ପୃଷ୍ଠା:Hada bagicha.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିବର୍ତିତ ରୂପ କାଚ ସେପଟେ ଦେଖିବାକୁ ମିଳୁଥିଲା ଏବଂ ଫୋନରେ ତୁମ ନିଶ୍ୱାସ ପ୍ରଶ୍ୱାସର ଶବ୍ଦ. ନିରବତାର ଶବ୍ଦ, ହୁଁ ହାଁ ର କ୍ଷୀଣ ସ୍ୱର ଶୁଣିବାକୁ ମିଳୁଥିଲା । ମଝିରେ ମଝିରେ ତୁମ ଶରୀରର ପୀଡ଼ା ମୁହଁରେ ଉକୁଟି ଆସିଲେ ମୋର ତଣ୍ଟି ଅଠାଅଠା ହେଉଥିଲା, ଛାତି ଭିତରଟା ରୁନ୍ଧି ଦେଉଥିଲା, ପେଟଟା ହାଉଳି ଖାଇ ଉଠୁଥିଲା, ହାତଗୋଡ଼ କୋଲମାରି ନିସ୍ତେଜ ହୋଇଯାଉଥିଲା । ଏମିତି ହେବାରେ ମୁଁ ବୁଝୁଥିଲି ଯେ ମୁଁ ତୁମର କେତେ ଅନ୍ତରଙ୍ଗ । ଏବେ ତୁମେ ମୋର ଅନ୍ତରଙ୍ଗ ଶତ୍ରୁ ନୁହଁ, ଖାଲି ଅନ୍ତରଙ୍ଗ । ବିଷ ବୃକ୍ଷଟି ଉପୁଡ଼ି ଗଲାପରେ ଜଣେ ଆଉ କିପରି ଶତ୍ରୁ ହୋଇ ରହିପାରିବ? ବିବାହର ଦଶବର୍ଷ କାଳ ଆମଭିତରେ ସବୁବେଳେ ଏକ ପ୍ରକାରର ଘନିଷ୍ଠତା ସାଙ୍ଗକୁ ଏକ ଶୀତଳ ଯୁଦ୍ଧ ବି ଲାଗିରହୁଥିଲା ଏବଂ ଏ ଯୁଦ୍ଧର ଅବସାନ ଏବେ ହେଲା, ଏପିଲେପ୍ସି ଧରିବା ପରେ । ସବୁବେଳେ କଳି କରୁଥିବା ଅଥଚ ଅଲଗା ଅଲଗା ହୋଇଯାଇ ସବୁବେଳେ ଏକାଠି ବୁଲୁଥିବା ଦୁଇଟି ଛାତ୍ରମଧ୍ୟରେ ଯେପରି କିଛି ସାମ୍ୟ ଓ କିଛି ଗୁପ୍ତ ପ୍ରେମ ଥାଏ, ଆମେଦୁହେଁ ସେପରି ଜୀବନଧାରଣ କରି ଗଡ଼ିଆସିଲୁଁ । ଏଇଟା ହିଁ ତ ଅନ୍ତରଙ୍ଗତା । ଥରେ ଥରେ କଥା ହେବାପାଇଁ ଆମପାଖରେ ଭାଷା ମରିଯାଉଥିଲା । ଆଉ ଥରେ ଥରେ ଘଣ୍ଟା ଘଣ୍ଟା ଧରି କଥା ଚାଲିଥିଲା । ଲାରା ତୁମେ ଜାଣ ମୁଁ ସେ ମେଡିକାଲ ବୋର୍ଡକୁ କ’ଣ ଲେଖି ଦରଖାସ୍ତ ଦେଇଥିଲି? ମୁଁ ଲେଖିଥିଲି "ଆମର ସ୍ୱାସ୍ଥ୍ୟ, ଜୀବନ ଓ ମୃତ୍ୟୁ ଉପରେ ଅଧିକାର କଥା । ଏଇ ହଜାରେ ଦିନରେ ତୁମକୁ ଭଲପାଇବାର ପ୍ରତିବଦଳରେ ଦଶଲକ୍ଷଟଙ୍କା ଖର୍ଚ ହେବାର କଥା । ମୋର ଭଲପାଇବାର ପ୍ରତିବଦଳରେ ତୁମ ଯନ୍ତ୍ରଣା କଥା । ଜୀବନ ମୃତ୍ୟୁର ମଝିରେ କୃତ୍ରିମ ଭାବରେ ଜୀଆଇଁ ରଖିବାର କଥା । ଅତଳ ଅନ୍ଧକାର ବରଫ ଗୁମ୍ଫା ବାହାରେ ହଜାରେ ଦିନ ଅପେକ୍ଷା କରିବା କଥା- କେତେବେଳେ ଧଳାଭାଲୁ ପରି ଦେବଦୂତ ଆସିବ ବୋଲି । ମୁଁ ଯଦି ମୋ ଶରୀର ପାଇଁ ନୁହେଁ, ତେବେ କିଏ? ମୁଁ ଯଦି ମୋ ଶରୀରର ଯନ୍ତ୍ରଣାକୁ ପଇସା ଖର୍ଚକରି ସହିବାକୁ ବାଧ୍ୟ, ତେବେ ଗର୍ବ ଓ ଗୌରବରେ ବଞ୍ଚିବାର ରିଜନ୍ ଗଲା କୁଆଡ଼େ? ମୃତ୍ୟୁର ଉଇଲ୍ କରାଯାଏ, ମାତ୍ର ଜୀବନ ଓ ମୃତ୍ୟୁର ମଝିରେ ରେଫ୍ରିଜରେଟର ଭିତରେ ତଥାକଥିତ ସତେଜ ପରିବାପରି ଜୀବନର ଉଇଲ୍ କାହିଁକି କରାଯାଇ ପାରିବ ନାହିଁ? ଆମ ପରିବାରର ସମସ୍ତେ ତାକୁ ଖୁବ୍ ଭଲପାଉଁ ବୋଲି ସମସ୍ତଙ୍କର ଜୀଇଁବାର ଦାବି ଓ ରିଜନ ସେ ହେବାପାଇଁ ବାଧ୍ୟ କି? ସମସ୍ତଙ୍କର ସବୁ ସମୟ, ସବୁ ହସ, ସବୁ କାନ୍ଦ, ସବୁ ସମ୍ପତ୍ତି, ସବୁ ରକ୍ତ, ସବୁ ଆବେଗ ତା’ର ପରିବା ପରି ଜୀବନକୁ ସାଇତି ରଖିବାରେ ବ୍ୟୟ କରିବାକୁ ଆମେ ବାଧ୍ୟ କି? କେଉଁ ନୈତିକତାର ବଳରେ ଆମେ ଏଇ ପରିସ୍ଥିତିରେ ଜୀବନ ବିତାଇବୁ? ଏତେ ନୈତିକ ସାହସ କେଉଁ ଈଶ୍ୱର ଆମକୁ ଦେଇପାରିବେ? ନିରବଚ୍ଛିନ୍ନ ଯନ୍ତ୍ରଣାରେ ଜଣେ କ’ଣ ବଞ୍ଚିବାକୁ ବାଧ୍ୟ? ଜିଅନ୍ତା ଶବପରି ଅବସ୍ଥାରେ ଜଣେ ଅନନ୍ତ କାଳପାଇଁ ପଡ଼ି ରହିବାକୁ ବାଧ୍ୟ? ପୁଣି ଅଜସ୍ର ଟଙ୍କା ଖର୍ଚକରି? ଏପରି ମଣିଷର ଜୀବନକୁ କାଢ଼ି ନେବାର ବ୍ୟବସ୍ଥା ଯଦି ଆମ ଆଇନ ଓ ନ୍ୟାୟ ବ୍ୟବସ୍ଥା କରିପାରୁ ନାହିଁ, ତେବେ ଆଇନ୍କୁ ସଂଶୋଧନ କରାଯାଉ ଓ ନ୍ୟାୟ ଦିଆଯାଉ । ନିର୍ଦିଷ୍ଟ ଏକ ଟାରଗେଟ୍ ରଖାଯାଉ କେତେ ଦିନ ଭିତରେ ଉକ୍ତ ମଣିଷର ଜୀବନକୁ ଯଦି ଫେରାଇ ଅଣାଯାଇ ନ ପାରିଲା ତେବେ ଜୀବନକୁ କାଢ଼ି ପିଂଗି ଦିଆଯାଇ ପାରିବ ଯେମିତି । ଜୀବନକୁ ସୁନ୍ଦର ବୋଲି କୁହାଯାଏ । ଲାରାର ଜୀବନକୁ ଆପଣ ସୁନ୍ଦର ବୋଲି ବିଚାର