ଚିଲିକା

ଉଇକିପାଠାଗାର ରୁ
(କବିତାବଳୀ/ଚିଲିକା ରୁ ଲେଉଟି ଆସିଛି)
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
ଚିଲିକା


ପ୍ରଥମ ପୃଷ୍ଠା

ଉତ୍କଳ-କମଳା-ବିଳାସ-ଦୀର୍ଘିକା
ମରାଳମାଳିନୀ ନିଳାମ୍ବୁ ଚିଲିକା,
ଉତ୍କଳର ତୁହି ଚାରୁ ଅଳଙ୍କାର,
ଉତ୍କଳଭୁବନେ ଶୋଭାର ଭଣ୍ଡାର ।
ସ୍ୱଭାବେ ଭାବୁକ-ମାନସ-ଉଲ୍ଲାସୀ,
ଦିଗନ୍ତ-ବିସ୍ତାରୀ ତୋର ବାରିରାଶି,
ପ୍ରସନ୍ନବଦନା ଉଜ୍ଜ୍ୱଳବରଣା,
ମୁଖଶ୍ରୀ ଦେଖନ୍ତି ଯ‌ହିଁ ଦିଗଙ୍ଗନା ।
ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ,
ନାସି, ନଳବନ, ଶୈଳ,ଦ୍ୱୀପମାଳେ ।
ଦକ୍ଷିଣେ ମିଶିଛି ତୋର ଗର୍ଭେ ଆସି,
ସୌରକରୋଭାସୀ ନୀଳ ରମ୍ଭାନାସି ।
ବିମାନ ଆକାରେ ଭାସେ ଶତ ଶତ,
ନୀଳୋରସେ ତୋର ଶୈଳ ମାରକତ ।
ପକ୍ଷଛେଦ-ଶକ୍ର ଭୟେ କି ଶଇଳେ,
ଲୁଚି ରହିଥିଲେ ତୋହରି ସଳିଳେ ?
ସାନ୍ନିଧ୍ୟ ଲଭିଣ ଭଗବତୀଙ୍କର
ତୋଳିଛନ୍ତି ଗୁଳ୍ମ ଜଟିଳ ଶିଖର ।
ଦେଉଳକିରୀଟୀ କାଳୀଜାଈ ଗିରି
ମାରକତ ସେତୁ ପ୍ରାୟେ ଯାର ଶିରୀ ।
ଶ୍ୱତାଙ୍ଗ ଚଢ଼ାଇଗୁହା ସମୁଦ୍‌ଗତ,
ନୀର ଭେଦି କିବା ଉଠେ ଐରାବତ ?
ତରଙ୍ଗବେଷ୍ଟିତ କାଙ୍କଣଶିଖରୀ,
ଆଦ୍ୟଫଳେ ଯାର ତରି ପୂର୍ଣ୍ଣ କରି ।
ବର୍ଷେ ବର୍ଷେ ହ୍ରଦ ତିଆରି ଧୀବରେ,
ଆଦରେ ଫେରନ୍ତି ଲକ୍ଷ୍ମୀ ରୋଷଘରେ ।
ସ୍ଥାନେ ସ୍ଥାନେ ନୀର ଭେଦିଛି ସୈକତ,
ଶାରଦ ଆକାଶେ ଯେହ୍ନେ ଛାୟାପଥ ।
ତାରା ପୁଞ୍ଜେ ଯଥା ଶୋଭେ ହରିତାଳି,
ପୁଳିନ ତେସନ ଶୁଭ-ଶକ୍ତି-ଶାଳୀ ।
ଚାରୁ ତୀର ତୋର ଶୋଭାର ଆଶ୍ରମ,
ଶୈଳ, ଟଙ୍କ ବନେ ମଧୁର ବିଷମ ।
ଗିରିଶୋଲ, ନାସି, କାନ୍ତାର କନ୍ଦରା,
ସୁରମ ତଟିନୀ ଜନମନୋହରା ।
ବିକଟ ସଙ୍କଟ ତୁଙ୍ଗ ଶୈଳସାନୁ,
ଗତିପଥେ ଯାହା ପରଶନ୍ତି ଭାନୁ ।
ନୀଳଗଣ୍ଡ ଯାର ଗଭୀର ବିବର,
ଫଣିପତି-ଫଣା-ମଣିରେ ଭାସ୍ୱର ।
ଭଗ୍ନ ଦୁର୍ଗ ଜରା ଜର୍ଜର ଦେଉଳ,
ଶୈବାଳ-ଅରଣ୍ୟ-ଲତା-ଗୁଳ୍ମାକୂଳ ।
ମୂର୍ତ୍ତୀମତୀ ହୋଇ ଭବଭଙ୍ଗୁରତା,
ପ୍ରତଧ୍ୱନିଛଳେ କ‌ହେ ସର୍ବ କଥା ।
କୁରଙ୍ଗ କୁରଙ୍ଗୀ ଚିର କ୍ରିଡ଼ାସ୍ଥଳ,
ନବଦୁର୍ବାଦଳ-ଶ୍ୟାମଳ ଶାଦ୍‌ବଳ,
ବିଶାଳ ପୁଳିନ ମନୋମୋହକରୀ,
ମରୀଚିକା ଯାର ଚିର ସ‌ହଚରୀ,
ଦ୍ୱୀପମାଳା ଶସ୍ୟେ ହରିତାୟମାନ,
ଏମାନେ ତୋହର ଶୋଭା ଉପାଦାନ ।

ଦ୍ୱତୀୟ ପୃଷ୍ଠା

ଏତେ ଛବି ଯେଣୁ ଏକାଧାରେ ଠୁଳ,
ଛବିଳ ଉତ୍କଳେ ତୋ ଛବି ଅତୁଳ ।
ବ‌ହୁଦିନ ଭ୍ରମି ଭ୍ରମି ଅବିରତେ,
ଦେଖିଲଇଁ ନାନାସ୍ଥାନ ଭୁଭାରତେ ।
କି ଉତ୍ତରାଖଣ୍ଡ କି ଦକ୍ଷିଣା ପଥ,
ଭ୍ରମିଲି ମୁଁ ଭାଗ୍ୟବଶେ ଚକ୍ରବତ,
ଭରତର ରତ୍ନ-ସୀମନ୍ତ-ଅଚଳ
ଦେଖିଲି ହିମାଦ୍ରୀ ହିମ-ଉର୍ଜ୍ଜ୍ୱସ୍ୱଳ,
ପାଦେ କୋଟି କୋଟି ଶିଖରିସମାଜ,
ସର୍ବୋଚ୍ଚେ ଶୋଭନ୍ତି ଶୁଭ୍ର ଶୈଳରାଜ,
ଶୃଙ୍ଗୋପରି ଶୃଙ୍ଗ ଶୃଙ୍ଗ ତଦୁପରି,
ନୀଳ ବ୍ୟୋମ‌ପଟେ ଚିତ୍ର ହେଲା ପରି,
ନୀହାର ମୁକୁଟେ ମସ୍ତକ ମଣ୍ଡିତ,
ସ୍କନ୍ଧେ ଶୋହେ ଶୁଭ୍ର ଗଙ୍ଗା-ଉପବୀତ ।
ନିସ୍ତବ୍ଧ ନୀରବ ସେ ମହା ନିଜନେ,
ସନାତନ ଶ୍ୱେତ ତୁଷାର ଆସନେ।
ବ୍ୟୋମକେଶ-ମୂର୍ତ୍ତି ଦେଖିଲି ଚମକି,
ପଡ଼ିଲା ସେ ରୂପେ ବିତ୍ତବୃତ୍ତି ଥକି ।
ମନେ ମନେ କ‌ହି ନମିଲି ନୀରବେ,
"ନମୋ ଦେବାତ୍ମନେ ଶ୍ରୀଗୌରୀଗୁରୁବେ"।
ରାଜସ୍ଥନେ ଭ୍ରମି ଭୀମ ମରୁସ୍ଥଳୀ,
ଦେଖିଲି ଭୀଷଣ ରୁକ୍ଷ ଶୈଳାବଳୀ,
ନୀର-ତରୁ-ହୀନ ବନ୍ଧୁର, କର୍କଶ,
କରାଳ ଯେସନେ କାଳ ସର୍ବଂକଷ !
ଚଣ୍ଡାଂଶୁ କିରଣେ ଖର ଅତିଶୟ,
ଦରୀଶାୟୀ-ଭୋଗୀ ଶ୍ୱାସେ ବିଷମୟ,
ତପ୍ତବାୟୁ ଯହିଁଁ ପ୍ରଚଣ୍ଡେ ସଞ୍ଚରି,
ପାନ୍ଥ ଆୟୁ ନିଏ ପ୍ରତପଦେ ହରି,
ଛାୟାଦାନେ ଦକ୍ଷ ଯହିଁଁ ନାଗଫେଣୀ,
ନୀରଦାନେ ପୁଣି ମରୀଚିକା ବେଣୀ ।
ତୃଷାତୁର ରୋଗୀ ଗୃହେ ଯଥା ବସି,
ସ୍ମରେ କମଳିନୀ ହରିତ ସରସୀ,
ସେହି ରୁକ୍ଷ ଦୃଶେ ସ୍ନିଗ୍‌ଧ ଛବି ତୋର,
ନେତ୍ରାତିଥି ସ୍ମୃତି କରୁଥିଲା ମୋର ।
ଭ୍ରମିଲି ଭୀଷଣ ବିନ୍ଧ୍ୟାଦ୍ରି କାନ୍ତାର,
ଧୁଆଁଧାରେ ଯହିଁଁ ହୋଇ ଶତଧାର,
ଭୈରବ ଆରବେ ରେବା ଦେଇ ଲମ୍ଫ,
ଜନମାଏ ଜନ ମାନସେ ପ୍ରକମ୍ପ,
ଶୁଭ୍ର ସ୍ୱଚ୍ଛ ପ‌ୟଃ ପ୍ରପାତ ସୁଭଗା,
ହର ଜଟା ଭ୍ରଷ୍ଟା ଯଥା ତ୍ରିପଥଗା
ଶୀକର ଜଳଦେ ବିଭାବସୁ କର,
ସୃଜେ ଯହିଁ ଶକ୍ରଚାପ ମନୋହର,
ଶୁଣିଲି ଶ୍ରବଣେ ସେ ଭୈରବ ରବ,
ଉର୍ଦ୍ଧ୍ୱେ ଦେଖିଲି ସେ ଜଳର ତାଣ୍ଡବ ।
ଭ୍ରମିଲି ଦକ୍ଷିଣା ପଥେ ଉପତ୍ୟକା,
ଝିଲ୍ଲି ଝଙ୍କାରିତ ଅଟବୀ ଦଣ୍ଡକା,
ତୀର୍ଥାଶ୍ରମ, ଗିରି, ତଟିନୀ, କନ୍ଦରା,
ମହାରଣ୍ୟମାଳେ ଚିତ୍ର କଳେବରା,
ଦୂଷଣ ତ୍ରିଶିରା ଖିର ଅଧ୍ୟୁସିତ,
ଜନ୍ମସ୍ଥାନ ଯାର ଥିଲା ସନ୍ନିହିତ,
ଧରାସ୍ରାବୀ, ଭୀମରାବୀ, ତଡ଼ିଦ୍‌ବନ୍ତ,
ପର୍ଜନ୍ୟ ଗର୍ଜ୍ଜନେ କମ୍ପିଲେ ଦିଗନ୍ତ,
ଯହିଁଁ ମେଘାଲୋକେ ପ୍ରଫୁଲ୍ଲ ଅନ୍ତର,
ମୈଥିଳୀ ପାଳିତ କେଳି ବଂଶଧର,
ନୀପେ ନୃତ୍ୟକାରୀ ନୀଳକଣ୍ଠ କେକା,
ଅଦ୍ୟାପୀ ସୂଚଇ ରାମାଶ୍ରମରେଖା ।
ଭୀଷଣ କନ୍ଦରା ମଧ୍ୟେ ବସି ତ‌ହିଁଁ,
ଗଦ୍‌ଗଦ୍ ଶବଦେ ଗୋଦାବରୀ ଯହିଁଁ,
କୁହରେ ପଡ଼ୁଛି ଭୃଗୁ ଦେହେ ଝରି,
ତ‌ହିଁଁକି ଲୋ ତୋତେ ନ ଥିଲି ସୁମରି ?

ପୃଷ୍ଠା ୩

ବାତ୍ୟା ଆନ୍ଦୋଳିତ ମହାଭୟଙ୍କର,
ଭ୍ରମିଲି ଭୀଷଣ ରାଜ୍ୟେ ବରୁଣର,
ଯହିଁଁ ଚକ୍ରବାଳେ ଅୟଶ୍ଚକ୍ରପ୍ରଭ,
ନୀଳାର୍ଣ୍ଣବ-ଦେହେ ଲଗ୍ନ ନୀଳ ନଭଃ,
ଊର୍ମୀ ପରେ ଊର୍ମୀ ଊର୍ମୀ ତଦ୍ରୁପରେ,
ପୋତ ଗ୍ରାସିବାକୁ ଆସୁଥାଇ ଖରେ ।
ସ୍ତବ୍‌ଧଭାବେ ଏହି ମହାଦୃଶ୍ୟମାନ।
ଦେଖିଲି ଭାରତେ ଭ୍ରମି ନାନାସ୍ଥାନ ।
ଭୀଷଣ, ବିରାଟ, ବିକଟ, ଉଦାର,
ଦୃଶ୍ୟ ଦେଖି ହେଲା ବିସ୍ମୟ ଅପାର ।
ଚିତ୍ତବୃତ୍ତି ଗଲା ନିଜ ପଥା ହୁଡ଼ି,
ସତ୍ତା ଗଲା ସେହି ମହାଭାବେ ବୁଡ଼ି ।
ଖର ସୌରକରେ ତାରକା ଯେସନ,
ଅସ୍ମିତା ବିସ୍ମୟେ ହେଲା ନିମଗନ ।
ଗୁରୁ ପ୍ରାୟେ ତାଙ୍କୁ ଦୂରୁ କଲି ଭୀତି,
ସଖୀ ପ୍ରାୟେ ତୋତେ ସ୍ମରୁଥିଲି ନିତି ।
ଇତର ଜନର ଅବସାଦକର,
ଯୋଗୀ ଋଷିଙ୍କି ସେ ସ୍ଥାନ ମନୋହର ।
ରବି କରେ ମୁଦ କମଳ ଲଭଇ,
ଝାଉଁଳି ପଡ଼ନ୍ତି ଅନ୍ୟ ପୁଷ୍ପ ତ‌ହିଁଁ ।
ସେହି ପୁଷ୍ପ ପୁଣି ସ୍ନିଗ୍‌ଧ ଶଶିକରେ,
ପିଅନ୍ତି ପିୟୁଷ ପ୍ରଫୁଲ୍ଲ ଅନ୍ତରେ ।
ତୋ ଛବି ଦର୍ଶନେ ସେହି ରୂପେ ମନ,
ଲଭେ ସୁମଧୁର ଶାନ୍ତି ଆସ୍ୱାଦନ ।
ବିରାଟ ନୋହି ତୁ ଯେଣୁ ସୁବୃହତ,
ସ୍ତବ୍‌ଧ ନୋହି ମନ ହୁଅଇ ଉନ୍ନତ ।
ଅବସାଦେ ଅବା ଆତ୍ମ‌ବିସ୍ମୃତିରେ,
ବୁଡ଼େ ନାହିଁଁ ମନ ତୋର ରମ୍ୟ ତୀରେ ।
ସ୍ନିଗ୍‌ଧ ରୂପ ତୋର ଚିତ୍ତ ଉଲ୍ଲାସକ,
ସୁମଧୁର ଦୈତ-ଭାବର ଦ୍ୟୋତକ ।
ସଙ୍ଗୀତ ତୋହର ଚିର ସ‌ହଚର,
ନୀଳ ବକ୍ଷ ତୋର ସଙ୍ଗୀତେ ମୁଖର ।
ଭାସମାନ ଶ୍ୱେତ ପ୍ରାସାଦ ଆକାରେ-
ଗାଆନ୍ତି ବିହ‌ଙ୍ଗେ ତରଙ୍ଗ ଦୋଳାରେ ।
ନୀଳତର କରି ଛାୟାରେ ତୋ ଅଙ୍ଗ,
ଉର୍ଦ୍ଧ୍ୱେ ମେଘାକାରେ ଉଡ଼ନ୍ତି ବିହ‌ଙ୍ଗ ।
ପକ୍ଷ ଝାଡ଼ି ଶୁନୁଁ ସ୍ଥିରଲକ୍ଷ ହୋଇ,
ଚଳ ମତ୍ସ୍ୟେ ଚିଲା ମାରନ୍ତି ଗାଙ୍ଗୋଇ ।
କଳା ନୀଲ ପୀତ ହରିତ ଲୋହିତ,
ବିହ‌ଙ୍ଗମେ ଊର୍ମି କାହିଁଁ ବିମଣ୍ଡିତ ।
ଜଳଦେବୀ କଳ କିଙ୍କିଣୀ ନିକ୍ୱଣ,
ପ୍ରାୟ ଶୁଭୁଥାଇ ଶରାଳି ନିଃସ୍ୱନ ।
ଯୁଥେ ଯୁଥେ ମତ୍ସ୍ୟ ନିଜ ଶୁଭ୍ରକାନ୍ତି,
ନୀଳ ନୀରେ ଡେଇଁ ଉଲ୍ଲାସେ ଦେଖାନ୍ତି ।
ଧିକ୍କାରୀ ମୁକୁତା-ଶୁକ୍ତି-ବର୍ଣ୍ଣ-ଚ୍ଛଟା,
ଶଲ୍‌କାବୃତ ବପୁ ପ୍ରକଟେ ଭେକଟା ।
ବିଷଦଗ୍ଧ ଶଙ୍କୁ ପ୍ରାୟେ ବ‌ହି ପୁଚ୍ଛ,
ଶଙ୍କା ଉପୁଜାଏ ବିରାଟ ସାଙ୍କୁଚ ।
ଶିଶୁମାର ଖେଳେ ତରଙ୍ଗେ ଓଲଟି,
ଉଠି ବୁଡ଼ଇ ନ ପଡ଼ୁ ନେତ୍ର ପଟି ।
କଳାମୁଣ୍ଡ ଜଳେ ଛଟକେ ଦେଖାଇ,
ବୁଲଇ ମଗର ଏଣେ ତେଣେ ଧାଇଁ ।
କୋଟି କୋଟି ଜୀବେ ଲଭନ୍ତି ଜୀବିକା,
ତୋ ଦେହେ ଏରୂପେ ବିଚରି, ଚିଲିକା ।
କୋଟି କୋଟି ଜୀବେ ଯୋଗାଇ ଆହାର,
ନ ସରଇ ତୋର ଅକ୍ଷୟ ଭଣ୍ଡାର ।
କି ଆଶ୍ରତ କିବା ଆଗନ୍ତୁକ-ଚୟ,
ନିର୍ବିଶେଷେ ସର୍ବେ ପୁରାନ୍ତି ଆଶ୍ରୟ ।
ଏହି ଯେ ତୋ ନୀଳ ବକ୍ଷ ତାରକିତ,
କରି ବିହରନ୍ତି ହଂସ ଅଗଣିତ,

ପୃଷ୍ଠା ୪

କେବଣ ଦେଶୁଁ ଏ ବର୍ଷେ ବର୍ଷେ ଆସି,
କ୍ରିଡ଼ନ୍ତି ତୋ ଅଙ୍ଗେ ନାନାରଙ୍ଗେ ଭାସି ?
କଳୁଷିତ-ବାରି-କଳୁଷହାରକ,
କାସାରେ କୁମୁଦ ହାସ-ପ୍ରକାଶକ,
ଦକ୍ଷିଣଶା-ବଧୁ ଅବତଂଶ ମୋତି,
ମହୋଜ୍ଜ୍ୱଳ କୁମ୍ଭ ସମୁଦ୍ଭବ ଜ୍ୟୋତି,
ଉଇଁଲେ ଆକାଶେ ଆସି ଦଳେ ଦଳେ,
ପୂରନ୍ତି ଜଳ ଏ କଳକୋଳାହଳେ ।
ଏମାନେ କି ସ‌ହଚର ଶରତର,
ଶରତ ସଙ୍ଗତେ ହୁଅନ୍ତି ଅନ୍ତର ?
ଉଜ୍ଜ୍ୱଳ ଶରତ ଲକ୍ଷ୍ମୀ ପରଜନ,
ପ୍ରାୟେ ଦେଶେ ଦେଶେ କରନ୍ତି ଭ୍ରମଣ ।
ଶଶାଙ୍କ ଶବଳା ନିଶା ଜ୍ୟୋତିଷ୍ମତୀ,
କାଶହାସମୟୀ ସ୍ୱଚ୍ଛ ସ୍ରୋତସ୍ୱତୀ,
ମାଳତୀ-ବିଶଦ-ନିବିଡ଼-ନିକୁଞ୍ଜ
କୁମୁଦ ଧବଳ ସରୋବର ପୁଞ୍ଜ,
ଲଭି ସ୍ଥରତର ଶରତ-ପ୍ରସାଦ,
ଏ ସମ୍ପଦର ଏ ଅଟନ୍ତି ଦାୟାଦ ।
ନିଜେ ଶୁଭ୍ର ଶୁଭ୍ରେ କରନ୍ତି ବିହାର,
ଶୁଭ୍ରମୟ ସଦା ଏହାଙ୍କ ସଂସାର ।
ଶୁଭ୍ର ଶରତର ଜୟ ବୈଜୟନ୍ତୀ-
ପ୍ରାୟେ ପନ୍ତି ବାନ୍ଧି ନଭେ ବିହରନ୍ତି ।
କମଳା-ବିଳାସ-ଭୂମି ତୋର ତୀର,
ଫଳ ଫୁଲ ଶସ୍ୟେ ସଦା ସୁରୁଚିର ।
ନାରୀକେଳ ପୂଗ, ପନସ, ରସାଳ,
ମୁଚୁକୁନ୍ଦ, ଚମ୍ପା, ଦେଶର, ତମାଳ,
ଅଶୋକ ବସନ୍ତ ବିଭବ ବିକାଶୀ,
କଦମ୍ଭ, ଜଳଦ-ଡମ୍ବର-ବିଳାସୀ,
ସଦାଶିବପ୍ରିୟ ପବିତ୍ର ଶ୍ରୀଫଳ।
ସଦା ଚଳଦଳ ପବିତ୍ର ପିପ୍ପଳ,
ପୁରାଣ ଶାଳ୍ମଳୀ ସୁବିଶାଳକାୟ,
ଶ୍ୟେନ ଶ୍ୟେନୀ ଯହି ରଚନ୍ତି କୁଲାୟ,
ଗ୍ରାମଦେବତାଙ୍କ ମଣ୍ଡପ-ବିତାନ,
ସିନ୍ଧୁରିତ-ପୁଷ୍ପେ-ଗୁଚ୍ଛେ-ଗୋଡ଼ିବାଣ,
ଶିବାଳୟ ଉପକଣ୍ଠେ କନିଅର,
ସୁବର୍ଣ୍ଣ ଚଷକଧର ମଧୁପର,
କର୍ଣ୍ଣପୂରେ ରୂପେ ପୁଷ୍ପ ଯାର ଦୋଳେ,
ପଲ୍ଲୀ ବିଳାସିନୀ ଅମଳ କପୋଳେ,
ଦୈଦୁର୍ଯ୍ୟ-କିରୀଟ-ଧାରୀ ତୁଙ୍ଗ ତାଳ,
ସରୋବାର ତୀରେ ଶୋଭେ ମାଳମାଳ,
ମହାନ‌ନ୍ଦେ ଯାର ବାହୁଚ୍ଛାୟାଶ୍ରୟେ,
ବାୟା ବାୟାବଧୂ ବସନ୍ତି ନିର୍ଭୟେ,
ମୂଳେ କାଳରୂପି ଭୀଷଣ ଭୁଜଙ୍ଗ,
ଭୃକୁଟି ନ ଗଣି କରୁଥାନ୍ତି ରଙ୍ଗ,
ଡାଳୁ ବିଳମ୍ବିତ ସ୍ୱର୍ଣ୍ଣବର୍ଣ୍ଣ ଦୋଳେ,
ଦୋଳାନ୍ତି ଶାବକୁଳେ ସ୍ନେହଭୋଳେ,
ପଦାଶ୍ରିତ ଜୀବେ-ଛାୟା-ପ୍ରଦାୟକ,
କଷ୍ଟ ସ‌ହି ପରକଷ୍ଟ ସଂହାରକ,
ବଟଦ୍ରୁମ ଯାର ଯୋଗ୍ୟ ପୁତ୍ରବତ୍,
ଭୂସ୍ପର୍ଶୀ ଓହଳ ସ୍ତମ୍ଭେ ପରିଣତ,
ମରକତ ପର୍ଣ୍ଣେ ପଦ୍ମରାଗ ଫଳେ,
ଯା ବିଗ୍ରହ ଗ୍ରାମ ସୀମାନ୍ତ ଉଜଳେ,
ମଧ୍ୟାହ୍ନେ ସ୍ଫୁରଇ ଯହିଁ କଳଗିର,
ହଳଦୀବସନ୍ତ ସଙ୍ଗେ ଗୁଣ୍ଡୁଚିର,
ଏ ଆଦି ପାଦପମାଳେ ଅନ୍ଧାରିତ,
ତୀର ପଲ୍ଲ ତୋର ସ୍ନିଗ୍‌ଧ ପୁଲକିତ ।
ବୃତିରେ ପୁଷ୍ପିତ କେତକୀକି ଯହିଁଁ,
ସମୀରଣ ତୋର ନିରତେ ସେବଇ ।
କେତେ ଥର ଦେଖିଅଛି ଏହି ମାନ,
ମାତ୍ର ପ୍ରତି ଥର ଦିଶେ ଆନ ଆନ ।
ଦୃଷ୍ଟପୂର୍ବ ହୋଇ ଅପୂର୍ବ ପ୍ରତୀତି,
ସୁନ୍ଦରପଣର ଚିରନ୍ତନ ରୀତି ।
ସୁନ୍ଦରେ ତୃପ୍ତିର ଅବସାଦ ନାହିଁଁ,
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।

ପୃଷ୍ଠା ୫

ତୋ ପଶ୍ଚିମରେ ଶୋଭାର ନିଳୟ,
ଦେଖି ନ ରହିବ ଲାଖି କା ହୃଦୟ !
ଶ୍ୟମଳରୁ କ୍ରମେ ନୀଳ, ନୀଳତର,
ସୋପାନସ୍ୱରୂପେ ଦିଶେ ଶୈଳସ୍ତର ।
ଅଭ୍ରଙ୍କଷ ତୁଙ୍ଗ ପ୍ରତୀଚୀ-ପାଚେରୀ,
ଶୋଭେ ଶୋଭାମୟ ଭୂଧର ଭାଲେରୀ,
କ୍ରମନିମ୍ନ ହୋଇ ନୀଳ ଜଳରାଶି,
ଭେଦିଅଛି ଯାର ସୁଶ୍ୟାମଳ ନାସି,
ଡୋର ଡୋର ହୋଇ ପରଶିଛି ଶିଖ,
ଠାବେ ଠାବେ ଯାର ମାର୍ଗ ଗଇରିକ ।
ସୁଶ୍ୟାମଳ ଗୁଳ୍ମ-ଜଟିତ ଜଟିଆ,
ତୀରୁ ନୀରେ ଯାର ହୋଇଅଛି ଠିଆ,
ତିନି ଆଡ଼ୁ ଯାକୁ ତର୍ଜି ବୀଚିଦଳ,
ପ୍ରଚାରନ୍ତି ନିଜ କ୍ଳିବତ୍ୱ କେବଳ,
ତଟବନେ ଯାର ରାଜେ ଅନ୍ଧାରୁଆ,
ଜଳଦେବୀଙ୍କର କେଳିଯୋଗ୍ୟ ଗୁହା,
ପାଷାଣଭେଦୀରେ ମଣ୍ଡିତ ତୋରଣ,
ସଇବାଳସ୍ତରେ ଭିତ୍ତି ସୁଚିକ୍କଣ,
ବସି ଯହିଁଁ ହ୍ରଦବାସିନୀ ଅମରୀ,
ସ୍ୱଚ୍ଛ ମୁକ୍ତାଫଳେ ବାନ୍ଧନ୍ତି କବରୀ ।
ବୃକ୍ଷହୀନ, ଶିଳାରୁକ୍ଷ-କଳେବର,
ସିଂହେଶ୍ୱରଙ୍କର ଯାମଳ ଭୁଧର ।
ବ‌ହଇ ସାଳିଆ ପ୍ରସନ୍ନ-ସଲିଳା,
ତଟଦେଶେ ଯାର ଶୈଳ ଘଣ୍ତଶିଳା ।
ଇନ୍ଦ୍ରନୀଳ କାନ୍ତି ବିଶାଖ ଶୋଲରୀ
ଦେଖି ମୋ ମନ‌କୁ ଆସଇ ଏପରି-
ଉର୍ଦ୍ଧ୍ୱେ ଉଠନ୍ତି କି ଭେଦିଣ ଅବନୀ,
ମୟବିରଚିତ ଯାନେ ବୈରୋଚନି ?
ଅପରାଜିତାର ନୀଳିମା ତସ୍କର,
ଦୂରେ ଗିରିରାଜ ରାଜେ ମନୋହର,
କରିମୁଣ୍ଡାକୃତି ଗିରି ଖଣ୍ଡାହଣା,
କାନ୍ତାରେ ହୁଅନ୍ତି ପାନ୍ଥେ ଯହିଁଁ ବଣା ।
ମଧ୍ୟାହ୍ନେ ଅନ୍ଧାର ଜିଣଇ ଅଳନ୍ଧୁ;
କନ୍ଧସୀମନ୍ତିନୀ-ବିଶ୍ରାମର ବନ୍ଧୁ,
ନୀରନ୍ଧ୍ର ନିବିଡ଼ କୀଚକବଣିଆ,
ଅଭ୍ରଙ୍କଶ ଶିଖ ଗିରି ଗଉଣିଆ ।
ଫଣାଧରାକୃତି ମୈନାକ ଶିଖରି,
ଯା ଶିରେ ବସନ୍ତି ରଣପୂରଶ୍ୱରୀ ।
ବାରୁଣୀ ବଦନେ ଏ ଗିରିପଟଳୀ,
ଶୋଭେ ଯେହ୍ନେ ମୃଗମଦ ପତ୍ରାବଳୀ ।
ପୂର୍ବତୀରୁ ତୋର ଆରୋହି ତରଣୀ,
ଆସୁଥିବାବେଳେ ଏ ତୀର ଅବନୀ,
ଏହି ଦୃଶତାବଳୀ ନିଜ ଚିତ୍ରପଟେ,
ଦର୍ଶକ ନୟନରେ କ୍ରମଶଃ ପ୍ରକଟେ ।
କୁହେଳିକା ଭେଦି ଯେହ୍ନେ ଶୈଳକୂଟ,
କ୍ରମେ ହେଉଥାନ୍ତି ନଭେ ପରିସ୍ଫୁଟ ।
ଜଳୋଦ୍‌ହତେ ଇନ୍ଦ୍ରନୀଳର ଗମ୍ବୁଜ,
ପ୍ରାୟେ ଦିଶୁଥାଇ ଦ୍ୱୀପ-ଶୈଳବ୍ରଜ ।
ଯେତେ ହେଉଥାଇ ତରୀ ଅଗ୍ରସର,
ଅଲଗା ଦିଶନ୍ତି ଲଗ୍ନ ପରସ୍ପର ।
ସୂକ୍ଷ୍ମ ହେଉଥାଏ କ୍ରମେ କ୍ରମେ ସ୍ଫୀତ,
ଏକା ବର୍ଣ୍ଣ ନାନା ବର୍ଣ୍ଣେ ବିଭାସିତ ।

