Jump to content

ପୃଷ୍ଠା:Odisha Itihasa.pdf/୩୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲା । ଓଡ଼ିଶାରେ ୧୯୪୬ ଏପ୍ରିଲ୍‍ରେ ବିଧାନସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ମୋଟ ୬୦ଟି ଆସନରୁ କଂଗ୍ରେସ ପ୍ରାର୍ଥୀ ୪୭ଟି ଆସନରେ, ମୁସଲିମ୍‍ ଲିଗ୍‍ ୪ଟି ଆସନରେ, କମ୍ୟୁନିଷ୍ଟ ଗୋଟାଏ ଆସନରେ ଏବଂ ସ୍ୱାଧୀନ ସଭ୍ୟ ୪ଟି ଆସନରେ ଜୟଯୁକ୍ତ ହେଲେ । ଏମାନଙ୍କ ବ୍ୟତୀତ ୪ଜଣ ସଭ୍ୟ ବିଧାନସଭାକୁ ମନୋନୀତ ହୋଇ ଯାଇଥିଲେ । ସେମାନଙ୍କ ମନୋନୟ ବେଳେ ସଂଖ୍ୟାଗରିଷ୍ଠ ଦଳ ଭାବରେ କଂଗ୍ରେସର ମତ ନିଆଯାଇଥିଲା । କଂଗ୍ରେସର ଏହି ଅଭୂତପୂର୍ବ ନିର୍ବାଚନୀ ସଫଳତାଠାରୁ ମଧ୍ୟ ଅଧିକ ଚମକପ୍ରଦ ଥିଲା ପୂର୍ବରୁ ସରକାର ଗଢ଼ିଥିବା ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟ ଦଳ ମିଳିତ ଜାତୀୟ ଦଳ (United National Party) ଓ ଓଡ଼ିଶା ପ୍ରଜା ଦଳ(Orissa Peoples' Party) ର ଦାରୁଣ ପରାଜୟ । ଉଭୟ ଦଳକୁ ନିର୍ବାଚନରେ ଗୋଟାଏ ସୁଦ୍ଧା ଆସନ ମିଳିଲା ନାହିଁ । ୧୯୪୬ ଏପ୍ରିଲ୍‍ ୨୩ ତାରିଖରେ ହରେକୃଷ୍ଣ ମହତାବଙ୍କ ପ୍ରଧାନମନ୍ତ୍ରିତ୍ୱରେ କଂଗ୍ରେସ ଦ୍ୱିତୀୟଥର ଲାଗି ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ କଲା । ଏହି ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମୋଟ ୪ ଜଣ ମନ୍ତ୍ରୀ ରହିଥିଲେ । ସେମାନେ ହେଲେ ନବକୃଷ୍ଣ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନିତ୍ୟାନନ୍ଦ କାନୁନ୍‌ଗୋ ଏବଂ କୋରାପୁଟର କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ । ଏମାନେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ବାରମ୍ବାର ଜେଲ ଦଣ୍ଡ ଭୋଗିଥିଲେ । ବିଧାନସଭାର ବାଚସ୍ପତି ହେଲେ କଂଗ୍ରେସର ଲାଲମୋହନ ପଟ୍ଟନାୟକ ଓ ଉପବାଚସ୍ପତି ହେଲେ ଏ. ଲକ୍ଷ୍ମୀବାଈ । ପ୍ରଧାନମନ୍ତ୍ରୀ ମହତାବ ନିଜ ହାତରେ ଗୃହ ବିଭାଗ, ଅର୍ଥ ବିଭାଗ, ଯୋଜନା ଓ ନିର୍ମାଣ ବିଭାଗ ରଖିଥିଲେ । ଜଣେ ସମାଜବାଦୀ ନେତା ଭାବରେ ବହୁ ପରିଚିତ ନବକୃଷ୍ଣ ଚୌଧୁରୀଙ୍କ ଦାୟିତ୍ୱରେ ରାଜସ୍ୱ, ଯୋଗାଣ ଓ ପରିବହନ ବିଭାଗ ରହିଲା । 'ସମାଜ' ପତ୍ରିକାର ସଂପାଦକ ଦାୟିତ୍ୱରେ ରହିଥିବା ତଥା ସତ୍ୟବାଦୀ ଗୋଷ୍ଠୀର ଅଂଗ ହୋଇଥିବା ଲିଙ୍ଗରାଜ ମିଶ୍ର ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗ ଦାୟିତ୍ୱରେ ଥିଲେ ଏବଂ ନିତ୍ୟାନନ୍ଦ କାନୁନ୍‌ଗୋ ଆଇନ ବିଭାଗ ଦାୟିତ୍ୱରେ ଥିଲେ । ରାଧାକୃଷ୍ଣ ବିଶ୍ୱାସରାୟଙ୍କୁ ପୂର୍ତ୍ତ ବିଭାଗ, ବାଣିଜ୍ୟ ବିଭାଗ ଓ ଶ୍ରମ ବିଭାଗର ଦାୟିତ୍ୱ ଦିଆଯାଇ ଥିଲା । ମହତାବ ମନ୍ତ୍ରିମଣ୍ଡଳରେ ଜଣେ ମୁସଲିମ ସଦସ୍ୟଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ସାଂପ୍ରଦାୟିକ ସଦ୍‍ଭାବ ରକ୍ଷା ନିମନ୍ତେ ଏହାର ଆବଶ୍ୟକତା ମଧ୍ୟ ଥିଲା । କଟକରେ ସୟଦ ବରକତୁଲ୍ଲାଙ୍କ ନେତୃତ୍ୱରେ ମୁସ୍‍ଲିମ୍‍ ଲିଗ୍‍ରୁ ବାହାରି ଆସି ଏକ ଗୋଷ୍ଠୀ କଂଗ୍ରେସର କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲା, ଯାହାର ଅର୍ଥ ହେଲା ଦେଶର ବିଭାଜନକୁ ବିରୋଧ କରିବା । ମାତ୍ର ନାନା କାରଣରୁ ଜଣେ ମୁସଲିମ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇ ପାରିଲା ନାହିଁ । ଏସବୁ ସତ୍ତ୍ୱେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳ ସଚ୍ଚା ଦେଶପ୍ରେମୀଙ୍କର ଗୋଷ୍ଠୀ ବୋଲି ଲୌକିକ ସ୍ତରରେ ସ୍ୱୀକୃତି ପାଇଲା । ମନ୍ତ୍ରିମଣ୍ଡଳ ଗଠନ ବେଳେ ଓଡ଼ିଶାର ରାଜ୍ୟପାଳ ଥିଲେ ଚନ୍ଦୁଲାଲ ମାଧବଲାଲ ଦ୍ୱିବେଦୀ । ଜଣେ ଦକ୍ଷ ସେନା ପ୍ରଶାସକ ଓ ଶୃଙ୍ଖଳାପସନ୍ଦ ବ୍ୟକ୍ତି ଭାବରେ ତାଙ୍କର ଖ୍ୟାତି ଥିଲା । ମନ୍ତ୍ରିମଣ୍ଡଳ ଗଠନରେ ସେ କୌଣସି ହସ୍ତକ୍ଷେପ ନ କରି ଏକ ନୂଆ ପରଂପରା ସୃଷ୍ଟି କଲେ, ଯାହା ପରେ ମଧ୍ୟ ଅତୁଟ ରହିଲା ।୩୩୦ . ଓଡ଼ିଶା ଇତିହାସ