ଜଗନ୍ନାଥ ହେ କିଛି ମାଗୁନାହିଁ ତତେ

ଉଇକିପାଠାଗାର‌ରୁ
କବିତାବଳୀ ଲେଖକ/କବି: ବନମାଳୀ ଦାସ
ଜଗନ୍ନାଥ ହେ କିଛି ମାଗୁନାହିଁ ତତେ

ଜଗନ୍ନାଥ ହେ କିଛି ମାଗୁନାହିଁ ତତେ

ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ
ଧନ ମାଗୁ ନାହିଁ ଜନ ମାଗୁ ନାହିଁ ମାଗୁଛି ଶରଧା ବାଲିରୁ ହାତେ ।

ଆନ ଦରଶନ ନ ଲୋ଼ଡେ ନୟନ ଏକା ତୋହ ଦେଖା ବିନା ।
ଶୁଣିବାକୁ କାନ ନ ଇଚ୍ଛଇ ଆନ ତୋହ ଚରିତେ କାମନା । ୧ ।
ଜିହ୍ୱା ନ ବାଞ୍ଛଇ ଗ୍ରାମ ଗୀତ ଗାଇବାକୁ ରଜନୀ ଦିବସ ।
ତୁମ୍ଭ ନାମାବଳୀ କେବଳ ସଙ୍ଖାଳି ହୋଇଥାଉ ପୀତବାସ । ୨।

ନାସା ମୋର ତୃପ୍ତି ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ ।
ତୋର ଛଡାମାଳ ତୁଳସୀ କୁସୁମ, ଚନ୍ଦନ, କର୍ପୁର ଧ୍ୟାନେ । ୩।

ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ ହରେକୁଷ୍ଣ୍ଟ ଜପୁଥାଉ ।
ବୋଲେ ବନମାଳୀ ମୋ ବେନି ଚରଣ ତୋ ତୀର୍ଥ ଭ୍ରମଣେ ଧାଉଁ ।୪।