରି
ଆଶା ନ ପୂରିଲା ଭଣ୍ଡିଗଲେ ଦେବରାୟେ
କେମନ୍ତେ ପାସୋର ଯିବ ଜୀବ ଥିବାଯାଏ
ଗାନ୍ଧାର ରାଗରେ ବସି ବାଉଥାନ୍ତି ବେଣୁ
ଆମ୍ଭ ପଞ୍ଚଭୂତ ଆତ୍ମା ହରିନେଲେ ତେଣୁ
ଅପାଙ୍ଗ ଭଙ୍ଗୀରେ ଚାହିଁଦ୍ୟନ୍ତି ବକ୍ର କରି
ତା ମନେ ପଡ଼ିଲେ ହୃଦ ହେଉଛି ବିଦାରି
କହନ୍ତି ଅମୃତ ତୁଲ୍ୟ ମିଷ୍ଟ ମୃଦୁ ବାଣୀ
କିପରି ମୂର୍ଚ୍ଛିବ ତାହା ଶୁଣିଥିବା ପ୍ରାଣୀ
ଶିରେ ଦିବ୍ୟ ଶୋଭା ପାଏ ଶିଖି ପୁଚ୍ଛଚୂଳ
ବ୍ୟାଘ୍ରନଖ ଗୁନ୍ଥା ହାର ଲମ୍ୱେ ବକ୍ଷସ୍ଥଳ
ନୀଳେନ୍ଦୀ ଦଳ ପ୍ରାଏକ ଶୋହେ ଦିବ୍ୟତନୁ
ସୁରେଖ ଲଲାଟ ଭୂରୁଲତା କାମଧନୁ
ବିସ୍ତାର ବିପୁଳ ବକ୍ଷ କ୍ଷୀଣ ମଝାକଟୀ
ପୂର୍ଣ୍ଣିମା ଚନ୍ଦ୍ରକୁ ନିନ୍ଦେ ମୁଖ ପରିପାଟୀ
ନାସାରେ ସୁବର୍ଣ୍ଣ ଗୁଣା ମୁକ୍ତା ଫଳ ଲମ୍ୱେ
ବଧୁଲୀ ପୁଷ୍ପରେ ଯେହ୍ନେ ମଧୁକର ଚୁମ୍ୱେ
ମତ୍ତ ମତଙ୍ଗଜ ପରି ଗମନ ସୁସଞ୍ଚ
ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ
ହସ୍ତୀ ଥୋର ହସ୍ତ ପ୍ରାୟେ ଲମ୍ୱେ ଭୁଜଦଣ୍ଡ
ମନ୍ଦହାସେ ମୋହିପାରେ ପୃଥ୍ୱୀ ନବଖଣ୍ଡ
ସୁନ୍ଦର ମୁକୁତା ସମ ଶୋହେ ଦନ୍ତପନ୍ତି
ଅଙ୍ଗୁଳିଏ ଚମ୍ପାକଢ଼ି ପରାୟେ ଦିଶନ୍ତି
ନାନା ମଣି ରତନରେ ଶୋଭାପାଏ ତନୁ
ନୀଳ ଜଳଧରେ କିବା ଉଦେ ଇନ୍ଦ୍ରଧନୁ
ଅଶେଷ କୋଟି ବ୍ରହ୍ମାଣ୍ଡେ ଯେତେ ଗୁଣ ଥିଲା
ବିଧାତା ସକଳ ଆଣି ଏକ ଠାବ କଲା
ସର୍ବଗୁଣେ ସୁଲକ୍ଷଣ ଯଶୋଦାଙ୍କ ବତ୍ସ
ଯା ପାଦରୁ କୋଟିକାମ ନୁହେଁ ସମକଚ୍ଛ
ଯେଉଁଦିନ କୃଷ୍ଣ ଜନ୍ମହେଲେ ନନ୍ଦଘରେ
ସେଦିନୁ ଅଚଳ ଲକ୍ଷ୍ମୀ ବଢ଼ିଲା ଗୋପରେ
ଏବେ ଗୋପପୁର ଛାଡ଼ି ଗଲେ ଗୁଣନିଧି
ତାଙ୍କ ପଛେ ପଳାଇଲା ସକଳ ସମୃଦ୍ଧି
କେତେ ବାହୁନିବା ତାଙ୍କ ଗୁଣ ଏକେ ଏକେ
ନୁହନ୍ତି ମାନବ ସେହୁ ଦେବ ସପ୍ତଲୋକେ
ପ୍ରୟାଗରେ ଝାସ ଦେଇ ଅର୍ଜିଥିଲେ ତପ
ସେ ପୁଣ୍ୟଫଳେ ଦେଖିଲେ ପ୍ରଭୁଙ୍କ ସ୍ୱରୂପ
ଗତ ଜନ୍ମ ତପ ଯହୁଁ ସରିଲା ଆମ୍ଭର
ତେଣୁ କରି ଉପେକ୍ଷିଲେ ପ୍ରଭୁ ଚକ୍ରଧର
ଆବର ଲୋଡ଼ିଲେ ଆମ୍ଭ ପାଇବା ସେ କାହିଁ
ନିର୍ଲ୍ଲଜ ଜୀବନ କିପାଁ ଦେହେ ଅଛି ରହି
ସଙ୍ଗରେ ଗୋଡ଼ାଇଥିଲେ ହୋଇଥାନ୍ତା ଭଲା
ବିନାଶ କାଳକୁ ବୁଦ୍ଧି ବିପରୀତ ହେଲା
କ୍ଷୁଧା ତୃଷା ନିଦ୍ରା ନାହିଁ ଆମ୍ଭର କାହାରି
ଶ୍ରୀକୃଷ୍ଣ ଉଚ୍ଚାଟେ ସର୍ବେ ହେଉଥାଇଁ ଘାରି
ହରାଇଲୁ ଜାତି କୁଳ ମର୍ଯ୍ୟାଦା ବିବେକ
ଶତେ ଯୁଗ ହୋଇଲା କି ଏକ ନିମିଷକ
ଆପଣା ଶରୀର ହେଲା ଆପଣାକୁ ଭାରି
ସପ୍ତାଙ୍ଗରେ ଭେଦୁଅଛି ମଦନ ଲହରୀ
କାହାକୁ ଦେବା ଏ ସ୍ତନ ଯଉବନ ଯାଚି
ପୂର୍ବ କଥା ସୁମରିଲେ ମନ ନୋହେ ମୂର୍ଚ୍ଛି
ନଖଦନ୍ତଘାତେ କୃଷ୍ଣ ବିଦାରିଲେ ଦେହ
ଦୋଚାରୀ କରାଇ ପଛେ ଛାଡ଼ିଲେ ସେନେହ
ଅଧରେ ଅଧର ଚାପି ଭୁଜେ ଭୁଜ ଭିଡ଼ି
ତାହା ସୁମରନ୍ତେ ପ୍ରାଣ ଯାଉଅଛି ଛାଡ଼ି
ନିକୁଞ୍ଜ ବନରେ କଲେ ଯେତେ ରଙ୍ଗେ କ୍ରୀଡ଼ା
ସେ ଏବେ ଦେଉଛି ଆମ୍ଭ ଶରୀରକୁ ପୀଡ଼ା
ଯନ୍ତ୍ର ଅଳାବେଣୀ ବୀଣା ନୃତ୍ୟ ଗୀତରଙ୍ଗେ
ନାନା କଉତୁକେ ଦିନ ବଞ୍ଚିଲେ ତା ସଙ୍ଗେ
ଚନ୍ଦନ କର୍ପୂର ନାନା ଫୁଲ ମୃଗନାଭ
ଦେବାଙ୍ଗ ବସନ ଦେଇ କଲେ ପ୍ରିୟଭାବ
ନାନବିଧ ପକ୍ୱଫଳ ନାନାସ୍ୱାଦୁ ଦ୍ରବ୍ୟ
ଯେତେବେଳେ ଯାହା ଲୋଡ଼ୁ ତାହାପାଉ ସର୍ବ
ହୀରା ନୀଳା ଆଦି ରତ୍ନ ଦେବଭୋଗ୍ୟ ଯାଏ
ଯେ ଯାହା ମନକୁ ବାଛି ମଣ୍ଡି ହେଉଁ କାୟେ
ନିର୍ବାଣ ମୁକତି ଲାଭ କଲୁ ଦେହ ବହି
ଲଭିଲୁ ପରମଗତି କୃଷ୍ଣ ସଙ୍ଗ ପାଇ
କେବଣ ଅପ୍ରାଧ ଆମ୍ଭେ କଲୁ ଗୋପନାରୀ
ଏକାବେଳେ ଆମ୍ଭ ଭେଳା ବୁଡ଼ାଇଲେ ହରି
ପୁରାଣ ଶ୍ରୀ ଭାଗବତ ପୁଣ୍ୟମୟ ଧ୍ୱନି
ଏସନ ବିକଳ ଗୋପୀମାନଙ୍କର ଦେଖି
ଲଜ୍ଜା ଛାଡ଼ି ଆଗ ବଢ଼ି କହେ ଏକ ସଖୀ
ଅକାରଣେ ଆର୍ତ୍ତ କିପାଁ ହେଉଛ ଗୁଆଳୀ
ଗୋପକୁ ଆସିବେ ଜାଣ ନିଶ୍ଚେ ବନମାଳୀ
ଧନୁଯାତ୍ରା ଦେଖିବାକୁ ଅକ୍ରୂର ଯେ ନେଲା
ଉଗ୍ରସେନ ରାଜା ହେଲେ ଦୁଷ୍ଟ କଂସ ମଲା
ଯାଦବେ ରଖାଇଛନ୍ତି ଗଉରବ କରି
ଆଗରେ ଆସିଲେ ନନ୍ଦ ଗୋପାଳଙ୍କୁ ଧରି
ପ୍ରଜା ହୋଇ ରାଜା ଆଜ୍ଞା ଲଘିଂ କେ ପାରଇ
ନନ୍ଦ ଆସିଛନ୍ତି କଣ୍ଟ ପ୍ରମାଣ କରାଇ
ଗୋପୀଙ୍କର ପଞ୍ଚପ୍ରାଣ ଅଟନ୍ତି ମାଧବ
ଆମ୍ଭ ପ୍ରୀତି ତାଙ୍କ ମନୁ ପାସୋର ନ ଯିବ
ଏ କଦମ୍ୱ ତରୁ କୁଞ୍ଜବନ ପରିମଳ
ନାନା ପୁଷ୍ପ ଫଳ ବୃକ୍ଷ ଯମୁନାର ଜଳ
ଯଶୋଦା ପ୍ରାୟେ ଜନନୀ ନନ୍ଦ ପ୍ରାୟ ପିତା
ଛାଡ଼ିଦେଇ ରହିବେ କି ନ କରିଣ ଚିନ୍ତା
ଜଣେ ଜଣେ ହୋଇ ଆମ୍ଭେ ସର୍ବେ ତାଙ୍କ ଦେହ
ଆମ୍ଭହୁଁ ଅଧିକ ତାଙ୍କୁ କେ କରିବ ସ୍ନେହ
ଏତେ ଛାଡ଼ି ମଥୁରାରେ ରହିଲେ କି ଦେଖି
ଅକାରଣେ ଆର୍ତ୍ତ କିପାଁ ହୁଅ ସର୍ବସଖୀ
ଯଦ୍ୟପି ବିଳମ୍ୱ ତହିଁ କରିବେ ଅଚ୍ୟୁତ
ଲେଖା ଦେଇ ତାଙ୍କ ପାଶେ ପଠାଇବା ଦୂତ
ନୋହିଲେ ସମସ୍ତେ ଯିବା ସେ ଅଛନ୍ତି ଯହିଁ
ଗୋପକୁ ଆଣିବା ତାଙ୍କ ମାନସ ରଞ୍ଜାଇ
ଯଦି ଆମ୍ଭ ଶ୍ରଦ୍ଧା ରଖି ନ ଆସିବେ ସତେ
ତାଙ୍କ ସଙ୍ଗେ ଆମ୍ଭେ ଥିବା ଆସିବା ପର୍ଯ୍ୟନ୍ତେ
ଏସନ ଆକୁଳ ହୋଇ ଭାଳନ୍ତି ବିଚାରି
ଗୋପନଗ୍ରେ ସୁଖ ନାହିଁ ମନରେ କାହାରି
ଚିନ୍ତା ଜଳଧିରେ କୃଷ୍ଣ ବୁଡ଼ାଇଣ ଗଲେ
ଏକ୍ଷଣି ଆସିବି ବୋଲି କହି ନ ଅଇଲେ
ବିଶ୍ୱାସ ଘାତକ ନିଶ୍ଚେଁ ସେହି ନନ୍ଦବତ୍ସି
ଅମୃତ ଭିତରେ ବିଷ ପୂରାଇ ମାରୁଛି
ମହତଙ୍କ କଥା କେଭେ ନୁହଇ ତ ଆନ
ଡକାଇତ ପଣ କିପାଁ କଲେ ଭଗବାନ
ଜଙ୍ଘେ ସୀମସ୍ଥାନ ଦେଇ କାଟିଦେଲେ ତୋଟି
ସ୍ଫଟିକ ରଖାଇ ହରି ନେଲେ ରତ୍ନ କଣ୍ଠି
କର୍ପୂର କସ୍ତୁରୀ ନେଇ କନା ଗଲେ ଛାଡ଼ି
ପିଣ୍ଡ ଅଛି ହୃଦୟରୁ ପ୍ରାଣ ନେଲେ କାଢ଼ି
ସୁଧା ନେଇ ଛାଡ଼ିଗଲେ ତୁଚ୍ଛା ଭାଣ୍ଡ ଗୋଟା
ମଧୁ ଚିପୁଡ଼ି ନେଇଣ ଥୋଇଗଲେ ସିଠା
ଦେବତା ନ ଥିଲେ କାହିଁ ଦେଉଳକୁ ପୂଜା
ରାଜା ବିହୀନରେ ବର୍ତ୍ତିପାରନ୍ତି କି ପ୍ରଜା
ଆଦିତ୍ୟ ନ ଥିଲେ ଶୋଭା ନ ପାଏ ଦିବସ
ଚନ୍ଦ୍ରହୀନ ରଜନୀରେ ପ୍ରୟୋଜନ କିସ
ଜୀବନ ବିହୀନେ ଯେହ୍ନେ ଅକାରଣ ତନୁ
କ୍ଷୀର ବିହୀନେ ନିଷ୍ଫଳ ଯେହ୍ନେ କାମଧେନୁ
ତଣ୍ଡୁଳ ବିହୀନେ ଧାନ ତଷୁ ହୁଏ ଯେହ୍ନେ
କୃଷ୍ଣ ବିନା ଗୋପପୁର ହୋଇଲାକ ତେହ୍ନେ
କୃଷ୍ଣ ଥିଲାବେଳେ ଏହି ଗୋପ ଚଉକତି
ନୟନକୁ ଦିଶୁଥିଲା ଯେହ୍ନେ ବାରସ୍ୱତୀ
ଅକ୍ରୂର ଯେ ଦିନ ଏଥୁ ରାମକୃଷ୍ଣ ନେଲା
ସେହି ଦିନୁ ଗୋପପୁରୁ ଲକ୍ଷ୍ମୀ ଛାଡ଼ିଗଲା
ଆଉ ଏକ ସଖୀ ବୋଲେ ଶୁଣ ସଙ୍ଗାତୁଣି
ନିଶ୍ଚୟେ ଆମ୍ଭର କୃଷ୍ଣ ବୋଲିଥିଲୁ ଜାଣି
ଏଡ଼େ ବଡ଼ ସ୍ନେହ ଛାଡ଼ି ପାରିବ କେମନ୍ତେ
କମଠ କଠୋର ହୃଦ ଅଟଇ କି ସତେ
ଆମ୍ଭଠାରୁ ସ୍ନେହ ଯେବେ ଛାଡ଼ିବ ଅଦ୍ୟାପି
ନିଶ୍ଚୟ ସେ ଗୋପୀନାଥ ହେବ ମହାପାପୀ
ଆବର ଗୋପୀଏ ବୋଲେ ତାକୁ ନାହିଁ ଭୟ
ସନାତନ ପୁରୁଷ ସେ ସଦା ପୁଣ୍ୟମୟ
ଅଶେଷ କୋଟି ବ୍ରହ୍ମାଣ୍ଡ ଭିଆଇଛି ଏକା
ବେଦର ସେ ଆତ୍ମା ଅଟେ ବେଦ ତାର ସଖା
ଦେବଙ୍କ ଉପରେ ଦେବ ଅଟଇ ସେ ହରି
କଲା କର୍ମମାନଙ୍କୁ ସେ ପାରେ ଆନ କରି
ପଞ୍ଚଭୂତ ପଞ୍ଚବିଂଶ ପ୍ରକୃତିର ମୂଳ
ନିରାକାର ପୁରୁଷ ସେ ଅଟେ ଶୂନ୍ୟ ଠୁଳ
ଭୂଲୋକ ଯେ ଭୁବଲୋକ ସ୍ୱର୍ଲୋକ ଏ ତିନି
ମହଲ୍ଲୋକ ସତ୍ୟଲୋକ ଜନଲୋକ ଘେନି
ଇନ୍ଦ୍ର ବ୍ରହ୍ମା ରୁଦ୍ର ଲୋକ ସହିତରେ ଯେତେ
ଚରାଚର ସୃଷ୍ଟି ଅଛି ତାର ଗର୍ଭ ଗତେ
ଭୂତ ଭାବୀ ବର୍ତ୍ତମାନ ତିନିକାଳ ଜାଣେ
ଜଗତେ ତାଠାରୁ କେହି ନାହିଁ ବଡ଼ ଜଣେ
କୌତୁକେ ମାନବରୂପେ ହୋଇଲା ସେ ଜାତ
ବିଶ୍ୱରୂପେ ଘୋଟିଅଛି ସକଳ ଜଗତ
ଧରଣୀର ଭାରାଭର ନିବାରିବା ପାଇଁ
ନାରାୟଣ ପୁରୁଷ ସେ ଜନ୍ମିଅଛି ମହୀ
ଆଉ ଏକ ସଖୀ ଶୁଣି ପାଇ ଦିବ୍ୟଜ୍ଞାନ
ବୋଲଇ ଦୁର୍ଲ୍ଲଭ ଅଟେ କୃଷ୍ଣ କଥାମାନ
ଜନ୍ମ ହେଲା ଆର ଦିନ ଅନ୍ତୁଡ଼ି ଶାଳରେ
ଯାହା କଲା ଦେଖିଥାଇଁ ଆମ୍ଭ ସକ୍ଷାତରେ
କପଟେ ମାରିବା ପାଇଁ ବିଷ ଭରି ସ୍ତନେ
ପୂତନା ରାକ୍ଷସୀ ଆସି ମିଳିଲା ସେ ସ୍ଥାନେ
ଅସୁରୀର କୂଟବୁଦ୍ଧି ଜାଣି ନାରାୟଣ
ସ୍ତନ୍ୟ ସଙ୍ଗେ ଶୋଷିନେଲେ ତାର ପଞ୍ଚପ୍ରାଣ
ତୃଣାବର୍ତ୍ତ ମୂଢ଼ମତି ଆସିଣ ଗୁପତେ
ଝାମ୍ପିକରି କାଖେ ଜାକିନେଲା ଶୂନ୍ୟପଥେ
ଆକାଶରେ ଥାଇ ତାହା ଜାଣି ବିଶ୍ୱବାସ
ଖଣ୍ଡ ଖଣ୍ଡ କରି ତାକୁ କଲେ ପ୍ରାଣେ ନାଶ
ଅନେକ କାଳୁ ଥିଲା ଯାମଳାର୍ଜ୍ଜୁନ ବୃକ୍ଷ
ରୋଳେ ଉପାଡ଼ିଣ କୃଷ୍ଣ ଭାଙ୍ଗିଲେ ପ୍ରତ୍ୟକ୍ଷ
ଶକଟାସୁରର ଯହୁଁ କାଳପ୍ରାପ୍ତ ହେଲା
କଂସ ଆଜ୍ଞା ଘେନି ଦୁଷ୍ଟ ଗୋପକୁ ଅଇଲା
କୃଷ୍ଣଙ୍କୁ ମାରିବା ପାଇଁ ରହନ୍ତେ ଗୋପନେ
ତା ମନର କଥା ପ୍ରଭୁ ଜାଣିଲେ ଶୟନେ
ଅନେକ ପ୍ରଭାବ ତାକୁ ଦେଇ ପାଦଘାତେ
ମସି ଗୁଣ୍ଡା କରି ଉଡ଼ାଇଲେ ମହାବାତେ
ଅଘାସୁର ବକାସୁର ଷଣ୍ଢାସୁର ତିନି
ଏହାଙ୍କ ନାମେ କମ୍ପଇ ସକଳ ମେଦିନୀ
ତ୍ରିଭୁବନେ ବୀର ନାହିଁ ତାଙ୍କ ସମସରି
ଖେଳ କଉତୁକେ ତାଙ୍କୁ ମାଇଲେ ଶ୍ରୀହରି
କଂସଠାରୁ ବଳବନ୍ତ କେଶୀ ରଣରଙ୍କା
ଯା ନାମ ଧରନ୍ତେ ସ୍ୱର୍ଗେ ଇନ୍ଦ୍ର କରେ ଶଙ୍କା
ତା ତୁଣ୍ଡ ଭିତରେ ନେଇ ପୂରାଇଲେ ହାତ
ବେନି ଫାଳ କରି ତାକୁ ଚିରିଲେ ଅଚ୍ୟୁତ
ବାସୁକିର ସାନ ଭାଇ କାଳି ନାମ ସର୍ପ
ତ୍ରିଭୁବନ ଦହିପାରେ ଯେ କରନ୍ତେ କୋପ
ଘର କରି ରହିଥିଲା କାଳନ୍ଦୀ ହ୍ରଦରେ
ଗୋବିନ୍ଦ ତା ଦର୍ପ ଗଞ୍ଜି ତଡ଼ିଦେଲେ ଦୂରେ
ଅଖାଦ୍ୟ ସେ ଜଳ ହୋଇଥିଲା ବିଷ ପଡ଼ି
କୃଷ୍ଣ ତା ଅମୃତ କଲେ କାଳିୟକୁ ତଡ଼ି
ପୂର୍ବରୁ ସାମାନ୍ୟ ହୋଇଥିଲା କୁଞ୍ଜବନ
କୃଷ୍ଣଯୋଗେ ଦିଶିଲା ସେ ସ୍ୱର୍ଗର ସମାନ
ଇନ୍ଦ୍ର ବିବାଦେ ଟେକିଲେ ଗୋବର୍ଦ୍ଧନ ଗିରି
ତେଡ଼େ ବଡ଼ ପର୍ବତ କି ଆନେ ହୋଏ ଧରି
ସମଦଣ୍ଡ ଘେନି ବିଜେ କଲା ଇନ୍ଦ୍ରରାୟେ
ଘୋର ବର୍ଷା କଲା ପୁଣି ସାତଦିନ ଯାଏ
ଶାଳ ଶିଳା ସହିତରେ ଖପରା ବରଷି
ବୁଡ଼ିଲା ନଗର ଗ୍ରାମ ଘୋଟି ଜଳରାଶି
ଭୟଙ୍କର ଅନ୍ଧାର ଯେ ମେଘ ଘଡ଼ଘଡ଼ି
ଅଣଞ୍ଚାଶ ପବନରେ ବୃକ୍ଷେ ଗଲେ ଉଡ଼ି
ଘନ ଘନ ବିଜୁଳିର ସଙ୍ଗେ ବଜ୍ରପାତ
ପୃଥ୍ୱୀ ଟଳ ଟଳ ହୋଇ କମ୍ପିଲା ଜଗତ
ଗୋପପୁର ବାସୀ ଲୋକେ ପାଇ ମହାଭୀତି
କୃଷ୍ଣଙ୍କୁ ନିନ୍ଦିଲେ ଥୋକେ ଥୋକେ କଲେ ସ୍ତୁତି
ସେ କାଳେ ଏଡ଼େ ସାହସ ନନ୍ଦସୁତ କଲା
ତେଡ଼େ ବଡ଼ ଗିରି କରେ ଟେକିଣ ଧଇଲା
ତାହା ଦେଖି କୋପେ ଇନ୍ଦ୍ର ବଜ୍ର ପ୍ରହାରନ୍ତେ
ଚୂର୍ଣ୍ଣ ହେଲା ବଜ୍ରଶର ବାଜି କୃଷ୍ଣ ହସ୍ତେ
ବଜ୍ର ଭାଙ୍ଗି ଯାନ୍ତେ ଇନ୍ଦ୍ର ପାଇ ବଡ଼ ଲଜ୍ଜା
ଦେବଗଣ ଘେନି କଲା କୃଷ୍ଣ ପାଦେ ପୂଜା
ଗିରିତଳେ ସମ୍ଭାଳିଲା ଗୋପପୁର ଶିରୀ
ନରନାରୀ ଗାଈ ଗୋରୁ ବତ୍ସା ଆଦି କରି
ବତ୍ସାତୁଲେ ବାଳକଙ୍କୁ ବ୍ରହ୍ମା ହରି ନେଲେ
କୁଶବଟୁ ଭୁବନରେ ଗୁପତେ ରଖିଲେ
ମାୟାଧର ପୁରୁଷ ତା ଜାଣି ଅନ୍ତର୍ଯ୍ୟାମୀ
ଶ୍ରୀଅଙ୍ଗୁ ଗୋପଳ ବତ୍ସା ଜାତ କଲେ ସ୍ୱାମୀ
ଏମନ୍ତ ପ୍ରକାରେ ତହୁଁ ବରଷେକ ଗଲା
ତ୍ରୈଲୋକ୍ୟ ଭିତରେ କେହି ଜାଣନ୍ତା ନୋହିଲା
ତାହା ଦେଖି ମନେ ଲଜ୍ଜା ପାଇ ପଦ୍ମଯୋନି
କୃଷ୍ଣଙ୍କୁ ଦର୍ଶନ କଲେ ବାଳ ବତ୍ସା ବେନି
ଆବର ଅଦ୍ଭୂତ କର୍ମ କରିଛନ୍ତି ଯେତେ
ଏକ ଏକ କରି ତାହା କହିବଇଁ କେତେ
ଆମ୍ଭେ ସଖି ଗୋପପୁରେ ଷୋଳସସ୍ର ନାରୀ
ଜଣ ଜଣ କରେ ହେବା ରମ୍ଭା ସଙ୍ଗେ ସରି
ସୁନ୍ଦରୀ ଯେ ସୁଲକ୍ଷଣୀ ସର୍ବେ ନବବାଳା
ସବୁରି ମନ ତୋଷିଲା ଏକା ନନ୍ଦବଳା
ଅନେକ ପ୍ରକାରେ କଲା ରମଣ ବିଳାସ
ଚୌଷଠି ଶୃଙ୍ଗାର ବନ୍ଧେ ତୋଷିଲା ମାନସ
ମଜ୍ଜିଲୁ କାମ ସଂଗ୍ରାମେ ନ ଜିଣିଲୁ ଢ଼ାଳେ
କୁଳ ଧର୍ମ ଲଜ୍ଜା ତ୍ୟାଗ କଲୁ ଅବହେଳେ
ଆବରହିଁ କୃତ୍ୟ କରିଛନ୍ତି ଯେତେ ଯେତେ
କଅଁଳାପୁଅ ସେ ଭାବ ଜାଣନ୍ତା କେମନ୍ତେ
ଶୃଙ୍ଗାରରେ ଯେତେ କର୍ମ ପ୍ରେମ ଆଲିଙ୍ଗନ
ଅଭିସାରିକା ନୋହି କି ଜାଣନ୍ତା ଏମାନ
ଦଧିଦାନ ବସ୍ତ୍ର ଚୋରି ନାବ ବାହିବାର
ଏମାନ ସ୍ମରିଲେ ଧୈର୍ଯ୍ୟ ରହିବ କାହାର
ସର୍ପ ବ୍ୟାଘ୍ର ବହନି ଯେ କୋକଜୀବ ଭୀତି
ଏମନ୍ତ ପ୍ରକାରେ କ୍ରୀଡ଼ା କରୁଥିଲେ ନିତି
ମାୟାଧର ପୁରୁଷ ସେ ଦେବଙ୍କର ଦେବା
ମାନବ ବୋଲିଣ ତାଙ୍କୁ କେମନ୍ତେ ବୋଲିବା
ଜନ୍ମ ମୃତ୍ୟୁ ନାହିଁ ଯାର ପାପ ପୁଣ୍ୟ ନାହିଁ
ଅନ୍ତର୍ଯ୍ୟାମୀ ପୁରୁଷ ସେ ସର୍ବ ଭୂତେ ଥାଇ
ଧନୁଯାତ୍ରା ବୋଲି କଂସ ଡକାଇଣ ନେଲା
ଚାଣୁର ମୁଷ୍ଟିକ ଗଜ କୁବଳୟା ମଲା
ଧନୁଭଗ୍ନ ହେଲା ପୁଣି ଯାତ୍ରା ହେଲା ଧ୍ୱଂସ
ରୂପ ଦେଖି ଜଗତୀରୁ ପଡ଼ି ମଲା କଂସ
କ୍ଷଣକରେ କୋଟି ଇନ୍ଦ୍ର ଯେ ପାରଇ ଜିଣି
କିଞ୍ଚିତେ ବଧିଲେ ତାକୁ ପ୍ରଭୁ ଚକ୍ରପାଣି
କଂସ ମାରି ମଥୁରାରୁ ଜୟଶିରୀ ନେଲେ
ଉଗ୍ରସେନ ରାଜା ଶିରେ ଶାଢ଼ୀ ବନ୍ଧାଇଲେ
ଏ ଦୁସ୍ତର କର୍ମମାନ ଯେ କରିଛି ଏକା
ମାନବ ସଙ୍ଗରେ ତାକୁ କରିବା କି ଲେଖା
କାଚ ଯେବେ ପଦ୍ମରାଗମଣି ସଙ୍ଗେ ଥାଏ
ପଦ୍ମରାଗ ଯୋଗେ ତାର ତେଜ ଶୋଭାପାଏ
ଆମ୍ଭେ ସର୍ବ ହୀନନାରୀ ପାମରୀ ଗୁଆଳୀ
ଦେବନାରୀ ସଙ୍ଗେ ତୁଲ୍ୟ କଲେ ବନମାଳୀ
ତାଙ୍କର ଶ୍ରୀଅଙ୍ଗ ତେଜ ଆମ୍ଭ ଅଙ୍ଗେ ଲାଗି
ଏ ଦେହେ ମୁକତି ପାଇ ହେଲେ ସଉଭାଗୀ
ରମିଲେ ତାଙ୍କର ସଙ୍ଗେ ଦେଖିଲେ ଶ୍ରୀମୁଖ
ଲଭିଲେ କୈବଲ୍ୟ ମୁକ୍ତି ଖଣ୍ଡି ଜନ୍ମଦୁଃଖ
ପରଶୁ ପଥର ଲାଗି ଲୁହା ହୁଏ ସୁନା
କୃଷ୍ଣ ଅଙ୍ଗ ଲାଗି ମୋକ୍ଷ ହେଲୁ ଗୋପାଙ୍ଗନା
ଗୋବିନ୍ଦ ଆସିବାପାଇଁ ଶୋଚନା ନ କର
ହୃଦୟାଦି ଦୃଢ଼ କରିଥିବ ଯେ ଯାହାର
ବଢ଼ାଇ ସେ ନିରପେକ୍ଷ ଦେବ ଶିରୀରଙ୍ଗ
ବଜ୍ରହୁଁ କଠିନ ଜାଣ ଅଟେ ତାର ଅଙ୍ଗ
ଆମ୍ଭଙ୍କୁ ଚିତୋଇ ମନେ କିପାଁ ସେ ଲୋଡ଼ିବ
ଶ୍ରୀମନ୍ତ ପୁରୁଷ ତାକୁ କିସ ଅପୂରବ
ଧନବସ୍ତ୍ର ଅଳଙ୍କାର ସାର ଦ୍ରବ୍ୟ ଯେତେ
କୃଷ୍ଣଙ୍କୁ ଅପୂର୍ବ ହୋଇ କି ଅଛଇ ଜଗତେ
ସତେ କି ଆସିବେ କୃଷ୍ଣ ଆଉ ଆମ୍ଭ ପାଇଁ
ଏ କଥା ମନକୁ ମୋର ପରତେ ନ ଯାଇ
ବସଇ ଯେ ନବଲକ୍ଷ ଘର ଗୋପପୁରେ
ଏହି କଥା ବିଚାରନ୍ତି ସର୍ବେ ପରସ୍ପରେ
ପ୍ରସାଦ ମଣ୍ଡପ ମେଢ଼ ଦାଣ୍ଡ ଘାଟ ବାଟ
ନଗ୍ରଯାକ ହାଲହୋଳି ଗୋବିନ୍ଦ ଉଚ୍ଚାଟ
ବ୍ରହ୍ମପୁତ୍ର ବାଲଖିଲ୍ୟା ଗୋପୀ ହୋଇଥିଲେ
କୃଷ୍ଣ ଯୋଗେ ଶାପୁଁ ତରି ବ୍ରହ୍ମଲୋକ ଗଲେ
ଦୂତିକା ଗୋପରେ ଥିଲେ ମଧ୍ୟସ୍ଥ ହୋଇଣ
ବିମାନ ଆରୋହି ଗଲେ ସ୍ୱର୍ଗେ ତତକ୍ଷଣ
ଦେବରାଜ ସଭାମଧ୍ୟେ ମିଳନ୍ତେ ସେ ଦୂତୀ
ପରମ ସନ୍ତୋଷ ହେଲେ ଦେଖି ସୁରପତି
ଶ୍ରୀହସ୍ତରେ ଟେକି ଇନ୍ଦ୍ର ଶାଢ଼ୀ ମାଳ ଦେଲେ
ଅନେକ ଗୌରବ କରି ପାଶେ ବସାଇଲେ
ଏଥୁ ଅନନ୍ତରେ ଅସ୍ତ ହେଲେ ଦିନମଣି
ଦିବସ ଅନ୍ତେ ପ୍ରବେଶ ହୋଇଲା ରଜନୀ
ଯେ ଯାହାର ଗୃହକାର୍ଯ୍ୟ କଲେ ଗୋପବୃନ୍ଦ
ବାଟ ଚାହିଁ ବସିଛନ୍ତି ଯଶୋବନ୍ତୀ ନନ୍ଦ
ନାନା ବ୍ୟଞ୍ଜନ ଅନ୍ନ ଯେ ସ୍ୱର୍ଣ୍ଣ ପତ୍ରେ ବାଢ଼ି
ଦୀପ ଜାଳି ଜଳପାତ୍ର ରଖନ୍ତି ସଜାଡ଼ି
ଫୁଟି ଆସୁଥିବେ ପୋଏ ପଥଶ୍ରାନ୍ତ ହୋଇ
ଭୁଞ୍ଜିବେ ସୁପକ୍ୱ ଅନ୍ନ ଜଳେ ପାଦ ଧୋଇ
ଏମନ୍ତ ବିଚାର ବସି କରନ୍ତି ଯଶୋଦା
ଦିବସରେ କ୍ଷୁଧା ନାହିଁ ରାତ୍ରେ ନାହିଁ ନିଦ୍ରା
ଏପରି ସବୁରି ମନେ ଲାଗିଛି ଉଚ୍ଚାଟ
ବୋଲନ୍ତି ଆସିବେ ଆଜି ନନ୍ଦ ବେନି ଚାଟ
ନ ଆସିବେ ବୋଲି ନାହିଁ କାହାରି ପରତେ
ଆସିବା ବାଟକୁ ଅଛନ୍ତି ସମସ୍ତେ
ଗୋପିକାମାନଙ୍କ ମୋକ୍ଷ ଆଖ୍ୟାନ ଚରିତ
ଶେଷ ହେଲା ଗୀତବନ୍ଧେ କହଇ ଅଚ୍ୟୁତ

ଉଗ୍ରସେନ ସଭାରେ ଗର୍ଗମୁନିଙ୍କର ଅପମାନ କୈଳାସ ଗହ୍ୱରେ ତପସ୍ୟା ଓ ବରଲାଭ[ସମ୍ପାଦନା]

ଶୁତ ବୋଇଲେ ହେ ଶୁଣ ପରୀକ୍ଷିତ ନୃପ
ନନ୍ଦ ଯଶୋବନ୍ତୀ ଦୁହେଁ କରନ୍ତି ବିଳାପ
ଏଥିୁ ଅନନ୍ତରେ ପୁଣ ରାମକୃଷ୍ଣ ବେନି
ମଥୁରା ରହିଲେ ସଙ୍ଗେ ଯାଦବଙ୍କୁ ଘେନି
ଉଗ୍ରସେନ ନରପତି ଶିରେ ବାନ୍ଧି ପାଟ
କରନ୍ତି ରାଜତ୍ୱ ଭୋଗ ପାଳି ସମରାଷ୍ଟ୍ର
ଚୌରାଶୀ କୋଟି ଯାଦବେ ବଳେ ଅପ୍ରମିତା
ହାତୀ ରଥୀ ମହାରଥୀ ଏକୁ ଏକ ଜିତା
ସାତ୍ୟକି ଯେ କୃତବର୍ମା ଶକ୍ରାଜିତ ବୀର
ବସୁଦେବ ଅନାଧୃଷ୍ଟ ଉଦ୍ଧର ଅକ୍ରୂର
ସପ୍ତବଂଶ ଗଣନ୍ତି ଏ ସାତମନ୍ତ୍ରୀ ଘେନି
ଅଚିନ୍ତେ ଭୋଗ କରନ୍ତି ମଥୁରା ମେଦିନୀ
ଅମର କଣ୍ଟକ କଂସ ହେଲା ଯହୁଁ କ୍ଷୟ
ଛାଡ଼ିଲେ ସକଳ ଭ୍ରାନ୍ତି ସ୍ୱର୍ଗେ ଦେବଚୟ
ବସୁଦେବ ସଦନରେ ରାମ ଭଗବାନ
ପିତାମାତା ସେନେହରେ ଆନନ୍ଦିତ ମନ
ଚାରିପାଦେ ଲକ୍ଷ୍ମୀ ବିଜେ କଲେ ମଥୁରାରେ
ବଢ଼ିଲା ଅଚଳ ଭାଗ୍ୟ ପୂରି ଘରେ ଘରେ
କୁବେର ଅଳକା କିବା ଇନ୍ଦ୍ର ବାରସ୍ୱତୀ
ରତ୍ନାକର ପାଟଣା କି ପ୍ରଜ୍ଜ୍ୱଳିତ ଜ୍ୟୋତି
ଅବସନ୍ତେ ବସନ୍ତ ଯେ ବହେ ଘନ ଘନ
ଫଳ ପୁଷ୍ପେ ତରୁଲତା ଦିଶନ୍ତି ଶୋଭନ
ଶୁକ ପିକ ଝିଙ୍କାରିଙ୍କ ସୁମଧୁର ଧ୍ୱନି
ମୋହିତ ହୁଅନ୍ତି ଶୁଣି ସୁର ସିଦ୍ଧ ମୁନି
ଅତୁଳ ଦିଶଇ ସ୍ତରୀ ପୁରୁଷଙ୍କ ଶୋଭା
ବୃଦ୍ଧମାନେ ପାଲଟିଣ ହେଲେ ନବଯୁବା
ଯୋଗ ମାର୍ଗେ ଲୟ ଦେଇ ସନକାଦି ଗଣ
ଯେବଣ ବିଷ୍ଣୁଙ୍କୁ ଧ୍ୟାନେ କରନ୍ତି ଦର୍ଶନ
ସେ ମହା ପୁରୁଷ ହେଲେ କୃଷ୍ଣ ରୂପ ଏବେ
ଚର୍ମ ନୟନରେ ତାଙ୍କୁ ଦେଖନ୍ତି ଯାଦବେ
ଅନ୍ଧ କୁଷ୍ଠୀ ଧନହୀନ ଦୁଃଖୀ ଜଣେ ନାହିଁ
ଖଣ୍ଡିଲେ ସକଳ ଦୁଃଖ କୃଷ୍ଣ ମୁଖ ଚାହିଁ
ମିଥୁନ ମାସ ପୂର୍ଣ୍ଣିମୀ ଚନ୍ଦ୍ର ନାମେ ବାର
ପୂର୍ବାଷାଢ଼ା ନକ୍ଷତ୍ର ଯେ ଅଟେ ସେ ଦିନର
ବିଷ୍ଟି ନାମରେ କରଣ ବ୍ୟତିପାତ ଯୋଗ
କକଡ଼ା ସଂକ୍ରାନ୍ତିଠାରୁ ବିଂଶଦିନ ଭୋଗ
ଶନିଶ୍ଚର ଭୋଗବେଳ ପାଞ୍ଚଘଡ଼ିମାନେ
ଉଗ୍ରସେନ ନରପତି ବିଜୟେ ଆସ୍ଥାନେ
କଂସ ରାଜା କରିଥିଲା ଯେଉଁ ରଙ୍ଗ ସଭା
ମଧ୍ୟାହ୍ନ ଆଦିତ୍ୟ ଜିଣି ଦିଶେ ତାର ପ୍ରଭା
ସ୍ୱହସ୍ତରେ ବିଶ୍ୱକର୍ମା ନିର୍ମାଣ କରିଛି
ସର୍ବଗୁଣେ ପୂର୍ଣ୍ଣ ଅବିଗୁଣ ନାହିଁ କିଛି
ଦେବଭଣ୍ଡାରେ ଅମୂଲ୍ୟ ଦ୍ରବ୍ୟ ଯେତେ ଥିଲା
ଦିଗବିଜେ କରି କଂସ ସମସ୍ତ ଆଣିଲା
ହୀରା ନୀଳା ବଇଡ଼ୁର୍ଯ୍ୟ ମଣି ରତ୍ନ ହେମ
ପଟାନ୍ତର ନାହିଁ ତାକୁ ଅତୁଳିତ କମ
ଅପୂର୍ବ ମଣ୍ଡପ ଆୟତନ ବେନି କ୍ରୋଶ
ଶୁଦ୍ଧ ସ୍ଫଟିକରେ ପୀଢ଼ ପ୍ରାଙ୍ଗଣ ଚୌପାଶ
ମାରାଗ ରତନ ଖମ୍ୱ ସପ୍ତତାଳ ଉଚ୍ଚ
ବାଙ୍କ ବକ୍ର ନାହିଁ ତାର ଘଟଣ ସୁସଞ୍ଚ
ସୁବର୍ଣ୍ଣ ଜଡ଼ିତ ରୁଅ ରୌପ୍ୟ ଶେଣୀ କାଣ୍ଡ
ଗଜଦନ୍ତରେ ପିତୁଳା କରିଅଛି ରୁଣ୍ଡ
ଝିଙ୍କର ଛାଏଣି ଚାଳ ଦିଶେ ଶୁକ୍ଳ ଜ୍ୟୋତି
ଝରା ଝୁମ୍ପାମାନ ଲମ୍ୱ ଶୋହେ ଚଉକତି
ସ୍ୱର୍ଣ୍ଣ କଳଶ ଉପରେ ଚିତ୍ରଧ୍ୱଜ ଉଡ଼େ
ଶାରଦ ମେଘରୁ ଖସି ବିଜୁଳି କି ପଡ଼େ
ଆଗେ ଉଭା ତ୍ରୋଣ ଖମ୍ୱ ଆକାଶକୁ ଜିଣି
ଚନ୍ଦ୍ରମା ମଣ୍ଡଳେ ଯେହ୍ନେ ଦିଶେ ତାରାଶ୍ରେଣୀ
ନେତ ପତନି ସିନ୍ଧୁଆ ଧବଳ ମାଞ୍ଜିଷ୍ଠ
ବସନ୍ତ ସୁପୀତ ନୀଳ ନାନା ବସ୍ତ୍ର ପାଟ
ଖମ୍ୱେ ଖମ୍ୱେ ବାନ୍ଧିଅଛି ବାଛି ନୂଆ ନୂଆ
ଉପରେ ସୁଚିତ୍ର ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ
ବଖରାକେ ମଣ୍ଡିଅଛି ଭିନ୍ନ ଭିନ୍ନ କରି
ବିଚିତ୍ର ଶ୍ୱେତ ଚାମର ଲମ୍ୱେ କେରି କେରି
ସେବତୀ ମଲ୍ଲିକା ଜାଈ ମାଳତୀ ବକୁଳ
ପୁନ୍ନାଗ ପାଟଳି ଚମ୍ପା ନାଗେଶ୍ୱର ମାଳ
କଞ୍ଚନ ଯେ ପାରିଜାତ ଅଶୋକ ଦୟଣା
ନୀଳୋତ୍ପଳ ଆଦି ପୁଷ୍ପେ ଏକୁ ଏକ ଜିଣା
ସୁଗନ୍ଧ ସୌରଭ ବାସେ ଚହଟଇ ସଭା
ମାଳ ମାଳ ହୋଇ ଲମ୍ୱି ଦିଶେ ଦିବ୍ୟଶୋଭା
କର୍ପୂର କସ୍ତୁରୀ ଚୁଆ ଧୂପଧୂମ ଉଠି
ପରିମଳ ଗନ୍ଧେ ମନ ହରଇ ଚହଟି
ଧନ୍ୟ ଧନ୍ୟ ରଙ୍ଗସଭା କଂସ ସରଜିଲା
ଆପେ ବିଶ୍ୱକର୍ମା ଗଢ଼ି ମୂର୍ତ୍ତିମନ୍ତ କଲା
ଅସଂଖ୍ୟ ଚିତ୍ର ପିତୁଳି ନନ୍ଦାବର୍ତ୍ତ କମ
ହୀରା ନୀଳା ମୋତି ଖଞ୍ଜା ଘଟଣ ସୁଷମ
ସଭାମଧ୍ୟେ ଶୋଭାପାଏ ରତ୍ନ ସିଂହାସନ
ତହିଁରେ ବିଜୟ କଲେ ରାଜା ଉଗ୍ରସେନ
କର୍ଣ୍ଣରେ କୁଣ୍ଡଳ ଶିରେ ଶୋହଇ ମୁକୁଟ
ମଣିଗଣ କିରଣରେ ଦିଶେ ଝଟ ଝଟ
ବକ୍ଷଦେଶେ ଲମ୍ୱିଅଛି ନବରତ୍ନ ହାର
ବିଦ ମୁଦି କଙ୍କଣରେ ଶୋଭାପାଏ କର
ଏହିରୂପେ ବୀରବେଶ ହୋଇ ଉଗ୍ରସେନ
ରଙ୍ଗସଭା ସିଂହାସନେ କଲେ ଆରୋହଣ
ଦକ୍ଷିଣରେ ଯମଦାଢ଼ ବାମେ ପାଟଖଣ୍ଡା
ଆଗରେ ଶାବେଳୀ ଛୁରୀ କୋନ୍ତ ଗଣ୍ଡା ଗଣ୍ଡା
ରାମ କୃଷ୍ଣ ବେନିଭାଇ ବସିଛନ୍ତି କୋଳେ
ପଟୁଆରି ବେଢ଼ିଛନ୍ତି ରଙ୍ଗସଭା ତଳେ
ଅଶ୍ୱାରୋହୀ ଗଜାରୋହୀ ପଦାତିକ ସେନା
ରଥୀ ମହାରଥୀ କେତେ ନ ଯାଏ କଳନା
ଚୌରାଶୀ କୋଟି ଯାଦବେ ସଭାମଧ୍ୟେ ବେଢ଼ି
ବସିଛନ୍ତି ଯେ ଯାହାର ଖମ୍ୱେ ଖମ୍ୱେ ମାଡ଼ି
ମଣିମା ମଣିମା ଡାକ ଶୁଭଇ ଛାମୁରେ
ପଡ଼ିହାରୀ ବୁଲୁଛନ୍ତି ବେତ୍ର ଧରି କରେ
ନାନାରଙ୍ଗେ ନୃତ୍ୟ କରି ବାର ବିଳାସିନୀ
ତୋଷନ୍ତି ରାଜାଙ୍କ ମନ ବୀଣାଯନ୍ତ୍ର ଘେନି
ପାତ୍ରମନ୍ତ୍ରୀ ଅମନାତ୍ୟ ବିଶ୍ୱାସିତ ଲୋକେ
ସିଂହାସନ ପାଶେ ଉଭା ହୋଇଛନ୍ତି ଥୋକେ
ପରମଧାର୍ମିକ ସେହି ଉଗ୍ରସେନ ରାଜା
ପାତ୍ର ଆଦି ଯଥାମାନ୍ୟେ କରେ ତହିଁ ପୂଜା
ଶୁଣ ହେ ପରୀକ୍ଷ ରାଜା ହରିବଂଶ ଧ୍ୱନି
ଏକାଳେ ମିଳିଲେ ଆସି ଗର୍ଗ ମହାମୁନି
ହସ୍ତେ କମଣ୍ଡଳୁ ଶୋହେ କାଖେ କୁଶବିଡ଼ି
ବେଦକାଣ୍ଡି କଷାବାସ ଉତ୍ତରୀ ପଗଡ଼ି
ତୁଳସୀମାଳ ଭୂଷଣ ଭାଲେ ଭସ୍ମଚିତା
ତ୍ରିକଚ୍ଛୀ ବସନ ଶୋହେ କନ୍ଧରେ ପଇତା
ପ୍ରତ୍ୟକ୍ଷ ଯେ ବ୍ରହ୍ମଋଷି ବ୍ରହ୍ମ ଅବତାର
ଜାଜ୍ୱଲ୍ୟମାନ ତେଜରେ ନିନ୍ଦେ ଦିବାକର
ବେଦମନ୍ତ୍ର ପଢ଼ି ମୁନି ହୁଅନ୍ତେ ପ୍ରବେଶ
ଦୂରୁ ଦେଖି ଯଦୁବୀରେ କଲେ ଉପହାସ
ସହସ୍ରା ଜିତର ସାନଭାଇ ମହାବୀର
ପ୍ରସନ୍ନାଜିତ ବୋଲିଣ ନାମ ଅଟେ ତାର
ସେ ବୋଇଲା ପୁରୋହିତ ଥାଉ ଥାଉ ଭଲେ
ମୁଖ ନ ଚାହିଁଣ କିପାଁ ରାଜା ନାଶ ଗଲେ
ଅଧର୍ମ ଆଚାର କରି କଂସ ଗଲା ନାଶ
ଏ ସ୍ଥାନରେ ଏ ଥିବାର ପ୍ରୟୋଜନ କିସ
ରାଜା ଅଟେ ନରଦେବ ମର୍ତ୍ତ୍ୟ ଭୁବନକୁ
ନୃପତିର ପାପ ପୁଣ୍ୟ ଲାଗେ ପୁରୋଧାଙ୍କୁ
ରାଜା ଥିଲେ ପୁରୋହିତ ରାଜ୍ୟେ ଅଧିକାରୀ
ରାଜାଅନ୍ତେ ପୁରୋହିତ ହୁଏ ତପଚାରୀ
ନୋହିଲେ ପ୍ରୟାଗ ବଟେ ଉଠି ଦେବ ଝାସ
ଅଥବା ସକଳ ଛାଡ଼ି ହୋଇବା ସନ୍ନ୍ୟାସ
ଆଶ୍ରମ କରିବା ଅବା ରହି ପୁଣ୍ୟସ୍ଥାନେ
ଉଦାସୀନ ହୋଇ ଯୋଗ ସାଧି ବ୍ରହ୍ମଜ୍ଞାନେ
ଏ ଯେ କଂସରାଜା ପୁରୋହିତ ହୋଇଥିଲା
ରାଜାଙ୍କ ବିଯୋଗ କିପାଁ ବନକୁ ନ ଗଲା
ଆବର ବିଶେଷେ ଏ ତ ବିଭା ହୋଇନାହିଁ
ସନ୍ତତି ବିହୀନେ ଦେହ କାରଣ ନ ହୋଇ
ବିଡ଼ମ୍ୱନ ପୁରୁଷ ୟା ଦେହ ଅପ୍ରତିଷ୍ଠା
ସ୍ୱଭାବରେ କ୍ଳୀବ ଅଟେ ନାହିଁ ତପନିଷ୍ଠା
ସର୍ବଗୁଣେ ନିଲକ୍ଷଣ ଏ ଯେ ମହାପାପୀ
କର୍ମ ଚାଣ୍ଡାଳ ଏହାକୁ ବୋଲିଟି ଅଦ୍ୟାପି
ଯୁକତେ ଏ ରାଜସଭା ସର୍ବେ ପୁଣ୍ୟମୟ
ପୁଣ୍ୟବନ୍ତ ଲୋକେ ଏଥେ ବସି ହ୍ୱନ୍ତି ଥୟ
ଆହେ ଗର୍ଗମୁନି ତୁମ୍ଭେ ବେଗେ ଉଠାଯାଅ
ଏ ପୁଣ୍ୟବନ୍ତ ଲୋକଙ୍କୁ ପାପୀ ନ କରାଅ
ପ୍ରସନ୍ନାଜିତ କହନ୍ତେ ଏସନକ ବାଣୀ
ହସିଲେ ଯାଦବମାନେ ତା କଥାକୁ ଶୁଣି
ରଙ୍ଗସଭାରେ ସେ ମୁନି ହୋଇଛନ୍ତି ଉଭା
ସକଳ ଯାଦବେ ବସି ପାଉଛନ୍ତି ଶୋଭା
ଯେଝାମତେ ତାକୁ ସର୍ବେ କରନ୍ତି ଭର୍ତ୍ସନା
ଏହାର ମୁଖ ନ ଚାହିଁ ବୋଲି କଲେ ମନା
ଶୁଣିଣ ଅନେକ ଲଜ୍ଜା ପାଇ ମୁନିବର
ମଥା ପୋତି ମୌନ ହେଲେ ନ ଦେଇ ଉତ୍ତର
ରାଜସଭା ମଧ୍ୟେ ଯହୁଁ ହେଲା ଅପମାନ
ସ୍ତମ୍ଭୀଭୂତ ହୋଇ ମୁନି ହରାଇଲେ ଜ୍ଞାନ
ଝର ଝର ହୋଇ ଝାଳ ପଡୁଅଛି ଗଳି
ମନମଧ୍ୟେ ଅନ୍ତରାଳ ହେଲେ ତପଶାଳୀ
ରାହୁଗ୍ରସ୍ତ ଚନ୍ଦ୍ର ପରି ଦିଶିଲା ବଦନ
ଫେରିଯିବା ପାଇଁ କେଭେଁ ନ ବଳଇ ମନ
ମୃତ୍ୟୁ ସମାନରେ ବ୍ୟଥା ପାନ୍ତେ ତପୋନିଷ୍ଠୀ
ସଭା ଭାଙ୍ଗି ଉଗ୍ରସେନ ରାଜା ଗଲେ ଉଠି
ବସୁଦେବ ବଳରାମ ଶ୍ରୀକୃଷ୍ଣ ସହିତେ
ନିଜପୁରେ ବିଜେ କଲେ ଯେ ଯାହାର ମତେ
ସାତବଂଶ ଯାଦବେ ଯେ ଚୌରାଅଶି କୋଟି
ରଙ୍ଗସଭା ମଉଳିଲା ସର୍ବେ ଗଲେ ଉଠି
ଅଢ଼ାଇ ପ୍ରହର ବେଳ ହୋଇଲାକ ଆସି
ଏକ ଗର୍ଗ ବସିଛନ୍ତି ସର୍ବେ ଗଲେ ଖସି
ମୁନି ବିଚାରନ୍ତି ଏହା କେବଣ ଚରିତ
ମୋତେ କିପାଁ ଜିଘାଂସିଲେ ଏ ଯାଦବ ଗୋତ୍ର
ମୁଁ ଏହାଙ୍କ କୁଳଗୁରୁ ସର୍ବଭାବେ ଶ୍ରେଷ୍ଠ
ଅପମାନ ଦେଇ ମୋର ଜାତ କଲେ କଷ୍ଟ
ଜଣେ ହୋଇ ଯେବେ ମୋତେ ବୋଲିଥାନ୍ତ ଏହା
ଜାଣନ୍ତା ତକ୍ଷଣେ ତାକୁ କହନ୍ତି ମୁଁ ଯାହା
ଗୁରୁନିନ୍ଦା କଲେ କେଭେ ବିଦ୍ୟା ନୁହେ ସିଦ୍ଧି
ଭକତକୁ ନିନ୍ଦାକଲେ ତୁଟଇ ସମୃଦ୍ଧି
ରାଜାକୁ ନିନ୍ଦିଲେ ନିଶ୍ଚେଁ ଆପେ ହୁଏ ଯକ୍ଷ
ଶସ୍ତ୍ର ନିନ୍ଦାକଲେ ଯୁଦ୍ଧେ ନ ମିଳଇ ଜୟ
ଅନ୍ନକୁ ଯେ ନିନ୍ଦେ ତାକୁ ନ ମିଳଇ ଗ୍ରାସ
ଦେବତାଙ୍କୁ ନିନ୍ଦା କଲେ ନାଶଯାଏ ବଂଶ
ମାତା ନିନ୍ଦା କଲେ ଜାଣ ହୋଏ ଜ୍ଞାନଭ୍ରଷ୍ଟ
ପିତାକୁ ନିନ୍ଦିବା ଜନ ପାଏ ପୁତ୍ରକଷ୍ଟ
ତୀର୍ଥ ନିନ୍ଦା କଲେ ଲଭେ ଅକାଳ ମରଣ
ଯତି ସତୀ ନିନ୍ଦାକଲେ ନାଶଯାଏ ଜ୍ଞାନ
ଯୁକତେ ବ୍ରାହ୍ମଣ ଆମ୍ଭେ ଅଟୁ ବ୍ରହ୍ମଚାରୀ
ବେଦଶାସ୍ତ୍ରେ ବିନିର୍ଜିତ କ୍ରିୟା କର୍ମଚାରୀ
ଯଦୁବଂଶେ ପୁରୋହିତ ଆମ୍ଭେ ସବୁଦିନେ
ତାଙ୍କର ଅପ୍ରିୟ କେଭେ କରିନାହୁ ଜ୍ଞାନେ
ଏହାଙ୍କ ଉପର ବଂଶେ ଶଶବିନ୍ଦୁ ନୃପ
ସପ୍ତଦ୍ୱୀପା ପୃଥିବୀରେ ସେ ହେଲା ଅଧିପ
ଏକ ଲକ୍ଷ ତିନିସସ୍ର ଭାରିଯା ତାହାର
ଭାରିଯାକେ ଦଶ ଦଶ ଦୁହିତା କୁମର
ଏକପୁତ୍ରେ ଦଶ ଦଶ ଝିଅ ପୁଅ ନାତି
ନାତିକାରେ ଦଶ ଦଶ ପୁତ୍ର ଯେ ଦୁହିତୀ
ଏହି ଅନୁସାରେ ଦଶ ପୁରୁଷ ବର୍ଦ୍ଧନ
ଧନ ଧାନ୍ୟ ଗୋପ ଲକ୍ଷ୍ମୀ ହେଲା ଅକଥନ
କହନ୍ତେ ନ ସରେ ଶଶବିନ୍ଦୁର ମହିମା
ନବଦ୍ୱୀପ ସାତସିନ୍ଧୁ ଅଟେ ତାର ସୀମା
ଇନ୍ଦ୍ର ଯମ ନଇର୍ଋତ ବରୁଣ କୁବେର
ତେତିଶକୋଟି ଦେବତା ଅଧୀନ ତାହାର
ବ୍ରାହ୍ମଣ ପ୍ରସାଦେ ଏଡ଼େ ରାଜ୍ୟେ ଭୋଗ କଲା
ବ୍ରହ୍ମନିନ୍ଦା କରି ପୁଣି ସପତାଙ୍ଗେ ମଲା
ସେ ବଂଶରେ ଜନ୍ମିଥିଲା ନହୁଷ ନୃପତି
ନରଦେହେ ହୋଇଲା ସେ ସ୍ୱର୍ଗେ ସୁରପତି
ତିନିପୁର ଲୋକେ ତାକୁ ଦେଖି କଲେ ଭୟ
ଋଷିଙ୍କୁ ଯାନ ବୁହାଇ ଅଳ୍ପେ ଗଲା କ୍ଷୟ
ଏବେ ସେ ଯାଦବେ କଲେ ମୋତେ ଉପହାସ
ଆମ୍ଭ କୋପେ ଏକାବେଳେ ସର୍ବେ ଯିବେ ନାଶ
ଏମନ୍ତ ବିଚାରି ମୁନି କୋପଭର ହୋଇ
ସଭାରୁ ଓହ୍ଲାଇ ଗଲେ ମନେ ଲଜ୍ଜା ପାଇ
ବେନି ନୟନରୁ ଫୁଟି ବହେ ଅଶ୍ରୁଧାର
ମଥୁରା ନଗରୁ ମୁନି ହୋଇଲେ ବାହାର
ଯମୁନାର କୂଳେ କୂଳେ ଥୋକେଦୂର ଗଲେ
ମରହଟ୍ଟ ଦେଶ ଜିଣି ଡାହାଳେ ମିଳିଲେ
ମଣିଭଦ୍ରା ନାମେ ଅଛି ଏକ ନଦୀ ଗୋଟି
ସେ ନଦୀରେ ନିତ୍ୟକର୍ମ ସାରି ତପନିଷ୍ଠୀ
କନ୍ଦମୂଳ ଫଳ ତହିଁ କରିଣ ଆହାର
ମଧ୍ୟାହ୍ନ ସମୟେ ତହୁଁ ହୋଇଲେ ବାହାର
ଅନେକ ବନ ପର୍ବତ ଶାଳଶିଳ ଲତା
ଅମଗ୍ୟ ନିର୍ଝର ଗମି ଗଲେ ବ୍ରହ୍ମବେତ୍ତା
ମଥୁରା ଧ୍ୱଂସିବେ ବୋଲି ମନରେ ବିଚାରି
ଯାଦବଙ୍କ ଅପମାନ ହୃଦେ ଛନ୍ତି ଧରି
ମାନଭଙ୍ଗେ କ୍ଷୁଧା ତୃଷା ନିଦ୍ରା ତେଜି ଋଷି
ଅବିଶ୍ରାନ୍ତ ଗତିକରି ଗଲେ ଦିବାନିଶି
ପଶ୍ଚିମକୁ ମୁଖ କରି ଗମନ୍ତି କେବଳ
ଅନ୍ନ ବିହୀନରେ ଅଙ୍ଗ ହୋଇଲା ଦୁର୍ବଳ
ସଖା ସହୋଦର କେହି ନାହିଁ ସଙ୍ଗତରେ
ବେନି ମାସେ ପହଞ୍ଚିଲେ ରୁଦ୍ର ଗଙ୍ଗାତୀରେ
କି କହିବା ସେ ନଦୀର ମହିମା କଥାଟି
ଉତ୍ତର ବାହିନୀ ହୋଇ ଆସେ ମେରୁ ଫୁଟି
ଶଙ୍କର କରନ୍ତି ଆସି ସେ ନଦୀରେ ସ୍ନାନ
ଶିବ ପାଦୋଦକ ଜଳ ବହେ ପ୍ରତିଦିନ
ଯୋଗିନୀ ଚଣ୍ଡିକାଗଣ ସର୍ବେ ଘେନି ନିତି
ସ୍ନାନ ଆଦି ନିତ୍ୟକର୍ମ ଗିରିଜା କରନ୍ତି
କାର୍ତ୍ତିକ ଗଣେଶ ନନ୍ଦୀ ଭୃକୁଟୀ ସହିତେ
କୋଟି ରୁଦ୍ରଗଣେ ସ୍ନାନ କରୁଥାନ୍ତି ନିତ୍ୟେ
ଶିବଙ୍କ ଉଦ୍ୟାନବନ ନଦୀ ବେନକୂଳେ
ଅପୂର୍ବ ଶୋଭାବନ ସେ ତରୁ ପୁଷ୍ପ ଫଳେ
କୈଳାସ କନ୍ଦର ଠାରୁ ଅମ୍ୱାବନ ଯାଏ
ତିନିସସ୍ର ତୋଟା ସବୁ ସ୍ୱାଦୁ ଫଳମୟେ
ସେ ତୋଟରେ ତଳେ ରୁଦ୍ର ଭଇରବ ସୀମା
ମନ୍ଦର ଗିରିକି ସେହି ପର୍ବତ ଉପମା
ସେ ଗିରିକି ଲାଗିଅଛି ରୁଦ୍ର ଗଙ୍ଗାଧାର
ଶିବ ଗଙ୍ଗା ନାମେ ତହିଁ ବହେ ଏକଝର
ସେ ଝର କୂଳେ ଦୁର୍ବାସା ଋଷି ଥିଲେ ରହି
ବ୍ରହ୍ମ ଗୁମ୍ଫା ନାମେ ଏକ ଗୁମ୍ଫା ଅଛି ତହିଁ
ପୁରନ୍ଦର ନାମେ ପୂର୍ବେ ଏକ ଇନ୍ଦ୍ର ଥିଲା
ଅଗସ୍ତ୍ୟଙ୍କ ଶାପରେ ସେ ରାଜ୍ୟଭ୍ରଷ୍ଟ ହେଲା
ସମୟେ ବଞ୍ଚିଲା ସେହି ଗୁମ୍ଫା ମଧ୍ୟେ ଯାଇ
ପୁଣି ସ୍ୱର୍ଗେ ଇନ୍ଦ୍ର ହେଲା ରୁଦ୍ରବର ପାଇ
ସେ ଗୁମ୍ଫା ଦ୍ୱାରେ ଅମର ନାମେ ଅଛି ବଟ
ସେଠାରୁ ପାତାଳ ଯାଏ ଫିଟିଅଛି ବାଟ
ମୟ ନାମେ ବିଶ୍ୱକର୍ମା ସର୍ଜିଲା ସେ ପୁର
ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ରଖିଅଛି ଦ୍ୱାର
ସେ ଗୁମ୍ଫାର ଦ୍ୱାର ଦେଶେ ମିଳି ଗର୍ଗ ଋଷି
ପଥଶ୍ରମ ନିବାରିଲେ ବଟମୂଳେ ବସି
ଗୁମ୍ଫାର କବାଟ ଫେଇ ପଶିଣ ଭିତରେ
ଏ ସ୍ଥାନେ ରହିବା ବୋଲି ଭାବିଲେ ମନରେ
ଜଳେ ସ୍ନାନ ସାରି ମୁନି କଲେ ନିତ୍ୟକର୍ମ
ସନ୍ଧ୍ୟା ତର୍ପଣ ସହିତେ ବେଦ ଅଧ୍ୟୟନ
ଷଟଦଶ ଉପଚାରେ ଦେବପୂଜା କଲେ
ଦେବତା ପିତୃଙ୍କୁ ମୁନି ଭକ୍ତିରେ ତୋଷିଲେ
ତଦନ୍ତେ ଆହୁତି ପୁଣି କଲେ ଯଥାବିଧି
ପରିଶୁଦ୍ଧ ହେଲେ ପଞ୍ଚଭୂତ ଆତ୍ମା ଶୋଧି
ବାହ୍ୟବଳି ବୈଶ୍ୱଦେବ ପୂଜାବିଧି ସାରି
ତୁଳସୀ ସଲିଳ ପାନ କଲେ ତପଚାରୀ
ବ୍ୟାଘ୍ର ଚର୍ମ ମାଡ଼ି ବସି ଯୋଗେ ମଗ୍ନ ହୋଇ
ପଞ୍ଚାକ୍ଷର ମନ୍ତ୍ର ଜପ କଲେ ମନଦେଇ
ପଞ୍ଚେନ୍ଦ୍ରିୟ ତ୍ୟାଗକଲେ ଛାଡ଼ି ଲୋଭ ମୋହ
ଖରା ବର୍ଷା ଶୀତ ବୋଲି ନଜାଣଇ ଦେହ
ମନ ସଙ୍ଗେ ଇନ୍ଦ୍ରିଗଣ ହୋଇ ଏକ ମେଳ
ନ ଜାଣିଲେ ରାତ୍ର ଦିନ ପ୍ରାତଃ ସନ୍ଧ୍ୟାକାଳ
ଲାଗିଲା ସମାଧି ଯୋଗ ଆତ୍ମାର ସୁଗତି
ତୁଟିଲା ସଂସାର ଭ୍ରମ ମାୟାମୋହ ରୀତି
ଶୁଖିଗଲା ରକ୍ତମାଂସ ନାଡ଼ି ଆଦିକରି
କାଷ୍ଠ ପାଷାଣ ମୃତ୍ତିକା ବୋଲି ନୋହେ ବାରି
ଶୁଖିଲା କାଠେ ବକଳ ଲାଗିଥାଏ ଯେହ୍ନେ
ଗର୍ଗମୁନି ଦେହ ସଞ୍ଚା ଦିଶଇ ତେସନେ
ଶୁଖିଲା ରକତ ମଜ୍ଜା କୃଶ ହେଲା ପିଣ୍ଡ
କେବଳ ଦିଶଇ ଚକ୍ଷୁ ନାସା କର୍ଣ୍ଣ ମୁଣ୍ଡ
ପର୍ବତ ଗହ୍ୱର ପରି ଦିଶେ ବେନି ଡ଼ୋଳା
ନାସିକା ବିବର ଦୁଇ ଦିଶେ ଖୋଲା ଖୋଲା
ଶରୀରରେ ପ୍ରାଣ ବାୟୁ ରହିଅଛି ମାତ୍ର
ଦେଖିବାକୁ ଭୟଙ୍କର ଅସ୍ଥି ଚର୍ମ ଗାତ୍ର
ଶିବଙ୍କୁ କେବଳ ମୁନି ଚିନ୍ତି ଅନ୍ତର୍ଗତେ
ପଞ୍ଚାକ୍ଷର ମନ୍ତ୍ର ଜପ କଲେ ଏକଚିତ୍ତେ
ଭେଦମୁଦ୍ରା ବନ୍ଧେ ବସେ ସମାଧିରେ ମାଡ଼ି
କାଉଁରି ମଣ୍ଡଳେ ଅଛି କବାଟରୁ ଫେଡ଼ି
ଷଡ଼ଚକ୍ର ପଞ୍ଚାଶତ ବର୍ଣ୍ଣ ସଙ୍ଗେ ମେଳ
ଅଲେଖ ଚକ୍ରେ ସହସ୍ର ଦଳ ଯେ କମଳ
ସେହି କମଳେ ଭ୍ରମର ଜୀବ କରେ ବାସ
ମହାଶୂନ୍ୟ ଭେଦି ତହିଁ ଲାଗେ ଅଗ୍ନିତ୍ରାସ
କହନ୍ତି ଯେ ଶୁକ ବ୍ରହ୍ମା ପଞ୍ଚବେଦ ଧ୍ୱନି
ଅସଂଖ୍ୟକ ତପକଲେ ଗର୍ଗ ମହାମୁନି
କମ୍ପିଲା ସେ ତପବଳେ ବ୍ରହ୍ମା ଇନ୍ଦ୍ରପୁର
ଦେଖି ମହାଭୟ କଲେ ସକଳ ଅମର
ମହାଘୋର ତପ ଯହୁଁ କଲେ ଗର୍ଗଯତି
କୈଳାସ କନ୍ଦରେ ତାହା ଜାଣି ପଶୁପତି
ତକ୍ଷଣେ ବୃଷଭ ପୃଷ୍ଠେ ବିଜୟେ ଧୂର୍ଜଟି
ବାମ ଡାହାଣରେ ଛନ୍ତି ନନ୍ଦୀ ଭୁରୁକୁଟି
ନବଲକ୍ଷ ଡମ୍ୱରୁ ଯେ ବାଜେ ଚଉକତି
କୋଟିଚନ୍ଦ୍ର ନିନ୍ଦା କରେ ପଞ୍ଚମୁଖ ଜ୍ୟୋତି
ଶ୍ରୀକରେ ପିନାକଧନୁ ତ୍ରିଶୂଳ ଆବର
କଟୀତଟେ ବ୍ୟାଘ୍ର ଚର୍ମ ଶିରେ ଜଟାଭାର
ବିଭୂତି ଭୂଷଣ ସ୍ୱାମୀ ଶୁକ୍ଳବର୍ଣ୍ଣ ତନୁ
ତିନି ନୟନରେ ଶୋଭା ଚନ୍ଦ୍ର ଅଗ୍ନି ଭାନୁ
ବାମକନ୍ଧେ ନାଗ ସର୍ପ ପଇତା ଉତ୍ତରୀ
କୈଳାସ କନ୍ଦରୁ ବିଜେ କଲେ ତ୍ରିପୁରାରି
ମସ୍ତକରେ ଗଙ୍ଗାଦେବୀ ହୈମବତୀ କୋଳେ
ଝଟ ଝଟ ଚନ୍ଦ୍ରରେଖା ବିରାଜେ କପାଳେ
ଧୀରେ ଧୀରେ ବିଜେ ସ୍ୱାମୀ ବୃଷଭରେ ବସି
ଗର୍ଗମୁନି ଅଗ୍ରତରେ ଉଭା ହେଲେ ଆସି
ଘୋର ତପ କରୁଛନ୍ତି ଗର୍ଗ ତପୋଧନ
ଦେଖି ମନେ ମନେ ହୃଷ୍ଟହେଲେ ତ୍ରିଲୋଚନ
ଅସ୍ଥି ଚର୍ମ କଳେବର ଦେଖି ଦେବକାଶୀ
ବୋଇଲେ ଭୋ ମୁନି ତୁମ୍ଭ ତପେ ହେଲୁ ତୋଷୀ
ଏତେ ବୋଲି ସଦାଶିବ ଅମୃତ ଦୁଷ୍ଟିରେ
ଚାହିଁଦ୍ୟନ୍ତେ କ୍ଷଣକରେ ମୁନି ଯୁବାହେଲେ
ଈଶ୍ୱରଙ୍କୁ ଦେଖି ଗର୍ଗ ଯୋଗାସନ ଛାଡ଼ି
ଶତସଂଖ୍ୟା ଦଣ୍ଡବତ କଲେ ପାଦେ ପଡ଼ି
କରପତ୍ର ଯୋଡ଼ି ପୁଣି କଲେ ବହୁ ସ୍ତୁତି
ଜୟ ତୁମ୍ଭେ ନିରଞ୍ଜନ ନିରାକାର ଜ୍ୟୋତି
ଜଳ ସ୍ଥଳ ଅଗ୍ନି ବାୟୁ ଠୁଳ ଶୂନ୍ୟକାୟ
ଅବିନାଶୀ ପୁରୁଷ ତୁ ନାହିଁ ତୋର କ୍ଷୟ
ଅନ୍ଧ କୁଷ୍ଠୀ ଦରିଦ୍ରଙ୍କୁ କଷ୍ଟୁଁ ପାରି କର
ତୁମ୍ଭର ମହିମା ଦେବ ଅପାରୁ ଅପାର
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ଜିଣି ସର୍ବ ପୁରେ
ସନାତନ ରୂପେ ତୁମ୍ଭେ ଅଛ ସବୁଠାରେ
ତାଣ୍ଡବ ନୃତ୍ୟ ରଙ୍ଗରେ ତୋର ଭୋଳମତି
ଅଚିନ୍ତ୍ୟ ଚିନ୍ତାମଣି ତୁ ଯୁଗାନ୍ତର ମୂର୍ତ୍ତି
ତୁମ୍ଭ କଳ୍ପନାରୁ ଦେବ ସୃଷ୍ଟି ହେଲା ଜାତ
ତେଣୁ ସର୍ବ ଜଗତର ତୁମ୍ଭେ ତାତ ମାତ
ଅଷ୍ଟାଙ୍ଗ ଯୋଗ ସାଧନେ ସିଦ୍ଧ ତୁମ୍ଭ ତନୁ
ଅମୃତ ଲୋଚନ ତୋର ଚନ୍ଦ୍ରାନଳ ଭାନୁ
ପୃଥ୍ୱୀ ଆପ ତେଜ ପୁଣି ବାୟବ୍ୟ ଆକାଶ
ପଞ୍ଚଭୂତ ଆତ୍ମା ମଧ୍ୟେ କରିଅଛ ବାସ
ନମୋଽସ୍ତୁତେ ସଦାଶିବ ଉମା ପ୍ରାଣବନ୍ଧୁ
କୈଳାସ କନ୍ଦର ବାସୀ କୃପାଜଳ ସିନ୍ଧୁ
ନମସ୍ତେ ହେ ସଦାନନ୍ଦ ଇନ୍ଦ୍ର ଭୋଗଭୋଗୀ
ନମସ୍ତେ ହେ ସଦାନନ୍ଦ ପରଂବ୍ରହ୍ମ ଯୋଗୀ
କୀଟ ପତଙ୍ଗାଦିଙ୍କର ମନକଥା ଜାଣୁ
ମୃତ ହେବା ପ୍ରାଣୀଙ୍କି ତୁ ଲେଉଟାଇ ଆଣୁ
ଗଇଶ ଦୁଦୁରା ଅର୍କ ବିଲ୍ୱ ଦଳାକ୍ଷତେ
ବାଲୁଙ୍କା ଲିଙ୍ଗରେ ତୋତେ ଯେ ପୂଜଇ ନିତ୍ୟେ
ସେ ଲଭଇ ଇନ୍ଦ୍ରପଦ ଅଚଳା ସମ୍ପତ୍ତି
ମହିମା ସାଗର ନାଥ ପଞ୍ଚ ବେଦପତି
କରତାଳ ବଜାଇ ଯେ ତୋ ଛାମୁରେ ନାଚି
ତୁ ତାକୁ ପ୍ରସନ୍ନ ହୋଇ ବର ଦେଉ ଯାଚି
ତୋହର ମହିମା ଦେବ ଆଦିଅନ୍ତ ନାହିଁ
ସହସ୍ର ମୁଖରୁ ଶେଷ ନ ପାରିବ କହି
କିଞ୍ଚିତ ଭକତି ଦେବ ଘେନିବା ମୋହର
ମହାଭ୍ରାନ୍ତି ଫେଡ଼ି ବାରେ ଦୋଷ କ୍ଷମାକର
ବିଶ୍ୱନାଥ ଶ୍ରୀଚରଣେ ସଦା ମୋର ସେବା
ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା

ଏସନକ ସ୍ତୁତି ଯହୁଁ କଲେ ଗର୍ଗମୁନି
ଶୁଣିଣ ପରମ ତୋଷ ହେଲେ ଶୂଳପାଣି
ଆଜ୍ଞା କଲେ ବର ମାଗ ଯେ ତୋହର ଇଚ୍ଛା
ପ୍ରସନ୍ନ ହୋଇଲୁ ଆମ୍ଭେ ପୂରାଇବୁ ବାଞ୍ଛା
କାୟ କ୍ଳେଶ ଅଙ୍ଗେ ସହି କଲୁ ଘୋର ତପ
ପାଇବୁ ପରମ ଗତି ଖଣ୍ଡି ମହାପାପ
ଗର୍ଗମୁନି ବୋଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ମୁଁ କିସ କହିବି ତୁମ୍ଭେ ନ ଜାଣ କି ସ୍ୱାମୀ
ଅନେକ ଭର୍ତ୍ସନା ମୋତେ କହିଲେ ଯାଦବେ
ମୋର ସେହି ଅପମାନ ଖଣ୍ଡିବା ହୋଇବେ
ସବୁ ଯାଦବଙ୍କୁ ଯେହ୍ନେ ପାରିବି ମୁଁ ଜିଣି
ତେସନକ ଆଜ୍ଞା ମୋତେ ଦିଅ ଶୂଳପାଣି
ରାମ କୃଷ୍ଣ ଆଦି ମୋତେ ନ ଜିଣିବେ ରଣେ
ଆବର ଗନ୍ଧର୍ବ ଦେବ ଦୈତ୍ୟ ଯକ୍ଷଗଣେ
ବ୍ରହ୍ମା ଇନ୍ଦ୍ର ଆସିବେଟି ଯେବେ ପରିଘାଇ
ସେ ମୋତେ ସଂଗ୍ରାମେ ହାରିଯିବେ ଲଜ୍ଜାପାଇ
ନିଶ୍ଚୟ ପ୍ରସନ୍ନ ଯେବେ ହେଲ ତୁମ୍ଭେ ହର
ଆନ ବରେ କାର୍ଯ୍ୟ ନାହିଁ ଦିଅ ଏହି ବର
ଈଶ୍ୱର ବୋଇଲେ ତୁମ୍ଭେ ଜ୍ଞାନୀ ବ୍ରହ୍ମଚାରୀ
ରାମ ଦ୍ୱେଷ ଅହଙ୍କାର ନ ଥାଏ ତୁମ୍ଭରି
କାୟ କଦର୍ଥନ କରି ଅରଜିଛ ଧର୍ମ
ତୁମ୍ଭ ପରା ଲୋକ କେହ୍ନେ କରିବ ଏ କର୍ମ
ସଂଗ୍ରାମରେ ଗୋ ବ୍ରାହ୍ମଣ ଶିର ହୁଏ ଛେଦ
ଆମ୍ଭଙ୍କୁ ନ ଗଲା ଦେଖ ହତ୍ୟା ଅପବାଦ
ଅପମାନ ପାଇବାରୁ ଯୁଦ୍ଧେ କର ଶ୍ରଦ୍ଧା
ସେ କର୍ମ କଲେ ଲାଗିବ ନିଶ୍ଚେଁ ପାପ ବାଧା
ବିଶେଷରେ ବୃଦ୍ଧ ତୁମ୍ଭେ ପୁଣି ବ୍ରହ୍ମଋଷି
ପାପକର୍ମ କରି ପୁଣ୍ୟ ଦେବ କିପାଁ ନାଶି
ଆମ୍ଭର ବଚନ ଏବେ ଶୁଣ ପରମାଣ
ଇହଲୋକେ ପରଲୋକେ ହୋଇବ କାରଣ
ଯାଦବଙ୍କୁ ଜିଣିବାକୁ କରିଛ ବିଚାର
ଆପଣା ହସ୍ତେ ନ ମାରି ପରହସ୍ତେ ମାର
ଆବର ବିଶେଷେ ନାହିଁ ତୁମ୍ଭର ସନ୍ତତି
ସନ୍ତାନ ନ ଥିଲେ ପ୍ରାଣୀ ନ ଲଭଇ ମୁକ୍ତି
ଏବେ ଏକ ପୁତ୍ର ତୁମ୍ଭେ ପାଅ ବଳବନ୍ତ
ଯାଦବଙ୍କୁ କିଞ୍ଚିତରେ ଜିଣିବ ସେ ପୁତ୍ର
ରାମକୃଷ୍ଣ ଆଦି ତାକୁ ହାରିଯିବେ ରଣେ
ନବଦ୍ୱୀପେ ସାତସିନ୍ଧୁ ଜିଣିବ ସେ ଜଣେ
ଆପଣା କାର୍ଯ୍ୟ କରାଇ ଯେବେ ପୁତ୍ର ହସ୍ତେ
ସାଧୁ ସାଧୁ ବଲି ତାକୁ ବୋଲନ୍ତି ସମସ୍ତେ
ପୁତ୍ର ନ ପାରିଲେ ଯେବେ ନାତି କାର୍ଯ୍ୟକରେ
ତାକୁ ବଡ଼ ଧନ୍ୟବାଦ ମିଳେ ଜଗତରେ
ଗର୍ଗ ବୋଇଲେକ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ଏ ତୁମ୍ଭ ଶ୍ରୀମୁଖ ଆଜ୍ଞା କେ ଲଘିଂବ ସ୍ୱାମୀ
ସର୍ବଭୂତ ଆତ୍ମା ତୁମ୍ଭେ ଅନାଦି ଶଙ୍କର
ଅପମାନ ସମୁଦ୍ରରୁ ମୋତେ ପାରିକର
ବୃଦ୍ଧକାଳେ ଯେବେମୋତେ ଦେବ ପୁତ୍ର ଦାନ
ଏଥିରୁ ଅଧିକ ଆଉ ଅଛଇ କି ପୁଣ୍ୟ
ପୁତ୍ର ଥିଲେ ଭୁକ୍ତିମୁକ୍ତି ପୁତ୍ର ଥିଲେ ଗତି
ଅପୁତ୍ରିକ ପ୍ରାଣୀଙ୍କର ନାହିଁ ସଦଗତି
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି
ପୁତ୍ର ଦୁହିତା ସନ୍ତତି ଅଛିଟି ସବୁରି
ସଂସାର ଭିତରେ ଏକା ମୁହିଁ ପାପ କଲି
ପାପ ଫଳେ ପୁତ୍ର କନ୍ୟା ମୁଖ ନ ଚାହିଁଲି
ମହତ ଆଶ୍ରୟ ଆସି କଲି ବୃଦ୍ଧକାଳେ
ମହାପାପ ବାଧା ମୋର ଗଲା ଏତେବେଳେ
ତୁମ୍ଭ ପରା ମହାପ୍ରଭୁ କେତେ ଭାଗ୍ୟେ ଭେଟି
ଯୁଗେ ଯୁଗେ ରୁହାଇଲ ଏ କଥା ଧୂର୍ଜ୍ଜଟି
ଏବେ ଯେଉଁ ପୁତ୍ର ଜାତ ହେବ ସଦାଶିବ
ଜନ୍ମ ହେବା ମାତ୍ରକେ ଯେ ନବଯୁବା ହେବ
ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଆଦି ଜିଣିବ ସେ ରଣେ
ଯାଦବେ ତା ଆଗେ ରହି ନ ପାରିବେ ଜଣେ
ଅସାଧାନେ ହେବ ତାର ସର୍ବ ବିଦ୍ୟା ସିଦ୍ଧ
ଭୂତ ଭବିଷ୍ୟତ ବର୍ତ୍ତମାନ ଯଥାବିଧି
ଧନ ବଳ ବୁଦ୍ଧିପାଇ ହେବ ମହାରାଜା
ସକଳ ନୃପେ କରିବେ ତା ପାଦରେ ପୂଜା
ଖଡ଼ଗରେ ନ ଛିଡ଼ିବ ନ ବୁଡ଼ିବ ଜଳେ
ପବନେ ନ ଉଡ଼ି ପୋଡ଼ି ନ ଯିବ ଅନଳେ
ବ୍ରହ୍ମଶକ୍ତି ରୁଦ୍ରଶକ୍ତି ବିଷ୍ଣୁ ଶକ୍ତି ଆଦି
ଇନ୍ଦ୍ର ବଜ୍ର ତା ଅଙ୍ଗରେ ନ ପାରିବ ଭେଦି
ଦେବ ଦୈତ୍ୟ ନରେ ଯୁଦ୍ଧ କଲେ ପରିଘାଇ
ତାକୁ ସର୍ବେ ହାରିଯିବେ ଯୁଦ୍ଧେ ଲଜ୍ଜା ପାଇ
ଭୋ ଦେବ ଏମନ୍ତ ପୁତ୍ର ଦେବ ପ୍ରସନ୍ନରେ
ତଥାସ୍ତୁ ହେଉ ବୋଇଲେ ଅନାଦି ଶଙ୍କରେ
ପୁନର୍ପି ବୋଲନ୍ତି ଶିବ ଗର୍ଗମୁନି ଶୁଣ
ଏବେ ତୁମ୍ଭ ମନବାଞ୍ଛା ହୋଇଲା ପୂରଣ
କାଲି ଦିନ ଶେଷ ଅନ୍ତେ ରାତ୍ର ଅର୍ଦ୍ଧଭାଗେ
କନ୍ୟାଏ ପ୍ରବେଶ ହେବ ଆସି ତୁମ୍ଭେ ଆଗେ
ସେ ତୁମ୍ଭର ଭାର୍ଯ୍ୟା ହେବ ତୁମ୍ଭେ ତାର ପତି
ଉଭୟଙ୍କର ଅନୁମତେ ବଢ଼ାଇବ ପ୍ରୀତି
ସେ କନ୍ୟା ଉଦରେ ବଢ଼ି ତୁମ୍ଭ ବ୍ରହ୍ମରେତ
ମହାବଳୀ ଏକ ପୁତ୍ର ତହୁଁ ହେବ ଜାତ
ସେ ପୁତ୍ର ଜିଣିବ ସ୍ୱର୍ଗ ଆଦି ପୁର ତିନି
ରାମକୃଷ୍ଣ ସହିତରେ ସକଳ ମେଦିନୀ
ଯେଡ଼େ ବିଚାରିବ ତେଡ଼େ ହେବ ବଳବନ୍ତ
ଅବହେଳେ ଜିଣିବ ସେ ସବୁ ଯାଦବନ୍ତ
ଏତେ କହି ଅନ୍ତର୍ଦ୍ଧାନ ହେଲେ ଦେବକାଶୀ
କୈଳାସେ ମିଳିଲେ ଏ ଯାଇ ବୃଷ ପୃଷ୍ଠେ ବସି
ବର ପାଇ ଗର୍ଗମୁନି ମନେ ତୋଷ ହୋଇ
ବଟମୂଳେ ବସିଲେ ସେ କନ୍ୟା ବାଟ ଚାହିଁ
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ
ଇଦଂ ଅଷ୍ଟଚତ୍ୱାରିବଂଶ ଅଧ୍ୟା ଶେଷ ହୋଏ
ଜଗତ ପ୍ରାଣର ପ୍ରାଣ ବସୁଦେବ ସୁତ
ତା ନାମ ସର୍ବଦା ହୃଦେ ଚିନ୍ତଇ ଅଚ୍ୟୁତ
କାଳ ଦମନର ଜନ୍ମ
ଏଥୁଅନ୍ତେ କହନ୍ତି ଯେ ଶୁକ ମହାଯତି
ଶୁଣ ସାବଧାନ ଚିତ୍ତେ ସୁଭଦ୍ରାର ନାତି
ତ୍ରେତାଯୁଗେ ଜମ୍ୱୁମାଳି ଲଙ୍କାପୁରେ ଥିଲା
ରାମାୟଣ ଯୁଧ୍ୟରୁ ସେ ଉବୁରି ରହିଲା
ସୁମୁଖ ଦୁର୍ମୁଖ ନାମେ ତାର ବେନି ପୁତ୍ର
ଶ୍ରୀରାମଙ୍କ ନାରାଚରେ ହେଲେ ପ୍ରାଣେ ହତ
ବିଡ଼ମ୍ୱନା ନାମେ ଥିଲା ସୁମୁଖର ବାମା
ଗର୍ଭବତୀ ହୋଇଥିଲା ସେହି ସୁମଧ୍ୟମା
ସ୍ୱାମୀ ମଲା ବେଳକୁ ତା ଗର୍ଭେ ପାଞ୍ଚମାସ
ପିତା ଗୃହେ ଯାଇ କନ୍ୟା ହୋଇଲା ପ୍ରବେଶ
ଦଶମାସ ପୂର୍ଣ୍ଣେ ଏକ ପୁତ୍ର ପ୍ରସବିଲା
ସ୍ନେହେ ସେ ପୁତ୍ରର ନାମ ପଦ୍ମନାଭ ଦେଲା
ଲଙ୍କାରେ ବୀଜ ରହିଲା ଆସି ଜମ୍ୱୁଦ୍ୱୀପେ
ଦିନୁଦିନ ପୁତ୍ର ବଢ଼େ କୃତାନ୍ତକ ରୂପେ
ସେ ପେଟ ଲାଣ୍ଡିଆ ପୁଅ ମାମୁଁଘରେ ବଢ଼ି
ମଉଳାର ରାଜ୍ୟ ବଳେ ବସିଲା ସେ ମାଡ଼ି
ସେତୁବନ୍ଧ ଆଦିକରି ହିମାଳୟ ଯାଏ
ଅକଣ୍ଟକ ରାଜ୍ୟ ଭୋଗ କଲା ଦୈତ୍ୟରାୟେ
ପଦ୍ମନାଭର ନନ୍ଦନ ମେଘାସୁର ହେଲା
ବଳୀୟାର ପଣେ ଯାଇ ଲଙ୍କା ଭୋଗ କଲା
ମେଘାସୁର ଦାନବର ପୁତ୍ର ଲୋହାସୁର
ତାଠାରୁ ଜନ୍ମିଲା ପୁଣି ତ୍ରିଜଟା ଅସୁର
ତ୍ରିଜଟା ପୁତ୍ର କ୍ଷେମଜ୍ଞ ଦମନ ଏ ବେନି
ସେଠାରୁ ଦମନବଂଶ ଘୋଟିଲା ମେଦିନୀ
ପୃଥ୍ୱୀରେ ଦମନବଂଶ ହେଲେ ଆଦିପାଟ
ବଂଶକ୍ରମେ ପୃଥ୍ୱୀ ପାଳି ହୁଅନ୍ତି ସମ୍ରାଟ
ସ୍ୱଭାବେ ଅସୁରବଂଶ ଦେବଙ୍କର ବାଦୀ
ସୁରାସୁର ବେନି ପକ୍ଷ କରିଅଛି ବିଧି
ଏ ଦମନବଂଶେ ପୁଣି ପୁତ୍ରେକ ବିଖ୍ୟାତ
ଦାସଦମନ ବୋଲିଣ ତା ନାମ ବିଦିତ
ଅତି ବିଚକ୍ଷଣ ସେହୁ ପ୍ରଜ୍ଞାବନ୍ତ ରାଜା
ସକଳ ନୃପତି ହେଲେ ତା ତଳେ ପରଜା
ପିତୃ ପିତାମହ ରାଜ୍ୟ ଅକଣ୍ଟକ କରି
ସାଗରାନ୍ତ ପୃଥ୍ୱୀ ଜିଣି ଭୋଗକଲା ଶିରୀ
ଏଡ଼େ ରାଜାକୁ ବିଧାତା କଲା ଘଟସୁତ୍ର
ଷାଠିଏ ସହସ୍ର ରାଣୀ ନାହିଁ ଏକ ପୁତ୍ର
କେତେ ଧର୍ମ କର୍ମ କଲା ପୁତ୍ର ହେବାପାଇଁ
ସନ୍ତତି ନୁହନ୍ତେ ରାଜା ବିକଳିତ ହୋଇ
ଅନ୍ନଦାନ ବସ୍ତ୍ରଦାନ ସ୍ୱର୍ଣ୍ଣଦାନ ଦେଲା
ନିଜେ କାୟକ୍ଳେଶ ସହି ବାର ବ୍ରତ କଲା
ତଥାପି ସନ୍ତତି ଯହୁଁ ନୋହିଲାକ ଜନ୍ମ
ଅଗସ୍ତି ଯଜ୍ଞ କରିଣ ଦେଲେ ଚରୁଅନ୍ନ
ମେଖଳା ନାମେ ରାଜାର ଭାର୍ଯ୍ୟା ପ୍ରିୟବତୀ
ପବିତ୍ର ସେ ପାଟବଂଶୀ ସାଧ୍ୱୀ ମହାସତୀ
ସେହି ସତୀ ଚରୁଅନ୍ନ ଭୁଞ୍ଜି ମନ ତୋଷେ
ଦୁହିତାଏ ଜାତ କଲା ପୂର୍ଣ୍ଣ ଦଶମାସେ
ସର୍ବଗୁଣେ ସୁଲକ୍ଷଣୀ ସେହି ରାଜାଜେମା
ରୂପେ ତାକୁ ହାରିଯିବେ ରମ୍ଭା ତିଳୋତ୍ତମା
ଅନେକ ଯତନେ ରାଜା କନ୍ୟା ପ୍ରତିପାଳି
ଶ୍ରଦ୍ଧା କରି ତାର ନାମ ଦେଲା ଗୋପାବଳୀ
ଚନ୍ଦ୍ରକଳା ପରି କନ୍ୟା ହେଲା ବର୍ଦ୍ଧମାନ
ଜାଜ୍ୱଲ୍ୟ ଦିଶଇ ତେଜ ବଢ଼ି ଦିନୁଦିନ
ନାନା ବେଶ ବସନରେ ଦିଶେ ଦିବ୍ୟଶୋଭା
ପଞ୍ଚଦଶ ବର୍ଷପୂର୍ଣ୍ଣେ ହେଲା ନବଯୁବା
କନ୍ୟାର ଯୌବନ କାଳ ଜାଣି ସେ ନୃପତି
ନାନା ଦେଶେ ଖୋଜାଇଲା ତା ପାଇଁକି ପତି
ଅନେକ ବର ଆଣିଲା କନ୍ୟା ଅନୁରୂପେ
ନବଖଣ୍ଡ ମର୍ତ୍ତ୍ୟପୁର ପୃଥ୍ୱୀ ସପଦ୍ୱୀପେ
ରାଜା ମହାରାଜା ଦେବ ଗନ୍ଧର୍ବ ସହିତେ
ଗୁଣବନ୍ତ ରୂପବନ୍ତ ବାଛିଲା ଜଗତେ
କନ୍ୟାର ନିମନ୍ତେ ଆଣି ସ୍ୱୟମ୍ୱର କଲା
ସେ କନ୍ୟାକୁ କେଉଁ ବର କେଭେ ନ ରୁଚିଲା
ଅବିବାହି ହୋଇ କନ୍ୟା ରହି ପିତା ଘର
ସମସ୍ତ ନୀତି କରଇ ବୁଝି ରାଜ୍ୟ ଭାର
ରାଜସଭା ସିଂହନାଦ କରଇ ସେ ଭୋଗ
ଯୁକତେ ରାଜାର କନ୍ୟା ରାଜ୍ୟେ ତାର ଭାଗ
ଅଗସ୍ତିଙ୍କ ଯଜ୍ଞରୁ ସେ ହୋଇଅଛି ଜନ୍ମ
ମହାମନ୍ତ୍ର ସୁମରିଣ ମନ୍ତ୍ରିଥିଲେ ଅନ୍ନ
ଚରୁ ଅନ୍ନଜାତ ହେଲା ଯେଣୁ ସେ କୁମାରୀ
ପୁତ୍ର ନ ଥିଲାରୁ କଲେ ରାଜ୍ୟ ଅଧିକାରୀ
ନୃପତିର ପୁତ୍ର ନାହିଁ ଅପୁତ୍ରିକ ଯହୁଁ
ସମସ୍ତେ ବିଚାରି ତାକୁ ରାଜା କଲେ ତହୁଁ
ପାତ୍ର ମନ୍ତ୍ରୀ ଅମନାତ୍ୟ ସର୍ବେ କଲେ ପୂଜା
ଏମନ୍ତ ରାଜତ୍ୱ କଲା ଦମନ-ତନୁଜା
ରଥ ଗଜ ପଦାତିକ ଅଶ୍ୱ ଅକଳନା
ସଂଗ୍ରାମେ ସେ ମହାରାଜା ହେଲା ଜଗଜ୍ଜିଣା
ସମକକ୍ଷ ଶତ୍ରୁ ନାହିଁ ଅକଣ୍ଟକ ପୁରୀ
ଚନ୍ଦ୍ରଚୂଡ଼ କଟକରେ ରାଜା ସେହୁ ନାରୀ
ପରୀକ୍ଷ ଆଗେ କହନ୍ତି ପୁଣି ଶୁକବ୍ରହ୍ମା
ଶୁଣ ନୃପ ଦଇବର ବିଚିତ୍ର ମହିମା
କେବଣ ଦିନେହେଁ ସେହି ଗୋପାବଳୀରାୟେ
ଲୋକଙ୍କୁ ଦୂର କରିଣ ଏକାନ୍ତେ ବିଜୟେ
ସୁବର୍ଣ୍ଣ ନିର୍ମିତ ପୁରେ ଅଷ୍ଟ ରତ୍ନ ବେଦୀ
ତହିଁପରେ ସିଂହାସନ ଗଗନକୁ ଭେଦି
ସେ ସିଂହାସନ ଉପରେ ଶୋହେ ରତ୍ନଖଟ
ଖଟପରେ ଶେଯାଇଛି ହଂସତୂଳୀ ପାଟ
ସେବତୀ ପାଖୁଡ଼ା ପୁଣି ତା ଉପରେ ବିଞ୍ଚି
କର୍ପୂର ପକାଇ ପାଣି ଦେଇଅଛି ସିଞ୍ଚି
ଷାଠିଏ ସହସ୍ର ନାରୀ ସର୍ବେ ନବଯୁବା
ଛତ୍ର ଚାମର ଧରିଣ ହୋଇଛନ୍ତି ଉଭା
ଅପୂର୍ବ ତୋରଣ ଝୁଲେ ପନ୍ତି ପନ୍ତି ନୂଆ
କର୍ପୂର କସ୍ତୁରୀ ଚୁଆ ଧୂପ ହୋମ ବାସ
ଆମୋଦଇ ପରିମଳ ଗନ୍ଧେ ଚଇପାଶେ
ମଲ୍ଲୀ ମାଳତୀ ଅଶୋକ ଚମ୍ପା ନବଦଳ
ସେବତୀ ପାଖୁଡ଼ା ଧଣ୍ଡା ଲମ୍ୱେ ମାଳ ମାଳ
ନାନା ମଣି ରତ୍ନଝରୀ ଚିତ୍ର ପାଟ ଗଣ୍ଠି
ମାଳା ଝୁମ୍ପା ତୁଲେ ଲମ୍ୱେ ସୁବର୍ଣ୍ଣର କଣ୍ଠି
କହନ୍ତେ ନ ସରେ ନୃପ ସେ ପୁର ମହିମା
ନିର୍ମାଣ କରିଛି ତାହା ଆପେ ବିଶ୍ୱକର୍ମା
କ୍ଷୁଧା ତୃଷା ନିଦ୍ରା ତହିଁ ହୋଇଛନ୍ତି ରୁଣ୍ଡ
ସହସ୍ରେ ବଖରା ଘର ଖଞ୍ଜା କୋଣ କାଣ୍ଡ
ଆଗହୁଁ ଅସୁର ପୁର ମଦେ ମତୁଆଳି
ସୁରା ମାଂସ ଖାଇ ଦୈତ୍ୟେ କରୁଥାନ୍ତି କେଳି
ସେ ଭୁବନେ ଅବକାଶ ଗୋପାଳୀ ନୃପତି
ସନ୍ନିଧିରେ ଖଟିଛନ୍ତି ଅନେକ ଯୁବତୀ
ବିଚିତ୍ର ପଲ୍ୟଙ୍କ ପରେ ବିଜେ କଲା ଯାଇ
ଅନେକ ସୁରାମାଂସ ସେ ପଲ୍ୟଙ୍କରେ ଥୋଇ
ଜାତି ଅନୁରୂପେ ତହିଁ କଲା ସେ ଭୋଜନ
ପୂଜିଲା ଅଷ୍ଟବେତାଳ ତେଜି ନିରଞ୍ଜନ
ଛାଡ଼ିଲାକ ନିଦ୍ରାବତୀ ଘାରେ କାମଜ୍ୱର
ଆପଣା ଦେହକୁ ଆପେ ଚାହେଁ ବାରମ୍ୱାର
କେଶବାସ ଆଦି କରି ପକାଇଲା ଫେଡ଼ି
ବିବସନ ହୋଇ ରାଜା ପଲ୍ୟଙ୍କେ ପହୁଡ଼ି
ରସାଣିଲା ସୁନା ପରି ବିରାଜୁଛି କାୟେ
ମୁଖ ଦିଶେ ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ପରାୟେ
ସୁବର୍ଣ୍ଣ କଳଶ ପ୍ରାଏ ବିରାଜେ ଉରଜ
ଉଲଟ କଦଳି ବୃକ୍ଷ ଜିଣି ଜାନୁ ଓଜ
ହର ଡମ୍ୱରୁ ପ୍ରାୟେ ତା କ୍ଷୀଣ କଟି ସଞ୍ଚ
ବାହୁ ବେନି ହସ୍ତୀ ଥୋର ପ୍ରାୟେ ଶୋଭାବନ
ଏମନ୍ତ ରୂପକୁ ଆପେ ଦେଖେ ପୁନଃ ପୁନ
ଅପୂର୍ବ ରତନ ମଣି ଗୁନ୍ଥା ସ୍ୱର୍ଣ୍ଣମାଳେ
କଣ୍ଠଦେଶେ ପଡ଼ି ତାହା ଲମ୍ୱେ ବକ୍ଷସ୍ଥଳେ
ସୁନ୍ଦର ନାସିକାପୁଟେ ଶୋହେ ରତ୍ନଗୁଣା
ଚନ୍ଦ୍ରମା ମଣ୍ଡଳ ମୁଖ କଳଙ୍କରେ ଜିଣା
ପାଖୁଡ଼ା ସେବତୀ ମାଥେ ବୀରବେଶ ଗଭା
ଶ୍ରୀମନ୍ତ ମୁଖକୁ ତାହା ଦିଶେ ଅତି ଶୋଭା
ଜାତିରେ ପଦ୍ମିନୀ ସ୍ତିରୀ ପୁରଷର ବେଶ
ମୋହିଲା ଲାବଣ୍ୟ ରୂପ ଧରି ଦଶଦିଗ
ବିଶେଷରେ ମହାରାଜା ରାଜ୍ୟ କରେ ଭୋଗ
ଭୋଗ ହେତୁ ଶରୀରେ ବଢ଼େ କାମରୋଗ
ନୟନ ମନ ଇନ୍ଦ୍ରିୟ କେ ପାରେ ନିଗ୍ରହି
କୀଟୁଁ ବ୍ରହ୍ମ ପରିଯନ୍ତେ ଛନ୍ତି ଯେତେ ଦେହୀ
ସ୍ତିରୀଏ ସର୍ଜିଲେ ଧାତା ପୁରୁଷେକ ସଞ୍ଚି
ସବୁରି ଅଙ୍ଗରେ କାମ ବାଧା ଲାଗିଅଛି
ଜନ୍ମ ହୋଇଲେ ଅବଶ୍ୟ ମରଇ ସେ ପ୍ରାଣୀ
ପାପ ହେଇଲେ ଅବଶ୍ୟ ପୁଣ୍ୟେକ ନିର୍ମାଣି
ଦିବସ ହୋଇଲେ ରାତି ଜଳ ଥିଲେ ପଙ୍କ
ଏହିରୂପେ ଆତଯାତ ହ୍ୱନ୍ତି ସର୍ବ ଲୋକ
ରାଜା ହେଉ ପ୍ରଜା ହେଉ ଜୀବଜନ୍ତୁ ଅବା
ଦେବତା ଅସୁର ଯକ୍ଷ ଗନ୍ଧର୍ବ କି ଅବା
ଦେହ ବହି କାହାଠାରେ ନାହିଁ କାମବାଧା
ନାରୀ ବା ପୁରୁଷ ହେଉ କରଇ ଶରଧା
ଭରସି ବୋଲିବାକୁ କେ ଭାଜନ ନୁହଇ
ମହାରାଜାଏ ଖଟନ୍ତି ଭୃତ୍ୟପ୍ରାୟେ ହୋଇ
ବିଭାପାଇଁ ଅଣାଇଲା ପିତା ଯେତେ ବର
କେହି ହେଲେ ନ ରୁଚିଲା ମନକୁ ତାହାର
ସମୟେକ ଦେହ ବହି ମତ୍ତଗର୍ବ ହେଲା
ଫୁଲ ଫୁଟିବାରୁ ବାସ ଆପେ ଚହଟିଲା
ବଢ଼ିଲା ବୟସ ଅନୁରୂପେ କାମଖେଦ
ଆପଣେ ପଣ୍ଡିତା ନାରୀ ଜାଣେ ରସଭେଦ
ହୃଦୟ ମଧ୍ୟରେ ତାର ସେ ନାରୀ ନୃପତି
ସୁନ୍ଦର ପୁରୁଷ ବାଞ୍ଛା କରୁଥାଇ ନିତି
ବଡ଼ିମା ପଣେ ଆନକୁ ତା ନ କହେ ଫେଡ଼ି
କନ୍ଦର୍ପ ଅନଳେ ମନ ଯାଉଥାଏ ପୋଡ଼ି
ଆପଣାର ଅନ୍ତର୍ଗତେ ବିଚାରଇ ବୁଦ୍ଧି
ଜନ୍ମ ଅକାରଣ ମୋର କରାଇଲା ବିଧି
ମହାରାଜା କୁଳରେ ମୁଁ ହୋଇଥିଲି ଜାତ
ଏସନକ ମହାପାପ ଅର୍ଜିଲେ ମୋ ତାତ
ପୁତ୍ର ଗୋଟିଏକ ଜାତ ନୋହିଲା ତାଙ୍କର
ଏକମାତ୍ର ଦୁହିତା ମୁଁ ହେଲି ନାରଖାର
ମୋହର ନିମନ୍ତେ ପିତା ସ୍ୱୟମ୍ୱର କରି
ମୋ ପାଇଁ ଅନେକ ବର ଆଣିଲେ ହକାରି
ଯେତେବେଳେ ନ ବରିଲି ମୁହିଁ ଆଣ୍ଟପଣେ
ଛାଡ଼ିଲି ସଂସାର ଧର୍ମ ଆପେ ଅକାରଣେ
ଗୁରୁଜନମାନଙ୍କର ଲଘିଂଲି ବଚନ
କର୍ମର ଫଳକୁ ଆସ ଘଟିଲା ଏମାନ
ପିତାଙ୍କର ପୁତ୍ର ଥିଲେ କିପାଁ ରାଜା ହ୍ୱନ୍ତି
ପରପରିବାରୀ ହୋଇ କଳା କାଟିଥାନ୍ତି
ଏବେ ସେ ବରଙ୍କୁ ଯେବେ ଲେଉଟି ବରିବି
ଲୋକମୁଖେ ଲଜ୍ଜା ହେବ ସହି ନ ପାରିବି
ଆପଣା ଭୃତ୍ୟଙ୍କୁ ଯେବେ ଦେହ ଦେବି ରସି
ଏ ଦେହେ ନୃପତି ହୋଇ ପୁଣି ହେବି ଦାସୀ
ସବୁକାଳେ ଅଜ୍ରାମର ନୁହେ ଏ ଶରୀର
ସଂସାର ଜନଙ୍କ ମୁଖେ ପାଇବି ଧିକ୍‌କାର
କେତେ କଷ୍ଟ ପାଉଥିବି କାମବାଧା ସହି
ବଡ଼ବାନଳ ସମୁଦ୍ରେ ଝାସଦେବି ଯାଇଁ
ପାର୍ବତୀଙ୍କୁ ବଳି ଆଉ ଅଛି କେଉଁ ସ୍ତିରୀ
ଈଶ୍ୱରଙ୍କୁ ବରିଛନ୍ତି ତେଡ଼େ ବଡ଼ ନାରୀ
ଯେଉଁ ଲକ୍ଷ୍ମୀଦେବୀ ତିନିଜଗତର ମାତା
ସେ ପୁଣି ବିଷ୍ଣୁଙ୍କୁ ଆପେ କରିଛନ୍ତି ଭର୍ତ୍ତା
ରତି ଦମୟନ୍ତୀ ଶଚୀ ଉଗ୍ରତାରା ଯାଏ
ସର୍ବେ ବରିଛନ୍ତି ସ୍ୱାମୀ ଗୋଟିଏ ଗୋଟିଏ
ମୁଁ ଅବା ସଂସାର ମଧ୍ୟେ କଲି କେଉଁ ପାପ
କେବଣ ପୁରୁଷ ମୋତେ ଦେଲା ଅଭିଶାପ
ଅଭାଗିନୀ ଗଣିତାରେ ହୋଇଲି ମୁଁ ଲେଖା
ଭୋ ଧର୍ମଦେବତା ତୁମ୍ଭେ ହୁଅ ମୋର ସଖା
ଉଭୟ କୁଳର ଲଜ୍ଜା ଫିଟଇ ଯେମନ୍ତେ
ତେସନକ ଆଜ୍ଞା ପ୍ରଭୁ ଦିଅ କୃପା ଚିତ୍ତେ
ଏଡ଼େ ବଡ଼ ରାଜଶିରୀ ନାଶ ହୋଇଯିବ
ସନ୍ତତି ବିହୀନେ ଏହା କେ ଭୋଗ କରିବ
କେବଣ ପାତଳ କରି ନାରୀଜନ୍ମ ହେଲେ
ଇହଲୋକ ପରଲୋକ କାହିଁରେ ନୋହିଲେ
ସଂସାରୁ ବାହାର ଏବେ ହେଲା ମୋର କଥା
ମନ ସେ ଜାଣଇ ସିନା ମନରେ ଯେ ବ୍ୟଥା
ଭୋ ଧର୍ମ ଦେବତା ପ୍ରତିକାର କର ମୋତେ
ଦୁଃସହ ମଦନ ବାଧା ସହିବି କେମନ୍ତେ
ଏତେବୋଲି ରାଜଜେମା ଶୋକ କଲା ବସି
ବେନି ନୟନରୁ ପଡ଼େ ଅଶ୍ରୁଧାର ଖସି
କ୍ରୋଟରାଗ୍ନି ପ୍ରାୟେ ଚିତ୍ତ ଦହେ ଅନ୍ତରାଳ
ଅଧର କମ୍ପଇ ଫୁଲି ଉଠେ ରୋମମୂଳ
ମଦନରେ ଅସାଷ୍ଟମ ହୋଇ ଗୋପାବଳୀ
ନିଜ ଅନ୍ତର୍ଗତେ ଚିନ୍ତା କଲା ଅଂଶୁମାଳି
ଜୟ ଜୟ ନିରଞ୍ଜନ ପରଂବ୍ରହ୍ମ ଯୋଗୀ
ଅକ୍ଷୟ ପୁରୁଷ ତୁମ୍ଭେ ଅଟ ବାୟୁଭୋଗୀ
ଦେବଙ୍କ ଉପରେ ଦେବ ନିରାକାର ସ୍ୱାମୀ
ଚରାଚର ପ୍ରାଣୀଙ୍କର ନାଥ ଅନ୍ତର୍ଯ୍ୟାମୀ
ତୁ ଅନାଦି ଜ୍ୟୋତିର୍ଲିଙ୍ଗ ଅଷ୍ଟାଙ୍ଗରେ ଜିତା
ଆତ୍ମଯୋନି ସ୍ୱୟଂଜାତ ନାହିଁ ପିତାମାତା
ସକଳ ଅର୍ଜିଲ ତୁମ୍ଭେ ଆଉ କେହି ନାହିଁ
ଆତ୍ମାର ଆତ୍ମା ଯେ ତୁମ୍ଭେ ଦେହ ମଧ୍ୟେ ଦେହୀ
ମନବୁଦ୍ଧି ଅହଙ୍କାର ନାହିଁ ତୁମ୍ଭ ସଙ୍ଗ
ପଞ୍ଚଭୂତ ପଞ୍ଚବିଂଶ ପ୍ରକୃତିରେ ଅଙ୍ଗ
ଠୁଳ ଶୂନ୍ୟ ବିବର୍ଜ୍ଜିତ ସ୍ୱୟଂ ବିଶ୍ୱମୟ
ଅବିନାଶୀ ଅଟ ତୁମ୍ଭେ ନାହିଁ ତୁମ୍ଭ କ୍ଷୟ
ସମସ୍ତଙ୍କ ସୁଖ ଦୁଃଖ ତୁମ୍ଭେ ପରିମାଣ
ସର୍ବଜୀବ ଜନ୍ତୁଙ୍କର ହୃଦବ୍ୟଥା ଜାଣ
କୀଟୁ ବ୍ରହ୍ମ ପରିଯନ୍ତେ ସମସ୍ତଙ୍କୁ ସାହା
ମୁଁ କିସ କିହିବି ତୁମ୍ଭେ ନ ଜାଣ କି ଏହା
ମୋ ମନ ବେଦନା ପ୍ରଭୁ ଫେଡ଼ କୃପାଚିତ୍ତେ
ଯେ ମୋହର ନିଜ ଭର୍ତ୍ତା ତାଙ୍କୁ ଦିଅ ମୋତେ
ତୁମ୍ଭେ ତ ପ୍ରତ୍ୟକ୍ଷେ ଜାଣ କାମଜ୍ୱାଳା ଯେତେ
ଏ କାମ ତୁମ୍ଭଙ୍କୁ କଷ୍ଟ ଦେଇ ନାହିଁ କେତେ
ନିରନ୍ତର ଭାରିଯାକୁ କୋଳେ ଅଛ ବହି
ଆବର ଉଲଗ୍ନ ହୋଇଅଛ ପ୍ରଭୁ ହୋଇ
ମୁଁ ହୀନ ପାମରୀ ତୁଚ୍ଛ ହୀନ ମୋର ମତି
ଇହଲୋକ ପରିତ୍ରାଣ କର ଛାୟାପତି
ନିଜ ପିତ ପାଇଲେ ମୁଁ ହୋଇବି ପ୍ରତିଷ୍ଠା
ମନର ବେଦନା ଫେଡ଼ ରହୁ ମୋର ନିଷ୍ଠା
ପୁଣ ପୁଣ ଗୋପାବଳୀ ମୁଖେ ବାସ ଭରି
ବହୁ ସ୍ତୁତିକଲା ସଦାଶିବଙ୍କୁ ସୁମରି
ଏମନ୍ତ ଭକତି ଯହୁଁ କଲା ନିରନ୍ତରେ
ଶିବଙ୍କ ଆସନ କମ୍ପେ କୈଳାସ କନ୍ଦରେ
ଅନ୍ତର୍ଗତେ ଧ୍ୟାନ କରି ଜାଣିଲେ ତା କାଶୀ
ଗର୍ଗମୁନି ତପେ ଆଗୁ ହୋଇଛନ୍ତି ତୋଷୀ
ବୃଷଭ ଆରୋହି ସ୍ୱାମୀ ଗଲେ ଧାତିକାରେ
ତକ୍ଷଣେ ମିଳିଲେ ଯାଇ ଗୋପାବଳୀ ପୁରେ
ଆକାଶ ମାର୍ଗରେ ଉଭା ହୋଇଣ କପାଳୀ
ବୋଇଲେ ଆମ୍ଭର ବାକ୍ୟ ଶୁଣ ଗୋପାଳବଳୀ
ଯହିଁପାଇଁ ମନରେ ତୁ ପାଇଅଛୁ ବ୍ୟଥା
ହେତୁକରି ଶୁଣ ତୋତେ କହିବା ସେ କଥା
ରୁଦ୍ର ଗଙ୍ଗାନଦୀ ବହେ କୈଳାସର ତଳେ
ବ୍ରହ୍ମନାମେ ଗୁମ୍ଫା ଅଛି ତା ଉତ୍ତର କୂଳେ
ବହୁତ କାଳରୁ ଅଛି ସେହି ଗୁମ୍ଫା ଗୋଟି
ସେଠାରେ ଚାହିଁଲେ ଦୃଶ୍ୟ ହୁଏ ନବସୃଷ୍ଟି
କହନ୍ତେ ନ ସରେ ସେହି ଗୁମ୍ଫାର ମହିମା
ଅତିଯତ୍ନେ ଗଢ଼ିଅଛି ମୟ ବିଶ୍ୱକର୍ମା
ସେ ଗୁମ୍ଫା ଭିତରେ ଛନ୍ତି ଗର୍ଗ ବ୍ରହ୍ମବେତ୍ତା
ସେ ଅଟନ୍ତି ମହାଋଷି ତିନିକାଳଜ୍ଞାତା
ବ୍ରହ୍ମା ସମାନରେ ଜ୍ଞାନୀ ସେହି ମୁନିବର
ଯାଦବଙ୍କ ସଭାରେ ସେ ପାଇଲେ ଧିକାର
ବେଦମନ୍ତ ନିର୍ଜିତ ସେ କରିଛନ୍ତି କାଷ୍ଠା
ତୁ ତାଙ୍କ ଅଙ୍ଗରେ ଲାଗି ହୋଇବୁ ପ୍ରତିଷ୍ଠା
ସେ ତୋହର ନିଜ ଭର୍ତ୍ତା ଅଟନ୍ତି ଯୁକତେ
ପୂର୍ବ ଅଭିଶାପେ ଦୁହେଁ ଜନ୍ମିଅଛ ମର୍ତ୍ତ୍ୟେ
ବିଳମ୍ୱ ନ କରି ତୁ ଯେ ଚଳ ଶୀଘ୍ରହୋଇ
ସେ ମୁନି ବସିଣଛନ୍ତି ତୋ ବାଟକୁ ଚାହିଁ
ତାଙ୍କ ସଙ୍ଗେ ଆଜିତୋର ହୋଇଲେ ଏକାନ୍ତ
ପୁତ୍ରେକ ଜନମ ହୋଇ ଜିଣିମ ଜଗତ
ସପ୍ତଦ୍ୱୀପା ପୃଥିବୀରେ ହେବ ଏକ ରାଜା
ଦେବାସୁର ମାନବରେ ପାଇବ ସେ ପୂଜା
ଉଭୟକୁଳ କାରଣ ହେବ ସେହି ପୁତ୍ର
ଆଗହୁଁ ବିଧାତା କରିଅଛି ଘଟସୂତ୍ର
ବିଳମ୍ୱ ନ କର ବେଗେ ଚଳ ରଥେ ବସି
ବ୍ରହ୍ମ ଗୁମ୍ଫାରେ ଅଛନ୍ତି ଗର୍ଗ ମହାଋଷି
ଏତେ କହି ଅନ୍ତର୍ଦ୍ଦାନ ହେଲେ ଶୂଳପାଣି
ପରମ ସନ୍ତୋଷ ହେଲା ଗୋପାବଳୀ ଶୁଣି
ତକ୍ଷଣେ ସେ ନାରୀବର ବସି ବିମାନରେ
ପ୍ରବେଶ ହୋଇଲା ଯାଏ ରୁଦ୍ର ଗଙ୍ଗାତୀରେ
ଗୁମ୍ଫାର ଦ୍ୱାରେ ମିଳିଲା ରଥରୁ ଓହ୍ଲାଇ
ସାରଥିକି ବୋଲେ ରଥ ରଖ ଏହିଠାଇଁ
ଏତେବୋଲି ଗୋପାବଳୀ ପଶିଲା ଗୁମ୍ଫାରେ
ରଥଘେନିଣ ସାରଥି ରହିଲେ ସେ ଦ୍ୱାରେ
କବାଟ ଫେଡ଼ି ପଶିଲା ଗୋପାବଳୀ ନାରୀ
ମୁନିଙ୍କୁ ବରିବ ବୋଲି ଆନନ୍ଦରେ ପୂରି
ବୀରବେଶ ଜୂଡ଼ାଫେଡ଼ି ଖୋଷିଲା ସେ ଖୋଷା
ତ୍ରିକଚ୍ଛ ଫେଇ ପିନ୍ଧିଲା ବାସଝୁଲା ମିଶା
କଙ୍କଣ ବାହୁଟି ଫେଡ଼ି ପିନ୍ଧି ରତ୍ନଚୁଡ଼ି
ସୀମନ୍ତେ ଖଞ୍ଜିଲେ ମୁକ୍ତା ମାଣିକ୍ୟରେ କଢ଼ି
କେନ୍ଦୁଡ଼ି ଛନ୍ଦରେ ଶାଢ଼ି ପିନ୍ଧି ଆଡ଼ଭଙ୍ଗେ
ଝୋଲା ଝୀନ ଆଭରଣ ହାର ଦିବ୍ୟଅଙ୍ଗେ
ପନୀର ପାଣିରେ ଗୋଳି କର୍ପୂର କସ୍ତୁରୀ
ଦେହେ ଘଷି ଉପାଡ଼ିଲା ଶତେପୁର କରି
ନାସାରେ ଦିବ୍ୟବସଣି ମୁଖେ ପାନ ଭୁଞ୍ଜେ
ଅପାଙ୍ଗେ ଚାହିଁଣ ବାଳା ମୁନି ମନ ରଞ୍ଜେ
ସଙ୍ଗତରେ ଯେତେ ଦାସୀ ପରିବାରୀ ଥିଲେ
ବେଳକାଳ ଜାଣି ସର୍ବେ ଆଡ଼ ହୋଇଗଲେ
ଅପୂର୍ବ ସେ ବ୍ରହ୍ମଗୁମ୍ଫା ବିଶ୍ୱକର୍ମା ସଞ୍ଚି
ଏକ ଖମ୍ୱ ଉହାଡ଼ରେ ଶତେଲୋକ ଲୁଚି
ଜ୍ୟୋତିର୍ମୟ ଭୁବନ ସେ ନାହିଁ ଦିନରାତି
ଚନ୍ଦ୍ର ଉଦେ ହେଲା ପରି ବିରାଜଇ ଜ୍ୟୋତି
ବାରମାସ ବହେ ତହିଁ ବସନ୍ତ ସମୀର
ମନ୍ଦଗନ୍ଧ ପରିମଳ ଅତ୍ୟନ୍ତ କାକର
ମନୋହର ଭୁବନ ସେ ସ୍ୱର୍ଗସମ ଶୋଭା
ସ୍ଥବିର ପଶିଲେ ତହିଁ ହେବ ନବଯୁବା
ସେ ଗୁମ୍ଫା ମଧ୍ୟରେ ଶତେ କବାଟ ଫିଟାଇ
ଭିତରେ ପଶିଣ ଦେଖେ ଗୋପବଳୀ ଯାଇ
ଆସନରେ ବସିଛନ୍ତି ଗର୍ଗ ମହାଋଷି
ପୂର୍ଣ୍ଣଚନ୍ଦ୍ର ପଡ଼ିଛି କି ଆକାଶରୁ ଖସି
ବନ୍ଧଭେଦ ମୁଦ୍ରା ଆଦି ମନ ଥୟ କରି
ଈଶ୍ୱରଙ୍କ ଆଜ୍ଞା ଦୃଢ଼େ ରଖିଛନ୍ତି ଧରି
ଅନ୍ୟଥା ନୁହଇ କେଭେ ଈଶ୍ୱରଙ୍କ ବାଣୀ
ଅବଶ୍ୟ କନ୍ୟାଏ ଆସି ମିଳିଲେ ଏକ୍ଷଣି
ଏମନ୍ତ ବିଚାରି ମୁନି ଥିଲେ ବାଟ ଚାହିଁ
ଏକାଳେ ସେ ଗୋପାବଳୀ ପ୍ରବେଶିଲା ଯାଇ
ମୁନିଙ୍କ ଛାମୁରେ ହେଲା ସାଷ୍ଟାଙ୍ଗରେ ଉଭା
ଚନ୍ଦ୍ରଆଗେ ରୋହିଣୀ କି ପାଉଅଛି ଶୋଭା
ଈଶ୍ୱରଙ୍କ ଆଗେ ଅବା ମିଳିଲେ ପାର୍ବତୀ
କାମଦେବ ଛାମୁରେ କି ଉଭାହେଲା ରତି
ଇନ୍ଦ୍ରଙ୍କ ଆଗରେ ଯେହ୍ନେ ଦିଶେ ପୁଲୋମଜା
ତେସନ ମୁନିଙ୍କ ଆଗେ ଦମନ ତନୁଜା
ଦୁହିଙ୍କ ମନ ଦୁହିଙ୍କଠାରେ ଅଛି ବଳି
ଅଙ୍ଗ ସଙ୍ଗ ହେବେ ବୋଲି ମନେ ମନେ ଭାଳି
କନ୍ୟାର ମୁଖକୁ ମୁନି ଚାହିଁଲେ ପାଲଟି
ଦୁହିଙ୍କର ଚାରି ଚକ୍ଷୁ ହେଲା ଭେଟାଭେଟି
ଆଲିଙ୍ଗନ କରି ମୁନି ବସାଇଲେ କୋଳେ
ଆଶ୍ୱାସି ଚୁମ୍ୱନ ଦ୍ୟନ୍ତି କନ୍ୟାରେ କପୋଳେ
ନାନାଦି ପ୍ରକାରେ ଦୁହେଁ କଲେ ରତିକ୍ରୀଡ଼ା
ବଢ଼ିଲା ପ୍ରେମତରଙ୍ଗ ଛାଡ଼ିଗଲା ବ୍ରୀଡ଼ା
ବାରଣ ମାରଣ ନଖ ଦନ୍ତ କ୍ଷତ ରତି
ସର୍ବ ବିଦ୍ୟାରେ କୁଶଳ ଗର୍ଗ ମହାଯତି
ଷୋଳକଳା ରତି ପୁଣି ଚଉଷଠି ବନ୍ଧ
ଛୟାନବେ ମୁଦ୍ରା ଶତେ ଚୋଖୀର ଯେ ଖେଦ
ଅସୁରୀ ସମ୍ଭବି ପୁଣି ଗାନ୍ଧର୍ବ ବିଚାର
ଜାଣଇଁ ସେ ଗୋପାବଳୀ ଜାଣେ ମୁନିବର
ଏଣୁକରି ଦୁହିଁଙ୍କର ବଢ଼ିଲା ପୀରତି
ଈଶ୍ୱରଙ୍କଠାରୁ ଦୁହେଁ ବର ପାଇଛନ୍ତି
କାହାଙ୍କୁହି ଶଙ୍କା ନାହିଁ ଏକାନ୍ତ ମନ୍ଦିରେ
ଦୁହେଁ ଲଜ୍ଜା ଛାଡ଼ି କେଳି କଲେ ମତ୍ତଭରେ
ମାର୍ଗଶିର ଶୁକ୍ଳ ଚତୁର୍ଦ୍ଦଶୀ ଚନ୍ଦ୍ରବାର
କୃତ୍ତିକା ନାମେ ନକ୍ଷତ୍ର ଅଟେ ସେ ଦିନର
ଗର ନାମରେ କରଣ ପ୍ରୀତିନାମେ ଯୋଗ
ବିଛା ସଂକ୍ରାନ୍ତିକି ଦିନ ଚଉବିଂଶ ଭୋଗ
ରଜନୀର ଅବଶେଷେ ଖସି ବ୍ରହ୍ମରେତ
ପୁତ୍ରେକ ରହିଲା ଗର୍ଭେ ମହାବଳବନ୍ତ
ବଢ଼ିଲା ଶୃଙ୍ଗାର ରସ ଗଲା କାମବାଧା
ପ୍ରୀତି ସମ୍ଭାଷଣେ ପୁଚ୍ଛି ଅନେକ ଶରଧା
ଗର୍ଗ ପଚାରିଲେ ତୁମ୍ଭେ କାହାର ଦୁହିତା
କି ନାମ ତୁମ୍ଭର କହ କିଏ ପିତାମାତା
କେବଣ ପୁରେ ଆଶ୍ରମ ଗୋତ୍ର ଅଟେ କିସ
ତଥ୍ୟ କରି ମିତଣି ଗୋ କହ ମୋର ପାଶ
ଗୋପାବଳୀ ବୋଲେ ମୁହିଁ ଦୈତ୍ୟକୁଳେ ଜାତ
ଦାସଦମନ ନୃପତି ଅଟନ୍ତି ମୋ ତାତ
ପୁତ୍ର ନ ଥିବାରୁ ପିତା ଅପମାନ ପାଇ
ଦେଶାନ୍ତର ଗଲେ ମୋତେ ରାଜ୍ୟଭାର ଦେଇ
ପିତା ଆଜ୍ଞା ପ୍ରମାଣେ ମୁଁ ରାଜ୍ୟେ ହେଲି ରାଜା
ମୋ ପାଦେ ଖଟିଲେ ତହୁଁ ସର୍ବ ଜନପ୍ରଜା
ମୋହର ନିମନ୍ତେ ପିତା ସ୍ୱୟମ୍ୱର କଲେ
ରାଜପୁତ୍ରମାନଙ୍କୁ ସେ ଅନେକ ବରିଲେ
ତହିଁରେ ସେ କାଳେ ମୋର ନୋହିଲା ଶରଧା
ସହି ନ ପାରିଲି ଏବେ ମଦନର ବାଧା
ଈଶ୍ୱର ପ୍ରସନ୍ନ ହୋଇ ଦେଲେ ମୋତେ ବର
ତୁମ୍ଭପାଶେ ଆସିବାକୁ ପେଷିଲେ ସତ୍ୱର
ମୁଁ ତୁମ୍ଭର ଭାର୍ଯ୍ୟା ହେଲି ତୁମ୍ଭେ ମୋର ପତି
ସୁଖେ ଭୋଗ କର ଏବେ ମୋ ରାଜ୍ୟ ସମ୍ପତ୍ତି
ଏହା ଶୁଣି ଗର୍ଗମୁନି ହେଲେ ସ୍ତମ୍ଭୀଭୂତ
ବୋଲନ୍ତି ଆମ୍ଭେ ତ କଲୁ ଏଡ଼େ ମନ୍ଦକୃତ୍ୟ
ଚାଣ୍ଡାଳୀ ବିଭା ହୋଇଲୁଁ କାମେ ହୋଇ ମତ୍ତ
ଧର୍ମଶାସ୍ତ୍ର ପ୍ରମାଣରେ ହୋଇଲୁ ପତିତ
ପୁଣି ବିଚାରନ୍ତି ଏଥେଁ ନାହିଁ ମୋର ଦୋଷ
ଈଶ୍ୱର ତ ଆଜ୍ଞା ଦେଲେ କରବଇଁ କିସ
ବିଶେଷେ ପଦ୍ମିନୀ ସ୍ତିରୀ ଏ ରମଣୀବର
ଏ ଗୁଣେ ପବିତ୍ର ଅଙ୍ଗ ଅଟଇ ଏହାର
ଯୁକତେ ଆମ୍ଭର କାର୍ଯ୍ୟ ଗୁରୁତର ଅତି
ଏମନ୍ତ ବିଚାରି ମନେ ଗର୍ଗ ମହାଯତି
ଗୋପାବଳୀ ମୁଖ ଚାହିଁ ବୋଲନ୍ତି ସେ ମୁନି
ଆମ୍ଭର ବଚନ ଏବେ ଶୁଣରେ କାମିନୀ
ପୂର୍ବ ଅଭିଶାପରେ ତୁ ହୋଇଅଛୁ ଜାତ
ଶାପରୁ ନିସ୍ତରି ଏବେ ଯିବୁ ସ୍ୱର୍ଗପଥ
ଆମ୍ଭର ଅମୋଘ ରେତ ବହୁକାଳୁ ଥିଲା
ତୋହର ଗର୍ଭରେ ଏବେ ପତିତ ହୋଇଲା
ମହାବଳୀ ଏକପୁତ୍ର ହେବ ତହୁଁ ଜାତ
ଅବହେଳେ ଜିଣିବ ସେ ସକଳ ଜଗତ
ଜନ୍ମ ହେବା ମାତ୍ରକେ ସେ ହେବ ନବଯୁବା
ସକଳ ନୃପେ କରିବେ ତା ପାଦରେ ସେବା
ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ତାକୁ ହାରିଯିବେ ରଣେ
ସାଧିବ ସକଳ ପୃଥ୍ୱୀ ସେହି ଏକା ଜଣେ
ଚଉରାଶୀ କୋଟି ବଳ ଅଟନ୍ତି ଯାଦବେ
ଅପମାନ ଦେଇଛନ୍ତି ସେ ମୋତେ ସରବେ
ତାହାଙ୍କୁ ମର୍ଦ୍ଦିବ ଘେନି ମୋର ଅପମାନ
ଧ୍ୱଂସିବ ମଥୁରାପୁର ଆଦି ମଧୁବନ
ଯାଦବେ ପଳାଇଯିବେ ତା ଭୟରେ ଛାଡ଼ି
ସ୍ୱର୍ଗ ମଞ୍ଚ ପାତାଳକୁ ବଳେ ଦେବ ଧାଡ଼ି
ଜଳ ସ୍ଥଳ ଅନଳରେ ନୋହିବ ତା ମୃତ୍ୟୁ
ମନମଧ୍ୟେ ଏ କଥା ତୁ ରଖିଥିବୁ ହେତୁ
ଅନେକ କାଳରୁ ରେତ ସମ୍ଭାଳିଣ ଥିଲୁ
ସେ ଅମୋଘ ବ୍ରହ୍ମବୀର୍ଯ୍ୟ ତୋତେ ସମର୍ପିଲୁ
ଅତି ଯତ୍ନକରି ପ୍ରିୟେ ପୁତ୍ର ପ୍ରତିପାଳ
ଏ ପୁତ୍ର ଯୋଗେ ଗଣିତା ହେବୁ ରବିତଳ
ରାଜ୍ୟ ପ୍ରଜା ରକ୍ଷା ହେବ ରହିବ ତୋ ବଂଶ
ଦେବ ଗନ୍ଧର୍ବଙ୍କ ଦର୍ପ କରିବ ସେ ଧ୍ୱଂସ
ଗୋପାବଳୀ ବୋଲେ ତୁମ୍ଭେ ସର୍ବଜ୍ଞ ପୁରୁଷ
ରାଜ୍ୟେ ମହାରାଜା ହେବ ମୋ ସଙ୍ଗରେ ଆସ
ମୁହିଁ ତୁମ୍ଭ ପରିବାରୀ କରୁଥିବି ସେବା
ରାଜ୍ୟ ଧନ ଭୋଗ କରି ଅଚିନ୍ତେ ରହିବା
ମୁଁ ତୁମ୍ଭର ନିଜ ଭାର୍ଯ୍ୟା ତୁମ୍ଭେ ମୋର ପତି
ମିଳିଅଛି ରାଜଲକ୍ଷ୍ମୀ ନ ଛାଡ଼ ହେ ଯତି
ବିଳମ୍ୱ ନ କରି ରଥେ ବସ ବେଗ ହୋଇ
ଏତେ ବୋଲି ଗୋପାବଳୀ ପାଦ ଧରି ଶୋଇ
ଗର୍ଗମୁନି ବୋଇଲେ ତୁ ଶୁଣ ସଙ୍ଗାତୁଣୀ
ସନ୍ତୋଷ ହୋଇଲୁ ଆମ୍ଭେ ତୋ ବଚନ ଶୁଣି
ତୁ ଯେ ବୋଲୁଅଛୁ ମୋର ରାଜ୍ୟ ଯିବା ଆସ
ତୋ ଅନ୍ନ ଭୁଞ୍ଜିଲେ ଅଛି ଆମ୍ଭଙ୍କୁ ଯେ ଦୋଷ
ତୁ ଆମ୍ଭର ନିଜ ଭାର୍ଯ୍ୟ ହୋଇଲୁ ଯୁକତେ
ଗାନ୍ଧର୍ବ ମତରେ ଆମ୍ଭେ ବିଭା ହେଲୁ ତୋତେ
ଭାରିଯା ଅର୍ଜିଲା ଧନ ଭୁଞ୍ଜେ ଯେବେ ପତି
ଶତେ ଜନ୍ମଯାଏ ପାଇ ସେ ନରକ ଗତି
ନରାଧମ ପୁରୁଷ ସେ ତା ମୁଖ ନ ଚାହିଁ
ନପୁଂସକ ଗଣତିରେ ଲେଖା ହୁଏ ସେହି
ପିତାର ଅର୍ଜିଲା ଧନ ପୁତ୍ର ଭୋଗ କରି
ବଂଶ ରକ୍ଷା କଲେ ତାକୁ କେ ନୁହଇ ସରି
ଧନ୍ୟ ସେହି ପୁତ୍ର ଅଟେ ଧନ୍ୟ ତାର ପିତା
ଉତ୍ତର କୋଟିରେ ଦୁହେଁ ହୁଅନ୍ତି ଗଣିତା
ଜ୍ୟେଷ୍ଠଭାଇ ଧନ ଭୋଗ କଲେ ସାନଭାଇ
ମଧ୍ୟମ କୋଟିରେ ସେହୁ ଗଣିତା ହୁଅଇ
ମାତାର ଅର୍ଜିଲା ଧନ ଭୁଞ୍ଜେ ଯେଉଁ ପୁତ୍ର
ଅଧମ କୋଟିର ମଧ୍ୟେ ସେ ହୁଏ ଗଣିତ
ଜାଣୁ ଜାଣୁ କେଉଁ ରୂପେ କରିବା ଅକର୍ମ
ଆମ୍ଭର ଲଘିଂଲେ ନାଶ ଯିବେ ସର୍ବ ଧର୍ମ
ଯାହାର ନିମନ୍ତେ ଆମ୍ଭେ କଲୁ ଏଡ଼େ ନିଷ୍ଠା
ସେ କାୟା ଗୋଟା ଆମ୍ଭର ହେବ ଅପ୍ରତିଷ୍ଠା
ଈଶ୍ୱରଙ୍କ ମୁଖୁ ଯେଣୁ ଶୁଣିଲୁ ଭାରତୀ
ତେଣୁ ସିନା ତୋ ପ୍ରୀତିରେ ବଳାଇଲୁ ମତି
କାଳବେଳ ଯୋଗେ ଆସି ମିଳିଲୁ ତୁ ଆଗେ
ତୋ ସଙ୍ଗେ ରମିଲୁ ଆମ୍ଭେ ଅତ୍ୟନ୍ତ ସରାଗେ
ଦୁହିଙ୍କର ଅନୁମତେ ବଢ଼ିଲା ପୀରତି
ତୁ କହନ୍ତେ ଜଣାଗଲା ଏବେ ତୋର ଜାତି
ନ ଜାଣି ଅଜାତି ସଙ୍ଗକଲେ ଦୋଷ ନାହିଁ
ଜାଣୁ ଜାଣୁ ପାପ କଲେ ନରକେ ପଡ଼ଇ
ତୁ ଆମ୍ଭର ହେଲୁ ଆମ୍ଭେ ତୋହର ହେଲୁଣି
ଶ୍ରଦ୍ଧା ଥିଲେ କିଛି ଦିନେ ଭେଟ ହେବା ପୁଣି
ଏବେ ତୋର ନଗରକୁ ସୁଖେ ବାହୁଡ଼ି ଯା
ପୁତ୍ର ପ୍ରସବିଲେ ତାକୁ କରାଇବୁ ରାଜା
ଏଥକୁ ମନରେ ଆନ ନ ଧର ସୁକେଶୀ
ଏତେ ବୋଲି ମୌନ ହେଲେ ଗର୍ଗମହାଋଷି
ମୁନିବାକ୍ୟେ ଗୋପାବଳୀ ନିଜକୁ ପ୍ରଶଂସି
ବୋଲେ ମୋ ଜନ୍ମ ସଫଳ ହେଲା ଏବେ ଆସି
ତହିଁର ନିମନ୍ତେ ମନେ ପାଉଥିଲି ବ୍ୟଥା
ସଫଳ ହୋଇଲା ଏବେ ମୋର ସେହି କଥା
ଗୁରୁ ଆଜ୍ଞା ଅବଜ୍ଞା ମୁଁ କରି ତ ନ ପାରେ
ଏମନ୍ତେ ସେ ଗୋପାବଳୀ ବିଚାରି ମନରେ
ମୁନିଙ୍କ ଚରଣ ତଳେ ନମସ୍କାର କଲା
ରଥରେ ଆରୋହି ନିଜ ଭୁବନେ ମିଳିଲା
ନବର ଭିତରେ ପଶି କଲା ନିତ୍ୟକର୍ମ
ଯେଉଁପରି ଥିଲା ତାର ରାଜନୀତି ଧର୍ମ
ଏସନକ କୃତ୍ୟ କେହି ନ ଜାଣନ୍ତି ଆନ
ଦିନୁ ଦିନ ତା ଉଦର ହେଲା ବର୍ଦ୍ଧମାନ
ପାତ୍ର ମନ୍ତ୍ରୀ ଅମନାତ୍ୟେ ଦେଖୁଥାନ୍ତି ଚାହିଁ
ଭୟକରି ତାକୁ କିଛି ନ କହନ୍ତି କେହି
ଅନୀତି ଆଚାର ଯେବେ ବଡ଼ଲୋକ କରେ
ସେବକ ତା ଦେଖିଲେ କି ଆଗେ କହିପାରେ
ପବିତ୍ର ପୁରାଣ ଶିରୀ ଭାଗବତ ଧ୍ୱନି
ଏମନ୍ତ ପ୍ରକାରେ ତହୁଁ କେତେ ଦିନ ଅନ୍ତେ
ଦଶମାସ ଦଶଦିନ ପୂରିଲା ଲେଖନ୍ତେ
କନ୍ୟା ଶୁକ୍ଳ ଦଶମୀ ଯେ ତିଥି ଭୃଗୁବାର
ଅଶ୍ଳେଷା ନାମେ ନକ୍ଷତ୍ର ଅଟେ ସେ ଦିନର
ବବନାମେ କରଣ ଯେ ବଇଧୃତି ଯୋଗ
ସଂକ୍ରାନ୍ତି କଳାରେ କନ୍ୟା ଷଡ଼ଦିନ ଭୋଗ
ରାତ୍ର ଦଶଦଣ୍ଡ ଲଗ୍ନ ଗ୍ରହଆଦି ଶୁଭେ
ପୁତ୍ରେକ ଜନମ ହେଲା ଗୋପାବଳୀ ଗର୍ଭେ
ତ୍ରିପଣ୍ଡ କଳା ବଦନ ଭୟଙ୍କର ମୂର୍ତ୍ତି
ନିର୍ଧୂମ ଅନଳ ଜାଣି ବିରାଜଇ ଜ୍ୟୋତି
ସର୍ବଗୁଣେ ସୁଲକ୍ଷଣ ଗର୍ଗମୁନି ବଳା
ପ୍ରଚଣ୍ଡ ଘୋର ବଦନ ତେଜେ ଅନର୍ଗଳା
ତଳେ ପଡ଼ି ବର୍ଦ୍ଧମାନ ହେଲା ତାର କାୟ
ଚାହୁଁ ଚାହୁଁ ଦିଶିଲା ସେ ନବଯୁବା ପ୍ରାୟ
ସଦାଶିବ ବଚନ କେ କରିପାରେ ଆନ
ଜନ୍ମିଲା ମାତ୍ରେ କୁମର ହେଲା ବର୍ଦ୍ଧମାନ
ପଞ୍ଚୁଆତି ଷଷ୍ଠୀଘର ଉଠିଆରି କଲେ
ଏକବିଂଶ ଦିନେ ପୁତ୍ର ଦୋଳି ଶୁଆଇଲେ
ପୁତ୍ର ଜନ୍ମ ହେବା କଥା ଜାଣି ଗର୍ଗଋଷି
କାଳଦମନ ତା ନାମ ଦେଲେ ଆପେ ଆସି
ଆଶିଷ ତଣ୍ଡୁଳ ଦେଲେ ମହାମନ୍ତ୍ର ସ୍ମରି
ମୁଖରେ ଚୁମ୍ୱନ ଦ୍ୟନ୍ତି ପୁତ୍ର କୋଳେ ଧରି
ଗୋପାବଳୀକି ବୋଇଲେ ଧନ୍ୟ ତୋର ଗର୍ଭ
ଏ ପୁତ୍ର ଜନମ କଲୁ ମର୍ତ୍ତ୍ୟରେ ବାସବ
ମୋର ଅପମାନ ନିଶ୍ଚେ ଫେଡ଼ିବ ଏ ସୁତ
ଏତେ ବୋଲି ହରଷରେ ଗଲେ ତପୋବନ୍ତ
ବ୍ରହ୍ମ ଗୁମ୍ଫା ମଧ୍ୟେ ଯାଇ ପ୍ରବେଶ ହୋଇଲେ
ଆସନରେ ବସି ଦୃଢ଼େ ଯୋଗଧ୍ୟାନ କଲେ
ଏଥୁ ଅନନ୍ତରେ ଗୋପାବଳୀର ନନ୍ଦନ
ମହାବଳିଷ୍ଠ ହୋଇଲେ ସେ କାଳଦମନ
ଦିନୁ ଦିନ ବୃଦ୍ଧି ହୋଇ ଆନୁଆନ ଦିଶେ
ବିକ୍ରମ କେଶରୀ ଅବା କାମଦେବ କି ସେ
ଅସ୍ତ୍ର ଶସ୍ତ୍ରେ ପାରଙ୍ଗମ ହୋଇଲା କୁମର
ବଳେ ଅତି ବଳବାନ ସଂଗ୍ରାମରେ ଶୂର
ପୁତ୍ର ବିଚକ୍ଷଣ ହେବା ଦେଖି ଗୋପାବଳୀ
ତା ହସ୍ତରେ ସମର୍ପିଲା ରାଜ୍ୟର ଆର୍ଦୋଳି
ଚନ୍ଦ୍ରଚୂଡ଼ କଟକରେ ହୋଇଳା ସେ ରାୟ
ଇନ୍ଦ୍ର ବ୍ରହ୍ମଠାରେ ତାର ନାହିଁ ତିଳେ ଭୟ
ଅକଣ୍ଟକ ରାଜ୍ୟ ଭୋଗ କଲା ସମରାଷ୍ଟ୍ର
ରଥ ଗଜ ପଦାତିକ ଅପ୍ରମିତ ଥାଟ
ଷଡ଼ଶାସ୍ତ୍ରେ ବିନିର୍ଜିତ ଦାନୀ ମହାଜ୍ଞାନୀ
ତପବଳେ ଜାତ କଲେ ଗର୍ଗ ମହାମୁନି
ସଦାଶିବ ପ୍ରସାଦରୁ ବର ପାଇଅଛି
ତ୍ରୈଲୋକ୍ୟ ଜିଣିମା ଶକ୍ତି ତାଠାରେ ପୂରିଛି
ଅମୋଘ ରେତରୁ ପୁଣି ହୋଇଅଛି ଜାତ
ଦାସଦମନ ନନ୍ଦିନୀ ଗୋପାବଳୀ ମାତ
ଜନମ ହୋଇଲା ମାତ୍ରେ ହେଲା ନବଯୁବା
ଏସନକ ବର ଦେଇଥିଲେ ମହାଦେବା
ଏମନ୍ତ ପୁତ୍ରକୁ ଦେଖି ଗୋପାବଳୀ ତୋଷେ
ଅଭିଷିକ୍ତ କରି ରାଜା କରାଇଲେ ଦେଶେ
ଘୋଷଣା ଦିଆଇ ଶିରେ ବନ୍ଧାଇଲା ପାଟ
ସିଂହାସନେ ବିଜେ କାଳଦମନ ସମ୍ରାଟ
ଭୂୟାଁ ଭୂପାଳ ଆସିଣ କଲେ ନିଉଛାଳି
ଯୁବତୀଏ ବନ୍ଦାଇଲେ ଘେନି ଅର୍ଘ୍ୟସ୍ଥାଳି
ଶିରରେ ମୁକୁଟ ବାନ୍ଧି ଧରାଇଲେ ଛତ୍ର
ଯେ ଯାହା ନିଯୋଗେ ସେବା କଲେ ପାତ୍ର ମିତ୍ର
ଚନ୍ଦ୍ରଚୂଡ଼ ଦେଶେ କାଳଦମନ ନୃପତି
ଏସନ ଶବଦ ଜାତ ହେଲା ଚଉକତି
ବିଚକ୍ଷଣ ପୁତ୍ର ଦେଖି ଗର୍ଗ ଲଭି ଶାନ୍ତି
ବୋଇଲେ ଫିଟିଲା ଏବେ ମୋ ମନର ଭ୍ରାନ୍ତି
ଯାଦବଙ୍କ ଦର୍ପ ନିଶ୍ଚେଁ କରିବ ଏ ଧ୍ୱଂସ
ଏମନ୍ତ ବିଚାରି ମୁନି ହୁଅନ୍ତି ସନ୍ତୋଷ
ଗୋପାବଳୀ ବିଚାରେ ମୁଁ କୃତାର୍ଥ ହୋଇଲି
ବଂଶ ରକ୍ଷା ହେଲା ପୁଣି ଆପେ ରକ୍ଷା ହେଲି
ଚଣ୍ଡାଳ ଯୋନିରେ ଜନ୍ମ ହୋଇଥିଲି ପାପେ
ବ୍ରହ୍ମ ଋଷି ଅଙ୍ଗ ସଙ୍ଗ ହେଲା ପୂର୍ବତପେ
ପୂର୍ବରୁ ବିଧାତା କରିଥିବାରୁ ରଚନା
ବାଟେ ଯାଉ ସପ୍ତନିଧି ପାଇଲି ମୁଁ ସିନା
ଧନ୍ୟ ମୋର ପିତା ଧନ୍ୟ ଧନ୍ୟ ମୋ ଜନନୀ
ମୋ ଆଗରେ ପୁତ୍ର ମୋର ହେଲା ଏଡ଼େ ଜ୍ଞାନୀ
ଶୁକ ବୋଲନ୍ତି ହେ ଶୁଣ ପରୀକ୍ଷ ନୃମଣି
ପବିତ୍ର ଏ ହରିବଂଶ ପୁରାଣର ବାଣୀ
ଏମନ୍ତ ଚରିତ ଆଉ ନ ଜାଣନ୍ତି କେହି
ଗର୍ଗମୁନି ଜାଣିଥାନ୍ତି କାହାକୁ ନ କହି
ଗୋପାବଳୀ ରାଜଜେମା ଜାଣଇ ସ୍ୱର୍ଗତେ
ଗୁପତ ଚରିତ ଆନେ କହିବ କେମନ୍ତେ
ଇତି ଶିରୀ ଭାଗବତ ପୁରାଣ ବ୍ୟବସ୍ଥା
ଯାଦବଙ୍କ ସଭାପର୍ବ ଗର୍ଗପୁତ୍ର କଥା
ଇଦଂ ଊନପଞ୍ଚାଶତ ଅଧ୍ୟା ଶେଷ ହୋଏ
ବନ୍ଦଇ ଶ୍ରୀ ରାମଚନ୍ଦ୍ର ରଘୁକୁଳେ ଜାତ
ଦଶରଥ ଯାର ପିତା କଉଶଲ୍ୟା ମାତ
ମହାଯଜ୍ଞ ଚରୁମଧ୍ୟୁଁ ହେଲ ଉତପତ୍ତି
ମନ୍ତ୍ରବଳେ ଜାତ କଲେ ଋଷ୍ୟଶୃଙ୍ଗ ଯତି
ନିରଞ୍ଜନ ସ୍ୱାମୀ ତୁମ୍ଭେ ପୁରାଣ ପୁରୁଷ
ଅନଳ ଅନିଳ ଜଳ ସ୍ଥଳ ଶୂନ୍ୟେ ବାସ
ନବଦୁର୍ବାଦଳ ଶୋଭା ଦିଶେ ଦିବ୍ୟ ବପୁ
ନମସ୍ତେ ଶ୍ରୀ ରଘୁନାଥ ଦଶକନ୍ଧ ରିପୁ
ନମସ୍ତେ ଜାନକୀନାଥ ଶରଚାପପାଣି
ନମସ୍ତେ ଦେବାଧିଦେବ ବୀରଚୂଡ଼ାମଣି
ଶ୍ରୀରାମ ନାମ ତାରକ ମନ୍ତ୍ର ବ୍ରହ୍ମଜ୍ଞାନ
ସର୍ବଦା ଜପନ୍ତି ଯାହା ଦେବ ତ୍ରିଲୋଚନ
ଅଶେଷ ମହିମା ସ୍ୱାମୀ ଅଟଇ ତୁମ୍ଭର
ନିର୍ମଳ ସୁନୀଳ ଜ୍ୟୋତି ଅତି ମନୋହର
ଯେବଣ ରୂପକୁ ସରିନୋହେ କୋଟି କାମ
ନମସ୍ତେ ଶ୍ରୀରାମଚନ୍ଦ୍ର ପରଂଧ୍ୟାନ ଧାମ
ମତ୍ସ୍ୟ କୂର୍ମ ବରାହ ଯେ ନୃସିଂହ ବାମନ
ପର୍ଶୁରାମ ଦାଶରଥି ରାମ ବଳରାମ
ବଉଦ୍ଧ କଳକୀ ମୂଳେ ଦଶ ଅବତାର
ସବୁଠାରେ ଉତ୍ତମ ଶ୍ରୀରାମ ନାମସାର
ଚାରିବେଦ ଷଟଶାସ୍ତ୍ର ଦଶାଷ୍ଟ ପୁରାଣ
କହନ୍ତେ ନ ସରେ ଏକା ରାମନାମ ଗୁଣ
ନମସ୍ତେ ହେ ଦଶରଥସୁତ ସତ୍ୟବାଦୀ
ସର୍ବଜୀବେ ଆତ୍ମା ତୁମ୍ଭେ ସର୍ବେଶ୍ୱର ଆଦି
ରାତ୍ର ପାହିଥିଲେ ରାଜା ହୋଇଥାନ୍ତ ସ୍ୱାମୀ
ପିତୃସତ୍ୟ ପାଳି ଆପେ ହେଲ ବନଗାମୀ
କୈକେୟୀ ବଚନେ ରାଜ୍ୟ ଧନ ତ୍ୟାଗ କଲ
ସଙ୍ଗେ ଭାଇ ଭାର୍ଯ୍ୟ ଘେନି ବନବାସେ ଗଲ
ଦଣ୍ଡକାରାଣ୍ୟେ ରହିଲ ବିରାଧକୁ ମାରି
ସ୍ୱର୍ଣ୍ଣ ମୃଗ ଦେଖାଇଲା ଲଙ୍କ ଦଣ୍ଡଧାରୀ
ସୀତା ବୋଲେ ମୃଗ ମାରି ଗଲ ବେନିଭାଇ
ରାବଣ ସେଠାରୁ ନେଲା ସୀତାଙ୍କୁ ଚୋରାଇ
ସୀତା ଖୋଜୁ ଖୋଜୁ ବନେ ଜଟାୟୁ ଭେଟିଲ
ତାଠାରୁ ସନ୍ଦେଶ ପାଇ ଋଷ୍ୟମୂକେ ଗଲ
ସୁଗ୍ରୀ ସଙ୍ଗେ ମିତ୍ର ହେଲ ହନୁମାନ ବୋଲେ
ଦୁନ୍ଦୁଭି ହାଡ଼କୁ ଫିଙ୍ଗିଦେଲ ଅବହେଳେ
ସପ୍ତଶାଳ ଭେଦକରି ବାଳିକି ବଧିଲ
କିଷ୍କିନ୍ଧ୍ୟାରେ ସୁଗ୍ରୀବକୁ ରାଜା କରାଇଲ
ସୀତାଙ୍କୁ ଖୋଜିଲ ପୁଣି ବାନରକୁ ପେଷି
ବାରତା କହିଲା ପଛେ ହନୁ ଦେଖି ଆସି
ସମୁଦ୍ରରେ ସେତୁ ବାନ୍ଧି ସୈନ୍ୟ ଘେନିଗଲ
ଲଙ୍କା ଗଡ଼େ ପଶି ଦୁଷ୍ଟ ଦୈତ୍ୟଙ୍କୁ ବଧିଲ
କୁମ୍ଭକର୍ଣ୍ଣ ଇନ୍ଦ୍ରଜିତ ରାବଣ ସହିତେ
ସମସ୍ତଙ୍କ ପ୍ରାମ ନେଲ ରଣେ କୋପଚିତ୍ତେ
ବିଭୀଷଣେ ଲଙ୍କା ରାଜ୍ୟ ସମର୍ପଣ କଲ
ସୀତା ଘେନି ଅଯୋଧ୍ୟାରେ ଅଭିଷିକ୍ତ ହେଲ
ଏମନ୍ତ ମହିମା ପ୍ରଭୁ ଅଟଇ ତୁମ୍ଭର
କି ବୋଲି ବର୍ଣ୍ଣିବି ତାହା ମୁହିଁ ନର ଛାର
ମହତ ମର୍ଯ୍ୟାଦାଶୀଳ ତୁମ୍ଭେ ରଘୁମଣି
କୋମଳ ମଧୁର ପ୍ରିୟ ତୁମ୍ଭର ଯେ ବାଣୀ
ଧରଣୀର ଭାରାଭର ନିବାରଣ ଅର୍ଥେ
ରଘୁବଂଶେ ଅବତାର ହେଲ ଜଗନ୍ନାଥେ
ମୁନିଯାଗ ରକ୍ଷା କଲ ଅସୁରଙ୍କୁ ମାରି
ନମସ୍ତେ ଜାନକୀନାଥ ଶର ଚାପଧାରୀ
ସୀତା ବିଭାହେଲ ଶିବଧନୁ ଭାଙ୍ଗି ହେଳେ
ରାମନାମ ମୂଳମନ୍ତ୍ର ବୋଲନ୍ତି ସକଳେ
ରାମନାମ ହୃଦୟରେ ଜପ କରି ହର
ବ୍ରହ୍ମହତ୍ୟା ପାତକରୁ ହୋଇଲେ ଉଦ୍ଧାର
ରାମନାମ ଜପି ଉମା ଶିବଙ୍କୁ ଲଭିଲେ
ରାମନାମେ ବାଲମୀକି ବ୍ରହ୍ମଋଷି ହେଲେ
ରାମନାମ ସ୍ମରି ବ୍ରହ୍ମା ସୃଷ୍ଟି ସରଜନ୍ତି
ରାମନାମ ଜପି ଇନ୍ଦ୍ର ହେଲେ ସୁରପତି
ରାମନାମ ଜପି ଲକ୍ଷ୍ମୀ ଜଗତର ମାତ
ରାମନାମ ଜପି ହନୁ ମହା ବଳବନ୍ତ
ରାମନାମେ ବିଭୀଷଣ ହୋଇଲା ଅମର
ରାମନାମେ ଜାମ୍ୱବାନ ହେଲା ମନ୍ତ୍ରୀବର
ନମସ୍ତେ ହେ ରାମଚନ୍ଦ୍ର ଭକ୍ତ ଚିନ୍ତାମଣି
ଅଶେଷ କୋଟି ବ୍ରହ୍ମାଣ୍ଡ କରତା କାରେଣି
ଯେଉଁନାମ ସୁମରନ୍ତେ ଯମ କରେ ଭୀତି
ନମସ୍ତେ ନମସ୍ତେ ରାମ ଅଯୋଧ୍ୟାର ପତି
ଏ ଭବସାଗର ଜଳ ଅଟଇ ଦୁଷ୍ପାର
ତବ ନାମ ଭେଳା ମାତ୍ର ସହାୟ ଏଥିର
ଅନ୍ତଃକାଳେ ରାମନାମ ପ୍ରାପ୍ତ କର ମୋତେ
ତୁମ୍ଭ ସର୍ବଅନ୍ତର୍ଯ୍ୟାମୀ କହିବି ମୁଁ କେତେ
ମାୟା ମୋହ ସଂସାର ଏ ଅନିତ୍ୟ ପାଟଣା
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ହେଉଛନ୍ତି ବଣା
ତୁମ୍ଭର ମହିମା ପ୍ରଭୁ ତୁମ୍ଭେ ଏକା ଜାଣ
ବେଦ ଶାସ୍ତ୍ର ପୁରାଣରେ ଏ କଥା ପ୍ରମାଣ
ଅବ୍ୟକ୍ତ ଅଚିନ୍ତ୍ୟ ରୂପ ତୁମ୍ଭେ ଭାବଗ୍ରାହୀ
ଅଚ୍ୟୁତ ଦାସ କବିକି ବାରେ କର ତ୍ରାହି

ଏଥୁ ଅନନ୍ତରେ ପୁଣି ପରାକ୍ଷିତ ରାଜା
ଶୁକମୁନି ଚରଣରେ କରି ଦିବ୍ୟ ପୂଜା
ବୋଇଲେ ଶୁଣିଲି କାଳଦମନର ଜନ୍ମ
ଏଥୁ ଅନନ୍ତରେ କଥା କିସ ହେଲା ଆନ
ରାଜା ବଚନେ ବୋଲନ୍ତି ଶୁକ ମହାଯତି
ଶୁଣ ତୁହୋ ସାବଧାନେ ଅରଜୁନ ନାତି
ଏ ଦୁର୍ଗମ ହରିବଂଶ ଭାଗ୍ୟେ ଭାଗବତ
ଭକ୍ତି ମୁକ୍ତି ସଙ୍ଗେ ଅଛି ବେଦତତ୍ତ୍ୱ ଅର୍ଥ
ଶ୍ରବଣ ମାତ୍ରକେ ହୁଏ ମନୋବାଞ୍ଛା ସିଦ୍ଧି
ପୁତ୍ର ଦାରା ଆଦି ମିଳେ ଅଚଳ ସମୃଦ୍ଧି
ସସ୍ରେ ଜନ୍ମଯାଏ ତପ ସାଗରେ କରିବ
କି ଅବା ପ୍ରୟାଗବଟେ ଉଠି ଝାସ ଦେବ
ଅନ୍ନଦାନ ବସ୍ତ୍ରଦାନ ନାନା ତୀର୍ଥ କଲେ
ସମ ନୋହେ ହରିବଂଶ ଶ୍ରବଣର ତୁଲେ
ମାତୃ ହରଣ ଗୋ ହତ୍ୟା ସ୍ତେୟ ସୁରାପାନ
ବ୍ରହ୍ମହତ୍ୟା ଆଦି ପାପ ହୁଅଇ ଦହନ
ଏକମନ ହୋଇ ତୁ ଯେ ଶୁଣ ନୃପରାୟେ
ଅନେକ ଜନ୍ମର ପାପ ହେଉ ତୋର କ୍ଷୟେ
ଏସନ ପ୍ରକାରେ କେତେ ଦିନେ ନନ୍ଦଶିଷ୍ୟ
ମଥୁରା କଟକେ ରହି ସୁଖେ କଲେ ବାସ
ଦିନକୁ ଦିନ ସେ ପୂଜା ପାଇ ଅପ୍ରମାଣ
ରାଜାଙ୍କ ଉପରେ କଲେ ମହାରାଜପଣ
ଚୌରାଶୀ କୋଟି ଯାଦବଗଣେ ଅଗ୍ରଲେଖା
ସ୍ଥାବର ଜଙ୍ଗମ ଆଦି ସବୁଙ୍କରି ସଖା
କେତେଦିନ ଅନ୍ତେ ପୁଣି ଉଗ୍ରସେନ ରାୟେ
ରାମ କୃଷ୍ଣ ସଙ୍ଗେ ଘେନି ଆସ୍ଥାନେ ବିଜୟେ
ସାତବଂଶ ଯଦୁବୀରେ ବସିଲେ ଆବୋରି
ପାତ୍ର ମନ୍ତ୍ରୀ ଅମନାତ୍ୟେ ରହିଛନ୍ତି ପୂରି
ଆସ୍ଥାନରେ ପଢ଼ିହାରୀ ଲୋକ ଦୂରକରେ
ଆଲଟ ଚାମର ଛତ୍ର ଧରିଛନ୍ତି କରେ
ଗୁଗ୍‌ଗୁଳ ଚନ୍ଦନ ଚୂଆ ଗୁଆଘୃତ ଧୂପେ
ଚହଟି ଆମୋଦି ଉଠେ ସେ ସଭାମଣ୍ଡପେ
ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତ୍ତ
ବାରନାରୀଗଣେ ମିଳି କରୁଛନ୍ତି ନୃତ୍ୟ
ପାତ୍ର ମନ୍ତ୍ରୀ ଖଟିଛନ୍ତି ଯେ ଯାହା ନିଯୋଗେ
ଦେଶାଉରେ ଦେଶାନ୍ତର ବାର୍ତ୍ତା କହେ ଆଗେ
ଗଣଗନ୍ଧର୍ବ ଦେବତା ସବୁ କରି ଜୟେ
ଅପ୍ରମିତ ଧନ ଅର୍ଜିଅଛି କଂସ ରାୟେ
ଅକଣ୍ଟକ ମଧୁବନ ଦେଶ ଅକଳନା
ଚୌରାଶୀ କୋଟି ଯାଦବେ ଏକୁ ଏକ ଜିଣା
ଅଠାଶୀ ମର୍ଭୁତ ଘର ବସଇ ଅଚିନ୍ତ
କୁବେର ଦେବତା ପ୍ରାୟ ସର୍ବେ ଧନବନ୍ତ
ଯମୁନା ଦକ୍ଷିଣ ଦିଗେ ଅଛି ନଗ୍ରଗୋଟି
ପୂର୍ବେ ସରସ୍ୱତୀ ନଦୀ ଉତ୍ତରକୁ ଭେଟି
ଦକ୍ଷିଣରେ ମଧୁଗିରି ନାମେ ପରବତ
ତିନିଯୋଜନ ଉତ୍ସର୍ଗ ଅନେକ ବିସ୍ତୃତ
ବାସ୍ତରି ପର୍ବତ ଚାରି ପାରୁଶରେ ଖଟି
ମଥୁରା ପର୍ବତ ସଙ୍ଗେ ମିଶିଅଛି ଘୋଟି
ଅମୃତ ଫଳ ଫଳନ୍ତି ତା ଶିଖରେ ତରୁ
ଅଷ୍ଟଧାତୁ ଗଳୁଅଛି ପର୍ବତ ଭିତରୁ
ପାରା ରସ ହରିତାଳ ଖପର ଗନ୍ଧକ
ହିଙ୍ଗୁଳା ଟାଙ୍ଗଣା ଲୁହା ତମ୍ୱା ଯେ ସୀସକ
ବତିଶବାନୀ ରୂପିଆ ଶତବାନୀ ସୁନା
ଏହିରୂପେ ଧାତୁମାନେ ଜାତ ଅକଳନା
ଦିନକରେ ବେନି ଲକ୍ଷ ଜାତ ହୁଏ ମୁକ୍ତା
ଆୟ ବ୍ୟୟ କରନ୍ତି ତା ସହସ୍ରେ ଭୁକୁତା
ଧନ୍ୟ ସେ ପର୍ବତଗୋଟି ମଥୁରାକୁ ଢ଼ାଙ୍କେ
ଧନୁ ପ୍ରାୟ ମୋଡ଼ି ହୋଇଅଛି ତିନି ବାଙ୍କେ
ନିକଟେ ଯମୁନା ନଦୀ ଅତି ପୁଣ୍ୟଜଳ
ଝର ଝର ହୋଇ ସ୍ରୋତ ବହେ ପରିମଳ
ଅଗାଧ ଗମ୍ଭୀର ଜଳ କଳନା ନ ଯାଇ
ଐରାବତ ଦନ୍ତେ ଫୁଟି ବହଇ ସେ ନଈ
ତେଣୁ ବେନିକୂଳ ଲଙ୍ଘି ନ ଯାଏ କେବେହେଁ
ଶାଳ ଶିଳ ଲତା ବୃକ୍ଷେ ଲାଗିଛନ୍ତି ଦେହେ
ନାବେ ଆତଯାତ ଜନେ ନ ମିଳଇ ବାଟ
ପାଇକେ ଠଣା ବସାଇ ଜଗିଛନ୍ତି ଘାଟ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି
ତପୀ ମୁନି ଆଦି କେତେ ସନ୍ନ୍ୟାସୀ ଅଛନ୍ତି
ଛତିଶ ପାଟକ ଜାତି ନାନା ଶ୍ରେଣୀ ମୂଳେ
ଯେ ଯାହାର ନିଜ କର୍ମ କରନ୍ତି ସକାଳେ
ଅଚିନ୍ତେ ମଥୁରାପୁରେ ବସେ ଜନ ପ୍ରଜା
ଯତ୍ନରେ ପାଳନ୍ତି ତାଙ୍କୁ ଉଗ୍ରସେନ ରାଜା
ଅକାଳ ମରଣ ଆଦି ନାହିଁ ରୋଗ ଭୟ
ଯେ ଯାହା ଧର୍ମରେ ଥାଇ ସର୍ବେ ପୁଣ୍ୟମୟ
ଦେହବନ୍ତ ହୋଇ ବିଷ୍ଣୁ ଯହିଁ ବିଜେ କରି
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ନୋହେ ତାକୁ ସରି
ଗୁପତରେ ବିଶ୍ୱକର୍ମା ନିର୍ମାଣିଛି ପୁର
ଦିନକୁ ଦିନ ମଥୁରା ଦିଶେ ଶୋଭାକର
ଯାଦବେ ଦିଶନ୍ତି ଶୋଭା କୃଷ୍ଣ ତେଜ ଲାଗି
ଭର୍ତ୍ତାଯୋଗେ ସ୍ତିରୀ ଯେହ୍ନେ ଦିଶେ ସଉଭାଗି
ସୁକୁମାର ସୁଲକ୍ଷଣ ସର୍ବେ ନବଯୁବା
ସ୍ତିରୀ ବା ପୁରୁଷ ହେଉ ଦିଶେ ଦିବ୍ୟଶୋଭା
ଖଟିଛି ସହସ୍ରେ ପାଦେ ଲକ୍ଷ୍ମୀ ଚଉପାଶେ
ଅବସନ୍ତରେ ବସନ୍ତ ବହେ ବାରମାସେ
ରାମକୃଷ୍ଣଙ୍କର କୀର୍ତ୍ତି ଶୁଭେ ଠାବେ ଠାବେ
ପୁଣ୍ୟବନ୍ତ ରାଜାମାନେ ସେବାକଲେ ଭାବେ
ଦୁଷ୍ଟ ରାଜାଙ୍କର ମନେ ଉପୁଜିଲା ଭୟ
ସୁରସିଦ୍ଧ ମୁନିଗଣେ କଲେ ଜୟ ଜୟ
ଡାହାଣା ବର୍ତ୍ତକ ଶଙ୍ଖେ ଜଳତିଳ ଘେନି
ମୁନିଏ କରନ୍ତି ଉଚ୍ଚେ ସୁକଲ୍ୟାଣ ଧ୍ୱନି
ଦେବତା ଦନ୍ଧର୍ବ ବିଦ୍ୟାଧରେ ହୋଇ ଗୋଷ୍ଠୀ
ଅଧ ଆକାଶରେ ଥାଇ କଲେ ପୁଷ୍ପ ବୃଷ୍ଟି
କଂସାଳ ମୃଦଙ୍ଗ ବୀଣା କରତାଳ ଘେନି
ଆନନ୍ଦରେ ନୃତ୍ୟକଲେ ସ୍ୱର୍ଗ ବିଳାସିନୀ
ଗନ୍ଧର୍ବେ ପଞ୍ଚମସ୍ୱରେ ଗାନ କଲେ ଗୀତ
ଆନନ୍ଦ ଉତ୍ସବେ ପୂର୍ଣ୍ଣ ସବୁଙ୍କରି ଚିତ୍ତ
ରାମକୃଷ୍ଣଙ୍କୁ ଆସ୍ଥାନେ ଦେଖି ବୃହସ୍ପତି
ଇନ୍ଦ୍ରଙ୍କୁ ବୋଇଲେ ତୁମ୍ଭେ ଶୁଣ ଶଚୀପତି
ବିଷ୍ଣୁ ଜନ୍ମ ହୋଇଛନ୍ତି ନରତନୁ ବହି
ନନ୍ଦ ଗୋପେ ବଢ଼ୁଥିଲେ ଆଠବର୍ଷ ଯାଏ
ଏବେ ସେ ମଥୁରା ପୁରେ କଲେକ ବିଜୟେ
ଅଠର ବେଳ ସହିବେ ଜରାସନ୍ଧ ଧାଡ଼ି
କୂଟେ କାଳଦମନକୁ ମରାଇବେ ପୋଡ଼ି
ତଦନ୍ତେ ଦ୍ୱାରକା ପରି ରହିବେ ସମୟେ
ତେବେ ଯାଇ ପୃଥିବୀର ଭାରା ହେବ କ୍ଷୟେ
ଅସଂଖ୍ୟକ ପୁତ୍ର ନାତି ହୋଇବେ ଅଲେଖା
ଷୋଳସସ୍ର ଶତେଅଷ୍ଟ ଉତ୍ତର ନାୟିକା
ଏତେ ଭାରିଯାଙ୍କ ଠାରୁ ବୃଦ୍ଧି ହେବ ବଂଶ
ଭାରିଯା ଗୋଟିକେ ପୁତ୍ର କନ୍ୟା ଦଶ ଦଶ
ଦୁହିତାକେ ଦଶ ପୁତ୍ର ପୁତ୍ରେ ଦଶନାତି
ଏ ପ୍ରମାଣେ ବର୍ଦ୍ଧମାନ ହୋଇବେ ସନ୍ତତି
ଅସଂଖ୍ୟକ କୃଷ୍ଣବଂଶ କେ ପାରିବ କହି
ପିମ୍ପୁଡ଼ି ପାରେ କି ମୁଣ୍ଡେ ପରବତ ବହି
ଚୌରାଶୀ କୋଟି ସଂଖ୍ୟାରେ ଅଛନ୍ତି ଯାଦବେ
ସମସ୍ତଙ୍କ ବଂଶ ବୃଦ୍ଧି ହେବ ଏହି ଭାବେ
ଅଲୋକିତ ସାତବଂଶ ବଢ଼ିବେ ବହୁତ
ରୂପ ଗୁଣ ପରାକ୍ରମେ ମଣ୍ଡିବେ ଜଗତ
ସନ୍ତରା ବଣରେ ଏତେ କୁଟୁମ୍ୱ ମରାଇ
ଦ୍ୱାରକା ଛାଡ଼ିବେ କୃଷ୍ଣ ନିର୍ମୋହିତ ହୋଇ
ଶିଆଳୀ ଲତାରେ ଯାଇ ଶୋଇବେ ବିଷାଦେ
ବାଜିବ ଜରାଶବର ବାଣ ଦକ୍ଷ ପାଦେ
ସେଦିନ ଛାଡ଼ିବେ କୃଷ୍ଣ ମାନବ ଶରୀର
ନୋହିଲେ ଉଶ୍ୱାସ ନୋହେ ପୃଥିବୀର ଭାର
ଉଗ୍ରସେନ ଆସ୍ଥାନରେ ଏବେ ଛନ୍ତି ବସି
ଦେଖ ଆସି ଅବ୍ୟକତ ରୂପ ବ୍ରହ୍ମରାଶି
ଏହି ସେ କରୁଣାମୟ ଦୁଃଖୀ ଜନବନ୍ଧୁ
ଏ ସେ ଗୁଣନିଧି କୃଷ୍ଣ କୃପା ଜଳ ସିନ୍ଧୁ
ଏହି ପ୍ରଭୁ ଆଦିମୂଳ କରୁଣା ବାରିଧି
ଏହି ସେ ସର୍ବଜ୍ଞ ନାଥ ସର୍ବ ବିଦ୍ୟା ସିଦ୍ଧି
ଏହି ପ୍ରଭୁ ନାରାୟଣ କ୍ଷୀରସିନ୍ଧୁ ଶାୟୀ
ଅଶେଷ ଲୋକର ଆତ୍ମା ଏହି ଭାବଗ୍ରାହୀ
ଏହି ସର୍ବ ଜୀବ ହୃଦେ ରହିଛନ୍ତି ପୂରି
ଏହି ସେ କାରଣ କର୍ତ୍ତା ଦୀନଦୁଃଖ ହାରୀ
ଅସାର ସାର ଦେହରେ ଏ ଅଟନ୍ତି ଦେହୀ
ଏ ସବୁ ସର୍ଜିଲେ ୟାଙ୍କୁ ସର୍ଜିଲା କେ ନାହିଁ
ଯାଦବଙ୍କୁ ସଙ୍ଗେ ଧରି କରିଛନ୍ତି ସଭା
ଅଶେଷ କୋଟି ବ୍ରହ୍ମାଣ୍ଡ ପାଉଅଛି ଶୋଭା
ନୀଳୋତ୍ପଳ ଦଳ ଶୋଭା ବହିଅଛି ତନୁ
ନୀଳ ଜଳଧର ଯେହ୍ନେ ଦିଶେ ଇନ୍ଦ୍ରଧନୁ
ପାରୁଶରେ ବସିଛନ୍ତି ଭାଇ କାମପାଳ
ତେଜ ଦିଶେ କୁନ୍ଦ ଇନ୍ଦୁ ଗୋକ୍ଷୀର ଧବଳ
କର୍ଣ୍ଣରେ କୁଣ୍ଡଳ ଶିରେ ଶୋହେ ସପ୍ତଫେଣୀ
ଲଙ୍ଗଳ ମୂଷଳ କରେ ଧରିଛନ୍ତି ସ୍ୱାମୀ
ଲୋହିତ ପିଙ୍ଗଳ ଜଟା ମସ୍ତକେ ସୁସଞ୍ଚ
ହରଡ଼ମ୍ୱରୁ ପରାୟେ କ୍ଷୀଣ ମଝାକଟୀ
କର୍ଣ୍ଣମୂଳରେ ବିସ୍ତାରି ଶୋଭା ପରିପାଟୀ
ରକତ କୁମୁଦ ପ୍ରାୟେ ବିରାଜେ ନୟନ
ଉପମା ଦେବାକୁ ନାହିଁ ଜଗତରେ ଆନ
ଏ ପୁରୁଷ ଆଦିମୂଳେ ଅଟେ ପୁଣ୍ୟମୟ
ସଞ୍ଚିତ ପାତକମାନ କରିପାରେ କ୍ଷୟ
ଦ୍ୱାପରେ ଭାରତ ଯୁଦ୍ଧ କରିବେ ଆପଣେ
ଲକ୍ଷେ ରାଜା ରୁଣ୍ଡ ହେବେ ସେ ଭାରତ ରଣେ
ଅସଂଖ୍ୟ ପଦାତି ବଳ ରଥ ଗଜ ଅଶ୍ୱ
ମହାଘୋର ସଂଗ୍ରାମରେ ସର୍ବେ ଯିବେ ନାଶ
ଅଷ୍ଟାଦଶ ଦିବସରେ ବଢ଼ିବ ସମର
ବହିବ ରକତ ନଦୀ ସ୍ରୋତ ଭୟଙ୍କର
ଗୋସିଂହ ନାରକା ବାଣ ଶାଳ୍ୱ ଶିଶୁପାଳ
ଏମାନଙ୍କ ଆଦି ଦୈତ୍ୟେ ଯିବେ ଯମଆଳ
ଦନ୍ତବକ୍ର ଜରାସନ୍ଧ ବଜ୍ରନାଭ ବୀର
ପୃଥ୍ୱୀ ଦେବୀ ନ ସହଇ ଏହାଙ୍କର ଭାର
ଅଳ୍ପଦିନେ ଜଗନ୍ନାଥ ସବୁ କରି କ୍ଷୟ
ଦେବତାଙ୍କ ହୃଦୟରୁ ଛଡ଼ାଇବେ ଭୟ
ଆବର କଥାଏ ତୁମ୍ଭେ ଶୁଣ ଶଚୀସାଇଁ
ନାରଦଙ୍କୁ ଡାକି ଆମ୍ଭେ ଦେବା ପଠିଆଇ
ରାମ କୃଷ୍ଣଙ୍କ ଛାମୁରେ ମଣାଇ କହିବେ
ସନ୍ଦୀପନି ପଣ୍ଡା ଘରେ ବିଦ୍ୟା ପଢ଼ିଯିବେ
ଏହା ଶୁଣି ନାରଦଙ୍କୁ ଡାକି ଇନ୍ଦ୍ର ରାଜା
ବୋଇଲେ ଭୋ ମୁନି ରାମ କୃଷ୍ଣ ପାଶେ ଯା ଯା
ବୁଝାଇ କହିବ ତାଙ୍କୁ ବସାଇ ପାଶରେ
ସାନ୍ଦୀପନି ପଣ୍ଡା ଘର ଅବନ୍ତୀ ନଗରେ
ତାଙ୍କ ପାଶେ ବେନିଭାଇ ପାଠ ପଢ଼ିଯାନ୍ତୁ
ବେଦମନ୍ତ୍ର ଆଦି ବିଦ୍ୟା ପଠନ କରନ୍ତୁ
ଏତେ ବୋଲି ଇନ୍ଦ୍ର ନିଜ ଭଣ୍ଡାରକୁ ଗଲେ
ମୁଦ ଭାଙ୍ଗି ମଣି ମନ୍ତ୍ର ପାଦୁକା ଆଣିଲେ
ତାହା ଦେଇ ନାରଦଙ୍କୁ କହିଲେ ବାସବ
ଏ ମଣି ନେଇ ଯତନେ କୃଷ୍ଣ କରେ ଦେବ
ଏସନ ଇନ୍ଦ୍ରଙ୍କ ଆଜ୍ଞା ପାଇ ଦେବଋଷି
ଶୂନ୍ୟମାର୍ଗେ ଚଳିଗଲେ ମନଦଣ୍ଡେ ବସି
ଉଗ୍ରସେନ ଆସ୍ଥାନରେ ମିଳିଲେ ସତ୍ୱର
ଖଣ୍ଡେ ଦୂରୁ ଦେଖି ତାଙ୍କୁ ରାମ ଚକ୍ରଧର
ଉଗ୍ରସେନ ସହିତରେ ଆସନୁ ଉଠିଲେ
ମସ୍ତକରେ କର ଦେଇ ଆଗେ ଉଭାହେଲେ
ସକଳ ଯାଦବେ ଉଭା କାଖେ ହସ୍ତ ଭରି
ସଭା ଉପରେ ଉଠିଲେ ଯାଇ ବ୍ରହ୍ମଚାରୀ
ନିର୍ଧୂମ ଅନଳ ଜାଣି ବିରାଜଇ କାୟ
ପାପବର୍ଜିତ ଶରୀର ଦିଶେ ପୁଣ୍ୟମୟ
ଦକ୍ଷିଣରେ ବୀଣାଦଣ୍ଡ ବାମେ କମଣ୍ଡଳ
ତମ୍ୱା କୁଣ୍ଡଳରେ ଶୋଭାପାଏ ଗଣ୍ଡସ୍ଥଳ
କପିଳାମଳ ବିଭୂତି ସର୍ବାଙ୍ଗେ ଲେପନ
ଲଲାଟେ ଦ୍ୱାଦଶ ଚିତା ହରି ପାଦଚିହ୍ନ
କାଖରେ ବେଦ କରାଣ୍ଡି ଶାଳଗ୍ରାମ ଶିଳା
କଣ୍ଠରେ ତୁଳସୀ କାଷ୍ଠ ରୁଦ୍ରାକ୍ଷର ମାଳା
ମସ୍ତକେ ପିଙ୍ଗଳ ଜଟା ହସ୍ତେ ଆଶାବାଡ଼ି
ଶୁକଳ ଚାମର ପ୍ରାୟ ମୁଖେ ଦିଶେ ଦାଢ଼ି
କଟିଦେଶେ ପିନ୍ଧିଛନ୍ତି ମୃଗଚର୍ମ ଧୋତି
କନ୍ଧରେ ଉତ୍ତରୀ ଚୀର କରେ ତମ୍ୱାପତ୍ରୀ
କୁଶବିଡ଼ି ସ୍ରୂବ ସ୍ରୂଚ ଛତା ପୀଢ଼ା ଘେନି
ଯାଦବ ସଭାରେ ଯାଇ ମିଳିଲେ ସେ ମୁନି
ତାଙ୍କୁ ଦେଖି ରାମ କୃଷ୍ଣ ଆନନ୍ଦିତ ମନେ
ବୋଲନ୍ତି କୃତାର୍ଥ ହେଲୁ ମୁନିଙ୍କ ଦର୍ଶନେ
ପାଦେ ପଡ଼ି ଉଗ୍ରସେନ ଉଠି ଉଭା ହୋଇ
ଆପେ ପାଦ ପଖାଳିଲେ ଶୁଦ୍ଧଜଳେ ନେଇ
ଆସନ ଯେ ପାଦାସନ ଗନ୍ଧପୁଷ୍ପ ଦେଇ
ଭକ୍ତିଭରେ ପୂଜାକଲେ ଭୋଜ ନରସାଇଁ
ସୁବର୍ଣ୍ଣର ସିଂହାସନେ କୃଷ୍ଣଜିନ ପାଡ଼ି
ସନ୍ତୋଷେ ବସିଲେ ମୁନି ସେ ଆସନ ମାଡ଼ି
ନାରଦଙ୍କ ମୁଖ ଚାହିଁ ପ୍ରଭୁ ଦେବରାଜ
ବୋଲନ୍ତି ମୁଁ ଧନ୍ୟ ହେଲି ନିସ୍ତରିଲି ଆଜ
ପବିତ୍ର ହୋଇଲା ଆଜ ଏ ମଥୁରା ପୁରୀ
ପ୍ରତ୍ୟକ୍ଷରେ ବ୍ରହ୍ମରୂପୀ ତୁମ୍ଭେ ବ୍ରହ୍ମଚାରୀ
ଯଜନ ଯାଜନ ଅଧ୍ୟୟନ ଆଦି ଷଟ
କର୍ମରେ ନିର୍ଜିତ ତୁମ୍ଭେ ଅଟ ମୁନିଶ୍ରେଷ୍ଠ
ପୁଣି ଯମ ନିୟମାଦି ଅଷ୍ଟାଙ୍ଗରେ ଜିତା
ଚାରିବେଦ ଷଡ଼ଶାସ୍ତ୍ରେ ଅଟ ତତ୍ତ୍ୱଜ୍ଞାତା
ଆପଣଙ୍କ ଦରଶନ କେତେ ଭାଗ୍ୟେ ମିଳେ
ଏହିପରି ଦୟା ରଖିଥିବେ ସବୁକାଳେ
ନାରଦ ସନ୍ତୋଷ ମନେ କୃଷ୍ଣ କଥା ଶୁଣି
ବୋଇଲେ ଦେବଙ୍କ ଦେବ ତୁମ୍ଭେ ଚକ୍ରପାଣି
ତୁମ୍ଭେ ଜଳ ସ୍ଥଳ ବାୟୁ ଅଗ୍ନି ଶୂନ୍ୟଭେଦୀ
ତୁମ୍ଭେ ଦେବ ଆଦି ଅଟ ତୁମ୍ଭେ ଯେ ଅନାଦି
ପୃଥିବୀର ଭାରାଭର ନିବାରିବା ଅର୍ଥେ
କୋଇଲି ବୈକୁଣ୍ଠ ତେଜି ଅବତାର ଏଥେ
ଭୋ ନାଥ ସଂସାରସିନ୍ଧୁ ଅନିତ୍ୟ ପାଟଣା
ସୁରସିଦ୍ଧ ମୁନି ପଡ଼ି ହେଉଛନ୍ତି ବଣା
ପରମ ପୁରୁଷ ତୁମ୍ଭେ ଆଦିଅନ୍ତ ହୀନ
ରୋମକେ କୋଟିଏ ପୃଥ୍ୱୀ କରିଛ ଧାରଣ
ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ତିନି
ମହଲୋକ ଜନଲୋକ ତପଲୋକ ଘେନି
ଚାରିଖାନି ଆଦି ଚଉରାଶୀ କୋଟି ଜୀବ
ସମସ୍ତଙ୍କୁ ବାସଦେଇ ନାମ ବସୁଦେବ
ସର୍ବ ପାପ ହରିବାରୁ ତୁମ୍ଭ ନାମ ହରି
ସଞ୍ଚିଲା କର୍ମ ତୁମ୍ଭରେ ହୁଏ ଆନ କରି
ଅଚ୍ୟୁତ ଦାସ କବି ଯେ ମାଗୁଛି ଏ ବର
ଅନ୍ତଃକାଳେ ଦିଅ ମୋତେ ତବ ଶ୍ରୀପୟର

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ରାଜନ
ହରିବଂଶ ଚରିତ ଏ ଅପୂର୍ବ ଆଖ୍ୟାନ
ଏସନକ ସ୍ତୁତି ଯହୁଁ କଲେ ଦେବଋଷି
ରାମ କୃଷ୍ଣ ଦୁହେଁ ଶୁଣି ହେଲେ ଅତି ତୋଷୀ
କହନ୍ତି ଯେ ଇଦଂ ପ୍ରତିବାକ୍ୟ ଜଗନ୍ନାଥେ
ଏତେ ସମ୍ଭାବନା ମୁନି କର କିସ ଅର୍ଥେ
ନାରଦ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ସ୍ୱର୍ଗରୁ କହିଣ ମୋତେ ପେଷିଲେ ବାସବ
ଅବନ୍ତୀପୁରକୁ ତୁମ୍ଭେ ବିଦ୍ୟା ପଢ଼ିଯିବ
କୋଟିମୁଖ ବ୍ରହ୍ମା ସ୍ଥାପିଥିଲେ ସେ ଶାସନ
ଯେତେ ବିପ୍ର ଛନ୍ତି ତହିଁ ବ୍ରହ୍ମାଙ୍କ ସମାନ
ବେଦ ବେଦାନ୍ତରେ ଜିତା ସେହି ମହାଜନେ
ତ୍ରିକାଳର କଥା ଜାଣିପାରନ୍ତି ସେ ଜ୍ଞାନେ
ସେ ଆସନେ ସନ୍ଦୀପନି ପଣ୍ଡାଙ୍କର ମଠ
ତାଙ୍କ ପାଶେ ପଢ଼ୁଛନ୍ତି ସହସ୍ରେକ ଚାଟ
ଅନେକ ସମ୍ପଦ ଅଛି ତାରା ବାଡ଼ିବୃତ୍ତି
ବ୍ରହ୍ମଲୋକ ପରିଯନ୍ତେ ଶୁଭଇ କୀରତି
କୁବେର ସମାନ ହୁଏ ତାଙ୍କ ଧନ ଲେଖା
ପୁତ୍ର ନାହିଁ କନ୍ୟା ନାହିଁ ପତିପତ୍ନୀ ଏକା
ଅଶେଷ ବିଦ୍ୟାରେ ସେହି ବିପ୍ର ଅଧିକାରୀ
ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଚାରି
ଉଲ୍ଲୁକ କୁହୁକ ବିଦ୍ୟା ଅଞ୍ଜନର ବିଧି
ଚାରିବେଦ ଷଡ଼ଶାସ୍ତ୍ର ପ୍ରଜ୍ଞା ଋଷି ସିଦ୍ଧି
ଅଠର ପୁରାଣ ଆଉ ନବ ବ୍ୟାକରଣ
ଧନୁ ଅସ୍ତ୍ର ଶସ୍ତ୍ରବିଦ୍ୟା ଅଛି ଅପ୍ରମାଣ
ମନ୍ତ୍ର ଯନ୍ତ୍ର ଗାନ୍ଧାର ଯେ ଗୀତ ନାଟ୍ୟ ରଙ୍ଗ
ଶ୍ରୁତି ସ୍ମୃତି ଇତିହାସ ଜ୍ୟୋତିଷ ଷଡ଼ଙ୍ଗ
ବ୍ରହ୍ମବିଦ୍ୟା ଆଦିକରି ବତିଶ ଅକ୍ଷର
ସାନ୍ଦୀପନି ପଣ୍ଡା ଗର୍ଭେ କରିଛନ୍ତି ଘର
ତୁମ୍ଭେ ବେନିଭାଇ ଏବେ ଚଳ ବେଗ ହୋଇ
ସେ ବ୍ରାହ୍ମଣ ବସିଛନ୍ତି ତୁମ୍ଭ ବାଟ ଚାହିଁ
ତୁମ୍ଭେ ତ ଆପଣେ ହରି ଜାଣ ବିଦ୍ୟାଗୁଣ
ବିଦ୍ୟା ଅଧିକାରୀ ଜନ ଜଗତେ କାରଣ
ବିଦ୍ୟାର ପ୍ରସାଦେ ପ୍ରାଣୀ ପାଏ ଦିବ୍ୟପୂଜା
ବିଦ୍ୟାବନ୍ତ ଜନ ସଙ୍ଗେ ସମ ନୁହେ ରାଜା
ବିଦ୍ୟା ପ୍ରସାଦରୁ ଭକ୍ତି ମୁକ୍ତିଲାଭ କରି
ବିଦ୍ୟା ଥିଲେ ମହାଘୋର ବିପଦରୁ ତରି
ବିଦ୍ୟା ସେ ଚକ୍ଷୁର ଚକ୍ଷୁ ବିଦ୍ୟା ଜ୍ଞାନଦାତା
ବିଦ୍ୟା ଥିଲେ ଲାଭ ହୁଏ ଉତ୍ତମ ବନିତା
ବିଦ୍ୟା ଥିଲେ ଧନରତ୍ନ ବସ୍ତ୍ର ଅର୍ଜିପାରି
ବିଦ୍ୟାର ସମାନ ନୁହେ ଅନ୍ୟ ଧନ ସରି
ବିତରଣେ କ୍ଷୟ ନୁହେ ନ ନିଅଇ ଚୋର
ତେଣୁ ସାଧୁଜନେ ତାକୁ କରନ୍ତି ଆଦର
ଧନବନ୍ତ ରୂପବନ୍ତ ଜାତିବନ୍ତ ତିନି
ସର୍ବେ ଶୋଭା ପାଉଥାନ୍ତି ବିଦ୍ୟାଗୁଣ ଘେନି
ଗୁରୁଙ୍କ ଉପରେ ଗୁରୁ ବିଦ୍ୟାହିଁ ଦେବତା
ବିଦ୍ୟା ପ୍ରସାଦରୁ ପ୍ରାଣୀ ଭବିଷ୍ୟତ ଜ୍ଞାତା
ବିଦ୍ୟାବଳେ ସ୍ୱର୍ଗ ମଞ୍ଚ ପାତାଳହିଁ ଜିଣି
ବିଦ୍ୟାବନ୍ତ ହୁଏ ରାଜସଭାରେ ବରଣି
ବିଦ୍ୟା ବଳେ ଆତ୍ମଜ୍ଞାନ ଲଭଇ ମାନବ
ଏ ସଂସାର ସାଗରକୁ ବିଦ୍ୟା ଅଟେ ନାବ
ତିଥି ବାର ନକ୍ଷତ୍ର ଯେ ଯୋଗଲଗ୍ନ ଆଦି
କାଳାନ୍ତକ ଯୁଗାନ୍ତକ ବିଦ୍ୟାବଳେ ସାଧି
ବିଦ୍ୟାଯୋଗେ ଆତଯାତ ହେଉଛି ମେଦିନୀ
ରବି ଶଶୀ ଦୁହେଁ ଚଳୁଛନ୍ତି ବିଦ୍ୟା ଘେନି
ବିଦ୍ୟାରେ ବିହୀନ ହୋଇ ବଞ୍ଚେ ଯେଉଁ ପ୍ରାଣୀ
ପ୍ରତ୍ୟକ୍ଷରେ ମୃତ୍ୟୁଶବ ବୋଲି ତାକୁ ଜାଣି
ନର କି ରାକ୍ଷସ ହେଉ କିବା ଦେବ ହେଉ
ବିଦ୍ୟାରେ ବିହୀନେ ଶୋଭା ନ ପାନ୍ତିଟି କେହୁ
ଯଦ୍ୟପି ଜ୍ଞାନ ପାଇବ ଅଜ୍ଞାନକୁ ଛାଡ଼ି
ଶରୀର ପ୍ରତିଷ୍ଠା ତେବେ କର ବିଦ୍ୟା ପଢ଼ି
ଯେବେ ବିଦ୍ୟା ନ ପଢ଼ିବ ନରଦେହ ବହି
ସଂସାରେ ଜନମ ଲଭ ପ୍ରୟୋଜନ ନାହିଁ
ପୂର୍ବରୁ ଏ କଥା ତୁମ୍ଭେ କରିଛ ଭିଆଣ
ଆପେ ଧର୍ମ ନ ରଖିଲେ କେ ରଖିବ ପୁଣ
କି ଅବା ବୋଲିବ ଆମ୍ଭେ ସର୍ବ ଗୁଣନିଧି
ମୋତେ ବିଦ୍ୟା ପଢ଼ାଇବ ଅଛି କାର ବୁଦ୍ଧି
ମୋ ନାଭିକମଳୁଁ ବ୍ରହ୍ମା ହେଇଅଛି ଜାତ
ମୁହିଁ ସେ ଦେବଙ୍କ ଦେବ ଆଦି ବୃଦ୍ଧତାତ
ଏମନ୍ତ ବିଚାର ଯେବେ କର ନାରାୟଣ
ତହିଁର ଯେ ପ୍ରତିଭାଷା କହୁଅଛି ଶୁଣ
ତୁମ୍ଭେ ଅବତାର ହେଲ ଭାରାଭର ଅର୍ଥେ
ନରତନୁ ବହିଅଛ ମାତା ଗର୍ଭଗତେ
ଜନ୍ମହେବା ଦିନଠାରୁ ମୃତ୍ୟୁ ହେବା ଯାଏ
ବେଦଶାସ୍ତ୍ରେ ପ୍ରମାଣରେ କର ଦେବରାୟେ
ତୁମ୍ଭେ ତ ସକଳ କଥା ଜାଣି ବିଶ୍ୱବାସୀ
ଗୁରୁ ବିନା ବିଦ୍ୟା ନୁହେଁ ସର୍ବଜନେ ଭାଷି
ଉତ୍ତମ ମଧ୍ୟମ ଆଉ କନିଷ୍ଠ ଏ ତିନି
ଯେଝାମତେ ଚଳୁଛନ୍ତି ବିଦ୍ୟାଗୁଣ ଘେନି
ଆପେ ଜାଣି ଶୁଣି ଯେହୁ ପଚାରେ ପରକୁ
ଉତ୍ତମ ବୋଲିଣ ଲୋକେ ବୋଲନ୍ତି ତାହାକୁ
ନ ଜାଣି ପରକୁ ପୁଚ୍ଛା କରେ ଯେଉଁ ଜନ
ମଧ୍ୟମ କୋଟିରେ ସେ ଯେ ହୁଅଇ ଗଣନ
ଆପେ ନ ଜାଣି ପରକୁ ଯେହୁ ନ ପଚାରେ
ଅଧମ କୋଟିରେ ଲେଖା ସେ ହୁଏ ସଂସାରେ
ମହାତ୍ମା ପୁରୁଷ ତୁମ୍ଭେ ସର୍ବ ଗୁଣନିଧି
ଗୁରୁ ମୁଖୁଁ ବିଦ୍ୟା ଘେନ କାର୍ଯ୍ୟ ହେଉସିଦ୍ଧ
ଏତେ କହିଣ ନାରଦ ହେଲେ ଅନ୍ତର୍ଦ୍ଧାନ
ଶୁଣୁଥିଲେ ଯାଦବଙ୍କ ସଙ୍ଗେ ଉଗ୍ରସେନ
ରାମ କୃଷ୍ଣଙ୍କର ମନେ ଲାଗିଲା ଉଚ୍ଚାଟ
ନାରଦ ବଚନେ ହୃଷ୍ଟ ହେଲେ ନନ୍ଦଚାଟ
ଏମନ୍ତେ ଅଠର ଦଣ୍ଡ ହେଲା ଆସି ବେଳ
ଭିତରକୁ ବିଜେ କଲେ ଉଠି ମହୀପାଳ
ମଣିମା ମଣିମା ଡାକ ସୁଲକିତ ବାଣୀ
ବସୁଦେବ ନଗରକୁ ବିଜେ ଚକ୍ରପାଣି
ଚୌରାଶୀ କୋଟି ଯାଦବେ ଯେଝାପୁରେ ଗଲେ
ସ୍ନାହାନ ଭୋଜନ ଆଦି ବିଧାନ ସାରିଲେ
ଏଥୁ ଅନନ୍ତରେ ହେଲା ପ୍ରହରେ ରଜନୀ
ଆସ୍ଥାନରେ ବିଜେ କଲେ ରାମ କୃଷ୍ଣ ବେନି
ବସୁଦେବ ଉଗ୍ରସେନ ଦୁହିଙ୍କୁ ବସାଇ
ମୁଖ୍ୟ ମୁଖ୍ୟ ଯାଦବଙ୍କୁ ଆଣିଲେ ଡକାଇ
ଶକ୍ରାଜିତ ଅନାଧୃଷ୍ଟ ସାତ୍ୟକି ଅକ୍ରୂର
ଏହାଙ୍କ ମୂଳେ ବିଶ୍ୱାସୀ ଥିଲେ ଯେତେ ବୀର
ମାତାଙ୍କର ନିଜ ମାତା ଆଈ ଇନ୍ଦୁମତୀ
ଦେବକୀର ହସ୍ତ ଧରି ମିଲିଲେ ତଡ଼ତି
ସ୍ୱଜନ ବାନ୍ଧବ ଡାକି ବସାଇ ପାରୁଶେ
ଦ୍ରହସିତ ମୁଖେ କୃଷ୍ଣ କହନ୍ତି ହରଷେ
ଦେବର୍ଷି ନାରଦ ମୋତେ କହିଗଲେ ଯାହା
ଆସ୍ଥାନରେ ବସି ସର୍ବେ ଶୁଣିଅଛ ତାହା
ଆଠବର୍ଷ ଯାଏ ଥିଲୁ ଆମ୍ଭେ ଗୋପପୁରେ
ରାତ୍ର ଦିବସେ ବଢ଼ିଲୁ ଗୋପାଳ ସଙ୍ଗରେ
ଗଉଡ଼ ବାଉଡ଼ ସେହୁ କେତେ ତାଙ୍କ ବୁଦ୍ଧି
ଜାତି ସ୍ୱଭାବରେ ମୂର୍ଖ କାହିଁ ବିଦ୍ୟା ସିଦ୍ଧି
ସମ୍ପୂର୍ଣ୍ଣ ହୋଇଲା ଏବେ ନବମ ବରଷ
ଗୁରୁ ଅଭାବରେ ବିଦ୍ୟା ନ ଜାଣିଲୁ ଲେଶ
ଜନ୍ମ ପାଇ ଅପ୍ରତିଷ୍ଠା ହେଲା ଆମ୍ଭେ କାୟେ
ଅକାରଣେ କାଳକ୍ଷେପ କଲୁ ଆଜଯାଏ
କିରୂପେ ଅକ୍ଷର ଆମ୍ଭେ ନ ଜାଣିଲୁ କିଛି
ସ୍ୱର୍ଗେ ତା ଜାଣିଲେ ଇନ୍ଦ୍ର ଆମ୍ଭ ଗୁଣ ବାଛି
ଅବନ୍ତୀ ପୁରକୁ ଆମ୍ଭେ ଦୁଇଭାଇ ଯିବୁ
ଶସ୍ତ୍ର ଶାସ୍ତ୍ରଆଦି ବିଦ୍ୟା ସମସ୍ତ ପଢ଼ିବୁ
ତୁମ୍ଭେମାନେ କେହି ଚିନ୍ତା ମନରେ ନ କର
ବିଦ୍ୟା ପଢ଼ି ଅଳ୍ପଦିନେ ଆସିବୁ ସତ୍ୱର
ଉଗ୍ରସେନ ବୋଲେ ତୁମ୍ଭେ ଶୁଣ ବିଶ୍ୱବାସ
ଏ ମଥୁରାପୁରେ ମୋର ପ୍ରୟୋଜନ କିସ
ତୁମ୍ଭେ ଗଲେ ପଛେ ପଛେ ଗୋଡ଼ାଇ ମୁଁ ଯିବି
ତୁମ୍ଭ ଯହିଁ ଥିବ ମୁହିଁ ସେହିଠାରେ ଥିବି
ତୁମ୍ଭ ଅଭାବରେ ମୋର ଲୋଡ଼ା ନାହିଁ ରାଜ୍ୟ
ପଞ୍ଚଭୂତ ଆତ୍ମା ମୋର ତୁମ୍ଭେ ଦେବରାଜ
ତୁମ୍ଭର ସଞ୍ଚିତ ସିନା ଏ ସମ୍ପଦ ମାନ
ସମସ୍ତଙ୍କ ପୂଜ୍ୟ ତୁମ୍ଭେ ଯାଦବ ପ୍ରଧାନ
ତୁମ୍ଭେ ବେନିଭାଇ ଯେବେ ଏଥୁ ଚାଲିଯିବ
ରାଜ୍ୟେ ପ୍ରମାଦ ପଡ଼ିଲେ କେ ରକ୍ଷା କରିବେ
ଏହା ଶୁଣି କରଯୋଡ଼ି କହଇ ସାତ୍ୟକି
ପଣ୍ଡାଙ୍କୁ ଡକାଇ ଆମ୍ଭେ ଆଣିବା ଏଥିକି
ଧନରତ୍ନ ଦେଇ ତାଙ୍କୁ କରିବା ତୃପତି
ଦକ୍ଷିଣା ପାଇଲେ ତୋଷ ହୋଇବ ସେ ଅତି
ଏଠାରେ ରହି ତୁମ୍ଭଙ୍କୁ ବିଦ୍ୟା ପଢ଼ାଇବେ
ସନ୍ତୋଷ ହୋଇବେ ଦେଖି ସମସ୍ତ ଯାଦବେ
ନୋହିଲେ ସମସ୍ତେ ମିଶି ଚାଲ ଆମ୍ଭେ ଯିବା
ପାଠ ପଢ଼ା ଶେଷକରି ଲେଉଟି ଆସିବା
ଶ୍ରୀକୃଷ୍ଣ ବୋଇଲେ ଏହା ନୁହଇ ସର୍ବଥା
ସମଦଣ୍ଡ ଦେଖି ଗୁରୁ ପାଇବେ ଯେ ବ୍ୟଥା
ଅକ୍ରୂର ବୋଇଲେ ତୁମ୍ଭେ ଶୁଣ ନନ୍ଦବତ୍ସି
ରଥ ଗଜ ତୁରଙ୍ଗମ ଥୋକେ ଦେବା ବାଛି
ଉଦ୍ଧବ ବୋଇଲେ ଦେବ ଶୁଣ ଚକ୍ରଧର
ଆମ୍ଭେ ସାତଜଣ ଯିବୁ ସଙ୍ଗରେ ତୁମ୍ଭର
ମୁଁ ଆଉ ପ୍ରସନ୍ନାଜିତ ଶକ୍ରାଜିତ ବୀର
ସାତବଂଶ ଶ୍ରେଷ୍ଠ ଅଟୁ ଆମ୍ଭେ ସାତଜଣ
ସମସ୍ତଙ୍କ ଦେହେ ଅଛି ବୀର ଶୂରପଣ
ମନ କଲେ ପାରୁ ଆମ୍ଭେ ତିନିପୁର ଜିଣି
ଏଣେ ତୁମ୍ଭ ସଖା ଆମ୍ଭେ ସାତେ ଅଟୁ ପୁଣି
ଆମ୍ଭଙ୍କୁ ସଙ୍ଗତେ ଘେନି ଚଳ ଦେବରାୟ
ଏମାନେ ସଙ୍ଗରେ ଥିଲେ ନାହିଁ କିଛି ଭୟ
ବସୁଦେବ ବୋଲେ ବାବୁ ଶୁଣ ବନମାଳି
ତୁମ୍ଭେ ମୋର ପଞ୍ଚଭୂତ ଆତ୍ମାର ସଙ୍ଖାଳି
ତୁମ୍ଭେ ବା ଆମ୍ଭଙ୍କୁ ଛାଡ଼ି ଯିବ ରାମ ହରି
ଆମ୍ଭେମାନେ ଛାଡ଼ିଦେବୁ ତୁମ୍ଭଙ୍କୁ କିପରି
ଦୁଃଖୀର ସଙ୍ଖାଳି ତୁମ୍ଭେ କୃପାଜଳ ସିନ୍ଧୁ
ଅନ୍ଧର ଲଉଡ଼ି ଦୁହେଁ ମୋର ପ୍ରାଣବନ୍ଧୁ
ଆମ୍ଭଙ୍କୁ ନ ନେଇ ଯେବେ ଏକା ଯିବ ହରି
ମନ ଜାଣି ମଣୋହି କେ ଦେବ ଯତ୍ନକରି
ଏଣୁ ଆମ୍ଭେମାନେ ତୁମ୍ଭ ସଙ୍ଗତରେ ଯିବୁ
ଯେତେବେଳେ ଯାହା ଲୋଡ଼ା ତାହା ଆଣିଦେବୁ
ଇନ୍ଦୁମତୀ ବୋଇଲେ ମୁଁ ତୁମ୍ଭ ବୃଦ୍ଧଆଈ
ମୁଁ ସଙ୍ଗତେ ଥିଲେ ବାବୁ କିଛି ଭୟ ନାହିଁ
ତୁମ୍ଭ ଦୁଇଭାଇଙ୍କୁ ମୁଁ ପ୍ରତିପାଳିଥିବି
ସୈରନ୍ଧ୍ରୀ ପରାୟେ ଖଟି ରାନ୍ଧି ପରଷିବି
ଯତ୍ନେ ବସି ଭୁଞ୍ଜାଇବି ପୋଛିବି ଉଚ୍ଚିଷ୍ଟ
କାଖକରି ବୁଲାଇବି ଦେଖାଇବି ନାଟ
ମାତାର ମୁଁ ମାତା ଅଟେ ତୁମ୍ଭ ମାତାମହୀ
ଅପାର କାର୍ଯ୍ୟ କରିବ ସଙ୍ଗେ ମୋତେ ନେଇ
ମୁହିଁ ତୁମ୍ଭ ବିଶ୍ୱକୂଟ ମାୟା ଜାଣେ ସବୁ
ଅଭିଶାପ ପାଇ ଜନ୍ମ ହୋଇଅଛି ବାବୁ
ତୁମ୍ଭେ ସ୍ୱୟଂ ନାରାୟଣ କ୍ଷୀରସିନ୍ଧୁ ଶାୟୀ
ଅଚିନ୍ତ୍ୟ ସ୍ୱରୂପ ଚିନ୍ତାମଣି ଭାବଗ୍ରାହୀ
ଦେବଙ୍କ ଉପରେ ଦେବ ଅଟ ତୁମ୍ଭେ ସ୍ୱାମୀ
ସର୍ବଭୂତେ ଆତ୍ମା ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ଦ୍ୱାପରେ ପୃଥିବୀଭାର ନିବାରଣ ଅର୍ଥେ
କୌତୁକେ ମାନବ ରୂପ ହେଲେ ଜଗନ୍ନାଥେ
ଧନ୍ୟ ସେ ଦେବକୀ ମୋର ସଉଭାଗ୍ୟବତୀ
ଜଗତନାଥଙ୍କୁ ଗର୍ଭୁଁ କଲା ଉତପତ୍ତି
ଧନ୍ୟ ଏ ଦ୍ୱାପର ଲୋକେ ଧନ୍ୟ ତାଙ୍କ କର୍ମ
ଶ୍ରୀକୃଷ୍ଣ ସଙ୍ଗତେ ଆସି ହୋଇଛନ୍ତି ଜନ୍ମ
ସାକ୍ଷାତରେ ବିଷ୍ଣୁରୂପ ଦେଖୁଛନ୍ତି ଡ଼ୋଳେ
ଏତେ ବୋଲି ଇନ୍ଦୁମତୀ ଗଦ ଗଦ ଭୋଳେ
ପୁଣି ବୋଲେ ନିସ୍ତରିଲି ପଦ୍ମମୁଖ ଚାହିଁ
ଲଭିଲି ନିର୍ବାଣ ମୁକ୍ତି ଜନ୍ମ ଆଉ ନାହିଁ
ବାବୁ ମୋତେ ଅନୁଗ୍ରହ କର ଭାଇ ବେନି
ସମୟେକ ତୁମ୍ଭ ସଙ୍ଗେ ଥିବି ଦେହ ଘେନି
ନୟନରେ ଦେଖୁଥିବି ତୁମ୍ଭ ଦିବ୍ୟ ଲୀଳା
ଏସନକ ଆଜ୍ଞା ମୋତେ ଦିଅ ନନ୍ଦବଳା
ବାବୁ କ୍ଷଣେମାତ୍ର ମୁଖ ଦେଖନ୍ତେ ତୋହରି
କୋଟିଏ କୈବଲ୍ୟ ମୁକ୍ତି ନୋହେ ତାକୁ ସରି
ଏଡ଼େ ବଡ଼ ସୁଲଭ ମୁଁ ନ ପାରଇ ଛାଡ଼ି
ପ୍ରାପ୍ତକାଳ ଯାଏ ଥିବି ତୁମ୍ଭ ସଙ୍ଗ ଲୋଡ଼ି
ଶ୍ରୀକୃଷ୍ଣ ବୋଇଲେ ଆଈ ଯାହା କଲ ଇଚ୍ଛା
ସେ ସକଳ ସିଦ୍ଧ ହେଉ ପୂର୍ଣ୍ଣ ହେଉ ବାଞ୍ଛା
ଆବର ଗର୍ଭରୁ ଅଷ୍ଟ ପୁତ୍ର କର ଜାତ
ଯଦୁବଂଶ ଠାକୁରାଣୀ ତୁମ୍ଭେ ବୃଦ୍ଧମାତ
ବସୁଦେବ ଉଗ୍ରସେନ ମାତା ଇନ୍ଦୁମତୀ
ଏହାଙ୍କ ଅର୍ଜିତ ଏହି ସମଗ୍ର ବିଭୂତି
ଏ ସମ୍ପଦ ପାଇବାକୁ ନରଦେହ ବହି
ଖୋଜିଲେ ଜଗତ ମଧ୍ୟେ ଜଣେ ଦିଶୁନାହିଁ
ମୋ ମାତାର ଷଡ଼ପୁତ୍ର ମରିଛନ୍ତି ଯୋଗେ
ତାହାଙ୍କୁ ଜୀଆଇଁ ଆଣି ଦେବି ତୋର ଆଗେ
ତୋ ଗର୍ଭୁରୁ ଅଷ୍ଟପୁତ୍ର ହେବେ ନିଶ୍ଚେ ଜାତ
ମୁଁ ତାହା କରାଇ ଦେବି ଏ କଥା ନିୟତ
ଆବର ଏଣିକି ତୁମ୍ଭେ ନ କର ଗୋ ଭୟ
ପୃଥିବୀକି ଭାରା ହେଲା ତୋ କଂସ ତନୟ
ସେ ନାନା ଅନ୍ୟାୟ କଲା ନ ସହିଲା ମହୀ
ତା ଭୟେ ସ୍ୱର୍ଗରେ ଦେବ ନ ପାରିଲେ ରହି
ଆବର ମାରିବି ଖୋଜି ଅସୁରଙ୍କ ବଂଶ
ଅସୁରଙ୍କୁ ନ ମାଇଲେ ପୃଥ୍ୱୀ ନୋହେ ରକ୍ଷା
ଦେବକାର୍ଯ୍ୟ ହେବା ପାଇଁ କରିଅଛି କକ୍ଷା
ଇନ୍ଦୁମତୀ ବିଚାରିଲେ ଜାଣି କଥା ବାଗ
କଂସ ପୁତ୍ରଠାରେ କୃଷ୍ଣ ରଖିଛନ୍ତି ରାଗ
କେଶୀ ବେନି ପୁତ୍ର ଭଦ୍ରଅଙ୍ଗ ଅଂଶୁମାଳୀ
ଶକଟା ତନୟ ଦୁହେଁ ବୀର ବେଲାବଳୀ
କଙ୍କଣ କୁମୁଦ କାଳିନାଗ ସଉମିତ୍ର
ଏ ଚାରିହେଁ ଅଟନ୍ତି ଯେ ଷଣ୍ଢାସୁର ପୁତ୍ର
ପ୍ରତାପ ବଦନ ଦାବାନଳ ବେନିଭାଇ
ପୂତନାର ବେନି ପୁତ୍ର ଅଟନ୍ତି ଏ ଦୁଇ
ଦୃମନ ନାମରେ ଅଛି ଚାଣୂର ତନୟ
ମହାସୁର ବୋଲି ନାମ ମୁଷ୍ଟିକର ପୁଅ
ଏ ଚଉଦ ଜଣ ଯାକ ଏକୁ ଏକ ଦୁଷ୍ଟ
ଶ୍ରୀକୃଷ୍ଣ ହସ୍ତରେ ନିଶ୍ଚେଁ ହେବେ ପ୍ରାଣଭ୍ରଷ୍ଟ
ହଂସ ଡ଼ିମ୍ୱ ନାମେ ଛନ୍ତି କଂସ ବେନି ପୁତ୍ର
ଏମାନେ ନୁହନ୍ତି କେହି କୃଷ୍ଣଙ୍କର ମିତ୍ର
ଏ ସମସ୍ତେ ଆଡ଼ ହୋଇ ଏକସ୍ଥାନେ ମିଳି
ରାମକୃଷ୍ଣ ଦ୍ରୋହ ଚିନ୍ତି କରୁଛନ୍ତି ମେଳି
ବୀଜ ଅନୁକ୍ରମେ ଦୁଷ୍ଟ ପ୍ରକୃତିରେ ଜନ୍ମ
ବିଧାତା ଜାଣଇ ଯାର ଅଛି ଯେଉଁ କର୍ମ
ଏତେ ଭାଳି ଇନ୍ଦୁମତୀ ମନେ ଲଭି ଶାନ୍ତି
କୃଷ୍ଣଙ୍କୁ ବୋଇଲେ ବାବୁ ଗଲା ମୋର ଭ୍ରାନ୍ତି
ଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ବଜ୍ରସେହ୍ନା
ତୁମ୍ଭେ ଯାହା ଭିଆଇଛ ତୁମ୍ଭେ ଜାଣ ସିନା
ଏତିକି ମାଗୁଛି ମାତ୍ର ଦେବ ମୋତେ ହରି
ସୁନାସ ପୁତ୍ରଟି ଥିବ ତୁମ୍ଭ ସେବା କରି
ସକଳ ଅପ୍ରାଧ କ୍ଷମା କରିବ ଏହାର
ଏ ତୁମ୍ଭ ମଉଳା ପୁତ୍ର ଅଟେ ସହୋଦର
ଏତେ ବୋଲି ଇନ୍ଦୁମତୀ ବହୁ ସ୍ତୁତି କଲେ
ସୁନାସ ପୁତ୍ରକୁ ଧରି କୃଷ୍ଣେ ସମର୍ପିଲେ
ବାବୁ ଏ କୁମର ଗୋଟି ତୁମ୍ଭ ସଙ୍ଗେ ଯାଉ
ଦାସପଣେ ସେବାକରି ପାଦେ ଖଟିଥାଉ
ଆପଣା ଉଚ୍ଛିଷ୍ଟ ଯେବେ ନିଜ ହସ୍ତେ ପୋଛି
ପୁରୁଷଙ୍କ ଆୟୁ ତୁଟେ ଶାସ୍ତ୍ରେ ଲେଖିଅଛି
ଶ୍ରୀମନ୍ତ ପୁରୁଷ ତୁମ୍ଭେ ଲକ୍ଷ୍ମୀଦେବୀ ସାଇଁ
ତୁମ୍ଭେ ଯହିଁ ଥିବ କିସ ନ ମିଳବ ତହିଁ
ବୁଦ୍ଧିମନ୍ତ ବଳବନ୍ତ ଭାଗ୍ୟବନ୍ତ ଲୋକ
ବଡୁ ବଡ଼ ପୃଥିବୀରେ ଅଛନ୍ତି ଅନେକ
ସବୁଠାରୁ ଉତ୍ତମ ଯେ ଶ୍ରୀମନ୍ତ ପରାଣୀ
ଶ୍ରୀମନ୍ତ ଶ୍ରୀମନ୍ତ ପରେ ତୁମ୍ଭେ ଚକ୍ରପାଣି
ବିଦ୍ୟା ପଢ଼ି ଯାଅ ବାବୁ ନାହିଁ କିଛି ଭୀତି
ଏସନକ ଆଜ୍ଞା ଦେଲେ ତୋଷେ ଇନ୍ଦୁମତୀ
ସମସ୍ତଙ୍କ ମୁଖଚାହିଁ କୃଷ୍ଣ ଆଗେ ବଢ଼ି
ବୁଝାଇ କହନ୍ତି ଆମ୍ଭେ ଯାଉଅଛୁ ପଢ଼ି
କହୁ କହୁ ଲେଉଟିବୁ ସବୁ ବିଦ୍ୟା ଶିଖି
ନୋହିଲେ ଗୁରୁଙ୍କୁ ଡାକି ଆଣି ମୁଁ ଏଥିକି
ଆମ୍ଭର ନ ଗଲେ ଗୁରୁ ଗୌରବ ନ ପାନ୍ତି
କୃଷ୍ଣଙ୍କ ବଚନ ଶୁଣି ସର୍ବେ ହେଲେ ଶାନ୍ତି
ଅଶେଷ ଜଗତ ଯାର ମାୟା ମୋହ ଭ୍ରମ
ଯେଉଁ ପ୍ରଭୁ ସର୍ଜିଛନ୍ତି ଶୁଭାଶୁଭ କର୍ମ
ତାହାଙ୍କ ବଚନ ଭାଙ୍ଗି କେ କରିବ ନାହିଁ
ମାୟାଧର ପୁରୁଷ ସେ ସବୁ ଅଛି ମୋହି
କହିବା ଭଙ୍ଗିରେ କୃଷ୍ଣ ମନ ମୋହି ନେଲେ
ଯାଦବେ ସନ୍ତୋଷ ହୋଇ ମଉନେ ରହିଲେ
ମକର ମାସ ପୂର୍ଣ୍ଣମୀ ଚନ୍ଦ୍ରନାମେ ବାର
ମଘା ନାମେ ନକ୍ଷତ୍ର ଯେ ଅଟେ ସେ ଦିନର
ଶୁଭ ନାମେ ଯୋଗ ପୁଣି ସିଂହେ ଚନ୍ଦ୍ର ଅଛି
ତୁଳା ଲଗ୍ନେ ଅନୁକୂଳ କଲେ ଶିରୀବତ୍ସି
ମାତା ପିତା ଗୁରୁଜନ ପାଦରେ ନମିଲେ
ଯାଦବଙ୍କୁ ତିଆରି ତା ପୁରେ ରୁହାଇଲେ
କହଇ ଅଚ୍ୟୁତ ଦାସ ହରିବଂଶ ବାଣୀ
ସଂସାର ସାଗରୁ ତର ସାଧୁଜନେ ଶୁଣି

ଶୁକ ବୋଇଲେ ହେ ଶୁଣ ଅଭିମନ୍ୟୁବାଳ
ନାରଦଙ୍କ ଆଦେଶରେ କୃଷ୍ଣ କାମପାଳ
ପାଠ ପଢ଼ିବାକୁ ମନେ ଉତ୍ସାହିତ ହୋଇ
ଅନୁକୂଳ କଲେ ଦୁହେଁ ସମସ୍ତଙ୍କୁ କହି
ଆଗେ ଯାନ୍ତି ବଳଭଦ୍ର ପଛେ ଚକ୍ରଧର
ଶୁଭଲଗ୍ନ ବେଳ ନଗ୍ରୁ ହୋଇଲେ ବାହାର
ସୁନାସ ନନ୍ଦନ ଉଗ୍ରସେନ ରାଜାନାତି
ଗୋଡ଼ାଇଲା ରାମକୃଷ୍ଣ ସଙ୍ଗେ ପଛକତି
ନଗ୍ରରୁ ବାହାର ହୋଇ ଗଲେ ତିନିଜଣ
ଶ୍ରୀପୟରେ ଚାଲିଯାନ୍ତି କୃଷ୍ଣ ସଙ୍କର୍ଷଣ
ଯମୁନାର କୂଳେ କୂଳେ ଥୋକେ ଦୂର ମାଡ଼ି
ସେଠାକୁ ନୈର୍ଋତେ ଗଲେ ପଶ୍ଚିମକୁ ଛାଡ଼ି
ଅନେକ ବନ କନ୍ଦର ଲତା ଶାଳ ଶିଳ
ଫଳଭରେ ତରୁଙ୍କର ଲୋଟୁଅଛି ଡାଳ
ହରିଣ ବାହୁଟି ସିଂହ ଶାର୍ଦ୍ଦୂଳ ଯେ ହସ୍ତୀ
ଗୋଧିକା ନେପାଳ ମୂଷା କପି ନାନାଜାତି
ବାଘ ଭାଲୁ ଗଣ୍ଡା ମୃଗ ବରାହ ସହିତେ
ଅଗମ୍ୟ ବନରେ ଚରି ବିହରନ୍ତି କେତେ
ତେନ୍ତୁଳି ପଣସ ଆମ୍ୱ କପିତ୍‌ଥ ଜମ୍ୱିଳ
ଗମ୍ଭାରୀ ପାଟଳୀ କେନ୍ଦୁ ଶାଳ ନାଗେଶ୍ୱର
ଗୁଗ୍‌ଗୁଳ ଚନ୍ଦନ ତାଳ ବେତ୍ର ରାମଗୁଆ
ସଲପ ଭଇଞ୍ଚ ନିମ୍ୱ କ୍ଷୀର ପାଳଧୂଆ
ହରିଡ଼ା ବାହାଡ଼ା ଅଁଳା ଜେଉଟ ସରଳ
କଞ୍ଚନ ପଲାଶ ନୀପ ମହୁଲ ବକୁଳ
ଖଦିର ଧାତୁକୀ ବେଲ ଜାମୁ ଗଣ୍ଠିଅନା
ମରିଚ ଲବଙ୍ଗ ଲତା ତରୁ ଅକଳନା
ଫଳପୁଷ୍ପେ ମଣ୍ଡିହୋଇ ଦିଶୁଛନ୍ତି ଶୋଭା
ତିନିଭାଇ ଚାଲିଗଲେ ଦେଖି ବନ ପ୍ରଭା
ଏ ପ୍ରକାରେ ଦୁଇ ଶତ ଯୋଜନ ସେ ଗଲେ
ଆଦିତ୍ୟ ଅସ୍ତେ ଗହନ ବନରେ ରହିଲେ
ତ୍ରାସବେଦୀ ନାମେ ନଦୀ ଯାଉଅଛି ବହି
ରାନ୍ଧିଣ ଅନ୍ନ ଭୁଞ୍ଜିଲେ ନଦୀକୂଳେ ରହି
ଖଣ୍ଡେ ଦୂରେ ଗ୍ରାମ ଥିଲା ଯାଇ ରାତ୍ରକାଳେ
ନିଶିରେ ଶୟନ କଲେ ଦେବତାଙ୍କ ଆଳେ
ଶିବାଳୟେ ଶଙ୍ଖ ଶୁଭେ ପ୍ରଭାତ ହୁଅନ୍ତେ
ଜାଣିଲା ଲୋକଙ୍କୁ ପୁଚ୍ଛି ଚଳିଗଲେ ପଥେ
ଥୋକେ ଦୂର ଯାଇ ପୁଣି ନିତ୍ୟକର୍ମ ସାରି
ସୁପନ୍ଥାରେ ତିନିଭାଇ ଗଲେ ଶୀଘ୍ର କରି
ଥୋକେ ଦୂର ଯାଇ କୋଳାହଳ ବନଲାଗେ
ଦେଖିଲେ ଆସନ୍ତି ବିଶ୍ୱାମିତ୍ର ମୁନି ଆଗେ
ଖଣ୍ଡେଦୂରୁ ମୁନି ଦେଖି ରାମ କୃଷ୍ଣ ମୁଖ
ଭାବିଲେ ଖଣ୍ଡିଲି ଆଜି ଜନ୍ମ ମୃତ୍ୟୁ ଦୁଃଖ
ଜଗଦ୍‌ବନ୍ଦନ ନାଥ ଏ ଦେବ ଦେବରାଜା
ଯା ପାଦେ କରନ୍ତି ହର ବ୍ରହ୍ମା ଇନ୍ଦ୍ରପୂଜା
ଅନନ୍ତ କୋଟି ବ୍ରହ୍ମାଣ୍ଡେ ଅଟନ୍ତି କାରେଣି
ଦେବଙ୍କ ଉପରେ ଦେବ ଏହି ଚକ୍ରପାଣି
କଉତୁକେ ଜନ୍ମିଛନ୍ତି ନରତନୁ ବହି
ଆଜ ଦେଖି ନିସ୍ତରିଲି ଧନ୍ୟ ମୋ ଜୀବନ
ଏତେ ପାଞ୍ଚୁ ଭେଟ ହେଲେ ଆସି ଭଗବାନ
ମୁନିଙ୍କ ମୁଖକୁ ଚାହିଁ କୃଷ୍ଣ ବଳରାମ
କରଯୋଡ଼ି ହରଷରେ କରନ୍ତି ପ୍ରଣାମ
ପୁଣି ସୁକୋମଳ ବାକ୍ୟେ କଲେ ନାନା ସ୍ତୁତି
ପରମ ସନ୍ତୋଷ ହେଲେ ଶୁଣି ମହାଯତି
ମୁନି ପଚାରିଲେ ବାବୁ କେଣିକି ଗମନ
ଶ୍ରୀକୃଷ୍ଣ ବୋଇଲେ ବିଦ୍ୟା କରିବୁ ପଠନ
ଅବନ୍ତୀ ନଗରେ ସାନ୍ଦୀପନି ପଣ୍ଡାଘର
ଦୁର୍ଗମ ଅରଣ୍ୟ ଲଘିଂ ଯିବୁ ବହୁଦୂର
ମୁନି ବୋଇଲେ କହିବା ଶୁଣ ଦେବରାୟ
ଆଦିମୂଳ ପୁରୁଷ ତୁ ଅଟୁ ବିଶ୍ୱମୟ
ତୁମ୍ଭ ଦେହେ ପୂର୍ଣ୍ଣ ହୋଇ ସବୁ ବିଦ୍ୟାଅଛି
କିପାଁ ଶ୍ରମେ ଏତେ ଦୂର ଯିବ ନନ୍ଦବତ୍ସି
ତୁମ୍ଭେ ଭକ୍ତପ୍ରାଣବନ୍ଧୁ ବାଞ୍ଛାଗୁଣନିଧି
ବିନାଭ୍ୟାସେ ସବୁ ବିଦ୍ୟା କରିପାର ସିଦ୍ଧି
ଯଦ୍ୟପି ଶରଧା ତୁମ୍ଭେ କଲ ଭଗବାନ
ସାନ୍ଦୀପନି ପଣ୍ଡାଙ୍କର ଜନ୍ମ ହେଲା ଧନ୍ୟ
ଆଜିଠାରୁ ଗଲା ତାଙ୍କୁ ଜନ୍ମମୃତ୍ୟୁ ଭୀତି
ସୁଗତି ଲୋକେ ଗଣିତା ହୋଇଲେ ଏଘାନ୍ତି
ଏତେ ବୋଲି ମୁନିବର ସୁକଲ୍ୟାଣ କଲେ
ରାମକୃଷ୍ଣ ଶିରେ ଟେକି ଦୁର୍ବାକ୍ଷତ ଦେଲେ
ଶାଳଗ୍ରାମ ପାଦୋଦକ ଦେଇ ମୁନୀଶ୍ୱର
ବୋଇଲେ ଭୋ ରାମକୃଷ୍ଣ ବାଞ୍ଛା ସିଦ୍ଧକର
ବେଦବ୍ୟାସ ମହାମୁନି ଅଛନ୍ତି ନିକଟେ
ଥୋକେଦୂରେ ଭେଟ ହେବ ଯାଇ ତାଙ୍କ ମଠେ
ଏତେ ବୋଲି ଚଳିଗଲେ ବିଶ୍ୱାମିତ୍ର ମୁନି
ପଥେ ଗଲେ ରାମକୃଷ୍ଣ ସୁରଥ ଏ ତିନି
ଚୁଡ଼ଙ୍ଗ ଦେଶେ ପ୍ରବେଶ ବେଳ ସାତଘଡ଼ି
ଗଣ୍ଡୁକୀ ତୀରରେ ଗଲେ ଥୋକେ ଦୂର ମାଡ଼ି
ଚନ୍ଦ୍ରକୂଟ ବୋଲି ଏକ ପର୍ବତ ଆରମ୍ଭ
ପଚିଶ ଯୋଜନ ଉଚ୍ଚ ଶତେ ଯୂଣ ଲମ୍ୱ
ସେଠାରେ ଚୁଡ଼ଙ୍ଗ ସୀମା ହୋଇଅଛି ଶେଷ
ଦକ୍ଷିଣ ମାର୍ଗରେ ଚଳିଗଲେ ହୃଷୀକେଶ
ବିସ୍ତାର ଗହ୍ୱର ବନ ଲତା ଶାଳ ଶିଳ
ଆକାଶ ମଣ୍ଡଳେ ଘୋଟି ପୂରିଅଛି ଡାଳ
ସୂର୍ଯ୍ୟତେଜ ନ ଲାଗଇ ଚାଲିଯାନ୍ତେ ପଥ
ବୁଲନ୍ତି ବନରେ ବନ୍ୟ ଜୀବେ ଯୂଥ ଯୂଥ
ଧାଡ଼ି ଧାଡ଼ି ରେଖ ରେଖ ଶାଳ ଶିଳପନ୍ତି
ଫଳପୁଷ୍ପେ ତରୁଲତା ଶୋଭିତ ଦିଶନ୍ତି
ତିନିଭାଇ ବନେ ଚାଲି ଯାଇ ଅତି ଖରେ
ଅଠର ଦଣ୍ଡେ ମିଳିଲେ ବ୍ରହ୍ମନଦୀ ତୀରେ
ସେ ନଦୀର ତୀରେ ବ୍ରହ୍ମ ପର୍ବତ ସୁସଞ୍ଚ
ଶତେକ ଯୋଜନ ଲମ୍ୱ ଦଶ ଯୁଣ ଉଚ୍ଚ
ସେ ପର୍ବତ ପୂର୍ବଭାଗେ ଏକ ନଗ୍ର ଅଛି
ରଘୁରାମ ପାଟଣା ସେ ନାମ ବୋଲାଉଛି
ଗ୍ରାମସୀମା ଆୟତନ ପାଞ୍ଚ କ୍ରୋଶ ମାଡ଼ି
ବ୍ରହ୍ମପୁତ୍ର ନଦୀଠାରୁ ଖଣ୍ଡେ ଦୂର ଛାଡ଼ି
ବେନିଲକ୍ଷ ଘର ତହିଁ ଶ୍ରୋତ୍ରିୟ ଦ୍ୱିଜାତି
ପୂର୍ବେ ତାଙ୍କୁ ସ୍ଥାପିଥିଲେ ରାମ ନରପତି
ଛତିଶ ପାଟକ ନାନା ବର୍ଣ୍ଣ ନାନାଜାତି
ନଗରକୁ ବେଢ଼ି ରହିଛନ୍ତି ଚଉକତି
ଅନେକ ଦେଉଳ ମେଢ଼ ମଣ୍ଡପ ଅଟ୍ଟାଳୀ
ଅନ୍ନସତ୍ର ଜଳସତ୍ର ବସା ଚାଟଶାଳୀ
ରାମେଶ୍ୱର ବୋଲି ତହିଁ ଛନ୍ତି ଏକ ଲିଙ୍ଗ
ଅଟ୍ଟାଳୀ ନାଟ୍ୟମନ୍ଦିର ଦେଖନ୍ତି ଶ୍ରୀରଙ୍ଗ
ନଦୀ ପାର ହୋଇ ତହୁଁ ଗଲେ ଅତି ବେଗେ
ତିନି ପ୍ରହରେ ମିଳିଲେ ଚିତ୍ରୋତ୍ପଳା ଲାଗେ
ଯଯାତି କଟକ ନାମେ ନଗ୍ର ଶାଳଭୂମି
ଭୂଭୈରବୀ ନଦୀ ବହେ ଉତ୍ତର ଗାମିନୀ
ପାଞ୍ଚକ୍ରୋଶ ଆୟତନ ସେ କଟକ ଗୋଟି
ଦକ୍ଷିଣ ପୂର୍ବ ଭାଗରେ ନଦୀ ଅଛି ଗୋଟି
ଅଷ୍ଟଚଣ୍ଡୀ ଅଷ୍ଟଶମ୍ଭୁ ସେ ନଦୀର କୂଳେ
ପଙ୍କ ନାହିଁ ନଦୀ ପୂର୍ଣ୍ଣ ନିର୍ମଳ ସଲିଳେ
ଐରାବତ ନାମେ ହସ୍ତୀ ଇନ୍ଦ୍ରଙ୍କର ପାଟ
ପାଦେ ମାଡ଼ି ସେ କଟକ ସଞ୍ଚିଲା ମୁରାଟ
ସେଠାରୁ ପଶ୍ଚିମ ମୁଖେ ଯାଇ ବହୁଦୂରେ
ତିନିପ୍ରହର ମିଳିଲେ ରେଣୁକା ନଗରେ
ଗନ୍ଧମାଦନ ପର୍ବତ ଉପତ୍ୟକା ଭାଗେ
ଅନେକ ଦୂର ଗମିଲେ ନଇର୍ଋତେ ମାର୍ଗେ
ଗୋଦାବରୀ କୃଷ୍ଣବେଣୀ ନଦୀଗଲେ ଜିଣି
କନାଉଜ ପାଟଣାରେ ମିଳି ଚକ୍ରପାଣି
ଶୀତଳ ମଣୋହି ସଞ୍ଚା ସୁରଥ ଆଣିଲେ
ଏକାବେଳେ ତିନିଭାଇ ମଣୋହି ସାରିଲେ
ଦେବାଳୟେ ନିଦ୍ରା ଯାଇ ବଞ୍ଚି ସେ ରଜନୀ
ପ୍ରଭାତରେ ଚଳିଗଲେ ଶଙ୍ଖଧ୍ୱନି ଶୁଣି
କିଛି ଦୂର ପଥ ଲଘିଂ ନଦୀକୂଳେ କୂଳେ
ନିତ୍ୟକର୍ମ ବଢ଼ାଇଲେ ମହେନ୍ଦ୍ର ଶଇଳେ
ଯୋଗବଳେ ଜାଣିପାରି ବ୍ୟାସ ମହାମୁନି
ବିଚାରିଲେ ଆସୁଛନ୍ତି ରାମ କୃଷ୍ଣ ବେନି
ସାନ୍ଦୀପନି ପଣ୍ଡାପୁରେ ଯାଉଛନ୍ତି ପଢ଼ି
ଅବଶ୍ୟ ରଖିବା ତାଙ୍କୁ ନ ଦେବାକ ଛାଡ଼ି
ଏପରି ସୁଯୋଗ ଆଉ ନ ପାଇବା କାହିଁ
ମଣୋହି କରିବେ ଦୁହେଁ ଆମ୍ଭ ମଠେ ରହି
ଏତେ କହି ବ୍ୟାସଦେବ ପାଛୋଟି ଅଇଲେ
ଜଗନାଥଙ୍କୁ ଆଜ ଦେଖିବା ବୋଇଲେ
ପଞ୍ଚାଣୋଇ ସସ୍ର ଶିଷ୍ୟ ଆସି ତାଙ୍କ ପଛେ
ଖଣ୍ଡେଦୂର ଚାରିଆଡ଼େ ଚାହିଁ ଋଷିବତ୍ସେ
ଆଗରେ ଦେଖିଲେ ରାମ କୃଷ୍ଣ ଭାଇ ବେନି
ଆସୁଛନ୍ତି ସୁରଥକୁ ସଙ୍ଗତରେ ଘେନି
ନିସ୍ତରିଲି ନିସ୍ତରିଲି ବୋଲି ବେଦବ୍ୟାସ
ଗଦ ଗଦ ସ୍ୱରେ କହି ହୋଇଲେ ହରଷ
ଏମନ୍ତ ସମୟେ ଆସି ନନ୍ଦ ବେନି ଚାଟ
ବ୍ୟାସମୁନି ଅଗ୍ରତରେ ହେଲେ ଏକ ଯୋଟ
ବ୍ୟାସଙ୍କୁ ଦେଖିଣ ଦୂରୁ ଶିରେ କର ଦେଇ
ଶୁତିରେ ଚରଣ ତଳେ ରାମ କୃଷ୍ଣ ଦୁଇ
ଆନନ୍ଦରେ ବ୍ୟାସଦେବ କୃତକୃତ୍ୟ ହେଲେ
ବେନିହସ୍ତ ଧରି ବେନି ଭାଇଙ୍କି ତୋଳିଲେ
ମୁଖରେ ଚୁମ୍ୱନ ଦେଇ ଶିର ଆଉଁଷନ୍ତି
ନାନାସ୍ତୁତି ବଚନରେ ବନ୍ଦନ କରନ୍ତି
ପଞ୍ଚାଣୋଇ ସସ୍ର ଶିଷ୍ୟ ବ୍ୟାସ ସଙ୍ଗେ ଥିଲେ
ସର୍ବ ରାମକୃଷ୍ଣଙ୍କର ମଙ୍ଗଳ ପାଞ୍ଚିଲେ
ଋକ ଯଜୁ ସାମ ବେଦ ଉଚ୍ଚାରି ମୁଖରେ
ବୃହତ୍ସାମ ଗାନ କଲେ ସର୍ବେ ଏକସ୍ୱରେ
ଅକ୍ଷତ ବଦରୀ ଦଳ ପୁଷ୍ପ ଦୁର୍ବା ଘେନି
ଆଶିଷ ଦିଅନ୍ତି ଶିରେ ବ୍ୟାସ ମହାମୁନି
ହରଷରେ ଗଦ ଗଦ ତନୁ ଲୋମାଞ୍ଚିତ
ରାମ କୃଷ୍ଣ ମୁଖ ଚାହିଁ ସତ୍ୟବତୀ ସୁତ
ବୋଲନ୍ତି ଆମ୍ଭର ବାକ୍ୟ ଶୁଣ ଦେବରାଜ
ବିଶ୍ରାମ କରିବ ଆମ୍ଭ ମଠେ ତୁମ୍ଭେ ଆଜ
ପବିତ୍ର ହୋଇବୁ ଆମ୍ଭେ ଅଛୁ ଯେତେ ଋଷି
ଶୁଣିଣ ସନ୍ତୋଷ ମନେ ପ୍ରଭୁ ବ୍ରହ୍ମରାଶି
ବୋଇଲେ ଭୋ ମୁନି ତୁମ୍ଭେ ନାରାୟଣ ରୂପୀ
କେ ତୁମ୍ଭ ବଚନ ଲଘିଂ ପାରିବ ଅଦ୍ୟାପି
ରହିବୁ ତୁମ୍ଭର ମଠେ ସୁଖେ ଭୁଞ୍ଜି ଅନ୍ନ
ଏଥିରେ ମଙ୍ଗଳ ଆଉ ଅଛଇ କି ଆନ
ଏତେ କହି ମୁନିଗଣ ସଙ୍ଗେ ଦେବରାଜେ
ବ୍ୟାସଋଷି ଆଶ୍ରମରେ ଯାଇ କଲେ ବିଜେ
ହରଷରେ ବେଦବ୍ୟାସ ମଣ୍ଡିଲେ ଆଶ୍ରମ
ମନ୍ଦିର ଲିପିଣ ଝୋଟି ଦେଇ କଲେ କମ
କାମଧେନୁ ସାହା ଅଛି ଯେବଣ ବ୍ୟାସଙ୍କୁ
ମନ କଲେ କେଉଁ କଥା ଅପୂର୍ବ ତାହାଙ୍କୁ
ତତକ୍ଷଣେ ବିଚାରିଲେ ମନେ ଯେତେ ଦ୍ରବ୍ୟ
ସେ ଦ୍ରବ୍ୟ ଆଶ୍ରମେ ଆସି ଠୁଳ ହେଲା ସର୍ବ
ବ୍ରହ୍ମଋଷି ଆଶ୍ରମରେ ବିଜେ ଲକ୍ଷ୍ମୀପତି
ସେଠାରେ ଅପୂର୍ବ ନୁହେ କୋଟି ଇନ୍ଦ୍ରଭୂତି
ପରୀକ୍ଷ ନୃପତି ଆଗେ ଶୁକ ମହାମୁନି
କହନ୍ତି ଶ୍ରୀ ଭାଗବତ ପୁଣ୍ୟମୟ ଧ୍ୱନି
କ୍ଷଣ କ୍ଷଣକରେ ଯାହା କରିବେ ଶ୍ରୀହରି
ଅସଂକ୍ଷେପ ମାୟା ତାହା କେବା କହିପାରି
ଚୋଳ କରି ବାହିଲେ କି ସାତ ସିନ୍ଧୁ ଶୁଖେ
ବରପତ୍ରେ ଢ଼ାଙ୍କିଲେ କି ସୂର୍ଯ୍ୟ ତାପ ରଖେ
ପଦେ ମାପି ବ୍ରହ୍ମାଣ୍ଡକୁ କେ ପାରଇ କଳି
ପିମ୍ପୁଡ଼ି କି ପରାକ୍ରମେ ଗିରି ପାରେ ତୋଳି
ଲେଖନ୍ତି କହନ୍ତେ ଆଦି ଅନ୍ତ ନ ମିଳଇ
ଚାରିବେଦ ଷଡ଼ଶାସ୍ତ୍ର ପୂରିଅଛି ଯହିଁ
ଅଷ୍ଟାଦଶ ପୁରାଣର ସାଙ୍ଗତା ଯହିଁରେ
କହି ନ ପାରିବେ ବ୍ରହ୍ମା ଚାରି ବଦନରେ
ସହସ୍ର ମୁଖେ ବାସୁକୀ ପୃଥ୍ୱୀ ବହିଛନ୍ତି
ତାଙ୍କଠାରୁ ଜ୍ଞାନୀ ଆଉ ଜଗତେ ନାହାନ୍ତି
କାଳାନ୍ତକ ଯୁଗାନ୍ତକ ହୋଇ ସେ ପୁରୁଷ
କହି ଶେଷ ନ କରିବେ ଯେଉଁ ହରିବଂଶ
ମାନବ ଶରୀର ବହି କେ କହିବ ତାହା
କେବଳ ଶାରଦା ମୋତେ ହୋଇଛନ୍ତି ସାହା
ସେ ଦେବୀ ମୋ କଣ୍ଠ ମଧ୍ୟେ ବସିଛନ୍ତି ଆସି
ଗୋବିନ୍ଦ କହନ୍ତି ମୋର ହୃଦୟରେ ପଶି
ନ ପଢ଼ିଲି ବ୍ୟାକରଣ ନ ଜାଣିଲି କିଛି
ଛଳ ଛଦ୍ମ ଅହଙ୍କାରେ ଶରୀର ଜଡ଼ିଛି
ଅନିତ୍ୟ ସଂସାର ମାୟା ମୋହ ଏ ଯାତନା
ବ୍ରହ୍ମା ରୁଦ୍ର ଇନ୍ଦ୍ର ଏଥେଁ ହେଉଛନ୍ତି ବଣା
ରକ୍ତ ମାଂସରେ ନିର୍ମିତ ହୋଇଛି ଏ କାୟା
କ୍ଷଣକରେ ନାଶଯିବ ଜଳବିମ୍ୱ ପ୍ରାୟ
କହୁ କହୁ ଏ ପିଣ୍ଡରୁ ପ୍ରାଣ ଯିବ ଛାଡ଼ି
କଞ୍ଚା ମାଟି ମେଞ୍ଚା ପ୍ରାୟ ଶବ ଥିବ ପଡ଼ି
ବନ୍ଧୁ ସହୋଦର ପୁତ୍ର ଭାରିଯା ସ୍ୱଜନ
ବାଡ଼ିବୃତ୍ତି ଦାସ ଦାସୀ ରତନ କାଞ୍ଚନ
ଛନ୍ଦମନ୍ଦ କରି ଅର୍ଜିଥିବ ଦୁଃଖେ ପଡ଼ି
କ୍ଷଣକରେ ଚାଲିଯିବେ ଏ ସକଳ ଛାଡ଼ି
ପ୍ରାଣ ଥିବାଯାଏ ସର୍ବେ ହୋଇଥାନ୍ତି ସଖା
ଜୀବନ ଗଲେ ନୁହନ୍ତି କେ କାହାର ଲେଖା
ଶୁଭାଶୁଭ କର୍ମ ଯେତେ ଅର୍ଜିଥାଏ ଅଙ୍ଗେ
ଯମ ପଥେ ଯିବାକାଳେ ସେହି ଥାନ୍ତି ସଙ୍ଗେ
ଏ ଜନ୍ମରେ ଅର୍ଜିଥିଲେ ସେ ଜନ୍ମରେ ଭୁଞ୍ଜି
ପାପ ପୁଣ୍ୟ ଲେଖି ଯମ କରିଥାଏ ପାଞ୍ଜି
ଜପ ତପ ବାର ବ୍ରତ ତୀର୍ଥ ମନ୍ତ୍ର ହୋମ
କ୍ଷୟା ଚତୁର୍ଦ୍ଦଶୀ ବ୍ରତ ଏକାଦଶୀ ଧର୍ମ
ଦାନ ଯଜ୍ଞ ଆଦି ଯେତେ ତୀର୍ଥ ପର୍ଯ୍ୟଟନ
ଏକା ହରିନାମ ସଙ୍ଗେ ନୁହନ୍ତି ସମାନ
ପ୍ରାଣ ପ୍ରୟାଣ ସମୟେ ହରିନାମ ସଖା
ଏ ସଂସାର ସାଗରକୁ ହରିନାମ ନୋକା
ମନ ବଚନରେ ହରିନାମ ସୁମରନ୍ତେ
ଭୁଞ୍ଜଇ ଅଚଳା ଲକ୍ଷ୍ମୀ ଚଳେ ସ୍ୱର୍ଗପଥେ
ଗୁଣବନ୍ତ ପୁଣ୍ୟବନ୍ତ ପ୍ରାଣୀ ଯେଉଁ ନରେ
ଦିନରାତି ହରିନାମ ସ୍ମରନ୍ତି ମନରେ
ପବିତ୍ର ଗଙ୍ଗାଜଳ ଏ କର୍ଣ୍ଣ ସୁଧାରସ
ହରିବଂଶ ପଢ଼ି ମୁଖେ ହରି ହରି ଘୋଷ
ଆପଣେ ସେ ପ୍ରଭୁ ମୋତେ କହିଦ୍ୟନ୍ତି ଯାହା
ସେ ବାଣୀ କର୍ଣ୍ଣରେ ଘେନି ଲେଖଇ ମୁଁ ତାହା
ଜନ୍ମରୁ ମୂରୁଖ ମୋର ନାହିଁ ବିଦ୍ୟାଗତି
ଜଳେ ଭଙ୍ଗା ନାବ ପ୍ରାୟ ଜାତ ହୁଏ ଭୀତି
ଶିରେ କରପତ୍ର ଯୋଡ଼ି ମାଗୁଅଛି ଏତେ
ସୁପଣ୍ଡିତେ ଉପହାସ ନ କରିବେ ମୋତେ
ଶ୍ରୀଜଗନ୍ନାଥଙ୍କ ପାଦେ ଲୁଳୁ ମୋର ମାଥ
ଅଚ୍ୟୁତ ଦାସ କବିକି ରଖ ନନ୍ଦସୁତ

