ପୃଷ୍ଠା:Galpa swalpa.djvu/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପସ୍ୱଳ୍ପ

କରିଥିଲେ । ବାବାଜୀଙ୍କ ବୟସ ଆନୁମାନିକ ତିରିଶ ବା ବତିଶି । ଦେହ ସୁସ୍ଥ ଓ ସବଳ । ଯେପରି ଗଠନ ହେଲେ ଲୋକେ ସୁନ୍ଦର ପୁରୁଷ ବୋଲାନ୍ତି, ଏହାଙ୍କ ଦେହ ସେହିପରି । ଦୃଷ୍ଟିପାତ ବ୍ୟାଧ-ଭୀତ୍ ମୃଗବତ୍ ଚକିତ ଓ ଭୀତିବ୍ୟଞ୍ଜକ । ସର୍ବଦା ଲୋକନେତ୍ର ଅନ୍ତରାଳରେ ଗୁମ୍ଫା ମଧ୍ୟରେ ଆସୀନା, ସଯତ୍ନାବୃତବସନା ମାତାଟିର ବୟସ ବା ରୂପକାନ୍ତି ନିର୍ଣୟ କରିବା କିଞ୍ଚିତ୍ ଅସାଧ୍ୟ ବ୍ୟାପାର । ମାତ୍ର ତାଙ୍କର ପୃଷ୍ଠବ୍ୟାପୀ ନିତମ୍ବସ୍ପର୍ଶୀ ନବୀନ ନିରଦ ସଦୃଶ କେଶରାଶି ଓ ସଙ୍କୀର୍ଣ ମଧ୍ୟଭାଗ ଏବଂ ପଦଯୁଗଳର ବର୍ଣ ଓ ଗତିର ଠାଣୀ ଦେଖିଲେ ଜଣାଯାଏ, ମାତାଟି ପରମା ସୁନ୍ଦରୀ ଓ ପୂର୍ଣଯୌବନବିଶିଷ୍ଟା । ଏହି ସାଧୁଦମ୍ପତି ପଦାକୁ ବାହାରନ୍ତି ନାହିଁ, ସର୍ବଦା ଗୁମ୍ଫା ମଧ୍ୟରେ ରହିଥାନ୍ତି । କାହାରି ସହିତ କିଛି ମାତ୍ର କଥା ବୋଲନ୍ତି ନାହିଁ, ଏଥି ସକାଶେ ଲୋକମାନେ ଏହାଙ୍କୁ ମୌନବାବାଜୀ ଓ ମୌନୀ ମାତା ବୋଲାନ୍ତି । ସାଧୁ ଅନ୍ୟ ସାଧୁର ସହାୟ । ଆମ୍ଭମାନଙ୍କ ଉଲ୍ଲିଖିତ ମହନ୍ତ ବାବା ମୌନା ମୌନୀଙ୍କ ଆବଶ୍ୟକ ଦ୍ରବ୍ୟାଦି ସଂଗ୍ରହ କରି ଦେବାର ଦେଖାଯାଏ ।

ସାଧୁ ଦର୍ଶନାର୍ଥୀ ଯାତ୍ରୀମାନେ ଖଣ୍ଡଗିରିକୁ ଆସି ସେହି ଦିନମାନରେ ଚାଲିଯାନ୍ତି, କେହି ରାତ୍ରିବାସ କରେ ନାହିଁ । ମାତ୍ର ଆଜକୁ ମାସାବଧି ଗତ ହେଲା ଦୁଇ ଜଣ ବଙ୍ଗଦେଶୀୟ ସାଧୁସେବାପରାୟଣ ଯାତ୍ରୀ ବାସ କରି ରହିଅଛନ୍ତି । ସାଧୁମାନେ କେବଳ ଧୂନିର ବିଭୁତି ଦେଇ ଲୋକମାନଙ୍କର ଅନେକ ଉତକଟ ପୀଡ଼ା ଆରୋଗ୍ୟ କରିଥାନ୍ତି । ଆମ୍ଭମାନଙ୍କର ମହନ୍ତ ବାବା ମଧ୍ୟ ନେତ୍ର ମୁଦ୍ରିତ କରି ଅନେକ ଲୋକଙ୍କୁ ବିଭୁତି ବିତରଣ କରିବାର ଦେଖାଯାଏ । ଆମ୍ଭମାନଙ୍କ ଭକ୍ତଯୁଗଳ ଅନିଶ୍ଚିତ ଉତ୍କଟ ପୀଡ଼ାରେ ପୀଡ଼ିତ । ଆରୋଗ୍ୟ କାମନାରେ ମହନ୍ତ ବାବା ଓ ଅନ୍ୟାନ୍ୟ ସାଧୁଙ୍କ ସେବାରେ ପ୍ରାତଃକାଳଠାରୁ ରାତ୍ର ପ୍ରହରକ ପର୍ଯ୍ୟନ୍ତ ନିଯୁକ୍ତ ଥାନ୍ତି । ନିଜ ବ୍ୟୟରେ ଭୁବନେଶ୍ୱର ବଜାରରୁ ଭଲ ଭଲ ଗୋଲ ଗୋଲ ଜଟାବାଲା ଗଞ୍ଜେଇ କ୍ରୟ କରି ଆଣି ସାଧୁମାନଙ୍କୁ ସେବନ କରାଇ ଥାନ୍ତି । ଗଞ୍ଜେଇ ସଂଗ୍ରହ କାମନାରେ ସେମାନଙ୍କୁ କେବେ କେବେ ପୁରୀ ମଧ୍ୟ ଯିବାକୁ ହୁଏ । ମୌନା ମୌନୀ ସାଧୁଦମ୍ପତି ପ୍ରତି ମଧ୍ୟ ଏମାନଙ୍କର ଅଚଳା ଭକ୍ତି । ସେମାନେ ମୌନାବଲମ୍ବନ କରି ରହିଥିଲେ ମଧ୍ୟ ସେମାନଙ୍କୁ ଗୁମ୍ଫାଦ୍ୱାର ନିକଟରେ ଚାହିଁ ବସିଥାନ୍ତି, କଦାଚିତ୍ ବାଳଭୋଗ ସକାଶେ ମିଷ୍ଟାନ୍ନ ବା ଫଳ ମୂଳ କିଣି ଆଣି ଦେଇ ସାଧୁ ଦମ୍ପତିଙ୍କୁ ଦଣ୍ଡବତ କରି ଚାଲି ଆସନ୍ତି ।