ପୃଷ୍ଠା ୬

ପଲକେ ପଲକେ ହୁଅଇ ପ୍ରକାଶ,
ଛାୟା ଆଲୋକର ଅପୂର୍ବ ବିଳାସ ।
ସାୟନ୍ତନ ଘନ ଖେଳଇ ଗ‌ଗନେ,
ସୂର୍ଯ୍ୟାସ୍ତର ଐନ୍ଦ୍ରଜାଲିକ ବରଣେ ।
ଠାବେ ଠାବେ ଅଭ୍ରଖଣ୍ଡ ସ୍ୱର୍ଣ୍ଣକାନ୍ତି,
ଶିର ତୋଳି ଶୈଳ ଶୁଖୁଁ ଝାଙ୍କୁଥାନ୍ତି,
ଶୋଭାରାଶୋ ଫୁଟି ଅନ୍ତରୀକ୍ଷ ସ୍ଥଳେ,
ତ‌ହୁଁ ତୋ ତରଳ ବକ୍ଷେ ପ୍ରତିଫଳେ ।
ଆହା ଏ ଶୋଭାର କାହିଁଁ ପଟାନ୍ତର,
ଥିଲେ ଥିବ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର ।
ପାଶୋରିବ ଦେଖି କ‌ହ, କେହି ଜନ,
ଏ ଶୋକପାସୋରା ଅପ୍‌ଶରାଭୁବନ ?
ଭାରତୀ ଭକତ କେଉଁ ରୂପ‌ପାୟୀ,
ତୃପ୍ତ ହେବ ଏହା ଥରେ ମାତ୍ର ଧ୍ୟାୟି ?
ବଚନ ବିଷୟ ନୁହଁଇ ଏ ଛବି,
ହୃଦ ସେ କେବଳ ପାରେ ଅନୁଭବି !
ନାନା ତୀର୍ଥ ଜଳ ଆସି ଦିବାନିଶି,
ପୂତ କରେ ତୋର ଅଙ୍ଗ ତ‌ହିଁଁ ମିଶି ।
ସର୍ବ ଦେବ ଦେବୀ ସ୍ନାନେ ପବିତ୍ରିତ,
ନୀଳାଚଳ ପାଦେ ବ‌ହେ ସେ ସରିତ ।
ପୁନ୍ନାଗ ଅରଣ୍ୟ ଲକ୍ଷ୍ମୀ ଦରପଣ,
ତେଜପୁଞ୍ଜ ଭୃଗୁ ପ୍ରଭାବେ ପ୍ଳାବନ ।
ଭାର୍ଗବୀ, ସ୍ୱର୍ଗର ସୁଗନ ନିଃଶ୍ରେଣୀ
ମନୋହର ଯାର ନୀଳ ନୀରବେଣୀ ।
ସ୍ନାନ‌କାଳେ ଦ୍ୱିଜକୁମାରୀନିଚୟ-
ମୁଖେ ଦିଶେ ହେମ-ତାମରସମୟ;
ମଞ୍ଜୁ ଛରରୀଅନା-କୁଞ୍ଜ-ବିହାରିଣୀ,
ସାକ୍ଷୀ ଗୋପୀନାଥ-ହୃଦୟହାରିଣୀ,
ଦ୍ୱିଜକନ୍ୟା-ଲକ୍ଷ୍ମୀ-ସ୍ନାନେ ପୁଣ୍ୟନୀରା,
ସୌଗନ୍ଧିକ-ଗନ୍ଧେ ଚାରୁ ରତ୍ନ‌ଚିରା,
ଦୟା ବୀର ଧୀର ମୁନିନ୍ଦ୍ର ଦ‌ଧୀଚି,
ଅଭିଷେକଫଳେ ପୂତ ଯାର ବୀଚି,
ଭାବତଳେ ବିଭୁ-ଦୟା ମୂର୍ତ୍ତିମତୀ,
ଧଉଳି ଦର୍ପଣ ଦୟା ସ୍ରୋତସ୍ୱତୀ;
ଭୁବନେଶ୍ୱରୀଙ୍କ କେଳି ଉପବନ,
କିଶଳୟ ତାମ୍ର ଏକାମ୍ର କାନନ-
ଦ୍ରୁମରାଜି ଛାୟା ଅନ୍ଧାରେ ଯାହାର,
ମୃଦୁ କଳନାଦେ ବ‌ହେ ସ୍ୱଚ୍ଛ ଧାର,
ନ‌ଦୀ ମନ୍ଦାକିନୀ ଅମଦଗାମିନୀ,
ରଣପୁର ରାଷ୍ଟ୍ର ବନବିହାରିଣୀ,
ଏ ଆଦି ବିବିଧ ପୁଣ୍ୟତୀର୍ଥ ସଙ୍ଗ,
ଲଭି ପରିପୁଷ୍ଟ ତୋର ନୀଳ ଅଙ୍ଗ ।
ନିଜେ ତୀର୍ଥେଶ୍ୱର ସର୍ବ-ତୀର୍ଥାଶୟ,
ତୋ ସଙ୍ଗେ କରନ୍ତି ନୀର ବିନିମୟ ।
ପବିତ୍ର ସୁନ୍ଦର, ସୁନ୍ଦର ପ୍ଳାବନ,
ତୋଠାରେ ହୋଇଛି ଏହା ସଂଘଟନ ।
ତେଣୁ ସିନା ତୋର ତୀର ଦ୍ୱୀପାବଳୀ,
ଦେବ-ଦେବୀଙ୍କର ପ୍ରିୟ ବାସସ୍ଥଳୀ ।

ପୃଷ୍ଠା ୭

ତେଣୁ ସିନା ତାରା, ଚଣ୍ଡୀ ଭଗବତୀ,
ସରାଗେ ତୋ ତୀରେ ବିହିଲେ ବସତି ।
ତେଣୁ ନାଗେଶ୍ୱର ନିକୁଞ୍ଜ ବିଳାସୀ,
ପ୍ରଭୁ ଚଣ୍ଡେଶ୍ୱର ତୋ ତୀର ନିବାସୀ ।
ତୋ ଦର୍ଶନେ କ୍ଷୁଦ୍ର ମନୁଷ୍ୟର ଚିତ୍ତ,
ଦେଶେ କାଳେ ହୁଏ ଦୂର ବିସ୍ଫାରିତ ।
ଅତୀତର ତୁହି ସାକ୍ଷୀ ପୁରାତନ,
ଦେଖିଲୁ ନ‌ଗର ଉତ୍‌ଥାନ ପତନ ।
କେତେ ରାଜଧାନୀ ତୋ ତୀରେ ଉତ୍‌ଥିତ,
ହୋଇ ପୁଣି ତ‌ହିଁ ହେଲେ ଅସ୍ତମିତ ।
ଧୋଉଅଛି ତୋର ନୀଳ ଊର୍ମିମାଳ,
ଏବେ ତାଙ୍କ କାଳ ଚର୍ବିତ କଙ୍କାଳ ।
କେତେ ରାହା କେତେ ଦିଗ୍‌ବିଜୟୀ ବୀର,
ଆଲୋଡ଼ିଲେ ତୋର ସ୍ନିଗ୍‌ଧ ନୀଳ ନୀର ।
ତୋ ଆକାଶ ପୂରି ଜୟବାଦ୍ୟରୋଳେ,
ଉଡ଼ାଇ ବାନା ତୋ ପବନ ହିଲ୍ଲୋଳ,
ସଦମ୍ଭେ ବାହିଲେ ତୋର ବକ୍ଷେ ତରୀ,
ଅକ୍ଷୟ ଯଶର ଆଶା ବକ୍ଷେ ଧରି ।
ଅଭିଯାନେ ତାଙ୍କ ତରୀ ମେରୁଦଣ୍ଡେ,
ଯେ ରେଖା ପଡ଼ିଲା ତୋର ନୀଳ ଗଣ୍ଡେ,
ସେହି ରେଖା ପ୍ରାୟେ ତାଙ୍କ ଯଶମାନ,
ଜାତ ମାତ୍ରେ ସିନ ହେଲେ ଅନ୍ତର୍ଦ୍ଧ୍ୟାନ ।
ବୃଥା ହାଣୀ, ଆହା, ଲକ୍ଷ ଲକ୍ଷ ମଥା,
କେତେ ଦିନ ପାଇଁ କଲେ କେତେ କଥା,
ଯଶରଙ୍କ ହୋଇ ପଦାଙ୍କ ସେ ବୀରେ,
ରଖି ପାରିଲେ କି ଯଶ ପଦବୀରେ ?
ସୁଲଭ ଯେ ଲାଞ୍ଚ-ବନ୍ଦୀକୁଳ୍ୟଶଃ,
କାଳ କି ସେ ଲାଞ୍ଚେ କେବେ ହୁଏ ବଶ ?
ଇତିହାସ ରଙ୍ଗ ସ୍ଥଳି ତୁ ଚିଲିକା,
ତୋର ତୀରେ ପରା ଶ୍ରୀମତୀ ମାଣିକା-
ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ
ଭାବଗ୍ରାଗୀ ପ୍ରଭୁ ଭକ୍ତ ଚିନ୍ତାମଣି ।
ଦିନେ ତୋର ତୀରେ ବସି ନିକାଞ୍ଚନେ,
କାଞ୍ଚି ଯାତ୍ରା କଥା ପଡ଼ିଗଲା ମନେ ।
ସ୍ୱପ୍ନେ ଭାଷି କାଳସ୍ରୋତେ ପ୍ରତି ଲୋମେ,
ଦେଖିଲି ଅମରୀ ବିରାଜିତ ବ୍ୟୋମେ ।
ଧରନ୍ତି କଳ୍ପନା ନାମ ସେ ସୁନ୍ଦରୀ,
ବିଣାପାଣିଙ୍କର ଚିରସ‌ହଚରୀ ।
ଭକ୍ତି ଭବେ ତାଙ୍କୁ କଲି ଆରଧନା,
ଦିବ୍ୟଚକ୍ଷୁ ମୋତେ ଦେଲେ ଚନ୍ଦ୍ରାନନା ।
ଦେଖିଲି ଦୃଶ୍ୟ ମୁଁ ବସି ତୋର ତଟେ,
ଲାଖି ରହିଛି ଯା ସଦା ସ୍ମୃତିପଟେ ।
ସମୀରେ ଅଝାଲ ମାଳା ସ୍ଫୀତ କରି,
ଦକ୍ଷିଣୁ ଆସିଲା ଶତ ଶତ ତରୀ ।
ତରୀରେ ଆସୀନ ସୈନିକ ନିକର,
ସୌର କରେ ବର୍ମ ଆୟୁଧ ଭାସ୍ୱର ।
ସ୍ୱର୍ଣ୍ଣ ଦର୍ଶନ ଲାଞ୍ଛନେ ଲାଞ୍ଛିତ,
ଲୋହିତ ପତାକା ବାତେ ଆନ୍ଦୋଳିତ ।
ତାଳେ ତାଳେ ପଡ଼ି ତୋ ବକ୍ଷେ କ୍ଷେପଣୀ,
ଉଠଇ ଗମ୍ଭୀରେ ଜୟଗୀତ ଧ୍ୱନି ।
ମଧ୍ୟେ ଶୋହେ ତରୀ ଅତି ମନୋହର,
ଗଜଦନ୍ତେ ଗଢ଼ା ଯାର କଳେବର ।
ରଙ୍କ ଚନ୍ଦ୍ରାତପ ସ୍ୱର୍ଣ୍ଣ ତାରକିତ,
ସ୍ଫଟିକ‌ଯଷ୍ଟିରେ ଉର୍ଦ୍ଧ୍ୱେ ବିଳମ୍ବିତ ।
ଚନ୍ଦ୍ରତପ ତଳେ ଝୁଲଇ ମଞ୍ଜୁଳ,
ଝାଲର ପରାଏ ପତ୍ର ସଙ୍ଗେ ଫୁଲ ।

