ଯାଇ ସକେଇ ସକେଇ ଧୀରେ ଧୀରେ କହିବାକୁ ଲାଗିଲା, "ଆଜ୍ଞା- ଗଲା ଉଆଁସ ବାସି ପ୍ରତିପଦା ଦିନ ଅଡ଼ତଦାର ଆପୁଡ଼ୁ ସ୍ୱାମୀ ପାଖରୁ ଭୋର ଭୋର ଟଙ୍କାଟୋକର ଗଣି ନେଇ ଦିନ ଦୁଇପହର ସରିକି ଚିନାପାଟଣା ହାଡୁ ବାହାରୁ(୨) ଲଙ୍ଗର ଉଠାଇ ଦେଲୁଁ ।" ବାବୁ ପଚାରି ଦେଲେ, "ଅଡ଼ତଦାର ହିସାବ ଛିଣ୍ଡାଇ ସବୁ ଟଙ୍କା ଦେଇଛି, ନା ଆଉ କିଛି ଅଛି ?"
ମାଝି- ଅଡ଼ତଦାର ମତେ ନଗଦ ବାରହଜାର ଟଙ୍କା ଗଣିଦେଲା । ହିସାବ ଡାକରେ ପଠାଇବ ବୋଲି କହିଲା ।
ବାବୁ ବାକ୍ସ ଫିଟାଇ ଗଲା କାଲି ଡାକରେ ଆସିଥିବା ମୋଟା ଚିଠି ଖଣ୍ଡ ବାହାର କଲେ, ତାହା ଭିତରୁ ଲାଲରଙ୍ଗ ପାତଳ କାଗଜରେ ତେଲଙ୍ଗୀ ଲେଖା ଏକକୋଣିଆ ସୂତାରେ ଗୁନ୍ଥା ଗୋଛାଏ ଚିଠି କାଗଜ ବାହାର କଲେ, ଏପାଖ ସେପାଖ ଓଲଟ ପାଲଟ କରି ବୀରେଶ ଲିଙ୍ଗମକୁ ଡାକି ପଠାଇଲେ । ବିରେଶ ଲିଙ୍ଗମ୍ ତେଲିଙ୍ଗୀ ଗୁମାସ୍ତା । ଦକ୍ଷିଣ ଅଞ୍ଚଳରୁ ଆସୁଥିବା ଚିଠିମାନ ପଢି ବାବୁଙ୍କୁ ଓଡିଆରେ ବୁଝାଇ ଦିଏ । ପିଆଦା ଗୁମାସ୍ତାକୁ ଡାକିବାକୁ ଧାଇଁଲା । ତହିଁ ଉତ୍ତାରେ ବାବୁ ମାଝିକୁ ଅନାଇ କହିଲେ, "ହୁଁ -"
ସ୍ୱରୂପ ମାଝି- ଲଙ୍ଗର ଉଠାଇ ଶେଡ଼ ଯେ ହଙ୍କାରିଛି, ସେଇ ହଙ୍କାରିଛି । ପୂରା ଆଠ ଦିନ ଦିନ ରାତି ଜାହାଜ ଧାଇଁଥାଏ । ଦକ୍ଷିଣା ପିଛାଡ଼ି ପବନ- ଆକାଶ ନିର୍ମଳ- ଦରିଆଟା ପୋଖରୀ ପାଣି ପରି ଧୀର । ଜାହାଜ ସୁକାନରେ ଖାଲି ହାତ ପଡ଼ିଥାଏ, ସଳଖ ଜାହାଜ ଧାଇଁଛି । ନଅ ଦିନ ରାତି ପହରକ ସରିକି କଟକ ବାରା ଫଲସାପେଣ୍ଟ ବତି* ଯିମିତି ନଜର ପଡିଛି, ପଛ ପଟରୁ ଟିକିଏ ପବନ ଝଲକି ଦେଲା, ବେଳକୁ ବେଳ ଟିକିଏ ଟିକିଏ ବଢ଼ିବାକୁ ଲାଗିଲା । ବଢ଼ିଲାପରି ବଢିଲା- ସମାଳ, ସମାଳ- ରାତି ଅଧ ବେଳକୁ ଅଥୟ । ଦରିଆ ଆକାଶ ଏକାକାର, ତାଳଗଛ ପ୍ରମାଣ ଢେଉ । ଆଗ ଦୁଇ ନଙ୍ଗର ପଛ ଲତାଡ଼ି ପକାଇ ଦେଲି, ପଟାପଟ ଛିଡ଼ିଗଲା । ରାତିଯାକ ଏକ ହାଲ । ଆଉ ସମ୍ଭାଳି ହେଲା ନାହିଁ । ଅଧରାତି ସରିକି ଜାହାଜ ଗାମଦ ହେଲା, ସମସ୍ତେ ମିଶି ପାଣିମରାରେ ଲାଗିଥାଉଁ । ଭୋର ଭୋର ଜାହାଜ ବସିଗଲା । ଦିନ ହେଲା, ଦେଖଲୁଁ, ଧାମରା ଘଡ଼ିଆଳ ମୁହାଣ । ଆଉ ଚାରା ନାହି, ବତାଲିକୁ# ଓହ୍ଲାଇ ଆସିଲୁଁ ।
ବାବୁ ପଚାରିଲେ- ଟଙ୍କା ?
ମାଝି ଖାଲି କାନ୍ଦିଲା, କିଛି କହି ପାରିଲା ନାହିଁ ।
ବାବୁ କହିଲେ, "କାହିଁ, ଏଠାରେ କିଛି ମେଘ ଅଳ୍ପ ତୋଫାନ ହୋଇଥିଲା ସତ, ତେଡ଼େ ତୋଫାନ ତ ନାହିଁ ?"
ମାଝି- ଆଜ୍ଞା,ଏଟା ତୋଫାନ ନୁହେଁ, ଦରିଆ ଖଣ୍ଡିଆ ଭୂତ, ଏପରି ଭୂତ ଦରିଆରେ ଥାନ୍ତି । କଲିକତି, ବିଲାତି, ରେଙ୍ଗୁଣୀ ଛ ଖଣ୍ଡ ଜାହାଜ ଏକାସାଙ୍ଗରେ ଶେଡ଼ ହଙ୍କାରିଥିଲୁଁ । ସବୁ ଗୁଡାକ କୁଆଡେ ଉଡ଼ି ଗଲେ, କାହାରି ପତା ନାହିଁ ।
ଜ୍ୟୋତିଷ କମଳଲୋଚନ ନାୟକଙ୍କୁ ବାବୁ ଡକାଇଥିଲେ । ମାଝି ସଙ୍ଗରେ କଥୋପକଥନ ସମୟରେ
(୨) ଚିନାପାଟଣା ହାଡୁ ବାହାରୁ- ମାନ୍ଦ୍ରାଜ ହାର୍ ବର ।
* False point Light-house
# Life-boat