ପୃଷ୍ଠା:Hada bagicha.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରକ୍ତର ଧାର । ବାହାରୁ କେଉଁଠୁ ଗଡ଼ିଗଡ଼ି ଏ ଗାଁକୁ ଆସିଛି ଏବଂ ସାପର ମୁଣ୍ଡପରି ଏପଟ ସେପଟ ହୋଇ କାହାକୁ ଖୋଜୁଛି । ଅନ୍ୟମାନେ ରକ୍ତର ଧାରଟି କେଉଁ ଆଡ଼େ ଯିବାକୁ ଚାହୁୁଁଛି ଜାଣିନ ପାରି ଡରିଯାଇ ବାଟ ଛାଡ଼ିଦେଲେ । ଭିଡ଼ି ମୋଡ଼ି ହୋଇ ସାପଟିଏ ପରି ଧାରଟି ଗଡ଼ି ଗଡ଼ି ଯାଇ ଡମ୍ ବୁଢ଼ା ମାଝିର ଚାରିପଟେ ଗୁଡ଼େଇ ତୁଡ଼େଇ ହୋଇ ପଡ଼ିଲା । ବୁଢ଼ା ସଙ୍ଗେ ସଙ୍ଗେ ଜାଣି ପାରିଲା ଏ ରକ୍ତର ଧାରଟି ତା ନାତୁଣି ଧନିଆଁର । ବୁଢ଼ା ପାଗଳପରି "ମୋ ଧନିଆଁ, ଧନୁ, ଧନି' କହି ଆଙ୍ଗୁଠି ଟିପରେ ରକତ୍ ଟିକେ ଭିଜାଇ ଚାଟି ଦେଲା । ଗୋଟିଏ ସ୍ପ୍ରିଂ ପରି ହଠାତ୍ ଠିଆ ହୋଇପଡ଼ିଲା ଏବଂ ଦୌଡ଼ିଗଲା ରକତ୍ଧାରର କଡ଼େ କଡ଼େ । ଆକାଶଟା ପରଛା ହୋଇ ଆସୁଥିଲା ଏବଂ ଦଶଜଣ ଯାକ ବୁଢ଼ାବୁଢ଼ୀ ଓ ଠେକାବନ୍ଧା ଲୋକ ସଭିଏଁ ଚାଲିଲେ ରକ୍ତର ଧାରେ ଧାରେ । କିଛି ବାଟ ଗଲା ପରେ ସମସ୍ତେ ଚକିତ ହୋଇ ଦେଖିଲେ ପାଦଚିହ୍ନ ଭିତରେ ପ୍ରଜାପତିର ଶବ ଧାଡ଼ି ଧାଡ଼ି ହୋଇ ଲମ୍ବିଯାଇଛି ଅଗନାଅଗନି ଭିତରକୁ । ରକ୍ତର ଧାର ତାର କଡ଼େକଡ଼େ ଆସିଛି । ଠେକାବନ୍ଧା ଲୋକଟି ନଇପଡ଼ି ତଦାରଖ କଲା । ଜାଣିଲା ଏଇଟା ତାର ହିଁ ପାଦଚିହ୍ନ । ଆଶ୍ଚର୍ଯ୍ୟ ହେଲା । ସେ ତ ପ୍ରଜାପତି ମାରିମାରି ଆସିଥିବା ତାର ଆଦୌ ମନେ ପଡୁନାଇଁ । ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ । କାହାକୁ କଣ କହିବ, କଣ କରିବ କିଛି ଭାବିପାରିଲା ନାହିଁ । କାଠ ପାଲଟିଗଲା । ଅଥା ହୋଇ ବସି ପଡ଼ିଲା ଅଧବାଟରେ । ତା ପାଦଦୁଇଟି ଆଉ ଆଗକୁ ଚଳିଲା ନାହିଁ । ଅନ୍ୟମାନେ ଆଗେଇ ଯାଉଥିଲେ ଅଂକେଇ ବଙ୍କେଇ, ଗଛ ବୃଚ୍ଛ ସବୁକୁ ଡେଇଁ ଆଡେଇ । ମଝିରେ ମଝିରେ ଡମ୍ ବୁଢ଼ା ଡାକ ପାରୁଥାଏ, "ଧନିଆଁ, ଧନିଆଁ, ଧନୁ ଧନୁ, ଧନି ଧନି'ା କାନ୍ଦୁଥାଏ ଡହଳ ବିକଳ ହୋଇ । କେହି ତା କାନ୍ଧରେ ସାମାନ୍ୟ ଛୁଇଁ ଦେଲେ ତା ହାତକୁ ଛିଞ୍ଚାଡ଼ି ଆଣୁଥାଏ । ରକ୍ତର ଧାରଟି ମଲା ପ୍ରଜାପତିର ପାଦଚିହ୍ନ ପାଖେ ପାଖେ ଯାଇଥାଏ ଅଗମ୍ୟ ଭିତରକୁ, ଅଗନା ଅଗନି ଭିତରକୁ । ଡମ୍ ବୁଢ଼ାର ପାଟି ଖନି ମାରି ଯାଉଥାଏ । ସୂର୍ଯ୍ୟ ଉଇଁ କିଛି ଉପରକୁ ଆସିବାଯାଏ ସେମାନେ ଚାଲୁଥିଲେ । ଗୋଟାଏ ଜିଦି, ଗୋଟାଏ ଜୋସ୍, ଗୋଟାଏ ମୋହ ସେମାନଙ୍କୁ ଟାଣି ନେଉଥିଲା କୁଆଡ଼େ । ପ୍ରାୟ ଚାରି ଘଣ୍ଟାର ରାସ୍ତା ଅତିକ୍ରମ କଲାପରେ ରକ୍ତର ଧାରଟି ମଲା ପ୍ରଜାପତି ଥିବା ପାଦଚିହ୍ନ ଛାଡ଼ି ଭିନ୍ନ ଏକ ମୋଡ଼ ନେଇଛି ଏବଂ ସେଇଠି ବି ଶୁଣାଗଲା ଧନିଆଁର ବିକଳ କାନ୍ଦର କ୍ଷୀଣ ସ୍ୱର ଲହରି । ଜଣା ଯାଉଥାଏ ଯେପରି ବହୁତ ଦୂରରୁ ସ୍ୱର ଲହରିଟିଏ ଭାସି ଆସୁଛି କ୍ଷୀଣରୁ କ୍ଷୀଣତର ହୋଇ । ସବୁ ବୃଦ୍ଧଙ୍କ ଅବଶ ଗୋଡ଼ସବୁ ହଠାତ୍ ଚଳଚଞ୍ଚଳ ଓ କ୍ଷିପ୍ର ହୋଇ ଉଠିଲେ । କିଛିବାଟ ଅଣ୍ଡାଳିଅଣ୍ଡାଳି ଗଲାପରେ, ସମସ୍ତେ ବିଛାଇହୋଇ ଏକ ଅର୍ଧବୃତ୍ତାକାରରେ ଖୋଜି ଖୋଜି କିଛିବାଟ ଗଲାପରେ, ଗୋଟିଏ ବୁଦାମୂଳେ ଖଣ୍ଡିଆ ଖାବରାହୋଇ ଲହୁ ଲୁହାଣ ହୋଇ ଧନିଆଁ ଶୋଇ ପଡ଼ିଥିବାର ଦେଖି ସଭିଏଁ କାନ୍ଦି ପକାଇଲେ । ବୁଢ଼ାର "ଧନିଆଁ'ଡାକ ଶୁଣି ସେ ବି ଆଖି ଖୋଲି ବୁଢ଼ାକୁ କୁଣ୍ଡାଇ ପକାଇଲା ଏବଂ ଆହୁରି ଜୋରରେ କାନ୍ଦି ପକାଇଲା । ସମସ୍ତେ ସେଠି ଚୁପ୍ ଚାପ୍ ବସି ଢେର୍ସମୟ ଯାଏ କାନ୍ଦିବା ପର୍ବ ଚାଲୁରଖିଲେ । କେହିକାହାକୁ କିଛି କହିଲେ ନାଇଁ, ଖାଲି କାନ୍ଦିଲେ । ବର୍ତମାନ କାନ୍ଦହିଁ ତାଙ୍କର ଭାଷା । ଧନିଆଁର କାନ୍ଦିବା ଢଙ୍ଗରୁ ସମସ୍ତେ ବୁଝିଲେ କିଛି ଗୋଟେ ନିଷ୍ଠୁର ଯନ୍ତ୍ରଣାରୁ ମୁକୁଳି