ଅନାବନା

ଉଇକିପାଠାଗାର‌ରୁ
ଅନାବନା
ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ

== ଅନାବନା ==


(ଶିଶୁ କବିତା)
ଜଗନ୍ନାଥ ପ୍ରସାଦ ଦାସ

ପ୍ରଥମ ସଂସ୍କରଣ-୨୦୦୮






An Ink Odisha Publication 2008







ANABANA
(POEMS FOR CHILDREN)
Jaganath Prasad Das

Cover design and Illustrartion:Tanuj Mallick
Published by ink Odisha
11s(P)Acharya Vihar,Bhubneswar-751013, Odisha, India
and printed by ink Odisha,Acharya Vihar,Bhubneswar-13


RS 20/-
ସୂଚୀ

 
  



କିଏ କେମିତି ଗଲା
ବିଲେଈ ନାନୀ
ମାଛ ଧରାଳୀ
ଛୋଟ
ଘର
ଆଠଗଡର ପିଲା ୧୦
ପୁଷି ବିଲେଈ ୧୧
ଆଖି ମେଲା ସପନ ୧୨
ଜୀବ ଅଜୀବ ୧୩
ଗଧ କାଊ ୧୪
ଓଟ ୧୫
ଘୋଡ଼ା ୧୬
ଦେଖରେ ଦେଖ ୧୭
ଅଜବ ଜୀବ ୧୮
ଠେକୁଆ କଇଁଛ ୧୯
ଲୋକଟି ୨୦
ହାତ ଦେଖା ହାତୀ ୨୧
ରମା ଓ ରାମ ୨୨
କିଏ କୁଆଡେ ଗଲା ୨୩
ଦିନର ୨୪
ଭେକ ୨୫
ଯୋଡାକୁ ଘୋଡା ୨୬

      

କିଏ କେମିତି ଗଲା

ଶତପଥୀ ଗଲେ ଫଟଫଟିରେ

ପିଟର ଚାଲିଲା ସ୍କୁଟର ଧରି

ମାଇକେଲ ଗଲା ସାଇକେଲରେ

ମଟୁ ବାବୁ ଗଲେ ମଟର ଚଢି ।



ରାମ ବାବୁଙ୍କର ଟ୍ରାମ ସୁବିଧା

ବାସୁ ବାବୁଙ୍କର ଟାଉନ୍ ବସ୍

ପ୍ଲେନରେ ଉଡିଲେ ମିସେସ ସେନ

ଚାଲି ଚାଲି ଗଲା ଚରଣ ଦାସ ।

ବିଲେଇ ନାନୀ

ବିଲେଇ ନାନୀ କରିଛି ଉଷା
ଏ ଯାଏ ଖାଇଛି ଗୋଟିଏ ମୂଷା
ଦୁଇଟି ପୋକ ,ତିନିଟି ଜୋକ
ତଥାପି ଲାଗୁଛି ଆହୁରି ଭୋକ ।




ଚାରି ଝିଟିପିଟି ପାଞ୍ଚଟି ବଣି
କେମିତି କୋଊଠୁ ଖାଇବ ଆଣି
ଅନେଇ ବସିଛି ବିଲେଇ ନାନୀ।

ମାଛ ଧରାଳୀ

ପୋଖରୀ ବନ୍ଧରେ ଛଅ ଜଶ ସାଙ୍ଗ ବନଶୀ ନେଇ
ପାଖାପାଖି ହୋଇ ବସିଥିଲେ ମାଛ ଧରିବା ପାଇଁ ।

ରାମର କଣ୍ଟାରେ ବାଳିଆ ପଡିଲା
ଶ୍ୟମର କଣ୍ଟାରେ ଭାକୁର
ହରକୁ ମିଳିଲା ମିରିକାଳି ମାଛ
ହରିକୁ ମିଳିଲା ମାଗୁର ।


