ପୃଷ୍ଠା:Hada bagicha.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ସ୍ୱପ୍ନ’ କାନ୍ଥ ପତି୍ରକାର ନାଁ- ଧସି ମାଡ଼ି ଖଣ୍ଡିଆ ଖାବରା ହେବାଯାଏ, ଏପରିକି ନିଜକୁ ଖିନ୍ଭିନ୍ କରି ପାଗଳ ହେବାଯାଏ ରିସ୍କ ନେଉଥିଲେ । ସୁପାର୍ଥ ଚିଲିକା ଓ ଅବକାଶ ଚୌଛକୀ ମଝିରେ ଛିଡ଼ା ହୋଇଥିଲେ । ସେଠି ଗୋଟେ ଉଚ୍ଚଶକ୍ତି ସମ୍ପନ୍ନ ମରୁକ୍ୟୁରୀ ବଲ୍ବ ଜଳୁଥିଲା । ଅବକାଶର ଦେହଟା ପୁଲକି ଯାଉଥିଲା, ଶିହିରୀ ଯାଉଥିଲା, ଯେମିତି ତା ଦେହସାରା ସରୀସୃପ ଓ ସରୀସୃପ । ତା କୋଷ ଦୁଇଟି ଟାଣ ଓ ସଙ୍କୁଚିତ ହେଉଥିଲା । ଅବକାଶ କହେ ସମୁଦ୍ର ଦେଖିଲେ, ଜାନୁଆରୀର ନଦୀରେ ଗାଧୋଇଲେ ଏବଂ ମର୍କ୍ୟୁରୀ ଆଲୁଅର ତୀବ୍ରତାରେ ଉବୁଟୁବେଇ ଗଲେ ତା ଅଂଡକୋଷ ଦୁଇଟି ସଂକ୍ଷେପି ସାଂକୁଡ଼ି ଯାଏ । ଛୋଟ ଦୁଇଟି ଶୂନ ପାଲଟି ଯାଏ । ଅବକାଶର କ୍ଷୁଦ୍ରତନୁଟି କୁତୁକୁତୁ ହୋଇଯାଏ । ରକ୍ତ ନଦୀ ଚହଲି ଯାଏ, ତରଂଗେଇ ଯାଏ । ପ୍ରଥମ ସମୁଦ୍ର ଦେଖାର ଅନୁଭୂତି କେବେବି ପାଶୋରିବାକୁ ଚାହେଁନା ଅବକାଶ । ସେତେବେଳେ କଲେଜର ତୃତୀୟବର୍ଷ ଉଗ୍ର ବାସ୍ତବବାଦୀ ଛାତ୍ର । କିନ୍ତୁ ବେଳେବେଳେ ନିଜକୁ ଔତ୍ସୁକତାବାଦ ଭିତରକୁ ଠେଲି ଦେବାର ଅନୁଭୂତି ତଥାପି ଯାଇ ନଥିଲା ଏବଂ ସେ ସେ ଯାଇଥିଲା କୋଣାର୍କ । କୋଣାର୍କର ପ୍ରଥମ ଦେଖାରେ କୌଣସି ପ୍ରକାର ରିଆକ୍ସନ୍ ହୋଇ ନଥିଲା । କୌଣସି ଚକ ତାକୁ ଗଡ଼ାଇ ନେଇ ନ ଥିଲେ ଇତିହାସ ଭିତରକୁ । କେହି ନାରୀ ବି ତା ମନ ଭିତରେ ଝଂକାର ତୋଳି ନଥିଲେ । ମିଥୁନ ଯୁଗଳ ଦେଖି ତା ଦେହଟା ଶିର୍ଶିରେଇ ଯାଇ ନଥିଲା । ଅଥଚ ସମୁଦ୍ର । ଅନେକ ଦୂରରୁ ସମୁଦ୍ରର ଗାଢ଼ନୀଳକୁ ଦେଖି ସେ ଚଞ୍ଚଳ ହୋଇ ଉଠିଥିଲା । ବିଭିନ୍ନ ଦୃଷ୍ଟି ନେଇ ସେ ଦେଖିଥିଲା ସମୁଦ୍ର- ଝାଉଁବଣ ଭିତରୁ, ବାଲିର ଢିପଉପରୁ, ପଥର ପିଠିରୁ, ସ୍କୁଲ ଛାତ୍ରୀଂକ ସ୍କୁଲ ଫ୍ରକ୍ ସନ୍ଧିରୁ, ବାଲି ଉପରେ ଗୁରୁଣ୍ଡୁଥିବା ଶିଶୁଙ୍କ ପେଟ ଫାଙ୍କରୁ, ଜମା ହୋଇଥିବା ଲୋକଙ୍କ କାନ୍ଧମୁଣ୍ଡ ଉପରୁ, ଭଙ୍ଗା ପାଚେରିର ଫଟାଥାନରୁ, ନିଜ ଆଙ୍ଗୁଠି ଫାଙ୍କରୁ, ଏପରିକି ଖୋଲା ସ୍ତନର ସିଲୋଟିରୁ ସେ ଦେଖିଛି ସମୁଦ୍ର, ଏପରିକି ବାଲିଘର ତିଆର ତା ଭିତରେ କଣାରୁ ଦେଖିଛି ସମୁଦ୍ର । ତା ପାଇଁ ସମୁଦ୍ର ଆହୁରି ଆହୁରି ବ୍ୟାପୀ ଯାଇଛି, ଜୀବନ ପାଇଛି, ଆନ୍ଦୋଳିତ ହେଇଛି ଏବଂ ଅବକାଶ ନିଜେ କୁରୁଳି ଉଠିଛି, ଶିହିରୀ ଯାଇଛି, ବିଳପି ଯାଇଛି, ଦୁର୍ବଳ ଅନୁଭବ କରିଛି ଏବଂ ଶେଷରେ ତାର ବ୍ୟାପ୍ତିକୁ ମନେ ପକାଇ କାନ୍ଦି ପକେଇଛି । ସମୁଦ୍ର ପାଖକୁ ଯାଇ ତା ଲହରୀ ସହିତ କଥା କହିବ କି ନାହିଁ ଭାବି ଭାବି ନିଜ ଅଜାଣତେ ଠେଲି ହୋଇ ଯାଇଥିବା ଏବଂ ପ୍ରଥମ ସ୍ପର୍ଶରେ ଢେଉଟା ଆସି ତା ଆଣ୍ଠୁ ଯାଏ ଓଦା କଲାବେଳକୁ ସେ ଆହୁରି ଆହୁରି ବିହ୍ୱଳି ବିହ୍ୱଳି ଯାଉଥିଲା ଓ ତା’ର ଅଂଡକୋଷ ଦୁଇଟି ସଂକ୍ଷେପି ସଂକ୍ଷେପି ଯାଇଥିଲା । ଖାସ୍ ସମୁଦ୍ର ପାଇଁ । ସେଦିନ ସେ ଗାଧୋଇ ଥିଲା କି ନାଇଁ ସେକଥା ମନେପକାଇବା ପାଇଁ ନ ଚାହିଁ ଦେଖିଲା ସେ ଆଉ ମର୍କ୍ୟୁରୀ ବଲ୍ବର ଆଲୁଅର ପରିଧି ଭିତରେ ନାହିଁ । ଚିଲିକା ଓ ସୁପାର୍ଥ କଥାବାର୍ତା ହେଉଥିଲେ । ପ୍ରଫେସର ଟିପୁ ସୁଲତାନଙ୍କ କଥା, ରିଡର ତାଂତିଆ ଟୋପେଂକ କଥା, ଆନ୍ଦୋଳନ କୋଳାହଳ କଥା, ନିରବ ସହର କଥା, ସାଲାଡ଼- ବୟସର କଥା, ସୋନାଲ ମାନସିଂହଙ୍କ କଥା, ଅବକାଶର କଥା ଓ ଆବ୍ରାକାଡାବ୍ରା । ସେମାନେ ବସଷ୍ଟେଣ୍ଡରେ ଛିଡ଼ାହୋଇ ସାରିଥିଲେ । ପାନଦୋକାନ ଚା ଦୋକାନ ବ୍ୟତୀତ ଅନ୍ୟସବୁ ଦୋକାନ ବନ୍ଦ ହୋଇସାରିଥିଲା । ରାସ୍ତା ମଝିରେ ଷଣ୍ଢଟିଏ ପାକୁଳି କରୁଥିଲା ନିର୍ବିକାରରେ । ଅବକାଶ ତାକୁ ଟିକେ ସାଉଁଳି ଦେଇ ନିଜ ହାତକୁ ଦେଖି ଝାଡ଼ିଦେଲା ଦି’ଥର । କେତେଜଣ ପିଠିପଟେ ବେଗ୍ ଝୁଲାଇ ଗସିପ୍ କରୁଥିଲେ । ହୁଏତ ସେମାନେ ଛାତ୍ର । ହାତରେ ହକି ଷ୍ଟିକ ଧରିଥିଲେ । କିଛି ଦୂରରେ ଗୋଟାଏ ଅନ୍ଧାରୁଆ କୋଣରେ ପରିବାରଟିଏ ନେସି ହୋଇ ଯାଇଥିଲେ । ଦୁଇଜଣ ଝିଅ, ପୁଅଟିଏ, ବାପାମା ଏବଂ ଲଗେଜ୍ । ସେମାନେ ବି ପାକୁଳି କରୁଥିଲେ ସମୟକୁ । ଚୁପ୍ ଚାପ୍ । ହକି ଷ୍ଟିକ୍ ପିଲାମାନେ ହାତରେ କପ୍ଧର ପିଉଥିଲେ ସମୟକୁ । ବସଷ୍ଟେଣ୍ଡ ଭିତରେ ଆହୁରି ଅନ୍ଧାରୁଆ ଓ ନିଛାଟିଆ ଥାନରେ ଦି’ଜଣ ଧଳାମଣିଷ ସ୍ତଂଭପାଲଟି ଯାଇଥିଲେ । ହଠାତ ବାୟୁମଣ୍ଡଳକୁ ଓଲଟ ପାଲଟ କରି ଚା ଦୋକାନରୁ ତରଂଗେଇ ଆସିଲା କୁକୁର ବିଲୁଆ ପାଗଳର ଶବ୍ଦ ମିଶାମିଶି ଗୀତଟିଏ । ହଠାତ ଏବେ ଶାଢ଼ି ପିନ୍ଧା ଝିଅଟିଏ ଆସିଲା । ଆସିଲା ନୁହେଁ ବରଂ କୁହାଯାଉ ଆବିର୍ଭାବ ହେଲା । ଚା ଦୋକାନରେ ଠିଆ ହେଲା । ସଦ୍ୟସଜା ହୋଇ ଆସିଛି ଯେପରି । ଅଧଗ୍ଲାସ ପାଣିରେ ପାନଭର୍ତି ମୁହଁକୁ ଧୋଇ ପକାଇଲା ଏବଂ ନିର୍ବିକାରରେ ଛିଡ଼ାହୋଇ ଚା ପିଇଲା । ପୁଣି ତରତର ତରତର ହୋଇ ପାନ ଦୋକାନ । ପୁଣି ପାନ । ପୁଣି ତରତର ତରତର ହୋଇ ଆଉ ଗୋଟାଏ ପାନଦୋକାନ ପାଖରେ ଛିଡ଼ା । ଏଇଟା ହେଉଛି ବସଷ୍ଟେଣ୍ଡର ଇଲାକା ଏବଂ କୋଳାହଳହୀନ ରାତ୍ରିର ଅନ୍ଧାରୀ ମୂଲକ । ବାଦଶାହା ଓହ୍ଲାଇବେ ନାହିଁ ନଥିବା ଜାଗାରୁ ଆଉ କ୍ଷୁଧାର୍ତ ବେଗମ୍ଂକର ଆତ୍ମାରେ ସଜାଇବେ ଅଂଜୁମନ । ସୁପାର୍ଥ ଚା ପାଇଁ ପ୍ରସ୍ତାବ ଦେଲା ଏବଂ ସମସ୍ତେ ଭାବିଲେ ଏବେ ଚା ଖାଇବା ଏକ ପ୍ରକାର ଜରୁରୀ । ଚା ଖାଇଲେ । ବସ ଆସିଲା । ରିକ୍ସାବାଲାର ସାହାଯ୍ୟରେ ଷଣ୍ଢ ଘୁଞ୍ଚି ଗଲା ଓ ଦି’ପାଦ ଯାଗାଦେଲା ବସ୍କୁ । ବସ୍ଟି