ପ୍ରସ୍ତାବତ ଥିଲା ସବୁ ଆଲୋଚନାର କେନ୍ଦ୍ରବିନ୍ଦୁ । କେନ୍ଦ୍ରବିନ୍ଦୁ ନିର୍ଦ୍ଦିଷ୍ଟ ଥିଲେ ସୁଦ୍ଧା ସେଥିପାଇଁ ପଥ ଓ ପନ୍ଥା ନେଇ ସମସ୍ତଙ୍କ ମତରେ ଐକ୍ୟ ନଥିଲା । କିନ୍ତୁ ସମସ୍ତେ ସହୃଦୟତାର ସହିତ ଅନ୍ୟକୁ ବୁଝିବାକୁ ଚେଷ୍ଟାଶୀଳ ଥିଲେ ଏବଂ ତେଣୁ ପ୍ରତ୍ୟେକ ମତର ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିଲେ ପ୍ରକାଶ୍ୟ ଭାବରେ ।
ସେତିକିବେଳେ ପାରଳା ମହାରାଜାଙ୍କର ଉଗ୍ରଜାତୀୟ ଚେତନାର ଉଦ୍ଗୀରଣ ତୁଙ୍ଗ ନେତା ମଧୁବାବୁଙ୍କ ସମେତ ଅନେକଙ୍କୁ ବିସ୍ମିତ କରାଇ ଦେଇଥିଲା । ସେ ଯାବତ୍ ଉତ୍କଳ ସମ୍ମିଳନୀ ତଥା ଓଡ଼ିଆ ଆନ୍ଦୋଳନକାରୀଗଣଙ୍କ ପ୍ରମୁଖ ଦାବି ଥିଲା ବିଛିନ୍ନ ହୋଇ ରହିଥିବା ସବୁ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଯେ କୌଣସି ଗୋଟିଏ ପ୍ରାଦେଶିକ ଶାସନ ସହିତ ଯୁକ୍ତ କରାଯାଉ । କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଆଉ ପାଦେ ଆଗେଇ ଯାଇ ମତ ପ୍ରଦାନ କରିଥିଲେ ଯେ ସବୁ ଓଡ଼ିଆ ଅଞ୍ଚଳର କେବଳ ଏକୀକରଣ ନୁହେଁ, ତତ୍ ସହିତ ଆମର ଦାବି ହେଉ ସେହିଭଳି ଏକୀକୃତ ଅଞ୍ଚଳ ସବୁକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଏବଂ ଉତ୍କଳ ସମ୍ମିଳନୀ ତତ୍ପରଠାରୁ ଯଥାର୍ଥଭାବେ ସେହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପଦକ୍ଷେପମାନ ନେବା ଆବଶ୍ୟକ ।
ହେଲେ ମହାରାଜାଙ୍କ ସେହି ମତ କିଛି ତୁଙ୍ଗ ସଂଗଠକଙ୍କୁ ଯଥାଯୋଗ୍ୟ ମନେ ହୋଇ ନଥିଲା; ଏପରିକି ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ମଧୁବାବୁ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ ପ୍ରମୁଖ । ତାଙ୍କରି ମତ ଥିଲା, ସେତେବେଳେ ଏକ ସ୍ୱତନ୍ତ୍ର ପ୍ରଦେଶଦାବି କରାଗଲେ ବ୍ୟୟବହୁଳତା ଆଳରେ କେନ୍ଦ୍ର ସରକାର ସେଭଳି ପ୍ରସ୍ତାବକୁ ସହଜରେ ପ୍ରତ୍ୟାଖ୍ୟାନ କରି ଦେଇ ପାରିବେ । କିଂତୁ ଆପଣା ମତକୁ ସିଦ୍ଧ କରାଇବାପାଇଁ ମହାରାଜାଙ୍କ ଯୁକ୍ତି ଥିଲା- ଲୁହା ତାତିଲା ଅବସ୍ଥାରେ ଥିବାବେଳେ ପାହାର ବସାଇ ଅଭିଳଷିତ ଦ୍ରବ୍ୟ ତିଆରି କରାଯାଇପାରେ । ତେଣୁ, ସାଂପ୍ରତିକ ପ୍ରଥମ ବିଶ୍ୱଯୁଦ୍ଧକାଳୀନ ବିଷମ ପରିସ୍ଥିତିରେ ପଡ଼ି ଆମ୍ଭମାନଙ୍କର ସହଯୋଗ କାମନା କରୁଥିବା ବ୍ରିଟିଶ୍ ସରକାରଙ୍କୁ ବର୍ତ୍ତମାନ ସମର୍ଥନ ଜଣାଇ 'ଦେଇଥିଲେ ପାଇ' ନୀତିରେ ପରେ ପରେ ଆମେ ସେମାନଙ୍କଠାରୁ କିଛ ପାଇବାପାଇଁ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ । ବର୍ତ୍ତମାନ ସେଇ ସୁଯୋଗ ଉପସ୍ଥିତ ଏବଂ ତାହାକୁ ହାତଛଡ଼ା କରିବା ଉଚିତ ହେବନାହିଁ ।
ଯଦିବା ମଧୁବାବୁଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ବ ତଥା ନେତୃତ୍ତ୍ୱ ସହିତ ସେତେବେଳକାର ଜଣେ ନବଯୁବକ କୃଷ୍ଣଚନ୍ଦ୍ରଙ୍କୁ ସମତୁଲ ମନେକରାଯିବାର ଅବକାଶ ନଥିଲା, ତଥାପି ସେହି ମତାମତ ପ୍ରତି ସେଠି ସମବେତ ନେତୃମଣ୍ଡଳୀରୁ କେତେଜଣ ସମର୍ଥନ ଜଣାଇଥିଲେ । ଗୋପବନ୍ଧୁ, ଶଶି ରଥ, ଫକୀରମୋହନ, ବ୍ରଜସୁନ୍ଦର, ଜଗବନ୍ଧୁ ସିଂହ, ମାଂଜୁଷା ତଥା ଧରାକୋଟର ରାଜାଗଣଙ୍କ ସମେତ ଆହୁରି ଅନେକେ ଯୁବକରାଜାଙ୍କ ଯୁକ୍ତିକୁ ଯଥାର୍ଥ ବିବେଚନା କରିଥିଲେ । ସେହି ପ୍ରସ୍ତାବର ଅଧିକ ଅଲୋଚନା ପରେ ମଧୁବାବୁ ମଧ୍ୟ ତାହାକୁ ସମର୍ଥନ ଜଣାଇଥିଲେ । ବାସ୍ତବରେ ତାହା ହିଁ ଥିଲା ପାରଳା ମହାରାଜାଙ୍କ ହାର୍ଦ୍ଦିକ କାମନା ଏବଂ