ସେ ଚାଲିଆସି ରକ୍ଷା ପାଇଯାଇଛି । ଠେକା ବାନ୍ଧି ଥିବା ଲୋକଟି ନିଜ ପାଦଚିହ୍ନରେ ମଲା ପ୍ରଜାପତି ଗୁଡ଼ାଏ ଦେଖି ହତଭଂବ ହୋଇ ଯାଇଥିଲା । ତହିଁ ଉତ୍ତାରୁ ଏମାନଙ୍କ କାନ୍ଦ ଦେଖି, ରକ୍ତରଧାର ଦେଖି କାଠ ପାଲଟିଗଲା । କଣକରିବ ଭାବି ନ ପାରି ଧୀରେ ଉଠି ଚାଲି ଆସୁଥିଲା । ଡମ୍ ବୁଢ଼ା ମାଝି ତାକୁ ହାତଠାରି ଅଟକାଇଲା ଏବଂ ଧନିଆଁକୁ ବୁଝାଇଲା, ଗେହ୍ଲାରେ, ସେ ଯାଉ ଲୋକଟା ସାଙ୍ଗରେ, ମାତ୍ର କିଛି ଦିନର କଥାତ, ସେ ପୁଣି ଫେରିଆସିବ ତା ଗାଁକୁ । ତା ମା ବି ଫେରିବ ବିଦେଶରୁ, ଅନ୍ୟମାନେ ବି ଫେରିଆସି ଥିବେ, ଏକ୍ଷଣି ସେ ଯାଉ .... ଅନ୍ୟ ବୁଢ଼ାବୁଢ଼ୀ ସବୁ ମଧ୍ୟ ଡମ୍ ବୁଢ଼ା ମାଝିର କଥାକୁ ଦୋହରାଇଲେ । ସେ ଯାଉ, କିଛି ଦିନର କଥାତ, ରୁଆବିହିଡ଼ା ବେଳକୁ ତାକୁ ନିଶ୍ଚେଡାକି ଅଣା ହେବ, ସେ ଯାଉ, ସେ ଯାଉ, ସେ ଯାଉ.... । ଧନିଆଁ ଚିତ୍କାର କରି କାନ୍ଦି କାନ୍ଦି କହିଲା, ମହାଜନ କାଲି ତା ବୁ ଦୁଇଟିକୁ ଚିମୁଟି ଏତେ ଜୋରରେ ଚିପୁଡି ଦେଲା, ସେ କେମିତି ପୁଣି ତା ପାଖକୁ ଯିବ, ଏବେ ଯଦି ଯାଏ "ମଲା ଗଲା ଏକା କଥା'ହେବ । ଏବଂ ଏତକ କହିସାରି ଧନିଆଁ ଉଠି ପଡ଼ି ପୁଣି ଦୌଡ଼ିଲା ଜଙ୍ଗଲ ଭିତରକୁ । ଠେକା ବନ୍ଧା ଲୋକ ଓ ଅନ୍ୟ ସମସ୍ତେ ଦୌଡ଼ା ଦୌଡ଼ି ହେଲେ । ଡକା ପାରିଲେ "ଧନିଆଁ, ଧନିଆଁ'ା ଜଣା ଯାଉଥାଏ ଯେମିତି ଦଶଏଗାର ଜଣ ଛଞ୍ଚାଣ ଗୋଟିଏ କୁକୁଡ଼ା ଛୁଆକୁ ଦୌଡ଼ାଇ ଧରିପାରୁ ନାହାନ୍ତି । ଥରେ ଥରେ ଏମିତି ବି ହୁଏ ନିଜ ଶୂନ୍ୟସ୍ଥାନ ପୂରଣ କରୁଥିବା ପଦାର୍ଥକୁ ଆମେ ହାତ ପାହାନ୍ତାରେ ପାଇବା ସତ୍ୱେ ତାକୁ ପୁଣି ଫିଙ୍ଗି ଦେବାକୁ ହୁଏ ଦୂରକୁ, ହଜାଇ ଦେବାକୁ ହୁଏ ନିଜ ଜାଣତରେ ଏବଂ ଶୂନ୍ୟସ୍ଥାନକୁ ଦେଖି ଦେଖି ନାଚାର ଭାବଟିଏ ମୁହଁରେ ଫୁଟାଇବାକୁ ପଡ଼େ ବଳକା ଆୟୁଷଯାକ ।