ପୃଷ୍ଠା:Galpa swalpa.djvu/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ପୁରୀ ମନ୍ଦିର ପ୍ରତିଷ୍ଠାରେ ଭୋଜୀ ଖାଇଥିଲେ । ମୁଗଲିଆ ଅମଳରେ ସେ ବିଲଙ୍କାରେ ଥିଲେ । ମାତ୍ର ଦେଖିଲେ ବୟସ ଷାଠିକରୁ ଉର୍ଦ୍ଧ୍ୱ ବୋଧ ହୁଏ ନାହିଁ । ଏହି ବାବାଜୀଙ୍କର ଭାରି ମହିମା ଥିଲା । ଦିବା ନିଶି ଗଞ୍ଜେଇ ଓ ଦୁଧ ଛଡ଼ା ଅନ୍ୟ ଦ୍ରବ୍ୟ ସେବା କରୁ ନ ଥିଲେ । ସହର ମଧ୍ୟରେ ବିଶ୍ୱାସୀ ଭକ୍ତବୃନ୍ଦଙ୍କର ଅଭାବ ନାହିଁ । ଦଳ ଦଳ ଅମଲା, ମୁକ୍ତାର, ମହାଜନ, ଜମିଦାର ବାବାଜୀଙ୍କ ପଦତଳେ ଲୁଣ୍ଠିତ ହେଉଥିଲେ । ରାଜଭୋଗରେ ମଠର ସେବା ଚଳୁଥିଲା; ମାତ୍ର ଆଜକୁ କେତେକ ବରଷ ହେଲା ଶକ୍ତି ପ୍ରଭାବରେ ବାବାଜୀ ବାଳଗୋପାଳ ଘେନି ଗୃହସ୍ଥାଶ୍ରମ ଅବଲମ୍ବନ କରିଅଛନ୍ତି । ଭକ୍ତବୃନ୍ଦ ଅନ୍ତର୍ଦ୍ଧାନ । କଥିତ ଅଛି, ସନ୍ନ୍ୟସୀ ଓ ମୋଗଲମାନଙ୍କ ବୟସ ଜାଣିବା ନିତାନ୍ତ କଠିନ । ଏମାନେ ନିଶ୍ଚୟ ବୟସ ସଂଖ୍ୟାରେ ଯୋଗ ବିଯୋଗ କରିଥାନ୍ତି । ଯେଉଁ ସାଧୁର ବୟସ ପଞ୍ଚାଶ, ସେ ଆଉ ଏକଶତ ସଂଖ୍ୟା ଯୋଗକରି ଦେଢ଼ଶତ କରିବେ । ମୋଗଲଙ୍କ ବୟସ ବିଯୋଗ । ଯାହାର ବୟସ ପଞ୍ଚାଶ, ପଚାରିଲେ ସେ ପଚିଶ ବିଯୋଗ କରି ବାକି ପଚିଶ ରଖିବେ । ଗୋଟାଏ ପୁରୁଣା କଥା ମନରେ ପଡ଼ିଲା, ପାଠକ ମହାଶୟ ବିରକ୍ତ ହୁଅ ନାହିଁ, ସେ କଥାଟା କିନ୍ତୁ ନ ବୋଲି ରହିପାରୁ ନାହୁଁ । 'କୌଣସି ସ୍ଥାନରେ ଦୁଇଜଣ ବୃଦ୍ଧ ଓ ଜଣେ ବିଂଶତି ବର୍ଷବୟସ୍କ ଯୁବା ମୋଗଲ ବସିଥିଲେ । କଥାପ୍ରସଙ୍ଗରେ ପରସ୍ପର ବୟସ ବିଷୟରେ ପ୍ରଶ୍ନ ହେଲା । ଯାହାର ସତୁରି ବରଷ ବୟସ, ସେ କହିଲେ, ତାଙ୍କର ବୟସ ତିରିଶ । ଦ୍ୱିତୀୟ ବୃଦ୍ଧର ବୟସ ଷାଠିକରୁ ଊର୍ଦ୍ଧ୍ୱ, ମାତ୍ର ପ୍ରଶ୍ନର ଉତ୍ତର ଦେଲେ-ସାହେବ, ମେରା ଉମର ମୁଜକୁ ମାଲୁମ ନେହିଁ ହେ, ଲେକିନ ମେରା ବଡ଼ା ଭାଇକା ଉମର ତିଶକି ନଜିକ୍ । ଯୁବା ମୋଗଲକୁ ବୟସ ବିଷୟରେ ପ୍ରଶ୍ନ ହେବାରୁ ସେ ଉତ୍ତର ଦେଲା-ହଜୁର ଲୋଗ ଉମରକା ଯୋ ହିସାବ ଲଗାଏଁ ହେଁ; ମେରା ପୟଦା ବି ହୁଆ ନେହିଁ । ଅର୍ଥାତ୍ ତାହା ବୟସ ସଂଖ୍ୟାରୁ କୋଡ଼ିଏ ବାଦ ଦେଲେ ବାକି କିଛି ରହୁ ନାହିଁ ।" ଯାଉ ସେ ଅଲଣା କଥାଗୁଡ଼ାକ ଛାଡ଼, ଏବେ ପ୍ରକୃତ କଥା ଧରାଯାଉ ।