ଆଉ ଦି ଜଣଙ୍କୁ ମିଳିଥାନ୍ତା ହେଲେ
ମୀନ ଦଣ୍ଡକିରି ଚିଙ୍ଗୁଡି
ତୋଡି ଅବା ଗେଣ୍ଡା କୋଚିଆ ଶାମୁକା
କିଛି ବି ନ ହେଲେ ବେଙ୍ଗୁଲି ।

କପାଳ ଖରାପ ଯଦୁ ବନ୍‌ଶୀରେ
ଧରାଦେଲା ପଚା ଆପଲ
ମଧୁ ବିଚରାର କଣ୍ଟାରେ ଊଠିଲା
ପୁରୁଣା ହାୱାଇ ଚପଲ ।

ଛୋଟ

ଛୋଟ କଂସା ତାଟିଆ
ଛୋଟ ଥାଳି ଥାଳିଆ
ଛୋଟ ଖଟ ଖଟିଆ
ଛୋଟ ଚାଳ ଚାଳିଆ ।


ଛୋଟ ଘର କୁଡିଆ
ଛୋଟ ଡଙ୍କା ଚାମୁଚା
ଛୋଟ ପୁଡା ପୁଡିଆ
ଛୋଟ ଲୁଗା ଗାମୁଛା ।


ଛୋଟ ହାଣ୍ତି ଆଟିକା
ଛୋଟ ତାଡ ତାଡିଆ
ଛୋଟ କୋଠା ବାଟିକା
ଛୋଟ ଦୀଘି ଗଡିଆ ।


ଛୋଟ କୁଲା କୁଲେଇ
ଛୋଟ ବାଘ ବିଲେଇ

ଛୋଟ ଝିଅ ଫୁଲେଇ ।
ଘର

ରଜା ରହିଥାଏ ରାଜବାଟୀରେ
ଜେଲ ଘରେ ରହେ ଚୋର
ଦଦରା କୋଠାରେ ବାବନା ଭୂତ
ଚଷାର କୁଡିଆ ଘର ।

ସାପ ରହିଥାଏ ଉଇ ହୁଙ୍କାରେ
ଡାଳରେ ଚଡେଇ ବସା
ପଙ୍କ ଗାଡିଆରେ ବେଙ୍ଗର ଘର
ଗାତ ଖୋଳି ରହେ ମୂଷା।

ମହୁମାଛି ଥାଏ ମହୁଫେଣାରେ
ଦେଉଳ ହେଉଛି ଦିଅଁଙ୍କ ଘର
ଗୁମ୍ଫାରେ ରହନ୍ତି ମୁନି ଋଷି ଭାଲୁ
ଗୁଣ୍ଡୂଚିର ଘର ଗଛ କୋରଡ ।

ନିଜ ନିଜ ଘର ଗେଣ୍ଡା କଇଁଛ
ବସ୍ତାନି ବହିର ଘର
କୁନି ପିଲା ଘର ମା'ର କୋଳ
ସପନର ଆଖି ତଳ।

କିନ୍ତୁ,
ଫୁଟପାଥ ନୁହେଁ ମଣିଷର ଘର
ବାଘ ଘର ନୁହେଁ ଚିଡିଆ ଖାନା
ପଂଜୁରୀ ନୁହଇ ଚଢେଇର ବସା
କାହା ଘର ନୁହେଁ ପୁଲିସ ଥାନା ।