ପୃଷ୍ଠା ୮

ତ‌ହିଁ ସିଂହାସନେ ସୁନ୍ଦରୀ ଅସୀନା,
ଜଗତେ ତୁଳନା ସେହି ତାର ସିନା ।
ପାରିଜାତ କୁଞ୍ଜେ ଇନ୍ଦିରା ସୁନ୍ଦରୀ,
ସମୁଦ୍ର ମନ୍ଥନୁ ବାହାରିଲା ପରି ।
ମ୍ଳାନ ମୁଖଛବି ବିଷାଦ ରେଖାରେ,
ଭ୍ରୁଲତା ଅଙ୍କାକି ଲଜ୍ଜା ତୁଳିକାର ?
ଭ୍ରୁମଧ୍ୟେ କୁଙ୍କୁମ ବିନ୍ଦୁ ସୁମଧୁର,
ବେନି କର୍ଣ୍ଣେ ଶୋଭେ ମଣି କର୍ଣ୍ଣପୁର ।
ବୈପରିତ୍ୟେ ଦ୍ୟୁତି ବଢ଼ାଇ ବିଶେଷେ,
କୃଷ୍ଣ କେଶପାଶ ଦୋଳେ ପୃଷ୍ଠଦେଶେ ।
ଗନ୍ଧାମୋଦେ ଅନ୍ଧ ହୋଇ ଅଳିକୁଳ,
ଗୁଞ୍ଜରି ବାମାକୁ କରନ୍ତି ଆକୁଳ ।
ବରଭୁଜେ ଚାଳି ଲୀଳା ଅରବିନ୍ଦ,
ସମ୍ଭ୍ରମେ ସୁନ୍ଦରୀ ତଡ଼ଇ ମିଳିନ୍ଦ
ମଣ୍ଡାଇ ସୁନୀଳ ନେତ୍ର ପଙ୍କଜାସ୍ୟେ,(ଆସ୍ୟ)
ଅଜତ୍ନ ମଣ୍ଡନ ଚଳଭୁରୁ ଲାସ୍ୟେ,
ବରଭୁଜେ ଧରି ରଜତ କ୍ଷେପଣୀ
ତରୁଣୀଏ ମିଳି ବାହାନ୍ତି ତରଣୀ ।
କ୍ଷେପଣୀ କ୍ଷେପଣେ ତୋହର ସଲିଳେ,
ହୀରକର ଉତ୍ସ ଉଠିଲା ସଲିଳେ ।
ସୁନ୍ଦରୀର ନେତ୍ର ଶୋଭା ଅନୁକରି,
ତୋ ଜଳେ ସ୍ଫୁରିଲେ ରଜତ ସଫରୀ ।
ନୀଳିମାରେ ବାମା ଚାରୁ କେଶପାଶ,
ତୋ ନୀଳ ବୀଚିକି କଲା ଉପ‌ହାସ !
ତେଣୁ କି ତରଙ୍ଗେ ଅପମାନ ଭରେ,
ଶିର ପିଟୁଥିଲେ ତରଣୀ ପଞ୍ଜରେ ?
କାମିନୀ ଚିକୁରେ କୁସୁମ ମୁକୁଟେ,
କମଳ ପାଖୁଡ଼ା ବାତେ ପଡ଼େ ଉଠେ ।
ସୁନ୍ଦରୀର ତରୀ ସମ ବିଭୁଷିତ,
ଗଜଦନ୍ତେ ଗଢ଼ା ଅପର ବୋଇତ,
ସମସଂଖ୍ୟା ଯୁବା ବର୍ମୋଜ୍ଜ୍ୱଳ ଅଙ୍ଗ,
ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ ।(ତରୀଦନ୍ତ)
ତ‌ଥିପରେ ମଣ୍ଡିଛନ୍ତି ସିଂହାସନ,
ଯୁବା ଦେବାକୃତି, ସିଂହ‌-ସଂହ‌ନନ
ବଦନଶ୍ରୀ ତେଜ-ଗାମ୍ଭୀର୍ଯ୍ୟ-ବ୍ୟଞ୍ଜକ।
କୃପାଣ ପାଣିରେ କରେ ଜକ ଜକ ।
ମୂର୍ତ୍ତୀ ପରିଗ୍ରହ ଉଦେ କି ସାହସ,
କିମ୍ବା କ୍ଷାତ୍ର ଧର୍ମ କିମ୍ବା ବୀରରସ ।
ଋଷିକୁଲ୍ୟା ତଟୁ ସୁବର୍ଣ୍ଣ ତଟିନୀ,
ଯାଏ ଛାୟା ଯାର ବ୍ୟାପଇ ମେଦିନୀ,
ଶିର ପରେ ଶୋହି ସେହି ସ୍ୱର୍ଣ୍ଣଛତି,
ଚିହ୍ନାଇ ଦେଉଛି ଉତ୍କଳର ପତି ।
ତୀରେ ଦୂର୍ଗଶିରେ ଶସ୍ତ୍ର କରେ ଧରି,
ଦେଖୁଥିଲେ ଦୃଶ୍ୟ ସମ୍ଭ୍ରମେ ପ୍ରହରୀ ।
ଗିରିବାସୀ ଯେତେ ସାମନ୍ତ ପ୍ରଧାନ,
ଡଗର ସମ୍ବାଦେ ଆଗୁଁ ସାବଧାନ-
ହୋଇ ଦଳ ଦଳ ହେଲେ ଉପସ୍ଥିତ,
ଦେଖି ବାନା ବିଷ୍ଣୁ ଆୟୁଧ ଲାଞ୍ଛିତ ।
ମସ୍ତକ ନୁଆଇଁ ସର୍ବେ କଲେ ନତି,
ପାଶେ ଆସିବାରୁ ତରଣୀ ପଙ୍କତି ।
ଗାଇଲେ ମଧୁର କଣ୍ଠେ ବନ୍ଦିଦଳେ,
"ହେ ବିଶ୍ୱ ସୁନ୍ଦରୀ ସ୍ୱାଗତ ଉତ୍କଳେ" ।
ଜୟ କାଞ୍ଚିଜେମା ବିଶ୍ୱ ମନୋରମା,
ବିରଞ୍ଚି ସୃଷ୍ଟିରେ ଶୋଭାର ଉପମା ।
ତୁମ୍ଭ ଆଗମନେ ପବିତ୍ର ଉତ୍କଳ,
ଜାହ୍ନବୀ ପରଶେ ଯେହ୍ନେ ଧରାତଳ,
ଶୋଭିବ ଉତ୍କଳ ସଦ୍ମେ ସଦାଶୟା (ସଦ୍ମ)
ସରେ ଯଥା ପଦ୍ମ ପଦ୍ମେ ପଦ୍ମାଳୟା ।
ଜୟ ଅରିନ୍ଦମ ଶ୍ରୀପୁରୁଷୋତ୍ତମ,
ବିଶ୍ୱେ ତୁମ୍ଭେ ବିଶ୍ୱ-ରକ୍ଷା‌-ବ୍ରତ-କ୍ଷମ ।
ଲଭିଲ ଜଗତେ ଦେଖାଇ ଯୋଗ୍ୟତା,
ସତ୍‌କ୍ରିୟା ରୂପେ ଏ ରୂପ କଳ୍ପଲତା,
ସୁନ୍ଦର ମଧୁର ବେନିଙ୍କ ମିଳନ,
ଶୌର୍ଯ୍ୟ ସଙ୍ଗେ ଆହା ସୌନ୍ଦର୍ଯ୍ୟ ଯେସନ ।

