Jump to content

ପୃଷ୍ଠା:Hada bagicha.pdf/୧୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ଳୀବପୁରୁଷ ତାକୁ ତା ପରଦିନ ପଚାରିଲା, "ନାଏଗ୍ରା ଜଳପ୍ରପାତ ଦେଖିଛ?’ ସେ କହିଲା, "ନା’ । କ୍ଳୀବପୁରୁଷ ଦେଖାଇଲା, "ଏଇଦେଖ ଉପର ମହଲାର ବାରଣ୍ଡାକୁ । ଦଶଜଣ ଛାତ୍ର ନିର୍ବିକାରରେ କେମିତି ବିଖ୍ୟାତ ଜଳପ୍ରପାତର କ୍ଷୁଦ୍ରାତିକ୍ଷୁଦ୍ର ଦଶଟି ଧାରକୁ ବୁହାଇ ଦେଉଛନ୍ତି ସାତତାଳ ତଳକୁ । ମେଜିକ ପରି ତାଙ୍କର ହୁଗୁଳା ଧାର ସବୁ ଇଚ୍ଛା ମୁତାବକ ନିୟନ୍ତ୍ରିତ । ଚାହିଁଲେ ବନ୍ଦ ହୋଇଯାଉଛି, ଚାହିଁଲେ ବ୍ରହ୍ମାଂକ କମଣ୍ଡଳୁରୁ ପାଣି ପଡ଼ିଲାପରି ପଡୁଛି । ପିଲାଙ୍କ ହସ ଖେଳରୁ ଜଣାପଡୁଛି ସେମାନେ ସ୍ୱାଧୀନ ଦେଶର ଛାତ୍ର । ଦେଖ ତାଙ୍କର ଗର୍ବ, ତାଙ୍କର ସାର୍ବଭୌମ, ତାଙ୍କର ଦର୍ପ । ସର୍ବବ୍ୟାପକତାର ପ୍ରତୀକ ସେମାନେ । ପ୍ରକୃତି ଦତ୍ତ ନିୟମକୁ ସେମାନେ ନିୟନ୍ତ୍ରିତ କରୁଛନ୍ତି, ନିର୍ଦେଶ ଦେଉଛନ୍ତି, ଶୃଙ୍ଖଳିତ କରୁଛନ୍ତି । ତୁମର ରୁକ୍ଷତା ଓ ଗାମ୍ଭିର୍ଯ୍ୟକୁ ତୁମର ଅଭିମାନ ଓ ବିଧାନସୌଧକୁ ଏହା ଏକ ଚେଲେଞ୍ଜ ।' ନାରୀଟି ହସିବାକୁ ଚେଷ୍ଟାକରି ହାରିଗଲା । ଆଜିକାଲି ସେ ଆଉ ହସି ପାରୁନାଇଁ । କିନ୍ତୁ ପିଲାଏ ହସୁଥିଲେ ନାଏଗ୍ରା ଜଳପ୍ରପାତ ପରି । ସ୍କୁଲରେ ପରିସ୍ରାଗାର ନାହିଁ । ତେଣୁ ପିଲାଙ୍କପାଇଁ ସମୂଦାୟ ସ୍କୁଲ କେମ୍ପସ୍ଟି ଗୋଟିଏ ପରିସ୍ରାଗାର । ତାଛଡ଼ା ନିଜକୁ ଶିଶୁ ମନେ କଲେ ସମୁଦାୟ ପୃଥିବୀ ଏକ ପରିସ୍ରାଗାର ।’ ନାରୀଟିର ପ୍ରିୟ ଶବ୍ଦ ହେଉଛି "ମୁଁ’ । ଏବଂ ତାର ପ୍ରିୟ କାହାଣୀ ହେଉଛି- କେମିତି ଝିଟିପିଟିଟାଏ ଦିନେ ରାତିସାରା ତା’ ପୃଥୁଳାକାର ଦୁଇ ଓହଳ ସନ୍ଧିରେ ଆଶ୍ରୟ ନେଇଥିଲା ଓ ସାରାରାତି ତାକୁ କୁତୁକୁତୁ କରୁଥିଲା- ତାରି ପ୍ରାଞ୍ଜଳ ବ୍ୟାଖ୍ୟା । ଅଧ୍ୟକ୍ଷର ତଣ୍ଟିର ଘା’ ଓ ପ୍ରେମାସ୍ପଦର ଝିଟିପିଟିର କାହାଣୀ ସଭିଙ୍କୁ ବିଧିବଦ୍ଧ ଭାବେ କ୍ଳୀବତ୍ୱର ଭାବ ଭଉଁରୀରେ ପକାଇ ଦେଇଛି । ମି. ସନୋଫେବିଚ ତାଙ୍କ ଅସୁସ୍ଥ ଶରୀରପାଇଁ କ୍ଳାସ ନେବାରେ ଅକ୍ଷମ । ତଥାପି ସପ୍ତାହକୁ ଛ’ଟି କ୍ଳାସ ନିଜ ନାମରେ ଓ ଆଉଜଣେ ଶିକ୍ଷକଙ୍କ ନାମରେ ଟାଇମ୍ ଟେବୁଲରେ ଥାଏ । ବଡ଼ ସାହେବ ଆସିଲେ ଠକିବାପାଇଁ ସୁବିଧା । ସାହେବ ମାନେ ବି ଠକାଇ ହେବାପାଇଁ ‘ଟୁର୍'ରେ ଆସନ୍ତି । ଅନୁବାଦକ ପ୍ରେମାସ୍ପଦ କାଁ ଭାଁ କ୍ଳାସ ନିଏ । ତା କ୍ଲାସ ନେବାର ଢଙ୍ଗ ନିଆରା । କ୍ଳାସର ‘ବ୍ରିଲିଏଣ୍ଟ’ ପିଲାକୁ ଡାକି ସେଦିନର ପାଠଟି ପିଲାଙ୍କ ସାମନାରେ ପଢ଼ିବାପାଇଁ କହେ । ପିଲାଟି ପଢ଼ିସାରିଲେ ପାଠ ସରିଲା । କୋଠରିର ଶେଷ ଭାଗରେ ଦୁଇଟି ପିଲାଙ୍କୁ ଜଗାଇଥାଏ, ବଦ୍ମାସ୍ ପିଲାଙ୍କୁ ସାବାଡ୍ କରିବାପାଇଁ । ନିଜେ ବି ପ୍ରତି ଦୁଇମିନିଟରେ ଥରେ ‘ଏ....ଏ...ଏ...ଏ....ଏ’ କରୁଥାଏ । ଚାଳିଶ ମିନିଟରେ କୋଡ଼ିଏ ଥର ଓ ପିଲାଟି ପଢୁଥାଏ । ସେ ଚାକିରି କଲାଦିନଠୁ ପଚିଶବର୍ଷ ହେଲା ଏପରି ଅନନ୍ୟ ଢଙ୍ଗରେ ପଢ଼ାଇ ଆସୁଛି ବୋଲି ଗର୍ବରେ କହେ । ଆଉ ଦି’ମାସପରେ ସେ ପ୍ରମୋସନ ପାଇ ଅଧ୍ୟକ୍ଷ ହେବ । ସେ ଭାରି ଖୁସି । କାରଣ, ‘ଯା'ହେଉ, ମୋତେ ଆଉ ପଢ଼ାଇବାକୁ ପଡ଼ିବ ନାଇଁ ।’ ସେ ଠାଣିରେ କୁହେ । ସ୍କୁଲ କେମ୍ପସକୁ ପାଞ୍ଚଟି ବଳଦ ପଶିଆସି ଯଦି ଯତ୍କିଞ୍ଚିତ ସାଗୁଆ ରଙ୍ଗକୁ ଚୋବାଉଥିବେ ତେବେ କ୍ଳୀବ ପୁରୁଷ ହସିଦିଏ ଓ ତାର ବାକ୍ ଦୃଷ୍ଟି ଶ୍ରବଣ ସହ ସ୍ପର୍ଶେନ୍ଦ୍ରିୟକୁ ବି ସେମାନେ ଖାଇଯାଆନ୍ତୁ ବୋଲି ଭାବେ । ଥରେ ଦୁଇଜଣ ଛାତ୍ର ସ୍କୁଲର ସାର୍ମାନଙ୍କ ମୋଟର ସାଇକେଲରୁ ବେଟେରି ଚୋରି କରି ଧରାପଡ଼ିଥିଲେ । ଜଣେ ଶିକ୍ଷକଙ୍କ ଘରୁ ଗରିଆ-ବାଲଟି ଚୋରି କରି ଧରାପଡ଼ିଥିଲେ । ସେମାନଙ୍କୁ ନାରୀଟି କଅଁଳେଇ ପଚାରିଲା, "ତୁମେ ସବୁ ବଡ଼ହେଲେ କ’ଣ କରିବରେ ପିଲେ? ଏବେଠୁ ତ ପଢ଼ାପଢ଼ି ଛାଡ଼ି ଚୋରିକରିବା ଶିଖିଲଣି?’ ଛାତ୍ର ଦୁଇଟି ନିର୍ବିକାରରେ କହିଲେ, "ଆମେ ବଡ଼ହେଲେ ଡକାୟତ ହେବୁ ଦିଦି । ସ୍କୁଲକୁ ବୋମାପକାଇ ଉଡ଼ାଇଦେବୁ ।’ ଦିଦି ହସି ପାରିଲେ ନାଇଁ କି କାନ୍ଦି ପାରିଲେ ନାଇଁ । ଆଉ ଥରେ ଷଷ୍ଠଶ୍ରେଣୀର ଛାତ୍ରଟିଏ ଆସି ଅଭିଯୋଗ କଲା, ଅତି ସରଳ ଓ ନରମ ଗଳାରେ । କହିଲା, "ଦିଦି, ମନୀଷ ମୋତେ ରେପ୍ କରିବ କହୁଛି ।’ ପୁଣି ଥରେ ଦିଦି ହସିପାରିଲେ ନାଇଁ କି କାନ୍ଦି ପାରିଲେ ନାଇଁ । ଅସହାୟତା ଏଇ କେମ୍ପସ୍ରେ ପରସ୍ପରଭିତରେ ସମ୍ପର୍କ ବି ସୂତାଖିଅରେ ଝୁଲୁଥାଏ । ଏଇ ବିଡ଼ମ୍ବନା ହିଁ କ୍ଳୀବ ପୁରୁଷପାଇଁ ତାର ଅସହାୟତାପଣ । ଏଠି କେହି କାହାକୁ "ନମସ୍କାର’ ନ କରିବାପାଇଁ ବାଧ୍ୟ । "ନ ହସିବା’ ପାଇଁ ବାଧ୍ୟ । ବାଟକାଟି ଚାଲିଯିବାପାଇଁ ବାଧ୍ୟ ।