ପୃଷ୍ଠା:Hada bagicha.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଁରେ ଅନ୍ୟ ଏକ ଦୃଶ୍ୟ ବି ମଝିରେ ମଝିରେ ଦେଖିବାକୁ ମିଳିଲା । କଣ୍ଟା ଦୋଳିରେ କେହି ଯେ ବସିପାରେ ଏ କଥା କେହି କେବେ ଚିନ୍ତା ବି କରି ନ ଥିଲେ । କିନ୍ତୁ କିଛିଦିନ ପରେ ଦେଖାଗଲା ଗାଁରେ ଦୁଷ୍ଟ ପିଲାମାନେ ମଝିରେ ମଝିରେ କଣ୍ଟାପଟାରେ ବସି ଝୁଲିଲେ । କେହି କେହି କଣ୍ଟା ସବୁ ଗୋଟି ଗୋଟି କରି ଖୋଲିବାରେ ଲାଗିଲେ । ଦୁଷ୍ଟ ପିଲାଙ୍କ ମା ବାପାମାନେ ନିଜ ପିଲାଙ୍କୁ ପ୍ରଥମେ ପ୍ରଥମେ ତାଗିଦ୍ କଲେ ସିନା, ମାତ୍ର ପରେ ପରେ ତାଗିଦ୍ କରିବା ପାଶୋରି ଦେଲେ । ଏପରିକି ଦୁଆରୁ ବୁଢ଼ାକୁ "ଭାରି ଦେବତା ଦେଖାଇ ହେଉଛି' ବୋଲି କହି ମଧ୍ୟ ପାରିଲେ । ଶେଷକୁ ଦେଖାଗଲା ଦୋଳିଟି ଚୋରି ହୋଇଯାଇଛି । ଗାଁ ଲୋକେ ହସିଲେ, କହିଲେ, "ତାକୁ ଦେବତା ଚୋରୀ କରି ନେଇ ଯାଇଛି ।' ଦିନେ ଲୋକଟିଏ ଡାକ୍ତର ହରପ୍ରସାଦଙ୍କ ବାରିପଟ ବାଡ଼ଡେଇଁ ଭିତରକୁ ପକାଇହେଲା । ଭୋର ସମୟ । କେହି ଜଣେ ଦୂରରୁ ଦେଖିଦେଇଛି । ଡାକ୍ତରଙ୍କ ଘରକୁ ଚୋର ପଶିଲାବୋଲି ତା ତୁଣ୍ଡରୁ ତା ତୁଣ୍ଡ ହୋଇ ଅନେକଲୋକ ଜମାହେଲେ । ରାତି ଡ୍ୟୁଟିରେ ଥିବା ଦି’ଜଣ ହାବିଲଦାର ମଧ୍ୟ ଆସିଲେ । କିନ୍ତୁ ଡାକ୍ତରଙ୍କୁ ନିଦରୁ ଉଠାଇ ତାଙ୍କ ଯାଏ ଖବର ପହଞ୍ଚିବାରେ ପ୍ରାୟ ଏକ ଘଣ୍ଟାରୁ ବେଶୀ ସମୟ ଲାଗିଲା । ସେତେବେଳକୁ ସୁର୍ଯ୍ୟୋଦୟ ହେବା ଉପରେ । ବାରିପଟକୁ ଯାଇ ଡାକ୍ତର ଦେଖିଲେ ଗୋଟିଏ ପଥର ଉପରେ ଲୋକଟିଏ ବସିଛି । ପାଖକୁ ଯାଇ ଦେଖିଲେ ସେ ହେଉଛି ଦୁଆରୁ ବୁଢ଼ା । ତାକୁ କିଛି ନ ପଚାରି ତା ହାତ ଧରି