ପୃଷ୍ଠା ୯

ଚିତ୍ରା ସଙ୍ଗେ ଏବେ ମିଳିଲେ ଚନ୍ଦ୍ରମା,
ଶ୍ରୀପତି ସ‌ହିତେ ଲୋକମାତା ଉମା ।
ବେନିଙ୍କ ସୃଜନେ ବିରଞ୍ଚି କୌଶଳ,
ହେଲା ବେନିଙ୍କର ମିଳନେ ସଫଳ ।
ବନ୍ଦାପନା ଅନ୍ତେ ବାଦିତ୍ରଶବଦ,
ଉଠିଲା କମ୍ପାଇ ମହୀ, ବିଷ୍ଣୁପଦ ।
ତୀରେ ଗିରିଗୁହା ଯୋଗ ଦେଲେ ତ‌ହିଁ,
ସମୀର ନେଲା ତା ଦିଗେ ଦିଗେ ବ‌ହି ।
ସେ ଉତ୍ସବେ ହୋଇ ହରଷେ ଉତ୍ତାଳ,
ଚିଲିକା ତୋ ବୀଚି ତ‌ହିଁ ଦେଲେ ତାଳ ।
ସେ ଘୋର ଆଧ୍ମାନେ ଭାଙ୍ଗିଗଲା ଧ୍ୟାନ,
ଧ୍ୟାନ ସଙ୍ଗେ ଦୃଶ୍ୟ ହେଲେ ଅନ୍ତର୍ଦ୍ଧ୍ୟାନ ।
ଜାଣିଲି ସେ ସବୁ କଳ୍ପନା କୌଶଳ,
ଫେଡ଼ନ୍ତେ ନୟନ ଦେଖିଲି କେବଳ ।
ଅନନ୍ତ ନୀଳିମା ଦ୍ୟୁତି ବିଭାସିତ,
ତୋ ଅତର ସତ୍ତା ଅଗ୍ରେ ବିରାଜିତ ।
ରୁଦ୍ର ମୁର୍ତ୍ତି ତୋର ରଖୁ ତୁ ଘୋଡ଼ାଇ,
ଦୁରନ୍ତ ଉତ୍କଳ ପରିପନ୍ଥା ପାଇଁ ।
ସୂର୍ଯ୍ୟକାନ୍ତ ଯଥା ପରଶେ ଶୀତଳ,
ତେଜସ୍ୱୀ ଦର୍ଶନେ ହୁଏ ଊଜସ୍ୱଳ ।
ଶତୃ ଦେଖି ତୁହି ସେ ରୂପେ ଚିଲିକା,
ପ୍ରକଟୁ ପ୍ରଚ୍ଛନ୍ନ ଶକ୍ତି ମାରାତ୍ମିକା ।
ସେହି ମୂର୍ତ୍ତୀ ତୋର ଉତ୍କଳେ ଚଢ଼ାଉ-
କରି ଦେଖିଥିଲା ଦୈତ୍ୟା ରକ୍ତବାହୁ ।
ତମୋଗୁଣେ ଭଜି ଆୟୁଧପିଶାଚୀ,
ମନୁଷ୍ୟକୁ ସେହୁ ମଣୁଥିଲା ମାଛି,
ଉତ୍କଳପତ୍ତନ କରି ଭସ୍ମୀଭୂତ,
ନରରକ୍ତେ ଧରା କରି ପରିପ୍ଳୁତ,
ସର୍ବରତ୍ନପ୍ରସୁ ଭାରତର ଯାର,
ହଠେ ଲୁଟିକରି ଶ୍ରୀକୋଠଭଣ୍ଡାର ।
ବିଜୟ ଉଲ୍ଲାସ ମନେ ବାହି ତରୀ,
ବାହୁଡ଼ିଲେ ଯେବେ ସ୍ୱଦେଶ ମତ୍ସରୀ,
ତା ଉଲ୍ଲାସ ଗୀତ ତୋହରି ପ୍ରତାପେ,
ପରିଣତ ହେଲା ପଲକେ ବିଳାପେ ।
ଉତ୍ତରଳେ ଯାଇ ଓଗାଳିଲୁ ବାଟ,
ଆକାଶ ପାତାଳ ଛାଡ଼ିଲେ କୁହାଟ ।
କାଳୀଜାଈ ଶୈଳେ ଦେବୀ ହୈମ‌ବତୀ,
ଉଭା ହୋଇ କଲେ ସଙ୍କେତ ତୋ ପ୍ରତି,
ଫିଙ୍ଗି ତୋ ତରଙ୍ଗେ ସୁବର୍ଣ୍ଣ ତ୍ରିଶୂଳ,
ସେ ସଙ୍କେତେ ଫେନ ଚୂଡ଼ ଉର୍ମିକୂଳ,
ଉତ୍‌କେଶର ଦେବୀ-ବାହ‌ନ କେଶରୀ-
ପ୍ରାୟେ ଦଉଡ଼ିଲେ ଗ୍ରସିବାକୁ ତରୀ,
ତୋ ଇଙ୍ଗିଲେ ସଙ୍ଗେ ଘେନି ଉର୍ମିଥାଟ,
ଦଉଡ଼ି ଆସିଲେ ନିଳାମ୍ବୁସମ୍ରାଟ,
ବିଶ୍ୱ-ଧ୍ୱଂସି ରୁଦ୍ର ପ୍ରଖର ନିଃଶ୍ୱାସ-
ପରାୟେ ବ‌ହିଲା ବାୟୁ ଅଣଞ୍ଚାଶ,
ଦୈତ୍ୟହ‌ନ୍ତୀ ବଜ୍ରୀ ଭୀମ ବଜ୍ରକରେ,
ଜୀମୂତ ବାହ‌ନେ ଉଇଁଲେ ଅମ୍ବରେ,
ଦମ୍ଭୋଳି ସେକାଳେ କଲା ଘୋର ଧ୍ୱନି,
ଥର ଥର ହୋଇ କମ୍ପିଲା ଅବନୀ,
ଥର ଥର ହୋଇ କମ୍ପି ଅବନୀ-ସଙ୍ଗତେ,
ପର୍ବତକୁ ଡକା ଛାଡ଼ିଲେ ପର୍ବତେ-
ଭାଲେରୀ କ‌ହିଲା ଶୋଲେରୀକି ରାଇ,
ଗଲେ ସେ ଆରବ ଶଙ୍ଗୁ ଶଙ୍ଗେ ଧାଇଁ ।
ତୋ ଉର ଦର୍ପଣେ ସଘନେ ବିମ୍ବିତ,
ହୋଇ ଚମକିଲା ଜୀମୂତେ ତଡ଼ିତ-
ଦେଖାଇଦେଲା ତୋ ସଂସାର-ମୂରତି,
କୃତିର ସେହି କରାଳ ଆରତି,
ଯା ଦେଖି ଆତଙ୍କେ ଦୈତ୍ୟ ଆଖଣ୍ଡଳ,
ବିଫଳ ମଣିଲା ନିଜ ଭୁଜବଳ,

ପୃଷ୍ଠା ୧୦

ତା କୃପାଣୁ ଅଛି ଶକ୍ତି ବଳବାନ,
ଅକାଳେ ଏ ଜ୍ଞାନ ପାଇଲା ଅଜ୍ଞାନ ।
ଜାଣିଲା ତୋହରି କଷାଘାତେ ଶିଖି,
ଦୈବି ନ ଡରଇ ନର-ଭୃକୁଟୀକି ।
ତରୀ ଧରି ଊର୍ମି ଫେନ-ଅଟ୍ଟ‌ହାସେ,
କନ୍ଦୁକ ପରାଏ ଫିଙ୍ଗିଲେ ଆକାଶେ ।
ତ୍ରାହି ତ୍ରାହି ଡକା ପାରି ଧର୍ମଦ୍ରୋହୀ,
କେ କାହିଁ ପଡ଼ିଲେ ଛିନ୍ନ ଭିନ୍ନ ହୋଇ ।
ସର୍ବେ ହୋଇଗଲେ ନିର୍ମୂଳ ନିଃଶେଷ,
କେହି ନ ରହିଲେ ଦେବାକୁ ସନ୍ଦେଶ ।
କାହିଁ ଗଲା ସେହି ବିଜୟ ଉତ୍ସବ ?
ଭାଷିଲା ତୋ ବକ୍ଷେ ବିଜୟୀଙ୍କ ଶବ !
ଆସିଥିଲେ ଲୋଡ଼ି ଉତ୍କଳର ବିତ୍ତ,
ବିହିଲେ ଉତ୍କଟ ତାର ପ୍ରୟଶ୍ଚିତ ।
ଭୃଭଙ୍ଗରେ ଯାଙ୍ଗ କମ୍ପିଲା ଭୂତଳ,
ମକ୍ଷି ତଡ଼ିବାକୁ ଏବେ ନାହିଁ ବଳ ।
ଦ୍ୱିସପ୍ତ ଭୁବନ ଯେ ମଣିଲେ ଅଳ୍ପ,
ଆଶ୍ରିଲେ ସେ ସପ୍ତ ଚାଖଣ୍ଡର ତଳ୍ପ ।
ପାରିଲେଣି ଏବେ ଦେବ ବିକର୍ତ୍ତନ,
ଭାଲେରୀ ଶିଖରେ ସ୍ୱର୍ଣ୍ଣ ସିଂହାସନ ।
ଠାବେ ଠାବେ ଛାୟା ପଡ଼ିଣ ଶଇଳେ,
ହରିତ ହେଲେଣି ପରିଣତ ନୀଲେ ।
ଗଳ-ଘଣ୍ଟେ ନାଦି ଗିରି ତଟଦେଶ,
ବାହୁଡ଼ନ୍ତି ପଲେ ପଲେ ଛାଗ ମେଷ ।
ମହିଷ ଟିପାର ଗୁରୁଗୁର ଧ୍ୱନି,
ଘୋଷେ ମୁଖରିତ ଅରଣ୍ୟ ସରଣୀ ।
ଗୋଷ୍ଠୁ ଧୂମରେଖା ଉଠି ଗିରିପାଦେ,
କୁଞ୍ଚିତ ଗତିରେ କାନନେ ଆଚ୍ଛାଦେ ।
କଳରବେ ଏରା ଉଡ଼ିଣ ହ୍ରଦରୁ,
ଅରଣ୍ୟେ ଲୋଡ଼ନ୍ତି ଯେଝା ନୀଡ଼-ତରୁ ।
ପୀତ ଅସ୍ତକର ହେବାରୁ ପତିତ,
ଡେଣା ଦିଶେ ଯେହ୍ନେ ସୁବର୍ଣ୍ଣ ମଣ୍ଡିତ
ରତ୍ନରାଜି ବୁଣି ବର୍ତ୍ସ ଅନ୍ତରାଳେ,
ବୁଡ଼ିଲେ ମିହିର ଭାଲେରୀ ଉଢ଼ାଳେ ।
କେତେ ଯତ୍ନେ ଆହା କାଦମ୍ବିନୀ ଧନୀ,
ବସ୍ତ୍ରଞ୍ଚଳେ ବାନ୍ଧି ନେଉଛି ସେ ମଣି !
ଧରିତ୍ରୀ ବଦନେ ପୀତ ଅସ୍ତରାଗ,
ବୋଳି ଦେଇଛି କି ସୁବର୍ଣ୍ଣ ପରାଗ ?
ଶାରଦ-ଦିନାନ୍ତ-ଲକ୍ଷ୍ମୀ ଲୀଳାମ‌ୟୀ,
ପ୍ରକାଶନ୍ତି କେତେ ନବ ନବ ଛଇ ।
ବିଶାଳ ଭାଲେରି ଛାୟା ଜଳସ୍ଥଳ,
ଆବରଇ କ୍ରମେ ବ୍ୟାପି ପୂର୍ବାଞ୍ଚଳ ।
ପୀତ ଅସ୍ତାତପ ଦ୍ୱୀପ ଶୈଳ ମାଥେ,
ଲିଭିଗଲା ସେହି ମହାଛାୟାପାତେ ।
ପଡ଼ିଲା ଚିଲିକା ବକ୍ଷେ ସନ୍ଧ୍ୟାଲୋକ,
ଶୋକେ ବଧୂ ଛାଡ଼ି ଦୂରେ ଗଲା କୋକ ।
ସନ୍ଧ୍ୟାରାଗ ହେରି ହ୍ରଦ-ନୀଳୋରସେ,
ଆସଇ ଏ ଭାବ ଭାବୁକ ମାନସେ ।
ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି,
ନୀଳ ନୀରୁ ଅବା ଫୁଟି ବାହାରୁଛି !
କୂଳେ ଦ୍ୱୀପେ ଶୈଳପାଦପେ ବିହ‌ଙ୍ଗେ,
ଉଡ଼ିଯାଇ ବସୁଛନ୍ତି ନାନାରଙ୍ଗେ ।
ପଶ୍ଚିମା ସନ୍ଧ୍ୟର ବନ୍ଦାପନା ପାଇଁ,
ଯତିଏ ଆସନ୍ତି ଶଇଳୁଁ ଓହ୍ଲାଇ ।
ପୂର୍ଣ୍ଣ ପ୍ରାଚେତସୀ ବର୍ଣ୍ଣ ବଇଭବେ,
ମିଶେ ଦିବା ଯହିଁ ଭୁତ ମହାର୍ଣ୍ଣବେ ।
ଏଣେ କରେ ବୋଳି ଅମର ସରଣୀ,
ବିରାଜନ୍ତି ଚନ୍ଦ୍ରଚୂଡ଼ ଚୂଡ଼ାମଣି ।

