ପୃଷ୍ଠା:Arkakshetra konark.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

Indo-Aryan ସ୍ଥାପତ୍ୟ ମଧ୍ୟରେ ଓଡ଼ିଶା ଗୋଟିଏ ନିଜସ୍ୱ ସ୍ଥାନ କରିନେଇଛି ଯାହାକୁ କଳିଙ୍ଗ ସ୍ଥାପତ୍ୟ କୁହାଯାଏ । ଭାରତର ବିଭିନ୍ନ ପ୍ରାନ୍ତରେ ମୁଖ୍ୟ ଧାରା ସହିତ ଦ୍ରାବିଡ଼ ଏବଂ ଅନ୍ୟ ଧାରାର ମିଶ୍ରଣ ଘଟିଛି କିନ୍ତୁ ଶେଷ ଯାଏ କଳିଙ୍ଗ ସ୍ଥାପତ୍ୟ ରହିଗଲା ଅକଳଂକିତ ଏବଂ ଏହା ଆଶ୍ଚର୍ଯ୍ୟର ବିଷୟ । ଭୌଗୋଳିକ କାରଣରୁ ଯେଉଁଠାରେ ଦକ୍ଷିଣ ଓ ଉତ୍ତର ଦେହକୁ ଦେହ ଲାଗିଛି ଏବଂ ଦାକ୍ଷିଣାତ୍ୟରୁ ଆଗତ ରାଜାମାନେ ବହୁବର୍ଷ ଓଡ଼ିଶାରେ ଆଧିପତ୍ୟ ବିସ୍ତାର କରିଛନ୍ତି, ସ୍ୱାଭାବିକ ମନେ ହେବ ଏଠାରେ ଦ୍ରାବିଡ଼ୀୟ ସ୍ଥାପତ୍ୟର ଆଧିପତ୍ୟ ରହିବ, କିନ୍ତୁ ତାହା ହୋଇ ନାହିଁ । ଏଠାରେ କିଛି ଇତିହାସ ଚର୍ଚ୍ଚା କଲେ ଓଡ଼ିଶା ଶିଳ୍ପୀର ନିଜ ଶିଳ୍ପଧାରାରେ କେତେ ଗଭୀର ବିଶ୍ୱାସ ଥିଲା, ତାହା ବୁଝାପଡ଼ିବ । ସେ ସମୟର ଇତିହାସ ବିସ୍ତୃତ ଭାବେ ପ୍ରଥମ ପରିଚ୍ଛେଦରେ ଆଲୋଚନା କରାଯାଇଛି । ଏଠାରେ ଚୁମ୍ବକରେ ତାହା ଦୋହରା ଯିବ, ଆଲୋଚ୍ୟ ବିଷୟଟି ସ୍ପଷ୍ଟ କରିବାକୁ ।

ଆଜିକାର ଓଡ଼ିଶା ୧୯୩୬ ଏପ୍ରିଲ ପହିଲାରେ ସୃଷ୍ଟି ହୋଇଛି । ତାହା ପୂର୍ବରୁ ଏହାର ରୂପରେଖା ଅସ୍ପଷ୍ଟ ଥିଲା । ପ୍ରଦେଶର ସୀମାରେଖା ବଦଳୁ ଥିଲା । ମହାଭାରତରେ କଳିଙ୍ଗ ସ୍ପଷ୍ଟ ରୂପେ ଉଚ୍ଚାରିତ ହେଉଛି କିନ୍ତୁ ତାହା ମଧ୍ୟରେ ଉତ୍କଳର ନାମ ଉଠୁାହିଁ । ଆଜି ଯାହାକୁ କଳିଙ୍ଗ ସ୍ଥାପତ୍ୟ କୁହାଯାଉଛି ତାହା ପ୍ରଧାନତଃ ପୁରୀ ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର, ପୁରୀ ଓ କୋଣାର୍କ ମନ୍ଦିରର ସ୍ଥାପତ୍ୟ । ଏ ଅଞ୍ଚଳ ଚୋଡ଼ଗଙ୍ଗ ଦେବଙ୍କ ପୂର୍ବରୁ କେବେହେଲେ କଳିଙ୍ଗ ଅନ୍ତର୍ଗତ ନଥିଲା । ଚୋଡ଼ଗଙ୍ଗଦେବ ଏ ଅଞ୍ଚଳ ଦଖଲ କରିନେବା ପୂର୍ବରୁ ତାଙ୍କ କଳିଙ୍ଗ ରାଜ୍ୟର ସୀମାରେଖା ଦକ୍ଷିଣରେ ଗୋଦାବରୀ ଓ ଉତ୍ତରରେ ବୈତରଣୀ ଯାଏ ବିସ୍ତୃତ ଥିଲା । ସେ ଅଞ୍ଚଳର, ବିଶେଷକରି ଋଷିକୂଲ୍ୟାର ଦକ୍ଷିଣ ପଟେ ଦ୍ରାବିଡ଼ୀୟ ସ୍ଥାପତ୍ୟର ଆଧିପତ୍ୟ ଥିଲା । ଚୋଡ଼ଗଙ୍ଗଙ୍କ ସମୟରେ କଳିଙ୍ଗ ଉତ୍କଳକୁ ଗ୍ରାସ କରିଗଲା କିନ୍ତୁ ପରବର୍ତ୍ତୀ ସାତ ପ୍ରଜନ୍ମ ଯାଏ (ଲାଙ୍ଗୁଳା ନରସିଂହଦେବ ଶେଷ ମନ୍ଦିର ସୃଷ୍ଟିକର୍ତ୍ତା) ଦ୍ରାବିଡ଼ ସ୍ଥାପତ୍ୟ ଉତ୍କଳୀୟ ସ୍ଥାପତ୍ୟକୁ ଗ୍ରାସ କରି ପାରିଲା ନାହିଁ । କ୍ରମେ କଳିଙ୍ଗର ଅଙ୍ଗଚ୍ଛେଦ ହୋଇ ଗଞ୍ଜାମ ଆରପଟ ଅଞ୍ଚଳରୁ କଳିଙ୍ଗ ନାମ ଲୁପ୍ତ ହେଲା । କିନ୍ତୁ ବାକି ଥିବା ଅଞ୍ଚଳରେ ଉତ୍କଳୀୟ ସ୍ଥାପତ୍ୟର ପ୍ରାଧାନ୍ୟ ରହିଲା । ଆଧୁିକ ଯୁଗରେ ସେ ଶିଳ୍ପ ଧାରାକୁ Kalinga Art & Architecture କୁହାଯାଉଛି, ଯାହାର ନାମକରଣ ହେବା ଉଚିତ ଥିଲା Utkal Art & Architecture । ସେ ଯାହାହେଉ ବର୍ତ୍ତମାନ ଫେରି ଆସିବା ନରସିଂହଦେବଙ୍କ ସମୟକୁ ଏବଂ କୋଣାର୍କ ନିର୍ମାଣ ପ୍ରସଙ୍ଗକୁ ।

ବାୟାଚକଡ଼ା ଓ ମାଦଳାପାଞ୍ଜି ଉପରେ ନିର୍ଭର କରି ଷ୍ଟେଲା କର୍ମରୀଶ୍‍ ଗୋଟିଏ ଘଟଣା ବିବୃତ କରିଛନ୍ତି । ନରସିଂହଦେବଙ୍କ ଶ୍ୱଶୁର ପାଣ୍ଡ୍ୟାରାଜା କୋଣାର୍କ ନିର୍ମାଣରେ ସାହାଯ୍ୟ କରିବାକୁ କେତେକ ସ୍ଥପତି ପଠାଇଥିଲେ । କୋଣାର୍କର 'ସୂତ୍ରଧର' ସେମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନହୋଇ ବିଦାୟ କରିଦେବାକୁ ଚାହିଁଥିଲେ କିନ୍ତୁ ପରେ ଛୋଟ ମୋଟ ଆଳଂକାରିକ କାର୍ଯ୍ୟରେ ଲଗାଇଥିଲେ ।(୨୦୦) ଲେଖକ ହରପ୍ରସାଦ ଦାସ ଆଉ ପାଦେ ଆଗେଇ ଯାଇ ଲେଖିଛନ୍ତି, "ଓଡ଼ିଆଙ୍କ ହିସାବ ସେମାନଙ୍କ ମୁଣ୍ଡରେ ପଶିଲା ନାହିଁ ।'(୨୦୧) ଏକଥା କହିବା ଠିକ୍‍ ନୁହେଁ, ପାଣ୍ଡ୍ୟା ରାଜା ପଠାଇ ଥିବା ଶିଳ୍ପୀମାନଙ୍କ (ମଦୁରାଇ ମଣ୍ଡଳ ଶିଳ୍ପୀ, ବାୟା ଚକଡାରେ ଅନ୍ୟତ୍ର କଥିତ) ମୁଣ୍ଡରେ ପଶିଲା ନାହିଁ । ପାଣ୍ଡ୍ୟା ରାଜା ଜ୍ୱାଇଁଙ୍କ ପାଖକୁ କିଛି ଆଜେବାଜେ ଶିଳ୍ପୀ ପଠାଇ ନଥିବେ । ମଦୁରାଇର ମୀନାକ୍ଷୀ ମନ୍ଦିର ତଥା ମହୀଶୂରର ହଳେ ବିଡ଼ ଇତ୍ୟାଦି ଦାକ୍ଷିଣାତ୍ୟର ଅନ୍ୟାନ୍ୟ ମନ୍ଦିର ଯିଏ ଦେଖùଥିବ, ବୁଝି ପାରିବ ସେଠାକାର ଶିଳ୍ପୀ ମଧ୍ୟ ଉଚ୍ଚକୋଟୀର କାର୍ଯ୍ୟ କରିଥାଆନ୍ତି, ତେବେ ସେମାନଙ୍କ ଦ୍ରାବିଡ଼ ଧାରାରେ । ଏପରି ନୁହେଁ ଯେ ଓଡ଼ିଶାରେ ଦ୍ରାବିଡ଼ ଧାରାର ମିଶ୍ରଣ କରି ପରୀକ୍ଷା ନିରୀକ୍ଷା ହୋଇନାହିଁ । ଉଦାହରଣ : ବୋଇତାଳ, ଭାସ୍କରେଶ୍ୱର ଓ ଶିଶିରେଶ୍ୱର । କୋଣାର୍କ ସ୍ଥପତି ଏ ମନ୍ଦିରରେ ଅନ୍ୟ କୌଣସି ମିଶ୍ରଣ ଚାହିଁ ନଥିଲେ, ଯେଉଁଥି ପାଇଁ ଆଜି କୋଣାର୍କକୁ କୁହାଯାଉଛି ଭାରତୀୟ ଆର୍ଯ୍ୟ (Indo-Aryan) ଧାରାର ଶେଷ ଅକଳଂକିତ ଉଜ୍ୱଳ ନିଦର୍ଶ । ଘଟଣା ଯେପରି ଘଟିଥିଲା ବାୟଚକଡ଼ାମତେ, ତାହା ବିବୃତ ହୋଇଛି ।