ସାନ୍ଦୀପନି ପଣ୍ଡାଗୃହେ ରାମକୃଷ୍ଣଙ୍କର ପ୍ରବେଶ ଏବଂ ବିଦ୍ୟା ପଠନ[ସମ୍ପାଦନା]

ଶୁକ ବୋଲନ୍ତି ଯେ ଶୁଣ କୁରୁଚୂଡ଼ାମଣି
ବେଦବ୍ୟାସ ଆଶ୍ରମକୁ ଗଲେ ଚକ୍ରପାଣି
ସୁନାସା ପୁତ୍ର ସୁରଥ ଅଛି ତାଙ୍କ ସଙ୍ଗେ
ତିନିଭାଇ ମଢ଼ିଆରେ ବିଜେ କଲେ ରଙ୍ଗେ
ବିଶ୍ୱକୂଟ ମଢ଼ିଆ ସେ ମାୟାଧର ସ୍ଥାନ
ବେଦବ୍ୟାସଙ୍କ ଆଜ୍ଞାରେ ହୋଇଛି ଗୋପନ
ପର୍ଣ୍ଣଶାଳା ପ୍ରାୟେ ଦିଶେ ବାହାରେ ଚାହିଁଲେ
ସ୍ୱର୍ଗମୟ ଦେଖାଯାଏ ଭିତରକୁ ଗଲେ
ମନୋହର ଭୂମି ତାକୁ ପଟାନ୍ତର ନାହିଁ
ଅନେକ ବ୍ରାହ୍ମଣେ ମଠ କରିଛନ୍ତି ତହିଁ
ପଞ୍ଚାଣୋଇ ସହସ୍ର ଯେ ବ୍ୟାସଙ୍କର ଶିଷ୍ୟ
ଶତେ ବାଲଖିଲ୍ୟା ଛନ୍ତି ଏକ ଶିଷ୍ୟ ପାଶ
ଏକ ବାଳଖିଲ୍ୟା ପାଶେ ଶତେ ବିପ୍ର ଖଟି
ଏସନ ପ୍ରକାରେ ପୂର୍ଣ୍ଣ ସେ ଆଶ୍ରମ ଗୋଟି
ଯେତେ ଋଷି ମୁନି ବିପ୍ର ଆଶ୍ରମରେ ଥାନ୍ତି
ଯେଝା କର୍ମ କରିବାକୁ ସୁସ୍ଥେ ଠାବ ପାନ୍ତି
କୋଠରୀ ଗମ୍ଭୀରୀ ପିଣ୍ଡା ଦକ୍ଷିଣକୁ ମେଲା
ବିଶ୍ୱକର୍ମା ସଞ୍ଚିଅଛି ଏକୁ ଏକ ଭଲା
ତପୀଙ୍କର ବସ୍ତ୍ର ମାଳା ମେଖଳା ଏ ସର୍ବ
ଥୋଇବାକୁ ଅଛି ଯେଝା ଅନୁରୂପେ ଠାବ
ସମଦଣ୍ଡ ଘେନି ଶତେ ଇନ୍ଦ୍ର ଆସେ ଯେବେ
ସେ ଆଶ୍ରମ ମଧ୍ୟେ ଏକ କୋଣକେ ରହିବେ
ଏତେ ତେତେ ବୋଲି କହିବାକୁ ସଂଖ୍ୟା ନାହିଁ
ଯାହା ଲୋଡ଼ା କଲେ ତାହା ପୂରିଅଛି ତହିଁ
ନାନାଦି ବ୍ୟଞ୍ଜନ ଅନ୍ନ ଷଡ଼ରସ ବିଧି
କ୍ଷଣକରେ ଅଷ୍ଟ ଅଇଶ୍ୱର୍ଯ୍ୟ ହୁଏ ସିଦ୍ଧି
ଯତ୍ନକରି ମଣିରତ୍ନେ ମଣ୍ତିଛି ସେ ପୁର
ଦେବ ସିଂହାସନ କିବା ଅଳକା ନଗର
ହୋମଶାଳେ କାମଧେନୁ ଅଛଇ ପହୁଡ଼ି
ଦିବ୍ୟ ସୁକୋମଳ ଘାସ ମୁଖେ ଅଛି ପଡ଼ି
ରାମକୃଷ୍ଣ ଦୁହେଁ ଦେଖି ସନ୍ତୋଷ ହୋଇଲେ
ଧନ୍ୟ ବ୍ୟାସ ତପୋବନ୍ତ ବୋଲି ପ୍ରଶଂସିଲେ
କୃଷ୍ଣାଜିନ ପାତି ରତ୍ନ ସିଂହାସନ ପରେ
ରାମକୃଷ୍ଣ ଘେନି ବ୍ୟାସ ବସିଲେ ତହିଁରେ
ଏମନ୍ତ ସମୟେ ପାକ ସିଦ୍ଧ ହେଲା ସବୁ
ବ୍ୟାସେ ବୋଇଲେ ଭୁଞ୍ଜିବା ଚାଲ ଆଗ ବାବୁ
ଏତେ କହି ଧାତିକାରେ ଆସନୁ ଉଠିଲେ
ଆହ୍ନିକ ସାରି ମଣୋହି ଶାଳାରେ ବସିଲେ
ସୁପକ୍ୱ ଅନ୍ନ ବ୍ୟଞ୍ଜନ ଭୁଞ୍ଜି ତୋଷ ହୋଇ
ଦୋହରା ଅଗ୍ନିରେ ବ୍ୟାସଦେବ ବଳି ଦେଇ
ଉଠି ଆଚମନ ସାରି ଭୁଞ୍ଜିଲେ ତାମ୍ୱୁଳ
ବ୍ୟାସଙ୍କୁ ପୁଚ୍ଛିନ୍ତି କର ଯୋଡ଼ି କାମୁପାଳ
ଭୋ ମୁନି ଅପୂର୍ବ ଆମ୍ଭେ ମଣିଲୁ ଏ କଥା
ଆନକୁ ଗୋଚର ଏହା ନୁହଇ ସର୍ବଥା
ବାହାରକୁ ଦିଶୁଅଛି କୁଡ଼ିଆଟି ସାନ
ଭିତରେ ପଶିଲେ ଦିଶେ ସ୍ୱର୍ଗରେ ସମାନ
ରତ୍ନାକରପୁର ପ୍ରାୟେ ରତ୍ନ ତେଜ ଦିଶି
ଏକ କୋଣେ ତିନି ପୁର ଲୁଚିଯିବେ ପଶି
ବଡ଼ ଅସମ୍ଭବ କଥା ହୋଇଅଛି ଏହୁ
ଏତେ ଦ୍ରବ୍ୟ ସମ୍ପାଦନ କଲ ତୁମ୍ଭେ କାହୁଁ
ପଇଡ଼ ଶାକର ଖଜା ଖଣ୍ଡ ଇକ୍ଷୁ ପଣା
କଦଳୀ ଡାଳିମ୍ୱ ଏକୁ ଏକ ଜିଣା
ସିଂଘଡ଼ା ଶାଲୁକ ବେଣ୍ଟି ମୂଳା କନ୍ଦମୂଳ
କମଳା ନାରଙ୍ଗ ଟଭା ନାରିକେଳ ଫଳ
ଅଧାମ ଗୋଟିକା ସର ଲବଣୀ ଯେ ଛେନା
ସୁପକ୍ୱ ଅନ୍ନ ବ୍ୟଞ୍ଜନ ଷଡ଼ରସ ନାନା
ଅରଣ୍ୟ ନିବାସୀ ତୁମ୍ଭେ ଅଟ ତପୋଧନ
ଏଠାରେ ପାଇଲ ମୁନି କିରୂପେ ଏମାନ
ବ୍ୟାସ ବୋଇଲେ ଆପଣେ ଶ୍ରୀମନ୍ତ ପୁରୁଷ
ତୁମ୍ଭେ ଯହିଁ ଯିବ ତହିଁ ନ ମିଳିବ କିସ
ମୁଁ କି ଜଣାଇବି ତୁମ୍ଭେ ନ ଜାଣ କି ବାବୁ
ତୁମ୍ଭେ ପରା ମାୟାଧର ଭିଆଇଛ ସବୁ
ଏହି କାମଧେନୁ ଗୋଟି ଅଛି ମୋର କତି
କପିଳାଙ୍କ ଦୁହିତା ଏ ନାମ ବେଦବତୀ
ଏହାଙ୍କର କଲ୍ୟାଣରୁ ସଂସାର ପ୍ରକାଶ
ଏ ଗାଭୀ ପ୍ରସନ୍ନ ଥିଲେ ଅପୂର୍ବ ବା କିସ
ଏହାଙ୍କର ପ୍ରସାଦରୁ ସୃଷ୍ଟି ହୁଏ ଜାତ
ସମୟକେ ଏହି ପୁଣି କରନ୍ତି ନିପାତ
କପିଳାର ଏହିରୂପ ଚୌଷଠି ନନ୍ଦିନୀ
ବ୍ରହ୍ମ ପ୍ରଳୟେ ଏମାନେ ଥାନ୍ତି ଦେହ ଘେନି
ନନ୍ଦିନୀକେ ଜନମିଲେ ବାରଲକ୍ଷ ବତ୍ସା
ବତ୍ସାକେହି ଷଡ଼ଲକ୍ଷ ଉପୁଜିଲେ ଶାଖା
ଏହିରୂପେ କାମଧେନୁ ଗୋଲକରେ ଥାନ୍ତି
ତପସିଦ୍ଧ ହେଲେ ମୁନି ଏକ ଧେନୁ ପାନ୍ତି
ଆମ୍ଭେ ତପ ସିଦ୍ଧ ଯହୁଁ ହେଲା ନନ୍ଦବତ୍ସି
ତେଣୁ କାମଧେନୁ ଏକ ବତ୍ସା ଦେଲେ ଯାଚି
ଏ ଧେନୁଙ୍କ ମୁଖ ଚାହିଁ ବାଞ୍ଛେ ଯେଉଁ ଦ୍ରବ୍ୟ
ଏକ ନିଃଶ୍ୱାସକେ ତାହା ମିଳେ ଆସି ସର୍ବ
ନନ୍ଦିନୀ ପ୍ରସାଦେ ମୋର ନାହିଁ କିଛି ଚିନ୍ତା
ରାମ କୃଷ୍ଣ ଆଗେ ବ୍ୟାସ କହନ୍ତି ଏକଥା
ବଳରାମ ବୋଇଲେ ହେ ବ୍ୟାସ ତୁମ୍ଭେ ଧନ୍ୟ
ତପସିଦ୍ଧ କରି ଯେଣୁ ପାଇଲ ଏମାନ
ତୁମ୍ଭ ଯଜ୍ଞ ଅନ୍ନ ଭୁଞ୍ଜି ତୋଷ ହେଲୁ ଆଜ
ପାଇଲୁ ପରମ ଗତି ହେଲା ବହୁ କାର୍ଯ୍ୟ
ଏତେ କହି ଆଶ୍ରମରେ ସୁଖେ ଛନ୍ତି ବସି
ସେଠାରେ ମିଳିଲେ ଆସି ନାରଦ ମହର୍ଷି
ମନପବନ ଦଣ୍ଡକୁ ଆରୋହିଣ ବେଗେ
ପ୍ରବେଶ ହୋଇଲେ ଆସି ବ୍ୟାସଙ୍କର ଆଗେ
ନାରଦଙ୍କୁ ଦେଖି ବ୍ୟାସ କୁଶାସନ ତେଜି
ଉଠିଣ ପ୍ରଣାମ କଲେ ଆନନ୍ଦରେ ମଜ୍ଜି
ଋଷିପୁତ୍ର ବାଳଖିଲ୍ୟା ଯେତେ ତହିଁ ଥିଲେ
ନାରଦଙ୍କ ପାଦେ ସର୍ବେ ନମସ୍କାର କଲେ
କୃଷ୍ଣ କାମପାଳ ଆଉ ସୁନାସ କୁମର
ନାରଦଙ୍କ ପାଦତଳେ କଲେ ନମସ୍କାର
ସମସ୍ତଙ୍କୁ ସୁକଲ୍ୟାଣ କରି ତପଶୀଳ
କୃଷ୍ଣଙ୍କୁ ବୋଇଲେ ପାଅ ମନବାଞ୍ଛା ଫଳ
ଇନ୍ଦ୍ର ତାଙ୍କୁ ଯେଉଁ ମଣି ମନ୍ତ୍ର ଦେଇଥିଲେ
ସେ ପାଦୁକା ମଣିମନ୍ତ୍ର ଯତ୍ନେ ରଖିଥିଲେ
ରାମକୃଷ୍ଣ କରେ ତାହା ଦେଇ ମୁନୀଶ୍ୱର
ବୋଇଲେ ଯତନେ ରଖ ହଳୀ ଚକ୍ରଧର
ଏ ମଣି ପାଦୁକା ମନ୍ତ୍ର ଥିଲେ ତୁମ୍ଭଠାରେ
ଲକ୍ଷେକ ଯୋଜନ ଯିବ କ୍ଷଣକ ଭିତରେ
ମଣିଘେନି ମନ୍ତ୍ର ଯେବେ ସ୍ମରଣ କରିବ
ଅବନ୍ତୀପୁରକୁ ଅର୍ଦ୍ଧ ନିଃଶ୍ୱାସକେ ଯିବ
ଆବର କହୁଛି ଯାହା ଶୁଣ ନାରାୟଣ
ଏଥୁରୁ ପାଇବ ତୁମ୍ଭେ ବହୁତ କାରଣ
ଏତେ କହିଣ ନାରଦ ମଣି ମନ୍ତ୍ର ଦେଇ
ଶୂନ୍ୟେ ଗଲେ ମନଦଣ୍ଡେ ବସି ବିଦାହୋଇ
ମଣି ପାଇ କୃଷ୍ଣ ତହିଁ ପରମ ସନ୍ତୋଷ
ସେ ଦିନ ରହିଲେ ତହିଁ ରାତ୍ର ଯେ ଦିବସ
ପ୍ରଭାତେ ଚଳିଲେ ବ୍ୟାସ ମୁନି ଆଗେ କହି
ତିନିଭାଇ ଏକ ସଙ୍ଗ ଆଉ କେହି ନାହିଁ
ପାଦୁକା ମନ୍ତ୍ରକୁ ମନେ କରନ୍ତେ ସ୍ମରଣ
ଅବନ୍ତୀ ନଗରେ ଯାଇ ମିଳିଲେ ତକ୍ଷଣ
ଏକ ନଦୀ ବହୁଅଛି ନଗ୍ରୁ ଖଣ୍ଡେଦୂରେ
ନିତ୍ୟକର୍ମ ବଢ଼ାଇଲେ ସେ ନଦୀର ତୀରେ
ଗୋପାଳ ସ୍ୱରୂପ ଧରି ଆନନ୍ଦିତ ମନେ
ସେଠାରୁ ଚଳିଲେ ବେଳ ତିନି ଘଡ଼ିମାନେ
ଅବନ୍ତୀ ନଗରେ ମଧ୍ୟେ ପଶି ତିନି ଭାଇ
ଅନେକ ସାନନ୍ଦ ହେଲେ ବ୍ରାହ୍ମଣଙ୍କୁ ଚାହିଁ
ମେଢ଼ ମଣ୍ଡପ ଜଗତୀ ପୁଷ୍କରିଣୀ ତୋଟା
ବହୁତ କାଳରୁ ଅଛି ସେ ପାଟଣା ଗୋଟା
ଯେତେ ବ୍ରାହ୍ମଣ ତହିଁରେ କରିଛନ୍ତି ଘର
ବେଦମନ୍ତ୍ର ପୁରାଣରେ ସର୍ବେ ଧୁରନ୍ଧର
ହାଟୁଆ ବାଟୁଆ ବାଣିଜର ନାନା ଜାତି
ଗ୍ରାମକୁ ଆବୋରି ରହିଛନ୍ତି ଚଉକତି
ସେ ଅବନ୍ତୀ ନଗ୍ର ମଧ୍ୟେ ପଶି ଦେବରାୟେ
ସାମାନ୍ୟ ରୂପ ଧଇଲେ ଭିକ୍ଷୁକ ପରାୟେ
ବେଭାରେ କୋମଳ ଦେହ ନୂତନ ବୟସ
ବାଳକ ଚ୍ଛନ୍ଦରେ ପିନ୍ଧି ନୀଳ ପୀତବାସ
ହାତକେ ଚକଡ଼ା ଆର ହସ୍ତେ ଖଡ଼ିମୁଣ୍ଡା
କାଖରେ ଲେଖନ କଟିଦେଶେ ଇଟା ଗୁଣ୍ଡା
ଲୋକଙ୍କୁ ବାଟ ପଚାରି ଗଲେ ବେଗ ହୋଇ
ଚାଟ ଶାଳୀରେ ପ୍ରବେଶ ହେଲେ ତିନିଭାଇ
ଗୁରୁପାଦେ ନମସ୍କାର କରି ହେଲେ ଉଭା
ତାରାଗଣ ମଧ୍ୟେ ଯେହ୍ନେ ପୂର୍ଣ୍ଣଚନ୍ଦ୍ର ଶୋଭା
ସମସ୍ତ ଚାଟେ ଚାହାନ୍ତି ଏକଲୟ କରି
ଚାହିଁଲା ମାତ୍ରକେ ମନ ମୋହିନେଲେ ହରି
କେ ବୋଲଇ ବ୍ରହ୍ମା ବିଷ୍ଣଉ ମହେଶ୍ୱର ତିନି
କାଳରୂପେ ଆସିଛନ୍ତି ନରଦେହ ଘେନି
କି ଅବା ଏ ଇନ୍ଦ୍ର ଚନ୍ଦ୍ର ବରୁଣ ନୈର୍ଋତ
ପବନ କୁବେର ଅଗ୍ନି କିବା ଦିନନାଥ
କେବଣ ଦେବତା କୂଟେ ଧରିଛନ୍ତି ବପୁ
କି ଅବା ଏ କାମଦେବ ସଦାଶିବ ରିପୁ
ତିନିହେଁ ଦିଶନ୍ତି ନୀଳ ଧବଳ ଶ୍ୟାମଳ
ଧନ୍ୟ ଜନ୍ମ ତାର ଅଟେ ଏ ଯାହାର ବାଳ
ଏ ନଗ୍ର ଭିତରେ ୟାଙ୍କୁ ଦିନେ ଦେଖା ନାହିଁ
ଜଗମୋହନ ପୁରୁଷ ଗୁପ୍ତେ ଥିଲେ କାହିଁ
ଏ ଚାଟଶାଳୀର ଆଜି ବିକାଶିଲା ପୁଣ୍ୟ
ଏହାଙ୍କୁ ପଢ଼ାଇ ଗୁରୁ ବୋଲାଇବେ ଧନ୍ୟ
ଏସନ ବିଚାରି ଚାଟେ ଛାଡ଼ିଲେ ପଢ଼ିବା
କେବଳ ଦେଖନ୍ତି ନେତ୍ରେ ରାମକୃଷ୍ଣ ଶୋଭା
ନୀଳେନ୍ଦି ଦଳ ପରାୟେ ଦିଶେ ଦିବ୍ୟ ବପୁ
ବାଳଗୋପାଳ ରୂପକୁ ଧରି କଂସରିପୁ
ଗୁରୁ ଆଗେ କରଯୋଡ଼ି ଉଭାହେଲେ ଯହୁଁ
ଗୁରୁ ପଚାରିଲେ ବାବୁ ଆସିଅଛୁ କାହୁଁ
କି କାର୍ଯ୍ୟରେ ଆସିଅଛ କେଉଁଦେଶେ ଘର
କେ ତୁମ୍ଭର ପିତାମାତା କି ନାମ ତୁମ୍ଭର
ତିନିଙ୍କର ଏକରୂପ ସମାନ ବୟସ
କପଟ ନ ରଖି ବାବୁ କହ ଆମ୍ଭ ପାଶ
ଗୁରୁଙ୍କ ବଚନ ଶୁଣି ବୋଲନ୍ତି ଶ୍ରୀହରି
ମଥୁରା ନଗରେ ଘର ଅଟଇ ଆମ୍ଭରି
ଜାତିରେ କ୍ଷତ୍ରିୟ ଆମ୍ଭେ ବେନି ସହୋଦର
ଭାଇ ନାମ ବଳଭଦ୍ର କୃଷ୍ଣ ନାମ ମୋର
ଆମ୍ଭ ପିତାଙ୍କର ନାମ ଅଟେ ବସୁଦେବ
ଦେବକୀ ଗର୍ଭରୁ ଦୁହେଁ ହୋଇବୁ ସମ୍ଭବ
ଜନ୍ମକାଳୁ ପାଳିଥିଲେ ନନ୍ଦ ଯଶୋବନ୍ତୀ
ତେଣୁ ସେ ଆମ୍ଭର ପିତା ଜନନୀ ଅଟନ୍ତି
ଏ ଆମ୍ଭ ମଉଳା ପୁତ୍ର ସୁରଥ ଅଟଇ
ଏହାଙ୍କ ପିତା ସୁନାସ କଂସ ସାନଭାଇ
ପାଠ ପଢ଼ିବାକୁ ଆମ୍ଭେ ଆସିଅଛୁଁ ଗୁରୁ
ଏଠାରେ ପଢ଼ିବୁ ରହି ତବ ସୁଦୟାରୁ
କହିବା ବେଗରେ ଭ୍ରମ କରାଇଲେ ହରି
ସାନ୍ଦୀପନି ପଣ୍ଡା ତାହା ନ ପାରିଲେ ବାରି
ଯାର ମାୟା ବ୍ରହ୍ମ ଶିବେ ଗୋଚର ନୁହଇ
ସାନ୍ଦୀପନି ପଣ୍ଡା ଅବା ଜାଣିବେ ତା କାହିଁ
କେବଳ ସନ୍ତୋଷ ହୋଇ ବୋଇଲେରେ ବାବୁ
ତୁମ୍ଭଙ୍କୁ ଯତନେ ରଖି ପାଠ ପଢ଼ାଇବୁ
ଯେଉଁ ବିଦ୍ୟା ପଢ଼ିବାକୁ ଅଛି ତୁମ୍ଭ ମନ
ସେ ବିଦ୍ୟା ପଢ଼ାଇ ଦେବୁ ଇଚ୍ଛା ସୁଖେ ଘେନ
ଏହା କହିଣ ଆସନ ତିନିଖଣ୍ଡ ଦେଲେ
ଖଡ଼ି ଧରାଇ ଶ୍ରୀ ଲେଖି ମୁଣ୍ଡଳା କାଟିଲେ
ପୁଷ୍ପ ଚନ୍ଦନ ଅକ୍ଷତ ଧୂପ ଦୀପ ଦେଇ
ଗଣପତି ସରସ୍ୱତୀ ପୂଜାକଲେ ତହିଁ
ବିନାୟକ ମନ୍ତ୍ରସ୍ମରି ଭାଙ୍ଗି ନାରିକେଳ
ପୂର୍ବ ମୁଖ ହୋଇ ବସି କୃଷ୍ଣ କାମପାଳ
ଖଡ଼ି ଧରି ସିଦ୍ଧିରସ୍ତୁ ପ୍ରଥମେ ଲେଖିଲେ
ତହିଁପରେ ସ୍ୱରବର୍ଣ୍ଣ ଲେଖିଣ ଘୋଷିଲେ
ବ୍ୟଞ୍ଜନ ଲେଖିଣ ମାତ୍ରା କହିଦ୍ୟନ୍ତେ ଗୁରୁ
କହୁଁ କହୁଁ ଛଡ଼ାଇଲେ ଗୁରୁଙ୍କ ମୁଖରୁ
ଗଛ ଗ୍ରାମ ଜୀବ ଜନ୍ତୁ ଚିହ୍ନାଇଣ ଦେଲେ
ପଣକିଆ ଆଦି ଫେଡ଼ା ମିଶା ଶିଖାଇଲେ
ଶୋଧି କୋଟା ହରଗୁଣ କଷ ତୁଳ ଆଦି
ଏକା ଦିବସକେ ଏତେ ପଢ଼ି କଲେ ସିଦ୍ଧି
ସର୍ବ ଗୁଣନିଧି ସେହୁ ବ୍ରହ୍ମାଣ୍ଡ ଠାକୁର
ଅସାଧନ ବିଦ୍ୟା ସାଧ୍ୟ ଅଟଇ ତାଙ୍କର
ଶ୍ରୀହସ୍ତରେ ଖଡ଼ି ଘେନି ହଳୀ ଭଗବାନ
ଲେଖନ୍ତେ ଅକ୍ଷର ପନ୍ତି ସ୍ଫୁରେ ଘନ ଘନ
ଗୁରୁ ବିଚାରନ୍ତି ଏତ ଅସମ୍ଭବ ବାଣୀ
ନୟନେ ଦେଖିଲା ନାହିଁ ଶ୍ରବଣେ ନଶୁଣି
ସବୁଠାରୁ ବୁଦ୍ଧିମନ୍ତ ଏହି ବେନି ଚାଟ
ଦିନକେ ଶିଖିଲେ ପାଞ୍ଚ ବରଷର ପାଠ
ଏମନ୍ତ ସମୟେ ସୂର୍ଯ୍ୟଦେବ ଅସ୍ତ ହୋଏ
ଯେ ଯାହା ଘରକୁ ଉଠି ଗଲେ ଚାଟପୋଏ
ରାମକୃଷ୍ଣ ସୁରଥ ଏ ରହି ଗୁରୁଘରେ
ସ୍ନାହାନ ଭୋଜନ କଲେ ଗୁରୁଙ୍କ ସଙ୍ଗରେ
ନିଶିମାନେ ନିଦ୍ରାଗଲେ ଶଯ୍ୟାରେ ପହୁଡ଼ି
ଆରଦିନ ପ୍ରଭାତରୁ ଉଠି ଗଲେ ପଢ଼ି
ତାଙ୍କ ପଛେ ପଛେ ସବୁ ଚାଟପୋଏ ଆସି
ଲେଖିଲେ ଅକ୍ଷର ଫଳା ଯେ ଯାହାରେ ବସି
ଆରଦିନ ଗୁରୁ ପୁଣି ଶାରଦା ପୂଜିଲେ
ଅଭିଧାନ ବ୍ୟାକରଣ ସୂତ୍ର ପଢ଼ାଇଲେ
ଦୀର୍ଘ ହ୍ରସ୍ୱ ମାତ୍ରା ରେଫ ତାଲବ୍ୟ ମୂର୍ଦ୍ଧନ୍ୟ
ଦନ୍ତ୍ୟସ ବିସର୍ଗ ଆଦି କଲେ ଉଚ୍ଚାରଣ
ପଞ୍ଚାଶ ବର୍ଣ୍ଣ ଅକ୍ଷର ପଞ୍ଚବର୍ଗ ଆଦି
ନବଲକ୍ଷ କଳା ଏକଦିନେ କଲେ ସିଦ୍ଧି
ସୂର୍ଯ୍ୟ ଅସ୍ତେ ଚାଟଶାଳୀ ଘରୁ ବାହୁଡ଼ିଲେ
ଗୁରୁଙ୍କ ମନ୍ଦିରେ ଅନ୍ନ ବ୍ୟଞ୍ଜନ ଭୁଞ୍ଜିଲେ
ଅନାଦି ନିରଞ୍ଜନ ସେ ପରମ ପୁରୁଷ
ଦିନୁ ଦିନ ଦେଖି ଗୁରୁ ହୁଅନ୍ତି ହରଷ
ଆତ୍ମାରୁ ଅଧିକ ପାଳିଥାନ୍ତି ସାନ୍ଦୀପନି
ଚାଟଙ୍କ ସଙ୍ଗତେ ପାଠ ପଢ଼ନ୍ତି ଯେ ତିନି
ପୁଣି ଆରଦିନ ଉଠି ଗଲେ ପାଠଲ ପଢ଼ି
କାଖରେ ଲେଖନ ପତ୍ର ହସ୍ତେ ଧରି ଖଡ଼ି
ଶ୍ରୀ ଲେଖି ଗୁରୁଙ୍କ ପାଦେ ନମସ୍କାର କଲେ
ଶିଖିଥିବା ବିଦ୍ୟାମାନ ଗୁରୁଙ୍କୁ କହିଲେ
ଅକ୍ଷର ବ୍ୟାକରଣ ଏ ଦୁଇପାଠ ଜାଣି
ଜ୍ୟୋତିଷ ଆରମ୍ଭ କରି ଶିକ୍ଷା କଲେ ପୁଣି
ସାତ ବାର ପଞ୍ଚଦଶ ତିଥି ସତାଇଶ
ନକ୍ଷତ୍ର ଦ୍ୱାଦଶ ରାଶି ଲଗ୍ନ ହୋରା ଅଂଶ
ମୁହୂର୍ତ୍ତ କରଣ ଯୋଗ ଗ୍ରହଙ୍କ ବସତି
ଆରୁଢ଼ ପତାକା ଶିଶୁ ଅଷ୍ଟବର୍ଗ ସ୍ଥିତି
ଦଶାଶେଷ ଲଗ୍ନ ଅଂଶ ପାଞ୍ଜିତୋଳା ବିଧି
ଦଶାନ୍ତର ଫଳାଫଳ ପ୍ରତ୍ୟନ୍ତର ସାଧି
ତ୍ରିକୋଣ ଷଟ୍‌କୋଣ ଚନ୍ଦ୍ର ସୂର୍ଯ୍ୟ ଉପରାଗ
ବିବାହ ମେଳକ ପ୍ରଶ୍ନଫଳ ଯାତ୍ରାଯୋଗ
ଜାରଣ ମାରଣ ଖଡ଼ି ଧରା ପ୍ରଶ୍ନ ଠିକେ
ଜ୍ୟୋତିଷ ବିଦ୍ୟା ସାଧିଲେ ଏଖ ଦିବସକେ
ଶ୍ରଦ୍ଧା କରି ଗୁରୁ ତାଙ୍କୁ ପଢ଼ାଇଲେ ପାଠ
ଆଶ୍ଚର୍ଯ୍ୟ ହୁଅନ୍ତି ତାହା ଦେଖି ସବୁ ଚାଟ
ପୁଣି ଆରଦିନ ଚାଟଶାଳୀକି ସେ ଗଲେ
ସାରଦାଙ୍କୁ ପୂଜା କରି ବିଦ୍ୟା ଆରମ୍ଭିଲେ
ହରଭର ବିଦ୍ୟା ଯାହା ଶିବ ଥାନ୍ତି ବହି
ଏକା ଦିବସକେ ତାହା ସିଦ୍ଧ କଲେ ତହିଁ
ଆରଦିନ ପଢ଼ିଲେ ସେ ନାଟକର ବିଧି
ଚାରିଦେହ ଷଡ଼ଶାସ୍ତ୍ର ଦିବସକେ ସିଦ୍ଧି
ଶସ୍ତ୍ର ବିଦ୍ୟା ଧନୁର୍ବିଦ୍ୟା ସମସ୍ତ ସାଧିଲେ
ରାଜନୀତି ଅଷ୍ଟାଦଶ ପୁରାଣ ପଢ଼ିଲେ
ଧର୍ମଶାସ୍ତ୍ର ଦଣ୍ଡନୀତି ନ୍ୟାୟ ପାତଞ୍ଜଳ
କାବ୍ୟ ଅଳଙ୍କାର ଆଦି ଶିଖିଲେ ସକଳ
ମନ୍ତ୍ର ତନ୍ତ୍ର କୂଟତତ୍ତ୍ୱ ବଶ୍ୟ ଉଚ୍ଚାଟନ
ସ୍ତମ୍ଭନ ମୋହନ ଆଦି ଶିଖିଲେ ଏମାନ
ଔଷଧି ଧାରଣ ଲେପ ଅଞ୍ଜନ ଗୁଟିକା
ଦେଦଶାଖା ଛନ୍ଦ ତୁଲେ ନାଟକ ନାଟିକା
ଯୋଗ ଧ୍ୟାନ ମନ୍ତ୍ର ଧ୍ୟାନ ଭିବଷ୍ୟତ ଜ୍ଞାନ
ଅତୀତ କାଳର କଥା ଆଉ ଆର୍ତ୍ତମାନ
ଅଷ୍ଟାଙ୍ଗ ଯୋଗ ଆବର ଚୌରାଶୀ ଯେ ଜ୍ଞାନ
ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ
ଏପରି ଜଗତ ମଧ୍ୟେ ଯେତେ ବିଦ୍ୟା ଥିଲେ
ରାମ କୃଷ୍ଣ ଗର୍ଭରେ ସେ ସମସ୍ତେ ରହିଲେ
ବିଚକ୍ଷଣ ଶିଷ୍ୟ ଦେଖି ଗୁରୁ ସାନ୍ଦୀପନ
ଅନ୍ତର୍ଗତେ ବିଚାରନ୍ତି ଜୀବନ ମୋ ଧନ୍ୟ
ଅନେକ କାଳରୁ ପାଠ ପଢ଼ାଉଛୁଁ ଏଥେ
ନାହିଁ କେ ନୋହିବ ଚାଟ ଏହାଙ୍କର ସାଥେ
ଏ କି ଦେବଗୁରୁ ଅବା ଅଟନ୍ତି ଅଙ୍ଗିରା
ନୋହିଲେ ଦାନବଗୁରୁ ଶୁକ୍ର ହେବେ ପରା
କି ଅବା ଉମାଙ୍କ ପୁତ୍ର ଗଣେଶ ଅଟନ୍ତି
ମାନବ ଶରୀର ଧରି ପଢ଼ି ଆସିଛନ୍ତି
କିବା ଇନ୍ଦ୍ର ଚନ୍ଦ୍ର ଭାନୁ ଭାସ୍କର ବରୁଣ
କି ଅବା ମନୁଷ୍ୟରୂପେ ହେଲେ ନାରାୟଣ
ପାତାଳ ପୁରରୁ ଅବା ଅଇଲେ ବାସୁକୀ
ବ୍ରହ୍ମଲୋକ ତେଜି ବ୍ରହ୍ମା ଅସି ଅଛନ୍ତି କି
କହିବାକୁ ଅସମ୍ଭବ ଶ୍ରୁତି ଅଗୋଚର
ଏ କେଉଁ ଦେବତା ଦୁହେଁ ହେଲେ ନିରାକାର
କଳି ନ ପାରିଲି ମୁହିଁ ଏହାଙ୍କର ବୁଦ୍ଧି
କେତେଦିନ ପଢ଼ି କେତେ ବିଦ୍ୟା କଲେ ସିଦ୍ଧି
ଏ ଯେତେ ବିଦ୍ୟା ଶିଖିଲେ ନରଦେହ ବହି
ଏକ ବିଦ୍ୟା ଶତବର୍ଷେ ପଢ଼ି ସାଧ୍ୟ ନୋହି
ଅନ୍ତର୍ଗତେ ଏତେ ଚିନ୍ତା କରି ସାନ୍ଦୀପନି
ଗୃହକୁ ଚଳିଲେ ସଙ୍ଗେ ରାମକୃଷ୍ଣ ଘେନି
ଛଦ୍ମରୂପ ଧରିଛନ୍ତି ବଳରାମ ହରି
ଅବନ୍ତୀ ନଗରେ କେହି ନ ପାରନ୍ତି ବାରି
ଭିକ୍ଷୁକ ଦରିଦ୍ର ଯେହ୍ନେ ଚଞ୍ଚଳିତ କାୟେ
ତେସନ ସଞ୍ଜାତ ରୂପ ଧରି ଦେବରାୟେ
ଖଡ଼ିଗୁଣ୍ଡ ଦେହେ ବୋଳି ମଳି ବସ୍ତ୍ର ପିନ୍ଧି
ଲୋଟଣି ଛନ୍ଦରେ ଚଳ ମସ୍ତକରେ ବାନ୍ଧି
ଶ୍ରୀମଣ୍ଡଳ ପୋଛି ଭାଲେ କାଟି ଶୁକ୍ଳ ଚିତା
ଗଳାଦେଶେ କ୍ଷୁଦ୍ର ମୋତେ ଗୁନ୍ଥା ଗଣ୍ଠିସୂତା
କର୍ଣ୍ଣରେ ଶୋହ୍ଲ ବନ୍ଦିଆ ଭୁଜେ ଜଉକଣ୍ଠି
ଖଡ଼ି ଇଟାଗୁଣ୍ଡ ଭରି ଖୋଷିଛନ୍ତି ଅଣ୍ଟି
ଏମନ୍ତ କୃପଣ ରୂପ ଧରି ଦେବସ୍ୱାମୀ
ଚାଟମେଳେ ପାଠ ପଢୁଥାନ୍ତି ଅନ୍ତର୍ଯ୍ୟାମୀ
ଗୌରବେ ଅନ୍ନ ଭୁଞ୍ଜନ୍ତି ଗୁରୁଙ୍କ ସଦନେ
ଷଡ଼ରସ ପରିପକ୍ୱ ନାନାଦି ବିଧାନେ
ଶୁକମୁନି ବୋଇଲେ ହେ ପରୀକ୍ଷ ନୃମଣି
କଳୁଷ ଖଣ୍ଡନ କର ଭାଗବତ ଶୁଣି
ମାୟାଧର ପୁରୁଷ ସେ ସବୁ ମୋହିଛନ୍ତି
ସାନ୍ଦୀପନି ପଣ୍ଡା ତାଙ୍କୁ ଚିହ୍ନି ନ ପାରନ୍ତି
ବିଦ୍ୟାସୂତ୍ର ହେତୁ ପାଠ ପଢ଼ାନ୍ତି ଆଦରେ
ଗୁଣ ଦେଖିବାରୁ ସ୍ନେହ ଥାଏ ତାଙ୍କଠାରେ
ମନେ ବିଚାରନ୍ତି ଏ ତ ମୋର ଧର୍ମପୁତ୍ର
ୟାଙ୍କୁ ବିଦ୍ୟା ପଢାଇଲେ ହୋଇବି ପବିତ୍ର
କହଇ ଅଚ୍ୟୁତ ଦାସ ଆହେ ରାମ ହରି
ଅନ୍ତଃକାଳେ ଦେବ ମୋତେ ତବ ନାମ ତରୀ
ସେ ତରୀ ପାଇଲେ ମୁହିଁ ଭବ-ଜଳଧିକି
ସୁଖେ ପାର ହୋଇଯିବି କାହାକୁ ନ ଶଙ୍କି

ଦାମୋଦର ବିପ୍ର ସହିତ କୃଷ୍ଣଙ୍କର ମିତ୍ରତା ସ୍ଥାପନ ଓ ଦକ୍ଷିଣା ପାଇଁ ଶ୍ରୀକୃଷ୍ଣଙ୍କୁ ଗୁରୁପତ୍ନୀଙ୍କର ପ୍ରାର୍ଥନା[ସମ୍ପାଦନା]

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ରାଜନ
ଏହିରୂପେ ଗତ ହେଲା ତହିଁ କିଛି ଦିନ
ପାଠ ପଢ଼ି ରାମ କୃଷ୍ଣ ହେଉଥାନ୍ତି ତୋଷ
କୁମ୍ଭ ଶୁକଳ ଚଉଠି ହେଲା ପରବେଶ
ଗୁରୁ ଆଜ୍ଞା ଦେଲେ ସବୁ ଚାଟଙ୍କୁ ଅନାଇଁ
ସାରଦା ପୂଜିବା ଫୁଲ ଫଳ ଆଣ ଯାଇ
ଗୁରୁଙ୍କ ବଚନେ ଚାଟେ ଗଲେ ଫୁଲ ତୋଳି
ସବୁରି ସଙ୍ଗତେ ଗଲେ ରାମ ବନମାଳୀ
ବନସ୍ତ ଭିତରେ ଚାଟେ ପହଞ୍ଚିଲେ ଯାଇ
ତୋଳନ୍ତି ଅନେକ ଫୁଲ ପ୍ରଫୁଲ୍ଲିତ ହୋଇ
ତରୁଲତା ଶୋଭା ଦେଖି ହେଉଥାନ୍ତି ତୋଷ
କେ ବୋଲେ ଏଠାରେ ଫୁଲ ଅଛି ଧାଇଁ ଆସ
ଜାଈ ଜୁଇ ବଣମଲ୍ଲୀ ମାଳତୀ ଚମ୍ପକ
ପୁନ୍ନାଗ ପାଟଳି ଜବା କଞ୍ଚନ ଅଶୋକ
ଟଗର ତରାଟ ଆଉ ବଧୁଲୀ ବକୁଳ
ନାଗେଶ୍ୱର ଛୁରିଅନା କୁନ୍ଦ ବିଲ୍ୱଦଳ
ଏମନ୍ତେ ଅନେକ ପୁଷ୍ପ ତୋଳି ଶିଷ୍ୟମାନେ
ଅଣ୍ଟିଭରି କରିଛନ୍ତି ପୂରାଇ ଯତନେ
ଫୁଲ ତୋଳୁ ତୋଳୁ ହେଲା ଚୌଦଘଡ଼ିବେଳ
ଘୋଟିଲେ ବାୟବ୍ୟ କୋଣୁ ଉଠି ମେଘମାଳ
ଚାହୁଁ ଚାହୁଁ ଆଚ୍ଛାଦିଲେ ବନ ଗିରି ମହୀ
ଅଣଞ୍ଚାଶ ମୂର୍ତ୍ତି ଧରି ପବନ ବହଇ
ହୁଂକାରି ଘୋର ପବନ ଉଠିଲା ଗରଜି
ଶାଳଶିଳମାନେ ତଳେ ପଡ଼ିଗଲେ ଭାଜି
ଭୟଙ୍କର ଘଡ଼ଘଡ଼ି ଗର୍ଜ୍ଜନ ପ୍ରଚଣ୍ଡ
ଦଲ ଦଲ ହୋଇ କମ୍ପେ ପୃଥ୍ୱୀ ନବଖଣ୍ଡ
ଝଟକ ବିଜୁଳି ମାରେ ଅଗ୍ନିକଣା ଜାଣି
ମୂଷଳ ଧାରା ପ୍ରମାଣେ ବରଷିଲା ପାଣି
ପାଣି ସଙ୍ଗତେ କରକା ମିଶି ହେଲା ବୃଷ୍ଟି
ଉଲୁକା ପଡ଼ିଲା ପ୍ରାୟେ ଦିଶେ ନବ ସୃଷ୍ଟି
ବାଟ ପୋଏ ଦେଖି ମନେ ପାଇ ମହାଭୀତି
ବୋଇଲେ ମଲାଇଁ ନିଶ୍ଚେଁ ସମସ୍ତେ ଏଘାନ୍ତି
ଏ ଘୋର ଅରଣ୍ୟ ମଧ୍ୟେ ଘର ଗ୍ରାମ ନାହିଁ
ଅବେଳେ ବରଷା ହେଲା ଯିବା ଆଉ କାହିଁ
ଫୁଲ ତୋଳି ଆସିଥିଲେ ଗୁରୁଙ୍କ ବଚନେ
ଘୋର ବରଷାରେ ଦୁଃଖ ପାଇଲେ ଏ ବନେ
ପିନ୍ଧିଲା ବସନ ଥୋକେ ଗୁଡ଼ାଇଲେ ଶିରେ
ଥୋକାଏ ପଶିଲେ ଯାଇ ଲତା ଗହଳରେ
ବୃକ୍ଷମୂଳେ ବସି ଥୋକେ ହେଲେ ଥୁରୁ ଥୁରୁ
ଝର ଝର ହୋଇ ଜଳ ପଡ଼ଇ ବୃକ୍ଷରୁ
ଏମନ୍ତ ଦୁର୍ମଗ ବର୍ଷା ହେଲା ଅପ୍ରମାଣ
ପୃଥ୍ୱୀ ଅନ୍ଧକାର ଘଡ଼ଘଡ଼ି ବଜ୍ର ବାଣ
କହୁଁ କହୁଁ ପରବେଶ ହୋଇଲା ରଜନୀ
ପଶ୍ଚିମ ପର୍ବତେ ଅସ୍ତ ହେଲେ ଦିନମଣି
ବନ ଗିରି ଦୁର୍ଗମେ ରହିଲେ ସର୍ବ ଚାଟ
ଗୁରୁଙ୍କ ମନରେ ତେଣେ ଲାଗିଲା ଉଚ୍ଚାଟ
ସୁରଥକୁ ସଙ୍ଗେ ଘେନି ବଳରାମ ହରି
ତିନିହେଁ ରହିଲେ ବୃକ୍ଷକ୍ରୋଟ ଆଶ୍ରା କରି
ଭିକ୍ଷୁ ଦାମୋଦର ପଣ୍ଡା ନାମେ ଏକ ଶିଷ୍ୟ
ସେ ଯାଇ ରହିଲେ ରାମ କୃଷ୍ଣଙ୍କର ପାଶ
କେଶ ବାସ ତିନ୍ତି ବୃଷ୍ଟି ଜଳେ ଜର ଜର
ରୋମ ଟାଙ୍କୁରଇ ଶୀତେ କମ୍ପେ କଳେବର
ଦୁଃଖିଜନବାନ୍ଧବ ସେ ଅଟନ୍ତି ଶ୍ରୀହରି
ପାଶେ ବସାଇଲେ ତାଙ୍କୁ ଆଶ୍ୱାସନା କରି
ପର ଦୁଃଖରେ କାତର ସଦା ଦେବରାୟେ
ଶ୍ରୀହସ୍ତରେ ଆଉଁଷିଲେ ସେ ବିପ୍ରର କାୟେ
ଆଶ୍ୱାସି କୋମଳ ବାକ୍ୟେ ଜଗତ ନିବାସ
ପଚାରିଲେ ଆହେ ବିପ୍ର ତୁମ୍ଭ ନାମ କିସ
କେ ତୁମ୍ଭର ପିତା ମାତା କେଉଁଠାରେ ଘର
କେଉଁ ବେଦ କେଉଁ ଶାଖା ଅଟଇ ତୁମ୍ଭର
ଗୋବିନ୍ଦ ବଚନ ଶୁଣି ଦ୍ୱିଜ କୃତକୃତ୍ୟ
ବୋଲେ ଭରଦ୍ୱାଜ ଗୋତ୍ରେ ହୋଇଛି ମୁଁ ଜାତ
ମୋ ପିତାଙ୍କ ନାମ ବିଦ୍ୟାନନ୍ଦ ଶତପଥି
ମାତାଙ୍କ ନାମ ମୋହର ଅଟେ ବେଦମତୀ
ଯଜୁର୍ବେଦ ଆମ୍ଭର ଯେ ଅଧ୍ୟାପନ ଶାଖା
ପିତାମାତାଙ୍କର ପୁତ୍ର ଅଟଇ ମୁଁ ଏକା
ବଶିଷ୍ଠ ବସାଇଥିଲେ ବ୍ରାହ୍ମଣ ଶାସନ
ବେଦପୁର ବୋଲି ଖ୍ୟାତ ହୋଇଛି ତା ନାମ
ସେ ଶାସନେ ମୋର ପିତୃ ପିତାମହେ ଥାଇ
ସୁଖେ ବାସ କରୁଥିଲେ ବାଡ଼ି ବୃତ୍ତି ପାଇ
ଏବେ ମୁଁ ଦରିଦ୍ର ହୋଇ ତା ସବୁ ବିକିଲି
ଉଦର ପୋଷଇ ନିତି ଭିକ୍ଷା ମାଗି ବୁଲି
ମାତା ପିତା ବୃଦ୍ଧ ହୋଇ ବସିଛନ୍ତି ଘରେ
ତିନି ପ୍ରାଣୀ ବଞ୍ଚୁ ଆମ୍ଭେ ବହୁତ କଷ୍ଟରେ
ନବ ବର୍ଷ ଯାଏ ବୁଲି ମୂର୍ଖ ହୋଇଥିଲି
ଏବେ ବିଦ୍ୟା ପଢ଼ିବାକୁ ଏଥକୁ ଅଇଲି
ଅଦ୍ୟାପି ସେ ବେଦପୁର ଶାସନେ ମୋ ଘର
ମୋ ନାମ ଅଟଇ ଜାଣ ଭିକ୍ଷୁ ଦାମୋଦର
ଏମନ୍ତ ବଚନ ଶୁଣି ବୋଲନ୍ତି ଅଚ୍ୟୁତ
ମୋର ନାମ ଦାମୋଦର ତୁମ୍ଭେ ଆମ୍ଭେ ମିତ
ଅନେକ ପୁଣ୍ୟରେ ନାମ ମିତ୍ର ପାଇ ଭେଟ
ବିଶେଷରେ ଆମ୍ଭେ ଦୁହେଁ ଏକ ଗୁରୁ ଚାଟ
ତୁମ୍ଭ ମାତାଙ୍କର ନାମ ଅଟେ ବେଦମତୀ
ପିତାଙ୍କର ନାମ ବିଦ୍ୟାନନ୍ଦ ଶତପଥୀ
ଦେବକୀ ଆମ୍ଭର ମାତ ପିତା ବସୁଦେବ
ତାଙ୍କର ଦୁଃଖ ଶୁଣିଲେ ତାଟକା ହୋଇବ
ଲୁହାର ଶାଙ୍କୋଳି ଲାଗିଥାଏ ଚରଣରେ
ଦିନ ରାତି ପଡ଼ିଥାନ୍ତି କଂସ ବନ୍ଦିଘରେ
ଭାବିଲେ ଦୁହିଙ୍କ ଦୁଃଖ ଅଟଇ ସମାନ
ଏକା ନାମ ହୋଇଅଛି ନାହିଁ କିଛି ଭିନ୍ନ
ଏତେ ବୋଲି ବ୍ରାହ୍ମଣକୁ ପ୍ରଭୁ କୋଳ କଲେ
ଆଝୁଁ ଦୁହେଁ ମିତ୍ର ହେଲେ ବୋଲିଣ କହିଲେ
ଆପଦ ସମ୍ପଦ କାଳେ ଆମ୍ଭଙ୍କୁ ଲୋଡ଼ିବ
ସର୍ବଦା ମନରେ ମିତ୍ରଭାବ ରଖିଥିବ
ରାଜଦ୍ୱାରେ ଶ୍ମଶାନରେ ଦୁର୍ଭିକ୍ଷେ ବ୍ୟସନେ
ଶତ୍ରୁ ପୀଡ଼ା କାଳେ ମୋତେ ସୁମରିବ ମନେ
ତୁମ୍ଭେ ଆମ୍ଭ ପଞ୍ଚଭୂତ ଆତ୍ମା ସହୋଦର
ନ ଗଲେ ନଇଲେ ହ୍ୱନ୍ତି ସହୋଦର ପର
ଏତେ କହୁ କହୁ ହେଲା ରାତ୍ରି ବେନି ଘଡ଼ି
ରହିଲାକ ବରଷା ଯେ ମେଘଗଲା ଛାଡ଼ି
ଗଗନ ନିର୍ମଳ ହେଲା ଉଦେ ହେଲେ ଶଶୀ
ଏକଠାବେ ସର୍ବ ଚାଟେ ରୁଣ୍ଡ ହେଲେ ଆସି
ସାନ୍ଦୀପନି ବିଚାରନ୍ତି ମନ୍ଦ କୃତ୍ୟ କଲି
ବାଳୁତ ପୁଅଙ୍କୁ ଫୁଲ ତୋଳି ପଠାଇଲି
ବୋଲ ନ ଭାଙ୍ଗିଣ ପୋଏ ଗଲେ ପୁଷ୍ପ ଆଣି
ଚାରି ମେଘ ଘୋଟି ଏବେ ବରଷିଲେ ପାଣି
ବେଳ ଦୁଇଘଡ଼ି ଥାଉ ଏତେ ରାତ୍ରଯାଏ
ବର୍ଷା ହୋଇ ଦିଶିଲାଣି ପୃଥ୍ୱୀ ଜଳମୟେ
ଭୟଙ୍କର ଘଡ଼ଘଡ଼ି ଅଣଞ୍ଚାଶ ବାତ
ଢ଼ଳ ଢ଼ଳ ବସୁନ୍ଧରୀ ବ୍ରହ୍ମାଣ୍ଡହିଁ ସାତ
ପବନରେ ଛାଟି ହୋଇ ବରଷିଲା ପାଣି
କେଣେ ଗଲେ ବାଳ ପୋଏ ନ ପାରିଲି ଜାଣି
ଏତେ ରାତ୍ର ହୋଇଲାଣି ନ ଆସିଲେ କେହି
କ୍ରୋଟରାଗ୍ନି ପ୍ରାଏ ମୋର ଦହୁଅଛି ଦେହୀ
ବେଭାରେ ବାଳୁତ ପୋଏ ଖେଳୁଆଳ ମତି
ବନେ ଫୁଲ ତୋଳିଗଲେ ହେଲା ଏତେ ରାତି
ପିତା ମାତାଙ୍କର ମନେ ନ ଥିବ ଅପ୍ରତେ
ବୋଲୁଥିବେ ଗୁରୁପାଶେ ପୋଏ ଛନ୍ତି ସୁସ୍ଥେ
ମୁହିଁ ଜାଣୁ ଜାଣୁ କଲି ଏଡ଼େ ମନ୍ଦକୃତ୍ୟ
ସଂସାରରେ ଅପଖ୍ୟାତି ପାଇବି ବହୁତ
ଏତେ ଚିନ୍ତି ମନ୍ଦିରରୁ ବାହାର ହୋଇଲେ
ଚାଟେ ଯାଇଥିବା ବାଟ ଅନୁସରି ଗଲେ
ଉଚ୍ଚରେ ଉଠି ଡାକନ୍ତି ଏକ ଏକ କରି
ଗୋବିନ୍ଦ ମାଧବ ରାମ ମୁକୁନ୍ଦ ଶ୍ରୀହରି
ରଘୁନାଥ ଗଦାଧର ଶ୍ରୀଧର ଅନନ୍ତ
ଈଶ୍ୱର ଈଶାନ ସଦାଶିବ ଗୁଣବନ୍ତ
ବୀରଭଦ୍ର ମାରକଣ୍ଡ ନୀଳକଣ୍ଠ ହଳୀ
ନାରାୟଣ ଦଇତ୍ୟାରି ଶ୍ୟାମ ବନମାଳୀ
ଆସ ହେ କହ୍ନାଇ ଆସ ଦନାଇଁ ଅଚ୍ୟୁତ
ହଳଧର ଜଳଧର ଶ୍ରୀକର ଶ୍ରୀମନ୍ତ
ଆଶ ବିଷ୍ଣୁ ବାସୁଦେବ ବିଶ୍ୱନାଥ କାଶୀ
ରାମନାଥ ସୋମନାଥ ଲମ୍ୱୋଦର ମଶି
ପ୍ରଭାକର ଚକ୍ରଧର ମୋହନ ମୁରାରି
ଜଗନ୍ନାଥ ଗୋପୀନାଥ ଆସ ବେଗ କରି
କୃପାନିଧି ଦୟାନିଧି ଦୀନବନ୍ଧୁ ଆସ
ତୁମ୍ଭଙ୍କୁ ନ ଦେଖି ମୋର ଉଡ଼ଇ ସାହସ
ଏ ପ୍ରକାରେ ଶତେ ଚାଟ ଗୋଟି ଗୋଟି କରି
ଉଚ୍ଚରେ ଡାକନ୍ତି ଗୁରୁ ନାମମାନ ଧରି
ଅତି ଆର୍ତ୍ତେ ବିଦ୍ୟାଗୁରୁ ପୁଣି ଡାକ ଦ୍ୟନ୍ତି
କେଣେ ଗଲ ବାଳ ପୋଏ ଆସ ଶୀଘ୍ର ଗତି
ଚାରିଦିଗେ ଦୃଷ୍ଟି ଦେଇ ପୁଣ ଉଚ୍ଚ କରି
ଡାକନ୍ତି ଆସ ହେ ରାମ ଆସ ନରହରି
ଡାକ ନ ଶୁଣନ୍ତେ ଗୁରୁ ପାଇ ମନେ ତ୍ରାସ
ଦଣ୍ଡେକ ବିଶ୍ରାମ କରି ଛାଡ଼ନ୍ତି ନିଃଶ୍ୱାସ
କଣ୍ଠ ଅବରୁଦ୍ଧ ଶ୍ୱାସ ବହେ ଘନ ଘନ
ତ୍ରିପଣ୍ଡ ଝାଳେ ତିନ୍ତିଲା ପିନ୍ଧିବା ବସନ
ଝାଳ ଗଳନ୍ତେ ଲିଭିଲା ଦ୍ୱାଦଶ ଯେ ଚିତା
ଅଜ୍ଞାନରେ କନ୍ଧୁ ଖସି ପଡ଼ୁଛି ପଇତା
ତୁଳସୀ ରୁଦ୍ରାକ୍ଷମାଳା କରୁ ଜପାମାଳୀ
ହସ୍ତଟେକି ଡାକ ଦ୍ୟନ୍ତେ ବଟୁ ପଡ଼େ ଗଳି
ବଳଦେବ ଦାମୋଦର ଡାକନ୍ତେ ସେ ପଛେ
ଥୋକେ ଦୂରେ ଥାଇ ତାହା ଶୁଣି ନନ୍ଦବତ୍ସେ
ଲୁଗା ବିପୁଡ଼ିଣ ବାଟେ ସଜ ହେଉଥିଲେ
ଗୁରୁ ଡାକ ଶୁଣି ବେଗ ହୋଇ ସେ ଅଇଲେ
ଯାଉଛୁ ଯାଉଛୁ ବୋଲି ଉଚ୍ଚରେ କହନ୍ତି
ସାନ୍ଦୀପନି ପଣ୍ଡା ଶୁଣି ହେଲେ ଶାନ୍ତ ମତି
ମନେ ବିଚାରନ୍ତି ପୋଏ ଅଛନ୍ତି ଜୀବନେ
ଜଗନ୍ନାଥ ରକ୍ଷାକଲେ ତାଙ୍କୁ ଘୋର ବନେ
ଏମନ୍ତ ବିଚାରି ମନେ ହୋଇଲେ ଆନନ୍ଦ
ଦରିଦ୍ର ପାଇଲା ଅବା କୁବେର ସମ୍ପଦ
ଜନ୍ମାନ୍ଧକୁ ମିଳିଲା କି ଅବା ଚକ୍ଷୁଦାନ
ମୃତକ ଶବରେ ଅବା ପଶିଲା ଜୀବନ
ବିରହିଣୀ ପାଇଲା କି ଦେଶାନ୍ତର ପତି
ତେସନ ଆନନ୍ଦ ହେଲା ଗୁରୁଙ୍କର ମତି
ଆସ ଆସ ବାବୁ ବୋଲି ଖଣ୍ଡେଦୂର ଗଲେ
ନିସ୍ତରିଲି କହି ବାଟେ ପୁଅଙ୍କୁ ଭେଟିଲେ
ସର୍ବ ଅଗ୍ରେ ଆସୁଛନ୍ତି ରାମ ବନମାଳୀ
ଦେଖିଣ ପରମ ତୋଷ ହେଲେ ତପଶାଳୀ
ଗୁରୁ ବୋଇଲେ ଅଇଲଟିକି ଅପ୍ରମାଦେ
ଚାଟେ ବୋଇଲେ ଅଇଲୁ ତବ ପରସାଦେ
ଗୁରୁ ଚାଟେ ମିଳି ଚାଟଶାଳୀକି ଅଇଲେ
ରାତ୍ର ତିନିଘଡ଼ିମାନେ ସାରଦା ପୂଜିଲେ
ମଣ୍ଡଳ ସ୍ଥାପିଲେ ଗୃହେ ଝୋଟି ଚିତା ଦେଇ
ବିଚିତ୍ର ଚାନ୍ଦୁଆ ଆମ୍ୱ ତୋରଣା ଲମ୍ୱାଇ
ନାନା ପୁଷ୍ପ ନାନା ଦ୍ରବ୍ୟ ଫଳ ନାନା ଜାତି
ଧୂପ ଦୀପ ଦେଇ ପୂଜା କଲେ ସରସ୍ୱତୀ
ଚନ୍ଦନ କର୍ପୂର ଚୁଆ କସ୍ତୁରୀ ଅଗୁର
ମନ୍ତ୍ର ସ୍ତୋତ୍ର ଧ୍ୟାନ ଜପ ନାନା ଉପଚାର
ମୋଦକ ଗୁଟିକା ଲଡ଼ୁ ଛେନାପଣା ଖଜା
ନୈବେଦ୍ୟ ଅର୍ପଣ କରି ବଢ଼ାଇଲେ ପୂଜା
ସକଳ ବିଦ୍ୟାରେ ପୂର୍ଣ୍ଣ ସାନ୍ଦୀପନି ଗୁରୁ
ରାମକୃଷ୍ଣ ପଢ଼ୁଛନ୍ତି ତେଣୁ ତାଙ୍କଠାରୁ
ଯଥାବିଧି ବିଧାନରେ ସାରଦା ପୂଜିଲେ
ଏକମୁଖ ହୋଇ ଚାଟେ ପୁଷ୍ପାଞ୍ଜଳି ଦେଲେ
ଚାଟଙ୍କୁ ପ୍ରସାଦ ଭୋଗ ଗୁରୁ ଦେଲେ ଯାଚି
ଗୋଟି ଗୋଟିକେ ସଙ୍ଖୋଳି ସାନବଡ଼ ବାଛି
ଆଗେ ପ୍ରସାଦ ଗ୍ରହଣ କଲେ ଦେବରାଜା
ବିଷ୍ଣୁଥାନ୍ତେ ହେବ କାହୁଁ ଆନେ ଅଗ୍ରପୂଜା
ଗୁରୁ ବିଦ୍ୟା ପରୀକ୍ଷିଲେ ଡାକି ଜଣ ଜଣ
ପଣକିଆ ଫେଡ଼ା ମିଶା ଶୋଧି ହରଗୁଣ
ଯେ ଯାହାର ପରି ମୁଖେ କହିଲେ ସକଳ
ସର୍ବୋପରି ଶ୍ରେଷ୍ଠ ହେଲେ କୃଷ୍ଣ କାମପାଳ
ଯେତେ ଯେତେ ବିଦ୍ୟା ପଢ଼ି ରଖିଥିଲେ ଗର୍ଭେ
ବିସ୍ତାରି କହିଲେ ସବୁ ଗୁରୁଙ୍କର ଆଗେ
ଯେତେବିଦ୍ୟା କହିଲେ ସେ ପଦେ ଭୁଲ ନାହିଁ
ସର୍ବଜ୍ଞ ପୁରୁଷ ସେହୁ ପାସୋରିବେ କାହିଁ
ଅସାଧନ ବିଦ୍ୟା ଯାର ସାଧନ ଆଗହୁଁ
କେବଳ ସେ ଉପଦେଶ ନେଲେ ଗୁରୁ ତହୁଁ
ପରୀକ୍ଷା ଶୁଣନ୍ତେ ଗୁରୁ ସନ୍ତୋଷ ହୋଇଲେ
ତୁମ୍ଭର ଜନମ ଧନ୍ୟ ବୋଲି ପ୍ରଶଂସିଲେ
କେତେକାଳୁ ପଢ଼ୁଛନ୍ତି ରହି କେତେ ଚାଟ
ତୁମ୍ଭ ପ୍ରାୟ ଗୋଟିକର ହୋଇ ନାହିଁ ପାଠ
ତୁମ୍ଭ ପାଠପଢ଼ା ଦେଖି ହୋଇଲୁ ସନ୍ତୋଷ
ଶ୍ରୀଫଳ ଗୋଟିଏ ଦେଇ ଯାଅ ନିଜ ଦେଶ
ନୋହିଲେ ଆମ୍ଭର ଘରେ ଥାଅ ତୁମ୍ଭେ ବାବୁ
ଯେତେ ଅନ୍ନ ବସ୍ତ୍ର ଲୋଡ଼ା ଆମ୍ଭେ ଦେଉଥିବୁ
ପ୍ରୟାଗ ବଟରେ ଉଠି ତୀର୍ଥେ ଝାସ ଦେଇ
କେତେ ପୁଣ୍ୟ ଅର୍ଜିଥିଲେ ତୁମ୍ଭ ମୁଖ ନାହିଁ
ଅଧିକ ସମ୍ପାଦି ଅବା କହିବି ମୁଁ କେତେ
ପ୍ରତ୍ୟକ୍ଷେ ଦେବତା ପ୍ରାୟ ଦିଶୁଅଛ ମୋତେ
ତୁମ୍ଭଙ୍କୁ ଛାଡ଼ିବା ପାଇଁ ବଳୁ ନାହିଁ ଚିତ୍ତ
ଦେଖିଲା ବେଳୁ ମୋହିଲ ମୋର ପଞ୍ଚଭୂତ
ଶ୍ରୀକୃଷ୍ଣ ବୋଇଲେ ଆସିଥିଲୁ ଯହିଁ ପାଇଁ
ସେ କାର୍ଯ୍ୟ ତ ସିଦ୍ଧ ହେଲା ରହିବୁ କିପାଇଁ
ହେ ଗୁରୁ ତୁମ୍ଭର ଋଣ ଶୁଝିଲୁ କିପରି
ଇହଲୋକ ପରଲୋକେ ତୁମ୍ଭେ ହିତକାରୀ
ସକଳ ବିଦ୍ୟା ପଠନ କଲୁ ତୁମ୍ଭଠାରୁ
ପିତୃ ପିତାମହ ତୁଲ୍ୟ ଅଟ ତୁମ୍ଭେ ଗୁରୁ
ଦେହ ବହି ଅରଜିବୁ ଆମ୍ଭେ ଯେତେ ଦ୍ରବ୍ୟ
ଧର୍ମ ଶାସ୍ତ୍ର ପ୍ରମାଣରେ ତୁମ୍ଭର ସେ ସର୍ବ
ଛ ପ୍ରକାରେ ପୁତ୍ର ବୋଲି ଶାସ୍ତ୍ରେ ଅଛି ଯାହା
ମହାଜ୍ଞାନୀ ଅଟ ତୁମ୍ଭେ ନ ଜାଣ କି ତାହା
ତୁମ୍ଭ ଅନ୍ନ ଖାଇ ଆମ୍ଭେ ଶିକ୍ଷା କଲୁ ପାଠ
ଜନମ ସଫଳ କଲୁ ପାଇ ଧର୍ମ ବାଟ
ଯେଉଁମାନେ ମହାତମା ପୁଣ୍ୟବନ୍ତ ଦେହୀ
ଜୀବ ଥିଲେ ଉପକାର ଘେନୁଥାନ୍ତି ସେହି
ପୁଣି କୃତକୃତ୍ୟ ହୋଇ ବୋଲନ୍ତି ଶ୍ରୀପତି
କଥାଏ କହିବି ଗୁରୁ ନ କରିବ ନାସ୍ତି
ତୁମ୍ଭେ ପାଠ ପଢ଼ାଇଲେ ଆମ୍ଭେ ଶିକ୍ଷା କଲୁ
ପଦ ପଦକେ ଅମୂଲ୍ୟ ରତନ ପାଇଲୁ
ତୁମ୍ଭଠାରୁ ଘେନିଅଛୁ ଆମ୍ଭ ବିଦ୍ୟାମାନ
ଦକ୍ଷିଣା ସ୍ୱରୂପ ଦେବୁ କିଛି ଦ୍ରବ୍ୟ ଘେନ
ଗୁରୁ ଦକ୍ଷିଣା ନ ଦେଲେ ବିଦ୍ୟା ନୋହେ ସିଦ୍ଧି
ଆପଣ ଭିଆଇଛନ୍ତି ଶାସ୍ତ୍ରରେ ଏ ବିଧି
ଯଦି ଆମ୍ଭଠାବେ ଅଛି ତୁମ୍ଭ ଅନୁରାଗ
ଜୀବନ ବୋଇଲେ ଦେବୁ ସନ୍ତୋଷରେ ମାଗ
ଗୁରୁ ବୋଇଲେ ହେ ବାବୁ ମୋର କିସ ନାହିଁ
ଯେତେ ପାର ତେତେ ଧନ ନିଅ ତୁମ୍ଭେ ବହି
ତୁମ୍ଭେ ମୋର ଶିଷ୍ୟ ପୁତ୍ର ସର୍ବ ଗୁଣବନ୍ତ
ଭାଗ୍ୟବଳେ ପାଇଲି ମୁଁ ତୁମ୍ଭପରି ଛାତ୍ର
ଅନେକ ଭଣ୍ଡାର ମୋର ଅଛି ରତ୍ନକୋଷ
ତାହା ସବୁ ନେଇ ବାବୁ ମୋତେ ତୁମ୍ଭେ ପୋଷ
ଧନ ଗୃହ ଦେଇ ନେବି ମୁଁ ସନ୍ନ୍ୟାସୀ ଦୀକ୍ଷା
ତୁମ୍ଭ ପ୍ରାୟ ପୁତ୍ରଥିଲେ ପୂରନ୍ତା ମୋ ବାଞ୍ଛା
ବୃଦ୍ଧ ହେଲି ପୁତ୍ର କନ୍ୟା କିଛି ମୋର ନାହିଁ
ଅକାରଣ ପ୍ରାଣ ଘେନି ଥିବି କାହିଁ ପାଇଁ
ଇହଲୋକେ ପରଲୋକେ ହେଲି ମହାପାପୀ
ଅପୁତ୍ରକ ଦୋଷ ମୋର ରହିଲା ଅଦ୍ୟାପି
ଏଡ଼େକ ସମ୍ପଦ ମୋର ଗଲା ଅକାରଣେ
ଅପୁତ୍ରିକ ଗୃହଶୂନ୍ୟ ଶୁଣିଛ ପୁରାଣେ
ଏ ଧନ ସମ୍ଭାଳ ବାବୁ ତୁମ୍ଭେ ସୁଖେ ରହି
ସବୁ ଛାଡ଼ି ତୀର୍ଥବାସ କରିବି ମୁଁ ଯାଇ
ଜନ୍ମ ହୋଇ ଷଡ଼ପୁତ୍ର ଗଲେ ମୋର ନାଶ
ଫିଟାଇ କହିଲି ବାବୁ ହୃଦୟ ସନ୍ଦେଶ
ଏତେ କହି ବୋଲନ୍ତି ଯେ ଗୁରୁ ସାନ୍ଦୀପନି
ତୁମ୍ଭ ତହୁଁ ଧନ ଆମ୍ଭେ କି କରିବୁ ଘେନି
ଶ୍ରୀକୃଷ୍ଣ ବୋଇଲେ ଯେବେ ଧନେ ନାହିଁ ମନ
ଏହା ଛଡ଼ା ଆଉ କିଛି ଦ୍ରବ୍ୟ ମାଗି ଘେନ
ଗୁରୁ ବୋଇଲେ ମୋହର ଗଛ ବାଡ଼ି ବୃତ୍ତି
ଗାଈ ଗୋରୁ ଛେଳି ମେଣ୍ଢା ବହୁତ ଅଛନ୍ତି
ଯେତେବେଳେ ଯାହା ଲୋଡ଼ା ତା ସବୁ ମିଳଇ
ତୁମ୍ଭେ ତ ଦେଖୁଛ ବାବୁ ମୋ ଗୃହରେ ଥାଇ
ଶ୍ରୀକୃଷ୍ଣ ବୋଇଲେ ଯେବେ ଏହା କଲ ତ୍ୟାଗ
ଇଚ୍ଛା ଥିଲେ ନ ମିଳିବା ଦ୍ରବ୍ୟ ମୋତେ ମାଗ
ସାନ୍ଦୀପନି ବୋଇଲେ ମୁଁ କି ମାଗିବି ଆନ
ସକଳ ବିଦ୍ୟା ତୁମ୍ଭଙ୍କୁ କରିଅଛି ଦାନ
ମୁଁ ଦେବାର ବିଦ୍ୟା ମୋର ପ୍ରୟୋଜନ ନାହିଁ
ଆନ ବିଦ୍ୟା ଜାଣିଥିଲେ ତା ଦିଅ ଶିଖାଇ
ଗୋବିନ୍ଦ ବୋଇଲେ ଗୁରୁ ସର୍ବଜ୍ଞାତ ତୁମ୍ଭେ
ତୁମ୍ଭଙ୍କୁ ବିଦ୍ୟା ପଢ଼ାଇ ପାରିବୁ କି ଆମ୍ଭେ
ଏହା ଛଡ଼ା ଜଗତରେ କେତେ ଦ୍ରବ୍ୟ ନାହିଁ
ଧାତିକାରେ ଯିବୁ ଯାହା ମାଗିବ ତା ଦେଇ
ଅଦକ୍ଷିଣା ବିଦ୍ୟା ଆଉ ଅସନ୍ତୋଷ ଦାନ
ଅସାଧୁ ସହିତ ସଙ୍ଗ ଅସତ୍ୟ ବଚନ
ଉତ୍ତମ ଚରିତ ଲୋକେ ଏହା ନ କରନ୍ତି
ସବୁ ଅକାରଣ ତୁମ୍ଭେ ନ ହୋଇଳେ ତୃପ୍ତି
ଗୁରୁ ବୋଇଲେ ହେ ବାବୁ ସନ୍ତୋଷ ହୋଇଲୁ
ତୁମ୍ଭର ଏ କଥା ଶୁଣି ସମସ୍ତ ପାଇଲୁ
ଗୋବିନ୍ଦ ବୋଇଲେ ଆମ୍ଭ ଋଣୀ ହେବୁ ସିନା
ଯିସ ତିସ ପଦାର୍ଥେକ ମାଗ ନାହିଁ ମନା
ଯାହା ମାଗିବ ଅବଶ୍ୟ ତାହା ଦେଇଯିବୁ
ଦକ୍ଷିଣା ନ ଦେଇ ଗଲେ ପାତକୀ ହୋଇବୁ
ମାଗ ମାଗ ବୋଲି କହୁଥିଲେ ଦେବରାଜା
ଭିତରେ ଥାଇ ଶୁଣିଲେ ଗୁରୁଙ୍କ ଭାରିଯା
ତକ୍ଷଣେ ବାହାର ହୋଇ ପ୍ରାଙ୍ଗଣେ ମିଳିଲେ
ତାଙ୍କୁ ଦେଖି ରାମକୃଷ୍ଣ ନମସ୍କାର କଲେ
ବୋଲନ୍ତି ପଣ୍ଡାଙ୍କ ମୁଖ ଚାହିଁ ଶୁଭ୍ରକେଶୀ
କି ବିଚାର କରୁଅଛ ଗୁରୁଶିଷ୍ୟ ବସି
ସାନ୍ଦୀପନି ବୋଇଲେ ଗୋ ଶୁଣ ବରାନନେ
ଏ ଶିଷ୍ୟଙ୍କ କଥା କହି ନୁହଇ ବଚନେ
ବେଦଶାସ୍ତ୍ର ଆଦି ଥିଲେ ଯେତେ ବିଦ୍ୟାବିଧି
ଦ୍ୱାଦଶ ଦିବସେ ପଢି ସବୁ କଲେ ସିଦ୍ଧି
ପୁରୁଷ ଉତ୍ତମ ଏ ଶ୍ରୀମନ୍ତ ଶିରୋମଣି
ଗୁରୁ ଦକ୍ଷିଣା ଯାଚନ୍ତି ମୋତେ ପୁଣି ପୁଣି
ଅନେକ ମତେ ଯାଚିଲେ ନାହିଁ କଲୁ ଆମ୍ଭେ
ଘେନିମାକୁ ଇଚ୍ଛାଥିଲେ ମାଗି ଘେନ ତୁମ୍ଭେ
ଗୁରୁପତ୍ନୀ ବୋଇଲେ ସେ ଆମ୍ଭ ଧର୍ମସୁତ
ଯାଚି ଦେଉଛନ୍ତି କିପାଁ ନ ନେବା କହ ତ
ତୁମ୍ଭେ ନାସ୍ତି କଲେ ପୁଣି ଯାଚୁଛନ୍ତି ଯେବେ
କଥାଏ ମାଗିବି ଦେଇପାରିବ କି ଏବେ
ଗୋବିନ୍ଦ ବୋଇଲେ ମା ଗୋ ମାଗ କିନା ତୁମ୍ଭେ
ଦେବା ଦ୍ରବ୍ୟ ହୋଇଥିଲେ ଦେଇପାରୁ ଆମ୍ଭେ
ପତି ପତ୍ନୀ ଦୁହେଁ ତୁମ୍ଭେ ଅଟ ଏକ ଦେହୀ
ଆପଣ ଦକ୍ଷିଣା ଘେନ ଗୁରୁ ନେଲେ ନାହିଁ
ପଣ୍ଡିଆଣୀ ବୋଲେ ବାବୁ ମାଗିବି ମୁଁ ସିନା
ତା ଦେଇ ପାରିବଟିକି କହ ମୋତେ କିନା
ଦେଖ ମୋର ଘରେ କେତେ ଧନ ରତ୍ନ ନାହିଁ
ତୁମ୍ଭଠାରୁ ଧନ ଆଉ ଘେନିବି କିପାଇଁ
ତୁମ୍ଭେ ଗୁଣବନ୍ତ ବୋଲି ଗୁରୁ ମୋ ଆଗରେ
ପ୍ରଶଂସା କରିଣ ନିତି କହୁଥାନ୍ତି ଘରେ
ଦେଖିବା ଲୋକେ କହନ୍ତି ତୁମ୍ଭେ ଗୁଣଗ୍ରାହୀ
ମୁଁ ମଧ୍ୟ ତୁମ୍ଭର ଗୁଣ ଦେଖି ପ୍ରଶଂସଇ
ମନର ବେଦନା ବାବୁ ମନ ଜାଣେ ଏକା
ଲୋକ ସଂସାରରେ ମୋତେ ନକର ତୁଲେଖା
ଶ୍ରୀକୃଷ୍ଣ ବୋଇଲେ ମାତ ମାଗ ଯାହା ଇଚ୍ଛା
ଅବଶ୍ୟ ତା ଦେଇ ଆମ୍ଭେ ପୂରାଇବୁ ବାଞ୍ଛା
ଏହା ଶୁଣି ଗୁରୁପତ୍ନୀ ଅଳପ ହସିଲେ
ଦର୍ହସିତ ବଦନରେ ମାଗୁଛି ବୋଇଲେ
ମାଗ ମାଗ ମାଏ ବୋଲି ବୋଲନ୍ତି ଶ୍ରୀହରି
ନିଶ୍ଚେଁ ଦେବୁ ବୋଲି ତିନିବାର ସତ୍ୟକରି
ପଣ୍ଡିଆଣୀ ବୋଲେ ଯେବେ ଦେବାର ପ୍ରମାଣ
ମୃତ ଷଡ଼ପୁତ୍ରେ ମୋର ଲେଉଟାଇ ଆଣ
ଉତ୍ତମକୁ ଆଶ୍ରେ କଲେ ସ୍ୱଗତି ମିଳଇ
ପରଶ ପଥର ଲାଗି ଲୁହା ସୁନା ହୋଇ
ମହତ ଜନଙ୍କ ବାକ୍ୟ ନ ହୁଅଇ ଆନ
ନିଶ୍ଚୟ ଦେବାର ହେଲେ ଦିଅ ପୁତ୍ର ଦାନ
ଗୋବିନ୍ଦ ବୋଇଲେ ମା ଗୋ କହ ମୋର ପାଶ
କେବଣ ପ୍ରକାରେ ତୁମ୍ଭ ପୁତ୍ର ଗଲେ ନାଶ
ଗୁରୁପତ୍ନୀ ବୋଇଲେ ତୁ ଶୁଣ ଦାମୋଦର
ସତ୍ୟ ବଚନ କହୁଛି ଆଗରେ ତୁମ୍ଭର
ମାଘମାସେ ଅର୍କତୀର୍ଥେ ଯୋଗେ ପଡ଼ିବାରୁ
ପୁତ୍ର ଭାର୍ଯ୍ୟାସଙ୍ଗେ ଘେନି ଗଲେ ତୁମ୍ଭ ଗୁରୁ
ସମୁଦ୍ର କୂଳରେ ଯାଇ ପ୍ରବେଶ ହୋଇଲେ
ଗଡ଼ୁ ପାତ୍ର କୁଶାସନ ଉତ୍ତରୀ ଥୋଇଲେ
ପୁତ୍ରଙ୍କୁ ଘେନି ମୁଁ ଠିଆ ହୋଇଥିଲି ତୀରେ
ସ୍ନାନ କଲେ ଗୁରୁ ପଶି ସମୁଦ୍ରର ନୀରେ
ଗୁରୁଙ୍କ ପଶିବା ଦେଖି ପୁତ୍ରେ ପଶିଯାଇ
ସମୁଦ୍ରରେ ସ୍ନାନ କଲେ ଧରାଧରି ହୋଇ
ସେକାଳେ ବରୁଣ ଟେକି ଉତ୍ତୁଙ୍ଗ ଲହଡ଼ି
ପୁତ୍ରଙ୍କ ଉପରେ ଆସି ପଡ଼ିଲାକ ମାଡ଼ି
କୂଳରେ ଲାଗିଲେ ଗୁରୁ ତରତରେ ଆସି
ଷଡ଼ଗୋଟି ପୁତ୍ର ମୋର ଗଲେ ଜଳେ ଭାସି
ଜଳେ ଖୋଜି ନ ପାଇଲୁ ମୃତ୍ୟୁଶବ ଲେଶ
ବରୁଣ ରାଜାର ଆମ୍ଭେ କଲୁ କେଉଁ ଦୋଷ
ଅକାରଣେ ଷଡ଼ପୁତ୍ର ମୋର ବୁଡ଼ି ମଲେ
ଯମର ଏ ଦୋଷ ନାହିଁ ବରୁଣ ୟା କଲେ
ତୁମ୍ଭେ ଦିଶୁଅଛ ମୋତେ ଦେବତା ପରାୟେ
ଯାଇ ପାରିବ କି ବାବୁ ବରୁଣଙ୍କ ଯାଏ
ରତ୍ନାକର ପାଟଣାରେ ପୁତ୍ର ମଲେ ବୁଡ଼ି
ନ ପାଇ ଘରକୁ ଶୋକେ ଅଇଲୁ ବାହୁଡ଼ି
ପୁତ୍ରଙ୍କୁ ସୁମରି ଦହ୍ୟ ହେଉଅଛି ପ୍ରାଣ
ଲୁହ ବହି ବହି ଚକ୍ଷୁ ହୋଇଲାଣି ଜାଣ
ମନ ସେ ଜାଣଇ ବାବୁ ହୃଦର ବେଦନା
ଏସବୁ ସମ୍ପଦ ବ୍ୟର୍ଥ ହେବ ପୁତ୍ର ବିନା
ଏତେ ବୋଲି ବିକଳରେ ପୁତ୍ରଗୁଣ ଗୁଣି
ରାମ କୃଷ୍ଣ ଆଗେ ଶୋକ କଲେ ସେ ବ୍ରାହ୍ମଣୀ
ଗୋବିନ୍ଦ ବୋଇଲେ ମା ଗୋ ବିକଳ ନୋହିବା
ମୁଁ ତୁମ୍ଭ ପୁତ୍ରଙ୍କୁ ଆଣି ଦେଇପାରେ ଅବା
ଏ ତୁମ୍ଭ ମନରୁ ଭ୍ରାନ୍ତି ଛାଡ଼ସି ଗୋ ମାଏ
ଥୟ ହୋଇଥାଅ କାଲି ସୂର୍ଯ୍ୟଅସ୍ତ ଯାଏ
ପୁତ୍ରଙ୍କୁ ତୁମ୍ଭ ଛାମୁରେ ଦେବି ନିଶ୍ଚେଁ ଆଣି
ଏସନକ ଆଜ୍ଞା ଯହୁଁ ଦେଲେ ଚକ୍ରପାଣି
ସାନ୍ଦୀପନି ବୋଇଲେ ଏ ଅସମ୍ଭବ ଗିର
କେ ଦେଖିଛ ମଲାପ୍ରାଣୀ ଜୀଇଁ ଆସିବାର
ଅନନ୍ତ କୋଟି ବ୍ରହ୍ମାଣ୍ଡେ ଯେତେ ଦେହଧାରୀ
କଲା କର୍ମମାନ କେବା ପାରେ ଆନ କରି
ସୃଷ୍ଟି ସ୍ଥିତି ଉତପତ୍ତି ସଂହାରଣ ମୂଳେ
ଭୂତ ଭାବୀ ବର୍ତ୍ତମାନ ଯାର କରତଳେ
ସ୍ଥାବର ଜଙ୍ଗମ ଆଦି ଜୀବ ଚାରିଖାନି
ଅକାର ଉକାର ସଙ୍ଗେ ମକାରକୁ ଘେନି
ବେଦ ବେଦାଙ୍ଗ ସମାଧି ଧାରଣାରେ ଦେହୀ
ମଲା ଲୋକଙ୍କୁ ଜୀଆଇଁ ନ ପାରନ୍ତି କେହି
ଉପହାସ କଥା କହି ଆମ୍ଭଙ୍କୁ ନ ଭଣ୍ଡ
ସିନ୍ଧୁଜଳେ ଭାସିଗଲା ପୁତ୍ର ମୃତପିଣ୍ଡ
ଅସ୍ଥି ଚର୍ମ ମାଂସ ମେଦ ଶିରା ସ୍ନାୟୁ ଯେତେ
ପାଣିରେ ପଡ଼ି ମିଳାଇ ଗଲେ ଯେଝାମତେ
ଜଳଚର ଜୀବମାନେ କାଟି ଖଣ୍ଡ ଖଣ୍ଡ
ପ୍ରତ୍ୟକ୍ଷରେ ଖାଇଗଲେ ପୁତ୍ରଙ୍କର ପିଣ୍ଡ
ଏବେ ଲୋଡ଼ି ସେ ପୁତ୍ରଙ୍କୁ ପାଇବା କିପରି
ଭଣ୍ଡି କହୁଅଛ ବାବୁ କିପାଇଁ ଏପରି ?
ଗୋବିନ୍ଦ ବୋଇଲେ ଗୁରୁ କହିଲ ଯେ କଥା
କେ ତୁମ୍ଭ ବଚନ ଆନ ବୋଲିବ ସର୍ବଥା ?
ଭୋ ଗୁରୁ ଶୁଣିଛି ମୁହିଁ ପୁରାଣର ମାର୍ଗେ
ବିଘ୍ନେଶ୍ୱର ଜନ୍ମ ବିଧି ନାମ ସତ୍ୟଯୁଗେ
ତାହାଙ୍କ ଶିର ଈଶ୍ୱର ପକାଇଲେ ହାଣି
ହସ୍ତୀମୁଣ୍ଡ ଲଗାଇଣ ଜୀଆଇଁଲେ ପୁଣି
ମଣିଭଦ୍ର ଶିର ଆଣି ଯୋଡ଼ିଲେ ଈଶାନ
ଗଜମୁଣ୍ଡ ଲାଗିବାରୁ ନାମ ଗଜାନନ
ଲକ୍ଷ୍ମଣଙ୍କୁ ଶକ୍ତି ଫିଙ୍ଗି ରାବଣ ମାଇଲା
ବିଷଲ୍ୟ କରଣି ଆଣି ହନୁ ଜୀଆଇଁଲା
ଅନେକ ଋକ୍ଷ ବାନର ସଂଗ୍ରାମରେ ପଡ଼ି
ରଘୁନାଥ ବଚନରେ ବଞ୍ଚିଲେ ବାହୁଡ଼ି
ତାରକାସୁର ସଂଗ୍ରାମ କଲା ଯେତେବେଳେ
ଇନ୍ଦ୍ର ଦେବତା ପଡ଼ିଲେ ମାରନ୍ତେ ସେ ଶୂଳେ
ସମୟେକ ହତପାଟ ହେଲା ସ୍ୱର୍ଗଭୂମି
ମୃତ ସଞ୍ଜୀବନୀ ମନ୍ତ୍ରେ ବଞ୍ଚିଲେ ସେ ପୁଣି
ଈଶ୍ୱରଙ୍କ କୋପାନଳେ କାମ ଭସ୍ମ ହେଲା
ସୁଧର୍ମା ସଭାରେ ରତି ବିକଳେ କାନ୍ଦିଲା
ଦୁହିତାର କଷ୍ଟଦଶା ଦେଖି କୁଶପାଣି
ଅନଙ୍ଗ ନାମ ଦେଇଣ ଜୀଆଇଁଲେ ପୁଣି
ଜମଦଗ୍ନିଙ୍କର ଭାର୍ଯ୍ୟା ରେଣୁକା ବ୍ରାହ୍ମଣୀ
ମୁନିଙ୍କ ତର୍ପଣ କାଳେ ଦେଉଥିଲେ ପାଣି
ସେକାଳେ ବିମାନେ ବସି ଶୂନ୍ୟେ ଚିତ୍ରସେନ
ଚଳିଯାନ୍ତେ ଶୁଭିଲା ତା ଘଣ୍ଟିର ନିଃସ୍ୱନ
ସେ ଶବଦ ରେଣୁକାର କର୍ଣ୍ଣକୁ ଶୁଭିଲା
ଶ୍ରବଣ ଟେକନ୍ତେ ବାମା ବିଭ୍ରମ ହୋଇଲା
ତାହା ଦେଖି ମୁନି ହୋଇ କୋପେ ପରଚଣ୍ଡ
ପୁତ୍ରଙ୍କୁ ବୋଇଲେ ବେଗେ କାଟ ୟାର ମୁଣ୍ଡ
ସେ କାଳକୁ ତିନିପୁତ୍ର ପାଶେ ବସିଥିଲେ
ପିତା ଆଜ୍ଞା ନ ମାନି ସେ ଆଡ଼ ହୋଇଗଲେ
ଏ ସମୟେ ପର୍ଶୁରାମ ସେ ସ୍ଥାନକୁ ଆସି
ଦେଖିଲେ ଅତ୍ୟନ୍ତ କୋପେ ବସିଛନ୍ତି ଋଷି
ପିତାଙ୍କୁ ବୋଇଲେ କିପାଁ କରୁଅଛ ଖେଦ
ଜମଦଗ୍ନି ବୋଇଲେ ତୁ ମାତା ମୁଣ୍ଡ ଛେଦ
ଆବର ଏ ତିନିଭାଇ ମୁଣ୍ଡ ବେଗେ ହାଣ
ତାହା ଶୁଣି ପର୍ଶୁରାମ ଚ୍ଛେଦିଲେ ତକ୍ଷଣ
ମାତା ଭ୍ରାତାଙ୍କର ଶିର କରନ୍ତେ ଛେଦନ
ପରମ ସନ୍ତୋଷ ହେଲେ ଦେଖି ତପୋଧନ
ବହୁତ ପ୍ରଶଂସା କରି ପରଶୁରାମଙ୍କୁ
ବୋଇଲେ ରେ ପୁତ୍ର ବର ମାଗ ତୁ ଆମ୍ଭଙ୍କୁ
ପର୍ଶୁଧର ବୋଇଲେ ମୋ ମାତା ତିନିଭାଇ
ତବ ପ୍ରସାଦେ ଉଠନ୍ତୁ ପୂର୍ବ ଦେହ ପାଇ
ତକ୍ଷଣେ ସେ ଚାରିଜଣ ପାଇଲେ ପରାଣ
ମୁଁ କିସ କହିବି ଗୁରୁ ତୁମ୍ଭେ କି ନ ଜାଣ ?
ଅସୁରବଂଶେ ହିରଣ୍ୟକଶିପୁ ଯେ ଥିଲା
ଆପଣାର ପୁତ୍ରକୁ ସେ ନାନା ଶାସ୍ତି ଦେଲା
ଖଣ୍ଡ ଖଣ୍ଡ କାଟି ସେହି ପ୍ରହ୍ଲାଦର ମାଂସ
ଅନଳେ ପୋଡ଼ିଲା ପୁଣି ଖୁଆଇଲା ବିଷ
ହାତୀଗୋଡ଼େ କୁଦାଇଲା ଜଳେ ବୁଡ଼ାଇଲା
ପର୍ବତ ଉପରୁ ଟେକି ତଳେ ଫିଙ୍ଗିଦେଲା
ଏମନ୍ତ ପ୍ରକାରେ ତାକୁ ମାଇଲା ସେ ଯେତେ
ସେ ପୁତ୍ର ନ ମରି ପୁଣି ରହିଲା ଜୀବିତେ
କଚ ନାମରେ ଯେ ବୃହସ୍ପତିଙ୍କ କୁମର
ଶୁକ୍ରଙ୍କର ଜୁଆଇଁ ସେ ଦେବଯାନୀ ବର
ସକଳ ଅସୁରେ ତାଙ୍କୁ ବହି ଅମରଷ
କପଟରେ ଡାକିନେଇ କଲେ ପ୍ରାଣେ ନାଶ
ମାଂସ ପୋଡ଼ି ସୁରା ସଙ୍ଗେ ମିଶାଇ ଖାଇଲେ
ଝିଅଛଳେ ପୁଣି ଶୁକ୍ର ତାଙ୍କୁ ଜୀଆଇଁଲେ
ଏ ବିଧିରେ କେତେ ଦେବ ଦାନବ ମାନବେ
ପୁନରପି ପ୍ରାଣ ପାଇ ବଞ୍ଚିଛନ୍ତି ଭବେ
ଏଥକୁ ମନରେ ଗୁରୁ ନ କରିବା ଭ୍ରାନ୍ତି
ଅବଶ୍ୟ ତୁମ୍ଭର ପୁତ୍ର ଆସିବେ ବରତି
ଗୁରୁ ବୋଇଲେ ହେ ବାବୁ ଯେ ତୁମ୍ଭର ଇଚ୍ଛା
ଅଦୃଷ୍ଟି ଅଶ୍ରୁତି କଥା ଆମ୍ଭର କି ବାଞ୍ଛା
ଯେତେ ଦୃଷ୍ଟାନ୍ତର ତୁମ୍ଭେ କହିଗଲ ଠିକେ
ମର୍ତ୍ତମଣ୍ଡଳେ ଦୁର୍ଲ୍ଲଭ କଥା ଏକେ ଏକେ
ଅନେକ ଜନ୍ମ ବହୁତ ପୁଣ୍ୟ ଯେବେ କରି
ତେବେ ସେ ଏସନ ଗତି ଲଭି ହୁଏ ପାରି
ଗୋବିନ୍ଦ ବୋଇଲେ ଗୁରୁ ଆଜକ ସହିବା
କାଲି ଯାଇ ନିଶ୍ଚେଁ ତୁମ୍ଭ ପୁତ୍ରଙ୍କୁ ଆଣିବା
ଏତେ ବୋଲି ଗୁରୁପାଦେ ନମସ୍କାର କରି
ବଳଦେବଙ୍କୁ ପ୍ରଣାମ କଲେ ଦେବ ହରି
ସେ ରାମ କୃଷ୍ଣଙ୍କ ପାଦପଙ୍କଜଳୁ ଆଶ
କୃଷ୍ଣ ଯମଭୁବନରୁ ପୁତ୍ରଙ୍କୁ ଆଣି ଗୁରୁଙ୍କୁ ଦେବା ଏବଂ ରାମ କୃଷ୍ଣଙ୍କର ବାହୁଡ଼ା ବିଜେ
ଏଥୁଅନ୍ତେ ଶୁକମୁନି ବୋଲନ୍ତି ରାଜନ
କହିବା ଅପୂର୍ବ କଥା ହେତୁକରି ଘେନ
ଗୋବିନ୍ଦ କହିଲେ ବଳଦେବଙ୍କୁ ଅନାଇ
ସୁରଥଙ୍କୁ ଘେନି ତୁମ୍ଭେ ଥିବ ଆହେ ଭାଇ
ଗୁରୁ ଦକ୍ଷିଣା ଦେବାକୁ ଆମ୍ଭେ ଆରମ୍ଭିଲୁ
ପୁତ୍ରକୁ ଜୀଆଇଁ ଆଣିଦେବୁ ସତ୍ୟ କଲୁ
ରତ୍ନାକର ଭୁବନକୁ ଯିବୁ ଏହିକ୍ଷଣି
ଗୁରୁଙ୍କର ଷଡ଼ ପୁତ୍ର ଦେବୁଁ ତହୁଁ ଆଣି
ଏହା ଶୁଣି ଗୁରୁଗୃହେ ବିଶ୍ରାମିଲେ ହଳୀ
ଶୁଭ ଯୋଗେ ଅନୁକୂଳ କଲେ ବନମାଳୀ
ପାଦୁକା ମନ୍ତ୍ର ସୁମରି ଲକ୍ଷ୍ମୀଦେବୀ ସାଇଁ
ଲବଣ ସମୁଦ୍ର ତୀରେ ପ୍ରବେଶିଲେ ଯାଇ
ଦକ୍ଷିଣ ମୁଖରେ ଉଭା ହୋଇ ଦେବରାୟେ
ଦେଖିଲେ ଦୁସ୍ତର ବାରାନିଧି ବିଶ୍ୱମୟେ
ଲକ୍ଷେକ ଯୋଜନେ ଜମ୍ୱୁଦ୍ୱୀପେ ବିଦ୍ୟମାନ
କ୍ଷାର ସମୁଦ୍ର ବେଢ଼ିଛି ତାଠାରୁ ଦ୍ୱିଗୁଣ
ତଦନ୍ତରେ ଶୋଭାବନ ପାଞ୍ଚଲକ୍ଷ ପୃଥ୍ୱୀ
ବେନି ଲକ୍ଷ ଯୋଜନ ସେ ଅଟେ ଦୀର୍ଘପ୍ରତି
ମେରୁର ବାୟବ୍ୟ କୋଣେ ସେ ଅପୂର୍ବ ଦେଶ
ନୀଳ ସମୁଦ୍ର ବେଢ଼ାଇ ଅଛି ଚଉପାଶ
ତଦନ୍ତେ ଶୋଭା ଦିଶଇ କୁଶଦ୍ୱୀପ ବୋଲି
ଦୀର୍ଘପ୍ରତି ଚାଲିଲକ୍ଷ ଯୋଜନ କହିଲି
ଇକ୍ଷୁନାମେ ସମୁଦ୍ରେକ ଅଛି ତାକୁ ବେଢ଼ି
ସେ ସମୁଦ୍ର ରହିଅଛ ଶତେ ଯୂଣ ମାଡ଼ି
ତଦନ୍ତେ କାମ୍ୟକ ଦ୍ୱୀପ ଅତି ବିତପନ
ଆଡ଼ଦୀର୍ଘ ପ୍ରତିରେ ସେ ଲକ୍ଷେକ ଯୋଜନ
ସୁରାନାମେ ସମୁଦ୍ରେକ ଆବୋରିଛି ତାହା
ପୂର୍ବେ ମୟ ବିଶ୍ୱକର୍ମା ରଚିଥିଲା ଯାହା
ବାରଲକ୍ଷ ଯୋଜନ ସେ ଆଡ଼ଦୀର୍ଘ ପ୍ରତି
ଅଠର କାଠି ଗଭୀର ଜଳର ଆକୃତି
ତଦନ୍ତେ ସାଗର ନାମେ ଅଛି ଏକ ଦ୍ୱୀପ
ଏଗାର ଲକ୍ଷ ଯୋଜନ ଅଟେ ତାର ମାପ
ଦଧିନାମେ ସମୁଦ୍ରେକ ତହିଁକି ଆବୋରି
ପନ୍ଦର ଲକ୍ଷ ଯୋଜନ ତହିଁର ଯେ ବାରି
ବାଇଶ କାଠି ଗଭୀର ଜଳ ଅତି ସଞ୍ଚ
ତହିଁର ଅନ୍ତେ ସାକଲ୍ୟ ନାମେ ଦ୍ୱୀପ ଶୋଭା
ପନ୍ଦର ଲକ୍ଷ ଯୋଜନ ଆଡ଼ ଦୀର୍ଘ ପ୍ରଭା
କ୍ଷୀରନାମେ ସମୁଦ୍ରେକ ରହିଛି ଆବୋରି
ଅନନ୍ତ ଶଯ୍ୟାରେ ତହିଁ ବିଜେ ନରହରି
ଅଠର ଲକ୍ଷ ଯୋଜନ ପୁଣ୍ୟ ଜଳମୟ
ସେ ଜଳରୁ ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଉଦୟ
ଅଠଚାଳିଶ କାଠିର ଗଭୀର ସେ ଜଳ
ଆକାଶକୁ ଘୋଟିଅଛି ଅକଳିତ କୂଳ
ଶୁଣ ହେ ପରୀକ୍ଷ ରାଜା କହି ଶୁକ ଯତି
ଇତି ଶିରୀ ଭାଗବତ ପୁଣ୍ୟମୟ କୀର୍ତ୍ତି
କହନ୍ତେ ନ ସରେ ସାତ ସିନ୍ଧୁର ମହିମା
ଗଣ୍ଡୂଷକେ ପାନ କଲେ ଅଗସ୍ତି ମହତ୍ମା
ଶୁକଳ ଦ୍ୱୀପେକ ଅଛି ତହିଁର ପାରୁଶେ
ବତିଶଲକ୍ଷ ଯୋଜନ ବିସ୍ତାର ସେ ଦିଶେ
ତହିଁକି ବେଢ଼ିଛି ଅମ୍ୱୁ ନାମେ ବାରାନିଧି
ଧର୍ମ ଅର୍ଥ କାମ ମୋକ୍ଷ ଯହିଁ ହୋଇ ସିଦ୍ଧି
ଷାଠିଏ ଲକ୍ଷ ଯୋଜନ ଅଟଇ ସେ ଜଳ
ପାତାଳକୁ ଘୋଟିଅଛି ନାହିଁ ସ୍ଥଳ କୂଳ
ସେ ଜଳେ ବଡ଼ବାନଳ ଅଛି ତୋଜୋମୟେ
ଧ୍ରୁବଣ୍ଡଳ ପର୍ଯ୍ୟନ୍ତେ ତାର ଶିଖା ଯାଏ
ଆବର ତହିଁରେ ଅଛି ସୁଧାକର କୁଣ୍ଡ
ଅଶେଷ କୋଟି ବ୍ରହ୍ମାଣ୍ଡଯାକ ତହିଁ ରୁଣ୍ଡ
ପଞ୍ଚାଣୋଇ ଲକ୍ଷ ଯୂଣ ଆଡ଼ ଦୀର୍ଘ ତାର
ସେ ସିନ୍ଧୁ ମଧ୍ୟରେ ଅଛି ବରୁଣ ନବର
ପାଣି ଭିତରେ କଟକ ଯେହ୍ନେ ବାରସ୍ୱତୀ
ଦିଲକ୍ଷ ଯୋଜନ ଲମ୍ୱ ଷଡ଼ଲକ୍ଷ ପ୍ରତି
କହନ୍ତେ ନ ସରେ ନୃପ ସେ କଟକ ଗୁଣ
କୋଟି ବିଶ୍ୱକର୍ମା ଯାହା କରିଛି ନିର୍ମାଣ
ଜଳାଧିପତି ବରୁଣ ସେ କଟକେ ରାଜା
ସବୁ ସମୁଦ୍ରେ କରନ୍ତି ତା ପାଦରେ ପୂଜା
ଏକାଙ୍ଗ ଲକ୍ଷ୍ମୀ ଭୋଗ ସେ କରେ ସମରାଷ୍ଟ୍ର
ଯାହାର ମହିମା ବାଜେ ଜଗତେ ମୁରାଟ
ଜଳଜନ୍ତୁମାନଙ୍କର ଅଟଇ ସେ ନେତା
ନଦ ନଦୀ ହ୍ରଦ ସପ୍ତ ସିନ୍ଧୁର କରତା
ସମୁଦ୍ର ଜାତ ରତ୍ନର ଅଟଇ କାରେଣି
ଅଷ୍ଟଦିଗପାଳ ସଙ୍ଗେ ହୁଅଇ ବରଣି
ସେ ପୁରକୁ ଆଗମନ କରନ୍ତି ଶ୍ରୀହରି
ଆନର ବଳେ ହୋଏ କି ଏଡ଼େ କର୍ମ କରି
ଅପାଙ୍ଗ ଭଙ୍ଗୀରେ ଦୃଷ୍ଟି ଦେଲେ ଦକ୍ଷିଣକୁ
ଉଚ୍ଚାଟ ଲାଗିଲା ସେହି ବରୁଣ ପୁରକୁ
ଗମନ କରନ୍ତେ ପଥ କେତେଦୂର ଛଡ଼ା
ପାଦୁକାମନ୍ତ୍ର ସୁମରି କଲେ ଏକ ଭଡ଼ା
ମନର ପଛେ ପବନ ହୋଇଲା ବାହାର
ପବନ ସଙ୍ଗରେ ଉଡ଼ି ଚଳିଲା ଶରୀର
ଏମନ୍ତ ପ୍ରକାରେ ଅଟେ ମନ୍ତ୍ରର ପ୍ରଭାବ
ଅଶେଷ କୋଟି ବ୍ରହ୍ମାଣ୍ଡ କ୍ଷଣକରେ ଯିବ
ସେ ମନ୍ତ୍ର ମନରେ ଚିନ୍ତା କରି ନାରାୟଣ
ବରୁଣ ଭୁବନେ ଯାଇ ମିଳିଲେ ତକ୍ଷଣ
ଗଡ଼ର ପ୍ରଥନେ ଦ୍ୱାରେ ସୁବର୍ଣ୍ଣ କାଙ୍ଗୁଲା
ଆଡ଼ ଦୀର୍ଘେ ଦଶ ଦଶ ଯୋଜନ ଦିଶିଲା
କୋଶେକୋଶେ ଓସାର ତାହାର ବନ୍ଧ ଜୋଡ଼ା
ଲୁହା କବାଟରେ ବଜ୍ରକିଳଣୀ ନିବିଡ଼ା
ସହସ୍ରେ ବଖରା ଘର ତାର ବେନି ପାଖେ
ଦ୍ୱାଦଶ ନଳ ଓସାର ଏକ ବଖରାକେ
ଲୁହାର ପାଚେରୀ ଅଛି ଶତେ ଯୂଣ ଉଚ୍ଚ
ସାତ ତାଳ ଆୟତନ କାଙ୍ଗୁଲା ସୁସଞ୍ଚ
ମୁକୁତା ପୋଡ଼ା ଚୂନରେ ଧବଳ ଭୁବନ
ବିଜୁଳୀ ପରାୟ ତେଜ ଦିଶେ ଛନ୍ନ ଛନ୍ନ
ରତ୍ନାକର ପାଟଣାରେ ବସନ୍ତି ଶ୍ରୀହରି
ପ୍ରଥମ ଦ୍ୱାରକୁ ଦେଖି ପରଶଂସା କରି
ହାତୀ ରଥୀ ପଦାତିକ ଅଶ୍ୱ ନିରନ୍ତରେ
ଗଡ଼ ଦ୍ୱାର ଜଗିଛନ୍ତି ଶସ୍ତ୍ର ଧରି କରେ
ଦ୍ୱାର ଲଘିଂ ଦେବରାୟେ ଭିତରକୁ ଯାଇ
ପରମ ଆନନ୍ଦ ହେଲେ ପାଟଣାକୁ ଚାହିଁ
ମଣିମାଣିକ୍ୟ ମୁକୁତା ବେଷ୍ଟିତ ସେ ପୁରେ
ଖଞ୍ଜିଅଛି ନାନା ଜାତି ରତ୍ନ ଘରେ ଘରେ
ପ୍ରତ୍ୟକ୍ଷରେ ଦେବତା ସେ ପୁର ନର ନାରୀ
ବ୍ରହ୍ମ ପ୍ରଳୟ ପର୍ଯ୍ୟନ୍ତେ ଥାନ୍ତି ଦେହ ଧରି
ଏକକୁ ଆରେକ ବଳି ଦିଶୁଛନ୍ତି ଶୋଭା
ବାଳ ବୃଦ୍ଧ କେହି ନାହିଁ ସର୍ବେ ନବ ଯୁବା
କଟକ ଭିତରେ ପଶି ଥୋକେ ଦୂର ଗଲେ
ନଗ୍ର ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲେ
ପୁରବାସୀ ନରନାରୀ ପଛରେ ଗୋଡ଼ାଇ
ମୋହିତ ହୋଇଲେ ସର୍ବେ କୃଷ୍ଣମୁଖ ଚାହିଁ
ବୋଲନ୍ତି ଅଇଲେ କାହୁଁ ଅପୂର୍ବ ପ୍ରବାସୀ
କୋଟିଏ କନ୍ଦର୍ପ ପ୍ରାୟେ ଦିଶେ ରୂପରାଶି
କେତେକାଳ ବସି ଯତ୍ନେ ଗଢ଼ିଥିଲା ଧାତା
କେ ବୋଲନ୍ତି ଧନ୍ୟ ଧନ୍ୟ ଗର୍ଭଧାରୀ ମାତା
କୋ ବୋଲଇ କେତେ ପୁଣ୍ୟ ପିତା କରିଥିଲେ
ଏପରା ପୁତ୍ରକୁ ପାଇ କୋଳରେ ଧଇଲେ
ଏ କେଉଁ ଦେବତା ଅବା ନରରୂପ ଧରି
ଆସିଅଛି ବରୁଣଙ୍କ ପାଶେ କି ବିଚାରି
ଦେଖିବା ଲେକେ ଏମନ୍ତ କଥା ହେଉଥିଲେ
ଦ୍ୱାର ଲଘିଂ ଲଘିଂ ପ୍ରଭୁ ଭିତରକୁ ଗଲେ
ଦ୍ୱାରପାଳମାନେ ଦେଖି ଛାଡ଼ିଦେଲେ ବାଟ
ଚତୁର୍ଥ ଦ୍ୱାରେ ପ୍ରବେଶ ହେଲେ ନନ୍ଦଚାଟ
ସିଂହାସନରେ ବରୁଣ ବିଜେ କରିଥିଲେ
ଗୋବିନ୍ଦ ଆସିବା ଦେଖି ଉଚ୍ଚାଟ ହୋଇଲେ
ଧାତିକାରେ ଆସନରୁ ଉଠି ଜଳସାଇଁ
ଥୋକେ ଦୂର ଚାଲିଗଲେ ପାଛୋଟିବା ପାଇଁ
ଖଣ୍ଡେଦୂରୁ ଶ୍ରୀକୃଷ୍ଣଙ୍କୁ ଦେଖି ଜଳାଧିପ
ବୋଇଲେ ଖଣ୍ଡିଲି ଆଜି କୋଟି ଜନ୍ମ ପାପ
ମୁକୁଟ ଫିଟାଇ ଶିରେ ବେନି କର ଯୋଡ଼ି
ସାଷ୍ଟାଙ୍ଗେ ପଡ଼ଇ ରାଜା ଶୁତି ଗଡ଼ଘାଲି
କରପତ୍ର ଯୋଡ଼ି ପୁଣି ବୋଲେ ଜଳପତି
ଜୟ ଜୟ ନାରାୟଣ ଅଗତିର ଗତି
ତୁମ୍ଭେ ପ୍ରଭୁ ଜଳ ସ୍ଥଳ ଅନଳ ପବନ
ସ୍ଥାବର ଜଙ୍ଗମ ଆଦି କରିଛ ଭିଆଣ
ବେଦର ବଦନ ତୁମ୍ଭେ ବେଦାନ୍ତର ଶାଖା
ତୁମ୍ଭର ମହିମା ପ୍ରଭୁ ତୁମ୍ଭେ ଜାଣ ଏକା
କଉତୁକେ ଜନ୍ମିଅଛ ନର ଦେହ ବହି
ସ୍ତୁତିମୂର୍ତ୍ତି ପ୍ରତିମୂର୍ତ୍ତି ବିବର୍ଜିତ ଯାର
ତୁମ୍ଭେ ସେ ଅନାଦି ନାଥ ଅଜର ଅମର
ତୁମ୍ଭ କଳ୍ପନାରୁ ସ୍ୱାମୀ ଜଗତ ଉତ୍ପନ୍ନ
ଯହିଁ ଜାତ ହୁଏ ପୁଣି ତହିଁ ହୁଏ ଲୀନ
ନମସ୍ତେ ହେ ଲକ୍ଷ୍ମୀକାନ୍ତ କୃପା ଜଳନିଧି
ବାଞ୍ଛା କଳ୍ପତରୁ ତୁମ୍ଭେ ବାଞ୍ଛା କର ସିଦ୍ଧି
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ
ଦନୁଜ ଅନ୍ତକ ସ୍ୱାମୀ ଅଲୋକିତ ତେଜ
ଶ୍ରୀଜଗନ୍ନାଥ ଚରଣେ ସଦା ମୋର ସେବା
ଏସନକ ସ୍ତୁତି କରି ସେ ବରୁଣ ରାଜା
ଶ୍ରୀକୃଷ୍ଣଙ୍କ ପାଦପଦ୍ମେ କଲେ ଦିବ୍ୟପୂଜା
ରତ୍ନମୟ ସିଂହାସନେ ବସାଇଲେ ନେଇ
ଆପେ ତଳେ ଉଭାହେଲେ କାଖେ ହସ୍ତଦେଇ
ବରୁଣ ବୋଲନ୍ତି ପ୍ରଭୁ ଶୁଣ ଜଗନ୍ନାଥ
ପରିଶ୍ରମ କଲ କିପାଁ ଚାଲି ଏତେ ପଥ
ଆଜ୍ଞା ଦେଇଥିଲେ ମୋତେ ଯାଇଥାନ୍ତି ମୁହିଁ
ମନମଧ୍ୟେ ସୁମରଣା ନ କଲ କିପାଇଁ
ତବ ସୁଦୟାରୁ ଆମ୍ଭେ ବୋଲାଉ ଦେବତା
ଆଜ୍ଞା ଦେଲେ ଲଘିଂବାକୁ କେ ଅଛି ଶକତା
କି ଆଜ୍ଞା ହେଉଛି ମୋତେ ହେଉ ଧାତିକାର
ଏତେ ବୋଲି ଜଳାଧିପ ଯୋଡ଼େ ବେନିକର
ଜଗନ୍ନାଥେ ଆଜ୍ଞା ଦେଲେ ଶୁଣ ଜଳପତେ
ଅର୍କତୀଥେ ଆସିଥିଲେ ସାନ୍ଦୀପନି ସୁତେ
ସ୍ନାନ କରୁଥିଲେ ପଶି ସମୁଦ୍ରର ଜଳେ
ତରଙ୍ଗ ନାମରେ ତୁମ୍ଭ ମନ୍ତ୍ରୀ ଯାଇ ବଳେ
ଷଡ଼ଗୋଟି ବାଳକ ସେ ଆଣିଲା ଭସାଇ
ଗୁରୁଙ୍କୁ କହିଛୁ ଆମ୍ଭେ ଦେବୁ ତାଙ୍କୁ ନେଇ
କାହିଁଛନ୍ତି ସେ ବାଳକେ ଦିଅ ବେଗେ ଆଣି
ପାଇଲା ମାତ୍ରକେ ଆମ୍ଭେ ଯିବୁ ଏହିକ୍ଷଣି
ବରୁଣ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ତୁମ୍ଭେ କି ନ ଜାଣ ମୋତେ ପଚାରୁଛ ସ୍ୱାମୀ
ଯେଉଁ ଅଧିକାର ତୁମ୍ଭେ ଯାକୁ ଅଛ ଦେଇ
ସେ ତାହା ଆବୋରିଛନ୍ତି ତୁମ୍ଭ ଆଜ୍ଞା ପାଇ
ସ୍ୱାମୀ ସଂଯମନୀପୁରେ ଅନ୍ତକ ଦେବତା
ତାକୁ ଲାଗେ ପ୍ରାଣୀଙ୍କର ଜନ୍ମ ମୃତ୍ୟୁ କଥା
ତୁମ୍ଭେ ଯେ ବୋଇତ ପ୍ରାୟେ ଜଳେ ଗଲେ ଭାସି
ସମୁଦ୍ର ଲହରୀମାନେ ହେଲେ ଏଥେଁ ଦୋଷୀ
ଏଥିର ତଦନ୍ତ ତୁମ୍ଭେ ନ ଜାଣ କି ହରି
ଯେ ଯାହାର ଶୁଭାଶୁଭ କର୍ମ ଭୋଗ କରି
ଜଳ ସ୍ଥଳ ଆଦି କୀଟ ପତଙ୍ଗ ପର୍ଯ୍ୟନ୍ତେ
ତୁମ୍ଭ କଳ୍ପନାରୁ ଜାତ ହୁଅନ୍ତି ସମସ୍ତେ
ଏ ସବୁ ପ୍ରାଣୀଙ୍କୁ ଏକା ଅନ୍ତକ ମାରନ୍ତି
ଯମନେଲା ବୋଲି ଲୋକେ କେହି ନବୋଲନ୍ତି
ଯମ ଆସି ନ ମାଇଲେ ପ୍ରାଣୀ ନୋହେ ନାଶ
ବ୍ୟାଧି ସର୍ପ ଜଳାଦିରେ ଲାଗଇ ସେ ଦୋଷ
ଦେବଙ୍କ ଉପରେ ଦେବ ତୁମ୍ଭେ ଚକ୍ରପାଣି
ନିଜ ଅନ୍ତର୍ଗତେ ପ୍ରଭୁ ବିଚାର ଏ ବାଣୀ
ଅନିମିତ୍ତେ କୋପ ତୁମ୍ଭେ ନ କର ମୋଠାରେ
ଯେ ତୁମ୍ଭର ଇଚ୍ଛା କିସ କହିବି ଛାମୁରେ
ଜଗନ୍ନାଥେ ବୋଇଲେ ଯେ ତୁମ୍ଭ ଦୋଷନାହିଁ
ନିଶ୍ଚୟେ ଗୁରୁ ପୁତ୍ରଙ୍କୁ ଯମ ଅଛି ନେଇ
ଏତେ ବୋଲି ବରୁଣଙ୍କୁ ସଙ୍ଗତରେ ଘେନି
ଯମ ଭୁବନକୁ ବିଜେ କଲେ ଚକ୍ରପାଣି
ପାଦୁକା ମନ୍ତ୍ର ସୁମରି ଗଲେ ଅତି ବେଗେ
ପ୍ରବେଶ ହୋଇଲେ ଯାଇ ଯମପୁର ଲାଗେ
କୃତାନ୍ତକ ମଣ୍ଡପରେ ବିଜେ ଜନ୍ତୁପତି
ଆଗେ ଉଭା ହୋଇଛନ୍ତି ଗଣ ସେନାପତି
ଆବର ବାସ୍ତରି କାଳଗଣ ଆଗେ ଉଭା
ଚଉରାଶୀ ପ୍ରେତମାନେ ବେଢ଼ିଛନ୍ତି ସଭା
ଗର୍ଦ୍ଦଭ ମଇଁଷୀ ଓଟ ବିରାଡ଼ି ବାହାନେ
ବେନି ଧାଡ଼ି ପଟୁଆରି ଉଭା ସନ୍ନିଧ୍ୟାନେ
କାଳ ବିକାଳ ଏ ବେନି କରେ ପାଶ ଧରି
ଆଜ୍ଞା ଦେଉଛନ୍ତି ଦୂତଗଣଙ୍କୁ ତିଆରି
ଝିଞ୍ଜିର ଚମଦଉଡ଼ି କିଳା କଣ୍ଟା ଛାଟ
କ୍ଷୁର ନହୁରୁଣୀ ତପ୍ତ ଷଣ୍ଢୁଆସି ଖୁଣ୍ଟ
ଏମନ୍ତ ଆୟୁଧମାନ ଧରି ଯେଝାକରେ
ସର୍ବେ ଉଭା ହୋଇନ୍ତି ଯମଙ୍କ ଛାମୁରେ
ନିଜେ ଯମ ବସିଛନ୍ତି ସିଂହାସନ ମାଡ଼ି
ଅଷ୍ଟରତ୍ନ ଶୋଭାପାଏ ଆସ୍ଥାନରେ ଜଡ଼ି
କାଳାନ୍ତକ ମହିଷ ଯେ ଅଛି ଉଭା ହୋଇ
ଯୁଗାନ୍ତକ ଯାଏ ଯାର ମୃତ୍ୟୁ ଭୟ ନାହିଁ
ଛାମୁରେ ଅଛନ୍ତି ଚିତ୍ରଗୁପ୍ତେ ପାଞ୍ଜି ଘେନି
ସଂସାରର ହାନି ଲାଭ ଲେଖନ୍ତି ସେ ଜାଣି
ଯୁଗାନ୍ତକ ଖଡ଼ଗରେ ଶୋହେ ଭୁଜଦଣ୍ଡ
ବାମକରେ କାଳପାଶେ ତେଜରେ ପ୍ରଚଣ୍ଡ
ଲୋହିତ ପିଙ୍ଗଳ ବର୍ଣ୍ଣ ଦିଶେ ତନୁକାନ୍ତି
ଅଷ୍ଟରତ୍ନ ଆଭରଣେ ଶୋଭାପାଏ ଅତି
ଧର୍ମ ପୁରାଣ ପୁସ୍ତକ ପଡ଼ିଛି ଆଗରେ
ଶିରେ କର ଯୋଡ଼ି ବାର୍ତ୍ତା ଜଣାନ୍ତି ଡଗରେ
ଭୂତ ଭାବୀ ବର୍ତ୍ତମାନ ପାପ ପୁଣ୍ୟ ଆଦି
ଚିତ୍ରଗୁପତ କରଣେ ଜଣାନ୍ତି ସମ୍ପାଦି
ତାଙ୍କ ପାଞ୍ଜି ପ୍ରମାଣରେ ବୁଝି ସବୁ କଥା
ବିଚାରି ଦଣ୍ଡ ଦିଅଇ ସେ ଧର୍ମ ଦେବତା
ନିରାଲମ୍ୱ ପୁରୁଷ ସେ ଅଟେ ପୁଣ୍ୟଦେହୀ
ଶତ୍ରୁ ମିତ୍ର ଉଦାସୀନ ତାର କିଛି ନାହିଁ
ମାତା ଅଭିଶାପେ କୁଷ୍ଠବ୍ୟାଧି ଜାତ ହୋଇ
ଦକ୍ଷିଣ ପାଦରୁ ପୂଯ ଶୋଣିତ ବହଇ
ସଂସାରରେ ନାମଧାରୀ ପୁଣ୍ୟବନ୍ତ ଲୋକେ
ଯେଝା ଅନୁରୂପେ ଉଭା ହୋଇଛନ୍ତି ଥୋକେ
ସୋମବଂଶୀ ସୂର୍ଯ୍ୟବଂଶୀ କୋଟିରାଜା ମୂଳେ
ପଣ୍ଡୁରାଜା ବସେ ତିନି ପାବଚ୍ଛରେ ତଳେ
ଏ ସମୟେ ବରୁଣଙ୍କୁ ଘେନି ନାରାୟଣ
ମଣ୍ଡପ ଉପରେ ଯାଇ ଉଠିଲେ ତକ୍ଷଣ
ନିର୍ଭରେ ଯମଦେବତା ସେ ଦୁହିଙ୍କୁ ଦେଖି
ଉଠି ଆସି କୋଳ କଲେ ଆସନ ଉପେକ୍ଷି
ଯେ ଯାହାର ମାନ୍ୟ କରି ବସନ୍ତେ ଆସନେ
ଦିଶିଲେ ସେ ବ୍ରହ୍ମା ବିଷ୍ଣୁ ଶିବଙ୍କ ସମାନେ
କୃତାନ୍ତ ଭୁବନେ ଥିଲା ସଂଜୀବନୀ ମଣି
କୃଷ୍ଣଙ୍କୁ ତା ଭେଟିଲେ ଦେଲେ ଯମ ଆଣି
କରପତ୍ର ଯୋଡ଼ି ଯମଦେବତା କହଇ
ତୁମ୍ଭେ ଆସିବାର ବାଟ ଚାହିଁଥିଲି ମୁହିଁ
ଦୁର୍ବାସା ଋଷିଙ୍କି ମୁଁ ଯେ ଦେଲି ଅପବାଦ
ଗଳିତ କୁଷ୍ଠବ୍ୟାଧିରେ ଗଳୁଛି ମୋ ପାଦ
ଶାପକୁ କାରଣ ମୋତେ କହିଛନ୍ତି ଋଷି
ସେ କଥା ପ୍ରତ୍ୟକ୍ଷେ ଭେଟ ହେଲା ଆଜ ଆସି
ତୁମ୍ଭଙ୍କୁ ଦେଖିଲେ ମୋର ବ୍ୟାଧି ଯିବ ନାଶ
ଗୋବିନ୍ଦ ବୋଇଲେ ଦେଖି କାଢ଼ କିନା ବାସ
ଶୁଣି ଜନ୍ତୁପତି ଫିଟାଇଲେ ବସ୍ତ୍ର ଗୋଟି
କମଳ ଲୋଚନ ସ୍ୱାମୀ ଦେଲେ ଦିବ୍ୟ ଦୃଷ୍ଟି
ସନ୍ତପରେ ପୂଯ ରକ୍ତ ମିଶି ଗଳୁଥିଲା
ଗୋବିନ୍ଦ ଦୃଷ୍ଟି ପଡ଼ନ୍ତେ କ୍ଷଣକେ ଶୁଣିଲା
ମକର କେତନ ପ୍ରାୟେ ଦିଶେ ଯମରାଜା
ପୂଜସ୍ରୋତ ବହିବାରୁ ପାଉଥିଲା ଲଜ୍ଜା
ବ୍ରଣ ଶୁଖି ମାଂସ ଚର୍ମ ଉଠିଲା କଅଁଳି
ନୂଆନଖେ ବିରାଜିତ ଦିଶଇ ଆଙ୍ଗୁଳି
ତା ଦେଖି ଆନନ୍ଦ ମନେ ଉଠି ଜନ୍ତୁପତି
ଶିରେ କରପତ୍ର ଯୋଡ଼ି ଆରମ୍ଭିଲେ ସ୍ତୁତି
ଜୟ ଜୟ ଜଗନ୍ନାଥ ପ୍ରାଣୀଙ୍କ ଜୀବନ
ଅବ୍ୟକ୍ତ ପୁରୁଷ ତୁମ୍ଭେ ପ୍ରଭୁ ନିରଞ୍ଜନ
ମନ ବଚନ କର୍ତ୍ତବ୍ୟେ ତୁମ୍ଭେ ଯେ ଅଗମ୍ୟ
ପରାପର ପରମାଣୁ ପୁରୁଷ ଉତ୍ତମ
ତୁମ୍ଭ କଳ୍ପନାରୁ ସୃଷ୍ଟି ହେଉଅଛି ଜାତ
କ୍ଷଣକେ କୋଟି ବ୍ରହ୍ମାଣ୍ଡ କରିପାର ଅନ୍ତ
ପାପୀଙ୍କି ତାରିବା ପାଇଁ ତୁମ୍ଭେ ଅବତାର
ତୁମ୍ଭେ ମନ ଚକ୍ଷୁ ବୁଦ୍ଧି ଜ୍ଞାନ ଅହଙ୍କାର
ତୁମ୍ଭ ବିନା ଇହ ପରେ ଆନ କେହି ନାହିଁ
ଅଶେଷ କୋଟି ବ୍ରହ୍ମାଣ୍ଡ ଗର୍ଭେ ଅଛ ବହି
ଜଳ ସ୍ଥଳ ଆକାଶରେ ପୂର୍ଣ୍ଣ ତୁମ୍ଭ କାୟ
କେବଣ କାରଣେ କଲ ମୋ ପୁରେ ବିଜୟ
ବରୁଣ ଦେବତା କିପାଁ ସଙ୍ଗେ ଆସିଛନ୍ତି
କି ଆଜ୍ଞା ପାଳିବି ମୋତେ କହ ଲକ୍ଷ୍ମୀପତି
ଗୋବିନ୍ଦ ବୋଇଲେ ଆମ୍ଭେ ଅବନ୍ତୀ ନଗରେ
ପାଠ ପଢ଼ୁଥିଲୁ ରହି ସାନ୍ଦୀପନି ଘରେ
ଗୁରୁ ଦକ୍ଷିଣା ଯାଚନ୍ତେ ମାଗିଲେ ଯେ ଯାହା
ଅସମ୍ଭବ କଥା ଶୁଣ କହୁଅଛୁ ତାହା
ବୋଇଲେ ମୋ ଷଡ଼ପୁତ୍ର ମରିଛନ୍ତି ପୂର୍ବେ
ତାହାଙ୍କୁ ଜୀଆଇ ତୁମ୍ଭେ ଆଣିଦେବ ଏବେ
ଦେବୁ ବୋଲି ସତ୍ୟ କରି ସେ ପତି ପତ୍ନୀଙ୍କି
ଭରସା ଦେଇଣ ଆମ୍ଭେ ଅଇଲୁ ଏଥିକି
ସେ ପୁତ୍ରଙ୍କୁ ଆଣି ଯେବେ ଦେବ ଜନ୍ତୁରାଜ
ତେବେ ଜଗତରେ ଆମ୍ଭେ ନ ପାଇବୁ ଲାଜ
ଶମନ ବୋଇଲେ ତୁମ୍ଭେ ଆସିବାର ପାଇଁ
ଯତ୍ନେ ଆଣି ସେ ପୁତ୍ରଙ୍କୁ ରଖିଅଛି ମୁହିଁ
ଦେବକୀର ଷଡ଼ପୁତ୍ର ତାଙ୍କ ସଙ୍ଗେ ଛନ୍ତି
ତୁମ୍ଭ ଆଗମନ ଜାଣି ରଖିଛି ସାଇତି
ଏତେ କହି ସେ ଦ୍ୱାଦଶ ପୁତ୍ର ଆଣିଦେଲେ
ବରୁଣ ଗୋବିନ୍ଦ ଦୁହେଁ ଦେଖଇ ତୋଷ ହେଲେ
ଦ୍ୱାଦଶ ପୁତ୍ରଙ୍କ ପାଇ ଆନନ୍ଦିତ ମନ
ସନ୍ତୋଷେ କହିଲେ ପୁଣି କମଳ ଲୋଚନ
କାର୍ଯ୍ୟ ସିଦ୍ଧି ହେଲା ଆମ୍ଭେ ଯିବୁ ଏଥୁ ଫେରି
ଆବର କଥାଏ ଶୁଣ କାଳଦଣ୍ଡ ଧାରି
ଯୁଧିଷ୍ଠିର ପିତା ଏ ଯେ ପଣ୍ଡୁ ନରପତି
ମର୍ତ୍ତ୍ୟଭୁବନରେ ଖ୍ୟାତ ଏହାଙ୍କର କୀର୍ତ୍ତି
ଗୁଣବନ୍ତ ପାଞ୍ଚପୁତ୍ର କରିଛନ୍ତି ଜନ୍ମ
ଏହାଙ୍କ ବଂଶରେ ଅଛି କେଉଁ ପାପକର୍ମ
ଏ କିପାଇଁ ତୁମ୍ଭ ସଙ୍ଗେ ସଭାରେ ନ ବସି
ତିନି ପାବଚ୍ଛର ତଳେ ବସିଛନ୍ତି ଆସି
ଯମ ଦେବତା ବୋଇଲେ ଶୁଣ ନନ୍ଦବତ୍ସି
ପଣ୍ଡୁ ରାଜା ପୂର୍ବେ ବ୍ରହ୍ମହତ୍ୟା କରିଅଛି
ତୀର୍ଥ ଦୀନ ବ୍ରତ କଲେ ପାପକ୍ଷୟେ ପାଇ
ବ୍ରହ୍ମହତ୍ୟା ପାତକରେ ପ୍ରାୟଶ୍ଚିତ ନାହିଁ
ଏକମାତ୍ର ରାଜସୂୟ ଯାଗ ଯେବେ କରି
ବ୍ରହ୍ମହତ୍ୟା ପାତକରୁ ପ୍ରାଣୀ ହୋଇ ପାରି
ନିରପେକ୍ଷ ଅଟଇ ମୁଁ ଉପ୍ରୋଧ ନ କରେ
ପାପ ପୁଣ୍ୟ ଦେଖି ଦଣ୍ଡ ଦିଅଇ ବିଚାରେ
ତୁମ୍ଭେ ଯାହା ଆଜ୍ଞା ମୋତେ ଦେଇଅଛ ଆଗେ
ଧର୍ମଶାସ୍ତ୍ର ବିଚାରି ମୁଁ ଚଳେ ସେହି ମାର୍ଗେ
ତୁମ୍ଭେ ଦେବ ଆନ ଯେବେ କରିବଟି ଏହା
ଆନ ପାତନା ହୋଇବ ବିଚାରୁଛୁ ଯାହା
ଗୋବିନ୍ଦ ବୋଇଲେ ଆମ୍ଭେ ନ ଲଘିଂବୁ ମାର୍ଗ
ଆଗହୁଁ ବିଧାତା ଭିଆଇଛି ନର୍କ ସ୍ୱର୍ଗ
ଯମ ବୋଇଲେ କହିବ ଯୁଧିଷ୍ଠିଙ୍କି ଯାଇ
ରାଜସୂୟ ଯାଗ କରୁ ସେ ପିତାଙ୍କ ପାଇଁ
ଦେବତା ସେମାନେ ପାଞ୍ଚ ପୁତ୍ର ଯେଉଁ ବଂଶେ
ସେ ବଂଶ କଳଙ୍କୀ ନୋହୁ ବ୍ରହ୍ମହତ୍ୟା ଦୋଷେ
ଏମନ୍ତ ବଚନ ଶୁଣି ଉଠି ପଣ୍ଡୁରାଜା
ଶିରେ କର ଦେଇ କଲେ ଗୋବିନ୍ଦଙ୍କୁ ପୂଜା
ବୋଇଲେ ଭୋ ଦେବ ଯମ କହୁଛନ୍ତି ଯାହା
ଯୁଧିଷ୍ଠିର ଆଗେ ଯାଇ କହିବଟି ତାହା
ଯେବେ ରାଜସୂୟ ଯାଗ କରି ସେ ପାରଇ
ତେବେ ସିନା ଧର୍ମଲୋକେ ବସିବି ମୁଁ ଯାଇ
ଏତିକି ପ୍ରାର୍ଥନା ପ୍ରଭୁ ମୋ ତୁମ୍ଭ ଆଗେ
ପାଣ୍ଡବଙ୍କ ଆଗେ ଏହା କହିବଟି ବେଗେ
ତୁମ୍ଭେ ପ୍ରଭୁ ହେବ ଯେବେ ମୋ ପୁତ୍ରଙ୍କ ସଖା
ତେବେ ସଂସାରେ ପାଣ୍ଡବେ ହେବେ ସିନା ଲେଖା
ଗୋବିନ୍ଦ ବୋଇଲେ ଆମ୍ଭେ ତା ଜାଣୁ ଆଗହୁଁ
ପାଣ୍ଡବେ ଜନମ ପାଇଛନ୍ତି ଆମ୍ଭ ଦେହୁଁ
ଅଭେଦାତ୍ମା ଆମ୍ଭେ ହରି ଅରଜୁନ ବେନି
ପୃଥ୍ୱୀ ଭାରା ଉସ୍ୱାସିବୁ ତାଙ୍କୁ ସଙ୍ଗେ ଘେନି
ପଣ୍ଡୁରାଜା ବୋଲେ ପ୍ରଭୁ ଯେ ତୁମ୍ଭର ଇଚ୍ଛା
ପାଣ୍ଡବଙ୍କୁ ଆବୋରିଣ ପୃଥ୍ୱୀ କର ରକ୍ଷା
ଧାତିକାରେ କରାଇବ ରାଜସୂୟ ଯାଗ
ନିକଟେ ଯେପରି ମୋର ଯାଏ ନର୍କ ଭୋଗ
ଗୋବିନ୍ଦ ବୋଇଲେ ନୃପ ଚିନ୍ତା ଛାଡ଼ ତୁମ୍ଭେ
ନିଶ୍ଚେଁ ଯାଇ ରାଜସୂୟ କରାଇବୁ ଆମ୍ଭେ
ଏଥେ କହି ଦେବରାଜ ହୁଅନ୍ତେ ବାହାର
ଯମଦେବତା ଅଣାଇଁ ଦେଲେ ରହୁବର
ବୋଇଲେ ପୁଷ୍ପକଯାନେ ବସ ପୀତବାସ
ପଥଶ୍ରାନ୍ତ ହୋଇଗଲେ ଜାତ ହେବ କ୍ଳେଶ
ଏହା ଶୁଣି ଜଗନ୍ନାଥ ଭାଇଙ୍କୁ ଘେନାଇଁ
ରଥେ ବିଜେ କଲେ ସଙ୍ଗେ ବରୁଣଙ୍କୁ ନେଇ
ତ୍ୱରିତେ ସାରଥି ଶୂନ୍ୟେ ବାହିନେଲା ଯାନ
ବାୟୁବେଗେ ଅଶ୍ୱମାନେ କରନ୍ତି ଗମନ
ରତ୍ନାକର ପାଟଣାରେ ମିଳିଲେ ସେ ଆସି
ବରୁଣଙ୍କୁ ଛାଡ଼ି ଦେଇ ଗଲେ ବ୍ରହ୍ମରାଶି
ଗଗନ ମାର୍ଗରେ ସୂତ ରଥ ନେଲା ବାହି
ଦେବତାମାନେ ଆଶ୍ଚର୍ଯ୍ୟ ହେଲେ ତାହା ଚାହିଁ
ଅର୍ଦ୍ଧ ଆକାଶରେ ଥାଇ ପୁଷ୍ପ ବରଷନ୍ତି
ସ୍ୱର୍ଗେ ହୁଳହୁଳି ଦେଲେ ଅମର ଯୁବତୀ
ବାଜିଲା ଦୁନ୍ଦୁଭିବାଦ୍ୟ ଗାନ କଲେ ଗୀତ
ଅପସରାଗଣେ ମିଳିଲ ଆରମ୍ଭିଲେ ନୃତ୍ୟ
ଉପାଙ୍ଗ ଅଧାଟି ତାଳ ବୀଣା ଯନ୍ତ୍ର ଧରି
ଗନ୍ଧର୍ବେ ଗାଇଳେ ଗୀତ ମଣ୍ଡଳ ଆବୋରି
ପଡ଼ଇ ଛତ୍ର ଚମର ଆଲଟ ବିଞ୍ଚଣୀ
ପନୀର ଶୀତଳ ନୀର କେ ସିଞ୍ଚଇ ଆଣି
ଏସନ ପ୍ରକାରେ ରଥ ଯାଇ ଶୂନ୍ୟମାର୍ଗେ
ଅବନ୍ତୀନଗ୍ରେ ପ୍ରବେଶ ହେଲା ଅତି ବେଗେ
ଗୁରୁ ଆଗେ କଣ୍ଟ କରି ଯାଇଥିଲେ ହରି
ସେ କଥାକୁ ଗୁରୁ ମନେ ଭାଳନ୍ତି ବିଚାରି
ଥୋକାଏ ପ୍ରତେ କରନ୍ତି ଥୋକେ ପ୍ରତେ ନାହିଁ
ବୋଲନ୍ତି ମରିବା ପ୍ରାଣୀ ବଞ୍ଚିଆସେ କାହିଁ
ବୋଧ ବାକ୍ୟ କହି କୃଷ୍ଣ ଭଣ୍ଡିଗଲେ ଭଲା
କେବଳ କହିବା ଯାଏ ମନେ ପ୍ରତେ ଗଲା
କହୁଥିଲେ ବିମ୍ୱାଧରେ ମନ୍ଦ ମନ୍ଦ ହସି
ଅପୂର୍ବ ମୂରତି ଦେଖି ହେଲୁ ଆମ୍ଭେ ତୋଷୀ
ଲେଉଟି ଆସିବେ ଏଥେଁ କିପାଁ ଦାମୋଦର
ଅସମ୍ଭବ କଥା କହି ଗଲେ ଅଗୋଚର
ଏତେ ପାଞ୍ଚୁ ପାଞ୍ଚୁ ବେଳ ପ୍ରହର ଯେ ତିନି
ଜଗନ୍ନାଥ ପ୍ରବେଶିଲେ କୁମରଙ୍କୁ ଘେନି
ଚାହୁଁ ଚାହୁଁ ରଥ ପଡ଼େ ଗଗନରୁ ଖସି
ଆଦିତ୍ୟ ମଣ୍ଡଳ ପ୍ରାୟେ ତେଜ ପରକାଶି
ଅଦ୍ଭୁତ ପରାୟେ ମଣି ସର୍ବେ ଛନ୍ତି ଚାହିଁ
ଗ୍ରାମ ନିକଟରେ ରଥ ଉଭା ହେଲା ଯାଇ
ତକ୍ଷଣେ ରଥ ତେଜିଣ ଓହ୍ଲାଇ ଶ୍ରୀହରି
ଗୁରୁ ପୁତ୍ରଙ୍କୁ ସଙ୍ଗରେ ଘେନି ବିଜେ କରି
ନଗ୍ର ନରନାରୀ ଦେଖି ସ୍ତମ୍ଭୀଭୂତ ହୋଇ
ବୋଲନ୍ତି ଅପୂର୍ବ କଥା ଦେଖା ଶୁଣା ନାହିଁ
କେ ବୋଲଇ ଦେଖ ଏହି ସାନ୍ଦୀପନି ସୁତେ
ସମୁଦ୍ରରେ ବୁଡ଼ି ମରିଥିଲେ ଏ ସମସ୍ତେ
ଜୀଆଇ ଆଣିଛି ଏବେ ଦାମୋଦର ଚାଟ
ଏମନ୍ତ ବୋଲିଣ ସର୍ବେ ହୁଅନ୍ତି ଉଚ୍ଚାଟ
ନଗ୍ରଯାକ ହାଲହୋଳି ସର୍ବେ ରୁଣ୍ଡ ହେଲେ
ଶ୍ରୀଜଗନ୍ନାଥଙ୍କ ପଛେ ପଛେ ଗୋଡ଼ାଇଲେ
ଗୁରୁଙ୍କର ଷଡ଼ପୁତ୍ର ଚାଲନ୍ତି ଆଗରେ
ଦେବକୀର ଷଡ଼ ପୁତ୍ର ବାମ ଦକ୍ଷିଣରେ
ବାଳକେ ଚାଲନ୍ତି ଦାଣ୍ଡେ ପରିମଳ ଦିଶେ
କାମଦେବ ପ୍ରାୟେ ତାଙ୍କ ଶୋଭା ପରକାଶେ
ମଧ୍ୟେ ବିଜେ କରିଛନ୍ତି ନାରାୟଣ ମୂର୍ତ୍ତି
ମଧ୍ୟାହ୍ନ ଆଦିତ୍ୟ ଜାଣି ବିରାଜଇ ଜ୍ୟୋତି
କହୁ କହୁ ମିଳିଲେ ସେ ଗୁରୁଙ୍କ ଦୁଆରେ
ଚାଟ ଘେନି ବସିଛନ୍ତି ପଣ୍ଡାଏ ପିଣ୍ଡାରେ
ଖଣ୍ଡେ ଦୂରୁ ଦେଖି ଶିଷ୍ୟେ ଅଇଲେ ବୋଲନ୍ତି
ତଥାପି ତହିଁରେ ଗୁରୁ ପରତେ ନ ଯାନ୍ତି
ଏମନ୍ତ ସମୟେ ପୁତ୍ରେ ଗଲେ ନିକଟକୁ
ଆଶ୍ଚର୍ଯ୍ୟ ହୋଇଲେ ପିତା ଦେଖି କୁମରଙ୍କୁ
ବଶିଷ୍ଠ ଅନନ୍ତ ରୁକ ଧ୍ରୁବ ସନାତନ
ବିଷ୍ଣୁ ଆଦି କରି ଗୁରୁପୁତ୍ରେ ବିଦ୍ୟମାନ
ଦେବକୀଙ୍କ ଷଡ଼ପୁତ୍ର ଜନ୍ମ ହୋଇ ମରି
ନାମକରଣ ତାଙ୍କର ନାହିଁ ତେଣୁ କରି
ଏମନ୍ତେ ଦ୍ୱଦାଶ ପୁତ୍ର ଘେନି ପୀତବାସ
ଗୁରୁଙ୍କ ପିଣ୍ଡାରେ ଆସି ହୋଇଲେ ପ୍ରବେଶ
ଆନନ୍ଦେ ବସିଲେ ପୁତ୍ରେ ଯାଇ ଅତି ବେଗେ
ଥୋକେ ମାତା କୋଳେ ଥୋକେ ପିତାଙ୍କର ଆଗେ
ଯେତେ ଖେଳ ଦ୍ରବ୍ୟ ପୂର୍ବେ ଥୋଇଥିଲେ ଯହିଁ
ନିଦରୁ ଉଠିଲା ପ୍ରାୟେ ଖୋଜିଲେ ସେ ଯାଇ
ଗୁରୁପାଦେ ନମସ୍କାର କରି ଦାମୋଦର
ପାଦରେ ବନ୍ଦିଲେ ପୁଣି ବଳରାମଙ୍କର
ସାନ୍ଦୀପନି ବୋଲେ ଏତ ଅସମ୍ଭବ ବାଣୀ
ନୟନରେ ଦେଖି ନାହିଁ କର୍ଣ୍ଣେ ନାହିଁ ଶୁଣି
ଉପହାସ ପ୍ରାୟ ମୁହିଁ ମଣୁଥିଲି ଉଭା
ପୂର୍ବଭାଗ୍ୟ ଆସି ମୋର ପ୍ରାପତ ହୋଇଲା
ପୁଣି ବିଚାରନ୍ତି ଇନ୍ଦ୍ରଜାଲ ମୟାବଳେ
ଦେଖାନ୍ତି ଅନେକ ବହୁ ରୂପ କୁତୂହଳେ
ଏ କଥା ମନକୁ ପ୍ରତେ ଯାଉ ନାହିଁ ମୋର
ମାୟା କରି ଭୁଲାଇଛି କିବା ଦାମୋଦର
ଜାଳନ୍ଧର ବିଦ୍ୟାଶିକ୍ଷା କରିଥିବେ ଏହି
ଏହାଙ୍କର ମାୟା ମୋତେ ଗୋଚର ନୁହଇ
ଏ ଦୁଇ ଭାଇଙ୍କ କଥା ବିଚାରିବି କେତେ
ମାନବ ପରାୟେ ଦୁହେଁ ନ ଦିଶନ୍ତି ମୋତେ
ଚତୁର୍ଦ୍ଦଶ ଦିବସରେ ସବୁ ବିଦ୍ୟାଯାକ
ପଢ଼ି ସିଦ୍ଧ କଲେ ଥିଲା ମୋ ଠାରେ ଯେତେକ
ଏତେ ଦିନେ ଏତେ ବୁଦ୍ଧି କାହୁଁ ଏ ପାଇଲେ
ଆପଣା ଇଚ୍ଛାରେ ମୋତେ ଦକ୍ଷିଣା ଯାଚିଲେ
ମଲା ମନୁଷ୍ୟକୁ ପୁଣି ଆଣିଲେ ଜୀଆଇ
ଆଜଯାଏ ଏ କଥା କେହି କରି ନାହିଁ
ଦେଖୁ ଦେଖୁ କେମନ୍ତେ ମୁଁ ନ ଯିବି ପରତେ
ଆବର କହିଲେ ପୋଏ ପୂର୍ବକଥା ଯେତେ
ନିଜ ପୁତ୍ର ବୋଲି ଆମ୍ଭେ ଚିହ୍ନିଲୁ ତ ଭଲା
ନିଶ୍ଚେଁ ଆମ୍ଭ ପୁତ୍ର ବୋଲି ମନେ ପ୍ରତେ ଗଲା
ଆନ ଲୋକହାତେ ଏଡ଼େ କର୍ମ ନୋହେ କରି
ନିଶ୍ଚେଁ ଜଣାଗଲା ଏହୁ ଅଟନ୍ତି ଶ୍ରୀହରି
ନେହିଲେ କି ମଲା ଲୋକ ଆନରେ ଜୀଅଇ
ଅକର୍ମ କର୍ମଦାୟକ କର୍ତ୍ତା ନିଶ୍ଚେଁ ଏହି
ଗୁରୁପତ୍ନୀ ବୋଲେ ବାବୁ ମୋ ଜୀବନ ଧନୀ
ସୁଭାଗ୍ୟେ ବଳେ ମିଳିଲ ତୁମ୍ଭେ ଚାଟ ତିନି
ମରିଥିଲେ ପୁତ୍ର ମୋର ଆଣିଲ ଜୀଆଇ
ଏଥିରୁ ଅଧିକ ପୁଣ୍ୟ ପାଇବି ମୁଁ କାହିଁ
କେବଣ ଦେବତା ତୁମ୍ଭେ ନ ପାରିଲୁ ଜାଣି
ଏ ଜନ୍ମ ସଫଳ କଲ ମୃତପୁତ୍ର ଆଣି
ଅଚଳ ଭାବରେ ମୋର ପୂରିଅଛି ଧନ
ପୁତ୍ରର ବିହୀନେ ଭୋଗ କରିଥାନ୍ତା ଆନ
ଅପୁତ୍ରକ ଦୋଷ ଗଲା ପାଇଲୁ ସୁଗତି
ତୁମ୍ଭ ଯୋଗୁ ପତିପତ୍ନୀ ଲଭିଲୁ ମୁକତି
ଯେତେକ ବ୍ରାହ୍ମଣ ଥିଲେ ଅବନ୍ତୀ ନଗରେ
ଏକହୁ ଆରେକ ଏହା ଶୁଣି ପରସ୍ପରେ
ବାଳବୃଦ୍ଧ ଯୁବା ସର୍ବେ ଏକରୁଣ୍ଡ ହୋଇ
ବୋଲନ୍ତି ଅଶ୍ରୁତି କଥା ତ୍ରିଭୁବନେ ନାହିଁ
ଏତେ ବୋଲି ଆନନ୍ଦରେ ଦେଖନ୍ତି କୌତୁକ
ହାଟୁଆ ବାଟୁଆ ଆଦି ଛତିଶ ପାଟକ
ସମସ୍ତେ ଦେଖନ୍ତି ଆସି ଚଉପାଶେ ଘେରି
ଆନନ୍ଦ ଉତ୍ସବେ ପୂର୍ଣ୍ଣ ହୋଇଲା ସେ ପୁରୀ
ଜଗନ୍ନାଥ ଆଜ୍ଞା ଦେଲେ ଗୁରୁମୁଖ ଚାହିଁ
ବିଦ୍ୟା ଶିକ୍ଷା କଲୁ ଆମ୍ଭେ ତୁମ୍ଭ ଅନ୍ନ ଖାଇ
ଥୋକାଏ ଦକ୍ଷିଣା ସିନା ଦେଲୁ ଆମ୍ଭ ଯାଚି
ସନ୍ତୋଷରେ ମାଗ ଆଉ ଯାହା ଇଚ୍ଛା ଅଛି
ପଣ୍ଡାଏ ବୋଇଲେ ଆମ୍ଭ କି କରିବୁ ଦ୍ରବ୍ୟ
କୁବେର ସମ୍ପଦ ଘରେ ପୂରିଅଛି ସର୍ବ
ଯେବଣ ପଦାର୍ଥ ବାଞ୍ଛା କରିଥିଲୁ ମନେ
ସେ ବାଞ୍ଚା ପୂରଣ କଲ ତୁମ୍ଭେ ବିଦ୍ୟମାନେ
ଏତେ ବୋଲି ଗୁରୁ ରାମ କୃଷ୍ଣେ କଲେ ସ୍ତୁତି
ଜୟ କୃଷ୍ଣ କାମପାଳ ହରିହର ମୂର୍ତ୍ତି
ସତ୍ତ୍ୱ ରଜ ତମ ଗୁଣୁ ଅନ୍ତର ଯେ ସ୍ୱାମୀ
ଚିହ୍ନି ନ ପାରିଲି ତାଙ୍କୁ ମାୟା ମୋହେ ଭ୍ରମି
ଅସୁରଙ୍କ ପାଦେ ଭାର ପାଇ ବସୁନ୍ଧରୀ
ସୁଧର୍ମା ସଭାରେ କଲା ଅନେକ ଗୁହାରି
ବେନି ନୟନରୁ ଫୁଟି ଅଶ୍ରୁଧାର ଗଳେ
ବ୍ରହ୍ମାଙ୍କ ମୁଖକୁ ଚାହିଁ କାନ୍ଦିଲା ବିକଳେ
ମୁଖେ ଉଦ୍‌ଗାରଇ ରକ୍ତ ଧାର ଘନ ଘନ
ଚିନ୍ତାକୁଳେ ଅନ୍ତରାଳ ବସୁମତୀ ମନ
ତାହା ଦେଖି ବ୍ରହ୍ମା ସହ ଦେବେ ଚିନ୍ତା କଲେ
ଅନନ୍ତ ଶଯ୍ୟାରେ ଯାଇ ବିଷ୍ଣୁଙ୍କୁ କହିଲେ
ଦେବଙ୍କ ଗୁହାରି କର୍ଣ୍ଣେ ଶୁଣି ଦଇତ୍ୟାରି
କଳା ଶୁକ୍ଳ ବେନି ରାମ ଦେଲେ ଦୟାକରି
ସେ ରୋମରୁ ଅବତାର ତୁମ୍ଭେ ବେନିଜଣ
ଅଚିରେ କରିବ ପୃଥ୍ୱୀ ଭାରା ନିବାରଣ
ନମାମି ଶ୍ରୀ ରାମ କୃଷ୍ଣ ସର୍ବ ଗୁଣନିଧି
ଧର୍ମ ଅର୍ଥ କାମ ମୋକ୍ଷ କରିପାର ସିଦ୍ଧି
ଅପାର ମହିମା ନାଥ ପୁରୁଷ ଉତ୍ତମ
ଅକର୍ମ କର୍ମଦାୟକ ଯୋଗୀ ଗମ୍ୟ ଧାମ
ରୋହିଣୀ ନନ୍ଦନ ନାଥ ଦେବକୀ ତନୟ
ବସୁଦେବ ନନ୍ଦସୁତ ସ୍ୱୟଂ ବିଶ୍ୱମୟ
ନ ଜାଣି ମୁଁ ଅପରାଧ କରିଅଛି ଯେତେ
ତାହା ସବୁ କ୍ଷମା କର ଦୟା କରି ଚିତ୍ତେ
କେବଣ ଭାଗ୍ୟେ ତୁମ୍ଭଙ୍କୁ ଦେଖିଲି ନୟନେ
ସବୁ ପାପ କ୍ଷୟ ଗଲା ତବ ଦରଶନେ
ଅଚ୍ୟୁତ ଦାସ ମାଗଇ ଆହେ ଚକ୍ରଧର

