ତୋ ଲାଗି ଗୋପଦାଣ୍ଡ ମନା
ଦେଖଣା
←କେଡ଼େ ଛନ୍ଦ ଜାଣେ ଲୋ ସହି | ଲେଖକ/କବି: ତୋ ଲାଗି ଗୋପଦାଣ୍ଡ ମନା |
କି ଲାଜ ପାଇଲି ଆଜ→ |
ତୋ ଲାଗି ଗୋପଦାଣ୍ଡ ମନା
ରାଗ ମୋହନ କେଦାର, ତାଳ ରୂପକ
ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା
ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା । ଘୋଷା ।
ନିତି ଏହି ବାଟେ ଯାଉରେ କାଳିଆ
ନିତି ଏହି ବାଟେ ଯାଉ
ହାଟରେ କଉଡି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉ । ୧ ।
ତୁହି ଗୋପପୁରେ ରଜାରେ କାଳିଆ
ତୁହି ଗୋପପୁରେ ରଜା
କେମନ୍ତ ସଜରେ ମୂରଲୀ ବଜାଉ
ଆହୁରି ଟିକିଏ ବଜା । ୨ ।
ତୁହି ଅଟୁ ନନ୍ଦ ଚାଟରେ କାଳିଆ
ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟ । ୩ ।
ତୁହି ବଡ ଘର ପୁ୍ଅରେ କାଳିଆ
ମୁହିଁ ବଡ଼ ଘର ବୋହୂ
ଶରମ ତୋ ମୁଖେ ନାହିଁରେ କାଳିଆ
ମରମ କଥାଟି କହୁ । ୪ ।
କହଇ ବଲ୍ଲଭାନନ୍ଦ ଏ ରସରେ
ଶୁଣ ଆଗେ ସଖୀବୃନ୍ଦ
ଯମୁନା କୂଳରେ ମୂରଲୀ ବଜାଏ
ତୁମ୍ଭ ଘେନି କୃଷ୍ଣଚନ୍ଦ୍ର । ୫ ।
- ଏହି ଓଡ଼ିଶୀ ଗୀତଟିରେ ବନମାଳୀ ନିଜ ନାମ 'ବଲ୍ଲଭାନନ୍ଦ' ବୋଲି ଭଣିତା କରିଛନ୍ତି ।