ଆଠଗଡର ପିଲା

ନିଘୋଡ ନିଦରେ ଶୋଇ ରାତି ଆଠଟାରେ
ସ୍ୱପ୍ନରେ ଦେଖିଲା ଯାହା ହେଉଛି ସେଠାରେ

ଆଠଜଣ କାଠୁରିଆ କାଟୁଛନ୍ତି କାଠ
ଆଠ ଗୋଟିପୁଅ ମିଶି କରୁଛନ୍ତି ନାଟ ।

ଅକ୍ଟୋପସ ବସିଛି ଆଠ ହାତ ଖୋଲି
ଆଠଟି ସମୁଦ୍ର ଜୀବ ଧରିନେବ ବୋଲି ।

ସମ୍ମୁଖରେ ଅଷ୍ଟଧାତୁ ଦେବୀ ପ୍ରତିମାର
ଅଷ୍ଟ ଅବଧାନୀ କରେ ସାଷ୍ଟାଙ୍ଗ ଜୁହାର ।

ଏତେବେଳେ ଆଠଜଣ ଚିରଗୁଣୀ ଆସି
ଆଠଟି ଡ଼ାହାଣୀ ଆଠ ଭୂତ ସଙ୍ଗେ ମିଶି
ଡ଼ରାଇଲେ ନାଚିକୁଦି ତା ସ୍ୱପ୍ନ ଭିତରେ
ଚମକି ଉଠିଲା ପିଲା ନିଦ ବାଉଳାରେ ।

ଆଖିଖୋଲି ଦେଖିନେଲା ଚାରିଆଡ଼େ ତାର
ଜଗି ରହିଛନ୍ତି ତାକୁ ଆଠ ଦିକ୍‌ପାଳ ।

ଏଥରକ ଆଉ କିଛି ଭୟ ନାହିଁ ଜାଣି
ନିଦରେ ନିଦକ ହୋଇ ଶୋଇଗଲା ପୁଣି ।

ପୁଷି ବିଲେଇ

ପୁଷି ବିଲେଇ ରେ ପୁଷି ବିଲେଇ
ଏତେ ଦିନ ଥିଲୁ କୋଉଠି ଯାଇ ?

ଚାଲି ଯାଇଥିଲି ଦରିଆ ପାରି
ବିଲାତୀ ରାଣୀକୁ ଦେଖିବି ବୋଲି।

ପୁଷି ବିଲେଇରେ ପୁଷି ବିଲେଇ
କି ଭଳି ସେଠାରେ ରାଣୀର ଛଇ ?

ଯୁବରାଣୀ ହେଲା ଘର ବୁଡ଼େଇ
ରାଣୀ ବସିଥିଲେ ମୁହଁ ଫୁଲେଇ ।


ପୁଷି ବିଲେଇରେ ପୁଷି ବିଲେଇ
ମନାଇଲୁ ତାଙ୍କୁ କି କଥା କହି?

କିଛି ନ କହି ମୁଁ ଆସିଲି ଫେରି
ବିଲାତ ଦେଶକୁ ଜୁହାର କରି।

ଆଖି ମେଲା ସପନ

ଦରିଆ ଉପରେ ରେଳଗାଡ଼ି ଯାଏ
ଆକାଶରେ ଉଡ଼େ ବଳଦ ଗାଡ଼ି
ମୂଷା ଦଉଡ଼ିଛି ବିରାଡ଼ି ପଛରେ
ନେଉଳ ରହିଛି ସାପକୁ ଡରି।

ମାହୁନ୍ତ ଉପରେ ହାତୀ ଚଢ଼ିଯାଏ
ଦିନ ଦିପହରରେ ଚମକେ ତାରା
ଘାସ ଖାଇଗଲା ଗାଈ ବାଛୁରୀକୁ
ରାତିରେ ପଡ଼ୁଛି ଡାହାଣୀ ଖରା।

ପଥର ଭାସୁଛି ପୋଖରୀ ଉପରେ
ଦୁଇ ଦୁଇ ମିଶି ହୋଇଲା ତେର
ମଲା ଲୋକ ବସି ସିଗାରେଟ୍ ପିଏ
ପୁଲିସ ବାଲାକୁ ଧରିଲା ଚୋର।

ଅଧାରାତି ହେଲା ନିଦ ଆସୁନାହିଁ
ଆଖି ମେଲା କରି ଖଟରେ ପଡ଼ି
ଦୁନିଆ ଯାକର ବାଜେ କଥା ସବୁ
ସପନକୁ ମୋର ଆସୁଛି ମାଡ଼ି।

