ଲଣ୍ତନ
୨୭.୧୨.୧୯୩୨
ପ୍ରିୟ ଶଶିବାବୁ,
ମୁଁ ଏତେ ଉତ୍ତେଜିତ ହୋଇପଡ଼ିଛି ଯେ ଚିଠି ଖଣ୍ଡେ ଲେଖିପାରୁ ନାହିଁ । ଏହା ହେଉଛି
ଗୋଲ୍ଟେବୁଲ୍ ବୈଠକର ସର୍ବଶ୍ରେଷ୍ଠ ଜୟ ସମ୍ଭାର । ଉଦ୍ବେଗ ଆଉ ଉତ୍କଣ୍ଠା ମଧ୍ୟ ଶେଷ
ସୀମାରେ ପହଞ୍ଚିଥିଲା । ଏ ସମସ୍ତ ଶ୍ରମ ଓ କ୍ଲାନ୍ତି ମଧ୍ୟରେ ମୁଁ ଦଶବର୍ଷ ବୁଢ଼ା ହୋଇଗଲା ପରି
ଲାଗୁଛି । ସୀମା ବିଷୟ ଭାରତ ସରକାର ସ୍ଥିର କରିବେ । ଏ ବିଷୟ ମଧ୍ୟ ଏଠାରେ ଉଠାଇଥିଲି ।
କିନ୍ତୁ ଏଠାରେ ଏମାନେ ମାନଚିତ୍ର ନେଇ ବ୍ୟସ୍ତ ହେବାକୁ ରାଜି ନୁହଁନ୍ତି ।
ଏ ଦେଶର ଲୋକାଲ୍ ବୋଡର଼୍ ବିଷୟ ବୁଝିବାପାଇଁ ଅନେକଠାରୁ ନିମନ୍ତ୍ରଣ ଆସୁଛି । ଖ୍ରୀଷ୍ଟମାସ
ପରେ ଏସବୁ ସ୍ଥାନକୁ ଯାଇ ଏଠାରେ ଲୋକାଲ୍ ବୋଡର଼୍ ପରିଚାଳନା ଦେଖିବି । ଜାନୁଆରି ଶେଷ
ବେଳକୁ ୟୁରୋପ ଭ୍ରମଣରେ ବାହାରିବି । ଫେବ୍ରୁଆରି ଶେଷ ବେଳକୁ ଦେଶ ଫେରିବି ।
ଏସବୁ ମୋତେ ସ୍ୱପ୍ନ ପରି ଲାଗୁଛି । ମୁଁ ଲଣ୍ଡନରେ ପହଞ୍ଚିବା ବେଳେ ସେମାନେ ସମସ୍ତେ
ମତେ ଦେଖି ହସୁଥିଲେ । ଓଡ଼ିଶାପାଇଁ ସ୍ୱତନ୍ତ୍ର ପ୍ରଦେଶ ହେବ ବୋଲି ହାସ୍ୟ କରିଥିଲେ । ଏଠାରେ
ଅନେକ ହିଡ଼ହଣା କାର୍ଯ୍ୟ କରିବାକୁ ପଡ଼ିଲା । ତରୁଣ ଓଡ଼ିଶାକୁ ମୋର ଅଭିନନ୍ଦନ ଜଣାଇବେ ।
ତମର ବିଶ୍ୱସ୍ତ
ରାମଚନ୍ଦ୍ର ମର୍ଦ୍ଦରାଜ ଦେବ
(୧୭.୧.୩୩ ସାପ୍ତାହିକ ଆଶାରୁ ଗୃହୀତ)
୧୯୩୨ ସାଲର ଶେଷ ଭାଗରେ ଓଡ଼ିଶା ପ୍ରଦେଶ ଗଠନ ସମ୍ବାଦ କେବଲ୍ ଯୋଗେ ଗୃହୀତ
ହୋଇ "ଆଶା' ଓ "ସମାଜ'ରେ ପ୍ରକାଶିତ ହୋଇଥିଲା । ଏହି ଉଦ୍ଘୋଷଣାକୁ ସ୍ୱାଗତ କରିବାପାଇଁ
ପୁରପଲ୍ଲୀରେ ସଭାମାନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସଭାଗୁଡ଼ିକ କଟକ, ବ୍ରହ୍ମପୁର, ପାଟଣା,
କଲିକତା ଆଦି ସ୍ଥାନରେ ସଂଯୋଜିତ ହୋଇଥିଲା ।
ଏହି ପ୍ରଦେଶ ଗଠନର ଉଦ୍ଘୋଷଣା ସଂପ୍ରସାରିତ ହେବା ବେଳେ ଓଡ଼ିଆ ଜାତିର
ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ଦାସ କଲିକତାର ଏକ ନିଭୃତ ନର୍ସିଂହୋମ୍ରେ ତାଙ୍କର
ଦୁରାରୋଗ୍ୟ ଉଦର ଶୂଳବ୍ୟଥାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଦାରୁଣ ଓ
ଭୀତିପ୍ରଦ ବ୍ୟଥାରେ ତାଙ୍କର ଅନ୍ତଃସ୍ଥଳ ଯେପରି ଦୁହିଁ ହୋଇ ଯାଉଥିଲା ଓ ଉତ୍କଟ ବ୍ୟଥା
ସହନ ସୀମା ଅତିକ୍ରମ କରିଥିଲା । ଆଉ ମଧୁବାବୁ ଯେପରି ମରଣାନ୍ତକ ପୀଡ଼ା ସହିତ ଯୁଝି
ଚାଲିଥିଲେ । ଠିକ୍ ଏହି ଅବସ୍ଥାରେ ଆସି ପହଞ୍ଚିଲା ସେହି ନର୍ସିଂହୋମ୍ରେ ଦୈନିକ "ଆଶା'ରେ
ପ୍ରକାଶିତ ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଘୋଷଣାନାମା "ଓଡ଼ିଶା ପ୍ରଦେଶ ଗଠନର ଉଦ୍ଘୋଷଣା
ଆଜି ପ୍ରକାଶିତ ହେଲା ।"