ପୃଷ୍ଠା:Odisha Itihasa.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୋମବଂଶ

ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଯେତେବେଳେ ଭୌମକର ରାଜବଂଶ ତୋଷାଳୀରେ ରାଜତ୍ୱ କଲେ, ତା'ର କିଛି କାଳ ଆଗରୁ ସପ୍ତମ ଶତାବ୍ଦୀର ଶେଷ ଆଡ଼କୁ ଦକ୍ଷିଣ କୋଶଳରେ ସୋମବଂଶର ଅଭ୍ୟୁତ୍‌ଥାନ ହେଲା। ଆଧୁନିକ ଛତିଶଗଡ଼ର ରାୟପୁର, ବିଳାସପୁର ଓ ରାୟଗଡ଼ର କିଛି ଅଂଶକୁ ନେଇ ସେତେବେଳେ ଦକ୍ଷିଣ କୋଶଳ ରାଜ୍ୟ ଗଠିତ ହୋଇଥିଲା। କାଳକ୍ରମେ ଏହି ବଂଶ ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିସ୍ତାର କଲେ ଏବଂ ଓଡ଼ିଶାରେ ଥିବା କ୍ଷୁଦ୍ର ରାଜ୍ୟଗୁଡ଼ିକୁ ଅଧିକାରଭୁକ୍ତ କଲେ। ଭୌମମାନଙ୍କର ରାଜ୍ୟ ଧୀରେ ଧୀରେ ସୋମବଂଶୀମାନଙ୍କ କର୍ତ୍ତୃତ୍ୱକୁ ଗଲା। ଭୌମ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ସୋମବଂଶୀମାନେ ଅଧିକାର କରିନେଇ ପ୍ରାକୃତିକ ଓଡ଼ିଶାର ବହୁ ଅଂଶକୁ ଏକଶାସନାଧୀନ କଲେ। ଦୀର୍ଘ ତିନି ଶତାବ୍ଦୀ ଧରି ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କଲେ ଏବଂ ସେଠାରେ ପ୍ରାୟ ଏକ ପ୍ରକାରର ରାଜନୀତି, ଶାସନ ଓ ସଂସ୍କୃତି ନିର୍ମାଣ କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ ଖାରବେଳଙ୍କ ସାମ୍ରାଜ୍ୟ ହୁଏତ ପ୍ରାଚୀନ କାଳର ଏକ ବିଶାଳ ରାଜ୍ୟ ଥିଲା। ମାତ୍ର ତା'ପରେ ସୋମବଂଶୀମାନେ ହିଁ ସମଗ୍ର ଓଡ଼ିଶାକୁ ଏକଶାସନାଧୀନ କଲେ ଓ ସେଠାରେ ଏକ ବିଶାଳ ସାମ୍ରାଜ୍ୟ ଗଠନ କଲେ। ସେତିକି ବିଶାଳ ରାଜ୍ୟ ଅତୀତରେ ଓଡ଼ିଶାରେ ଆଉ କେବେ ଗଠିତ ହୋଇ ନଥିଲା। ଏହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟକାଳର ଆରମ୍ଭରେ ଯେଉଁ ଭିତ୍ତି ପଡିିଲା, ତାହାର ମୁଖ୍ୟ ଶ୍ରେୟ ଯିବ ସୋମବଂଶୀମାନଙ୍କୁ।

ପ୍ରଥମେ, ସୋମବଂଶୀମାନେ ଦକ୍ଷିଣ କୋଶଳରେ ସୀମାବଦ୍ଧ ଥିଲେ। ଆଧୁନିକ ଛତିଶଗଡ଼ର ଶିରପୁର ଥିଲା ସେମାନଙ୍କର ରାଜଧାନୀ। ଦକ୍ଷିଣ କୋଶଳରେ ରାଜୁତି କରିବା ପୂର୍ବରୁ ସେମାନେ ପାଣ୍ଡୁବଂଶ ଭାବରେ ପରିଚିତ ଥିଲେ। ଶରଭପୁରୀୟଙ୍କ ଅଧୀନରେ ପ୍ରାଶାସନିକ ଅଧିକାରୀ ରୂପେ ରାଜନୀତି ଆରମ୍ଭ କରି କାଳକ୍ରମେ ସେମାନେ ରାଜପରିବାର ସହ ବିବାହ ସମ୍ବନ୍ଧ ସ୍ଥାପନ କଲେ।୬୨ . ଓଡ଼ିଶା ଇତିହାସ