ମହନ୍ତ ବାବାଙ୍କ ଦଳର ସାଧୁ ସଂଖ୍ୟା ପ୍ରାୟ ପଚିଶି । ସେଥି ମଧ୍ୟରୁ ମଧ୍ୟ ସମୟ ସମୟରେ ଆଠ ଦଶ ଜଣ ନୂଆ ପୁରୁଣା ହୋଇଥାନ୍ତି; ଅର୍ଥାତ୍ ଥୋକେ ସାଧୁ ବାହାରି ଯିବା ମାତ୍ରେ ନୂତନ ସାଧୁ ଆସି ସେହି ସ୍ଥାନ ପୂର୍ଣ କରନ୍ତି । ଆଶ୍ଚର୍ଯ୍ୟର ବିଷୟ, ପ୍ରାୟ ସମସ୍ତ ସାଧୁ ସମାନ ବୟସ୍କ, ସମାନ ଆକାର, ତୁଲ୍ୟରୂପେ ବେଶ ଭୂଷଣ । ସମସ୍ତେ ବନ୍ୟ ବରାହବତ୍ ବଳିଷ୍ଠ ଓ ନିରଳସ । ମସ୍ତକ ନିର୍ଜଟ, କ୍ଷୁଦ୍ର ବା ବାବୁରିକେଶମଣ୍ଡିତ । କ୍ଷୁଦ୍ରାକାର ଶ୍ମଶ୍ରୁ ବିଶିଷ୍ଟ, ସମସ୍ତଙ୍କ ଦେହରେ ଗୈରିକ ଅଙ୍ଗା ଆକଣ୍ଠ ପଦଲମ୍ବିତ । ସ୍ୱଭାବ ଓ କଥୋପକଥନ ନିତାନ୍ତ କର୍କଶ । ଦୃଷ୍ଟି ତୀବ୍ର ଓ ଭୟବିଭ୍ରମବ୍ୟଞ୍ଜକ । ସାଧୁମାନଙ୍କ କଥିତ ଭାଷା ହିନ୍ଦି । ୟୁରୋପ ଖଣ୍ଡରେ ଫରାସୀ ଯେପରି ସାର୍ବଭୌମ ଭାଷା, ଭାରତରେ ସେହିପରି ହିନ୍ଦିଭାଷା ସର୍ବସ୍ଥାନବ୍ୟାପୀ । ସାଧୁ ସନ୍ନ୍ୟାସୀମାନେ ଭାରତର ସର୍ବ ସ୍ଥାନରେ ଭ୍ରମଣ କରନ୍ତି; ସୁତରାଂ ବାଧ୍ୟ ହୋଇ ହିନ୍ଦି ବୋଲିବାକୁ ହୁଏ । ଯାହାର ମାତୃଭାଷା ହିନ୍ଦି, ତାହାକୁ ଅସୁବିଧା ଭୋଗ କରିବାକୁ ହୁଏ ନାହିଁ ।

ଆମ୍ଭମାନଙ୍କ ସାଧୁଦଳର ଭାଷା ନୀଚଶ୍ରେଣୀ କଥିତ ବଙ୍ଗଳା ଅଥବା ବଙ୍ଗହିନ୍ଦ ଭାଷାର କଦର୍ଯ୍ୟ ବିମିଶ୍ରଣ । ଏହି ସାଧୁଦଳ ଭଜନ ପୂଜନ ବିଷୟରେ ନିଯୁକ୍ତ ଥିବାର କଦାଚିତ୍ ଦେଖାଯାଏ । ଗଞ୍ଜିକା ଟିପନ, ସେବନ ଓ ପଙ୍ଗତ ସାମଗ୍ରୀ ଆୟୋଜନରେ ସର୍ବଦା ବ୍ୟସ୍ତ ଥାନ୍ତି । ସମସ୍ତ ସାଧୁ ମହନ୍ତ ବାବାଙ୍କର ନିତାନ୍ତ ଅନୁଗତ ।

ହାତୀ ଗୁମ୍ଫା ସମୀପବର୍ତ୍ତୀ ଆଉ ଗୋଟିଏ କ୍ଷୁଦ୍ର ଗୁମ୍ଫାରେ ଗୋଟିଏ ସାଧୁ ଦମ୍ପତ୍ତି ଆଶ୍ରମ ସ୍ଥାପନ