ପୃଷ୍ଠା:Hada bagicha.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜିପ୍ ଖୋଲି ଓ ପରେ ପରେ ଅଣ୍ଡରୱାୟାର ଖୋଲି ଦେଖିଲା ତା ଟେମ୍ପଲ୍ ତଳେ ଛୋଟ ଜନ୍ଦାଟିଏ କାମୁଡ଼ି ଦେଇଛି । ତାକୁ ଓଟାରି ଆଣି ଟେବୁଲ ଉପରେ ଥୋଇଲା । ପେଣ୍ଟ ସଜାଇ ଦେଖିଲା ଜନ୍ଦାଟା ଛାଟିପିଟି ହେଉଛି । ମାରି ଦେବ କି ତାକୁ? ପେନ୍ ଖୋଲି ତାର ଶୁଂଡ ପାଖକୁ ନିବ୍ଟି ନେଇ ତା ସହିତ କିଛି ସମୟ ଖେଳିଲା । ଗୋଡ଼ ଦୁଇଟି ଛିଣ୍ଡି ଯାଇଥାଏ ବୋଧହୁଏ । ତଥାପି ସମ୍ଭାଳି ଯାଉଥାଏ ଜନ୍ଦାଟି । ଶୁଂଡ ଦୁଇଟିରେ ଶୂନ୍ୟକୁ ସାଉଁଳି ଆଣୁଥାଏ । କଲମର ମୂନକୁ ଛୁଇଁ ଦେଉଥାଏ । ଜନ୍ଦାଟି କୁଆଡ଼େ ପଳେଇବ ବୋଲି ତରବର ହୋଇ ଯାଉଥାଏ କିନ୍ତୁ ନାଚାର । ଗୁରୁଣ୍ଡି ଯାଉଥାଏ । ଘୂରି ଯାଉଥାଏ । ତା ଶୁଂଡ ପାଖକୁ କଲମ ମୂନଟି ଗଲେ ଆଶ୍ରୟ ମିଳିଗଲା ଭାବି ସ୍ଥିର ହୋଇ ଚଢ଼ିବାକୁ ଚେଷ୍ଟା କରେ । ପୁଣି କଲମ ମୁନଟି ଉଭେଇ ଗଲେ ଗୁରୁଣ୍ଡି ଯାଏ, ଘୂରି ଯାଏ ଚକ୍ରାକାରରେ । ଗୋଡ଼ ଦୁଇଟା ଯୋଡ଼ି ହୋଇ ଯାଆନ୍ତା କି? ଥଳକୂଳ ପାଉ ନ ଥିବା ବିରାଟ ମହାଶୂନ୍ୟ ଭିତରେ ଧୂଳି ପରି ଅସହାୟ ଜନ୍ଦାଟିଏ । ପାଖରେ ମହାକାଳ ବସିଛି କଲମଟିଏ ଧରି । ଗୋଟାଏ ଯାଂତବ ଦୃଷ୍ଟି ନେଇ । ପାଟି ଭିତରେ ଝଡ଼ ଧରି । ଆଙ୍ଗୁଠି ଟିପରେ ମିଳିଟାରି ଯୋତାର ଚାପଧରି । ସାମାନ୍ୟ ଉତ୍ୟକ୍ତ ହୋଇ ଜନ୍ଦାଟିକୁ ଗାଳି ଦେଲା ଅବକାଶ ‘ସଟ୍ ଅପ୍ ବ୍ଲଡ଼ି ଗୋ ଟୁ ହେଲ୍’ ଏବଂ ପାଟିରୁ ଝଡ଼ ମେଞ୍ଚାଏ ବାହାର କରି ତାକୁ ଉଡ଼ାଇ ଦେଲା । ସେ ପଡ଼ିଥିବ କେଉଁ ତଳବିତଳ ସାତତାଳ ପାତାଳରେ ସେ ବିଷୟ ଜାଣିବାକୁ ଆଉ ଚାହିଁଲା ନାହିଁ ଅବକାଶ । ଅନୁ ଭିତରକୁ ପଶି ଆସିଲା । କିଛି ପାଉଁରୁଟି ଆଉ କ୍ଷୀର ଗୋଟେ କପ୍ ଆଣି । ତାକୁ ପାଣି