ଗଳ୍ପସ୍ୱଳ୍ପ
ପୋଖରୀ ଘାଟରେ ବସି ଅଧରାତି ଯାଏ ତ୍ୱରିତାନନ୍ଦ* ମୌଜ କରନ୍ତି, କୋଡ଼ିଏ ମୁଲକର ହାଲଚାଲ କଥା ପଡେ ।
ମହନ୍ତ ହେଉଛନ୍ତି ଗାଁର ଜଜ୍, ମେଜେଷ୍ଟର, ମହାଜନ ସବୁ । ଏ ଗାଁରୁ ଗୋଟାଏ ବୋଲି ମାଲିମାମଲା ସରକାରକୁ ଯାଏ ନାହିଁ ।
ମହନ୍ତଙ୍କର ଗୋଟିଏ କୋଠଚାକର ଅଛି, ନାମ ବିନୋଦିଆ- ବୟସ ବାଇଶ କି ତେଇଶ । ଦେଖିବାକୁ ବେଶ ଡଉଲ ଡାଉଲ । ବିନୋଦିଆ ମହନ୍ତଙ୍କର ଭାରି ବିଶ୍ୱାସୀ ଚାକର । ମହନ୍ତଙ୍କ ନିଜ କୋଠଘର କଞ୍ଚି, ମନ୍ଦିର ସରଘର, ଗନ୍ତାଘର, କାରବାରୀ ଘର, ସବୁଘର କଞ୍ଚି ତା ହାତରେ । ଗୋଟାଏ ସରୁ ଲୁହା ଶିକୁଳିରେ ଗୁନ୍ଥା ବେକାଏ କଞ୍ଚି ସବୁବେଳେ ତା' ଅଣ୍ଟାରେ ଝୁଲୁଥାଏ । ସବୁ ବିଷୟରେ ମହନ୍ତଙ୍କର ବିନୋଦିଆ ଉପରେ ଷୋଳପଣି ବିଶ୍ୱାସ । ଯେପରି ମାଲିମାମଲା ହେଉ ବିନୋଦିଆକୁ ନ ଧରିଲେ କେହି ମହନ୍ତଙ୍କଠାରୁ ବେଗି ବେଗି କାମ ହାସଲ କରିପାରେ ନାହିଁ । ଶ୍ରୀଜୀଉଙ୍କ ଅଳଙ୍କାର, ନଗଦାତ ଟଙ୍କା, ଟିପ ତମସୁକ ମହନ୍ତଙ୍କ ନିଜ ତହବିଲ, ସବୁ ସବୁ ରକମରେ ବିନୋଦିଆ ଜିମାରେ ଲକ୍ଷାବଧି ଟଙ୍କା । ନେଇ ବସିଲେ ମାଲିମାମଲାରୁ ବି ଢେର ଢେର ଟଙ୍କା ପାନ୍ତା । ମାତ୍ର ତାହାର ଦରମା ମାସକୁ ଯୋଡ଼ାଏ ଟଙ୍କା ଛାଡ଼ି ଆଉ ଯୋଡ଼ାଏ ପଇସାରେ ବି ହାତ ଦିଏ ନାହିଁ । ଏଣେ ମହନ୍ତଙ୍କର ଯେପରି ଅକାରଣ ପଇସାଏ ନଷ୍ଟ ନ ହେବ ଖୁବ୍ ଜଗିଥାଏ । ପ୍ରଜା ଖାତକ ଉପରେ ହକ ପାଉଣା ପଇସାଏ ଛାଡିବ ନାହିଁ, ମହନ୍ତ ହୁକୁମ କଲେ ବି, ନା । ବିନୋଦିଆ ଘର ହାଟଗାଁ, ମନ୍ଦିର ଠାରୁ ଚାରି କୋଶ ଦୂର । ସେ ଗାଁଟା ବି ମହନ୍ତଙ୍କର ଦେବୋତ୍ତର ବାହେଲ । ମା ବାଧିକା ପଡିଛି ଶୁଣି ବିନୋଦିଆ ମହନ୍ତ ମହାରାଜଙ୍କଠାରୁ ଚାରିଦିନର ଛୁଟି ନେଇ ଘରକୁ ଯାଇଥିଲା । ଆଜି ସକାଳୁ ଘରୁ ଆସି ତୁନିଟି ହୋଇ ବସିଛି, କାମ ପାଇଟିରେ ମନ ଦେଉ ନାହିଁ । ମହନ୍ତ ପଚାରିଲେ, "କି ରେ ବିନୋଦିଆ, ଇମିତି ହୁଙ୍କାଟା ପରି ବସିଛୁ କ୍ୟାଁ ? ଯା ଯା, ତୋଟାଳିଆ ସବୁ ଆସି କାମରେ ଲାଗିଗଲେଣି କି ନା, ଦେଖ ଯା ।"
ବିନୋଦିଆ ମହନ୍ତଙ୍କ ଗୋଡ ଯୋଡ଼ିକ କୁଣ୍ଢେଇ ଧରି ଭୋ ଭୋ କରି ରଡ଼ି ଛାଡ଼ିଲା, କଥା କହି ପାରୁ ନାହିଁ ।
ମହନ୍ତ- ଆରେ କଥା କଣ କହ, ଇମିତିକାଟା କାନ୍ଦୁଛୁ କ୍ୟାଁ ?
ବିନୋଦିଆ- ଆଜ୍ଞା ! ମୁଁ ଆଉ ଚାକିରି କରିବି ନାହିଁ । ଆମ ଗାଁର ଢେର ଭେଣ୍ଡିଆ ରେଲବାଇରେ କାମ କରି ଢେର ଢେର ଟଙ୍କା ଆଣୁଛନ୍ତି । ମା କହିଲା, ମୁଁ ସେଇପରି କାମ କରି ଟଙ୍କା ଆଣି ବାହା ହେବି । ମା କହିଲା,ସେ ବାଧିକା ପଡିଲାଣି, ମରିଯିବ- ବୋହୂ ଦେଖିବ ।
ମହନ୍ତ ହୋଃ ହୋଃ ହୋଃ- ଏଇ କଥା ! ଆଚ୍ଛା ମୁଁ ବାହା କରେଇ ଦେବି । ଖୁବ୍ ଭଲ କନ୍ୟାଟିଏ ବାହା କରେଇ ଦେଲେ ତ ହେଲା ?
ବିନୋଦିଆ -ଆମ ଜାତିରେ କନ୍ୟାସୁନା ଢେର ଟଙ୍କା ପଡ଼େ, ମୁଁ ଟଙ୍କା କାହୁଁ ଆଣିବି ?
ମହନ୍ତ- ଆରେ ବାୟା ! ତୁ ତ ବାହା ହେବୁ ଗଲା, ଟଙ୍କାରେ କଣ ଅଛି ? ଆଚ୍ଛା ଯେତେ ଟଙ୍କା ଲାଗିବ, ମୁଁ ଦେବି ।
* ଗଞ୍ଜାଇ-ଭାଷା