ଡାକିଲେ, "ଆସ’ । ଦେହରେ ତାତି ଖଇ ଫୁଟୁଛି । ବାରିପଟ କବାଟ ଖୋଲି "ଚୋର’କୁ ଧରି ଡାକ୍ତର ଗଳିରାସ୍ତା ପାର ହୋଇ ମୁଖ୍ୟରାସ୍ତାକୁ ଆସିଲେ ଏବଂ ନିଜ ଘର ମୁଖ୍ୟ ଫାଟକ ଯାଏ ଆସିଲା ଭିତରେ ଖୁବ ଗୋଟେ "ଭିଡ଼’ ତାଙ୍କ ପଛେ ଛିଡ଼ା ହୋଇ ସାରିଥିଲା । ଲୋକେ "ଚୋର’କୁ ପିଟିବା ପାଇଁ ପ୍ରସ୍ତୁତ ଥିଲେ । ହାବିଲ୍ଦାର ଦୁଇଟି ତାକୁ ଥାନାକୁ ଘୋଷାରି ନେବାକୁ ପ୍ରସ୍ତୁତ ଥିଲେ । ଡାକ୍ତର କିନ୍ତୁ ସମସ୍ତଙ୍କୁ ହାତଠାରି ଚୁପ୍ ରହିବାକୁ ନିର୍ଦେଶ ଦେଲେ । ଘର ଭିତରୁ ଚାବି ମଗାଇ ନିଜ କ୍ଲିନିକ୍‌ର ସଟର୍ ଖୋଲିଲେ ଏବଂ ଦୁଆରୁ ବୁଢ଼ାକୁ ଭିତରକୁ ନେଇ ପୁଣି ସଟର୍ ବନ୍ଦ କରିଦେଲେ । ଲୋକେ ତଟସ୍ଥ । ପ୍ରାୟ ଶହେ ସରି ଲୋକ ଜମା ହୋଇସାରିଥିଲେ । ଚାଲିବାକୁ ଯାଉଥିବା ବୃଦ୍ଧ, ଦୌଡୁଥିବା ଯୁବକ, ଦାନ୍ତ ଘଷୁଥିବା ଦଳେ ପ୍ରୌଢ଼, ମନ୍ଦିର ଯାଉଥିବା ଦଳେ ସ୍ତ୍ରୀଲୋକ, କାମ କରିବାକୁ ଯାଉଥିବା ଦଳେ ଶ୍ରମିକ, ଦଳେ ଭିକାରି, କିଛି ରିକ୍ସାବାଲା, କିଛି ଭଦ୍ରବ୍ୟକ୍ତି, କିଛି ଅଭଦ୍ର ବ୍ୟକ୍ତି ସଭିଏଁ ନିଜ ନିଜ ମନ୍ତବ୍ୟ ଫିଙ୍ଗି ଠିଆ ହୋଇଥିଲେ ସେଠି । ଡାକ୍ତରଙ୍କ ଘରକୁ "ଚୋର’ ପଶିଥିବାର ଖବର ସୂର୍ଯ୍ୟ କିରଣ ପରି ସମସ୍ତଙ୍କ ଘର ଭିତରକୁ ଦ୍ୱାର ଝରକା ଦେଇ ଧସେଇ ପଶିଲାଣି । ପୋଲିସ୍ ଥାନାକୁ ମଧ୍ୟ ଖବର ଗଲାଣି । ଡାକ୍ତରଙ୍କ ଘର ଭିତରେ ଫୋନ୍ ମଧ୍ୟ ବାରମ୍ବାର ଝଣଝଣେଇ ବନ୍ଦ ହେଲାଣି । କିନ୍ତୁ ଡାକ୍ତରଙ୍କ ସଟର୍ ଏକ ଘଣ୍ଟା ହେଲା ଖୋଲି ନାହିଁ । ବାହାରେ ଏମିତି ପାଟିତୁଣ୍ଡ ଭିତରେ ଦୁଇଘଣ୍ଟା ଗଲା ତିନିଘଣ୍ଟା ଚାରିଘଣ୍ଟା ଗଲା ସଟର୍ ଖୋଲି ନାହିଁ । ଚୋର କିମ୍ବା ଡାକ୍ତର କାହାରି ଦେଖାନାଇଁ । ଭିତରେ କଣ ଚାଲିଛି କେହି କିଛି ଜାଣିପାରୁ ନାହାନ୍ତି । ଲୋକେ ବ୍ୟସ୍ତ, ବିବ୍ରତ । ଧୀରେ ଧୀରେ ଲୋକଙ୍କ ଫୁସୁର୍ ଫାସୁର୍ରେ ଅବସ୍ଥା ଏମିତି ହେଲା ଯେ ଲୋକେ ଭାବିଲେ "ଚୋର’କୁ ଡାକ୍ତରଙ୍କ କବଳରୁ କେମିତି ମୁକୁଳାଇବେ । ଦିନ ବାରଟା ବେଳକୁ ଡାକ୍ତର ସଟର୍ ଖୋଲିଲେ ଏବଂ ଚା’ କପେ ଧରି ବାହାରକୁ ବାହାରିଲେ । ପାଖରେ ଯେଉଁ ଲୋକଟିକୁ ପାଇଲେ ତାକୁ କହିଲେ, “ବୁଢ଼ାଟା ମରିଗଲା ।’ ବଜ୍ର ପଡ଼ିଲାପରି ଚମକିପଡ଼ିଲେ ସମସ୍ତେ । କଥାଟା ତତ୍‌କ୍ଷଣାତ୍ ରାଷ୍ଟ୍ର ହୋଇଗଲା । ଡାକ୍ତରଙ୍କୁ ବିଶ୍ୱାସ କରିବେ କି ସନ୍ଦେହ କରିବେ ଏଇ ଦ୍ୱନ୍ଦ୍ୱରେ ରହିଲେ ସମସ୍ତେ । ଭୟ ହେତୁ ତାଙ୍କ ମୁହଁ ସାମ୍ନାରେ କେହି କିଛି କହି ପାରିଲେ ନାହିଁ । ଲୋକେ ବି ଜାଣିଲେ ସେ "ଚୋର' ନୁହେଁ ଦୁଆରୁ ବୁଢ଼ା, ଦେବତା । ସେଦିନ ପୋଷ୍ଟମର୍ଟମ ପରେ ଲୋକେ ଜାଣିଲେ ଯେ ଡାକ୍ତର ପ୍ରକୃତରେ ତାକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଲାଇଫ୍ ସେଭିଂ ଡ୍ରଗ ମଧ୍ୟ ଦେଇଥିଲେ । ଲୋକେ ଆହୁରି ବି ଶୁଣିଲେ ଯେ ଲୋକଟି ଅନ୍ୟମାନଙ୍କ ପାଇଁ ଦେବତା ଥିଲା, କିନ୍ତୁ ଡାକ୍ତର ହରପ୍ରସାଦଙ୍କୁ ତାର ଦେବତାବୋଲି ଗ୍ରହଣକରି ନେଇଥିଲା । ଲୋକଟିର କେହି ନଥିଲେ । ତା ସ୍ତ୍ରୀ ମରିଥିଲା ଅନେକବର୍ଷ ପୂର୍ବେ । କିନ୍ତୁ ତା ମା ମରିଥିଲା ଚାରିଦିନ ପୂର୍ବରୁ । ତା ମା’ର ଶବ ସତ୍କାରପରେ ଲୋକଟାକୁ ନିମୋନିଆ ହେଲା ଓ ଦି’ଦିନ ପରେ ରାତି ଅଧରେ ସେ ଡାକ୍ତରଙ୍କୁ ଭେଟିବ ଓ ମୁଣ୍ଡିଆ ମାରିବ ଭାବି ଜର ଦେହରେ ଚାଲି ଆସିଥିଲା ।