ପୃଷ୍ଠା:Galpa swalpa.djvu/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ


ସଉଦା ଖର୍ଚ୍ଚ ଅଧା ଆଧି ଊଣା, ପରିବା ପତ୍ର ଦୁଇଗୁଣ ବେଶୀ, ପୁଣି ବଡ଼ ସୁନ୍ଦର ରନ୍ଧା । ବାବୁଙ୍କ ମନ ଜାଣି ବେଳ ମାଫିକେ ଗୋପାଳ ରନ୍ଧା ବଢ଼ାରେ ଲାଗିଥାଏ । ପୁଝାରି ତ ବଜାର ସଉଦା ଘିଅ ତେଲ ସବୁଥିରୁ ରେଷା କାଟିବ; ସବୁବେଳେ ଆପଣା ରୋଜଗାର ରେ ଲାଗିଥାଏ । ବାବୁ ଭଲ ଖାଇଲେ, ମନ୍ଦ ଖାଇଲେ, ତାର କଣ ଯାଏ ? ବାବୁ ଥରେ ଗାଁ କୁ ଯାଇ ଗୋପାଳକୁ ଗୋଟିଏ ଘର ବନାଈ ଦେଇ ବିଭା କରାଇ ଦେଲେ । କନ୍ୟାଟି ଯେମିତି ଦେଖିବାକୁ ଡଉଲ ଡାଉଲ, ସେମିତି ଗୁଣ । ପହରା ପଡ଼ିବା ଦିନରୁ ଦିନକୁ ଦିନ ଗୋପାଳର ଘର ବଢ଼ୁଛି । ଗୋପାଳ ରନ୍ଧାବଢ଼ା ସାରି ସବୁବେଳେ ଗଦିରେ ବାବୁଙ୍କ ପାଖେ ପାଖେ ଥାଏ । ତୁଛା ବସି ଥାଏ ନାହିଁ, କେତେବେଳେ କଣ୍ଟା ଧରିଛି ତ, କେତେବେଳେ ମାଲ ସାଇତାରେ ଅଛି ।

ମାଲ କିଣା ବିକା ଛକ ଛକ ଗୋପାଳ ବେଶ ଜାଣିଗଲାଣି । ବାବୁ ଢ଼େର ଥର ବିଡ଼ିଲେଣି, ଆପେ ଏଡ଼େ ପୁରୁଖା ଲୋକ ହେଲେ ବି ଥରେ ଥରେ ଗୋପାଳ ବଳିପଡ଼େ, ତ କଥାରେ ଚାଲିଲେ ଠକିବାକୁ ହୁଏ ନାଇଁ, ବେଶ ଦି ପଇସା ଲାଭ ହୁଏ । ଗୋପାଳ ଆଉ ରୋଷେଇୟା ନୁହେଁ, ବେପାରରେ ବାବୁଙ୍କ ଡାହାଣ ହାତ । ବାବୁ ବୁଢ଼ା ହେଲେଣି, ପାଞ୍ଚ ଜାଗାକୁ ଯାଇ ଆସି ପାରନ୍ତି ନାଇଁ । ଧାଁ ଦୌଡ଼ କାମ ଗୋପାଳ ଜିମା । ଏବେ ଆଉ ସେ ଗୋପାଳ ନୁହେଁ, ଗାଦିରେ ଡାକନାମ ସାନ ବାବୁ । କାଗଜପତ୍ରରେ ଗୁମାସ୍ତା ଲେଖେ, 'ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର' ।

ବାବୁ ଗୋପାଳ ଚନ୍ଦ୍ର ମହାପାତ୍ରେ ସନ୍ଧାନ କରି ବୁଝିଲେ, ଯଶୋଧର, ମୋତିହାର, ପାବନା ଅଞ୍ଚଳରୁ ଜେଉଁ ସବୁ ହଳଦୀ, ଧୂଆଁପତ୍ର, ସରଜ* ଆସେ, ପ୍ରଥମେ ଚାଷୀଠାରୁ କିଣେ ବୁଲା ବେପାରୀ, ସେ ବିକେ ପାଇକାରକୁ, ପାଇକାର ହାତରୁ କିଣେ ଗୋଦାମ ବାଲା, ଦଣ୍ଡିଦାର ତା ପାଖରୁ ମାଲ କିଣି ଚାଲାଣ ଦିଏ । କଲିକତା ରେ ମାଲ ପହଞ୍ଚିବା ବେଳକୁ ତିନିଟା ହାତରେ ଲାଭ ଲଗିଯାଏ ।ମହାପାତ୍ରେ ଦିନେ ବେଳ ଉଣ୍ଡି ମହାଜନଙ୍କୁ ଜଣେଇଲେ, "ଆଜ୍ଞା ବେପାରର ଲାଭ ବିକା ଜାଗାରେ ନୁହେଁ, କିଣା ଜାଗାରେ । ଏହି ଯେ ଧୂଆଁ ପତ୍ର, ହଳଦୀ, ସରକ, ଆସୁଛି, ମୁଁ ଥରେ ଯାଇ ଠିକଣା ଜାଗଟା ବୁଝିଆସେ" ।

ମହାଜନ ଅନୁମତି ଘେନି ସାନବାବୁ ସଳଖେ ସଳଖେ ଠିକଣା ଜାଗାକୁ ଚାଲିଗଲେ । ମଝିରେ ଆଉ କାହାରିକୁ ନଗା ନ ରଖି ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସଉଦା କଲେ । ଦୁଇବର୍ଷ ଯେହିପରି କାମ ଚଳିବାରୁ ଦେଖାଗଲା, ପୂର୍ବଠାରୁ ଦୁଇଗୁଣ ଲାଭ ବେଶୀ । ମହାପାତ୍ରେ ଏବେ ବଳଙ୍କର ଚାକର ନୁହନ୍ତି, ଲାଭରେ ଚାରିପଣି ଅଂଶଭାଗୀ ।

ପାଞ୍ଚ ସାତ ବର୍ଷ ଏହିପରି କାମ ଚଳିଲାଣି- ମହାପାତ୍ରେ ବର୍ତମାନ ଲକ୍ଷପତି । ସେ ମନା କରୁ କରୁ ମହାଜନ ବଳେ ଗ୍ରାମରେ ଦଶ ବାର ହଜାର ଟଙ୍କା ଲଗାଇ ଗୋଟାଏ ବଡ ଦୋମହଲା ଘର ବନାଇ ଦେଲେ । ଖଣ୍ଡେ ତାଲୁକ ବି କିଣି ଦେଲେଣି । ମହାଜଙ୍କ ଇଛା, ଗୋପାଳ ଖୁବ ବଡ଼ ଲୋକ ହେଉ । ହେଲେ, ଗୋପାଳର ବଡ଼ଲୋକୀ ଚାଲିଚଳନ ନାଇଁ, ଦିନ ରାତି କାମରେ ଲାଗିଥିଲେ ଆନନ୍ଦ । ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ ।ବଳେ ଏବେ ତୁନି ହୋଇ ଗଦିରେ ମାଳ ଗଡ଼ାଉଥାନ୍ତି ।

ବାବୁ ଗୋପାଳଚନ୍ଦ ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ, ନାମ ରାଜୀବଲୋଚନ । ପୁଅଟି ପାରି


* ବାଣିଜ୍ୟ ସକାଶେ ଦ୍ରବ୍ୟମାନ