ପୃଷ୍ଠା:Hada bagicha.pdf/୧୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମେ ‘ସତେ ତ’ ବୋଲି ଟିକିଏ ଚମକି ଉଠିବୁ, ଅଳ୍ପବହୁତ ଭାବିବସିବୁ ସେ ବିଷୟରେ ଏବଂ ଆମକୁ ନୂଆ କିଛି ପାଇଲା ପରି ଲାଗିବ? ହେଲେ ତାଙ୍କ ମୁଣ୍ଡ ହଲା ଥମିଗଲା କିଛି ସମୟ ପାଇଁ । ଏବଂ ଗୋପାଳବାବୁ ଈଷତ୍ ମୁଣ୍ଡ ଟୁଙ୍ଗାରିଲେ । ହଁ ମ, ମୁଁ ବୁଝିଛି ବୋଲି କହିଲା ପରି । ତାଙ୍କ ପରବର୍ତୀ ଭାବଭାବନାର ଧାରାକୁ ଏହିଭାବରେ ସଜାଡ଼ି ଦେଇ ହେବ- ଅବଶ୍ୟ କିସ ଅର୍ଥ ଅଛି ତମ କଥାର ବୋଲି ପଚାରିଲେ ତମେ ଅନେଇବ ଆମ ଆଡ଼କୁ ବଲବଲ ହୋଇ, ପ୍ରଶ୍ନଟାକୁ ବୁଝି ନପାରିଲା ପରି । କିନ୍ତୁ ତମ ଚିପା ମୁର୍କିହସା ଆମକୁ ଜଣେଇବେ ଯେ ସାର୍, ଏଇ ହେଉଛି ଆପଣଙ୍କ ପ୍ରଶ୍ନର ଉତ୍ତର । ଶୁଣନ୍ତୁ । କହିଲେ ଦେଖି ସାର୍, ଆପଣଙ୍କ ଛାତିରେ ହାତ ଦେଇ, ଯେ ଆପଣ ଯେଉଁସବୁ ଅର୍ଥ ବାଢ଼ି ଦେଇଛନ୍ତି ଆପଣଙ୍କ ଗଳ୍ପ-ଉପନ୍ୟାସ ମାନଙ୍କରେ ସେଥିର ଜ୍ଞାନାଲୋକ କ’ଣ ସତେ ଆମ ସମାଜକୁ, ଅନ୍ତତଃ ଆପଣଙ୍କ ନିଜକୁ ଅଳ୍ପ ବହୁତ ଉର୍ଦ୍ଧ୍ୱକୁ ଉଠେଇ ନେଇସାରିଛି? ସତ କହିଲେ? ପାରିବେ ନାହିଁ । କିନ୍ତୁ ତା’ ବୋଲି କୁହନ୍ତୁ ନାହିଁ ଯେ ଅପାରଗ ସମାଜ କିମ୍ବା ଆପଣଙ୍କ ନିଜର ବ୍ୟକ୍ତି ଚରିତ୍ର ସେଇ ଜ୍ଞାନାଲୋକକୁ ଯଥାବିଧି ଗ୍ରହଣ କରିପାରିଲା ନାହିଁ । ତା’ ନୁହେଁ ଆଜ୍ଞା, ତା’ ମୋଟେ ନୁହେଁ । ସତକଥା ହେଉଛି ଏଇ ଯେ ଆପଣ ଯେଉଁ ଆଲୋକପାତ କଥା କହୁଛନ୍ତି, ତାକୁ ପ୍ରକୃତରେ କେଉଁ ଆଲୋକ, ବା ଏକ ଉଜ୍ୱଳନର ହେତୁ ବୋଲି କୁହାଯାଇପାରିବ ନାହିଁ । କାରଣ ତଦ୍ୱାରା ଅନ୍ଧାରଟା ଆହୁରି ଘନେଇ ଉଠିଲା ଜାଣ । ଆପଣଙ୍କର ପୂର୍ବଜ ସ୍ରଷ୍ଟାମାନେ ଅନ୍ତତଃ ସେଭଳି କିଛି ଗଣ୍ଡଗୋଳ ସୃଷ୍ଟି କରି ନଥିଲେ । ସେମାନେ ପରିଷ୍କାର ଭାବରେ ଦେଖାଇ ଦେଇପାରିଥିଲେ ଯେ ଏଇ ହେଉଛି ଭଲ, ଏଇ ହେଉଛି ଖରାପ । ଏଇ ହେଉଛି ରାମ, ଏଇ ହେଉଛି ରାବଣ, ଏବଂ ଶେଷକୁ ରାମ ଜିତିବ ହିଁ ଜିତିବ । ସେ ବେଳର ପାଠକମାନେ ତାକୁ ପୁରାଣଶାସ୍ତ୍ର ଜାତୀୟ ନୀତିକଥା ବୋଲି ମାନି ନେଉଥିଲେ, କିନ୍ତୁ ତାଙ୍କ ମନ କହୁଥିଲା ଯେ ତା’ର କୌଣସି ସମ୍ପର୍କ ନାହିଁ ବାସ୍ତବ ଜୀବନ ସାଙ୍ଗରେ । ପୁରାଣରେ ଏଇଆ ଅଛି, ସାହିତ୍ୟରେ ଏମିତି ଲେଖା ହୁଏ । କିନ୍ତୁ ଆମ କଳିଯୁଗର ଜୀବନ, ତା’ର ଢଙ୍ଗ ଦୋସରା । ଛାଡ଼, ଯେଝାବାଟରେ ଯିଏ ଚାଲିଛି, ଏବଂ ତାହାହିଁ ସ୍ୱାଭାବିକ । କିନ୍ତୁ ଆପଣମାନେ କହିଲେ କ’ଣ ନା ମୋର ଏଇ ସାହିତ୍ୟର ଅଙ୍ଗେ ନିଭେଇଥିବା ନିବିଡ଼ ସମ୍ପର୍କ ଅଛି ଜୀବନ ସାଙ୍ଗରେ । ଅତଏବ ଏହାକୁ ଯଥାର୍ଥରେ ଜ୍ଞାନାଲୋକ ବୋଲି କୁହାଯିବ । କିନ୍ତୁ ସାର୍, କ୍ଷମା କରିବେ, ଆପଣ ଯାହା କହିଲେ ତାକୁ ପଢ଼ି ସୁଧୀ ପାଠକେ (ତଥା ଆପଣ ନିଜେ) ଜୀବନାନୁଭୂତିର ଶେଷକଥା କ’ଣ ବୋଲି ବୁଝିଲେ ଜାଣନ୍ତି? ବୁଝିବାକୁ ହେଲା ଯେ ଜୀବନଟା ଆବ୍ସର୍ଡ । ପୂର୍ଣ୍ଣଚ୍ଛେଦ । ଭଲ ଆଉ ମନ୍ଦ, ସତ ଆଉ ମିଛ, ଏମିତି ଛନ୍ଦାଛନ୍ଦି ହୋଇ ଅଛନ୍ତି, ଆଉ ଏଭଳି ତାମ୍ସା ଦେଖାଉଛନ୍ତି ଆମକୁ, ଯେ ‘ଇଉରେକା! ପାଇଲି ରେ ପାଇଲି’ ବୋଲି କହିବା ଘୋର ମୂର୍ଖତା । ବରଂ ଦୁଇରେ ଦୁଇ ମିଶିଲେ ପ୍ରକୃତରେ ଚାରି ହୁଏ ନାହିଁ, କେତେବେଳେ ତିନି ତ କେତେବେଳେ ପାଞ୍ଚ, କିନ୍ତୁ ଚାରି ନୈବଚ ନୈବଚ, ଏହାହିଁ ଧରିନେବା ବୁଦ୍ଧିମାନର କାର୍ଯ୍ୟ । କେବଳ ଆଶା କରିବା କଥା ଯେ ଏଇ ବାଟେ ଗଲେ ସତ ଚାରି, ନିର୍ମଳ ସୁନ୍ଦର ଚାରିର ସନ୍ଧାନ ମିଳିବ । ମାନେ ଏଇ ବୌଦ୍ଧିକତାର ବାଟ ଦେଇ ଗଲେ । କ’ଣ ଭୁଲ୍ କହିଲି? କିନ୍ତୁ ସାର୍, ଦୟାକରି ନିଜକୁ ବିଫଳ ବୋଲି ଭାବନ୍ତୁ ନାହିଁ । ଭୁଲି ଯାଆନ୍ତୁ ଯେ ଆପଣଙ୍କ ସାହିତ୍ୟର ଜ୍ଞାନାଲୋକକୁ ନେଇ କିଛି ମିଳିଗଲା ନାହିଁ ସମାଜକୁ ଅଥବା ଆପଣଙ୍କ ନିଜକୁ, ଯେଉଁଥିରେ କିଛି ବାଟ ଉଧ୍ୱର୍କୁ ଉଠିଲାପରି ମନେ ହୋଇଥାଆନ୍ତା । ଆମେ ଯୁକ୍ତିଛଳରେ ସେଭଳି ଗୋଟାଏ ପ୍ରଶ୍ନ ଉଠେଇଥିଲୁ ସିନା, କିନ୍ତୁ ତାକୁ ନେଇ ମୁଣ୍ଡ ଘୂରେଇବା ଅନାବଶ୍ୟକ । ହେଲେ ହେଉ ଜୀବନଟା ଆବ୍ସର୍ଡ । ଆପଣଙ୍କର ନଛୋଡ଼ବନ୍ଧା ଆଶା ମଧ୍ୟ ଦୀର୍ଘଜୀବୀ ହେଉ, ଯେ ଏଇ ହେଉଛି ଠିକଣା ବାଟ । କିନ୍ତୁ ବର୍ତମାନ ପାଇଁ ସେଇ ଆବସର୍ଡର ଛିଗୁଲିଆପଣ ବି କ’ଣ ମଜା ଲାଗୁ ନାହିଁ? ତାକୁ ବି କ’ଣ ସୁନ୍ଦର, ବିଚିତ୍ର ଅର୍ଥରେ ସୁନ୍ଦର, ବୋଲି କୁହାଯିବ ନାହିଁ? ଧୈର୍ଯ୍ୟ ଧରନ୍ତୁ ସାର୍ । ଆମେ, ଅର୍ଥାତ୍ ଆଜିର ଲେଖକମାନେ, ଆପଣଙ୍କ ଅନୁଭୂତ ସତ୍ୟର ବାସ୍ତବତାକୁ ବୁଝିଛୁ । କହିବାକୁ ଗଲେ ଆମେ ତାକୁ ଗ୍ରହଣ କରିଛୁ, ବ୍ୟକ୍ତିର କି ସମାଜର ଉତ୍ତରଣ ଅବା ଅଧୋଗତିକୁ ପରୁଆ ନକରି । ଆଜ୍ଞା, ସେଇ ଆବ୍ସର୍ଡକୁ ମର୍ମେ ମର୍ମେ ବୁଝିଛୁ ବୋଲି ତ ଆମ ସାହିତ୍ୟ ଏମିତି ଅଖାଡୁଆ ଲାଗୁଛି ଆପଣଙ୍କୁ, ସତେ କି ଆମେ ଗଳ୍ପ ଖାଲି ସଙ୍ଗୀତର ଛଇ ଅଛି କି ଛବି ଅଙ୍କାର ହୁନ୍ଦର, ସେଥିରେ ବକ୍ତବ୍ୟ କି ଅର୍ଥ ବୋଲି କିଛି ନାହିଁ? ନାଇଁ ସାର୍, ଅଛି ଅର୍ଥ, ଅଛି ବକ୍ତବ୍ୟ, ଆମ କଥା କାହାଣୀର । ଏବଂ ତା ହେଉଛି ଏଇ, ଯେ ଜୀବନଟା ଅଳୀକରୁ ବଳି ଅଦ୍ଭୂତ । ମହାରହସ୍ୟମୟ । ଏବଂ ସେହେତୁ ଅଧିକ ସୁନ୍ଦର ।