ପ୍ରଥମ ବର୍ଷ (୧୮୯୮-୯୯) ବହୁଳ ବ୍ୟବସାୟ କରି ଏହା ଅଭୂତପୂର୍ବ ସଫଳତା ହାସଲ
କରିଥିଲା । ଏହାର କାରବାର ମୁଖ୍ୟତଃ ଥିଲା କୃଷିଜାତ ଖାଦ୍ୟ ଦ୍ରବ୍ୟ । ଏ ସଂପର୍କରେ
୧୦.୨.୧୯୦୦ ରେ ଉତ୍କଳ ଦୀପିକାରେ ସମ୍ବାଦଟି ପ୍ରକାଶ ପାଇଥିଲା ।
"ଗତ ସୋମବାର(୫.୨.୧୯୦୦) ଅପରାହ୍ଣରେ ଏଠାରେ ପ୍ରିଣ୍ଟିଂ କଂପାନି ଗୃହରେ ବାବୁ
ମଧୁସୂଦନ ଦାସଙ୍କ ସ୍ଥାପିତ କୋ-ଅପରେଟିଭ୍ ଷ୍ଟୋର୍ (ଯୁକ୍ତ ଭଣ୍ଡାର)ର ଡାଇରେକ୍ଟରମାନଙ୍କର
ସଭା ହୋଇଥିଲା । ଜଣାଗଲା ଧାନ, ବିରି, କୋଳଥ, ବ୍ୟବସାୟରେ ଶତକଡ଼ା ଟ୨୫ଙ୍କା ଲାଭ
ହୋଇଅଛି । ଆସନ୍ତା ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଅଂଶୀଦାରମାନଙ୍କର ଗୋଟିଏ ସାଧାରଣ ସଭା
ହେବ ଏବଂ ତହିଁରେ କାର୍ଯ୍ୟ ନିର୍ବାହର ସୁବ୍ୟବସ୍ଥା ହେବ ।"
ଏହି ସମବାୟ ଷ୍ଟୋରର ପ୍ରତିଷ୍ଠା-ପ୍ରଭାବ ସୁଦୂରପ୍ରସାରୀ ଥିଲା । ସମବାୟଜନିତ ବାତାବରଣ
ଓ ଚିନ୍ତଧାରାରେ ସମଗ୍ର ଓଡ଼ିଶା ଆପ୍ଳୁତ ଥିଲା । ନୂତନ ସମବାୟ ଉଦ୍ୟୋଗମାନ ସୃଷ୍ଟି କରିବାଲାଗି ଏହା ଉତ୍ସାହ ଓ ଉଦ୍ଦୀପନା ଖେଳାଇ ଦେଇଥିଲା । ଦେଶରେ ପରବର୍ତ୍ତୀକାଳର ସମବାୟ ଆନ୍ଦୋଳନ ଏହାର ପରମ ସାକ୍ଷ୍ୟ ପ୍ରଦାନ କରେ । ଏଣୁ ମଧୁସୂଦନ ଦାସ ଥିଲେ ଓଡ଼ିଶାର ସମବାୟ ଆନ୍ଦୋଳନର ଭଗୀରଥ ଆଉ ଆଦ୍ୟ ପ୍ରବର୍ତ୍ତକ ।
ପ୍ରାୟ ୧୯୦୦ ବେଳକୁ ସମବାୟ ଚିନ୍ତାଧାରା ସାରା ଓଡ଼ିଶାର ମାନସ ପଟକୁ ଆଚ୍ଛନ୍ନ
କରିଥାଏ । ରେଭେନ୍ସା କଲେଜର ଉତ୍ସାହୀ ଯୁବକମାନେ ଏଥିରେ ଅଧିକରୁ ଅଧିକ ଭାବେ
ଅନୁପ୍ରାଣିତ ହେଲେ । ଫକୀରମୋହନ ଥିଲେ ଏହାର ଅନ୍ୟତମ ବାର୍ତ୍ତାବହ । ସେ ସମୟର ଜଣେ ପ୍ରବୀଣ ଗ୍ରାଜୁଏଟ ଥିଲେ ବାଳମୁକୁନ୍ଦ କାନୁନ୍ଗୋ । ସେ ଗୋପଳ ବଲ୍ଲଭ ଦାସଙ୍କର ପତ୍ନୀ ବସନ୍ତ କୁମାରୀ ଦେବୀଙ୍କର କନିଷ୍ଠା ଭଗିନୀ ହେମନ୍ତ କୁମାରୀଙ୍କୁ ବିବାହ କରିଥିଲେ । ସେ ବନ୍ଧୁତାର ସୂତ୍ରରେ କଟକ କୋ-ଅପରେଟିଭ୍ ଷ୍ଟୋର୍ର ପରିଚାଳନା ଆଡ଼କୁ ଆକର୍ଷିତ ହୋଇଥିଲେ ଏବଂ ମଧୁସୂଦନ ଦାସଙ୍କଠାରୁ ଏଥିଲାଗି ବିପୁଳ ପ୍ରୋତ୍ସାହନ ପାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ବାଙ୍କୀଠାରେ ସେ ଡେପୁଟି କଲେକ୍ଟର ରୂପେ ଅବସ୍ଥାପିତ ଥିବା ସମୟରେ କୃଷି ଋଣ ସମିତି ସ୍ଥାପନାର ଉଦ୍ୟମ ଆରମ୍ଭ କରିଥିଲେ । ସେ ମଧ୍ୟ ଥିଲେ ଜଣେ ପ୍ରଖ୍ୟାତ କୃଷି ବିଶାରଦ ଓ
ବିଦ୍ୟାଧରପୁର କୃଷିଫାର୍ମ ପରିଚାଳନାରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଉତ୍କଳ ଭ୍ରମଣରେ ଫକୀରମୋହନ ସେତେବେଳେ ଲେଖିଥିଲେ -
ରୂପା ତାରକସି କାମ, ଶିଙ୍ଗର ପାନିଆ
ଅବଶ୍ୟ କହିବି ଏହା ସବୁ ନୂଆନୂଆ
ମାତ୍ର କୋପରେଟିଭ୍ ଯେବେ ରଖିଯିବ
ଯୁଗେ ଯୁଗେ ଓଡ଼ିଶାରେ ନାମ ତୁମ ଥିବ ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମବାୟ ପ୍ରତିଷ୍ଠାନ ଓଡ଼ିଶାରେ ଜନପ୍ରିୟତା ଲାଭ କରିଥିଲା । ସମବାୟ ଋଣ ଆଇନ ୧୯୦୪ ସାଲରେ ପ୍ରଣୟନ ହେବାପୂର୍ବରୁ ବାଙ୍କିର ଚର୍ଚ୍ଚିକା, ସୁବର୍ଣ୍ଣପୁର