ପୃଷ୍ଠା ୧୧

ତାରାଟିଏ ରାଜି ତାରାପତି ପାଶେ,
ବେନିଏ କରନ୍ତି ରାଜ୍ୟ ଅର୍ଦ୍ଧାକାଶେ ।
ବାଳ-ଜ୍ୟୋତ୍ସ୍ନା-ଯୋଗେଧ୍ରୌତପୌରନ୍ଦରୀ,
ହିମରାଜ ମୁଖେ ବୋଳି ହେଲାପରି ।
ଜେଝା ରୂପ ଶୋଭା ବିପରୀତେ ବସି,
ଦେଖନ୍ତି ଗରବେ ପ୍ରାଚୀ ପ୍ରଚେତସୀ ।
ଚନ୍ଦ୍ରାଲୋକେ ଧ୍ରୌତ ପୂର୍ବକାଶ ପୁନଃ,
ବାରୁଣୀ ଆକାଶ କୁଙ୍କୁମେ ଅରୁଣ ।
ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ,
ପ୍ରାୟେ ଦିଶେ ଚିତ୍ର ବ୍ୟୋମର ମୂରତି ।
ଦିଗ୍‌ବଳୟବ୍ୟାପି ନୀଳ ଜଳରଣ୍ୟେ,
ରଞ୍ଜିଲା ଚନ୍ଦ୍ରିକା ନିଜ ଶୁଭ୍ରବର୍ଣ୍ଣେ ।
ପ୍ରାଚୀମୂଳ ଏବେ ମୀନ ଜୀବି ନାବେ,
ଛାୟା କରେ ଚିତ୍ର ଦିଶେ ଠାବା ଠାବେ ।
ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ,
ନିଜ ଗୃହ କଥା ଭାବି ଏକଧ୍ୟାନେ,
ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି,
ଆସନ୍ତି ପଟିକା ମହୋଲ୍ଲାସେ ଟେକି ।
ତାଙ୍କ କଣ୍ଠ କବିସୂର୍ଯ୍ୟ ଗୀତାମୃତ,
ଦୂରୁ ବ‌ହିଆଣେ ଚିଲିକା ମାରୁତ ।
ଉଲ୍ଲାସର ଆତ୍ମା ପ୍ରାୟେ ଗୀତ ତାନ,
କ୍ଷୁଦ୍ର ନୀଳ ବକ୍ଷେ କରେ ଅଧିଷ୍ଠାନ ।
ହସନ୍ତି ଚୌଦିଗେ ମଧୁର ହାସିନୀ,
ଦିଗଙ୍ଗନା ଜ୍ୟୋତ୍ସ୍ନା ଦୂକୁଳ ବାସିନୀ ।
ଭାବାନ୍ତର ପୁଣି କ୍ଷଣେ କରେ ଜାତ,
'ଗଲାଣି ତ ଗଲା କଥାରେ ସଙ୍ଗାତ ।'
ସଙ୍ଗୀତ ଆବେଶେ ନାନା ରୂପେ ମନ,
ଅତୀନ୍ଦ୍ରିୟ ଦେଶେ କରେ ବିଚରଣ ।
ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ,
କି ଲୋଡ଼ିବା ଆଶେ ସେହି ତା ନ ଜାଣେ ।
ଧନ୍ୟ ସେହି, ଯାର ଆଜ୍ଞା ଶିରେ ଧରି,
ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ ।
ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ,
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳଭୁବନେ ।
ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ,
ମାତ୍ର ଯଶୋଦେହେ ତୁମ୍ଭେ ଆୟୁସ୍ମାନ ।
ମୀନ ଆକର୍ଶଣ ଆଶେ ପୋତପାଲ,
ତରଣୀରେ ଜାଳି ଦେଲାଣି ମସାଲ ।
ଭବେ ପାପମୂର୍ତ୍ତୀ ପରି ଅଟଇ ସେ,
ସ୍ପର୍ଶେ ମାରାତ୍ମକ, ରୂପେ ରମ୍ୟ ଦିଶେ ।
ପାପ-ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ,
ତରୀ ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।
ତରଙ୍ଗେ ଦୋହଲି ଦୋହଲି ବୋଇତ,
ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ ।
ଦୁଃଖିମନେ ଆଶା ଉତ୍‌ଥାନ ପତନ,
ପ୍ରାୟେ ଶିଖା ଉଠେ ପଡ଼େ ଘନ ଘନ ।
ନିଶାଗମେ କ୍ରମେ ଲୋକ କୋଳାହଳ,
ନିବର୍ତ୍ତି ଅବନୀ ହେଉଛି ନିଶ୍ଚଳ ।
ଜଳ ସ୍ଥଳ ନଭଃ ଜ୍ୟୋତ୍ସ୍ନା ପରିପ୍ଳୁତ,
ସୃଷ୍ଟି ଦିଶେ ଯେହ୍ନେ ପାରଦ ଧଉତ ।
ପ୍ରତିବିମ୍ବରାଜି ଦ୍ୱୀପ ଶୈଳ ତଳେ,
ସ୍ପଷ୍ଟାକରେ ଶୋଭେ ହ୍ରଦ-ଅନ୍ତସ୍ଥଳେ ।

