ପୃଷ୍ଠା:Hada bagicha.pdf/୨୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇସ୍! ବୁଝୁଛୁ ତ ଗୋପାଳ ମହାପାତ୍ର ତୋ ସଫଳତାର ପାରା କେତେ ଉଧ୍ୱର୍କୁ ଉଠିଗଲାଣି ୟା’ ଭିତରେ?... ସୁଲୋଚନାଙ୍କୁ ‘ନା’ ବୋଲି କହିବା ସାଙ୍ଗକୁ ଯେଉଁ ଚୈତନ୍ୟୋଦୟ ଆସିଲା ତାଙ୍କ ମନରେ, ତାରି ବଳରେ ସେ ଏମିତି ଛିଗୁଲେଇଲେ ନିଜକୁ । ଆହୁରି କହି ଚାଲିଲେ- ତୁ ଖାଲି ପ୍ରବୀଣ ନୁହଁ କି ବରିଷ୍ଠ, ତୁ ମଧ୍ୟ ବୟୋବୃଦ୍ଧ । ଏତିକି ପଶିବାକୁ ନାହିଁ ତୋ ମୁଣ୍ଡରେ? ଆଗେ ଅନ୍ତତଃ ଅଳ୍ପ କେଇଜଣ ତୋ ଲେଖା ବୁଝିବାକୁ ଚାହୁଥିଲେ । ଜାଣିବାକୁ ଚାହୁଁଥିଲେ ତୁ ଠିକ୍ କେଉଁ ଭାବର ଦେଖୁଛୁ ତୋ ଦୁନିଆଁକୁ, ତୋର ଅନୁଭୂତ ଦୁଃଖ କେଉଁ ପ୍ରକାର ବୋଲି ମନେ ହେଉଛି, ଯାହା ତୁ ବ୍ୟକ୍ତ କରିବାକୁ ଚାହୁଁଛୁ ତୋ ଲେଖାରେ, ତୋ ଚରିତ୍ର ମାନଙ୍କ ମାଧ୍ୟମରେ । ଅନ୍ୟ ଅର୍ଥରେ ତୋ ସାହିତ୍ୟର ସ୍ୱଗୁଣ କ’ଣ, ଯାହାକୁ ଭିନ୍ନ ଓ ସୁନ୍ଦର ବୋଲି କୁହାଯିବ । କିନ୍ତୁ ଏଣିକି ସେମାନେ ବି ଭାବୁଥିବେ ଯେ ସେଭଳି ଉଦ୍ୟମ ନିରର୍ଥକ । କଥା ହେଉଛି ଯେ ଯେତେହେଲେ ତୁ ଜଣେ ଜଣାଶୁଣା ଲେଖକ, ଯେ ଅନେକ କିଛି ଲେଖିଛି, ତା’ର ସାହିତ୍ୟିକ ରଙ୍ଗରୂପ ଓ ମୂଲ୍ୟ ଯାହା ହେଉ ପଛକେ । ଏବଂ କେଇଟା ପୁରସ୍କାର ବି ମିଳିଛି ତୋତେ, ସିଏ କେଉଁ ଆଖି ଝଲସା ଅବା ତୋର ଇପ୍ସିତ ପୁରସ୍କାର ନ ହେଲା ନାହିଁ । ଏବଂ ଶେଷକଥା ହେଉଛି ଏଇ, ଯେ ତୁ ବେଶ୍ ବୁଢ଼ା ହୋଇ ଗଲୁଣି ୟା’ ଭିତରେ । ଅତଏବ ତୋତେ ବାହାରି ଆସିବାକୁ ପଡ଼ିବ । ‘ଆସ’ ସଂସ୍କୃତିର ସାରଥି ହେବାପାଇଁ । ସେଇ ଡାକରା ପଡ଼ିଛି ଏଇକ୍ଷଣି ତୋ ପାଇଁ । ସଫଳତାର ଚଳନ୍ତି ପ୍ରତିମୂର୍ତ୍ତି, ଜଣେ କଥାକାର ହିସାବରେ । କହୁଛନ୍ତି- କିଓ, ଆମେ କ’ଣ ଜାଣି ନାହୁଁ ଯେ କଥା ସାହିତ୍ୟ ଆମ ସଂସ୍କୃତିର ଅନ୍ୟତମ ବିଭାଗ? ଏବଂ ସେଇ ହିନ୍‌‌ହିନ୍ ହେଉଥିବା, ଆଉ ଲାଞ୍ଜ ଛାଟୁଥିବା ଘୋଡ଼ାର ଗୋଟିଏ ଘୋଡ଼ ସବାର୍ ଦରକାର ନା ନାହିଁ? ତୁମ ଅଗ୍ରଜ କଥାକାରମାନେ କୁଆଡ଼େ ଗଲେ ବୋଲି ପଚାରୁଛ? ମୋହନ ମହାନ୍ତି, ହିମାଂଶୁ ମିଶ୍ର, ଭାନୁ ପଟ୍ଟନାୟକ ଓଗେର? ଆରେ, ତମେ କଣ ବୁଝିବାକୁ ନାହଁ ସେ ସେଇ ମହାନ୍ ବ୍ୟକ୍ତିମାନେ କେବେଠୁଁ ପ୍ରତିମୂର୍ତ୍ତି ପାଲଟି ଯାଇ ଆସିଗଲେଣି