ନଥିବା ଅସହାୟତାରେ ଘାରି ହେଉଥିବେ, ଅଭ୍ୟାସ ନ ଥିବାରୁ ସରୁ ସହଜ ସଲ୍ଲଜ ହସଟିଏ ହସି ପାରୁ ନଥିବେ ଏବଂ ଅସହାୟତାରେ ବାରମ୍ବାର ଘାରି ହେଉଥିବେ । ବାଘ । ବାଘବି ମଣିଷ ମାଂସ ଖାଇଲାବେଳକୁ ଏତେ ନିରୀହ ଦେଖାଯାଏ ଯେ ପାଖକୁ ଯାଇ ଆଉଁସିବାକୁ ଇଚ୍ଛା ହୁଏ । ସାଉଁଳି ସାଉଁଳି ପଚାରିବାକୁ ଇଚ୍ଛା ହୁଏ ‘ଆଉ ମଣିଷ ଖାଇବୁ? ଖା ଖା ଯେତେ ପାରୁଛୁ ମନଭରି ଖା । ଆହା, ଦେହଟା ଦେଖ ଖଡ଼ିକାପରି ହେଇଯାଇଛି, ଚୁ ଚୁ ଚୁ ଚୁ ଚୁ ଚୁ ।’ ଏତକ କହିବା ବେଳକୁ ବାଘଟା ନିଜକୁ ବି ଖାଇଦିଏ । ନିଜ ହାଡ଼ ନିଜ ମାଂସ ନିଜ କଲିଜା ନିଜ ହୃତ୍ପିଣ୍ଡ଼ ନିଜ ରକ୍ତ ଏବଂ ହାକୁଟି ମାରିଲା ବେଳକୁ ଅବକାଶ ପାଣିପିଏ । ଦେଖେ ଚିଲିକା ଓ ସୁପାର୍ଥ ଖାଇସାରି ହାତଧୋଇ ଚୁପଚାପ ବସିଛନ୍ତି । ଉଦିତ ଜହ୍ନ ଦେଖୁଛନ୍ତି, ତାରା ଦେଖୁଛନ୍ତି, ଆକାଶ ଓ ଅନ୍ଧାର ଦେଖୁଛନ୍ତି ଓ ବସିଛନ୍ତି । ସୁପାର୍ଥ ଛିଡ଼ା ହେଲା ଯିବାପାଇଁ । ଘଣ୍ଟାକୁ ଚାହିଁଲା । କହିଲା ‘ସମୟ ହେଇଗଲା ମୁଁ ଯିବି ଏଥର ।’ ଚିଲିକା ପ୍ରସ୍ତାବ ଦେଲା ସୁପାର୍ଥକୁ ବସଷ୍ଟେଣ୍ଡ ଯାଏ ଛାଡିଯିବା ପାଇଁ । ଅବକାଶ ମନା କଲା । ଅଥଚ ଛିଡ଼ା ହୋଇ କହିଲା, ‘ଠିକ୍ ଅଛି, ଚାଲ ରାତିକୁ ଟିକେ ଦେଖି ଆସିବା ।’ ଚିଲିକା ବି ଛିଡ଼ା ହେଲା ଏବଂ ତିନିହେଁ ବାହାରିଲେ ରାସ୍ତାକୁ । ପ୍ରଥମେ ବାରଲାଇଟର ଧଳା ଆଲୁଅ ଓ ପରେ ଜହ୍ନ ଆଲୁଅ । ପୁଣି ବାର୍ ପୁଣି ଜହ୍ନ । ପୁଣି ଭଙ୍ଗା ବାର୍ ଓ ଜହ୍ନ । ଏବେ ଗୋଟେ କୁମୁଲସ୍ ମେଘ ପଛପଟେ ଜହ୍ନ, ଫୁ୍ୟଜବାର୍ ଓ ଅନ୍ଧାର । ଅଥଚ ଛଅଟି ପାଦ ଆଗକୁ ଆଗକୁ । ସୁପାର୍ଥ ପଚାରିଲା ଅବକାଶର ଚାକିରି ବାବଦରେ । ଅବକାଶ କହିଲା ଯେ ସେ ଗତକାଲି ଯାଏ ଗୋଟାଏ ବେସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲା । ସମୁଦାୟ ସେ ଦୁଇମାସ ପାଞ୍ଚଦିନ ରହିଥିଲା । ତା ଭିତରେ ଗାଁର ଶିକ୍ଷକ ଅଭିଭାବକ ସଂଘ ତା ନାଁରେ ଚାରିଥର କୈଫିୟତ ମାଗିଥିଲେ ଏବଂ ଶେଷରେ ବୈଠକୀ ଓ ଆଲୋଚନା କରି ତାକୁ ତଡ଼ି ଦେଲେ । ସଂଘର ସଭାପତି ଥିଲେ ଜିଲ୍ଲାପାଳ ଓ ସଂପାଦକ ଥିଲେ ଜଣେ ସରକାରୀ ଦଳର ହର୍ତାକର୍ତା ଭାଗ୍ୟବିଧାତା । ତାକୁ ପ୍ରାର୍ଥନା ନ କରାଇବା ବିଷୟରେ ପଚରା ଯାଇଥିଲା । ସଂଘର ସାମନାରେ ସେ ଉତ୍ତର ଦେଇଥିଲା ନିର୍ବିକାର ଭାବେ, ସହଜ ଗଳାରେ, “ଦେଖନ୍ତୁ ପିଲାମାନଙ୍କୁ ପ୍ରାର୍ଥନା ନ କରିବାକୁ କହି ମୁଁ ସେମାନଙ୍କୁ ଅନ୍ତତଃ ଦୋଷୀ ହେବାର ବିଭ୍ରମରୁ ମୁକୁଳାଉଥିଲି । ପ୍ରତିଦିନ ଆମ ପିଲାଏ ପ୍ରାର୍ଥନା ମାନଙ୍କରେ ଥିବା ନଷ୍ଟ ଶବ୍ଦ ସବୁ କହି କହି, ଅର୍ଥାତ୍, ‘ମୁଁ ମୁଢ଼, ମୁଁ ଅଜ୍ଞାନୀ, ମୁଁ ନୀଚ, ମୁଁ ହୀନ ଦରିଦ୍ର ଅସହାୟ, ମୁଁ ଅକିଂଚନ ଅପଦାର୍ଥ, ମୁଁ ପିତୃମାତୃ ହୀନ, ମୋତେ ଆଲୋକ ଦିଅ, ଜ୍ଞାନ ଦିଅ, ଏପରି ଶବ୍ଦ ସବୁ କହି କହି ତାଙ୍କ ଭିତରେ ଗୋଟେ ଗିଲ୍ଟ କମ୍ପ୍ଲେକ୍ସ ସୃଷ୍ଟି ହେଉଛି । ପ୍ରତିଦିନ, ବିନ୍ଦୁ ବିନ୍ଦୁ କରି । ସେମାନେ ଯେ ମଣିଷ ଏକଥା ହୃଦୟଂଗମ କରିବା ପାଇଁ ନାରାଜ । ଆତ୍ମସମ୍ମାନ ବୋଧ ନାହିଁ, ଆତ୍ମବିଶ୍ୱାସ ମରି ମରି ଯାଉଛି । ସବୁବେଳେ ଜୀବନପ୍ରତି ବୀତସ୍ପୃହ । ନିଜକୁ ହେୟ ମନେକରିବା ଅଭ୍ୟାସରେ ପଡ଼ିଗଲେଣି । ତାଙ୍କୁ ମୁଁ ଉଦ୍ଧାର କରୁଛି । କରିବା ପାଇଁ ଚେଷ୍ଟା କରୁଛି । କେତେ ମେଧାବୀ ଛାତ୍ର ଏକଥା ବୁଝିବାକୁ ଚେଷ୍ଟା କରୁଥିଲେ । ଯଦି ଭଗବାନ ଥାଆନ୍ତି ତେବେ ସମଗ୍ର ମଣିଷ ସଂପ୍ରଦାୟ ଦୋଷୀ । ଦଣ୍ଡ ପାଇବା ପାଇଁ ଅପେକ୍ଷା କରିଥିବା ଅପରାଧୀ । ଏକଥା ସେମାନେ ବୁଝିବାକୁ ପ୍ରାଣପଣେ ଲାଗି ପଡ଼ିଥିଲେ । ଆପଣ ବି ବୁଝିବାକୁ ସକ୍ଷମ ସାର୍, ଯଦି ଆପଣ ସାମାନ୍ୟ ଇଚ୍ଛା ପ୍ରକାଶ କରନ୍ତି । ପୃଥିବୀରେ ଯଦି କେହି ପ୍ରାର୍ଥନା ବା ଭଜନ ନ କରନ୍ତେ ତେବେ ଅନ୍ତତଃ ଏ ଗିଲ୍ଟି କମ୍ପ୍ଲେକ୍ସ୍ରୁ ରକ୍ଷାପାଇ ଯାଆନ୍ତେ ଏବଂ ଭଗବାନ ଆପେ ଆପେ ମରି ଯାଆନ୍ତେ । ନଚେତ ଧରାଯାଉ ସମସ୍ତ ଧର୍ମଭୀରୁ ଲୋକଙ୍କୁ ଏକା ଦିନକେ ହତ୍ୟା କରାଯାଆନ୍ତା । ତେବେ ଭଗବାନ ବି ଆପେ ଆପେ ମରିଯାଆନ୍ତେ । ଛଟପଟେଇ ଛଟପଟେଇ । ପିଲାମାନଙ୍କୁ ତାଙ୍କ ଅପରାଧୀ ମନୋବୃତ୍ତିର ବିଭ୍ରମରୁ ମୁକୁଳାଇ ତାଙ୍କୁ ସଂସ୍ମୃତି ସମ୍ପନ୍ନ, ଦାୟିତ୍ୱବାନ ଓ ଦୂରଦର୍ଶୀ ହେବାକଥା ଶିଖା ଯାଇଥିଲା । ନିଜ ପ୍ରତି ଗଭୀର ବିଶ୍ୱାସ କରିବା ଶିଖା ଯାଉଥିଲା । ମୁଁ ଚାହୁଁଥିଲି ସେମାନେ କିପରି ଶବ ନ ପାଲଟଂତୁ । ଅନ୍ୟମାନେ ସେମାନଙ୍କଠୁ ବହୁତ କିଛି ଆଶା କରନ୍ତି ସାର୍, ଏ ଦେଶ ଏ ସଂସାର, ୟା’ର ଭବିଷ୍ୟତ । ପିଲାମାନେ ତ ଆଶାର ବୁଦ୍ବୁଦ୍ । ଏବେଠୁ ତାଙ୍କୁ ଧର୍ମଭୀରୁ କରିବା, ତାଙ୍କ ଆତ୍ମବିଶ୍ୱାସ ଲୁଟି ନେବା ତ ବହୁତ ବଡ଼ ଅପରାଧ । ଜିଲ୍ଲାପାଳ ବରଂ ଏଇ ସ୍କୁଲ କମିଟିକୁ ଭାଙ୍ଗି ଦିଅନ୍ତୁ ।” ଅଥଚ ତା ପରଦିନ ଅବକାଶର ଘରକୁ ସ୍କୁଲପିଅନ ଆସି ତାକୁ ତଡ଼ି ଦିଆହୋଇଥିବା ଚିଠିଟି ଦେଲା । ଅବକାଶ ଅତ୍ୟଂତ ଖୁସିରେ ଗ୍ରହଣ କଲା ଏବଂ ଉକ୍ତ ପିଅନକୁ ହୋଟେଲରେ ଗୁଡ଼ାଏ ଜଳଖିଆ ଖୁଆଇ ବିଦାୟ ଦେଇଥିଲା । ପ୍ରାର୍ଥନା ବଦଳରେ ଅବକାଶ ପିଲାଙ୍କୁ ପ୍ରତିଦିନ ଗୋଟାଏ ଦୁଇଟି ଗପ କହୁଥିଲା । ବିଷ୍ଣୁଶର୍ମାଂକ ପଞ୍ଚତନ୍ତ୍ରରୁ, ସୋମଦେବଙ୍କ କଥାସରିତ ସାଗରରୁ, ଲୋକଗଳ୍ପ, ପରୀକାହାଣୀ, ଅସୁରଅସୁରୁଣୀ, ବାଘବୁଢ଼ା, ସାଧବପୁଅ କଥା, ରାଜାରାଣୀ କଥା, ବଗବଗୁଲୀ କଥା, ଲିଟି ଚଢ଼େଇ କଥା, ରତ୍ନାବତୀ ପଦ୍ମାବତୀ ଚଂପାବତୀ କଥା, ଏପରିକି ରେବତୀ କଥା ଓ ଲୁଲୁର୍ଭା ପର୍ବତ କଥା ସେମାନେ ଶୁଣି ସାରିଥିଲେ । ସ୍କୁଲରେ ଗୋଟେ କାନ୍ଥ ପତି୍ରକା ବାହାର କରା ହୋଇଥିଲା । ପିଲାଏ ତାଙ୍କ ସ୍ୱପ୍ନ ଭିତରକୁ-
ପୃଷ୍ଠା:Hada bagicha.pdf/୩୧
ଦେଖଣା