ଗୋଟିଏ ପଟ ବିଶେଷ ଉଲ୍ଲେଖ ଦାବି କରେ (ଫଟୋ-୪୫)। ଅର୍ଦ୍ଧାଙ୍ଗିନୀ ସହ ଜଣେ ସମ୍ଭ୍ରାନ୍ତ ମଣିଷ ଠିଆ ହୋଇଛନ୍ତି । ଜଣେ ଗବେଷକ ଏହାଙ୍କୁ ସୂତ୍ରଧର ଦମ୍ପତି ରୂପେ ଚିହ୍ନିତ କରିଛନ୍ତି, କିନ୍ତୁ ନାମୋଲ୍ଲେଖ ନାହିଁ କେଉଁଠାରେ । ଏ ପଟର ବିଶେଷତ୍ୱ, ଊର୍ଦ୍ଧ୍ୱାଙ୍ଗପ୍ରାୟ ଅକ୍ଷତ ଅଛି, କିନ୍ତୁ ନିମ୍ନାଙ୍ଗ ପାଣି ପବନରେ ନିଶ୍ଚିହ୍ନ ହୋଇଯାଇଛି । ଏହା ଦୁଇ ଖଣ୍ଡ କନ୍ଦା ପଥରରେ ତିଆରି ହୋଇଥିଲା । ଏ ପଟଟି ପୀଠ ବାଡ଼ର ଦକ୍ଷିଣ-ପଶ୍ଚିମ ଦିଗର ଉପରଜଙ୍ଘାରେ ମିଳିବ । ସାରଣୀ ୫ରେ ୧୨ କିସମର ଖଣ୍ଡୋଲାଇଟ୍ କଥା କୁହାଯାଇଛି । ସବୁ କିସମର କନ୍ଦା ପଥର ପରିବେଶଗତ ସହନଶୀଳତା ସମାନ ନୁହେଁ । ଆଗକୁ ଯଦି ନୂତନ ମନ୍ଦିର ଗଢ଼ା ହୁଏ କିମ୍ବା ସଂରକ୍ଷଣ କାର୍ଯ୍ୟରେ ଶିଳ୍ପାୟିତ ପ୍ରସ୍ତର ବ୍ୟବହୃତ ହୁଏ, ଆଶା କରାଯିବ, ସ୍ଥପତିମାନେ ବିଷୟଟି ନଜରରେ ରଖିବେ ।
କୋଣାର୍କ ପୀଠ ଦେହରେ ମିଥୁନ ଓ ମୈଥୁନ ଫଟୋ ଅସୁମାର । ଏହାକୁ କାମକଳାର ଛିନ୍ନପତ୍ର କୁହାଯାଇପାରେ; ସମ୍ଭବ ଅସମ୍ଭବ ସବୁ ପ୍ରକାରର ମୈଥୁ ଭରି ରହିଛି । କିନ୍ତୁ ଲକ୍ଷ୍ୟ କଲେ ଦେଖାଯିବ, ଆନନ୍ଦ ଅଛି, ତୃପ୍ତି ଅଛି, କିନ୍ତୁ କୌଣସିଠାରେ ପାଶବିକତା ନାହିଁ । (ଫଟୋ-୪୬) ଏ ପ୍ରବଳ କାମଚର୍ଚ୍ଚାରୁ ଦେବଦେବୀମାନେ ମଧ୍ୟ ବାଦ୍ ଯାଇନାହାନ୍ତି । (ଫଟୋ ୪୬୦) । କେତେଗୁଡ଼ିଏ ଫଟୋରେ ଦେବଦେବୀଙ୍କ ମୂର୍ତ୍ତିି ପାଖାପାଖି ଗଢ଼ାଯାଇଛି ମୈଥୁନରତ ନରାରୀ ମୂର୍ତ୍ତିି । ଆଶ୍ଚର୍ଯ୍ୟ ଲାଗେ ଭାବିବାକୁ, ଏହା ଫୁଟେଇଲା ବେଳେ ଶିଳ୍ପୀ କେତେ ଗଭୀରଭାବେ ଅନାସକ୍ତ ଥିଲେ । ଏପରିକି ଦେବଦେବୀଙ୍କ ଘନିଷ୍ଠ ମୁହୂର୍ତ୍ତ ମଧ୍ୟ ସଂଯମର ସହିତ ଖୋଦିତ ହୋଇଛି ।
୧୬୬ . ଅର୍କକ୍ଷେତ୍ର କୋଣାର୍କ