ଆମ ସଙ୍ଗ୍ରହାଳୟ ଭିତରକୁ, କିମ୍ବା ପହଞ୍ଚିଲେଣି ତା ଦୁଆରବନ୍ଧରେ । ତମେ ବି ଯିବ ତାଙ୍କ ପଛେପଛେ ଯଥାସମୟରେ । କିନ୍ତୁ ଏଇକ୍ଷଣି କେବଳ ବୃଦ୍ଧ, ଅତିବୃଦ୍ଧ ନୁହଁ । ତେଣୁ ଏଇକ୍ଷଣି ତୁମେ ଉପଭୋଗ କର, ଦିବ୍ୟ ଚିତ୍ତରେ ଉପଭୋଗ କର ଏଇ ମହାସଫଳତା । ଏଇ ସାରଥିପଣର ମର୍ଯ୍ୟାଦା । କ’ଣ ଖରାପ ଲାଗୁଛି ତମକୁ? ହଁ, ଖରାପ ଲାଗୁଛି । ଅର୍ଥାତ୍ ମୋତେ କଷ୍ଟ ହେଉଛି । କଷ୍ଟ ହେଉଛି ମୋର ରକ୍ତ ମାଂସଧାରୀ ମଣିଷପଣକୁ, ମୋତେ ବିଶ୍ୱାସ କର । ଆଗରୁ ଏତେଟା ଲାଗୁ ନଥିଲା ହୁଏତ, କିନ୍ତୁ ଆଜି ବୁଝୁଛି ଯେ ମିଛ ନୁହେଁ ଏଇ କଷ୍ଟ, ଏବଂ ତାହା କ୍ରମଶଃ ଯନ୍ତ୍ରଣାରେ ପରିଣତ ହେବ । ଏବଂ ଯନ୍ତ୍ରଣାଟା ବଢ଼ି ବଢ଼ି ଯିବ । ଶେଷକୁ ... ଶେଷକୁ ଯନ୍ତ୍ରଣା, ଫନ୍ତ୍ରଣା ପୂରାପୁରି ଉଭେଇଯିବ । ଏତିକି ବୁଝୁ ନାହାନ୍ତି ସାର୍? ହୋ-ହୋ-ହୋ! ଭାବମୂର୍ତ୍ତିର, ପ୍ରତିମୂର୍ତ୍ତିର କୋଉ ଯନ୍ତ୍ରଣା ଥାଏ? ହଁ, ଏହି ସିଦ୍ଧାନ୍ତରେ ଗୋଟାଏ ପ୍ରଶ୍ନ ମନକୁ ଆସୁଛି । ଫକୀରମୋହନଙ୍କ ଲମ୍ବା ବେକ ଯେମିତି ତାଙ୍କ ସାହିତ୍ୟ ସ୍ୱରୂପର ଟ୍ରେଡ୍ମାର୍କ ହୋଇ ରହିଯାଇଛି, ଆପଣଙ୍କର ନିଦା ଗେଧେକା ବେକକୁ କ’ଣ ସେହି ପ୍ରକାର ମର୍ଯ୍ୟାଦା ମିଳିପାରିବ? ଏଇକ୍ଷଣି ସେମାନେ ବଡ଼ପାଟିରେ ହସୁ ନାହାନ୍ତି, ଖାଲି କୁରୁକୁରୁ ହେଉଛନ୍ତି ... ଇତିମଧ୍ୟରେ ସୁଲୋଚନା ତାଙ୍କ ବିସ୍ମୟରୁ ଉଧୁରି ଆସିଲେଣି । ବୁଝିଲେଣି ଯେ ତାଙ୍କ ସଦା ଅବାଗିଆ ଲେଖକ ସ୍ୱାମୀ ମଧ୍ୟ ଟିକିଏ ବାଉଳୀ ଧରିଲେଣି, ବୁଢ଼ା ହେଲାରୁ । ତେଣୁ ସେ ତାଙ୍କୁ ଚେତାଇ ଦେବେ-- ‘କ’ଣ ‘ନା’ ଟାଏ କହି ବସିଗଲ ମ? ମୁଁ କ’ଣ ତା’ହେଲେ କହିଦେବି ବିରଞ୍ଚିବାବୁଙ୍କୁ, ଯେ ତମେ ଫୋନ୍ ପାଖକୁ ଆସିପାରିବ ନାହିଁ?’ ଗୋପାଳବାବୁ ଚେଇଁ ଉଠିଲେ । ଏବଂ ଏଥର ଯେଉଁ ‘ନା’ ପଦ ତାଙ୍କ ମୁହଁରୁ ବାହାରିଲା, ତା’ର ଅର୍ଥ ଭିନ୍ନ ଥିଲା । କହିଲେ, ‘ନା, ଯାଉଛି ରୁହ ।’ ସୁସ୍ପଷ୍ଟ ଉଚ୍ଚାରଣ । ଏବଂ ଉଠିପଡ଼ିଲେ ଫୋନ୍ ଧରିବା ପାଇଁ । ‘ହଁ, ମୋର ମନେ ଅଛି, ମୁଁ ଯିବି’ ବୋଲି କହିବାକୁ ପଡ଼ିବ ବିରଞ୍ଚି ପ୍ରଧାନକୁ । ଏହାହିଁ ଭବିତବ୍ୟତା, ସେଥିରୁ ଉଦ୍ଧାର ନାହିଁ । କିନ୍ତୁ ତଥାପି ମନେ ହେଉ ନଥିଲା ଯେ ତାଙ୍କ ରାଗ ଉତୁରି ଯାଇଛି ମନୋଜ ପଣ୍ଡାଙ୍କ ଉପରୁ ।