ଭଜ ନୀଳାଚଳ ବିହାରୀ

ଉଇକିପାଠାଗାର‌ରୁ
ଭଜ ନୀଳାଚଳ ବିହାରୀ
ଲେଖକ/କବି: ଜୟ ସିଂହ

ଭଜ ନୀଳାଚଳ ବିହାରୀ

 
ଭଜ ନୀଳାଚଳ ବିହାରୀ ।
ଭବ ସିନ୍ଧୁ ଯେବେ ହୋଇବୁ ପାରି ।।

ଧବଳ ବରନା ଶ୍ରୀ ବଳଦେବଙ୍କ ପାଶେ ଛନ୍ତି ଦେଖ ବିଜୟ କରି ।
ମଧ୍ୟରେ ସୁଭଦ୍ରା ରୂପ ମନୋହର ଦର୍ଶନେ ଦୁରିତ ପାପ ନିବାରି ।୧।

କି ସୁନ୍ଦର ଚକାଡୋଳା ମୁଖପଦ୍ମ ନୟନମନକୁ ଦିଶେ ମାଧୁରୀ ।
ଭକ୍ତଜନ-ଚିତ୍ତଚାତକ-ଉଲ୍ଲାସ ବରସି ଆସେ କି କରୁଣା ବାରି ।୨।

ଜାଈ ଯୂଇ ମଲ୍ଲୀ ମାଳତୀ ସେବତୀ ଧଣ୍ଡାମାଳ ହୃଦେ ଅଛନ୍ତି ଭରି ।
ଚକାନୟନକୁ କି ଶୋଭା ପାଉଛି କାଳନ୍ଦୀ ଜଳେ କି ଆସେ ଲହରୀ ।୩।

ବ୍ରହ୍ମାଦି ନାରଦ ହେଲେ ଅଜ୍ରାମର ଯେଉଁ ପାଦପଦ୍ମ ଆଶ୍ରୟ କରି ।
ଧ୍ରୁବ ପ୍ରହଲ୍ଲାଦ ଅକ୍ରୂର ଉଦ୍ଧବ ତରି ଗଲେ ଯେଉଁ ନାମକୁ ଧରି ।୪।

ବୋଲେ ଜୟସିଂହ ନୃପତି କିଶୋର ଶ୍ରୀମତୀଶ୍ୱରଙ୍କୁ ବିନୟ କରି ।
ଯେବେ ନ ଭଜିବି ତାହାଙ୍କ ନାମକୁ ଅକାରଣେ ଜୀବ ଯିବ ବାହାରି ।୫।