କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି

ଉଇକିପାଠାଗାର‌ରୁ
କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି
ଲେଖକ/କବି: ଗୌରଚରଣ ଅଧିକାରୀ

କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି

କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି ।
ବରଷକ ଥରେ ବିଜୟ ରଥରେ ପତିତ ତାରିବା ପାଇଁକି ।।

ଚଉଦ ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି ।
ଅନେକ କାଳର ଦୁଃଖ ଉପେକ୍ଷିବେ କଳାଶ୍ରୀମୁଖକୁ ଚାହିଁକି ।୧।

ଆଗେ ଗଜପତି ଉଭା ହୋଇଛନ୍ତି ଶିରେ ଯୋଡ଼ି କର ଦୁଇକି ।
ସୁନା ଶୋଧନୀରେ ମାର୍ଜନା କରନ୍ତି ପହଣ୍ଡି ବିଜୟେ ଭୂଇଁକି ।୨।

ଛତିଶା ନିଯୋଗ ଉଭା ହୋଇଛନ୍ତି ଯେ ଭାଜନ ହେବେ ଯହିଁକି ।
ଆକାଶେ ଇନ୍ଦ୍ର ଅମର ବୃନ୍ଦ ପୁଷ୍ପ ବୃଷ୍ଟି କରୁଛନ୍ତି ତହିଁକି ।୩।

ତାଳଧ୍ୱଜ ରଥେ ବିଜୟ କରନ୍ତୁ କହିଦିଅ ବଡ଼ଭାଇଙ୍କି ।
ଦେବୀରଥ ବଡ଼ ସୁନ୍ଦର ଦିଶିବ ଭଉଣୀ ହଳଦୀ ମୁହୀଁକି ।୪।

ତୁମ୍ଭେ ପଛରେ ପଛକେ ଆସୁଥାଅ କରି ନବରଙ୍ଗ ଛଇକି ।
ମଥା ଦୋହଲାଇ ଟାହିଆ ହଲାଇ ଠାବେ ଠାବେ ରହିରହି କି ।୫।

ସେବକମାନଙ୍କ ଅଙ୍ଗ ଶ୍ରମଝାଳ ଗମଗମ ପଡ଼େ ବହି କି ।
ଝଙ୍କାଝଙ୍କି କରିବାରୁ ବାଧୁଥିବ ପରା ସୁକୁମାର ଦେହିକି ।୬।

ଦେବଦାସୀ ନାଟ ଉକୁଟ କରନ୍ତି ତା ତା ଧିମ୍ରିକିଟି ଥେଇକି ।
ବାଜେ ଖୋଳ ତାଳ ମହୁରୀ ମଞ୍ଜୁଳ ମର୍ଦ୍ଦଳ ତା ଧେଇ ଧେଇକି ‌।୭।

କା ନେତ୍ରୁ ଲୋତକ ବହେ ଥକଥକ କେହି ନାଚେ ଗୀତ ଗାଇକି ।
ଜଗମୋହନିଆ ଜଗତଜନଙ୍କୁ ଲଗାଇଛି ପ୍ରେମ ବାଇକି ।୮।

କେତେ ଖାଇବ କଦଳୀ କରମଙ୍ଗା ସରପୁଳୀ ଖଣ୍ଡଖଇକି ।
ନାଡ଼ି ବଡ଼ି ଗଜା ମନୋହର ଖଜା ଛେନାପୁର ବସାଦହିକି ।୯।

କେ କେତେ ଢ଼ମାଳୀ ଗୀତ ଶୁଣାଇବେ କେ କେତେ କରିବେ ଟାହିକି ।
ଖଣ୍ଡି ଚିରଦୁଃଖ ମଣ୍ଡି ଦେବେ ଆଜ କ୍ଷେତ୍ର ବଡ଼ଦାଣ୍ଡ ସାହୀକି ।୧୦।

ନ'ଦିନ ଅବଧି ଲକ୍ଷ୍ମୀକି ପ୍ରବୋଧି ଆସିଅଛ ପରା କହିକି ।
ତୁନି ହୋଇ ଆସ ଚିହ୍ନି ଅଛଟିକି ଜଳପତି ଜେମାଦେଈକି ।୧୧।

ଆହେ ଚକାଡୋଳା ବୃନ୍ଦାବନଲୀଳା ମନେ ଆଉ ପଡୁନାହିଁକି ।
ଆହେ ବଂଶୀଧରା ଚରାଇବ ପରା ଜଗତ-ଭଗତ-ଗାଈଙ୍କି ।୧୨।

ପାପ-ଅନ୍ଧକାର ଛାର କି କରିବ ଆଉ ସେ ପାରିବ ଛୁଇଁକି ।

ନୀଳଶଇଳ ଶିଖରୀ ପୂର୍ଣ୍ଣଚନ୍ଦ୍ର ଆସୁଛନ୍ତି ପରା ଉଇଁକି ।୧୩।


ଅପଲକ ଦୃଷ୍ଟି କରରେ ମାନସ ଆଉ ଏ ସମୟ ପାଇକି ।
ଗଉରଚରଣ ପଶିଲା ଶରଣ ନନ୍ଦିଘୋଷ ରଥ ଛାଇକି ।୧୪।