ଉଠରେ ପୁତା ଉଠ

ଉଇକିପାଠାଗାର ରୁ
(ଲୋକ କାହାଣୀ/ଉଠରେ ପୁତା ଉଠ ରୁ ଲେଉଟି ଆସିଛି)
Jump to navigation Jump to search

ଅଗନା ଅଗନି ବନସ୍ତ । ମଝିଆ ମଝି ଟୁବି ଚୁଆଟାଏ । କୂଳରେ ଥାଏ ଗୋଟିଏ ଝଙ୍କା ବରଗଛ । କୋଉ କାଳରୁ ସେଥିରେ ପାତି କାଉଟିଏ ଆଉ କପୋତୀଟିଏ ବାସ କରୁଥାନ୍ତି । ଦିହେଁ ଭାରି ସାଙ୍ଗ। ସଙ୍ଗାତ ବସିଥାନ୍ତି । ରାତି ପାହୁ ନ ପାହୁଣୁ ଦିହେଁ ଆହାର ଖୋଜିବାକୁ ବାହାରି ଯାଆନ୍ତି । ସଞ୍ଜ ଗଡ଼ିଲେ ବସାକୁ ଫେରି ସୁଖ ଦୁଃଖ ଭଲ ମନ୍ଦ ବିଷୟରେ କଥା ଭାଷା ହୁଅନ୍ତି । କାଉର ଗୋଟିଏ ପୁଅ ଆଉ କାପୋତୀଟିର ବି ଗୋଟିଏ ପୁଅ । ସେ ଦୁଇଜଣ ବି ଏକା ବୟସର । ଭାରିସାଙ୍ଗ । ଖେଳାବୁଲାରେ ସମାନଙ୍କ ସମୟ ଯାଏ । କାଉ ପୁଅଟା ଭାରି ଚାଲାକ । ତା ତୁଳନାରେ କପୋତୀର ପୁଅ ଟିକେ ମାନ୍ଦା । ଯାହା ହେଲେ ବି ଏ ଦୁହେଁ କେହି କାହାକୁ ଘଡ଼ିଏ ଛାଡ଼ନ୍ତି ନାହିଁ।

ଦିନେ ପାତି କାଉ କପୋତୀକୁ କହିଲା-“ସଙ୍ଗାତ ଆମ ପୁଅ ମାନେ ତ ବଡ଼ ହୋଇ ଆସିଲେଣି । ତାଙ୍କୁ ଏଥର କିଛି କିଛି ଘର କାମ କରେଇବା" । କପୋତୀ କହିଲା ମନ ଲାଖି କଥାଟିଏ କହିଲୁ ଏକା । ଆମେ ଏଥର ସେଇଆ କରିବା ।