ମଦୁରାଇ ଶିଳ୍ପୀ ଆସିବା ପରେ ସେମାନଙ୍କ ପାଇଁ ଉଚିତ୍‍ ବାସସ୍ଥାନ ଓ ଖାଦ୍ୟର ବ୍ୟବସ୍ଥା କରାଗଲା । କିନ୍ତୁ ସେମାନଙ୍କ କାର୍ଯ୍ୟ ସୂତ୍ରଧର (ସଦାଶିବ ସାମନ୍ତରାୟ ମହାପାତ୍ର)ଙ୍କର ପସନ୍ଦ ନ ହେଲାରୁ ସେମାନେ ଅପମାନିତ ବୋଧ କଲେ । ମହାରାଜଙ୍କ ନିକଟକୁ ତତ୍‍କ୍ଷଣାତ୍‍ ପତ୍ର ଗଲା ଓ ଉତ୍ତର ମଧ୍ୟ ଆସିଗଲା । ରାଜାଦେଶରେ ସେମାନଙ୍କୁ ସ୍କ୍ରୋଲ୍‍ କାମ(ଡାଳି କାମ)ରେ ଲଗାଗଲା । ଡାଳି କାମ ଖାଲି ଲତାପତ୍ରର ନକ୍ସା ନୁହେଁ । ଯେ କେହି ମୁହନ୍ତିଗୁଡିକର କାର୍ଯ୍ୟ ଦେଖିଥିବେ । ବୁଝି ପାରିଥିବେ, ସମଗ୍ର ଭାସ୍କର୍ଯ୍ୟ ପରିବେଷଣରେ ଏହାର ମୂଲ୍ୟ କେତେ ! ପ୍ରଥମେ ସେମାନଙ୍କୁ ଲଗାଗଲା ପୀଠରେ । ଏହା ପରେ ସେମାନେ ପୁରୀ ଯିବାକୁ ଚାହିଁଲେ ନବବର୍ଷ ଉତ୍ସବ ଦେଖିବାକୁ । ସେମାନଙ୍କୁ ପାଲିଙ୍କି ଦିଆଗଲା । ଜଗମୋହନର ପ୍ରଥମ ପୀଢ଼ କାର୍ଯ୍ୟ ଯେତେବେଳେ ହେଲା ସେମାନେ ଏବଂ ଦୁଇଜଣ ଓଡ଼ିଆ ଶିଳ୍ପୀ ଲାଗିଲେ ହାତୀ ଓ ରାଜବନ୍ଧ ମୁହନ୍ତିରେ । ଏହାପରେ ବିଭିନ୍ନ ଡାଳି କାମ ଛଡ଼ା ୧୦ଟି ମୂର୍ତ୍ତିି ଗଢ଼ିବାକୁ ଦିଆଗଲା । ମଦୁରାଇ ଶିଳ୍ପୀମାନେ ବିଭିନ୍ନ ଶିଳ୍ପ କାର୍ଯ୍ୟରେ (ଡାଳି ମୁଖ୍ୟତଃ) ମନ୍ଦିର ପ୍ରତିଷ୍ଠା ଶେଷ ହେଲା ଯାଏ ଥିଲେ ଏବଂ ମନ୍ଦିର ପ୍ରତିଷ୍ଠା ପରେ ନରସିଂହଦେବ ବିଦାୟ ନେବା ପରେ ସେମାନଙ୍କୁ ଯଥାଯୋଗ୍ୟ ସମ୍ମାନ ସହିତ ତାଙ୍କ ଦେଶକୁ ଫେରାଇ ଦିଆଗଲା ।(୨୦୨) ଏଥିରେ ଓଡ଼ିଆ ସ୍ଥପତିର ମର୍ଯ୍ୟାଦା ବଢ଼ିଲା, ମଦୁରାଇ ଶିଳ୍ପୀମାନେ ସମର୍ପିତ ଚିତ୍ତରେ କାର୍ଯ୍ୟ କରିଗଲେ ଏବଂ ଲାଙ୍ଗୁଳା ନରସିଂହଦେବଙ୍କର ଚରିତ୍ରର

ଗୋଟିଏ ଉଜ୍ୱଳ ଦିଗ ଉନ୍ମୁକ୍ତ ହେଲା ।

ଅର୍କକ୍ଷେତ୍ର କୋଣାର୍କ . ୮୯