ତବ ଶ୍ରୀଚରଣେ ଥାଉ ଚିତ୍ତବୃତ୍ତି ମୋର
ସାନ୍ଦୀପନି କଲେ ଯହୁଁ ଏସନକ ସ୍ତୁତି
ସନ୍ତୋଷ ହେଲେ ରେବତୀ ପତି ଲକ୍ଷ୍ମୀପତି
ଗୋବିନ୍ଦ ବୋଇଲେ ଗୁରୁ ତୁମ୍ଭେ ଆମ୍ଭେ ପିତା
ତୁମ୍ଭ ବିଦ୍ୟା ପ୍ରସାଦରେ ହେଲୁଁ ଜଗଜ୍ଜିତା
ଅଧିକା ଭାବନା ତୁମ୍ଭେ ନ କରିବ କିଛି
ଆମ୍ଭେ ଅଟୁ ନନ୍ଦସୁତ ବସୁଦେବ ବତ୍ସି
ଆମ୍ଭ ନଗରକୁ ଏବେ ବାହୁଡ଼ି ଯାଉଛୁଁ
କାର୍ଯ୍ୟକାଳେ ସୁମରିବ ଏତିକି ମାଗୁଛୁଁ
ଏମନ୍ତ ସମୟେ ମିଳି ସକଳ ବ୍ରାହ୍ମଣ
ରାମକୃଷ୍ଣ ଶିରେ କଲେ ଅକ୍ଷତ ଅର୍ପଣ
ବୃହତ୍ସାମ ଉଚ୍ଚାରଣ ସୁକଲ୍ୟାଣ ଦେଲେ
ଜୟ ରାମ କୃଷ୍ଣ ବୋଲି ସର୍ବେ ସ୍ତୁତି କଲେ
ଚାଟଙ୍କୁ ପ୍ରବୋଧ ଦେଇ ହଳୀ ଦାମୋଦର
ଗୁରୁ ଗୁରୁପତ୍ନୀ ପାଦେ କଲେ ନମସ୍କାର
ଦ୍ୱିଜଙ୍କୁ ବନ୍ଦନା କରି ଭାଇଙ୍କି ଘେନିଲେ
ଉତ୍ତରାଭିମୁଖ ହୋଇ ପଥ ଚଳିଗଲେ
ଗୋବିନ୍ଦ ବାହୁଡ଼ା ବିଜେ ଜାଣି ସୁରସାଇଁ
ମାତଳିକୁ ପଠାଇଲେ ନନ୍ଦିଘୋଷ ଦେଇ
ମାତଳି ଇନ୍ଦ୍ରଙ୍କୁ ବୋଲେ ରଥ ଆଣି ବେଗେ
ପ୍ରବେଶ ହୋଇଲେ ଆସି ରାମକୃଷ୍ଣ ଆଗେ
ଶିରେ କରପତ୍ର ଯୋଡ଼ି କହଇ ମାତଳି
ଏ ରଥରେ ବିଜେ କର ରାମ ବନମାଳୀ
ଇନ୍ଦ୍ର ଦେବ ପେଷିଛନ୍ତି ମୋତେ ରଥ ଦେଇ
ଶୁଣି ରାମ କୃଷ୍ଣ ରଥେ ବିଜେ କଲେ ଯାଇ
ଦେବକୀଙ୍କ ଷଡ଼ପୁତ୍ର ଆବର ସୁରଥ
ଏ ସମସ୍ତେ ଆରୋହିଲେ ନନ୍ଦିଘୋଷ ରଥ
ଆଗରେ ମାତଳି ବସି ବାହିନେଲେ ଯାନ
ବିଦ୍ୟା ପଢ଼ି ବାହୁଡ଼ନ୍ତି ରାମ ଭଗବାନ
ସେ ରାମ କୃଷ୍ଣଙ୍କ ପାଦେ ଲୁଳୁ ମୋର ମାଥ
ଗୀତବନ୍ଧେ ହରିବଂଶ କହଇ ଅଚ୍ୟୁତ

ଏହା ଶୁଣି କରଯୋଡ଼ି ପରୀକ୍ଷ ପୁଚ୍ଛଇ
ଏ ବଡ଼ ସନ୍ଦେହ କଥା କହିଲ ଗୋସାଇଁ
ସାନ୍ଦୀପନି ଗୁରୁ ହୋଇ ପଢ଼ାଇଲେ ପାଠ
ବ୍ରହ୍ମାଣ୍ଡ କରତା ହେଲେ ତାହାଙ୍କର ଚାଟ
ଏଡ଼େ ବଡ଼ ପୁଣ୍ୟ ସେହୁ ଅର୍ଜି ଥିଲେ କାହିଁ
ନିର୍ବାଣ ମୁକ୍ତି ପାଇଲେ କୃଷ୍ଣମୁଖ ଚାହିଁ
ଆବର ଯେ ଷଡ଼ପୁତ୍ର ପୂର୍ବେ ମରିଥିଲେ
ମଲାପରେ କେମନ୍ତେ ସେ ବାହୁଡ଼ି ଅଇଲେ
ଏ କଥା ସନ୍ଦେହ ମୋତେ ଲାଗଇ ସର୍ବଥା
ଶୁଣିଲେ ମୁକତି ହେବି କହି ବ୍ରହ୍ମବେତ୍ତା
ଏକମନ ହୋଇ ଶୁଣ ପଣ୍ଡୁ ପଣନାତି
ବିଡ଼ୋଜା ନାମରେ ଥିଲେ ସତ୍ୟଯୁଗେ ଇନ୍ଦ୍ର
ଅର୍କନାମେ ସୂର୍ଯ୍ୟ ପୁଣି ପ୍ରସାଦନ ଚନ୍ଦ୍ର
ସ୍ୱାୟମ୍ଭୁବ ମନୁ ଗଲା ଏକସ୍ତରି ଯୁଗ
ତଦନ୍ତରେ ଭଦ୍ରମନୁ କଲେ ରାଜ୍ୟ ଭୋଗ
ଶତ ବଦନ ବ୍ରହ୍ମାର ବର୍ଷ ଚଉରାଶୀ
ଶୁଭ ନାମେ ସମ୍ୱତ୍ସର ପ୍ରବେଶିଲା ଆସି
ତୁଳ କୃଷ୍ଣ ଚତୁର୍ଥୀ ଯେ ଚନ୍ଦ୍ରନାମେ ବାର
କୃତ୍ତିକା ନାମେ ନକ୍ଷତ୍ର ଭୋଗ ସେ ଦିନର
ସେ ଦିନ ଧର୍ମଦେବତା ଗୋଲୋକ ମଣ୍ଡଳେ
ଆସନରେ ବସିଛନ୍ତି କଳ୍ପବଟ ତଳେ
ଗୋକ୍ଷୀର ବରନ କାନ୍ତି ଅଜ୍ରାମର କାୟ
କୋଟିଏ ଚନ୍ଦ୍ରମା କିବା ହୋଇଛି ଉଦୟ
ମକର କୁଣ୍ଡଳ କର୍ଣ୍ଣେ ଦିଶେ ଦିବ୍ୟ ଜ୍ୟୋତି
ଆଦିତ୍ୟ ମଣ୍ଡଳେ ଯେହ୍ନେ ପ୍ରଭା ଶୋଭା ପାନ୍ତି
ସ୍ୱର୍ଣ୍ଣ ନାରିକେଳ ପ୍ରାୟେ ଉତ୍ତମାଙ୍ଗ ଗୋଟି
ସୁଚାରୁ କୁନ୍ତଳ ଲମ୍ୱି ପଡ଼ିଅଛି ଲୋଟି
ସ୍ଫଟିକ ରୁଦ୍ରାକ୍ଷ ପୋଇ ଚାନ୍ଦୁଆ ତୁଳସୀ
ମାଳ ଗଳେ ବିରାଜଇ ବକ୍ଷ ଯାଏ ଖସି
କାଖରେ ବେଦକରାଣ୍ଡି ହସ୍ତେ କୁଶବଟୁ
ରୁଦ୍ରବନ୍ଧ ଓଢ଼ିଆଣୀ ଯୋଗାସନ ପଟୁ
ପଦ୍ମାସନେ ବସିଛନ୍ତି ମୂଳ କମଳରେ
ଡାହାଣ ବର୍ତ୍ତକ ଶଙ୍ଖ ଅଛି ନିକଟରେ
ପାଦର ଉପରେ ପାଦ ଛନ୍ଦି ମହାଜ୍ଞାତା
ସ୍ଫଟିକ ଆସନେ ବସିଛନ୍ତି ଉର୍ଦ୍ଧ୍ୱରେତା
ଛାମୁରେ ଗୋମାତା ଆସି ଉଭା ହୋଇଛନ୍ତି
ଅଣ୍ଡିର ବାଛୁରୀ ଷଡ଼ଗୋଟି ସଙ୍ଗେ ଛନ୍ତି
ଗୋମାତା ରହିଲେ ଧର୍ମ ଦେବଙ୍କ ଆଗରେ
ବାଳୁତ ବତ୍ସାଏ ଚରିଗଲେ ଯେ ଯାହାରେ
ଧର୍ମ ଦେବ ମଢ଼ିଆରେ ବାଡ଼ ଭାଙ୍ଗି ପଶି
ହାଣ୍ଡି ଭାଙ୍ଗି ଅନ୍ନ ଖାଇ ହେଲେ ଘଷାଘଷି
ସେ ସମୟେ ଦଶମୁଖ ବ୍ରହ୍ମା ହଂସ ଚଢ଼ି
ବାଟ ଭାଙ୍ଗିଗଲେ ତାଙ୍କୁ ନ ଦେଲେ ଘଉଡ଼ି
ସେ ବ୍ରହ୍ମା ମିଳିଲେ ଯାଇ ଧର୍ମଦେବ ଆଗେ
ଆସନ ଉପରେ ଧର୍ମ ବସିଛନ୍ତି ଯୋଗେ
ମୂଳ କମଳକୁ ଚାପି ଚିତ୍ତ ଦୃଢ଼ କରି
ପ୍ରାଣ ପବନ ଭିତରେ ଅପାନକୁ ଭରି
ଷଡ଼ଚକ୍ରେ ପଞ୍ଚ ଊନ ପଞ୍ଚାଶ ପାଖୁଡ଼ା
ହଂସ ଘରକୁ ଦ୍ୱାଦଶ ଅଙ୍ଗୁଳି ସେ ଛଡ଼ା
ଷୋଳ ଡମ୍ୱରୁ ଫୁଟାଇ ବାୟୁ ଜିଣି ଯିବ
ସହସ୍ର ଦଳ କମଳେ ଭ୍ରମର ଭେଟିବ
କାଉଁରି ମଣ୍ଡଳ ପରେ ମାନ ସରୋବର
ସେଠାରେ ଭେଟିଛି ଆସି ତ୍ରିବେଣୀର ଧାର
ଇଳା ପିଙ୍ଗଳା ସୁଷୁମ୍ନା ତିନି ଧାର ରୂନ୍ଧି
ମନ ପବନ ଏ ଦୁହେଁ ହୋଇଛନ୍ତି ବନ୍ଦୀ
ତହୁଁ ସେ ଝରଇ ତହିଁ ପୂରଇ ସେ ଯାଇ
କାଳ କାମ ନିଦ୍ରା ଅଛି ତାକୁ ବାଟ ଚାହିଁ
ପଞ୍ଚଭୂତ ପଞ୍ଚତତ୍ତ୍ୱ ପ୍ରକୃତି ପଚିଶ
ମନ ବୁଦ୍ଧି ଅହଙ୍କାର କରିଛନ୍ତି ବାସ
ତା ମଧ୍ୟେ ଚେତନା ପଶି ଭ୍ରମେ ନାନାମତେ
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସହିତେ
ଏସନ ପ୍ରକାରେ ଧର୍ମଦେବତା ଆସ୍ଥାନେ
ବସିଛନ୍ତି ସମାଧିରେ ଆଧ୍ୟାତ୍ମିକ ଜ୍ଞାନେ
କେତେ ଯୁଗ କେତେ ମନୁ କଳ୍ପାନ୍ତର ଗଲା
ଯୋଗଭଙ୍ଗ ହୋଇ ବାହ୍ୟଜ୍ଞାନ ପ୍ରସରିଲା
ଅମୃତ ଲୋଚନ ଫେଡ଼ି ଚାହିଁ ଜଗଜ୍ଜ୍ୟୋତି
ଦେଖିଲେ ଗୋମାତା ବ୍ରହ୍ମା ଏ ଦୁହେଁ ଅଛନ୍ତି
ଗୁରୁଙ୍କ ପ୍ରଣାମ କରି ଆଗେ ହେଲେ ଉଭା
ଧର୍ମ ପଚାରିଲେ କିପାଁ ଆସିଅଛ ବାବା
ସେ ଦୁହେଁ ବୋଇଲେ ତବ ଦରଶନ ପାଇଁ
ବସିଅଛୁ ଏ ସ୍ଥାନରେ କେତେ କାଳୁ ଚାହିଁ
ଅନେକ ଜନ୍ମରେ ଯେବେ କରିଥିବ ତପ
ସେହି ତପବଳେ ଦେଖାଯାଏ ତୁମ୍ଭ ରୂପ
ଏକାଳେ ମିଳିଲେ ତହିଁ ଆସି ଷଡ଼ବତ୍ସା
ପେଟ ଭରି ଖାଇଛନ୍ତି ଯେତେ ଯାର ଇଚ୍ଛା
ବାଡ଼ିର ତୁଳସୀ ଗଛ ଫଳ ଫୁଲ ତୋଟା
ସବୁ ଖାଇ କରିଛନ୍ତି ଦେହ ମୋଟା ମୋଟା
ଅନ୍ନ ଖାଇ ମଢ଼ିଆରେ ଥିଲା ଯେତେ ହାଣ୍ଡି
ପାଦେ ଭାଙ୍ଗି କରିଛନ୍ତି ସବୁ ଖଣ୍ଡି ଖଣ୍ଡି
ଧର୍ମବେଦ ପଚାରିଲେ ସେ ବତ୍ସାଙ୍କୁ ଚାହିଁ
ଗୋମାତାର ପୁତ୍ରମାନେ ଥିଲ ତୁମ୍ଭେ କାହିଁ
ବତ୍ସାଏ ବୋଇଲେ ପେଟ ପୋଷିବାର ପାଇଁ
ତୃଣ ପତ୍ର ଚରୁଥିଲୁ କେତେ ଦୂରେ ଯାଇ
ଚରିଲୁ ଅନେକ ବନ ପର୍ବତ ସୀମାରେ
ତଥାପି ଉଦର ପୂର୍ଣ୍ଣ ନୋହିଲା ତହିଁରେ
ଦଦରା କୁଡ଼ିଆଟିଏ ନିକଟରେ ଥିଲା
ତହିଁରେ ଚରନ୍ତେ ପଟେ ପୂରଣ ହୋଇଲା
ଗୋଟିଏ ହାଣ୍ଡିରୁ ଅନ୍ନ ନ ପାଇଲୁ ଖାଇ
ଯେତେ ଖାଉ ତେତେ ପୁଣି ଉବୁରି ପଡ଼ଇ
ବାଡ଼ିରେ ଅନେକ ଫୁଲ ଫଳ ଗଛ ଥିଲା
ସ୍ୱଇଚ୍ଛାରେ ଖାଇଲୁ ସେ ପେଟକୁ ଅଣ୍ଟିଲା
ବେଉଷା ଖାଇଲୁ କେହି ଅଡ଼ାଇଲେ ନାହିଁ
ତେଣୁ ଆମ୍ଭେ ଚରୁଥାଉ ନିର୍ଭୟରେ ତହିଁ
ଖାଇ ଖାଇ ଦେହ ପୁଷ୍ଟ ହୋଇଲା ଆମ୍ଭର
ଏ କଥାରେ କିଛି ମିଥ୍ୟା ନାହିଁ ମନେ କର
ଧର୍ମଦେବତା ବୋଇଲେ ମନ୍ଦ କୃତ୍ୟ କଲ
ଆମ୍ଭର ମଢ଼ିଆ ଭାଙ୍ଗି ପାତକ ଅର୍ଜିଲ
ଯେବଣ ତୋଟା ଉଜାଡ଼ି ଖାଇଅଛ ତୁମ୍ଭେ
ସେ ତୋଟା ପୁଷ୍ପରେ ପୂଜା କରୁଥିଲୁ ଆମ୍ଭେ
ବାଡ଼ ଭାଙ୍ଗି ସବୁ ଦ୍ରବ୍ୟ କଲ ନାରାଖାର
ପୁରୁଣା ମଢ଼ିଆ ଗୋଟି ବହୁତ କାଳର
ଏ କେତ ଅଣ୍ଡିରା ଗୋରୁ ଗୋମାତାର ବଳା
ଜାତି ସ୍ୱଭାବରେ ମୂର୍ଖ ବଳେ ଅନର୍ଗଳା
ତୁମ୍ଭର ପେଲନ୍ତେ ଗିରି ପଡ଼ିଯିବ ଟଳି
ଡାଳ ପତ୍ର ଘର ଗୋଟି ପଶିଗଲ ପେଲି
ଭିତରେ ପଶିଣ ପୁଣି କଲ ଅନାଚାର
ଏମନ୍ତ ଅନ୍ୟାୟ କର୍ମ ଅଟଇ ତୁମ୍ଭର
ଜାଣୁ ଜାଣୁ କଲ କିପାଁ ଅନୀତି ଅକର୍ମ
ଆଜହୁଁ ତୁଟିଲା ଆୟୁ ନାଶ ଗଲା ଧର୍ମ
ଆମ୍ଭ ଶରୀରକୁ ଏବେ ଲାଗୁଅଛି କ୍ଷୁଧା
ଅନ୍ନ ନ ଖାଇଲେ ଜାତ ହେବ ବ୍ୟାଧି ବାଧା
ବ୍ୟାଧି ଜାତ ହେଲେ ପୁଣି ସତ ରହେ ନାହିଁ
ଦେହ ସୁସ୍ଥ ଥିଲେ ଦେହୀ ଧର୍ମ ଆଚରଇ
ଆବର କରିବୁ ଦେବ ପୂଜା ନିଶା ଭାଗେ
ଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ପ ଯୋଗେ
ଫୁଲ ଫଳ ନଇବେଦ୍ୟ ପାଇବୁଟି କାହୁଁ
ଯାହା ଯେତେବେଳେ ଲୋଡ଼ା ଆଣୁଥିଲୁ ତହୁଁ
ତା ପରା ତୋଟା ଆମ୍ଭର ଖାଇ କଲ ନାଶ
ମଢ଼ିଆ ସହିତେ ଭାଙ୍ଗି ସବୁ କଲ ଧ୍ୱଂସ
ବିଶ୍ରାମ କରିବୁ ଏବେ ଗଲେ ଆମ୍ଭେ କାହିଁ
ଆତ୍ମା ଲିଙ୍ଗ ପୂଜା କ୍ଷୁଧା ବଞ୍ଚିବୁ କି ଖାଇ
ତୁମ୍ଭଯୋଗେ ହେଲା ସିନା ଆମ୍ଭର ଏ କଷ୍ଟ
ଗୋରୁ ପଶୁଜାତି ତୁମ୍ଭ ବୁଦ୍ଧି ବଡ଼ ନଷ୍ଟ
ବତ୍ସାଏ ବୋଇଲେ ତୁମ୍ଭେ ଯାହା ଭିଆଇଛ
ସଂସାରେ ଯେତେ ପଦାର୍ଥ ସବୁ ଆମ୍ଭ ଭକ୍ଷ୍ୟ
ଆମ୍ଭ ନୟନରେ ଆମ୍ଭେ ଯାହା ଦେଖୁ ଚାହିଁ
ଶତେ ବାଡ଼ ଥିଲେ ଭାଙ୍ଗି ତାହା ଖାଉ ଯାଇ
ଆମ୍ଭର ନିମନ୍ତେ ଖଣା କାନ୍ଥ କଣ୍ଟା ବାଡ଼
ଅତିଅନ୍ତ ଲୋଭୀ ଆମ୍ଭେ ଖାଉ ବନଝାଡ଼
ଏଣୁ ବିଚାରିଲେ ଆମ୍ଭେ ଦୋଷ ତିଳେ ନାହିଁ
ଏ ବ୍ରହ୍ମା ଦେଖିଲେ କିପାଁ ନ ଦେଲେ ଅଡ଼ାଇ
ତୁମ୍ଭର ବିଶ୍ରାମ ବୋଲି ଜାଣି ନାହୁଁ ଆମ୍ଭେ
ନୂତନ ପଲ୍ଲବ ବୋଲି ପଶିଗଲୁ ଲୋଭେ
ଜାଣିଥିଲେ ଖାଇଥାନ୍ତୁ କିପାଁ ଆମ୍ଭେ ଯାଇ
ଅଜ୍ଞାନରେ ପାପାବାଧା ଲାଗଇ କି ନାହିଁ
ଧର୍ମଦେବତା ବୋଇଲେ ଅଜ୍ଞାନରେ ବିଷ
ଯେ ପାନ କରଇ ତାର ପୂରଇ ଆୟୁଷ
ନ ଜାଣି ଅଗ୍ନି କୁଦିଲେ ପାଦ ଯାଏ ପୋଡ଼ି
ନ ଜାଣି ଜଳେ ପଶିଲେ ନିଶ୍ଚେଁ ମରେ ବୁଡ଼ି
ନ ଜାଣି ନ ବୁଣି ବୀଜ ପଡ଼ିଲେ ଭୂମିରେ
ଅବଶ୍ୟ ଅଙ୍କୁରି ଫଳ ଫଳଇ ତହିଁରେ
ଏତେ ବୋଲି କହିଲେ ସେ ବ୍ରହ୍ମା ମୁଖ ଚାହିଁ
ତୁମ୍ଭେ ତ ଦେଖିଲ କିପାଁ ନ ଦେଲ ଅଡ଼ାଇ
ତୁମ୍ଭେ ବ୍ରହ୍ମା ଅଟ ସର୍ବ ଜୀବର କାରେଣି
ଜଗତ କାରଣ ହୋଇ ନ ବୁଝିଲ ଜାଣି
ନୟନରେ ଦେଖି ତୁମ୍ଭେ ନ ଦେଲ ଅଡ଼ାଇ
ଏଥିକି ମାତ୍ର ନ କଲ ତୁମ୍ଭେ ଆମ୍ଭ ପାଇଁ
ବିଦ୍ୟାବନ୍ତ ହୋଇ ଯେବେ ଛାଡ଼ିଲ ବିବେକ
ଏଥିରେ ତୁମ୍ଭର ପାପ ହୋଇଲା ଅନେକ
ଏ ଯେ ଗୋମାତା ଏହାଙ୍କୁ କହିବା କି ବାଛି
ଭୃତ୍ୟ ଅପରାଧେ ଦଣ୍ଡ ସ୍ୱାମୀର ତ ଅଛି
ଏଡ଼େ ଦୁଷ୍ଟ ପୁତ୍ର ବୋଲି ଆଗୁଁ ଜାଣିଥିଲ
ଆମ୍ଭ ଭୁବନକୁ କିପାଁ ସଙ୍ଗତେ ଆଣିଲ
ଯଦ୍ୟପି ଆଣିଲ କିପାଁ ପାଶୁଁ ଦେଲ ଛାଡ଼ି
ପଳାଇଲା ପରେ କିପାଁ ନ ଆଣିଲ ଲୋଡ଼ି
ଏହାଙ୍କ ଯୋଗୁଁ ଆମ୍ଭର ଗଲା ସର୍ବ ନାଶ
ଅବଶ୍ୟ ପିତାମାତାଙ୍କୁ ଲାଗେ ପୁତ୍ର ଦୋଷ
ଏଣୁ ତୁମ୍ଭେ ଆଠ ଜଣ ହେଲ ଅପରାଧୀ
ଧର୍ମମାର୍ଗ ଛାଡ଼ି ଦୁଷ୍ଟ ପରପଞ୍ଚ ବୁଦ୍ଧି
କଲା ପାପ ଅନୁକ୍ରମେ ପାଅ ପ୍ରାୟଶ୍ଚିତ୍ତ
ସହସ୍ର ଜନ୍ମ ମାନବ ଦେହେ ହୁଅ ଜାତ
ବିଧାତା ଗୋମାତା ଦୁହେଁ ପତି ପତ୍ନୀ ହେବ
ମାନବ ଶରୀରେ ସୁଖ ଦୁଃଖ ପାଉଥିବ
ଏହି ଷଡ଼ ବତ୍ସା ତୁମ୍ଭ ଷଡ଼ ପୁତ୍ର ହେବେ
ଜଳେ ବୁଡ଼ି ଅକାଳରେ ମରଣ ଲଭିବେ
ବ୍ରହ୍ମାଏ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ଶାପର କାରଣ ମୋତେ କହିଦେବା ସ୍ୱାମୀ
କେବଣ ପ୍ରକାରେ କ୍ଷୟ ହେବ ପାପରାଶି
ତେସନକ ଆଜ୍ଞା ମୋତେ ଦିଅ ବ୍ରହ୍ମରାଶି
ମୋହର ଶାପରେ ଯେବେ ମୁହିଁ ଗଲି ନାଶ
ତୁମ୍ଭ ସୁଖ ଚାହିଁଲେ କି ଥିବ ଆଉ ଦୋଷ
ନିରଞ୍ଜନ ଆଜ୍ଞା ଦେଲେ ସମୟେକ ଯାନ୍ତେ
କୃଷ୍ଣ ଅବତାର ହେବେ ଦ୍ୱାପର ଯୁଗାନ୍ତେ
ନନ୍ଦଘରେ ରହି ଆଠ ବରଷ ବଢ଼ିବେ
କଂସକୁ ମାରିବା ପାଇଁ ଗୋପ ଛାଡ଼ିଯିବେ
ସାନ୍ଦୀପନି ପଣ୍ଡା ନାମ ବହି ମର୍ତ୍ତ୍ୟପୁରେ
ତୁମ୍ଭେ ବାସ କରିଥିବ ଅବନ୍ତୀ ନଗରେ
ମଥୁରା ନଗରୁ ରାମକୃଷ୍ଣ ଚାଟ ବେଶେ
ବିଦ୍ୟା ଶିକ୍ଷା କରିବାକୁ ଯିବେ ତୁମ୍ଭ ପାଶେ
ଦକ୍ଷିଣା ଯାଚିବେ ତୁମ୍ଭଠାରେ ପାଠ ପଢ଼ି
ଏ ଷଡ଼ ବତ୍ସାଏ ମରି ଥିବେ ଜଳେ ବୁଡ଼ି
ଏହାଙ୍କୁ ଜୀଆଇ ଯମପୁରୁ ଆଣି ଦେବେ
ସେ ଦିନ ଶାପରୁ ମୁକ୍ତ ହେବ ତୁମ୍ଭେ ସର୍ବେ
ମୁକତ ହୋଇବ ରାମ କୃଷ୍ଣ ଦରଶନେ
ଏତେ କହି ଧର୍ମଦେବ ରହିଲେ ମଉନେ
ସେ ଦିନୁ ସେ ଆଠଜଣ ଜନ୍ମିଲେ ମର୍ତ୍ତ୍ୟରେ
ସହସ୍ରେ ଜନ୍ମ ତାଙ୍କର ଏହିଠାରୁ ସରେ
ସାନ୍ଦୀପନି ଷଡ଼ପୁତ୍ରେ ବୁଡ଼ି ମରିଥିଲେ
ଶ୍ରୀକୃଷ୍ଣ ଜୀଆଇ ତାଙ୍କୁ ପୁଣି ଆଣି ଦେଲେ
ସମୟେକ ସୁଖଭୋଗ କରିବେ ନିଶ୍ଚିନ୍ତେ
ଶାପୁଁ ମୁକ୍ତ ହୋଇ ପୁଣି ଯିବେ ସ୍ୱର୍ଗପଥେ
ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନି
ଇତି ଶ୍ରୀବିଷ୍ଣୁ ପୁରାଣ ଭାଗବତ ଧ୍ୱନି
ଇଦଂ ଏକ ପଞ୍ଚାଶତ ଅଧ୍ୟା ଶେଷ ହୋଏ
ଜୟ ଜୟ ବିଶ୍ୱନାଥ ଜୟ ବ୍ୟୋମକେଶ
ବିଶ୍ୱ ଚିନ୍ତାମଣି ତୁମ୍ଭେ ଅନାଦି ପୁରୁଷ
ଶୁକଳ ବରନ ତନୁ ଦିବ୍ୟ ଜଟା ଶିରେ
ତ୍ରିଶୂଳ ପିନାକ ଧନୁ ଶୋଭା ପାଏ କରେ
ଡମ୍ୱୁରୁ ପରଶୁ ଖଣ୍ଡା ଶ୍ୱେତନାଗ ମୃଗ
ଚିତାଭସ୍ମ ନୃକରୋଟୀ ବିଭୂଷିତ ଅଙ୍ଗ
ଜଟାମୂଳ ଗଙ୍ଗାତଟେ ଶୋହେ ବାଳ ଇନ୍ଦୁ
ନମସ୍ତେ ହେ ବିଶ୍ୱନାଥ ଉମାପ୍ରାଣ ବନ୍ଧୁ
ତାଣ୍ଡବ ନୃତ୍ୟରଙ୍ଗରେ ଭୋଳେ ତୁମ୍ଭ ମତି
ଅଷ୍ଟାଙ୍ଗ ଯୋଗେ ନିର୍ଜିତ ନମୋ ପଶୁପତି
ବାମ କନ୍ଧେ କାଳସର୍ପ ଗଳେ ମୁଣ୍ଡମାଳ
ବେନି ପାରୁଶରେ ଉଭା ନନ୍ଦୀ ମହାକାଳ
କାର୍ତ୍ତିକେୟ ଗଣନାଖ ନାଗାର୍ଜୁନ ମୂଳେ
ରୁଦ୍ରଗଣ ଖଟିଥାନ୍ତି ପାଦପଦ୍ମ ତଳେ
ବୃଷଭ ପିଠିରେ ବିଜେ ଗତି ଧୀର ଧୀର
ରୁଣୁ ଝୁଣୁ କ୍ଷୁଦ୍ର ଘଣ୍ଟି ବାଜେ ନିରନ୍ତର
ମର୍କତ କୁଣ୍ଡଳ ଶୋଭା ପାଏ ଗଣ୍ତସ୍ଥଳେ
ଝର ଝର ହୋଇ ଗଙ୍ଗା ମସ୍ତକରେ ଗଳେ
ଡିବି ଡିବି ଡମ୍ୱରୁ ଯେ ବାଜେ ନବ କୋଟି
ସ୍ଫଟିକ ରୁଦ୍ରାକ୍ଷ ମାଳା କନ୍ଥା ଚିରିକୁଟି
ଚଞ୍ଚକାର ଚଞ୍ଚପଟ ଭର ହର ରଙ୍ଗେ
ଶ୍ମଶାନ ଭୂମିରେ କ୍ରୀଡ଼ା ଭୂତଗଣ ସଙ୍ଗେ
ମହାନ୍ତ ଭୈରବ ରୂପ ଭୟଙ୍କର ଶୀଳ
ନାମ ସୁମରିବା ମାତ୍ରେ ହୁଅଇ ମଙ୍ଗଳ
ନମସ୍ତେ ଶ୍ରୀ ସଦାଶିବ ଭକ୍ତଜନ ବନ୍ଧୁ
ନମସ୍ତେ ଶ୍ରୀ ସଦାଶିବ କୃପାଜଳ ସିନ୍ଧୁ
ନମସ୍ତେ ଶ୍ରୀ ସଦାଶିବ ଚଉବର୍ଗ ଦାନି
ସର୍ବଜ୍ଞ ପୁରୁଷ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ମର୍ତ୍ତ୍ୟରେ ପବିତ୍ର ଭୂମି ଭାରତ ବରଷ
ସର୍ବଗୁଣେ ଅଳଂକୃତ ଏ ଉତ୍କଳ ଦେଶ
ବିରଜା ମଣ୍ଡଳ ଠାରୁ ଲାଉକେଶ ଯାଏ
ଦ୍ୱାଦଶ ଯୋଜନ ଭୂମି ଅତି ପୁଣ୍ୟମୟେ
କୀର୍ତ୍ତିବାସ କୋଣାରକ ଶ୍ରୀପୁରୁଷୋତ୍ତମ
ବିରଜା ଏ ଚାରିକ୍ଷେତ୍ର ଆଦି ବ୍ରହ୍ମା ନାମ
ଚତ୍ରୋତ୍ପଳା ନାମେ ପୁଣି ବହେ ପୁଣ୍ୟନଦୀ
ବିନ୍ଧ୍ୟ ପର୍ବତରୁ ଫୁଟି ସମୁଦ୍ରକୁ ଭେଦି
ଅନେକ ବନ କନ୍ଦରେ ହାଟ ପାଟମୂଳେ
ସିଦ୍ଧ ସାଧ୍ୟ ଋଷିମାନେ ଛନ୍ତି ବେନି କୂଳେ
ସେ ନଦୀ ଦକ୍ଷିଣ କୋଣେ ଗୁପ୍ତ ବାରାଣସୀ
ବିଶ୍ୱେଶ୍ୱର ନାମେ ତହିଁ ବିଜେ କାଶୀବାସୀ
କୋଟିଏ ଲିଙ୍ଗ ସଙ୍ଗତେ ଘେନି ପଞ୍ଚମଥା
ବିଜେ କରିଛନ୍ତି ସ୍ୱାମୀ ଭୁକ୍ତି ମୁକ୍ତି ଦାତା
ବାରେ ଦରଶନ କଲେ ପାପ ହୋଏ ଖଣ୍ଡି
ଭୟେ ଯମଦେବ ତାକୁ ନ ପାରଇ ଦଣ୍ତି
ବିଶ୍ୱନାଥ ବୋଲି ଯେହୁ ଉଚ୍ଚାରଇ ମୁଖେ
ଖଣ୍ଡଇ ଦରିଦ୍ର ବାଧା ବସେ ଶିବ ଲୋକେ
ଚିତ୍ରୋତ୍ପଳା ଜଳେ ସ୍ନାନ କରି ବିଶ୍ୱନାଥ
ଦରଶନ କଲେ ପ୍ରାଣୀ ପାଏ ମୋକ୍ଷ ପଥ
ଧନ୍ୟ ଧନ୍ୟ ଚିତ୍ରୋତ୍ପଳା ନଦୀ ପୁଣ୍ୟ ବାରି
ଜମ୍ୱୁଦ୍ୱୀପ ମେଦିନୀରେ ତୁହି ଅଧିକାରୀ
ଗଣ୍ଡୁଷ ପ୍ରମାଣେ ଜଳ ଆପ୍ୟାନ କରନ୍ତେ
କଳୁଷ ଖଣ୍ଡଇ ସୁଖେ ଯାଏ ସ୍ୱର୍ଗପଥେ
ଶ୍ରୀ ବିଶ୍ୱନାଥ ଚରଣେ ଲୁଳୁ ମୋର ମାଥ
ଅଚ୍ୟୁତ ଦାସ କରିବ ମୁକ୍ତିମାର୍ଗ ଚିନ୍ତା

ରୁକ୍ମିଣୀଙ୍କ ସ୍ୱୟମ୍ୱର ଉପଲକ୍ଷେ ରାଜାମାନଙ୍କର ସମାଗମ ଓ ସ୍ୱୟମ୍ୱର ସଭା ବର୍ଣ୍ଣନା[ସମ୍ପାଦନା]

ଏଥୁ ଅନନ୍ତପେ ପୁଣି ପରୀକ୍ଷିତ ରାଜା
ଶୁକ ବ୍ରହ୍ମା ଚରଣରେ କଲେ ଦିବ୍ୟ ପୂଜା
ଭୋ ମୁନି ଅପୂର୍ବ କଥା କହିଲ ମୋ ଆଗେ
ସଂକ୍ଷେପରେ ଶ୍ରବଣ ମୁଁ କଲି ପୂର୍ବଭାଗ୍ୟେ
ଏଥୁଅନ୍ତେ କିସ ହେଲା କହ ପୁଣ୍ୟମୟ
ଶୁଣିବି ଶ୍ରୀ ହରିବଂଶ ପାପଯିବ କ୍ଷୟ
ରାଜାର ବଚନ ଶୁଣି ଶୁକ ମହାଜ୍ଞାତା
ବୋଇଲେ କହିବା ଶୁଣ ହରିବଂଶ ଗାଥା
ଅବନ୍ତୀ ନଗରୁ ରାମକୃଷ୍ଣ ବେନି ଭାଇ
ବିଦ୍ୟା ପଢ଼ି ବାହୁଡ଼ିଲେ ରଥରେ ଆରୋହି
ଦେବକୀର ଷଡ଼ପୁତ୍ର ଆବର ସୁରଥ
ଏହାଙ୍କୁ ବସାଇ ବିଜେ କଲେ ଜଗନ୍ନାଥ
ଗଗନ ମାର୍ଗେ ମାତଳି ବାହେ ଦେବଯାନ
ଈଶାନ ମାର୍ଗରେ ଚଳେ ବିଜୁଳି ସମାନ
ଏକାଳେ ଶୁଭିଲା ତାଙ୍କୁ ଆକାଶର ବାଣୀ
ସାବଧାନ ହୋଇ ତୁମ୍ଭେ ଶୁଣ ଚକ୍ରପାଣି
କୁଣ୍ଡିନ କଟକେ ଭୀଷ୍ମ ନାମେ ମହୀପତି
ରୁକ୍ମିଣୀ ନାମେ ପଦ୍ମିନୀ କନ୍ୟା ତା ଦୁହିତୀ
ପ୍ରତ୍ୟକ୍ଷେ ସେ ଲକ୍ଷ୍ମୀ ଜନ୍ମିଅଛି ଦେହ ଧରି
ସର୍ବଗୁଣେ ସୁଲକ୍ଷଣୀ ପରମା ସୁନ୍ଦରୀ
ତୁମ୍ଭେ ସ୍ୱୟଂ ନାରାୟଣ ଅଟ ଦେବରାଜା
ରୁକ୍ମିଣୀ ପ୍ରତ୍ୟକ୍ଷେ ଲକ୍ଷ୍ମୀ ସେ ତୁମ୍ଭ ଭାରିଯା
ବିଳମ୍ୱ ନ କରି ବେଗେ ବଳ ଶୀଘ୍ରଗତି
ସ୍ୱୟମ୍ୱରେ ମିଳିଛନ୍ତି ଲକ୍ଷେକ ନୃପତି
ସେ ଭୀଷ୍ମ ରାଜାର ପୁତ୍ର ରୁକ୍ମଣ ପାପିଷ୍ଠ
ଧର୍ମାଧର୍ମ ନ ବିଚାରେ ବଡ଼ଇ ଗରିଷ୍ଠ
ନ ପୁଣ ତୋ ଭାରିଯାକୁ ଆନେ କରେ ବିଭା
ଏହି ଅନୁକୂଳେ ତହିଁ ବିଜୟ କରିବା
ଏ ସମୟେ ଯେବେ ତୁମ୍ଭେ ହୋଇବ ମଉନ
ଅବଶ୍ୟ ତୁମ୍ଭର ଭାର୍ଯ୍ୟା ଘେନିଯିବ ଆନ
ଆକାଶ ବଚନ ଶୁଣି ଲକ୍ଷ୍ମୀଦେବୀ ନାହା
ମାତଳିକି ଆଜ୍ଞା ଦେଲେ ବେଗେ ରଥ ବାହା
କୁଣ୍ଡିନ ନଗର ଅଛି ବିଦର୍ଭ ଦେଶରେ
ଭୀଷ୍ମନାମେ ନରପତି ତହିଁ ରାଜ୍ୟ କରେ
ରୁକ୍ମିଣୀ ନାମେ ଦୁହିତା ଅଛଇ ତାହାର
ସେ କନ୍ୟା ପାଇଁ ହେଉଛି ଆଜି ସ୍ୱୟମ୍ୱର
ଲକ୍ଷେକ ନୃପତି ଆସି ହୋଇଛନ୍ତି ରୁଣ୍ଡ
ଉତ୍ସବରେ ପୂରିଅଛି ସେ ନଗର ଦାଣ୍ଡ
ଆମ୍ଭେ ତା ଦେଖିବା ବେଗେ ରଥ ନିଅବାହି
ଏପରି ସୁଯୋଗ କଥା ଛାଡ଼ିବା କିପାଇଁ
ଆଜ୍ଞା ପାଇଣ ମାତଳି ଲେଉଟାଏ ଯାନ
ପୂର୍ବମୁଖେ ବିଜେ କଲେ ପ୍ରଭୁ ଭଗବାନ
କୃଷ୍ଣବେଣୀ କୂଳେ କୂଳେ ଥୋକେ ଦୂର ଗଲେ
ବିଦର୍ଭ ନାମ ଦେଶରେ ପ୍ରବେଶ ହୋଇଲେ
ସେ ନଦୀ ଦକ୍ଷିଣ କୂଳେ ଅଛି ଏକ ଗିରି
ମଳୟ ନାମେ ପର୍ବତ ତହିଁ ବିଜେ କରି
ସେ ପର୍ବତ ତଳେ କୁଣ୍ଡୀନଗ୍ର ବିତପନ
ଆଡ଼ ଦୀର୍ଘ ପ୍ରତିରେ ସେ ପଞ୍ଚାଶ ଯୋଜନ
କୃଷ୍ଣବେଣୀ ନଦୀଠାରୁ ଖଣ୍ଡେ ଦୂର ଛାଡ଼ି
ସେ କଟକ ଅଛି ପାଞ୍ଚ ଯୂଣ ଭୂମି ମାଡ଼ି
ଦ୍ୱାଦଶ ଯୋଜନ ସେହି ପର୍ବତରେ ଉଚ୍ଚ
ଦୀର୍ଘରେ ପଞ୍ଚାଶ ଯୂଣ ପ୍ରତି ଯୂଣ ପାଞ୍ଚ
ଉତ୍ତରକୁ ବକ୍ର ହୋଇ ଅଛି ସେ ଗିରିଟି
ଶିବକାଞ୍ଚୀଠାରୁ କୃଷ୍ଣବେଣୀଯାଏ ଘୋଟି
ସାତ ମର୍ଭୁତ ଘର ସେ କଟକ ଭିତରେ
ଇଚ୍ଛା ସୁଖେ ନରନାରୀ ଅଛନ୍ତି ତହିଁରେ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି
ଛତିଶ ପାଟକ ଆଦି ଅନେକ ଅଛନ୍ତି
ନଟ ଭାଟ ଜଉତିଶ ବାର ବଣିଜାର
ଗଣିକା ଗୁଣିକା ମୂଳେ ହାଟୁଆ ଅପାର
ଜାତି ଅନୁକ୍ରମେ ଯେଝା ବୃତ୍ତିମାନ କରି
ଧନ ରତ୍ନ ରଖିଛନ୍ତି ଘରେ ଘରେ ଭରି
ଅଚିନ୍ତେ ଐଶ୍ୱର୍ଯ୍ୟ ଭୋଗ କରନ୍ତି ସରବେ
ରାଜା ବିନା ଆନେ ଭୟ ନ କରନ୍ତି ଲବେ
କୁବେର ସମ ଅଟନ୍ତି ସର୍ବେ ଧନବନ୍ତା
ଅକାଳ ମରଣ ନାହିଁ ରୋଗ ଶାନ୍ତି ଚିନ୍ତା
ପ୍ରତ୍ୟକ୍ଷେ କମଳା ଯହିଁ ହୋଇଛନ୍ତି ଜାତ
ପରାପର ଦେବତା ସେ ଜଗତର ମାତ
ଧନ୍ୟ ସେ ଭୀଷ୍ମକ ରାଜା ଦ୍ୱିଜ ଶୁଦ୍ଧଜାତି
ତେଣୁ ତା ଗୃହରେ ଲକ୍ଷ୍ମୀ ଜନ୍ମ ହୋଇଛନ୍ତି
କ୍ଷଣକେ ଯେ କୋଟିଇନ୍ଦ୍ର ପଦ ପାରେ ଦେଇ
ଭୀଷ୍ମ ଘରେ ଆସି ଜନ୍ମ ହୋଇଛନ୍ତି ସେହି
ଚତର୍ଦ୍ଦଶ ବ୍ରହ୍ମାଣ୍ତର ଆଦି ଠାକୁରାଣୀ
ଜଗତର ସୃଷ୍ଟି ସ୍ଥିତି ପ୍ରଳୟ କାରିଣୀ
ସେ ଦେବୀ ଜନମ ହୋଇଛନ୍ତି ଯାହାଘରେ
ତା ସମ୍ପଦ ବର୍ଣ୍ଣି କେବା କହିବ ମୁଖରେ
ରାଜା ମହାରାଜା ଆଦି ଭୂୟାଁ ସେ ଭୂପାଳେ
ସମସ୍ତେ ଖଟନ୍ତି ଆସି ଭୀଷ୍ମ ପାଦତଳେ
ସଂଗ୍ରାମେ ଦୁର୍ଜ୍ଜୟ ରାଜା ଧନ ଅପ୍ରମିତ
ମହାରଥୀ ସଙ୍ଗରେ ସେ ହୁଅଇ ଗଣିତ
ରୁକ୍ମଣ ପ୍ରତିର ରୁକ୍ମି କେଶରୀ ସୁମାଳି
ଭୀଷ୍ମକର ଏହି ପାଞ୍ଚ ପୁତ୍ର ମହାବଳୀ
ଜଣେ ଜଣେ ମହାବୀର ସମରେ ଦୁର୍ଜ୍ଜୟ
ସୁର ସିଦ୍ଧ ଅସୁରଙ୍କୁ ନ କରନ୍ତି ଭୟ
ଧନଗର୍ବେ ବଳଗର୍ବେ ସର୍ବେ ଉନମତ୍ତା
ଲକ୍ଷ୍ମୀ ଯାର ଭଗ୍ନୀ ତାର ଅଛି କେଉଁ ଚିନ୍ତା
ରାଜାପାଟ ମହାଦେଈ ସୁଲକ୍ଷଣୀ ନାରୀ
ପାଞ୍ଚ ପୁତ୍ର ଦୁହିତାଏ ଅଛି ଜାତ କରି
ଧନ୍ୟ ତାର ଗର୍ଭ କେତେ ପୁଣ୍ୟ ଅର୍ଜିଥିଲା
ଜଗନ୍ନାଥ ଚଞ୍ଚଳାକୁ ଗର୍ଭେ ଠାବ ଦେଲା
ଆବର ସେ ପାଞ୍ଚପୁତ୍ର ଗର୍ଭୁ କଲା ଜାତ
ଧନ ବିଦ୍ୟା ବଳ ଗୁଣେ ସମସ୍ତେ ବିଖ୍ୟାତ
ସାମବେଦୀ ବ୍ରାହ୍ମଣ ସେ ଭୀଷ୍ମ ମହାରାୟେ
ଆଚାରେ ପଣ୍ଡିତ ସେହୁ ସଦା ପୁଣ୍ୟମୟେ
କମଳିନୀ ଦେବୀ ଯହିଁ ଛନ୍ତି ଅବତରି
ସମୂର୍ଣ୍ଣ ଏଗାର ବର୍ଷ ଅପୂର୍ବ ସୁନ୍ଦରୀ
ତିନି ତ୍ରୈଲୋକ୍ୟରେ ନାହିଁ ତାଙ୍କୁ ପଟାନ୍ତର
ତିନିପୁର ଶୋଭା ଖଟେ ଚରଣେ ଯାହାର
କାମଦେବ ଅବତାର ହେବେ ଯାର ଗର୍ଭେ
ସେ ଆସି ରୁକ୍ମିଣୀ ରୂପେ ଜନ୍ମିଛନ୍ତି ଏବେ
ଯେବଣ କଟକରେ ସେ ଛନ୍ତି ଅବତରି
ବରୁଣ ପାଟଣା ତାକୁ ନୋହେ ସମସରି
କହନ୍ତି ପରୀକ୍ଷ ଆଗେ ଶୁକ ମହାଯତି
ହରିବଂଶ ଚରିତ ଏ ପୁଣ୍ୟ ଗଙ୍ଗାଜଳ
ଶ୍ରବଣେ ଶୁଣିଲେ ଜନ୍ମ ହୋଇବ ସଫଳ
ଅକାଶ ମଣ୍ଡଳେ ରଥ ରୁହାଇ ଶ୍ରୀପତି
ଭୀଷ୍ମକ ସମ୍ପଦ ଦେଖି ପ୍ରଶଂସା କରନ୍ତି
ହାତୀ ରଥୀ ମହାରଥୀ ପଦାତି ଗହଳ
ଅଶ୍ୱ ଓଟ ସଇନରେ ନଗର ସଙ୍କୁଳ
ଦେଉଳ ମଣ୍ଡପ ମେଢ଼ ଅଟ୍ଟାଳୀ ଜଗତୀ
ପାତ୍ରମନ୍ତ୍ରୀ ଘରମାନ ଦିଶେ ପନ୍ତି ପନ୍ତି
ଚାରିଊଣା ଲକ୍ଷେ ରାଜା ଚତୁରଙ୍ଗ ବଳ
ସଙ୍ଗତେ ଘେନାଇଁ ଆସି ହୋଇଛନ୍ତି ଠୁଳ
ସମସ୍ତେ ରହିବା ପାଇଁ ଚିତ୍ର ଗୃହମାନ
ନିର୍ମାଣ କରଇଛନ୍ତି ଭୀଷ୍ମକ ରାଜନ
ଯେ ଯେଡ଼େ ଭାଜନ ତାକୁ ତେଡ଼େ ସ୍ଥାନ ଦେଇ
ସମାରୋହେ ରଖିଛନ୍ତି ଗୌରବ କରାଇ
ହାତୀ ପାଇଁ ଉଚ୍ଚମେଲା ଅଶ୍ୱ ପାଇଁ ଶାଳ
ରାଜାଙ୍କର ସୌଧମାନ ଦିଶଇ ଧବଳ
ଚାରିବର୍ଣ୍ଣ ପାକଶାଳ ଗୃହ ଭିନ୍ନ ଭିନ୍ନ
ସୁପକ୍ୱ ଅନ୍ନ ଭୁଞ୍ଜନ୍ତି ସର୍ବେ ପ୍ରତିଦିନ
ଅମୃତପାଣି କଦଳୀ ପିଠା ଖଜା ଫେଣୀ
ଦଧି ଦୁଗ୍‌ଧ ଛେନା ଘୃତ ଅଧାମ ଲବଣୀ
ପଇଡ଼ ନଡ଼ିଆ ଆମ୍ୱ ଦାରାକ୍ଷ ଖଜୁରୀ
ସିଂଘଡ଼ା ନାରଙ୍ଗ ଟଭା ଲେମ୍ୱୁ ଆଦିକରି
କ୍ଷୀରୀ କ୍ଷୀରୀଷା କାକରା ଗଜା ସରପୁଳି
ନାନାଦି ବ୍ୟଞ୍ଜନ ଅନ୍ନ ଏକୁ ଏକ ବଳି
ସତ୍ରଶାଳାରେ କରଣେ ରହିଥାନ୍ତି ଜଗି
ଗୌରବ କରି ଭୁଞ୍ଜାନ୍ତି ସକଳ ନିଯୋଗି
ନଗ୍ରଯାକ ଆନନ୍ଦରେ ପଡ଼ଇ ଚହଳ
ସମୁଦ୍ର ଗର୍ଜ୍ଜନ ପ୍ରାୟେ ମୁଖରାବ ଗୋଳ
ଢ଼ୋଲ ଦମା ବିଜିଘୋଷ ମର୍ଦ୍ଦଳ ମହୁରୀ
ଦାଉଣ୍ଡୀ ଟମକ ଚାଙ୍ଗୁଯୋଡ଼ା ଶଙ୍ଖ ଭେରୀ
ମୁରଜ କଂସାଳ ତାଳ ନାନା ଯନ୍ତ୍ର ଗୁଣା
ଡ଼ିଣ୍ଡିମ ପଟ୍ଟହ ଧୂଳି ସରହସ ବୀଣା
ବିବିଧ ବାଜଣା ବାଜେ ଏକୁ ଏକ ବଳି
ବାଦ୍ୟନାଦ ଶବଦରେ କୁରୁମ ଉଛୁଳି
ନାରୀଙ୍କର ହୁଳହୁଳି ବିପ୍ରଙ୍କର ବେଦ
ସେନାଙ୍କର ମୁଖରାବ ନୃତ୍ୟଗୀତ ନାଦ
ହସ୍ତୀଙ୍କର ଗରଜନ ଘୋଡ଼ା ତଡ଼ବଡ଼ି
ଶୁଭଇ ଶାରଦ ମେଘେ ଯେହ୍ନେ ଘଡ଼ଘଡ଼ି
ଟଳ ଟଳ ବସୁମତୀ କମ୍ପେ ସପ୍ତଫେଣୀ
ନାଚନ୍ତି ବିବିଧ ରଙ୍ଗେ ବାରବିଳାସିନୀ
ଭାଟ ବନ୍ଦିଗଣେ ମିଳି କରୁଛନ୍ତି ସ୍ତୁତି
ନାଚନ୍ତି ନର୍ତ୍ତକୀଗଣେ ଉତ୍ସବରେ ମାତି
ଗଗନ ମାର୍ଗରେ ରଥ ରୁହାଇ ଶ୍ରୀହରି
ପ୍ରଶଂସା କରନ୍ତି ଦେଖି କୁଣ୍ଡିନ ନଗରୀ
ନଗ୍ରଯାକ ଘରେ ଘରେ କରନ୍ତି ମଣ୍ଡଣି
ଦାଣ୍ଡ ପହଁରି ସିଞ୍ଚନ୍ତି ଚନ୍ଦନର ପାଣି
ସୁଧାଲିପି କାନ୍ଥବାଡ଼େ ପିତୁଳିକା କମ
ପୀଢ଼ାର କଳଶ ପରେ ଝଲକଇ ହେମ
ତହିଁର ଉପରେ ନେତ ବିତପନ ଉଡ଼େ
ନିର୍ମଳ ମେଘରୁ ଖସି ବିଜୁଳି କି ପଡ଼େ
ନେତ ପତନି ସିନ୍ଧୁଆ କେଦାର ମାଞ୍ଜିଷ୍ଠ
ସୁପୀତ ନୀଳ ବସନ୍ତ ନାନା ବର୍ଣ୍ଣେ ପାଟ
ନାନା ବର୍ଣ୍ଣେ ଚିତ୍ରଶାଢ଼ୀ ଝଲମଲ ଝୁଲା
ମେଲା କାଠ ମଣ୍ଡଣିରେ ଉଭା ତ୍ରୋଣାମାଳା
କ୍ଷୁଦ୍ରଘଣ୍ଟି ଘର୍ଘରିକା ଦରପଣ ପନ୍ତି
ଝଲକ ପାତିଆ ସଙ୍ଗେ ଶୋହେ ଚନ୍ଦ୍ରକାନ୍ତି
ବିଚିତ୍ର ଚାନ୍ଦୁଆ ତଳେ ରଙ୍ଗପାଟ ଗଣ୍ଠି
ବଦରିକା ଫଳ ପ୍ରାୟେ ଲମ୍ୱେ ସୁନା କଣ୍ଠି
ଜାଇଯୂଈ ଶ୍ୱେତ ଚମ୍ପା ମାଳତୀର ଚୂଳ
ପୁନ୍ନାଗ ପାଟଳୀ ମଲ୍ଲୀ ସେବତୀ ବକୁଳ
ପଞ୍ଚବର୍ଣ୍ଣେ ଫୁଲ ଧଣ୍ଡା ପାଖୁଡ଼ା ସେବତୀ
ମାଳ ମାଳ ଗୁନ୍ଥାହୋଇ ଲମ୍ୱେ ଚଉକତି
ଥୋକାଏ ରାଜା ରହିଲେ ତମ୍ୱୁଘରେ ଟାଣି
ପର୍ବତ ଶିଖରେ ଥୋକେ ରହିଲେକ ପୁଣି
ନଦୀବାଲି ପରିମଳ ଦେଖି କେତେ ନୃପ
ଠାବ ଠାବ ହୋଇ ବସା କରିଲେ ଅମାପ
ପାତ୍ରମନ୍ତ୍ରୀ ସେନା ଘେନି ନୃପଗଣ ଯେତେ
ଯେ ଯାହାରେ ବାସ ପାଇ ରହିଲେ ସମସ୍ତେ
ଯେବଣ ପଦାର୍ଥ ଲୋଡ଼ା ହୁଅଇ ଯାହାକୁ
ଭୀଷ୍ମକ ଆଜ୍ଞାରେ ଲୋକେ ଦିଅନ୍ତି ତାହାକୁ
ଚତୁର୍ବିଧଭକ୍ଷ୍ୟ ଭୋଜ୍ୟ ମିଳେ ଅକଳନା
ଯେ ଯାହା ନିଅଇ ତାକୁ ନ କରନ୍ତି ମନା
ଅକଳିତ ଭଣ୍ଡାର ସେ ପଡ଼ଇ ଉଛୁଳି
ଦିନକୁ ଦିନ ସହସକ୍ରେ ଗୁଣରେ ଉଗୁଳି
ଲକ୍ଷ୍ମୀଙ୍କର ଯାହାଠାରେ ଅନୁଗ୍ରହ ଥାଏ
କୋଟି ଇନ୍ଦ୍ର ସମ୍ପଦ ସେ ମଣେ ତୁଚ୍ଛ ପ୍ରାୟେ
ସେ ଯେଉଁ ଭଣ୍ଡାର ଦେଇଛନ୍ତି ଦୟାକରି
ମାନବେ ବହିଲେ ଶେଷ ହୋଇବ କିପରି
ବଡ଼ ଅସମ୍ଭବ କଥା ଲୋକେ ଅଗୋଚର
କେ ବର୍ଣ୍ଣିବ ରୁକ୍ମିଣୀଙ୍କ ବିଭା ସ୍ୱୟମ୍ୱର
ଗୃହ ଲିପାପୋଛା କରି ପାତ୍ରମାନ ଥୋଇ
ଚୌରାଶୀ ବର୍ଣ୍ଣେ ଯୋଗାଡ଼ ପରଷନ୍ତି ନେଇ
ଏ ବିଧିରେ ଜଣେ ଜଣେ ବସାଇଣ ସର୍ବ
ଚରଚା କରନ୍ତି ନେଇ ନାନା ମିଷ୍ଟଦ୍ରବ୍ୟ
ଭୁଞ୍ଜି ଉଠିଲେ ସଙ୍ଖୁଡ଼ି ନିଅନ୍ତି ଉଠାଇ
କୃଷ୍ଣବେଣୀ ଜଳେ ପାତ୍ର ପଖାଳନ୍ତି ନେଇ
ଏ ବିଧିରେ ଲକ୍ଷେ ରାଜା ସଙ୍ଗେ ଯେତେ ସୈନ୍ୟ
ଦିବସକେ ତିନିବେଳ କରନ୍ତି ଭୋଜନ
ଭୋଜନ ଶେଷେ ଯୋଗାନ୍ତି ଦିବ୍ୟ ବାସଗୁଆ
ଅଖଣ୍ଡିତ ଶ୍ରୀକର୍ପୂର ତାମ୍ୱୁଳ ବିଡ଼ିଆ
କସ୍ତୁରୀ ଚନ୍ଦନ ସଙ୍ଗେ ଯେ ପନୀର ପାଣି
ସମସ୍ତଙ୍କ ଶରୀରରେ ଲେପିଦ୍ୟନ୍ତି ଆଣି
ସୁଗନ୍ଧ ସେବତୀ ଗଭା ମସ୍ତକରେ ବାନ୍ଧି
ସତ୍ରଶାଳାରୁ ଆସନ୍ତି ନବଶସ୍ତ୍ର ପିନ୍ଧି
ନାହିଁ ନୋହିବ ସଂସାରେ ଏସନ ମହିମା
ରୁକ୍ମିଣୀଙ୍କ ସ୍ୱୟମ୍ୱର ଭୀଷ୍ମକ ଗାରିମା
ସତ୍ରଶାଳା ମହିମା ଯେ ଅଟଇ ଏମନ୍ତ
ରାଜାଙ୍କ ଗୌରବ ଅବା କେ କରିବ ଅନ୍ତ
ହାତୀପାଇଁ ବଟ ଡାଳ ଘୋଡ଼ା ପାଇଁ ବିରି
ଗୋରୁପାଇଁ ଘାସ ଆଣି ରଖିଛନ୍ତି ଭରି
ବ୍ରାହ୍ମଣଙ୍କୁ ଆଦି କରି ଚଣ୍ଡାଳ ପର୍ଯ୍ୟନ୍ତେ
ଚରଚା କରନ୍ତି ଲାଗି ଯାକୁ ଯେଝାମତେ
ପ୍ରତ୍ୟକ୍ଷେ କମଳା ଜନ୍ମ ହୋଇଛନ୍ତି ଯହିଁ
ସେଠାରେ ଖୋଜିଲେ ଅବା କିସ ନ ମିଳଇ
ଆପଣେ ଭୀଷ୍ମକ ରାଜା ମନେ ଶ୍ରଦ୍ଧା କରି
ଲକ୍ଷେ ରାଜା ଅଣାଇଛି ନିମନ୍ତ୍ରଣେ ବରି
ଯେ ଯାହାର ଅଙ୍ଗବଳ ସଙ୍ଗତେ ଘେନାଇ
ରାଜାମାନେ ଆସିଛନ୍ତି କନ୍ୟା ନେବପାଇଁ
ନଦୀ ବେନି ପାରୁଶରେ ନଗ୍ର ଭିଆଇଲେ
ସୈନ୍ୟ ଘେନି ରାଜାମାନେ ତହିଁରେ ରହିଲେ
ବିଚିତ୍ର ତୋରଣା ଆମ୍ୱଡାଳ ପୂର୍ଣ୍ଣକୁମ୍ଭ
ଦ୍ୱାରେ ଦ୍ୱାରେ ପୋତିଛନ୍ତି କଦଳୀର ସ୍ତମ୍ଭ
ବିଚିତ୍ର ଚାମରପନ୍ତି ରଙ୍ଗ କଳା ଧଳା
ସ୍ଥାନେ ସ୍ଥାନେ ଲମ୍ୱିଅଛି ମାଣିକ୍ୟରେ ମାଳା
ସପତ ମର୍ଭୁତ ଘର କୁଣ୍ଡିନ ନଗରେ
ଯେଝାପୁରେ ମଣ୍ଡିଛନ୍ତି ନୃପତି ଆଜ୍ଞାରେ
ପାତ୍ର ମନ୍ତ୍ରୀ ସହିତରେ ପୁରବାସୀ ଯେତେ
ନରନାରୀମାନେ ବେଶ ହୋଇଣ ସମସ୍ତେ
ଉତ୍ସବ ଦେଖିବାପାଇଁ ହୁଅନ୍ତି ବାହାର
ସବୁରି ମନରେ ଜାତ ହରଷ ଅପାର
କାହିଁ ନୃତ୍ୟ ଗୀତ କାହିଁ ଖେଳ କଉତୁକ
କାହିଁ ନାନା ଦ୍ରବ୍ୟ ଥୋଇ ବିଜନ୍ତି ବଣିକ
କାହିଁ ଗଜ ଯୂଥ କାହିଁ ଘୋଡ଼ା ପନ୍ତି ପନ୍ତି
କେଉଁଠାରେ ଫରି ଖଣ୍ଡା ପାଇକେ ସାଧନ୍ତି
ସବୁରି ମନ ହରଷ ବିରସ ଯେ ନାହିଁ
ଆସିଛନ୍ତି ସ୍ୱୟମ୍ୱର ଦେଖିବାର ପାଇଁ
ଭୀଷ୍ମକର ଜ୍ୟେଷ୍ଠପୁତ୍ର ଅଟଇ ରୁକ୍ମଣ
ଯେ ଯାହାର ଦେଖି ମାନ୍ୟ କରେ ଜଣେ ଜଣ
ଛୟାଣୋଇ ସସ୍ର ରାଜା ଗଉରବ ପାଇ
ରଙ୍ଗସଭା ଆସ୍ଥାନରେ ବିଜେ କଲେ ଯାଇ
ପାଞ୍ଚ ସହସ୍ର ବଖରା ବିଚିତ୍ର ମଣ୍ଡଣି
ଅମର ବାରସ୍ୱତୀକି ପଟାନ୍ତରେ ଜିଣି
ମାରାଗ ରତନ ପୀଢ଼ ତିନି ତାଳ ଉଚ୍ଚ
ବେଲାଉଳ କାଠେ ବଡ଼ ଶୋଭିତ ସୁସଞ୍ଚ
ରତନ ଖମ୍ୱ ଉପରେ ସୁବର୍ଣ୍ଣର ଶ୍ରେଣୀ
ଉପରେ ଧବଳ ଘର ଝିଙ୍କର ଛାଏଣି
ଚାରା ପଗଡ଼ର କାଠ ନନ୍ଦାବର୍ତ୍ତକମ
ଗଜଦନ୍ତ ପିତୁଳାରେ ଝଲକଇ ହେମ
ହୀରା ନୀଳା ବଇଡ଼ୁର୍ଯ୍ୟ ଲମ୍ୱେ କେରି କେରି
ପିତୁଳାମାନଙ୍କ ରୂପ ଦିଶେ ପରୀ ପରି
ମାଣିକ୍ୟର ଦୀପାବଳୀ ଜଳେ ଚଉକତି
ଶତେ ଚନ୍ଦ୍ର ଉଦେ ହେଲେ ପ୍ରାୟ ଦିଶେ ଜ୍ୟୋତି
ଦଶ ନଳ ଆୟତନ ବଖରାକ ସ୍ଥଳୀ
ଅଷ୍ଟରତ୍ନ ହାର ଲମ୍ୱ ଦିଶେ ଦିବ୍ୟ ଝଳି
ପ୍ରତି ପଞ୍ଚବିଂଶ ନଳ ସଭାର ଆରମ୍ଭ
ନଳକରେ ସ୍ଥାପିଅଛି ଏକ ଏକ ଖମ୍ୱ
କେବଣ ଖମ୍ୱେ ମର୍କତ ମାଣିକ୍ୟର ସଞ୍ଚା
କେଉଁ ଖମ୍ୱ ନୀଳବର୍ଣ୍ଣ କେ ଦିଶଇ ପଚା
ଖମ୍ୱେ ଖମ୍ୱେ ଖଞ୍ଜିଅଛି ନବରତ୍ନ ମଣି
ଜାଜ୍ୱଲ୍ୟମାନ ତେଜରେ ନିନ୍ଦେ ଦିନମଣି
ନିଜେ ବିଶ୍ୱକର୍ମା ଆସି ଗଢ଼ିଛି ସେ ସଭା
ତିଳେ ବାଙ୍କ ବକ୍ର ନାହିଁ ଦିଶେ ଦିବ୍ୟ ଶୋଭା
ପବିତ୍ର ଗଜ ପାତିଆ ରୁଅ ଶେଣୀ କାଣ୍ଡ
ଧୂଳି ମାରି ଯୋଡ଼ିଅଛି କରିଣ ଅଖଣ୍ଡ
ପ୍ରତି ବଖରାରେ ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ
ନାନାବର୍ଣ୍ଣେ ସଜାଇଛି ସୂଚୀକାମ ନୂଆ
ବୀର କେଦାର ଚାମର ସୁବାସିତ ପୁଷ୍ପ
ମେଲା କାଠ ମଣ୍ଡଣିରେ ଲମ୍ୱେ ଚଉପାଶ
ଧାଡ଼ି ଧାଡ଼ି ରେଖ ଦିଶେ ପନ୍ତି ପନ୍ତି
ନକ୍ଷତ୍ର ଉଦୟ ହେଲା ପ୍ରାୟ ଶୋଭାପାନ୍ତି
ଅଳକା ଭୁବନ ପ୍ରାୟ ଦିଶଇ ସେ ଶୋଭା
ବାରସ୍ୱତୀ ଭୁବନରୁ ଅଧିକରେ ପ୍ରଭା
ମଧ୍ୟେ ରାଜିସିଂହାସନ ଅଛି ଧାଡ଼ି ଧାଡ଼ି
ପାବଚ୍ଛକେ ବେନି ସିଂହ ବିସଛନ୍ତି ମାଡ଼ି
ଛାୟା ମଣ୍ଡପର ମେଲା କାଠର ମଣ୍ଡଣି
ନାରଙ୍ଗ ଗୁଆ କଦଳୀ ଯେ ଅମୃତପାଣି
ଆମ୍ୱ ପଇଡ଼ ପଣସ ଦାରାକ୍ଷ ଖଜୁରୀ
ନାନା ପ୍ରକାରେ ଗୋରସ ଥୋଇଅଛନ୍ତି ଭରି
ଶାକର ଖଣ୍ଡର ଫେଣୀ ଛତୁଆ ସହିତେ
କର୍ପୂର କସ୍ତୁରୀ ଗନ୍ଧ ଆଦିକରି ଯେତେ
ନାନାବିଧ ଉପଚାର ନାନାବିଧ କାମ
ବିବିଧ ଯୋଗାଡ଼ ନାନା ଅଳଙ୍କାର ହେମ
କୋଟିରତ୍ନ ଆଭରଣ କୋଟିଏ ବସନ
ଚାରିଊଣା ଲକ୍ଷେ ରାଜା ପାଇଁ ସିଂହାସନ
ଅମୂଲ୍ୟ ସୁପାତି ସିଂହାସନର ଉପରେ
ସେବତୀ ପାଖୁଡ଼ା ବିଞ୍ଚା ହୋଇଛି ତହିଁରେ
କର୍ପୂର କସ୍ତୁରୀ ଗୁଣ୍ଡା ପନିଅର ସିଞ୍ଚି
ବରହିପୁଚ୍ଛ ଚାମର ଠାବେ ଠାବେ ଅଛି
ହଂସୁଲୀ ତୂଳୀ ମୁଚୁଳା ତୁଳା ଅପସର
ଉପରେ ଚାନ୍ଦୁଆ ଝୁଲେ ନବରତ୍ନ ସାର
ଛତ୍ର ଚାମର ଆଲଟ ରତ୍ନ ସିଂହାସନ
ବଖରାକେ ପାଞ୍ଚ ପ୍ରତି ଆନ ଆନ ବର୍ଣ୍ଣ
ଅଗୁରୁ ଚନ୍ଦନ ଚୂଆ ଧୂପ ଧୂମକାଠି
ସୁଗନ୍ଧ କୁସୁମ ଧଣ୍ଡାମାଳ କୋଟି କୋଟି
ତିନି ତାଳ ଉତ୍ସର୍ଗରେ ଦାଣ୍ଡ ଛାମିଣ୍ଡିଆ
ବଖରାକେ ଭିନ୍ନ ଭିନ୍ନ କମ ନୂଆ ନୂଆ
ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି
ଆପଣେ ଚଞ୍ଚଳା ଦେବୀ ଯହିଁ ଦେହବନ୍ତ
ଅନ୍ତର୍ଯ୍ୟାମୀ ନାରାୟଣ ପ୍ରଭୁ ଯାର କାନ୍ତ
ସେ ଦେବୀଙ୍କ ସ୍ୱୟମ୍ୱର ସଭା ଆଡ଼ମ୍ୱର
ଅସମ୍ଭବ ବୋଲିବାକୁ ସାମର୍ଥ୍ୟ କାହାର ?
ଶୁଣିବାକୁ ଅଗୋଚର ଦେଖିବା ଦୁର୍ଲ୍ଲଭ
ମାନବ ଶରୀର ଧରି କେ ବର୍ଣ୍ଣି ପାରିବ ?
କେତେ ନୃପ ସ୍ୱୟମ୍ୱର ପୂର୍ବେ କରିଥିଲେ
ରୁକ୍ମିଣୀ ସ୍ୱୟମ୍ୱରକୁ ସମାନ ନୋହିଲେ
ଦେହବନ୍ତ ଲକ୍ଷ୍ମୀ ରୂପବନ୍ତ ନାରାୟଣ
ଏଥିର ମହିମା କେତେ କହିବ କେ ପୁଣ
ଇନ୍ଦ୍ର ବ୍ରହ୍ମା ଶିବ ଯିହଁ ହେବେ ବରଜାତି
ତା ବର୍ଣ୍ଣି କହିବା ପାଇଁ ଅଛି କାହା ଶକ୍ତି ?
ଭାରା ନିବାରଣ ଅର୍ଥେ ଜନ୍ମିଲେ ରୁକ୍ମିଣୀ
କୋଟି ବ୍ରହ୍ମାଣ୍ଡର ସେହି ଅଟନ୍ତି କାରେଣି
ତାଙ୍କ ପାଇଁ ସ୍ୱୟମ୍ୱର କରିଛନ୍ତି ପିତା
ସମଗ୍ର କହିବା ପାଇଁ କେ ଅଛି ଶକତି ?
ଦଶବିଂଶ ପଞ୍ଚାଶତ ପଦମାନ ଛାଡ଼ି
ଠିକ ଠିକ ବାଛି ଥୋକେ କହୁଅଛି ବଢ଼ି
ଆସ୍ଥାନର ତଳେ ମିଳି ଭୀଷ୍ମକ ନୃପତି
ପାତ୍ର ମନ୍ତ୍ରୀ ବେଢ଼ିଛନ୍ତି ତାର ଚଉକତି
ପାଞ୍ଚପୁତ୍ର ସହିତରେ ଦୁର୍ବାକ୍ଷତ ଘେନି
ସମସ୍ତ ରାଜାଙ୍କୁ ଚାହିଁ କରନ୍ତି ଦଇନୀ
ସୁବାସ ଚନ୍ଦନ ପୁଷ୍ପ ଧୂପ ଦୀପ ଦେଇ
ଅନେକ ପ୍ରକାରେ ରାଜା କହନ୍ତି ବିନୋଇ
ଯହିଁ ନିମନ୍ତେ ତୁମ୍ଭଙ୍କୁ ଆଣିଅଛି ବରି
ସେ କାର୍ଯ୍ୟ କର ସଭାର ମଧ୍ୟେ ବିଜେକରି
ମୁହିଁ ଯେ ସହିଲି ରାଜାମାନଙ୍କ ଆର୍ଦ୍ଦୋଳି
ଯେତେ ନୃପ ଆସିଅଛି ସର୍ବେ ଶୁଦ୍ଧଶାଳୀ
ବହୁତ ପୁଣ୍ୟେ ତୁମ୍ଭଙ୍କୁ ରୁଣ୍ଡ କରିପାରି
ଦୁହିତା ନିମନ୍ତେ ମୁଁ ଯେ ଆଣିଅଛି ବରି
ସବୁ ରାଜାଏ ସଭାରେ ଆସି ବିଜେ କର
ସିଂହାସନମାନ ବାଛି ବସ ଯେ ଯାହାର
ମୋର ଦୁହିତା ରୁକ୍ମିଣୀ ମେଢ଼ପରେ ଥିବ
ସେ ତୁମ୍ଭଙ୍କୁ ଜଣ ଜଣ ପ୍ରତିରେ ଦେଖିବ
ଯାହାଠାରେ ମନ ତାର ହୋଇବ ତୃପତି
ଗଳେ ମାଳ ଦେଲେ ତାର ହୋଇବ ସେପତି
ଏହା ଶୁଣି ନୃପଗଣେ ଦିବ୍ୟ ବେଶ ହୋଇ
ଆଗହୁଁ ସେ ଯିବେ ବୋଲି ଥିଲେ ବାଟଚାହିଁ
ତତକ୍ଷଣେ ରାଜାମାନେ ଉଠି ଶୀଘ୍ରଗତି
ଯେ ଯାହାର ସିଂହାସନେ ମାଡ଼ିଣ ବସନ୍ତି
ଅନ୍ୟୋନ୍ୟରେ ନୃପଗଣେ ବିକାଶିଲେ ପ୍ରଭା
ଧନ୍ୟ ସେ କୁଣ୍ଡିନ ନଗ୍ର ଦିଶେ କେଡ଼େ ଶୋଭା
ମହାରଥୀ ଛୟାଣୋଇ ସହସ୍ର ନୃପତି
ବିଦର୍ଭ ନଗରେ ସର୍ବେ ରୁଣ୍ଡେ ହୋଇଛନ୍ତି
ଏକାକେ ଭୀଷ୍ମକ ତାଙ୍କୁ ସମ୍ଭାଳି ରଖିଲା
ମର୍ତ୍ତ୍ୟପୁରେ ଅଲୋକିତ କର୍ମଗୋଟା କଲା
ଏମନ୍ତ ବିଚାର କରି ସବୁ ନୃପମାନେ
ସଭାକୁ ଚାହିଁ ପ୍ରଂଶସା କଲେ ଜଣେ ଜଣେ
ପାଞ୍ଚପୁତ୍ର ସଙ୍ଗେ ଘେନି ଭୀଷ୍ମକ ନୃପତି
ବଚନରେ କଲେ ସବୁ ରାଜାଙ୍କର ସ୍ତୁତି
ସଭାର ଆଗରେ ଅଛି ସାତତାଳ ମେଢ଼
ଚଉପାଶେ ହୋଇଅଛି ଦରପଣ ବାଡ଼
ଗଜଦନ୍ତ ସିଂହାସନ ପିଣ୍ତାର ଉପରେ
ବିଶ୍ୱକର୍ମା ଗଢ଼ିଅଛି ଅତି ଯତନରେ
ଅଷ୍ଟରତ୍ନ ବିନିର୍ମିତ ସେ ମଣ୍ଡପ ଗୋଟି
ସେଠାରେ ପଡ଼ଇ ସବୁ ରାଜାଙ୍କର ଦୃଷ୍ଟି
ତହିଁ ଥାଇ ଚାହିଁଦେଲେ ଦିଶେ ସଭାତଳ
ଅତୁଲାଇତ ମେଢ଼ ସେ ଅତି ପରିମଳ
ମଣି ରତ୍ନ କିରଣରେ ମେଢ଼ ଶୋଭାପାଏ
ସେଠାରେ ରୁକ୍ମିଣୀ ଆସି କରିବ ବିଜୟେ
ପାତ୍ର ମନ୍ତ୍ରୀ ସଙ୍ଗେ ଘନି ଭୀଷ୍ମକ ନୃପତି
ରାଜାଙ୍କୁ ଯେ ସମ୍ୱୋଧନ କରି ଚାରି ପ୍ରତି
ପଞ୍ଚାଶ ବଖରା ମାଡ଼ି ବସିଲା ସେ ସଭା
ଭୂୟାଁ ଭୂପାଳେ ଯେତେକ ହେଲେ ତଳେ ଉଭା
ପ୍ରାଙ୍ଗଣେ ଉଭା ହୋଇଲେ ପାତ୍ର ପୁରୋହିତ
ସିଂହାସନେ ବିଜେ କଲେ ନୃପତି ସମସ୍ତ
ଚାରିଊଣା ଲକ୍ଷେ ରାଜା ବସିଲେ ଆସ୍ଥାନେ
କନ୍ୟାକୁ ଦେଖିବେ ବୋଲି ବିଚାରନ୍ତି ମନେ
ଏମନ୍ତ ସମୟେ ଡାକ ଅନ୍ତଃପୁରେ ପଡ଼େ
ରୁକ୍ମିଣୀ ବିଜେ କରିବେ ସ୍ୱୟମ୍ୱର ମେଢ଼େ
ଆଗରେ ଚାଲିଛି ଦାସୀ ପଛରେ ହାନ୍ଦୋଳା
ସିଂହାସନ ପରେ ବସି ବିଜୟେ ଚଞ୍ଚଳା
ଅଶେଷ କୋଟି ଲକ୍ଷ୍ମୀର ରୂପ ରତ୍ନରାଶି
ଜ୍ୟୋତି ବିକାଶଇ ଯେହ୍ନେ ଶରଦର ଶଶୀ
ମଙ୍ଗଳ ମହୁରୀ ଶବ୍ଦ ଦୁନ୍ଦୁଭିର ବାଣୀ
ଚଉବଳ ଲାଗିହୋଇ ବିଜେ ଠାକୁରାଣୀ
ଶଙ୍ଖ ମହୁରୀ ଦୋସରୀ ଭେରୀ ଯନ୍ତ୍ରଗୁଣା
ମୁରଜ କଂସାଳ ତାଳ ସୁଲଳିତ ବୀଣା
ସମାରୋହେ ଆସୁଛନ୍ତି ଲକ୍ଷ୍ମୀ ବିଜେ କରି
ଲକ୍ଷେକ ଧବଳ ଛତ୍ର ଦାସୀଗଣେ ଧରି
ଉଦଣ୍ଡ ମେଘାଡମ୍ୱର ଆଲଟ ବିମଳ
ଶୁକଳ ଚାମର ଲକ୍ଷେ ଦରପଣ ମାଳ
ଚନ୍ଦନ ନାଡ଼ପ କାଠି ଅଗ୍ରଧୂପ ଧୂଆଁ
ନିଯୋଗୀମାନେ ଉଭାରି ହୋଇଛନ୍ତି ଠିଆ
ପୁଷ୍ପ ବୃଷ୍ଟି କରୁଛନ୍ତି ଅନେକ ବନିତା
ଅଷ୍ଟରତ୍ନ ସିଂହାସନେ ବିଜେ ଜଗନ୍ମାତା
କେ ବିଡ଼ିଆ ଲାଗି କରେ ଚତୁଃସମ ଘେନି
ଛାମୁରେ ଆଲଟ ବିଞ୍ଚେ କେବଣ କାମିନୀ
ସୁବର୍ଣ୍ଣ ଝରରେ ଭରି ସୁବାସିତ ପାଣି
ପାଶେ ଉଭା ହୋଇଅଛି କେବଣ ତରୁଣୀ
ରାଜାମାନେ ଚାହିଁଛନ୍ତି ଏକଲୟ କରି
ମେଢ଼େ ଯାଇ ବିଜେ କଲେ ଭୀଷ୍ମକ କୁମାରୀ
ଛୟାଣୋଇ ସସ୍ର ରାଜା ଆସ୍ଥାନରେ ବସି
ରୁକ୍ମିଣୀଙ୍କ ରୂପ ଦେଖି ସର୍ବେ ହେଲେ ତୋଷି
କେବଣ ମହିମା ତାର କେ କରିବ ଅନ୍ତ
ଅନାଦି ବୃଦ୍ଧମାତା ସେ ହୋଇଅଛି ଜାତ
ଏଗାର ବରଷ ପୂର୍ଣ୍ଣେ ସେ ପୁଣି ଯୁବତୀ
ଅବତାର ଗୁଣ ଘେନି ଷୋଡ଼ଶୀ ମୂରତି
ସବୁ ରାଜାଏ କାତର ହେଲେ ରୂପ ଦେଖି
ଏକା ରୁକ୍ମିଣୀରେ ବନ୍ଦୀ ସବୁଙ୍କରି ଆଖି
ଏକକୁ ଆରେକ ଚାହିଁ କହେ ମନଭାବ
ମଦନ ସମୁଦ୍ରେ ଧାତା ମେଲିଦେଲା ନାବ
ଅପୂର୍ବ ଅତୁଲାଇତ ଏ ରୂପ ସୁସଞ୍ଚ
ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ
ନିର୍ମାଣ କରିଛି ଧାତା କେତେକାଳ ବସି
ଥୋକେ ବୋଲନ୍ତି ଲାବଣ୍ୟରୂପ ରତ୍ନ ରାଶି
ଏକ ଏକ କରି କେତେ ବାହୁନିବା ଗୁଣ
ସୁକୁମାରୀ ସୁଲକ୍ଷଣୀ ମଦନର ବାଣ
ଅପାଙ୍ଗ ଲୋଚନେ ଏ ଯେ ଚାହୁଁଅଛି ଢ଼ଳି
ଛଇଛାଡ଼େ କାମବାଣ ଯାଉଅଛି ବଳି
ବିଧାତାକୁ ନିନ୍ଦାକରି କହିବା ଯେ କିସ
ଅମୃତଭାଣ୍ଡରେ ଆଣି ଥୋଇଦେଲା ବିଷ
ଏ ଯେଉଁ କଟାକ୍ଷପାତେ ମୋହୁଅଛି ସୃଷ୍ଟି
ସେ କଟାକ୍ଷେ ବିରହୀର ହୃଦ ଯାଏ ଫୁଟି
କେବଣ ନୃପତି ବୋଲେ ନ ହୁଅ ବିମନ
ବିଧାତା କରିଛି ୟାକୁ ଯତ୍ନରେ ଗଠନ
ସଂସାର ଭିତରେ ଯେତେ ଶୋଭାରତ୍ନ ଥିଲା
ତା ସବୁ ଏକତ୍ର କରି ଏହାକୁ ଗଢ଼ିଲା
ଆବର ଯେତେକ ରସ ଥିଲା ଜଗତରେ
ସବୁ ଆଣି ରଖିଅଛି ଏହାର ମୁଖରେ
ଅଧର ଦିଶଇ ଯେହ୍ନେ ପକ୍ୱବିମ୍ୱ ଫଳ
ଏଣୁକରି ମୋହିଲା ଏ ବ୍ରହ୍ମାଣ୍ଡ ସକଳ
ଅମୃତ ସମାନେ କହେ ସୁକୋମଳ ବାଣୀ
ଅଣ୍ଡିର କୋକିଳ ଲାଜେ ପଳାଉଛି ଶୁଣି
ସୁନା ଫରୁଆରେ ଥୋଇ ଗରୁଡ଼ ଉଦ୍‌ଗାର
ଗୁନ୍ଥାମାଳୀ ମୁକୁତା କି ଥାପିଲା ତହିଁର
ଦରହସିତ ବଦନେ ଦିଶେ ପନ୍ତି ପନ୍ତି
ଅକଳଙ୍କ ଚନ୍ଦ୍ରବିମ୍ୱ ପ୍ରାଏ ଶୋଭାପାନ୍ତି
କର୍ଣ୍ଣରେ ହୀରାକେଶର ନାସାରେ ବସଣୀ
ଯାତ୍ରା ପୂର୍ଣ୍ଣ କଳସ କି ବସାଇଲା ଆଣି
ସବର୍ଣ୍ଣ ବିବରୁ ଅବା ବାହାରି ବାସୁକି
ଅମୃତ ମଣିକି ଦେଇ ରହିଛନ୍ତି ଲୁଚି
କି ଅବା ଚନ୍ଦ୍ରମା ବୁଧ ଶୁକ୍ର ତାରାଶ୍ରେଣୀ
ଆର୍ଦ୍ରାବଳି ଗୁଣାରେ କି ଗୁନ୍ଥି ଅଛି ଆଣି
ପୂର୍ଣ୍ଣଚନ୍ଦ୍ର ବଦନକୁ ଦିଶେ ବଡ଼ ଶୋଭା
ମର୍କତ ଲିଙ୍ଗ କି ସ୍ୱର୍ଣ୍ଣ ଶକତିରେ ଉଭା
ପୂର୍ବକାଳେ ଦେବଦୈତ୍ୟେ ହୋଇ ଏକରୁଣ୍ଡ
ସମୁଦ୍ର ମନ୍ଥିଣ ଜାତ କଲେ ସୁଧାଭାଣ୍ଡ
ଯେଉଁ ଅମୃତ ଭକ୍ଷିଲେ ଜନ୍ମ ମୃତ୍ୟ ନାହିଁ
କୃପଣ ବୋଲି ଥୋଇଲେ ଜାଣି ଏହିଠାଇଁ
ଏ ତାହା ମୁଦ୍ରିତ କରି ରଖିଛି ନିବାଡ଼େ
ତେଣୁ ଏ ବଚନ କହେ ଜଙ୍ଗିତରେ ଗାଢ଼େ
କେଉଁ ନୃପ ବୋଲେ ୟାର ବକ୍ର ଭୂରୁଲତା
ମନ୍ମଥର ଧନୁ ସଙ୍ଗେ ହୋଇଛି ତୁଳିତା
କଟାକ୍ଷକୁ କରିଅଛି ସେ ଧନୁରେ ବାଣ
ନିର୍ଦ୍ଦୟରେ ବିନ୍ଧିନିଏ ପୁରୁଷଙ୍କ ପ୍ରାଣ
ମୂର୍ଦ୍ଧାଯାଏ ଲାଗିଅଛି କଜ୍ଜଳର ରେଖା
ତେଣୁ ଜନମନ ମୋହି ନେଲା ଏ ନାୟିକା
କି ଅପୂର୍ବ ଶୋଭାକର ଦେଖ ୟା ଲଲାଟ
ନିର୍ମଳ ମୁକୁର ପ୍ରାୟେ ଦିଶେ ଝଟ ଝଟ
କପାଳର ମୃଗନାଭି କସ୍ତୁରୀର ଚିତା
ଅଜ୍ଞାନରେ ବକ୍ର ଅବା କରିଛି ବିଧାତା
କପାଳରୁ ଗଣ୍ଡଯାଏ ପାଇଅଛି ବେଢ଼
କାମଦେବ ଭଣ୍ଡାରେ କି ଦେଇଅଛି ବାଡ଼
କିବା ସମାଦର ମନେ ହିମବନ୍ତ ରାଜା
ଆପେ ସ୍ଥାପି ଇଷ୍ଟଦେବ କରିଛନ୍ତି ପୂଜା
ଅଳକା ବଳିର ଶୋଭା ତହିଁପରେ ଝଳି
ଦୁର୍ଜ୍ଜୟ ମଦନ ଗଡ଼େ କି ଅବା ଅର୍ଗଳି
ଚାରୁ ଚିକୁର ମସ୍ତକେ ଶୋହେ ଦିବ୍ୟବେଣୀ
ରତନ ପର୍ବତେ ଯେହ୍ନେ ଖେଳେ କୃଷ୍ଣଫଣୀ
ମଣି ମୁକୁଟରେ ସୁବାସିତ ପୁଷ୍ପ ଗଭା
ମଧୁଲୋଭା ମଧୁପରେ ପାଉଛନ୍ତି ଶୋଭା
ବେଣୀମୂଳେ ମରିଗଣ ଝଲକି ଦିଶନ୍ତି
ନୀଳ ଗଗନରେ ଯେହ୍ନେ ଉଦେ ଗ୍ରହପନ୍ତି
ଚୁଳବନ୍ଧଠାରୁ ବେଣୀ ଲମ୍ୱେ କଟୀଯାଏ
ଫୁଲିତଳେ ମଣିରତ୍ନ ପୁଞ୍ଜି ଶୋଭାପାଏ
ଯେବଣ କାଳରେ ଧାତା ସରଜିଲେ ସୃଷ୍ଟି
ମେରୁ ଦଣ୍ଡେ ଖଟାଇଲେ ସେ ବ୍ରହ୍ମାଣ୍ଡ ଗୋଟି
ଟଳ ଟଳ ହେଲା ପୁଣି ସେ ଲହରୀ ଜଳେ
ଅଷ୍ଟକିଳା ପୋତି ବ୍ରହ୍ମା ଥୋଇଲେ ନିଶ୍ଚଳେ
ତା ମଧ୍ୟେ ରଖିଲେ ପୁଣି ଗୁପ୍ତେ ଅଷ୍ଟନିଧି
ତାହାଙ୍କ ଉପରେ ଶ୍ରେଷ୍ଠ କଲେ ୟାକୁ ବିଧି
କେବଣ ରାଜା ବୋଲଇ କର୍ଣ୍ଣମୂଳ ଚାହିଁ
ଦଣ୍ଡ ଘେନି ସପ୍ତନିଧି ଅଇଲା କି ବାହି
ଏହା କର୍ଣ୍ଣାଞ୍ଚଳ ଆଦି ଗୁଣ ଅଛି ଯେତେ
ଏକ ଏକ ନାମ ଧରି କହିବା ତା କେତେ
ବେନି କର୍ଣ୍ଣେ ମଲିକଢ଼ ସୁନା ନାଗବନ୍ଧେ
ତହିଁ ତଳେ କାପ ବେନି କନ୍ଦର୍ପର ଫାନ୍ଦ
ସେ ଫାନ୍ଦରେ ବାନ୍ଧିପାରେ ସକଳ ମେଦିନୀ
ଯଦି ବ୍ରହ୍ମଚାରୀ ମନ ହେଳେ ନେବ ଟାଣି
ପୂର୍ବକାଳେ ଜୀର୍ଣ୍ଣକୂପେ ଯମ ପଡ଼ିଥିଲେ
ଆଦି ଅପର୍ଣ୍ଣା ତାହାଙ୍କୁ ଉଦ୍ଧରି ଆଣିଲେ
କାଳପାଶ ଗୋଟି ଥିଲା ଯମଙ୍କ ହସ୍ତରେ
ଅପର୍ଣ୍ଣାଙ୍କୁ ତାହା ଦେଲେ ସନ୍ତୋଷ ମନରେ
ସେ ଆଦି ଅପର୍ଣ୍ଣା ଏବେ ହିଂସା ଘେନି ମନେ
ହାତରୁ ଛାଡ଼ିଣ ଅବା ଘେନିଛନ୍ତି କର୍ଣ୍ଣେ
କେ ବୋଲଇ କାମଦେବ ୟାକୁ ବର ଦେଲା
ନୋହିଲେ ଦୁର୍ଜ୍ଜୟ ପାଶ କାହୁଁ ଏ ପାଇଲା
କେ ବୋଲଇ କାମ ନୁହେ ସେ ଅଟଇ କାଳ
ମହୀରେ ଜନମିଅଛି ତେଜି ସ୍ୱର୍ଗ ଆଳ
କେ ବୋଲେ ଏ କି ପରମ ଆକାଶରେ ବେଢ଼ି
ବ୍ରହ୍ମ ପ୍ରଳୟ ବଞ୍ଚକ ବୋଲି ବନ୍ଧ ପାରି
କେ ବୋଲଇ କର୍ଣ୍ଣ ନୋହେ ବୈକୁଣ୍ଠ ବିବର
ମୁକ୍ତି ମନ୍ଦିରେ ପଶିବା ପାଇ ସିଂହଦ୍ୱାର
କେ ବୋଲେ ଆଜାନୁଲମ୍ୱ ଏହା ଭୁଜଦଣ୍ଡ
ଗଣ୍ଠି ନ ଦିଶଇ ସୁବଳିତ ଏକ ଖଣ୍ଡ
ହସ୍ତୀ ଥୋରହସ୍ତକୁ କି ଦେବା ପଟାନ୍ତର
ତାଠାରୁ କୋଟିଏ ଗୁଣେ ଅଟଇ ସୁନ୍ଦର
ଅଫୁଟିତ ଚମ୍ପା ପ୍ରାୟ ଅଙ୍ଗୁଳିର ଶୋଭା
ବିରାଜିତ ନଖରାଜି ଅର୍ଦ୍ଧଇନ୍ଦୁ ପ୍ରଭା
ରକ୍ତପଦ୍ମ ପ୍ରାୟ ଶୋଭା ପାଏ କରପତ୍ର
ରସାଣିଲା ସୁନା ପ୍ରାୟ ଦିଶୁଅଛି ଗାତ୍ର
ମୁକୁତା କାଞ୍ଚଲା ଉରେ ଖଞ୍ଜିଅଛି ଭଲା
ବିସ୍ତାର ବକ୍ଷସ୍ଥଳକୁ ସୁସଞ୍ଚ ଦିଶିଲା
ଅତି କ୍ଷୀଣ କଟୀ ହର ଡ଼ମ୍ୱରକୁ ଜିଣି
ତିହିଁକି ଶୋହଇ ଅଷ୍ଟରତ୍ନ ଓଢ଼ିଆଣି
ସେଠାରୁ କଣ୍ଠ ପର୍ଯ୍ୟନ୍ତେ ବେଢ଼ିଛି ତ୍ରିବଳୀ
ତ୍ରିଧାର ତ୍ରିବେଣୀ ଅବା ପଡ଼ୁଅଛି ଗଳି
କଣ୍ଠେ ନାନା ମଣି ରତ୍ନ ଦିଶଇ ସୁସଞ୍ଚ
ରେଖ ରେଖ ପନ୍ତି ପନ୍ତି ବିଶାଳ ନିଘଞ୍ଚ
ହୀରା ନୀଳା ବଇଡ଼ୁର୍ଯ୍ୟ ମୁକ୍ତା ପଦ୍ମରାଗ
ରତ୍ନଜ୍ୟୋତି ବିରାଜଇ ତାର ମଧ୍ୟଭାଗ
କଣ୍ଠ ଆଭରଣ ରତ୍ନ ପଦକର ମାଳା
ଆକାଶେ ବିଜୁଳି ଜାଳି କରୁଅଛି ଖେଳା
କୋଟି ବ୍ରହ୍ମାଣ୍ଡର ଠାକୁରାଣୀ ସଉଭାଗୀ
ଆଭରଣ ଶୋଭା ପାଏ ତା ଅଙ୍ଗରେ ଲାଗି
ତାଡ଼ ତୋଡ଼ର ବାହୁଟି ମୁଦ୍ରିକା କଙ୍କଣ
ବହୁମୂଲ୍ୟ ଅଳଙ୍କାର ଅଙ୍ଗେ ଆଭରଣ
ଅମ୍ଳାନ ପତନୀ ଝୀନ ଶାଢ଼ୀ ଏକ ପିନ୍ଧି
ଚୁଟିବନ୍ଧ ପରେ ଜଟ ଲେଉଟାଇ ବାନ୍ଧି
କର୍ପୂର ବିଡ଼ିଆ ମୁଖ ହସ୍ତେ ଫୁଲକାଠି
କ୍ଷୀର ସିନ୍ଧୁ ମଧ୍ୟରୁ କି ଲକ୍ଷ୍ମୀ ଆସେ ଉଠି
ପୂର୍ଣ୍ଣ ଏକାଦଶ ବର୍ଷ କନ୍ୟା ଶୁଭ୍ରକେଶୀ
ଅଂଶାବତାର ହେତୁ ଏ ଦିଶଇ ଷୋଡ଼ଶୀ
କେ ବୋଲଇ ଅତି କ୍ଷୀଣ ଦିଶେ କଟୀମଝା
ସିଂହାସନେ ବସିବାରୁ ସିଂହ ପାଏ ଲଜ୍ଜା
ସଦାଶିବ ଡମ୍ୱରୁ ଏ କଟୀଦେଶ ବହି
ମଦନକୁ ଅମରଷ ନ କରେ କିପାଇଁ
ୟା ଯୌବନ-ସିଂହାସନେ ବସି କାମରାଜ
ସବୁ ରାଜାଙ୍କର ଅଙ୍ଗୁ ହରିନିଏ ତେଜ
ଚରଣ ଝୁଣ୍ଟିଆ ତାର ହୋଇଛି ନିର୍ମାଣ
ତେଣୁ ମନେ ଗର୍ବ ବହି ବିନ୍ଧୁଅଛି ବାଣ
ଯାହାଠାରେ ଦୟା ଦୃଷ୍ଟି ଦେବ ଏ ସୁନ୍ଦରୀ
ସଂସାରେ ସଫଳ ଜନ୍ମ ହୋଇବ ତାହାରି
ସେ ଦେବୀଙ୍କ ପାଦପଦ୍ମ ରେଣୁ କିଞ୍ଚିତରେ
ମାଗଇ ଅଚ୍ୟୁତ ଦାସ ବହିବାକୁ ଶିରେ

ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃମଣି
ରୁକ୍ମିଣୀଙ୍କ ସ୍ୱୟମ୍ୱର ଏ ଗହନ ପଥ
କର୍ଣ୍ଣରେ ଶୁଣିଲେ ପ୍ରାଣୀ ହୁଅଇ ମୁକତ
ଆସ୍ଥାନରେ ବସି ଚାରିଊଣା ଲକ୍ଷେ ନୃପ
ମୋହିତ ହୋଇଲେ ସର୍ବେ ଦେଖି କନ୍ୟା ରୂପ
ଉଲ୍ଲସଇ ରୋମାବଳୀ ପୁଲକଇ ଗାତ୍ର
ରୁକ୍ମିଣୀର ଶୋଭା ଦେଖି ନ ଫେରଇ ନେତ୍ର
ବ୍ରାହ୍ମଣୁ ଚଣ୍ଡାଳ ଯାଏ ଥିଲେ ଯେତେ ଜନ
ସେ ଶୋଭା-ଜଳରେ ସର୍ବେ ହୋଇଛନ୍ତି ମଗ୍ନ
ସର୍ବେ ଚାହିଁ ରହିଛନ୍ତି ଏକଦୃଷ୍ଟି କରି
କନ୍ୟା ନେବାପାଇଁ ଲୋଭ ବଳିଛି ସବୁରି
ଆଶ୍ଚର୍ଯ୍ୟ ହୁଅନ୍ତି ଲୋକେ ଚାହିଁ ଏକଲୟେ
ଜଗତୀ ଭିତରେ ବିଜେ କରିଛନ୍ତି ମାଏ
ସ୍ୱୟମ୍ୱର ସଭା ମଧ୍ୟ ବିଜେ ନୃପଗଣ
ସବୁରି ମୁଖକୁ ଦେବୀ କଲେ ନିରୀକ୍ଷଣ
ସୁମେଧା ନାମେ ରୁକ୍ମିଣୀ ଦେବୀ ପରିବାରୀ
ଛାମୁରେ ଉଭା ହୋଇଛି ଘେନି ରତ୍ନ ଝରୀ
ପାତ୍ର ଦୁହିତା ଅଟେ ସେ ସର୍ବ ସୁଲକ୍ଷଣୀ
ତାହାରେ ଅନେକ ଦୟା କରନ୍ତି ରୁକ୍ମିଣୀ
ରୁକ୍ମିଣୀ ଦେବୀଙ୍କ ମନ ରଞ୍ଜିବାର ପାଇଁ
ପୂର୍ବ ଅଭିଶାପେ ଜନ୍ମ ହୋଇଅଛି ସେହି
ସେ ଜାଣଇ ଭୂତ ଭବିଷ୍ୟତ ବର୍ତ୍ତମାନ
ଲକ୍ଷ୍ମୀଙ୍କର ପରିବାରୀ ଯୁବତୀ ରତନ
କ୍ଷୀରସିନ୍ଧୁ ମନ୍ଥନରୁ ପଦ୍ମବନ ଜାତ
ସେ ପଦ୍ମବନରୁ ଲକ୍ଷ୍ମୀ ହୋଇଲେ ସମ୍ଭୂତ
ତାଙ୍କ ସଙ୍ଗେ ଜନ୍ମିଥିଲେ ଯେ ଅଷ୍ଟ ନାୟିକା
ସେ ଚୌଷଠି କୋଟି ପରିବାରୀ ଅଗ୍ରଲେଖା
କମଳା ବିମଳା ନିରମଳା ଚନ୍ଦ୍ରକାନ୍ତି
ହରିଣାକ୍ଷୀ ହରିପ୍ରିୟା ସୁମେଧା ସୁକାନ୍ତି
ଲକ୍ଷ୍ମୀଙ୍କର ପରିବାରୀ ଏ ଅଷ୍ଟ ନାୟିକା
ଏହାଙ୍କ ମଧ୍ୟେ ସୁମେଧା ଅଟେ ଅଗ୍ରଲେଖା
ଯେଉଁଦିନ ପଦ୍ମବନୁ ହେଲେ ଅବତାର
ଏ ସୁମେଧା କନ୍ୟା ଆଗେ ହୋଇଲା ବାହାର
କହନ୍ତେ ଯେ ନ ସରଇ ସୁମେଧାର ଗୁଣ
ଲକ୍ଷ୍ମୀଙ୍କର ସହଚାରୀ ଦେବଙ୍କର ପ୍ରାଣ
ରୁକ୍ମିଣୀଙ୍କ ଛାମୁରେ ସେ ହୋଇଅଛି ଉଭା
ଅମ୍ୱିକା ଛାମୁରେ ଯେହ୍ନେ ଗୋମାତାର ଶୋଭା
ସୁମେଧାର ମୁଖ ଚାହିଁ ବୋଇଲେ ରୁକ୍ମିଣୀ
ଏ ମୋର ବଚନ ତୁମ୍ଭେ ଶୁଣ ସଙ୍ଗାତୁଣୀ
ମୋହର ନିମନ୍ତେ ପିତା କେତେ ଗଞ୍ଜିହୋଇ
ଏଡ଼େ ସଭା କଲେ ସିନା ଶୁଭ ଦିଶୁ ନାହିଁ
ଅକାରଣେ ଏତେ ରାଜା ହୋଇଛନ୍ତି ରୁଣ୍ଡ
ପୁଣି ପଳାଇବେ ସର୍ବେ ହୋଇ ଲଣ୍ଡ ଭଣ୍ଡ
ଏ ସଭା ମଧ୍ୟରେ ଯେତେ ରାଜା ବସିଛନ୍ତି
ମୋ ପାଇଁ ସେ ବହୁଦୂର ଲଘିଂ ଆସିଛନ୍ତି
ଏମାନଙ୍କୁ ଯେବେ ମୁହିଁ କରିବି ନିରାଶ
ଶାସ୍ତ୍ର ପ୍ରମାଣରେ ମୋତେ ଲାଗିବନା ଦୋଷ
ନ ଜାଣିମା ପଣେ କିପାଁ ଏଡ଼େ କର୍ମ କଲି
କାର୍ଯ୍ୟ ନ ପାଇଲି ଉପହାସରେ ପଡ଼ିଲି
ଏ ସଭାରେ ବସିଛନ୍ତି ନରପତି ଯେତେ
ମୋ ଭୃତ୍ୟର ଭୃତ୍ୟ ପ୍ରାୟ ଦିଶୁଛନ୍ତି ମୋତେ
ମନ ବଳୁ ନାହିଁ ମୋର ଏଥିରୁ ଗୋଟିକୁ
ଅନିମିତ୍ତେ ପିତା କିପାଁ ବରିଲେଟି ୟାକୁ
ମୁଁ ହାଦେ ନ ଜାଣେ ୟାଙ୍କୁ ଜାତି କୁଳଗୁଣ
କେମନ୍ତେ କରିବି ଅବା ପତିତ୍ୱେ ବରଣ
ଯାର ଯେଉଁ ଜାତି କୁଳ ଘର ଅଟେ ଯହିଁ
ଏକ ଏକ କରି ମୋତେ କହ ଆଗୋ ସହି
ସୁମେଧା ବୋଇଲେ ସଖି ସାବଧାନେ ଶୁଣ
ଯେବେ ପଚାରିଲ ମୋତେ ଏମାନଙ୍କ ଗୁଣ
ସଭାର ଈଶାନ ଭାଗେ ମଳୟ ରାଜନ
ମୁକୁଟରେ ମଣ୍ଡିଅଛି ବିବଧ ରତନ
ସର୍ବ ଗୁଣେ ପରିପୂର୍ଣ୍ଣ ଅଟଇ ଏ ନୃପ
ଧନୀ ମାନୀ ସୁପଣ୍ଡିତ କମନୀୟ ରୂପ
ଚନ୍ଦ୍ରଚୂଡ଼ା ମୁକୁଟ ସେ ବାନ୍ଧିଅଛି ଶିର
ସେହି ଦୁର୍ଯ୍ୟୋଧନ ରାଜା ହସ୍ତିନା ଠାକୁର
ପନ୍ନଗ ନାରାୟଣ ସେ ନୃପ ଶିରୋମଣି
ଏକଇ ଭାରିଯା ତାର ଭାନୁମତୀ ରାଣୀ
ମାନେ ମାନଗୋବିନ୍ଦ ସେ ରାଜରାଜେଶ୍ୱର
ନ କରଇ ପିତା ମାତା ଆଦି ନମସ୍କାର
ସନ୍ତତରେ କଉତୁକ ସୁତ୍ରକରେ ବାନ୍ଧି
ବରବେଶ ହୋଇଥାଏ ନବବସ୍ତ୍ର ପିନ୍ଧି
ଶରଣ ପଞ୍ଜର ବାନା କକ୍ଷା ଜଗଜ୍ଜେଠୀ
ଚାଲିଯାନ୍ତେ ପାଦତଳେ ସୁବର୍ଣ୍ଣ ଉକୁଟି
ହସ୍ତେ ପଦ ପାଦେ ପଦ୍ମ କୁରୁଚକ୍ରବର୍ତ୍ତୀ
ଆଠଦିନେ ବିଭା ହୋଏ ରାଣୀ ଭାନୁମତୀ
ଦୁଃଶାସନ ଆଦି ଶତେ ଭାଇଙ୍କର ଜ୍ୟେଷ୍ଠ
ମାତା ଏହାର ଗାନ୍ଧାରୀ ପିତା ଧୃତରାଷ୍ଟ୍ର
ଭୀଷ୍ମ ଦ୍ରୋଣ ଅଶ୍ୱତ୍ଥାମା କର୍ଣ୍ଣ କୃପାଚାର୍ଯ୍ୟ
ସୋମଦତ୍ତ ଭୂରିଶ୍ରବା ଜୟଦ୍ରଥ ରାଜ
ଶଲ୍ୟ ଆଦି ଭାଇବନ୍ଧୁ ଅଚଳା ସମୃଦ୍ଧି
ବାହୁବଳେ ସାତସିନ୍ଧୁ ନବଦ୍ୱୀପ ସାଧି
ଦୁର୍ବାସା ଋଷିଙ୍କ ମନ୍ତ୍ର ପ୍ରଭାବରୁ ଜନ୍ମ
ଅଙ୍ଗରେ ବହଇ କୋଟି ସିଂହ ପରାକ୍ରମ
ସର୍ବ ସୁଲକ୍ଷଣ ୟାର ଅଙ୍ଗେ ପୂରିଅଛି
ତୁ ଏହାକୁ ବର ଯେବେ ତୋ ମନ ପାଉଛି
ଏହାର ପାରୁଶେ ଦେଖ ରତ୍ନ ସିଂହାସନ
ତହିଁପରେ ବସିଛନ୍ତି ଯେବଣ ରାଜନ
କର୍ଣ୍ଣରେ କୁଣ୍ଡଳ କଣ୍ଠେ ରୁଦ୍ରାକ୍ଷର ମାଳ
ମସ୍ତକେ ସୁବର୍ଣ୍ଣ ପାଗ ଦିଶେ ପରିମଳ
ଅର୍କମଣି ମୁକୁଟ ସେ ବାନ୍ଧିଛନ୍ତି ଶିରେ
ଗୁଣଦିଆ ଧନୁ ଗୋଟି ଅଛି ବାମ କରେ
ପଣ୍ଡୁ ରାଜା ନନ୍ଦନ ଏ ଧର୍ମ ଅବତାର
କୁନ୍ତୀଙ୍କ ଗର୍ଭରୁ ଜାତ ନାମ ଯୁଧିଷ୍ଠିର
ଭୀମ ଆଦି ଚାରିଭାଇ ପାଶେ ହୋଇ ଉଭା
ଚାମରେ ଚାମରେ ଧରି ପାଉଛନ୍ତି ଶୋଭା
ଭୀମ ଅର୍ଜ୍ଜୁନ ନକୁଳ ଅଉ ସହଦେବ
ଯୁଧିଷ୍ଠିର ଆଦିକରି ଏ ପଞ୍ଚ ପାଣ୍ଡବ
ସତ୍ୟବାଦୀ ପୁରୁଷ ଏ ଅଙ୍ଗେ ପାପେ ନାହିଁ
ବାରୁଣା ବନ୍ତରେ ନୃପ ହୋଇଛନ୍ତି ଏହି
ମାଗୋ ସୋମବଂଶୀ ରାଜା ପଣ୍ଡୁ ନରପତି
କୁନ୍ତୀ ମାଦ୍ରୀ ନାମେ ଦୁଇ ଭାର୍ଯ୍ୟା ପ୍ରିୟବତୀ
ମାଦ୍ରୀ ତନୟ ନକୁଳ ସହଦେବ ବେନି
କୁନ୍ତୀ ପୁତ୍ର ଯୁଧିଷ୍ଠିର ଭୀମାର୍ଜ୍ଜୁନ ତିନି
ଧୃତରାଷ୍ଟ୍ର ପୁତୁରା ଏ ଦୁର୍ଯ୍ୟୋଧନ ଭ୍ରାତ
ସୋମବଂଶୀ ମାହାରାଜା ଜଗତେ ବିଖ୍ୟାତ
ମହାବୀର ପାଞ୍ଚଭାଇ ଏକୁ ଏକ ଯୋଧୀ
ମନ କଲେ ତ୍ରିଭୁବନ ପାରନ୍ତି ଏ ସାଧି
ଏ ପାଞ୍ଚ ଭାଇଙ୍କ ଗୁଣ କହିବି ମୁଁ କେତେ
ଦେବ ଅଂଶେ ଜନ୍ମିଛନ୍ତି ଦେଖ ଗୋ ସାକ୍ଷାତେ
ବଳବନ୍ତ ରୂପବନ୍ତ ଗୁଣବନ୍ତ ଯୁବା
ଆଜ ପରିଯନ୍ତେ ହୋଇ ନାହିନ୍ତି ଏ ବିଭା
ଏହାଙ୍କ ପିଅର ପଣ୍ଡୁ ଶତଶୃଙ୍ଗେ ଥିଲେ
ରତିକାଳେ ଶିରେ ବଜ୍ର ପଡ଼ିବାରୁ ମଲେ
ଥୋକେ ଦିନ ବନବାସେ ଥିଲେ ଦୁଃଖ ସହି
ପୁଣି ଆସି ପିତୃରାଜ୍ୟେ ହେଲେ ନରସାଇଁ
ଯଦ୍ୟପି ଏହାଙ୍କୁ ମନ ବଳୁଛି ତୋହର
ଏ ପାଞ୍ଚ ଭାଇରୁ ଜଣେ ବାଛିକରି ବର
ତାଙ୍କ ପାଶେ ଦେଖ ଜରାସନ୍ଧ ନରପତି
ବଡ଼ଇ ବଳବନ୍ତ ସେ ମଗଧ ଭୂପତି
କ୍ଷଣକରେ ସାଗରନ୍ତ ପୃଥ୍ୱୀ ପାରେ ଜିଣି
ଛୟାଣୋଇ ସସ୍ର ରାଜା ବାନ୍ଧିଅଛି ଆଣି
ତୋହର ନିମନ୍ତେ ଦୟାକରି ସେ ନୃପଙ୍କୁ
ଛାଡ଼ିଅଛି ଏଥୁଁ ଗଲେ ଧରି ନେବ ତାଙ୍କୁ
ବୁଦ୍ଧିମନ୍ତ ଗୁଣବନ୍ତ ପ୍ରତାପୀ ଏ ରାଜା
ସବୁ ନୃପେ କରୁଛନ୍ତି ୟା ପାଦରେ ପୂଜା
ପୁତ୍ର ନାତି ଅପ୍ରମିତ ଅଚଳ ସମୃଦ୍ଧି
ଏହାଙ୍କୁ ବରିଲେ ମାଗୋ କାର୍ଯ୍ୟ ହେବ ସିଦ୍ଧି
ତେଇଶି କ୍ଷଉଣୀ ହାଦେ ୟାର ଅଙ୍ଗବଳ
ଛୟାଣୋଇ ସସ୍ର ରାଜା ଖଟି ପାଦତଳ
କୁଳରେ ପବିତ୍ର ପୁଣି ବଳେ ବଳବନ୍ତା
ଏହାଙ୍କୁ ବରିଲେ ଆଉ ନାହିଁ କିଛି ଚିନ୍ତା
ଜରାସନ୍ଧ ପାଶେ ଦେଖ ନୃପ ଦମଘୋଷ
ଶିଶୁପାଳ ନାମେ ପୁତ୍ର ବସିଛି ତା ପାଶ
ଶଶବିନ୍ଦୁ ନୃପତିର ବଂଶଧର ଏହି
ବଳବନ୍ତ ଗୁଣବନ୍ତ ଗରିଷ୍ଠ ଅଟଇ
ଚେଦି ନାମେ କଟକର ଏହି ଯେ ନୃପତି
ଏକାଦଶ କ୍ଷୌଣୀ ସୈନ୍ୟ ଏହାର ଅଛନ୍ତି
ତିନିସସ୍ର ପାରିଦଣ୍ଡ ଖଟିଥାନ୍ତି ପାଦେ
ଅଚିନ୍ତେ ଐଶ୍ୱର୍ଯ୍ୟ ଭୋଗ କରେ ଅପ୍ରମାଦେ
ଏ ଯେବେ ମନକୁ ମାଗୋ ଯୋଗାଉଛି ତୋର
ପିତା ପୁତ୍ର ଦୁହେଁ ଛନ୍ତି ଯାକୁ ଇଚ୍ଛା ବର
ଏହାଙ୍କ ପାରୁଶେ ଦେଖ କଳିଙ୍ଗ ନୃପତି
ଉତ୍ତମ ବଂଶରେ ଜାତ ବିଚକ୍ଷଣ ମତି
ଆଖଡ଼ାରେ ବିଦ୍ୟା ସାଧି ସଂଗ୍ରାମରେ ଜିତା
ନବ ଲକ୍ଷ ହସ୍ତୀ ୟାର ସର୍ବେ ମଦମତ୍ତା
ଅସଂଖ୍ୟକ ରଥ ଅଶ୍ୱ ଅପ୍ରମିତ ଥାଟ
ମଦନସେନ ରାଜାରପ ଅଟଇ ଏ ଚାଟ
ପଞ୍ଚଜନ ନାମ ୟାର ଅଟେ ବଙ୍ଗଦେଶ
ଆସିଅଛି ତୋଠାରେ ଏ ବଳାଇ ମାନସ
ଇଚ୍ଛା ହେଲେ ଗଳେ ମାଳା ଦେଇ ୟାକୁ ବର
ସହସ୍ରେ ଯୋଜନ ରାଜ୍ୟେ ଅଟେ ଅଧୀଶ୍ୱର
ୟା ପାରୁଶେ ବସିଅଛି ଯେଉଁ ନୃପବର
ସାରାବତୀ ରାଜ୍ୟେ ରାଜା ତା ନାମ ସମ୍ୱର
ଲବଣ ସମୁଦ୍ର ମଧ୍ୟେ କରିଅଛି ସ୍ଥାନ
କପିଳ ମୁନି ସରଜିଥିଲେ ସେ ଭୁବନ
ଅନେକ କାଳ ବୃଦ୍ଧ ଏହି ନୃପମଣି
ମାୟାବଳେ ତ୍ରିଭୁବନ ପାରଇ ଏ ଜିଣି
ଅସଂଖ୍ୟ କୁଟୁମ୍ୱ ୟାର ଅଗାଧ ପୟୋଧି
ସହସ୍ରେକ ପୁତ୍ରଛନ୍ତି ଏକୁ ଏକ ଯୋଧୀ
ଏ ତୋର ଚିତ୍ତକୁ ଯେବେ ଯୋଗାଏ ସଙ୍ଗାତ
ବରିବୁ କି ମୋ ଆଗରେ କହ କିନା ସତ
ଦେଖ ସଖି ତା ପାଖରେ ଜୟଦ୍ରଥ ରାଜା
ପିତା ଥାଉ ଥାଉ ଆପେ ପାଳଇ ପରଜା
ଦୁଃଶୀଳା ନାମରେ କନ୍ୟା ଧୃତରାଷ୍ଟ୍ର ଜେମା
ଦୁର୍ଯୋଧନର ଭଗିନୀ ରୂପେ ଅନୁପମା
ତାକୁ ଗତ ପଞ୍ଚମୀରେ ହୋଇଛି ବିଭା
ସର୍ବଗୁଣେ ପରିପୂର୍ଣ୍ଣ ଏକେ ନବଯୁବା
ସିନ୍ଧୁନାମ କଟକରେ ଅଟେ ଅଧିପତି
ପାଞ୍ଚ କ୍ଷୌଣୀ ଅଙ୍ଗବଳ ଏହାର ଅଛନ୍ତି
ଜୟଦ୍ରଥ ବାମ ଭାଗେ ଶିବ ନାମେ ନୃପ
ବସିଅଛି ଦେଖ ସଖି କି ସୁନ୍ଦର ରୂପ
ବୀରପଣେ ୟା ସମାନେ ନାହିଁ ଆଉ କେହି
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଗଣନା ହୁଅଇ
ସ୍ୱସ୍ତିକ ନାମରେ ରାଜା ଭକ୍ଷି ମନ୍ତ୍ର ନୀର
ଗର୍ଭ ହୋଇ ଦିନୁ ଦିନ ବଢ଼ିଲା ଉଦର
ଦଶମାସ ପୂର୍ଣ୍ଣ ତାର ଗର୍ଭ ହେଲା ଭାରୀ
ପ୍ରସବକୁ ବାଟ ନାହିଁ କ୍ଷୁରେ ପେଟ ଚିରି
ଏ ପୁତ୍ରକୁ ଜାତ କରି ମଲା ସେ ନୃପତି
ଈଶ୍ୱର ପ୍ରସନ୍ନେ ୟାକୁ ବର ଦେଇଛନ୍ତି
ନିଜେ ଯାଚି ସଦାଶିବ ଦେଲେ ବ୍ରହ୍ମଶର
ହାତୀ ଘୋଡ଼ା ରଥ ରଥୀ ଅଛନ୍ତି ଅପାର
ବ୍ରହ୍ମଶର ଧଇଲେ ଏ ଜିଣଇ ଜଗତ
ତ୍ରିଶଙ୍କୁ ରାଜାର ବଂଶେ ହୋଇଅଛି ଜାତ
ସୁବର୍ଣ୍ଣ କଟକେ ରଜା ବିନ୍ଧ୍ୟଗିରି ତଳେ
ଚିତ୍ରସେନ ଗନ୍ଧର୍ବକୁ ଜିଣିଅଛି ବଳେ
ଶୁଣିଲୁ ତ କୁଳ ଶୀଳ ସମସ୍ତ ଏହାର
ମନ ହେଲେ ଏ ନୃପକୁ ମାଳା ଦେଇ ବର
ଦେଖ ସଖି ୟା ପାରୁଶେ ବସଇ ବିରାଟ
ମତ୍ସ୍ୟଦେଶ ନୃପତି ଏ ସଂଗ୍ରାମରେ ଆଣ୍ଟ
ବଡ଼ ବିଚକ୍ଷଣ ଏହି ଧର୍ମବନ୍ତ ରାୟେ
ଅକଣ୍ଟକ ରାଜ୍ୟ ୟାର ଗୋରୁ ପଲମୟେ
ବିରାଟ ପାଶରେ ଦେଖ ରାଜା ସୂର୍ଯ୍ୟସେନ
ନବକ୍ଷୌଣୀ ଅଙ୍ଗବଳ ଯାର ବିଦ୍ୟମାନ
ମେରୁଗିରି ପାରୁଶରେ ଅଟଇ ଏ ରାଜା
ପାର୍ବତେୟ ରାଜାମାନେ ସବୁ ୟାର ପ୍ରଜା
ଆବର ଦେଖ ଗୋ ସଖୀ କାଶୀ ନରପତି
ଚୌଦକୋଟି ଅଙ୍ଗବଳ ସର୍ବ ଆସିଛନ୍ତି
ବଡ଼ ସମାରୋହେ ଆସି କରିଅଛି ବିଜେ
ବର ମାଲ୍ୟ ନ ପାଇଲେ ବାହୁଡ଼ିବେ ଲାଜେ
ଦେଖ ଏ ଦ୍ରୁପଦରାଜା ପଞ୍ଚାଳ ନୃପତି
ଶିଖଣ୍ଡୀ ଧୃଷ୍ଟଦ୍ୟୁମନ ବେନି ପାଶେ ଛନ୍ତି
ସ୍ୱୟମ୍ୱରେ ବସିଅଛି ତୋତେ ନେବାପାଇଁ
ତୁ ମାଳା ନ ଦେଲେ ଫେରିଯିବ ଲାଜ ପାଇ
ଜାତିବନ୍ତ ଗୁଣବନ୍ତ ଦ୍ରୁପଦ ରାଜନ
ଇଚ୍ଛା ହେଲେ ମାଳା ଦେଇ କର ତୁ ବରଣ
ତା ପାଶେ ଦେଖ ତ୍ରିଗର୍ତ୍ତ ନାମେ ଦଣ୍ଡଧାରୀ
ପାଞ୍ଚ କ୍ଷୌଣୀ ଅଙ୍ଗବଳ ଅଟଇ ଏହାରି
ଦେଖ ଶାଲ୍ୱ ଦନ୍ତବକ୍ର କୌଶିକ ରାଜନ
ଏମାନେ ଅଟନ୍ତି ରାଜାମାନଙ୍କ ପ୍ରଧାନ
ତୋତେ ନେବାପାଇଁ ସର୍ବେ ବସିଛନ୍ତି ଆସି
ଇଚ୍ଛା ହେଲେ ଏମନଙ୍କୁ ବର ଗୋ ପ୍ରେୟସି
ମଥୁରା ରାଜ୍ୟର ଏହି ରାଜା ଉଗ୍ରସେନ
ଯାଦବ ସପତ ବଂଶେ ଅଟଇ ପ୍ରଧାନ
ବଡ଼ ଦୁଷ୍ଟ ପୁତ୍ର ଥିଲା କଂସ ନାମେ ୟାର
ଯା ନାମ ଶୁଣିଲେ ଦେବେ ହୁଅନ୍ତି କାତର
ସେ କଂସକୁ ରାମ କୃଷ୍ଣ ମାରି ଅବହେଳେ
ଏହାଙ୍କୁ ନୃପତି କଲେ ମଥୁରା ମଣ୍ଡଳେ
ଦେବକୀ ନାମରେ କନ୍ୟା ଅଛି ଏହାଙ୍କର
ପ୍ରତ୍ୟକ୍ଷ ଅଦିତି ସେହି ମର୍ତ୍ତ୍ୟ ଅବତାର
ତା ଗର୍ଭରୁ ରାମ କୃଷ୍ଣ ହୋଇଛନ୍ତି ଜାତ
ସ୍ୱୟଂ ନାରାୟଣ ତାଙ୍କୁ ବୋଲନ୍ତି ଜଗତ
ଆବର ଦେଖ ଏ ମଧୁ କେଶର ନୃପତି
ମଧୁନାମେ ଗିରିତଳେ କରଇ ବସତି
ସହସ୍ରେ ଭୂୟାଁ ଖଟନ୍ତି ଏହା ପାଦତଳେ
ବରିବାକୁ ମନ ଥିଲେ ମାଳାଦିଅ ଗଳେ
ବୀରବାହୁ ସସ୍ରବାହୁ ନୃପ ଶରଜିତ
ବିକ୍ରମ କେଶରୀ ଆଧି ଅଛନ୍ତି ବହୁତ
ସର୍ବେ ବରବେଶ ହୋଇ ଚାହିଁଛନ୍ତି ବସି
ତୋତେ ନେବା ମାନସରେ ନାନା ଦେଶୁ ଆସି
ସୟମ୍ୱର ସିଦ୍ଧ ହେଉ ପିତା ପାଉ କାର୍ଯ୍ୟ
ପାରିଲେ ଏଥିରୁ ଜଣେ ବରି ଘେନ ଆଜ
ଆବର ପଶ୍ଚିମ ମେଲା ଆଡ଼କୁ ଗୋ ଅନା
ଅସୁର ରାଜାଙ୍କ ସଭା ଏହି ଅଟେ ସିନା
ପୃଥୁନନ୍ଦନ ନାରକାସୁର ମହାରାୟେ
ଯା ନାମ ଶୁଣିଲେ କମ୍ପେ ଇନ୍ଦ୍ରଙ୍କର କାୟେ
ବତିଶ ସହସ୍ର ନାରୀ ଖୋଜି ନବଯୁବା
ରଖିଅଛି ଲକ୍ଷ ପୂର୍ଣ୍ଣେ ହୋଇବ ସେ ବିଭା
ବଡ଼ଇ ଦୁର୍ବାର ଦୈତ୍ୟ ଅଟେ ଚାରୁହଂସୀ
ଧନଗର୍ବୀ ମତ୍ତଗର୍ବୀ ଏ ରାକ୍ଷସ ବଂଶୀ
ଈଶ୍ୱଙ୍କୁ ସେବା କରି ପାଇଅଛି ବର
ଶତେ ଯୁଗ ପରିଯନ୍ତେ ହୋଇବ ଅମର
ଇନ୍ଦ୍ର ଚନ୍ଦ୍ର ଧନପତି ଯମ ନଇର୍ଋତ
ବରୁଣ ଆଦିତ୍ୟ ଅଗ୍ନି ଗନ୍ଧର୍ବ ମରୁତ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦାନବ ସହିତେ
ଏ ଦୈତ୍ୟର ମୃତ୍ୟୁ ନାହିଁ ଏମାନଙ୍କ ହସ୍ତେ
ଜନ୍ମକଲା ପିତା ଏକା ପାରେ ୟାକୁ ନାଶି
ଏସନକ ବର ତୋଷେ ଦେଇଛନ୍ତି କାଶୀ
ତେଣୁକରି ଅମର ଏ ନ ମରେ କେବେହେଁ
ଇନ୍ଦ୍ର ବଜ୍ର ଆଦି ନ କାଟଇ ୟାର ଦେହେ
ସଂଗ୍ରାମ କାଳରେ ତିଳେ ନ ବହଇ ଭୀତି
ଏଗାର କ୍ଷଉଣୀ ବଳ ଏହାର ଅଛନ୍ତି
ନିରାଧାର ବଚନ ତୁ ଶୁଣ ଗୋ ରୁକ୍ମିଣୀ
ଏହାକୁ ବରିଲେ କାର୍ଯ୍ୟ ଅଛି ଥାଅ ଜାଣି
ଏହାର ପାରୁଶେ ଦେଖ ବାଣାସୁର ରାଜ
ଏକା ଶରୀରରେ ବହେ ସହସ୍ରେକ ଭୁଜ
ପାର୍ବତୀଙ୍କ ସ୍ତନରୁ ଏ କଲା କ୍ଷୀରପାନ
ଶୋଣିତ ନଗରେ ଏହୁ ଅଟଇ ରାଜନ
ସଦାଶିବ ପ୍ରସାଦରୁ ଅଜ୍ରାମର ଦେହୀ
ପୃଥିବୀ ମଧ୍ୟରେ ନାହିଁ ୟା ସମାନ କେହି
ଧନ ଜନ ସମ୍ପଦ ଗୋ ଅଟେ ଅକଳନା
କୁବେର ଦେବତାଠାରୁ ଶତେଗୁଣେ ଜିଣା
ଈରଶ୍ୱଙ୍କ ଧର୍ମପୁତ୍ର ଏହି ବାଣାସୁର
ଏହାକୁ ବରିଲେ କାର୍ଯ୍ୟ ସିଦ୍ଧ ହେବ ତୋର
ବାଣାସୁର ପାଶେ ଦେଖ ନୃପ ବଜ୍ରନାଭ
ଏହାର ମହିମା ମାଗୋ ଜଗତେ ଦୁର୍ଲ୍ଲଭ
ଗଡ଼ ପାଚେରୀ ଉନ୍ନତ ଚାରିପାଖେ ଖଣା
ଲୁହା ମୁଷଳ ଅଙ୍କିତ ଯୋଜନେକ ଠଣା
ଚକ୍ର ପର୍ବତ ଚଉଦ ଯୋଜନେକ ବେଢ଼ା
ଏ ବିଧିରେ ପାଞ୍ଚ ପାଞ୍ଚ ଯୁଣ ଅଛି ଛଡ଼ା
ଅଗ୍ନିର ପାଚେରୀ ପୁଣି ଅଛି ତା ଭିତରେ
ଶତ୍ରୁ ସୈନ୍ୟ ପଶି ଭସ୍ମ ହୁଅନ୍ତି ତହିଁରେ
ସେ କଟକ ରାଜା ଏହି ବହୁକାଳ ବୃଦ୍ଧ
ଏହାକୁ ବରିଲେ ବର ଯେବେ ଅଛି ଶଧ
ଏହାର ପାରୁଶେ ଅଛି ଗୋଶିଘଂ ନୃପତି
ଯା ନାମ ଶୁଣିଲେ ଦେବେ ସ୍ୱର୍ଗ ଛାଡ଼ିଯାନ୍ତି
ଚୌଦ କ୍ଷୌଣୀ ଦୈତ୍ୟବଳ ଖଟନ୍ତି ପାଦରେ
ସର୍ବଦା ଏ ନବଯୁବା ଧୂର୍ଜଟୀଙ୍କ ବରେ
କୋଟି କନ୍ଦର୍ପ ଏହାକୁ ରୂପେ ନୋହେ ସରି
ବାୟବ୍ୟ କୋଣରେ ଏକା ଏହି ଦଣ୍ଡଧାରୀ
କ୍ଷଣକରେ ଭ୍ରମିପାରେ ସକଳ ମେଦିନୀ
ଅବହେଳେ ଜୟ କରିପାରେ ପୁର ତିନି
ସୁକୁମାର ସୁଲକ୍ଷଣ ସର୍ବଦା ଏ ଯୁବା
ଭାଗ୍ୟବତୀ ସ୍ତିରୀ ହେଲେ ୟାକୁ ହେବ ବିଭା
ଏହାର ପାରୁଶେ କାଳଦମନ ଯେ ବୀର
ଦାସଦମନର ନାତି ଗୋପାଳି କୁମର
କେ ଏହାର ପିତା ତାହା ନ ଜାଣନ୍ତି କେହି
ବ୍ରହ୍ମଋଷି ବୀର୍ଯ୍ୟେ ଜାତ ହୋଇଅଛି ଏହି
ଏହାର ମହିମା କେତେ ସଞ୍ଚପି କହିବା
ଜନ୍ମ ହେବା ମାତ୍ରକେ ଏ ହେଲେ ନବଯୁବା
ଅନଳରେ ନ ପୋଡ଼ଇ ଜଳେ ନ ବୁଡ଼ଇ
ଦେବତା ଗନ୍ଧର୍ବ ଦୈତ୍ୟ ହସ୍ତେ ନ ମରଇ
ମାତାମହ କଟକରେ ହୋଇଛି ରାଜନ
ପୃଥ୍ୱୀ ସାଧ୍ୟ କରିବ ଗୋ ଏହି ଏକ ଜଣ
ସତାଇଶ ଅକ୍ଷୌହଣୀ ଅଙ୍ଗବଳ ୟାର
ବଡ଼ଇ ଗରିଷ୍ଠ ଅଟେ ଦୁର୍ଦ୍ଦାନ୍ତ ଅସୁର
ଯଦ୍ୟପି ଏହାର ଶ୍ରଦ୍ଧା ବଳୁଅଛି ମନେ
ଗଳେ ପୁଷ୍ପହାର ଦେଇ ବର ବରାନନେ
ଏହାର ପାରୁଶେ ଦେଖ ଯମାଗୋଷ୍ଠ ରାୟ
ମୟ ନାମ ଦାନବର ଅଟଇ ତନୟ
କାନ୍ତିମାଳା କଟକରେ ଏହି ଦଣ୍ଡଧାରୀ
ପାରିଦଣ୍ଡ ଅଛି ତିନି ମେବଚ୍ଛ ଏହାରି
ଇନ୍ଦ୍ର ଦେବତାର ମିତ୍ର ଅଟଇ ଯୁକତେ
ଅନେକ ଦୂରୁ ଆସିଛି ତୋହରି ନିମନ୍ତେ
ଏହାର ପାରୁଶେ ଦେଖ ଜପାସୁର ରାୟେ
ଦୁର୍ବାର ଏ ବିକରାଳ ମୂର୍ତ୍ତି ତେଜୋମୟେ
ରଥ ଗଜ ଅଶ୍ୱ ନାହିଁ ଆପେ ମହାଯୋଧୀ
କ୍ଷଣକରେ ତ୍ରିଭୁବନ ଏ ପାରଇ ସାଧି
ପାଞ୍ଚ ସହସ୍ର ବଖରା ଅପୂର୍ବ ମନ୍ଦିର
ବଖରାକେ ବସିଛନ୍ତି ଦଶ ନୃପବର
ରଥୀ ମହାରଥୀ ସୈନ୍ୟ ଏହାଙ୍କର ଯେତେ
ଏକ ଏକ ନାମ ଧରି କହିବଇଁ କେତେ
ଦେଖ ଏ ସଭାରେ ବସିଚ୍ଛନ୍ତି ଯେତେ ରାୟ
ବଳବନ୍ତ ବୁଦ୍ଧିମନ୍ତ ସର୍ବେ ତେଜୋମୟ
ଜମ୍ବୁଦ୍ୱୀପ ମହୀ ଲକ୍ଷେ ଯୂଣ ଦୀର୍ଘ ପ୍ରତି
ନବଖଣ୍ଡ କରି ବାଣ୍ଟି ପୃଥୁ ନରପତି
ନବ କୁମରଙ୍କୁ ତାହା ଦେଲେ ତୋଷଚିତ୍ତେ
ଯେ ଯାହାର ସୀମା ମାଡ଼ି ରହିଲେ ସେ ସୂତ୍ରେ
ଚାରି ଊଣା ଲକ୍ଷେ ରାଜା ଏକୁ ଏକ ବଳି
ଏ ତୋହର ସ୍ୱୟମ୍ୱରେ ଛନ୍ତି ସର୍ବେ ମିଳି
ଏଡ଼େକ ଆର୍ଦ୍ଦୋଳି ମାଗୋ ସହିଛି ତୋ ପିତା
ଧନ୍ୟ ଏ ଭୀଷ୍ମକ ରାଜା ଅଟେ ଜଗଜ୍ଜିତା
ଏହାଙ୍କ ଚରଚା ପାଇଁ ଲାଗେ ଯେତେ ଦ୍ରବ୍ୟ
ଅପୂର୍ବ ପଦାର୍ଥମାନ ଯୋଗାଇଛି ସର୍ବ
ଅସମ୍ଭବ ଯୋଗାଡ଼ ତା କେ ପାରିବ କହି
ଗୁଣେ ବ୍ୟୟ କଲେ ଶତେ ଗୁଣରେ ବଢ଼ଇ
ବ୍ରାହ୍ମଣୁ ଚଣ୍ଡାଳ ଯାଏ ଛନ୍ତି ଯେତେ ଜାତି
ଯେ ଯାହା ମାଗଇ ତାହା ସତ୍ୱରେ ଦିଅନ୍ତି
କେତେ ଦ୍ରବ୍ୟ ଅଛି ତାର ଆଦିଅନ୍ତ ନାହିଁ
କେବଣ ପ୍ରକାରେ ଏହା ଭିଆଇଲେ କାହିଁ
କାହୁଁ କେତେ ଦ୍ରବ୍ୟ ଆଣି କଲେ ଏକ ରୁଣ୍ଡ
ନାହିଁ ନୋହିବ ଏପରି ଖୋଜିଲେ ବ୍ରହ୍ମାଣ୍ଡ
ଜାଜ୍ଜ୍ୱଲ୍ୟ ତେଜରେ ଶୋଭାପାଏ ସଭାଗୋଟି
ହରଷରେ ଦେଖ ମାଗୋ ଦେଇ ଏକଦୃଷ୍ଟି
କମଳା ଅଂଶରେ ଅଟେ ତୋର ଅବତାର
ଦ୍ୱାପର ଯୁଗେ ନାଶିବୁ ପୃଥିବୀର ଭାର
ଏ ସବୁ ଉଦରୁ ଜାତ କରିଅଛୁ ତୁହି
ତୁ କିସ ନ ଜାଣୁ ଅବା କହିବି ଯେ ମୁହିଁ
ମାଗୋ ଯେତେ ରାଜାଙ୍କର ଯେତେ ସୈନ୍ୟବଳ
ତୋ ଯୋଗେ ତାଙ୍କର ଜନ୍ମ ହୋଇଲା ସଫଳ
ଏ ତୋହର ଦିବ୍ୟ ରୂପ ନୟନେ ଦେଖିଲେ
ଇହଲୋକ ପରଲୋକ ମୁକତ ହୋଇଲେ
ସମସ୍ତଙ୍କ ଦୃଷ୍ଟି ପଡ଼ିଅଛି ତୋର ତହିଁ
ତ୍ରୈଲୋକ୍ୟ ଉଦ୍ଧାର କର ଅପାଙ୍ଗରେ ଚାହିଁ
କୋଟି ଇନ୍ଦ୍ର ସମ୍ପତ୍ତି ସେ ବିଳୋହିଣ ପାରି
ଜାତ କରି ତୁହି ପୁଣି ସଂହାରୁ ଏପରି
ଜନ୍ମ ଜନ୍ମାନ୍ତରେ ଥାଉ ତୋର ପାଦତଳେ
ମୁଁ ତୋହର ଦାସୀ ହୋଇଅଛି କାଳେ କାଳେ
ଦ୍ୱାପର ଠାକୁରାଣୀ ତୁ ଅଟୁ ନବଯୁବା
ନାରାୟଣ ବିନୁ ତୋତେ ହୋଇବ କେ ବିଭା
ସ୍ୱୟମ୍ୱର କରିଛନ୍ତି ପିତା ଏତେ ଦୁଃଖେ
କାରଣ ନୋହିବ କଥା ରହିବ ତ୍ରୈଲୋକ୍ୟେ
ସ୍ୱଦେଶୀ ବିଦେଶୀ ସାଧୁ ଭୂପାଳଙ୍କ ମୂଳେ
ରାଜା ରାଜପୁତ୍ରେ ଉଭା ଏହି ସଭା ତଳେ
ଉତ୍ତମ ବଂଶରେ ଜାତ ଏହି କ୍ଷତ୍ରି କୁଳ
ମିଳିଛନ୍ତି ଯେ ଯାହାରେ ଘେନି ଅଙ୍ଗ ବଳ
ଛୟାଣୋଇ ସସ୍ର ରାଜା ଅପ୍ରମିତ ଥାଟ
କଳନା ନ ଯାଏ କେତେ ହାତୀ ଘୋଡ଼ା ଓଟ
ହାଟୁଆ ବାଟୁଆ ସାଧୁ ଜନରେ ସଂକୁଳ
ଅପ୍ରମିତ ଯାତ୍ରା ପ୍ରାୟ ହୋଇଛି ଗହଳ
ଦେବ ଦାନବ ମାନବ ନ ଯାଏ ବାରଣ
ପାତ୍ର ମନ୍ତ୍ରୀ ପୁରୋହିତ ଘେନି ନୃପଗଣ
ସର୍ବେ ରୁଣ୍ଡ ହୋଇଛନ୍ତି ଏ ମହାସଭାରେ
ତୋତେ ପ୍ରତିଆଶା କରିଛନ୍ତି ଯେ ଯାହାରେ
ତୁ ପରମ ମାହେଶ୍ୱରୀ ବିଷ୍ଣୁର ଅଙ୍ଗନା
ମୁକତି ହୁଅନ୍ତି ସର୍ବେ ତୁ ଏହାଙ୍କୁ ଅନା
କୁନ୍ତଭୋଜ ନାମେ ନୃପ ରତ୍ନ ସିଂହାସନେ
ବସିଅଛି ପୂର୍ବ ଭାଗେ ଦେଖ ସୁଲୋଚନେ
ମାଗୋ ଏହି କୁନ୍ତଭୋଜ ଅପୁତ୍ରକ ଥିଲା
ମିତ୍ରପଣେ ଉଗ୍ରସେନ ଦୁହିତାଏ ଦେଲା
ସେ ପ୍ରତିପାଳି ପଣ୍ଡୁକୁ ଦେଲେ ତାକୁ ବିଭା
ଅପୁତ୍ରକ ଦୋଷ ଗଲା ବଂଶ ପାଇ ଶୋଭା
ତା ପାଶେ ବସିଛି ଦେଖ ଗାନ୍ଧାର ରାଜନ
ଶୂରବନ୍ତ ଶତେ ପୁତ୍ର ଏହାରଟି ଜାଣ
ଗାନ୍ଧାରୀ ନାମରେ ପୁଣି କନ୍ୟା ଏକ ଥିଲା
ସେ କନ୍ୟା ରାକ୍ଷସୀ ଜାତି କେ ବିଭା ନୋହିଲା
ଧୃତରାଷ୍ଟ୍ର ନାମେ ରାଜା ସେ ଅସୁର ଜାତି
ସେ କନ୍ୟାକୁ ସେହି ବର ହୋଇଥିଲା ଯୁକତି
ଗାନ୍ଧାରୀ ଗର୍ଭରୁ ଜାତ ଶତେକ ନନ୍ଦନ
କୁରୁକୁଳ ଚକ୍ରବର୍ତ୍ତୀ ନାମ ଦୁର୍ଯ୍ୟୋଧନ
ଏହାର ପାରୁଶେ ଅଛି ଧନୁ ଏକ ଧରି
ପଦ୍ମ ଦେଶ ନରପତି ସେ ପଦ୍ମକେଶରୀ
ଆଠ ଅକ୍ଷୌହିଣୀ ୟାର ଅଙ୍ଗ ବଳ ସୈନ୍ୟ
ସୂର୍ଯ୍ୟଦେବ ହୋଇଛନ୍ତି ଏହାଙ୍କୁ ପ୍ରସନ୍ନ
ତାଙ୍କ ତହୁଁ ଦିବ୍ୟ ଚକ୍ଷୁ ପାଇଅଛି ଏହି
ତ୍ରିଭୁବନ କଥା ଜାଣେ ହସ୍ତକୁ ଅନାଇଁ
ସୌରାଷ୍ଟ୍ର ଦେଶର ଶମ୍ଭୁକଳ୍ପ ନରପତି
ବହୁତ କୁଟୁମ୍ୱ ୟାର ନାତି ପଣନାତି
ମନ୍ଦାର ଦେଶର ରାଜା କାଳ ବାସୁଦେବ
ଏଗାର କ୍ଷଉଣୀ ବଳ ବଡ଼ଇ ସମ୍ଭବ
କଞ୍ଚନ ଦେଶର ରାଜା ବୀରବର ଏଟି
ବେନିଲକ୍ଷ ପାରିଦଣ୍ଡ ୟା ପାଦରେ ଖଟି
କୋଶଳ ଦେଶର ରାଜା ଭୂଷଣ ନୃପତି
ପାଞ୍ଚକୋଟି ଅଙ୍ଗବଳ ପାଦେ ଖଟିଛନ୍ତି
କାଞ୍ଚୀଦେଶ ରାଜା ଏହି ଦେଖ ବିଷ୍ଣୁସେନ
ସଙ୍ଗତରେ ଆଣିଅଛି ଅପ୍ରମିତ ସୈନ୍ୟ
ହିମବନ୍ତ ଦେଶ ରାଜା ହିମ ନରପତି
ଦୁହିତା ଗୋଟି ଏହାର ଅନୁଭବବତୀ
ଏ ନୃପତି ସେ କନ୍ୟାକୁ ନ କରାଇ ବିଭା
ସ୍ନେହରେ ପାଳନ୍ତେ କାଳେ ହେଲା ନବଯୁବା
ଅଦ୍ୟାପି କନ୍ୟାକୁ ଦେଖ ସଙ୍ଗେ ଅଛି ଘେନି
ଦେଖି ହସ ହସ ହେଲେ ଭୀଷ୍ମକ ନନ୍ଦିନୀ
ସୁମେଧା ମୁଖକୁ ଚାହିଁ ବୋଲନ୍ତି ରୁକ୍ମିଣୀ
ଉପହାସ ନ କର ଗୋ ମୋହର ମିତଣି
ସୁମେଧା ବୋଲଇ ଏହା ଜାଣଇ ନା ମୁହିଁ
ଏତେ ବୋଲି ହରଷରେ ଚାହନ୍ତେ ସେ ଦୁଇ
ଅନେକ ନୃପତି ଥିଲେ ସଭା ମଧ୍ୟ ବସି
ବୋଇଲେ ଆକାଶୁ ଖସି ଅଇଲାକି ଶଶୀ
ତେସନ ସଞ୍ଜାତ ଶୋଭା ଦିଶିଲା ଏ ମୁଖ
କେ ବୋଲଇ ଚନ୍ଦ୍ରମାରେ ଅଛଇ କଳଙ୍କ
ସମୂର୍ଣ୍ଣ ମାସକେ ହୋଏ ତା ଶରୀର ଭଲ
ନିରନ୍ତର ଏହା ମୁଖ ପୂର୍ଣ୍ଣଚନ୍ଦ୍ର ତୁଲ୍ୟ
ଆଉ ଅବିଗୁଣ ଅଛି ଚନ୍ଦ୍ରମାର ତହିଁ
ଜନ୍ମରୁ କଳଙ୍କ ଗୋଟା ଅଙ୍ଗେ ଅଛି ବହି
ଦେଖ ଏ ମୁଖରେ ଅବିଗୁଣ ନାହିଁ କିଛି
ପଦ ପଦକେ ବଚନୁ ସୁଧା ଗଳୁଅଛି
ହାବ ଭାବ କଟାକ୍ଷରେ ରହିଅଛି ପୂରି
ଚନ୍ଦ୍ରମା ହୋଇବ କାହୁଁ ଏ ମୁଖକୁ ସରି
ଆବର ଚନ୍ଦ୍ରମାଠାରେ ଅଛଇ ଦୂଷଣ
ଛ ମାସକେ ରହୁ ଥରେ କରଇ ଭକ୍ଷଣ
ନିର୍ମଳ କଳଙ୍କହୀନ ଏହା ମୁଖଗୋଟି
ଦେଖିଲେ କୋଟି ଜନ୍ମର ଦୁଃଖ ଯାଏ ତୁଟି
ପଦ୍ମକୁ ଯେ ପଟାନ୍ତର ଦିଅନ୍ତୁ ବା ଯିସ
ଶିଶିର ପଡ଼ନ୍ତେ ସେହି ପଦ୍ମ ଯାଏ ନାଶ
ସୁଧାକର ନିଧି କି ଏ ଅପୂର୍ବ ନଳିନୀ
ମଧୁର ଅଧରୁ ଗଳିପଡ଼େ ଚାରୁବାଣୀ
ବିଧାତା ନ ଜାଣି ଏହା ନାମ ସ୍ତିରୀ ଦେଲା
ସ୍ତିରୀଙ୍କି ଅଭଳା ବୋଲି ପୁରାଣେ ଲିହିଲା
କୁବେର ବରୁଣ ଇନ୍ଦ୍ର ବ୍ରହ୍ମା ଚକ୍ରପାଣି
ଚକ୍ଷୁ ପିଛାଡ଼ିଲା ମାତ୍ରେ ଏ ପାରଇ ଜିଣି
ସ୍ତିରୀଙ୍କି ଅବଳା ବୋଲି ବୋଲିବା କେମନ୍ତେ
ଯାର ବଳ ପୂରିଅଛି ସକଳ ଜଗତେ
ଏହାର ଗମନ ଦେଖି ମରାଳ ଲଜ୍ଜାରେ
ପଳାଇ ପଶିଲା ଯାଇ ବ୍ରହ୍ମାଙ୍କର ପୁରେ
ମତ୍ତଗଜ ସେହିପରି କୁଟୁମ୍ୱ ସହିତେ
ଲଜ୍ଜାପାଇ ଗୁପତରେ ରହିଲା ବନସ୍ତେ
ହସିବାରେ ବିରାଜଇ ଏହା ଦନ୍ତପନ୍ତି
ବୁଧ ଶୁକ୍ର ଘେନି କିବା ଉଦେ ନିଶାପତି
ନବ ଅରୁଣ ଉଦେ କି ହେଲେ ବେଳକାଳେ
ବିଧୁ ମଣ୍ଡଳ ଭାସେ କି ପୂର୍ବସିନ୍ଧୁ ଜଳେ
ଏସନକ ବିଚାରିଣ ନୃପତି ସକଳ
ରୁକ୍ମିଣୀ ରୂପକୁ ଦେଖି ହେଲେ ଖଳବଳ
କେ ବୋଲେ ଯାହାକୁ ଲଭ୍ୟ ହେବ ଏହି ନାରୀ
କେ ବୋଲଇ ପୂର୍ବଭାଗ୍ୟ ଥିବଟି ଯାହାରି
ନ ଜାଣି ଅଇଲେ ଆମ୍ଭେ କିପାଁ ଏହାପାଇଁ
ଏକନ୍ୟା ପ୍ରାପତ ହେଲା ପ୍ରାୟ ଦିଶୁ ନାହିଁ
ଇନ୍ଦ୍ର ଯମ ନଇର୍ଋତ କୁବେର ବରୁଣ
ଏ କନ୍ୟାକୁ ପତିପଣେ ନୁହନ୍ତି ଭାଜନ
ମାନବ ଶରୀରେ ଅବା କେ ପାରିବ ଲଭି
ସାକ୍ଷାତେ ଏ ରତି ଉମା କିବା ଲକ୍ଷ୍ମୀଦେବୀ
ଇନ୍ଦ୍ରଜାଲେ ମାୟା ଯେହ୍ନେ ଦେଖୁ ଦେଖୁ ଯାଇ
ସ୍ୱର୍ଗର ଫଳ ଯେସନେ ଲୋଡ଼ିଲେ ନ ପାଇ
ମୃଗତୃଷ୍ଣା ଜଳେ ଯେହ୍ନେ ତୃଷ୍ଣା ନୋହେ ଶାନ୍ତି
ରୁକ୍ମିଣୀ ଆଶାରେ ଆମ୍ଭେ ତେହ୍ନେ ହେବା ଭ୍ରାନ୍ତି
ଚକୋର ଫୁଟଇ ଯେହ୍ନେ ବାରିଦକୁ ଚାହିଁ
ତେସନେ ହୋଇଣ ଆମ୍ଭେ ସର୍ବ ନରସାଇଁ
କେତେ କଷ୍ଟପାଇ ଆମ୍ଭେ ଅଇଲୁ ସକଳେ
କାର୍ଯ୍ୟ ନ ପାଇବୁ କଥା ଥିବ କାଳେ କାଳେ
କେ ବୋଲଇ ଆସିବାର କଷ୍ଟ ସାର୍ଥ ହେଲା
ଏହାର ବଦନ ଦେଖି ସବୁ ଦୁଃଖ ଗଲା
ଯାହାକୁ ଏ ବରିନେବ ଗଳେ ଦେଇ ହାର
ତେବେ ସେ ଜାଣିବା ଧନ୍ୟ ଜୀବନ ତାହାର
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି
ପୁରାଣ ଶ୍ରୀଭାଗବତ ପୁଣ୍ୟମୟ ବାଣୀ
ଏସନ ରୁକ୍ମିଣୀ ଆଗେ ଜଣ ଜଣ କରି
ନୃପଙ୍କୁ ଚିହ୍ନାଇ ଦିଏ ସୁମେଧା ଚତୁରୀ
ରୂପଗୁଣ ପରାକ୍ରମ ବଂଶ ଯେ ଯାହାର
ଏକ ଏକନାମ ଧରି କହିଲା ଅପାର
ଚାରିବର୍ଣ୍ଣ ହାଟକରେ ଅଷ୍ଟାଦଶ ମୂଳେ
ସବୁ ଚହ୍ନାଇଲା ଯେତେ ଥିଲେ ସଭାତଳେ
ଶୁଣିଣ ରୁକ୍ମିଣୀ ଦେବୀ ପୋତି ଦେଇ ମଥା
ଲଜ୍ଜାରେ ମଉନ ହେଲେ ନ କହିଣ କଥା
ସୁମେଧା ବୋଇଲା ମାଗୋ କିପାଁହେଲୁ ମୌନ
ତୋ ପାଇଁ ହୋଇଛି ସିନା ଏ ସର୍ବ ବିଧାନ
ଏଡ଼େକ ଆର୍ଦୋଳି ପିତା ସହିଲେ ତୋ ପାଇଁ
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କେହି କରି ନାହିଁ
ମାଗୋ ସ୍ତିରୀ ଏକ ହେଲେ ପୁରୁଷେକ ଜାତ
ଜନମ ହୋଇଲେ ମୃତ୍ୟୁ ହୁଅଇ ନିୟତ
ରୂପେକ ହୋଇଲେ ନିଶ୍ଚେ ନାମେକ ବହିବ
ନଦୀ ଯହିଁ ଥାଏ ତହିଁ ଥାଏ ନିଶ୍ଚେ ନାବ
ଦିବସେକ ହେଲେ ନିଶ୍ଚେ ରାତ୍ରି ଏକ ଅଛି
ପୂର୍ବରୁ ବିଧାତା ଏହା ଘଟାଇ ରଖିଛି
ଅନେକ ଜନ୍ମରେ ତପ କରିଥାଏ ଯେହୁ
ସଂସାରେ ମାନବ ହୋଇ ଜନ୍ମ ହୁଏ ସେହୁ
ଆବର ତୁ ବିଶେଷରେ ରାଜାର ଦୁଲାଳୀ
ସୁପବିତ୍ର ପାଟବଂଶୀ ପୁଣି ଶୁଦ୍ଧଶାଳୀ
ପ୍ରତ୍ୟକ୍ଷରେ ଲକ୍ଷ୍ମୀ ଦେବୀ ନାରୀ ଅବତାର
ବ୍ରହ୍ମାଣ୍ଡ ଭିତରେ ନାହିଁ ତୋତେ ପଟାନ୍ତର
ତୁ ଯାହାକୁ ଅନୁଗ୍ରହ କରିବୁ ଗୋ ମାଏ
ତା ପାଦରୁ କୋଟି ଇନ୍ଦ୍ର ପଦ ସମ ନୋହେ
ଦେଖ ସବୁ ନୃପେ ବସି ମଣ୍ଡିଛନ୍ତି ସଭା
ଯେ ତୋର ମନକୁ ପାଏ ତାକୁ ହୁଅ ବିଭା
ସୁମେଧା ବଚନ ଶୁଣି ବୋଲନ୍ତି ରୁକ୍ମିଣୀ
ଏତ ଉପହାସ କଥା କହିଲୁ ମିତଣି
ଆସ୍ଥାନରେ ବସିଛନ୍ତି ଯେତେକ ନୃପତି
ଥୋକାଏ ଅସୁର ଥୋକେ ମାନବ ଅଟନ୍ତି
ଏହାଙ୍କୁ ମୁଁ ପତିପଣେ ବରିବି କେମନ୍ତେ
ମୋ ଭୃତ୍ୟର ଭୃତ୍ୟପରି ଦିଶନ୍ତି ଏ ମୋତେ
ଯଦ୍ୟପି କେଶରୀ ଶିଶୁ ହୋଇଥାଏ ସାନ
ମୂଷାକୁ ମାରିଣ କେଭେ ନ କରେ ଭୋଜନ
କ୍ଷୁଧାତୁର ହୋଇ ରାହୁ ପାଉଥିଲେ ପ୍ରାସ
ଚନ୍ଦ୍ର ବିନା ଆନକୁ ସେ ନ କରଇ ଗ୍ରାସ
ଅଳି ଯେବେ ହୋଇଥାଏ ମତ୍ତ ମତୁଆଳ
ପଦ୍ମ ଉପେକ୍ଷିଣ ଖୋଜଇ କି ବାସିଫୁଲ
ମଞ୍ଚର ଏ ରାଜାମାନେ ନ ରୁଚନ୍ତି ମୋତେ
ଦେବତାମାନଙ୍କ ନାମ କହି ଅଛି ଯେତେ
ସୁମେଧା ବୋଲଇ ସଖି ବିଧାତାଙ୍କୁ ବର
ରୁକ୍ମିଣୀ ବୋଇଲେ ପିତାମହ ସେ ମୋହର
ସୁମେଧା ବୋଲଇ ଯେବେ ବ୍ରହ୍ମା ତୋର ପିତା
ଈଶ୍ୱରଙ୍କୁ ବର ସେହି ଅଷ୍ଟାଙ୍ଗରେ ଜିତା
ରୁକ୍ମିଣୀ ବୋଇଲେ ଶିବ ମୋର ଗୁରୁଜନ
ତାଙ୍କୁ ବରିବାକୁ ସଖି ନ ବଳଇ ମନ
ସୁମେଧା ଯେ ବୋଲେ ନ ବରିଲେ ଶୂଳପାଣି
ଇନ୍ଦ୍ରଙ୍କ ବରିଣ ହୁଅ ସ୍ୱର୍ଗେ ପାଟରାଣୀ
ଯମ କୁବେର ପବନ ନୈର୍ଋତ ବରୁଣ
ଚନ୍ଦ୍ର ସୂର୍ଯ୍ୟ ବୈଶ୍ୱାନର ଗନ୍ଧର୍ବ ଚାରଣ
ରାଜଋଷି ଦେବଋଷି ବ୍ରହ୍ମର୍ଷି ସହିତେ
ଅନନ୍ତ ବାସୁକି ଆଦି ପାତାଳରେ ଯେତେ
ଚଉଷଠି ସିଦ୍ଧ ମୂଳେ ଯେତେ ଯୋଗେଶ୍ୱର
ଆବର ଯେ ଚଉଷଠି କୋଟି ବିଦ୍ୟାଧର
ଏ ସମସ୍ତ ନାମ ଧରି ସୁମେଧା କହନ୍ତେ
ନ ରୁଚିଲା ରୁକ୍ମିଣୀଙ୍କ ମନକୁ କିଞ୍ଚିତେ
ଦଣ୍ଡେ ସେ ମଉନ ହୋଇ ଗଣ୍ଡେ ଦେଇ ହସ୍ତ
ଆକାଶକୁ ଦୃଷ୍ଟିଦେଲେ ଚିନ୍ତି ଚକ୍ରହସ୍ତ
ଚକ୍ଷୁବେନି ଥନ ଥନ ଅଶ୍ରୁ ପଡ଼େ ଗଳି
ବିଚାରନ୍ତି ଆହା କାହିଁ ଗଲ ବନମାଳୀ
ନୟନରୁ ଜଳ ଖସି ପଡ଼େ ବକ୍ଷସ୍ଥଳେ
ସୁଧାକର ବିକାଶେ କି ଅମର ମଣ୍ଡଳେ
କିବା ଗଙ୍ଗା ବହିଗଲେ ସୁମେରୁ କନ୍ଦରୁ
ମୁକ୍ତାମାଳା ନାମ ବହି ବୈକୁଣ୍ଠ ଭିତରୁ
କର୍ପୂର କସ୍ତୁରୀ ସଙ୍ଗେ ମିଶିଣ ସେ ଜଳ
ବସନ ତିନ୍ତାଇ ଗଳି ଖସି ପଡ଼େ ତଳ
ଏଣୁ କରି କଣ୍ଠେ ଶୋଭା ପାଉଅଛି ହାର
କୋଟିଲିଙ୍ଗ ବିଜେକଲା ଶୋଭା ଭୂମିପର
ମୃଗନାଭିରେ ପଙ୍କଜ ହୋଇ ଲୋଳି ଲୋଳି
ସବୁରସ ଉପରେ କି ଆଦି ଆର୍ଦ୍ରବଳି
ଅକଣ୍ଠୀ ତରୁଣୀ ବାଳା ଏକାଦଶ ବର୍ଷୀ
କେଶବାସ ନ ରୁଚିଲା ମନେ ଚିନ୍ତା ପଶି
ସୁମେଧା ବୋଇଲେ ମୋତେ ସତ କହ ସହି
ଏ ସଭା ମଧ୍ୟରେ ଜଣେ ବରିବୁ କି ନାହିଁ
ରୁକ୍ମିଣୀ ବୋଇଲେ ସଖୀ କି କହିବି ତୋତେ
ଏ ରାଜାଏ କୀଟପ୍ରାୟ ଦିଶୁଛନ୍ତି ମୋତେ
ଆବର କହିଲୁ ଯେତେ ଦେବ ନାମ ଧରି
ବିଚାରେ ସେ ପତିଯୋଗ୍ୟ ନୁହନ୍ତି ମୋହରି
ଏହା ଶୁଣି ସୁମେଧା ଯେ ବୋଲେ ପ୍ରାଣସହି
ଜାଣିଲି ତୋହର ବିଭା ହେବା ମନ ନାହିଁ
ଦେବଦୈତ୍ୟ ନାଗନରେ ନରୁଚିଲେ ତୋତେ
ଏଥୁଁ ଭିନ୍ନ ବର କାହୁଁ ପାଇବୁ ଜଗତେ
ରୁକ୍ମିଣୀ ବୋଇଲେ ସଖି ଅଛି ମୁଁ ଭିଆଇ
ଯେ ମୋହର ନିଜ ଭର୍ତ୍ତା ମୁଁ ତାଙ୍କୁ ଜାଣଇ
ସୁମେଧା ବୋଇଲା ମାଗୋ ତୁହି ଲୋକ ମାତା
ଏ ତୋର ମାୟାକୁ କେବା ଅଛଇ ଜାଣନ୍ତା
ତୁ ଯେ ଆଦି ଅନ୍ନପୂର୍ଣ୍ଣା ଅଟୁ ମାହେଶ୍ୱରୀ
ଭିଆଇଛୁ ଜଳସ୍ଥଳ ଶୂନ୍ୟ ଆଧିକରି
ସୀତା ନିମନ୍ତେ ଜନକ ସ୍ୱୟମ୍ୱର କରେ
ଧନୁ ଭାଙ୍ଗି ରାମଚନ୍ଦ୍ର ତାଙ୍କୁ ବିଭାହେଲେ
ବସୁନାମେ ସତ୍ୟଯୁଗେ ଦମୟନ୍ତୀ ପାଇଁ
ଭୀମରାଜା ସ୍ୱୟମ୍ୱର କଲେ କଷ୍ଟ ପାଇ
ନଳକୁ ବରିବି ବୋଲି ବୋଇଲା ସୁନ୍ଦରୀ
ଚାରି ଦେବତା ଆସିଲେ ନଳରୂପ ଧରି
ତଥାପି ସେ ଦମୟନ୍ତୀ ତାଙ୍କୁ ନ ବରିଲା
ଦେବକୂଟ ମାୟା ଜିଣିଣ ନଳଙ୍କୁ ବରିଲା
ତ୍ରିଶଙ୍କୁ ରାଜାର କନ୍ୟା ନାମ ଚନ୍ଦ୍ରାବତୀ
ତା ପାଇଁକି ସ୍ୱୟମ୍ୱର କଲା ସେ ନୃପତି
ଦେବତା ଗନ୍ଧର୍ବ ନର ଦାନବଙ୍କ ମୂଳେ
ସମସ୍ତେ ମିଳିଲେ ଆସି ସ୍ୱୟମ୍ୱର ସ୍ଥଳେ
ଏକ ଏକ କରି ତାଙ୍କୁ ଦେଖିଣ ସେ ବାଳୀ
ଯମ ଦେବତା କଣ୍ଠରେ ଦେଲା ପୁଷ୍ପମାଳୀ
ଶଶବିନ୍ଦୁ ନରପତି ଅଶ୍ୱମେଧ କଲା
କେତୁକା ନାମରେ କନ୍ୟା ତହୁଁ ଜାତ ହେଲା
ତା ସାଙ୍ଗରେ ଜାତ ହେଲେ ଲକ୍ଷେ ପରିବାରୀ
ଏକକୁ ଆରେକ ସର୍ବେ ଅଟନ୍ତି ସୁନ୍ଦରୀ
ଥୋକାଏ ଦିନ ଅନ୍ତେ ସେ ହେଲେ ନବଯୁବା
ନୃପ ଚିନ୍ତାକଲେ କେହ୍ନେ କରାଇବି ବିଭା
ଖୋଜି ଖୋଜି ଅଣାଇଲେ ଅନେକ ବରଙ୍କୁ
କେହି ବର ନ ରୂଚଇ ସେ କନ୍ୟା ମନକୁ
ମେରୁ ଗିରି ପଶ୍ଚିମରେ ବିନ୍ଧ୍ୟାଗିରିମାଳ
ରୂପରେଖ ନାମେ ତହିଁ କଟକ ନିର୍ମଳ
ସେ କଟକେ ସ୍ୱୟମ୍ବର ଶଶବିନ୍ଦୁ ରାଏ
କରନ୍ତେ ମିଳିଲେ ଆସି ସର୍ବ ଦେବତାଏ
ବ୍ରହ୍ମଲୋକ ରୁଦ୍ର ବିଷ୍ଣୁ ଲୋକର ସହିତେ
ମିଳିଲେ ତେତିଶକୋଟି ଦେବେ ଯେଝାମତେ
ପାଞ୍ଚବର୍ଷ ପରିଯନ୍ତେ ହେଲା ସ୍ୱୟମ୍ୱର
ଦେବତାମାନଙ୍କୁ କେଭେ ନ ଦେଲା ସେ ହାର
ସେ କନ୍ୟା ମନକୁ ଆନ ବର ନ ରୁଚିଲା
ପରମ ପୁରୁଷ ବୋଲି ଧର୍ମଙ୍କୁ ବରିଲା
କ୍ଷୀର ସମୁଦ୍ରରୁ ଲକ୍ଷ୍ମୀ ଜନମ ହୋଇଲେ
ତାଙ୍କୁ ନେବା ପାଇଁ ଦେବଦୈତ୍ୟ ଗୋଳ କଲେ
ପରିଶେଷେ ରୁଣ୍ଡ ହୋଇ କଲେ ଏକ ସଭା
କନ୍ୟା ଯାହାକୁ ବରିବ ସେ ହୋଇବ ବିଭା
ଏତେ ବୋଲି କନ୍ୟା ହସ୍ତେ ଆଣିଦେଲେ ମାଳା
ସର୍ବ ସାକ୍ଷାତେ ବିଷ୍ଣୁଙ୍କୁ ବରିଲେ ଚଞ୍ଚଳା
ପୂର୍ବେ ହିମବନ୍ତ ରାଜା ସ୍ୱୟମ୍ୱର କଲେ
ସର୍ବେ ଦେଖୁଥିଲେ ଉମା ଶିବଙ୍କୁ ବରିଲେ
ଏହିରୂପେ ସ୍ୱୟମ୍ୱର ହୋଇଅଛି ଯେତେ
ଏକ ଏକ ନାମ କରି କହିବଇଁ କେତେ
ନାନା ଦ୍ରବ୍ୟେ ପରିମଳ ସ୍ୱୟମ୍ୱର ସଭା
କନ୍ୟା ବରିଲେ ଯେ ତାହା ନ ଦିଶଇ ଶୋଭା
ସଭା ମଣ୍ଡି ବସିଥାନ୍ତି ଯେତେ ମହାରାଜ
କନ୍ୟା ଫେରିଗଲେ ତାଙ୍କୁ ଲାଗେ ବଡ଼ ଲାଜ
ରୁକ୍ମିଣୀ ବୋଇଲେ କହ କାହକୁ ବରିବି
ସିଂହନାରୀ ହୋଇ କେହ୍ନେ ଶୃଗାଳ ଭଜିବି
ଅନିମିତ୍ତେ ଡେଙ୍ଗୁରା ଗୋ ବାଜିଲା ମୁରାଟ
କାରଣ ନୋହିଲା ମାତ୍ର କାର୍ଯ୍ୟ ହେଲା ନଷ୍ଟ
ଏତେ କହି ସଖୀକର ନିଜେ କରେ ଧରି
ମେଢ଼ରୁ ଓହ୍ଲାଇ ଗଲେ ଭୀଷ୍ମଙ୍କ କୁମାରୀ
ହାନ୍ଦୋଳାରେ ବିଜେ କରି ସହଚରୀ ମେଳେ
ଭିତର ପୁରୁକୁ ଗଲେ ସର୍ବେ ଏକାବେଳେ
ରାଜସଭା ମଉଳିଲା କନ୍ୟା ଯାନ୍ତେ ଫେରି
ଯେ ଯାହା ବସାକୁ ଗଲେ ସର୍ବ ଦଣ୍ଡଧାରୀ
ପାତ୍ର ମନ୍ତ୍ରୀ ସେନାପତି ପୁରୋହିତ ମେଳେ
ଯେ ଯାହାର ନିତ୍ୟକର୍ମ କଲେ ନଦୀକୂଳେ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଦେଶୀ ପରଦେଶୀ
ଅମୃତ ମଣୋହି ଭୁଞ୍ଜି ସର୍ବେ ହେଲେ ତୋଷୀ
ଦେବାଙ୍ଗ ବସନ ଗନ୍ଧ କର୍ପୂର କସ୍ତୁରୀ
ଯେ ଯାହା ନିଯୋଗେ ଆଣିଦେଲେ ପଡ଼ିହାରୀ
ତାମ୍ୱୁଳ ବିଡ଼ିଆ ଭୁଞ୍ଜି ଗଉରବ ପାଇ
ବର ବରଯାତ୍ରୀ ସୁଖେ ବିହରିଲେ ରହି
ସମସ୍ତଙ୍କୁ ଚର୍ଚ୍ଚା କଲେ ଭୀଷ୍ମକ ନୃପତି
ଯେ ଯାହା ଲୋଡ଼ଇ ତାହା ଯୋଗାଇ ଦିଅନ୍ତି
ଯାହାର ଦୁହିତା ପୁଣି କମଳା ସାକ୍ଷାତେ
କି ଅପୂର୍ବ ହୋଇ ତାକୁ ଅଛି ଏ ଜଗତେ
ରୁକ୍ମିଣୀ ଦେବୀଙ୍କ ପାଦେ କୋଟିଏ ଦଇନୀ
ଅଚ୍ୟୁତ ଦାସକୁ ଦୟା କର ଗୋ ଜନନି

ଶୁଣ ପରୀକ୍ଷ ବଦନ୍ତି ଶୁକ ବ୍ରହ୍ମବେତ୍ତା
ପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ଭୀଷ୍ମକ ଦୁହିତା
ତେଣୁ ଗୁଣେ ବ୍ୟୟ କଲେ ଶତେ ଗୁଣେ ପୂରି
ଅସଂଖ୍ୟକ ଦ୍ରବ୍ୟ କେତେ କହିବା ବିସ୍ତାରି
ସତ୍ରଶାଳେ ଭୁଞ୍ଜୁଛନ୍ତି ଲୋକ ଲକ୍ଷ ଲକ୍ଷ
ଦଶଗୁଣେ ଲେଖିଛନ୍ତି ମନ୍ତ୍ରୀ ଯେ ସୁଦକ୍ଷ
ଭୁଞ୍ଜନ୍ତି ସୁବର୍ଣ୍ଣ ପାତ୍ରେ ଯୋଗାଡ଼ିଣ ନୂଆ
କର୍ପୂର ବିଡ଼ିଆ ପାନ ସୁବାସିତ ଗୁଆ
ଯେତେବେଳେ ଯାର ଯହିଁ ବଳୁଥାଏ ଚିତ୍ତ
ମନ ଜାଣି ସେ ଯୋଗାଡ଼ ଦିଅନ୍ତି ସମସ୍ତ
ଭୀଷ୍ମକ ପୁତ୍ର ରୁକ୍ମଣ ନାମେ ମହାବୀର
ସକଳ କାର୍ଯ୍ୟରେ ହୋଇଥାଏ ଆଗଭର
ସମସ୍ତଙ୍କୁ ଚର୍ଚ୍ଚା କରେ ଆପେ ଉଭା ହୋଇ
ରାମ କୃଷ୍ଣ ଦେଖୁଥାନ୍ତି ଅନ୍ତରୀକ୍ଷେ ଥାଇ
ଆକାଶ ମାର୍ଗରେ ରଥ ରଖି କୃପାନିଧି
ପ୍ରଶଂସା କରନ୍ତି ଦେଖି ସ୍ୱୟମ୍ୱର ବିଧି
ବଳଦେବ ସହିତରେ ଜ୍ୟେଷ୍ଠ ସପ୍ତଭ୍ରାତ
ସୁରଥକୁ ଘେନି ରଥେ ବିଜେ ଜଗନ୍ନାଥ
ଘୋଡ଼ାଙ୍କର ବାଗ ଧରି ମାତଳି ସାରଥି
ଗଗନରେ ସ୍ଥିରୀ କଲେ ରହୁବର ଗତି
ଏଥିୁଅନ୍ତେ ସୂର୍ଯ୍ୟ ହେଲ ପଶ୍ଚିମରେ ଅସ୍ତ
ଯେ ଯାହା ସ୍ଥାନରେ ସୁସ୍ଥେ ରହିଲେ ସମସ୍ତ
ଜଗନ୍ନାଥ ଆଜ୍ଞା ଦେଲେ ମାତଳିକି ଚାହିଁ
କୌଶିକ ରାଜନବରେ ରଥ ନିଅ ବାହି
ବିଚକ୍ଷଣ ଅଟନ୍ତି ସେ ଧାର୍ମିକ ନୃପତି
ସେ ଦ୍ରାବିଡ଼ ସାମବେଦୀ ବିପ୍ର ଶୁଦ୍ଧ ଜାତି
ଭୀଷ୍ମକ ରାଜାର ପୁଣି ସେ ଯେ ସାନ ଭ୍ରାତା
ତ୍ରିଲୋଚନା ନାମେ ନାରୀ ଗର୍ଭଧାରୀ ମାତା
ଆବର ନନ୍ଦିନୀ ନାମେ ତାଙ୍କର ଜନନୀ
ବେନି ମାତାଙ୍କର ପୁତ୍ର ଏ ଯେ ଭାଇ ବେନି
ଦୁଇଭାଇ ରାଜ୍ୟ ବାଣ୍ଟି କରୁଛନ୍ତି ଭୋଗ
ଅନେକ ସମ୍ଭାରେ କଲେ ଅଶ୍ୱମେଧ ଯାଗ
ବଡ଼ ପୁଣ୍ୟବନ୍ତ ଏହି କୌଶିକ ନୃମଣି
ବୈଷ୍ଣବ ରାଜାମାନଙ୍କ ସଙ୍ଗେ ୟାଙ୍କୁ ଗଣି
ବିବେକ ମହତ୍ତ୍ୱ ବିଦ୍ୟା ଜାତି କୁଳ ଧୈର୍ଯ୍ୟ
ସଂଗ୍ରାମେ ଶକତା ଜାଣ ଏହି ମହାରାଜ
ତାଙ୍କ ଘରେ ରହି ଆଜ ରାତ୍ରକ ବଞ୍ଚିବା
ରଜନୀ ପାହିଲେ କାଲି ସଭାକୁ ଆସିବା
ମାତଳି ଏମନ୍ତ ଶୁଣି ରଥ ବାହେ ବେଗେ
ପ୍ରବେଶ ହୋଇଲେ କଉଶିକପୁର ଲାଗେ
ଆକାଶ ମଣ୍ଡଳୁ ଯେହ୍ନେ ସୂର୍ଯ୍ୟ ପଡ଼େ ଖସି
ତେସନ ପ୍ରକାରେ ଶୂନ୍ୟେ ଦେବଯାନ ଦିଶି
ତା ଦେଖି କୌଶିକ ରାଜା ସିଂହାସନ ଛାଡ଼ି
ସହସ୍ରେ ପ୍ରଣାମ କଲେ ଭୂମିତଳେ ପଡ଼ି
କରପତ୍ର ଶିରେ ଯୋଡ଼ି ପୁଣି କଲେ ସ୍ତୁତି
କଳ୍ପନା କାମନା ନିଧି ସର୍ବ ଗୁଣଗ୍ରାହୀ
ଶରଣ ସୋଦର ନାଥ ତୁମ୍ଭେ ବେନି ଭାଇ
ତୁମ୍ଭେ ସତ୍ତ୍ୱ ରଜ ତମ ତ୍ରିଗୁଣ ଅନ୍ତର
ପୁରାଣ ପୁରୁଷ ତୁମ୍ଭେ ବେନି ସହୋଦର
ନମସ୍ତେ ହେ ଜଗନ୍ନାଥ ଆଦି ବିଶ୍ୱବାସ
ଠୁଳ ଶୂନ୍ୟ ବିବର୍ଜିତ ପରମ ପ୍ରକାଶ
ଯୋଗୀଜନମାନଙ୍କର ମୂଳମନ୍ତ୍ର ଜପ
ପାପ ପୁଣ୍ୟ ବିବର୍ଜିତ ସକଳ ସ୍ୱରୂପ
ଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭ ଖେଳା ଲୀଳା
କଉତୁକେ ଅବତାର ହେଲ ନନ୍ଦବଳା
ତୁମ୍ଭେ ସ୍ୱାମୀ ଆଦି ଅଟ ତୁମ୍ଭେ ଯେ ଅନାଦି
ନିର୍ମଳ ପୁରୁଷ ନାଥ ତୁମ୍ଭେ ଶୂନ୍ୟଭେଦୀ
ଧରଣୀର ମହାଭାରା ନିବାରଣ ଅର୍ଥେ
ମାନବ ସ୍ୱରୂପେ ତୁମ୍ଭ ଜନ୍ମ ଜଗନ୍ନାଥେ
ଦ୍ୱାପରେ ଭାରତ ଯୁଦ୍ଧ ରଚନା କରାଇ
ଲକ୍ଷେ ରାଜା ମରାଇବ ଆପେ ଉଭା ହୋଇ
ତୁମ୍ଭ ଦାଢ଼ରୁ ଉବୁରି କେହି ଯିବେ ନାହିଁ
ଚାରିଖାନି ଚାରିବାନି ସବୁ ଅଛ ମୋହି
ନମସ୍ତେ ଆଦିପୁରୁଷ ହଳୀ ଚକ୍ରପାଣି
କଳ୍ପନା କାମନା ନିଧି ଦେବ ଶିରୋମଣି
ତୁମ୍ଭେ ଯାହା ସର୍ଜିଲ ତା ସଂସାର ହୋଇଛି
ତା ଅନ୍ୟଥା କରିବାକୁ କାହା ଶକ୍ତି ଅଛି
ଶ୍ରୀ ଜଗନ୍ନାଥ ଚରଣେ ସଦା ମୋର ସେବା
ଏସନ କୌଶିକ ରାଜା କଲେ ଯହୁଁ ସ୍ତୁତି
ସନ୍ତୋଷ ହୋଲେ ଶୁଣି ରାମ ଶିରୀପତି
ରଥୁଁ ଓହ୍ଲାଇ ରାଜାଙ୍କୁ ଧରି କୋଳ କଲେ
ଆଜ ଆମ୍ଭେ ନିସ୍ତରିଲୁ ବୋଲିଣ କହିଲେ
ଆମ୍ଭର ଭକତ ତୁମ୍ଭେ ଯୁଗେ ଯୁଗେ ଅଟ
ପରିବାର ପଣେ ସବୁ ଅବତାରେ ଖଟ
ତୁମ୍ଭେ କି ନ ଜାଣ ନୃପ ଆମ୍ଭେ ଜନ୍ମ କଥା
ଅସୁରଙ୍କ ପାଦଭରେ ପୃଥ୍ୱୀ ପାଇ ବ୍ୟଥା
ବିକଳେ ଗୁହାରି କଲା ଯାଇ ଆମ୍ଭ ଆଗେ
ତେଣୁ ଯୋଗେ ଜନ୍ମ ହେଲୁ ଆସି ଭୂମିଭାଗେ
କଣ୍ୱ ନାରଦ ଆବର ଭରଦ୍ୱାଜ ଋଷି
ବଶିଷ୍ଠ ଜାବାଳି ବାଲମିକ ବ୍ରହ୍ମଋଷି
ଅଗସ୍ତ୍ୟ କପିଳ ଭୃଗୁ ଅଙ୍ଗିରା ବିଦୁର
ଉଗ୍ରସେନ ଅନାଧୃଷ୍ଟ ସାତ୍ୟକି ଅକ୍ରୂର
ଭୀଷ୍ମ ବଳି ବ୍ୟାସ ଭୀମସେନ ଲଙ୍କପତି
ସନକ ଯେ ସନାତନ ପଉଲସ୍ତ୍ୟ ଯତି
କୁନ୍ତୀ ସୁତ ଯୁଧିଷ୍ଠିର ବସୁଦେବ ନନ୍ଦ
ଶୁକ ସନକାଦି ଯେତେ ବଇଷ୍ଣବ ବୃନ୍ଦ
ଆବ୍ରହ୍ମସ୍ତମ୍ଭ ପର୍ଯ୍ୟନ୍ତ ଅଛନ୍ତି ଏ ପୁରୀ
ସତ୍ତ୍ୱ ରଜ ତମ ତିନି ଗୁଣ ଏକ କରି
ସତ୍ତ୍ୱ ଗୁଣୁ ସନ୍ଥଜନେ ହେଲେ ଅବତାର
ରଜରୁ କ୍ଷତ୍ରିୟେ ତମ ଗୁଣରୁ ଅସୁର
ଗୋଶିଘଂ କାଳଦମନ ବାଣାସୁର ବୀର
ଶମ୍ୱର ନାରକା ବଜ୍ରନାଭ ମୂଢ଼ାସୁର
ଶାଲ୍ୱ ଆଉ ଶିଶୁପାଳ ଦନ୍ତବକ୍ର ଜରା
ପୃଥ୍ୱୀଦେବୀ ନ ସହଇ ଏହାଙ୍କର ଭାରା
କଳିଯୁଗ ପରବେଶ ହୋଇବ ନିକଟେ
ସତ୍ୟ ଛାଡ଼ି ପ୍ରାଣୀମାନେ ଚାଲିବେ ଅବାଟେ
ମୁଁ ଯେବେ ଆଗହୁଁ ୟାଙ୍କୁ ନ କରିବି ହତ
ନିଶ୍ଚେ ନାଶ ଯିବ ଚରାଚର ଏ ଜଗତ
ଦୁଷ୍ଟ ନାଶି ଖଣ୍ଡିବଇଁ ପୃଥିବୀର ଭାର
ମ୍ଳେଚ୍ଛାଦି ମୁକ୍ତି ନିମନ୍ତେ ମୋର ଅବତାର
କୌଶିକ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟମୀ
କେ ତୁମ୍ଭ ମହିମା ଅନ୍ତ କରିପାରେ ସ୍ୱାମୀ
ତୁମ୍ଭେ ମୋର ମନ୍ଦିରକୁ ବିଜେ କଲ ହରି
ଯଥୋଚିତ ଅକ୍ଷତ ମୁଁ ଦେବି ସତ୍ୟକରି
ଗୁରୁଙ୍କର ଗୁରୁ ତୁମ୍ଭେ ପୁଣି ଅଭ୍ୟାଗତ
ଦେବଙ୍କ ଉପରେ ଦେବ ଆତ୍ମା ପଞ୍ଚଭୂତ
ଜଗନ୍ନାଥ ବୋଇଲେ ତୁ ବୈଷ୍ଣବରେ ଲେଖା
ଆଦର୍ଶରେ ପିତୃତୁଲ୍ୟ ଭକ୍ତଗୁଣେ ସଖା
କୌଶିକ ବୋଇଲେ ସତ୍ୟ ବଚନ ଏ ମୋର
ଜୀବନ ଆଦି ସମସ୍ତ ଦେଲି ତୁମ୍ଭ କର
ରାଜ୍ୟ ସମ୍ପଦ ମୋହର ଯେତେ ଧନ ଦ୍ରବ୍ୟ
ପୁତ୍ର ଭାର୍ଯ୍ୟା ଆଦିକରି ସମର୍ପିଲି ସର୍ବ
ଏତେ ବୋଲିଣ ଶଙ୍ଖରେ ଜଳ ତିଳ ଭରି
ଗୋବିନ୍ଦ ଶ୍ରୀକରେ ଦେଲେ ମହାବାକ୍ୟ ସ୍ମରି
ବାଜିଲା ଶଙ୍ଖ ମହୁରୀ ଉପାଙ୍ଗ ଯେ ବୀଣା
କୁଣ୍ଡଳୀ ଯନ୍ତ୍ର ଅଧାଟି ଅଳାବେଶୀ ଗୁଣା
ଟମକ ମର୍ଦ୍ଦଳ ଢ଼ୋଲ ନାନା ବାଦ୍ୟ ବାଜେ
ଦୋସରୀ ମହୁରୀ ଭେରୀ ବୀରବାଜା ସାଜେ
ଗାଇଲେ ମଙ୍ଗଳଗୀତ ଶୁଭେ ବେଦ ଧ୍ୱନି
ସ୍ୱସ୍ତି କଲ୍ୟାଣ କରନ୍ତି ସୁର ସିଦ୍ଧ ମୁନି
ପଞ୍ଚାଣୋଇ ଗୋଟି ସିଦ୍ଧ ଶାଳଗ୍ରାମ ମୂର୍ତ୍ତି
ବେଦମନ୍ତ୍ରେ ପୂଜାକଲେ ସ୍ଥାପି ଚଉକତି
ପ୍ରୟାଗ କେଦାରକୁଣ୍ଡ ବାରଣସୀ ଗଙ୍ଗା
ଗୋଦାବରୀ ତୁଙ୍ଗଭଦ୍ରା ଗୋମତୀ ନିମ୍ନଗା
ଯମୁନା ନର୍ମଦା ସରସ୍ୱତୀ ପୁଣ୍ୟ କୁଣ୍ଡ
ଗନ୍ଧବତୀ ବ୍ରହ୍ମପୁତ୍ରୀ ବେଣୀ କଳ୍ପ ଗଣ୍ଡ
ହରିତା ଯେ ହରିପ୍ରିୟା ପ୍ରୟାଗ ସହିତେ
ଶତେ ତୀର୍ଥ ଜଳ ଭରି ସୁବର୍ଣ୍ଣର ପାତ୍ରେ
ସୁବେଦୀ ବ୍ରାହ୍ମଣେ କରି ବୃହତ୍ସାମ ଗାନ
ରାମକୃଷ୍ଣ ଶିରେ ତାହା ଢ଼ାଳିଲେ ବହନ
ଆପେ କଉଶିକ ରାଜା ହସ୍ତେ ପାତ୍ର ଘେନି
ରାଜ୍ୟେ ଅଭିଷେକ କଲେ ରାମକୃଷ୍ଣ ବେନି
ଦୁନ୍ଦୁଭି ବାଦନ କଲେ ଦେବତାଏ ସ୍ୱର୍ଗେ
ଜୟ ଜୟ ଶବ୍ଦ ପୂର୍ଣ୍ଣ ହେଲା ଶୂନ୍ୟ ମାର୍ଗେ
ରାମ ଅଭିଷେକ ଯେହ୍ନେ ଅଯୋଧ୍ୟା ନଗରେ
ତେସନ ଶୋଭା ଦିଶିଲା କଉଶିକ ପୁରେ
ରାଜ୍ୟେ ଅଭିଷିକ୍ତ ଯହୁଁ ହେଲେ ନାରାୟଣ
ସବୁ ରାଜାଙ୍କୁ କହିଲେ ଯାଇ ଚାରଗଣ
ରୁକ୍ମିଣୀଙ୍କ ସ୍ୱୟମ୍ୱରେ ଥିଲେ ରୁଣ୍ଡ ହୋଇ
ଦୈତ୍ୟମାନେ ଶଙ୍କାକଲେ ଏ ବାରତା ପାଇ
ଭଗବନ୍ତ ରାଜାମାନେ ହୋଇଲେ ଉଷତ
ଆବର ବୋଇଲେ ଆମ୍ଭେ ହୋଇଲୁ କୃତାର୍ଥ
କେ ବୋଲଇ ଆମ୍ଭର କି ସତେ ଏଡ଼େ ପୁଣ୍ୟ
ଅବ୍ୟକତ ବିଷ୍ଣୁରୂପ କରିବୁ ଦର୍ଶନ
କେ ବୋଲଇ କୃଷ୍ଣ ଯେବେ ଅଇଲେଣି ସତେ
ରୁକ୍ମିଣୀ ବରିବେ ତାଙ୍କୁ ଦେଖିବା ସାକ୍ଷାତେ
ସଫଳ ହେଲା ଭୀଷ୍ମକ ରାଜା କାର୍ଯ୍ୟ ଆସି
ବର ପ୍ରବେଶିଲେ ବରଯାତ୍ରୀ ଅଛୁ ବସି
ଦନ୍ତବକ୍ର ଜରାସନ୍ଧ ଶାଲ୍ୱ ଶିଶୁପାଳ
ରୁକ୍ମଣ ସେ ବଜ୍ରନାଭ ବାଣ ମହାବଳ
ଏମାନଙ୍କୁ ଆଦି ଦୁଷ୍ଟେ କଲେ ଉପହାସ
ବୋଇଲେ ଏଠାରେ ତାର ପ୍ରୟୋଜନ କିସ
କୌଶିକ ରାଜା କିପାଇଁ ବାତୁଳ ହୋଇଲା
ନନ୍ଦ ଗଉଡ଼ ପୁଅକୁ ରାଜ୍ୟ ଦାନ ଦେଲା
କେ ବୋଲଇ ଏ ତ ବଡ଼ ବିଡ଼ମ୍ୱନ କଥା
ନପୁଣ ଏ କଥାଗୋଟି ନୁହଇ ଅନ୍ୟଥା
ରାଜ୍ୟ ଶିରୀ ସମ୍ପଦ କି ବ୍ୟର୍ଥେ ଛାଡ଼ିପାରେ
ଏ କଥାକୁ ସାବଧାନ ଥିବା ଯେ ଯାହାରେ
କେ ବୋଲନ୍ତି କରୁଅଛ କିପାଁ ଉପହାସ
କଂସପରା ରାଜାକୁ ସେ ହେଳେ କଲେ ନାଶ
ଆବର ଯେ ଅଷ୍ଟମଲ୍ଲ ଥିଲେ ବଳବନ୍ତ
ଅବହେଳେ ବଧ କଲେ ତାଙ୍କୁ ନନ୍ଦସୁତ
ଗୋପପୁରେ ଯେତେ କଥା କଲେ ଦେହବହି
ଦେବାସୁର ମାନବରେ ଗୋଚର ନୁହଇ
କୃଷ୍ଣ ସଙ୍ଗେ ବୈର ହେବା ନୁହଇ ଯୁକତି
ଏତେ ବୋଲି ଶାନ୍ତହେଲେ ଥୋକାଏ ନୃପତି
ଯେଝାମତେ ନୃପଗଣେ ପାଇଲେ ବାରତା
ଲକ୍ଷେ ରାଜା ଆଗେ ପଡ଼େ ରାମକୃଷ୍ଣ କଥା
କେ ବୋଲଇ ଏ ତ ଅସମ୍ଭବ କଥା କଲେ
ମଲା ଲୋକଙ୍କୁ କେମନ୍ତେ ଜୀଆଇଁ ଆଣିଲେ
କେଉଁମାନେ ବୋଲନ୍ତି ଏ ପ୍ରତ୍ୟକ୍ଷେ ଶ୍ରୀହରି
ନୋହିଲେ କି ଆନ ପାରେ ଏଡ଼େ କର୍ମ କରି
ସାନ୍ଦୀପନି ଷଡ଼ପୁତ୍ର ଜୀଆଇ ଆଣିଲେ
ମାନବ ହୋଇଣ ଅସମ୍ଭବ କର୍ମ କଲେ
ତାଙ୍କ ତୁଲେ ପ୍ରୀତି କଲେ ଅଛି ବହୁ ଲାଭ
ଏତେ ବୋଲି ଥୋକେ ରାଜା କଲେ ସଦଭାବ
ବିଚାର କରନ୍ତି ସର୍ବେ ବସି ସ୍ଥାନେ ସ୍ଥାନେ
ସମସ୍ତେ ଉଚ୍ଚାଟ ହେଲେ କୃଷ୍ଣ ଆଗମନେ
ଦୁଷ୍ଟ ରାଜାମାନେ ଶୁଣି ହୋଇଲେ ତାଟକା
କଂସ ମଲା ଦିନ ଦେଖି ପାଇଥିଲେ ଶଙ୍କା
କୌଶିକ ରାଜନବରେ ରହିଲେ ଶ୍ରୀହରି
ସଙ୍ଗେ ବଳରାମ ଆଦି ଭାଇଗଣ ଧରି
ମଣୋହି ଯୋଗାଡ଼ ଦେଲେ କୌଶିକ ରାଜନ
ଭୁଞ୍ଜିଣ ସନ୍ତୋଷ ହେଲେ ରାମ ଭଗବାନ
ଅପୂର୍ବ ନାନା ବ୍ୟଞ୍ଜନ ସୁପକ୍ୱ ରାନ୍ଧଣା
ରାମକୃଷ୍ଣଙ୍କ ମଣୋହି ଏକୁ ଏକ ଜିଣା
ଷଡ଼ଭ୍ରାତ ମାତଳି ଯେ ରାମ ଜଗନ୍ନାଥ
ସୁରଥ ସହିତେ ଭୁଞ୍ଜି ଦେହ କଲେ ସୁସ୍ଥ
ଆଚମନ ସାରି ପୁଣି ତାମ୍ୱୁଳ ଭୁଞ୍ଜିଲେ
ସୁବର୍ଣ୍ଣ ପଲ୍ୟଙ୍କେ ଶୋଇ ରଜନୀ ବଞ୍ଚିଲେ
ପ୍ରଭାତରୁ ନିତ୍ୟକର୍ମ ସାରି ଯେ ଯାହାରେ
ରାଜାମାନେ ବିଜେ କଲେ ଆସିଣ ସଭାରେ
ଯେଝା ସିଂହସନ ମାଡ଼ି ବସି ସଜ ହୋଇ
ଛୟାଣୋଇ ସସ୍ର ରାଜା ରୁଣ୍ଡ ହେଲେ ତହିଁ
ଅପୂର୍ବ ଦିଶଇ ସଭା ମଣ୍ଡଣି ସୁସଞ୍ଚ
ଦିନୁଦିନ ଭିନ୍ନ ଭିନ୍ନ କରନ୍ତି ମଣ୍ଡଣି
ଅଷ୍ଟରତ୍ନ ସିଂହାସନେ ବସି ନୃପଶ୍ରେଣୀ
ହଂସୁଲି ତୂଳି ସୁପାତି ଶେଯ ଆଉଜାଣି
ପନୀର କର୍ପୂର ଗୁଣ୍ଡି କୁସୁମ ବିଞ୍ଚଣି
ଆସ୍ଥାନ ମାଡ଼ି ବସିଲେ ସର୍ବ ମହୀପାଳେ
ପାତ୍ର ଅମନାତ୍ୟେ ଉଭା ହୋଇଛନ୍ତି ତଳେ
ଖୁଣ୍ଟିଆ ଲେଙ୍କା ପ୍ରଭୃତି ଚାର ପ୍ରତିହାରୀ
ନିଯୋଗନ୍ତ ଘେନି ଉଭା ହେଲେ ଯେ ଯାହାରି
ପାଞ୍ଚପୁତ୍ର ସଙ୍ଗେ ଘେନି ଭୀଷ୍ମକ ନୃମଣି
ଆସ୍ଥାନରେ ଉଭା ହେଲେ ବେଳ କାଳ ଜାଣି
ଭୋଜନ ସାରି ସଭାରେ ମିଳିଲେ ତଡ଼ତି
ରଥ ଗଜ ପଦାତିକ ଅଶ୍ୱ ଅପ୍ରମାଣ
ବାଜିଲା ଟମକ ଭେରୀ ମୁରଜ ନିଶାଣ
ଶଙ୍ଖ ମହୁରୀ କାହାଳୀ ଉପାଙ୍ଗ ଦୋସରୀ
ଢ଼ୋଲ ଦମା ବିଜିଘୋଷ ମଡ଼ୁଆଦି କରି
ଷଡ଼ବର୍ଗ ଅଷ୍ଟାଦଶ ପାଟକଙ୍କ ମୂଳେ
ସର୍ବେ ରୁଣ୍ଡହେଲେ ସ୍ୱୟମ୍ୱର ସଭାତଳେ
ସ୍ୱଦେଶୀ ଯେ ପରଦେଶୀ ଦୂର ଦେଶାନ୍ତରୀ
କୌତୁକ ବାରତା ପାଇ ଦେଖୁଛନ୍ତି ଘେରି
ଦେଖଣାହାରୀଏ ଯେଝା ଅନୁରୂପେ ରହି
ସ୍ୱୟମ୍ୱର ଦେଖୁଛନ୍ତି ଖଣ୍ଡଦୂରେ ଥାଇ
ଭୀଷ୍ମକର ଜ୍ୟେଷ୍ଠ ପୁତ୍ର ତା ନାମ ରୁକ୍ମଣ
ରାଜାମାନଙ୍କୁ ସମ୍ୱୋଧି ବସାଏ ନେଇଣ
ଏମନ୍ତ ସମୟେ ଆସି ମିଳିଲେ ଶ୍ରୀହରି
ସୁରଥ କୌଶିଳ ବଳଦେବ ଆଦିକରି
ଏକ ରଥରେ ସମସ୍ତେ ଆସିଛନ୍ତି ବସି
ଆକାଶ ମଣ୍ଡଳୁ ରଥ ପଡ଼ିଲାକ ଖସି
ସଭାର ନିକଟେ ଛାୟାମଣ୍ଡପର ତଳେ
ରହୁବର ପରବେଶ ହେଲା ତତକାଳେ
ରଥର ଉପରେ ବିଜେ କରିଛନ୍ତି ହରି
ଚାମର ଢ଼ାଳନ୍ତି ଶିରେ କଉଶିକ ଧରି
ଗୋବିନ୍ଦ ଦକ୍ଷିଣ ପାଶେ ବିଜେ ହଳପାଣି
ବାମେ ଉଭା ଷଡ଼ଭାଇ ତେଜେ ସୂର୍ଯ୍ୟ ଜିଣି
ପ୍ରାଙ୍ଗଣ ତଳେ ସାରଥି ରୁହାଇଲା ଯାନ
ରଥପରୁ ଓହ୍ଲାଇଲେ ରାମ ଭଗବାନ
ଚାମର ଧରି ଛାମୁରେ କଉଶିକ ଉଭା
ଆସ୍ଥାନରେ ବସି ନୃପେ କରିଛନ୍ତି ସଭା
ନୟନକୁ ସ୍ଥିର କରି ସମସ୍ତେ ଯେ ଚାହିଁ
ଉଠିବାକୁ ବାଟ ନାହିଁ ତଳେ ଉଭା ହୋଇ
ରୁକ୍ମଣ ମୁଖକୁ ଚାହିଁ ବୋଲେ ଜରାସନ୍ଧ
ନିଶ୍ଚୟ ଜାଣିଲୁ ଆମ୍ଭେ ହେଲା କଥା ମନ୍ଦ
ବେଭାରେ ଶତ୍ରୁ ମୋହର ଅଟଇ ଏ ହରି
ଏଡ଼େ ଦୁଷ୍ଟ ଏ ସଭାକୁ ଅଇଲା କିପରି
ଏହାକୁ ବରଣ କିପାଁ କଲ ଜାଣି ଶୁଣି
ରାଜସଭା ମଧ୍ୟେ କେହ୍ନେ ବସାଇବେ ଆଣି
ତୁମ୍ଭେ କି ନ ଜାଣ ୟାର କୁଳ ଗୋତ୍ର ଜାତି
କାହାର ପୁତ୍ର ଅଟଇ ଏ କାହାର ନାତି
ଥୋକେ ନୃପତି ବୋଇଲେ ଦେବକୀ ୟା ମାତା
ବନ୍ଦିଘରେ ଜନ୍ମ ୟାର ବସୁଦେବ ପିତା
ଦୃଷ୍ଟାନ୍ତ ବଚନ କଥା ପ୍ରସଙ୍ଗେ ଶୁଣିଲୁ
ନନ୍ଦ ଗଉଡ଼ର ପୁତ୍ର ବୋଲି ତ ଜାଣିଲୁ
ନାନା ପରପଞ୍ଚ ରୂପେ ବଢ଼ି ବାଳକାଳେ
ରାତ୍ର ଦିବସ ବୁଲଇ ଗଉଡ଼ଙ୍କ ମେଳେ
ଭୋଜନ ମୈଥୁନ ନିଦ୍ରା ଗୋପୀ ସଙ୍ଗ ପାଇ
ଆଠବର୍ଷ ଶେଷ କଲା ଗୋପପୁରେ ରହି
ମାଉସୀ ପିଉସୀ ଖୁଡ଼ା ମାଇଁ ଭଗ୍ନୀ ହରି
ବୃନ୍ଦାବନେ ବୁଲୁଥିଲା ଜାର ବୃତ୍ତି କରି
ଗୁରୁ ଗୌରବ ନ ମାନି ତ୍ୟାଗକରି ଲଜ୍ଜା
ମାତା ଭଗିନୀ ସହିତେ କଲା ଏକଶଯ୍ୟା
ନଟ ପ୍ରାୟେ କରୁଥିଲା ନାନାରଙ୍ଗ ନାଟ
ଘାଟୁଆଳପଣ କରି ଜଗୁଥିଲା ଘାଟ
ବାଳକାଳେ ପୂତନାକୁ ମାଇଲା ପ୍ରତ୍ୟକ୍ଷ
ରୋଳ ଟାଣି ଉପାଡ଼ିଲା ଯାଁଳାର୍ଜ୍ଜୁନ ବୃକ୍ଷ
ବିଶେଷରେ ରାଜଦ୍ରୋହୀ କଲା ପାପ କର୍ମ
କଂସକୁ ମାଇଲା ଠାରୁ ଛାଡ଼ିଲା ସ୍ୱଧର୍ମ
ମିଛ ମାୟା ନଟ କୂଟ ଜୀବିକା ଏହାର
ସମାଜକୁ ଯୋଗ୍ୟ ନୁହେଁ ଜାତିରୁ ବାହାର
ଆବରହିଁ ଅବିଗୁଣ ଅଛି ଯେତେ ଅଙ୍ଗେ
ଛୁଇଁଲେ ଦୋଷ କେମନ୍ତେ ବସିବ ଏ ସଙ୍ଗେ
ମିଛେ ମିଛେ ପୁରୁଷାର୍ଥ ଦେଖାଇବ ବୋଲି
ମାଗଣ ରଥରେ ବସି ଆସୁଅଛି ପେଲି
ପ୍ରତିହାରୀ ଉପ୍ରୋଧରେ ଛାଡ଼ି ଦେଲା ଯହୁଁ
ପ୍ରାଙ୍ଗଣ ଭିତରେ ତେଣୁ ପଶିଅଛୁ ଏହୁ
ଏଡ଼େକ ଭରସା କରି ଆସୁଅଛି ପୁଣି
ଏ ମହାସଭରେ ଆସି ବସିବ ଏକ୍ଷଣି
ଦନ୍ତବକ୍ର ରାଜା ଉଠି ବୋଲେ ହେ ରୁକ୍ମିଣ
ତୁମ୍ଭେ ଅଟ କାର୍ଯ୍ୟଗ୍ରାହୀ ମୋ ବଚନ ଶୁଣ
ସ୍ୱୟମ୍ୱରେ ବରିବାକୁ ତୁମ୍ଭର ଭଉଣୀ
ଚାରିଊଣା ଲକ୍ଷେ ରାଜା ରୁଣ୍ଡ କଲ ଆଣି
ଏଡ଼େ ଆର୍ଦ୍ଦୋଳି ସହିଛ ନ କରିଣ ଚିନ୍ତା
ମହାରାଜା ସଙ୍ଗେ ତୁମ୍ଭେ ହୋଇଣ ଗଣିତା
ବେନିମାସ ସହିଲ ଏ ରାଜାଙ୍କ ଆର୍ଦ୍ଦୋଳି
କନ୍ୟା ନେବା ପାଇଁ ସର୍ବେ ହୋଇଅଛୁ ମେଳି
ନନ୍ଦ ଗଉଡ଼ର ପୁଅ ଏହି ଗୋପୀନାଥ
ୟାକୁ ତୁମ୍ଭେ ବରିଛ କି କହ ତା ଯଥାର୍ଥ
ରୁକ୍ମଣ ବୋଲଇ ଆମ୍ଭେ ୟାକୁ ବରିନାହୁଁ
ଅବରଣ ହୋଇ କିପାଁ ଆସିଅଛି ଏହୁ
ଶାଲ୍ୱ ବୋଲେ ପୁଚ୍ଛ ଯାଇ କୌଶିକ ନୃପକୁ
କିପାଁ ଏତେ ଦୂରଯାଏ ଆଣିଲା ଏହାକୁ
ରାଜପୁତ୍ର ନୁହଇ ଏ ନୁହେ ରାଜବଂଶୀ
ମୂର୍ଦ୍ଧା ଅଭିଷେକୀ ରାଜସଭା ମଧ୍ୟେ ବସି
ନ ଜାଣି ସଭାକୁ କିପାଁ ଆସୁଅଛି ଏହି
ମହତ୍ତ୍ୱ ଯିବ ଗଳଥା ମାଡ଼ ଏଥେଁ ଖାଇ
କାଳଦମନ ବୋଇଲା କଉଶିକ ଶୁଣ
ତୋ ସମାନେ ଜଗତରେ ନାହିଁ ନିଲକ୍ଷଣ
ଗୌଡ଼ ବାଉଡ଼ ହାଉଡ଼ ଜାତି ମତୁଆଳ
ତିନି ନାମ ବହନ୍ତି ଏ ବର୍ବର ଗୋପାଳ
ଭୀଷ୍ମକର ସାନଭାଇ ତୁ ଅଟୁ ମହତ
ଅଜାତିକି ପୂଜା କରି ହୋଇଲୁ ପତିତ
ଏବେ ତୁ ଏହାକୁ ଘେନି ସଭାକୁ ଅଇଲୁ
ଆପଣା ମନରେ ଆପେ ଲଜ୍ଜା ନ ପାଇଲୁ
ସମରାଜ୍ୟ ଦେଲୁ ମନେ କି ବିଚାର କରି
ଏଠାକୁ ସରିଲା ଜାତି ମହତ୍ତ୍ୱ ତୋହର
ଗଉଡ଼ ପୁଅକୁ ଯେବେ ଦେଲୁ ସିଂହାସନ
ବିଚାର ଏକଥା ହେଲା କେଡ଼େ ବିଡ଼ମ୍ୱନ
ରୁକ୍ମିଣୀର ସ୍ୱୟମ୍ୱର ହେବ ବରଯାତ୍ରୀ
ଏଥିପାଇଁ ତୁ ଏହାକୁ କଲୁ ଚକ୍ରବର୍ତ୍ତୀ
ଗଉଡ଼ ଗୋଟାଏ ଯେବେ କରିୁଅଛୁ ରାଜା
ଆପଣା ରାଜ୍ୟକୁ ନେଇ ଆପେ କର ପୂଜା
ନ ଜାଣିମାପଣେ ଯେବେ ହୋଇଲୁ ବାତୁଳ
ସମୁଦ୍ର ଲଘିଂଲେ କାହିଁ ରକ୍ଷା ହେବ କୂଳ
ଆମ୍ଭେ ଲକ୍ଷେ ମହାରାଜା ଏକୁ ଏକ ଯୋଧୀ
ଅପାର ସୈନ୍ୟ ଆମ୍ଭର ଯେସନେ ବାରିଧି
ସୁପବିତ୍ର ପାଟବଂଶୀ କୁଳ ଶୀଳ ଯୁତ
ପୁରୁଷାନୁକ୍ରମେ ଆମ୍ଭେ ରାଜା ରାଜଗୋତ୍ର
ଏକ ଯୋଗ ହୋଇ ସର୍ବେ କରିଅଛୁ ସଭା
ଗଉଡ଼ ପୁଅକୁ କେହ୍ନେ ବସାଇଛୁ ଅବା
ତୁ ଯେବେ ଆସିବୁ ଆସ ଏକା ହୋଇ ଉଠି
ନନ୍ଦର ପୁଅକୁ ବୋଲ ସେ ଯାଉ ଲେଉଟି
ଏହା ଶୁଣି କଉଶିକ ହେଲେ କୋପାନଳ
କାଳଚନ୍ଦ୍ର ପ୍ରାୟେ ନେତ୍ର ବୁଲେ ଅନ୍ତରାଳ
ଅଙ୍ଗୁଳି ଫୁଟାଇ ବୀର ଉଗ୍ର କୋପ କରି
ବିଚାରଇ ସମସ୍ତଙ୍କୁ ପକାଇବି ମାରି
ଅଜ୍ଞାନ ପାମର ମୂଢ଼ ଦୁର୍ବୁଦ୍ଧି ଏ ଦୁଷ୍ଟ
ପ୍ରତ୍ୟକ୍ଷରେ ବିଷ୍ଣୁ ନିନ୍ଦା କରଇ ପାପିଷ୍ଠ
ଆୟୁଷ ଲକ୍ଷ୍ମୀ ଏହାର ହୋଇଲାଣି ଶେଷ
ଅକାଳେ ମରଣ ଲଭି ଯିବ ଯମପାଶ
ଯେଉଁ ବିଷ୍ଣୁଙ୍କୁ କରନ୍ତି ସନକାଦି ଲୟେ
ଅବ୍ୟକତ ପୁରୁଷ ଏ ଅତି ପୁଣ୍ୟମୟେ
କଉତୁକେ ଧରିଛନ୍ତି ମାନବର କାୟା
ଚରାଚର ଘୋଟିଅଛି ଏହାଙ୍କର ମାୟା
ଏ ନୃପେ ଅଜ୍ଞାନୀ ପଣେ ନିନ୍ଦା କରୁଛନ୍ତି
ଧର୍ମଶାସ୍ତ୍ର ପ୍ରମାଣେ ମୁଁ କରିବି ଯୁକତି
ଏତେ ଚିନ୍ତି କଉଶିକ ବୋଲେ ସର୍ବେ ଶୁଣ
ନିରଲମ୍ୱ ପୁରୁଷ ଏ ସ୍ୱୟଂ ନାରାୟଣ
ଅବନୀରେ ଜନ୍ମିଛନ୍ତି ନରଦେହ ବହି
ଆସ୍ଥାନରେ ବସିବାକୁ ୟାଙ୍କୁ ଠାବ ଦେବା
ମେଦିନୀ ପବିତ୍ର ହେଉ ଶୋଭା ପାଉ ସଭା
ଭୀଷ୍ମକ ରାଜାର କାର୍ଯ୍ୟ ହୋଇବ ସଫଳ
ସଭାରେ ବିଜେ କରନ୍ତୁ କୃଷ୍ଣ କାମପାଳ
କୌଶିକ ବଚନ ଶୁଣି ବୋଲେ ଜରାସନ୍ଧ
ତୋ ସମାନ ଆମ୍ଭେମାନେ ହୋଇନାହୁଁ ଅନ୍ଧ
ତୁ ପାମର ମୂର୍ଖ ତୋର ଦେହେ ନାହିଁ ଜ୍ଞାନ
ତେଣୁ ଏ ସଭାରେ ଆସି କହୁଛୁ ଏସନ
ପରମ ପଣ୍ଡିତ ହୋଇ ଜ୍ଞାନଧ୍ୱଂସ ହେଲୁ
ଆପଣାର ରାଜଲକ୍ଷ୍ମୀ ପରହସ୍ତେ ଦେଲୁ
ବିଶୁଦ୍ଧ ବ୍ରାହ୍ମଣ ତୁ ଯେ ଭୀଷ୍ମ ରାଜା ସରି
ସବୁଠାରେ ପୂଜା ପାଉ ବସି ଆମ୍ଭପରି
ତୁ ଯଦ୍ୟପି ବୋଲୁଅଛୁ ନାରାୟଣ ଏହି
ମାନବ ଯୋନିରେ ଜନ୍ମ ହୁଅନ୍ତି କିପାଇଁ
ସେ କିପାଁ ହରନ୍ତି ମାଇଁ ମାଉସୀ ପିଉସୀ
କି କାରଣେ ତାକୁ ଏତେ କହୁଛୁ ପ୍ରଶଂସି
ତୁ ମୂଢ଼ ହୋଇଲୁ ବୋଲି ଆମ୍ଭେ ନୋହୁ ମୂଢ଼
ଜାଣୁ ଜାଣୁ ବସାଇବୁ ସଭାରେ ଗଉଡ଼
ଏହା ଶୁଣି କଉଶିକ କୋପେ ପରଜ୍ୱଳି
ବୋଲେ କେତେ ବିଷ୍ଣୁ ନିନ୍ଦା କରୁଅଛ ବଳି
ସୃଷ୍ଟି ସ୍ଥିତି କରିଛନ୍ତି ଏହି ନାରାୟଣ
ନିମିଷକେ ବିନାଶିବେ ତୋର ମୂର୍ଖପଣ
ବଜ୍ରନାଭ ବୋଲେ ଏହା ତୁହି ଜାଣୁ ଏକା
ରାଜହଂସ ଗୋଷ୍ଠୀରେ କି କୁମ୍ଭାଟୁଆ ଲେଖା
ତୁ ଯେଡ଼େ ଭାଜନ ତେଡ଼େ ଆଭରଣ କଲୁ
ଆପଣା ସମ୍ପଦ ଯାଚି ପରହସ୍ତେ ଦେଲୁ
ଏବେହେଁ ଚାମର ଧରି କଲୁ ଭୃତ୍ୟପଣ
ତୋଠାରେ ଅଛି କି ଆଉ ନୃପତି ଲକ୍ଷଣ
ଶିରୀ ତୁଟିଲେ ପ୍ରାଣୀର ବୁଦ୍ଧି ଯାଏ ନାଶ
ବାଳୁତ ପରାୟେ ବାକ୍ୟ କହେ ଯିସ ତିସ
ତୋର ଏ କଥାରେ ଅବା ଅଛି କେଉଁ ଫଳ
ବୃଥାରେ ଗୁଡ଼ାଏ କହି କରୁଅଛୁ ଗୋଳ
ଲାଜ ନ ପାଇଣ ତୁ ଯେ ପଶୁଅଛୁ ପେଲି
ଗୋଡ଼ ଲମ୍ୱାଇ ବସିଲେ ଦୁଷ୍ଟେ ଏତେ ବୋଲି
ପଡ଼ିହାରୀଙ୍କି ବୋଇଲେ ଓଗାଳ ଯେ ବାଟ
ପେଲି ପଶିଲେ ନିରାଟେ ବେତ ଘେନି ପିଟ
ଶୁଣିଣ ଖୁଣ୍ଟିଆମାନେ ଦ୍ୱାର ନିରୋଧିଲେ
ପ୍ରାଙ୍ଗଣରେ ତଳେ ରାମ ଗୋବିନ୍ଦ ରହିଲେ
ରାଜାମାନେ ବସିଛନ୍ତି ସିଂହାସନ ମାଡ଼ି
କଉଶିକ ତଳେ ଉଭା ଶିରେ କର ଯୋଡ଼ି
କୃଷ୍ଣମୁଖ ଚାହିଁ ଧୀରେ ସ୍ତତିବାକ୍ୟ ଭଣି
ସବୁରି ମନ ଜାଣନ୍ତି ପ୍ରଭୁ ଚକ୍ରପାଣି
ପ୍ରାଙ୍ଗଣ ତଳେ ତିନିହେଁ ହୋଇଛନ୍ତି ଉଭା
ଆସ୍ଥାନ ଉପରେ ନୃପେ କରିଛନ୍ତି ସଭା
ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି
ରୁକ୍ମିଣୀ ପ୍ରଥମ ସ୍ୱୟମ୍ୱର ପୁଣ୍ୟଧ୍ୱନି
ଇଦଂ ଚତୁଃପଞ୍ଚାଶତ ଅଧ୍ୟା ଶେଷ ହୋଏ
ରାମକୃଷ୍ଣଙ୍କ ଅପମାନ ଓ ଗରୁଡ଼ କର୍ତ୍ତୃକ ସ୍ୱୟମ୍ୱର ଭଙ୍ଗ
ଏହା ଶୁଣି ପରୀକ୍ଷିତ ଶୁକମୁନି ପାଦେ
ବିନୟରେ ପୁଚ୍ଛା କଲେ ହରଷ ବିଷାଦେ
ଭୋ ମୁନି କହିଲ ତୁମ୍ଭେ ଶୁଣିଣ ସମସ୍ତ
ତହିଁ ପରେ କିସ କଲେ ରାମ ଜଗନ୍ନାଥ
ଅପମାନ ପାଇ ପ୍ରଭୁ କଲେ କି ବିଚାର
ସେ କଥା ସଂକ୍ଷେପି ମୋତେ କହ ମୁନିବର
ରାଜାର ବଚନ ଶୁଣି ଶୁକ ମହାମୁନି
ବୋଇଲେ କହିବା ଶୁଣ ଅପୂର୍ବ କାହାଣୀ
ଏମନ୍ତ ହୋଇଲା ଆସି ସାତଘଡ଼ି ବେଳ
ରାମ କୃଷ୍ଣ ଶ୍ରୀଅଙ୍ଗରୁ ବହେ ଶ୍ରମଝାଳ
ଦୁଷ୍ଟ ରାଜାମାନଙ୍କର କଟୁ ବାକ୍ୟ ଶୁଣି
କୋପେ ପ୍ରଜ୍ଜ୍ୱଳିତ ହେଲେ ରାମ ଚକ୍ରପାଣି
ପୂର୍ଣ୍ଣଚନ୍ଦ୍ର ବଦନରେ ପଡ଼ିଗଲା କାଳି
ଅନେକ ଲଜ୍ଜା ପାଇଲେ ରାମ ବନମାଳୀ
ଅପମାନେ ମଥା ପୋତି ରହିଲେ ମଉନେ
କେମନ୍ତେ ବାହୁଡ଼ି ଯିବା ବିଚାରନ୍ତି ମନେ
କୌଶିକ ବୋଇଲେ ମୋତେ ଆଜ୍ଞା ଦିଅହରି
ନିମିଷକେ ଏ ଦୁଷ୍ଟଙ୍କୁ ପକାଇବି ମାରି
ରାମ ପ୍ରସାଦରୁ ମୋର ନାହିଁ କିଛି ଭୟ
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ କରିପାରେ ଜୟ
ଏକମାତ୍ର ସାହା ତୁମ୍ଭେ ଥିବ ନାରାୟଣ
ଘଡ଼ିକେ ଘେନିବି ସବୁ ରାଜାଙ୍କର ପ୍ରାଣ
ଏମନ୍ତ ବୋଲିଣ ଧନୁ ଧରି ବାମ କରେ
ଟଙ୍କାରିଲେ ତୀକ୍ଷ୍‌ଣ ଶର ବସାଇ ଗୁଣରେ
ଜଗନ୍ନାଥ ଆଜ୍ଞା ଦେଲେ କଉଶିକେ ଚାହିଁ
କୋପ ଛାଡ଼ି ସମୟେକ ରୁହ ସ୍ଥିର ହୋଇ
ଏମାନେ ନ ଜାଣି ଅବା କଲେ ମୂର୍ଖ ବୁଦ୍ଧି
ଦେବକାର୍ଯ୍ୟ ପାଇଁ ଆମ୍ଭେ ସହିବାର ବିଧି
ଏ ସଭାରେ ବସିଛନ୍ତି ଯେତେ ଦଣ୍ଡଧାରୀ
ବିଚାରିଲେ କ୍ଷଣକରେ ଦେବି ମୁଁ ସଂହାରୀ
କେବଳ କାର୍ଯ୍ୟ ନିମନ୍ତେ ଥୋକେ ଦିନ ଥିବେ
ଯେ ଯାହା ଦୋଷରେ ପୁଣି ସର୍ବେ ନାଶଯିବେ
କୋପ ଶାନ୍ତି କରି ଏବେ ତୁମ୍ଭେ ହୁଅ ସ୍ଥିର
ପଣ୍ଡିତ ଲୋକର ନୁହେ ଏପରି ବେଭାର
ଏ ଦୁଷ୍ଟେ ଆମ୍ଭଙ୍କୁ ଯେବେ କଲେ ଉପହାସ
ଆପଣା ପାପରେ ଆପେ ନିଶ୍ଚେଁ ଯିବେ ନାଶ
ଏତେ ବୋଲି କଉଶିକ କରୁ ଧନୁଶର
ଛଡ଼ାଇଣ ଘେନି ଗଲେ ଆପେ ଚକ୍ରଧର
ଯେତେ ସନ୍ଥ ରାଜା ବସିଥିଲେ ସେ ସଭାରେ
କୃଷ୍ଣ ନିନ୍ଦା ନ ସହିଣ କହିଲେ କ୍ରୋଧରେ
ଜରାସନ୍ଧଠାରୁ ବଳି ନାହିଁ ଆଉ ମୂଢ଼
ବସୁଦେବ କୁମରକୁ ବୋଲୁଛି ଗଉଡ଼
ପୂତନା ଶକଟା ବକା ତୃଣାବର୍ତ୍ତ ମାରି
ଇନ୍ଦ୍ର ବିବାଦେ ଧଇଲେ ଗୋବର୍ଦ୍ଧନ ଗିରି
କାଳୀୟର ଦର୍ପ ଦଳି କାଳିନ୍ଦୀ ହ୍ରଦରେ
ସେ ଜଳ ନିର୍ବିଷକଲେ ତଡ଼ି ତାକୁ ଦୂରେ
ଅଷ୍ଟମଲ୍ଲ ମାରି ପୁଣି ବଧ କଲେ କଂସ
ମୃତ ପୁତ୍ର ଜୀଆଇଲେ ଏହି ପୀତବାସ
ଏତେ ଗୁଣ ରହିଅଛି ଯା ଦେହରେ ପୂରି
ସଭାକୁ ଅଯୋଗ୍ୟ ହେଲେ ସେ କୃଷ୍ଣ କିପରି
ଏହା ଶୁଣି ଜରାସନ୍ଧ ବୋଲେ କଥା ସନ୍ଧି
ନ ବୁଝିଣ କହୁଅଛ କିପାଇଁ ଅବିଧି
ମୂର୍ଦ୍ଧାଅଭିଷେକୀ ରାଜା ବସଇ ସଭାରେ
କିବା ରାଜପୁତ୍ର ହୋଇଥିଲେ ବସିପାରେ
ଯେବେ ଜାଣ ବସୁଦେବ ପୁତ୍ର ଏ ସ୍ୱରୂପ
କହ ବସୁଦେବ ଅଟେ କେଉଁ ଦେଶେ ନୃପ
ମଥୁରାରେ ଉଗ୍ରସେନ ହୋଇଅଛି ରାଜା
ସକଳ ଯାଦବଗଣେ ତାହାର ପରଜା
ପାତ୍ର ପୁତ୍ର ହୋଇ କୃଷ୍ଣ ଏ ରାଜ ସଭାରେ
କିପରି ବସିବ ଏହା କହୁଛ ମୁଖରେ
ଜରାସନ୍ଧ କଥା ଶୁଣି ସାଧୁ ନୃପଯାକ
ବୋଇଲେ କୌଶିକ ରାଜ୍ୟେ ହେଲେ ଅଭିଷେକ
ଅଭିଷିକ୍ତ ହୋଇ ରାଜ୍ୟେ ରାଜା ହେଲେ ଯେବେ
ରାଜସଭା ମଧ୍ୟେ କିପାଁ ବସି ନ ପାରିବେ
ଏହା ଶୁଣି କୋପଭରେ ଉଠି ଶିଶୁପାଳ
ବୋଇଲେ ନ ଜାଣି କିପାଁ କରୁଅଛ ଗୋଳ
ଧର୍ମବନ୍ତ ବୋଲି ଯାହା ବୋଲୁଛ ଏହାଙ୍କୁ
ସ୍ତିରୀହତ୍ୟା ଅରଜିଲା ମାରି ପୂତନାକୁ
ଷଣ୍ଢା ବଧ କରି ନେଲା ଗୋରୁହତ୍ୟା ଦୋଷ
ଗୁରୁପତ୍ନୀ ହରି ବନେ କରିଲା ରାହାସ
ଗୌଡ଼ଘରେ ଅନ୍ନ ଖାଇ ଭ୍ରଷ୍ଟ କଲା କାୟା
ତଥାପି ୟା ଠାରେ ତୁମ୍ଭେ କରୁଅଛ ଦୟା
ମୂର୍ଖପଣେ କଉଶିକ ରାଜ୍ୟ ତାକୁ ଦେଲା
ପାପୀ ସଙ୍ଗେ ସଙ୍ଗ ହୋଇ ପାପ ଅରଜିଲା
ତୁମ୍ଭେ ତାକୁ ବସାଇଲେ ଆମ୍ଭ ଯିବୁ ଉଠି
ଜାଣୁ ଜାଣୁ ପାପୀ ସଙ୍ଗେ କରିବୁ କି ଗୋଷ୍ଠୀ
ଏହା ଶୁଣି ମନେ ଲଜ୍ଜା ପାଇ ଚକ୍ରଧର
ବାହୁଡ଼ିଲେ କରେ ଧରି ବଳଦେବ କର
ଅପମାନ ପାଇ ରଥେ ବିଜେକଲେ ଯାଇ
ସୁରଥ ସହିତେ ସଙ୍ଗେ ଛନ୍ତି ଷଡ଼ଭାଇ
କୌଶିକ ରଜାଙ୍କୁ ଘେନି ବସି ଦେବରଥେ
ଗରୁଡ଼କୁ ସୁମରଣା କଲେ ଅନ୍ତର୍ଗତେ
ଜୟ ଜୟ ଖଗେଶ୍ୱର ଅନାଦି ଅନନ୍ତ
ପରମ ବୈଷ୍ଣବ ତୁମ୍ଭେ ବିନତାର ସୁତ
ଅକ୍ଷୟ ଅଜରାମର ଅଟ ମହାଯୋଗୀ
ପନ୍ନଗ ଅଶନ ତୁମ୍ଭେ ଅଇଶ୍ୱର୍ଯ୍ୟ ଭୋଗୀ
ସୁବର୍ଣ୍ଣ ବରନ ତନୁ ଦିଶେ ଜ୍ୟୋତିର୍ମୟ
କ୍ଷଣକରେ ତ୍ରିଭୁବନ କରିପାରେ ଜୟ
କଳା କାମ ନିଦ୍ରା ଆଦି ବିବର୍ଜିତ ଅଙ୍ଗ
ଜ୍ଞାନବଳେ କରିଅଛ ପରମାତ୍ମା ସଙ୍ଗ
ତବ ଅଙ୍ଗେ ନ ଭେଦଇ ଜନ୍ମ ମୃତ୍ୟୁ ବେନି
ନିମିଷକେ ଭ୍ରମିପାର ସକଳ ମେଦିନୀ
କଶ୍ୟପ ବିନତା ଦୁହେଁ ତୁମ୍ଭେ ପିତା ମାତା
ତୁମ୍ଭେ ଭୂତ ଭବିଷ୍ୟତ ବର୍ତ୍ତମାନ ଜ୍ଞାତା
ଅଷ୍ଟାଙ୍ଗ ଯୋଗରେ ଗତି ରୀତି ସବୁ ଜାଣ
ଚଉରାଶୀ ଖଣ୍ଡ ଜ୍ଞାନ ଆପଣେ ବଖାଣ
କଳ୍ପ କଳ୍ପାନ୍ତର କାଳେ ନାହିଁ ତୁମ୍ଭ ମୃତ୍ୟୁ
ପୃଥ୍ୱୀ ଆପ ତେଜ ବାୟୁ ଆକାଶର ହେତୁ
ଶଉଚ ନିର୍ମଳ ସଦାକାଳେ ନବଯୁବା
ସବୁ ପକ୍ଷୀମାନଙ୍କର ଅଟ ତୁମ୍ଭେ ଦେବା
ପକ୍ଷାଘାତ ଅଣଞ୍ଚାଶ ବାୟୁ ହୁଏ ଜାତ
ଚଞ୍ଚୁ ପୁଟେ ବହିଥିଲ ବ୍ରହ୍ମାଣ୍ଡ ସପତ
ନାସିକା ରନ୍ଧ୍ରେ ଶୋଷଣ କଲ ସପ୍ତସିନ୍ଧୁ
ମହତ ମର୍ଯ୍ୟାଦାବନ୍ତ ପ୍ରାଣୀଙ୍କର ବନ୍ଧୁ
ଆଚାରେ ନିର୍ଜିତ ତୁମ୍ଭେ ବିଚାରେ ସୁବୋଧ
ଯତିଙ୍କର ଯତି ତୁମ୍ଭେ ସିଦ୍ଧଙ୍କର ସିଦ୍ଧ
ନମସ୍ତେ ବିନତା ସୁତ ନାଗଙ୍କ ବଇରୀ
ସପତ ଭାଣ୍ଡ ଅମୃତ ରକ୍ଷା ଅଧିକାରୀ
ନାନା ରତ୍ନ ଭୂଷଣରେ ଶୋହେ ତୁମ୍ଭ ତନୁ
ଯା ମହିମା ବଖାଣନ୍ତି ସ୍ୱର୍ଗେ ଶତମନ୍ୟୁ
ଇନ୍ଦ୍ରିୟ ନିଗ୍ରହ କରି ଯୋଗ କଲ ସିଦ୍ଧି
ହୃଦୟ କମଳେ ମନ ଥୋଇ ଜ୍ଞାନ ସାଧି
ଆଦିତ୍ୟ ରଥେ ସାରଥି ଅରୁଣ ଯା ଭାଇ
ବିଷ୍ଣୁ ଲୋକ ପରିଯନ୍ତେ ହେଳେ ପାର ଯାଇ
ଅପାର ମହିମା ଯାର ଆଦି ଅନ୍ତ ନାହିଁ
ମୁଁ କିସ କହିବି ଅବା ନରଦେହ ବହି
ଖଗପତି ଚରଣରେ ଶତେ ବାର ନମି
ଅଚ୍ୟୁତ ଦାସ କବିକି ଉଦ୍ଧରିବା ସ୍ୱାମୀ