ଅନାବନା ॥ ୧୨
ଜୀବ ଅଜୀବ
ଅତି ଭୋକେ ଲୋକ ଖାଇଲେ କୋଇଲି
ଚୋର ନେଇଗଲା କଜଳପାତି
ମାଙ୍କଡ ଆସିଲା ମାଙ୍କଡି ଲଗାଇ
ବନ୍ଧୁକ ଘୋଡାକୁ ଟିପିଲା ପାତି
ଘୁଷୁରି ଘୁଷୁରି କିଛି ବାଟ ଯାଇ
ହାତୀଅନ୍ଧ ପାଖେ ମରିଲା ହାତୀ |
ଗଧ କାଉ

ଗଧ କହିଲା, ରେ କାଉ
କେଡେ ସୁନ୍ଦର ତୁ ଗାଉ
ମନ ପୂରି ଯାଏ ଗଳା ଶୁଣି ତୋର
ଯେବେ କରୁ ରାଉ ରାଉ |

କାଉ କହିଲା, ରେ ଗଧ
ମୁହଁ ତୋ ପୁନେଇ ଚାନ୍ଦ
କି ଭଳି ସୁନ୍ଦର ରୂପକୁ ପାଇଛୁ
ଦେଖି ଦେଲେ ମନ ବୋଧ |

ଓଟ


ଓଟରେ ଓଟ
ବେକ ପିଠି ତୋର ଛୋଟ କି ମୋଟ ?

ନଡ଼ ନଡ଼ ଚାଲି ଲହଲହକା
ଯୁଆଡୁ ଦେଖିଲେ ଦିଶଇ ବଙ୍କା

ବେଢଙ୍ଗ ବେଢବ ବେଜାର ମାପ
କିଏ ଦେଲା ତତେ ଏ ଭଳି ରୂପ ?

ଘୋଡା


ଏକମାତ୍ର ଜନ୍ତୁ ମିଛିମିଛିକା
ଡିମ୍ବ ଦିଏ ବୋଲି ଜଣା
କିଣା ହୋଇଥାଏ ଛ' ଟଙ୍କାରେ କିନ୍ତୁ
ଖାଏ ନ' ଟଙ୍କାର ଦାନା ।
ସରି ନୁହେଁ ସିଏ ଯୋଡାକୁ
ଦେଖିଚ ଏ ଭଳି ଘୋଡାକୁ ?

ଦେଖରେ ଦେଖ

ଦେଖରେ ଦେଖରେ ଦେଖ
କାନ୍ଥରେ ଘଡି ଏକ ।

ମୂଷା ଗଲା ତାକୁ ଚଢି
ଏକ ବଜାଇଲା ଘଡି
ମୂଷା ଗଲା ତଳେ ପଡି
ପଳାଇଲା ଡରି ମରି ।

କନ୍ଥରେ ଘଡି ଏକ
ଦେଖରେ ଦେଖରେ ଦେଖ ।

ଅଜବ ଜୀବ

ଓଟକୁ ଯଦି ଭାବୁଚ ତମେ
ଅଜବ ଜୀବ ଏକ
ଓକାପି ଲ୍ଲାମା ଜିରାଫ ୟାକ
ହିପୋପଟାମସ ଦେଖ ।

ଠେକୁଆ କଇଁଛ

ଠେକୁଆ କଇଁଛ ବାହାରିଲେ ଦିନେ ଦୌଡାରେ ନେଇ ଭାଗ
ପ୍ରାଇଜ ପାଇବ ସେ ପାଖରେ ଯାଇ ପହଞ୍ଚିବ ଯିଏ ଆଗ ।

ଦଉଡି ଦଉଡି ଅଧାବାଟ ଯାଇ ଦେଖି ବରଗଛ ଛାଇ
କଇଁଛ ରହିଛି ଅନେକ ପଛରେ ଠେକୁଆ ପଡିଲା ଶୋଇ ।

ଧୀରେ ଅତି ଧୀରେ କଇଁଛ ଚାଲିଛି ହୋଇଗଲା ବାଟ ଅଧା
ବରଗଛ ତଳେ ଠେକୁଆକୁ ଟପି ଆଗକୁ ଚାଲିଲା ସିଧା ।

ଦେଖୁଥିବା ଲୋକେ କହିଲେ ଏଥର କଇଁଛ ଜିଣିବ ଏକା
ମଠ ହେଉ ପଛେ ଲାଗି ରହିଥିଲେ ଜିତାପଟ ତାକୁ ଲେଖା ।

ଏତେବେଳେ ଠିକ ଠେକୁଆ ହାତରେ ବାଜିଲା ଆଲାର୍ମ ଘଡି
ଧଡପଡ ହୋଇ ଗହନ ନିଦରୁ ଉଠିଲା ସେ ଆଖି ମଳି ।

ଦେଖିଲା ଯାଉଛି କଇଁଛ ଆଗରେ ପାଦରେ ପାଦକୁ ମାପି
କୁଦା ମାରି ଗଲା ଠେକୁଆ ତାହାକୁ ସହଜରେ ଗଲା ଟପି ।

ଠେକୁଆର ହେଲା ଜିତାପଟ, ଗଲା କଇଁଛ ବିଚରା ହାରି
ନୀତି କଥା ଯାହା ଶୁଣିଥିଲେ ଲୋକେ ସବୁ ଗଲା ଜଳି ପୋଡି ।

ନୂଆ ନୀତିଶିକ୍ଷା :
ଦଉଡକୁ ଦଉଡ ଆରାମକୁ ଆରାମ
ଜିତାପଟ ହେଲା ଯାର ତା ନାଁ ଆଲାର୍ମ ।

ଲୋକଟି

ତରତର ହୋଇ ଗଲାବେଳେ ଦିନେ
         ନିତି ଦିନିଆ ମୋ ବାଟରେ
ସେଇ ଲୋକଟିକୁ ଭେଟିଲି ମୁଁ ଯିଏ
         ନ ଥିଲା ସେ ଦିନ ସେଠାରେ ।

ଆଜି ବି ନ ଥିଲା ସେ ବାଟରେ ସିଏ
         କେଜାଣି କି ହେବ କାଲିକି
ମରୁଛି ମୁଁ ଭାବି କିଏ ସେଇ ଲୋକ
         ମୋ ପଛେ ଲାଗିଛି କାହିଁକି ।

ହାତ ଦେଖା ହାତୀ

କଳା କନା ବାନ୍ଧି ଆଖିରେ ତାର
ପଚାରିଲେ ତାକୁ କେ ଅଛି ଆଗରେ
ଛୁଇଁ ଦେଇ ଖାଲି କହି କି ପାର ?

ଛୁଇଁଲା ସବୁ ସେ ହାତକୁ ବଢାଇ
ଆଗ ପଛ ବାଁ ଡାହାଣ ହାତି
ଅନେକ ବିଚାରି କହିଲା ଶେଷକୁ
ଏଇଟି ଗୋଟିଏ ବିରାଟ ହାତୀ ।

ଆଖିରୁ ଖୋଲିଲା କଳାକନା ଯେବେ
ଅନାଇ ଦେଖିଲା ଭଲାରେ ଭଲା
ଆଗରେ ରହିଛି କାନ୍ଥ, ଚାରି ଖମ୍ବ
ଗୋଟିଏ ଦଉଡି ଦୁଇଟି କୁଲା ।