ପୃଷ୍ଠା ୧୨

କ୍ଷିରୋଦ-ସୋଦର-ଜ୍ୟୋତ୍ସାର୍ଣ୍ଣବେ ଭାସି,
ଦିଶନ୍ତି ବିଶଦ ଗିରି, ବନ, ନାସି ।
ସ୍ନିଗଧ ତରୁପତ୍ରେ ମସୃଣ ଉପଳେ
ଜଳ ଜଳ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ ।
ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ ତନୁ ଭଳି,
ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ ।
ପ୍ରଶାନ୍ତ, ନିରବ ଗିରିବନ ଦେଶ,
ନାହିଁ ଏଥି ନର ଗ‌ହଳର ଲେଶ ।
ଦୂର ଝରନାଦ, ଝିଙ୍କାରୀ ଝଙ୍କାର,
କରେ ନିଶୀଥିନି ପ୍ରଭାବ ପ୍ରଚାର ।
କଳି ଉପଦ୍ରବେ ତେଜି ଲୋକାଳୟ,
ଶାନ୍ତି କିଏ ସ୍ଥଳେ ଭଜିଲେ ଆଶ୍ରୟ ।
ଚିଲିକା ତୋହର ଏହି ଶୋଭାବନ,
ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ,
ଅଟେ ସର୍ବେଶୋଭା ସୀମନ୍ତର ଟୀକା,
ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ।
ଏ ସୁଖର ମୁହିଁ ନୁହିଁ ଭାଜନ,
ମୋ ଭାଗେ ଏ ସିନା ଭଙ୍ଗୁର ସ୍ୱପନ !
ସଂସାର ନିଗଡ଼େ ସଂସାର କାରାରେ,
ଯାପିବି ଜୀବନ ସଦା ହାହାକାରେ ।
ବନ୍ଦୀ କାରାଗୃହେ ସ୍ମରୁଥାଇ ଯଥା,
ଚିରହୃତ ତାର ପୂର୍ବ ସ୍ୱାଧୀନତା ।
ସଂସାର ନିରୟେ ଅଙ୍ଗ ଦେଇ ଢାଳି,
କରିବି ଏହାକୁ ସ୍ମୃତିର ସଙ୍ଖାଳି ।
ମାଗୁଛି ଚିଲିକା ମେଲାଣି ତୋଠାରେ,
ବାହୁଡ଼ିବି ଏବେ ଦାରୁଣ ସଂସାରେ ।
କରିଥିଲି ଆଶା କରିବି ଯାପନ,
ତୋ ପଶ୍ଚିମତୀରେ ପଶ୍ଚିମ ଜୀବନ ।
ବିନା ପ୍ରୟାସରେ ସୌନ୍ଦର୍ଯ୍ୟ ପିପାସା,
ମେଣ୍ଟିବାର ଥିଲା ତୋହଠାରେ ଆଶା ।
ଭାଗ୍ୟ ହୋଇଥିଲେ ରୁଚି ଅନୁକୂଳ
ଆଶ୍ରିଥାନ୍ତି ମୁହିଁ ତୋର ରମ୍ୟକୂଳ ।
କୁଟୀର ବିରଚି ଜଟିଆ ଚରଣେ,
କାଟୁଥାନ୍ତି ଆୟୁ ଶେଷ ନିକାଞ୍ଚନେ ।
ମାତ୍ର ପରିଣାମେ ଛାୟାବାଜିବତ,
ଆଶାରେ ସେ ଆଶା ହେଲା ପରିଣତ ।
ସଂସାରେ ଥାଇ ମୁଁ ସଦା ଉଦାସୀନ,
ଉଦାସୀନ ପ୍ରାୟେ କଟାଇଲି ଦିନ ।
ସଂସାରୀ ସଙ୍ଗରେ ସଙ୍ଗୀ ହେବାପାଇଁ,
କେବେହେଁ ମୋହର ମନ ବଳେନାହିଁ ।
ହସି ଖେଳି ସେହୁ ଗମନ୍ତି ସମୟ,
ଜୀବନ ମଣନ୍ତି ମହୋତ୍ସବମୟ ।
ଛାର ଭାଗ୍ୟ ମୋର ପିହିତ ପାଷାଣେ,
ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ ।
ଚିର ହାହାମୟ ଏ ଛାର ଜୀବନ,
ଜୀବନ ନୁହଇ ଜୀବନ୍ତ ମରଣ ।
ଚିରଦିନ ଦୁଃଖ ପ୍ରହାରେ ଜର୍ଜର,
ପଟ୍ଟଶିଷ୍ୟ ମୁହିଁ ଦୁଃଖ ଗୁରୁଙ୍କର ।
ଦୁଃଖଦତ୍ତ ଜ୍ଞାନ ଚକ୍ଷୁରେ ଜଗତ,
ଦେଖିବାରେ ମୁହିଁ ଅଭ୍ୟସ୍ତ ସତ‌ତ ।
ସୁଖ ବୋଲି ଯାକୁ ବୋଲଇ ସଂସାର,
କରୁଥାଇ ତାକୁ ଦୂରୁ ମୁଁ ଜୁହାର ।
ସୁଖରୂପେ ଯାହା ଯାହା ଜନନେତ୍ରେ ଦିଶେ,
ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ ।
ବସ୍ତୁ ନୁହଇ ସେ ଅଟଇଟି ଧୂମ,
ଅନ୍ୟନାମ ତାର ଆକାଶ କୁସୁମ,
ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ,
ମନ ମୃଗକୁ ସେ ଜଗତ ଭ୍ରମାଏ ।
ସେ ସୁଖେ ନ ଥିଲା କେବେ ମୋର ସ୍ପୃହା,
ଲକ୍ଷ ଥିଲା ମାତ୍ର ତୋର ତୀରଗୁହା ।
ଶାନ୍ତିରସାସ୍ପଦ ସେହି ଦରୀକୋଳେ,
ବାଗ୍‌ଦେବୀ ଚରଣ ପୂଜିବି ନୀରୋଳେ ।
ପୂଜିଲେ ଯେସନ ମଜ୍ଜି ନିରଜନେ;
ତୋ ମଧୁର ରୂପ ମଧୁ ଆସ୍ୱାଦନେ ।

ପୃଷ୍ଠା ୧୩

ଭାଗ୍ୟବାନ ବେନି ବାଣୀଙ୍କ କୁମର,
କବି ବଳଦେବ, ଭଞ୍ଜ ବୀରବର ।
କାହିଁ ସେହି କାହିଁ ମୁହିଁ ଅକିଞ୍ଚନ ?
ଦେଖୁଥିଲି ସିନା ଜାଗ୍ରତ ସ୍ୱପନ !
ଆଶା ମଦେ ମତ୍ତ ହୋଇ କେତେ ଥର,
ପୁରାଇଲି ମନ ମୋଦକେ ଉଦର,
ନ ଦେଖି ମୋଗର ଜୀବନ ପଞ୍ଜିକା,
ଗଢ଼ୁଥିଲି ବସି ମନ ଅଟ୍ଟାଳିକା,
ତୋଳୁଥିଲେ ସିନା ବ୍ୟୋମ ପୁଷ୍ପମାନ,
କରୁଥିଲି ମୃଗତୃଷ୍ଣା ଜଳେ ସ୍ନାନ,
ଅଗ୍ରେ ପଡ଼ି ଭୀମ ଭବିତବ୍ୟ ଛାୟା,
ପଲକେ ତୁଟିଲା ସେ ମୋହ‌ନ ମାୟା
ସେ ଛାୟା ଅନ୍ଧାରେ ଦେଖିଲି ଭୀଷଣ,
ନୈରାଶ୍ୟ ପ୍ରେତର ବିକଟ ନର୍ତ୍ତନ ।
ଚାରୁ ଛବି ତୋର ସେହି ବିଭୀଷିକା,
ତଡ଼ିଦେଲା ମନୁ ନିମିଷେ ଚିଲିକା ।
ଦେବୀ ବୀଣାପାଣୀ କେଉଁ ପାପ ଫଳେ,
କରୁଣା ତୋହର ଊଣା ଏ ଉତ୍କଳେ ?
ସ୍ୱଭାବେ ଉତ୍କଳ ଶୋଭାର ନିଧାନ,
ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ-
ବିନୁ ସିନା ମାତା ହୋଇଛି ବିବସା,
ଭଜିଛି ଅରଣ୍ୟ ପ୍ରସୂନର ଦଶା !
କ୍ଷୁଦ୍ର ଶିପ୍ରା ସ୍ରୋତ ବିଖ୍ୟାତ ଜଗତେ,
ମହାନ‌ଦୀ ନାମ ରହିଲା ଗୁପତେ ।
ସୁରୁପା ଅଂଶୁପା ଲୋକେ ଅଗୋଚର,
ପୂଜାସ୍ପଦ ହେଲା ଗୋସ୍ପଦ-ପୁଷ୍କର ।
ତୋର କୃପାବଳେ କ୍ଷୁଦ୍ର ମହୀୟନା,
ତୋ କୃପା ବିହୁନେ ବଡ଼ ହୁଏ ସାନ ।
ଖର୍ବ ଗୋବର୍ଦ୍ଧନ ଗିରୀନ୍ଦ୍ର ବୋଲାଏ,
ମହାତୀର୍ଥ ରୂପେ ଲୋକେ ପୂଜା ପାଏ,
ସ୍ୱଭାବେ ଗିରୀନ୍ଦ୍ର ହୋଇ ମେଘାସନ,
ଲଭି ନାହିଁ ଗିରି ସମାଜେ ଆସନ ।
ତୋ କୃପା ବିହୁନେ ଉତ୍କଳ ମାତାର,
ନାମେ ଖ୍ୟାତି ଗ୍ରନ୍ଥେ ପଡ଼ିନାହିଁ ଗାର ।
ଭାଗ୍ୟଦୋଷେ ଅଙ୍ଗ ଅଜ୍ଞାନ-ଶର୍ବରୀ,
ଅନ୍ଧାରେ ଅଭାଗୀ ରଖିଛି ଆବୋରି ।
ପାହିଲାଣି ଘୋର ତାମସୀ ଯାମିନୀ,
ଫୁଟିବ ଉତ୍କଳ ଭାଷା କମଳିନୀ ।
ଏ ଘୋର ଜାମିନୀ ଅବସାନ ଶଂସୀ,
କାବ୍ୟତାରା ରୂପେ ବୀର ଗଙ୍ଗବଂଶୀ
ଉଦିଲେ ପ୍ରଥମେ ବାମଣ୍ଡା ରାଜନ
ବାସୁଦେବ ବିଶ୍ୱ କଲ୍ୟାଣ ଭାଜନ,
ରଖିଲେ ସୁନାମ ସେହୁ କାଳେ କାଳେ,
ଗୁଣ‌ଯନ୍ତ୍ରେ ଖୋଳି ଯଶୋଗିରି ଭାଲେ ।
ତମ ପଳାଉଛି ହୋଇ ତରତର,
ପ୍ରାଚୀନଭଃ ନବ‌ବିଭରେ ଭାସ୍ୱର ।
ରବିରୂପେ ଏବେ ଉଦୟ ଅଚଳେ,
ରବି‌ବଂଶ-ମଣି ଉଦିତ ଉତ୍କଳେ ।

ପୃଷ୍ଠା ୧୪

ଶ୍ରୀମାନ ଶ୍ରୀରାମଚନ୍ଦ୍ର-ଆଖ୍ୟଧାରୀ,
ଉତ୍କଳ ଅଜ୍ଞାନ ତମ ଧ୍ୱଂସକାରୀ,
ସୌଦାପ୍ରନୀ ଲସ୍ୟେ ସମୁଜ୍ଜ୍ୱଳ ଶିଖ-
ମେଘାମିନୀ-କୁଞ୍ଜବିହାର-ରସିକ,
ଅଶ୍ୱ ସଞ୍ଚାଳନେ ଅଦ୍ଭୁତ କୌଶଳୀ,
ଦୃଷ୍ଟିଭେଦୀ ଯାର ବଜ୍ରନାଦୀ ନଳୀ ।
ବୀଣାପାଣି ପୂଜାଯୋଗ୍ୟ କଞ୍ଜକୂଳ,
ଫୁଟିବାର ଏହି କାଳ ଅନୁକୂଳ ।
ସେ ପଦ୍ମ ଫୁଟିବ କବି ହୃଦ ସରେ,
ନବୋଦିତ ଏହି ଭଞ୍ଜ-ରବି-କରେ ।
ପୂଜିବେ ତୋ ପଦ ଉତ୍କଳ ସନ୍ତ‌ତି,
ସେହି ପଦ୍ମେ, ପଦ୍ମ୍ବାସିନି ଭାରତି !
ଚିଲିକା ତୋର ବନ୍ଧୂତ ଲଳିତ,
ସେହି ରହିକରେ ହେବ ଆଲୋକିତ ।
ବାଣୀ-ଆବିର୍ଭାବ-ଯୋଗ୍ୟ ସ୍ଥଳ ଜାଣି,
ଆଶ୍ରିବେ ତୋ ତୀର ବୁଧ, କବି, ଜ୍ଞାନୀ,
ହୋଇ ତୁ ତାଙ୍କର ବିହାର ତଡ଼ାଗ,
ଲଭିବୁ ଅଖିଳ ଜନ ଅନୁରାଗ ।

ସମାପ୍ତ