ଜାତି, ଜାଗୃତି ଓ ପ୍ରଗତି / ୩୯
କରାଯାଉନାହିଁ, ବରଂ ବହୁ ଜ୍ଞାନୀ ଓ ଗୁଣୀ ଓକିଲଙ୍କ ଦକ୍ଷତା ସଂକୁଚିତ ହୋଇଯାଉଛି । ସେମାନଙ୍କ ଜ୍ଞାନର ଗାରିମା ଠିକ୍ ଭାବେ ମୂଲ୍ୟାଙ୍କନ ହୋଇପାରୁନାହିଁ ।
ନ୍ୟାୟାଳୟରୁ ଉପଯୁକ୍ତ ନ୍ୟାୟ ପାଇବା ଆଶା ରଖିଥିବା ସାଧାରଣ ଓଡ଼ିଆଙ୍କ ଏ ପର୍ଯ୍ୟନ୍ତ ନ୍ୟାୟାଳୟର ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳିତ ହୋଇନାହିଁ । ଅର୍ଥାତ ପ୍ରଶାସନ ଭଳି ନ୍ୟାୟାଳୟର ଏହି ପ୍ରବଞ୍ଚନାକୁ ଏମାନେ ବୁଝିବାରେ ଅକ୍ଷମ
କିମ୍ବା ଗଳାଧିକରଣରେ ଅଭ୍ୟସ୍ତ । ନିଜ ଜୀବନ-ଜୀବିକାରେ ସଂଘର୍ଷରତ ଏହି ସଂଖ୍ୟାଧିକ ସାଧାରଣ ବର୍ଗ ହିଁ ନ୍ୟାୟାଳୟ ଦ୍ୱାରା ସବୁଠାରୁ ବେଶୀ ଉପେକ୍ଷିତ ହେଉଛନ୍ତି । ଅଥଚ ଏହିମାନଙ୍କ ନିରବତା ଯୋଗୁଁ ନ୍ୟାୟାଳୟରେ ଇଂରାଜୀଭାଷା ନିଜର ଆଧିପତ୍ୟ ବିସ୍ତାର କରି ଏହି ଶ୍ରେଣୀଙ୍କୁ ଶୋଷଣ କରି ଚାଲିଛି ।
ବ୍ୟକ୍ତି ସ୍ୱାଧୀନତାର ସ୍ୱାଦ ଆସ୍ୱଦନପାଇଁ ଆମେ ଇଂରଜେମାନଙ୍କୁ ଶାସନକ୍ଷେତ୍ରରୁ ତଡ଼ିଦେଲେ ସତ, ମାତ୍ର ନ୍ୟାୟ ଓ ପ୍ରଶାସନ ବ୍ୟବସ୍ଥାରେ ଇଂରାଜୀ ଭାଷାକୁ ସୁରକ୍ଷିତ ରଖି ଆମେ ଜାଣିଶୁଣି ପୁଣି ନିଜକୁ କେତେକ ହାତଗଣତି ପ୍ରବଞ୍ଚକଙ୍କ ନିକଟରେ ବାନ୍ଧିଦେଉଛୁ । ଯେଉଁ ରାଜ୍ୟର ଅଧିବାସୀ ଏକଥା ଅନୁଭବ କରି ନିଜ ରାଜ୍ୟଭାଷାକୁ ଗୁରୁତ୍ୱ ଦେଉଛନ୍ତିି, ସେମାନେ ବିକଶିତ ରାଜ୍ୟଭାବେ ମୁଣ୍ଡ ଟେକୁଛନ୍ତି । ଓଡ଼ିଶା ନିଜ ରାଜ୍ୟଭାଷାକୁ ଗୁରୁତ୍ୱ ଦେଉ ନ ଥିବାରୁ ପ୍ରାକୃତିକ ସମ୍ପଦରେ ପୂର୍ଣ୍ଣ ଥାଇ ମଧ୍ୟ ଗରିବ ହୋଇ ଚାଲିଛି । ତେଣୁ ଏହି ସତ୍ୟକୁ ଗ୍ରହଣକରି ଓଡିଶାରେ ନ୍ୟାୟର ଭାଷା ଭାବେ ଓଡିଆକୁ ପ୍ରଚଳନ କରିବାପାଇଁ ଓକିଲ, ବିଚାରପତି, ସାଧାରଣ ନାଗରିକ, ଶିକ୍ଷିତ ସମ୍ପ୍ରଦାୟ, ରାଜନୈତିକ ନେତୃବୃନ୍ଦ ଆଦି ଦାବୀ କରିବା ଆବଶ୍ୟକ ହୋଇ ପଡିଛି ।