ଏସନକ ସ୍ତୁତି ଯହୁଁ କଲେ ଚକ୍ରଧର
ଜାଣିଲେ ରମ୍ୟକ ଦ୍ୱୀପେ ଥାଇ ଖଗେଶ୍ୱର
ରତ୍ନପୀଠ ସବିତରେ କମ୍ପିଲା ଆସନ
ବିଚାରିଲେ ସୁମରିଲେ ମୋତେ ଭଗବାନ
ଏତେ ବୋଲି ଧାତିକାରେ ଉଡ଼ିଲେ ଗଗନେ
ଅନଳ ସମାନେ ତେଜ ବିରାଜଇ ଶୂନ୍ୟେ
ପ୍ରଚଣ୍ଡ ଆଦିତ୍ୟ ପ୍ରାୟ ବିକାଶଇ ଜ୍ୟୋତି
ପବନହୁଁ ବେଗ ହୋଇ ଗଲେ ଶୀଘ୍ର ଗତି
ପକ୍ଷ ଚାଳି ଉଡ଼ିଯାନ୍ତେ କମ୍ପଇ ବ୍ରହ୍ମାଣ୍ଡ
ଅଣଞ୍ଚାଶ ବାୟୁ ଯେହ୍ନେ ବହଇ ପ୍ରଚଣ୍ଡ
ଶବଦେ ସ୍ତବଧ ହୋଇ ସକଳ ନୃପତି
ନୟନକୁ ସ୍ଥିର କରି ଆକାଶେ ଚାହାଁନ୍ତି
ଦେଖିଲେ ଗରୁଡ଼ ମୂର୍ତ୍ତି ଦିଶଇ କରାଳ
ନିର୍ଧୂମ ଅନଳ ଜିଣି ତେଜ ଅନ୍ତରାଳ
ମଧ୍ୟାହ୍ନ ସୂର୍ଯ୍ୟକୁ ଯେହ୍ନେ ନ ପାରନ୍ତି ଚାହିଁ
ଶ୍ରବଣ ଛୁଇଁଲେ ନୃପେ ଚକ୍ଷୁ ବୁଜିଦେଇ
କାହାର ହସ୍ତରୁ ଖସି ତଳେ ପଡ଼େ ଅସ୍ତ୍ର
ଭୟରେ କାତର ହୋଇ କମ୍ପେ କାହା ଗାତ୍ର
ଓଷ୍ଠ କଣ୍ଠ ଶୁଖି ଶୀର୍ଣ୍ଣ ଦିଶେ କାହା ତନୁ
ଥୋକାଏ ନୃପତି ଧରି ନ ପାରିଲେ ଧନୁ
ଭୟେ ଧରି ନ ପାରିଲେ ଶସ୍ତ୍ର ଯେ ଯାହାର
ବାତେ ରମ୍ଭାବନ ପ୍ରାୟ କମ୍ପଇ ଶରୀର
କେଶ ବାସ ଅସମ୍ଭାଳ ସିଂହାସନ ଛାଡ଼ି
ଉଠନ୍ତେ ପଡ଼ିଲେ ତଳେ ହୋଇଣ କଚାଡ଼ି
କାହା ମୁକୁଟ କମ୍ପିଲା କମ୍ପିଲା କା ଶିର
କାହା ଛାତି କମ୍ପେ କାର କମ୍ପେ ବେନିକର
ଭେଳିକି ଲାଗିଲା କଥା ନ ପାରନ୍ତି କହି
ଭୟେ କମ୍ପମାନ ହେଲା ସମସ୍ତଙ୍କ ଦେହୀ
ତରସ୍ତ ହୋଇ ଦେଖନ୍ତି ସବୁ ନୃପବର
ମିଳିଲା ଶ୍ରୀକୃଷ୍ଣ ପାଶେ ଆସି ଖଗେଶ୍ୱର
ଶିରେ କରପତ୍ର ଯୋଡ଼ି ବୋଲେ ପକ୍ଷିରାଣ
କି କାରଣେ ସୁମରିଲ ମୋତେ ନାରାୟଣ
ତବ ଦରଶନେ ମୋର ପାପ କ୍ଷୟ ଗଲା
ନିସ୍ତରିଲି ସୁପ୍ରଭାତ ଆଜ ହୋଇଥିଲା
ଭକ୍ତି ମୁକ୍ତି ଲାଭ କଲି ସିଦ୍ଧ ହେଲା କାର୍ଯ୍ୟ
ଏତେକାଳେ ଦରଶନ ଦେଲ ଦେବରାଜ
କି କାର୍ଯ୍ୟ ପଡ଼ିଛି ଏବେ କରିବି ମୁଁ କହ
ଶ୍ରୀମୁଖରୁ ଆଜ୍ଞା ହେଲେ ଫିଟିବ ସନ୍ଦେହ
ଶ୍ରୀଜଗନ୍ନାଥ ବୋଇଲେ ଶୁଣ ପକ୍ଷିରାଜା
ଏ ଦୁଷ୍ଟ ରାଜାଙ୍କ ମୁଖେ ପାଇଲି ମୁଁ ଲଜ୍ଜା
ଅନେକ ଭର୍ତ୍ସନା କରି ନ ଦେଲେ ବସାଇ
ଲେଉଟି ଅଇଲୁ ଆମ୍ଭେ ଅପମାନ ପାଇ
ଗରୁଡ଼ ବୋଇଲେ ମୋତେ ଆଜ୍ଞା ଦିଅ ହରି
ନିମିଷକେ ସମସ୍ତଙ୍କୁ ଦେବି ମୁଁ ସଂହାରି
ଶ୍ରୀକୃଷ୍ଣ ବୋଇଲେ କ୍ଷଣେ କୋପ ସଂହରିବି
ଏ ଘାନ୍ତି ଘଉଡ଼ି ଦେଇ ପଛନ୍ତେ ମାରିବି
ଦେବକାର୍ଯ୍ୟ ହେବ ପୃଥ୍ୱୀ ହୋଇବ ଉଶ୍ୱାସ
ବାଞ୍ଛା ସିଦ୍ଧ କରି ଆମ୍ଭେ ଲଭିବା ସୁଯଶ
ଆମ୍ଭର ବଚନ ଏବେ ଶୁଣ ପକ୍ଷୀ ବର
ସର୍ବେ ଅପମାନ ପାନ୍ତୁ ସଭା ଭଙ୍ଗ କର
ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ରହିବ ଏ କଥା
ପ୍ରାଣେ ନ ମରି ପଳାନ୍ତୁ ପାଇ ଲାଜ ବ୍ୟଥା
ଗରୁଡ଼କୁ ଏହି ଆଜ୍ଞା ଦେଇ ଚକ୍ରଧର
ଆକଶକୁ ଉଠିଗଲେ ଚଢ଼ି ରହୁବର
ସ୍ୱାମୀ ଆଜ୍ଞା ମସ୍ତକରେ ଘେନି ଖଗପତି
ଭୟଙ୍କର ରୂପ ଧରି ହେଲେ ଉଗ୍ରମୂର୍ତ୍ତି
ଆକାଶ ମଣ୍ଡଳେ ଶିର ଲାଗିଲାକ ଯାଇ
ବୃନ୍ଦାରକେ ପଳାଇଲେ ଦେଖି ଭୟ ପାଇ
ପଞ୍ଚାଶ ସହସ୍ର ଯୂଣ ବିସ୍ତାରିଲେ ଡେଣା
ଆକାଶ ଘୋଟନ୍ତେ ସୂର୍ଯ୍ୟ ତେଜ ହେଲା ଊଣା
ମେରୁ ମନ୍ଦର ପରାୟେ ଦିଶେ ବେନି ପାଦ
ପ୍ରଚଣ୍ଡ ମେଘ ଗର୍ଜ୍ଜନ ପ୍ରାୟ ଘୋର ନାଦ
ରଟମଟ ଦନ୍ତପାଟି ବିକଟାଳ ମୂର୍ତ୍ତି
ଧ୍ରୁବଲୋକ ପରିଯନ୍ତେ ବିରାଜଇ ଜ୍ୟୋତି
କରାଳ ବଦନ କାଳନଳ ଚକ୍ଷୁ ବେନି
ଦିନକର ଉଇଁଲେ କି କୋଟି ରଶ୍ମି ଘେନି
ଦହ ଦହ ଦମ ଦମ କୁହୁ କୁହୁ ନାଦ
ଶବଦରେ ତ୍ରିଭୁବନ ହୋଇଲା ସ୍ତବଧ
ଲାଙ୍ଗୁଳ ହଲାଇ ପକ୍ଷୀ ଡେଣା ଦେଲା ଝାଡ଼ି
ପ୍ରଚଣ୍ଡ ପବନ ବହେ ବୃକ୍ଷାନ୍ତ ଉପୁଡ଼ି
ଉଡ଼ିଲେ ପର୍ବତ ଶାଳ ଶିଳ ଆଦିକରି
ମଟ ମଟ ହୋଇ ସଭା ଭାଙ୍ଗି ହେଲା ଚୂରି
ବତାସ ବହିଲେ ଯେହ୍ନେ ଉଡ଼େ ତୂଳାକୁଢ଼
ଭାଙ୍ଗିଲା ପ୍ରାସାଦ ପୁର ଅଟ୍ଟାଳିକା ମେଢ଼
ଛିନ୍ନଛତ୍ର ହୋଇ ପଡ଼େ ରୁଅ ଶେଣୀ କାଠ
ଗଜବନ୍ଧମାନ ଛିଡ଼ି ପଡ଼ିଲା କବାଟ
ସିଂହାସନ ସହିତରେ ସବୁ ନୃପମଣି
କେଣେ ଉଡି ପଳାଇଲେ ତା କେହି ନ ଜାଣି
କେ ଦଶଯୋଜନେ ପଡ଼େ କେ ବିଂଶ ଯୋଜନେ
ଶତ ଯୋଜନେ ପଡ଼ିଲେ ଉଡ଼ି କେଉଁମାନେ
କର ଚରଣ ମସ୍ତକ ଛିଡ଼ିଲା କାହାର
କାର ଆଣ୍ଠୁ ଗଣ୍ଠି ଛିଡ଼ି ବହଇ ରୁଧିର
କାହା ଅଙ୍ଗ ମେଞ୍ଚା ହେଲା ବିଷମ ଆଘାତେ
କେ ଜଳେ ପଡ଼ିଲା କେହୁ ଦୁର୍ଗମ ବନସ୍ତେ
ପଡ଼ିଲା ଠାବରୁ କେତେ ନ ପାରନ୍ତି ଚଳି
ନାସିକା ଶ୍ରବଣେ ଫୁଟେ ରୁଧିର ନିକିଳି
ଗଜ ଅଶ୍ୱ ରଥ ରଥୀ ପଦାତି ସହିତେ
ଦେଖଣାହାରୀଏ ଉଡ଼ିଗଲେ ଶୂନ୍ୟପଥେ
ସ୍ୱୟମ୍ୱର ସଭା ଭାଙ୍ଗି ହେଲା ରଣଭଣ
ଅନେକ ଦୂରେ ପଡ଼ିଲେ ଉଡ଼ି ରାଜାଗଣ
ରତ୍ନବସ୍ତ୍ର ଆଦିକରି ଦେହ ଅଳଙ୍କାର
ଛିନ୍ନଛତ୍ର ହେଲା ଅଙ୍ଗୁ ପଡ଼ି ନୃପଙ୍କର
ରଥୀଙ୍କ ଉପରେ ରଥ ପଡ଼ିଲା କଚାଡ଼ି
ଅଶ୍ୱ ତୁଲେ ପଦାତିଏ ପଳାଇଲେ ଉଡ଼ି
କା ମୁଣ୍ଡେ ପଡ଼ିଲା ମାଡ଼ି ଗୃହ ଭଗ୍ନକାଠ
ଛିନ୍ନ ଭିନ୍ନ ହେଲେ ଲକ୍ଷେ ନୃପଙ୍କର ଥାଟ
ଚାରି ଊଣା ଲକ୍ଷେ ରାଜା କେଣେ ଉଡ଼ିଗଲେ
ଚାରି ସହସ୍ର ଚାରିଶ ସେ ସ୍ଥାନରେ ଥିଲେ
କେତେ ରଥ ଅଶ୍ୱ ଗଜ ସେନା ମଲେ ପଡ଼ି
ଚାରିଆଡ଼େ କୁଢ଼ ହେଲେ ମୃତଶବ ପଡ଼ି
ସଭା ଭଗ୍ନ ହେଲା ଦେଖି ଭୀଷ୍ମକ ରାଜନ
ପାଞ୍ଚପୁତ୍ର ସଙ୍ଗେ ଘେନି କଲେ ପଳାୟନ
ନଗର ଭିତରେ ପଶି ଲୁଚିଲେ ଭୟରେ
ଦାସୀଗଣ ଜଣାଇଲେ ରୁକ୍ମିଣୀ ଛାମୁରେ
ଅପୂର୍ବ କଥାଏ ମାଗୋ ଶୁଣ ଦେଇ ମନ
ସଭା ମଧ୍ୟେ ବିଜେକଲେ ରାମ ଭଗବାନ
ମାଗୋ ତୁମ୍ଭ ଜ୍ୟେଷ୍ଠ ଭାଇ ରୁକ୍ମିଣୀ କୁମର
ଜଗନ୍ନାଥଙ୍କୁ ବହୁତ କଲେ ତିରସ୍କାର
ଦୁଷ୍ଟ ରାଜାମାନେ ମଧ୍ୟ ହୋଇ ଏକମେଳି
ବସିବା ଠାବ ନ ଦେଲେ ଦେଲେ ବହୁ ଗାଳି
ଦୂଷିତ ବଚନେ କଲେ ଅନେକ ଭର୍ତ୍ସନ
ବିଶ୍ୱମ୍ୱର ପୁରୁଷକୁ ଦେଲେ ଅପମାନ
ଅପମାନ ପାଇ ରାମକୃଷ୍ଣ ଫେରିଗଲେ
ଶୂନ୍ୟେ ରହି ଗରୁଡ଼ଙ୍କୁ ସୁମରଣା କଲେ
ବିନତା ନନ୍ଦନ ଆସି କୃଷ୍ଣ ଆଜ୍ଞା ପାଇ
ବେନି ପକ୍ଷ ବିଞ୍ଚିଲେ ସେ ଆକାଶରେ ଥାଇ
ପକ୍ଷଘାତେ ଜାତ ହେଲା ପ୍ରଚଣ୍ଡ ପବନ
ସଭା ନୃପଗଣେ ଉଡ଼ି ହେଲେ ଛିନ୍ନ ଭିନ୍ନ
ଏଡ଼େ ବଡ଼ ସଭା ଭାଙ୍ଗି ହେଲା ଛାରଖାର
ସିଂହାସନେ ବସିଥିଲେ ଯେତେ ନୃପବର
ମୋହମାନ ହେଲେ ସର୍ବେ ଶସ୍ତ୍ରମାନ ଛାଡ଼ି
ପକ୍ଷବାତେ ତୃଣ ପ୍ରାୟ ଶୂନ୍ୟେ ଗଲେ ଉଡ଼ି
ଏଡ଼େ ବଡ଼ କାର୍ଯ୍ୟ ମାଗୋ ହେଲା ଅକାରଣ
ନ ଜାଣିଲୁ କାହିଁ ଉଡ଼ିଗଲେ ନୃପଗଣ
ଅପାର ଲଜ୍ଜା ପାଇଲେ ସର୍ବ ନୃପମଣି
ମଲେ କି ଜୀଇଲେ ତାହା ନ ପାରିଲୁ ଜାଣି
ତୋହର ନିମନ୍ତେ ପିତା ସ୍ୱୟମ୍ୱର କଲା
କିଛି କାର୍ଯ୍ୟ ନ ହୋଇ ସେ ସଭା ଧ୍ୱଂସ ହେଲା
ରୁକ୍ମିଣୀ ବୋଇଲେ ମୁହିଁ ଅର୍ଜିଅଛି ଯିସ
ଏ ରାଜାମାନଙ୍କୁ ମୋର ଚିତ୍ତ ନ ବଳଇ
ଅକାରଣେ ପିତା ଗଞ୍ଜି ହେଲେ କାହିଁପାଇଁ
ବିଧି ଏହା ଘଟାଇଲା ମୋର ମନ ଜାଣି
ଏମନ୍ତ ବୋଲି ମଉନ ହୋଇଲେ ରୁକ୍ମିଣୀ
ସେ ରୁକ୍ମିଣୀ ପାଦପଦ୍ମେ ସଦା ମୋର ସେବା
ଅଚ୍ୟୁତ ଦାସ କରିବୁ ଗତି ମୁକ୍ତି ଦେବା

ରାମକୃଷ୍ଣଙ୍କ ଇନ୍ଦ୍ରଭୁବନ ପ୍ରବେଶ[ସମ୍ପାଦନା]

ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ
ଅଧାସ୍ୱର୍ଗେ ଥାଇ ଦେଖୁଥିଲେ ଦେବତାଏ
ଭଗ୍ନବଳ ଘେନି ତହୁଁ ସକଳ ନୃପତି
ଯେ ଯାହା ରାଜ୍ୟକୁ ଗଲେ ମନେ ପାଇ ଭୀତି
ଅନେକ ସଇନ ତୁଲେ ମଲେ ଅଶ୍ୱଗଜ
ଜନମୁଖେ ନୃପଙ୍କର ଉପୁଜିଲା ଲାଜ
କେ ଅଇଲା କେ ନଇଲା କେ ରହିଲା ବାଟେ
କେତେ ଛୋଟା ହେଲେ କେତେ ମଲେ ଛଟପଟେ
ମଲାଲୋକକୁ କେ କରି ପାରିବ ଗଣିତା
କେ ବୋଲଇ ଭାଇ ସଙ୍ଗେ ମଲା ମୋର ପିତା
କେ ବୋଲଇ ପୁତ୍ରମଲା ଭଡ଼ି ଘୋର ବାତେ
କେ ବୋଲେ ପଡ଼ିଲା କାହିଁ ଦେଖିବି କେମନ୍ତେ
ବନ୍ଧୁ ବାନ୍ଧବ ସୁମରି କରନ୍ତି କାରୁଣ୍ୟ
ପଚାରି ଦୁଃଖ କରନ୍ତି ଯେଝା ବନ୍ଧୁଗଣ
ଏସନ ଉଚ୍ଚାଟ ତହିଁ କରାନ୍ତେ ଶ୍ରୀହରି
ଅସୁର ରାଜାଏ ମନେ ଶଙ୍କା କଲେ ଡରି
ବଳ ଓଜ ହାନି ହେଲା ହେଲେ ହତବୀର୍ଯ୍ୟ
ଦୁଷ୍ଟ ଦୈତ୍ୟମାନଙ୍କର ଚ୍ୟୁତ ହେଲା ଧୈର୍ଯ୍ୟ
ସନ୍ଥ ରାଜାମାନେ ଦେଖି ହରଷ ହୋଇଲେ
ଯେ ଯାହାର କୁଳଗୋତ୍ର ଘେନି ମାନ୍ୟ କଲେ
ଭକ୍ତମାନଙ୍କର ଭାଗ୍ୟ ହୋଇଲା ଉଦୟ
ଶୂନ୍ୟେ ସୁର ସିଦ୍ଧମୁନି କଲେ ଜୟ ଜୟ
ଅଶେଷ ଲୋକ ଜାଣିଲେ ନାରାୟଣ ଏହି
ପରମ ନିରଞ୍ଜନ ଏ ପୁଣ୍ୟମୟ ଦେହୀ
କେ ବୋଲଇ ଏଡ଼େ ବଡ଼ ସଭା ଭଗ୍ନ କଲେ
କେ ବୋଲଇ ମଲା ଲୋକ ଜୀଆଇଁ ଆଣିଲେ
କେ ବୋଲନ୍ତି ଏ କଂସକୁ ମାଇଲା ଦିନହୁଁ
ପରତେ ଗଣିଲୁ ଆମ୍ଭେ ତୁମ୍ଭର ନ କହୁଁ
କେ ବୋଲଇ ଏ କଲେଣି ଯେତେବେଳେ କର୍ମ
ତା ଦେଖି ଜାଣିଲୁ ଏହୁ ନିଶ୍ଚେ ଭଗବାନ
କେ ବୋଲେ ୟାଙ୍କ ମହିମା ଜାଣି ତ ନପାରି
ନିଶ୍ଚଳେ ରହିବା ୟାଙ୍କ ପାଦେ ସେବା କରି
ଏଥୁ ଅନନ୍ତରେ ଶୂନ୍ୟେ ରାମକୃଷ୍ଣ ବେନି
ବିମାନ ଆରୋହି ଗଲେ ଭ୍ରାତୃଗଣ ଘେନି
ବୃହସ୍ପତି ଜଣାଇଲେ ଇନ୍ଦ୍ରମୁଖ ଚାହିଁ
ଆମ୍ଭର ବଚନ ତୁମ୍ଭେ ଶୁଣ ଶଚୀସାଇଁ
ଗୁରୁପତ୍ର ଆଣି ଦେଇ ଭ୍ରାତଗଣ ଘେନି
ମଥୁରାକୁ ଯାଉଛନ୍ତି ରାମକୃଷ୍ଣ ବେନି
ରୁକ୍ମିଣୀର ସ୍ୱୟମ୍ୱର ଭାଙ୍ଗି ଦେବ ହରି
ଛୟାଣୋଇ ସସ୍ର ରାଜା ଥିଲେ ସଭା କରି
ଦୁଷ୍ଟ ନୃପେ କୃଷ୍ଣ ପ୍ରତି ଆଚରିଲେ ମନ୍ଦ
କୋପ ଶାନ୍ତ କଲେ ହରି ନ କରିଣ ମନ୍ଦ
ଜାଣନ୍ତି ନାନାଦି କୂଟମାୟା ବାସୁଦେବ
ଗରୁଡ଼ ହସ୍ତେ ସବୁଙ୍କୁ ଦେଲେ ପରାଭବ
ଅବହେଳେ ପକ୍ଷିରାଜା ପକ୍ଷ ଦେଲେ ଝାଡ଼ି
ଛିନ୍ନଛତ୍ର ହୋଇ ନୃପେ ପଳାଇଲେ ଭଡ଼ି
ଥୋକେ ମଲେ ଥୋକେ ଉଡ଼ି ପଳାଇଲେ ପୁଣ
ଅସୁରଙ୍କ ଦର୍ପ ଚ୍ୟୁତ କଲେ ନାରାୟଣ
ଆମ୍ଭର ନିମନ୍ତେ କୃଷ୍ଣ ଏତେ କାର୍ଯ୍ୟ କଲେ
ବରୁଣଙ୍କୁ ସଙ୍ଗେ ଘେନି ଯମପୁର ଗଲେ
ଏଡ଼େ ସୁଲଭ କି ଆମ୍ଭେ ପାଇବା ସୁଯୋଗ
ସ୍ୱର୍ଗେ ବିଜେ କରାଇବା ଚାଲ ଆଣି ବେଗ
ନୟନେ ଦେଖିଲେ ରତ୍ନ କେବା ଛାଡ଼ି ପାରି
ଏତେ କହି ସଜ ହେଲେ ଗୁରୁ ବଜ୍ରଧାରୀ
ତାଙ୍କ ସଙ୍ଗେ ବାହାରିଲେ ଗନ୍ଧର୍ବ କିନ୍ନର
ଲକ୍ଷେ ଶ୍ୱେତଛତ୍ର ଲକ୍ଷେ ଚାମର ବିମଳ
ଆଲମ୍ୱ ପତାକା ସଙ୍ଗେ ଉଡ଼ଇ ଚିରାଳ
ଦୁନ୍ଦୁଭି ମୃଦଙ୍ଗ ଭେରୀ ଶୁଭେ ଶଙ୍ଖଧ୍ୱନି
ସାମ ଗାୟନ କରନ୍ତି ସୁରସିଦ୍ଧ ମୁନି
ଢ଼ୋଲ ଟମକ ନିଶାଣ ବୀରତୂର ବାଜେ
ଗୋବିନ୍ଦଙ୍କୁ ନେବାପାଇଁ ଇନ୍ଦ୍ର କଲେ ବିଜେ
ଅମରବୃନ୍ଦ ଗୋଡ଼ାଇ ଆସୁଛନ୍ତି ସଙ୍ଗେ
ଯେ ଯାହା ଯାନ ବାହନ ଚଢ଼ି ନାନାରଙ୍ଗେ
ଥୋକାଏକ ଦୂରେ ଆସି ହେଲେ ଭେଟାଭେଟି
ଦେଖି ରଥ ରୁହାଇଲେ ଗୋବିନ୍ଦ ପାଲଟି
ଐରାବତ ଗଜ ତେଜି ଅଇଲେ ବାସବ
ରଥରୁ ଓହ୍ଲାଇଗଲେ ରାମ ବସୁଦେବ
ଏକକୁ ଆରେକ ଧରି କୋଳାକୋଳି ହେଲେ
ପରସ୍ପରେ ଯେ ଯାହାର କୁଶଳ ପୁଚ୍ଛିଲେ
ଇନ୍ଦ୍ର ବୋଇଲେ ଏଠାକୁ ପାଲଟିଣ ଯିବା
ଥୋକେ ଦିନ ସ୍ୱର୍ଗପୁରେ ବିଶ୍ରାମ କରିବା
ତୁମ୍ଭେ ପ୍ରଭୁ ଇନ୍ଦ୍ରପଦ ଦେଇଅଛ ମୋତେ
ସେ ପଦ ପ୍ରତିଷ୍ଠା ଏବେ କର ଲକ୍ଷ୍ମୀପତେ
ତବ ପାଦରଜ ମୋର ମନ୍ଦିରେ ପଡ଼ିବ
ବାରସ୍ୱତୀ ଭୁବନରୁ ପାତକ ଛାଡ଼ିବ
ଏତେ କହି ସୁରପତି ସମ୍ଭାବନା କରି
ସ୍ୱର୍ଗକୁ ଚଳିଲେ ରାମ କୃଷ୍ଣ ସଙ୍ଗେ ଧରି
ଅନେକ ସେନେହ ତାଙ୍କୁ କଲେ ସୁରବୃନ୍ଦ
ସୁଧର୍ମା ସଭାରେ ବିଜେ କଲେକ ଗୋବିନ୍ଦ
ମଣିମାଣିକ୍ୟ ମଣ୍ଡଣି ରତ୍ନସିଂହାସନ
ତହିଁପରେ ବିଜେକଲେ ରାମ ଭଗବାନ
ମଣିରତ୍ନ ଆଭରଣ ଦିଶେ ଝଟ ଝଟ
କଙ୍କଣ ବାହୁଟି ବିଦ ମୁଦି ରତ୍ନହାର
ରାମକୃଷ୍ଣ ଅଙ୍ଗେ ଶୋଭା ନାନା ଅଳଙ୍କାର
ଶଚୀ ଆଦିକରି ଯେତେ ସ୍ୱର୍ଗ ବିଳାସିନୀ
ରାମକୃଷ୍ଣେ ବନ୍ଦାଇଲେ ଅର୍ଘ୍ୟଥାଳି ଘେନି
ମଙ୍ଗଳ ଗୀତ ଗାଇଲେ ହୁଳହୁଳି ଦେଇ
ଆନନ୍ଦ ହୁଅନ୍ତି ସର୍ବେ କୃଷ୍ଣମୁଖ ଚାହିଁ
ଯମ ନଇର୍ଋତ ଅଗ୍ନି ବରୁଣ କୁବେର
କିନ୍ନର ଗନ୍ଧର୍ବ ଯକ୍ଷ ଚନ୍ଦ୍ର ଦିବାକର
କରଣ ନକ୍ଷତ୍ର ଯୋଗ ବାର ତାର ତିଥି
ବୁଧ ଶୁକ୍ର ଶନିଶ୍ଚର ରାହୁ ବୃହସ୍ପତି
ସନକ ଯେ ସନାତନ ବିଶ୍ୱଦେବ ମୁନି
ବ୍ରହ୍ମଋଷି ଦେବଋଷି ସଙ୍ଗତରେ ଘେନି
ସମସ୍ତ ଦେବତାମାନେ ଘେରି ରହିଛନ୍ତି
ନିର୍ମଳ ଗଗନେ ଯେହ୍ନେ ଦିଶେ ଗ୍ରହପନ୍ତି
କେ ବୋଲେ ଚନ୍ଦ୍ରମଣ୍ଡଳ ପଟାନ୍ତର ଦେବା
ସଦାକାଳେ ଶଶଧର ନୁହେ ନବଯୁବା
ପକ୍ଷେକ ଛିଡ଼ଇ ପୁଣି ପକ୍ଷେକ ବଢ଼ଇ
ଆବର କଳଙ୍କ ନିଜ ହୃଦରେ ବହଇ
କେ ବୋଲଇ ସଖି ଦେଖ ଗୋବିନ୍ଦଙ୍କ ମୁଖ
ଦେଖିଲା ମାତ୍ରକେ ତୁଟିଯାଏ ସର୍ବଦୁଃଖ
ଅପାଙ୍ଗ ଦୃଷ୍ଟିରେ ଚାହୁଁଛନ୍ତି ବକ୍ର କରି
ଶରୀର ବିଦାରି ପ୍ରାଣ ନେଉଛନ୍ତି ହରି
ରମ୍ଭା ଅପସରା ବୋଲେ ଶୁଣ ଗୋ ମେନକା
ଜଗଦ୍‌ ବନ୍ଦନ ପୁରୁଷ ଏହି କୃଷ୍ଣ ଏକା
ଦ୍ୱାପରେ ପୃଥିବୀ ଭାର ନିବାରଣ ପାଇଁ
କୌତୁକରେ ଜନ୍ମିଛନ୍ତି ନରତନୁ ବହି
ଅନାଦି ସ୍ୱୟମ୍ଭୁ ବିଷ୍ଣୁ ଏ ଯେ ପୁଣ୍ୟମୟ
ସନ୍ଥ ପାଳି ଦୁର୍ଜ୍ଜନଙ୍କୁ ଏ କରିବେ କ୍ଷୟ
ଏ ଶ୍ରୀରଙ୍ଗ ଜାଣିଛନ୍ତି ନାନା କେଳିରଙ୍ଗ
ଗୋପ ସ୍ତିରୀଙ୍କର ସଙ୍ଗେ ହୋଇଥିଲେ ସଙ୍ଗ
ନୃତ୍ୟଗୀତ ବାଦ୍ୟରସ କଉତୁକେ ନାନା
ଏହାଙ୍କୁ ପାଇ ଗୋପରେ କଲେ ଗୋପାଙ୍ଗନା
ନବଧାର ସେ ରସିକ ଏହି ଶିରୀପତି
ଏକାକେ ରମିଲେ ଷୋଳ ସହସ୍ର ଯୁବତୀ
ସବୁନ୍ତି ଶୃଙ୍ଗାର ରସେ ରସାଇଲେ ଏକା
ଏହାଙ୍କୁ ବଶ ହୋଇଲେ ଲକ୍ଷେକ ନାୟିକା
ଏହି ସେ ପରମାନନ୍ଦ ଆଦିକନ୍ଦ ଯୋଗୀ
ଗୌରବ ସ୍ତିରୀଙ୍କି କଲେ ବିଡ଼ମ୍ୱନ ଭାଗୀ
ଶାଶୁ ଶ୍ୱଶୁର ଦିଅର ସ୍ୱାମୀ ଦେଖୁଥାନ୍ତେ
ଏହାଙ୍କ ସଙ୍ଗେ ରମଣ କଲେ ବେଶ୍ୟାମତେ
ଜାଣନ୍ତି ଶୃଙ୍ଗାର ରସେ ଅଛି ଯେତେ ଭେଦ
ଏକାକୀ ଖଣ୍ଡିଲେ ଷୋଳସସ୍ର ନାରୀ ଖେଦ
ହାଟ ବାଟ ଘାଟେ ରଖୁଆଳପଣ କଲେ
କଦମ୍ୱ ଶିଖରେ ବସି ବେଣୁ ବଜାଇଲେ
ଶୁଣିଣ ଉଚ୍ଚାଟ ହେଲେ ସକଳ ଗୁଆଳୀ
କ୍ରୀଡ଼ାରସେ ରାସ କଲେ ବୃନ୍ଦବନେ ମିଳି
ବନ୍ଧଭେଦ ମୁଦ୍ରାରସେ ଲଭିଲେ ଶୃଙ୍ଗାର
ଜାଣନ୍ତି ସକଳ ରସ ଏ ରସିକବର
ସର୍ବଜ୍ଞ ପୁରୁଷ ଏହି ସର୍ବ ଘଟେ ଛନ୍ତି
ଏହାଙ୍କ ମହିମା ହର ବ୍ରହ୍ମା ନ ଜାଣନ୍ତି
ଏ ରୂପ ଲାବଣ୍ୟ ସଙ୍ଗେ ନାହିଁ ପଟାନ୍ତର
ଅମୂଲ୍ୟ ରତନ ଏହି ଅମୂଲ୍ୟ ଭଣ୍ଡାର
ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁରାଣଙ୍କ ମଣି
ସାରଦା କମଳା ଦୁହେଁ ଏହାଙ୍କ ଘରଣୀ
ରାମ ଅବତାରେ ପାଇଥିଲେ ବଡ଼ କଷ୍ଟ
ଭାରିଯା ହରାଇ ହୋଇଥିଲେ ରାଜ୍ୟଭ୍ରଷ୍ଟ
କନ୍ଦମୂଳ ଫଳ ଖାଇ ବୁଲୁଥିଲେ ବନେ
ନିଶାକାଲେ ନିଦ୍ରା ଯାନ୍ତି ପଲ୍ଲବ ଶୟନେ
ସେ ଦୁଃଖମାନେ ମନରୁ ପାସୋରିବା ପାଇଁ
ରଙ୍ଗାବତାର ହୋଇଲେ ନରତନୁ ବହି
ପୁରୁଷଉତ୍ତମ ସଖି ଏହି ଲକ୍ଷ୍ମୀନାହା
ଚାରିଖାନି ଚାରିବାନି ପ୍ରାଣୀଙ୍କର ସାହା
ସ୍ୱର୍ଗପୁର ଶୋଭାବନ ଦିଶିଲା ଗୋ ସଖି
ନିସ୍ତାରିଲେ ନଟବର ରୂପ ନେତ୍ରେ ଦେଖି
ଉର୍ବଶୀ ବୋଲଇ ସଖି ଏ ମୂରତି ଚାହିଁ
ମଦନରେ ଅସାଷ୍ଟମ ହେଉଅଛି ମୁହିଁ
କୋଟି କନ୍ଦର୍ପ ଲାବଣ୍ୟରୂପ ଏହାଙ୍କର
ଦେଖିଲେ ହୃଦରେ ଧୈର୍ଯ୍ୟ ରହିବ କାହାର
କହିବା ଚାହିଁବା ଭଙ୍ଗୀ ଆନ ଆନ ପ୍ରତି
ବିରହିଣୀ ଘାତୁକ ଏ କନ୍ଦର୍ପ ମୂରତି
ନୀଳ ଇନ୍ଦୀବର ଦଳ ପ୍ରାୟ ଦିଶେ ତନୁ
ନିର୍ମଳ ମେଘରେ ଯେହ୍ନେ ରାଜେ ଇନ୍ଦ୍ରଧନୁ
କି ଶୋଭା ଦିଶଇ ଶିରେ ବହିପୁଚ୍ଛଚୂଳ
ସୁବାସ କୁସୁମ ହାର ଲମ୍ୱେ ବକ୍ଷସ୍ଥଳ
କସ୍ତୁରୀ ତିଳକ ଭାଲେ ଦିଶେ କେଡ଼େ ଶୋଭା
ଚନ୍ଦ୍ର ମଣ୍ଡଳରେ ଯେହ୍ନେ ମୃଗାଙ୍କ ପ୍ରତିଭା
କୁଞ୍ଚିତ କେଶ କି ଶୋଭା ଦିଶଇ ଗୋ ଶିରେ
ବିରାଜେ ତରଙ୍ଗ ଯେହ୍ନେ ଯମୁନାର ନୀରେ
ବରହୀ କଣ୍ଠ ପରାୟେ ଦିଶୁଅଛି କାନ୍ତି
ପଦ୍ମ ପୁଷ୍ପେ ବେଢ଼ିଲେ କି ମଧୁକର ପନ୍ତି
ଆକର୍ଣ୍ଣ ଶୋଭା ଚନ୍ଦନ ଚାରୁ ଚିତାପାଟୀ
ଆର୍ଦ୍ରାବଳି ମଣ୍ଡଳେ କି ଚନ୍ଦ୍ର ଅଛି ଘୋଟି
ସୁରେଖ ଗୋଚିନା ଚିତା ସିନ୍ଦୂରର ଟୋପି
ଅରୁଣ କିରଣ ନିନ୍ଦା କରୁଅଛି ବ୍ୟାପି
ନିଶ୍ଚୟେ ଜାଣିଲି ଭକ୍ତଜନଙ୍କର ପାଇଁ
ପାପଦହନ ଅନଳ ଭାଲେ ଛନ୍ତି ବହି
ଭୂରୁଲତା କାମଧନୁ ଅପାଙ୍ଗ ଚାହାଣି
ତହିଁରେ ସୀମନ୍ତ କାମଦେବର ନିଶାଣି
ନାସା ଫୁଲାଇ କହନ୍ତି ସୁମଧୁର କଥା
ଶୁଣିଲେ ଛାଡ଼ଇ ଅଙ୍ଗୁ କାମଜ୍ୱର ବ୍ୟଥା
କର୍ଣ୍ଣରେ କୁଣ୍ଡଳ ବେନି ଦିଶେ ଜକ ଜକ
ଅପୂର୍ବ ମୁଖକୁ ଶୋଭା ପାଉଅଛି ଦେଖ
ତିଳ ପୁଷ୍ପ ପ୍ରାୟ ନାସା ଘଟଣ ସୁସଞ୍ଚ
ସୁରଙ୍ଗ ଅଧର ପକ୍ୱ ବିମ୍ୱର ସଦୃଶ
ବଚନକୁ ଗଳି ପଡୁଅଛି ସୁଧାରସ
ବଧୁଲି ପୁଷ୍ପ ପରାୟେ ଶୋଭା ଦିବ୍ୟକାନ୍ତି
ସିନ୍ଦୂର ମୁକୁତା ଶୋଭା କୁନ୍ଦଦନ୍ତପନ୍ତି
ସୁବିଶାଳ ବକ୍ଷସ୍ଥଳ ଲମ୍ୱ ଭୁଜ ବେନି
ଏହି ଭୁଜେ ଜିଣିବେ ଏ ସକଳ ମେଦିନୀ
କରିକୁମ୍ଭ ସମାନରେ ଦିଶେ ଗଣ୍ଡସ୍ଥଳ
ରକତ କୁମୁଦ ପ୍ରାୟେ ଶୋହେ କରତଳ
ଅଙ୍ଗୁଳି ଦିଶଇ ଚମ୍ପାକଢ଼ିର ସମାନ
ହରଡ଼ମ୍ୱରୁ ସଦୃଶ କଟୀ ମଝା କ୍ଷୀଣ
ମଦନ ରାଜାର ସିଂହାସନ ଊରୁବେନି
ପାଦକେ ଚାପିଲେ ପୂର୍ବେ ଏ ଭୁବନ ତିନି
ସର୍ବ ସୁଲକ୍ଷଣ ଅଙ୍ଗେ ପୂରି ରହିଅଛି
ଜୀବନ ଥିବା ପର୍ଯ୍ୟନ୍ତେ ନୁହଇ ମୁରୁଛି
ଦେବକୀ ନନ୍ଦନ ଏହି ବସୁଦେବ ସୁତ
ଏହି କଂସ ବନ୍ଦିଘରେ ହୋଇଥିଲେ ଜାତ
ମଥୁରାରେ ଜନ୍ମ ହୋଇ ଗୋପରେ ବଢ଼ିଲେ
ତେଣୁ ନନ୍ଦ ଯଶୋଦାର ପୁତ୍ର ବୋଲାଇଲେ
ଏହିଟି ଶ୍ରୀକୃଷ୍ଣ ବଳଦେବର ସାନୁଜ
ଏହି ଦଶରଥ ପୁତ୍ର କୌଶଲ୍ୟା ତନୁଜ
ଏ ମତ୍ସ୍ୟ କୂର୍ମ ବରାହ ଅବତାର ଧାରୀ
ନୃସିଂହ ବାମନ ପର୍ଶୁରାମ ରାବଣାରି
ହଳଧର ବୌଦ୍ଧ କଳ୍‌କି ଏହି ନାନା ମୂର୍ତ୍ତି
ଏ ବିଶ୍ୱ ସଂସାରେ ଆଦି କରତା ଅଟନ୍ତି
ଏହି ଗୋପୀନାଥ ଚନ୍ଦ୍ରାବଳୀ ପ୍ରାଣବନ୍ଧୁ
ଏହିଟି ପରମ ଧାମ କୃପାଜଳ ସିନ୍ଧୁ
ଯୋଗୀଜନମାନଙ୍କର ଏହି ଯୋଗଲୟ
ଏ ଦେବାଧିଦେବରାଜ ସ୍ୱୟଂ ଜ୍ୟୋତିର୍ମୟ
ଏହି ବେଦ ଉଦ୍ଧରିଲେ ଶଙ୍ଖାସୁର ମାରି
ଏହି ବେଦତତ୍ତ୍ୱଜ୍ଞାତା ଶଙ୍ଖଚକ୍ର ଧାରୀ
ଏସନକ ବିଚାରନ୍ତି ଅପସରା ବୃନ୍ଦ
ଦେବସ୍ତିରୀଗଣ ଦେଖି ହୋଇଲେ ଆନନ୍ଦ
ଜଗତନାଥଙ୍କୁ ଦେଖି ସର୍ବେ ହେଲେ ମୋହି
ଦେଖିଲା ମାତ୍ରେ ଉପେକ୍ଷି ନ ପାରନ୍ତି କେହି
ସର୍ବେ ଚାହିଁ ରହିଛନ୍ତି ନେତ୍ର କରି ସ୍ଥିର
ଐରାବତ ଆରୋହିଲେ ଇନ୍ଦ୍ର ଦାମୋଦର
ଟେକିଣ ଧବଳ ଛତ୍ର ଧରି ବିଦ୍ୟାଧରେ
ଆଲଟ ଚାମର ଧୂପ କାଠି ଧରି କରେ
ଅମର ଦୁନ୍ଦୁଭି ତୁଲେ ବୀରତୁର ବାଜେ
ରାମକୃଷ୍ଣ ଘେନି ଇନ୍ଦ୍ର ଐରାବତେ ବିଜେ
ନିରନ୍ତର ପୁଷ୍ପବୃଷ୍ଟି ହୁଅଇ ଛାମୁରେ
ସ୍ୱର୍ଗପୁରେ ଦେବରାଜ ବିଜୟେ ସମ୍ଭାରେ
ସିଂହଦ୍ୱାର ଜିଣି ଯାଇ ନବରରେ ପଶି
ମଙ୍ଗଳ ପଢ଼ନ୍ତି ଆଗେ ସୁର ସିଦ୍ଧ ଋଷି
ଇନ୍ଦ୍ର ଗୋବିନ୍ଦ ବିଜୟେ ଦେଖି ବିଶ୍ୱକର୍ମା
ନାନା ମଣି ରତନରେ ମଣ୍ଡିଲେ ସୁଧର୍ମା
ମେରୁ ପ୍ରଥମ ପାବଚ୍ଛ ଅଶୀ ସସ୍ର ଯୂଣ
ତହିଁର ଉପରେ ସ୍ୱର୍ଗ ଭୁବନ ନିର୍ମାଣ
ଇନ୍ଦ୍ର ଚନ୍ଦ୍ର ଆଦିକରି ଦଶଦିଗପାଳ
ବସନ୍ତି ତେତିଶ କୋଟି ଦେବତା ମଣ୍ଡଳ
ଅକ୍ଷୟ ସ୍ୱର୍ଗଭୁବନ ଦେବତାଙ୍କ ବାସ
ବ୍ରହ୍ମାଙ୍କୁ ବରଷେ ହେଲେ ହୁଅଇ ବିନାଶ
ଦୁର୍ଲ୍ଲଭ ସେ ବାରସ୍ୱତୀ ସ୍ୱର୍ଣ୍ଣମୟ ଭୂମି
ଯୋଗବଳେ ସରଜନା କଲେ ପଦ୍ମଯୋନି
ସେ ଇନ୍ଦ୍ରଭୁବନେ ବିଜେ କଲେ ଦେବହରି
ମଣୋହିରେ ବିଜେ ପ୍ରଭୁ ନିତ୍ୟକର୍ମ ସାରି
ସମସ୍ତ ଦେବଙ୍କୁ ସଙ୍ଗେ ଘେନି ପରମେଷ୍ଠି
ନାନା କଉତୁକେ ଥାନ୍ତି ନିରନ୍ତରେ ଖଟି
ଶ୍ରୀକୃଷ୍ଣ ସୁରଥ ବଳଦେବ ଷଡ଼ଭାଇ
ରହିଲେ ଇନ୍ଦ୍ରଙ୍କଠାରୁ ଗଉରବ ପାଇ
ଭୋଜନେ ଶୟନେ ଭେଦ ନୋହିଣ ମଘବା
ଶଚୀ ଆଦି କରି ସର୍ବେ କରିଥାନ୍ତି ସେବା
ଗନ୍ଧ ପୁଷ୍ପ ଆଦି ଯେତେ ରାଜଭୋଗ ବିଧି
ସମସ୍ତ ଯୋଗାଇ ଦ୍ୟନ୍ତି ଆଗେ ଜମ୍ଭଭେଦୀ
ଏମନ୍ତ ରହିଲେ କୃଷ୍ଣ ସ୍ୱର୍ଗ ଭୁବନରେ
ଭଜଇ ଅଚ୍ୟୁତ ଦାସ ତାଙ୍କ ଶ୍ରୀପୟରେ

କୃଷ୍ଣଙ୍କର ନନ୍ଦନବନ ଭ୍ରମଣ ଓ ନିବାତକବଚର ସ୍ୱର୍ଗ ଆକ୍ରମଣ[ସମ୍ପାଦନା]

ଏଥୁ ଅନନ୍ତରେ ତହିଁ କେତେ ଦିନ ଯାନ୍ତେ
କଉତୁକେ ବିଜେ କଲେ ଇନ୍ଦ୍ର ଗୋପୀନାଥେ
ଥୋକେ ଲୋକ ଗୋଡ଼ାଇଲେ ତାଙ୍କ ପଛ ପଛ
ବୁଲନ୍ତି ଇନ୍ଦ୍ରଙ୍କୁ ସଙ୍ଗେ ଘେନି ନନ୍ଦବତ୍ସ
ଆକାଶ ଗଙ୍ଗାରୁ ଯାଇ କୃଷ୍ଣଭଦ୍ରା ଜିଣି
ନନ୍ଦନବନେ ପଶିଲେ ଇନ୍ଦ୍ର ଚକ୍ରପାଣି
ମଧ୍ୟେ କାମପାଳ କୃଷ୍ଣ ଇନ୍ଦ୍ର ବେନି ପାଶେ
ଆଗପଛେ ଦେବଗଣେ ଖଟନ୍ତି ହରଷେ
ଫଳିତ ପୁଷ୍ପିତ ବନ ବାସବ ଦେଖାନ୍ତି
ଧାଡ଼ି ଧାଡ଼ି ରେଖ ରେଖ ବୃକ୍ଷ ପନ୍ତି ପନ୍ତି
ଅଷ୍ଟରତ୍ନରେ ଚଉରା ବେଦୀ ବୃକ୍ଷତଳେ
କର୍ପୂର ପନୀର ପାଣି ଢ଼ାଳିଛନ୍ତି ମୂଳେ
ଅବସନ୍ତରେ ବସନ୍ତ ବହେ ଘନ ଘନ
ସୁଶୀତଳ ତରୁଲତା ବିସ୍ତାର ଶୋଭନ
ସୁଗନ୍ଧ ଶୀତଳ ମନ୍ଦ ବହଇ ମୁରତି
ଦେଖିଲା ମାତ୍ରକେ ମନ ହୁଏ ପ୍ରଫୁଲ୍ଲିତ
ଧନ୍ୟ ସେ ନନ୍ଦନ ବନ କି ଉପମା ଦେବା
ବୃଦ୍ଧ ଗଲେ ସେ ବନକୁ ହୁଏ ନବଯୁବା
ଯେତେକ ଅପୂର୍ବ ତରୁ ଚଉଦ ଭୁବନେ
ସବୁ ରୁଣ୍ଡ ହୋଇଅଛି ସେ ନନ୍ଦନ ବନେ
ମାଳତୀ ମାଧବୀ ଜାଈ ଜୁଈ ଛୁରିଅନା
ପାଟଳି ବକୁଳ ନାଗେଶ୍ୱର ପୁଷ୍ପ ନାନା
ଅଶୋକ ଚମ୍ପକ କିଆ କେତକୀ ଟଗର
ତରାଟ ସେବତୀ ସ୍ୱର୍ଣ୍ଣଚମ୍ପା କନିଅର
ପଦ୍ମ ନୀଳୋତ୍ପଳ କୋକନଦ ଚନ୍ଦ୍ରକାନ୍ତି
ଲବଙ୍ଗ କଳିକା ପାରିଜାତ ଗନ୍ଧବତୀ
ଦାରାକ୍ଷ ପେଣ୍ଡି ଖଜୁରୀ ଫଳ ଦିବ୍ୟଶାଖା
ପଣସ ନଡ଼ିଆ ଗୁଆ କଦଳୀ ଆଲେଖା
ଅଗୁର ସରଳ ଗନ୍ଧସାର ଦେବଦାରୁ
କମଳା ଲେମ୍ୱାଉ ଟଭା ନାଗରଙ୍ଗ ତରୁ
ଭଇଁଚ ଜେଉଟ ଆମ୍ୱ କ୍ଷୀରକୋଳି ଗୁଆ
କୋଳାହଳ କରୁଛନ୍ତି ପିକ ଶାରୀ ଶୁଆ
କୁମ୍ଭାଟୁଆ କେକୀ ବଣକୁକୁଡ଼ା ଡାହୁକ
ବୃକ୍ଷ ଗହଳରେ ଥାଇ ଦେଉଛନ୍ତି ଡାକ
କଇଥ ଯେ କରମଙ୍ଗା କେନ୍ଦୁ ବରକୋଳି
ବାରମାସେ ଫଳ ଫୁଲ ଅମୃତ କଦଳୀ
ଲବଙ୍ଗ ଯେ ଅଳାଇଚ ଜାତିଫଳ ଜୀରା
ଦିଶନ୍ତି ତରୁଏ ଫଳ ଳି ଅତି ତୋରା
ଗୁଡ଼ତ୍ୱକ ଯଷ୍ଟିମଧୁ ହରୀତକୀ ଅଁଳା
ଏପରି ଏନେକ ବୃକ୍ଷ ଦିଶେ ଅସଂଖଳା
ଏକ ଏକ ନାମ ଧରି କେ ପାରିବ କହି
ଅନେକ ଯତ୍ନେ ସଞ୍ଚିଲା ଯାହା ଶଚୀସାଇଁ
ଅଶୀଲକ୍ଷ ତୋଟାଳେ ସେ ବନ ପ୍ରତିପାଳି
ବତିଶ ଲକ୍ଷ ଗନ୍ଧର୍ବ ତହିଁ ରଖୁଆଳି
ଆନନ୍ଦେ ବାସବ ରାମକୃଷ୍ଣ ଘେନି ସଙ୍ଗେ
ବୁଲନ୍ତି ନନ୍ଦନବନ ଦେଖି ନାନା ରଙ୍ଗେ
ଗମନ୍ତେ ମିଳିଲେ ଯାଇ ପାରିଜାତ ମୂଳେ
ପଛରେ ଗୋଡ଼ାଇଛନ୍ତି ତୋଟା ରଖୁଆଳେ
ପାରିଜାତ ବୃକ୍ଷ ଦିଶେ ଅତ୍ୟନ୍ତ ବିଶାଳ
ନୂତନ ପଲ୍ଲବେ ପୁଣି ହୋଇଛି ଗହଳ
ଯୋଜନେ ଉତ୍ସର୍ଗ ବେନି ଯୂଣ ଦୀର୍ଘ ପ୍ରତି
ପ୍ରହରକେ ଧରଇ ସେ ଆନ ଆନ ମୂର୍ତ୍ତି
କ୍ରୋଶେକ ଓସାର ମୂଳେ ସୁବର୍ଣ୍ଣ ଚଉରା
ମଣି ମାଣିକ୍ୟ ମଧ୍ୟାହ୍ନ ସୂର୍ଯ୍ୟତେଜ ହୀରା
ପାଞ୍ଚଯୂଣ ଦୂରେ ତାର ଚଉପାଶେ ବେଢ଼ା
ଲୋହଦଣ୍ଡ କବାଟରେ ଖଞ୍ଜା ବାଡ଼ ପୁଡ଼ା
ଆବର୍ତ୍ତକ ସମ୍ୱର୍ତ୍ତକ ଆଦି ମେଘ ଚାରି
ଉପରେ ଛାୟାମଣ୍ଡପ ହୋଇ ଜଳଧାରୀ
ଲକ୍ଷେକ ପ୍ରହରୀଗଣ ଜଗନ୍ତି ବାହାରେ
ଚନ୍ଦ୍ର ସୂର୍ଯ୍ୟ ଦୁହେଁ ରକ୍ଷା କରନ୍ତି ଭିତରେ
ବେନି ବରଷେ ବୃକ୍ଷରୁ ପାଖୁଡ଼ାଏ ଝଡ଼ି
ପବନ ଲାଗନ୍ତେ ସବୁ ଧୂଳି ଯାଏ ଉଡ଼ି
ପୁଷ୍ପ ଫଳ ଅଲୋକିତ ଲାଗଇ ଶୀତଳ
ନୟନକୁ ଦିଶଇ ସେ ଅତି ପରିମଳ
ଅପୂର୍ବୁ ଫୁଲ ଫୁଟଇ ସ୍ୱର୍ଣ୍ଣ ବର୍ଣ୍ଣ ଜ୍ୟୋତି
ପାଞ୍ଚଯୂଣ ପରିଯନ୍ତେ ବାସେ ଚଉକତି
ବରଷେକ ପୂର୍ଣ୍ଣ ହେଲେ ଫୁଟେ ଏକ କଢ଼ି
ବେନି ବର୍ଷ ପୂର୍ଣ୍ଣ ହେଲେ ତଳେ ପଡ଼େ ଝଡ଼ି
ଆଙ୍କୁଡ଼ି ଲଗାଇ ଫୁଲ ତୋଳନ୍ତି ତୋଟାଳେ
ଗୁନ୍ଥି ଇନ୍ଦ୍ର ଇନ୍ଦ୍ରାଣୀଙ୍କୁ ଦ୍ୟନ୍ତି ମାଳେ ମାଳେ
ଆବର ଯେତେକ ପୁଷ୍ପ ବଳଇ ଦେଖନ୍ତି
ଅନଳରେ ପୋଡ଼ି ପାଂଶ ଜଳରେ ପକାନ୍ତି
ଇନ୍ଦ୍ର ଇନ୍ଦ୍ରାଣି ସେ ଫୁଲ ଲାଗି ହୋନ୍ତି ଏକା
ସମୁଦ୍ର ମନ୍ଥକୁ ଜାତ ହେଲା କଳ୍ପ ଶାଖା
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଶ୍ରେଷ୍ଠ ତରୁବର
ଜଗଜ୍ଜନମୋହନ ସେ ଶାଖୀ ଶୋଭାକର
ପାଚିଲା ପତ୍ର ବୃକ୍ଷରୁ ପଡ଼ନ୍ତେଣ ଝଡ଼ି
ପବନ ଘାତରେ ଅନ୍ତରୀକ୍ଷେ ଯାଏ ଉଡ଼ି
ସେ ବୃକ୍ଷର ତଳେ ଉଭା ହେଲେ ଦେବହରି
ଇନ୍ଦ୍ର ତୁଲେ ଭ୍ରାତୃଗଣ ସଙ୍ଗତରେ ଧରି
ଏମନ୍ତ ସମୟେ ଆସି ଚାର ଜଣାଇଲା
ନିବାତ କବଚ ସ୍ୱର୍ଗପୁରକୁ ବାହିଲା
ଏଥକୁ ଯେ ସାବଧାନ ହୁଅ ବଜ୍ରପାଣି
ନିଶ୍ଚୟ ବାରତା ଆମ୍ଭେ ଆଣି ଦେଲୁ ଜାଣି
ଶୁଣି ଇନ୍ଦ୍ର ଦେବତାର ଉଡ଼ିଲା ସାହସ
ବୋଲେ ଆଜ ସ୍ୱର୍ଗପୁର ଗଲା ନିଶ୍ଚେଁ ନାଶ
ଗନ୍ଧର୍ବ କିନ୍ନର ବିଦ୍ୟାଧରଗଣ ଭୟେ
ଗୃହ ବିତ୍ତ ଛାଡ଼ି ଦେଇ ପଳାନ୍ତି ସଭିଏଁ
ସ୍ୱର୍ଗପୁର ଯାକ ପଡ଼ିଗଲା ହାଳହୋଳି
ରଖି ନ ପାରିଲେ ପୁତ୍ର ଭାରିଯା ସମ୍ଭାଳି
ଯେ ଯାହା ପ୍ରାଣ ଘେନି ପଳାନ୍ତି ଭୟରେ
କେ ଯାଇ ଲୁଚିଲେ ପଶି ପର୍ବତ କନ୍ଦରେ
ଭାଙ୍ଗିଲା ସକଳ ଶ୍ରଦ୍ଧା ଜାତ ହେଲା ଭୀତି
କହୁ କହୁ ଅସମ୍ଭାଳ ହେଲେ ସୁରପତି
ମନ ଛନ୍ନ ଛନ୍ନ ଚିତ୍ତ ହେଲା ଅନ୍ତରାଳ
ବାତୁଳ ପରାଏ ଭ୍ରମି ହେଲେ ଆଖଣ୍ଡଳ
ତାଳୁ କଣ୍ଠ ସହିତରେ ଶୁଖିଲା ଅଧର
ଭୟ ହେତୁ ଶ୍ରମଝାଳେ ତିନ୍ତିଲା ଶରୀର
ଇନ୍ଦ୍ର ଭୟାତୁର ହେବା ଦେଖି ଚକ୍ରପାଣି
ପଚାରିଲେ ଡର କିପାଁ କାରଣ ନ ଜାଣି
ସ୍ୱର୍ଗପୁରେ ରାଜା ତୁମ୍ଭେ ଅଜର ଅମର
ଛାର ଅସୁରଙ୍କୁ କିପାଁ ଏଡ଼େ ଭୟ କର
ସମରେ ପଶିବ ଯେବେ କରେ ବଜ୍ର ଘେନି
କ୍ଷଣକେ ଜିଣିବ ତୁମ୍ଭେ ସକଳ ମେଦିନୀ
ଇନ୍ଦ୍ରଦେବତା ବୋଇଲେ ଶୁଣ ଚକ୍ରଧର
ନିବାତ କବଚ ବଡ଼ ବଳିଷ୍ଠ ଅସୁର
ଅନେକ ବେଳ ସ୍ୱର୍ଗକୁ ଅଇଲାଣି ବାହି
ତା ନାମ ଶୁଣିଲେ ଦେବେ ନ ପାରନ୍ତି ରହି
ସେ ଏବେ ସ୍ୱର୍ଗକୁ ଧାଡ଼ି ଦେଲେ ରଣରଙ୍କା
ତେଣୁ କରି ମୋ ହୃଦରେ ଜାତ ହୁଏ ଶଙ୍କା
ଏକ୍ଷଣି ଭାଙ୍ଗିବ ଆସି ବଳେ ସ୍ୱର୍ଗପୁରୀ
ରହି ନ ପାରିବା ଚାଲ ଯିବା ଅପସରି
ତା ସଙ୍ଗେ ସଂଗ୍ରାମ କରି ସମର୍ଥ ନୋହିବା
ଯୁଦ୍ଧ କଲେ ଅନିମିତ୍ତେ ପ୍ରାଭବ ପାଇବା
ଗୋବିନ୍ଦ ବୋଇଲେ ଦେଖି କରିବା ଆରେଣି
ପଛେ ଅପସରି ଯିବା ନ ପାରିଲେ ଜିଣି
କ୍ଷତ୍ରିୟ ହୋଇଣ ଯେବେ ସଂଗ୍ରାମକୁ ଡରି
ବ୍ରାହ୍ମଣ ହୋଇ ଜଳକୁ ଯେବେ ଭୟ କରି
ସତୀ ହୋଇ ଅନଳକୁ ଯେବେ କରେ ଭୀତି
ପଣ୍ଡିତ ହୋଇଣ ଯେବେ ନୁହେ ଶୁଦ୍ଧମତି
କୁଳବଧୂ ହୋଇ ଯେବେ ନ କରଇ ଲଜ୍ଜା
ଧନବନ୍ତ ହୋଇ ଯେବେ ଧର୍ମ କରେ ତ୍ୟଜା
ସନ୍ନ୍ୟାସୀ ହୋଇଣ ଯେବେ ନୋହେ ତୀର୍ଥ ବାସୀ
ଗୃହସ୍ଥ ହୋଇଣ ଯେବେ ପର ଅନ୍ନ ଗ୍ରାସି
ପୃଥିବୀରେ ରାଜା ହୋଇ ଛାଡ଼େ ରାଜନୀତି
ଧର୍ମାଧର୍ମ ନ ବିଚାରେ ଯେବେ ସଭାପତି
ଯୋଗୀ ହୋଇ ଯେଉଁ ଲୋକ ଛାଡ଼େ ଯୋଗ ମାର୍ଗ
ଏହାଙ୍କୁ ପ୍ରାପତ କେଭେ ନ ହୁଅଇ ସ୍ୱର୍ଗ
ତୁମ୍ଭେ ଦେବରାଜା ସ୍ୱର୍ଗେ ପାଇଅଛ ପାଟ
ଅଧର୍ମ କରିବ କେହ୍ନେ ଛାଡ଼ି ଧର୍ମ ବାଟ
କ୍ଷତ୍ରି ହୋଇ କରିବା କି ମରଣକୁ ଭୀତି
ସଂଗ୍ରାମରେ ହାର ଜିଣ କ୍ଷତ୍ରିକୁଳ ରୀତି
ଦେବ ଇନ୍ଦ୍ର ବୋଇଲେ ମୁଁ ଅଛି ସବୁ ଜାଣି
ଯାହାକୁ ନ ପାରେ ତାଠୁଁ ଘୁଞ୍ଚି ଯାଏ ପୁଣି
ଏ ଦୁଷ୍ଟ ସ୍ୱର୍ଗକୁ ଧାଡ଼ି ଦେଇ କେତେବେଳ
ତେତିଶ କୋଟି ଦେବଙ୍କୁ କଲେ ଅସମ୍ଭାଳ
ଅମର ଭଣ୍ଡାର ଭାଙ୍ଗି ସବୁ କରେ ଜୂର
ଭାଙ୍ଗଇ ସୁଧର୍ମା ସଭା ସଙ୍ଗେ ସ୍ୱର୍ଗପୁର
ସମୟେକ ଭୋକ କରି ପୁଣି ଯାଏ ଛାଡ଼ି
ସେ ଯାନ୍ତେଣ ବିଶ୍ୱକର୍ମା ସଜାଡ଼େ ବାହୁଡ଼ି
ନିର୍ଲ୍ଲଜ ଜୀବନ ଘେନି ପୁଣି ଆସି ରହୁ
ସ୍ୱର୍ଗର ଦେବତା ହୋଇ ଏତେ କଷ୍ଟ ସବୁ
ତୁମ୍ଭେ ଏ ସାହାସ କିପାଁ କରି ଦେବରାଜ
ଆପେ ବ୍ୟଥା ପାଇ ପରେ କରାଇବ ଲାଜ
କହୁ କହୁ ତୁମ୍ଭେ ଏତେ ବିଳମ୍ୱ କରିଲେ
ନ ଯାଇ ପାରିବା ତାର ହାବୋଡ଼େ ପଡ଼ିଲେ
ଏସନକ ବିଚାରନ୍ତେ ଇନ୍ଦ୍ର ନାରାୟଣ
ଛାମୁରେ ଜଣାନ୍ତି ପୁଣି ଆସି ଚାରଗଣ
ଭୋ ଦେବ ତୁ ସାବଧାନେ ଶୁଣ ଶଚୀସାଇଁ
ନିବାତକବଚ ସ୍ୱର୍ଗେ ଆସିଅଛି ବାହି
ଅଗୁଆଣି ଥାଟ ଆସି ହେଲେଣି ନିକଟେ
ନିବାତକବଚ ଅଛି ଥୋକେ ଦୂର ବାଟେ
ବିଳମ୍ୱ ନ କରି ଦେବ ପଳାଇବା ଆସ
ଆଗରେ ପଡ଼ିଲେ ନିଶ୍ଚେଁ ସର୍ବେ ଯିବା ନାଶ
ତୁମ୍ଭେ ନାଶ ଗଲେ ସ୍ୱର୍ଗ ହେବ ହତ ପାଟ
ସମସ୍ତଙ୍କୁ ନାଶି ଦୈତ୍ୟ ନେବ ସମରାଷ୍ଟ୍ର
ଚରାଚର ଜଗତ କି ଥିବ ଆଉ ଢାଳେ
ରସାଗତ ହୋଇ ପୃଥ୍ୱୀ ପଡ଼ିବ ପାତାଳେ
ଇନ୍ଦ୍ର ବୋଇଲେ ଯେ ବନ ବୁଲି ଆସିଥିଲୁ
ଅନବସରେ ଅଦ୍ଭୁତ ବାରତା ପାଇଲୁ
ନାନା ନଟ କୂଟ ମାୟା ଜାଣନ୍ତି ଶ୍ରୀପତି
ତେଣୁ ଆମ୍ଭ ଶରୀରକୁ ନାହିଁ କିଛି ଭୀତି
ଏହି କୃଷ୍ଣ ବିନାଶିବେ ସବୁ ଅସୁରଙ୍କୁ
ଜାଣିଣ ବିଧାତା ଅବା ଆଣିଛି ଏହାଙ୍କୁ
ଏମନ୍ତ ବୋଲି ରହିଲେ ଇନ୍ଦ୍ର ଧୈର୍ଯ୍ୟ ଘେନି
ସେ କାଳେ ମିଳିଲେ ଆସି ନିବାତ ସଇନୀ
ଶୁଭଇ ଶତେକ ଯୂଣ ଅନ୍ତେ ରଥ ଘୋଷ
ଗର୍ଜ୍ଜନ ନାଦରେ ପୂରି ଉଠେ ଦଶଦିଗ
କିଳିକିଳା ରେରେକାର ଭୟଙ୍କର ଶବ୍ଦ
ଟମକ ମହୁରୀ ଭେରୀ ଶିଘଂବାଦ୍ୟ ନାଦ
ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ ହୋଇ ମତୁଆଳ
ଭୟଙ୍କର ନିଶାଚରେ ଅତି ବିକଟାଳ
କେ ଘୋଡ଼ା ମଇଁଷି ଗୋରୁ ଗଧ ଓଟ ଚଢ଼ି
କାହାର ବାହନ ହସ୍ତୀ ଶାର୍ଦ୍ଦୂଳ ବିରାଡ଼ି
କେ ଚଢ଼ିଛି ବ୍ୟାଘ୍ର ଗଣ୍ଡା ଗୟଳ ଯେ ଶଶା
କେ ଶୃଗାଳ କେ ହରିଣ କେ ନେପାଳି ମୂଷା
କେ ଆସଇ ରଥ ଚଢ଼ି କେ ଅଶ୍ୱ ପିଠିରେ
ସାଜନ୍ତି କମାଣ ଗଦା ଶକ୍ତି ଧରି କରେ
ଫରୀ ଖଣ୍ଡା ଭିନ୍ଦିପାଳ ଧନୁ ତୀକ୍ଷ୍‌ଣ ଶର
ଛେଲ ଚକ୍ର ନାଗପାଶ ଭୁଷଣ୍ଡି ତୋମର
ଯମଦାଢ଼ ଅଧାଚନ୍ଦ୍ର ଛୁରୀ ତୀକ୍ଷ୍‌ଣମୁନା
ମୁଦ୍‌ଗର ପଟ୍ଟିଶ ତିନି କେନା ପାଞ୍ଚ କେନା
କଟାରୀ ଶାବେଳୀ ପର୍ଶୁ ଲୋହ ପାଶ କାତି
ଏରୂପେ ଅନେକ ଶସ୍ତ୍ର କରେ ଧରିଛନ୍ତି
ଏକକୁ ଆରେକ ବଳି ଧାଇଁଛନ୍ତି ରାଗେ
ବାଜଇ ବିବିଧ ବାଜା ବୀର ତୂର ଆଗେ
ଟମକ ନିଶାଣ ଢ଼ୋଲ ମର୍ଦ୍ଦଳ ମହୁରୀ
ଜୟଶଙ୍ଖ ବିଜିଘୋଷ ଝର୍ଝରିକା ଭେରୀ
କଡ଼ା ଘୁମୁରା କାହାଳି ନାନା ବାଦ୍ୟ ବାଜେ
ମହା ପ୍ରଳୟରେ କିବା ସପ୍ତସିନ୍ଧୁ ସାଜେ
କ୍ରୀଡ଼ନ୍ତି ସେ ମତୁଆଳେ ଦେଇ ସିଂହରଡ଼ି
ଶ୍ରାବଣ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି
ଏକାଶୀ ମର୍ଭୁତ ରଥ ନବ ଲକ୍ଷ ଗଜ
ପଞ୍ଚାଣୋଇ ବୃନ୍ଦ ଅଶ୍ୱ ହୋଇଛନ୍ତି ସଜ
ଅଠାଣୋଇ ଖର୍ବ ପଦାତିକ ମହାଯୋଧୀ
କ୍ଷଣକରେ ତ୍ରିଭୁବନ ପାରନ୍ତି ଏ ସାଧି
ଧାମନ୍ତି ଅସୁରବଳ ଅନ୍ତରୀକ୍ଷ ମାର୍ଗେ
ଧାତିକାରେ ପ୍ରବେଶିଲେ ସ୍ୱର୍ଗପୁର ଲାଗେ
ଅପସରୀ ବିଦ୍ୟାଧରୀ ଗନ୍ଧର୍ବ କିନ୍ନରେ
ଯେଝାବାଟେ ପଳାଇଲେ ପ୍ରାଣ ବିକଳରେ
ଶଚୀ ଆଦି ପଳାଇଲେ ମହାଭୟ ପାଇ
କୈଳାସ କନ୍ଦରେ ସର୍ବେ ଲୁଚିଲେକ ଯାଇ
ଈଶ୍ୱର ଦେବତା ଗୃହ କୈଳାସ ନିଳୟ
ସେ ସ୍ଥାନକୁ ନ ଲାଗଇ ଅସୁରଙ୍କ ଭୟ
ମହା ପ୍ରଳୟରେ କ୍ଷୟ ନୁହଇ ସେ ଗିରି
ତହିଁରେ ଲୁଚିଲେ ତେବେ ପୁତ୍ରଦାର ଧରି
କେବଳ ଅଛନ୍ତି ଇନ୍ଦ୍ର ଗୋବିନ୍ଦ ସୁରଥ
ଆବରହିଁ ବଳଦେବ ସଙ୍ଗେ ଷଡ଼ଭ୍ରାତ
କହୁଁ କହୁଁ ଘୋଟିଗଲେ ନିଶାଚର ବଳ
ବନ୍ଧ ଭାଙ୍ଗିଗଲେ ଯେହ୍ନେ ମାଡ଼ିଆସେ ଜଳ
ତେସନେକ ଦୈତ୍ୟଥାଟ ପଡୁଛନ୍ତି ମାଡ଼ି
ବନପାଳେ ପଳାଇଲେ ଭୟେ ତୋଟା ଛାଡ଼ି
ଇନ୍ଦ୍ର ଗୋବିନ୍ଦ ସୁରଥ ରାମ ଷଡ଼ଭ୍ରାତ
ଏମାନେ କେବଳ ଛନ୍ତି ଚଢ଼ି ଏକରଥ
ଶ୍ରୀକୃଷ୍ଣ ଆଶ୍ରୟେ ଇନ୍ଦ୍ର ଛାଡ଼ି ମନୁ ଭୀତି
ବିଚାରିଲେ ସ୍ୱର୍ଗ ରକ୍ଷା ହୋଇବ ଏ ଘାନ୍ତି
ଚକ୍ରକୂଟ ମାୟାଧର ଏହି ନାରାୟଣ
ଦନୁଜ ଅନ୍ତକ ବାନା ବହିଛନ୍ତି ପୁଣ
ଏହି ସେ ଭିଆଣ କଲେ ସୃଷ୍ଟି ଚରାଚର
ଶୁଭାଶୁଭ କର୍ମଦାନୀ ଏହି ଦାମୋଦର
ଏ ଯେବେ ଅଛନ୍ତି ମୋର ଆଉ କିସ ଭୟ
ଏତେ ଚିନ୍ତି ଶଙ୍କା ଦୂର କଲେ ସୁରାୟ
ଅନ୍ତର୍ଯ୍ୟାମୀ ନାରାୟଣ ଜାଣି ଇନ୍ଦ୍ର ମନ
ଅନ୍ତର୍ଗତେ ସୁମରିଲେ ନନ୍ଦିଘୋଷ ଯାନ
ଶଙ୍ଖ ଚକ୍ର ଗଦା ପଦ୍ମ ସାରଙ୍ଗ ଆୟୁଧ
ଯହିଁରେ ଅମର ଶତ୍ରୁମାନେ ହେବେ ବଧ
ପିତାମହ ମୂଳମନ୍ତ୍ର ମନ ମଧ୍ୟେ ସ୍ମରି
ଏକାଗ୍ର ମାନସ ଚିନ୍ତା କଲେ ଦଇତ୍ୟାରି
ଜପନ୍ତି ଦ୍ୱାଦଶ ମୁଦ୍ରା ଧରି ଭଗବାନ
ବ୍ରହ୍ମଲୋକେ ବ୍ରହ୍ମାଙ୍କର କମ୍ପିଲା ଆସନ
ସେ କଥାକୁ ପିତାମହ ଧ୍ୟାନେ ଜାଣିପାରେ
ବିଚାରନ୍ତି ସୁମରଣା କଲେ ନରହରି
ନିବାତ ବଚ ସ୍ୱର୍ଗପୁରେ ଦେଲା ଧାଡ଼ି
ତେତିଶ କୋଟି ଦେବତା ପଳାଇଲେ ଛାଡ଼ି
ନିଃଶସ୍ତ୍ର ହୋଇଣ ସ୍ୱର୍ଗେ ଛନ୍ତି ବାସୁଦେବ
ନ ପୁଣ ପ୍ରାଭବ ତାଙ୍କୁ ଦିଅଇ ଦାନବ
ଦୁର୍ବାର ଅସୁର ସେ ଯେ ଅଟେ ରଣରଙ୍କା
କାହା ପ୍ରତି ମନରେ ସେ ନ କରଇ ଶଙ୍କା
ଯଦ୍ୟପି ନ ଜାଣି କୃଷ୍ଣ କରିବେ ଆରେଣି
ଇନ୍ଦ୍ରଗୋବିନ୍ଦ ତାହାକୁ ନ ପାରିବେ ଜିଣି
ଏତେ ଚିନ୍ତି ଆସନରୁ ଉଠିଣ ସତ୍ୱର
ମରାଳ ପିଠିରେ ବିଜେ କଲେ ବେଦବର
ଶଙ୍ଖ ଚକ୍ର ଗଦା ପଦ୍ମ ସାରଙ୍ଗ ସହିତେ
ସମସ୍ତ ଆୟୁଧ ଥୋଇ ନନ୍ଦିଘୋଷ ରଥେ
ପବନ ବେଗରେ ଧାତା ଗମି ଶୂନ୍ୟମାର୍ଗେ
ତକ୍ଷଣେ ମିଳିଲେ ଯାଇ ଶ୍ରକୃଷ୍ଣଙ୍କ ଆଗେ
ବିଧାତାଙ୍କୁ ଦେଖି ନମସ୍କାର କଲେ ହଳୀ
ଚରଣେ ପ୍ରଣାମ କଲେ ଇନ୍ଦ୍ର ବନମାଳୀ
ଆବର ଯେ ଷଡ଼ଭ୍ରାତା ସୁରଥ ସହିତେ
ବ୍ରହ୍ମା ପାଦେ ନମସ୍କାର କଲେ ଯେଝାମତେ
ସମସ୍ତଙ୍କୁ ସୁକଲ୍ୟାଣ କଲେ ବେଦବର
ବୋଇଲେ ସ୍ମରଣା କିପାଁ କର ଚକ୍ରଧର
ଗୋବିନ୍ଦ ବୋଇଲେ ତୁମ୍ଭେ ସମସ୍ତଙ୍କ ପିତା
ଭୂତ ଭାବୀ ବର୍ତ୍ତମାନ ତିନି କାଳ ଜ୍ଞାତା
ତୁମ୍ଭେ ସେ ଭିଆଣ କଲ ସକଳ ମେଦିନୀ
ଆଦ୍ୟରୁ ସଞ୍ଚିଲ ଦେବ ଦାନବ ଏ ବେନି
ଦେବଙ୍କୁ ଦାନବେ ଦୁଃଖ ଦ୍ୟନ୍ତି ସବୁକାଳେ
ସ୍ୱର୍ଗଶିରୀ ଦେବକନ୍ୟା ହରିନ୍ୟନ୍ତି ବଳେ
ନିବାତକବଚ ଏବେ ବାହିଲା ସ୍ୱର୍ଗକୁ
ଏଘୋର ସଙ୍କଟୁ ରକ୍ଷାକର ଦେବତାଙ୍କୁ
ଗନ୍ଧର୍ବ କିନ୍ନର ବିଦ୍ୟାଧର ଆଦି କରି
ଦେବଗଣେ ପଳାଇଲେ ଛାଡ଼ି ସ୍ୱର୍ଗଶିରୀ
ତେତିଶ କୋଟି ଦେବତା ଜଣେ କେହି ନାହିଁ
ଆମ୍ଭେ ନବ ଜାଣ ମାତ୍ର ଅଛୁ ଏଥେ ରହି
କେବଳ ପ୍ରକାରେ ଦୈତ୍ୟ ହେବ ପ୍ରାଣେ ନାଶ
ଏଥକୁ ବିଚାର ତୁମ୍ଭେ ଦିଅ ଲୋକଈଶ
ବିଧାତା ବୋଇଲେ ଇନ୍ଦ୍ର ନ ଡର ତୁ କିଛି
ଦୈତ୍ୟ ଭୟ ନିବାରିବେ ଏହି ଶିରୀବତ୍ସି
ଚକ୍ରକୂଟ ମାୟା କରି ଏହି ନାରାୟଣ
ପୃଥ୍ୱୀଭାର ନିବାରିବେ ମାରି ଦୈତ୍ୟଗଣ
କେବଳ କଥାଏ ମାତ୍ର କରିବା ଅସାଧ୍ୟ
ଗୋବିନ୍ଦ ହସ୍ତେ ନୋହିବ ଏ ଅସୁର ବଧ
ଶୁଣି ଅତି ଚିନ୍ତାକୁଳ ହେଲେ ପୁରନ୍ଦର
ବୋଲନ୍ତି ନିଶ୍ଚୟ ନାଶ ଗଲା ସ୍ୱର୍ଗପୁର
ଅସୁରନାଶନ ବାନା ବହନ୍ତି ଶ୍ରୀହରି
ତାହାଙ୍କୁ ଅସାଧ୍ୟ ହେଲେ ଆନେନୋହେ ମାରି
ନିଶ୍ଚୟେ ଜାଣିଲି ସ୍ୱର୍ଗ ସମ୍ପଦ ସରିଲା
ଏତେ ବୋଲି ସୁରପତି ଭୟରେ କମ୍ପିଲା
ଏକା ଅସୁରର ଭାରା ଲାଗିଲାଣି ଏତେ
ଏହା ପ୍ରାୟ ଦୁଷ୍ଟ ଦୈତ୍ୟ ନାହାନ୍ତି ବା କେତେ
ସର୍ବେ ଯେବେ ଏହିପରି ଆସୁଥିବେ ବାହି
କେତେ ଅବସ୍ଥା ସହିବା ଆମ୍ଭେ ଏଥେଁ ରହି
ଏତେ ବୋଲି ଦେବଇନ୍ଦ୍ର ହୋଇଲେ ବିକଳ
ସହସ୍ର ନେତ୍ରରୁ ଫୁଟି ବହେ ଅଶ୍ରୁଜଳ
ବିଧାତା ବୋଇଲେ ତୁମ୍ଭେ ଶୁଣ ଦେବରାୟ
ଏଥକୁ ଆମ୍ଭର ଅଛି ଅନେରକ ଉପାୟ
ହରି ହର ବ୍ରହ୍ମା ଆମ୍ଭେ ତିନି ଏକ ହୋଇ
ତବ ବୀର୍ଯ୍ୟେ ଜନ୍ମିଅଛୁ ନରଦେହ ବହି
ସେ ପୁତ୍ର ଅର୍ଜ୍ଜୁନ ନାମେ ହୋଇ ଅବତାର
ଦ୍ୱାପରେ କରିବ ମହାଭାରତ ସମର
ନିବାତକବଚ ବଂଶ ମାରିବ ସେ ଜାଣ
ନିଶ୍ଚୟ କହିଲୁ ଏହା ତଥ୍ୟ କରି ଘେନ
ସରିଲାଣି କଷ୍ଟ ଏବେ ମନୁ ଛାଡ଼ ଭୀତି
ଏସନକ ଆଜ୍ଞା ଯହୁଁ ଦେଲେ ବେଦପତି
ଶୁଣିଣ ଇନ୍ଦ୍ର ଦେବତା ସନ୍ତୋଷ ହୋଇଲେ
ଭୋ ପିତା ଆଶ୍ଚର୍ଯ୍ୟ କଥା କହିଲ ବୋଇଲେ
ବାସୁଦେବ ହସ୍ତରେ ଯେ ନୁହଇ ବିନାଶ
ତା ସଙ୍ଗେ ଯୁଝିବ ଅଛି କାହାର ସାହସ
ମୁହିଁ ତ ପ୍ରତ୍ୟକ୍ଷେ ହାରିଗଲି କେତେ ବାର
ଈଶ୍ୱରଙ୍କୁ ଜିଣିଲା ସେ ପ୍ରତାପୀ ଅସୁର
ତୁମ୍ଭେ ବର ଦେଇଅଛ ନ ମରିବ ତାକୁ
ତିନି ପୁରେ ଆଉ କିଏ ଅଛି ଯୁଝିବାକୁ
ଏଡ଼େ ଦାନବ ମାରିବ କେ ମାନବ ହୋଇ
ତୁମ୍ଭେ ସିନା ଜାଣ ପୂର୍ବୁ କି ଅଛ ଭିଆଇ
ବିଧାତା ବୋଇଲେ ତୁମ୍ଭେ ଶୁଣ ସସ୍ରଯୋନି
ଦେବକୀ ଦୈବକୀ ଉଗ୍ରସେନ କନ୍ୟା ବେନି
ଦେବକୀନାମେ ଯେ କନ୍ୟା ସେ ଅଟଇ ଜ୍ୟେଷ୍ଠା
ସୁରୁମାରୀ ସୁଲକ୍ଷଣୀ ସୁନ୍ଦରୀ ଗରିଷ୍ଠା
ଅନେତ ଯତନେ ରାଜା ପ୍ରତିପାଳେ ଜେମା
ସହସ୍ରେ ଯୋଜନ ରାଜ୍ୟ ମଥୁରା ତା ସୀମା
ନେପାଳ ଦେଶର କୁନ୍ତଭୋଜ ନରପତି
ଉଗ୍ରସେନ ସଙ୍ଗେ ତାର ବାଲ୍ୟକାଳୁ ପ୍ରୀତି
ଉଗ୍ରସେନର ଯେ ତିନି କନ୍ୟା ବେନି ପୁତ୍ର
କୁନ୍ତ ଭୋଜର ହୋଇଲା ଏକ ପୁତ୍ର ଜାତ
ଉଗ୍ରସେନ ବୋଲେ କୁନ୍ତଭୋଜ ମୁଖ ଚାହିଁ
ଭୋ ମଇତ୍ର କନ୍ୟାଟିଏ ପ୍ରତିପାଳ ନେଇ
ତୁମ୍ଭର ଗୋଟିଏ ପୁତ୍ର ହୋଇଲା ସ୍ୱଭାବେ
ମନେ କଷ୍ଟ ହେଉଥିବ ଦୁହିତା ଅଭାବେ
ଶୁଣି ତୋଷ ହେଲା କୁନ୍ତଭୋଜଙ୍କର ମନ
ଚନ୍ଦ୍ର ଆହାଲାଦେ ଯେହ୍ନେ ବିକାଶେ ନଳିନ
ବୋଇଲେ ଭୋ ମିତ୍ର ଭାବୁଥିଲି ଯେଉଁ କଥା
ତୁମ୍ଭେ ତାହା କହି ଛଡ଼ାଇଲେ ମୋର ବ୍ୟଥା
ତୁମ୍ଭର ଦୁହିତା ଦେଖି ମୋର ବଡ଼ ଶ୍ରଦ୍ଧା
କନ୍ୟାଟିଏ ଦିଅ ମୋର ତୁଟୁ ମନ ବାଧା
ଲାଜେ ନ ମାଗଇ ତୋତେ ନ କହଇ ଫେଡ଼ି
ସେଥିପାଇଁ ଆସିଅଛି ସବୁ କାର୍ଯ୍ୟ ଛାଡ଼ି
ତୁମ୍ଭେ ଯେବେ ମୋର ମନ ଜାଣିଲ ମଇତ୍ର
କନ୍ୟାଟିଏ ଦିଅ ପାଳି ହୋଇବି ପବିତ୍ର
ଏହା ଶୁଣି ଉଗ୍ରସେନ ସନ୍ତୋଷ ହୋଇଲେ
ନିଜ ଦୁହିତାକୁ ଆଣି ସମର୍ପଣ କଲେ
କୁନ୍ତଭୋଜ ସେ କନ୍ୟାକୁ ପାଳି ଯତନରେ
କୁନ୍ତୀ ନାମ ଦେଲେ ତାକୁ ରଖି ନିଜ ଘରେ
ଥୋକାଏ ଦିନରେ କନ୍ୟା ହୁଅନ୍ତେ ଯୁବତୀ
ବିଭା ହୋଇ ନେଲେ ତାଙ୍କୁ ପଣ୍ଡୁ ନରପତି
ଦୁର୍ବାସା ଋଷିଙ୍କି କୁନ୍ତୀ ସେବା କରିଥିଲେ
ସନ୍ତୋଷରେ ମହାମୁନି ଜପାମାଳ ଦେଲେ
କନ୍ୟାକାଳେ ମାଳା ଧରି ଜପ କଲେ କୁନ୍ତୀ
ସୂର୍ଯ୍ୟଦେବ ଉଭା ହେଲେ ଆସି ତାଙ୍କ କତି
ତାଙ୍କ ଅଙ୍ଗ ସଙ୍ଗେ କୁନ୍ତୀ ଗର୍ଭବତୀ ହେଲେ
ଲଜ୍ଜା ପାଇ କର୍ଣ୍ଣ ବାଟେ ପୁତ୍ର ପ୍ରସବିଲେ
ତେଣୁ କର୍ଣ୍ଣ ବୋଲି ନାମ ହେଲା ସେ ପୁତ୍ରର
ଏହିମତେ ପଞ୍ଚପୁତ୍ର ଜନ୍ମିଲେ ଆବର
ଧର୍ମ ଅଂଶରେ ଜାତ ହେଲେ ଯୁଧିଷ୍ଠିର ରାଜା
ମହାବଳୀ ଭୀମସେନ ପବନ ଆତ୍ମଜା
ବାସବ ଅଂଶରେ ଜାତ ହୋଇଲେ ଅର୍ଜୁନ
ନକୁଳ ଯେ ସହଦେବ ମାଦ୍ରୀର ନନ୍ଦନ
ଅଶ୍ୱିନୀ କୁମାର ଅଂଶେ ଜନ୍ମିଲେ ସେ ଦୁଇ
ଏସନ ପ୍ରକାରେ ପାଞ୍ଚ ପାଣ୍ଡବ ବୋଲାଇ
ବିଧାତା ବୋଲନ୍ତି ଶୁଣ ଗୋବିନ୍ଦ ବାସବ
ଯେ ସେ ଅରଜୁନ ସେହି ହରି ବ୍ରହ୍ମାଶିବ
ଆପେ ଜନ୍ମ କରିଅଛ ତୁମ୍ଭେ ବଜ୍ରଧର
ନ ଜାଣିଲା ପ୍ରାୟେ କିପାଁ ଆମ୍ଭଙ୍କୁ ପଚାର
ନିବାତକବଚ ବଂଶ ନାଶିବ ଅର୍ଜୁନ
ପୃଥ୍ୱୀଭାରା ନିବାରଣେ ପାଣ୍ଡବଙ୍କ ଜନ୍ମ
ଧୃତରାଷ୍ଟ୍ର ନୃପତିର ଶତେ ପୁତ୍ର ଜାତ
ଗାନ୍ଧାରସେନ ଦୁହିତା ଅଟେ ତାଙ୍କ ମାତ
ପାଣ୍ଡବଙ୍କ ଭଗାରି ସେ ଗାନ୍ଧାରୀ ତନୟ
ହସ୍ତିନା କଟରକେ ରାଜା ଦୁର୍ଯ୍ୟୋଧନ ରାୟ
ଭୀଷ୍ମ ଦ୍ରୋଣ ଦ୍ରୋଣୀ କର୍ଣ୍ଣ ଆବର ଶକୁନି
ଏମାନଙ୍କ ମୂଳେ ତାର ଅନେକ ସଇନି
ଭୂରିଶ୍ରବା ଜୟଦ୍ରଥ ଆଦି ମହାବୀର
ହାତୀ ରଥ ମହାରଥୀ ଅଛନ୍ତି ଅପାର
ସଂଗ୍ରାମେ ଶକତା ସର୍ବେ ଏକୁ ଏକ ଯୋଧୀ
ମନ କଲେ ପାରନ୍ତି ଏ ତିନିପୁର ସାଧି
ସତ୍ୟ ଧର୍ମ ପରାୟଣ ଯୁଧିଷ୍ଠିର ରାଜା
ପ୍ରାଣଗଲା ସୁଦ୍ଧା ଧର୍ମ ନ କରନ୍ତି ତେଜ୍ୟା
କୌରବ ପାଣ୍ଡବ ଶଏ ପଞ୍ଚୋତ୍ତର ଭ୍ରାତ
ପରସ୍ପର ବିରୋଧରେ ଦ୍ୱନ୍ଦ ହେବ ଜାତ
ଅଠର ଦିନ କରିବେ ଭାରତ ସମର
ହାତୀ ରଥୀ ମହାରଥୀ ପଡ଼ିବେ ଅପାର
ତୁମ୍ଭେ ଯେବେ ପାଣ୍ଡବଙ୍କ ସାହା ହେବ ହରି
ତେବେ କୁରୁସାଗର ସେ ହୋଇଯିବେ ପାରି
ଯହିଁ ଧର୍ମ ଥାଏ ତୁମ୍ଭେ ରହିଥାଅ ତହିଁ
ଅର୍ଜ୍ଜୁନର ତୁମ୍ଭର ତ ଭେଦାଭେଦ ନାହିଁ
ବିଚାରିଲେ ପଣ୍ଡୁପୁତ୍ରେ ନୁହନ୍ତି ନା ପର
ସ୍ୱଭାବେ ମାଉସୀ ପୁତ୍ର ଅଟନ୍ତି ସୋଦର
ଆବର ତହିଁରେ ପୁଣି ଦେବକାର୍ଯ୍ୟ ଅଛି
ପାଣ୍ଡବଙ୍କୁ ରକ୍ଷା ତୁମ୍ଭେ କରିବ ଶ୍ରୀବତ୍ସି
ଭାରତେ ଭାରୋଇ ମଲ୍ଲବୀର ଫାଲଗୁନି
ଭାରା ନିବାରିବ ତୁମ୍ଭେ ତାକୁ ସଙ୍ଗେ ଘେନି
ଇନ୍ଦ୍ରଙ୍କୁ ବୋଇଲେ ତୁମ୍ଭେ ଶୁଣ ସ୍ୱରେଶ୍ୱର
ନିଜ ପୁତ୍ର ଅରଜୁନ ଅଟଇ ତୁମ୍ଭର
ଅଳ୍ପଦିନେ ଭୟ ଯିବ ପାଣ୍ଡବଙ୍କ ଯୋଗେ
ସୁସ୍ଥ ହୋଇ ସୁରଗଣ ବିହରିବ ସ୍ୱର୍ଗେ
ନିବାତ କବଚ ଏବେ ଆସୁଅଛି ବାହି
ତା ସଙ୍ଗେ ସମର କଲେ ତୁମ୍ଭ ଯଶ ନାହିଁ
ଅନମିତ୍ତେ ଶ୍ରମକରି ପାଇବ କଷଣ
ଚାଲ ଅପସରି ଯିବା ନ କରିବା ରଣ
ଶ୍ରୀକୃଷ୍ଣ ବୋଇଲେ ଦୈତ୍ୟ ହେଲାଣି ନିକଟେ
ପଳାଇ ଲୋଡ଼ିଲେ ଏବେ ଯିବା କେଉଁବାଟେ
ନିସତ ହୋଇଲେ ଏବେ ନ ପାଇବା କାର୍ଯ୍ୟ
ଲାଗି ଭାଜି ପଳାଇବା ପଛେ ହେଉ ଲାଜ
ନ ଯୁଝି ଯିବାର କେଭେ ନୁହଇ ବେଭାର
ଜନମୁଖେ ଅପଖ୍ୟାତି ହୋଇବ ଅପାର
କ୍ଷତ୍ରିୟଙ୍କୁ ଲାଗିଅଛି ହାରଜିଣ ଦୁଇ
ନ ଜିଣିଲେ ପଳାଇବା ରଣ ଚାଡ଼ିଦେଇ
ବ୍ରହ୍ମାଏ ବୋଇଲେ ଆମ୍ଭେ କରାଇବୁ ସନ୍ଧି
ଅକାରଣେ ଯୁଦ୍ଧ କରି ନୁହ ତୁମ୍ଭେ ଧନ୍ଦି
ଆମ୍ଭଠାରୁ ବର ପାଇଅଛି ସେ ଦାନବ
ଆମ୍ଭେ ମନାକଲେ ନିଶ୍ଚେ ଫେରି ପଳାଇବ
ଏ କଥାକୁ ନାସ୍ତି ତୁମ୍ଭେ ନକର ଶ୍ରୀହରି
ଏକ୍ଷଣି ଆସିବୁ ଆମ୍ଭ ସବୁ ସାଧ୍ୟ କରି
ଗୋବିନ୍ଦ ବୋଇଲେ ତୁମ୍ଭେ ସୃଷ୍ଟି ଅଧିପତି
ଯାହା ତୁମ୍ଭେ ଇଚ୍ଛା ତାହା କର ବେଦପତି
ଏହା ଶୁଣି ଧାତା ଇନ୍ଦ୍ର ଗୋବିନ୍ଦ ରୁହାଇ
ଧାତିକାରେ ବିଜେ କଲେ ମରାଳ ଆରୋହି
ଗଗନ ମାର୍ଗରେ ଚଳିଗଲେ ଅତି ବେଗେ
ମିଳିଲେକ ସେ ନିବାତ କବଚର ଆଗେ
ପିତାମହ ଆଗମନ ଦେଖି ଦୈତ୍ୟବୀର
ରଥୁଁ ଡ଼େଇଁ ପାଦତଳେ କଲା ନମସ୍କାର
ଅଷ୍ଟରତ୍ନ ପାତ୍ରେ ଗଙ୍ଗା ଉଦକ ଭରିଲା
ସେ ଜଳରେ ବ୍ରହ୍ମାଙ୍କର ପାଦ ପଖାଳିଲା
ସୁଗନ୍ଧ ଚନ୍ଦନ ପୁଷ୍ପ ଦେଇ କଲା ପୂଜା
କର ପତ୍ର ଯୋଡ଼ି ସ୍ତୁତି କରେ ଦୈତ୍ୟରାଜା
ପୁଣି ବୋଲେ ପିତାମହ ତବ ପରସାଦେ
ସକଳ ସମ୍ପଦ ମୋର ହେଲା ଅପ୍ରମାଦେ
ତୁମ୍ଭେ ବର ଦେଇ ମୋତେ କଲ ଏଡ଼େ ଗୁଣ
ତବ କୃପାବଳେ ମୋର ଏଡ଼େ ବଡ଼ ପଣ
ସ୍ୱର୍ଗ ମଞ୍ଚ ରସାତଳ ସବୁ କଲି ସାଧ୍ୟ
ମୋ ନାମ ଶୁଣିଲେ ଭୟେ ପଳାନ୍ତି ବିବୁଧ
ଏବେ ସ୍ୱର୍ଗ ଭୁବନକୁ ଦେଉଅଛି ଧାଡ଼ି
ଦିଗପାଳମାନଙ୍କୁ ମୁଁ ଆଜ ଦେବି ପୋଡ଼ି
ଅମର ଭଣ୍ଡାର ଭାଙ୍ଗି କରିବଇଁ ଜୂର
ସୁରବଧୂଗଣ ହରି ନେବି ନିଜ ପୁର
ଭାଙ୍ଗିବି ସୁଧର୍ମା ସଭା ମାରି ଦେବଗଣ
ଆନ ଇନ୍ଦ୍ର କରି ଆଜି ବସାଇବି ଜାଣ
ସ୍ୱର୍ଗପୁରେ ନ ରଖିବି ଗୋଟିଏ ତ୍ରିଦଶ
ଅମର ସମ୍ପଦ ଯାକ କରିଦେବି ଧ୍ୱଂସ
ଏହା ଶୁଣି ପିତାମହ ପାଇଲେ ବୈରାଗ
ବୋଲନ୍ତି କିପାଇଁ ଛାଡ଼ୁଅଛୁଁ ଧର୍ମମାର୍ଗ
ଦେବତାମାନଙ୍କୁ ପୀଡ଼ା ଦେଉଛୁ ଅଦ୍ୟାପି
ଧନ ଧର୍ମ ଆୟୁ ତୁଟିଯିବ ହେବୁ ପାପୀ
ବାବୁରେ ତୋ ଭଳି ଲୋକ କଲେ ଅବିଚାର
ଧର୍ମ ଲୋପ ହେବ ନାଶ ଯିବ ଏ ସଂସାର
ଛାଡ଼ ମନୁ ପରିତାପ ଛାଡ଼ ଦୁଷ୍ଟ ମତି
ଚିରକାଳ ରହିଥିବ ତୋର ଏ ସମ୍ପତ୍ତି
ଛାଡ଼ ଦୁଷ୍ଟ ବୁଦ୍ଧି ବାବୁ କର ଆମ୍ଭ ବୋଲ
ଆମ୍ଭ କଥା ଲଘିଂଗଲେ ନୋହିବଟି ଭଲ
ଶୁଣି ନିବାତକବଚ ପାଇ ମନେ ଭୀତି
ବୋଲେ ଯା କହିବ ତାହା କରିବି ସଂପ୍ରତି
ବିଧାତା ବୋଇଲେ ଏବେ ଯାଅ ଯା ବାହୁଡ଼ି
ତୁ ଯାହା କହିବୁ ଦେବେ ନ ପାରବେ ଏଡ଼ି
ତୋର ହୋଇ ଦେବଗଣ ଥାନ୍ତୁ ସ୍ୱର୍ଗପୁରେ
ଅକାରଣେ କିପାଁ ରୋଷ କରୁ ତାଙ୍କଠାରେ
ଆମ୍ଭେ ଏଥିପାଇଁ ତୋତେ କହୁଛୁ ବହୁତ
ଦେବତାଙ୍କୁ ପୀଡ଼ା ଆଉ ନ ଦେବୁ କିଞ୍ଚିତ
ଯାହାଠାରେ ଦେବଗଣେ କରୁଥାନ୍ତି ଭୟ
ଶାସ୍ତ୍ର ପ୍ରମାଣରେ ତାର ଆୟୁ ହୁଏ କ୍ଷୟ
ତୋ ପାଇଁରେ ଆମ୍ଭେ କହୁଅଛୁ ପରିଘାଇ
ତୁ କୁଶଳେ ଥିଲେ ଆମ୍ଭ ମନ ତୋଷ ହୋଇ
ଚକ୍ରକୂଟ ମାୟା ଜାଣିଛନ୍ତି ନାରାୟଣ
ସ୍ୱହସ୍ତେ ନ ମାରି କୂଟେ ଘେନନ୍ତି ପରାଣ
ଇନ୍ଦ୍ର ଗୋବିନ୍ଦର ଆଜି ହୋଇଅଛି ଭେଟ
ସଂଗ୍ରାମକୁ ଗଲେ ନିଶ୍ଚେଁ ପଡ଼ିବ ସଙ୍କଟ
ସୈନ୍ୟ ସଜ କରି ରଖିଛନ୍ତି ତୋର ପାଇଁ
ଈଶ୍ୱର ଆସିବେ ଏହା ଶୁଣି ପରିଘାଇ
ଏହାଙ୍କ ଉପ୍ରୋଧ ଆମ୍ଭେ ନ ପାରିବୁ ଛାଡ଼ି
ତୁ ଏହା ବିଚାର କରି ଯାଅ ଯା ବାହୁଡ଼ି
ଯେବେ ବଳିଆଇ ଯିବୁ ଲଘିଂ ଆମ୍ଭ ବୋଲ
ଏ ତଥ୍ୟ ବଚନ ତୋର ନୋହିବଟି ଭଲ
ନିବାତକବଚ ଶୁଣି ମନେ ପାଇ ଭ୍ରାନ୍ତି
ବୋଲେ ପିତାମହ ତୁମ୍ଭେ ଅଟ ମୋର ଗତି
ବାହୁଡ଼ି ଯାଉଛି ତୁମ୍ଭେ ଆଜ୍ଞା ଦେଲ ଯେବେ
ଯେ ଯାହା ପଦରେ ସ୍ୱର୍ଗେ ରହିଥାନ୍ତୁ ଦେବେ
ଏତେ କହି ବ୍ରହ୍ମାପାଦେ ନମସ୍କାର କରି
ଆପଣାର ସେନାପତିମାନଙ୍କୁ ହକାରି
ଆଜ୍ଞା ଦେଲା ବାହୁଡ଼ାଇ ଘେନିଆସ ଥାଟ
ବ୍ରହ୍ମା ବୋଲ ନ ମାନିଲେ ପଡ଼ିବ ସଙ୍କଟ
ଶୁଣି ସେନାପତିମାନେ ସୈନ୍ୟ ପାଲଟାଇ
ବାହୁଡ଼ିଲେ ସମଦଣ୍ଡ ଘେନି ତ୍ୱରା ହୋଇ
ନିବାତ କବଚ ମିଳେ ଆପଣା ରାଜ୍ୟରେ
ପିତାମହ ଚଳିଗଲେ ବସି ମରାଳରେ
ନନ୍ଦନବନ ଭିତରେ ପାରିଜାତ ମୂଳେ
କାତରେ ଅଛନ୍ତି ଇନ୍ଦ୍ର କୃଷ୍ଣ କାମପାଳେ
ଏକାଳେ ମିଳିଲେ ତହିଁ ଯାଇ ବେଦବର
ଦୂରୁ ଦେଖି ସେ ସମସ୍ତେ କଲେ ନମସ୍କାର
ଇନ୍ଦ୍ର ପଚାରିଲେ ତାତ କି କାର୍ଯ୍ୟ କରିଲ
ବ୍ରହ୍ମାଏ ବୋଇଲେ ସବୁ ହୋଇଅଛି ଭଲ
ଚିନ୍ତା ଛାଡ଼ି ସ୍ୱର୍ଗ ଭୋଗ କର ବଜ୍ରପାଣି
ଦାନବକୁ କହି ଆମ୍ଭେ ଫେରାଇ ଦେଲୁଣି
ଆବର ତୁମ୍ଭୁଙ୍କୁ ଭୟ ନାହିଁ ଆଉ କିଛି
ଅର୍ଜ୍ଜୁନ ଆସିବାଯାଏ ଅବଧି ରହିଛି
ଏହା ଶୁଣି ଶାନ୍ତମନା ହେଲେ ସୁରପତି
କହଇ ଅଚ୍ୟୁତ ଦାସ ଦୂର ହେଲା ଭୀତି

ବ୍ରହ୍ମା ସହ ରାମକୃଷ୍ଣଙ୍କର ବ୍ରହ୍ମଲୋକ ପ୍ରବେଶ[ସମ୍ପାଦନା]

ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ବେଦବର
ଭୋ କୃଷ୍ଣ ଆମ୍ଭ ପୁରକୁ ତୁମ୍ଭେ ବିଜେ କର
ବଡ଼ୁ ବଡ଼ ପବିତ୍ରାଣ ସଂସାରିକ ବିଧି
ତା ନୋହିଲେ କ୍ଷତ୍ରି ବୃତ୍ତି ନ ହୁଅଇ ସିଦ୍ଧି
ମହାଯଜ୍ଞ ଉପବୀତ ଅଛି ବେଦମତି
ତହିଁରେ ପ୍ରତିଷ୍ଠା ହେବ ତୁମ୍ଭ କ୍ଷତ୍ରିବୃତ୍ତି
ବୃଷୀବଂଶେ ଜାତ ତୁମ୍ଭେ ଅଟ ଶୁଦ୍ଧଜାତି
ଦେବକୀ ଗର୍ଭରୁ ଜାତ ମାନବ ମୂରତି
ବସୁଦେବ ବୀର୍ଯ୍ୟେ ଜାତ ହେଲ ମଥୁରାରେ
ଆଠବର୍ଷ ଯାଏ ଥିଲ ନନ୍ଦନ ଗୋପଘରେ
କଂସକୁ ସଂହାରି ମଧୁବନେ ବିହରିଲ
ବିଦ୍ୟା ପଢ଼ି ଗୁରୁପୁତ୍ର ଜୀଆଇ ଆଣିଲ
ସ୍ୱର୍ଗର ଶତ୍ରୁକୁ ଏବେ କଲ ସମାଧାନ
ଜଗତ କରତା ତୁମ୍ଭେ ପ୍ରଭୁ ଭଗବାନ
ଏପରି ସଂଯୋଗ ଆଉ କେମନ୍ତେ ପାଇବା
ଆଚାର୍ଯ୍ୟ ହୋଇ ପବିତ୍ର ତୁମ୍ଭଙ୍କୁ ଯେ ଦେବା
ତୁମ୍ଭେ ବା ବୋଲିବ ଆମ୍ଭେ କରମ କରତା
ସ୍ଥାବର ଜଙ୍ଗମକୀଟ ପତଙ୍ଗ ପାଳାନ୍ତା
ଜୀବେ ଅଜୀବେ ସବୁରି ଦେହେ ଅଛୁ ପୂରି
ହବି ହୋମ ସ୍ୱାହାମନ୍ତ୍ର ବେଦ ଆଦିକରି
ଏମନ୍ତ ବିଚାର ଯେବେ ମନରେ କରିବ
ତୁମ୍ଭେ କର୍ମ ନ କରିଲେ ଧର୍ମ ନାଶ ଯିବ
ମାନବ ଶରୀର ଯେବେ ବହିଲ ଆପଣ
ଯେ ଯହିଁର ଯଥାବିଧି ଘେନ ନାରାୟଣ
ତୁମ୍ଭେ ସଦମାର୍ଗ ତ୍ୟାଗ କଲେ ଲକ୍ଷ୍ମୀସାଇଁ
ଏ ସଂସାର ଜନେ ଧର୍ମ ପାଳିବେ ଯେ ନାହିଁ
ଶ୍ରୀକୃଷ୍ଣ ବୋଇଲେ ଧାତା ଯେ ତୁମ୍ଭର ଦୀକ୍ଷା
ଦେହ ଧରି କେବା ତାହା ନ କରିବ ରକ୍ଷା
ଆମ୍ଭଙ୍କୁ ପଇତା ଦିଅ କରି ବ୍ରତ ବିଧି
ତବ ପ୍ରସାଦରୁ ହେଉ ବେଦମନ୍ତ୍ର ସିଦ୍ଧି
ଏମନ୍ତ ଉତ୍ତର ଯହୁଁ ଦେଲେ ଭଗବାନ
ତକ୍ଷଣେ ମିଳିଲା ଆସି ନନ୍ଦିଘୋଷ ଯାନ
ଉଲ୍ଲୁକ ମନ୍ତ୍ରକୁ ଧାତା ଗୋପ୍ୟ କରିଥିଲେ
ଦେବ କାର୍ଯ୍ୟ ନିମନ୍ତେ ତା ଶ୍ରୀକୃଷ୍ଣଙ୍କୁ ଦେଲେ
ସମର୍ପଣ କଲେ ପୁଣି ଗୋବିନ୍ଦ ଶ୍ରୀହସ୍ତେ
ଦେଖିଣ ପରମାନନ୍ଦ ହେଲେ ଦଇତ୍ୟାରି
ରଥ ପ୍ରଦକ୍ଷିଣ କଲେ ନମସ୍କାର କରି
ସୁରଥ ଦେବେନ୍ଦ୍ର ବଳରାମ ଷଡ଼ଭ୍ରାତ
ସର୍ବେ ଆରୋହଣ କଲେ ନନ୍ଦିଘୋଷ ରଥ
ମରାଳ ବାହନେ ବ୍ରହ୍ମା ହେଲେ ଆଗୁଆଣି
କୁଶବଟୁ ଭୁବନକୁ ବିଜେ ଚକ୍ରାପାଣି
ଅନ୍ତରୀକ୍ଷ ମାର୍ଗେ ରଥ ବାହିଲେ ମାତଳି
ବ୍ରହ୍ମଲୋକେ ପରବେଶ ହେଲେ ବନମାଳି
ଦେଖନ୍ତି ଯେ ପିତାମହ ଭୁବନ ସୁସଞ୍ଚ
ଅକ୍ଷୟ ପୁରୁଷେ ତହିଁ କରିଛନ୍ତି ବାସ
ପ୍ରଳୟରେ ସେ ଭୁବନ ନୁହଇ ବିନାଶ
ସପ୍ତଲୋକ ଉପରେ ସେ ବ୍ରହ୍ମଲୋକ ଶ୍ରେଷ୍ଠ
ସକଳ ଗୁଣରେ ସେ ଯେ ଅଟଇ ଗରିଷ୍ଠ
ଅଠାଣୋଇ କୋଟି ଦ୍ୱିଜ ଘେନି ବେଦପତି
ସେ ଅକ୍ଷୟ ବ୍ରହ୍ମଲୋକେ ବାସ କରିଥାନ୍ତି
ପିତାମହ ପ୍ରସାଦରୁ ସର୍ବେ ପୁଣ୍ୟମୟ
ବ୍ରହ୍ମପ୍ରଳୟ ପର୍ଯ୍ୟନ୍ତେ ନାହିଁ ମୃତ୍ୟୁଭୟ
ନବରତ୍ନେ ସେ ଭୁବନ ହୋଇଛି ନିର୍ମାଣ
ଦୀର୍ଘପ୍ରତି ଦଶଲକ୍ଷ ଯୋଜନ ପ୍ରମାଣ
ସେ ଭୁବନେ ପରବେଶ ହେଲେ ରାମହରି
ଅପୂର୍ବ ଆସ୍ଥାନ ଦେଖି ପରଶଂସା କରି
ଇନ୍ଦ୍ର ଗୋବିନ୍ଦ ଆଗମ ଦେଖି ବ୍ରହ୍ମଲୋକେ
ଏକକୁ ଆରେକ ଚାହିଁ ପଚାରନ୍ତି ଥୋକେ
କେଉଁମାନେ ବୋଲନ୍ତି ଏ ସ୍ୱୟଂ ବିଶ୍ୱବାସ
କେ ବୋଲନ୍ତି ଏହା ଜଗତ୍‌ବନ୍ଦନ ପୁରୁଷ
କେଉଁମାନେ ବୋଲନ୍ତି ଏ ଭକ୍ତ ପ୍ରାଣବନ୍ଧୁ
କେ ବୋଲଇ ଏ ଅଟନ୍ତି କୃପାଜଳସିନ୍ଧୁ
କେ ବୋଲନ୍ତି ଏଟି ଲକ୍ଷ୍ମୀଦେବୀ ହୃଦମଣି
କେ ବୋଲଇ ଏ ଅଶେଷ ଲୋକର କାରେଣି
କେଉଁମାନେ ବୋଲନ୍ତି ଏ ସୃଷ୍ଟି ହିତକାରୀ
କେ ବୋଲନ୍ତି ଜ୍ଞାନଗମ୍ୟ ଅଟନ୍ତି ଏ ହରି
କେ ବୋଲନ୍ତି ଏହି କୃଷ୍ଣ କଂସ ନିସୂଦନ
କେ ବୋଲଇ ଏହି ବସୁଦେବର ନନ୍ଦନ
କେ ବୋଲଇ ଗୋପୁପୁରେ ଥିଲେ ଆଠବର୍ଷ
କେ ବୋଲଇ ପୂତନାକୁ ଏହି କଲେ ନାଶ
କେ ବୋଲଇ ଗୋବର୍ଦ୍ଧନଗିରି ଏ ତୋଳିଲେ
କେ ବୋଲଇ ବୃନ୍ଦାବନେ ରାସ କରୁଥିଲେ
କେ ବୋଲନ୍ତି ଏହି ଦେବଦେବ ବିଶ୍ୱବାସୀ
ଏହି ଶଙ୍ଖଚକ୍ରଧାରୀ ବୈକୁଣ୍ଠ ନିବାସୀ
ଜଳସ୍ଥଳ ଅନଳରେ ରହିଛନ୍ତି ପୂରି
ବସୁମତୀ ଭାରାଭର ନିବାରିବା ପାଇଁ
ଦ୍ୱାପରେ ଜନମିଛନ୍ତି ନରଦେହ ବହି
କେ ବୋଲନ୍ତି ଧନ୍ୟ ଆମ୍ଭେ କରିଥିଲୁ ତପ
ନୟନେ ଦେଖିଲୁ ତେଣୁ ଅବ୍ୟକ୍ତ ସ୍ୱରୂପ
କେ ବୋଲନ୍ତି କିପାଁ ଏଥେଁ ବିଜେକଲେ ହରି
ପିତାମହ ଆଣିଛନ୍ତି ଗଉରବ କରି
କେହୁ ଯେ ବୋଲନ୍ତି ବ୍ରତ ହୋଇ ଏ ନାହାନ୍ତି
ବ୍ରତ କରାଇବା ପାଇଁ ବ୍ରହ୍ମା ଆଣିଛନ୍ତି
ଆଜହୁଁ ଏ ବ୍ରହ୍ମଲୋକ ହୋଇବ ପବିତ୍ର
ନିରଞ୍ଜନ ସ୍ୱାମୀ ହେବେ ଏ ସ୍ଥାନରେ ବ୍ରତ
ବନ୍ଧୁପଣେ ଆସିଛନ୍ତି ସଙ୍ଗେ ସୁରରାଣ
ଆବର ଅଛନ୍ତି ତାଙ୍କ ଭାଇ ସଙ୍କର୍ଷଣ
ଦେବକୀର ଷଡ଼ପୁତ୍ର ୟାଙ୍କ ଜ୍ୟେଷ୍ଠଭାଇ
ମରିଥିଲେ ଏମାନଙ୍କୁ ଆଣିଲେ ଜୀଆଇଁ
ଶ୍ରୀକୃଷ୍ଣ ସଙ୍ଗେ ସବୁରି ହେବ ବ୍ରତବିଧି
ଏବେ ଆସି ଦେବଙ୍କର କାର୍ଯ୍ୟ ହେଲା ସିଦ୍ଧି
ଏମନ୍ତ ବିଚାର କରି ବ୍ରହ୍ମଲୋକ ବାସୀ
ରଥ ପଛେ ଗୋଡ଼ାଇଲେ ଦେଖି ବ୍ରହ୍ମାରାଶି
ବେଦମନ୍ତ୍ର ପଢ଼ି ମୁଖେ କରନ୍ତି ସ୍ତବନ
ସିଂହାଦ୍ୱାରେ ମିଳି ଧାତା ରୁହାଇଲେ ଯାନ
ସୋଦରମାନଙ୍କୁ ସଙ୍ଗେ ଘେନି ଦେବରାଜେ
ରଥରୁ ଓହ୍ଲାଇ କଲେ ଭିତରକୁ ବିଜେ
ସାବିତ୍ରୀ ଗାୟତ୍ରୀ ବେନି ବ୍ରହ୍ମାଙ୍କ ଭାରିଯା
ଅର୍ଘ୍ୟ ବନ୍ଦାଇଣ କଲେ ରାମକୃଷ୍ଣେ ପୂଜା
ଶୁଦ୍ଧ ସୁବର୍ଣ୍ଣ ଥାଳିରେ ଦୁର୍ବାକ୍ଷତ ଭରି
ସୁଗନ୍ଧ କୁସୁମ ଧୂପ ଦୀପ ଆଦିକରି
ଆପଣେ ବ୍ରହ୍ମାଣୀ ଅର୍ଘ୍ୟଥାଳି ଘେନି ହସ୍ତେ
ଅଭିଷେକ କଲେ ରାମକୃଷ୍ଣଙ୍କର ମାଥେ
ରତ୍ନସିଂହାସନ ପରେ ଅପସର ଧୂଳି
ଯେ ଆସନେ ବିଜେକଲେ ରାମ ବନମାଳୀ
ଦେବଇନ୍ଦ୍ର ବିଜେକଲେ ସ୍ୱର୍ଣ୍ଣ ସିଂହାସନେ
ରତ୍ନ ଖମ୍ୱେ ଆଉଜିଲେ ବସି ଭ୍ରାତାମାନେ
ଆପଣେ ଗାୟତ୍ରୀଦେବୀ ସମ୍ପାଦିଲେ ପାକ
ବିବିଧ ରାନ୍ଧଣା ଅନ୍ନ ବ୍ୟଞ୍ଜନ ଅନେକ
ରାମ ଆଦି ଭ୍ରାତୃଗଣ ଘେନି ଦେବରାଜେ
ନିତ୍ୟକର୍ମ ଶେଷକରି ମଣୋହିରେ ବିଜେ
ଅମଳାନ ବାସ ପିନ୍ଧି ଶୁଦ୍ଧପୂତ ହୋଇ
ଆପଣେ ବ୍ରହ୍ମାଣୀ ଅନ୍ନ ପରଷନ୍ତି ନେଇ
ଶାଳିଅନ୍ନ ଗୁଆଘୃତ ବ୍ୟଞ୍ଜନର ମୂଳେ
ଅନେକ ଦ୍ରବ୍ୟ ଦିଅନ୍ତି ସୁବର୍ଣ୍ଣର ଥାଳେ
ଇନ୍ଦ୍ର ଗୋବିନ୍ଦ ସୁରଥ ହଳୀ ଷଡ଼ଭ୍ରାତା
ଭୁଞ୍ଜନ୍ତି ସକଳ ଦ୍ରବ୍ୟ ପରଷନ୍ତି ମାତା
ଅଧାମ ଗୋଟିକା ଦଧି ଦୁଗ୍‌ଧ ଛେନା ସର
ଦାରାକ୍ଷ ଅମୃତ ପାନ କଦଳୀ ସାକର
ଚୌରାଶୀ ବ୍ୟଞ୍ଜନ ବିଧି ରାଜଯୋଗ୍ୟ ଯେତେ
ବ୍ରହ୍ମାଙ୍କ ମନ୍ଦିରେ ଇନ୍ଦ୍ର ଗୋବିନ୍ଦ ମଣୋହି
ଅମୃତ ଆଦି କେବଣ ଦ୍ରବ୍ୟ ତହିଁ ନାହିଁ
ଭୋଜନରେ ଅବଶେଷେ କଲେ ଆଚମନ
କର୍ପୂର ବିଡ଼ିଆ ଲାଗି ହେଲେ ଭଗବାନ
ସୁଧାରୁ ଅଧିକ ଅଟେ ହରି କଥାମୃତ
ସାଧୁଜନେ ପାନକରେ କହଇ ଅଚ୍ୟୁତ
ହରିନାମ ଏ ସଂସାର ସାଗରକୁ ଭେଳା
ହରିନାମ ଜପି ତର ନ କରିଣ ହେଳା

ବ୍ରହ୍ମଙ୍କ ପୁରେ ରାମକୃଷ୍ଣଙ୍କର ଉପନୟନ ଓ ଶସ୍ତ୍ରାସ୍ତ୍ର ଲାଭ[ସମ୍ପାଦନା]

ଶୁକ ବୋଇଲେ ହୋ ଶୁଣ ପରୀକ୍ଷିତ ରାୟେ
ଏଥୁ ଅନନ୍ତରେ ତହିଁ କେତେ ଦିନ ଯାଏ
ଦିନକୁ ଦିନ ବିଶେଷ ଗଉରବ ପାଇ
ବ୍ରହ୍ମଲୋକେ ବାସକଲେ ଇନ୍ଦ୍ର ଲକ୍ଷ୍ମୀସାଇଁ
ନିବାତ ଭୟରେ ଦେବେ ପଳାଇଣ ଥିଲେ
ଯେ ଯାହା ନଗରେ ଆସି ପୁଣି ସେ ରହିଲେ
ବୈଶାଖ କୃଷ୍ଣ ପଞ୍ଚମୀ ତିଥି ଚନ୍ଦ୍ରବାର
ପୂର୍ବାଷାଢା ନକ୍ଷତ୍ର ଯେ ଭୋଗ ସେ ଦିନର
ଶୁଭନାମେ ଯୋଗ ଗର ନାମରେ କରଣ
ଏକାଦଶ ଦିନ ଭୋଗ ମେଷ ସଂକ୍ରମଣ
ସପତାଙ୍ଗେ ସର୍ବ ଶୁଭ ଚାପେ ଚନ୍ଦ୍ର ଅଛି
ବେଳ ପାଞ୍ଚ ଘଡ଼ିଠାରେ ବ୍ରତ ଯୋଗାଉଛି
ବିଶ୍ୱକର୍ମା ରାଇ ଆଜ୍ଞା ଦେଲେ ବେଦବର
ଛାୟା ମଣ୍ଡପ ବେଦିକା ବେଗେ ସଜ କର
ରାମକୃଷ୍ଣ ବ୍ରତ ପାଇଁ ଲାଗେ ଯେତେ ବିଧି
କାମଧେନୁକୁ ବୋଇଲେ କର ସର୍ବ ସିଦ୍ଧି
ବ୍ରହ୍ମା ଆଜ୍ଞା ପରମାଣେ ବିଶ୍ୱକର୍ମା ସ୍ୱାମୀ
ତକ୍ଷଣେ ଛାୟା ମଣ୍ଡପ ବେଦି ନିରିମାଣି
ଅଷ୍ଟରତ୍ନରେ ନିର୍ମିତ ସମ ଦୀର୍ଘ ପ୍ରତି
ହୀରା ନୀଳା ବଇଡ଼ୁର୍ଯ୍ୟ ପ୍ରବାଳ ଆକୃତି
କାମଧେନୁ କଳ୍ପନାରୁ ହୋଇଛି ଜଗତ
ଉପଚାର ଦ୍ରବ୍ୟମାନ ସୃଜିଲେ ଗୋ ମାତ
ରାମକୃଷ୍ଣ ବ୍ରତ କଥା ଶୁଭିଲା ତ୍ରିପୁରେ
ଈଶ୍ୱର ବାରତା ପାଇ କୈଳାସ କନ୍ଦରେ
ଚୌଦକୋଟି ରୁଦ୍ରଗଣ ଘେନାଇ ସଙ୍ଗତେ
ବୃଷଭ ବାହନେ ବସି ଅଇଲେ ତ୍ୱରିତେ
ନନ୍ଦି ଭୃଙ୍ଗରଟୀ କାର୍ତ୍ତିକେୟ ଗଜାନନ
ପାର୍ବତୀ ଦେବୀଙ୍କି ଘେନି ବିଜେ ପଞ୍ଚାନନ
ଡିବି ଡିବି ଡମ୍ୱରୁ ଯେ ବାଜେ ନବକୋଟି
ଖଣ୍ଡ ଇନ୍ଦୁ ଗଙ୍ଗା ଶିରେ ଶୋଭିତ ଧୂର୍ଜଟୀ
ଅଭୟ ପିନାକ ଶୂଳ ନାଗ ବାମ କରେ
ପରଶୁ କପୋଳ ମୃଗବର ଦକ୍ଷିଣରେ
ସର୍ବାଙ୍ଗରେ ଚିତାଭସ୍ମ ଶିରେ ଜଟାଜୂଟ
ରୁଦ୍ରାକ୍ଷ ମାଳାରେ ଶୋଭା ପାଏ କଣ୍ଠତଟ
ଅନେକ ସମ୍ଭାରେ ବିଜେ କରି ପଶୁପତି
ବ୍ରହ୍ମଲୋକେ ପରବେଶ ହେଲେ ଶୀଘ୍ରଗତି
ସନକାଦି ସପ୍ତଋଷି ବିଶ୍ୱଦେବା ମୁନି
ଅଗସ୍ତି ଅଙ୍ଗିରା ଭୃଗୁ ବଶିଷ୍ଠ ଜୈମିନି
ଏମାନଙ୍କ ଆଦି ଯେତେ ଋଷିଗଣ ଥିଲେ
ମନଦଣ୍ଡେ ବସି ବ୍ରହ୍ମଲୋକରେ ମଳିଲେ
ଦେବଋଷି ବ୍ରହ୍ମଋଷି ନାଗ ନର ଋଷି
ବୃହତ୍ସାମ ଗାନ କଲେ ଗୋଷ୍ଠୀ ହୋଇ ବସି
ସ୍ୱର୍ଗ ମଞ୍ଚ ପାତାଳରେ ଯେତେ ଦେବଗଣ
ବ୍ରହ୍ମଲୋକରେ ପ୍ରବେଶ ହୋଇଲେ ତକ୍ଷଣ
ରତ୍ନସିଂହାସନ ପରେ ଶେଯ ଅଛି ପଡ଼ି
ସଭାରେ ବସିଲେ ସର୍ବେ ଯେଝାସ୍ଥାନ ମାଡ଼ି
ମଙ୍ଗଳ ମହୁରୀ ବାଜେ ଶୁଭେ ଶଙ୍ଖଧ୍ୱନି
ହୁଳହୁଳି ଦେଉଛନ୍ତି ସଧବା କାମିନୀ
ଆପଣେ ଆଚାର୍ଯ୍ୟ ତହିଁ ହେଲେ ବେଦବର
ଆହ୍ନିକ ସାରିଣ ବିଜେ ବେଦିକା ଉପର
ଉତ୍ତର ମୁଖେ ବସିଲେ ରତ୍ନପୀଢ଼ାମାଡ଼ି
ଅନାମିକା ଅଙ୍ଗୁଷ୍ଠିରେ କୁଶବଟୁ ଭିଡ଼ି
ରାମକୃଷ୍ଣ ହସ୍ତେ ପୁଣି ବ୍ରହ୍ମା ଦେଲେ କୁଶ
ପୂର୍ବ ମୁଖରେ ବସିଲେ ବସୁଦେବ ଶିଷ୍ୟ
ବିଷ୍ଣୁ ବିଷ୍ଣୁ ବୋଲି ଦେଶକାଳ ବାକ୍ୟ କଲେ
ଦିନ ବାର ତିଥି ଚନ୍ଦ୍ର ନକ୍ଷତ୍ରର ତୁଲେ
ପ୍ରଥମ ସଂକଳ୍ପ କରି କୁମ୍ଭେ କଲେ ପୂଜା
ଆଗେ ଗଣପତି ତହିଁପରେ ଜଳରାଜା
ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତି
ଶୁକ୍ର ଶନିଶ୍ଚର ରାହୁ କେତୁ ଯେ ପୂଜନ୍ତି
ଇନ୍ଦ୍ର ଯମ ଧନପତି ନୈର୍ଋତ ଈଶାନ
ଦିନକର ନିଶାକର ଅନଳ ପବନ
ତଦନ୍ତରେ ଏକାଦଶ ରୁଦ୍ର ଚୌଦମନୁ
ଆବର ଷୋଳ ଚନ୍ଦ୍ରମା ଦ୍ୱାଦଶ ଯେ ଭାନୁ
ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗ ବରି
ବରିଲେ ଯେ ଅଣଚାଶ ବାୟୁନାମ ଧରି
ବାସୁକି ସହିତେ ଅଷ୍ଟକୁଳ ନାଗରାଜା
ଗନ୍ଧପୁଷ୍ପ ଦେଇ କଲେ ଏମାନଙ୍କୁ ପୂଜା
ପ୍ରାଣାପାନ ବ୍ୟାନୋଦାନ ସମାନର ତୁଲେ
ସତ୍ତ୍ୱ ରଜ ତମ ଗୁଣ ପ୍ରକୃତି ବରିଲେ
ଅଷ୍ଟଚଣ୍ଡୀ ଚଉଷଠୀ କୋଟି ଯେ ଯୋଗିନୀ
ଅଷ୍ଟାଦଶ ମାତୃଗଣ ଆବର କାନ୍ତାନୀ
କାଳାନ୍ତକ ଯୁଗାନ୍ତକ ଲୟାନ୍ତକ ତିନି
ଏହାଙ୍କ ତୁଲେ ବରିଲେ ଚଉଦ ମେଦିନୀ
ଋକ ଯଜୁ ସାମଦେବ ଅଥର୍ବ ଏ ଚାରି
ଷଡ଼ଶାସ୍ତ୍ର ଅଷ୍ଟାଦଶ ପୁରାଣହିଁ ବରି
ଆସନକୁ ଶୁଦ୍ଧ କରି ଭୂତ ଶୁଦ୍ଧି କଲେ
ପ୍ରାଣାୟାମ ବିଧି ଯୋଗ ମାର୍ଗରେ ସାଧିଲେ
ପଞ୍ଚାଶତ ବର୍ଣ୍ଣ ଭେଦ ଷଡ଼ଚକ୍ର ଘେନି
ବାହ୍ୟ ଅନ୍ତର ମାତୃକା କଲେ ପଦ୍ମଯୋନି
ଦଶ ବିଶ୍ୱଦେବା ଦଶ କଲସରେ ସ୍ଥାପି
ଅଙ୍ଗନ୍ୟାସ କରନ୍ୟାସ କଲେ ବେଦରୂପୀ
ଆବାହନ ଆଦି ଦଶ ମୁଦ୍ରାର ନିୟମ
ଷଡ଼ଦଶ ଉପଚାରେ କଲେ ପୂଜାକର୍ମ
ପଲାଶ ଖଦିର ଉଦୁମ୍ୱର କାଷ୍ଠ ଥାଇ
ମହାମନ୍ତ୍ରେ ଅଗ୍ନି ଆରୋପଣ କଲେ ତହିଁ
ବାୟୁ ବରୁଣ ମାହେନ୍ଦ୍ର ଅନଳ ପ୍ରଚଣ୍ଡ
ଅଷ୍ଟାଦଶ ଯୂଣମାନେ କଲେ ଅଗ୍ନିକୁଣ୍ଡ
ଘୃତ ତିଳ ଯବଧାନ ତଣ୍ଡୁଳର ମୂଳେ
ମହାମନ୍ତ୍ର ପଢ଼ି ହୋମ କରନ୍ତି ଅନଳେ
ସ୍ରୁବ ଘେନି ସ୍ୱାହା ମନ୍ତ୍ର କରିଣ ଉଚ୍ଚାର
ଯେଉଁ ଦେବଙ୍କ ଆହୁତି ଯେବଣ ପ୍ରକାର
ଲାଗିଲା ପ୍ରଚଣ୍ଡ ଶିଖା ଢ଼ାଳନ୍ତେ ଆହୁତି
ନିଜ ନିଜ ମନ୍ତ୍ରେ ହୋମ କଲ ବେଦପତି
ନୂତନ ସୁବର୍ଣ୍ଣ ଭାଣ୍ଡେ ଚରୁ ରନ୍ଧାଇଲେ
ଶ୍ରୀଫଳ ଅନଳେ କ୍ଷେପି ପୂର୍ଣ୍ଣାହୁତି ଦେଲେ
ଘୃତକୁଲ୍ୟା ମଧୁକୁଲ୍ୟା କଲେ ଉଚ୍ଚାରଣ
ଗାୟତ୍ରୀ ସାବିତ୍ରୀ କର୍ଣ୍ଣେ କହିଲେ ଆପଣ
ତଦନ୍ତେ ସହସ୍ର ଧାରା ଅଭିଷେକ କଲେ
ଶଙ୍ଖୋଦକ ଅର୍ଘ୍ୟୋଦକ ମସ୍ତକେ ଢ଼ାଳିଲେ
ନୂତନ ଝୀନ ବସନ ପିନ୍ଧି କଟିତଟ
ସୁବାସ କୁସୁମ ଶିରେ ବାନ୍ଧିଲେ ମୁକୁଟ
ପଞ୍ଚବର୍ଣ୍ଣି ଫୁଲଧଣ୍ଡା ଲମ୍ୱାଇ ଗଳାରେ
ନବ ଅସରଳା ସୂତା ବାନ୍ଧିଲେ ବାହୁରେ
ଲଲାଟେ ସିନ୍ଦୂର ଚିତା ଚନ୍ଦନର ପଟୀ
ତଦନ୍ତେ ସନ୍ୟାସ ଦୀକ୍ଷ ଦେଲେ ଦଣ୍ଡଗୋଟି
ପଞ୍ଚଗବ୍ୟ ପିଇ ନେଲେ ବ୍ରହ୍ମାଚାରୀ ଦୀକ୍ଷା
କରେ ରମ୍ଭା ପତ୍ର ଘେନି ମାଗିଲେକ ଭିକ୍ଷା
ସଗୋତ୍ର ଉଚ୍ଚାରି ପିତା ମାତା ନାମ ଧରି
ମାତାମହଗଣ ତହିଁ ଉଚ୍ଚାରଣ କରି
ଜନମ ସଂସ୍କାର ଆଦି ବ୍ରହ୍ମଚର୍ଯ୍ୟ ଯାଏ
ଯେବଣ କର୍ମରେ ଯେଉଁ ବିଧିମାନ ହୋଏ
ବେଦ ପ୍ରମାଣରେ ଯେହ୍ନେ ଅଛି ବଡ଼ୁ ବିଧି
ସମସ୍ତ କର୍ମ ଆପଣେ କଲେ ବେଦନିଧି
ସନ୍ନ୍ୟାସ ମୂର୍ତ୍ତି ବ୍ରାହ୍ମଣ ଧର୍ମରେ ସେ କାର୍ଯ୍ୟ
ଜପ ତପ ଉପାସନା ଯଜ୍ଞକର୍ମାଚାର୍ଯ୍ୟ
ଏସନକ ଅଷ୍ଟନାଗ ଦ୍ୱାରପାଳ ଚାରି
ଯଥାବିଧାନରେ ପୂଜା କଲେ ଚକ୍ରଧାରୀ
ଭୂତବଳି ପ୍ରେତବଳି ବାହ୍ୟବଳି ଦେଇ
ବେଦୀ ପ୍ରଦକ୍ଷିଣ କଲେ ଘଣ୍ଟିକି ବଜାଇ
ଦ୍ୱାରପାଳ ପୂଜା କରି ଶାଲାମଧ୍ୟେ ପଶି
ଆହୁତି ଦେଲେ ଦକ୍ଷିଣ ମୁଖେ ପୁଣି ବସି
ଡାହାଣ ବର୍ତ୍ତକ ଶଙ୍ଖେ ଜଳ ତିଳ ଭରି
ବେନିଭାଇଙ୍କର ଶିରେ ଅଭିଷେକ କରି
ନାରୀକେଳ ଫଳ ଭାଙ୍ଗି ପୁଷ୍ପାଞ୍ଜଳି ଦେଲେ
ସାବିତ୍ରୀ ଗାୟତ୍ରୀ ମନ୍ତ୍ର ଶ୍ରବଣେ କହିଲେ
ତଦନ୍ତରେ ଆରୋପଣ କରିଲେ ପଇତା
ଯଜ୍ଞ ଉପବୀତ ମନ୍ତ୍ରେ ମନ୍ତ୍ରିଦେଲେ ଧାତା
ଅନଳକୁ ପ୍ରଦକ୍ଷିଣ କଲେ ବାର ଥର
ବ୍ରହ୍ମଗଣ୍ଠି ଦେଲେ ମନ୍ତ୍ର ପଢ଼ି ବାରମ୍ୱାର
ବଳରାମଙ୍କୁ ପଇତା ଦେଲେ ଆଗ ଧରି
ଦ୍ୱିତୀୟେ ପଇତା କନ୍ଧେ ବହିଲେ ଶ୍ରୀହରି
ଆବର ଯେ ଷଡ଼ଭ୍ରାତ ସୁରଥ ସହିତେ
ବ୍ରହ୍ମ ହସ୍ତରୁ ପଇତା ପାଇଲେ ସମସ୍ତେ
ଯେ ଯାହା ପଇତା କନ୍ଧେ ଆଭରଣ କଲେ
ଶୁଣ ହୋ ପରୀକ୍ଷ ରାଜା ଶୁକ ବ୍ରହ୍ମା ବୋଲେ
ଏମନ୍ତ ପ୍ରକାରେ ରାମ କୃଷ୍ଣ ବ୍ରତ ବିଧି
ଆପେ ପିତାମହ ବସି କଲେ ସବୁ ସିଦ୍ଧି
ବ୍ରତ ଶେଷ ହେଲା ସର୍ବେ ଭୋଜନେ ବସିଲେ
ଗାୟତ୍ରୀ ସାବିତ୍ରୀ ଦୁହେଁ ଅନ୍ନ ପରଷିଲେ
ସନ୍ତୋଷରେ ଅନ୍ନ ଭୁଞ୍ଜି ସର୍ବେ ହେଲେ ଶାନ୍ତି
ଯେ ଯାହାର ଅନୁରୂପେ ଯୌତୁକ ଦିଅନ୍ତି
ରଥ ଗଜ ଅଶ୍ୱ ଧନ ଭଣ୍ଡାର ଯେ ଭୂମି
ଯୌତୁକ ପାଇଲେ ତହିଁ ଜଗନ୍ନାଥ ସ୍ୱାମୀ
ବ୍ରହ୍ମାଙ୍କୁ ଆଜ୍ଞା ମାଗିଣ ଦେବେ ଚଳିଗଲେ
ଯେ ଯାହା ଭୁବନେ ଯାଇ ପ୍ରବେଶ ହୋଇଲେ
କେବଳ ରହିଲେ ରାମ କୃଷ୍ଣ ଦୁହେଁ ତହିଁ
ସୁରଥ ସହିତେ ସଙ୍ଗେ ଛନ୍ତି ଷଡ଼ ଭାଇ
ବ୍ରହ୍ମା ତାଙ୍କୁ ରୁହାଇଲେ ଗଉରବ କରି
ପଞ୍ଚରାତ୍ର ପରିଯନ୍ତେ ରହିଲେ ଶ୍ରୀହରି
ବ୍ରହ୍ମାଏ ବୋଇଲେ ତୁମ୍ଭେ ଶୁଣ ଭଗବାନ
ଶଙ୍ଖ ଚକ୍ର ଗଦା ପଦ୍ମ ଏ ଆୟୁଧ ଘେନ
ତାଳଧ୍ୱଜ ନନ୍ଦିଘୋଷ ଲାଙ୍ଗଳ ମୂଷଳ
ଏମାନଙ୍କୁ ଆଦି ତୁମ୍ଭେ ଆୟୁଧ ସକଳ
ଯତ୍ନକରି ରଖିଅଛୁ ଘେନ ତୁମ୍ଭେ ଏବେ
ଏତେ କହି ସମର୍ପଣ କଲେ ପ୍ରିୟଭାବେ
କଲ୍ୟାଣ କରିଣ ଏହା କହିଲେ ଆବର
ଏ ଶସ୍ତ୍ରରେ ପୃଥ୍ୱୀଭାରା ନିବାରଣ କର
ଅନେକ କାଳୁ ସାଇତି ରଖିଅଛୁ ଆମ୍ଭେ
ବାମନାବତାରଠାରୁ ଛାଡ଼ିଗଲ ତୁମ୍ଭେ
ତହିଁପରେ ପର୍ଶୁରାମ ରୂପେ ଜନ୍ମ ହେଲ
ପରଶୁ କୁଠାର ଧନୁ କରେ ବହିଥିଲ
ରାମ ଅବତାରେ ହେଲ ଦଶରଥ ବଳା
ଶ୍ରୀକରେ କୋଦଣ୍ଡ କାଣ୍ଡ ତେଜ ଅନର୍ଗଳା
ରାବଣକୁ ବଧ କଲ ଧ୍ୱଂସ କରି ଲଙ୍କା
ତ୍ରେତାଯୁଗେ ଦେବଙ୍କର ଛଡ଼ାଇଲ ଶଙ୍କା
ସତର ସହସ୍ର ସତଷଠି ଯୁଗ ଅନ୍ତେ
ପୁଣି କୃଷ୍ଣ ଅବତାର ଦ୍ୱାପର ଯୁଗାନ୍ତେ
ପାଞ୍ଚ ଅବତାରେ ଶଙ୍ଖ ଚକ୍ର ବିଦ୍ୟମାନ
ବଳିକି ଚାପିଲ ଦାନେ ତା ସମ୍ପଦ ଘେନି
ପାଦକରେ ଲୁଚାଇଲ ସକଳ ମେଦିନୀ
ସେ ଦିନୁ ଚକ୍ର ସାଇତି ରଖିଅଛୁ ଆମ୍ଭେ
ଏ ତୁମ୍ଭ ନିଜ ଆୟୁଧ ଘେନିଯାଅ ଏବେ
ଶୁଣିଣ ପରମ ତୋଷ ହେଲେ ବନମାଳୀ
ଶଙ୍ଖ ଚକ୍ର ଗଦା ପଦ୍ମ ଧଇଲେକ ତୋଳି
ଲଙ୍ଗଳ ମୂଷଳ ଘେନି ରେବତୀର ନାଥ
ହରଷରେ ଆରୋହିଲେ ତାଳଧ୍ୱଜ ରଥ
ସୁରଥ ସହିତେ ଷଡ଼ଭାଇ ଘେନି ସଙ୍ଗେ
ନନ୍ଦିଘୋଷେ ଆରୋହଣ କଲେ ଶିରୀଶଙ୍ଗେ
ବିଧାତାକୁ ନମସ୍କାର କରି ଲକ୍ଷ୍ମୀପତି
ବ୍ରହ୍ମଲୋକରୁ ବାହାରି ଗଲେ ଶୀଘ୍ରଗତି
ଆକାଶ ମଣ୍ଡଳେ ରଥ ଚଳିଯାଏ ବେଗେ
ଦେବେ ପୁଷ୍ପ ବୃଷ୍ଟି କଲେ ଥାଇ ଅଧା ସ୍ୱର୍ଗେ
ଗନ୍ଧର୍ବ ଯେ ବିଦ୍ୟାଧର ଅପସରୀ ବୃନ୍ଦ
ଗୀତଗାଇ ନୃତ୍ୟ କଲେ ହୋଇଣ ଆନନ୍ଦ
ହୁଳହୁଳି କରତାଳି ମଙ୍ଗଳ ମହୁରୀ
ସୁଲଳିତ ଗୀତ ଗାନେ ଶୂନ୍ୟ ଗଲା ପୂରି
ଗୋବିନ୍ଦ ବହୁଡ଼ାବିଜେ ଦେଖନ୍ତି ବାସବ
ବୃହସ୍ପତି ବୋଇଲେ ତୁ ଶୁଣ ଶଚୀଧବ
ଛାଡ଼ିଲା ସ୍ୱର୍ଗରୁ ଭୟ ଆସି ଏତେକାଳେ
ଏଣିକି ନିଶ୍ଚିନ୍ତ ହେବେ ଦେବତା ସକଳେ
ସାନ୍ଦୀପନିଠାରୁ ରାମ କୃଷ୍ଣ ବିଦ୍ୟା ପଢ଼ି
ମଥୁରା ପୁରକୁ ଯାଉଅଛନ୍ତି ବାହୁଡ଼ି
ଦକ୍ଷିଣା କରି ଗୁରୁଙ୍କୁ ଷଡ଼ପୁତ୍ର ଦେଲେ
ଆପଣାର ଷଡ଼ଭ୍ରାତ ଜୀଆଇ ଆଣିଲେ
ଆବର ବଢ଼ିଲା ବ୍ରହ୍ମଲୋକେ ବ୍ରତ ବିଧି
ଏଥିରେ ତୁମ୍ଭର ସବୁ କାର୍ଯ୍ୟ ହେଲା ସିଦ୍ଧି
କହୁ କହୁ ଚଳିଗଲା ନନ୍ଦିଘୋଷ ଯାନ
ଚାହୁଁ ଚାହୁଁ ଆକାଶରୁ ଯାନ ପଡ଼େ ଖସି
ମର୍ତ୍ତ୍ୟପୁରେ ରାମ କୃଷ୍ଣ ପ୍ରବେଶିଲେ ଆସି
ଇତିଶ୍ରୀ ପୁରାଣ ହରିବଂଶ ପୁଣ୍ୟଧ୍ୱନି
ଭାଗ୍ୟେ ଭାଗବତ ଶୁଣି ପାପ କର କ୍ଷୟେ
ଇଦଂ ପଞ୍ଚପଞ୍ଚାଶତ ଅଧ୍ୟା ଶେଷ ହୋଏ
କହଇ ଅଚ୍ୟୁତ ଦାସ ଅମୂଲ୍ୟ ଏ ଗ୍ରନ୍ଥ
ପଦ ପଦକରେ ଗଳି ପଡ଼ଇ ଅମୃତ
ସେ ଅମୃତ ପାନ କଲେ ହୋଇବ ଅମର
ସଂଶୟ ନ କରି ଭଜ ଶ୍ରୀକୃଷ୍ଣ ପୟର
ଏଥୁ ଅନନ୍ତରେ ବଳଦେବ ଦାମୋଦର
ଗଗନ ଗଙ୍ଗାର କୂଳେ ରଖି ରହୁବର
ବଦରିକା ଆଶ୍ରମରେ ନିତ୍ୟକର୍ମ ସାରି
ଦୁର୍ବାସା ଋଷିଙ୍କି ଯାଇ ଭେଟିଲେ ଶ୍ରୀହରି
ଦକ୍ଷକରେ କମଣ୍ଡକୁ ବାମେ କୁଶବିଡ଼ି
କଟୀଦେଶେ କୃଷ୍ଣାଜିନ କାଖେ ଅଶାବାଡ଼ି
ଗଳାରେ ରୁଦ୍ରାକ୍ଷ ମାଳା କର୍ଣ୍ଣରେ କୁଣ୍ଡଳ
ତେଜ ବିରାଜଇ ଯେହ୍ନେ ଦଣ୍ଡ ଦାବାନଳ
ସର୍ବାଙ୍ଗେ ଦୋହରା ଭସ୍ମ କାଖେ ବେଦପୋଥି
କାନ୍ଧରେ ପଇତା ଶିରେ ଶୋହେ ଜଟାପନ୍ତି
ବ୍ରହ୍ମାଙ୍କ ସମାନେ ମୁନି ବେଦତତ୍ତ୍ୱ ଜ୍ଞାତା
ସାକ୍ଷାତେ ଏ ରୁଦ୍ର ମୂର୍ତ୍ତି ଅଷ୍ଟାଙ୍ଗର ଜିତା
ଖଣ୍ଡେ ଦୂରୁ ତାଙ୍କୁ ଦେଖି ହଳୀ ଦାମୋଦର
ନମସ୍କାର କରି ପାଦେ ଲଗାଇଲେ ଶିର
ସୁରଥ ସହିତେ କୃଷ୍ଣଙ୍କର ଷଡ଼ଭାଇ
ମୁନିଙ୍କର ପାଦତଳେ ଗଡ଼ଘାଲି ଶୋଇ
ଦେଖିଣ ଦୁର୍ବାସା ଋଷି ସୁକଲ୍ୟାଣ କଲେ
ଏ ଜନ୍ମ ସଫଳ ଆଜ ହୋଇଲା ବୋଇଲେ
ଧ୍ୟାନେ ଦେଖୁଥିଲି ଯାହା ହୃଦୟ କମଳେ
ସେ ବ୍ରହ୍ମସ୍ୱରୂପ ଆଜି ଦେଖିଲି ମୁଁ ଡ଼ୋଳେ
ଷଟକର୍ମ କରୁଥିଲି ଯାହାଙ୍କ ନିମିତ୍ତେ
ପୁରାଣ ଆଗମ ବେଦବେଦାନ୍ତ ସହିତେ
ସେ ରୂପକୁ ଦେହ ବହି ସାକ୍ଷାତେ ଦେଖିଲି
ନିର୍ବାଣ ମୁକତି ଲଭି କୃତାର୍ଥ ହୋଇଲି
ଏତେ ବୋଲି କୃତ କୃତ୍ୟ ହେଲେ ମହାଯତି
ଚନ୍ଦ୍ର ଉଦେ ହେଲେ ଯେହ୍ନେ କୋକନପଦନ୍ତି
ଆଶିଷ ତଣ୍ଡୁଳ ନେଇ ରାମକୃଷ୍ଣ ଶିରେ
କୃଷ୍ଣାଜିନ ଆଣିଦେଲେ ବସିବା ପାଇଁରେ
ଆବର ସନ୍ତୋଷେ ଦେଇ ଶାଳଗ୍ରାମ ଜଳ
ଭୁଞ୍ଜିବା ପାଇଁକି ଦେଲେ ପକ୍ୱଫଳ ମୂଳ
ପିଇବା ନିମନ୍ତେ ଦେଲେ କମଣ୍ଡଳୁ ନୀର
ସନ୍ତୋଷେ ଭୁଞ୍ଜିଲେ ବସି ରାମ ଦାମୋଦର
ସୁରଥ ସହିତେ ତାଙ୍କ ଷଡ଼ଗୋଟି ଭାଇ
ସନ୍ତୋଷ ହୋଇଲେ ସର୍ବେ ଫଳ ମୂଳ ଖାଇ
ଜଗନ୍ନାଥ ଆଜ୍ଞା ଦେଲେ ଡାକି ସୁରଥକୁ
ଶୀଘ୍ରେ ଚଳିଯାଅ ବାବୁ ମଥୁରା ପୁରକୁ
ଉଗ୍ରସେନ ଆଗେ ଆମ୍ଭେ ଆସିବା ଜଣାଅ
ଆବର ସକଳ କଥା ବୁଝାଇଣ କହ
ପିତା ମାତା ଦୁହେଁ ମୋର ଥିବେ ବାଟଚାହିଁ
ସନ୍ଦେଶ ବାରତା ତାଙ୍କୁ କହିବ ବୁଝାଇ
ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରାଗ୍ରତ କରି
ଚଳିଲେ ସୁରଥ ତହୁଁ ପାଦୁକା ସୁମରି
ଗୋବିନ୍ଦ ସଙ୍ଗେ ଥିବାରୁ ଦେହେ ପାପ ନାହିଁ
ଆବର ବିଶେଷ ନାନା ବିଦ୍ୟା ଅଛି ପାଇ
କହିବା ମାତ୍ରକେ ତହୁଁ ଚଳି ଅତି ବେଗେ
ତକ୍ଷଣେ ମିଳିଲା ଯାଇଁ ମଧୁବନ ଲାଗେ
ବିମାନ ଆରୋହି ଶୂନ୍ୟମାଗୁଁ ପଡ଼େ ଖସି
ନିବିଡ଼ ଅନ୍ଧାରେ ଚନ୍ଦ୍ର ବିମ୍ୱ ପାଏ ଦିଶି
ସକଳ ଯାଦବେ ବସି ଅଛନ୍ତି ଆସ୍ଥାନେ
ଦେଖିଲେ ସୁରଥ ଆସେ ବସି ଦିବ୍ୟଯାନେ
ଚାହିଁଲେ ସକଳ ଉଠି ନଭେ ଦୃଷ୍ଟି ଦେଇ
ରବିବିମ୍ୱ ପରି ଶୂନ୍ୟେ ବିମାନ ଦିଶଇ
କେ ବୋଲଇ ଏତ ବଡ଼ ଅସମ୍ଭବ କଥା
କେଉଁମାନେ ବୋଲନ୍ତି ଏ କେବଣ ଦେବତା
ଚାହୁଁ ଚାହୁଁ ଯାନ ଆସି ହେଲ ଭୂମିଗତ
ବିମାନୁ ଓହ୍ଲାଇ ଆସେ ସୁନାସର ସୁତ
ସମସ୍ତ ଯାଦବମାନେ ଦେଇ ଏକଦୃଷ୍ଟି
ଚିହ୍ନିଣ ବୋଇଲେ ଏତ ସୁନାସା ପୁତ୍ରଟି
ରାମକୃଷ୍ଣ ସଙ୍ଗେ ବିଦ୍ୟା ପଢ଼ି ଯାଇଥିଲା
ତାଙ୍କୁ ଛାଡ଼ି ଏକା ହୋଇ କେମନ୍ତେ ଅଇଲା
କିମ୍ଭୂତ କାରଣ ଏହା ଜାଣି ତ ନ ପାରି
କି ଅବା କେବଣ ମାୟା କଲେ ଦେବହରି
ଶୁଭାଶୁଭ କର୍ମ କରି ପାରନ୍ତି ସେ ଆନ
ଏମନ୍ତ ବିଚାରି କରି ସେ ଯାଦବଗଣ
ଥୋକାଏ ବିରସ ହେଲେ ଥୋକାଏ ହରଷ
ଏମନ୍ତ ବେଳେ ସୁରଥ ସଭାରେ ପ୍ରବେଶ
ଉଗ୍ରସେନ ପାଦତଳେ ନମସ୍କାର କଲା
ବସୁଦେବ ଆଦି ଯଦୁବୀରଙ୍କୁ ବନ୍ଦିଲା
ଉଗ୍ରସେନ ବୋଲେ ବାବୁ ଏ କି ବିପରୀତ
ଏକସଙ୍ଗେ ଯାଇଥିଲ ତୁମ୍ଭେ ତିନି ଭ୍ରାତ
ତୁ ଏକା ଆସିଲୁ ରାମକୃଷ୍ଣ ଗଲେ କାହିଁ
ଏହା ଦେଖି ମନ ମୋର ବ୍ୟାକୁଳ ହୁଅଇ
କେବଣ କାରଣେ ତାଙ୍କୁ ଅଇଲୁ ତୁ ଛାଡ଼ି
କିବା ବାଟେ କଳି ଦ୍ୱନ୍ଦ ହେଲ କଥା ହୁଡ଼ି
କି କାରଣେ ତ୍ୟାଗ କଲେ ତୋତେ ଦାମୋଦର
ପିତା ଶତ୍ରୁ ବୋଲି ତାଙ୍କୁ କଲୁ କି ତୁ ପର
କିବା ତାଙ୍କ ପାଦେ ସେବା ନ କଲୁ ତୁ କୁହ
ତୋ ମୁଖୁ ଶୁଣିଲେ ମୋର ଫିଟିବ ସନ୍ଦେହ
ନୃପତି ଆତଙ୍କ ବାଣୀ ଶୁଣିଣ ସୁରଥ
ବୋଲେ ପିତାମହ ତୁମ୍ଭେ ନହ ଦୁଃଖମନା
ବାର୍ତ୍ତା ଦେଇ ପେଷିଛନ୍ତି ମୋତେ ଜଗନ୍ନାଥ
ତିନିଭାଇ ଲଘିଂଗଲୁ ବହୁଦୂର ପଥ
ମୁନିଙ୍କ ଆଶ୍ରମେ ଯାଇ ପ୍ରଥମେ ରହିଲୁ
ତହିଁ ଏକରାତ୍ର ବଞ୍ଚି ପ୍ରାତେ ଉଠିଗଲୁ
ନିର୍ଝର ପର୍ବତ ବନ କନ୍ଦର ଗହ୍ୱର
ତରୁ ଲତା ଗହଳରେ ଦିଶଇ ଅନ୍ଧାର
ଏପରି ଦୁର୍ଗମ ବନ ପଥ ଜିଣି ଗଲୁ
ଅବନ୍ତୀ ନଗରେ ଯାଇ ପ୍ରବେଶ ହୋଇଲୁ
ପଚାରି ମିଳିଲୁ ଯାଇ ସାନ୍ଦୀପନି ଆଗ
ଆମ୍ଭଙ୍କୁ ଦେଖି ସେ କଲେ ଅନେକ ସରାଗ
ପିତାମହ ସମାନେ ଯେ ଶାସ୍ତ୍ର ତତ୍ତ୍ୱଜ୍ଞାତା
ଗୋଚର ହୁଅଇ ତାଙ୍କୁ ତ୍ରିକାଳର କଥା
ତାଙ୍କ ପାଶେ ପଢ଼ୁଥିଲେ ସହସ୍ରେକ ଚାଟ
ସେ ଚାଟଙ୍କ ସଙ୍ଗେ ମିଶି ଆମ୍ଭେ ପଢ଼ୁ ପାଠ
ଆମ୍ଭଙ୍କୁ ଦେଖି ଅନେକ ଶରଧା ସେ କଲେ
ଭୋଜନ ଶୟନ ଠାରେ ଅଭେଦ ହୋଇଲେ
ଗୁରୁପତ୍ନୀ ଆଦିକରି ଗୁରୁଙ୍କର ଶିଷ୍ୟ
ଜଦଗ୍‌ବନ୍ଦନ ନାଥଙ୍କୁ ଦେଖି ହେଲେ ହର୍ଷ
ସିଦ୍ଧରସ୍ତୁ ଆଦି ଅଙ୍କ ହରଗୁଣ ଯାଏ
ପ୍ରଥମ ଦିନରେ ଶିକ୍ଷାକଲେ ଦେବରାୟେ
ଚାରିବେଦ ଷଡ଼ଶାସ୍ତ୍ର ପୁରାଣ ସହିତେ
ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଯେତେ
ନ୍ୟାୟ ଶାସ୍ତ୍ର ଜଉତିଷ ମୀମାଂସା ବେଦାନ୍ତ
ଅସ୍ତ୍ର ଶସ୍ତ୍ର ଆଦି ବିଦ୍ୟା ପଢ଼ିଲେ ସମସ୍ତ
ଚଉଦ ଦିନରେ ପଢ଼ି ଶେଷ କଲେ ପାଠ
ଦେଖିଣ ଆଶ୍ଚର୍ଯ୍ୟ ହେଲେ ଗୁରୁ ଗୁରୁଚାଟ
ପାଠପଢ଼ା ଶେଷ କରି ଆସିଲା ବେଳକୁ
ଗୁରୁଙ୍କୁ ବୋଇଲେ ମାଗ ଦକ୍ଷିଣା ଆମ୍ଭଙ୍କୁ
ଶୁଣି ସାନ୍ଦୀପନି ପଣ୍ଡା ହୋଇ ହସ ହସ
ବୋଇଲେ ଦକ୍ଷିଣା ନେଇ କରିବି ମୁଁ କିସ
ମୋ ଘରେ ଅଚଳା ଲକ୍ଷ୍ମୀ ଅଛି ପୂର୍ଣ୍ଣ ହୋଇ
ତୁମ୍ଭର ଦକ୍ଷିଣା ଘେନି ଥୋଇବି ଯେ କାହିଁ
ଶ୍ରୀକୃଷ୍ଣ ବୋଇଲେ ଗୁରୁ ଯେ ଯହିଁର ବିଧି
ଦକ୍ଷିଣା ନ ଦେଲେ ଆମ୍ଭ ବିଦ୍ୟା ନୋହେ ସିଦ୍ଧି
ଏମନ୍ତ କହି ଶୀକୃଷ୍ଣ ବୋଲୁଥାନ୍ତି ମାଗ
ନାହିଁ ନାହିଁ କରୁଥାନ୍ତି ଗୁରୁ ମହାଭାଗ
ଏମନ୍ତ ସମୟେ ଗୁରୁପତ୍ନୀ ଆସି ତହିଁ
ବୋଇଲେ ମାଗିବି ଯାହା ପାରିବ କି ଦେଇ
ଗୋବିନ୍ଦ ବୋଇଲେ ମାତ ମାଗ ଯାହା ଇଚ୍ଛା
ନିଶ୍ଚେ ପୂର୍ଣ୍ଣ କରାଇବୁ ତୁମ୍ଭ ମନୋବାଞ୍ଛା
ଗୁରୁପତ୍ନୀ ବୋଇଲେ ମୁଁ ସଂସାର ବାହାର
ବାଲ୍ୟକାଳୁ ମରିଛନ୍ତି ଷଡ଼ପୁତ୍ର ମୋର
ତାହାଙ୍କୁ ଜୀଆଇଁ ଯେବେ ଆଣିଦେବେ ମୋତେ
ତୁମ୍ଭର ଏ ଯଶ କୀର୍ତ୍ତି ରହିବ ଜଗତେ
ଉପହାସ କରି ଏହା ଗୁରୁଙ୍କ ଭାରିଯା
ମାଗନ୍ତେ ନିଶ୍ଚୟେ ଦେବୁ କହି ଦେବରାଜା
ଆମ୍ଭଙ୍କୁ ରୁହାଇ ଯମ ଭୁବନକୁ ଗଲେ
ମଲାପୁତ୍ରମାନଙ୍କୁ ସେ ଜୀଆଇ ଆଣିଲେ
ଏସନକ ଅସମ୍ଭବ କଲେ ଦେବ ହରି
ହର ବ୍ରହ୍ମା ଇନ୍ଦ୍ର ଯାହା ନ ପାରିବେ କରି
ଏ କଥାକୁ ଅସମ୍ଭବ ନ ବିଚାର କେହି
ପ୍ରତ୍ୟକ୍ଷେ ଦେଖିବ ଯାହା କହୁଅଛି ମୁହିଁ
ଦେବକୀ ଗର୍ଭରୁ ପୂର୍ବେ ଷଡ଼ ପୁତ୍ର ଜାତ
କଚାଡ଼ି ମାଇଲେ ତାଙ୍କୁ କଂସ ନରନାଥ
ଅସମ୍ଭବ କର୍ମ ହାଦେ କଲେ ଶିରୀରଙ୍ଗେ
ସେ ପୁତ୍ର ଜୀଆଇ ଏବେ ଆଣୁଛନ୍ତି ସଙ୍ଗେ
ଇନ୍ଦ୍ର ବାରସ୍ୱତୀପୁରେ ଥୋକେ ଦିନ ଥିଲୁ
ବ୍ରହ୍ମା ଆସି ଡାକି ନେଲେ ବ୍ରହ୍ମଲୋକ ଗଲୁ
ଗଣ ଗନ୍ଧର୍ବ ଦେବତା ସୁର ସିଦ୍ଧ ଘେନି
ରାମ ଗୋବିନ୍ଦଙ୍କୁ ବ୍ରତ କଲେ ପଦ୍ମଯୋନି
ଆମ୍ଭେମାନେ ତହିଁ ବ୍ରତ ହେଲୁ ତାଙ୍କ ସଙ୍ଗେ
ବ୍ରହ୍ମଲୋକେ ଇନ୍ଦ୍ରଲୋକେ ବିହରିଲୁ ରଙ୍ଗେ
ଅନେକ ଅପୂର୍ବ ଦ୍ରବ୍ୟ ଭୁଞ୍ଜିଲୁ ସେଠାରେ
ଶରୀର ସଫଳ ହେଲା ବୁଲି ସ୍ୱର୍ଗପୁରେ
ଶଙ୍ଖ ଚକ୍ର ଗଦା ପଦ୍ମ ନନ୍ଦିଘୋଷ ରଥ
କୃଷ୍ଣଙ୍କୁ ସନ୍ତୋଷେ ଯାଚିଦେଲେ ଚଉମାଥ
ତାଳଧ୍ୱଜ ରଥ ସଙ୍ଗେ ଲାଙ୍ଗଳ ମୂଷଳ
ପିତାମହଠାରୁ ପାଇଛନ୍ତି କାମପାଳ
ଏହିରୂପେ ପାଞ୍ଚଦିନ ବ୍ରହ୍ମଲୋକେ ରହି
ରଥ ଚଢ଼ି ବାହୁଡ଼ିଲେ ବ୍ରହ୍ମା ଆଗେ କହି
ନିମିଷକେ ଆକଶରୁ ଖସି ଦେବଯାନ
ମଞ୍ଚପୁରେ ପରବେଶ ହୋଇଲାକ ଜାଣ
ବଦରିକା ନିକଟରେ ଦୁର୍ବାସା ଆଶ୍ରମ
ସେ ମହାମୁନିଙ୍କ ପାଶେ ଛନ୍ତି କୃଷ୍ଣ ରାମ
ମୋତେ ଆଜ୍ଞା ଦେଇ ପ୍ରଭୁ ବୋଇଲେ ତୁ ଯାଅ
ମଥୁରା ନଗରେ ଉଗ୍ରସେନ ଆଗେ କହ
ସକଳ ଯାଦବଗଣ ସଙ୍ଗେ ମାତା ପିତା
ତୋ ମୁଖୁ ଶୁଣନ୍ତୁ ଆମ୍ଭେ ଆସିବା ବାରତା
ସୁରଥ ମୁଖରୁ ଏହା ଶୁଣି ଉଗ୍ରସେନ
ଆନନ୍ଦ ସମୁଦ୍ର ଜଳେ ହୋଇଲେ ନିମଗ୍ନ
ଦରିଦ୍ର ପାଇଲା ଯେହ୍ନେ କୋଟି ରତ୍ନନିଧି
ଅନ୍ଧ ଚକ୍ଷୁ ଦାନ ପାଇ ହୁଏ ଯଥାବିଧି
ଶକ୍ରାଜିତ କୃତବର୍ମା ପଦ୍ମନାଭ ବୀର
କୌଶିକ ପ୍ରସନ୍ନାଜିତ ଆବର ଉଦ୍ଧବ
ଏମାନଙ୍କ ମୂଳେ ଥିଲେ ଯେତେକ ଯାଦବ
ସର୍ବେ ତୋଷ ହେଲେ ରାମକୃଷ୍ଣ ବାର୍ତ୍ତା ଶୁଣି
ସୁରଥକୁ କୋଳେ ଧରି ଭୋଜ ନୃପମଣି
ପୁନଃ ପୁନଃ ପଚାରନ୍ତି ହରଷିତ ହୋଇ
ଅନ୍ତଃପୁରେ ମୁଦୁସୁଲୀ ଜଣାଇଲା ଯାଇ
ରାଣୀ ମହାଦେଈମାନେ ସତ୍ୱରେ ଅଇଲେ
ଗବାକ୍ଷ ଫିଟାଇ କର୍ଣ୍ଣ ଡେରିଣ ଶୁଣିଲେ
ସୁରଥ କହଇ ବସି ରାମକୃଷ୍ଣ କଥା
ଯିବାରୁ ଆସିବା ଯାଏ ଯେତେକ ବ୍ୟବସ୍ଥା
କୃଷ୍ଣଙ୍କ ଜନନୀ ଆଉ ରାଣୀ ଇନ୍ଦୁମତୀ
ପୁତ୍ରଙ୍କ ବାରତା ପାଇ ହେଲେ ତୋଷମତି
ଆସ୍ଥାନର ଲୋକେ ଶୁଣି ହୋଇଳେ ହରଷ
ମଥୁରା କଟକେ ଶୁଭେ ଜୟ ଜୟ ଘୋଷ
ଉଗ୍ରସେନ ଆଜ୍ଞା ଦେଲେ ଦଣ୍ଡ ସଜ କର
ରାମକୃଷ୍ଣଙ୍କୁ ପାଛୋଟି ଯିବା ଧାତିକାର
ଆଜ୍ଞା ପାଇ ମନ୍ତ୍ରିଗଣେ ସୈନ୍ୟ କଲେ ସଜ
ଅପ୍ରମିତ ରଥ ବାଜୀ ଅପ୍ରମିତ ଗଜ
ପଦାତିକ ସେନା କେତେ ନାହିଁ ପାରାବାର
ଲକ୍ଷେକ ଧବଳ ଛତ୍ର ଲକ୍ଷେକ ଚାମର
ଗଗନ ମଣ୍ଡଳ ଘୋଟି ଉଡ଼ଇ ଚିରାଳ
ସମୁଦ୍ର ଗର୍ଜିଲା ପ୍ରାୟେ ଶୁଭଇ ଚହଳ
ଟମକ ନିଶାଣ ଢୋଲ ବୀରତରୁ ଭେରୀ
ଯୋଡ଼ା ଶଙ୍ଖ ତୁଲେ ବାଜେ ମଙ୍ଗଳ ମହୁରୀ
ଉପାଙ୍ଗ ଅଧାଟି ବେଣୁ ବୀଣା ଯନ୍ତ୍ର ସାର
କରତାଳି ରାମତାଳି ବଜାଇ ଅପାର
କେ ଅଶ୍ୱ ଉପରେ ବସେ କେ ରଥ ଆରୋହେ
କେ ଗଜ ପିଠିରେ ଯାଇ ବସେ ସମାରୋହେ
ଚୌରାଶୀ କୋଟି ଯାଦବେ ଯାନ ବାହନରେ
ବସି କରି ବାହିରିଲେ ଉତ୍ସୁକ ମନରେ
କେ ବୋଲନ୍ତି ଚାଲ ରାମକୃଷ୍ଣଙ୍କୁ ଦେଖିବା
ଜନମ ସଫଳ ହେବ ଦୁଃଖ ଉପେକ୍ଷିବା
କେ ବୋଲଇ କୃଷ୍ଣ ଅସମ୍ଭବ କର୍ମ କଲେ
ମଲା ପୁତ୍ର ଯମପୁରୁ ଜୀଆଇ ଆଣିଲେ
କଂସ ମାରିଥିଲା ପୂର୍ବେ ଦେବକୀ ପୁତ୍ରଙ୍କୁ
ଯମ ଭୁବନରୁ ଆଣିଅଛନ୍ତି ତାହାଙ୍କୁ
କେ ବୋଲନ୍ତି ଏ କଥାରେ ସତ ବଳୁ ନାହିଁ
ନୟନେ ଦେଖିବା ଯାଏ ବିଶ୍ୱାସ ନୁହଇ
କେ ବୋଲେ ସୁରଥ ଆସି କହିଲା ରାଜାଙ୍କୁ
ବିଶ୍ୱାସ ନ ଯିବା କେହ୍ନେ ତାର ବଚନକୁ
ସୁଜ୍ଞାନୀ ଯାଦବମାନେ ଯୋଗବଳେ ଜାଣି
ବୋଲନ୍ତି ଗୁରୁଙ୍କୁ ପୁତ୍ର ଦେଲେ ଚକ୍ରପାଣି
ଅଶେଷ କୋଟି ବ୍ରହ୍ମାଣ୍ଡ କରତା ଯେ ସ୍ୱାମୀ
ଜଗତ ମୋହନ ନାଥ ସର୍ବ ଅନ୍ତର୍ଯ୍ୟାମୀ
ଦେବଙ୍କ ଉପରେ ଦେବ ଅଟନ୍ତି ଶ୍ରୀଧର
ସୃଷ୍ଟିରେ ଅସାଧ୍ୟ କାର୍ଯ୍ୟ କି ଅଛି ତାଙ୍କର
ଏତେ ବୋଲି ଚଳିଗଲେ ସକଳ ସଇନି
ଉଗ୍ରସେନ ସହିତରେ ସମଦଣ୍ଡ ଘେନି
ଯମୁନା ଦକ୍ଷିଣ କୂଳେ ଚଳେ ସମଦଣ୍ଡ
ପାଦଭରେ କମ୍ପମାନ ହୁଅଇ ବ୍ରହ୍ମାଣ୍ଡ
ଶୁକ ବ୍ରହ୍ମା ବୋଲନ୍ତି ଯେ ଶୁଣ ଦଣ୍ଡଧାରୀ
ଦୁର୍ବାସ ଆଶ୍ରମେ ଥିଲେ ବଳରାମ ହରି
ସେ ମୁନିଙ୍କ ଆଜ୍ଞା ମାଗି ନନ୍ଦିଘୋଷ ବସି
ତାଳଧ୍ୱଜ ରଥେ ରାମ ବିଜେ କଲେ ଆସି
ବସାଇଣ ଷଡ଼ ଗୋଟି ଭାଇ ନିଜ ରଥେ
ମଥୁରାଭିମୁଖେ ଯାତ୍ରା କଲେ ଜଗନ୍ନାଥେ
ଦୁର୍ବାସା ଋଷି ଆଶ୍ରମେ ପଶ୍ଚିମରେ ଛାଡ଼ି
ଚଳିଲା ସେ ନନ୍ଦିଘୋଷ ଦକ୍ଷିଣକୁ ମାଡ଼ି
ପବନ ବେଗରେ ଯାନ ଚଳେ ଶୂନ୍ୟମାର୍ଗେ
ପ୍ରବେଶ ହୋଇଲା ଆସି ଯମୁନାର ଲାଗେ
ଥୋକାଏକ ଦୂରୁ ଶୁଭେ ସୈନ୍ୟ ମୁଖଧ୍ୱନି
ପାଞ୍ଚଯୂଣ ମାଡ଼ି ଚଳେ ଯାଦବ ସଇନି
ବଳଦେବ ପଚାରିଲେ ଏ କାହାର ସୈନ୍ୟ
ଶ୍ରୀକୃଷ୍ଣ ବୋଲନ୍ତି ଆସେ ରାଜା ଉଗ୍ରସେନ
ସୁରଥ କହନ୍ତେ ଶୁଣି ଅଇଲେ ପାଛୋଟି
କହୁ କହୁ ସୈନ୍ୟ ସଙ୍ଗେ ହେଲେ ଭେଟାଭେଟି
ନିକଟେ ଦେଖିଲେ ସର୍ବେ ନନ୍ଦିଘୋଷ ଯାନ
ସୁବର୍ଣ୍ଣ କଳଶ ପରେ କପିଧ୍ୱଜ ଚିହ୍ନ
ଅପୂର୍ବୁ ସେ ଯାନଶୋଭା ଦିଶେ ତେଜୋମୟ
ଏକାବେଳେ କୋଟିସୂର୍ଯ୍ୟ ହେଲେ କି ଉଦୟ
କୋଟିଏ ପ୍ରଳୟ ଜିଣି ଅଛଇ ସେ ରଥ
ସମୁଦ୍ର ମନ୍ଥନକାଳେ ହୋଇଥିଲା ଜାତ
କହନ୍ତେ ନ ସରେ ନନ୍ଦିଘୋଷର ମହିମା
ନିର୍ମାଣ କରିଛି ଯାହା ଆପେ ବିଶ୍ୱକର୍ମା
ହର ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଦୁର୍ଗା ଆଦି କରି
ଧ୍ୱଜେ ବସେ ହନୁମାନ ପଞ୍ଚରୂପ ଧରି
ଶିଖରେ ଶୋଭନ ଧ୍ୱଜ ପତାକାର ଦଣ୍ଡ
ମହୀଧର ଧାରଣା ସେ ଅଟଇ ଅଖଣ୍ଡ
ସୃଷ୍ଟିକାଳେ ବ୍ରହ୍ମଦଣ୍ଡ ଭାଙ୍ଗି ପରମେଷ୍ଠି
ଖଣ୍ଡେକ ପୋତି ରଖିଲେ ଚରାଚର ସୃଷ୍ଟି
ଆର ଏକ ଖଣ୍ଡ ସିନ୍ଧୁଜଳେ ବୁଡ଼ିଥିଲା
ସମୁଦ୍ର ମନ୍ଥନ କାଳେ ବାହାର ହୋଇଲା
ତାହା ନେଇ ନନ୍ଦିଘୋଷ ଗଢ଼ିବା କାଳରେ
ଧ୍ୱଜ ଖମ୍ୱ କରି ବସାଇଲା ରଥପରେ
ଅନାଦି ଅକ୍ଷୟ ବ୍ରହ୍ମଦଣ୍ଡ ଅଟେ ସେହି
ନୋହିଲେ କି ହନୁମାନ ଭାରା ପାରେ ବହି
ରଥର ଉପରେ ସ୍ୱର୍ଣ୍ଣ କଳସ ଶୋଭନ
ଦେହବନ୍ତେ ସପ୍ତନିଧି ଆପେ ବିଦ୍ୟମାନ
ଝଲମଲ ଦିଶେ ମଣି ମାଣିକ୍ୟର ଜ୍ୟୋତି
ବିଜୁଳି ଯେସନେ ଖସିପଡ଼େ ଚଉକତି
ଜାଈ ଯୂଈ ଚମ୍ପା ମଲ୍ଲୀ ମାଳତୀ କମଳ
ଚଉପାଶେ ଫୁଲଧଣ୍ଡା ଲମ୍ୱେ ମାଳ ମାଳ
ବାୟୁ ବରୁଣ ମାହେନ୍ଦ୍ର ଅଗ୍ନି ପରଚଣ୍ଡ
ଏ ଚାରି ହୋଇଛି ରଥ ଚାରିକୋଣ କାଣ୍ଡ
ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର
ରଥ ଚାରି ପିତୃ ଏହି ଚାରି ଜଳଧର
ପୂର୍ବ ପୀଢ଼ ଆବୋରିଣ ଅଛନ୍ତି ସବିତା
ପଶ୍ଚିମ ପୀଢ଼ରେ ନଇର୍ଋତ ରକ୍ଷାକର୍ତ୍ତା
ଦକ୍ଷିଣ ପୀଢ଼ ଆବୋରି ଅଛନ୍ତି ବରୁଣ
ଉତ୍ତର ପୀଢ଼କୁ ଆବୋରିଛି ସମୀରଣ
ଈଶାନ କୋଣରେ ବସିଅଛନ୍ତି କୁବେର
ଅଗ୍ନିକୋଣେ ଆବୋରନ୍ତି ଆପେ ବୈଶ୍ୱାନର
ଯମଦେବ ରହିଛନ୍ତି ନୈର୍ଋତ କୋଣରେ
ବାୟବ୍ୟ ଅଛନ୍ତି ଇନ୍ଦ୍ର ବଜ୍ର ଧରି କରେ
ମେରୁ ଆଦି କରି ଅଷ୍ଟ ଗିରି ପରିରମ୍ଭ
ଏ ଅଷ୍ଟ ପର୍ବତ ହୋଇଛନ୍ତି ଆଠ ଖମ୍ୱ
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଆବର
ଚାରି ଦିଗ ହୋଇଛନ୍ତି ରଥେ ଚଉଦ୍ୱାର
ତ୍ରିକୋଣ ଯେ ପଞ୍ଚଶାଖା ସପ୍ତଦ୍ୱୀପା ପୃଥ୍ୱୀ
ରଥତଳ ଚକଡ଼ା ଏ ହୋଇ ରହିଛନ୍ତି
ଅନନ୍ତ ତକ୍ଷକ ଶଙ୍ଖ ପଦ୍ମ କର୍କୋଟକ
ନନ୍ଦିଘୋଷେ ଅଖ ଏହୁ ଅଷ୍ଟ ନାଗଯାକ
ଷୋଳଚକ୍ର ହୋଇଛନ୍ତି ଚନ୍ଦ୍ର ଷୋଳକଳା
ତଥି ସଙ୍ଗେ ବେନି ପକ୍ଷ ରଥେ ଅକ୍ଷଲୀଳା
ପୃଥ୍ୱୀ ତେଜ ଆପ ବାୟୁ ଆକାଶ ଏ ପଞ୍ଚ
ରଥଭାରା ବହି ଦିଶୁଅଛନ୍ତି ସୁସଞ୍ଚ
ପ୍ରାଣାପାନ ଆଦିକରି ଯେ ପାଞ୍ଚ ପବନ
ରଥର ବେଗରେ ଥାଇ କରନ୍ତି ଗମନ
ସତ୍ୟ ତ୍ରେତା ଦ୍ୱାପର ଯେ କଳି ଚାରିଯୁଗ
ଏ ଚାରିହେଁ ହୋଇଛନ୍ତି ଅଶ୍ୱ ଚାରିଯୁଗ
ଋକ ଯଜୁ ସାମବେଦ ଅଥର୍ବ ଏ ଚାରି
ରଥଦଣ୍ଡେ ରହିଛନ୍ତି ଚାରିରୂପ ଧରି
ତପନ ତାପନ ଆଦି ଦ୍ୱାଦଶାତ୍ମା ସୂର୍ଯ୍ୟ
ରଥମଧ୍ୟେ ରହିଛନ୍ତି ଘେନି ନିଜ ତେଜ
କାଳ କାମ ନିଦ୍ରା ବିନ୍ଦୁ ପବନ ସମସ୍ତେ
ରଥର କଣ୍ଟା ହୋଇଣ ଅଛନ୍ତି ଯୁକତେ
ତାର ବାର ଗ୍ରହ ରାଶି ନକ୍ଷତ୍ର ଏମାନେ
ଖଞ୍ଜା ସ୍ଥାନ ମାଡ଼ି ବସିଅଛନ୍ତି ସେ ଯାନେ
ତ୍ରିଗୁଣକୁ ଆଦିକରି ଅଷ୍ଟ ଧାତୁମାନ
ଚିତ୍ରରେ ଲେଖା ହୋଇଣ ଅଛନ୍ତି ଏ ପୁଣ
ଗଣ ଗନ୍ଧର୍ବ କିନ୍ନର ଯକ୍ଷ ଆଦି ଯେତେ
ପିତୁଳା ହୋଇଣ ସର୍ବେ ଅଛନ୍ତି ସେ ରଥେ
ଧ୍ରୁବ ମଣ୍ଡଳ ସହିତେ କୋଟି ତାରାଗଣ
ଚନ୍ଦ୍ରାତପ ହୋଇ ରଥେ ରହିଛନ୍ତି ଜାଣ
ଭୂଲୋକ ଆଦିକରି ଚରାଚର ସୃଷ୍ଟି
ଏ ସମସ୍ତେ ହୋଇଛନ୍ତି ଚକକଣା କାଠି
ନବ ଦୁର୍ଗା ଅଷ୍ଟ ଚଣ୍ଡୀ ଦ୍ୱାଦଶ ଚାମୁଣ୍ଡା
ଏ ସକଳେ ହୋଇଛନ୍ତି ସେ ରଥର ଦଣ୍ଡା
ଆବର ଯେ ଚଉଷଠୀ ଯୋଗ୍ନୀ ମତୁଆଳୀ
ସେ ରଥ ଦଣ୍ଡାରେ ରହି ହୋଇଛନ୍ତି ଫଳି
ଜଳକୂର୍ମ ବାସୁକି ଯେ ଭେକ ନାଗ କୂର୍ମ
ଯୋଗଧାରଣ ପୁରୁଷମାନେ ତହିଁ ତୁମ୍ୱ
ସୁଧର୍ମା ନାମେ ସଭା ଯେ ଅମର ଆସ୍ଥାନ
ସେ ସଭା ହୋଇଛି ରଥ ମଧ୍ୟେ ସିଂହାସନ
ସମୀରଣ ଆଦିକରି ଅଣଞ୍ଚାଶ ବାୟୁ
ଚଉପାଶେ ରଥବାଡ଼ ହୋଇଛନ୍ତି ସେହୁ
ଗଜଦନ୍ତ ପିତୁଳିକା ଚଉପାଶେ ଖଞ୍ଜା
ରଜ୍ଜୁ ହୋଇ ରହିଛନ୍ତି ରଥେ ନାଗରାଜା
ହିମ ଶିଶିର ବସନ୍ତ ଆଦି ଷଡ଼ଋତୁ
ରହିଛନ୍ତି ସେ ରଥରେ ଘେନି ଯେଝାହେତୁ
ଷାଠିଏ ବାନି ସୁବର୍ଣ୍ଣ ଶୁଦ୍ଧ ଜାତି ହେମ
ହୀରା ପଗଡ଼ି ଝଲକ ପାତିଆ ଯେ କମ
ରସାଣିଲା ଗଜଦନ୍ତେ ପିତୁଳିକା ପନ୍ତି
ମରକତ ବଇଡ଼ୁର୍ଯ୍ୟ ମାଣିକ୍ୟ ଯେ ମୋତି
ହରିତାଳ ହିଙ୍ଗୁଳରେ ଚିତ୍ର ପଟମାନ
କ୍ଷଣ କ୍ଷଣକରେ ରୂପ ଦିଶେ ଆନୁଆନ
ନେତ ପତନୀ ସିନ୍ଧୁଆ ଧବଳ ମାଞ୍ଜିଷ୍ଠ
ବସନ୍ତ ସୁପୀତ ନୀଳ ନାନା ବର୍ଣ୍ଣେ ପାଟ
ଝୋଲା ଶୁକଳ ସାହାଲା ରଙ୍ଗ କାଇକଳା
ଦେବାଙ୍ଗ ଝୀନ ବସନ ଗନ୍ଧ ପୁଷ୍ପ ମାଳା
ସୁବର୍ଣ୍ଣ ଘାଗୁଡ଼ି କ୍ଷୁଦ୍ର ଘଣ୍ଟି ମାଳା ମାଳ
ବିଚିତ୍ର ନେତ ପତନୀ ଆଲମ୍ୱ ଚିରାଳ
ଇନ୍ଦ୍ର ଗୋବିନଦ ଚାନ୍ଦୁଆ ସୁଚିକମ ଟେରା
ଖମ୍ୱମାନଙ୍କରେ ଲମ୍ୱେ ରତ୍ନଝୁମ୍ପା ଝରା
ଆଲମ୍ୱ ଧବଳ ଛତ୍ର ଶୁକଳ ଚାମର
ଅଗୁରୁ ଚନ୍ଦନ ଧୂପ କସ୍ତୁରୀ କର୍ପୂର
ଏହିରୂପେ ନାନାଦ୍ରବ୍ୟେ ପୂରିଛି ସେ ଯାନ
ଚଉଦ ଭୁବନେ ନାହିଁ ତା ତୁଲେ ସମାନ
ପରୀକ୍ଷ ଆଗେ କହନ୍ତି ଶୁକ ମହାତମା
ଅକ୍ଷୟ ଅଜରାମର ସେହି ଯାନ ଗୋଟି
ପ୍ରଳୟରେ ସମ୍ଭାଳଇ ଚରାଚର ସୃଷ୍ଟି
ଯେତେ ବିସ୍ତାରିଲେ ତେତେ ବିସ୍ତାର ହୁଅଇ
ତହିଁରେ ବସିଲେ ମୃତ୍ୟୁବାଧା ନ ଲାଗଇ
ଚଉରାଶୀ କୋଟି ସଂଖ୍ୟା ଚାରିଖାନି ଜୀବ
ସ୍ଥାବର ଜଙ୍ଗମ ତହିଁ ସର୍ବେ ଏକ ଠାବ
ଶଙ୍ଖ ଗୋକ୍ଷୀର ଧବଳ ଶ୍ୱେତ ଚାରି ଅଶ୍ୱ
ନିମିଷକେ ବୁଲି ପାରନ୍ତି ସେ ଦଶ ଦିଶ
କ୍ଷୁଧା ତୃଷା ନିଦ୍ରା ନ ବାଧଇ ତାଙ୍କ ଅଙ୍ଗେ
ଇଚ୍ଛା କଲେ ଗମନ୍ତି ସେ ମନଠାରୁ ବେଗେ
ଏ ଚାରି ଅଶ୍ୱେ ବହନ୍ତି ନନ୍ଦିଘୋଷ ରଥ
କୋଟିଏ ବ୍ରହ୍ମାଣ୍ଡ ବହିବାକୁ ସେ ସମର୍ଥ
ତାଣ୍ଡବ କରନ୍ତି ବାମ ଭାଗେ ରୁଦ୍ରମୂର୍ତ୍ତି
ଦକ୍ଷିଣ ଭାଗରେ ଉଭା ଆପେ ଗଣପତି
ଏହିପରି ତାଳଧ୍ୱଜ ରଥର ମଣ୍ଡଣି
ତହିଁରେ ବିଜୟ କରିଛନ୍ତି ହଳପାଣି
ଦକ୍ଷିଣ ଭୁଜରେ ଶୋହେ ସୌନନ୍ଦ ମୁଷଳ
କୋଟିଏ କୃତାନ୍ତ ତେଜ ବାମ କରେ ହଳ
କୁନ୍ଦେନ୍ଦୁ କର୍ପୂର ପ୍ରାୟେ ବିରାଜଇ ତନୁ
ନିର୍ମଳ ଆକାଶେ ଯେହ୍ନେ ଉଦେ ହୁଏ ଭାନୁ
କୁଟିଳ କୁନ୍ତଳ ଜଟା ଶିରେ ଚାରୁ ବେଣୀ
ଅନନ୍ତ ମୂରତି ଭୟାନକ ସପ୍ତଫେଣୀ
ବେନି ବର୍ଣ୍ଣେ ଶୋଭାବନ ସ୍ଫଟିକ କୁଣ୍ଡଳ
ନିଦାଘ କାଳରେ ଯେହ୍ନେ ଆଦିତ୍ୟ ମଣ୍ଡଳ
ସୁନୀଳ ବସନ ପରିଧାନ କଟୀଭାଗେ
ମହାବ୍ରହ୍ମବେତ୍ତା ଜିତ ସେ ଅଷ୍ଟାଙ୍ଗ ଯୋଗେ
ନୟନର ଜ୍ୟୋତି ଦିଶେ କୋକନଦ ପ୍ରାୟେ
କାଦମ୍ୱରୀ ପାନେ ସଦା ଭୋଳ ଦେବରାୟେ
ସଦାନନ୍ଦ ପ୍ରଭୁ କୋଟି କନ୍ଦର୍ପ ମୂରତି
ଅଷ୍ଟରତ୍ନ ହାର ଗଳେ ଶୋଭା ପାଏ ଅତି
ଅପୂର୍ବ ରୂପ ଧରିଣ ବଳଦେବ ସ୍ୱାମୀ
ତାଳଧ୍ୱଜ ରଥପରେ ବିଜେ ଅନ୍ତର୍ଯ୍ୟାମୀ
ଯୋଗୀ ଜନମାନେ ଯାକୁ କରୁଥାନ୍ତି ଲୟେ
ଦ୍ୱାପରେ ସେ ଦେହ ଧରି ରଥରେ ବିଜୟେ
ନନ୍ଦିଘୋଷ ସ୍ୟନ୍ଦନରେ ବିଜେ ଜଗନ୍ନାଥ
ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗ ଧନୁହସ୍ତ
ହୃଦୟେ କୌସ୍ତୁଭମଣି ଶ୍ରୀବତ୍ସର ଚିହ୍ନ
ତହିଁପରେ ବନମାଳା ଦିଶେ ମନୋରମ
ନାନା ରତ୍ନ ଆଭରଣେ ଶୋହେ ଦିବ୍ୟତନୁ
ନିର୍ମଳ ଗଗନେ ଯେହ୍ନେ ଉଦେ ଇନ୍ଦ୍ରଧନୁ
ଗଣ୍ଡ ମଣ୍ଡଳରେ ଶୋହେ ମକର କୁଣ୍ଡଳ
ଏମନ୍ତ ଅପୂର୍ବ ବେଶ ମଦନ ଗୋପାଳ
ନନ୍ଦିଘୋଷ ଯାନ ମଧ୍ୟେ ରତ୍ନ ସିଂହାସନ
ତଥିପରେ ବିଜେ କରିଛନ୍ତି ଭଗବାନ
ଜୟ ବିଜୟ ଛାମୁରେ ହୋଇଛନ୍ତି ଉଭା
ଅପୂର୍ବ ସେ ବିଶ୍ୱରୂପ ଦେଖିବାକୁ ଶୋଭା
ମହାଲକ୍ଷ୍ମୀବଲ୍ଲଭ ସେ ତିନିଲୋକ ଈଶ
ଏ ବିଶ୍ୱ ସଂସାର ତାଙ୍କୁ ଅସମ୍ଭବ କିସ
ସମସ୍ତ ଯାଦବେ ଦେଖି ଅପୂର୍ବ ମଣିଲେ
ବୋଲନ୍ତି କିମ୍ଭୂତ ମାୟା ଜାଣି ନ ପାରିଲେ
ନୟନରେ ଦେଖା ନାହିଁ ଶୁଣିନାହିଁ କାନ
ଅଲୋକିତ ମାୟା କଲେ ପ୍ରଭୁ ଭଗବାନ
ଗୁରୁଙ୍କ ଘରକୁ ଯାଇଥିଲେ ବିଦ୍ୟା ପଢ଼ି
କୋଟି ସମ୍ପଦ ଅରଜି ଅଇଲେ ବାହୁଡ଼ି
ଥୋକେ ବୋଲନ୍ତି ସୁରଥ କହୁଥିଲେ ଯାହା
ଶତେ ଗୁଣ ଅଧିକରେ ଦେଖାଇଲା ତାହା
କେତେ ଦିବସରେ ଅରଜିଲେ ଏତେ ଧନ
ସମୁଦ୍ର ପରାୟେ ଲକ୍ଷ୍ମୀ ହେଲା ବର୍ଦ୍ଧମାନ
ଦେବଙ୍କୁ ଦୁର୍ଲ୍ଲଭ ଏହି ନନ୍ଦିଘୋଷ ରଥ
ବିଷ୍ଣୁବିନା ବସିବାକୁ କେ ହେବ ସମର୍ଥ
ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗଧନୁ କରେ
ନାରାୟଣ ନୋହିଲେ କି ଆନ ବହିପାରେ
ଚତୁର୍ଦ୍ଧା ମୂରତି ଦେଖ ଧରିଛନ୍ତି ହରି
ଏ ରୂପ ଦେଖିଲେ ଯିବା ଭବଜଳୁ ତରି
କୋ ବୋଲଇ ଏହୁ ନାରାୟଣ ନୋହିଥିଲେ
ମଲା ପ୍ରାଣୀ ଜିଅନ୍ତା କି ଆନଲୋକ ବଳେ
କେହୁ ଯେ ବୋଲନ୍ତି ଭଲା ଏ ଦ୍ୱାପର ଯୁଗ
ଏ ମଞ୍ଚ ମେଦିନୀ ଅର୍ଜିଥିଲା କେତେ ଭାଗ୍ୟ
ମର୍ତ୍ତ୍ୟପୁରେ ଜମ୍ୱୁଦ୍ୱୀପ ଭୂମି ଅଟେ ଶ୍ରେଷ୍ଠ
ଛୟାଣୋଇ ସସ୍ର ରାଜା ଏଥିରେ ଗରିଷ୍ଠ
ଶଏ ଛତିଶ କୁଳୀନ ରାଜାଙ୍କର ଗୋତ୍ର
ଏମାନଙ୍କ ମଧ୍ୟେ ଯଦୁବଂଶ ସୁପବିତ୍ର
ତହିଁରେ ପ୍ରତ୍ୟକ୍ଷେ ବିଷ୍ଣୁ ଅବତାର ହେଲେ
ଏ ଯାଦବେ କାହିଁ ବସି କେତେ ତପ କଲେ
ଜଗତେ ପବିତ୍ର ହେଲା ଏହାଙ୍କର ବଂଶ
ସକଳ ପାତକରାଶି ହୋଇଲା ବିଧ୍ୱଂସ
ଏ ବଂଶରେ ମହାପାପୀ କଂସରାଜା ଥିଲା
ଯାଦବଙ୍କ ରକ୍ଷା ପାଇଁ ଆଗହୁଁ ସେ ମଲା
ହରି ହର ଏକ ଆତ୍ମା କୃଷ୍ଣ କାମପାଳ
ବିଶ୍ୱମୟ ପୁରୁଷ ଏ ପ୍ରଭୁ ଆଦିମୂଳ
ଥୋକେ ଯେ ବୋଲନ୍ତି ନନ୍ଦିଘୋଷ ରଥ ଚାହିଁ
ଆଜଯାଏ ଆମ୍ଭ ନେତ୍ର ଏହା ଦେଖି ନାହିଁ
ତାଳଧ୍ୱଜ ରଥେ ବଳଦେବ ଛନ୍ତି ବସି
ଶୁକ୍ଳାମ୍ୱର ବିଷ୍ଣୁ ଏହି କୋଟି ବ୍ରହ୍ମରାଶି
ଦୀପିତ ଦିବ୍ୟ ସ୍ୱରୂପ ତେଜପୁଞ୍ଜ କାୟ
ଅଷ୍ଟାଙ୍ଗ ଯୋଗରେ ହୋଇଅଛନ୍ତି ଉଦୟ
ଅକଳିତ କଳେବର କଳି ତ ନ ପାରି
ନିର୍ବାଣ ମୁକତି ହୋଇଲା କି ଦେହଧାରୀ
କୋଟିଏ କନ୍ଦର୍ପ ରୂପ ସମ ନୋହେ ଶଶୀ
କେତେକାଳ ଲାଗି ଧାତା ଗଢ଼ିଥିଲା ବସି
ବଦନ ନାସିକା କର ଚରଣ ଅଙ୍ଗୁଳି
ସର୍ବ ଗୁଣେ ସୁଶୋଭନ ଏକୁ ଏକ ବଳି
ନାନା ରତ୍ନ ଆଭରଣ ଅଙ୍ଗେ ମଣ୍ଡିହୋଇ
ବାହୁଡ଼ା ବିଜୟେ ବେନି ରଥେ ବେନିଭାଇ
ଉଗ୍ରସେନ ଆଦିକରି ସକଳ ଯାଦବେ
ଯାତ୍ରାକାରୀ ଘେରିଛନ୍ତି ଗହଣ ଉତ୍ସବେ
ବାହୁଡ଼ା ଗୁଣ୍ଡିଚା ପ୍ରାୟେ ଦିଶିଲା ପୃଥିବୀ
ପରିଚାର ପଣେ ଥିଲା ଏ ଅଚ୍ୟୁତ କବି

ଏଥୁଅନ୍ତେ ପରୀକ୍ଷିତ ଆଗେ ଶୁକ କହି
ଶୁଣ ତୁ ହୋ ମହାରାଜା କୃତ ପୁଣ୍ୟଦେହୀ
ପବିତ୍ର ପୁରାଣ ଏ ଯେ ଶିରୀ ଭାଗବତ
ଶ୍ରବଣେ ଶୁଣିଲେ ପ୍ରାଣୀ ହୁଅଇ ମୁକତ
ହରି ନାମ ସୁମରି ଯେ ଏ ଗ୍ରନ୍ଥ ଶୁଣିବ
ପାପାଧିପାତକମାନ ତାର କ୍ଷୟ ଯିବ
ହରିବଂଶ ପୁରାଣ ଏ ଶ୍ରୀହରିଙ୍କ କୀର୍ତ୍ତି
ଅତି ଯତ୍ନେ ସଞ୍ଚିଥିଲେ ବେଦବ୍ୟାସ ଯତି
ମୁହିଁ ତାହା ଯୋଗବଳେ କହୁଅଛି ଶୁଣ
ଇହଲୋକେ ପରଲୋକେ ଲଭିବୁ କାରଣ
କୋଟିଧେନୁ ଦାନ ଦେଲେ କୋଟି ତୀର୍ଥକଲେ
ପ୍ରୟାଗ ମଣିକର୍ଣ୍ଣିକା ତୀର୍ଥେ ଝାସ ଦେଲେ
କାୟ କଦର୍ଥନ କରି ସାଧି ବ୍ରହ୍ମଜ୍ଞାନ
ମେଢ଼ ମଣ୍ଡପ ଜଗତୀ କରୁଥିବ ଦାନ
ଜପ ମନ୍ତ୍ର ଉପାସନା ଦେବାର୍ଚ୍ଚନ କରି
ଦୁର୍ଗମ ପଥରେ ଛତ୍ର ଦେବ ଅନ୍ନ ବାରି
ଏସନକ ପୁଣ୍ୟଯାକ ଏକତ୍ରିତ କଲେ
ଏଥୁ ଅନନ୍ତରେ ସଙ୍ଗେ ଘେନି ସୈନ୍ୟବଳ
ଉଗ୍ରସେନ ଆଦିକରି ଯାଦବ ସକଳ
ଅଶେଷ ଆନନ୍ଦେ ଆସୁଅଛନ୍ତି ପାଛୋଟି
କଞ୍ଚଣ ପର୍ବତ ତଳେ ହେଲେ ଭେଟା ଭେଟି
ଯମୁନା ନଦୀ ସେଠାରୁ ଉତ୍ତର ବାହିନୀ
ପୂର୍ବକାଳେ ଥିଲେ ତହିଁ ପଉଲସ୍ତ୍ୟ ମୁନି
ଉଗ୍ରସେନକୁ ଦେଖିଣ ରାମ ଦାମୋଦର
ରଥରୁ ଓହ୍ଲାଇ ପାଦେ କଲେ ନମସ୍କାର
ଆବର ଯେ ତାଙ୍କ ସଙ୍ଗେ ଥିଲେ ଷଡ଼ଭ୍ରାତ
ସେ ଆସି ରାଜାଙ୍କ ପାଦେ କଲେ ଦଣ୍ଡବତ
ଏ ସମୟେ ବସୁଦେବ ମିଳନ୍ତେ ଆଗରେ
ଗଡ଼ଘାଲି ରାମକୃଷ୍ଣ ଶୁତିଲେ ଯାଦବେ
ବସୁଦେବ ଉଗ୍ରସେନ ଆନନ୍ଦ ହୁଅନ୍ତି
ନିସ୍ତରିଲୁ ନିସ୍ତରିଲୁ ବୋଲିଣ ବୋଲନ୍ତି
ମୁଖରେ ଚୁମ୍ୱନ ଦେଇ ଆଉଁଷିଣ କାୟେ
ପୁଲକିତ ରୋମାବଳୀ ଉଗ୍ରସେନ ରାୟେ
ସ୍ତୁତିବାକ୍ୟ ଭଣି ରାଜା ଶିରେ କରଯୋଡ଼େ
ନୟନୁ ଆନନ୍ଦ ଅଶ୍ରୁ ଜଳ ବହିପଡ଼େ
ଅନ୍ତର୍ଗତେ ପାଦପଦ୍ମ ଚିନ୍ତେ ପୁଣ ପୁଣ
ଜାଣଇ ସେ ଉଗ୍ରସେନ ଭକତି ଲକ୍ଷଣ
ସାତ୍ୟକି ସହସ୍ରାଜିତ ଉଦ୍ଧବ ଅକ୍ରୂର
ଅନେକ ଯାଦବ ମୂଳେ ଅନାଧୃଷ୍ଟ ବୀର
ସକଳ ଆନନ୍ଦ ହେଲେ ରାମ କୃଷ୍ଣ ଚାହିଁ
ସମସ୍ତଙ୍କୁ ସମ୍ଭାବନା କଲେ ଭାବଗ୍ରାହୀ
ତଦନ୍ତେ ଯେ ଯାହା ଯାନ ବାହନେ ବସିଲେ
ମଥୁରା କଟକେ ଯାଇ ପ୍ରବେଶ ହୋଇଲେ
ସିଂହଦ୍ୱାରେ ପରବେଶ ହୋଇଲେ ସଭିଏଁ
ନଗର ଭିତରେ ବିଜେ ଉଗ୍ରସେନ ରାୟେ
ସୁରଥ ସହିତେ ବଳଦେବ ଚକ୍ରଧାରୀ
ଅନ୍ତଃପୁର ଭିତରକୁ ଗଲେ ବିଜେ କରି
ବସୁଦେବ ଶକ୍ରାଜିତ ସାତ୍ୟକି ଅକ୍ରୂର
ସହସ୍ରାଜିତ ଉଦ୍ଧବ ଅନାଧୃଷ୍ଟ ବୀର
କଂସ ନୃପତିର ପୁତ୍ର ହଂସ ଡ଼ିମ୍ୱ ବେନି
ଭିତରକୁ ଗଲେ ସଙ୍ଗେ ବିଶ୍ୱାସୀଙ୍କୁ ଘେନି
ଯେବଣ ଠାବରେ ବିଜେ ଇନ୍ଦୁମତୀ ରାଣୀ
ସେଠାରେ ମିଳିଲେ ଯାଇ ରାମ ଚକ୍ରପାଣି
ବସୁଦେବ ଆଦି ଉଗ୍ରସେନ ମହୀପତି
ସମସ୍ତେ ଗୋଡ଼ାଇ ଆସୁଛନ୍ତି ପଛକତି
ଆଈ ଇନ୍ଦୁମତୀ ରାଣୀ କୃଷ୍ଣ ମୁଖ ଦେଖି
ଖଣ୍ଡେ ଦୂରୁ ଉଠିଗଲେ ଆସନ ଉପେକ୍ଷି
ନବରତ୍ନ ଅର୍ଘ୍ୟଥାଳୀ ଘେନି ନିଜ କରେ
ଦୁର୍ବାକ୍ଷତ ବନ୍ଦାଇଲେ ରାମକୃଷ୍ଣ ଶିରେ
ମାତା ମାଉସୀ ଦେବକୀ ଦଇବକୀ ଘେନି
ବନ୍ଦାପନା କଲେ କରେ ଅର୍ଘ୍ୟଥାଳୀ ଘେନି
ପୁତ୍ରଙ୍କ ପୌରୁଷେ ଉଗ୍ରସେନର ଦୁଲାଳୀ
ଆନନ୍ଦ ହୁଅନ୍ତେ ଫୁଲି ଉଠେ ରୋମାବଳୀ
ଇନ୍ଦୁମତୀ ମୁଖ ଚାହିଁ ବୋଲନ୍ତି ମାଧୋଇ
ଏ ପୁତ୍ରମାନଙ୍କୁ ଚିହ୍ନି ପାରିଲ କି ଆଈ
ପୂର୍ବେ କଂସ ମାରିଥିଲା କଚାଡ଼ିଣ ଶିଳେ
ଏବେ ବର୍ତ୍ତି ଆସିଛନ୍ତି ତୁମ୍ଭ ପୁଣ୍ୟବଳେ
ମଲା ପ୍ରାଣୀ ବଞ୍ଚିକରି ଆସି କେତେ ଭାଗ୍ୟେ
ଅନେକ କାଳେ ମିଳିଲେ ଆସି ତୁମ୍ଭ ଆଗେ
ଇନ୍ଦୁମତୀ ବୋଲେ ତୁମ୍ଭେ କରତା ପୁରୁଷ
ତୁମ୍ଭଠାରେ ଅସମ୍ଭବ ହେବ ଅବା କିସ
ଚରାଚର ଜଗତରେ ତୁମ୍ଭେ ଅଧୀଶ୍ୱର
ପ୍ରାଣୀଙ୍କର ଜନ୍ମ ମୃତ୍ୟୁ ଆନ କରିପାରେ
ସର୍ବଜ୍ଞ ପୁରୁଷ ତୁମ୍ଭେ ନିହନ୍ତା ବିହନ୍ତା
ନୋହିଲେ କି ଆନବଳେ ମଲା ଜୀଇଥାନ୍ତା
ବାବୁ ତୁମ୍ଭ ଭ୍ରାତାମାନେ ବାହୁଡ଼ି ଅଇଲେ
ମୋର ବେନି ପୁତ୍ରେ କେତେ ପାପ ଅର୍ଜିଥିଲେ
ମହତ ଆଶ୍ରେ ନ କରି ନାଶ କଲେ ଧର୍ମ
କାହାକୁ କହିବି ବାବୁ ମୋର ପାପକର୍ମ
ସପତ ସମୁଦ୍ରେ ପଶି ନ ତିନ୍ତେ ଚରଣ
ଅଷ୍ଟନିଧି ଆବୋରିଲି ନୋହିଲା କାରଣ
ଅମୃତକୁଣ୍ଡେ ବୁଡ଼ିଲି ନ ଗଲା ମୋ ତୃଷା
ଶତେ ରବି ଉଦେ ହେଲେ ନ ତୁଟିଲା ନିଶା
ପ୍ରତ୍ୟକ୍ଷରେ ନାରାୟଣ ତୁ ଯେ ପୁଣ୍ୟମୟ
ତୋ ନାମ ଧରନ୍ତେ ସର୍ବ ପାପ ହୋଏ କ୍ଷୟ
ଯୋଗୀଜନମାନେ ଚିନ୍ତାକରି ଅବିରତେ
ବୃହତ୍ସାମ ଗାନ କରି ଭଜୁଥାନ୍ତି ତୋତେ
ତୋ ସମାନେ ସହୋଦର ପାଇ ମୁଁ ଅଦ୍ୟାପି
ଇହଲୋକ ପୁତ୍ରକଷ୍ଟ ପରଲୋକେ ପାପୀ
ମନହିଁ ସେ ଜାଣେ ଏକା ହୃଦର ବେଦନା
ଏତେ ବୋଲି ଇନ୍ଦୁମତୀ କରନ୍ତି ଶୋଚନା
ଏହା ଶୁଣି ଜଗନ୍ନାଥ ବୋଇଲେ ଗୋ ଆଈ
ଆମ୍ଭେ ଥାଉଁ ଥାଉଁ ଭୟ କରୁଛୁ କିପାଇଁ
ଭୋଜବଂଶ ରାଣୀ ତୁମ୍ଭେ ଅଟ ବୃଦ୍ଧମାତା
ତୁମ୍ଭେ କି ନଜାଣ ମାଗୋ ସଂସାର ବ୍ୟବସ୍ଥା
ଅମରକଣ୍ଟକ ମାଗୋ ହେଲା ତୁମ୍ଭ ପୁତ୍ର
ଅକାଳ ମରଣ ତାର ଥିଲା ଘଟସୂତ୍ର
ଅନିତ୍ୟ ସଂସାର ମାୟା ମୋହର ପାଟଣା
ନ ଜାଣିଣ ପ୍ରାଣୀମାନେ ହେଉଛନ୍ତି ଗଞ୍ଜି
ପାପ ପୁଣ୍ୟ ଲେଖି ଯମରାଜା କରେ ପାଞ୍ଜି
ଯେ ଯାହା ଅର୍ଜଇ ତାହା କରଇ ସେ ଭୋଗ
ଲାଭହାନି ଶୁଭାଶୁଭ ଜନ୍ମମୃତ୍ୟୁ ଯୋଗ
କଂସ ସୁନାସା ତୁମ୍ଭର ସ୍ୱଧର୍ମ ଛାଡ଼ିଲେ
ଆପଣା ପାପରେ ଆପେ ମରଣ ଲଭିଲେ
ତୁମ୍ଭେ ଅତି ପୁଣ୍ୟବତୀ ଶୁଭ ତୁମ୍ଭ କର୍ମ
ଆବର ଗର୍ଭୁରୁ ଅଷ୍ଟପୁତ୍ର ହେବେ ଜନ୍ମ
ପରମ ସାଧିବି ତୁମ୍ଭେ ଶରଚ୍ଚନ୍ଦ୍ରମୁଖୀ
ପୂର୍ବର କଥା ପାସୋରି ଆମ୍ଭେ ମୁଖ ଦେଖି
ଇନ୍ଦୁମତୀ ବୋଲେ ତୁମ୍ଭେ ତ୍ରିଜଗତ ସାଇଁ
ତୁମ୍ଭ ଆଜ୍ଞା ନ ମାନିବ କିଏ ଦେହ ବହି
ନିହନ୍ତା ବିହନ୍ତା ତୁମ୍ଭେ ଦେବଙ୍କର ନାହା
ତୁମ୍ଭେ ସିନା ଜାଣ ତୁମ୍ଭେ ଭିଆଇଛ ଯାହା
ଏତେ ବୋଲି ରାଣୀ ମନୁ ଛାଡ଼ି ଦୁଃଖବାଧା
ରାମକୃଷ୍ଣ ମୁଖେ ଚୁମ୍ୱ ଦେଇ କଲେ ଶ୍ରଦ୍ଧା
ପୋଇଲୀ ଯେ ମୁଦୁସୁଲୀ ଧାଈ ପରିବାରୀ
ସଇରିନ୍ଧ୍ରୀ ମାଳାକାର ନାରୀ ଆଦି କରି
ହେତୀ ପ୍ରହେତୀ ଯେ ଜରାସନ୍ଧର ଦୁହିତା
ହଂସ ଡ଼ିମ୍ୱ ବେନିଙ୍କର ଅଟନ୍ତି ସେ ମାତା
ଏହାଙ୍କ ମୂଳରେ ଅନ୍ତଃପୁର ନାରୀ ଯେତେ
ଶ୍ରୀକୃଷ୍ଣ ବଚନ ଶୁଣି ମୋହିତ ସମସ୍ତେ
ସମସ୍ତଙ୍କୁ ବିଷ୍ଣୁମାୟା ଲାଗିଲା ଉଚ୍ଚାଟ
ଶୋକଚିନ୍ତା ଦୂର କଲେ ଶୁଣ ଧର୍ମବାଟ
ସୁରଥ ଯେ ଷଡ଼ଭ୍ରାତ ରାମ ଲକ୍ଷ୍ମୀସାଇଁ
ବସୁଦେବ ଭୁବନରେ ବିଜେ କଲେ ଯାଇ
ଉଗ୍ରସେନ ନରପତି ବିଜେ ନିଜ ବାସେ
ଯେ ଯାହା ପୁରକୁ ଚଳିଗଲେ ସାତବଂଶେ
ସ୍ନାନ ସନ୍ଧ୍ୟା ଅଧ୍ୟୟନ ପୂଜା ଜପ ହୋମ
ଆହାର ବିହାର ଆଦି କଲେ ନିତ୍ୟକର୍ମ
ଇତି ଶ୍ରୀ ଭାଗବତ ପୁରାଣ ପୁଣ୍ୟମୟେ
ଇଦଂ ଷଟ ପଞ୍ଚାଶତ ଅଧ୍ୟା ଶେଷ ହୋଏ
ଜୟ ଜୟ ଜଗନ୍ନାଥ ଲକ୍ଷ୍ମୀ ପ୍ରାଣବନ୍ଧୁ
ଅଶେଷ ମହିମା ନାଥ କୃପାଜଳସିନ୍ଧୁ
ଅନନ୍ତ ମୂରତି ବିଶ୍ୱମୟ ଦେବରାଜ
ଚଉରାଶୀ କୋଟି ଜୀବ ଜନ୍ତୁ ରକ୍ଷାକାରୀ
କଳ୍ପନା କାମନା ନିଧି ଭକ୍ତ ଗୁଣଗ୍ରାହୀ
ଜଗତ ବ୍ୟାପକ ତୁମ୍ଭେ ଠୁଳ ଶୂନ୍ୟଦେହୀ
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ତାକୁ କରି ଲୟେ
ଅକ୍ଷୟ ଅଜରାମର ନିରାଲମ୍ୱ କାୟେ
ମନ ବୁଦ୍ଧି ଅହଂକାର ଅଟେ ତୁମ୍ଭେ ତନୁ
ନିମିଷକେ ହୁଏ ଯାର କୋଟିକଳ୍ପ ମନୁ
କଳ୍ପାନ୍ତକ ଯୁଗାନ୍ତକ ପ୍ରଳୟ ପାତନା
ଯା ମାୟାରେ ଦେବ ନାଗ ନରେ ହ୍ୱନ୍ତି ବଣା
ଦେବଙ୍କ ଉପରେ ଦେବ ପୁରୁଷ ଉତ୍ତମ
କ୍ଷର ବିବର୍ଜ୍ଜିତ ହେତୁ ଅକ୍ଷର ଯା ନାମ
ଶ୍ରୁତି ସ୍ମୃତି ପ୍ରକୃତି ଯେ ସୃଜି ଆପେ ଏକା
ଏକରୁ ଅନେକ ରୂପ ତୁମ୍ଭର ଅଲେଖା
ସତ୍ତ୍ୱ ରଜ ତମ ତିନି ଗୁଣରୁ ଅନ୍ତର
ରୂପ ଗୁଣ ଧାମ ଜଣା ନ ଯାଏ ତୁମ୍ଭର
ପୃଥିବୀ ଜଳ ଅନଳ ଅନିଳ ଆକାଶ
ଏ ପଞ୍ଚ ଭୂତେ ତୁମ୍ଭର ଶରୀରୁ ପ୍ରକାଶ
କର୍ମର ବାସନା ଧାତୁ ପ୍ରକୃତିର ମୂଳେ
ଉତ୍ପତ୍ତି ପ୍ରଳୟ କର୍ତ୍ତା ତୁମ୍ଭେ ସର୍ବକାଳେ
ଆସ୍ଥା ଅନୁରୂପେ ତୁମ୍ଭ ଧରି ନାନା ମୂର୍ତ୍ତି
ଜଗତେ ବୋଲାଅ ତୁମ୍ଭେ ଅନନ୍ତ ପ୍ରକୃତି
ଏ ଭବ ସଂସାର ତୁମ୍ଭେ ଖେଳଘର ଲୀଳା
କୌତୁକେ ଅନେକ ରୂପ ଧରି ନନ୍ଦବଳା
ଦ୍ୱାପର ଭାରତ ଯୁଦ୍ଧ ଆପଣେ ଭିଆଇ
ସସୈନ୍ୟ ଲକ୍ଷେକ ରାଜା ମରାଇବ ତହିଁ
ପରମ ଦାରୁଣ ଦେହ ନିଷ୍ଠୁର ତୋ ବାନା
ଭକ୍ତଗୁଣଗ୍ରାହୀ ତୁ ଯେ ଅଭୟଦ ସିନା
ନମସ୍ତେ ନମସ୍ତେ ଦେବ ପରଂବ୍ରହ୍ମ ଜ୍ୟୋତି
କ୍ଷଣକରେ ଘେନିପାର କୋଟି ଇନ୍ଦ୍ର ଭୂତି
କଳିକାଳ ଧ୍ୱଂସନ ଯେ ପ୍ରତ୍ୟକ୍ଷ ସ୍ୱରୂପ
ଲୋଭ ମୋହ ଅହଂକାର ଯହିଁଯାର କୋପ
ଦାରୁମୟ ରୂପ ନୀଳଗିରିରେ ସୁସଞ୍ଚ
ସାଦରେ ଆବୋରି ସ୍ୱର୍ଗ ପାତାଳ ଯେ ମଞ୍ଚ
ଆଦ୍ୟରୁ ସେ ନିରାକାର ଆକାର ଯେ ନାହିଁ
ଚିନ୍ତନ୍ତି ଗୁରୁ ବଚନ ଭିନ୍ନାଭିନ୍ନ ହୋଇ
ହରିତ ପୀତ ନିର୍ମଳ ନିଜେ ନିଷ୍କଳଙ୍କ
ମତ୍ସ୍ୟ ଅଙ୍କିତ ନୟନାଧର ଚାରୁ ବଙ୍କା
ଦକ୍ଷିଣ ଜଳଧିକୂଳେ ଶୋହେ ନୀଳଗିରି
ତହିଁ ସ୍ୱର୍ଣ୍ଣ ସିଂହାସନେ ବିଜୟେ ଶ୍ରୀହରି
ଧୂପ ଅବକାଶେ ଯଥା ଆଳତି ବନ୍ଦନା
ମଥୁରାବାସୀଏ କଲେ ତେସନେ ମାନନା
ଲକ୍ଷ୍ମୀର ବଲ୍ଲଭ ପାଦେ ଲୁଳୁ ମୋର ମାଥ
ଅଚ୍ୟୁତ ଦାସ କହଇ ହରିକଥାମୃତ
ପଣ୍ଡିତ ଜନମାନଙ୍କ ଦାସର ମୁଁ ଦାସ
ବିନୟେ ମାଗୁଛି ମୋର କ୍ଷମାକର ଦୋଷ
ଜନ୍ମରୁ ମୂରୁଖ ମୁହିଁ ନ ଜାଣଇ ପାଠ
ବିଦ୍ୟାବନ୍ତ ସଙ୍ଗେ ଦିନେ ନାହିଁ ମୋର ଭେଟ
ଶୂଦ୍ରଜାତି ପ୍ରଧାନ ମୁଁ କର୍ମ ମୋର ଚାଷ
କର୍ମରେ କିସ କରିବି ଭୂମିକି ମୋ ଆଶ
ନଟ ଭାଟ ଜୀବିକା ମୋ ଉଦର ପୋଷଣେ
ଦିନବଞ୍ଚେ ହରିନାମ ଧରି ଅନୁକ୍ଷଣେ
ସୁଜ୍ଞଜନମାନଙ୍କର ଦାସର ମୁଁ ଦାସ
ବାଳୁତ ମତି ମୋହର ନ ଘେନିବା ଦୋଷ
ରାଗ ଦ୍ୱେଷ ଅହଙ୍କାର ମାୟା ମୋହେ ପଡ଼ି
ଅଜ୍ଞାନ ସମୁଦ୍ର ମଧ୍ୟେ ରହିଅଛି ବୁଡ଼ି
ହରିନାମ ଭେଳା କରି ବସ ମୁଁ ତହିଁରେ
ବିଚାରୁଛି ପାର ହୋଇ ଯିବି ଅକ୍ଳେଶରେ
ଅଗାଧ ସାଗର ଏହି ହରିବଂଶ ଗ୍ରନ୍ଥ
କୋଟି ବ୍ରହ୍ମା ନ ଜାଣିବେ ଏଥିର ତଦନ୍ତ
ମୁଁ ଏହା ସଞ୍ଚପି ଅବା କହିବି ଯେ କାହିଁ
ଯାହା ଲେଖୁଅଛି ତାହା ଗୋଚର ନୁହଇ
ବ୍ରହ୍ମାନନ୍ଦିନୀ ସାରଦା ଦେବୀ ମୋତେ ସାହା
ସେ ଯାହା କହନ୍ତି ମୋତେ ଲେଖଇଁ ମୁଁ ତାହା
ଯେତେ ମୋତେ ଦୃଶ୍ୟ ହେଉଅଛି ଶାସ୍ତ୍ରବିଧି
ଲେଖନୀରେ ଲେଖି କେତେ କରିବଇଁ ସିଦ୍ଧି
ଦଶ ବିଂଶ ଶତ ସହସ୍ରେକ ପଦ ଛାଡ଼ି
ଠିକ ଠିକ ପଦ ବାଛି ଲେଖୁଅଛି ଯୋଡ଼ି
ଶ୍ରୀହରି ଦିବ୍ୟ ଚରିତ ପୁରାଣ ସଙ୍ଗୀତେ
ମୁକ୍ତିମାର୍ଗେ ଦେଖାଉଛି ସଂସାରର ହିତେ
ଅତି ଭାଗ୍ୟେ ଭାଗବତ ଅମୃତ ଏ ପଦ
ଯତନେ ସୃଜିଲେ ବ୍ୟାସ ମୁନି ପଞ୍ଚ ବେଦ
ବିଷ୍ଣୁ ପଞ୍ଜର ସଙ୍ଗତେ କଣ୍ଠଭୂଷା ମଣି
ପଦ ପଦକେ ଅମୃତ ପୂରାଇଛି ଆଣି
ପଢ଼ିଲେ ଶୁଣିଲ ଅଙ୍ଗୁ ପାପ ଯିବ କ୍ଷୟେ
ଆୟୁଷ ସମ୍ପଦ ଯଶ ହୋଇବ ଉଦୟେ
ଅପୁତ୍ରିକ ଜନ ଏହା ପଢ଼ନ୍ତେ ଶୁଣନ୍ତେ
ସତପୁତ୍ର ଲାଭକରେ ବରଷକ ଅନ୍ତେ
ଅନିତ୍ୟ ସଂସାର ଏହି ମାୟାର ପଟଣା
ରକ୍ତ ମାଂସରେ ଗଠିତ ଏ ଶରୀର ଗୋଟି
ଜଳବିମ୍ୱ ପ୍ରାୟେ ଦିନେ ଯିବ ପାଣି ଫାଟି
ଚାହୁଁ ଚାହୁଁ ଶରୀରରୁ ଛାଡ଼ିଯିବ ପ୍ରାଣ
ରଖି ନ ପାରିବେ ପୁତ୍ର ଭାର୍ଯ୍ୟା ନାତିଗଣ
କେ କାହାର ଭାଇବନ୍ଧୁ କେ କାହାର ସଖା
ଏକା ହୋଇ ଆସିଥାଏ ପୁଣି ଯାଏ ଏକା
କେବଳ ସଙ୍ଗତେ ଥାନ୍ତି ପାପପୁଣ୍ୟ ବେନି
ଇହଲୋକ ପରଲୋକ ଶୁଭାଶୁଭ ଦାନୀ
ସକଳ ଧର୍ମରେ ଦୟା ଅଟଇ ପ୍ରଧାନ
ଦୟାରୁ ସକଳ ଧର୍ମ ନୁହଇ ବର୍ଦ୍ଧନ
ଗୋ ଭୂମି ହିରଣ୍ୟ ଆଦି ଦାନ ଅଛି ଯେତେ
ଜପ ତପ ଯାଗ ହୋମ ମନ୍ତ୍ର ତୀର୍ଥ ବ୍ରତେ
ଦେବାର୍ଚ୍ଚନ ପୂଜା ବଳି ସ୍ନାହାନ ତର୍ପଣ
ଦୟା ବିନା ଏ ସକଳ କର୍ମ ଅକାରଣ
ସଦବିଦ୍ୟା ସଦବୁଦ୍ଧି ସାଧୁସଙ୍ଗେ ମେଳା
ସଂସାର ତରିବା ପାଇଁ ହରି ନାମ ଭେଳା
ଜଗନ୍ନାଥ ଶ୍ରୀ ଚରଣେ ସଦା ମୋର ସେବା
ଅଚ୍ୟୁତ ଦାସ କବିକି ସାଧୁ ସଙ୍ଗ ଦେବା