ବୁଝିଲା ସେ ଏକ ଗଧ
ବୁଦ୍ଧି ବିଚାରରେ ନିପଟ ଜଳକା
ଆଖି ଥାଉ ଥାଉ ଅନ୍ଧ ।

ରମା ଓ ରାମ

ସକାଳେ ଦିନେ   କୂଅ ମୂଳକୁ
ପାଣି ଆଣିବା ପାଇଁ
ବାଲଟି ଧରି   ଭାଇ ଭଉଣୀ
ଦି ଜଣ ଥିଲେ ଯାଇ ।

ଗୋଡ ଖସଡି   ପଡିଲା ରାମ
ଉଠିଲା ନାହିଁ ଜମା
ଘରକୁ ଦୁଇ   ବାଲଟି ପାଣି
ଆଣିଲା ଏକା ରମା ।

କିଏ କୁଆଡେ ଗଲା

ଅ ଗଲା ଅଠରନଳା ଦେଖିବ ବୋଲି ରଥ
ଆ ଗଲା ଆଠଗଡ କାଟିବ ବୋଲି କାଠ ।

ଇ ଗଲା ଇରମ ସେଠି ଖାଇବ ଲୁଣ ରାନ୍ଧି
ଉ ଗଲା ଉମରକୋଟ ଓଭରକୋଟ ପିନ୍ଧି ।

ଏ ଗଲା ଏରସମାକୁ ଚୂଡା ଚାଉଳ ନେଇ
ଓ ଗଲା ଓଲଟପୁର ହାତ ଯୋଡିବା ପାଇଁ ।

ସୁବିଧା ନାହିଁ ଆଖ ପାଖରେ ରଖିବା ପାଇଁ ପାଦ
ଔ ତେଣୁ ପଳାଇ ଗଲା ଔରଙ୍ଗାବାଦ ।

ଡିନର

ନାଁ ମିଷ୍ଟର କକ୍, ନୁହେଁ ସାମାନ୍ୟ ସେ ପକ୍ଷୀ
ଲାଲ ଟୋପି ପିନ୍ଧି ମୁହଁ ଉପରକୁ ଟେକି
ଆଖି ତାର ଜକ ଜକ
କରୁଥିଲା ବକ ବକ
ଚାଲୁଥିଲା ଧପ ଧପ ତଳକୁ ନ ଦେଖି ।

କିଏ ପଚାରିଲା, ଭାଇ, କିଆଁ ତରତର
ମୁହଁ ବଙ୍କାଇ କହିଲା, ଅଛି ମୋ ଡିନର
ରାତି ଠିକ ଆଠ ବେଳେ
ଫାଇଭ ଷ୍ଟାର ହୋଟେଲରେ
ବାଜେ କଥା ଏତେବେଳେ ଆଉ ନ ପଚାର ।

ଏଇ ଭଳି ମିଷ୍ଟର କକ୍ ଠିକ ସମୟରେ
ସିଧା ପହଞ୍ଚିଲେ ଯାଇ ଟେବୁଲ ଉପରେ ।

ଭେକ


ସିଂହ ସେ ନୁହେଁ ବସେ ରାଜା ଭଳି ଠାଣିରେ
ମାଛ ନୁହେଁ ରହିପାରେ ପୋଖରୀର ପାଣିରେ ।

ବାଘ ନୁହେଁ ଜାଗା ଜାଗା କୁଦା ମାରି ଯାଏ
ନେଉଳ ନୁହେଁ ସେ ହେଲେ ବୁଦା ପାରି ଥାଏ ।

ଚୋର ନୁହେଁ ସାରା ରାତି ଶୁଏ ନାହିଁ ଜମା
ବାବାଜୀ ନୁହେଁ ସେ ଥାଏ ଜପରେ ନିକମା ।

ନଈରେ ପହଁରି ପାରେ ନୁହଇ ସେ ବେଙ୍ଗ
ଅଦ୍‌ଭୁତ ଭେକ ତାର ସେ ହେଉଛି ବେଙ୍ଗ ।

ଯୋଡାକୁ ଘୋଡା


ଦିଅଁ ଗଢୁ ଗଢୁ ମାଙ୍କଡ ହେଲା
ବଡ଼ ହୋଇଗଲା ଛୋଟ
ଚାରିଜଣ ମିଶି ଆଙ୍କିଲେ ଘୋଡା
ଦିଶିଲା ସେ ଠିକ ଓଟ ।