ଦାସ (୧୨୨) ଏବଂ ଗୋଦାବରୀଶ ମହାପାତ୍ର । (୧୨୩) ସେ ବିବାହର ପ୍ରସ୍ତାବନା ପାଇଁ ସାହିତ୍ୟ ଦର୍ପଣର ବିଶ୍ୱାଥ କବିରାଜ କାଶ୍ମୀର ଯାଇଥିବା କଥା କହିଛନ୍ତି । କରୁଣାସାଗର କହିଛନ୍ତି, ଏହାର କୌଣସି ଐତିହାସିକ ସତ୍ୟତା ନାହିଁ; କାରଣ ବିଶ୍ୱନାଥ କବିରାଜ, ନରସିଂହଙ୍କ ପିତା ଅନଙ୍ଗଭୀମଦେବଙ୍କ ସମସାମୟିକ ନୁହନ୍ତି । ନୀଳକଣ୍ଠ ଦାସ ଓ ଗୋଦାବରୀଶ ମହାପାତ୍ର ହୁଏତ କୌଣସି କିମ୍ବଦନ୍ତୀରୁ କାବ୍ୟ ରଚନା କରିଛନ୍ତି କିନ୍ତୁ ଗଳ୍ପଟି ମଧ୍ୟରେ କ'ଣ ଲୁକ୍କାୟିତ ଅଛି ନରସିଂହ ଦେବଙ୍କର ସର୍ବଭାରତୀୟ ହିନ୍ଦୁରାଜ୍ୟର ପରିକଳ୍ପନା ?
ବୈବାହିକ ସମ୍ପର୍କ ଦ୍ୱାରା ରାଜ୍ୟ ବିସ୍ତାରର ପରିକଳ୍ପନା ଯେବେ ଥିଲା, ତେବେ ଉତ୍ତର ପ୍ରାନ୍ତରେ ଅର୍ଥାତ୍ ବଙ୍ଗଦେଶରେ ସେପରି ସଂପର୍କ ଗଢ଼ିଲେ ନାହିଁ କାହିଁକି ? ଅବଶ୍ୟ ତାଙ୍କ ସମୟର ମାତ୍ର ୩୭ ବର୍ଷ ପୂର୍ବେ (୧୨୦୧ ଖ୍ରୀଷ୍ଟାବ୍ଦରେ) ରାଜା ଲକ୍ଷ୍ମଣ ସେନ୍ ମହମ୍ମଦ ବକ୍ତିଆର ଖଇଲିଜି ଦ୍ୱାରା ନବଦ୍ୱୀପରୁ ବିତାଡ଼ିତ ହୋଇଥିଲେ ଏବଂ ସେନ ବଂଶର କତିପୟ ନରପତି, ସେଇ ବୈବାହିକ ସମ୍ପର୍କର ଖିଅ ଧରି ଉତ୍ତର ଭାରତ ଓ ହିମାଳୟର ପଶ୍ଚିମାଞ୍ଚଳରେ ରାଜ୍ୟ ବିସ୍ତାର କରିଥିଲେ (ସୁନ୍ଦରନଗର, ମଣ୍ଡି, କେଉଁନ୍ଥଲ, କିଶତୟାର, କୁଲୁ ଇତ୍ୟାଦି) ।(୧୨୪) ଦେଶକୁ ପ୍ରତ୍ୟାବର୍ତ୍ତର ପରିକଳ୍ପା ସେମାନଙ୍କର ରହିପାରିଥାଏ । ଏ ଦିଗରେ ଆହୁରି ଗବେଷଣା ହେବାର ପ୍ରୟୋଜନ ଅଛି ।
ସେ ଯୁଗରେ ଜୀବନୀ ଲେଖିବାର ପ୍ରଚଳନ ନଥିଲା । କିନ୍ତୁ ଭାଟ ମୁଖରେ ଗୀତି କବିତା ବୋଲିବାର ପରମ୍ପରା ଥିଲା । ଏ ଦିଗରେ ଅତି ପଲ୍ଲବାୟିତ ଢ଼ଗ ଛଡ଼ା କିଛି ମିଳୁ ନାହିଁ । ତେବେ କବି ବିଦ୍ୟାଧର ଏକାବଳୀ କବିତାମାଳାରେ ନରସିଂହଦେବଙ୍କୁ ନାନା ଗୁଣରେ ଭୂଷିତ କରିଛନ୍ତି । ନରସିଂହଦେବଙ୍କ ଜୀବନୀ କିନ୍ତୁ ଲେଖା ରହିଛି ବିସ୍ତୃତ ଭାବେ କୋଣାର୍କ ଦେଉଳର ପଥର ଦେହରେ । ଏଇଥି ଯୋଗୁଁ ଅନେକେ କହିଥା'ନ୍ତି, ଏ ମନ୍ଦିର ନରସିଂହ ଦେବଙ୍କର ଆତ୍ମବିଜ୍ଞାପନ । ବଡ଼ ମଣିଷ ଚାରିପଟେ ପ୍ରକୃତ ଗୁଣଗ୍ରାହୀ ଓ ତୋଷାମଦକାରୀ ଦୁଇଶ୍ରେଣୀର ଲୋକ ଜମି ଥାଆନ୍ତି ।
କଥିତ ଅଛି ନରସିଂହଦେବଙ୍କ ମେରୁଦଣ୍ଡର ଶେଷ ଭାଗ ବର୍ଦ୍ଧିତ ଥିଲା ।(୧୨୫) କରୁଣାସାଗର ସମେତ ବହୁ ଐତିହାସିକ ଏହା ମାନିବାକୁ ନାରାଜ । ମନେହୁଏ ସେ ସମୟର ପ୍ରଥାନୁଯାୟୀ ରାଜାଙ୍କର ଅତିଗୁଣ କୀର୍ତ୍ତ କରିବାକୁ ଯାଇ ଏହା ଘଟିଛି । ଷ୍ଟାର୍ଲିିଂ ପାଇଥିବା ଗୋଟିଏ ବଂଶାବଳୀରୁ ମିଳୁଛି, ଏ ଯୁବରାଜ (ନରସିଂହଦେବ) ଏତେ ଶକ୍ତିଶାଳୀ ଥିଲେ ଯେ ମୁଷ୍ଟ୍ୟାଘାତରେ ପଥର ଭାଙ୍ଗି ପାରୁଥିଲେ ଏବଂ ରାଗିଗଲେ ଆଖଇରୁ ରକ୍ତ ଝରି ପଡୁଥିଲା ଏବଂ ଦିଶୁଥିଲେ ଉତ୍ତୋଳିତ ପୁଚ୍ଛ ସିଂହ ପରି ।(୧୨୬) ମନେହୁଏ, କବି କଳ୍ପା କୌଣସି ସମୟରେ ଜନପ୍ରିୟ କିମ୍ବଦନ୍ତୀରେ ପରିଣତ ହୋଇଯାଇଛି । ଏକଥା କିନ୍ତୁ ଅନସ୍ୱୀକାର୍ଯ୍ୟ ଯେ ପ୍ରଥମ ନରସିଂହଦେବ ଜଣେ ବିକ୍ରମୀ ପୁରୁଷ ଥିଲେ । ତାହା ହୋଇନଥିଲେ, ମାତ୍ର ୧୮ ବର୍ଷ ବୟସରେ ପିତା ଅନଙ୍ଗଭୀମ ତାଙ୍କୁ ଯୁଦ୍ଧ କରିବାକୁ ପଠାଇ ନଥାଆନ୍ତେ । ଲିଙ୍ଗରାଜ ମନ୍ଦିର ଗାତ୍ରରେ ଲିଖିତ ଶିଳାଲିପି କଥା ପୂର୍ବରୁ କୁହାଯାଇଛି । ଏଥିରେ ଲିପିବଦ୍ଧ ହୋଇଛି, ଯୁଦ୍ଧରେ ନରସିଂହଦେବ ସ୍ୱୟଂ ଏପରି ଅସୀ ଚାଳନା କଲେ, ଯାହା ଦେଖି ଗଣପତିଙ୍କ ସେନାମୁଖ୍ୟମାନେ ଭୀତତ୍ରସ୍ତ ହୋଇ ପଳାୟ କଲେ । କବି ବିଦ୍ୟାଧର ତାଙ୍କ ରଚିତ 'ଏକାବଳୀ' ଗ୍ରନ୍ଥରେ ନରସିଂହଦେବଙ୍କ ଦାନ ଓ ସୌର୍ଯ୍ୟ ଗାନରେ ପଞ୍ଚ-ମୁଖ । ପଲ୍ଲବାୟିତ ବର୍ଣ୍ଣା ସତ୍ତ୍ୱେ ନରସିଂହଦେବ ଯେ ଜଣେ ଅସାମାନ୍ୟ ନରପତି ଥିଲେ ତାହା ଅନସ୍ୱୀକାର୍ଯ୍ୟ ।
କୋଣାର୍କ ମନ୍ଦିର ଗଢ଼ିବାର ଉଦ୍ଦେଶ୍ୟ :
ରାଜା ମହାରାଜାମାନେ ଦୁର୍ଗ ଗଢ଼ୁଥିଲେ ସୁରକ୍ଷା ପାଇଁ; ମନ୍ଦିର, ଜଳାଶୟ ଇତ୍ୟାଦି ଗଢ଼ୁଥିଲେ ନିଜର କୀର୍ତ୍ତିି ଅମର କରି ରଖିବାକୁ । ମନ୍ଦିର ଗାତ୍ରରେ, ଭକ୍ତ ରାଜା, ଯୋଦ୍ଧା ରାଜା, ଶିକାରୀ ରାଜା ଇତ୍ୟାଦି ନାନା ମୂର୍ତ୍ତିି ଗଢ଼ା ଯାଇଛି, କିନ୍ତୁ ସେ ସବୁ ସ୍ୱାଭାବିକ ଭାବେ ଆସିଛି ମନ୍ଦିର ନିର୍ମାଣ ସମୟରେ । ସ୍ମରଣ ଥିବ ଏ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଯୁଦ୍ଧ ପ୍ରତ୍ୟାଗତ ରାଜପୁତ୍ର ନରସିଂହଙ୍କ ଦ୍ୱାରା ମାତାଙ୍କ ଆଦେଶରେ । କୀର୍ତ୍ତିି ରଖିବାକୁ ଆହୁରି ବାକି ଅଛି ।
କରୁଣାସାଗର ଅନେକଗୁଡ଼ିଏ ତଥ୍ୟ ଉପସ୍ଥାପନ କରିଛନ୍ତି ।(୧୨୭) ଗଙ୍ଗବଂଶ ମୂଳତଃ ବୈଷ୍ଣବ- ଜଗନ୍ନାଥ ଭକ୍ତ ଥିଲେ । ଏହା ଅବଶ୍ୟ ଗୋଟିଏ କାରଣ ହୋଇପାରେ ନା, କାରଣ ରାଜା ପ୍ରଜାର ଇଚ୍ଛା ଅନୁଯାୟୀ ଅନ୍ୟ ଧର୍ମର ମନ୍ଦିର ଗଢ଼ିଛନ୍ତି । ଏହାର ଉଦାହରଣ ତାଙ୍କ ଦ୍ୱାରା ନିର୍ମିତ କପିଳାସ ମନ୍ଦିର । ଏହାଛଡ଼ା ସୂର୍ଯ୍ୟ ଓ ବିଷ୍ଣୁ ତ ଏକ, ଯେଉଁଥିପାଇଁ "ସୂର୍ଯ୍ୟ ନାରାୟଣ' କୁହାଯାଇଥାଏ । କୁହାଯାଉଛି ଗୋଟିଏ କାରଣ, କେତେ ବର୍ଷ ଧରି ସୂର୍ଯ୍ୟୋପରାଗର ପ୍ରାବଲ୍ୟ ଦେଖା ଦେଇଥିଲା ଏବଂ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଘଟିଥିଲା ୨୬ ସେପ୍ଟେମ୍ବର ୧୨୪୨ ଖ୍ରୀଷ୍ଟାବ୍ଦରେ । ଏହା ସୂର୍ଯ୍ୟଦେବଙ୍କ ଇଙ୍ଗିତ ଭାବି ତାଙ୍କ ଆରାଧନା ପାଇଁ ମନ୍ଦିରଟି ଗଢ଼ା ହେଲା । କାରଣଟି ଗ୍ରହଣଯୋଗ୍ୟ ମନେ ହେଉନାହିଁ କାରଣ ପ୍ରାରମ୍ଭିକ କାର୍ଯ୍ୟ ୧୨୪୨ର ବହୁ ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା । ଏପରି କି ୧୨୪୨ରେ ମନ୍ଦିର ନିର୍ମାଣ ଆରମ୍ଭ ହେବା ଯଦି ଧରାଯାଏ, ଯୋଜନା କାର୍ଯ୍ୟ ବହୁ ଆଗରୁ ଆରମ୍ଭ ହେବା ସ୍ୱାଭାବିକ । ଆଉ ଗୋଟିଏ କାରଣ କେତେକେ କୁହନ୍ତି, ନରସିଂହଦେବ ନିଜେ କୁଷ୍ଠ ରୋଗଗ୍ରସ୍ତ ଥିଲେ ଏବଂ ସୂର୍ଯ୍ୟଙ୍କ କୃପାରୁ ଶାମ୍ବଙ୍କ ଭଳି ସେଥିରୁ ମୁକ୍ତିପାଇ କୃତଜ୍ଞତା ସ୍ୱରୂପ ମନ୍ଦିରଟି ଗଢ଼ି ଦେଲେ । ବାରବର୍ଷ ଦୀର୍ଘ ଯୁଦ୍ଧ ଏବଂ ବିଶାଳ କର୍ମତତ୍ପରତା କଥା ଚିନ୍ତା କଲେ ଏ ମତ ଗ୍ରହଣଯୋଗ୍ୟ ମନେ ହେବ ନାହିଁ । ଆଉ ଗୋଟିଏ କାରଣ ଆଗତ କରାଯାଇଛି । ନରସିଂହଦେବ ସୂର୍ଯ୍ୟଙ୍କ କଲ୍ୟାଣରୁ ପୁତ୍ର ଲାଭ
ଅର୍କକ୍ଷେତ୍ର କୋଣାର୍କ . ୫୧