ଦିନେ କାଉ ଆଉ କପୋତୀ ତାଙ୍କ ପୁଅ ମାନଙ୍କୁ ଡାକିଲେ । ପାତି କାଉ ତା ପୁଅକୁ ମାଣେ ଧାନ ଦେଲା କୁଟେଇବାକୁ । କପୋତୀ ତା ପୁଅକୁ ମାଣେ ଧାନ ଦେଇ କୁଟେଇବାକୁ କହିଲା । ଧାନ ମୁଣ୍ଡେଇ ଦିହେଁ ବାହାରିଗେଲ । ଧାନ କୁଟେଇଲେ । କାଉ ପୁଅଟା ତ, ଭାରି ଚାଲାକ । ସେ ତଳେ କୁଣ୍ଡା ଓ ଉପରେ ଚାଉଳ ରଖିଦେଲା । କପୋତୀ ପୁଅ ଚାଉଳ ଗୋଟାଇ ତଳେ ରଖିଲା ଓ ଉପରେ କୁଣ୍ଡା ରଖିଲା । କାଉ ପୁଅ ଘରେ ପହଞ୍ଚିଲା । ମାଣେ ଚାଉଳ ଦେଖି କାଉ ଖୁସି ହୋଇଗଲା । ପୁଅଠି ଥ­ଣ୍ଟ ଘଷି ତାକୁ ଗେଲ କରିଦେଲା । କାଉ ପୁଅ ଖୁସି ହୋଇ ଖେଳିବାକୁ ବାହାରିଗଲା । କପୋତୀ ତା ପୁଅର ବାଟକୁ ଚାହିଁ ରହିଥାଏ । ମଠୁଆଟା, ଆସିବାକୁ ବିଳମ୍ବ କରୁଥାଏ । କପୋତୀର ରାଗ ତାର ତାଳୁକୁ ଚଢିଯାଉଥାଏ । ପାଟି କରି କହୁଥାଏ- “ଟୋକାଟା ଗଲା କୁଆେଡ? ଆସୁ ଆଜି, ତାର ଦିନେକୁ ମୋର ଦିନେ" । କଣେଇ କଣେଇ କାଉର ଚାଉଳ ମାଣକୁ ଦେଖୁଥାଏ । ଏତିକି ବେଳେ କପୋତୀ ପୁଅ ଧଇଁ ସଇଁ ହୋଇ ମାଣ ମୁଣ୍ଡେଇ ଘରେ ପହଞ୍ଚିଲା । ପୁଅର କୁଣ୍ଡା ମାଣକୁ ଚାହିଁ ଦେଇ କପୋତୀ ଭାରି ରାଗିଗଲା । କହିଲା- “ହଇରେ ମାଣେ ଧାନ ଦେଇଥିଲି, ତୁ ମାଣେ କୁଣ୍ଡା ଚଷୁ ଆଣିଆସିଚୁ? ଧିକ ତୋ ଜୀବନକୁ । ତୋର ସାଙ୍ଗର ପିଲା ପରା କାଉର ପୁଅ । ଧାନ ନେଇଥିଲା ମାଣେ ଆଉ ଚାଉଳ ଆଣିଛି ମାଣେ । ଆଉ ତୁ ଆଣିଚୁ- ମାଣେ କୁଣ୍ଡା"? ପୁଅ ସେମିତି ମୁହଁ ତଳକୁ କରି ଠିଆ ହୋଇଥାଏ । ଟିକିଏ ମୁଣ୍ଡଉଠାଇ କଣ କହିବ କହିବ ହେଉଥାଏ-ଏତିକି ବେଳେ କପୋତୀ ରାଗରେ ହତଜ୍ଞାନ ହୋଇ ଶିଳପୁଆ ଟାଏ ଟେକି ଆଣି ପୁଅ ମୁଣ୍ଡରେ କସିକରି ପାହାରେ ଦେଲା । ପୁଅର କଅଁଳମୁଣ୍ଡଟା ଫାଟିକି ଦୁଇ ଫାଳ ହୋଇଗଲା । ଆଖିଡୋଳା ଓଲଟି ପଡିଲା । ଚଉକା କାଟି ପୁଅ ତାର ଦୁମକିନା ପଡିଲା । ଛଟଛଟ ହୋଇ ଆଖି ଖୋସି ଦେଲା । କପୋତୀ ପାଖକୁ ଉଡି ଆସି ପାତି କାଉ କହିଲା ସଙ୍ଗାତ ତୁ ଇଏ କଣ କଲୁ? ଛୁଆଟାକୁ ଶିଳପୁଆରେ ଛେଚିଦେଲୁ-ସିଏ କଣ ଆଉ ଜୀବନ ଧରିଥିବ? କପୋତୀର ରାଗଟିକେ କମିଆସିଥାଏ । ସେ ଯାଇ ଚଷୁ କୁଣ୍ଡା ମାଣକୁ ତଳେ ଓଜାଡି ଦେଲା । ଦେଖିଲା ତଳେ ଚାଉଳ ଉପରେ କୁଣ୍ଡା ଥିଲା । ପାତି କାଉ ବି ଚାଉଳ ମାଣକ ଭୂମିରେ ଓଜାଡି ଦେଲା ତଳେ ଚଷୁକୁଣ୍ଡା ଆଉ ଉପରେ ଚାଉଳ । ଦିହଁଙ୍କ ଚାଉଳ ଦିହେଁ ମାପିଲେ। ସମାନ ଚାଉଳ ହବାର ଦେଖି କପୋତୀ ମୁଣ୍ଡଟାକୁ ତଳେ ଠୋ କରି ବାଡ଼େଇଦେଲା- କହିଲା, ମୁଁ ଚାଣ୍ଡାଳୁଣୀ କଣ କଲିରେ.... ମୋ ଏକୋଇରବାଳା ବିଶିକେଶନ ରେ...ସବୁଯାକ ଦୋଷ ମୋର... । ମୋ ଧନମାଳିରେ ଉଠ । ଯେତେ ଏପଟ ସେପଟ କଲା, ଥଣ୍ଟରେ ଏପଟ ସେପଟ ଗଡେଇଲା । ପୁତା ଉଠିଲା ନାହିଁ । ବେକ ନଡକି ଗଲା । କପୋତୀ ଡକା ପାରି କାନ୍ଦିଲା । ବାହୁନି ବାହୁନି କହିଲା- “ମୁଁ ଡଙ୍କୁଣୀ କଣ କଲିରେ....ମୋ ଧନମାଳିର କଥା ନ ଶୁଣି ନ ବୁଝି ନ ବିଚାରି ମାରୁମାରୁ ମୋ ଧନମଣିକି ମାରି ପେକଇଲି"