କରିବେ କି? ଗୁଣାତ୍ମକ ଜୀବନର କଥା କୁହାଯାଏ । ଲାରାର ଏଇ ହଜାରେ ଦିନର ଜୀବନ କିପରି ଭାବରେ ଗୁଣାତ୍ମକ ବୋଲି କହିବା?' ଲାରା, ଏଇ ଏବେ ପୁଣି ଗୋଟାଏ ଦଳ ଡାକ୍ତର ଓ ନର୍ସ ଆମ ପାଖକୁ ଆସିଲେ । ମୋତେ କହିଲେ ଆସନ୍ତାକାଲି ସକାଳ ନ’ଟାରେ ଟ୍ୟୁବ ଖୋଲାହେବ । ଜଣେ ମାଜିଷ୍ଟ୍ରେଟ ମଧ୍ୟ ସାଙ୍ଗରେ ଆସିବେ । ମୁଁ ସେମାନଙ୍କୁ ସକାଳ ସାତଟାରେ ହୋଇପାରିବ ନାହିଁ କି ବୋଲି ପଚାରିଲି । ସେମାନେ ମନାକଲେ ଏବଂ ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖିଲେ । ସନ୍ଦେହୀ ମନରେ । ସେମାନଙ୍କ ଦୃଷ୍ଟିରୁ ଜାଣିଲି ମୋର କେଉଁଠି କିଛି ଭୁଲ ହୋଇଗଲା ଏବଂ ସଙ୍ଗେ ସଙ୍ଗେ "ସରି' ବୋଲି କହିଲି । ତଥାପି ବି ତାଙ୍କ ଦୃଷ୍ଟିର ମନୋଭାବ ବଦଳି ନଥିଲା । ସେମାନେ ଚାଲିଯିବା ପରେ ମୁଁ ଟିକେ ଅନ୍ୟମନସ୍କ ହୋଇପଡ଼ିଲି । ତା’ପର ଦିନ ସକାଳ ଛ’ଟାରେ ମୋ ନିଦ ଭାଙ୍ଗିଗଲା । ରାତିରେ ଭଲ ନିଦ ହୋଇ ନଥିଲେ ବି ଅନିଦ୍ରା ହୋଇ ନଥିଲି । ତେଣୁ ମସ୍ତିଷ୍କଟା ହାଲୁକା ଲାଗୁଥିଲା । ଲାରାକୁ ଦେଖିଲି, ସେ ପାଟି ମେଲାକରି ଦାନ୍ତ ଦେଖାଇ ଶୂନ୍ୟକୁ ଚାହିଁ ରହିଥିଲେ । ଆଜି ସେ ଟିକେ ଅଧିକ ସତେଜ ଦେଖାଯାଉଛନ୍ତି କି? ମୋତେ ସେମିତି ଜଣାଗଲା । ବାରଟି ଟ୍ୟୁବ ସବୁ ଠିକ୍ ଠାକ୍ ଥିଲା । ଶୂନ୍ୟରେ ଖାଦ୍ୟ ବୋତଲ ଝୁଲୁଥିଲା । ସବୁ ମଲାଟ, ସବୁ ମେସିନ, ମେସିନର ପରଦା ସବୁ ଠିକ୍ କାମ କରୁଥିଲା । ମେସିନ ପରଦାରେ ବିନ୍ଦୁ ଗାର ବୃତ୍ତ ଅର୍ଧବୃତ୍ତ ସଂଖ୍ୟା ଓ ଅକ୍ଷରମାନଙ୍କର ଲାଇଟ ଜଳୁଥିଲା । ମୁଁ ଏ ସବୁ କେବେ ପଢୁ ନଥିଲି । ବରଂ ଏ ସବୁ ଶୁଣୁଥିଲି-ମୋତେ ମ୍ୟୁଜିକ ପରି ଲାଗୁଥିଲା କମ୍ପ୍ୟୁଟରମାନଙ୍କର ସୂକ୍ଷ୍ମ ଶବ୍ଦ । ମନକୁ ଆହୁରି ହାଲୁକା କରିବାପାଇଁ ଅତି ଧୀରେ ଧୀରେ ବ୍ରସ କଲି ଏବଂ ଟେପ୍ ଖୋଲି