ଗ୍ଲାସେ ଆଣିବା ପାଇଁ କହି ଅବକାଶ ଖାଇବାରେ ଲାଗିଲା । କ୍ଷୀରରେ ଚିନି ଲାଗିଲା ନା ନାଇଁ ଜାଣି ପାରିଲା ନାହିଁ । ପ୍ରକୃତରେ ତାର ଟେଷ୍ଟ ଅଛି । ସେ ଜାଣି ପାରନ୍ତା, ଜାଣିପାରେ ବି, ମିଠା ଖଟା ଲୁଣିଆ ଅଲଣା ସବୁ । କିନ୍ତୁ ଏ ବିଷୟରେ ଗୁରୁତ୍ୱ ଦିଏନା । ତେଣୁ ତାର ମନେ ବି ପଡ଼େନା । ଚୁପ୍ ଚାପ୍ ଖାଇନିଏ । ଦୁଇତିନି ଚାରିଥର ପାଟିରେ ପାଉଁରୁଟି ନେଇ ପାକୁଳିବା ବେଳେ କୋଣାର୍କ ପରଦା ଆଡ଼େଇ ମା ପଶିଆସିଲେ ଭିତରକୁ । ତାଙ୍କର ସିନ୍ଦୂର ଚନ୍ଦନ ବୋଳା ମୁହଁକୁ ଅନାଇବାର ସମୟ ପାଇଲା ନାହିଁ । କିନ୍ତୁ ଅନୁଭବ କଲା ତା ମୁଣ୍ଡରେ କେଇବୁନ୍ଦା ପାଣି ଆସି ପଡ଼ିଲା ମାଙ୍କ ତଥାକଥିତ କଳସ ଓ ବେଲପତ୍ରର ସବୁଜକଣାରୁ । ଦେହଟା ବିରକ୍ତି ଆଉ ଅସହାୟତାରେ ଶିହିରିଗଲା । ଏପରି ଧର୍ମ ସମ୍ପର୍କୀୟ ବା ଭାଗ୍ୟ ସମ୍ପର୍କୀୟ କୌଣସି ଛିଟା ତା ଦେହରେ ପଡ଼ିଲେ ଅସହାୟରେ ବୁଡ଼ି ଯାଏ ଅବକାଶ । ପାଟିକରି ଚିତ୍କାର କରିବାକୁ ଇଚ୍ଛା ହୁଏ, ପାରେନା । କୁଆଡ଼େ ଅତର୍ଛା ପଳାଇବା ପାଇଁ ଇଚ୍ଛା ହୁଏ, ପାରେନା । କାରଣ ଛିଟା ତ ସବୁଠି ଆସି ପଡ଼ିବ । ଲାଉଡ-ଷ୍ପିକରରୁ ଶବ୍ଦର ଛିଟା । ତୀର୍ଥସ୍ଥାନରୁ ବାତାବରଣର ଛିଟା । ଘରେ ବାହାରେ ଏମିତି ‘ଭଗବାନ୍ କରନ୍ତୁ ତୁ ଭଲରେ ଥା’ର ଛିଟା । ତା ଦ୍ୱାରା କିଛି ହୋଇପାରେନି ଏବଂ ଏ ନପୁଂସକତାର ଅସହାୟତାରେ ଗଭୀର ଭାବେ ବଶୀଭୂତ ହୋଇପଡ଼େ ଅବକାଶ । ନିଜ ଦେହରେ ପେଟ୍ରୋଲ ଢାଳି ଜାଳି ଦେବକି ଦେହଟାକୁ? କୋଉ ଈଶ୍ୱରର ଏତେ ଦଂଭ ଯେ ତାକୁ ରକ୍ଷା କରିପାରିବେ । ଯୌତୁକ ଆଣି ନ ଥିବା ନୂତନ ବାଳିକାଗଣ ଯେଉଁମାନେ ରାଗବିରକ୍ତି ଆଉ ଅସହାୟତାରେ ଲାଲପାଟ ଓ ସୋରିଷ ଫୁଲର ଦେହରେ କିରାସିନି ଢାଳି ନିଆଁ ଲଗାଉଛନ୍ତି ସେମାନେ ବି କ’ଣ ଏପରି ଶିହିରି ଉଠୁଥିବେ? ଯେତେବେଳେ ସେମାନଙ୍କ ଦେହରେ ନିଆଁ ସଂଚରି ଯାଉଥିବ? ଚିଲିକା ତମେ ଯୌତୁକ କ’ଣ ଜାଣ? ଯୌତୁକର ସୌନ୍ଦର୍ଯ୍ୟ ନିଆଁରେ ଜଳୁଥିବା ଝିଅପରି । ଦେଖିବ ଆସ ମୁଁ କିପରି ଜଳୁଛି ତାଳୁରୁ ତଳିପା । କେତେ ଅସହାୟ । ନବେବର୍ଷର ଲୋଳିତଚର୍ମ ବୃଦ୍ଧର ମୃତ ବାୟାଚଢ଼େଇ ପରି ଝୁଲୁଥିବା ପୁଞ୍ଜନନ ପରି । ଓଃ, କି ଭୟଙ୍କର ଅସହାୟତା । ତମେ ଆସିବାବେଳେ ଗୋଟାଏ ଡବଲ୍ ବେରେଲ୍ର ଜୀବନର ସହଗଟିଏ ଆଣିବ ବାପାଙ୍କୁ କହି । କହିବ ତମର ଯୌତୁକ । ଜୀବନରୁ ବଞ୍ଚିଯିବା ପାଇଁ ଚେଲେଞ୍ଜ ତ କରିବାକୁ ପଡ଼ିବ କେବେକେବେ । ଅଧା ପାଣି ପିଇ ଉଠିଲା ଅବକାଶ । ଅକ୍ଟୋପସ୍ ପାଖକୁ ଯାଇ ରୋଡସ୍ ଟୁ ଫ୍ରିଡମ୍ ସିରିଜରୁ ବହିଟିଏ ଉଠାଇ ଆଣି ଶବ୍ଦ ମନସ୍କ ଭାବେ ତା ପୃଷ୍ଠା ମାନଙ୍କ ସହ ଖେଳିଲା । ‘ଶବ୍ଦ ସବୁ ହଂସଛୁଆ ପରି ଡେଇଁ ଡେଇଁ ଲେଉଟି ଯାଉଥିଲେ । ଏତେ ସବୁ ହଂସ ଶିଶୁଙ୍କୁ ନେଇ ଏଠି କ’ଣ ବଞ୍ଚି ହେବ? ବେଲପତ୍ରରୁ ପାଣି ଝରି ବହିର ମୂଲ୍ୟକୁ ଯଦି ଚେଲେଞ୍ଜ କରାଯାଉଥିବ? ବ୍ୟବସ୍ଥାର ସମୁଦ୍ରରେ କେବଳ ହିପୋକ୍ରାସିର ଜୁଆର ଉପରେ ଜୁଆର । ସହରଟା ଥମସ୍ଅପ୍ ଆଉ ଲିମ୍କାର ସହର, ଅମୁଲ ସ୍ପ୍ରେ ଓ ଲେକ୍ଟୋଡେକ୍ସ୍ର ସହର । ବିକଳିଆ ଆଫ୍ଟର ସେଭ୍ ଲୋସନ୍, ଧୋବଧାଉଳିଆ ବମ୍ବେ ଡାଇଂଗ୍, ନସରପସର ରୁବିଆଭଏଲ୍ର ସହର । ଏଠି ଇଲେକ୍ସନ୍ ପୋଷ୍ଟର ଆଉ ସିନେମାର ବ୍ଲୋ ଅଫ୍ ମରାଯାଏ । ଲାଲ ବୋମାର ଓଠମାନଙ୍କରେ ବାରୁଦର ହସ ଫୁଟାଇ ସଞ୍ଜର ଆସର ଜମେ । ଜିନ୍ପେଣ୍ଟ ଗୁଡ଼ାକରେ ‘କିସ୍ମି’ ‘ଲଭମି’ ‘ଆଇ ଲଭ ୟୁ’ ‘ଲି’ ‘ବ୍ରୁସ୍ଲି’ ‘ଏଭିସ୍’ର ପ୍ରତିଯୋଗିତା ଚାଲେ । ଏବଂ ମଧ୍ୟ ରାତ୍ରୀର ନିରବ ଉପତ୍ୟକାଟି ଗୁଲାମ୍ ବେଗମ୍ ବାଦଶାହୀର ନଗରୀରେ ରୂପାନ୍ତରେ । ଏ ରୋଡସ୍ ଟୁ