Jump to content

ପୃଷ୍ଠା:Hada bagicha.pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାହାର ଦୁଃଖରେ ବା ଖୁସିରେ ସାମିଲ ନ ହେବାପାଇଁ ବାଧ୍ୟ । କାହାକୁ ଚା କପେପାଇଁ ନ ଡାକିବାକୁ ବାଧ୍ୟ । କେହି ଅତିଥିଆସିଲେ ତାଙ୍କୁ "କଣ ହେଲା?' ବୋଲି ନ ପଚାରିବାକୁ ବାଧ୍ୟ । କୌଣସି ଛାତ୍ରକୁ "ଧନ୍ୟବାଦ’ ନ କହିବାକୁ ବାଧ୍ୟ । କାହାକୁ "ଅଭିନନ୍ଦନ’ ନ କହିବାକୁ ବାଧ୍ୟ । ଛାତ୍ରଟିଏ ଯଦି ରାଜ୍ୟ ବାହାରୁ ଖେଳରେ ବା ପ୍ରଦର୍ଶନୀରେ ପୁରଷ୍କାର ପାଇ ଆସିଥାଏ ତେବେ ତା ଆଡ଼କୁ ନ ଦେଖି "ମୋର କଣ ଯାଉଛି’ ବୋଲି କହିବାପାଇଁ ବାଧ୍ୟ । ଛାତ୍ରଟିଏ ଯଦି ଗୋଡ଼ରେ ଲୁହାକଣ୍ଟା ଫୋଡ଼ି ହେବା ଯୋଗୁ ଟକ୍ସାଇଡ୍ ଇଞ୍ଜେକ୍ସନ୍ ନ ନେଇ ମୃତ୍ୟୁମୁଖରେ ପଡ଼ିଲା ତେବେ "ମୋର କଣ ଗଲା’ ବୋଲି କହିବାକୁ ବାଧ୍ୟ । ଦିଦିଙ୍କ କ୍ଲାସରେ ପିଲାଏ ଯଦି କାଗଜର ରକେଟ୍ ରେ"ଆଇ ଲଭ ୟୁ’ ଲେଖି ଫିଙ୍ଗିଲେ ତେବେ "ଯେ କଣ ଭାସିଗଲା ସେଇଠୁ?’ ବୋଲି କହିବାକୁ ବାଧ୍ୟ । ଯଦି ସପ୍ତମ ଶ୍ରେଣୀ ପରୀକ୍ଷାରେ ଦୁଇଜଣ ପ୍ରଥମ ଶ୍ରେଣୀରେ ପାସକଲେ ଓ ଏକଶହ ଦୁଇଜଣ ଫେଲକଲେ ତେବେ "ଯେ କଣ ହେଲା?’ ବୋଲି କହିବାକୁ ବାଧ୍ୟ । ମାଟ୍ରିକ ପରୀକ୍ଷାରେ ଦୁଇଶହ ପିଲାଙ୍କମଧ୍ୟରୁ ଯଦି ଷାଠିଏ ପାସ ଓ ବାକି ଫେଲ ତେବେ କେହିକାହାକୁ ରିଜଲ୍ଟ ସମ୍ପର୍କରେ ପଚରା ଉଚୁରା ନ କରିବାକୁ ବାଧ୍ୟ । ଏତେ ସବୁ ବାଧ୍ୟ ଓ ବାଧକ ଭିତରେ ଯାହା ଯନ୍ତ୍ରଣା ମିଳେ ତାକୁ ଗରଳ ପରି ପିଇ ତଣ୍ଟିରେଧରି ବଞ୍ଚିବାପାଇଁ ବାଧ୍ୟ । ଅସହାୟତାର ଅନ୍ୟନାମ ସବୁ ଆଉ କଣ କଣ ହୋଇପାରେ କ୍ଳୀବପୁରୁଷ ଭାବିପାରେନାଇଁ । ନିରର୍ଥକତା ତାର ନିରର୍ଥକତାପଣକୁ ବି ସେ କିପରି ଆବୋରି ନେଇଛି ତାକୁ ସେ ପ୍ରାଞ୍ଜଳ ଭାବେ କୁହେ । କ୍ଳୀବପୁରୁଷ ଯେ ଜଣେ ଶିକ୍ଷକ, ତାର ଶରୀର, ତାର ପ୍ରେମ, ତାର ଉପସ୍ଥିତି ଅନୁପସ୍ଥିତି, ତାର ମାନସିକ ଓ କାୟିକ ବଳ, ତାର ହସ ପରିହାସ କିଛିର ଅର୍ଥନାଇଁ । ତେଣୁ ସେ କ୍ଳୀବ । ତା ପ୍ରେମାସ୍ପଦକୁ କର୍କଟ ଅଧ୍ୟକ୍ଷ ବାଛିଛି ଓ ପ୍ରେମାସ୍ପଦ ବି ଭାରି ଗର୍ବରେ ଧରାଦେଇଛି ତାର ଠାର ନାର, ହାବଭାବ ଓ ଗୁଣୁଗୁଣୁ ଶବ୍ଦକୁ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଇବା ପାଇଁ । ତା ଘା’ରୁ କେତେ ପୋକ ବାହାରିଲେ ପ୍ରେମାସ୍ପଦ ଆସି କମନ୍ରୁମରେ କୁହେ । ଅନ୍ୟମାନେ ଶୁଣୁ ନଥାନ୍ତି । କିନ୍ତୁ ସେ କହିବା ଛାଡୁ ନଥାଏ । ଘରେ ତା ଅତି ବୁଢ଼ା ବାପାଙ୍କ ପାଖରେ ହର୍ଲିକ୍ସ୍ ଔଷଧ ଗୀତା ବହି ଥୋଇଦିଏ ଏବଂ ତା ସାଥୀରେ ଗଙ୍ଗାଜଳ ଶିଶି ବି ଥୋଇଥାଏ ଓ କହିଥାଏ, "ବାପା ଏ ସବୁ ଠିକ୍ସମୟରେ ଖାଇବ ପିଇବ ଓ ପଢ଼ିବ ।’ ମନେମନେ ଭାବେ କେତେବେଳେ କେଉଁ କଥା, ସବୁ ପାଖରେଥାଉ । ନିଜ ପ୍ଲସ୍-ଟୁ ପୁଅ ଓ ପ୍ଲସ୍-ଥ୍ରୀ ଝିଅଙ୍କୁ କୁହେ, "ଭାତ ଡାଲି ରାନ୍ଧି ଦେଇଛି, ଭଜାକରି ଖାଇବ, ଅଜା ଗଙ୍ଗାଜଳ ପିଇଲେ କି ନାହିଁ ତଦାରଖ କରିବ । ତୁମ ବାପାଙ୍କ ଫଟୋ ଆଗରେ ଧୂପକାଠି ଜାଳି ଦେବ । ମୋର ଟାଇମ୍ ହୋଇଗଲା, ଯାଉଛି ।’ ରାତିରେ କ୍ଳୀବପୁରୁଷ ପଚାରେ, "ଆଜି କର୍କଟ ରୋଗୀ ସାଙ୍ଗରେ ତିନି ଘଣ୍ଟା ଏକାନ୍ତରେ କଣ କରୁଥିଲ? ପ୍ରେମାସ୍ପଦ କୁହେ, "କିଛିନାଇଁ, ତା ଘା’ର ଲସି ସଫାକଲି, ପୂଜ ସଫା କଲି, ଆହା ବିଚରା!’ କ୍ଳୀବ ପୁରୁଷ କହେ, "ସେ ଗୁଣୁଗୁଣୁ କରି ତମ କାନରେ କଣ କହୁଥିଲା, ବାହାରକୁ ସବୁ ଅସଭ୍ୟକଥା ଘଡ଼ଘଡ଼ି ମାରିଲାପରି ଶୁଭୁଥିଲା, ସବୁ ସାର୍ମାନେ ଶୁଣିଛନ୍ତି । ସେ ସମୟରେ ମୁଁ ଘରକୁଆସି ଶୋଇପଡ଼ିଥିଲି ।’ ପ୍ରେମାସ୍ପଦ ଆଶ୍ଚର୍ଯ୍ୟ ହୁଏ, "ଆମର ଗୁଣୁଗୁଣୁ ଶବ୍ଦ ଓ ସଭ୍ୟ କଥାସବୁ ବାହାରକୁ କେମିତି ଶୁଭିଲା?’ କ୍ଳୀବ ପୁରୁଷ କହେ, "କାନ୍ଥରେ ହାତୀର କାନଥାଏ । ସ୍ୱପ୍ନରେ ଅଶ୍ଳୀଳ ଦୃଶ୍ୟଥାଏ । ପବନରେ ଅସ୍ପୃଶ୍ୟ ଗନ୍ଧଥାଏ । ଜିଭରେ ଅସଭ୍ୟ ସ୍ୱାଦଥାଏ । କର୍କଟ ରୋଗୀର କଦବା ହସ କେର୍କେଚା ଦେଖାଯାଏ ସମସ୍ତଙ୍କୁ ।’ "ଏ...ମା... ତମେ ଏତେ କଥା ଜାଣି ପାରୁଛ?'