ଦୟାକର ଦୀନବନ୍ଧୁ
Jump to navigation
Jump to search
ଦୟାକର ଦୀନବନ୍ଧୁ
ଦୟାକର ଦୀନବନ୍ଧୁ! ଶୁଭେ ଯାଉ ଆଜ ଦିନ
କର ଯୋଡ଼ି ତୁମ୍ଭ ପଦେ କରୁଅଛି ନିବେଦନ ॥ଘୋଷା॥
ଅନାଦି ଅନନ୍ତ ହରି କ୍ଷୀରସାଗରବିହାରି
ଲକ୍ଷ୍ମୀଦେବୀ ମନୋହାରୀ ପ୍ରଭୁ ପତିତପାବନ ॥୧॥
ସନ୍ଥଶାନ୍ତି ପ୍ରଦାୟକ ଦୁଷ୍ଟଶାସ୍ତି ବିଧାୟକ
ରୁକ୍ମିଣୀ ପ୍ରାଣନାୟକ ଜଗତ-ଜନ-ବନ୍ଦନ ॥୨॥
ଜଗଜ୍ଜନହିତକାରୀ ଦଶଅବତାରଧାରୀ
ମଧୁସୂଦନ ମୁରାରି କାଳୀୟଦର୍ପଗଞ୍ଜନ ॥୩॥
ଯେଣେ ଚକ୍ଷୁ ପଡେ଼ ନାହିଁ ତୁମ୍ଭ କୀର୍ତ୍ତି ବିରାଜଇ
ଭାବି ଚିତ୍ତ ପୁଲକଇ ହେ ଭକ୍ତହୃଦଚନ୍ଦନ ॥୪॥
ତୁମ୍ଭେ ଧ୍ୟାନ ତୁମ୍ଭେ ଜ୍ଞାନ ମୁକ୍ତିଦାତା ଭଗବାନ
ତୁମ୍ଭ ବିନୁ ନାହିଁ ଆନ କଳି କଳୁଷନାଶନ ॥୫॥
ତୁମ୍ଭେ ଏ ସଂସାରେ ସାର ଆଉ ସବୁ ମାୟା ଘୋର
କୃତାନ୍ତ ଭୟୁ ଉଦ୍ଧର କହେ ରାମକୃଷ୍ଣ ଦୀନ ॥୬॥