ମଥୁରାପୁରେ ଚନ୍ଦନ ଯାତ୍ରାରମ୍ଭ ଓ ରାମକୃଷ୍ଣଙ୍କୁ ବଧିବା ପାଇଁ କଂସ ପୁତ୍ରାଦିଙ୍କର କୂଟ ବିଚାର[ସମ୍ପାଦନା]

ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା
ଭୋ ମୁନି ତୁମ୍ଭ ପ୍ରସନ୍ନେ ଶୁଣି ହରିବଂଶ
କୋଟି ଜନ୍ମ ପାପ ମୋର ହୋଇଲା ବିଧ୍ୱଂସ
ବିଦ୍ୟା ପଢ଼ି ରାମକୃଷ୍ଣ ଗୁରୁପୁତ୍ର ଦେଲେ
ମଥୁରା ନଗରେ ଯାଇ ହୋଇଲେ ପ୍ରବେଶ
ତହିଁପରେ କିସ ହେଲା କହ ବ୍ୟାସଶିଷ୍ୟ
ଆଉ ଯେତେ କୃତ୍ୟ କଲେ ରାମ ଚକ୍ରପାଣି
କୃତାର୍ଥ ହୋଇବି ତାହା ତବ ମୁଖୁଁ ଶୁଣି
ସଂକ୍ଷେପି ସେ କଥା ମୋତେ କହ ବ୍ରହ୍ମବେତ୍ତା
ମୁକତ ହୋଇବି ଶୁଣି ହରି ଗୁଣଗାଥା
ଏତେ ବୋଲି ମୁନିପାଦେ ପଡ଼ିଲେ ରାଜନ
ସନ୍ତୋଷ ହୋଇଲେ ଦେଖି ଶୁକ ତପୋଧନ
ଉଠ ମହାରାୟେ ବୋଲି ସୁକଲ୍ୟାଣ କଲେ
ପୁରାଣ ପୁସ୍ତକ ଫେଡ଼ି କହି ଆରମ୍ଭିଲେ
ଶୁଣ ସାବଧାନ ହୋଇ ସୁଭଦ୍ରାର ନାତି
ପବିତ୍ର ବିଷ୍ଣୁ ପୁରାଣ ହରିବଂଶ କୀର୍ତ୍ତି
ମଥୁରା କଟକେ ବସୁଦେବର ନଗର
ଅଚିନ୍ତେ ରହିଲେ ତହିଁ ରାମ ଦାମୋଦର
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଶୁଭେ ଜୟରବ
ଜାଣିଲେ ସକଳ ଋଷି ଦେବତା ଗନ୍ଧର୍ବ
ସାଧୁନୃପଗଣେ ଶୁଣି ହେଲେ ତୋଷ ମତି
ଦୁଷ୍ଟ ରାଜାମାନଙ୍କର ଉପୁଜିଲା ଭୀତି
ଗର୍ବଚ୍ୟୁତ ହେଲା ଅଙ୍ଗେ ଲାଗି ବିଷ୍ଣୁ ତେଜ
ତୁଟିଲାକ ଆୟୁ ସଙ୍ଗେ ବଳ ବୀର୍ଯ୍ୟ ଓଜ
ଆଗୁଁ ଶଙ୍କା ପାଇଥିଲେ କଂସ ମଲା ଶୁଣି
ଯମଘରୁ ମଲା ଲୋକ ଜୀଆଇଲେ ପୁଣି
ଅଲୋକିତ କର୍ମ ଯହୁଁ କଲେ ଦେବରାୟ
ଅସୁରଙ୍କ ହୃଦେ ଜାତ ହେଲା ମହାଭୟ
ଧର୍ମବନ୍ତ ରାଜାମାନେ ହୋଇଣ ହରଷ
ସମସ୍ତେ ଖଟିଲେ ଆସି ରାମକୃଷ୍ଣ ପାଶ
ନାନା ଉପହାର ଦ୍ରବ୍ୟ ଦେଖାଦରଶନୀ
ପାଦତଳେ ଥୋଇ କଲେ ଅନେକ ଦଇନୀ
ଧରଣୀରେ ଉପୁଜିଲା ନାନା ଶସ୍ୟଫଳ
ବାଞ୍ଛା କଲେ ମେଘମାଳେ ବରଷନ୍ତି ଜଳ
ସୁଶୀତଳ ମନ୍ଦ ମନ୍ଦ ବହିଲା ବସନ୍ତ
ପାପ ଛାଡ଼ି ପ୍ରାଣୀମାନେ ହେଲେ ପୁଣ୍ୟବନ୍ତ
ବିପ୍ରେ ବେଦ ପାଠକଲେ ଷଟ କର୍ମ କରି
ସନ୍ନ୍ୟାସ ଦୀକ୍ଷା ଘେନିଲେ କୁଳବତୀ ନାରୀ
କ୍ଷତ୍ରିଙ୍କର କ୍ଷତ୍ରିବୃତ୍ତେ ହେଲା ତେଜରାଶି
ବାଣିଜ୍ୟ କରିଲେ ବୈଶ୍ୟ ଶୂଦ୍ରକଲେ କୃଷି
ଯେ ଯାହାର ସଦାଚାର କଲେ ଜନପ୍ରଜା
ସ୍ୱଧର୍ମେ ରାଜ୍ୟ ପାଳନ୍ତି ଉଗ୍ରସେନ ରାଜା
ହାତୀ ଘୋଡ଼ା ରଥ ରଥୀ ପଦାତି ଗହଳ
ଚୌରାଶୀ କୋଟି ଯାଦବ ସୈନ୍ୟ ଅଙ୍ଗବଳ
ଆବର ଯେତେକ ଭୂୟାଁ ଭୂମିପାଳ ରାଜା
ସର୍ବେ ଖଟି ଉଗ୍ରସେନ ପାଦ କଲେ ପୂଜା
ବଡ଼ଇ ଧାର୍ମିକ ଉଗ୍ରସେନ ମହୀପତି
ଯାର ନାତି ନିରଞ୍ଜନ ପୁରୁଷ ଅଟନ୍ତି
ଭୋଜବଂଶ ନୃପତି ସେ କ୍ଷତ୍ରିଗୁଣେ ଶ୍ରେଷ୍ଠ
ସତ୍ୟଯୁଗ ଆଚରଣେ ପାଳେ ସମରାଷ୍ଟ୍ର
ସପତ ବଂଶ ଯାଦବେ କରିଥାନ୍ତି ସେବା
ସ୍ୱର୍ଗପୁରେ ପୂଜା ପାନ୍ତି ଯେସନେ ମଘବା
ପାତ୍ର ମନ୍ତ୍ରୀ ପୁରୋହିତ ପଣ୍ତିତ ସୁଜନ
ଗୌରବ କରନ୍ତି ଜାଣି ଯେ ଯେତେ ଭାଜନ
ଭାଇବନ୍ଧୁ ସହୋଦର କୁଟୁମ୍ୱ ଅସଂଖ୍ୟ
ଧନବନ୍ତ ପଣରେ ସେ କୁବେରଙ୍କୁ ଲକ୍ଷ୍ୟ
ଉଗ୍ରସେନ ରାଜାଙ୍କର ଭାର୍ଯ୍ୟା ଇନ୍ଦୁମତୀ
ସର୍ବ ସୁଲକ୍ଷଣୀ ବାମା ପତିବ୍ରତା ସତୀ
ତିନିକନ୍ୟା ବେନିପୁତ୍ର କରିଥିଲେ ଜାତ
ଦେବକାର୍ଯ୍ୟ ସେ ପୁତ୍ରଙ୍କୁ ହରି କଲେ ହତ
ଜ୍ୟେଷ୍ଠ ଦୁହିତାକୁ କୁନ୍ତଭୋଜ ରାଜା ନେଲେ
କୁନ୍ତୀ ନାମ ଦେଇ ତାକୁ ପାଳି ସେ ରଖିଲେ
ଦେବକୀ ନାମରେ କନ୍ୟା ବସୁଦେବ ନେଲେ
ଦୈବକୀଙ୍କୁ ଦମଘୋଷ ନୃପ ବିଭା ହେଲେ
ପୁନରପି ଜଗନ୍ନାଥେ ଦେଲେ ସଦଭାବେ
ଅଷ୍ଟପୁତ୍ର ଜାତ ହେଲେ ପୁଣି ଚାରିଗର୍ଭେ
ସମ୍ଭାରେ ରାଜ୍ୟ କରନ୍ତି ଉଗ୍ରସେନ ରାୟ
ରାମକୃଷ୍ଣ ପ୍ରସାଦରୁ ନାହିଁ ତାଙ୍କୁ ଭୟ
ଏଥୁ ଅନନ୍ତରେ ପୁଣି ଗଲା କିଛି ଦିନ
ସଭାର ଆସ୍ଥାନେ ବିଜେ ରାଜା ଉଗ୍ରସେନ
ବସୁଦେବ ଶକ୍ରାଜିତ ଅନାଧୃଷ୍ଟ ବୀର
କୃତବର୍ମା ଆଦିକରି ପ୍ରଧାନ ଯାଦବେ
ସଭାରେ ବସିଲେ ଆସି ଯେ ଯାହାର ଠାବେ
ଏମନ୍ତ ସମୟେ ଆସି ରାମକୃଷ୍ଣ ବେନି
ରାଜାଙ୍କ ପାଶେ ବସିଲେ ସୁରଥକୁ ଘେନି
ଆବର ଯେ ଷଡ଼ଭାଇ ବଞ୍ଚି ଆସିଥିଲେ
ରାମକୃଷ୍ଣ ସଙ୍ଗେ ଆସି ସଭାରେ ବସିଲେ
ଥୋକାଏ ଯାଦବେ ତଳେ ହୋଇଛନ୍ତି ଉଭା
ବେନି ଧାଡ଼ି ପଟୁଆର ପାଉଛନ୍ତି ଶୋଭା
ରଥ ଗଜ ସହିତରେ ଚତୁରଙ୍ଗ ବଳ
ଯେ ଯାହାର ଶସ୍ତ୍ର ଘେନି ହୋଇଛନ୍ତି ଠୁଳ
ପଡ଼ିହାରୀମାନେ କରେ ବେତବାଡ଼ି ଧରି
ଜାଗ୍ରତ କରନ୍ତି ଲୋକମାନଙ୍କୁ ତିଆରି
ଧୂପଧୂମ ଆମୋଦରେ ପୂରି ଉଠେ ସଭା
ସିଂହାସନେ ଉଗ୍ରସେନ ପାଉଛନ୍ତି ଶୋଭା
ଆଲଟ ଚାମର ଛତ୍ର ଶିରେ ଟେକିଛନ୍ତି
ସୁଧର୍ମା ସଭାରେ ଯେହ୍ନେ ବିଜେ ସୁରପତି
ତହିଁର ମଧ୍ୟେ ଯାଦବ ଏକ ମହାବୀର
ବୃଷପର୍ବା ବୋଲି ନାମ ଅଟଇ ତାଙ୍କର
ବାସୁଦେବ ପିତା ବସୁଦେବଙ୍କ ସାନଭ୍ରାତା
କେତୁକା ନାମରେ କନ୍ୟା ଅଟେ ତାଙ୍କ ମାତା
କୃଷ୍ଣଙ୍କର ଖୁଡ଼ୁତା ସେ ଜ୍ଞାନୀ ମହାତେଜା
ସର୍ବ ଯାଦବେ କରନ୍ତି ତାଙ୍କ ପାଦପୂଜା
ବୃହସ୍ପତି ସମାନ ସେ ପଣ୍ଡିତ ସୁବୁଦ୍ଧି
ଜାଣନ୍ତି ତ୍ରିକାଳ କଥା ସର୍ବ ଶାସ୍ତ୍ର ବିଧି
କ୍ଷତ୍ରି ଗୁଣେ ବିବେକ ସେ ସଂଗ୍ରାମେ ଶକତା
ତାଙ୍କ ସମାନରେ କେହି ନାହିଁ ବଳବନ୍ତା
ଐଶାନ୍ୟ ଖମ୍ୱ ମାଡ଼ି ସେ ବସନ୍ତେ ଆସ୍ଥାନେ
ଉଗ୍ରସେନ ଆଦି ମାନ୍ୟ କଲେ ସଭାଜନେ
ଜଣ ଜଣ ପ୍ରତି ସ୍ୱସ୍ତି କଲ୍ୟାଣ ସେ କଲେ
ଉଗ୍ରସେନ ମୁଖ ଚାହିଁ ହସିଣ କହିଲେ
ବାବୁ ଉଗ୍ରସେନ ତୁମ୍ଭେ ଇନ୍ଦ୍ରସମ ରାଜା
ସର୍ବ ଯାଦବେ କରନ୍ତି ତୁମ୍ଭ ପାଦେ ପୂଜା
କେବଣ ତୀର୍ଥରେ ବସି କେତେ ତପ କଲ
ଦେବକୀ ପରାୟେ କନ୍ୟା ଭାଗ୍ୟେ ଅରଜିଲ
ପ୍ରତ୍ୟକ୍ଷରେ ବିଷ୍ଣୁଙ୍କୁ ସେ ଗର୍ଭୁ କଲେ ଜାତ
ତେଣୁ ଯଦୁବଂଶ ଏବେ ହୋଇଲା ଉଦିତ
ପରମାନନ୍ଦ ପୁରୁଷ ଉପୁଜିଲେ କୁଳେ
ଏଡ଼େ ଭାଗ୍ୟ ଦେଖିଲାଇଁ ଆମ୍ଭେ ଚର୍ମଡ଼ୋଳେ
ଯୋଗୀଜନମାନେ ଯାକୁ ଅନ୍ତର୍ଗତେ ଚିନ୍ତି
ସେ ଏବେ ପ୍ରତ୍ୟକ୍ଷେ ଦେହବନ୍ତ ହୋଇଛନ୍ତି
ବାବୁ ଧନ୍ୟ ଏହି ବସୁଦେବର ଜୀବନ
ସ୍ୱର୍ଗ ମଞ୍ଚ ପାତାଳରେ ଏକ ପୁଣ୍ୟବାନ
ଲକ୍ଷ୍ମୀର ବଲ୍ଲଭ ଆସି କୋଳେ ହେଲେ ଜାତ
ସଫଳ ହୋଇଲା ଏବେ ଏହାଙ୍କ ଜୀବିତ
ଏହାଙ୍କର ପିତୃ ପିତାମହ ଆଦିକରି
କୋଟିଏ କୋଟି ପୁରୁଷ ହେଳେ ଗଲେ ତରି
ଦେବକୀ ନାମରେ ଜେମା ଯେ ଅଟେ ତୁମ୍ଭର
ସାକ୍ଷାତେ ଅଦିତି ସେହି ମର୍ତ୍ତ୍ୟେ ଅବତାର
ନିରାକାର ପୁରୁଷଙ୍କୁ ଗର୍ଭେ ଦେଲେ ଠାବ
ଗର୍ଭେ ଦଶମାସ ବହି କରିଲା ପ୍ରସବ
କୋଟିଏ ବ୍ରହ୍ମାଣ୍ଡ ବସେ ଯା ଲୋମ ମୂଳରେ
ମାନବୀ ହୋଇଣ ତାଙ୍କୁ ବହିଲା ଗର୍ଭରେ
ସ୍ୱପ୍ନଦେଖି ପାଇଥିଲା ଆଗୁଁ ବ୍ରହ୍ମଜ୍ଞାନ
ଜନ୍ମକାଳେ ଚତୁର୍ଭୁଜ କଲା ଦରଶନ
ତାହାର ମହିମା ହାଦେ କେବା କହିପାରି
ସ୍ତ୍ରୀଲିଙ୍ଗ ନୁହଇ ସେ ଯେ ସ୍ୱୟଂ ମାହେଶ୍ୱରୀ
ଇନ୍ଦୁମତୀ ଜାତ କଲେ ଏସନ ଦୁହିତା
ଏହାକୁ ଦୁହିତା ବୋଲି କୁଳକୁ ଏ ହିତା
ଉଦ୍ଧବ ଅକ୍ରୂର ଅନାଧୃଷ୍ଟ ଉଗ୍ରସେନ
କୃତବର୍ମା ଆଦି ଧନ୍ୟ ଏହାଙ୍କ ଜୀବନ
ନିରନ୍ତର ବିହରନ୍ତି ରାମକୃଷ୍ଣ ସଙ୍ଗେ
ଆଉ କି ପାତକ ଅଛି ଏହାଙ୍କର ଅଙ୍ଗେ
ଧନ ଏ କଟକ ଯଦୁବଂଶ ସଭା ଗୋଟି
ଏ ବଂଶର ବାହୁବଳେ ସାଧ୍ୟ ହେବ ସୃଷ୍ଟି
ଦେବତା ସମାନେ ଜଣେ ଜଣେ ଏ ଯାଦବେ
ମନ କଲେ ତ୍ରିଭୁବନ କ୍ଷଣକେ ଜିଣିବେ
କଂସ ସମାନେ ଶକତା ଅଟନ୍ତି ଆଗହୁଁ
ପୁଣି ସଖା ହେଲେ ଏବେ କୃଷ୍ଣ ମହାବାହୁ
ଏବେ ରାମ କୃଷ୍ଣଙ୍କୁ ଏ ପାଇଲେ ସପକ୍ଷ
କିଞ୍ଚିତେ ଜିଣିବେ ଦେବ ଦୈତ୍ୟ ନାଗ ଯକ୍ଷ
ସମସ୍ତ ଯାଦବ ଏବେ ଶୁଣ ମୋର ବୋଲ
ମୁହିଁ ତୁମ୍ଭ କୁଳବୃଦ୍ଧ କହୁଅଛି ଭଲ
ରାମ କୃଷ୍ଣ ଆରାଧନା କର ଏକମନେ
କାରଣ ପାଇବ ତୁମ୍ଭେ ଏହାଙ୍କ ପ୍ରସନ୍ନେ
କୋଟି କୋଟି ବ୍ରହ୍ମାଣ୍ଡର ଏହି କୃଷ୍ଣ କର୍ତ୍ତା
ଶରଣ ପଞ୍ଜର ବାନା ଭକ୍ତି ମୁକ୍ତି ଦାତା
ପ୍ରତ୍ୟକ୍ଷରେ କର୍ମ ଯାହା କଲେ ଅଗୋଚର
ମଲା ଜୀଆଇ ଆଣିବା କ୍ଷମତା କାହାର
ଦ୍ୱାଦଶ ଦିନେ ସକଳ ବିଦ୍ୟା କଲେ ସିଦ୍ଧି
ବରୁଣ ଯମ ଭୁବନ ବୁଲି ଗୁଣନିଧି
ଇନ୍ଦ୍ରଲୋକେ ପୂଜା ପାଇ ବ୍ରହ୍ମଲୋକେ ଗଲେ
ସେଠାରେ ଏହାଙ୍କୁ ବ୍ରହ୍ମା ଆପେ ବ୍ରତ କଲେ
ଗୁରୁପୁତ୍ର ଆଣି ଦେଲେ ଗୁରୁଙ୍କର ଆଗେ
ଦେବକୀର ଷଡ଼ପୁତ୍ର ଆଣିଛନ୍ତି ସଙ୍ଗେ
ଏଡ଼େ ବଡ଼ କରମ କି ଆନେ ହୋଏ କରି
ନିରଞ୍ଜନ ପୁରୁଷ ଏ ହେଲେ ଦେହଧାରୀ
ଏହାଙ୍କୁ ସେବିଲେ କାର୍ଯ୍ୟ ହୋଇବ ସଫଳ
ଲଭିବ ସକଳ ବାଞ୍ଛା ପାଇ ଶୁଭଫଳ
ଆମ୍ଭ ବଂଶେ ପୁରୁରବା ନାମେ ନରପତି
ଅପ୍ରସନ୍ନ କୁଶକେତୁ ତାଙ୍କର ସନ୍ତତି
ଯଦୁଭୋଜ ଆଦି ସାତବଂଶ ଲୋକେ ଯେତେ
ଏ ସଂସାରେ କୀର୍ତ୍ତି କରି ନାହାନ୍ତି ସେ କେତେ
ବୀର ଶୂରପଣେ ସର୍ବେ ହୋଇଲେ ଶକତା
ବିଷ୍ଣୁ ନାମ ବହିବାକୁ କାହାର କ୍ଷମତା
ଅତ୍ରି ଋଶିଙ୍କ ଭାରିଯା ଅନୁସୂୟା ନାରୀ
ଚନ୍ଦ୍ର ଦୁର୍ବାସା ବେଦାନ୍ତ ପୁତ୍ର ଯେ ତାଙ୍କରି
ସେଠାରୁ ଆମ୍ଭର ବଂଶ ହୋଇଲା ଉଦୟ
ଏତେକାଳେ ଆସି ପାପ ହୋଇଲାକ କ୍ଷୟ
ଅନେକ ଲକ୍ଷ୍ମୀ ଅର୍ଜିବେ ରାମ ନାରାୟଣ
ଧନଧର୍ମ ତୁଲେ ବଂଶ ହେବ ବର୍ଦ୍ଧମାନ
ଇନ୍ଦ୍ରାଦି ଅମରେ ସେବା କରିବେଟି ଆସି
କୁବେର ସମ୍ପଦ ତୁଲ୍ୟ ହେବ ଲକ୍ଷ୍ମୀରାଶି
କଲା କର୍ମମାନ କପି ପାରନ୍ତି ଏ ଆନ
ଦେବଙ୍କ ଉପରେ ଦେବ ଏହି ଭଗବାନ
ଏହାଙ୍କୁ ସେବିଲେ ପ୍ରାପ୍ତ ହେବ ସର୍ବଭୂତି
ଶୁଣି ସକଳ ଯାଦବେ ହୋଇଲେ ତୃପତି
ଥୋକାଏ ବୋଇଲେ ଆମ୍ଭେ ଜାଣିଛୁ ଆଗହୁଁ
ଯେ ଯାହାରେ ରାମକୃଷ୍ଣେ କରନ୍ତି ମାନନା
ବୃଷପର୍ବା ବାକ୍ୟ ଶୁଣି ସର୍ବେ ତୋଷମନା
କଂସରାଜା ବେନିପୁତ୍ର ହଂସ ଡ଼ିମ୍ୱ ନାମ
ସୁକୁମାର ସୁଲକ୍ଷଣ ରୂପେ ଅନୁପମ
ହେତୀ ସେ ପ୍ରହେତୀ ଜରାସନ୍ଧର ଦୁହିତା
ଉଭୟ କୁଳ ବିଶୁଦ୍ଧ ସେ କୁମାର ଘେନି
ଅବହେଳେ ତିନିପୁର ପାରନ୍ତି ସେ ଜିଣି
ଜରାସନ୍ଧ ଅଜା ଯାର କଂସ ଯାର ପିତା
ମହାରଥୀ ପଣରେ ସେ ଅଟନ୍ତି ଗଣିତା
ପିତାଅଂଶ ଘେନି ଦୁହେଁ ହୋଇଛନ୍ତି ଜାତ
ରାମକୃଷ୍ଣ ଅପଘାତ ଭାଳନ୍ତି ସନ୍ତତ
ସନ୍ଥ ପ୍ରୀତି ଛାଡ଼ି ଚିତ୍ତେ ଧରି ଅନାଚାର
ଗୋବ୍ରହ୍ମଣ ହିଂସାବୃତ୍ତି ଅଟଇ ତାଙ୍କର
ଉଗ୍ରସେନ ତିଆରିଲେ ନ ଘେନନ୍ତି ବୋଲ
ସାତବଂଶ ଯାଦବଙ୍କୁ ହୋଇଥାନ୍ତି ସଲ
ଆସୁରୀ ବୁଦ୍ଧିରୁ ଦେହେ ନାହିଁ ସଦଜ୍ଞାନ
ସର୍ବଦା ଘେନନ୍ତି ପ୍ରାଣୀମାନଙ୍କ ଜୀବନ
କେଶୀ ବେନିପୁତ୍ର ଉଡ଼ଙ୍ଗ ଯେ ଅଂଶୁମାଳୀ
ଶକଟା ନନ୍ଦନ ବେନିବୀର ବେଲାବେଳି
କଞ୍ଚଣ କୁମୁଦ କାଳିନାଗ ସଉମିତ୍ର
ବଳବନ୍ତ ଏ ଚାରିହେଁ ଷଣ୍ଢାସୁର ପୁତ୍ର
ଦାବାନଳ ପ୍ରତାପ ଏ ପୂତନାର ପୁଅ
ମୁଷ୍ଟିକର ପୁତ୍ର ବେନି ଜୟ ଯେ ବିଜୟ
ଚାଣୁର ପୁତ୍ର ଦୁର୍ଗମ ଜଗଜ୍ଜେଠି ବେନି
ମହାସୁର ନାମେ ପୁତ୍ର ମୁଷ୍ଟିକର ପୁଣି
ଏ ଚଉଦ ଜଣ ରାମକୃଷ୍ଣ ବଳ ଦେଖି
ପିତା ଶତ୍ରୁ ବୋଲି ମନେ ହେଉଥାନ୍ତି ଦୁଃଖୀ
ଏକମେଳ ହୋଇଥାନ୍ତି ଏ ଚଉଦ ବୀର
ମାରନ୍ତି ଧରନ୍ତି ହାଟ ବାଟ କରି ଜୂର
ଇନ୍ଦ୍ର ଚନ୍ଦ୍ର ହେଲେ ତାଙ୍କ ମନେ ନାହିଁ ଭୀତି
ପରଧନ ପରନାରୀ ବଳେ ଘେନିଯାନ୍ତି
ଆବର ବୋଲନ୍ତି ଉଗ୍ରସେନକୁ ମାରିବା
ମଥୁରା କଟକେ ଆମ୍ଭେ ନୃପତି ହୋଇବା
ଏତେ ବୋଲି ରାଜା ଆଜ୍ଞା କରନ୍ତି ସେ ଭ୍ରଷ୍ଟ
ଏକୁ ଏକ ମହାବଳୀ ସେ ଚଉଦ ଦୁଷ୍ଟ
ଥୋକାଏ ପଦାତି ରଥ ଗଜ ଥାନ୍ତି ସଙ୍ଗେ
ଇନ୍ଦ୍ର ହେଲେ ଜିଣି ପାରନ୍ତି ସେ ରଣରଙ୍ଗେ
ଅନ୍ୟୋନ୍ୟରେ ସରିସମ ସର୍ବେ ଦୁଷ୍ଟବୁଦ୍ଧି
ପିତୃ ଅଂଶ ଘେନି ହୋଇଛନ୍ତି ଅସୁରାଧି
ଶୁକମୁନି ବୋଇଲେ ହୋ ଶୁଣ ପରୀକ୍ଷିତ
ପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ
ବୈଶାଖ ଶୁକ୍ଳ ତୃତୀୟା ତିଥି ଗୁରୁବାର
ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର
ଯୁଗାଦି ତିଥି ଅକ୍ଷୟ ତୃତୀୟା ତା ନାମ
ରୁଚିର ଚନ୍ଦନ ଯାତ୍ରା ଆରମ୍ଭ ସେ ଦିନ
ଜଳରେ ଚନ୍ଦନ ଯାତ୍ରା ଅପୂର୍ବ ଉତ୍ସବ
ଯମୁନା ଭିତରେ ନେଇ ପକାଇଲେ ନାବ
ମେଢ଼ ମଣ୍ଡପ ଜଗତୀ ଅଟ୍ଟାଳିକା ମାନ
ପାଣି ଭିତରେ ସଞ୍ଚିଲେ ସମସ୍ତ ବିଧାନ
ମଣ୍ଡପର ଚଉପାଶେ ବେଢ଼ା ସିଂହଦ୍ୱାର
ବେନି ଯୋଜନ ଦୀର୍ଘ ସେ ଯୋଜନେ ବିସ୍ତାର
ନଦୀ ବେନିକୂଳେ ବନ ପରବତ ମାଡ଼ି
ରହିଲେ ଥୋକାଏ ଲୋକ ଦେଖିବାକୁ ବେଢ଼ି
ହାଟ ପାଟଣା ବଜାର ବସେ ଚଉପାଶେ
ନବର ଆବୋରି ଥୋକେ ରହିଲେ ହରଷେ
ପାତ୍ରମନ୍ତ୍ରୀ ଅମନାତ୍ୟ ଦ୍ୱାରୀ ପଢ଼ିହାରି
ଯେ ଯାହା ସ୍ଥାନରେ ଆସି ରହିଲେ ଆବୋରି
ଅଶ୍ୱ ଗଜ ଛତ୍ର ଶାଳ ଆଖଡ଼ାର ଶାଳ
ଝିଙ୍କର ଝାଏଣି ଘର ତ୍ରୋଣା ମାଳ ମାଳ
ସୁବର୍ଣ୍ଣ କଳଶ ପରେ ଉଡ଼େ ବିତପନ
ପଲ୍ଲବ ତୋରଣା ଚିତ୍ର ଲେଖା ସୁଶୋଭନ
ଚାପ ଚଉକି ଗଭୀର ନାବ କର୍ମ ବାରି
ଯୋଗବାଦୀ ତଲାଉ ଯେ ଗଭୀର ଉଭାରି
ଶାମୁକା କୋଶଳୀ କ୍ଷୁଦ୍ର ଡଙ୍ଗା ଶୋହ୍ଲଭେଳା
ମଳଙ୍ଗି ତାଳୁଆ ପଞ୍ଚମୁଖୀ ଅସଂଖଳା
ଏ ବିଧି ଅନେକ ଜାତି ନବଲକ୍ଷ କୋଟି
ଝିଙ୍କ ପକ୍ଷୀ ପ୍ରାୟ ବହି ଯମୁନାକୁ ଘୋଟି
ନଉକା ଉପରେ ନାଟ୍ୟମଣ୍ଡପ ଯେ ଶୋଭା
ଅଷ୍ଟରତ୍ନ ମଣ୍ଡଣିରେ ନିନ୍ଦେ ସୂର୍ଯ୍ୟପ୍ରଭା
ଏଥୁ ଅନନ୍ତରେ ହେଲା ପାଞ୍ଚଘଡ଼ି ବେଳ
ଯାତ୍ରାକୁ ବିଜୟେ ଉଗ୍ରସେନ ମହୀପାଳ
ରାମ କୃଷ୍ଣ ମୂଳେ ଦେବକୀର ଷଡ଼ପୁତ୍ର
ସଙ୍ଗେ ଭାଇ ସୁନାମା ଯେ ଆବର ସୁରଥ
ହଂସ ଡ଼ିମ୍ୱ ବୋଲି କଂସରାଜାର ତନୟେ
ଏକାଦଶ ନାତି ଘେନି ବିଜେ ନୃପରାୟେ
ଅଷ୍ଟମଲ୍ଲଙ୍କର ପୁତ୍ରେ ରଥେ ରଥେ ଚଢ଼ି
କପଟେ ସେବା କରନ୍ତି ନୃପତିଙ୍କି ବେଢ଼ି
ସାତ୍ୟକି ସାହାସ୍ରାଜିତ ଉଦ୍ଧବ ଅକ୍ରୂର
ବସୁଦେବ ଅନାଧୃଷ୍ଟ କୃତବର୍ମା ବୀର
ଏମାନଙ୍କ ମୂଳେ ସାତବଂଶର ଯାଦବେ
ଯମୁନାକୂଳରେ ଯାଇ ରୁଣ୍ଡହେଲେ ସର୍ବେ
ଢ଼ୋଲ ଦମାଲୁ ନିଷାଣ ମର୍ଦ୍ଦଳ ମହୁରୀ
ପଟହ ମୂରଜ ଚାଙ୍ଗୁ ଯୋଡ଼ା ଶଙ୍ଖଭେରୀ
ଏମନ୍ତ ବିବଧ ବାଜା ବାଜେ କୁତୂହଳେ
ବାଦ୍ୟ ନାଦ ଶବଦରେ କୁରୁମ ଉଛୁଳେ
ସକୁଟୁମ୍ୱ ଘେନି ଉଗ୍ରସେନ ନରରାୟେ
ଉତ୍ସବ ନଗରେ ଯାଇ ଆନନ୍ଦେ ବିଜୟେ
ଯମୁନା ନଦୀର କୂଳେ ନାବ କଲେ ସଜ
ଅପ୍ରମିତ ପଦାତିକ ରଥ ଅଶ୍ୱଗଜ
ମେଘ ଆଡ଼ମ୍ୱର ଛତ୍ର ଲକ୍ଷେକ ବିମଳ
ଉଦ୍ଦଣ୍ଡ ଆଲମ୍ୱ ନେତ ପତାଙ୍ଗ ଚିରାଳ
ଆଲଟ ଚାମର ପୁଷ୍ପ ଦରପଣ ପନ୍ତି
ସୁଗନ୍ଧ ଚନ୍ଦନ ଧୂପ ସଜାଇ ରଖନ୍ତି
ରାମକୃଷ୍ଣ ହସ୍ତ ଧରି ଉଗ୍ରସେନ ରାୟେ
ଚନ୍ଦନ ଚାପରେ ଯାଇ କରିଲେ ବିଜୟେ
ମଣିମା ମଣିମା ଡାକ ଦିଅଇ ଖୁଣ୍ଟିଆ
ନାବମଙ୍ଗେ ରାମକୃଷ୍ଣ ବେନି ଭାଇ ଠିଆ
ସୁରଥକୁ ଆଦିକରି ଆଉ ଯେତେ ନାତି
ସର୍ବେ ଉଠି ଉଭା ହେଲେ ରାଜା ପଛକତି
ପାତ୍ରମନ୍ତ୍ରୀ ଅମନାତ୍ୟ ବିଶ୍ୱାସିକ ଲୋକେ
ଯେ ଯାହା ସେବାରେ ଲାଗିଅଛନ୍ତି ସେବକେ
ଶ୍ରୀଛାମୁରେ ନୃତ୍ୟଗୀତ ପାଏଡ଼ା ଖଟଣି
ନାଚନ୍ତି ବିବିଧ ରଙ୍ଗେ ବାର ବିଳାସିନୀ
ସତ୍ୟଆପ୍ତବାଦୀ ବଇତାଳ ସେନାପତି
ଅତି ଉତ୍ତମ ଗଣିକା ବିଂଶ ଅଷ୍ଟଜାତି
ଯଦୁବଂଶ ଭୋଜବଂଶ କରିଣ ଗଣନା
ଅଗ୍ରେ ଭାଟ ବନ୍ଦିଗଣ କରନ୍ତି ବନ୍ଦନା
ଛାମୁରେ କରନ୍ତି ବିପ୍ରଗଣେ ବେଦଧ୍ୱନି
ଜ୍ୟୋତିଷେ ଲଗ୍ନ କହନ୍ତି ହସ୍ତେ ପାଞ୍ଜି ଘେନି
ଏମନ୍ତ ସମୟେ ଉଗ୍ରସେନ ମହାରାୟେ
ରାମ କୃଷ୍ଣ ଘେନି ସିଂହାସନରେ ବିଜୟେ
ପବନହୁଁ ବେଗେ ନାବ ଚଳାନ୍ତି ନାବିକେ
ଅଝାଳନ୍ତ ବାନ୍ଧି କାତ ମାରୁଛନ୍ତି ଥୋକେ
ଯେ ଯାହା ଲଙ୍ଗ ସାଲଙ୍ଗ ଉଦଣ୍ଡ ଆବୋରି
ନାବକ୍ରୀଡ଼ା କରୁଛନ୍ତି ନାବେ ନାବେ ଧରି
ଶୁଷ୍କକାଠ ଷଣପଟ କାଠୀ ଶୋଲଭେଳା
ବିବିଧ ରଙ୍ଗେ ରଞ୍ଜିତ ନାବ ଅସଂଖଳା
ଦଶବିଂଶ ପଞ୍ଚାଶତ ଏକରୁଣ୍ଡ ହୋଇ
ଭିନ୍ନ ଭିନ୍ନ କରି ନାବ ଘେନିଯାନ୍ତି ବାହି
ପବନହୁଁ ଖରେ ନାବ ବାହି ଅତିବେଗେ
ଏକ ପର କରି ଅନ୍ୟ ଚଳିଯାଏ ଆଗେ
ଶୁକମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତ
ଜଳକ୍ରୀଡ଼ା କରୁଛନ୍ତି ହଳୀ ଲକ୍ଷ୍ମୀକାନ୍ତ
ଉଦ୍ଧବ ଅକ୍ରୂର ଆଦି ସକଳ ଯାଦବେ
ଯେ ଯାହାରେ ରହିଛନ୍ତି ଭିନ୍ନ ଭିନ୍ନ ନାବେ
ରାଜା ନାବେ ବସିଛନ୍ତି କୃଷ୍ଣ କାମପାଳ
ଦେବକୀର ଷଡ଼ପୁତ୍ର ସୁନାମା ଦୁଲାଳ
ତହିଁର ପାରୁଶେ ଆଉ ନାବେକ ମଣ୍ଡଣି
ଅପୂର୍ବ ରଙ୍ଗ ମନ୍ଦିରେ ଝିଙ୍କାର ଛାଏଣି
ସେ ନାବରେ ଆରୋହିଲେ ହଂସ ଡ଼ିମ୍ୱ ବେନି
ଅଷ୍ଟମଲ୍ଲ କୁମରଙ୍କୁ ସଙ୍ଗତରେ ଘେନି
ସେ ସରବେ ମହାବୀର ଏକୁ ଏକ ବଳି
ପୃଥ୍ୱୀଦେବୀ ନ ସହଇ ତାଙ୍କର ଆର୍ଦ୍ଦୋଳି
ଏକେ ନାବେ ବସି ସର୍ବେ କରନ୍ତି ଭାଳେଣି
ପିତାଶତ୍ରୁ ଆମ୍ଭର ଏ ରାମ ଚକ୍ରପାଣି
ପିତୃଶତ୍ରୁ ହେଲେ ଆମ୍ଭ ଶତ୍ରୁ ଏ ଯୁକତେ
ଏହାଙ୍କୁ ମାରିବା ଆମ୍ଭେ ବିଚାର କେମନ୍ତେ
ପିତା ବୈରୀ ମାତା ବୈରୀ ଦାରାବୈରୀ ତିନି
ଏମାନଙ୍କୁ ବଧ କଲେ ନାହିଁ ଧର୍ମହାନି
ଏ ଆମ୍ଭ ପିତାଙ୍କୁ ମାରି ଅଛନ୍ତି ନିଃଶଙ୍କେ
ଆମ୍ଭେ ୟାଙ୍କୁ ନ ମାଇଲେ ପଡ଼ିବା ନରକେ
ଶରୀରେ ସାମର୍ଥ ଥିଲେ ସମର କରିବା
ନୋହିଲେ ବିଶ୍ୱାସ କରି କପଟେ ମାରିବା
ଆଖଡ଼ା ଶାଳରେ ଅବା ମାରିବା କପଟେ
ନୋହିଲେ ତ ଭୋଜନରେ ବିଷ ଦେବା କୂଟେ
କିବା ନିଦ୍ରାକାଳେ ଜଗି ଚିପିଦେବା ତୋଟି
ନୋହିଲେ ମାରିବା ରାତ୍ରେ ବାଟେଘାଟେ ପିଟି
ଘରେ ଥିବେ ଦ୍ୱାର କିଳି ଅଗ୍ନି ଲଗାଇବା
ନୋହିଲେ ପଛରେ ଥାଇ ଖଡ଼ଗେ ହାଣିବା
ଏତେ ବାଗେ ନ ମରିବେ ଯେବେ ବେନିଭାଇ
ଜୀବନ ତେଜିବା ପଛେ ପିତଶତ୍ରୁ ପାଇଁ
ଦିନୁ ଦିନ ଏହାଙ୍କର ବଢ଼ୁଅଛି ଯଶ
ଏ ଥିଲେ ଆମ୍ଭଙ୍କୁ ନିଶ୍ଚେ କରିବେ ବିନାଶ
ଏହାଙ୍କ ଯୋଗେ ଆମ୍ଭଙ୍କୁ ନାହିଁ ଆଉ ଭଲ
ମଥୁରାପୁରକୁ ନିଶ୍ଚେଁ ହୋଇଲେ ଏ ସଲ
ଉଗ୍ରସେନ ନରପତି ନ ଜାଣଇ ଏହା
କଂସ ପରା ପୁତ୍ର ମାରି ଅଛନ୍ତି ଦାରୋହା
କ୍ଷତ୍ରିୟର ଧର୍ମତ୍ୟାଗ କରି ସେ ଅଦ୍ୟାପି
ପୁତ୍ରହନ୍ତା ପାଦେ ସେବା କଲେ ମହାପାପୀ
ପୃଥିବୀରେ ରେତେକାଳ ଥିବ ଦେହ ବହି
ଏତେ ନିସତ ହୋଇଣ ରାଜ୍ୟ ଏ କରଇ
ଯଦୁ ଭୋଜବଂଶେ ଯେତେ ମହାପାପ ଥିଲା
ଉଗ୍ରସେନ ରୂପ ଧରି ଜନମ ହୋଇଲା
ଏ ପାପୀର ଏହିଗୁଣ ଜାଣି କଂସ ରାଜା
ୟା ଠାରୁ ଛଡ଼ାଇ ନେଲେ ରାଜ୍ୟ ଧନ ପ୍ରଜା
ଜଗୁଆଳପଣେ ଦେଇ ଦଣ୍ଡୁଆସି ଶାଢ଼ୀ
ସିଂହାସନ ପରେ ଆପେ ବସିଥିଲେ ମାଡ଼ି
ଏ ଯଦ୍ୟପି ନୋହିଥାନ୍ତା ଏତେ ମାନେ ନଷ୍ଟ
ବୃଦ୍ଧକାଳେ ପାଇଥାନ୍ତା କିପାଁ ପୁତ୍ରକଷ୍ଟ
ଗୁଆ ବୃକ୍ଷ ଛାଡ଼ି ଗବ ଗଛେ ପାଣି ଦେଲା
ରାଣୀ ତେଜି ପରିବାରୀ ସଙ୍ଗରେ ରମିଲା
ବିଦ୍ୟାବନ୍ତ ଛାଡ଼ି ମୂର୍ଖଜନେ କଲା ପୂଜା
ବିଷ ଆବୋରି ଅମୃତ କଲା ପରିତ୍ୟଜା
ଘଣ୍ଟା ପଥ ମାର୍ଗ ତେଜି ଉଠିଲା ଉଠାଣେ
ଦ୍ୱିଜବର ସଙ୍ଗ ଛାଡ଼ି ମିଳିଲା ପଠାଣେ
କ୍ଷୁଦ୍ର ପାଷାଣ ପୂଜିଲା ଶିବଲିଙ୍ଗ ଛାଡ଼ି
ଆମ୍ୱ ତେଜି ମହାକାଳ ଫଳ ଖାଏ ଲୋଡ଼ି
ସୁବର୍ଣ୍ଣକୁ ତ୍ୟାଗ କରି ତମ୍ୱା ଆବୋରିଲା
ମତ୍ତଗଜ ତ୍ୟାଗ କରି ଗର୍ଦ୍ଦଭେ ବସିଲା
ନିକଟରେ ତୀର୍ଥ ଛାଡ଼ି ଜୀର୍ଣ୍ଣକୂପେ ବୁଡ଼େ
ବେଦବିଦ୍ୟା ନ ପଢ଼ିଣ ବୈତାଳିକ ପଡ଼େ
ସ୍ୱହସ୍ତରେ ବିଷପାନ କଲା ଦେଖୁ ଦେଖୁ
ଏଡ଼େକ ଅଜ୍ଞାନ ସେ ଯେ ହୋଇଲା ମନକୁ
ସିଂହ ଛାଡ଼ି ଶୃଗାଳକୁ ଆପଣେ ବରିଲା
ଆମ୍ଭେ ଥାଉ ଦୁହିତାର ପୁତ୍ରକୁ ଭଜିଲା
ଶତ୍ର ନୋହିଥିଲେ କିପାଁ ସେ ଏହା କରନ୍ତା
ଏଡ଼େ ବଡ଼ ଅଇଶ୍ୱର୍ଯ୍ୟ ପରକୁ ଦିଅନ୍ତା
ଆମ୍ଭର ବଳରେ ଏହା ନୋହେ ମନା କରି
କେତେକାଳ ତୁନି ହୋଇ ରହିଥିବା ଡ଼ରି
ସେ ଅବା ବାତୁଳ ହୋଇ ନ ଜାଣିଲା କିଛି
ଆମ୍ଭ ବଳେ ଏଡ଼େ ଶିରୀ ନୁହଇ ମୂରୁଛି
ଆମ୍ଭର ଏ ପିତ୍ରାର୍ଜିତ ଅଚଳା ସମୃଦ୍ଧି
ଆମ୍ଭ ବଳେ ମନ କଲେ ତାଙ୍କର କି ବୁଦ୍ଧି
ଉଗ୍ରସେନ ଦେଲେ ନାହିଁ ଆମ୍ଭ ସନମତ
ସକଳେ ଜାଣନ୍ତି ଏହି କଥାର ତଦନ୍ତ
ଉପାୟରେ ଆଗ ରାମ କୃଷ୍ଣଙ୍କୁ ମାରିବା
ପଛେ ଏ ଉଗ୍ରସେନକୁ ବନ୍ଦିରେ ଭରିବା
ପ୍ରାଣେ ନ ମାରି ପଛକେ ଦେବାକ ଘଉଡ଼ି
ମୂର୍ଦ୍ଧା ଅଭିଷେକୀ ହେବା ସିଂହାସନ ମାଡ଼ି
ସୁନାମ ପୁତ୍ର ସୁରଥ ଅଟେ ବଡ଼ ନଷ୍ଟ
ଆଗହୁଁ କରିବା ଆମ୍ଭେ ତାର ମୁଣ୍ଡା କାଟ
ଆମ୍ଭଙ୍କୁ ଉପେକ୍ଷି ଶତ୍ରୁ ପାଗେ ସେବା କଲା
ଆପଣା ମରଣ ଆପେ ଲୋଡ଼ି ସେ ଆଣିଲା
ଜାଣିବା ନା ରାମ କୃଷ୍ଣ କେହ୍ନେ ତାକୁ ରଖି
ଅବଶ୍ୟ ଧରିଣ ଆମ୍ଭେ ଖୋଳିବା ତା ଆଖି
ଏମନ୍ତ କହି ନିୟମ କରନ୍ତି ସକଳେ
କରତାଙ୍କୁ ସାକ୍ଷୀ ଦେଇ ଯମୁନାର ଜଳେ
ଅଂଶୁମାଳୀ ନାମେ ବୀରକେଶୀର ନନ୍ଦନ
ହଂସଡ଼ିମ୍ୱ ମୁଖ ଚାହିଁ କହିଲା ଏସନ
ଏ କଥାକୁ ମନେ କିଛି ନ କର ଶୋଚନା
ଜଗତେ ବୀରଧୂ ନାମେ ଉଡ଼େ ମୋର ବାନା
ଅନେକ ଉପାୟ ମୋତେ କହିଛନ୍ତି ପିତା
ଅସୁର ସେନାପତି ମୁଁ ଅଟେ ଜଗଜ୍ଜିତା
ତୁମ୍ଭ କାର୍ଯ୍ୟ କରି ପିତୃଋଣ ମୁଁ ଶୁଝିବି
ଉପାୟ କରିଣ ରାମ କୃଷ୍ଣଙ୍କୁ ମାରିବି
ପ୍ରତାପ ଦାବାନଳ ଯେ ପୂତନା ତନୟ
ସେ ବୋଲେ ରାମ କୃଷ୍ଣଙ୍କୁ ନାହିଁ ମୋର ଭୟ
ମୋହର ମାତାଙ୍କୁ କୃଷ୍ଣ ମାରିଅଛି ଏକା
ତାକୁ ନ ମାରି ଜୀବନ ମୋର କାହିଁ ଲେଖା
ବୀର ବେଲାବଳି ବୋଲି ଶକଟାର ବଳା
ଦୁର୍ବାର ବଳବନ୍ତ ସେ ତେଜ ଅନର୍ଗଳା
ବାହାନାଦ କରିଣ ସେ ବୋଲେ ପରିଘାଇ
ରାମକୃଷ୍ଣ ନା ମାଇଲେ ପ୍ରାଣେ କାର୍ଯ୍ୟ ନାହିଁ
ମୋ ପିତାଙ୍କୁ ମାରିଛି ସେ ଯେତେ କଷ୍ଟଦେଇ
ଅବଶ୍ୟ ତା ଶୁଝାଇବି ତୁମ୍ଭ ଅନ୍ନ ଖାଇ
ଷଣ୍ଢାର ପୁତ୍ର କଞ୍ଚନ ନାମେ ମହାବୀର
ପ୍ରତାପୀ ସେ ସାମରଥ ସଂଗ୍ରାମରେ ଶୂର
କୋପଭରେ ଶିର ଝୁଣି ବୋଲଇ ସେ ରାଗେ
ରାମ କୃଷ୍ଣ ବେନି ଭାଇ ରହିଲେ ମୋ ଭାଗେ
ପିତୃହନ୍ତା ବୈରୀ ମୋର ସାଧିବି ଅବଶ୍ୟ
ଶତେ ଉଗ୍ରସେନ ହେଲେ କରିବେଟି କିସ
ଦୁର୍ଗମ ଜଗଜ୍ଜେଠି ସେ ଚାଣୁର ତନୟ
ବୋଲନ୍ତି ତ୍ରିପୁର ଆମ୍ଭେ କରିପାରୁ ଜୟ
ତୁମ୍ଭେ କି ନ ଜାଣ ଆମ୍ଭ ପିତାର ପ୍ରତାପ
ଦେବ ଗନ୍ଧର୍ବଙ୍କୁ ଧରି ମାଇଲା ମୋ ବାପ
ଅନିବାର ରଣେ ତାଙ୍କୁ ମାଇଲା ଏ ହରି
ମୁଁ ଏହାକୁ ନ ମାଇଲେ ନ ପାରେ ପାସୋରି
ତୁମ୍ଭେ ଯେ ସମସ୍ତେ ଏବେ ଘେନ ମୋର ବୋଲ
ରାମକୃଷ୍ଣ ଥିଲେ ଆଉ ନାହିଁ ଆମ୍ଭ ଭଲ
କ୍ଷୀର ଦେଇ କାଳସର୍ପ ପୋଷିବା ସଦୃଶ
ଶତ୍ରୁକୁ ବଢ଼ାଇଥିଲେ ଆମ୍ଭେ ଯିବା ନାଶ
ଏଥିରେ ବିଳମ୍ୱ ଆମ୍ଭେ ଆଉ ନ କରିବା
କୂଟ ପାଞ୍ଚି ଚାଲ ବେନି ଭାଇଙ୍କି ମାରିବା
କେହୁ ଯେ ବୋଲନ୍ତି ଜଳେ ମାରିବା ବୁଡ଼ାଇ
ପଦ ଧରି ଓଟାରିଣ ନେବା ତଳେ ଥାଇ
କେ ବୋଲନ୍ତି କଉତୁକେ ବୁଡ଼ାବୁଡ଼ି ହେବା
ଏକବେଳେ ବେଇ ସର୍ବେ ବୁଡ଼ାଇ ମାରିବା
କେହି ଯେ ବୋଲନ୍ତି ନାବୁ ଦେବା ଫୋପାଡ଼ାଇ
ତହିଁର ଉପରେ ସର୍ବେ ପଡ଼ିବାକ ଡ଼େଇଁ
ହଂସ ଡିମ୍ୱ ବୋଇଲେକ ଯେ ତୁମ୍ଭର ଇଚ୍ଛା
ଯେମନ୍ତେ ପ୍ରକାରେ ଆମ୍ଭେ ଏଥୁ ହେବା ରକ୍ଷା
ତହିଁକି ଉପାୟ ତୁମ୍ଭେ ନାନାମତେ କର
ବଳ ନ ପାଇଲେ ଭାଳି ଆଗୁଁ ଅପସର
ଯେ ଯାହାର ବନ୍ଧୁ ଆଶ୍ରେ କରିବାକ ଯାଇ
ଅନିମିତ୍ତେ ପ୍ରାଣ ଦେବା କିପାଁ ଏଥେଁ ରହି
ମାଲଙ୍କ ପୁତ୍ରେ ବୋଲନ୍ତି ଶୁଣ ଯୁବରାଜା
ପିତା ଶତ୍ରୁ ନ ମାଇଲେ ପାଉଥିବ ଲଜ୍ଜା
ଆବର ଅଳପ ଦିନ ଥାଅ ସ୍ଥିରହୋଇ
ଏହି ସଞ୍ଜାତେ ମାରିବା ରାମ କୃଷ୍ଣ ଦୁଇ
ଏସନ ବିଚାର କରି ପାଞ୍ଚନ୍ତି ସେ କୂଟ
ଅଚ୍ୟୁତ ବୋଲଇ କାଳ ହୋଇଲା ନିକଟ
ମାୟାଧାର ବାନା ଅଟେ ଯେଉଁ କୃଷ୍ଣଙ୍କର
ତାଙ୍କୁ କି କରିବେ କୂଟ ପାଞ୍ଚିଣ ଏ ଛାର

ଚନ୍ଦନ ଯାତ୍ରା[ସମ୍ପାଦନା]

ଶୁକ ବ୍ରହ୍ମ ବୋଲନ୍ତି ଯେ ପରୀକ୍ଷିତ ଶୁଣ
ଏସନ ଭାଳେଣି କଲେ ସେ ଚଉଦ ଜଣ
ଉଗ୍ରସେନ ଆଦିକରି ନ ଜାଣନ୍ତି କେହି
ମନକଥା ମନମଧ୍ୟେ ରଖିଲେ ଲୁଚାଇ
ଏଥୁ ଅନନ୍ତରେ ଦିନକର ଅସ୍ତ ହେଲେ
ବ୍ରାହ୍ମଣେ ସନ୍ଧ୍ୟା ସୁମରି ଦେବପୂଜା କଲେ
ପଢ଼ା ସାରି ଚାଟ ପୋଏ ଗଲେ ଯେଝା ଘରେ
ପକ୍ଷିଗଣ ଆଶ୍ରା ନେଲେ ବୃକ୍ଷମାନଙ୍କରେ
କାକ ବକ ମୌନ ହେଲେ ବସି ବୃକ୍ଷଶିଖେ
ଉଲୁକ ପେଚକ ବୁଲିଗଲେ ଅନ୍ତରୀକ୍ଷେ
କମଳେ ମୁଦ୍ରିତ ହେଲେ କଇଁ ବିକଶିଲେ
ତାରଗଣ ଉଦେ ହୋଇ ଗଗନ ମଣ୍ଡିଲେ
ସଧବା ଯୁବତୀମାନେ ହୋଇଲେ ହରଷ
ବିଧବା ଯୁବତୀ ମନେ ବଢ଼ିଲା ବିରସ
କଟୁଆଳମାନେ ଜଗି ଆବୋରିଲେ ଠଣା
ବିଟପୀଏ ପତିଙ୍କର ବୁଦ୍ଧି କଲେ ବଣା
ତସ୍କର ବୁଲିଲେ କନ୍ଦି ବିକନ୍ଦିର ବାଟେ
ହାଟୁଆ ତାମ୍ୱୁଳୀ ଦୀପ ଲଗାଇଲେ ହାଟେ
ବେଶ୍ୟାଏ ବସିଲେ ବିଟ ପୁରୁଷଙ୍କୁ ଜଗି
ଦାଣ୍ଡ ହାଟ ପରିମଳ ଦିଶେ ଦୀପ ଲାଗି
ବିରହିଣୀ ନାୟିକାଙ୍କୁ ଲାଗିଲାକ ବ୍ୟଥା
ଦୂତୀର ଆଗେ କହନ୍ତି ହୃଦୟର ବ୍ୟଥା
ଦେବଦେବୀ ମନ୍ଦରରେ ବସି କଲେ ପୂଜା
ଧୂପ ଦୀପ ନଇବେଦ୍ୟ ନାନା ବଳି ଭୋଜା
ନିଶାଚର ଜନ୍ତୁମାନେ ହୋଇଲେ ବାହାର
ପ୍ରହରୀ ଜଗିଲେ ସ୍ଥାନ ମାଡ଼ି ଯେ ଯାହାର
ନିଅବକାଶରେ ବିଜେ ରାଜା ଉଗ୍ରସେନ
ବସୁଦେବପୁରେ ଗଲେ ରାମ ଭଗବାନ
ରାମକୃଷ୍ଣ ସଙ୍ଗତରେ ଗଲେ ଏ ସମସ୍ତେ
ଆପଣା ପୁରକୁ ଗଲେ ହଂସ ଡ଼ିମ୍ୱ ବେନି
ସକଳ ଯାଦବ ପାତ୍ର ମନ୍ତ୍ରୀ ଆଦି କରି
ରହିଲେ ଯମୁନାନଦୀ କୂଳକୁ ଆବୋରି
ସେଠାରେ କରନ୍ତି ସର୍ବେ ସ୍ନାହାନ ଭୋଜନ
ଚନ୍ଦନ ଯାତ୍ରାରେ ଭୋଳ ସମସ୍ତଙ୍କ ମନ
ଏହି ପରକାରେ କିଛି ଦିନ ଗଲା ବହି
ଉଗ୍ରସେନ ଆଗେ ଚାର ଜଣାଇଲା ଯାଇ
ସାବଧାନ ହୋଇ ତୁମ୍ଭେ ଶୁଣ ଭୋଜ ରାୟେ
ମଥୁରାକୁ ଲାଗିଲା ତୋ ନାତିଙ୍କର ଭୟେ
ଯୁବରାଜ ବୋଇ କିପାଁ କରନ୍ତି ଅନୀତି
ଏବେ ତିଆର ସେ ନ ଧରନ୍ତୁ ଦୁଷ୍ଟମତି
ଶୁଣି ଉଗ୍ରସେନ ନାତିମାନଙ୍କୁ ହକାରି
ଅନେକ ମନେ ବୁଝାଇ କହିଲେ ତିଆରି
ଦେବକୀ ସହିତେ ଇନ୍ଦୁମତୀ ରାଣୀ କେତେ
ବୁଝାଇ କହିଲେ ପାଶେ ବସି ନାନାମତେ
ବଧିର ଶୁଣଇ ନିକି କମ୍ୱୁ ଶବ୍ଦବାଣୀ
ଅଧିକରେ କୋପ କଲେ ହିତ କଥା ଶୁଣି
ବୋଲନ୍ତି ବୃଦ୍ଧ ପ୍ରାଣୀର ବୁଦ୍ଧି ଯାଏ ନାଶ
ବୁଦ୍ଧି ନାଶ ଗଲେ ତାର ତୁଟଇ ଆୟୁଷ
ନିସତ ହୋଇଲ ତେଣୁ ତୁମ୍ଭେ ବୃଦ୍ଧ କାଳେ
ଆମ୍ଭେ ନାଶଯିବୁ ନିଶ୍ଚେଁ ପିତାଙ୍କର ଛଳେ
ଏ ଶରୀର ଅଜ୍ରାମର ନୁହଇ କାହାରି
ସଂସାରେ ଜନମ ହେଲେ ପ୍ରାଣୀ ନିଶ୍ଚେଁ ମରି
ଆମ୍ଭେ କରି ନ ପାରିବୁ ଯେବେ ପିତୃକାର୍ଯ୍ୟ
ଏ ଜୀବନ ରଖି ଆଉ ହେବ କେଉଁ କାର୍ଯ୍ୟ
ତୁମ୍ଭର ଏଥିରେ ଆଉ ଅଛି କି ଉପାୟ
ରାଜ୍ୟ ଛାଡ଼ି ଯାଅ ଯେବେ ଲାଗୁଅଛି ଭୟ
ଶୁଣି ଶଙ୍କା କଲେ ଉଗ୍ରସେନ ନରନାହା
ଇନ୍ଦୁମତୀ ବୋଇଲେ ମୁଁ ଅର୍ଜିଅଛି ଯାହା
ଆଗହୁଁ ଶ୍ରୀକୃଷ୍ଣ ମୁଖୁଁ ଏହା ମୁଁ ଶୁଣିଛି
ବିଧାତାର ଘଟସୂତ୍ର କେ ପାରିବ ଲେଖି
କଂସପରା ପୁତ୍ରକୁ ମୁଁ ମୂର୍ଚ୍ଛିଲି ଏ ଦେହେ
କେତେ ଗଞ୍ଜି ହେବି ତୁମ୍ଭ କଥା ଶୁଣି ମୋହେ
କର୍ମକର୍ତ୍ତା ପୁରୁଷର ସଙ୍ଗେ ବାଦୀ ହେଲ
ଆପଣା ହସ୍ତରେ ଆପେ ଗରଳ ଭକ୍ଷିଲ
କର୍ମେ ଯାହା ଲେଖିଅଛି ବିଧାତା ପୁରୁଷ
ମୁଁ ତାହା ଭୁଞ୍ଜିବି ଏଥେ ନାହିଁ କାରଦୋଷ
ଏତେ ବୋଲି ଭିତରକୁ ରାଣୀ ଗଲେ ଉଠି
ଉଗ୍ରସେନ ବିଚାରନ୍ତି ପଡ଼ିଲା ଅରିଷ୍ଟି
ପ୍ରତିଜ୍ଞା କରିଣ ଗଲେ ମାଲ ପୁତ୍ର ଘେନି
ଏମନ୍ତ ବିଚାରୁ ରାତ୍ର ହେଲା ପାଞ୍ଚ ଘଡ଼ି
ଉଗ୍ରସେନ ନିଦ୍ରାଗଲେ ପଲ୍ୟଙ୍କେ ପହୁଡ଼ି
ସମସ୍ତ ଯାଦବେ ଗଲେ ଯେଝା ନିଜ ସ୍ଥାନେ
ପୁଣିହିଁ ଚରଚା କଲେ ରାତ୍ର ଅବସାନେ
ଯେ ଯାହା ଚରଚା ସାରି ଉତ୍ସବରେ ମିଳି
ଅଝାଲ ବାନ୍ଧିଣ ନାବେ କରୁଛନ୍ତି କେଳି
ଚାପ ଚଉକୀ ଯୋଗେଣ ଗଭୀର ତ ବାରି
ଯୋଖି ଯାଖି ବୋଇତ ଯେ ନାବ ମହାତରୀ
ଝଙ୍କା ଝଙ୍କା ପଲ ପଲ ନାବ ଭେଳା ଭେଳା
ହାଲ ହୋଳି କାଳିନ୍ଦୀରେ ଯେ ତରଙ୍ଗମାଳା
ସିଂହାସନ ଚଉକୀରେ ବିଜେ ଉଗ୍ରସେନ
ବାମ ଡ଼ାହଣରେ ଉଭା ରାମ ଭଗବାନ
ଛାମୁରେ ସୁରଥ ଧରିଛନ୍ତି ଶ୍ୱେତଛତ୍ର
ନାବରେ ଅଛନ୍ତି ଦେବକୀର ଷଡ଼ପୁତ୍ର
ହଡ଼ପ ଧୂପ ନିଯୋଗ ଛୁରୀ ଖଣ୍ଡା ଫରୀ
ଖଟଣି ସାମନ୍ତ ହୋଇ ନାତିମାନେ ଧରି
ବାହୁଛନ୍ତି କଣ୍ଡେଆର ପ୍ରଖର ଯେ ନାବ
କାତ କେରୁଆଳ ମେଲି ହୁଂକାର ପ୍ରଭାବ
ବାଜଇ ବିବିଧ ବାଜା ଅପ୍ରମିତ ଧ୍ୱନି
ଅମର ଦୁନ୍ଦୁଭି ରବେ କମ୍ପେ ପୁରତିନି
ବିଷ୍ଣୁ ଚାପକେଳି କଥା କହନ୍ତେ ନ ସରେ
ମନୋହର ଦିଶୁଅଛି ଯମୁନା ଜଳରେ
ଏ ଭବସାଗରେ ଭେଳା ଯାହାଙ୍କର ନାମ
ସେ ହରିପାଦେ ଅଚ୍ୟୁତ ପଶଇ ଶରଣ

ହଂସଡିମ୍ୱ ଓ ଅଷ୍ଟମଲ୍ଲ ପୁତ୍ରଙ୍କର ମୃତ୍ୟୁ ଏବଂ ମଥୁରା ନରନାରୀଙ୍କର ଶୋକ[ସମ୍ପାଦନା]

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି
ଇଦଂ ଶିରୀ ଭାଗବତ ପୁଣ୍ୟମୟ କୀର୍ତ୍ତି
ଅଶେଷ କୋଟି ଚରିତ କେ ଅନ୍ତ କରିବ
ସପ୍ତସିନ୍ଧୁ ବାହି କେବା ଶୁଖାଇ ପାରିବ
ନାମ ମାତ୍ର ଉଗ୍ରସେନ ମଥୁରାରେ ରାଜା
ବିଷ୍ଣୁନାଥ ବ୍ୟତିରେକେ ଆନେ ନାହିଁ ପୂଜା
ଯେ ମହତ ଲୋକ ସେହୁ ନ ଲଙ୍ଘଇ କୂଳ
ମହତ ଲଙ୍ଘିଲେ ପୃଥ୍ୱୀ ଯିବ ରସାତଳ
ଦେବକୀର ପୁତ୍ର ରାମ କୃଷ୍ଣ ବେନି ଭାଇ
ଉଗ୍ରସେନ ଦେବକୀର ଜନକ ଅଟଇ
ରାମ କୃଷ୍ଣ ବେନିଭଇ ଉଗ୍ରସେନ ନାତି
ତେଣୁ ମାନ୍ୟ କରି ତାକୁ ରାଜା କରିଛନ୍ତି
ମହତକର୍ମା ଧାର୍ମିକ ଅଟନ୍ତି ଶ୍ରୀହରି
ଉଗ୍ରସେନ ରାଜା ଏହା ଜାଣେ ତଥ୍ୟ କରି
ପରମା ସାଧବୀ ସତୀ ଇନ୍ଦୁମତୀ ରାଣୀ
ପ୍ରତ୍ୟକ୍ଷ ଏ ବିଷ୍ଣୁ ବୋଲି ପୂର୍ବୁ ଅଛି ଜାଣି
ସାତ୍ୟକି ଯେ ଅନାଧୃଷ୍ଟ ଉଦ୍ଧବ ଅକ୍ରୂର
ଏମାନଙ୍କୁ ଆଦି ଯେତେ ଯଦୁବଂଶ ବୀର
ସମସ୍ତେ ନିଶ୍ଚୟ କରି ମନେ ଗଲେ ପ୍ରତେ
ଏ ଦେହରେ ମୁକ୍ତିଲାଭ କରିବା ନିଶ୍ଚିନ୍ତେ
ବୈଷ୍ଣବ ମତରେ ସେବା କରୁଥାନ୍ତି ନିତି
ଜନ୍ମ ମୃତ୍ୟୁ ବାଧାକୁ ସେ ଭୟ ନ କରନ୍ତି
ସର୍ବଦା ଯାଦବଗଣ ଅଟନ୍ତି ଶକତା
କଂସ ମଲା ଦିନୁ ପୁଣି ଭାଳନ୍ତି ଏ କଥା
ଏ ବଂଶରେ ଅବତାର ହୋଇଛନ୍ତି ହରି
ଯାଦବଙ୍କୁ ସଂସାରେ କେ ଅଛି ସମସରି
ନାବକେଳି କରୁଛନ୍ତି ରାଜା ଉଗ୍ରସେନ
ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ଆନନ୍ଦିତ ମନ
କଂସର ନନ୍ଦନ ହଂସ ଡ଼ିମ୍ୱ ଭାଇ ଭେନି
ନାବ ଖେଳୁଥିଲେ ଅଷ୍ଟମଲ୍ଲ ପୁତ୍ର ଘେନି
ପବନ ଆଘାତେ ନାବ ବାହନ୍ତି ଚହଟି
ରାଜାଙ୍କ ନାବ ସନ୍ନିଧେ ହେଲେ ଭେଟାଭେଟି
ବିଚିତ୍ର ମଣ୍ଡଣି ନାବ ମଧ୍ୟେ ସିଂହାସନ
ନବରତ୍ନେ ନିର୍ମାଣ ସେ ଦିଶେ ଶୋଭାବନ
ନେତ ପତନି ସିନ୍ଧୁଆ ଶାଢ଼ୀ ଝୀନବାସ
ଝଲକନ୍ତି ଚଉପାଶେ ତାରକା ସଦୃଶ
ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ସୂଚିକମ ନୂଆ
ରସାଣିଲା ପାନପତ୍ର ଝଲକ ପାତିଆ
ସୁବର୍ଣ୍ଣ କଲଶ ଉର୍ଦ୍ଧ୍ୱ ଉଡ଼େ ବିତପନ
ଶାରଦା ମେଘରେ ଶୋହେ ବିଜୁଳି ଯେସମ
ସେବତୀ ମାଳତୀ ମଲ୍ଲୀ ଚମ୍ପକ ବକୁଳ
ପାଟ ଫୁଲମାନଙ୍କରେ ଝରା ଝୁମ୍ପା ଲମ୍ୱେ
ନାବ ସିଂହାସନେ ବିଜେ ରାଜା ଉଗ୍ରସେନ
ବାମ ଦକ୍ଷିଣରେ ଛନ୍ତି ରାମ ଭଗବାନ
ସୁରଥ ଧବଳ ଛତ୍ର ଟେକି ଆଗେ ଉଭା
ଆବର ଯେ ଷଡ଼ ନାତି କରୁଛନ୍ତି ସେବା
କଂସ ରାଜା ପୁତ୍ରେ ଯାଇ ଭେଟିଣ ନିକଟେ
ବକ୍ରଭାବେ ନାବ ବାହି ନେଲେ ଆନବାଟେ
ରାଜାଙ୍କୁ ଆଦିକରି ସେ ନ କଲେ ଦର୍ଶନ
ସମସ୍ତେ ବିଚାର କରି ହେଲେ ଏକମନ
ବୋଲନ୍ତି ମରିବା ରାମ କୃଷ୍ଣଙ୍କୁ ଯେ ବେଢ଼ି
ଏତେ ପାଞ୍ଚି କପଟରେ ହେଲେ ବୁଡ଼ା ବୁଡ଼ି
ଆମ୍ଭଙ୍କୁ ଅନ୍ତର କରେ ଉଗ୍ରସେନ ଚିତ୍ତେ
ଏତେ ମାନହୀନ କଥା କହିବା କେମନ୍ତେ
ତିଳେମାତ୍ର ଜ୍ଞାନ ନାହିଁ ଦେଖ ୟାର ଦେହେ
ଦୁହିତା ପୁଅଙ୍କୁ ମାନି ଆମ୍ଭଙ୍କୁ ନ ଚାହେଁ
ବସୁଦେବ ବଂଶ ଆମ୍ଭେ ସଂହାରିବା ଏବେ
ଦେବତା ଗନ୍ଧର୍ବ ହେଲେ ରଖି ନ ପାରିବେ
ଉଗ୍ରସେନକୁ ଏଠାକୁ ଦେବାକ ଘଉଡ଼ି
ମଥୁରା କଟକ ଆମ୍ଭେ ବସିବା ଯେ ମାଡ଼ି
ଇନ୍ଦ୍ରଙ୍କୁ ଜିଣିମା ପଶି ଅମର ମଣ୍ଡଳେ
ଆମ୍ଭ ମାତାମହ ଜରାସନ୍ଧ ନୃପବର
ଛୟାଣୋଇ ସସ୍ରରାଜା ବନ୍ଦୀ ଯାହାଘର
ଭାଇ ଶିଶୁପାଳ ବଳବନ୍ତ ଶିରୋମଣି
ଶ୍ୱଶୁର ବାଣାସୁର ତ ତ୍ରୈଲୋକ୍ୟ କାରେଣି
ରୁକ୍ମଣ ଦନ୍ତବକ୍ର ଏ ଦୁହେଁ ଆମ୍ଭ ମିତ୍ର
ପବିତ୍ର ବଂଶରେ ଜାତ ଆମ୍ଭେ କଂସ ପୁତ୍ର
ବୀରଧୂ ବୋଲାଉ ଆମ୍ଭେ ସୋମବଂଶୀ କ୍ଷତ୍ରୀ
ସ୍ୱର୍ଗେ ପୂରିଅଛି ପିତୃ ପିତାମହ କୀର୍ତ୍ତି
ପୁରୁରବା ସ୍ୱର୍ଗପୁର ବସିଥିଲେ ମାଡ଼ି
ନହୁଷ ଇନ୍ଦ୍ର ହୋଇଲେ ଦେବେ ଗଲେ ଛାଡ଼ି
ଅତ୍ରି ମହାଋଷି ହେଲେ ତହିଁରେ କାରେଣି
ଏ ନିମନ୍ତେ ସ୍ୱର୍ଗଲୋକେ ପଡ଼ିଲା ଭାଳେଣି
ଆମ୍ଭ ପିତା ସ୍ୱର୍ଗପୁର ଜୟ କଲେ ହେଳେ
ଦେବଗଣେ ଖଟୁଥିଲେ ତାଙ୍କ ପାଦତଳେ
ସବୁ ଅକାରଣ ହେଲା ରାମକୃଷ୍ଣ ଯୋଗୁଁ
ପାରୁ ବା ନ ପାରୁ ବେଳେ ତା ସଙ୍ଗତେ ଲାଗୁ
କଂସ ନନ୍ଦନର ମୁଖୁ ଏସନକ ଶୁଣି
କେଶୀ ପୁତ୍ର କର ଯୋଡ଼ି କହେ ତାକୁ ପୁଣି
ଅବିଚାର କରି ତୁମ୍ଭେ ଏ କଥା କହିଲ
ପ୍ରତ୍ୟକ୍ଷ ଦେଖିବା କଥା ଅନୁମାନ କଲ
ରାମକୃଷ୍ଣ କଥା ମୋତେ ଲଗେ ଅଗୋଚର
ସାମାନ୍ୟ ପରାୟେ ତାଙ୍କୁ ମନରେ ନ ଧର
କେଶୀ ଷଣ୍ଢା ବକା ଆଦି ବୀରଙ୍କୁ ବଧିଲା
କ୍ଷୀର ସଙ୍ଗେ ପୂତନାର ପରାଣ ବଧିଲା
କଂସପରା କ୍ଷତ୍ରୀ ମଲା ଦେଖନ୍ତେ ଯାହାକୁ
ସମରେ ଜିଣନ୍ତା ଆମ୍ଭେ ନୋହିବା ତାହାକୁ
ସମ୍ମୁଖ ସଂଗ୍ରାମେ ଆମ୍ଭେ ନୋହୁ ତାକୁ ସରି
କେବଳ ମାରିବା କୂଟେ କଉଶଳ କରି
ବିଚାରି ବିଚାରି କଥା ଦିନୁ ଦିନୁ ଆନ
ବେଳ ଜାଣି କାର୍ଯ୍ୟ କଲେ ରକ୍ଷା ହୋଏ ମାନ
ଆଜହୁଁ ଅଧିକ ଭେଟ ପାଇବା ଯେ ନାହିଁ
ଏଠାରେ ମାରିବା ତାର ସଙ୍ଗେ କେହି ନାହିଁ
ସର୍ବେ ବସିଛନ୍ତି ରୁଣ୍ଡ ହୋଇ ଏକ ନାବେ
ଏପରି ସୁଯୋଗ ନ ପାଇବା ଆନ ଠାବେ
ପାଣି ଭିତରେ ନଉକା ବିମାନେ ଆରୋହି
ଖେଳରଙ୍ଗେ ମାତିଛନ୍ତି କଉତୁକ ପାଇ
ପ୍ରୀତି ଉପୁଜାଇ ତାଙ୍କୁ କପଟେ ଆଣିବା
ଯେ ଯାହାର ଜଗି ବାଟ ନିରୋଧି ମାରିବା
ଏବେ କୁଟ କରି ତାଙ୍କୁ ଡାକିବା କତିକି
ପ୍ରତେ କରି ଆସେ କିବା ନ ଆସେ ତରିକି
ପାଶକୁ ଅଇଲେ ସିନା ସବୁ କରିପାରି
ସମସ୍ତେ ଆଦର କରି ଆଣିବା ହକାରି
ଏଥୁ ଅନନ୍ତରେ ନାବ ବାହନ୍ତି ବାହକେ
କୀଳା ପୋତି ତରୀମାନେ ଖଟାଇଲେ ଥୋକେ
ବାରିମଧ୍ୟେ ଥୋକେ ନାବ ଧୀରେ ଧୀରେ ଚଳେ
ଥୋକେ ନାବ ସ୍ଥିର ହୋଇ ରହିଅଛି କୂଳେ
ଥୋକାଏ ନାବରେ ଶୁଭେ ଗୀତ ନୃତ୍ୟରଙ୍ଗ
ବେଣୁ ବୀଣା ଅଁଳାବେଶୀ ଅଧାଟୀ ଉପାଙ୍ଗ
ବହଇ ଦକ୍ଷିଣ ବାତ ଉଛୁଳଇ ଜଳ
କର୍ପୂର କସ୍ତୁରୀ ଗନ୍ଧ ଚନ୍ଦନ ଶୀତଳ
ବିଞ୍ଚନ୍ତି ଆମୋଦ ପାଇ ପୁଷ୍ପ ବିଞ୍ଚଣାରେ
ଭୀସିତ ବାସିତ ପୁଷ୍ପ ପାଣିର ଭିତରେ
ନାବକେଳି କରୁଛନ୍ତି ହଳୀ ଚକ୍ରପାଣି
ହଂସ ଡ଼ିମ୍ୱ ଆଦି ଦୁଷ୍ଟେ ସେ ସମୟ ଜାଣି
ନାଚେ ନାବ ଭେଟାଇଣ ରାଜାଙ୍କୁ ନମିଲେ
ଏକକୁ ଆରେକ ଚାହିଁ ପୁଚ୍ଛାପୁଚ୍ଛି ହେଲେ
କୂଟରେ ମଧୁର କହି ବଢ଼ାଇଣ ଭାବ
ସର୍ବେ ଉଠି ଆରୋହିଲେ ରାଜାଙ୍କର ନାବ
ଦେଖିଣ ସନ୍ତୋଷ ହେଲେ ଉଗ୍ରସେନ ରାୟେ
ମାଲଯୁଦ୍ଧ ଘେନି ଉଭା କଂସ ବେନି ପୋଏ
ମନପବନ ନାବକୁ ବାହେ କର୍ଣ୍ଣଧାର
ସଦଭାବେ ବସିଛନ୍ତି ରାମ ଦାମୋଦର
ଅଷ୍ଟମଲ୍ଲ କୁମରଙ୍କୁ ହଂସ ଡ଼ିମ୍ୱ ଚାହିଁ
ବୋଲନ୍ତି ଏପରି ଯୋଗ ଖୋଜିଲେ ନ ପାଇ
ରାମକୃଷ୍ଣ ଏ ଦୁହିଙ୍କୁ ନାବୁ ପେଲିଦେବା
ଜଳରେ ପଡ଼ନ୍ତେ ଡ଼େଇ ମାଡ଼ିଣ ବସିବା
ଏକାବେଳେ ଗୋଳକରି ମାରିବା ବୁଡ଼ାଇ
ଆମ୍ଭ ହସ୍ତୁ ଫିଟି ସତେ ଯିବେ କି ପଳାଇ
ଏମନ୍ତେ ବିଚାର କରି ଠରା ଠରି ହ୍ୱନ୍ତେ
ଅନ୍ତର୍ଯ୍ୟାମୀ ପ୍ରଭୁ ତାହା ଜାଣି ଅନ୍ତର୍ଗତେ
ମନେ ମନେ ବିଚାରନ୍ତି ଏ ଦୁଷ୍ଟ ପାମରେ
ଅନିମିତ୍ତେ ହିଂସା କରୁଛନ୍ତି ଆମ୍ଭଠାରେ
କାଳ ଆସି ଏହାଙ୍କର ଧଇଲାଣି ବାଳ
ଆପଣା ଦୋଷରେ ଆପେ ଯିବେ ଯମଆଳ
ଏହାଙ୍କର ପିତାମନେ ଦୁଷ୍ଟପଣ କରି
ଦେହ ଛାଡ଼ି ଯାଇଛନ୍ତି ଆମ୍ଭ ହସ୍ତେ ମରି
ତାଙ୍କଠାରୁ ବଳି ଦୁଷ୍ଟ ଏ ଚଉଦ ଜଣ
ସର୍ବଦା ଏ ସଜ୍ଜନଙ୍କୁ ଦିଅନ୍ତି କଷଣ
ମୋତେ ମାରିବାକୁ କୂଟେ କରନ୍ତି ଉପାୟ
ମୁଁ ୟାଙ୍କୁ ମାଇଲେ ପୃଥ୍ୱୀଭାରା ହେବ କ୍ଷୟ
ପୃଥ୍ୱୀଭାରା ନିବାରଣେ ମୋର ଅବତାର
ନିବର୍ତ୍ତି ରହିବା କଥା ନୁହଇ ବେଭାର
ଏମନ୍ତ ଭାବନା କରି ପ୍ରଭୁ ଶିରୀପତି
ପବନଙ୍କୁ ଅନ୍ତର୍ଗତେ ଧ୍ୟାୟି କଲେ ସ୍ତୁତି
ଜୟ ତୁ ପବନ ଦେବ ସର୍ବ ଅନ୍ତର୍ଯ୍ୟାମୀ
ନିମିଷକେ ଚରାଚର ସୃଷ୍ଟି ପାର ଭ୍ରମି
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଶରୀରେ
ବାସକରି ରହିଅଛ ପ୍ରାଣ ସ୍ୱରୂପରେ
ମେରୁଗିରି ଶତ୍ରୁ ତୁମ୍ଭେ ମହା ବଳବନ୍ତା
ମନ ବୁଦ୍ଧି ଅହଙ୍କାର ସବୁହିଁ ପୂରନ୍ତା
କଳ୍ପନା କାମନାନିଧି ସର୍ବତ୍ର ଅଜେୟ
କଳ୍ପ କଳ୍ପାନ୍ତପ କାଳେ ନାହିଁ ତୁମ୍ଭ କ୍ଷୟ
ତବ ଗର୍ଭ ମଧ୍ୟେ ସୃଷ୍ଟି ହୁଏ ଆତଯାତ
ଅନାଦି ଅନନ୍ତ ତୁମ୍ଭେ ସର୍ବଦା ଅଚ୍ୟୁତ
ଅଶେଷ କୋଟି ବ୍ରହ୍ମାଣ୍ଡେ ରହିଅଛି ଘୋଟି
ନିମିଷକେ ଜିଣିପାରେ ଚରାଚର ସୃଷ୍ଟି
ସଂସାରେ ନୋହବ ଯେବେ ତୁମ୍ଭେ ଆତଯାତ
କ୍ଷଣେ ରହି ନ ପାରିବ ଅଶେଷ ଜଗତ
ଅଜୀବର ଜୀବ ତୁମ୍ଭେ ଅଟ ଜୀବଦାନୀ
ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି
ଯେତେ ବୋଲି ତେତେମାନେ ଧରିପାର ରୂପ
ଯୋଗୀଗମ୍ୟ ଅଟେ ତୁମ୍ଭେ ଅଚିନ୍ତ୍ୟ ସ୍ୱରୂପ
କୀଟୁ ବ୍ରହ୍ମ ପରିଯନ୍ତେ ସୃଷ୍ଟି ତମ୍ଭେ ସ୍ଥାପି
ଜଳ ସ୍ଥଳ ଅନଳରେ ରହିଅଛି ବ୍ୟାପି
ନମସ୍ତେ ହେ ସମୀରଣ ପୃଥ୍ୱୀ ଆପତତ୍ତ୍ୱ
ଅନଳ ଆକାଶ ଘେନି ତୁମ୍ଭେ ପଞ୍ଚଭୂତ
ତୁମ୍ଭେ ଯହିଁ ଅଛ ତହିଁ ରହିଅଛି ଜୀବ
ତୁମ୍ଭେ ଛାଡ଼ିଗଲେ ପ୍ରାଣୀ ହୁଏ ମୃତ୍ୟୁଶବ
ଲୋହପାଶଧାରୀ ତୁମ୍ଭେ ଶରଚାପ କର
ବିଜୟ ନାମରେ ମୃଗ ବାହନ ତୁମ୍ଭର
ନାନା ରତ୍ନ ଆଭରଣେ ଶୋଭାପାଏ ତନୁ
ଅକ୍ଷୟ ପୁରୁଷ ତୁମ୍ଭେ ଯୁଗକଳ୍ପ ମନୁ
ପବନ ଦେବତା ପାଦେ ଶତେ ବାର ନମି
ଅଚ୍ୟୁତ ଦାସ କବିଙ୍କି ଉଦ୍ଧରିବା ସ୍ୱାମୀ
ଏସନକ ସ୍ତୁତି ଯହୁଁ କଲେ ନାରାୟଣ
ଛାମୁରେ ମରୁତ ଆସି ମିଳେ ତତ୍‌କ୍ଷଣ
ଶିରେ କରପତ୍ର ଯୋଡ଼ି ପବନ ବୋଲନ୍ତି
କେବଣ କାରଣେ ମୋତେ ସ୍ମରିଲ ଶ୍ରୀପତି
ଶ୍ରୀକୃଷ୍ଣ ବୋଇଲେ ଆମ୍ଭେ ଭାରାନାଶ ଅର୍ଥେ
ମାନବ ଶରୀର ଧରି ଜାତ ହେଲୁଁ ଏଥେଁ
ସନ୍ଥଜନ ପାଳି ଆମ୍ଭେ ନାଶିବୁ ଦୁର୍ଜ୍ଜନ
ଏ କଥା କି ଜାଣି ନାହିଁ ପବମାନ
ହଂସଡ଼ିମ୍ୱ ନାମେ କଂସରାଜା ପୁତ୍ର ବେନି
ଅଷ୍ଟମଲ୍ଲ ପୁତ୍ରଙ୍କୁ ସେ ସଙ୍ଗତରେ ଘେନି
ଏବେ ଆମ୍ଭ ଦ୍ରୋହ ମନେ କରନ୍ତି ବିଚାର
ନାବ ଲେଉଟାଇ ତାଙ୍କୁ ବୁଡ଼ାଇଣ ମାର
ଅଣଚାଶ ମୂର୍ତ୍ତି ସଖା ସଙ୍ଗତରେ ଘେନି
ଅସୁରଙ୍କୁ ବଧି ରକ୍ଷା କର ଏ ମେଦିନୀ
ପବନ ଦେବଙ୍କୁ ଏତେ କହି ଲକ୍ଷ୍ମୀସାଇଁ
ହଂସ ଡ଼ିମ୍ୱ ନାବେ ସ୍ୱାମୀ ବିଜେ କଲେ ଯାଇ
ମାଲଙ୍କର ପୁତ୍ରମାନେ କଂସ ପୁତ୍ର ବେନି
ଏକ ନାବେ ଆରୋହିଲେ ଶ୍ରୀକୃଷ୍ଣଙ୍କୁ ଘେନି
ବିଚାରନ୍ତି ଭଲା ଆଜି ପଡ଼ିଲା ସୁଯୋଗ
ପିତୃହନ୍ତା ମାରି ଆମ୍ଭେ ହେବା କୃତକାର୍ଯ୍ୟ
ପଳାଇ ନ ଯିବ ଆଉ ପଡ଼ିଅଛି ବାଗେ
ଏତେ ବୋଲି ନାବବାହି ନେଲେ ଅତିବେଗେ
ଉଗ୍ରସେନ ପାଶେ ବଳରାମ ଯେ ସୁରଥ
ଆବର ଅଛନ୍ତି କୃଷ୍ଣଙ୍କର ଷଡ଼ଭ୍ରାତ
ହଂସଡ଼ିମ୍ୱ ଆଦି ବୀରେ କାନ କୁହା କୁହି
ହୋଇଣ ଅଦୃଶ୍ୟ ଯାଏ ନାବ ନେଲେ ବାହି
ଦଇବ ଘଟଣ କଥା ଦେଖ ପରୀକ୍ଷିତ
ଅଣଞ୍ଚାଶ ମୂର୍ତ୍ତି ଘେନି ବହିଲେ ମରୁତ
ପ୍ରଚଣ୍ଡ ହୁଂକାର ନାଦେ ଗର୍ଜଇ ପବନ
ଭୟଙ୍କର ଶବଦରେ ପୂରିଲା ଗଗନ
ବାତଘାତ ଶାଳଶିଳ ପଡ଼ିଲେ ଉପୁଡ଼ି
ଦଶଦିଗ ଅନ୍ଧକାର ହେଲା ଧୂଳି ଉଡ଼ି
କୂଳ ଲଘିଂ ଉଛୁଳିଲା ଯମୁନାର ଜଳ
ଭୟେ ଜୀବ ଜନ୍ତୁମାନେ ହୋଇଲେ ଆକୁଳ
ଯାଦବେ ଦେଖିଣ ମନେ ପାଇ ମହାଭୟ
ବୋଲନ୍ତି ଅକାଳେ କିବା ହୋଇଲା ପ୍ରଳୟ
ବିପରୀତ କଥା ଏ ତ ଦେଖା ଶୁଣା ନାହିଁ
କୃତାନ୍ତ ଆସଇ କିବା ସୃଷ୍ଟି ନାଶ ପାଇଁ
ଅଣଞ୍ଚାଶ ପବନରେ କମ୍ପଇ ଧରଣୀ
କି ଯୋଗରେ ବିଧି ଏହା ଘଟାଇଲା ଆଣି
ବିଜୁଳି ଝଲକି ମାରେ ବଜ୍ର ଘଡ଼ଘଡ଼ି
ମେରୁ ମହୀଧର ଅବା ପଡ଼ିଲା ଉପୁଡ଼ି
ହଂସ ଡ଼ିମ୍ୱ ଦୁହେଁ ଦେଖି ମହାଭୟ ପାଇ
କାତରେ କହିଲେ ମାଲ ପୁତ୍ରଙ୍କୁ ଅନାଇଁ
କେବଣ ଚରିତ ଏହା କଳନା ନ ଯାଏ
ଅଣଞ୍ଚାଶ ମୂର୍ତ୍ତିଧରି ବାୟୁ କିପାଁ ବହେ
ଦିବସରେ ଅନ୍ଧକାର ଦିଗ ନ ଦିଶଇ
ଧରାଧର ସହିତରେ ଧରଣୀ କମ୍ପଇ
ଘଡ଼ଘଡ଼ି ଚଡ଼ଚଡ଼ି ବିଜୁଳି ପ୍ରବଳ
ମୂଷଳଧାରା ପ୍ରମାଣେ ବରଷଇ ଜଳ
ପ୍ରଚଣ୍ଡ ପବନ ଘୋର ଗରଜନ ରଡ଼ି
ଯମୁନା ଉଛୁଳି ବଢ଼େ ବେନିକୂଳ ମାଡ଼ି
ପବନ ଆଘାତେ ଉଠେ ପ୍ରଚଣ୍ଡ ଲହରୀ
କୂଳର ଭିତରେ ନାବ ନୋହେ ଥୟ କରି
ଅକାତ ଗଭୀର ନଦୀ ନାହିଁ କୂଳ ପାଶ
ପରକୁ ମନ୍ଦ ପାଞ୍ଚିଲେ ଆପେ ଯାଇ ନାଶ
ଭୋ ଧର୍ମଦେବ ଆମ୍ଭଙ୍କୁ ସୁଦୟା କରିବା
ସପତାଙ୍ଗେ ନାସ ଗଲୁ ଉଦ୍ଧରି ଧରିବା
ଯାହା ବିଚାରିଲୁ ତାହା ନୋହିଲାକ ସିଦ୍ଧି
ନିସତ କାଳକୁ ହେଲା ବିପରୀତ ବୁଦ୍ଧି
ନାବରୁ ଡେଇଁଣ ଅବା ପହଁରନ୍ତୁ ଜଳେ
ଘୋର ଅନ୍ଧକାରେ ଉଠି ନ ପାରିବୁ କୂଳେ
କାଳବଶେ ହରାଇଲୁ ଆମ୍ଭେ ସଦବୁଦ୍ଧି
ସମୂଳେ ବିନାଶ ହେଲା କଂସର ସମୃଦ୍ଧି
କହୁଁ କହୁଁ ଘୋର ବାତ ବହିଲା ପ୍ରଚଣ୍ଡ
କ୍ଷଣକରେ ନାବ ଭାଙ୍ଗି ହେଲା ଖଣ୍ଡ ଖଣ୍ଡ
ଅକାତ ଗଭୀର ଜଳେ ଭାସେ ନାବ ଫାଟି
ପ୍ରଳୟ ପବନଘାତେ ପଡ଼ିଲା ଲେଉଟି
ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁର ଯେ ସ୍ୱାମୀ
ଦେବାଧିଦେବଙ୍କ ରାଜା ସର୍ବ ଅନ୍ତର୍ଯ୍ୟାମୀ
ତାଙ୍କୁ ମନ୍ଦ ଚିନ୍ତା କରି ନୋହେ ଆନ ବଳେ
ଅଶୁଭ ଶୁଭଦାନୀ ସେ ଅଟନ୍ତି ଶୟଳେ
ଯମୁନାରେ ବୁଡ଼ିମଲେ ବାର ଜଣ ଘେନି
କେଶୀର ନନ୍ଦନ ଉଡ଼ଙ୍ଗ ଯେ ଅଂଶୁମାଳୀ
ଶକଟା ବେନି ନନ୍ଦନ ବୀର ବୋଲାବଳୀ
କଞ୍ଚଣ ଯେ କାଳିନାଗ କୁମୁଦ ସୌମିତ୍ର
ଏ ଚାରିହେଁ ମହାବୀର ଷଣ୍ଢାସୁର ପୁତ୍ର
ପ୍ରତାପ ଦାବାନଳ ଯେ ପୂତନାର ପୁଅ
ଚାଣୁର ପୁତ୍ର ଦୁର୍ଗମ ଆଉ ଜଗଜ୍ଜେଠି
ମହାସୁର ନାମେ ଅରିଷ୍ଟିର ପୁତ୍ର ଗୋଟି
କଂସ ରାଜାର ତନୟ ହଂସ ଡ଼ିମ୍ୱ ଦୁଇ
ଯମୁନାରେ ବୁଡ଼ିମଲେ ଜଳେ ରୁନ୍ଧି ହୋଇ
ଯୁକତେ ଗଭୀର ନଦୀ ଅକାତ ସଲିଳ
ପ୍ରଚଣ୍ଡ ଘୋର ପବନେ ଲହରୀ ହାନ୍ଦୋଳ
ବିଶେଷରେ ନାବ ଭାଙ୍ଗି ଗଲା ମଧ୍ୟ ଖଣ୍ଡ
ପ୍ରଖର ସ୍ରୋତରେ ପଡ଼ି ଭାସେ ମୃତପିଣ୍ଡ
ଥୋକେ ପିଣ୍ଡ ଭାସି ଭାସି ଲାଗିଲା କୂଳରେ
ଥୋକାଏ ସେ ଜଳମଧ୍ୟେ ଭକ୍ଷିଲେ କୁମ୍ଭୀରେ
ଭାଙ୍ଗିଲା ଅନେକ ବୃକ୍ଷ ନଗର ପାଟଣା
କେତେ ଘର ଉଡ଼ିଗଲା ନ ଯାଏ କଳନା
ଥୋକାଏକ ବେଳେ ଶାନ୍ତି ହୋଇଳା ମଉଳି
ବସୁଦେବ ପୁରେ ଯାଇ ବିଜେ ବନମାଳୀ
ବଳଦେବ ଉଗ୍ରସେନ ନୃପତି ସୁରଥ
ଭିତରକୁ ବିଜେ କଲେ ଘେନି ଷଡ଼ଭ୍ରାତ
ସକଳ ଯାଦବେ ଚଳିଗଲେ ଯେଝା ଘର
ଉଗ୍ରସେନ ଆଗେ ମିଳି ଜଣାଇଲା ଚାର
ଭୋ ମଣିମା ସାବଧାନେ ଶୁଣ ତଥ୍ୟ ବାଣୀ
ନିଶ୍ଚୟ ବାରତା ଆମ୍ଭ ଆସିଅଛୁ ଜାଣି
ହଂସ ଡ଼ିମ୍ୱ ଜେନାମଣି ନାବ ଖେଳୁଥିଲେ
ମଲ୍ଲ ପୁତ୍ରମାନେ ତାଙ୍କ ସଙ୍ଗତରେ ଥିଲେ
ଜଗନ୍ନାଥ ବିସିଥିଲେ ସେହି ନାବ ପରେ
ମଙ୍ଗ ଛଡ଼ାଇ ନାବକୁ ନେଲେ ବହୁ ଦୂରେ
ପ୍ରଚଣ୍ଡ ପବନେ ନାବ ବୁଡ଼ିଲା ସେ ଜଳେ
ନାବ ସଙ୍ଗେ ବୁଡ଼ି ମଲେ ସର୍ବେ ଏକାବେଳେ
କର୍ଣ୍ଣଧାର ଆଧିକରି ଜଣେ କେହି ନାହିଁ
କେଉଁଆଡ଼େ ଗଲେ ଦେଖି ନ ପାରିଲୁ କେହି
ଶୁଣି ଉଗ୍ରସେନ ରାଜା ହୋଇଲେ ଆକୁଳ
ଶୋକେ ମୂର୍ଚ୍ଛାଗତ ହୋଇ ଦେବକୀର ପିତା
କପାଳରେ କର ମାରି ସୁମରେ ବିଧାତା
ସମୂଳରେ ନାସ ଗଲା ଏବେ ମୋର ବଂଶ
କେବଣ ଦେବତା ଠାରେ କଲି ମୁହିଁ ଦୋଷ
ଦିଗପାଳ ସମ ନାତିମାନେ ମଲେ ମୋର
ବୃଦ୍ଧ ବୟସରେ ଦୁଃଖ ହେଲା ଗୁରୁତର
କି କରିବି ଦଶଦିଶ ଅନ୍ଧକାର ମୋତେ
ଏତେ ବୋଲି ନୃପବର ପଡ଼େ ମୂର୍ଚ୍ଛାଗତେ
ଦେଖି ସୁରଥ କୁମର ମୁଖେ ପାଣି ସିଞ୍ଚି
କୁସୁମ ବିଞ୍ଚଣା ଘେନି ଧୀରେ ଧୀରେ ବିଞ୍ଚି
ଘଡ଼ିକେ ଚେତନା ପାଇ ଉଠି ଉଗ୍ରସେନ
ନାତିଙ୍କ ଗୁଣ ବାହୁନି କରନ୍ତି ରୋଦନ
ପଡ଼ିଲାକ ଅନ୍ତଃପୁର ଭିତରେ ବୋବାଳି
ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭେ ହାଲହୋଳି
ଧାଈ ମୁଦୁସୁଲୀ ପୋଇଲୀ ଯେ ପରିବାରୀ
କୁଟୁଣୀ ବାଟଣୀ ମହାଦେଈ ଆଦିକରି
ଏମାନଙ୍କ ମୂଳେ ପାଟରାଣୀ ଇନ୍ଦୁମତୀ
କଂସ ନୃପତିର ଭାର୍ଯ୍ୟା ହେତି ଯେ ପ୍ରହେତି
ଜରାସନ୍ଧ ନୃପତିର ସେ ବେନି ଦୁହିତା
ସୁକୁମାରୀ ସୁଲକ୍ଷଣୀ ଶରଚ୍ଚନ୍ଦ୍ରମୁଖୀ
ଭର୍ତ୍ତାକୁ ପାସୋରିଥିଲେ ପୁତ୍ରମୁଖ ଦେଖି
ଦିଗପାଳ ସମ ପୁତ୍ର ଦୁହେଁ ଯାନ୍ତେ ନାଶ
ଜରାସନ୍ଧର ନନ୍ଦିନୀ ପାଇ ମନେ ତ୍ରାସ
ଆହା ପୁତ୍ର ବୋଲି ଉଚ୍ଚେ କରନ୍ତି ରୋଦନ
ନୟନ ଜଳରେ ତିନ୍ତି ବୁଡ଼ିଲା ବସନ
କଳା ପଡ଼ିଗଲା ତାଙ୍କ ସ୍ୱର୍ଣ୍ଣ ବର୍ଣ୍ଣ କାନ୍ତି
କେଶ ବାସ ଅସମ୍ଭାଳ ମହୀରେ ଲୋଟନ୍ତି
ଦେହ ସନ୍ତାପିତ ମନ ହୁଅଇ ଆକୁଳ
କମଳ ଲୋଚନୁ ଫୁଟି ବହେ ଅଶ୍ରୁଜଳ
ବୋଲନ୍ତି ଭୋ ଦୈବ ଆମ୍ଭେ କଲୁ କେଉଁ ପାପ
କେବଣ ପୁରୁଷ ଦେଲେ ଏସନକ ଶାପ
ନବ ଯୁବା ବୟସରେ ଭର୍ତ୍ତା ନାଶ ଗଲେ
ଅକାତ ସମୁଦ୍ର ଜଳେ ପୁତ୍ରେ ବୁଡ଼ି ମଲେ
ଦଶ ଦିଗ ଅନ୍ଧକାରେ ଆବୃତ ଦିଶଇ
ନିର୍ଲ୍ଲଜ୍ଜ ଜୀବନ ଦେହେ ରହିଛି କିପାଇଁ
ସ୍ୱାମୀଶୋକ ଠାରୁ ବଳିଗଲା ପୁତ୍ର ଶୋକ
ସଂସାରେ ଚାହିଁବୁ ଆଉ ଆମ୍ଭେ କାହା ମୁଖ
ଦିଗପାଳ ଚୂଡ଼ାମଣି କଂସ ଯାର ପତି
ଯାର ପିତା ଜରାସନ୍ଧ ତ୍ରୈଲୋକ୍ୟାଧିପତି
ଏଡ଼େ ବଡ଼ କୁଳେ ଆମ୍ଭେ ହୋଇଥିଲୁ ଜାତ
ମେଣ୍ଟଣ ନ ଗଲା କାଳେ ବିଧାତାର କୃତ୍ୟ
ସାତ ସିନ୍ଧୁ ଜଳେ ପଶି ପାଦ ନ ତିନ୍ତିଲା
ସପ୍ତ ନିଧି ପାଇ ଦରିଦ୍ରତାହିଁ ନ ଗଲା
ମନ ସେ ଜାଣଇ ସିନା ମନର ବେଦନା
କାହାକୁ କହିବୁ କିଏ ଘେନିବ ଶୋଚନା
ରାମକୃଷ୍ଣ ଶତ୍ରୁ ହୋଇ ଏଡ଼େ କୃତ୍ୟ କଲେ
ଆଗ ଭର୍ତ୍ତା ମାରି ପଛେ ପୁତ୍ରଙ୍କୁ ମାଇଲେ
ବୀରଙ୍କ ଉପରେ ବୀର ହଂସ ଡ଼ିମ୍ୱ ବେନି
କ୍ଷଣକେ ଜିଣି ପାରନ୍ତି ସମଗ୍ର ମେଦିନୀ
ଆରହିଁ ମାଲ ପୁତ୍ରେ ଥିଲେ ତାଙ୍କ ମେଳେ
ଗଣ ଗନ୍ଧର୍ବଙ୍କୁ ସାଧି ପାରନ୍ତି ସେ ବଳେ
ସାମାନ୍ୟ ବଳରେ ତାଙ୍କୁ ହୁଅଇ କି ମାରି
ନିଶ୍ଚୟେ ଏଥିର କର୍ତ୍ତା ହେଲେ ଦେବ ହରି
କଂସକୁ ମାଇଲା ଦିନୁ ଅହନ୍ତା ବହିଲେ
ବେଳ କାଳ ଜାଣି ଏବେ ପୁତ୍ରଙ୍କୁ ବଧିଲେ
ବଧୂମାନଙ୍କ ରୋଦନ ଶୁଣି ଇନ୍ଦୁମତୀ
ଅତି ଉଚ୍ଚସ୍ୱରେ ଶୋକ କଲେ ମହାସତୀ
ପୁତ୍ରଶୋକ ସଙ୍ଗେ ନାତି ମରଣକୁ ଦେଖି
ଝର ଝର ଅଶ୍ରୁ ବହେ ଫୁଟି ବେନି ଆଖି
କ୍ରୋଟରାଗ୍ନି ପ୍ରାୟ ଦେହ ଦହେ ଶୋକାନଳ
କ୍ଷଣକରେ ମୂର୍ଚ୍ଛା ଯାଇ ଭେଟେ ମହୀତଳ
ଆକାଶରୁ ଚାହିଁ ଧର୍ମଦେବେ କରି ସାକ୍ଷୀ
ବୋଲନ୍ତି ଭୋ ଧର୍ମ ଆମ୍ଭେ ହେଲୁ ନିରିମାଖି
ପୁତ୍ର ମଲା ପୁଣି ଏବେ ନାତି ଗଲେ ନାଶ
ଏ ପାପ ଜୀବନ ଥାଇ ପ୍ରୟୋଜନ କିସ
ନିଶ୍ଚୟ ଯମୁନା ଜଳେ ଝାସ ଦେବି ଯାଇ
ନୋହିଲେ ମରିବି କାଳକୂଟ ବିଷ ଖାଇ
ଗଳେ ପାଶ ଦେଇ ଅବା ଅନଳେ ପଶିବି
ଆତ୍ମହତ୍ୟା ହେଉ ପଛେ ପ୍ରାଣ ବିସର୍ଜିବି
କାହାକୁ କହିବି ମୋର କର୍ମେ ଲେଖା ଥିଲା
ଦେବକୀର ପୁତ୍ର ଯୋଗୁ ବଂଶ ନାଶ ଗଲା
ସ୍ୱହସ୍ତେ ପୁତ୍ରଙ୍କୁ ମୋର ମାଇଲା ଶ୍ରୀହରି
ନୋହିଲେ କି ଏଡ଼େ କର୍ମ ଆନେ ହୋଏ କରି
ଚୌରାଶୀ କୋଟି ଯାଦବ ରଥ ଅଶ୍ୱ ବଳ
ଅଚିନ୍ତାରେ ବର୍ତ୍ତି ରହିଅଛନ୍ତି ସକଳ।।
ଏମାନଙ୍କ ମଧ୍ୟେ ମୁହିଁ ମହାଘୋର ପାପୀ
କୃଷ୍ଣ ହେତୁ ବଂଶ ମୋର ବୁଡ଼ିଲା ଅଦ୍ୟାପି
ସ୍ୱହସ୍ତରେ ମଉଳାକୁ ମାରି ଦେବରାୟେ
ଲୋକ ଅପବାଦକୁ ସେ ନ କରିଲେ ଭୟେ
ସେହି ଅହନ୍ତାରେ ଏବେ ନାତିକି ମାଇଲେ
ସାପତାଙ୍ଗେ ଅଷ୍ଟମଲ୍ଲ ବଂଶ ନାଶ କଲେ
ମାୟାଧର ପୁରୁଷ ସେ ଅଟନ୍ତି ନିର୍ଦ୍ଦୟ
ପୃଥ୍ୱୀଭାରା ଉଶ୍ୱାସିବେ ଦୁଷ୍ଟକରି କ୍ଷୟ
ଦୁଷ୍ଟ ମାରି ସାଧୁଜନ ପାଳିବାର ପାଇଁ
କପଟରେ ଜନ୍ମିଛନ୍ତି ନରଦେହ ବହି
ନିରାକାର ପୁରୁଷ ସେ ସ୍ୱୟଂ ବିଶ୍ୱବାସ
ପାପ ପୁଣ୍ୟ ନ ଲାଗଇ ତାଙ୍କ ଅଙ୍ଗେ ଲେଶ
ଯେ ଯାକୁ ମାରିବେ ତାକୁ କେ ରକ୍ଷା କରିବ
ଏଥିପାଇଁ ଶୋକ କଲେ ଆଉ କିସ ହେବ
କୃଷ୍ଣ ଅନୁରାଗ କଲେ କି ଅପୂର୍ବ ମୋତେ
ଅନ୍ତର୍ଯ୍ୟାମୀ ପ୍ରଭୁ ଦେଇ ନ ପାରନ୍ତି କେତେ
ଏତେ ପାଞ୍ଚି ଇନ୍ଦୁମତୀ ଶୋକ କଲେ ଶାନ୍ତି
ଶୁଣ ହୋ ପରୀକ୍ଷ ଶୁକମୁନି ଯେ କହନ୍ତି
ଉଗ୍ରସେନ ବିଚାରକ ନିଜ ଅନ୍ତର୍ଗତେ
ଜଗତନାଥଙ୍କୁ ଛାଡ଼ି ପାରିବ କେମନ୍ତେ
ଶୁଭାଶୁଭ କର୍ମ କରି ପାରନ୍ତି ଯେ ଆନ
ଦେବାଧିଦେବ ଅଟନ୍ତି ଯେଉଁ ଭଗବାନ
ଭାରା ନିବାରଣେ ସେହି ହେଲେ ଦେହବନ୍ତା
ସ୍ଥାବର ଜଙ୍ଗମ ଆଦି ସୃଷ୍ଟିର କରତା
ଲିହନ୍ତା ବିହନ୍ତା ସେ ଯେ ଭକ୍ତ ଦୀକ୍ଷା ଗୁରୁ
ଯାହା ତାର ଇଚ୍ଛା ହେଉଅଛି ତାହା କରୁ
ସେ ଆପେ ଭିଆଣ କରି ଚରାଚର ମହୀ
ଆପଣାର ମସ୍ତକରେ ଧରିଛନ୍ତି ବହି
ଏତେ ପାଞ୍ଚି ଉଗ୍ରସେନ ହୋଇଣ ବିବେକ
ନାତିଙ୍କ ମଲାକୁ ଆଉ ନ କରିଲେ ଶୋକ
କଂସପୁତ୍ର ତୁଲେ ମାଲପୁତ୍ରେ ଯାନ୍ତେ ନାଶ
ସକଳ ଯାଦବେ ଶୁଣି ହୋଇଲେ ହରଷ
ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃବର
ସ୍ୱର୍ଗେ ସୁରପତି ଆଗେ ଜଣାଇଲା ଚାର
କଂସ ପୁତ୍ର ହଂସ ମାଲପୁତ୍ର ଯେତେ
ସମସ୍ତଙ୍କୁ ଆଜି କୃଷ୍ଣ ମାଇଲେ କିଞ୍ଚିତେ
ଅକାତ ଯମୁନାଜଳେ ସର୍ବେ ମଲେ ବୁଡ଼ି
ମୃତ ଶବ ଆଦିକରି ନ ପାଇଲେ ଲୋଡ଼ି
ଶୁଣିଣ ପରମାନନ୍ଦ ହେଲେ ସୁରନାଥ
ବୃହସ୍ପତି ବୋଲନ୍ତି ଯେ ଲାଗିବ ଅନର୍ଥ
ହେତି ଯେ ପ୍ରହେତି ଜରାସନ୍ଧର ଦୁହିତା
କଂସରାଜା ପ୍ରିୟବତୀ ହଂସ ଡ଼ିମ୍ୱ ମାତା
ଭର୍ତ୍ତାର ବିଯୋଗେ ଥିଲେ ପୁତ୍ରଙ୍କୁ ଆବୋରି
କୌତୁକରେ ସେ ପୁତ୍ରଙ୍କ ମାଇଲେ ଶ୍ରୀହରି
ପିତାର ଛାମୁକୁ ଯାଇ କାନ୍ଦିଣ କହିବେ
ଶୁଣି ଜରାସନ୍ଧ କୋପେ ଦଣ୍ଡ ବାହିଯିବେ
ମଥରାକୁ ଧାଡ଼ି ଦେବେ ଅଷ୍ଟାଦଶ ବାର
ଅନେକ ସୈନ୍ୟ ସଂଗ୍ରାମେ ମାରିବେ ଶ୍ରୀଧର
ସେଠାରୁ ଭାରତଯୁଦ୍ଧ ହୋଇବ ଉଦ୍‌ଯୋଗ
ତେବେ ଯେ ଅଗ୍ନିଙ୍କି ପ୍ରାପ୍ତ ହେବେ ହବିର୍ଭାଗ
ଆଜହୁଁ ଅଚିନ୍ତା ତୁମ୍ଭେ ହେଲ ସସ୍ରଯୋନି
ଭାରା ନିବାରିବେ କୃଷ୍ଣ ପାଣ୍ଡବଙ୍କୁ ଘେନି
ଏଥୁ ଅନନ୍ତରେ ହେତି ପ୍ରହେତି ଯେ ବେନି
ଇନ୍ଦୁମତୀ ଚରଣରେ କରନ୍ତି ଦଇନୀ
ବିକଳେ କହନ୍ତି କାନ୍ଦି କାନ୍ଦି ଉଦବେଗେ
ପିତାର ଘରକୁ ଆମ୍ଭେ ଯିବୁ ଏହି ଲାଗେ
ଇନ୍ଦୁମତୀ ବୋଲେ ମାଗୋ ଯେ ତୁମ୍ଭର ଇଚ୍ଛା
ତୁମ୍ଭ କୁଳଧର୍ମ ତୁମ୍ଭେ ଆପେ କର ରକ୍ଷା
ସ୍ତିରୀଙ୍କର ତିନି ଦଶା ଘଟଇ ଦେହରେ
ବାଳକାଳେ ସୁସ୍ଥ ହୋଇଥାନ୍ତି ପିତା ଘରେ
ପତି ପ୍ରତିପାଳେ ପୁଣି ହୁଅନ୍ତେ ଯୁବତୀ
ବୃଦ୍ଧକାଳେ ପୁତ୍ର କନ୍ୟା ପାଳନ କରନ୍ତି
ରାଜାର କୁମାରୀ ତୁମ୍ଭେ ଜନ୍ମକାଳୁ ସୁଖୀ
ଭର୍ତ୍ତା ବିହୀନରେ ହେଲ ଯୁବାକାଳେ ଦୁଃଖୀ
ବୃଦ୍ଧ ବୟସକୁ ଯେବେ ପୁତ୍ର କନ୍ୟା ଥାନ୍ତା
ତେବେ ମାଗୋ ସଫଳରେ ତୁମ୍ଭ ଦିନ ଯାନ୍ତା
ହଂସ ଡ଼ିମ୍ୱ ମଲା ଦିହୁ ସୁଖ ହେଲା ଲୋପ
ତୁମ୍ଭ ମୋର କୁଳବଧୂ ପରମା ସାଧବୀ
ପତି ପୁତ୍ର ଛାଡ଼ି ଯାହା ମାଗିବ ତା ଦେବି
ଜରାସନ୍ଧ ପ୍ରାଏ ପିତା ପାଇ ପୁଣ୍ୟ ବଳେ
ବିଧି ବିଡ଼ମ୍ୱନା କଲା କର୍ମର ଅବଳେ
ଯାଅ ପିତା ଘରକୁ ଗୋ ନ କର ଶୋଚନା
ସମୟେକ ରହି ପଛେ ଫେରିଆସ କିନା
ଉଗ୍ରସେନ ଆଗେ ଜଣାଇଲେ ଇନ୍ଦୁମତୀ
ପିତାର ଘରକୁ ଯିବେ ହେତି ଯେ ପ୍ରହେତି
ଉଗ୍ରସେନ ବୋଲେ ଯେବେ ହେଲା ତାଙ୍କ ମନ
କିଛି ଦିନ ରହି ପୁଣି ଆସିବେ ବହନ
ମୁଁ ପାତକୀ ମହାପାପ କରିଥିଲି ପୂର୍ବେ
ପୁତ୍ର ନାତି ମଲେ ଅପୁତ୍ରକ ହେଲି ଏବେ
କେବଣ ପୁରୁଷ ଶାପେ ଘଟିଲା ଏ ବାଧା
ପୁତ୍ର ବିଯୋଗରେ ଆଉ କି ଅଛି ଶରଧା
ଏତେ ବୋଲି ମହାରାୟେ ହୋଇଲେକ ତୁନି
ପିତାଘରେ ଗଲେ ହେତି ପ୍ରହେତି ଯେ ବେନି
ମଗଧ ଦେଶେ ପ୍ରବେଶ ହେଲେ ଯାଇ ବେଗେ
କାନ୍ଦନ୍ତି ବିକଳ ସ୍ୱରେ ଜରାସନ୍ଧ ଆଗେ
ଭୋ ତାତା ରାଜାଧିରାଜ କ୍ଷତ୍ରି ଶିରୋମଣି
ବାରେ ଦୟା କରି ଶୁଣ ଆମ୍ଭ ଦୁଃଖ ବାଣୀ
ଛୟାଣୋଇ ସସ୍ର ରାଜା ବନ୍ଦୀ ତୁମ୍ଭ ଘରେ
ତୁମ୍ଭ ଭୟେ ସୁରପତି ଡ଼ରେ ସ୍ୱର୍ଗପୁରେ
ପାତାଳେ ବାସୁକି ରାଜା ହୁଏ କମ୍ପମାନ
ତବ ବଶେ ରହିଅଛି ଏ ତିନି ଭୁବନ
ଗଣ ଗନ୍ଧର୍ବ ଦେବତା କରୁଛନ୍ତି ପୂଜା
ପିତା ହୋଇ ହୋଇଥିଲା ଠାରେ ତୁମ୍ଭ ପ୍ରଜା
ପତି ପୁତ୍ର ମଲେ କଷ୍ଟ ପାଇଲୁଁ ବହୁତ
ଏ ଜନ୍ମ ବିଫଳ ହେଲା ଆମ୍ଭର ହେ ତାତ
ଇହଲୋକ ପରଲୋକ ଉପହାସ ପାଇ
ନିର୍ଲ୍ଲଜ ଜୀବନ ଘେନି ରହିବୁ କିପାଇଁ
ବସୁଦେବ ପୁତ୍ରେ ଆମ୍ଭ ବଇରୀ ହୋଇଲେ
ସ୍ୱାମୀକି ମାରିଣ ଏବେ ପୁତ୍ରଙ୍କୁ ମାଇଲେ
ଅଷ୍ଟମଲ୍ଲ ପୁତ୍ରେ ଥିଲେ ପୁତ୍ରଙ୍କ ସଙ୍ଗତେ
ଯମୁନାରେ ବୁଡ଼ାଇଣ ମାଇଲେ ସ୍ୱହସ୍ତେ
ଏକା ରାମ କୃଷ୍ଣ ଯୋଗୁଁ ହେଲା ଏତେ ଦ୍ୱନ୍ଦ
ଶୁଣି ପ୍ରଜ୍ୱଳିତ ହେଲେ ରାଜା ଜରାସନ୍ଧ
ଇତି ଶିରୀ ଭାଗବତ ହରିବଂଶ ବାଣୀ
କହଇ ଅଚ୍ୟୁତାନନ୍ଦ କବି ଗୀତେ ଭଣି
ଲହଡ଼ି ଖଣ୍ଡେ ସମାପ୍ତ ହୋଇଲାକ ଆସି
ଧାଡ଼ି ଖଣ୍ଡ ଶୁଣି ଧ୍ୱଂସ କର ପାପରାଶି
ଯେତେ ଦୂରେ ପଶିଲି ମୁଁ ତେତେ ଅନ୍ତକଲି
ଆଉ ଏଣିକି ଯେ ଥଳ କୂଳ ନ ପାଇଲି
ଶ୍ରୀଚଣ୍ଡୀ ସାରଦା ଦେବୀ ଚରଣେ ଶରଣ
ପଶିଣ ଅଚ୍ୟୁତ କବି ନିସ୍ତରିଲା ଜାଣ
ହିମବନ୍ତ ନନ୍ଦିନୀ ଗୋ ଈଶ୍ୱର –ଘରଣୀ
ସଙ୍କଟ ପଡ଼ିଲେ ରକ୍ଷା କରୁ ଠାକୁରାଣୀ
ଭାବେ ଭଜି ଈଶ୍ୱରଙ୍କୁ ପାଇଲୁ ଗୋ ମାଏ
ଯୁଗେ ଯୁଗେ ରହିଅଛୁ ଅମର ତୋ କାୟେ
ଜଳ ସ୍ଥଳ ଅଗ୍ନି ଆଦି କେହି ଯେ ନ ଥାନ୍ତେ
ଏ ସଂସାର ସ୍ଥାପନା ତୁ କଲୁ ଇଚ୍ଛାମତେ
ଅଷ୍ଟାଙ୍ଗରେ ଯୋଗ ସାଧି ଭବଙ୍କୁ ବରିଲୁ
ଭବାନୀ ବୋଲିଣ ନାମ ତେଣୁ ତୁ ବହିଲୁ
ଯେତେବେଳେ ଯେଉଁ ରୂପେ ଇଚ୍ଛା ହୁଏ ତୋର
ବାଳ ବୃଦ୍ଧି ଆଦି ଆପେ ଧରୁ ତୋ ଶରୀର
ଯେ ତୋତେ ସଂସାରେ ଚିନ୍ତା କରନ୍ତି ଗୋ ମାଏ
ଧନ ଧାନ୍ୟ ପୌତ୍ର ସେହି ଲଭଇ ନିଶ୍ଚୟେ
ଦୁର୍ଗତି ନାଶିନୀ ମାଗୋ ଦୁର୍ଗା ନାମ ତୋର
ଦୁର୍ଗତି ପଡ଼ିଲେ ରକ୍ଷା କରୁ ତୁ ସଂସାର
ସଂସାର ସାଗରେ ପଡ଼ି ଭାସୁଅଛି ମୁହିଁ
ଉଦ୍ଧରି ଧରିବା ମୋତେ ଆଗୋ ମହାମାୟି
ସ୍ଥଳ ବୋଲି ପଶିଗଲି ଅକାତ ଜଳରେ
ସ୍ଥଳ ନ ପାଇଣ ବୁଡ଼ି ମରୁଛି ମଧ୍ୟରେ
ଲହଡ଼ିର ଶେଷ ଏବେ ଧାଡ଼ିର ମହିମା
କେମନ୍ତେ କରିବି ମାଗୋ ମୁଁ ଏହା ରଚନା
ତୁ କହି ନ ଦେଲେ ଲେଖି ନୋହେ ହରିବଂଶ
ଲୋକେ ଅପବାଦ ପାଇ ଯିବି ନିଶ୍ଚେଁ ନାଶ
ଇହ ଲୋକେ ପରଲୋକେ ହେବି ଅକାରଣ
ମାଗଇ ଅଚ୍ୟୁତ ଦାସ ତୋ ପାଦେ ଶରଣ

ହରିବଂଶ ଚତୁର୍ଥ ଖଣ୍ଡ ସମାପ୍ତ