ଅଦ୍ୟ ପ୍ରାତଃକାଳରେ ଖଣ୍ଡଗିରିରେ ଭାରି ହୁଲୁସ୍ତୁଲୁ ପଡ଼ି ଯାଇଅଛି । ପୁରୀ ଜିଲ୍ଲାର ସ୍ୱୟଂ ମେଜେଷ୍ଟର ସାହେବ ଉପସ୍ଥିତ । ରାତି ନ ପାହୁଣୁ ଖଣ୍ଡଗିରି ସମ୍ମୁଖରେ ଚାରି ପାଞ୍ଚଟା ଡେରା ଟଣା ହୋଇଗଲାଣି । ଗୋଟିଏ ବଡ଼ ଡେରାରେ ମେଜ କୁର୍ଚି ଲଗାଇ ସାହେବ କଚେରି କରି ବସିଅଛନ୍ତି । ସାଙ୍ଗରେ ଚାରିଜଣ ଚାରିଜଣ ପୋଲିସ ଦାରୋଗା, ଆଠଜଣ ମୁନସୀ; ଗୁଡ଼ିଏ ଭଲ ଜମାଦାର, ଶଏ ପର୍ଯ୍ୟନ୍ତ ବରକନ୍ଦାଜ, ଦୁଇ କି ତିନି ଶ' ଲମ୍ବ ଲମ୍ବ ବାଉଁଶଠେଙ୍ଗାଧାରୀ ଚୌକିଦାର । ପୋଲିସ କର୍ମଚାରୀ ମାନେ ହାତୀ ଧରା ଜଗତବେଢ଼ ପରି ଖଣ୍ଡଗିରିଟାକୁ ଘେରି ଅଛନ୍ତି, ବାହାରିବାର କାହାରି ଅଧିକାର ନାହିଁ । ସାଧୁ ସନ୍ନ୍ୟାସୀମାନେ ଧରାହୋଇ ଆସି ମେଜେଷ୍ଟର ସାହେବଙ୍କ ଡେରା ସମ୍ମୁଖରେ ଖୁଅଡ଼ା ହେଲେ । ଦିନଯାକ ତଦନ୍ତ ହେଲା, ଅପରାହଣ ସମୟରେ ଆମ୍ଭମାନଙ୍କ କଥିତ ଭକ୍ତ ଯୁଗଳଙ୍କ ସନାକ୍ତ ଦେବା ମୁତାବକ ପୂର୍ବ ବର୍ଣିତ ମହନ୍ତ ବାବା ମହାବୀର ଦାସ ଓ ତାହାଙ୍କ ସଙ୍ଗୀ ପଚିଶ ଜଣ ସନ୍ନ୍ୟାସୀ, ସେମାଙ୍କୁ ଛାଡ଼ି ଅନ୍ୟ ଦଶ ଜଣ ସାଧୁ ହାତରେ ହାତକଡ଼ି ଦିଆଯାଇ ତୁରଙ୍ଗରେ ଠୁଙ୍କି ଦିଆଗଲା । ଆମ୍ଭମାନଙ୍କ ମୌନା ବାବାଜୀଙ୍କର ମଧ୍ୟ ସେହି ଦଶା । ମୌନୀ ମାତା ପୋଲିଶ ହେପାଜତରେ